ପୋଷ୍ଟ କରାଯିବା ଦିନାଙ୍କ:
12 NOV 2026 10:09PM by PIB Bhubaneswar
ଦୀପାବଳିର ଏହି ପବିତ୍ର ପର୍ବ ଅବସରରେ ଆପଣମାନଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା। ଏହା ସହିତ, ଛଠି ମୟାଙ୍କ ପର୍ବ ମଧ୍ୟ ପାଖେଇ ଆସୁଛି, ସେଥିପାଇଁ ମଧ୍ୟ ମୁଁ ଆପଣମାନଙ୍କୁ ଅନେକ-ଅନେକ ଶୁଭକାମନା ଜଣାଉଛି। ଆପଣ ସମସ୍ତଙ୍କୁ ମୋର ଅଭିନନ୍ଦନ।
ଇଣ୍ଡିଆ ଟୁଡେ ଗ୍ରୁପ୍ର ଅଧ୍ୟକ୍ଷ ତଥା ଏଡିଟର-ଇନ୍-ଚିଫ୍ ଶ୍ରୀ ଅରୁଣ ପୁରୀ ଜୀ, କାର୍ଯ୍ୟକ୍ରମରେ ସମଗ୍ର ଦେଶରୁ ଆସି ଯୋଗ ଦେଇଥିବା ସମସ୍ତ କୃଷି ବୈଜ୍ଞାନିକ, କୃଷି-ଉଦ୍ୟୋଗୀ, କୃଷକ ବନ୍ଧୁଗଣ ଏବଂ ଅନ୍ୟାନ୍ୟ ବିଶିଷ୍ଟ ଅତିଥି, ଭଦ୍ରମହିଳା ଓ ଭଦ୍ରବ୍ୟକ୍ତିମାନେ।
ସର୍ବପ୍ରଥମେ ଏହି ଅଭିନବ ପଦକ୍ଷେପ ପାଇଁ ମୁଁ ଇଣ୍ଡିଆ ଟୁଡେ ଗ୍ରୁପ୍କୁ ହୃଦୟର ସହିତ ଅଭିନନ୍ଦନ ଜଣାଉଛି। ଯେତେବେଳେ ଦେଶରେ ସ୍ୱଚ୍ଛତା ଅଭିଯାନ ଆରମ୍ଭ କରିଥିଲି , ସେତେବେଳେ ଇଣ୍ଡିଆ ଟୁଡେ ଗ୍ରୁପ୍ ଏଥିରେ ଅତ୍ୟନ୍ତ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲା। ବର୍ତ୍ତମାନ ଆପଣମାନେ ଏହି 'କିସାନ ମେଳା' ଆୟୋଜନ କରିଛନ୍ତି ଏବଂ ଏଥିପାଇଁ ଦୁଇ ଦିନ ମୁଁ ସଂପୂର୍ଣ୍ଣ ଭାବେ ଉତ୍ସର୍ଗ କରିଛି, ଏହା ଏକ ଅତ୍ୟନ୍ତ ସକାରାତ୍ମକ ଆରମ୍ଭ। ମୁଁ ଆପଣ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି। ଆଉ ଅରୁଣ ଜୀ ଏତେ ସୁନ୍ଦର ହିନ୍ଦୀ କହୁଛନ୍ତି, ତେଣୁ ସେଥିପାଇଁ ତାଙ୍କୁ ଦ୍ୱିଗୁଣା ଅଭିନନ୍ଦନ।
ବନ୍ଧୁଗଣ,
ଏହି କାର୍ଯ୍ୟକ୍ରମ ଏପରି ଏକ ସମୟରେ ଆୟୋଜିତ ହେଉଛି ଯେତେବେଳେ ସମଗ୍ର ଦେଶ ଉତ୍ସବମୁଖର ହୋଇ ରହିଛି। ଦୁଇ-ତିନି ଦିନ ପୂର୍ବେ ଆମେ ଦୀପାବଳି ପାଳନ କରିଛନ୍ତି ଏବଂ ବର୍ତ୍ତମାନ ଚାରିଆଡ଼େ 'ଛଠ୍ ମହାପର୍ବ'ର ପରିବେଶ ରହିଛି। ଏହି ଛଠ୍ ପର୍ବ କୃଷି ଜୀବନ ସହିତ ଗଭୀର ଭାବରେ ଜଡ଼ିତ, ବାସ୍ତବରେ, ଆମ ଦେଶର ଅଧିକାଂଶ ପର୍ବପର୍ବାଣି ଚାଷବାସ ଓ ଚାଷିଭାଇମାନଙ୍କ ସହିତ ଜଡ଼ିତ। ବିହୁ, ପୋଙ୍ଗଲ, ଓନମ୍, ବୈଶାଖୀ, ସରହୁଲ, ପୋଲା,ଏଭଳି ଅନେକ ପର୍ବ କୃଷି ସହିତ ଜଡ଼ିତ ରହିଛି। ଅନ୍ୟଅର୍ଥରେ କହିଲେ, କୃଷି ହେଉଛି ଆମର ସଂସ୍କୃତି, ଆମର ପରମ୍ପରା ଏବଂ ଆମ ସାମାଜିକ ଜୀବନର ମୂଳଆଧାର।
ବନ୍ଧୁଗଣ,
ଲାଲକିଲ୍ଲାରୁ ମୁଁ 'ବିକଶିତ ଭାରତ' ପାଇଁ ଶକ୍ତିର ସପ୍ତଧାରା ବିଷୟରେ କହିଥିଲି, ଯେଉଁଥିରେ କୃଷି ହେଉଛି ଏକ ପ୍ରମୁଖ ଧାରା। କୃଷିର ବିକାଶ ନ’କରିଲେ , ଚାଷ କାର୍ଯ୍ୟକୁ ଅଧିକ ଆଧୁନିକ ଓ ସୁବ୍ୟବସ୍ଥିତ ନ’କରିଲେ ଏବଂ କୃଷକମାନଙ୍କୁ ସଶକ୍ତ ନ’କରିଲେ 'ବିକଶିତ ଭାରତ' ଗଠନ କରିବା ସମ୍ଭବ ନୁହେଁ। ସେଥିପାଇଁ କୃଷକମାନଙ୍କୁ ନେଇ ଆୟୋଜିତ ଏଭଳି ସମ୍ମିଳନୀଗୁଡ଼ିକର ଗୁରୁତ୍ୱ ବହୁତ୍ ରହିଛି।
ବନ୍ଧୁଗଣ,
ଆପଣ କୃଷି ଏବଂ ଦେଶର ପ୍ରଗତି ମଧ୍ୟରେ ଥିବା ସମ୍ପର୍କକୁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମାଧ୍ୟମରେ ବୁଝିପାରିବେ। ନିକଟରେ ବିଶ୍ୱ ବ୍ୟାଙ୍କ ପକ୍ଷରୁ ଦାରିଦ୍ର୍ୟତା ଉପରେ ଏକ ଅଧ୍ୟୟନ ପ୍ରକାଶ ପାଇଛି, ଯାହାକୁ ନେଇ ସମଗ୍ର ବିଶ୍ୱରେ ଚର୍ଚ୍ଚା ହେଉଛି। ଏଥିରେ କୁହାଯାଇଛି ଯେ, ମାତ୍ର ୧୨-୧୩ ବର୍ଷ ମଧ୍ୟରେ ଭାରତର ୫୦ କୋଟି ଗରିବ ଲୋକ ଦାରିଦ୍ର୍ୟକୁ ପରାସ୍ତ କରିଛନ୍ତି। ଏଥିରେ ଏହା ମଧ୍ୟ ଉଲ୍ଲେଖ ରହିଛି ଯେ ଗ୍ରାମାଞ୍ଚଳରେ ଦାରିଦ୍ର୍ୟ ବହୁତ ଦ୍ରୁତ ଗତିରେ ହ୍ରାସ ପାଇଛି। ଏହାର ଅର୍ଥ ହେଉଛି ଯେ, ବହୁ ସଂଖ୍ୟକ କ୍ଷୁଦ୍ର ଚାଷୀ ଏବଂ କୃଷି ଶ୍ରମିକ ଦାରିଦ୍ର୍ୟରୁ ମୁକ୍ତ ହୋଇପାରିଛନ୍ତି। ବର୍ତ୍ତମାନ ଏକ ସଂଯୋଗ ଉପରେ ଧ୍ୟାନ ଦିଅନ୍ତୁ। ଗତ ଏକ ଦଶନ୍ଧି ମଧ୍ୟରେ, ଭାରତର କୃଷି ଅଭିବୃଦ୍ଧି ହାର ଚାରି ପ୍ରତିଶତରୁ ଅଧିକ ରହିଛି। ସ୍ୱାଧୀନତା ପରଠାରୁ ଏହା ହେଉଛି ପ୍ରଥମ ଦଶନ୍ଧି, ଯେଉଁଥିରେ ଦେଶର କୃଷି କ୍ଷେତ୍ର ହାରାହାରି ଚାରି ପ୍ରତିଶତରୁ ଅଧିକ ଅଭିବୃଦ୍ଧି ହାର ହାସଲ କରିଛି। ଏବଂ ଠିକ୍ ଏହି ସମୟ ମଧ୍ୟରେ, ଗ୍ରାମାଞ୍ଚଳର ବହୁସଂଖ୍ୟକ ଗରିବଲୋକ ଦାରିଦ୍ର୍ୟକୁ ପରାସ୍ତ କରିଛନ୍ତି। କିନ୍ତୁ ଦୁର୍ଭାଗ୍ୟବଶତଃ, ଯେଉଁମାନେ ବିଭିନ୍ନ ଦୃଷ୍ଟିକୋଣ ଏବଂ ଏଜେଣ୍ଡା ଭିତ୍ତିକ ସମ୍ବାଦ ପ୍ରସାରଣ ଜାଲରେ ଫସି ରହିଛନ୍ତି ସେମାନେ ଦେଶର ଏହି ସଫଳତାକୁ ଲକ୍ଷ୍ୟ କରିପାରୁନାହାନ୍ତି।
ବନ୍ଧୁଗଣ,
କୃଷି କାର୍ଯ୍ୟରେ ନିୟୋଜିତ ବ୍ୟକ୍ତି ଏବଂ କୃଷି କ୍ଷେତ୍ରର ବିଶେଷଜ୍ଞମାନେ ଭଲ ଭାବରେ ଜାଣନ୍ତି ଯେ କୃଷି ନୀତି ଓ ପଦ୍ଧତିରେ କ୍ରମାଗତ ପରିବର୍ତ୍ତନ ଆଣିବା କେତେ ଆବଶ୍ୟକ। ଦୀର୍ଘ ଦଶନ୍ଧି ଧରି ଶାସନ କ୍ଷମତାରେ ଥିବା ଲୋକମାନେ କେବଳ ଏତିକିରେ ସନ୍ତୁଷ୍ଟ ହୋଇଯାଇଥିଲେ ଯେ ଦେଶର କୃଷକମାନେ ଦେଶର ଖାଦ୍ୟ ଭଣ୍ଡାରଗୁଡ଼ିକୁ ଶସ୍ୟରେ ପୂର୍ଣ୍ଣ କରିଦେଉଥିଲେ, କିନ୍ତୁ ତା’ପରେ କୃଷକମାନଙ୍କୁ କ’ଣ ମିଳିଲା? କେବଳ ଖାଦ୍ୟ ଭଣ୍ଡାର ପୂର୍ଣ୍ଣ କରିଦେବା ଯଥେଷ୍ଟ ନୁହେଁ । ସମୟ ସହିତ ବିଶ୍ୱ ବଦଳିଲା, ବଜାର ବଦଳିଲା, ଲୋକଙ୍କ ଆବଶ୍ୟକତା ବଦଳିଲା, ଖାଦ୍ୟ ଅଭ୍ୟାସ ବଦଳିଲା, ପାଗ ବଦଳିଲା ଏବଂ ପ୍ରଯୁକ୍ତିବିଦ୍ୟା ମଧ୍ୟ ବଦଳିଗଲା। ଏହି ପରିବର୍ତ୍ତନଗୁଡ଼ିକ ସହିତ ତାଳ ଦେଇ ଆମ କୃଷକମାନଙ୍କୁ ମଧ୍ୟ ଏକ ନୂତନ ଶୈଳିରେ ସଶକ୍ତ ହେବାର ଆବଶ୍ୟକତା ଥିଲା। କିନ୍ତୁ ପୂର୍ବରୁ ଏଥିପ୍ରତି ମଧ୍ୟ ଧ୍ୟାନ ଦିଆଯାଇ ନଥିଲା।
ବନ୍ଧୁଗଣ,
ଗତ ଏକ ଦଶନ୍ଧି ମଧ୍ୟରେ, ଦେଶ ଏହି ଗତି ସହିତ ତାଳ ଦେଇ ଆଗକୁ ବଢ଼ିବା ପାଇଁ ପଦକ୍ଷେପ ନେଇଛି ଏବଂ ଏହାର ଫଳାଫଳ ଆମ ସମସ୍ତଙ୍କ ସାମ୍ନାରେ ରହିଛି। ଆଜି ଭାରତ ପ୍ରତିବର୍ଷ ଚାରି ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର କୃଷି ଉତ୍ପାଦ ବିଦେଶକୁ ରପ୍ତାନି କରୁଛି ଏବଂ ଏହି ଅର୍ଥ ଆମ କୃଷକମାନଙ୍କ ଆୟ ବୃଦ୍ଧି କରିବାରେ ସହାୟକ ହେଉଛି। ଆଜି ଭାରତ କ୍ଷୀର ଉତ୍ପାଦନରେ ବିଶ୍ୱରେ ପ୍ରଥମ ସ୍ଥାନରେ ରହିଛି। ଆଜି ଭାରତ ଡାଲି ଉତ୍ପାଦନରେ ପ୍ରଥମ ସ୍ଥାନରେ ଅଛି। ଭାରତ ଜୁଟ୍ ଉତ୍ପାଦନ କ୍ଷେତ୍ରରେ ମଧ୍ୟ ଭାରତ ପ୍ରଥମ ସ୍ଥାନରେ ରହିଛି। ଚାଉଳ ଉତ୍ପାଦନରେ ମଧ୍ୟ ପ୍ରଥମ ସ୍ଥାନ ହାସଲ କରିଛି। ଗହମ ଉତ୍ପାଦନରେ ଭାରତ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି। କପା, ଫଳ ଏବଂ ପନିପରିବା ଉତ୍ପାଦନରେ ମଧ୍ୟ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି। ମତ୍ସ୍ୟ ଉତ୍ପାଦନରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ, ଏହା ସହିତ ବିଶ୍ୱର ସର୍ବବୃହତ ମୋଟା ଶସ୍ୟ (ମିଲେଟ୍ସ) ଉତ୍ପାଦନକାରୀ ଦେଶ ଅଟେ। ଏଗୁଡ଼ିକ କେବଳ କିଛି ପରିସଂଖ୍ୟାନ ନୁହେଁ ବରଂ ଏଗୁଡ଼ିକ ଦର୍ଶାଉଛି ଯେ ଭାରତୀୟ କୃଷକମାନଙ୍କ ଦକ୍ଷତା କେତେ ମାତ୍ରାରେ ବୃଦ୍ଧି ପାଇଛି।
ବନ୍ଧୁଗଣ,
ଭାରତର କୃଷକଙ୍କ ସମୃଦ୍ଧତା ପାଇଁ ଆଉ ଗୋଟିଏ କଥା ଆବଶ୍ୟକ | ଏହା ଆବଶ୍ୟକ ଯେ ସେମାନେ କେବଳ ଗହମ, ଚାଉଳ, ଆଖୁ ଭଳି ପାରମ୍ପରିକ ଫସଲ ଉପରେ ନିର୍ଭରଶୀଳ ନ’ରୁହନ୍ତୁ | ମୁଁ ପୁଣିଥରେ କହିବି ଯେ , କୃଷକ ଭାଇମାନେ କେବଳ ଗହମ, ଚାଉଳ ଏବଂ ଆଖୁ ଉପରେ ନିର୍ଭରଶୀଳ ରହିବା ଉଚିତ୍ ନୁହେଁ | ତେଣୁ ସରକାର ଅନ୍ୟ ଫସଲ ତଥା କୃଷି ସହ ଜଡିତ ଅନ୍ୟାନ୍ୟ କାର୍ଯ୍ୟ ଉପରେ ମଧ୍ୟ ଗୁରୁତ୍ୱ ଦେଉଛନ୍ତି। ମୋତେ ଇଣ୍ଡିଆ ଟୁଡେ ଗ୍ରୁପକୁ କିଛି ମନେ ପକାଇ ଦେଉଛି । “ବିପ୍ଳବ”ଶବ୍ଦର ଅର୍ଥ , କ୍ରାନ୍ତି, ଯାହାକି ଇଣ୍ଡିଆ ଟୁଡେ ଗ୍ରୁପ୍ ବିଶେଷ ଭାବରେ ପସନ୍ଦ କରେ , ତେଣୁ, ମୁଁ ବର୍ତ୍ତମାନ କିଛି ବିପ୍ଳବ ବିଷୟରେ କହିବାକୁ ଯାଉଛି |
ବନ୍ଧୁଗଣ,
ଏକ ସମୟ ଥିଲା ଯେତେବେଳେ ଦେଶ ସବୁଜ ବିପ୍ଳବ ମାଧ୍ୟମରେ ଖାଦ୍ୟ ଶସ୍ୟ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହେବା ଦିଗରେ ଏକ ଐତିହାସିକ ପଦକ୍ଷେପ ନେଇଥିଲା। ଏହା ପରେ ହ୍ୱାଇଟ ରିଭୋଲ୍ୟୁସନ୍ ଭାରତକୁ ବିଶ୍ୱର ସର୍ବବୃହତ ଦୁଗ୍ଧ ଉତ୍ପାଦନକାରୀ କରାଇଥିଲା | ଆଜି, ମୁଁ ଆପଣଙ୍କୁ ଆଉ କିଛି ଆକଳନ ଦେବି ଯାହା ଦର୍ଶାଏ ଯେ ଏହି ଯାତ୍ରା କିପରି ଚମତ୍କାର ଗତି ସହିତ ଆଗକୁ ବଢୁଛି | ବିଗତ ଏକ ଦଶନ୍ଧି ମଧ୍ୟରେ ଭାରତର ଦୁଗ୍ଧ ଉତ୍ପାଦନ ପ୍ରାୟ ୭୦ ପ୍ରତିଶତ, ୭୦ ପ୍ରତିଶତ ବୃଦ୍ଧି ପାଇଛି | ଅଣ୍ଡା ଉତ୍ପାଦନ ମଧ୍ୟ ପ୍ରାୟ ୯୦ ପ୍ରତିଶତ ମାନେ ୯୦ ପ୍ରତିଶତ ବୃଦ୍ଧି ପାଇଛି। ଏବଂ ଯଦି ଆମେ ବ୍ଲୁ ବିପ୍ଳବ ବିଷୟରେ କହିବା ତେବେ ଏକ ଦଶନ୍ଧି ମଧ୍ୟରେ ଭାରତର ମତ୍ସ୍ୟ ଉତ୍ପାଦନ ଦ୍ୱିଗୁଣିତ ହୋଇଛି | ମିଠା ବିପ୍ଳବ ମାଧ୍ୟମରେ ମହୁମାଛି କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି ହୋଇଛି | ମହୁ ଉତ୍ପାଦନ ପ୍ରାୟ ୮୦ ହଜାର ଟନରୁ ୧୫୦ ହଜାର ଟନକୁ ବୃଦ୍ଧି ପାଇଛି | ଉଦ୍ୟାନ କୃଷିରେ ମଧ୍ୟ ଭାରତର ଉତ୍ପାଦନ ୨୮୦ ନିୟୁତ ଟନରୁ ୩୫୦ ନିୟୁତ ଟନରୁ ମଧ୍ୟ ଅଧିକ ବୃଦ୍ଧି ପାଇଛି।
ବନ୍ଧୁଗଣ,
ଯେତେବେଳେ ଆମେ ଏହି ସମସ୍ତ ବିପ୍ଳବକୁ ଏକ ବ୍ୟାପକ ଦୃଷ୍ଟିକୋଣ ସହିତ ଯୋଡ଼ିଥାଉ, ସେତେବେଳେ ଦେଶର କୃଷକମାନଙ୍କ ପାଇଁ ଆୟର ବିଭିନ୍ନ ଉତ୍ସ ସୃଷ୍ଟି ହୋଇଥାଏ ଏବଂ କୃଷିର ଭବିଷ୍ୟତ ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ମୁଁ ଆପଣମାନଙ୍କୁ ଆଉ ଏକ ଉଦାହରଣ ଦେଉଛି। ଆଉ ଏକ ବିପ୍ଳବ ହେଉଛି - ସୌର ଶକ୍ତି ବିପ୍ଳବ। ଏହି ବିପ୍ଳବ 'ଅନ୍ନଦାତା'ଙ୍କୁ 'ଶକ୍ତିଦାତା'ରେ ପରିଣତ କରିଛି। 'ପିଏମ୍-କୁସୁମ୍' ଯୋଜନା ଅଧୀନରେ ପ୍ରାୟ ୧୨ ଲକ୍ଷ ସୌର ପମ୍ପ ବଣ୍ଟନ କରାଯାଇସାରିଛି। ଏହା କୃଷକମାନଙ୍କ ବିଦ୍ୟୁତ୍ ବିଲ୍ ହ୍ରାସ କରୁଛି ଏବଂ ସେମାନେ ନିଜ କ୍ଷେତରେ ସୌର ପ୍ଲାଣ୍ଟ ସ୍ଥାପନ କରି ଆୟ ମଧ୍ୟ ଅର୍ଜନ କରିବା ଆରମ୍ଭ କରିଦେଇଛନ୍ତି। ଉତ୍ପାଦନ ସହିତ, ଆମେ ଉତ୍ପାଦକତା ଏବଂ କୃଷକମାନଙ୍କ ଲାଭ ଉପରେ ମଧ୍ୟ ଧ୍ୟାନ କେନ୍ଦ୍ରିତ କରିଛୁ।
ବନ୍ଧୁଗଣ,
ନିକଟରେ ସରକାରଙ୍କ ମୁଖିଆ ଭାବରେ ମୋର କାର୍ଯ୍ୟକାଳ ୨୫ ବର୍ଷ ପୂରଣ ହୋଇଛି। ଯେତେବେଳେ ମୁଁ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲି, ସେତେବେଳେ ମଧ୍ୟ ମୁଁ କୃଷି କ୍ଷେତ୍ରକୁ ଆଧୁନିକୀକରଣ କରିବା ପାଇଁ ନିରନ୍ତର କାର୍ଯ୍ୟ କରୁଥିଲି। ସେହି ସମୟରେ, ମୁଁ ବୃହତ କୃଷି ମହୋତ୍ସବ ଆୟୋଜନ କରିବା ଆରମ୍ଭ କରିଥିଲି। ମୋର ମନେ ଅଛି, ମେଁ-ଜୁନ୍ ମାସରେ, ୪୦-୪୫ ଡିଗ୍ରୀ ସେଲସିୟସ୍ ତାପମାତ୍ରା ମଧ୍ୟରେ ଶହ-ଶହ କୃଷି ବୈଜ୍ଞାନିକ, କୃଷି ବିଶେଷଜ୍ଞ ଏବଂ ଅଗ୍ରଗାମୀ ଚାଷୀମାନେ ଏକତ୍ରିତ ହେଉଥିଲେ, ସମସ୍ତେ ମିଶି ଆମେ ‘କିଷାନ ରଥ’ ପ୍ରସ୍ତୁତ କରୁଥିଲୁ ଏବଂ ସେଥିରେ ଯାତ୍ରା କରୁଥିଲୁ। ଆମେ ଗାଁ ଗାଁକୁ ଏବଂ କ୍ଷେତକୁ ଯାଉଥିଲୁ। ଆମେ ଚାଷୀଙ୍କ ଜମି ପରିଦର୍ଶନ କରୁଥିଲୁ ଏବଂ ସେମାନଙ୍କ ସହ ସିଧାସଳଖ ଆଲୋଚନା କରୁଥିଲୁ। ସେହି ଅଞ୍ଚଳର ମାଟି କିପରି, ପାଣିର ଉପଲବ୍ଧତା କେତେ, ସେଠାରେ କେଉଁ ଫସଲ ଭଲ ହୋଇପାରିବ ଏବଂ କିଭଳି ଚାଷ ପଦ୍ଧତି ଆବଶ୍ୟକ। ଏଭଳି ପ୍ରତ୍ୟେକ ବିଷୟ ଉପରେ ଚାଷୀମାନଙ୍କ ସହ ସିଧାସଳଖ ଆଲୋଚନା କରାଯାଉଥିଲା। ଆମର ଲକ୍ଷ୍ୟ ଥିଲା ଯେ ବୈଜ୍ଞାନିକମାନଙ୍କ ପରୀକ୍ଷାଗାରରେ ଥିବା ଜ୍ଞାନ ଯେପରି ସିଧାସଳଖ ଚାଷୀଙ୍କ କ୍ଷେତ ପର୍ଯ୍ୟନ୍ତ ପହଞ୍ଚିପାରିବ। ଅନ୍ୟ ଅର୍ଥରେ କହିଲେ, ଆମେ ପରୀକ୍ଷାଗାରରୁ କ୍ଷେତ ପର୍ଯ୍ୟନ୍ତ (‘ଲାବ୍ ଟୁ ଲ୍ୟାଣ୍ଡ୍’) ଧାରଣାକୁ ନେଇ ଆଗକୁ ବଢ଼ିଥିଲୁ ଏବଂ ଗୁଜୁରାଟର ଚାଷୀମାନେ ଏଥିରୁ ବହୁତ ଉପକୃତ ହୋଇଥିଲେ।
ବନ୍ଧୁଗଣ,
ଗୁଜୁରାଟରେ କାମ କରିବା ସମୟର ଅନୁଭୂତି କେନ୍ଦ୍ର ସରକାରଙ୍କ ସହ ଯୋଡ଼ି ହେବା ପରେ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହୋଇଛି। ୨୦୧୪ ମସିହାରେ, ଦେଶରେ ମାତ୍ର କିଛି ଶହ ମୃତ୍ତିକା ପରୀକ୍ଷାଗାର ଥିଲା। ଆଜି ଏହି ସଂଖ୍ୟା ବୃଦ୍ଧି ପାଇ ୮ହଜାର ୪୦୦ରୁ ଅଧିକ ହୋଇଯାଇଛି। ଯେପରି ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ପାଥୋଲୋଜି ଲାବୋରେଟୋରୀଗୁଡ଼ିକର ସମ୍ପ୍ରସାରଣ ଘଟୁଛି, ଠିକ୍ ସେହିପରି ଆଜି ମୃତ୍ତିକା ପରୀକ୍ଷାଗାରଗୁଡ଼ିକର ମଧ୍ୟ ସମ୍ପ୍ରସାରଣ ହେଉଛି। ଆଜି ସାରା ଦେଶରେ ସାଢେ ସାତ ଶହରୁ ଅଧିକ 'କୃଷି ବିଜ୍ଞାନ କେନ୍ଦ୍ର' ରହିଛି। ଆମେ ପଶୁମାନଙ୍କୁ ବିଭିନ୍ନ ରୋଗରୁ ସୁରକ୍ଷା ଦେବା ଉପରେ ମଧ୍ୟ ଗୁରୁତ୍ୱ ଦେଉଛୁ। ପଶୁଧନଙ୍କୁ 'ଖୁରା ଓ ପାଟି ରୋଗ'ରୁ ରକ୍ଷା କରିବା ପାଇଁ ଆଠ କୋଟିରୁ ଅଧିକ ଚାଷୀଙ୍କର ପଶୁମାନଙ୍କୁ ମାଗଣା ଟିକାକରଣ କରାଯାଇଛି। କୋଭିଡ୍ ସମୟରେ ଆମେ ମାଗଣା ଟିକା ଯୋଗାଇଥିଲୁ, ଯାହା ସମସ୍ତଙ୍କର ମନେ ଅଛି। କିନ୍ତୁ ଏ ହେଉଛନ୍ତି ମୋଦୀ, ଯିଏ କେବଳ ମଣିଷଙ୍କୁ ନୁହେଁ, ବରଂ ପଶୁମାନଙ୍କୁ ମଧ୍ୟ ମାଗଣା ଟିକା ଯୋଗାଇଥାନ୍ତି।
ବନ୍ଧୁଗଣ,
ପୁରୁଣା ଚିନ୍ତାଧାରା ରଖୁଥିବା କିଛି ଲୋକମାନେ ପ୍ରାୟତଃ ବିଶ୍ୱାସ କରନ୍ତି ଯେ ଆମ ଗାଁଗୁଡ଼ିକରେ ବ୍ୟାପକ ସ୍ତରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ସମ୍ଭବ ହୋଇପାରିବ ନାହିଁ। 'ନମୋ ଡ୍ରୋନ୍ ଦିଦି'ମାନେ ଏଭଳି ଲୋକଙ୍କ ଧାରଣାକୁ ଭୁଲ୍ ବୋଲି ପ୍ରମାଣିତ କରିଛନ୍ତି। ଥରେ, ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମସ୍ତ 'ଡ୍ରୋନ୍ ଦିଦି'ଙ୍କ ସହ କଥା ହେବା ସମୟରେ, ମୁଁ ଝାଡ଼ଖଣ୍ଡର ଏକ ଗାଁର ଜଣେ ଝିଅଙ୍କ ସହ କଥା ହେଉଥିଲି। ସେ ମୋତେ କହିଲେ, "ବର୍ତ୍ତମାନ ମୋର ସ୍ଥିତି ବଦଳି ଯାଇଛି।" ମୁଁ ପଚାରିଲି, "କାହିଁକି ?" ସେ କହିଲେ, "ସାରା ଗାଁ ମୋତେ 'ପାଇଲଟ୍' ବୋଲି ଡାକୁଛି ଏବଂ ମୋର ଦିଅରମାନେ ମଧ୍ୟ ମୋତେ 'ପାଇଲଟ୍ ଭାଉଜ' ବୋଲି ଡାକୁଛନ୍ତି।" କଳ୍ପନା କରନ୍ତୁ, ଏହା ଦ୍ୱାରା ଆତ୍ମସମ୍ମାନ କେତେ ବୃଦ୍ଧି ପାଇଥାଏ। ବର୍ତ୍ତମାନ, 'ନମୋ ଡ୍ରୋନ୍ ଦିଦି'ମାନେ ସାର ଓ କୀଟନାଶକ ସିଞ୍ଚନ କରିବା ପାଇଁ ଡ୍ରୋନ୍ ବ୍ୟବହାର କରୁଛନ୍ତି । ଏବେ ଏହାର ବ୍ୟବହାର ପରିସର ମଧ୍ୟ ବୃଦ୍ଧି କରାଯାଉଛି।
ବନ୍ଧୁଗଣ,
ଆଜିର ଭାରତ ମଧ୍ୟ କୃଷି କ୍ଷେତ୍ରରେ ଇଞ୍ଜିନିୟରିଂର ଭୂମିକା ବିସ୍ତାର ହେବାରେ ଲାଗିଛି। ଆମର କୃଷି ବୈଜ୍ଞାନିକ, ଇଂଜିନିୟର ଏବଂ ଯୁବକମାନେ ଏକାଠି ଏପରି ଉପକରଣ ଏବଂ ଯନ୍ତ୍ରଗୁଡ଼ିକର ବିକାଶ କରୁଛନ୍ତି ଯାହା ଚାଷର ମୂଲ୍ୟ ହ୍ରାସ କରୁଛି । କେତେକ ସ୍ଥାନରେ ମେସିନ୍ ବିକଶିତ ହେଉଛି ଯାହା ବୁଣିବା ଏବଂ ଅମଳ କରିବା ସହଜ କରିଥାଏ | ଏବଂ ମୁଁ ବିଶେଷ ଭାବରେ ଏଠାରେ ଉପସ୍ଥିତ ଥିବା ଶିଳ୍ପପତିମାନଙ୍କୁ , କୃଷକମାନଙ୍କ ପାଇଁ ଉତ୍ପାଦନ ଉପକରଣରେ ନିୟୋଜିତ ଥିବା ତଥା ଆମର ଷ୍ଟାର୍ଟଅପ୍ ପ୍ରତିଷ୍ଠାତାମାନଙ୍କୁ ଅନୁରୋଧ କରିବାକୁ ଚାହେଁ ଯେ ଆପଣ ବର୍ତ୍ତମାନଠାରୁ ଯାହା ବି ଉପକରଣ ନିର୍ମାଣ କରୁଛନ୍ତି ତାହା ସୌର ଶକ୍ତି ଦ୍ୱାରା ଚାଳିତ ହେବା ଉଚିତ, କାରଣ ଆମେ ପ୍ରତ୍ୟେକ କ୍ଷେତରେ ସୌର ଶକ୍ତି ପହଞ୍ଚାଇବାରେ ପଦକ୍ଷେପ ନେଉଛୁ। ଯେପରି ସମଗ୍ର ବିଶ୍ୱ ବର୍ତ୍ତମାନ ବୈଦ୍ୟୁତିକ ଯାନ ଆଡକୁ ଦୃତ ଗତିରେ ଆଗଉଛି, ମୁଁ ମଧ୍ୟ ପ୍ରତ୍ୟେକ ପ୍ରକାର କୃଷି ଉପକରଣକୁ ସୌର ଚାଳିତ କରିବା ସପକ୍ଷରେ ଅଛି। ଏବଂ ମୁଁ ମଧ୍ୟ ସେହି ଦିଗରେ ଯଥେଷ୍ଟ ଉଦ୍ୟମ କରୁଛି | କିନ୍ତୁ ମୁଁ ସମସ୍ତ ଏମଏସଏମଇ ଏବଂ କ୍ଷୁଦ୍ର ଶିଳ୍ପକୁ ଏହା ଉପରେ ଧ୍ୟାନ ଦେବାକୁ ଅନୁରୋଧ କରିବି | ଏହା ବିପ୍ଳବର ଏକ ବହୁତ ବଡ କ୍ଷେତ୍ର ହେବାକୁ ଯାଉଛି । କେବଳ ସେତିକି ନୁହେଁ, ଏଇ ଟେକ୍ନୋଲୋଜି ସହିତ ସଜ୍ଜିତ ସେନ୍ସର-ଆଧାରିତ ଯନ୍ତ୍ରପାତି ବର୍ତ୍ତମାନ ବିକଶିତ ହେଉଛି ଯାହା କୃଷକମାନଙ୍କୁ ସଠିକ୍ ସୂଚନା ପ୍ରଦାନ କରିପାରିବ ଏବଂ କ୍ଷୁଦ୍ର ଚାଷୀଙ୍କ ପାଇଁ ମଧ୍ୟ ସୁଲଭ ହୋଇପାରିବ। ମୋବାଇଲ୍ ଫୋନ୍ ମାଧ୍ୟମରେ ମାଟି ପରୀକ୍ଷା ପାଇଁ ବର୍ତ୍ତମାନ ବ୍ୟବସ୍ଥା କରାଯାଉଛି | ଆପଣ ମୋବାଇଲ୍ ଆଧାରିତ ଡିଭାଇସରେ କେବଳ ଟିକିଏ ମାଟି ରଖିଛନ୍ତି, ଏବଂ ଆପଣଙ୍କ ଫୋନ୍ ତୁରନ୍ତ ଏକ ରିପୋର୍ଟ ପ୍ରଦାନ କରିବ ଯାହା ଆପଣଙ୍କ ମାଟି କେଉଁ ଫସଲ ପାଇଁ ଉପଯୁକ୍ତ, କେତେ ସାର ଆବଶ୍ୟକ ଏବଂ କେଉଁ ପ୍ରକାରର ସାର ଆବଶ୍ୟକ ତାହା ଆପଣଙ୍କୁ ଶିଘ୍ର ଜଣାଇଦେବ। ଅନ୍ୟ ଅର୍ଥରେ,ଦେଖିବାକୁ ଗଲେ ଦେଖନ୍ତୁ କେତେ ଦୃତ ଗତିରେ ପରିବର୍ତ୍ତନ ଘଟୁଛି। ଅର୍ଥାତ୍ ଆଜି କୃଷି-ଇଞ୍ଜିନିୟରିଂ ଠାରୁ ଆରମ୍ଭ କରି ଏଗ୍ରି କୃଷି-ଷ୍ଟାର୍ଟଅପ୍ ପର୍ଯ୍ୟନ୍ତ ଭାରତରେ ଅନେକ ସୁଯୋଗ ପରିପୂର୍ଣ୍ଣ ରହିଛି। ଆମକୁ ଆମର ଅନ୍ନଦାତାଙ୍କୁ କୃଷି-ପ୍ରେନିଅର୍ ଅର୍ଥାତ୍ କୃଷି ଉଦ୍ୟୋଗରେ ପରିଣତ କରିବା ପଡ଼ିବ। ଉତ୍ପାଦିତ ହେଉଥିବା ସ୍ଥାନରେ ମୂଲ୍ୟ ଯୋଡ଼ିବା ନେଇ ବର୍ତ୍ତମାନ ଦେଶରେ କାର୍ଯ୍ୟ ଦ୍ରୁତ ଗତିରେ ଅଗ୍ରଗତି କରୁଛି ।
ବନ୍ଧୁଗଣ,
ଗତ କିଛି ବର୍ଷ ମଧ୍ୟରେ, କ୍ଷୁଦ୍ର ଚାଷୀମାନେ ସରକାରଙ୍କ ସହଯୋଗରେ ଦଶ ହଜାର 'ଏଫ୍ପିଓ' ବା 'କୃଷକ ଉତ୍ପାଦକ ସଂଗଠନ'ର ଏକ ବିଶାଳ ନେଟୱାର୍କ ଗଢ଼ିଛନ୍ତି। ଏଗୁଡ଼ିକ କ୍ଷୁଦ୍ର ଚାଷୀଙ୍କ ଗୋଷ୍ଠୀକୁ 'ମୂଲ୍ୟ ସୃଷ୍ଟିକାରୀ' ଭାବରେ ଗଢ଼ି ତୋଳୁଛି ଏବଂ ସେମାନଙ୍କୁ ଖାଦ୍ୟ ପ୍ରକ୍ରିୟାକରଣ ବ୍ୟବସାୟ ସହିତ ଯୋଡ଼ୁଛି। ଗୁଜୁରାଟରେ ରହିବା ସମୟରେ ଏକ ଘଟଣା ମୋର ସ୍ପଷ୍ଟ ମନେ ଅଛି। ଗୁଜୁରାଟରେ ଆମେ 'ଜ୍ୟୋତିଗ୍ରାମ ଯୋଜନା' ଆରମ୍ଭ କରିଥିଲୁ। ଆମେ କୃଷି କ୍ଷେତ୍ର ପାଇଁ ଉଦ୍ଦିଷ୍ଟ ବିଦ୍ୟୁତ୍ ଲାଇନ୍କୁ ଘରୋଇ ବିଦ୍ୟୁତ୍ ଲାଇନ୍ଠାରୁ ଅଲଗା କରିଦେଲୁ ଏବଂ ଚାଷୀମାନଙ୍କୁ ଯଥାସମ୍ଭବ ଅଧିକ ବିଦ୍ୟୁତ୍ ଯୋଗାଇବା ଆରମ୍ଭ କଲୁ। ଏହା ଚାଷୀମାନଙ୍କ ପାଇଁ ବହୁତ ଲାଭଦାୟକ ହେଲା। ଗାନ୍ଧୀନଗର ନିକଟରେ କିଛି ଗାଁ ଅଛି ଯେଉଁଠାରେ ଅଧିକାଂଶ ଲୋକ ଲଙ୍କା ଚାଷ କରନ୍ତି। କିନ୍ତୁ ସେଠାକାର ଚାଷୀମାନେ ଏକ ସମସ୍ୟାର ସମ୍ମୁଖୀନ ହେଉଥିଲେ। ଯଦି ଉତ୍ପାଦନ ବଢ଼ୁଥିଲା, ତେବେ ଦର କମିଯାଉଥିଲା, ଆଉ ଯଦି ଉତ୍ପାଦନ କମିଯାଉଥିଲା, ତେବେ ଆୟ ମଧ୍ୟ କମିଯାଉଥିଲା। ଉଭୟ ପରିସ୍ଥିତିରେ ସେମାନଙ୍କୁ କ୍ଷତି ସହିବାକୁ ପଡ଼ୁଥିଲା। ଯଦି ବହୁତ ଲଙ୍କା ଉତ୍ପାଦନ ହୁଏ, ତେବେ ସେମାନେ ସେଗୁଡ଼ିକୁ ବିକ୍ରି କରିପାରିବେ ନାହିଁ। କିନ୍ତୁ ଜ୍ୟୋତିଗ୍ରାମ ଯୋଜନା ମାଧ୍ୟମରେ ବିଦ୍ୟୁତ୍ ଆସିବା ପରେ, ସେମାନେ ଲଙ୍କାକୁ ଲାଲ ଲଙ୍କା ପାଉଡରରେ ପରିଣତ କରିବା ଆରମ୍ଭ କଲେ। ସେମାନେ ସେହି ପାଉଡର ପ୍ୟାକେଜିଂ କଲେ, ବିଜ୍ଞାପନ କଲେ, ପ୍ୟାକେଜିଂରେ ବ୍ୟକ୍ତିତ୍ୱଙ୍କ ଫଟୋ ଛାପିଲେ ଏବଂ ବଡ଼ ପରିମାଣରେ ଲଙ୍କା ପାଉଡର ବିକ୍ରି କରିବା ଆରମ୍ଭ କଲେ। ଏହି ମୂଲ୍ୟ ବୃଦ୍ଧି ମାଧ୍ୟମରେ, ସେମାନେ ଅତ୍ୟନ୍ତ ସଫଳ ରୋଜଗାରକାରୀ ହୋଇଗଲେ। ପୂର୍ବରୁ, ସେମାନେ ସେମାନଙ୍କ ଲଙ୍କାର ଉପଯୁକ୍ତ ମୂଲ୍ୟ ମଧ୍ୟ ପାଇପାରୁ ନଥିଲେ, କିନ୍ତୁ ବର୍ତ୍ତମାନ ସେମାନଙ୍କର ଉତ୍ପାଦ ବ୍ରାଣ୍ଡ ହୋଇଗଲା। ସେଥିରୁ ଏହା ଦର୍ଶାଉଛି ଯେ ପ୍ରତ୍ୟେକ ଛୋଟ ଦିଗ ପ୍ରତି ଧ୍ୟାନ ଦେଲେ କ’ଣ ସମ୍ଭବ ହୋଇଥାଏ । କ୍ଷୁଦ୍ର ଚାଷୀମାନଙ୍କୁ ରପ୍ତାନି ବଜାର ସହିତ ଯୋଡ଼ିବା ପାଇଁ ପ୍ରୟାସ ମଧ୍ୟ ଦ୍ରୁତ ଗତିରେ ଚାଲିଛି।
ବନ୍ଧୁଗଣ,
ଆମର ନୀତି ଏବଂ ଉଦ୍ଦେଶ୍ୟ ସମ୍ପୂର୍ଣ୍ଣ ସ୍ପଷ୍ଟ। ଚାଷ କାର୍ଯ୍ୟ ଯେପରି କୃଷକମାନଙ୍କ ପାଇଁ ବୋଝ ନ’ହେବ , ତାହା ଉପରେ ଆମର ପ୍ରାଥମିକତା ରହିଥାଏ। କୃଷକମାନଙ୍କୁ ସୁଲଭ ମୂଲ୍ୟରେ ସାର ଯୋଗାଇବା ପାଇଁ ଦେଶ ଗତ ୧୨ ବର୍ଷ ମଧ୍ୟରେ ୧୬ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଛି। ବନ୍ଧୁଗଣ, ଏହା ଏକ ବହୁତ ବଡ଼ ରାଶି। ୧୬ ଲକ୍ଷ କୋଟି ଟଙ୍କା ଅନେକ ଦେଶର ବାର୍ଷିକ ବଜେଟ୍ ଠାରୁ ମଧ୍ୟ ଅଧିକ। ଇରାନ ଏବଂ ଉପସାଗରୀୟ ଦେଶଗୁଡ଼ିକ ଆଖପାଖରେ ଚାଲିଥିବା ଯୁଦ୍ଧ ପରିସ୍ଥିତି ସତ୍ତ୍ୱେ, ଯେଉଁ ଡିଏପି ସାର ବସ୍ତାର ମୂଲ୍ୟ ପାଞ୍ଚ ହଜାର ଟଙ୍କା, ତାହା ଭାରତୀୟ କୃଷକମାନଙ୍କୁ ମାତ୍ର ଏକ ହଜାର ତିନିଶହ ଟଙ୍କାରେ ଯୋଗାଇ ଦିଆଯାଉଛି। ସେହିପରି, ଆନ୍ତର୍ଜାତୀୟ ବଜାରରେ ଯେଉଁ ୟୁରିଆ ସାର ବସ୍ତାର ମୂଲ୍ୟ ତିନି ହଜାର ଟଙ୍କା, ତାହା ଭାରତୀୟ କୃଷକମାନଙ୍କୁ ତିନି ଶହ ଟଙ୍କାରୁ ମଧ୍ୟ କମ୍ ମୂଲ୍ୟରେ ଯୋଗାଇ ଦିଆଯାଉଛି।
ବନ୍ଧୁଗଣ,
ମୁଁ ଆଉ ଗୋଟିଏ ବିଷୟରେ ଉଲ୍ଲେଖ କରିବାକୁ ଚାହୁଁଛି, ଯାହା ବିଷୟରେ ମୁଁ ପୂର୍ବରୁ ମଧ୍ୟ କହିସାରିଛି। ଆପଣଙ୍କ ନେଟୱାର୍କ ପାଇଁ, ଆଜି ମୁଁ ଯାହା କହିବାକୁ ଯାଉଛି ତାହା ଏକ ସ୍ୱତନ୍ତ୍ର ତଥ୍ୟ ଅଟେ।
ବନ୍ଧୁଗଣ,
ଯେତେବେଳେ ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଉଗ୍ର ହେଉଥିଲା, ସେତେବେଳେ ମାତ୍ର କିଛି ସପ୍ତାହ ମଧ୍ୟରେ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ୍ ପିଛା ୭୦ ଡଲାରରୁ ବୃଦ୍ଧି ପାଇ ୧୨୨ ଡଲାରରେ ପହଞ୍ଚି ଯାଇଥିଲା। ସେହି ସମୟରେ, ଭାରତ ମଧ୍ୟ ଏକ ବଡ଼ ଆହ୍ୱାନର ସମ୍ମୁଖୀନ ହୋଇଥିଲା। ପରିସ୍ଥିତି ଏପରି ଥିଲା ଯେ ଡିଜେଲ୍ ଦର ଲିଟର ପିଛା ଅତିକମରେ ୫୦ ଟଙ୍କା ବୃଦ୍ଧି କରିବାକୁ ପଡ଼ିଥାନ୍ତା। ମାତ୍ର ଲିଟର ପିଛା ୫୦ ଟଙ୍କା ବୃଦ୍ଧି କରିବା ଆବଶ୍ୟକ ହୋଇପଡ଼ିଥିଲା। ସେହି ସମୟରେ, ସରକାର କୃଷକମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏକ ନିଷ୍ପତ୍ତି ନେଲେ। ଆମେ ନିଷ୍ପତ୍ତି ନେଲୁ ଯେ ଆନ୍ତର୍ଜାତୀୟ ବଜାରରେ ସୃଷ୍ଟି ହୋଇଥିବା ଏହି ଝଟକାର ସମ୍ପୂର୍ଣ୍ଣ ବୋଝ ନାଗରିକ ଏବଂ କୃଷକମାନଙ୍କ ଉପରେ ଲଦାଯିବ ନାହିଁ। ସରକାର ଡିଜେଲ୍ ଦର କେବଳ ଲିଟର ପିଛା ୭ ଟଙ୍କା ବୃଦ୍ଧି କଲେ, ଯେତେବେଳେ କି ପ୍ରକୃତରେ ୫୦ ଟଙ୍କା ବୃଦ୍ଧି କରିବାର ଆବଶ୍ୟକତା ଥିଲା। ସରକାର ନିଜେ ଲିଟର ପିଛା ୪୩ ଟଙ୍କାର ବୋଝ ବହନ କଲେ। ଆମର ପଡ଼ୋଶୀ ଦେଶଗୁଡ଼ିକରେ ମଧ୍ୟ ଡିଜେଲ୍ ଦର ୪୦ ରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା। କିନ୍ତୁ ଭାରତରେ ସେପରି ହେଲା ନାହିଁ। ସେହି ସମୟରୁ ଆଜି ପର୍ଯ୍ୟନ୍ତ, ସରକାର ପ୍ରତି ମାସରେ ୧୪,୦୦୦ କୋଟି ଟଙ୍କାର କ୍ଷତି ସହୁଛନ୍ତି, ପ୍ରତି ମାସରେ। ତଥାପି, ଆମେ ଦେଶର କୃଷକମାନଙ୍କର କୌଣସି କ୍ଷତି ହେବାକୁ ଦେଲୁ ନାହିଁ। ଯେତେବେଳେ କୃଷକମାନଙ୍କ କଲ୍ୟାଣ ସର୍ବୋଚ୍ଚ ପ୍ରାଥମିକତା ହୁଏ ଏବଂ ଯେତେବେଳେ 'ନାଗରିକ ଦେବୋ ଭବ' ଭାବନା ଆସିଥାଏ, ସେତେବେଳେ ଏଭଳି ସମ୍ବେଦନଶୀଳ ନିଷ୍ପତ୍ତି ନିଆଯାଇଥାଏ।
ବନ୍ଧୁଗଣ,
ଜାତୀୟ ସ୍ୱାର୍ଥକୁ ନେଇ ଏତେ ଆଲୋଚନା ହେଉଥିବା ବେଳେ, ମୁଁ ନିଶ୍ଚିତ ଯେ 'ଆଜ୍ତକ୍'ର ଲୋକମାନେ ଭାବୁଥିବେ ଯେ ଏପର୍ଯ୍ୟନ୍ତ କୌଣସି ନକାରାତ୍ମକ ଶିରୋନାମା ସାମ୍ନାକୁ ଆସିନାହିଁ। ତେଣୁ ବୋଧହୁଏ ବର୍ତ୍ତମାନ ଆମକୁ ଏପରି କିଛି ବିଷୟରେ ଆଲୋଚନା କରିବା ଉଚିତ୍, ଯାହା ଏକ ଶିରୋନାମା ହୋଇପାରିବ। ଏପର୍ଯ୍ୟନ୍ତ ମୁଁ ଦେଶ ବିଷୟରେ କଥା ହେଉଥିଲି, କିନ୍ତୁ ବୋଧହୁଏ ସେଥିପ୍ରତି ଗଣମାଧ୍ୟମର ସେତେଟା ଧ୍ୟାନ ଆକର୍ଷିତ କରିନାହାଁନ୍ତି । ତେଣୁ ବର୍ତ୍ତମାନ ମୁଁ ବିବାଦ ବିଷୟରେ କଥା ହେଉଛି।
ବନ୍ଧୁଗଣ,
ଆଜିକାଲି କିଛି ଲୋକ ନିଜ ପକେଟରୁ ସମ୍ବିଧାନ ବାହାର କରୁଛନ୍ତି। ସେମାନେ କ’ଣ କରୁଛନ୍ତି, ତାହା ଦେଶ ଭଲ ଭାବରେ ବୁଝିପାରୁଛି। ସେମାନେ ବୋଧହୁଏ ଭାବୁଛନ୍ତି ଯେ ଦେଶର ସମ୍ବିଧାନ ଏବଂ ଗଣତନ୍ତ୍ର ସେମାନଙ୍କ ପକେଟରେ ରହିଛି। କ୍ଷମତାରେ ନ ଥାଇ ମଧ୍ୟ, ସେମାନେ କ୍ଷମତା-ନିଶାରେ ମତ୍ତ ହୋଇ ରହିଛନ୍ତି। କିନ୍ତୁ ଯେତେବେଳେ ଏହି ଲୋକମାନେ ନିଜେ କ୍ଷମତାରେ ଥିଲେ, ସେତେବେଳେ ସେମାନଙ୍କର କାର୍ଯ୍ୟକଳାପ କିପରି ଥିଲା ? ଆସନ୍ତୁ, ମୁଁ ଆପଣଙ୍କୁ ଏକ ଛୋଟ ଘଟଣା ବିଷୟରେ କହିବି ।
ବନ୍ଧୁଗଣ,
ଆପଣଙ୍କର ମନେ ଥିବ ଯେ, ଏକ ସମୟ ଥିଲା ଯେତେବେଳେ ଗଣମାଧ୍ୟମରେ ଲୋକମାନେ ବିଭିନ୍ନ ରାଜ୍ୟଗୁଡ଼ିକର କାର୍ଯ୍ୟଦକ୍ଷତା ଆଧାରରେ ସେଗୁଡ଼ିକୁ କ୍ରମାଙ୍କ ବା ରାଙ୍କିଙ୍ଗ୍ ଦେଉଥିଲେ। ଅର୍ଥନୀତି ସମ୍ବନ୍ଧୀୟ ଏଭଳି ଏକ ତାଲିକାରେ ଗୁଜୁରାଟ ପ୍ରଥମ ସ୍ଥାନ ଅଧିକାର କରିଥିଲା ଏବଂ ସେହି ସମୟରେ ମୁଁ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲି। ଯେଉଁ ସଂସ୍ଥା ଗୁଜୁରାଟକୁ ଏହି ପ୍ରଥମ ସ୍ଥାନ ପ୍ରଦାନ କରିଥିଲା, ତାହାର ନାମ ଭାରତର ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନାମରେ ରଖାଯାଇଥିଲା। ଏତିକି ସଙ୍କେତ ଯଥେଷ୍ଟ, ଆପଣ ନିଜେ ସେହି ନାମ ଖୋଜି ପାରିବେ। ଏହି ମୂଲ୍ୟାଙ୍କନ ଦେଶର କିଛି ଅତ୍ୟନ୍ତ ସମ୍ମାନିତ ଅର୍ଥନୀତିଜ୍ଞଙ୍କ ଦ୍ୱାରା କରାଯାଇଥିବା ଗବେଷଣା ଉପରେ ଆଧାରିତ ଥିଲା। କିନ୍ତୁ ଦିଲ୍ଲୀରେ କ୍ଷମତାରେ ଥିବା ଲୋକମାନଙ୍କୁ ଗୁଜୁରାଟର ଏହି ସ୍ୱୀକୃତି ପାଇବା ଆଦୌ ପସନ୍ଦ ଆସିଲା ନାହିଁ। ସେମାନେ ଗବେଷଣା କରୁଥିବା ବ୍ୟକ୍ତିମାନଙ୍କୁ ସ୍ପଷ୍ଟ ଭାବେ ନିର୍ଦ୍ଦେଶ ଦେଲେ ଯେ, ଏଭଳି ଭାବରେ କାର୍ଯ୍ୟ ଚାଲିପାରିବ ନାହିଁ। ସେମାନେ କହିଲେ ଯେ, ଏହା ପରଠାରୁ ସେମାନଙ୍କ ଅନୁମତି ବିନା କୌଣସି ରିପୋର୍ଟ ପ୍ରକାଶ କରାଯାଇପାରିବ ନାହିଁ।
ବନ୍ଧୁଗଣ,
ସେତେବେଳେ ପରିସ୍ଥିତି ଏଭଳି ଥିଲା, ଆଉ ଆଜି ସେହି ସମାନ ଲୋକମାନେ ସହନଶୀଳତା ଏବଂ ଗଣତନ୍ତ୍ର ଉପରେ ଭାଷଣ ଦେଇ ବୁଲୁଛନ୍ତି। ଆଉ ଏସବୁ ପ୍ରକୃତରେ କେବେ ଘଟିଥିଲା ? ଏହା ପରେ କ’ଣ ହେଲା? ଆପଣ ନିଜେ ଏ ବିଷୟରେ ଅନୁସନ୍ଧାନ କରି ସବିଶେଷ ତଥ୍ୟ ପାଇପାରିବେ। ବର୍ତ୍ତମାନ ମୁଁ ମୋର ବକ୍ତବ୍ୟ ଶେଷ କରିବା ଆଡ଼କୁ ଅଗ୍ରସର ହେଉଛି।
ବନ୍ଧୁଗଣ,
ବିନା ସନ୍ଦେହରେ ବିଗତ ବର୍ଷଗୁଡିକରେ ଦେଶର କୃଷକଙ୍କ ସଫଳତା ଉଲ୍ଲେଖନୀୟ ଥିଲା | ବିକାଶିତ ଭାରତ ଗଠନ ପାଇଁ ଆମକୁ ବର୍ତ୍ତମାନ ଆମର ପ୍ରୟାସକୁ ଆହୁରି ବିସ୍ତାର କରିବାକୁ ପଡିବ। ଆମକୁ ଏକ ନୂତନ ଏବଂ ସୁନ୍ଦର ଭବିଷ୍ୟତ ସୃଷ୍ଟି କରିବାକୁ ହେବ ଯେଉଁଠାରେ କୃଷକମାନେ ସମୃଦ୍ଧ ଥିବେ , ଗ୍ରାମ ସମୃଦ୍ଧ ଥିବ ଏବଂ ଆମର କୃଷି ଆଧୁନିକ ଏବଂ ଲାଭଦାୟକ ହୋଇଥିବ | ମୋର ବିଶ୍ୱାସ ଅଛି ଯେ ଏଠାରେ ଚାଲିଥିବା ବିଚାର ବିମର୍ଶ ଦେଶ ପାଇଁ ଲାଭଦାୟକ ହେବ। ଏଠାରୁ ବାହାରୁଥିବା ସର୍ବୋତ୍ତମ ପରାମର୍ଶ ଏବଂ ସମାଧାନ ଉପରେ ମଧ୍ୟ ସରକାର କାର୍ଯ୍ୟ କରିବେ। ଏବଂ ଯେହେତୁ ମୁଁ ଆଜି ଆପଣମାନଙ୍କ ମଧ୍ୟକୁ ଆସିଛି, ମୁଁ ନିଶ୍ଚିତ ଭାବରେ ଗୋଟିଏ ଆବେଦନ କରିବାକୁ ଚାହେଁ | ଆରମ୍ଭରେ ଅଞ୍ଜନା ଜୀ ତାଙ୍କ ପ୍ରାରମ୍ଭିକ ବକ୍ତବ୍ୟରେ କହିଛନ୍ତି ଯେ କୃଷକମାନେ ଦୁଇଟି ଜିନିଷ ସହିତ ସଂଯୁକ୍ତ, ସେଗୁଡ଼ିକ ହେଲା- ଅନ୍ନଦାତା ଏବଂ ଧରିତ୍ରୀ ମାତା । ମୁଁ ମୋର କୃଷକ ଭାଇ ଓ ଭଉଣୀମାନଙ୍କୁ କହିବାକୁ ଚାହେଁ, ଆମେ ପ୍ରକୃତରେ ଆମର ଏହି ପୃଥିବୀ ମାତାକୁ ସୁରକ୍ଷା ଦେଉଛୁ କି? ନିଜକୁ ନିଜେ ଠିକ୍ ଭାବରେ ପଚାର | ଯେଉଁ ଉପାୟରେ ଆମେ ରାସାୟନିକ ପଦାର୍ଥର ଅତ୍ୟଧିକ ବ୍ୟବହାର ଦ୍ୱାରା ପୃଥିବୀ ମାତାକୁ ନଷ୍ଟ କରୁଛୁ, ଏବଂ ଆମେ ତାଙ୍କର ସନ୍ତାନ | ଆମେ ନିଜ ଆଖି ଆଗରେ ଏହି ପୃଥିବୀ ମାଆକୁ ହତ୍ୟା କରୁଛୁ | ଯଦି ଆମେ ଠିକ୍ ସମୟରେ ଜାଗ୍ରତ ନହେବା, ଯଦି ଆମେ ପୃଥିବୀ ମାତାକୁ ବଞ୍ଚାଇବା ପାଇଁ ପ୍ରୟାସ କରିବା ନାହିଁ, ତେବେ ଆଜି ଆମକୁ ଭରଣ-ପୋଷଣ କରୁଥିବା ମାତା ଦିନେ ଆମ ହାତ ଛାଡି ପାରନ୍ତି | ଭବିଷ୍ୟତରେ ଏପରି ପରିସ୍ଥିତି ଉପୁଜିପାରେ | ସେଥିପାଇଁ ସରକାର ପ୍ରାକୃତିକ ଚାଷ ଉପରେ ଗୁରୁତ୍ୱ ଦେଉଛନ୍ତି। ଯେଉଁମାନେ ପ୍ରାକୃତିକ କୃଷି ଉପରେ ପରୀକ୍ଷା କରିଛନ୍ତି, ସେମାନେ ବହୁତ ସଫଳତା ପାଇଛନ୍ତି। ଗୋଟିଏ ଗାଈ ୩୦ ଏକର ଜମିରେ ପ୍ରାକୃତିକ କୃଷି ପାଇଁ ଯଥେଷ୍ଟ ସାର ଯୋଗାଇ ପାରିବ। ଏଥିପାଇଁ କୌଣସି ରାସାୟନିକ ସାମଗ୍ରୀର ଆବଶ୍ୟକତା ନାହିଁ। ଆଜି ଆପଣମାନଙ୍କ ସହିତ ଆଲୋଚନା ସମୟରେ ଏଭଳି ଅନେକ ବିଷୟ ଉଠିଥିବ। ତେଣୁ, ମୁଁ ସମସ୍ତ ଚାଷୀଭାଇମାନଙ୍କୁ ଅନୁରୋଧ କରୁଛି ଯେ ଆମକୁ ରାସାୟନିକ ମୁକ୍ତ ଚାଷ ଆଡ଼କୁ ଅଗ୍ରସର ହେବା ଉଚିତ୍। ମୁଁ ଏଠାରେ କେବଳ 'ଜୈବିକ ଚାଷ' ବିଷୟରେ କହୁନାହିଁ, ବରଂ 'ପ୍ରାକୃତିକ ଚାଷ' ବିଷୟରେ କହୁଛି, ଯାହାକୁ ପ୍ରତ୍ୟେକ ଚାଷୀ ସହଜରେ ଆପଣାଇ ପାରିବେ। ରାସାୟନିକ ପଦାର୍ଥର ବ୍ୟବହାର ବନ୍ଦ କରି ଆମେ ନିଜ ମାଟିକୁ ସୁରକ୍ଷିତ ରଖିବା ପାଇଁ ପଦକ୍ଷେପ ନେଇପାରିବା। ଆମ ଚାଷୀଭାଇ ଓ ଭଉଣୀମାନଙ୍କ କ୍ଷେତ୍ରରେ ଏକ ଆହ୍ୱାନ ହେଉଛି ଯେ, ଯେପର୍ଯ୍ୟନ୍ତ ସେମାନେ ନିଜ ଆଖିରେ କିଛି ନ ଦେଖନ୍ତି, ସେପର୍ଯ୍ୟନ୍ତ ସେମାନେ ତାହାକୁ ଗ୍ରହଣ କରି ପାରିବେ ନାହିଁ। କେତେ ଯେ ଲମ୍ବା ଭାଷଣ ଦିଆଗଲେ ମଧ୍ୟ, ଚାଷୀମାନେ ସହଜରେ କୌଣସି କଥାକୁ ମାନିନିଅନ୍ତି ନାହିଁ, ସେମାନେ କେବଳ ନିଜ ଆଖିରେ ଦେଖିବା ପରେ ହିଁ ବିଶ୍ୱାସ କରିଥାନ୍ତି। ନଚେତ୍, ସେମାନଙ୍କ ମନରେ କେବଳ ଏତିକି ଧାରଣା ରହିଯାଏ ଯେ , ସେହି ହଳଦିଆ ଗୁଣ୍ଡ ପକାଇବାକୁ ହେବ, ସବୁଜ ରଙ୍ଗର ବୋତଲ ବ୍ୟବହାର କରିବାକୁ ହେବ, ସବୁଜ ପାତ୍ର ବ୍ୟବହାର କରିବାକୁ ହେବ, ନାଲି ପାତ୍ର ଆଣିବାକୁ ହେବ। ଆଉ ଯଦି ପଡ଼ୋଶୀ ଦୁଇ ବସ୍ତା ସାର ବ୍ୟବହାର କରୁଛନ୍ତି, ତେବେ ସେମାନେ ମଧ୍ୟ ଦୁଇ ବସ୍ତା ବ୍ୟବହାର କରିବେ। ଯଦି ପଡ଼ୋଶୀ ଚାରି ବସ୍ତା ସାର ବ୍ୟବହାର କରନ୍ତି, ତେବେ ସେମାନେ ମଧ୍ୟ ଚାରି ବସ୍ତା ସାର ବ୍ୟବହାର କରିବେ। ସେମାନଙ୍କୁ ଏହି ମାନସିକତାରୁ ମୁକ୍ତ କରିବା ଆମ ସମସ୍ତଙ୍କର, ବିଶେଷକରି ଅଗ୍ରଗାମୀ କୃଷକମାନଙ୍କର ଦାୟିତ୍ୱ ଅଟେ। ଆମକୁ ସେମାନଙ୍କୁ ରାସାୟନିକ ମୁକ୍ତ ପ୍ରାକୃତିକ ଚାଷ ଆଡ଼କୁ ଅଗ୍ରସର ହେବାରେ ସାହାଯ୍ୟ କରିବାକୁ ହେବ। ପ୍ରଥମ କାର୍ଯ୍ୟ ହେଉଛି ଆମର ପୃଥିବୀ 'ମା' କୁ ରକ୍ଷା କରିବା। ଏହି ଧରିତ୍ରୀ ମାତା ଆମର ଆବଶ୍ୟକୀୟ ସମସ୍ତ ଜିନିଷ ଯୋଗାଇବାକୁ ସକ୍ଷମ। ଯଦି ଆମେ ତାଙ୍କୁ ସୁରକ୍ଷା ଦେବା, ତେବେ ସେ କେବେବି ଆମକୁ କୌଣସି ଅଭାବ ଅନୁଭବ କରିବାକୁ ଦେବେ ନାହିଁ। ଆମେ ସମସ୍ତେ ପୃଥିବୀ ମା'ର ସନ୍ତାନ। ତେଣୁ, ତାଙ୍କର ପୁତ୍ର ଓ କନ୍ୟା ଏବଂ ସନ୍ତାନ ଭାବରେ ଏହି ଦାୟିତ୍ୱ ପାଳନ କରିବା ଆମର କର୍ତ୍ତବ୍ୟ। ଏହି ଆତ୍ମବିଶ୍ୱାସ ସହିତ, ମୁଁ ଆପଣ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି। ମୁଁ 'ଇଣ୍ଡିଆ ଟୁଡେ ଗ୍ରୁପ୍'କୁ ମଧ୍ୟ ବହୁତ-ବହୁତ ଅଭିନନ୍ଦନ ଜଣାଉଛି। ଆପଣମାନେ ଏପରି ଏକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି, ଯାହା ଆଗାମୀ ଭବିଷ୍ୟତରେ ଦେଶକୁ ବହୁତ ସାହାଯ୍ୟ କରିବ।
ଆପଣମାନଙ୍କୁ ଅନେକ-ଅନେକ ଧନ୍ୟବାଦ।
NS
******