ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏନଡିଟିଭି ବିଶ୍ୱ ସମ୍ମିଳନୀରେ ପ୍ରଧାମନ୍ତ୍ରୀଙ୍କ ଅଭିଭାଷଣ

ପୋଷ୍ଟ କରାଯିବା ଦିନାଙ୍କ: 22 OCT 2026 9:32PM by PIB Bhubaneswar

ନମସ୍କାର!

 

ଆପଣ ସମସ୍ତଙ୍କୁ ମୋର ଅଭିବାଦନ। ଏହା ଉତ୍ସବର ସମୟ। ସମଗ୍ର ଦେଶ ଆନନ୍ଦ, ଉତ୍ସାହ ଓ ଉଦ୍ଦୀପନାରେ ପରିପୂର୍ଣ୍ଣ ହୋଇ ରହିଛି। ଏହି ଆନନ୍ଦ ଓ ଉତ୍ସବମୁଖର ପରିବେଶରେ ବିଶ୍ୱର ବିଭିନ୍ନ ଦେଶରୁ ଏଠାକୁ ଆସିଥିବା ମୋର ସମସ୍ତ ବନ୍ଧୁଙ୍କୁ ମୁଁ ସ୍ୱାଗତ ଓ ଅଭିନନ୍ଦନ ଜଣାଉଛି।

 

ବନ୍ଧୁଗଣ,

 

ଏନ୍‌ଡିଟିଭିର ଏହି ଶିଖର ସମ୍ମିଳନୀ ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକ ଉପରେ ବିଚାରବିମର୍ଶ କରିବା ପାଇଁ ଉଦ୍ଦିଷ୍ଟ। ଆଜିକାଲି ସବୁଠି ଏକ ନୂତନ ବିଶ୍ୱ ବ୍ୟବସ୍ଥାକୁ ନେଇ ଆଲୋଚନା ହେଉଛି। ଯେହେତୁ ଏହା ସାଧାରଣ ଜୀବନ ଉପରେ ପ୍ରଭାବ ପକାଏ, ତେଣୁ ଏଭଳି ବିଶ୍ୱ ସମ୍ମିଳନୀର ଗୁରୁତ୍ୱ ଆହୁରି ମହତ୍ଵପୂର୍ଣ୍ଣ ।

 

ବନ୍ଧୁଗଣ,

 

‘ବିଶ୍ୱ ବ୍ୟବସ୍ଥାର ପରିବର୍ତ୍ତନ ମଧ୍ୟରେ ବିଶ୍ୱ’  ବିଷୟରେ ଆଲୋଚନା କରିବାବେଳେ ଆମକୁ ଦୁଇଟି କଥା ବୁଝିବାକୁ ହେବ। ପ୍ରଥମତଃ, ବିଶ୍ୱ ବ୍ୟବସ୍ଥା କାହିଁକି ବଦଳୁଛି? ପୁରୁଣା ବିଶ୍ୱ ବ୍ୟବସ୍ଥା ଆଜିର ଆହ୍ୱାନଗୁଡ଼ିକର ସମାଧାନ କରିବାରେ କାହିଁକି ସକ୍ଷମ ହେଉନାହିଁ? ଦ୍ୱିତୀୟତଃ, ଏହି ପରିବର୍ତ୍ତନଶୀଳ ବିଶ୍ୱରେ ଭାରତର ଭୂମିକା କ’ଣ?

 

ବନ୍ଧୁଗଣ,

 

ପ୍ରଥମ ପ୍ରସଙ୍ଗରେ ମୁଁ କହିବାକୁ ଚାହେଁ ଯେ ଏହି ପରିବର୍ତ୍ତନ ସ୍ୱାଭାବିକ ଓ ସ୍ୱତଃସ୍ଫୂର୍ତ୍ତ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମଗ୍ର ବିଶ୍ୱକୁ ଏକ ବଡ଼ ଶିକ୍ଷା ଦେଇଥିଲା। ବିଶ୍ୱ ହୃଦୟଙ୍ଗମ କରିଥିଲା ଯେ କେବଳ ଶକ୍ତି ଓ ସ୍ୱାର୍ଥ ଆଧାରରେ ବିଶ୍ୱ ବ୍ୟବସ୍ଥା ପରିଚାଳିତ ହୋଇପାରିବ ନାହିଁ। ଏଥିପାଇଁ ଆଲୋଚନା ଆବଶ୍ୟକ, ସହଯୋଗ ଅପରିହାର୍ଯ୍ୟ ଏବଂ ବିବାଦର ସମାଧାନ କରିବା ମଧ୍ୟ ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ। ଏହି ଭାବନା ହିଁ ମିଳିତ ଜାତିସଂଘ ପ୍ରତିଷ୍ଠାର ମୂଳଦୁଆ ପକାଇଥିଲା। ଦଶନ୍ଧି ଦଶନ୍ଧି ଧରି ମିଳିତ ଜାତିସଂଘ ବିଶ୍ୱସ୍ତରୀୟ ସହଯୋଗ ଓ ଶାନ୍ତି ପ୍ରତିଷ୍ଠାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସିଛି। କିନ୍ତୁ ସମୟ ସହିତ ବିଶ୍ୱ ବଦଳି ଚାଲିଲା। ନୂତନ ଆକାଂକ୍ଷା ସୃଷ୍ଟି ହେଲା, ନୂଆ ଅର୍ଥନୀତି ଓ ନୂତନ ଶକ୍ତିର ଉଦୟ ହେଲା। ବିଶ୍ୱ ସମ୍ମୁଖୀନ ହେଉଥିବା ଆହ୍ୱାନଗୁଡ଼ିକ ମଧ୍ୟ ପୂର୍ବାପେକ୍ଷା ଅଧିକ ଜଟିଳ ହୋଇପଡ଼ିଲା। ପ୍ରଯୁକ୍ତିବିଦ୍ୟା ସମାଜ, ଅର୍ଥନୀତି ଓ ଶକ୍ତିର ସ୍ୱରୂପକୁ ବଦଳାଇଦେଲା । ଯେଉଁ ଦେଶଗୁଡ଼ିକ ବିଶ୍ୱ ବ୍ୟବସ୍ଥାର ପ୍ରାରମ୍ଭିକ ଗଠନ ସମୟରେ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ସାମିଲ ହୋଇପାରିନଥିଲେ, ସେମାନେ ମଧ୍ୟ ନିଜସ୍ୱ ଗୁରୁତ୍ୱପୂର୍ଣ୍ଣ ଭୂମିକା ସହ ଆଗକୁ ଆସିଲେ। ତେବେ ପ୍ରଶ୍ନ ଉଠୁଛି, ବିଶ୍ୱ ବ୍ୟବସ୍ଥା ମଧ୍ୟ ସେହି ଅନୁପାତରେ ବଦଳିଲା କି? ଏହାର ଉତ୍ତର ହେଉଛି—ନା। ବିଶ୍ୱ ବ୍ୟବସ୍ଥାରେ ଆବଶ୍ୟକ ପରିବର୍ତ୍ତନ ହୋଇପାରିଲା ନାହିଁ କିମ୍ବା ବିଶ୍ୱସ୍ତରୀୟ ଅନୁଷ୍ଠାନଗୁଡ଼ିକ ମଧ୍ୟ ସେହି ଗତିରେ ନିଜକୁ ଖାପ ଖୁଆଇପାରିଲେ ନାହିଁ। ମିଳିତ ଜାତିସଂଘ ଓ ଅନ୍ୟାନ୍ୟ ବିଶ୍ୱସ୍ତରୀୟ ଅନୁଷ୍ଠାନଗୁଡ଼ିକର ନିଜସ୍ୱ ଐତିହାସିକ ଭୂମିକା ରହିଛି। ତଥାପି ଆଜିର ଆହ୍ୱାନଗୁଡ଼ିକର ସମ୍ମୁଖୀନ ହେବା କ୍ଷେତ୍ରରେ ସେମାନଙ୍କ ସୀମାବଦ୍ଧତା ସ୍ପଷ୍ଟ ଭାବେ ଦେଖାଯାଉଛି । ଏବେ ଉଦୀୟମାନ ଶକ୍ତିଶାଳୀ ରାଷ୍ଟ୍ରଗୁଡ଼ିକର ଅଭ୍ୟୁଦୟ ଘଟୁଛି। ନୂତନ ସ୍ୱରଗୁଡ଼ିକ ନିଜର ନ୍ୟାୟସଙ୍ଗତ ଅଧିକାର ଓ ଉପଯୁକ୍ତ ସ୍ଥାନ ପାଇଁ ଦାବି କରୁଛନ୍ତି । ନୂନୂତନ ଆହ୍ୱାନଗୁଡ଼ିକର ମୁକାବିଲା ପାଇଁ ନୂତନ ସମାଧାନର ଆବଶ୍ୟକତା ରହିଛି। ବିଶ୍ୱର ବାସ୍ତବତା ବଦଳୁଥିବାବେଳେ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟା ଅପରିବର୍ତ୍ତିତ ରହିଲେ ବ୍ୟବସ୍ଥା ଓ ବାସ୍ତବତା ମଧ୍ୟରେ ଦୂରତା ବଢ଼ିବା ଆରମ୍ଭ ହୁଏ। ଆଜି ଆମେ ଠିକ୍ ଏହି ପରିସ୍ଥିତି ଦେଖୁଛୁ। ଦଶନ୍ଧି ଦଶନ୍ଧି ଧରି ବାଣିଜ୍ୟ ଦେଶଗୁଡ଼ିକୁ ଯୋଡ଼ିଛି, ପ୍ରଯୁକ୍ତିବିଦ୍ୟା ଦୂରତା କମାଇଛି, ସାମୁଦ୍ରିକ ପଥ ଅର୍ଥନୀତିଗୁଡ଼ିକୁ ସଂଯୋଗ କରିଛି ଏବଂ ସଂସ୍କୃତି ଓ ଲୋକଙ୍କ ଯାତାୟାତ ବିଭିନ୍ନ ସମାଜକୁ ନିକଟତର କରିଛି। କିନ୍ତୁ ଆଜି ଏହି ସମ୍ପର୍କଗୁଡ଼ିକ ନୂତନ ଚାପର ସମ୍ମୁଖୀନ ହେଉଛି। ବାଣିଜ୍ୟକୁ ଅସ୍ତ୍ର ଭାବେ ବ୍ୟବହାର କରାଯାଉଛି। ପ୍ରଯୁକ୍ତିବିଦ୍ୟା ପ୍ରତିଯୋଗିତା ଓ ସଂଘର୍ଷର ଏକ ନୂଆ କ୍ଷେତ୍ରରେ ପରିଣତ ହେଉଛି। ସାମୁଦ୍ରିକ ପଥଗୁଡ଼ିକ ଭୂରାଜନୈତିକ ଉତ୍ତେଜନାର କେନ୍ଦ୍ରବିନ୍ଦୁ ପାଲଟୁଛି। ତେଣୁ ଆଜିର ଆହ୍ୱାନ କେବଳ ଏକ ନୂତନ ବିଶ୍ୱ ବ୍ୟବସ୍ଥାର ଉଦୟକୁ ନେଇ ନୁହେଁ। ପ୍ରକୃତ ଆହ୍ୱାନ ହେଉଛି, ପରିବର୍ତ୍ତିତ ବିଶ୍ୱରେ ଆମେ କିପରି ଏପରି ଏକ ବ୍ୟବସ୍ଥା ଗଢ଼ିପାରିବା, ଯେଉଁଠାରେ ନୂତନ ବାସ୍ତବତାଗୁଡ଼ିକୁ ଉପଯୁକ୍ତ ସ୍ଥାନ ମିଳିବ, ବିଶ୍ୱସ୍ତରୀୟ ଅନୁଷ୍ଠାନଗୁଡ଼ିକ ଅଧିକ ପ୍ରଭାବଶାଳୀ ହେବେ ଏବଂ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସହଯୋଗର ଭାବନା ଆହୁରି ସୁଦୃଢ଼ ହେବ? ଏହି ପରିପ୍ରେକ୍ଷୀରେ ଭାରତର ଭୂମିକା ପ୍ରସଙ୍ଗ ଗୁରୁତ୍ୱପୂର୍ଣ୍ଣ ହୋଇଉଠୁଛି।

 

ବନ୍ଧୁଗଣ,

 

ଭାରତର ଭୂମିକା ବିଷୟରେ ଆଗକୁ କହିବା ପୂର୍ବରୁ ମୁଁ ଆପଣମାନଙ୍କୁ ୭ରୁ ୮ ବର୍ଷ ପଛକୁ ନେଇଯିବାକୁ ଚାହୁଁଛି। କୋଭିଡ୍ ମହାମାରୀ ସମୟରେ କ’ଣ ଘଟିଥିଲା, ତାହା ଆମେ ସମସ୍ତେ ଦେଖିଛୁ। ଯେତେବେଳେ ବିଶ୍ୱକୁ ସହଯୋଗର ସବୁଠାରୁ ଅଧିକ ଆବଶ୍ୟକତା ଥିଲା, ସେତେବେଳେ ସମଗ୍ର ବିଶ୍ୱ ବିଭାଜିତ ହୋଇପଡ଼ିଥିବା ପରି ମନେ ହେଉଥିଲା। ଜଗତୀକରଣର ବଡ଼ ବଡ଼ ଘୋଷଣା କରୁଥିବା ଦେଶଗୁଡ଼ିକ ସଙ୍କଟ ସମୟରେ ନିଜ ନିଜ ସ୍ୱାର୍ଥକୁ ପ୍ରାଥମିକତା ଦେଇଥିଲେ। ସେହି ବିଭାଜନର ଯୁଗରେ ଦେଶଗୁଡ଼ିକ ପରସ୍ପରକୁ ସନ୍ଦେହ ଦୃଷ୍ଟିରେ ଦେଖୁଥିଲେ ଏବଂ ବିଶ୍ୱସ୍ତରୀୟ ବିଶ୍ୱାସ ସମ୍ପୂର୍ଣ୍ଣ ଭାବେ ହ୍ରାସ ପାଇଯାଇଥିଲା। ଏଭଳି ସମୟରେ, ୨୦୨୦ ମସିହାରେ ଜି-୨୦ ମଞ୍ଚରୁ ମୁଁ ବିଶ୍ୱ ସମ୍ମୁଖରେ ଏକ ଚିନ୍ତାଧାରା ରଖିଥିଲି। ମୁଁ ଆହ୍ୱାନ ଦେଇଥିଲି ଯେ “ମାନବଜାତିର ସାମୂହିକ କଲ୍ୟାଣ ପାଇଁ ଏକ ନୂତନ ବିଶ୍ୱ ବ୍ୟବସ୍ଥା” ଗଠନ କରାଯାଉ, ଯେଉଁ ବ୍ୟବସ୍ଥାର କେନ୍ଦ୍ରରେ ମାନବିକତା ରହିବ। ସେହି ବର୍ଷ ମିଳିତ ଜାତିସଂଘ ସାଧାରଣ ପରିଷଦର ମଞ୍ଚରୁ ମୁଁ କହିଥିଲି, “ଯଦି ଶତାବ୍ଦୀ ବଦଳେ, କିନ୍ତୁ ଆମେ ନିଜକୁ ପରିବର୍ତ୍ତନ ନକରୁ, ତେବେ ପରିବର୍ତ୍ତନ ଆଣିବାର ଆମର କ୍ଷମତା ମଧ୍ୟ ଦୁର୍ବଳ ହୋଇଯାଏ।”

 

ବନ୍ଧୁଗଣ,

 

ଆଜି ବିଶ୍ୱ ବ୍ୟବସ୍ଥା ବଦଳୁଛି, ଏହା ସତ୍ୟ। କିନ୍ତୁ ପ୍ରକୃତ ପ୍ରଶ୍ନ ହେଉଛି ଯେ ପୁରୁଣା ବିଶ୍ୱ ବ୍ୟବସ୍ଥାର ପରିବର୍ତ୍ତନ ମଧ୍ୟରେ ଆମେ ମିଳିତ ଭାବେ କିପରି ଏକ ନୂତନ ବିଶ୍ୱ ବ୍ୟବସ୍ଥା ଗଢ଼ିବାକୁ ଚାହୁଁଛୁ? ବହୁପକ୍ଷୀୟ ସଂସ୍ଥାଗୁଡ଼ିକରେ ସଂସ୍କାର ଆଣିବା ଅତ୍ୟନ୍ତ ଆବଶ୍ୟକ। 'ଗ୍ଲୋବାଲ୍ ସାଉଥ୍' କୁ ସେମାନଙ୍କର ଉଚିତ ସ୍ଥାନ ଏବଂ ସ୍ୱର ପ୍ରଦାନ କରିବା ଜରୁରୀ ଅଟେ। ଆନ୍ତର୍ଜାତୀୟ ସହଯୋଗ କେବଳ ଭଲ ସମୟ ପାଇଁ ସୀମିତ ରହିବା ଉଚିତ ନୁହେଁ; ବରଂ ସଙ୍କଟ ସମୟରେ ମଧ୍ୟ ଏହା ପ୍ରଭାବଶାଳୀ ହୋଇ ରହିବା ଆବଶ୍ୟକ। ଏଥିପାଇଁ ସମସ୍ତ ଅଂଶୀଦାରଙ୍କ ମଧ୍ୟରେ ଏକ ଅର୍ଥପୂର୍ଣ୍ଣ ସହମତି ରହିବା ଅପରିହାର୍ଯ୍ୟ।

 

ବନ୍ଧୁଗଣ,

 

ଆମ ପରମ୍ପରାରେ ଆଚାର୍ଯ୍ୟ ଚାଣକ୍ୟ ତାଙ୍କର ଅର୍ଥଶାସ୍ତ୍ର ଗ୍ରନ୍ଥରେ କହିଛନ୍ତି:-‘ଅପ୍ରଣୀତସ୍ତୁ ମତ୍ସ୍ୟନ୍ୟାୟମୁଦ୍‌ଭାବୟତି’। ଏହାର ଅର୍ଥ ହେଉଛି, ଶାସନ ବ୍ୟବସ୍ଥା ଦୁର୍ବଳ ହୋଇଯାଏ, ସେତେବେଳେ 'ମତ୍ସ୍ୟ-ନ୍ୟାୟ' (ବଡ଼ ମାଛ ଦ୍ୱାରା ଛୋଟ ମାଛକୁ ଖାଇଯିବା ଭଳି ପରିସ୍ଥିତି) ସୃଷ୍ଟି ହୁଏ । ବିଶ୍ୱକୁ ଏପରି ଏକ ବ୍ୟବସ୍ଥାର ଆବଶ୍ୟକତା ରହିଛି, ଯାହା ଏଭଳି ପରିସ୍ଥିତି ସୃଷ୍ଟି ହେବାକୁ ରୋକିପାରିବ। ଏହା ହିଁ ଭାରତର ଦୃଷ୍ଟିକୋଣ ଏବଂ ଭାରତ ଠିକ୍‌ ଏହି ଦିଗରେ କାର୍ଯ୍ୟ କରୁଛି। ମହାମାରୀର ଭୟାବହ ସଙ୍କଟ ସମୟରେ ବିଶ୍ୱ ଭାରତର ଏହି ଭୂମିକାକୁ ଅନୁଭବ କରିଥିଲା। ଯେତେବେଳେ ସାମର୍ଥ୍ୟବାନ ଦେଶଗୁଡ଼ିକ କେବଳ ନିଜ ନିଜ ସ୍ୱାର୍ଥ ବିଷୟରେ ଚିନ୍ତା କରୁଥିଲେ, ସେତେବେଳେ ଭାରତ ଆଗକୁ ଆସିଥିଲା। ଭାରତ ଆବଶ୍ୟକତା ଥିବା ପ୍ରତ୍ୟେକ ଦେଶକୁ ଟିକା ଯୋଗାଇ ଦେଇଥିଲା ଏବଂ ୧୦୦ରୁ ଅଧିକ ଦେଶକୁ ଔଷଧ ପଠାଇଥିଲା।

 

ବନ୍ଧୁଗଣ,

 

‘ସବ୍‌କା ସାଥ୍‌, ସବ୍‌କା ବିକାଶ’ ମନ୍ତ୍ରରେ ଅନୁପ୍ରାଣିତ ହୋଇ ଭାରତ ଏକ ‘ବିଶ୍ୱବନ୍ଧୁ’ ଭାବେ ନିଜର କର୍ତ୍ତବ୍ୟ ପାଳନ କରୁଛି। ଆପଣମାନେ ଏହାକୁ ନିଜେ ଅନୁଭବ କରିଛନ୍ତି। ଭାରତର ଅଧ୍ୟକ୍ଷତାରେ ଜି-୨୦ ଶିଖର ସମ୍ମିଳନୀ ଆୟୋଜିତ ହୋଇଥିଲା ଏବଂ ଭାରତର ନେତୃତ୍ୱରେ ବ୍ରିକ୍ସ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି ଦୁଇଟି ସମ୍ମିଳନୀକୁ ନେଇ କେତେ ସନ୍ଦେହ ପ୍ରକାଶ କରାଯାଇଥିଲା! କୁହାଯାଇଥିଲା ଯେ ମିଳିତ ଘୋଷଣାନାମା ଉପରେ ସହମତି ହାସଲ କରିବା ଅସମ୍ଭବ ହେବ। କିନ୍ତୁ ଭାରତ ମଧ୍ୟରେ ସେତୁ ଗଢ଼ିଲା, ଆଲୋଚନା ଉପରେ ଗୁରୁତ୍ୱ ଦେଲା ଏବଂ ଉଭୟ ଅବସରରେ ସର୍ବସମ୍ମତିକ୍ରମେ ଦିଲ୍ଲୀ ଘୋଷଣାନାମା ଗୃହୀତ ହେଲା। ଯେଉଁ ଦେଶଗୁଡ଼ିକୁ ପରସ୍ପରର ତୀବ୍ର ପ୍ରତିଦ୍ୱନ୍ଦ୍ୱୀ ବୋଲି ବିବେଚନା କରାଯାଉଥିଲା, ସେମାନେ ଭାରତର ମଞ୍ଚରେ ଏକାଠି ହୋଇଥିଲେ। ଏହା କୌଣସି ସଂଯୋଗ ନୁହେଁ। ଜଣେ ବିଶ୍ୱବନ୍ଧୁ ଭାବେ ଭାରତର ଭୂମିକା ଉପରେ ରହିଥିବା ବିଶ୍ୱାସର ଏହା ପ୍ରତିଫଳନ।

 

ବନ୍ଧୁଗଣ,

 

ଭାରତ ଯେତେ ଶକ୍ତିଶାଳୀ ଓ ସଶକ୍ତ ହେବ, ମାନବଜାତି ସେତେ ଅଧିକ ଲାଭବାନ ହେବ। ଏହାର କାରଣ ହେଉଛି, ଭାରତର ନୀତି ଓ ନିଷ୍ପତ୍ତିଗୁଡ଼ିକ ଚିରନ୍ତନ ଅନୁଭବ ଓ ସଭ୍ୟତାଗତ ମୂଲ୍ୟବୋଧ ଦ୍ୱାରା ଅନୁପ୍ରାଣିତ ।ଭାରତ କ୍ଷଣସ୍ଥାୟୀ ପରିସ୍ଥିତିକୁ ଦେଖି ନିଷ୍ପତ୍ତି ନିଏ ନାହିଁ। ତେଣୁ, ଭାରତ ସ୍ଥିରତାର ଏକ ନିଶ୍ଚିତତା ଏବଂ ନିରନ୍ତରତାର ଏକ ଭରସା। ‘ବିକଶିତ ଭାରତ’ ଗଠନ ପାଇଁ ଆମର ସଂକଳ୍ପ ମଧ୍ୟ ଏହି ଭାବନାକୁ ଆଗକୁ ବଢ଼ାଉଛି। କିଛି ଦିନ ପୂର୍ବେ ଏକ ଶିଖର ସମ୍ମିଳନୀରେ ମୁଁ ‘ସଶକ୍ତ କରିବା ପାଇଁ ସଶକ୍ତିକରଣ’ ର ଦୃଷ୍ଟିକୋଣ ଉପସ୍ଥାପନ କରିଥିଲି। ବିକଶିତ ଭାରତ କେବଳ ଆମ ନିଜ ପାଇଁ ନୁହେଁ; ଏହା ଏକ ଉନ୍ନତ ବିଶ୍ୱ ଗଠନର ନିଶ୍ଚିତତା ମଧ୍ୟ। ଭାରତ ଯେତେବେଳେ ଆତ୍ମନିର୍ଭରତା ଦିଗରେ ଅଗ୍ରସର ହୁଏ, ସେତେବେଳେ ବିଶ୍ୱର ଯୋଗାଣ ଶୃଙ୍ଖଳ ଆହୁରି ସୁଦୃଢ଼ ହୁଏ। ଭାରତର ଅର୍ଥନୀତି ଶକ୍ତିଶାଳୀ ହେଲେ ବିଶ୍ୱ ପାଇଁ ସମୃଦ୍ଧିର ଆଶା ସୃଷ୍ଟି ହୁଏ। ଭାରତର ଯୁବପିଢ଼ି ଦକ୍ଷ ଓ କୁଶଳୀ ହେଲେ ବିଶ୍ୱସ୍ତରରେ ନବସୃଜନ ଓ ଉତ୍ପାଦକତା ପ୍ରତି ବିଶ୍ୱାସ ବଢ଼େ। ଅର୍ଥାତ୍‌, ଆଜି ଭାରତ ନିଜର କ୍ଷମତା ବୃଦ୍ଧି କରୁଛି, ଯାହାଦ୍ୱାରା ସମଗ୍ର ବିଶ୍ୱର କ୍ଷମତା ମଧ୍ୟ ବୃଦ୍ଧି ପାଇପାରିବ।

 

ବନ୍ଧୁଗଣ,

 

ଭାରତ ବିଶ୍ୱର ଶ୍ରେଷ୍ଠ ତିନିଟି ଅର୍ଥନୀତି ମଧ୍ୟରେ ସ୍ଥାନ ପାଇବା ପାଇଁ ସମସ୍ତ ଶକ୍ତି ଓ ସାମର୍ଥ୍ୟ ସହ କାର୍ଯ୍ୟ କରୁଛି। ବର୍ତ୍ତମାନର କଷ୍ଟକର ବିଶ୍ୱ ପରିସ୍ଥିତିକୁ ଦେଖିଲେ ଆମର ଆତ୍ମବିଶ୍ୱାସ ଆହୁରି ବୃଦ୍ଧି ପାଏ, ଯେଉଁଥିମଧ୍ୟରେ ଭାରତ ସବୁଠାରୁ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ପ୍ରମୁଖ ଅର୍ଥନୀତି ଭାବରେ ଉଭା ହେଉଛି। ଆଜି ସବୁଜ ଶକ୍ତି କ୍ଷେତ୍ରରେ ଭାରତ ଅଗ୍ରଣୀ ଅର୍ଥନୀତିଗୁଡ଼ିକ ମଧ୍ୟରେ ରହିଛି। କୃତ୍ରିମ ବୁଦ୍ଧିମତ୍ତା  କ୍ଷେତ୍ରରେ ଭାରତ ବିଶ୍ୱର ଶ୍ରେଷ୍ଠ ତିନୋଟି ଇକୋସିଷ୍ଟମ ବ୍ୟବସ୍ଥା ମଧ୍ୟରେ ସ୍ଥାନ ପାଇଛି। ଷ୍ଟାର୍ଟଅପ୍‌ କ୍ଷେତ୍ରରେ ମଧ୍ୟ ଭାରତ ଶ୍ରେଷ୍ଠ ତିନୋଟି ଦେଶ ମଧ୍ୟରେ ରହିଛି। ଭାରତ ବିଶ୍ୱର ଅନ୍ୟତମ ବୃହତ୍ ଡିଜିଟାଲ୍ ଅର୍ଥନୀତି ଏବଂ ରିଅଲ୍‌-ଟାଇମ୍‌ ଡିଜିଟାଲ୍ ପେମେଣ୍ଟ୍‌ କ୍ଷେତ୍ରରେ ବିଶ୍ୱରେ ପ୍ରଥମ ସ୍ଥାନରେ ରହିଛି।

 

ବନ୍ଧୁଗଣ,

 

ଆଜିର ଭାରତ ବିଭିନ୍ନ କ୍ଷେତ୍ରରେ ନିଜର ସାମର୍ଥ୍ୟ ବୃଦ୍ଧି କରୁଛି ଏବଂ  ଦେଶରେ ଅନେକ ଐତିହାସିକ ସଫଳତା ପ୍ରଥମ ଥର ପାଇଁ ହାସଲ ହୋଇଛି । ଭାରତର ଫାଷ୍ଟ୍ ବ୍ରିଡର୍ ରିଆକ୍ଟର ପ୍ରଥମ ଥର ପାଇଁ କ୍ରିଟିକାଲିଟି ହାସଲ କରିଛି। ପ୍ରଥମ ଥର ପାଇଁ ଭାରତ ଜନଗଣନାକୁ ଡିଜିଟାଲ୍ ପ୍ରଯୁକ୍ତି ସହ ଯୋଡ଼ିଛି। ଏହି ସମୟ ମଧ୍ୟରେ ଦେଶର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍‌ର ଚଳାଚଳ ଆରମ୍ଭ ହୋଇଛି। ଅଣ-ଜୀବାଶ୍ମ ଉତ୍ସରୁ ବିଦ୍ୟୁତ୍ ଉତ୍ପାଦନ କ୍ଷମତା ପ୍ରଥମ ଥର ପାଇଁ ୩୦୦ ଗିଗାୱାଟ୍‌ ଅତିକ୍ରମ କରିଛି।

 

ବନ୍ଧୁଗଣ,

 

ମୁଁ ଆଉ ଏକ ଉଦାହରଣ ଦେବାକୁ ଚାହେଁ। କିଛି ଦିନ ପୂର୍ବେ ଏସୀୟ କ୍ରୀଡ଼ାରୁ ଫେରିଥିବା ଯୁବ କ୍ରୀଡ଼ାବିତ୍‌ମାନଙ୍କୁ ଭେଟିବାର ସୁଯୋଗ ମୋତେ ମିଳିଥିଲା। ଏଥର ଭାରତ ୮୫ଟି ପଦକ ଜିତି ଅନେକ କ୍ଷେତ୍ରରେ ପ୍ରଥମ ଥର ପାଇଁ ନୂଆ ସଫଳତା ହାସଲ କରିଛିମହିଳା ।  ରିକର୍ଭ ତୀରନ୍ଦାଜୀ ଦଳ ପ୍ରଥମ ଥର ପାଇଁ ଦଳଗତ ଓ ବ୍ୟକ୍ତିଗତ ସ୍ୱର୍ଣ୍ଣ ପଦକ ଜିତିଛି। ସେହିପରି ବକ୍ସିଂରେ ମଧ୍ୟ ଭାରତ ଗୋଟିଏ ଏସୀୟ କ୍ରୀଡ଼ାରେ ତିନୋଟି ସ୍ୱର୍ଣ୍ଣ ପଦକ ଜିତିଛି, ଯାହା ଏକ ଐତିହାସିକ ସଫଳତା।

 

ବନ୍ଧୁଗଣ,

 

ଏବେ ମୁଁ ଏକ ଶବ୍ଦ କହିବି। ଆଶା କରୁଛି, ଏଠାରେ ଉପସ୍ଥିତ ଅନେକ ଲୋକ ଏହି ଶବ୍ଦଟି ଶୁଣିଥିବେ। ଶବ୍ଦଟି ହେଉଛି—‘ସେପାକ୍ ଟାକ୍ରୋ’। ଆପଣମାନେ ଏହି ଖେଳ ବିଷୟରେ ଶୁଣିଛନ୍ତି କି? ଯେଉଁମାନେ ଏହା ବିଷୟରେ ଜାଣିନାହାନ୍ତି, ସେମାନଙ୍କୁ କହିବାକୁ ଚାହେଁ ଯେ ଏହା ଏକ କ୍ରୀଡ଼ା। ବିଶ୍ୱର ବିଭିନ୍ନ ଦେଶରେ ଏହି ଖେଳ ଖେଳାଯାଏ ଏବଂ ଏଥିରେ ପଦକ ମଧ୍ୟ ଜିତାଯାଏ। ଏହା ମୁଖ୍ୟତଃ ଫୁଟବଲ୍ ଓ ଭଲିବଲ୍‌ର ଏକ ମିଶ୍ରିତ ରୂପ। ଏଥିରେ ପାଦରେ ବଲ୍‌କୁ ଖେଳାଯାଏ, କିନ୍ତୁ ଖେଳଟି ନେଟ୍‌ର ଉଭୟ ପାର୍ଶ୍ୱରେ ହୋଇଥାଏ। ସାମ୍ପ୍ରତିକ ଏସୀୟ କ୍ରୀଡ଼ାରେ ଏହି ଖେଳର ପୁରୁଷ କ୍ୱାଡ୍ରାଣ୍ଟ୍‌ ବର୍ଗରେ ଭାରତ ପ୍ରଥମ ଥର ପାଇଁ ପଦକ ଜିତିଛି।

 

ବନ୍ଧୁଗଣ,

 

ଏହା ହେଉଛି ପରିବର୍ତ୍ତନଶୀଳ ଭାରତର ପରିଚୟ। ପ୍ରତ୍ୟେକ କ୍ଷେତ୍ରରେ କିଛି ନୂଆ ଓ ଅଭୂତପୂର୍ବ ଘଟଣା ଘଟୁଛି। ଅର୍ଥାତ୍‌, ଭାରତର ପାରମ୍ପରିକ ଶକ୍ତିଗୁଡ଼ିକ ଆହୁରି ସୁଦୃଢ଼ ହେଉଛି ଏବଂ ଯେଉଁ କ୍ଷେତ୍ରରେ ଆମେ ପୂର୍ବରୁ ଦୁର୍ବଳ ଥିଲୁ, ସେଠାରେ ମଧ୍ୟ ଏକ ନୂତନ ଶକ୍ତି ଭାବେ ଉଭା ହେଉଛୁ । ଏସବୁ ଘଟଣା ପୃଥକ୍‌ ଭାବେ ଘଟୁନାହିଁ। ଏହା ‘ସଂସ୍କାର, ପ୍ରଦର୍ଶନ ଓ ରୂପାନ୍ତରଣ’  ନୀତିର ପ୍ରତ୍ୟକ୍ଷ ପରିଣାମ।

 

ବନ୍ଧୁଗଣ,

 

ଦେଶ ଏପରି ଦିନ ଦେଖିଛି, ଯେତେବେଳେ ବିଦ୍ୟୁତ୍‌ର ଚାହିଦା ବଢ଼ିବା ସହିତ ସମଗ୍ର ବିଦ୍ୟୁତ୍‌ ଗ୍ରିଡ୍‌ ଅଚଳ ହୋଇପଡ଼ୁଥିଲା। କିନ୍ତୁ ଯେତେବେଳେ ଏକ ରାଷ୍ଟ୍ର ଦୃଢ଼ ଇଚ୍ଛାଶକ୍ତି ନେଇ ଆଗକୁ ବଢ଼େ, ସେତେବେଳେ ବିଦ୍ୟୁତ୍‌ ଗ୍ରିଡ୍‌ ଅଚଳ ହୁଏ ନାହିଁ; ବରଂ ସେହି ଗ୍ରିଡ୍‌ ହିଁ ରାଷ୍ଟ୍ରର ପ୍ରଗତି ଓ ଆତ୍ମବିଶ୍ୱାସକୁ ଆହୁରି ଉଚ୍ଚସ୍ତରକୁ ନେବାରେ ଶକ୍ତି ଯୋଗାଇଥାଏ।

 

ବନ୍ଧୁଗଣ,

 

ଆଜି ଆମର ଯୁବଶକ୍ତି, ନାରୀଶକ୍ତି, କୃଷକ, ମତ୍ସ୍ୟଜୀବୀ, ଗରିବ ଓ ମଧ୍ୟବିତ୍ତ ବର୍ଗର ଲୋକମାନେ ଉଚ୍ଚ ଉତ୍ସାହର ସହ ‘ବିକଶିତ ଭାରତ’ ଗଠନରେ ଲାଗିପଡ଼ିଛନ୍ତି। ଆଜି ଦେଶର ପରିସ୍ଥିତିକୁ ଦେଖନ୍ତୁ। ଭାରତର ରପ୍ତାନି ନୂଆ ନୂଆ ରେକର୍ଡ ସୃଷ୍ଟି କରୁଛି। କେବଳ ସେପ୍ଟେମ୍ବର ମାସରେ ଗତ ବର୍ଷ ତୁଳନାରେ ସାମଗ୍ରୀ ରପ୍ତାନି ପ୍ରାୟ ୨୫ ପ୍ରତିଶତ ବୃଦ୍ଧି ପାଇଛି। ଗତ ୧୨ ବର୍ଷ ମଧ୍ୟରେ ସାମୁଦ୍ରିକ ଖାଦ୍ୟ ରପ୍ତାନି ଦୁଇଗୁଣରୁ ଅଧିକ ହୋଇଛି। ଆମ ଗ୍ରାମାଞ୍ଚଳରେ ୩.୫ କୋଟିରୁ ଅଧିକ ମହିଳା ‘ଲକ୍ଷପତି ଦିଦି’ ହୋଇପାରିଛନ୍ତି। ଏହି ସଂଖ୍ୟାକୁ ୬ କୋଟିରେ ପହଞ୍ଚାଇବା ଲକ୍ଷ୍ୟରେ ଆମେ କାର୍ଯ୍ୟ କରୁଛୁ। ‘ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା’ ଅଧୀନରେ ଅତି ସ୍ୱଳ୍ପ ସମୟ ମଧ୍ୟରେ ପ୍ରାୟ ୭୦ ଲକ୍ଷ ନୂତନ ନିଯୁକ୍ତି ସୃଷ୍ଟି ହୋଇଛି। ମଧ୍ୟବିତ୍ତ ବର୍ଗଙ୍କ ପାଇଁ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଆୟକର ଶୂନ କରାଯାଇଛି। ଏହି କଥା ଆପଣମାନଙ୍କୁ ବାରମ୍ବାର ମନେ ପକାଇଦେବାକୁ ପଡ଼ୁଛି। ଏପରି ହେବା ଉଚିତ ନୁହେଁ ଯେ ଆପଣ ଯାହା ପାଉଛନ୍ତି, ତାହା ନେଇ ଭୁଲିଯାଉଛନ୍ତି! ସମଗ୍ର ଦେଶରେ ଜୀବନଧାରଣର ସହଜତା  ବୃଦ୍ଧି ପାଉଛି ଏବଂ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେଉଛି।

 

ବନ୍ଧୁଗଣ,

 

ଏକ ସମୟ ଥିଲା, ଯେତେବେଳେ ବିଶ୍ୱ ଭାରତକୁ ‘ବିଶ୍ୱର ବ୍ୟାକ୍ ଅଫିସ୍‌’ ବୋଲି କହୁଥିଲା। କିନ୍ତୁ ଆଜିର ଭାରତ କେବଳ ସେବା ପ୍ରଦାନକାରୀ ଦେଶ ନୁହେଁ। ଆମେ ବିଶ୍ୱ ପାଇଁ ନୂତନ ଉଦ୍ଭାବନ କରୁଛୁ, ଡିଜାଇନ୍ ପ୍ରସ୍ତୁତ କରୁଛୁ ଏବଂ ନୂଆ ସମାଧାନ ଓ ପ୍ରଯୁକ୍ତିବିଦ୍ୟା ସୃଷ୍ଟି କରୁଛୁ। କେବଳ ଗବେଷଣା କ୍ଷେତ୍ରକୁ ଦେଖନ୍ତୁ। ଗବେଷଣା ପ୍ରକାଶନ କ୍ଷେତ୍ରରେ ଆଜି ଭାରତ ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି। ୨୦୨୫ ମସିହାରେ ପ୍ରାୟ ୧.୫ ଲକ୍ଷ ପେଟେଣ୍ଟ୍‌ ପାଇଁ ଆବେଦନ କରାଯାଇଥିଲା। ଗୋଟିଏ ବର୍ଷରେ ୧.୫ ଲକ୍ଷ ପେଟେଣ୍ଟ୍‌! ଏହା ଭାରତରେ ଗବେଷଣା ଓ ନବସୃଜନର ବିପୁଳ ସମ୍ଭାବନାର ଏକ ଝଲକ ମାତ୍ର।

 

ବନ୍ଧୁଗଣ,

 

ସେମିକଣ୍ଡକ୍ଟର କ୍ଷେତ୍ରକୁ ମଧ୍ୟ ବିଚାର କରନ୍ତୁ। ବିଶ୍ୱର ଚିପ୍‌ ଡିଜାଇନ୍‌ କର୍ମଚାରୀଙ୍କ ମଧ୍ୟରୁ ପ୍ରାୟ ୨୦ ପ୍ରତିଶତ ଭାରତରେ ଅଛନ୍ତି। ଦେଶରେ ରହି ଭାରତୀୟ ଇଞ୍ଜିନିୟରମାନେ ଅତ୍ୟାଧୁନିକ ୨ରୁ ୩ ନାନୋମିଟର ଚିପ୍‌ ଡିଜାଇନ୍‌ ଉପରେ କାର୍ଯ୍ୟ କରୁଛନ୍ତି। ଏହି ପ୍ରତିଭାସମ୍ପନ୍ନ ମାନବ ସମ୍ବଳକୁ ଆହୁରି ବୃଦ୍ଧି କରିବା ପାଇଁ ଦେଶରେ ଆବଶ୍ୟକ ସମସ୍ତ ସୁବିଧା ଉପଲବ୍ଧ କରାଯାଉଛି। ଭାରତୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ଛାତ୍ରଛାତ୍ରୀମାନେ ଏପର୍ଯ୍ୟନ୍ତ ୩୨୫ରୁ ଅଧିକ ଚିପ୍‌ ଡିଜାଇନ୍‌ କରିସାରିଛନ୍ତି।

 

ବନ୍ଧୁଗଣ,

 

ଆଉ ଏକ ଉଦାହରଣ ହେଉଛି ଗ୍ଲୋବାଲ୍ କ୍ୟାପାବିଲିଟି ସେଣ୍ଟର୍‌। ବିଶ୍ୱର ଅଧାରୁ ଅଧିକ କ୍ୟାପାବିଲିଟି ସେଣ୍ଟର୍‌ ଭାରତରେ ଅବସ୍ଥିତ। ଏହା କେବଳ ସଂଖ୍ୟାର କଥା ନୁହେଁ; ଏହି କେନ୍ଦ୍ରଗୁଡ଼ିକର କାର୍ଯ୍ୟଧାରା ମଧ୍ୟ ବଦଳୁଛି। ପୂର୍ବରୁ ଅନେକ କେନ୍ଦ୍ର କେବଳ ସହାୟକ ସେବା ଯୋଗାଇବାରେ ସୀମିତ ଥିଲେ। ଆଜି ସେମାନେ କୃତ୍ରିମ ବୁଦ୍ଧିମତ୍ତା, କ୍ଲାଉଡ୍‌, ଇଞ୍ଜିନିୟରିଂ, ଡାଟା ବିଶ୍ଳେଷଣ ଓ ଉତ୍ପାଦ ବିକାଶ ଭଳି କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ଅର୍ଥାତ୍‌, ବିଶ୍ୱରେ ଭାରତର ଭୂମିକା ବଦଳୁଛି ଏବଂ ଭାରତର ପରିଚୟ ମଧ୍ୟ ବିକଶିତ ହେଉଛି। ଆମେ ‘ବୃହତ୍ ପରିମାଣରେ ପ୍ରତିଭା’ ରୁ ‘ବୃହତ୍ ପରିମାଣରେ ଚିନ୍ତନ’  ଦିଗକୁ ଅଗ୍ରସର ହୋଇଛୁ ।ଯେଉଁ ବିଶ୍ୱ ପୂର୍ବରୁ ଭାରତର ମାନବ ସମ୍ବଳ ଉପରେ ଭରସା କରୁଥିଲା, ଆଜି ସେହି ବିଶ୍ୱ ଭାରତର ବୌଦ୍ଧିକ କ୍ଷମତା ଉପରେ ମଧ୍ୟ ସମାନ ଭାବରେ ବିଶ୍ୱାସ କରୁଛି। ଏହାର ପରିଣାମସ୍ୱରୂପ, ଆମେ ଆଉ କେବଳ ଏକ ‘ବ୍ୟାକ୍ ଅଫିସ୍‌’ ଭାବେ ନୁହେଁ, ବରଂ ଏକ ‘ବ୍ରେନ୍ ଅଫିସ୍‌’ ଭାବେ ବିଶ୍ୱ ସହ କାନ୍ଧ ମିଳାଇ କାର୍ଯ୍ୟ କରୁଛୁ।

 

ବନ୍ଧୁଗଣ,

 

ସରକାର ଯେତେବେଳେ କୌଣସି କ୍ଷେତ୍ରରେ ନୀତି ପ୍ରଣୟନ କରନ୍ତି କିମ୍ବା ପୁଞ୍ଜିନିବେଶ ସମ୍ପର୍କିତ ନିଷ୍ପତ୍ତି ନିଅନ୍ତି, ସେତେବେଳେ ଏହା ପଛରେ ଏକ ସ୍ପଷ୍ଟ ଚିନ୍ତାଧାରା ରହିଥାଏ। ଭାରତ କେଉଁ କ୍ଷମତା ବିକଶିତ କରିବା ଆବଶ୍ୟକ, କେଉଁ କ୍ଷେତ୍ରରେ ଅନ୍ୟ ଦେଶ ଉପରେ ନିର୍ଭରଶୀଳତା ହ୍ରାସ କରିବା ଦରକାର ଏବଂ ଭବିଷ୍ୟତରେ ସମ୍ଭାବ୍ୟ ସଙ୍କଟର ମୁକାବିଲା ପାଇଁ ଆଜିଠାରୁ କିପରି ପ୍ରସ୍ତୁତି କରିବା ଆବଶ୍ୟକ । ଏସବୁ ଦିଗକୁ ଆମେ ପ୍ରତ୍ୟେକ ନିଷ୍ପତ୍ତିରେ ଧ୍ୟାନ ଦେଉଛୁ।ଏପରି ଅନେକ ପୁଞ୍ଜିନିବେଶ ରହିଛି, ଯାହାର ଲାଭ ବର୍ଷ ବର୍ଷ ପରେ ଦେଖିବାକୁ ମିଳେ। କିନ୍ତୁ ଦେଶର ଭବିଷ୍ୟତ ପାଇଁ ସେଗୁଡ଼ିକର ମହତ୍ତ୍ୱ ଅତ୍ୟନ୍ତ ଅଧିକ। ଏହାର ଏକ ଆକର୍ଷଣୀୟ ଉଦାହରଣ ଦେଉଛି। ଭାରତର ଔଷଧ ଉତ୍ପାଦନ କ୍ଷମତା ସମ୍ପର୍କରେ ଆପଣମାନେ ସମସ୍ତେ ଜାଣନ୍ତି। କିନ୍ତୁ କିଛି ବର୍ଷ ପୂର୍ବ ପର୍ଯ୍ୟନ୍ତ ଔଷଧ ଉତ୍ପାଦନ ପାଇଁ ଆବଶ୍ୟକ କଞ୍ଚାମାଲ ଓ ଔଷଧର ଆମଦାନି ଉପରେ ଭାରତ ବହୁଳ ଭାବରେ ନିର୍ଭରଶୀଳ ଥିଲା। ଏବେ ଦେଶ ଏହି ପରିସ୍ଥିତିକୁ ବଦଳାଉଛି। ଆପଣମାନେ ପେନିସିଲିନ୍‌-ଜି ବିଷୟରେ ଶୁଣିଥିବେ। ଆଣ୍ଟିବାୟୋଟିକ୍‌ ଔଷଧ ଉତ୍ପାଦନ ପାଇଁ ଏହା ଅତ୍ୟନ୍ତ ଆବଶ୍ୟକ। ଗତ ଦୁଇରୁ ତିନି ଦଶନ୍ଧି ଧରି ଭାରତରେ ଏହାର ଘରୋଇ ଉତ୍ପାଦନ ପ୍ରାୟ ବନ୍ଦ ହୋଇଯାଇଥିଲା। ଆମେ ଏହାକୁ ଉତ୍ପାଦନଭିତ୍ତିକ ପ୍ରୋତ୍ସାହନ ଯୋଜନା (ପିଏଲ୍‌ଆଇ) ଅଧୀନରେ ଆଣିଥିଲୁ। ଆଜି ଦୀର୍ଘ ବର୍ଷ ପରେ ଆନ୍ଧ୍ରପ୍ରଦେଶର କାକିନାଡାରେ ପେନିସିଲିନ୍‌-ଜିର ଘରୋଇ ଉତ୍ପାଦନ ପୁନର୍ବାର ଆରମ୍ଭ ହୋଇଛି।

 

ବନ୍ଧୁଗଣ,

 

ପେନିସିଲିନ୍‌-ଜି ଏହାର କେବଳ ଗୋଟିଏ ଉଦାହରଣ। ଭାରତରେ ଆମେ ଔଷଧ ଉତ୍ପାଦନ ପାଇଁ ଆବଶ୍ୟକ ସକ୍ରିୟ ଔଷଧୀୟ ଉପାଦାନ (ଏପିଆଇ)ର ଏକ ସମ୍ପୂର୍ଣ୍ଣ ଘରୋଇ ଯୋଗାଣ ଶୃଙ୍ଖଳ ଗଠନ କରୁଛୁ। ଏହି କାରଣରୁ ଏହି କ୍ଷେତ୍ରକୁ ପିଏଲ୍‌ଆଇ ଯୋଜନା ଅଧୀନରେ ସାମିଲ କରାଯାଇଥିଲା। ଏହା ଫଳରେ ଏପର୍ଯ୍ୟନ୍ତ ୫,୦୦୦ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ ଆସିଛି ଏବଂ ପ୍ରାୟ ୪୦ଟି ପ୍ରକଳ୍ପର କାର୍ଯ୍ୟ ଚାଲିଛି। ଏଭଳି ନୀତି ଓ ନିଷ୍ପତ୍ତି ଭାରତକୁ ଆତ୍ମନିର୍ଭରତା ଦିଗରେ ଆଗେଇ ନେଉଛି।

 

ବନ୍ଧୁଗଣ,

 

ଦେଶର ଏତେସବୁ ସଫଳତା ବିଷୟରେ ଆଲୋଚନା କରିବା ପରେ ଆମର ଗଣମାଧ୍ୟମ ବନ୍ଧୁମାନେ ହୁଏତ ଅଭିଯୋଗ କରିପାରନ୍ତି ଯେ ଏତେ କଥା କୁହାଗଲା, କିନ୍ତୁ ସେମାନଙ୍କ କାର୍ଯ୍ୟ ବିଷୟରେ କିଛି କୁହାଗଲା ନାହିଁ।

ଏନ୍‌ଡିଟିଭି ଏତେ ସୁନ୍ଦର ଆୟୋଜନ କରିଛି। ଆମର ମନ୍ତ୍ର ହେଉଛି ‘ସବ୍‌କା ସାଥ୍‌, ସବ୍‌କା ବିକାଶ’। ଏଥିରେ ଗଣମାଧ୍ୟମର ବିକାଶ ମଧ୍ୟ ସାମିଲ ଅଛି। ତେଣୁ ଆପଣମାନେ କିଛି ଖୋଲାଖୋଲି ଏବଂ ମିଠା-ଖଟା କଥା ଶୁଣିବାକୁ ମଧ୍ୟ ଚାହିଁବେ ବୋଲି ମୋର ଆଶା।

 

ବନ୍ଧୁଗଣ,

 

ବିଶ୍ୱ ଯେତେବେଳେ ଏକ ନୂତନ ବ୍ୟବସ୍ଥାର ସନ୍ଧାନ କରୁଛି, ସେତେବେଳେ କିଛି ଲୋକ ଭାରତରେ ଅରାଜକତା ସୃଷ୍ଟି କରିବାକୁ ସ୍ୱପ୍ନ ଦେଖୁଛନ୍ତି। ଆଜି ବିଶ୍ୱରେ ଏତେ ଅସ୍ଥିରତା ଥିବା ସମୟରେ ଏକ ଶକ୍ତିଶାଳୀ ଭାରତର ଛବି ବିଶ୍ୱ ସମ୍ମୁଖରେ ଉପସ୍ଥାପିତ ହେବା ଉଚିତ। କିନ୍ତୁ କିଛି ବ୍ୟକ୍ତି ଭାରତର ଛବିକୁ ମଳିନ କରିବା ପାଇଁ ଲାଗିପଡ଼ିଛନ୍ତି। ସେମାନେ ବିଦେଶକୁ ଯାଇ ଭାରତକୁ ବଦନାମ କରୁଛନ୍ତି ଏବଂ ବିଦେଶୀ ହସ୍ତକ୍ଷେପ ପାଇଁ ନିବେଦନ କରୁଛନ୍ତି।

ନିଜର ବିଫଳ ଉତ୍ପାଦକୁ ପୁନର୍ବାର ଆଗକୁ ଆଣିବା ପାଇଁ କଂଗ୍ରେସ ଆଉ କେତେ ଦିନ ଦେଶର ସ୍ୱାର୍ଥକୁ ବାଜିରେ ଲଗାଇବ, ତାହା ଭାବିବାର ବିଷୟ। ଶ୍ରୀହରିକୋଟାରେ ଏକ ବର୍ଷରେ ଯେତେ ରକେଟ୍‌ ଉତ୍‌କ୍ଷେପଣ ହୁଏ, କଂଗ୍ରେସ ନିଜ ନେତାଙ୍କୁ ଆଗକୁ ଆଣିବା ପାଇଁ ତା’ଠାରୁ ଅଧିକ ବିଫଳ ପ୍ରୟାସ କରୁଛି।

 

ବନ୍ଧୁଗଣ,

 

କଂଗ୍ରେସ ନିଜ ପାଇଁ ଯେତେ ଅବନତି ଆଣିବାକୁ ଚାହେଁ, ତାହା ସମ୍ପୂର୍ଣ୍ଣ ତା’ର ନିଜସ୍ୱ ବିଷୟ। ଏଥିରେ ଆମର କୌଣସି ସମସ୍ୟା ନାହିଁ। କିନ୍ତୁ ଏକ ପରିବାରକୁ ବାରମ୍ବାର ବିଫଳତାର ଦାଗରୁ ରକ୍ଷା କରିବା ପାଇଁ କଂଗ୍ରେସ ଭାରତର ସଫଳତା, ଶକ୍ତି ଓ ପ୍ରଗତିକୁ ହିଁ ପ୍ରଶ୍ନର କାଠଗଡ଼ାରେ ଠିଆ କରାଉଛି। ଅଙ୍ଗୁର ଏତେ ଖଟା ଲାଗିଛି ଯେ କଂଗ୍ରେସ ଏବେ ଅଙ୍ଗୁର ଲତାକୁ ହିଁ କାଟିଦେବାକୁ ବାହାରିଛି। ବାସ୍ତବରେ, ଏହି ପରିବାର ନିଜ ଦଳ ପାଇଁ ଏକ ବୋଝ ପାଲଟିଛି। ଦଳର ବରିଷ୍ଠ ନେତାମାନେ ଏହି କଥା ବୁଝିଛନ୍ତି ଏବଂ ବ୍ୟକ୍ତିଗତ ଆଲୋଚନାରେ ଆମକୁ ମଧ୍ୟ ଏହା କହୁଛନ୍ତି। ତଥାପି, ସେମାନେ ନିଜର ଅପମାନକୁ ନିରବରେ ସହି ଚୁପ୍‌ ରହୁଛନ୍ତି।

 

ବନ୍ଧୁଗଣ,

 

କଂଗ୍ରେସର ଏଭଳି ଆଚରଣ ସରକାରଙ୍କୁ ନିରପେକ୍ଷ ଭାବେ ସମାଲୋଚନା କରୁଥିବା ବ୍ୟକ୍ତିମାନଙ୍କୁ ମଧ୍ୟ କ୍ଷତି ପହଞ୍ଚାଉଛି। ଗଣତନ୍ତ୍ରରେ ଏଥିପାଇଁ ବହୁତ ବଡ଼ ମୂଲ୍ୟ ଦେବାକୁ ପଡ଼ୁଛି। ଏହାର ପରିଣାମ ସ୍ୱରୂପ ନିରପେକ୍ଷ ସମାଲୋଚକମାନେ ବହୁତ କ୍ଷତିଗ୍ରସ୍ତ ହେଉଛନ୍ତି। ଯେଉଁମାନେ ଗଣତାନ୍ତ୍ରିକ ଉପାୟରେ ସରକାରଙ୍କ ସମାଲୋଚନା କରିବାକୁ ଚାହାନ୍ତି, କଂଗ୍ରେସର ହୋହଲ୍ଲା ମଧ୍ୟରେ ସେମାନଙ୍କ ସ୍ୱର ଦବିଯାଉଛି। ପ୍ରକୃତ ସମାଲୋଚକମାନଙ୍କ ସ୍ୱର ଶୁଣାଯାଇପାରୁନାହିଁ। ଯେଉଁମାନେ ପ୍ରକୃତରେ ଗଣତନ୍ତ୍ର ଓ ଜାତୀୟ ସ୍ୱାର୍ଥ ପ୍ରତି ଯତ୍ନଶୀଳ, ସେମାନେ ସରକାରଙ୍କ ଦୃଢ଼ ବିରୋଧୀ ହୋଇଥିଲେ ମଧ୍ୟ କଂଗ୍ରେସର ଚିତ୍କାର ଓ ହୋହଲ୍ଲା ମଧ୍ୟରେ ନିଜର ମତ ରଖିବାର ସୁଯୋଗ ପାଉନାହାନ୍ତି। ସଂସଦରେ ମଧ୍ୟ ଆମେ ଏହା ଦେଖିଛୁ। ବିରୋଧୀ ଦଳଗୁଡ଼ିକରେ ଏପରି ଅନେକ ପ୍ରତିଭାବାନ ଯୁବ ସାଂସଦ ଅଛନ୍ତି, ଯେଉଁମାନେ ନିଜର ମତ ରଖିବା ସହ ସରକାରଙ୍କୁ ସମାଲୋଚନା କରିବାକୁ ଚାହାନ୍ତି। କିନ୍ତୁ କଂଗ୍ରେସ ସଂସଦର କାର୍ଯ୍ୟକୁ ବାରମ୍ବାର ବାଧାପ୍ରାପ୍ତ କରୁଛି, ଯାହାଫଳରେ ଅନ୍ୟମାନେ ନିଜ ମତ ରଖିବାର ସୁଯୋଗ ପାଉନାହାନ୍ତି। ଏହାର ଏକମାତ୍ର କାରଣ ହେଉଛି, କଂଗ୍ରେସ କେବଳ ଜଣେ ବ୍ୟକ୍ତିଙ୍କୁ ଚର୍ଚ୍ଚାର କେନ୍ଦ୍ରରେ ରଖିବାକୁ ଚାହୁଁଛି। ଏପରି କରି କଂଗ୍ରେସ ବିରୋଧୀ ଦଳର ଯୁବ ସାଂସଦମାନଙ୍କ ପ୍ରତି ଘୋର ଅନ୍ୟାୟ କରୁଛି।

 

ବନ୍ଧୁଗଣ,

 

ଗଣତନ୍ତ୍ରରେ ସରକାରଙ୍କ ଦୁର୍ବଳତାକୁ ସାମ୍ନାକୁ ଆଣିବା ଏବଂ ବ୍ୟବସ୍ଥାରେ ପ୍ରକୃତ ସଂସ୍କାର ଆଣିବା ଉଦ୍ଦେଶ୍ୟରେ ସ୍ୱାଭାବିକ ଭାବେ ଗଢ଼ିଉଠୁଥିବା ଆନ୍ଦୋଳନଗୁଡ଼ିକୁ ମଧ୍ୟ କଂଗ୍ରେସ ନଷ୍ଟ କରିଦେଉଛି। ଗଣତନ୍ତ୍ରରେ ଏପରି ସଂସ୍କାର ନିହାତି ଆବଶ୍ୟକ। କିନ୍ତୁ କଂଗ୍ରେସ ଏକ ପରଜୀବୀ ଦଳରେ ପରିଣତ ହୋଇଛି, ଯାହା ଅନ୍ୟ କାହାକୁ ଆଗକୁ ବଢ଼ିବାକୁ ଦେବାକୁ ଚାହୁଁନାହିଁ। ବୌଦ୍ଧିକ ନକ୍ସଲମାନେ କଂଗ୍ରେସର ଚିନ୍ତାଧାରାକୁ ଏତେ ମାତ୍ରାରେ କବଳିତ କରିନେଇଛନ୍ତି ଯେ, ଦଳ ନିଜର ଚିନ୍ତା କରିବାର କ୍ଷମତା ମଧ୍ୟ ହରାଇ ବସିଛି। ଯେଉଁମାନେ ଏକଦା ଜଙ୍ଗଲରେ ବିନାଶଲୀଳା ରଚାଉଥିଲେ, ସେମାନେ ଏବେ କଂଗ୍ରେସ ଭିତରେ ପ୍ରବେଶ କରି ଦେଶରେ ଅଶାନ୍ତି ଓ ବିଶୃଙ୍ଖଳା ସୃଷ୍ଟି କରିବାକୁ ଉଦ୍ୟତ ହେଉଛନ୍ତି।

 

ବନ୍ଧୁଗଣ,

 

ଏହି ସମସ୍ତ ଆହ୍ୱାନ ମଧ୍ୟରେ, 'ବିକସିତ ଭାରତ'ର ଏକ ବିରାଟ ଲକ୍ଷ୍ୟ ଆମ ସାମ୍ନାରେ ରହିଛି। ଦେଶର ଆକାଂକ୍ଷା ଅସୀମ। ତେଣୁ ଆଜି ସମଗ୍ର ଭାରତରେ ଗୋଟିଏ ଭାବନା ପ୍ରତିଧ୍ୱନିତ ହେଉଛି,ଆଉ ସେହି ଭାବନାଟି ହେଲା:“ଆମେ କରି ଦେଖାଇବୁ, ଆମେ କରି ଦେଖାଇବୁ।” ଆମେ ବଡ଼ ସ୍ୱପ୍ନ ଦେଖିବା, ପ୍ରତ୍ୟେକ ଆହ୍ୱାନକୁ ସୁଯୋଗରେ ପରିଣତ କରିବା ଏବଂ ପ୍ରତ୍ୟେକ ସଂକଳ୍ପକୁ ବାସ୍ତବ ରୂପ ଦେବା। ଆମର ଶକ୍ତି ହେଉଛି ଆତ୍ମବିଶ୍ୱାସ ଏବଂ ୧୪୦ କୋଟି ଦେଶବାସୀଙ୍କ ସ୍ୱପ୍ନ ହେଉଛି ଆମର ପ୍ରେରଣା। ଆମେ ନୂତନ ଉଦ୍ଭାବନ କରିବା, ନୂଆ ପଥ ନିର୍ମାଣ କରିବା, ନୂତନ ଶିଖରରେ ପହଞ୍ଚିବା ଏବଂ ଭାରତର ସଫଳତାକୁ ବିଶ୍ୱର ସଫଳତା ସହ ଯୋଡ଼ିବା। ମୋର ବିଶ୍ୱାସ ଯେ ଏହି ଶିଖର ସମ୍ମିଳନୀରୁ ମିଳୁଥିବା ଅମୃତ ଚିନ୍ତନ ଆମର ଏହି ଭାବନାକୁ ଆହୁରି ସଶକ୍ତ କରିବ, ଆମ ସଂକଳ୍ପରେ ନୂତନ ଶକ୍ତି ସଞ୍ଚାର କରିବ ଏବଂ ଭାରତର ମହାନ ଆକାଂକ୍ଷାଗୁଡ଼ିକୁ ସାକାର କରିବାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ।

 

ଆପଣ ସମସ୍ତଙ୍କୁ ପୁଣିଥରେ ମୋର ହାର୍ଦ୍ଦିକ ଶୁଭେଚ୍ଛା।

 

ବହୁତ ବହୁତ ଧନ୍ୟବାଦ                                           

 

ଅସ୍ୱୀକରଣ: ଏହା ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ଏକ ଆନୁମାନିକ ଅନୁବାଦ । ଏହାର  ମୂଳ ଅଭିଭାଷଣ ହିନ୍ଦୀ ଭାଷାରେ ପ୍ରଦାନ କରାଯାଇଥିଲା।

***

SPD

 


(ରିଲିଜ ଆଡି: 2327103) ପରିଦର୍ଶକ କାଉଣ୍ଟର : 12