ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ
azadi ka amrit mahotsav

'ସେମିକନ୍ ୨.୦' ୱେବ୍ ଆପ୍ଲିକେସନ୍ ପୋର୍ଟାଲ୍ ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ


‘ଇଲେକ୍ଟ୍ରୋନିକ୍ସ ଉପକରଣ ଉତ୍ପାଦନ ଯୋଜନା’ ଅଧୀନରେ ଅନୁମୋଦିତ ହୋଇଥିବା ୧୨ ଆବେଦନକାରୀଙ୍କ ନାମ ଘୋଷଣା

'ସେମିକନ୍ ୨.୦' ଅଧୀନରେ ଥିବା ସ୍ତମ୍ଭ ୨, ୩ ଏବଂ ୪ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ

ପୋଷ୍ଟ କରାଯିବା ଦିନାଙ୍କ: 06 NOV 2026 6:05PM by PIB Bhubaneswar

 

କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ, ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ପିଲର୍ସ ୨, ୩ ଏବଂ ୪ ପାଇଁ ‘ସେମିକନ୍ ୨.୦’ ସେମିକନ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅନ୍ତର୍ଗତ ୱେବ୍ ଆପ୍ଲିକେସନ୍ ପୋର୍ଟାଲ୍" ଆରମ୍ଭ କରିଛନ୍ତି । ଏଥିସହିତ ସେ ଇଲେକ୍ଟ୍ରୋନିକ୍ସ ଉପକରଣ ଉତ୍ପାଦନ ଯୋଜନା’ ଅଧୀନରେ ଅନୁମୋଦିତ ହୋଇଥିବା ୧୨ ଆବେଦନକାରୀଙ୍କ ନାମ ଘୋଷଣା କରିଛନ୍ତି । ଭାରତର ସେମିକଣ୍ଡକ୍ଟର ଏବଂ ଇଲେକ୍ଟ୍ରୋନିକ୍ସ ଇକୋସିଷ୍ଟମକୁ ସୁଦୃଢ଼ ​​କରିବା ଦିଗରେ ଏହା ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ବିବେଚନା କରାଯାଉଛି ।

ଭାରତ ସରକାର ବିଭିନ୍ନ ରଣନୀତିକ ପଦକ୍ଷେପ ଏବଂ ନୀତିଗତ ହସ୍ତକ୍ଷେପ ମାଧ୍ୟମରେ ଦେଶରେ ଏକ ସୁଦୃଢ଼ ​​ତଥା ସ୍ଥାୟୀ ସେମିକଣ୍ଡକ୍ଟର ଇକୋସିଷ୍ଟମ୍ ଗଢ଼ିବା ପାଇଁ ବ୍ୟାପକ ପ୍ରୟାସ ଜାରି ରଖିଛନ୍ତି । ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ୍‌ - ଆଇଏସ୍‌ଏମ୍ ଆରମ୍ଭ ହେବାର କିଛି ବର୍ଷ ମଧ୍ୟରେ ସେମିକନ୍ ଇଣ୍ଡିଆ ପ୍ରୋଗ୍ରାମ ୧.୦ ର ପ୍ରଥମ ପର୍ଯ୍ୟାୟକୁ ସଫଳତାର ସହ କାର୍ଯ୍ୟକାରୀ କରାଯାଇଛି । ଛଅଟି ରାଜ୍ୟରେ ୧୨ଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଏଥିରେ ମୋଟ ୧.୬୪ ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ କରାଯାଇଛି । ଅକ୍ଟୋବର ୨୦୨୬ ସୁଦ୍ଧା, ଏହି ୧୨ଟି ପ୍ରକଳ୍ପ ମଧ୍ୟରୁ ୫ଟି ପ୍ରକଳ୍ପରେ ବାଣିଜ୍ୟିକ ଉତ୍ପାଦନ ଆରମ୍ଭ ହୋଇସାରିଛି ।

ଏହା ବ୍ୟତୀତ, ୧୦୫ଟି ଷ୍ଟାର୍ଟଅପକୁ ଇଡିଏ ଟୁଲ୍‌ ସୁବିଧା ଯୋଗାଇ ଦିଆଯାଇଛି । ୨୪ଟି ଷ୍ଟାର୍ଟଅପକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ଏବଂ ୧୫ଟି ଷ୍ଟାର୍ଟଅପ୍ 'ଭେଞ୍ଚର କ୍ୟାପିଟାଲ୍' ପାଣ୍ଠି ହାସଲ କରିଛନ୍ତି। 'ଚିପ୍ସ ଟୁ ଷ୍ଟାର୍ଟଅପ୍' କାର୍ଯ୍ୟକ୍ରମ ଅଧୀନରେ ୩୩୨ଟି ଅନୁଷ୍ଠାନକୁ ଇଡିଏ ଟୁଲ୍ ଯୋଗାଇ ଦିଆଯାଇଛି ଏବଂ ବର୍ତ୍ତମାନ ସୁଦ୍ଧା ପ୍ରାୟ ୭୦,୦୦୦ ଛାତ୍ରଛାତ୍ରୀଙ୍କୁ ଏଥିପାଇଁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି।

କେନ୍ଦ୍ର କ୍ୟାବିନେଟ୍ ଆଇଏସ୍‌ଏମ୍ ଅଧୀନରେ ୧,୨୭,୫୦୦ କୋଟି ଟଙ୍କାର ଆର୍ଥିକ ବ୍ୟୟବରାଦ ସହିତ 'ସେମିକନ୍ ୨.୦'କୁ ଅନୁମୋଦନ କରିଛି। ଭାରତର ସେମିକଣ୍ଡକ୍ଟର ଯାତ୍ରାର ପରବର୍ତ୍ତୀ ପର୍ଯ୍ୟାୟକୁ ସୂଚିତ କରୁଥିବା 'ସେମିକନ୍ ୨.୦', ଛଅଟି ରଣନୀତିକ ସ୍ତମ୍ଭ ଉପରେ ଧ୍ୟାନ କେନ୍ଦ୍ରିତ କରିଥାଏ: ଚିପ୍‌ ଡିଜାଇନ, ମେସିନ୍‌ ଓ ମ୍ୟାଟେରିୟଲ୍ସ, ଅଧିକ୍‌ ଫ୍ୟାବ୍‌ ପ୍ରତିଷ୍ଠା, ଏଟିଏମପି/ଓଏସଏଟି ଶିଳ୍ପକୁ ଅଧିକ ସୁଦୃଢ଼ କରିବା, ଗବେଷଣା ଓ ବିକାଶ, ପ୍ରତିଭା ବିକାଶ । 'ସେମିକନ୍ ୨.୦' ୱେବ୍ ଆପ୍ଲିକେସନ୍ ପୋର୍ଟାଲ୍ ଆରମ୍ଭ ହେବା ସହିତ, ବର୍ତ୍ତମାନ ସ୍ତମ୍ଭ   ୨, ୩ ଏବଂ ୪ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।

ସମାବେଶକୁ ସମ୍ବୋଧିତ କରି  ଶ୍ରୀ ବୈଷ୍ଣବ କହିଛନ୍ତି, ଭାରତର ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ଯାତ୍ରା ସମାବେଶଠାରୁ ଆଗକୁ ବଢ଼ି ମଡ୍ୟୁଲ୍, ଉପାଦାନ, ସାମଗ୍ରୀ ଏବଂ ଉନ୍ନତ ପ୍ରଯୁକ୍ତିବିଦ୍ୟାକୁ ନେଇ ଏକ ବ୍ୟାପକ ଘରୋଇ ମୂଲ୍ୟ ଶୃଙ୍ଖଳର ବିକାଶ ଆଡକୁ ଗତି କରିଛି । ସେ ବ୍ୟାଟେରୀ ସେଲ୍, କପର ଫଏଲ୍, କପର କ୍ଲାଡ୍ ଲାମିନେଟ୍ ଏବଂ ଉଚ୍ଚମାନର ପ୍ରିଣ୍ଟେଡ୍ ସର୍କିଟ୍ ବୋର୍ଡରେ ବର୍ଦ୍ଧିତ କ୍ଷମତା ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ, ସରକାରୀ ପଦକ୍ଷେପଗୁଡ଼ିକ ଘରୋଇ ଯୋଗାଣ ଶୃଙ୍ଖଳାକୁ ମଜବୁତ କରୁଛି ଏବଂ ଏମଏସଏମଇ ପାଇଁ ସୁଯୋଗ ସୃଷ୍ଟି କରୁଛି। ଏହି ଯୋଜନା ଅଧୀନରେ ଅନୁମୋଦିତ ୟୁନିଟ୍ ମଧ୍ୟରୁ ପ୍ରାୟ ୫୦% ଏମଏସଏମଇ କ୍ଷେତ୍ରର । ସେମିକନ୍ ଇଣ୍ଡିଆ ୨.୦ ଏକ ଦୃଢ଼ ସେମିକଣ୍ଡକ୍ଟର ଇକୋସିଷ୍ଟମ୍ ନିର୍ମାଣ ଉପରେ ଧ୍ୟାନ ଦେବ, ବିଶେଷକରି ଉପକରଣ, ସାମଗ୍ରୀ, ରାସାୟନିକ ଏବଂ ଗ୍ୟାସ୍ କ୍ଷେତ୍ରରେ, ଯାହାର ଲକ୍ଷ୍ୟ ହେଉଛି ଅତି କମରେ ତିନୋଟି ପ୍ରମୁଖ ଉପକରଣ ନିର୍ମାତା ଏବଂ ପାଞ୍ଚଟି ରାସାୟନିକ ଏବଂ ଗ୍ୟାସ୍ କମ୍ପାନୀକୁ ଭାରତକୁ ଆକର୍ଷିତ କରିବା। ପ୍ରକଳ୍ପଗୁଡ଼ିକର କଠୋର ଚୟନ ପାଇଁ ଆହ୍ୱାନ କରି ସେ ଗୁଣବତ୍ତା, ପ୍ରଯୁକ୍ତିବିଦ୍ୟା ଗଭୀରତା, ଗବେଷଣା ଓ ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ । ଏହା ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ କ୍ଷମତା ଏବଂ ଆତ୍ମନିର୍ଭର ଭାରତର ଦୃଷ୍ଟିକୋଣ ସହ ଦେଶର ସେମିକଣ୍ଡକ୍ଟର ମହତ୍ୱାକାଂକ୍ଷାକୁ ମାର୍ଗଦର୍ଶନ କରିବା ଉଚିତ । ସେ ଶିଳ୍ପ ଅଂଶୀଦାରମାନଙ୍କୁ ସହଯୋଗ, ବିଶେଷଜ୍ଞତା ବାଣ୍ଟିବା ଏବଂ ଭାରତକୁ ଏକ ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ ଇଲେକ୍ଟ୍ରୋନିକ୍ସ ଓ ସେମିକଣ୍ଡକ୍ଟର ଉତ୍ପାଦନ କେନ୍ଦ୍ର ଭାବରେ ପ୍ରତିଷ୍ଠା କରିବା ପାଇଁ ନିରନ୍ତର ଉନ୍ନତି ପାଇଁ ମଧ୍ୟ ଅନୁରୋଧ କରିଥିଲେ।

ପୂର୍ବରୁ ଘୋଷଣା କରାଯାଇଥିବା ୬୯,୫୪୮ କୋଟି ଟଙ୍କାର ନିବେଶ ସମ୍ବଳିତ ୧୦୬ଟି ଆବେଦନକୁ ଅନୁମୋଦନ ଦେବା ପରେ, ବର୍ତ୍ତମାନ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ 'ଇଲେକ୍ଟ୍ରୋନିକ୍ସ ଉପକରଣ ଉତ୍ପାଦନ ଯୋଜନା' ଅଧୀନରେ ଆଉ ୧୨ଟି ଆବେଦନକୁ ଅନୁମୋଦନ ପ୍ରଦାନ କରିଛି, ଯେଉଁଥିରେ ୭,୫୦୩ କୋଟି ଟଙ୍କାର ନିବେଶ ହେବ ବୋଲି ଆକଳନ କରାଯାଇଛି। ଏହି ନୂତନ ଅନୁମୋଦନଗୁଡ଼ିକ ମାଧ୍ୟମରେ ୩୯,୦୪୫ କୋଟି ଟଙ୍କାର ଉତ୍ପାଦନ ହେବ ବୋଲି ଆକଳନ କରାଯାଇଛି ଏବଂ ଏହା ୭,୧୨୭ଟି ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି। ବର୍ତ୍ତମାନର ଏହି ଅନୁମୋଦନଗୁଡ଼ିକରେ ୧୦ଟି ନିର୍ଦ୍ଦିଷ୍ଟ ବର୍ଗର ଉତ୍ପାଦ ନିର୍ମାଣକୁ ଅନ୍ତର୍ଭୁକ୍ତ ରହିଛି ।

ଏହି ଅନୁମୋଦନଗୁଡ଼ିକ ସହିତ ଇସିଏମଏସ ଅଧୀନରେ ମୋଟ ୧୬ଟି ରାଜ୍ୟରେ ୩୪ଟି ଉତ୍ପାଦକୁ ନେଇ ୧୧୮ଟି ଆବେଦନକୁ ମଞ୍ଜୁରୀ ମିଳିଛି । ଏଥିରେ ୭୭,୦୫୧ କୋଟି ଟଙ୍କାର ସମ୍ଭାବ୍ୟ ନିବେଶ, ୫,୭୩,୧୪୬ କୋଟି ଟଙ୍କାର ଆକଳିତ ଉତ୍ପାଦନ ଏବଂ ୮୧,୭୫୫ ଜଣଙ୍କ ପାଇଁ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ଆଶା ରହିଛି ।

 

*******

PS


(ରିଲିଜ ଆଡି: 2333861) ପରିଦର୍ଶକ କାଉଣ୍ଟର : 5
ଏହି ରିଲିଜ ପଢନ୍ତୁ : हिन्दी , English , Urdu , Marathi , Gujarati , Tamil , Kannada