ଗୃହ ନିର୍ମାଣ ଓ ସହରାଞ୍ଚଳ ଦାରିଦ୍ର୍ୟ ଦୂରୀକରଣ ମନ୍ତ୍ରଣାଳୟ
azadi ka amrit mahotsav

ସ୍ୱନିଧି ସମ୍ମାନ ପ୍ରଦାନ କଲେ କେନ୍ଦ୍ର ମନ୍ତ୍ରୀ ମନୋହର ଲାଲ



ଦ୍ରୁତ ପ୍ରଗତି ହାସଲ କରୁଥିବା ରାଜ୍ୟ ପୁରସ୍କାର ପାଇଲା ଓଡ଼ିଶା

ପୋଷ୍ଟ କରାଯିବା ଦିନାଙ୍କ: 20 NOV 2026 5:37PM by PIB Bhubaneswar

କେନ୍ଦ୍ର ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଅଧୀନ ସହରୀ ବିକାଶ ବିଭାଗ ପକ୍ଷରୁ ନୂଆଦିଲ୍ଲୀର ଡକ୍ଟର ଆମ୍ବେଦକର ଅନ୍ତର୍ଜାତୀୟ କେନ୍ଦ୍ର ଠାରେ ଆଜି ସ୍ୱନିଧି ସମ୍ମାନ ପୁରସ୍କାର ୨୦୨୬ ପ୍ରଦାନ କରାଯାଇଛି । କେନ୍ଦ୍ର ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ଏହି ଅବସରରେ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ତୋଖନ ସାହୁ ଉପସ୍ଥିତ ଥିଲେ । ସମାରୋହରେ ପିଏମ୍‌ ସ୍ୱନିଧି ଯୋଜନାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ରାଜ୍ୟ, କେନ୍ଦ୍ର ଶାସିତ ଅଞ୍ଚଳ, ପୌର ପ୍ରଶାସନ, ଋଣ ପ୍ରଦାନକାରୀ ସଂସ୍ଥା ଏବଂ ସହଯୋଗୀ ସଂଗଠନଗୁଡ଼ିକୁ ପୁରସ୍କାର ଦିଆଯାଇଥିଲା। ପିଏମ ସ୍ୱନିଧି ଯୋଜନାରେ ରାସ୍ତାକଡ଼ ଉଠାଦୋକାନୀଙ୍କର ଜୀବିକାକୁ ସୁଦୃଢ଼ କରିବା, ଆର୍ଥିକ ଅନ୍ତର୍ଭୂକ୍ତୀକରଣ, ଡିଜିଟାଲ ଗ୍ରହଣୀୟତା ଏବଂ ସାମାଜିକ ସୁରକ୍ଷା କ୍ଷେତ୍ରରେ ଯୋଗଦାନ ଦେଇଥିବା ସଂସ୍ଥାଗୁଡ଼ିକୁ ୫୨ଟି ପୁରସ୍କାର ଏବଂ ୫ଟି ସ୍ୱତନ୍ତ୍ର ସମ୍ମାନ ଦିଆଯାଇଥିଲା । 

ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟଗୁଡ଼ିକ ମଧ୍ୟରେ ପିଏମ୍‌ ସ୍ୱନିଧି ଯୋଜନାକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଦ୍ରୁତ ପ୍ରଗତି ହାସଲ କରୁଥିବା ରାଜ୍ୟ ମଧ୍ୟରେ ଓଡ଼ିଶାକୁ ପୁରସ୍କାର ମିଳିଛି । ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ଆନ୍ଧ୍ରପ୍ରଦେଶ, ଏହି ଯୋଜନା କାର୍ଯ୍ୟକାରୀ କରିବାରେ ନିଜର ପ୍ରଦର୍ଶନ ପାଇଁ ପୁରସ୍କୃତ ହୋଇଛନ୍ତି । ସେହିପରି ଉତ୍ତର-ପୂର୍ବାଞ୍ଚଳ ଏବଂ ପାର୍ବତ୍ୟ ରାଜ୍ୟଗୁଡ଼ିକ ମଧ୍ୟରେ ଆସାମ, ସିକ୍କିମ, ମିଜୋରାମ ଓ ତ୍ରିପୁରାକୁ ସମ୍ମାନିତ କରାଯାଇଛି । ଋଣ ପ୍ରଦାନକାରୀ ସଂସ୍ଥାଗୁଡ଼ିକ ମଧ୍ୟରେ, ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ବ୍ୟାଙ୍କ ଅଫ୍ ବରୋଦା, ପଞ୍ଜାବ ନେସନାଲ୍ ବ୍ୟାଙ୍କ ଏବଂ ୟୁନିଅନ୍ ବ୍ୟାଙ୍କକୁ ଋଣ ପ୍ରଦର୍ଶନ ଏବଂ ରାସ୍ତାକଡ଼ ବିକ୍ରେତାମାନଙ୍କୁ ସୁଲଭ ଆନୁଷ୍ଠାନିକ ଋଣ ପ୍ରଦାନ ଦିଗରେ ଅବଦାନ ପାଇଁ ସ୍ୱୀକୃତି ଦିଆଯାଇଥିଲା।

ଜୁନ୍ ୨୦୨୦ରେ ଆରମ୍ଭ ହେବା ପରଠାରୁ, 'ପିଏମ୍ ସ୍ୱନିଧି' ଯୋଜନା ମାଧ୍ୟମରେ ପ୍ରାୟ ୮୧ ଲକ୍ଷ ରାସ୍ତାକଡ଼ ବିକ୍ରେତା ମୋଟ ୧.୨୧ କୋଟିରୁ ଅଧିକ ଋଣ ପାଇପାରିଛନ୍ତି । ଏହାର ମୋଟ୍‌ ମୂଲ୍ୟ ପ୍ରାୟ ୨୦,୦୦୦ କୋଟି ଟଙ୍କା ହେବ । ଅଗଷ୍ଟ ୨୦୨୫ରେ ଏହି ଯୋଜନାର ପୁନର୍ଗଠନ ପରେ, ପ୍ରଥମ ବର୍ଷରେ ୧୦.୬ ଲକ୍ଷ ନୂତନ ହିତାଧିକାରୀଙ୍କୁ ୬,୨୯୪ କୋଟି ଟଙ୍କା ମୂଲ୍ୟର ପ୍ରାୟ ୨୨ ଲକ୍ଷ ଋଣ ପ୍ରଦାନ କରାଯାଇଛି। ଏହି ଯୋଜନା ୟୁପିଆଇ ସଂଯୁକ୍ତ 'ରୁପେ କ୍ରେଡିଟ୍ କାର୍ଡ' ମାଧ୍ୟମରେ ଔପଚାରିକ ଋଣ ସୁବିଧାକୁ ମଧ୍ୟ ସମ୍ପ୍ରସାରିତ କରିଛି। ଯେଉଁ ଯୋଗ୍ୟ ହିତାଧିକାରୀମାନେ ନିଜର ଦ୍ୱିତୀୟ ପର୍ଯ୍ୟାୟ ଋଣ ପରିଶୋଧ କରିସାରିଛନ୍ତି, ସେମାନଙ୍କୁ ଏହି କାର୍ଡ ଜରିଆରେ ୩୦,୦୦୦ ଟଙ୍କା ପର୍ଯ୍ୟନ୍ତ ଋଣ ସୀମାର ସୁବିଧା ପ୍ରଦାନ କରାଯାଉଛି ।

'ସ୍ୱନିଧି ସେ ସମୃଦ୍ଧି' ଅଧୀନରେ, ୫୨ ଲକ୍ଷରୁ ଅଧିକ ହିତାଧିକାରୀ ପରିବାରର ସାମାଜିକ-ଆର୍ଥିକ ସ୍ଥିତିର ଆକଳନ ସମ୍ପନ୍ନ ହୋଇଛି । ଏହାର ଫଳସ୍ୱରୂପ, କେନ୍ଦ୍ର ସରକାରଙ୍କ ଆଠଟି କଲ୍ୟାଣକାରୀ ଯୋଜନା ଅଧୀନରେ ୧.୬୨ କୋଟିରୁ ଅଧିକ ଲାଭ/ସୁବିଧା ମଞ୍ଜୁର କରାଯାଇଛି । ଶ୍ରୀ ମନୋହର ଲାଲ୍ କହିଥିଲେ, 'ଅନ୍ତ୍ୟୋଦୟ'ର ଲକ୍ଷ୍ୟ 'ବିକଶିତ ଭାରତ ୨୦୪୭' ଦିଗରେ ଆଗକୁ ବଢ଼ିବାରେ ସହାୟକ ହେବ । ଏହାକୁ ସାକାର କରିବା ପାଇଁ 'ପିଏମ୍ ସ୍ୱନିଧି' ଯୋଜନାର ଲାଭ ପ୍ରତ୍ୟେକ ଯୋଗ୍ୟ ରାସ୍ତାକଡ଼ ବିକ୍ରେତାଙ୍କ ନିକଟରେ ପହଞ୍ଚିବା ସୁନିଶ୍ଚିତ କରିବା ଆବଶ୍ୟକ ।

******

PS

 

 


(ରିଲିଜ ଆଡି: 2339348) ପରିଦର୍ଶକ କାଉଣ୍ଟର : 3