ପୋଷ୍ଟ କରାଯିବା ଦିନାଙ୍କ:
15 NOV 2026 1:23PM by PIB Bhubaneswar
ଜୋହାର!
'ଜନଜାତୀୟ ଗୌରବ ଦିବସ'ର ଏହି ଉତ୍ସବ ସହ ଜଡ଼ିତ ଦେଶବ୍ୟାପୀ ସମସ୍ତ ବନ୍ଧୁମାନଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ। ଧରତୀ ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଅବସରରେ ମୁଁ ତାଙ୍କ ପବିତ୍ର ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଜନଜାତୀୟ ଗୌରବ ଦିବସ ହେଉଛି ଜନଜାତି ସମାଜର ଗୌରବ ଏବଂ ଭଗବାନ ବିର୍ସା ମୁଣ୍ଡାଙ୍କ ପ୍ରେରଣା ସହ ଜଡ଼ିତ ଏକ ଜାତୀୟ ଉତ୍ସବ। ଏହି ଭାବନା ସହିତ ଆଜି ସାରା ଦେଶରେ ଜନଜାତୀୟ ଗୌରବ ଦିବସ ପାଳନ କରାଯାଉଛି। ଦେଶ ଗର୍ବର ସହିତ ନିଜର ଜନଜାତି ବୀର ଓ ବୀରାଙ୍ଗନାମାନଙ୍କୁ ସ୍ମରଣ କରୁଛି। ବିଶେଷକରି ମହାରାଷ୍ଟ୍ରର ଗଡ଼ଚିରୋଲିଠାରେ ଏତେ ବିଶାଳ ସମାବେଶ ଆୟୋଜିତ ହୋଇଛି। ମୁଁ ଯେତେ ଦୂର ଦେଖିପାରୁଛି, ସବୁଆଡ଼େ କେବଳ ଲୋକ ହିଁ ଲୋକ ଦେଖାଯାଉଛନ୍ତି। ଗଡ଼ଚିରୋଲିର ଜନଜାତି ସାଂସ୍କୃତିକ ଐତିହ୍ୟ ଅତ୍ୟନ୍ତ ସମୃଦ୍ଧ। ରଘୁଜୀ ଭାଙ୍ଗରେ, ଭାଗୋଜୀ ନାଏକ ଏବଂ ବୀର ବାବୁରାଓ ସେଡମାକେଙ୍କ ଭଳି ବୀରମାନଙ୍କ ସାହସିକ ଗାଥା ଏହି ମାଟି ସହ ଜଡ଼ିତ। ଏହି ଅବସରରେ ମୁଁ ସମସ୍ତ ଜନଜାତି ବୀରଙ୍କୁ ସାଦର ପ୍ରଣାମ ଜଣାଉଛି। ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ସ୍ଥାନରୁ ଯୋଗଦେଇଥିବା ସମସ୍ତ ରାଜ୍ୟପାଳ, ସମ୍ମାନନୀୟ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଏବଂ ଜନପ୍ରତିନିଧିମାନଙ୍କୁ ମଧ୍ୟ ମୁଁ ଅଭିନନ୍ଦନ ଜଣାଉଛି।
ବନ୍ଧୁଗଣ,
୧୫ ନଭେମ୍ବର ୨୦୨୧ରୁ ଆରମ୍ଭ ହୋଇଥିବା ଜନଜାତୀୟ ଗୌରବ ଦିବସ ପାଳନ ଆଜି ଏକ ଜାତୀୟ ଉତ୍ସବରେ ପରିଣତ ହୋଇଛି। ଗତବର୍ଷ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ଅବସରରେ ସାରା ଦେଶରେ ୨ ଲକ୍ଷରୁ ଅଧିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କୋଟି କୋଟି ନାଗରିକ ଏହି କାର୍ଯ୍ୟକ୍ରମଗୁଡ଼ିକରେ ସାମିଲ ହୋଇଥିଲେ।ଏକ ସମୟ ଥିଲା, ଯେତେବେଳେ ଆମ ଦେଶର ଅନେକ ସ୍ମୃତି ଦିବସ ଏବଂ ଉତ୍ସବ ବିଦେଶୀ ଦୃଷ୍ଟିକୋଣ ଅନୁସାରେ ନିର୍ଦ୍ଧାରିତ ହେଉଥିଲା। କିନ୍ତୁ ଆଜି ଭାରତ ନିଜର ସ୍ୱଦେଶୀ ଆତ୍ମସମ୍ମାନ ସହିତ ନିଜର ଐତିହ୍ୟ, ଇତିହାସ ଏବଂ ମହାନ ବୀରମାନଙ୍କୁ ଗର୍ବର ସହିତ ସ୍ମରଣ କରୁଛି। ଏହା ଆମ ଜାତୀୟ ଚେତନାରେ ଆସିଥିବା ଏକ ବଡ଼ ପରିବର୍ତ୍ତନର ପ୍ରତୀକ।
ବନ୍ଧୁଗଣ,
ଖାସି ପାହାଡ଼ରେ ତିରୋତ ସିଂହଙ୍କ ସଂଘର୍ଷ ହେଉ କିମ୍ବା ଛୋଟନାଗପୁରର କୋଲ ବିଦ୍ରୋହ, ଅଥବା ସିଦ୍ଧୋ ଓ କାନ୍ହୁଙ୍କ ନେତୃତ୍ୱରେ ହୋଇଥିବା ସାନ୍ତାଳ ବିପ୍ଳବ, ଜନଜାତି ସମାଜ ସର୍ବଦା ଅନ୍ୟାୟ ବିରୋଧରେ ନିଜର ସ୍ୱର ଉତ୍ତୋଳନ କରିଆସିଛି। ମାନଗଡ଼ର ମାଟିରେ ଗୋବିନ୍ଦ ଗୁରୁଙ୍କ ଅନୁଗାମୀମାନେ ସର୍ବୋଚ୍ଚ ବଳିଦାନ ଦେଇଥିଲେ। ରାଣୀ ଗାଇଦିନଲ୍ୟୁ, ଟାଣ୍ଟିଆ ଭିଲ୍ଙ୍କ ସମେତ ଅନେକ ବୀର ଓ ବୀରାଙ୍ଗନା ନିଜର ସାହସ ଓ ବୀରତ୍ୱ ବଳରେ ଦେଶକୁ ପ୍ରେରଣା ଦେଇଛନ୍ତି। ଆଲ୍ଲୁରୀ ସୀତାରାମ ରାଜୁ ଏବଂ ରାଣୀ ଦୁର୍ଗାବତୀଙ୍କ ଭଳି ମହାନ ବ୍ୟକ୍ତିତ୍ୱ ମଧ୍ୟ ଜନଜାତି ଆନ୍ଦୋଳନକୁ ନୂତନ ଶକ୍ତି ପ୍ରଦାନ କରିଥିଲେ। ଏହି ସମସ୍ତ ସାହସିକ ସଂଘର୍ଷର ଗାଥା ସହିତ ଭଗବାନ ବିର୍ସା ମୁଣ୍ଡାଙ୍କ ଉଲଗୁଲାନ ଏବଂ ଅତି କମ୍ ବୟସରେ ତାଙ୍କର ସଂଘର୍ଷ ଆଜି ମଧ୍ୟ କୋଟି କୋଟି ଭାରତୀୟଙ୍କୁ ପ୍ରେରଣା ଯୋଗାଉଛି।
ବନ୍ଧୁଗଣ,
ଆଜି ଜନଜାତୀୟ ଗୌରବ ଦିବସ ଅବସରରେ ଦେଶର ବିଭିନ୍ନ ରାଜ୍ୟରେ ଜନଜାତି ବିକାଶ ସହ ଜଡ଼ିତ ୧୭୦ରୁ ଅଧିକ ପ୍ରକଳ୍ପର ଉଦ୍ଘାଟନ କରାଯାଇଛି ଏବଂ ୭୦ରୁ ଅଧିକ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି । ମିଜୋରାମରେ ମହାନ ସ୍ୱାଧୀନତା ସଂଗ୍ରାମୀ ରୋପୁଇଲିଆନିଙ୍କ ଉଦ୍ଦେଶ୍ୟରେ ନିର୍ମିତ ସଂଗ୍ରହାଳୟର ଉଦ୍ଘାଟନ କରାଯାଇଛି। ଅରୁଣାଚଳ ପ୍ରଦେଶରେ ଜନଜାତି ଗବେଷଣା ପ୍ରତିଷ୍ଠାନର ନୂତନ ଭବନ ମଧ୍ୟ ଉଦ୍ଘାଟିତ ହୋଇଛି। ଏହାବ୍ୟତୀତ ଉଦ୍ଘାଟନ ଓ ଶିଳାନ୍ୟାସ ହୋଇଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ ଶିକ୍ଷାନୁଷ୍ଠାନ, ସ୍ୱାସ୍ଥ୍ୟସେବା ସୁବିଧା, ଜନଜାତି ଉତ୍ପାଦର ବିପଣନ କେନ୍ଦ୍ର ଏବଂ ଗ୍ରାମାଞ୍ଚଳରେ ମୌଳିକ ସୁବିଧାର ସମ୍ପ୍ରସାରଣ ସହ ଜଡ଼ିତ ଅନେକ ପଦକ୍ଷେପ ସାମିଲ ରହିଛି। ଦେଶର ବିଭିନ୍ନ ରାଜ୍ୟରେ ପ୍ରାୟ ୩,୦୦୦ କୋଟି ଟଙ୍କାର ପ୍ରକଳ୍ପଗୁଡ଼ିକର ଉଦ୍ଘାଟନ ଏବଂ ଶିଳାନ୍ୟାସ କରାଯାଇଛି। ଏହି ପ୍ରକଳ୍ପଗୁଡ଼ିକ ପାଇଁ ମୁଁ ଆପଣ ସମସ୍ତଙ୍କୁ ଏବଂ ଦେଶବାସୀଙ୍କୁ ହୃଦୟରୁ ଅଭିନନ୍ଦନ ଜଣାଉଛି।
ବନ୍ଧୁଗଣ,
ଆଜିର ଏହି କାର୍ଯ୍ୟକ୍ରମ ଏପରି ଏକ ସମୟରେ ଆୟୋଜିତ ହେଉଛି, ଯେତେବେଳେ ଦେଶର ଦୁଇଟି ବଡ଼ ସଫଳତା ସବୁଆଡ଼େ ଚର୍ଚ୍ଚାର ବିଷୟ ହୋଇଛି। ପ୍ରଥମ ସଫଳତା ହେଉଛି, ଦେଶର ପ୍ରାୟ ୫୦ କୋଟି ଲୋକ ଅତ୍ୟନ୍ତ ଦାରିଦ୍ର୍ୟରୁ ମୁକ୍ତ ହୋଇଛନ୍ତି। ଦ୍ୱିତୀୟ ସଫଳତା ହେଉଛି, ଦେଶ ନକ୍ସଲବାଦ ଏବଂ ମାଓବାଦୀ ଆତଙ୍କରୁ ମୁକ୍ତ ହୋଇଛି। ଏହି ଦୁଇଟି ସଫଳତା ଆମର ଜନଜାତି ଭାଇଭଉଣୀମାନଙ୍କ ଜୀବନ ସହିତ ଗଭୀର ଭାବେ ଜଡ଼ିତ। କିଛି ସପ୍ତାହ ପୂର୍ବରୁ ବିଶ୍ୱ ବ୍ୟାଙ୍କର ଏକ ରିପୋର୍ଟରେ ଦର୍ଶା ଯାଇଥିଲା ଯେ ଗତ ୧୨ରୁ ୧୩ ବର୍ଷ ମଧ୍ୟରେ ଭାରତର ପ୍ରାୟ ୫୦ କୋଟି ଲୋକ ଅତ୍ୟନ୍ତ ଦାରିଦ୍ର୍ୟରୁ ବାହାରି ଆସିଛନ୍ତି। ଏହା ଏକ ବହୁତ ବଡ଼ ସଂଖ୍ୟା, ୫୦ କୋଟି ଲୋକ। ସ୍ୱାଧୀନତା ପରଠାରୁ ଏହାକୁ ମୁଁ ଦେଶର ଅନ୍ୟତମ ବଡ଼ ସଫଳତା ବୋଲି ବିବେଚନା କରୁଛି। ଏହି ସଫଳତା ସମଗ୍ର ଦେଶର। ଏହାର ଶ୍ରେୟ କୌଣସି ଗୋଟିଏ ସରକାରଙ୍କୁ ଦିଆଯାଇପାରିବ ନାହିଁ। ଏହା ପଛରେ ସମାଜର ସାମୂହିକ ଶକ୍ତି ଏବଂ ପ୍ରତ୍ୟେକ ନାଗରିକଙ୍କ ଉଦ୍ୟମ ଓ କଠିନ ପରିଶ୍ରମ ରହିଛି। ବିଗତ ବର୍ଷଗୁଡ଼ିକରେ କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତି ଏବଂ ଜନଜାତିଙ୍କ କଲ୍ୟାଣ ପାଇଁ ଆରମ୍ଭ କରିଥିବା ଯୋଜନାଗୁଡ଼ିକ ମଧ୍ୟ ଏହି ସଫଳତାରେ ବଡ଼ ଭୂମିକା ଗ୍ରହଣ କରିଛି। ଏହି ସଫଳତା ପାଇଁ ମୁଁ ଦେଶର ସମସ୍ତ ନାଗରିକ, ବିଶେଷକରି ମୋର ଜନଜାତି ଭାଇଭଉଣୀମାନଙ୍କୁ ଅଭିନନ୍ଦନ ଜଣାଉଛି।
ବନ୍ଧୁଗଣ,
ଏତେ ବଡ଼ ସଂଖ୍ୟକ ଲୋକଙ୍କ ଦାରିଦ୍ର୍ୟରୁ ମୁକ୍ତ ହେବା ନିଜେ ଏକ ବଡ଼ ପରିବର୍ତ୍ତନ ଅଟେ। ଏହି ପରିବର୍ତ୍ତନ ହେଉଛି ସଂକଳ୍ପରୁ ସିଦ୍ଧି ପର୍ଯ୍ୟନ୍ତ ଏକ ଦୀର୍ଘ ଯାତ୍ରାର କାହାଣୀ। ଏହା ଆମ ମନରେ ଏହି ବିଶ୍ୱାସ ସୃଷ୍ଟି କରିଛି ଯେ ଭାରତ ନିଜର ସଂକଳ୍ପଗୁଡ଼ିକୁ ପୂରଣ କରିପାରିବ ଏବଂ ପ୍ରତ୍ୟେକ ଭାରତୀୟ ବଡ଼ ବଡ଼ ଲକ୍ଷ୍ୟ ହାସଲ କରିପାରିବେ। ଆମେ ସଂକଳ୍ପ ନେଇଥିଲୁ ଯେ ଯେଉଁମାନେ ଦଶନ୍ଧି ଦଶନ୍ଧି ଧରି ବିକାଶର ସୁଫଳରୁ ବଞ୍ଚିତ ହୋଇ ରହିଥିଲେ, ସେମାନଙ୍କୁ ଆମେ ସର୍ବାଧିକ ପ୍ରାଥମିକତା ଦେବୁ। ଆମର ସଂକଳ୍ପ ଯେତେବେଳେ ଭୂମିସ୍ତରରେ ବାସ୍ତବ ରୂପ ନେବା ଆରମ୍ଭ କଲା, ସେତେବେଳେ ସକାରାତ୍ମକ ପରିବର୍ତ୍ତନର ଏକ ନୂଆ ଧାରା ସୃଷ୍ଟି ହେଲା। ଆମ ସରକାର ସେହି ଜନଜାତି ଅଞ୍ଚଳଗୁଡ଼ିକର ବିକାଶ ପାଇଁ ନିଜର ସମସ୍ତ ଶକ୍ତି ନିୟୋଜିତ କରିଥିଲା, ଯେଉଁଗୁଡ଼ିକ ସବୁଠାରୁ ପଛୁଆ ଅଞ୍ଚଳ ମଧ୍ୟରେ ରହିଥିଲା ଏବଂ ଯେଉଁଠାରେ ଜୀବନର ସର୍ବନିମ୍ନ ଆବଶ୍ୟକତା ମଧ୍ୟ ପହଞ୍ଚିପାରି ନଥିଲା। ପିଏମ୍-ଜନମନ୍ (PM-JANMAN) ଯୋଜନା ଏବଂ ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ ପାଇଁ ଆମେ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ବଜେଟ୍ ବ୍ୟବସ୍ଥା କରିଛୁ। ଆମର ଉଦ୍ୟମ ଥିଲା ଯେ ସ୍ୱାଧୀନତା ପରେ ଯେଉଁ ପରିବାରଗୁଡ଼ିକ ସବୁଠାରୁ ବିଳମ୍ବରେ ସୁବିଧା ପାଇଥିଲେ, ସେମାନଙ୍କ ନିକଟରେ ଏବେ ସବୁଠାରୁ ଶୀଘ୍ର ସୁବିଧା ପହଞ୍ଚିବ।
ବନ୍ଧୁଗଣ,
ବଞ୍ଚିତଙ୍କୁ ପ୍ରାଥମିକତା, ବଞ୍ଚିତଙ୍କୁ ପ୍ରାଥମିକତା—ଏହା ହିଁ ଆମର ପ୍ରାଥମିକତା ରହିଆସିଛି। ଆମେ ଦେଶର ଗରିବ ପରିବାରଗୁଡ଼ିକଙ୍କ ପାଇଁ ୪ କୋଟିରୁ ଅଧିକ ପକ୍କା ଘର ନିର୍ମାଣ କରିଛୁ। ସ୍ୱାଧୀନତାର ଏତେ ଦଶନ୍ଧି ପରେ ମଧ୍ୟ ଯେଉଁ ୧୮ ହଜାର ଗାଁରେ ବିଦ୍ୟୁତ୍ ପହଞ୍ଚିପାରି ନଥିଲା, ସେଠାରେ ବିଦ୍ୟୁତ୍ ସଂଯୋଗ ଯୋଗାଇ ଦିଆଯାଇଛି।
ଆୟୁଷ୍ମାନ ଭାରତ ଯୋଜନା ମାଧ୍ୟମରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ୱାସ୍ଥ୍ୟସେବାର ସୁବିଧା ଯୋଗାଇ ଦିଆଯାଇଛି। ସାରା ଦେଶରେ ୧.୭୫ ଲକ୍ଷରୁ ଅଧିକ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ସ୍ଥାପନ କରାଯାଇଛି। ଏହାଦ୍ୱାରା ଦୁର୍ଗମ ଜନଜାତି ଅଞ୍ଚଳଗୁଡ଼ିକରେ ମଧ୍ୟ ସ୍ୱାସ୍ଥ୍ୟସେବାର ସୁବିଧା ପହଞ୍ଚିପାରିଛି। ଗରିବ ପରିବାରଗୁଡ଼ିକୁ ଶୌଚାଳୟ ସୁବିଧା ମିଳିବା ଏବଂ ପରିମଳ ବ୍ୟବସ୍ଥାରେ ଉନ୍ନତି ଆସିବା ଫଳରେ ଅନେକ ରୋଗର ଆଶଙ୍କା ମଧ୍ୟ ହ୍ରାସ ପାଇଛି।
ବନ୍ଧୁଗଣ,
ଦାରିଦ୍ର୍ୟ ଦୂର କରିବା ପାଇଁ ଗରିବ ପରିବାରଗୁଡ଼ିକର ଆୟ ବୃଦ୍ଧି କରିବା ମଧ୍ୟ ସେତିକି ଜରୁରୀ ଥିଲା। ଏଥିପାଇଁ ମୁଦ୍ରା ଯୋଜନା ମାଧ୍ୟମରେ ବିନା ବନ୍ଧକରେ ଋଣ ପ୍ରଦାନ କରାଯାଇଛି। ଏହି ଯୋଜନା ଅଧୀନରେ ଲକ୍ଷ ଲକ୍ଷ କୋଟି ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ଏହି ସମସ୍ତ ଯୋଜନାର ସୁଫଳ ଗରିବ, ଦଳିତ, ପଛୁଆ ବର୍ଗ ଏବଂ ଆମର ଜନଜାତି ଭାଇଭଉଣୀମାନଙ୍କ ନିକଟରେ ମଧ୍ୟ ପହଞ୍ଚିଛି। ଏହା ସେମାନଙ୍କ ମନରେ ଆଗକୁ ବଢ଼ିବା ପାଇଁ ଏକ ନୂତନ ଆତ୍ମବିଶ୍ୱାସ ସୃଷ୍ଟି କରିଛି।
ବନ୍ଧୁଗଣ,
ଦୀର୍ଘ ସମୟ ଧରି ବିକାଶରେ ପଛୁଆ ରହିଥିବା ଅଞ୍ଚଳଗୁଡ଼ିକ ପ୍ରତି ମଧ୍ୟ ଆମେ ବିଶେଷ ଧ୍ୟାନ ଦେଇଛୁ। ୧୦୦ରୁ ଅଧିକ ଆକାଂକ୍ଷୀ ଜିଲ୍ଲା ଏବଂ ୫୦୦ରୁ ଅଧିକ ଆକାଂକ୍ଷୀ ବ୍ଲକ୍ରେ ବିକାଶ, ଉନ୍ନତ ସୁବିଧା ଏବଂ ନାଗରିକଙ୍କ ଅଧିକାରର ସୁରକ୍ଷା ପାଇଁ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଥିଲା। ଏହି ଅଞ୍ଚଳଗୁଡ଼ିକ ମଧ୍ୟରୁ ଅନେକ ସ୍ଥାନରେ ଜନଜାତି ସମ୍ପ୍ରଦାୟର ଜନସଂଖ୍ୟା ଅଧିକ ରହିଛି। ଏବେ ପିଏମ୍ କୃଷି ଧନଧାନ୍ୟ ଯୋଜନା ଅଧୀନରେ କୃଷି କ୍ଷେତ୍ରରେ ପଛୁଆ ଥିବା ୧୦୦ଟି ଜିଲ୍ଲା ଉପରେ ମଧ୍ୟ ବିଶେଷ ଧ୍ୟାନ ଦିଆଯାଉଛି। ଆମର ଉଦ୍ୟମ ହେଉଛି, ଏହି ଅଞ୍ଚଳଗୁଡ଼ିକର କୃଷକ, ଗରିବ ପରିବାର ଏବଂ ଜନଜାତି ସମ୍ପ୍ରଦାୟ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବା। ଏହି ସାମୂହିକ ପ୍ରୟାସ ଏବଂ 'ସବ୍କା ସାଥ୍, ସବ୍କା ବିକାଶ' ମନ୍ତ୍ର ଦେଶର ଗରିବମାନଙ୍କ ମନରେ ନୂତନ ଆତ୍ମବିଶ୍ୱାସ ସୃଷ୍ଟି କରିଛି। ଏହାର ପରିଣାମ ସ୍ୱରୂପ କୋଟି କୋଟି ଗରିବ ଲୋକ ଦାରିଦ୍ର୍ୟରୁ ମୁକ୍ତ ହେବାରେ ସଫଳ ହୋଇଛନ୍ତି।
ବନ୍ଧୁଗଣ,
ମୁଁ ଯେଉଁ ଦ୍ୱିତୀୟ ସଫଳତା ବିଷୟରେ କହିଥିଲି, ତାହା ହେଉଛି ନକ୍ସଲବାଦ ଓ ମାଓବାଦରୁ ମୁକ୍ତି। ଗଡ଼ଚିରୋଲିର ଲୋକମାନେ ଏବଂ ଦେଶର ବିଭିନ୍ନ ଜନଜାତି ଅଞ୍ଚଳର ଲୋକମାନେ ଭଲ ଭାବେ ଜାଣନ୍ତି ଯେ ନକ୍ସଲ ହିଂସା ଆମ ଜନଜାତି ସମ୍ପ୍ରଦାୟର ସବୁଠାରୁ ଅଧିକ କ୍ଷତି କରିଥିଲା। ୨୦୧୪ ମସିହାରେ ଦେଶର ପ୍ରାୟ ୧୨୫ଟି ଜିଲ୍ଲା ମାଓବାଦ ଓ ନକ୍ସଲବାଦ ଦ୍ୱାରା ପ୍ରଭାବିତ ଥିଲା। ପ୍ରତିବର୍ଷ ଶହ ଶହ ହିଂସାତ୍ମକ ଘଟଣା ଘଟୁଥିଲା। ଏହି ଘଟଣାଗୁଡ଼ିକରେ ହଜାର ହଜାର ନିରୀହ ଲୋକ ପ୍ରାଣ ହରାଉଥିଲେ। ସେମାନଙ୍କ ମଧ୍ୟରୁ ବହୁ ସଂଖ୍ୟାରେ ଆମର ଜନଜାତି ଭାଇଭଉଣୀ ଥିଲେ।
ବନ୍ଧୁଗଣ,
ସେହି ସମୟରେ ମାଓବାଦ ଓ ନକ୍ସଲବାଦ ଦ୍ୱାରା ପ୍ରଭାବିତ ଏହି ଅଞ୍ଚଳର ମୋର ଭାଇଭଉଣୀମାନଙ୍କୁ ତତ୍କାଳୀନ ସରକାରଗୁଡ଼ିକ ସେମାନଙ୍କ ଭାଗ୍ୟ ଉପରେ ଛାଡ଼ି ଦେଇଥିଲେ। ସେମାନଙ୍କ ଅଧିକାର ଛଡ଼ାଇ ନିଆଯାଇଥିଲା। ସମସ୍ତେ ନିରବ ରହିଥିଲେ। କେହି କିଛି କହୁନଥିଲେ। ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଆମର ଏହି ଜନଜାତି ଭାଇଭଉଣୀମାନଙ୍କୁ ଭୋଟ୍ ଦେବାର ଅଧିକାର ମଧ୍ୟ ମିଳୁନଥିଲା। ସେହି ସମୟର ସରକାରଗୁଡ଼ିକ କେବଳ ନିରବ ଦର୍ଶକ ସାଜି ରହିଥିଲେ। ମାଓବାଦୀ ଓ ନକ୍ସଲମାନେ ଗରିବ ମା'ମାନଙ୍କଠାରୁ ଛୋଟ ଛୋଟ ପିଲାମାନଙ୍କୁ ଛଡ଼ାଇ ନେଉଥିଲେ, କିନ୍ତୁ କେହି କିଛି କରିପାରୁନଥିଲେ। ନକ୍ସଲମାନେ ଆମ ଘରର ଝିଅମାନଙ୍କୁ ଅପହରଣ କରି ନେଉଥିଲେ ଏବଂ ସମସ୍ତେ କେବଳ ଅସହାୟ ଭାବରେ ଏହା ଦେଖୁଥିଲେ।
ବନ୍ଧୁଗଣ,
ଆଜି ଯେତେବେଳେ ମାଓବାଦ ଓ ନକ୍ସଲବାଦ ପରାସ୍ତ ହୋଇଛି, ସେତେବେଳେ ଆମ ଜନଜାତି ସମାଜର ସେହି ମା' ଓ ଭଉଣୀମାନେ ଆମକୁ ଅଗଣିତ ଆଶୀର୍ବାଦ ଦେଉଛନ୍ତି। ଯେଉଁ ଭଉଣୀ ଆଜି ନିଜକୁ ସୁରକ୍ଷିତ ମନେ କରୁଛନ୍ତି, ସେ ଆମକୁ ଆଶୀର୍ବାଦ ଦେଉଛନ୍ତି। ଯେଉଁ ପିଲାର ବାଲ୍ୟକାଳ ଦିନେ ଛଡ଼ାଇ ନିଆଯାଇଥିଲା, ସେ ଆଜି ଜଣେ ଯୁବକ ଭାବେ ଆମ ସହିତ ଯୋଡ଼ି ହେଉଛି। ତାକୁ ଶିକ୍ଷା ଓ ନିଯୁକ୍ତିର ସୁଯୋଗ ମିଳୁଛି। ଛତିଶଗଡ଼ର ବସ୍ତର ଭଳି ଅଞ୍ଚଳ, ଯେଉଁଠାକୁ ଦିନେ ଲୋକମାନେ ଯିବାକୁ ଭୟ କରୁଥିଲେ, ସେଠାକୁ ମୁଁ ନିଜେ କିଛି ସମୟ ପୂର୍ବରୁ ଯାଇ ସୁରକ୍ଷା ବାହିନୀର ଯବାନମାନଙ୍କ ସହିତ ଦୀପାବଳି ପାଳନ କରିଥିଲି। ଏହି ଦୀପାବଳିରେ ଗଡ଼ଚିରୋଲି ସମେତ ପୂର୍ବରୁ ନକ୍ସଲ ପ୍ରଭାବିତ ଥିବା ସମସ୍ତ ଅଞ୍ଚଳର ଲୋକମାନେ କେବଳ ଦୀପର ଆଲୋକ ନୁହେଁ, ବରଂ ଆଶାର ନୂତନ ଆଲୋକ ମଧ୍ୟ ପାଇଛନ୍ତି।
ବନ୍ଧୁଗଣ,
ଆଜି ଆମର ଜନଜାତି ସମାଜ, ଆମର ଜନଜାତି ସମ୍ପ୍ରଦାୟ ଦେଶର ପ୍ରଗତିରେ ଉତ୍ସାହର ସହିତ ଯୋଗଦାନ କରୁଛନ୍ତି। ଆଜି ଦେଶର ସର୍ବୋଚ୍ଚ ନେତୃତ୍ୱ ମଧ୍ୟ ଜନଜାତି ସମାଜର ଜଣେ ଝିଅଙ୍କ ହାତରେ ରହିଛି। ଆମେ ସମସ୍ତେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଗର୍ବିତ।
ବନ୍ଧୁଗଣ,
ଆଜି ହେଉଛି ଭଗବାନ ବିର୍ସା ମୁଣ୍ଡାଙ୍କଠାରୁ ପ୍ରେରଣା ନେଇ ଏକ ବିକଶିତ ଭାରତର ସ୍ୱପ୍ନ ପୂରଣ ପାଇଁ ନିଜର ସମସ୍ତ ଶକ୍ତି ସମର୍ପଣ କରିବାର ସମୟ। ଏହି ଆହ୍ୱାନ ସହିତ ଏବଂ ଭଗବାନ ବିର୍ସା ମୁଣ୍ଡାଙ୍କୁ ପ୍ରଣାମ ଜଣାଇ ମୁଁ ପୁଣିଥରେ ଆପଣ ସମସ୍ତଙ୍କୁ ଜନଜାତୀୟ ଗୌରବ ଦିବସର ଅନ୍ତରିକ ଶୁଭେଚ୍ଛା ଜଣାଉଛି। ମୁଁ ଆପଣମାନଙ୍କୁ ଆହ୍ୱାନ କରୁଛି ଯେ ପ୍ରତିବର୍ଷ ୧୫ ନଭେମ୍ବରକୁ ଆମେ ଉତ୍କଣ୍ଠାର ସହିତ ଅପେକ୍ଷା କରିବା ଉଚିତ। ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଏବଂ ତା'ଠାରୁ ମଧ୍ୟ ଅଧିକ ଜନଜାତୀୟ ଗୌରବ ଦିବସ ସମଗ୍ର ଦେଶର ଗର୍ବ ଏବଂ ସମଗ୍ର ଦେଶର ଆତ୍ମସମ୍ମାନର ପ୍ରତୀକ। ପ୍ରତିବର୍ଷ ୧୫ ନଭେମ୍ବରରେ ଆମେ ପୂର୍ବାପେକ୍ଷା ଅଧିକ ଶକ୍ତି, ଅଧିକ ଉତ୍ସାହ ଏବଂ ଅଧିକ ବ୍ୟାପକ ଭାବରେ ଏହି ଦିବସ ପାଳନ କରିବା ଉଚିତ। ଜନଜାତୀୟ ଗୌରବ ଦିବସ ଅବସରରେ ଆମେ ନୂତନ ନୂତନ ସଂକଳ୍ପ ନେବା ଉଚିତ ଏବଂ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସେହି ସଂକଳ୍ପଗୁଡ଼ିକୁ ପୂରଣ କରିବା ପାଇଁ ନିଜର ସମସ୍ତ ଶକ୍ତି ନିୟୋଜିତ କରିବା ଉଚିତ। ସ୍ୱାଧୀନତା ପରେ ଦୀର୍ଘ ଦଶନ୍ଧି ମଧ୍ୟରେ ଯାହା ହାସଲ କରାଯାଇପାରି ନଥିଲା, ତାହା ଆମକୁ ଅଳ୍ପ ସମୟ ମଧ୍ୟରେ ହାସଲ କରିବାକୁ ହେବ। ପୁଣିଥରେ,ଯେତେବେଳେ ମୁଁ ସ୍କ୍ରିନ୍ ଆଡ଼କୁ ଚାହୁଁଛି ଏବଂ ବିଭିନ୍ନ ସ୍ଥାନରେ ଲୋକମାନଙ୍କୁ ଏକତ୍ରିତ ହୋଇଥିବାର ଦେଖୁଛି, ସେତେବେଳେ ମୁଁ ସେମାନଙ୍କ ମଧ୍ୟରେ ଉତ୍ସାହ ଓ ଉଦ୍ଦୀପନା ଅନୁଭବ କରିପାରୁଛି। ଏହି ଦୃଶ୍ୟ ହିଁ ଜନଜାତୀୟ ଗୌରବ ଦିବସର ଗର୍ବ, ଗୌରବ ଓ ମହିମାକୁ ପ୍ରତିଫଳିତ କରୁଛି। ଏତେ ସଫଳତାର ସହିତ ଏହି ଆୟୋଜନ କରିଥିବାରୁ ଜନଜାତି ସମାଜର ଆପଣ ସମସ୍ତେ ଅଭିନନ୍ଦନର ପାତ୍ର ଅଟନ୍ତି । ମୁଁ ଆପଣ ସମସ୍ତଙ୍କୁ ହୃଦୟରୁ ଅଭିନନ୍ଦନ ଜଣାଉଛି। ଆପଣ ସମସ୍ତଙ୍କୁ ଅନେକ ଅନେକ ଧନ୍ୟବାଦ।
ଜୋହାର!
ଅସ୍ୱୀକରଣ: ଏହା ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ଆନୁମାନିକ ଅନୁବାଦ। ମୂଳ ଅଭିଭାଷଣ ହିନ୍ଦୀରେ ପ୍ରଦାନ କରାଯାଇଥିଲା।
*****
SPD