ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଜୟଗୋପାଳ ଗାରୋଡିଆ ହିନ୍ଦୁ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ଇଂରାଜୀ ଅନୁବାଦ

ପୋଷ୍ଟ କରାଯିବା ଦିନାଙ୍କ: 11 OCT 2026 6:40PM by PIB Bhubaneswar

ତାମିଲନାଡ଼ୁର ରାଜ୍ୟପାଳ ଶ୍ରୀ ରାଜେନ୍ଦ୍ର ଆର୍ଲେକର ଜୀ, ଡ. ଏଲ୍ ମୁରୁଗାନ ଜୀ, ଥିରୁ ରାଜମୋହନ ଜୀ, ଥିରୁ ନୈନାର ନାଗେନ୍ଦ୍ରନ୍ ଜୀ, ଡକ୍ଟର ଗିରିଜା ଶେଷାଦ୍ରୀ ଆମ୍ମା ଜୀ, ଥିରୁ ଆର ଆର ଗୋପାଳ ଜୀ, ମୋର ଯୁବ ବନ୍ଧୁଗଣ, ଶିକ୍ଷକ ଓ ଅଭିଭାବକଗଣ, ତଥା ମୋର ତାମିଲ ଭାଇ ଓ ଭଉଣୀମାନେ, ଆପଣମାନଙ୍କୁ ମୋର ନମସ୍କାର (ଭନକ୍କମ୍) ।

ବନ୍ଧୁଗଣ,

ଆଜି ନବରାତ୍ରୀର ପ୍ରଥମ ଦିନ । ଶିବ ଓ ଶକ୍ତିର ପବିତ୍ର ଭୂମି ତାମିଲନାଡ଼ୁକୁ ଆସିବାର ଏ ସୌଭାଗ୍ୟ ଏବଂ ମା’ ସରସ୍ୱତୀଙ୍କ ସାଧକମାନଙ୍କ ସହ ମିଶିବାର ଏ ସୁଯୋଗ, ମୋ ପାଇଁ ନବରାତ୍ରୀ ଶୁଭାରମ୍ଭର ଏକ ଅଦ୍ଭୁତ ସୁଯୋଗ । ମୁଁ ମୋର ଯୁବ ବନ୍ଧୁମାନଙ୍କ ମଧ୍ୟରେ ଥିବା ଏହି ଉତ୍ସାହ ଦେଖିବାକୁ ପାଉଛି । ମୁଁ ଏହି ସକରାତ୍ମକ ଶକ୍ତି ଓ ଉତ୍ସାହକୁ ଅନୁଭବ କରିପାରୁଛି । ମୁଁ ଆପଣମାନଙ୍କ ଆଖିରେ ଭାରତର ଭବିଷ୍ୟତକୁ ଦେଖିପାରୁଛି ।

ଆରମ୍ଭ କରିବା ପୂର୍ବରୁ, ମୁଁ କହିବାକୁ ଚାହେଁ ଯେ ଆଜି ମୁଁ ନିର୍ଦ୍ଧାରିତ ସମୟଠାରୁ ଦଶ ମିନିଟ ପୂର୍ବରୁ ଚେନ୍ନାଇରେ ପହଞ୍ଚିଥିଲି । କିନ୍ତୁ କାର୍ଯ୍ୟକ୍ରମର ଆୟୋଜନ ଏବଂ କିଛି ଅନିବର୍ଯ୍ୟ ବିଳମ୍ବ ଯୋଗୁ ଆପଣମାନଙ୍କ ନିକଟରେ ପହଞ୍ଚିବାରେ ମୋର ବିଳମ୍ବ ହୋଇଗଲା । ମୁଁ ଆଶା କରାଯାଉଥିବା ସମୟଠାରୁ ବିଳମ୍ବରେ ପହଞ୍ଚିଲି ଏବଂ ଏହା ଆପଣ ସମସ୍ତଙ୍କ ପାଇଁ ଅସୁବିଧା ସୃଷ୍ଟି କଲା । ସେଥିପାଇଁ ମୁଁ ଆନ୍ତରିକତାର ସହ ଆପଣମାନଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଛି ।

ବନ୍ଧୁଗଣ,

ଆଜିର ଯୁବପିଢ଼ି ଏକ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବାରେ ମୁଖ୍ୟ ଶକ୍ତି ହେବାକୁ ଚାହୁଁଛନ୍ତି । ଏକ ବିକଶିତ ଭାରତ ପାଇଁ ଆବଶ୍ୟକ ନୂତନ ଚିନ୍ତାଧାରା ଏବଂ ସମାଧାନ କେବଳ ଭାରତର ଭବିଷ୍ୟତ ନୁହେଁ, ବରଂ ସମଗ୍ର ବିଶ୍ୱର ଭବିଷ୍ୟତ ନିର୍ଦ୍ଧାରଣ କରିବ ।

ଆଜି ସମଗ୍ର ବିଶ୍ୱ ବିଭିନ୍ନ ସମସ୍ୟାର ସମାଧାନ ଖୋଜୁଛି । ଏବଂ ସେହି ସମାଧାନ ପ୍ରଦାନ କରିବାର କ୍ଷମତା ଆପଣମାନଙ୍କ ନିକଟରେ ରହିଛି ।

ବନ୍ଧୁଗଣ,

ଆଜି ଭାରତ ଅସୀମ ସୁଯୋଗ ପ୍ରଦାନ କରୁଛି । ମୁଁ ଚାହେଁ ଯେ ପ୍ରତ୍ୟେକ ଯୁବକ ଯୁବତୀ ସେହି ବିଶାଳ କ୍ଷେତ୍ରରେ ନିଜର ଭବିଷ୍ୟତକୁ ଦେଖନ୍ତୁ । କାରଣ ଏହା ଆପଣଙ୍କ ସମୟ । ଏହା ଆପଣଙ୍କ ପାଇଁ ସୁଯୋଗ । ମୋର ପୂର୍ଣ୍ଣ ବିଶ୍ୱାସ ଯେ ଆମେ ଏହି ସ୍ୱପ୍ନକୁ ସାକାର କରିବୁ । ଆମେ ମିଳିମିଶି ଏହା କରି ଦେଖାଇବୁ! (ଟୁଗେଦର ଉଇ ଉଇଲ୍ ଡୁ ଇଟ୍ !)

ଆମେ ମିଳିମିଶି ଏହା କରି ଦେଖାଇବୁ!

ଆମେ ମିଳିମିଶି ଏହା କରି ଦେଖାଇବୁ!

ଆମେ ମିଳିମିଶି ଏହା କରି ଦେଖାଇବୁ!

 ବନ୍ଧୁଗଣ,

ଆଜି ମୋର ଏଠାକାର ଗସ୍ତ ପଛରେ ଏକ ରୋଚକ ପ୍ରେରଣା ମଧ୍ୟ ରହିଛି । କିଛି ମାସ ପୂର୍ବେ, ନାଗରକୋଇଲ ଠାରେ ଆମର ଗିରିଜା ଆମ୍ମା କିଛି ପିଲାମାନଙ୍କ ସହ ମୋତେ ଭେଟିଥିଲେ । ସେମାନଙ୍କର ନିଷ୍ଠା, ଆତ୍ମବିଶ୍ୱାସ ଏବଂ ଦେଶର ଭବିଷ୍ୟତ ପ୍ରତି ଥିବା ସମର୍ପଣ ଭାବ ମୋ ମନ ଉପରେ ଅସାଧାରଣ ପ୍ରଭାବ ପକାଇଥିଲା । ସେହି ସାକ୍ଷାତ ସମୟରେ ସେ ମୋତେ ଏହି ସୁବର୍ଣ୍ଣ ଜୟନ୍ତୀ ପାଇଁ ନିମନ୍ତ୍ରଣ କରିଥିଲେ । ପ୍ରଥମତଃ ସେଥିରେ ତାଙ୍କର ସ୍ନେହ ରହିଥିଲା; ଦ୍ୱିତୀୟତଃ ଏହି ଐତିହାସିକ ଅନୁଷ୍ଠାନ ପ୍ରତି ମୋର ନିଜସ୍ୱ ସମ୍ମାନବୋଧ ମଧ୍ୟ ରହିଥିଲା । ସେହି ମୁହୂର୍ତ୍ତରେ ହିଁ ମୁଁ ଦୃଢ଼ ନିଷ୍ପତ୍ତି ନେଇଥିଲି ଯେ ମୁଁ ନିଶ୍ଚିତ ଭାବରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବି । ଏହି ଅବସରରେ ପଚାଶ ବର୍ଷର ଏହି ଉଲ୍ଲେଖନୀୟ ଯାତ୍ରା ପାଇଁ ମୁଁ ବିଶ୍ୱ ହିନ୍ଦୁ ବିଦ୍ୟା କେନ୍ଦ୍ର ଏବଂ ସମଗ୍ର ହିନ୍ଦୁ ବିଦ୍ୟାଳୟ ପରିବାରକୁ ହୃଦୟରୁ ଶୁଭେଚ୍ଛା ଜଣାଉଛି ।

ବନ୍ଧୁଗଣ,

ଆଜି ବିଶ୍ୱ ହିନ୍ଦୁ ବିଦ୍ୟା କେନ୍ଦ୍ର ନିଜର ସୁବର୍ଣ୍ଣ ଜୟନ୍ତୀ ପାଳନ କରୁଛି । ଏହି ମାଇଲଖୁଣ୍ଟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଏହାର ଯାତ୍ରା ମଧ୍ୟ ସେତିକି ପ୍ରେରଣାଦାୟକ । ୧୯୭୫ ମସିହାରେ, ଚେନ୍ନାଇର ପଶ୍ଚିମ ମାମ୍ବାଲମଠାରେ ଏହି ଅନୁଷ୍ଠାନ ଏକ ଛୋଟ ବିଦ୍ୟାଳୟ ଭାବେ ଆରମ୍ଭ ହୋଇଥିଲା । ସେତେବେଳେ ଏଠାରେ ମାତ୍ର ୭ ଜଣ ଛାତ୍ରଛାତ୍ରୀ ଥିଲେ । ଆଜି ଉପଲବ୍ଧ ଥିବା ସୁବିଧା ସୁଯୋଗ ସେତେବେଳେ ନଥିଲା । କୌଣସି ସ୍ଥାୟୀ କୋଠାବାଡ଼ି ମଧ୍ୟ ନଥିଲା । ସମ୍ବଳ ସୀମିତ ଥିଲା । କିନ୍ତୁ ଗୋଟିଏ ଜିନିଷ ଥିଲା: ଦୃଢ଼ ସଂକଳ୍ପ ଏବଂ ଅବିଚଳିତ ସେବା ଭାବନା । ସେଥିପାଇଁ ପ୍ରତ୍ୟେକ ଆହ୍ୱାନ ସତ୍ତ୍ୱେ ଏହି ଅନୁଷ୍ଠାନ ଆଗକୁ ବଢ଼ିଚାଲିଲା । ସମୟକ୍ରମେ, ଏହି କ୍ଷୁଦ୍ର ପ୍ରୟାସ ଏକ ବୃହତ ଶିକ୍ଷା ଆନେ୍ଦାଳନରେ ପରିଣତ ହେଲା । ଆଜି ତାମିଲନାଡ଼ୁର ବିଭିନ୍ନ ଅଞ୍ଚଳରେ ଆପଣଙ୍କର ପନ୍ଦରଟି ଅନୁଷ୍ଠାନ ରହିଛି ।

ବନ୍ଧୁଗଣ,

ଏହି ଅବସରରେ, ମୁଁ ଶ୍ରୀ ଜୟଗୋପାଳ ଗାରୋଡିଆ ଜୀଙ୍କ ଅବଦାନକୁ ମଧ୍ୟ ସମ୍ମାନର ସହ ସ୍ମରଣ କରୁଛି । ବିଦ୍ୟାଳୟ ଭବନ ନିର୍ମାଣରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ । ଆଜି ମୁଁ ସେହି ସମସ୍ତ ଶିକ୍ଷକ, କର୍ମଚାରୀ, ଅଭିଭାବକ ଏବଂ ପୁରାତନ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଅଭିବାଦନ ଜଣାଉଛି, ଯେଉଁମାନେ ହିନ୍ଦୁ ବିଦ୍ୟାଳୟର ଏହି ଯାତ୍ରାକୁ ସଫଳ କରିଛନ୍ତି । ପଚାର ବର୍ଷର ଉତ୍ସର୍ଗୀକୃତ ସେବା । ପଚାର ବର୍ଷର ପ୍ରତିବଦ୍ଧତା । ପଚାର ବର୍ଷ ଧରି ଯୁବ ପିଢ଼ିର ଜୀବନ ଗଢ଼ିବାର ଯାତ୍ରା ।

ବନ୍ଧୁଗଣ,

ଏହି ଅନୁଷ୍ଠାନଟି କିପରି ଏକ ଶିକ୍ଷାନୁଷ୍ଠାନ ଶିକ୍ଷା ପ୍ରଦାନ କରିବା ସହିତ ଦେଶପ୍ରେମୀ ନାଗରିକ ମଧ୍ୟ ସୃଷ୍ଟି କରିଥାଏ, ତାହାର ଏକ ଉଦାହରଣ । ମୁଁ ମୋର ‘ମନ୍ କୀ ବାତ୍’ କାର୍ଯ୍ୟକ୍ରମରେ ମଧ୍ୟ ଏହା ଉଲ୍ଲେଖ କରିଥିଲି । ଗିରିଜା ଆମ୍ମା ପିଲାମାନଙ୍କୁ ଏକ ସରଳ ଉପାୟ ବତାଇଥିଲେ: ପ୍ରତ୍ୟେକ ପିଲା ପ୍ରତିଦିନ ମାତ୍ର ଗୋଟିଏ ଟଙ୍କା ସଞ୍ଚୟ କରିବେ ଏବଂ ତାହା ଦେଶର ସୈନିକ ମାନଙ୍କ ପାଇଁ ଉତ୍ସର୍ଗ କରିବେ । ଯେତେବେଳେ ହଜାର ହଜାର ପିଲା ଏହି ସଂକଳ୍ପରେ ସାମିଲ ହେଲେ, ସେତେବେଳେ ପ୍ରାୟ ୪୦ ଲକ୍ଷ ଟଙ୍କା ସଂଗ୍ରହ ହୋଇପାରିଥିଲା । ବାସ୍ତବରେ ଏହା କେତେ ଯେ ପ୍ରେରଣାଦାୟକ ଉଦାହରଣ!

ବନ୍ଧୁଗଣ,

ଛୋଟ ଛୋଟ ଯୋଗଦାନ ମଧ୍ୟ ବଡ଼ ପରିବର୍ତ୍ତନ ଆଣିପାରେ । ଏକ ଛୋଟ ପ୍ରୟାସ ମଧ୍ୟ ବହୁତ ବହୁତ ବଡ଼ ପ୍ରଭାବ ସୃଷ୍ଟି କରିପାରେ । ବିପର୍ଯ୍ୟୟ ସମୟରେ ଆବଶ୍ୟକତା ଥିବା ଲୋକମାନଙ୍କୁ ସହାୟତା କରିବା ହେଉ କିମ୍ବା ସ୍ୱଚ୍ଛତା ଅଭିଯାନରେ ଅଂଶ ଗ୍ରହଣ କରିବା ହେଉ, ଏହି ମୂଲ୍ୟବୋଧ ଗୁଡ଼ିକ ହିନ୍ଦୁ ବିଦ୍ୟାଳୟ ପରିବାରର ମହାନ ଉତ୍ତରାଧିକାର ବା ପରମ୍ପରାକୁ ଗଠନ କରେ ।

ବନ୍ଧୁଗଣ,  

ଏହି ଅବସରରେ, ମୁଁ ମହାନ ସନ୍ଥ ତିରୁଭଲ୍ଲୁଭରଙ୍କୁ ମଧ୍ୟ ସ୍ମରଣ କରିବାକୁ ଚାହେଁ । ତାଙ୍କର ଶିକ୍ଷା ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ନିକଟରେ, ମୋତେ ରୁଷର ରାଷ୍ଟ୍ରପତି ପୁଟିନଙ୍କୁ ତିରୁକ୍କୁରଲର ଏକ ରୁଷୀୟ ଅନୁବାଦ ପ୍ରଦାନ କରିବାର ସୁଯୋଗ ମିଳିଥିଲା । ଯେଉଁମାନେ ଜୀବନ ସାରା ଶିଖିବା ଜାରି ରଖିବାକୁ ଚାହାନ୍ତି ସେମାନଙ୍କ ପାଇଁ ତିରୁକ୍କୁରଲ ଏକ ଅସାଧାରଣ ମାର୍ଗଦର୍ଶକ ଅଟେ । ନିଜର ଏକ ପ୍ରସିଦ୍ଧ କୁରାଲ (ପଦ)ରେ ତିରୁଭଲ୍ଲୁଭର ଆମକୁ ଶିକ୍ଷା ଦିଅନ୍ତି ଯେ କେବଳ କିଛି ଶିଖିବା ଯଥେଷ୍ଟ ନୁହେଁ; ବରଂ ଶିଖିଥିବା ବିଷୟକୁ ନିଜ ଜୀବନରେ ପ୍ରୟୋଗ କରିବା ମଧ୍ୟ ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ । ଆଉ ଏହା ଆପଣ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ଏକ ବଡ଼ ଶିକ୍ଷା ଅଟେ ।

ବନ୍ଧୁଗଣ,

ଆପଣ ସମସ୍ତେ ନିଶ୍ଚିତ ଭାବରେ ମହାକବି ଭାରତୀୟାରଙ୍କ ରଚନା ବ୍ୟାପକ ଭାବେ ପଢ଼ିଥିବେ । ତାଙ୍କ ଜୀବନରେ କାଶୀ ସହର ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । କାଶୀର ପରିବେଶରେ ଥିବା ଆଧ୍ୟାତ୍ମିକ ଓ ଜାତୀୟ ଚେତନା ତାଙ୍କ ଚିନ୍ତାଧାରା ଉପରେ ଗଭୀର ପ୍ରଭାବ ପକାଇଥିଲା ।

ବନ୍ଧୁଗଣ,

ମୁଁ କାଶୀରୁ ସାଂସଦ ଅଟେ । ଆଜି ମଧ୍ୟ କାଶୀର ଲୋକମାନେ ମହାକବି ଭାରତୀୟାରଙ୍କୁ ମନେ ରଖିଛନ୍ତି । ତାଙ୍କର ବାଣୀ “ଅଚମିଲ୍ଲାଇ, ଅଚମିଲ୍ଲାଇ” (ଭୟହୀନ, ଭୟହୀନ), ଆମକୁ ନିର୍ଭୟରେ ବଞ୍ଚିବା ପାଇଁ ପ୍ରେରଣା ଯୋଗାଏ । ତେଣୁ ମୁଁ ଏଠାରେ ଥିବା ସମସ୍ତ ଯୁବ ବର୍ଗଙ୍କୁ କହିବାକୁ ଚାହେଁ; ନିଜକୁ ନିର୍ଭୟରେ ସୁଯୋଗ ଦିଅନ୍ତୁ । ନିଜର ଚିନ୍ତାଧାରା ଉପରେ କାମ କରନ୍ତୁ । ବଡ଼ ସ୍ୱପ୍ନ ଦେଖନ୍ତୁ । ଭିନ୍ନ ଭାବରେ ଚିନ୍ତା କରନ୍ତୁ । ଏବଂ ନିର୍ଭୟ ରୁହନ୍ତୁ ।

ବନ୍ଧୁଗଣ,

ଦେଶର ବିଭିନ୍ନ ଅଞ୍ଚଳ ଭ୍ରମଣ କରିବା ଏବଂ ସେଠାରେ ଭେଟିଥିବା ଲୋକଙ୍କ ଠାରୁ ଶିଖିବା ମାଧ୍ୟମରେ ଭାରତ ବିଷୟରେ ମୁଁ ଜ୍ଞାନ ଆହରଣ କରିପାରିଛି । ୧୯୯୦ ଦଶକର ପ୍ରାରମ୍ଭରେ,ମୁଁ କନ୍ୟାକୁମାରୀରୁ କାଶ୍ମୀର ପର୍ଯ୍ୟନ୍ତ ହୋଇଥିବା ଏକତା ଯାତ୍ରାର ମଧ୍ୟ ମୁଁ ଅଂଶବିଶେଷ ଥିଲି । ସେହି ଯାତ୍ରା ସମୟରେ ହିଁ ଗିରିଜା ଆମ୍ମାଙ୍କ ସହ ମୋର ପ୍ରଥମ ପରିଚୟ ହୋଇଥିଲା । ସେବେଠାରୁ ଆମର ସମ୍ପର୍କ ଅବ୍ୟାହତ ରହିଛି ।

ବନ୍ଧୁଗଣ,

ମୋର ଭ୍ରମଣ ମୋତେ ଭାରତର ବିବିଧତାକୁ ନିକଟରୁ ବୁଝିବାର ସୁଯୋଗ ଦେଇଛି । ତାମିଲ ଭାଷା ଏବଂ ତାମିଲ ସଂସ୍କୃତି ପ୍ରତି ମୋର ଯେଉଁ ଭଲ ପାଇବା ରହିଛି, ତାହା ମଧ୍ୟ ସେହି ଅନୁଭୂତିରୁ ହିଁ ସୃଷ୍ଟି ହୋଇଛି ।

ବନ୍ଧୁଗଣ,

ମୁଁ ସେଥିପାଇଁ ଆପଣମାନଙ୍କୁ ଭାରତକୁ ଆବିଷ୍କାର କରିବା ପାଇଁ ଉତ୍ସାହିତ କରୁଛି । ଆପଣ ଯେଉଁଠାକୁ ବି ଯାଆନ୍ତୁ, ନିଜ ସହିତ ତାମିଲ ସଂସ୍କୃତିକୁ ନେଇ ଯାଆନ୍ତୁ ।       ନିଜ ବନ୍ଧୁମାନଙ୍କ ସହିତ ତାମିଲ କବିତା,କାହାଣୀ ଓ ପରମ୍ପରା ବାଣ୍ଟନ୍ତୁ । ଏପରି ଲୋକମାନଙ୍କ ସହିତ ବନ୍ଧୁତା ସ୍ଥାପନ କରନ୍ତୁ ଯେଉଁମାନଙ୍କ ପୃଷ୍ଠଭୂମି ଆପଣଙ୍କ ଠାରୁ ଭିନ୍ନ ହୋଇପାରେ । ଆପଣମାନେ ଗଢ଼ିଥିବା ବନ୍ଧୁତା ଦ୍ୱାରା ହିଁ ଆମ ଦେଶର ଏକତା ଗଠିତ ହୋଇଥାଏ ।

ବନ୍ଧୁଗଣ,

ଆଜିର ନୂତନ ପିଢ଼ି ନିଜ ସ୍ୱପ୍ନ ପୂରଣ କରିବା ପାଇଁ ଅତୁଳନୀୟ ସୁଯୋଗ ପାଉଛି । ଆଜି ଦେଶର ସମଗ୍ର ଶିକ୍ଷା ବ୍ୟବସ୍ଥାରେ କିପରି ପରିବର୍ତ୍ତନ ଆସୁଛି,ତାହା ଦେଖନ୍ତୁ । ୨୦୧୪ ମସିହାରେ ଭାରତରେ ପ୍ରାୟ ୭୫୦ଟି ବିଶ୍ୱବିଦ୍ୟାଳୟ ଥିଲା । ଆଜି ସେହି ସଂଖ୍ୟା ବୃଦ୍ଧି ପାଇ ୧୩୦୦ ରୁ ଅଧିକ ହୋଇଛି । କଲେଜ ସଂଖ୍ୟା ମଧ୍ୟ ୩୮,୦୦୦ ରୁ ବୃଦ୍ଧି ପାଇ ୫୨,୦୦୦ରୁ ଅଧିକ ହୋଇଛି । ସାମ୍ପ୍ରତିକ ବର୍ଷ ଗୁଡ଼ିକରେ ଦେଶ ଅନେକ ନୂତନ ଆଇଆଇଟି, ଆଇଆଇଏମ୍, ଆଇଆଇଆଇଟି ଏବଂ ଏମ୍ସ ଅନୁଷ୍ଠାନ ପାଇଛି ।

ବନ୍ଧୁଗଣ,

ଆଜି ନୂତନ ଶିକ୍ଷାନୀତି ଦେଶରେ ଶିକ୍ଷାର ଗୁଣବତ୍ତାକୁ ଉନ୍ନତ କରୁଛି । ଭାରତୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ବିଶ୍ୱସ୍ତରୀୟ ସ୍ୱୀକୃତି ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ୨୦୧୫ ମସିହାରେ କୁ୍ୟଏସ୍ ରାଙ୍କିଙ୍ଗରେ ଭାରତର ମାତ୍ର ୧୪ଟି ବିଶ୍ୱବିଦ୍ୟାଳୟ ରହିଥିଲା । ସାମ୍ପ୍ରତିକ ରାଙ୍କିଙ୍ଗରେ ଏହି ସଂଖ୍ୟା ବୃଦ୍ଧି ପାଇ ୫୨ରେ ପହଞ୍ଚିଛି । ଏହି ସଂଖ୍ୟା ଗୁଡ଼ିକର ଅର୍ଥ ଅତ୍ୟନ୍ତ ସ୍ପଷ୍ଟ । ଅଧିକ ଶିକ୍ଷାନୁଷ୍ଠାନ,ଅଧିକ ବିକଳ୍ପ ଏବଂ ଆପଣମାନଙ୍କ ପାଇଁ ଅଧିକ ସୁଯୋଗ ।

ବନ୍ଧୁଗଣ,

ପ୍ରତ୍ୟେକ ଯୁବକ- ଯୁବତୀଙ୍କର ଭିନ୍ନ ଭିନ୍ନ ସ୍ୱପ୍ନ ଓ ପ୍ରତିଭା ରହିଥାଏ । ଉଦାହରଣ ସ୍ୱରୂପ, ଆପଣମାନଙ୍କ ମଧ୍ୟରୁ ଅନେକ ଖେଳକୁ ନିଜର କ୍ୟାରିୟର ବା ଜୀବିକା ଭାବେ ଗ୍ରହଣ କରିବାକୁ ଇଚ୍ଛା କରୁଥିବେ । ତେଣୁ, ଦେଶ ଏହା ସୁନିଶ୍ଚିତ କରୁଛି ଯେ ଖେଳ କେବଳ ମନୋରଞ୍ଜନ ମଧ୍ୟରେ ଆବଦ୍ଧ ହୋଇ ନରହୁ । ସେଥିପାଇଁ ଆଜି ସାରା ଭାରତରେ ନୂତନ କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ କରାଯାଉଛି । ଯୁବ କ୍ରୀଡ଼ାବିତ ମାନେ ଉନ୍ନତ ପ୍ରଶିକ୍ଷଣ ଓ ସହାୟତା ପାଉଛନ୍ତି । ଏବଂ ଆନ୍ତର୍ଜାତିକ କ୍ରୀଡ଼ା ଜଗତରେ ଭାରତର ସ୍ଥିତି ମଧ୍ୟ ମଜଭୁତ ହେଉଛି ।

ବନ୍ଧୁଗଣ,

ଭାରତ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ କରିବାକୁ ପ୍ରସ୍ତୁତି ଚଳାଇଛି । ଆମେ ୨୦୩୬ ଅଲିମ୍ପିକ୍ସ ଆୟୋଜନ କରିବାର ସ୍ୱପ୍ନ ନେଇ ମଧ୍ୟ ଆଗକୁ ବଢ଼ୁଛୁ । ଆଗାମୀ ବର୍ଷ ଗୁଡ଼ିକରେ, ଯେତେବେଳେ ଭାରତରେ ବଡ଼ ବଡ଼ ବିଶ୍ୱସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହେବ, ସେତେବେଳେ ଆମର ଯୁବପିଢ଼ି ନିଜର ଦକ୍ଷତା ପ୍ରଦର୍ଶନ କରିବା ପାଇଁ ଉଭୟ ମଞ୍ଚ ଓ ସୁଯୋଗ ପାଇବେ । ତେଣୁ, ଭାରତର ଯୁବ ବର୍ଗଙ୍କ ପାଖରେ ବର୍ତ୍ତମାନ ଉପଯୁକ୍ତ ମଞ୍ଚ, କ୍ଷମତା ଓ ସମର୍ଥନ ରହିଛି । ଏହାର ଅର୍ଥ ହେଉଛି, ସୁଯୋଗର ସୀମା ନାହିଁ । ମୋର ଦୃଢ଼ ବିଶ୍ୱାସ ଯେ ଆପଣଙ୍କ ପିଢ଼ି କ୍ରୀଡ଼ା ଜଗତରେ ମଧ୍ୟ ଭାରତକୁ ନୂତନ ଉଚ୍ଚତାକୁ ନେଇଯିବ ।

ବନ୍ଧୁଗଣ,

ଆଜି ଆପଣମାନଙ୍କ ମଧ୍ୟରେ ଆସି ଏବଂ ଆପଣମାନଙ୍କ ସ୍ୱପ୍ନ ଗୁଡ଼ିକୁ ଅନୁଭବ କରିବା ପରେ, ମୋର ଆତ୍ମବିଶ୍ୱାସ ଆହୁରି ଦୃଢ଼ ହୋଇଛି ମୁଁ ନିଶ୍ଚିତ ଭାବରେ କହିପାରେ ଯେ ଭାରତର ଭବିଷ୍ୟତ ଗୌରବମୟ ହେବ । ଏବଂ ସେହି ଭବିଷ୍ୟତର ସବୁଠାରୁ ବଡ଼ ନାୟକ ହେଉଛନ୍ତି ଆପଣମାନେ । ଆପଣମାନଙ୍କ ପ୍ରତିଭା ଉପରେ ମୋର ବିଶ୍ୱାସ ରହିଛି । ଆପଣମାନଙ୍କ କ୍ଷମତା ଉପରେ ମୋର ବିଶ୍ୱାସ ଅଛି । ତେଣୁ, ଆଜି ମୁଁ ଆପଣମାନଙ୍କ ସହ ମିଶି କିଛି ପ୍ରମୁଖ ସଂକଳ୍ପ ଦୋହରାଇବାକୁ ଚାହୁଁଛି । ମୁଁ କହିବା ପରେ ଆପଣମାନେ ନିଶ୍ଚୟ ଦୋହରାଇବେ: ଆମେ ଏହା କରି ଦେଖାଇବୁ! ଆପଣମାନେ ଏହା ଦୋହରାଇବେ ତ ?

ନିଶ୍ଚିତ ଭାବରେ?

୨୦୪୭ ସୁଦ୍ଧା ବିକଶିତ ଭାରତ ।

୨୦୪୭ ସୁଦ୍ଧା ବିକଶିତ ଭାରତ । ଆମେ ଏହା କରି ଦେଖାଇବୁ!

ମୋ ସହିତ କୁହନ୍ତୁ: ଆମେ ଏହା କରି ଦେଖାଇବୁ!

୨୦୪୭ ସୁଦ୍ଧା ବିକଶିତ ଭାରତ । ଆମେ ଏହା କରି ଦେଖାଇବୁ!

ଶ୍ରେଷ୍ଠ ତିନୋଟି ଅର୍ଥନୀତି ମଧ୍ୟରେ ସ୍ଥାନ, ଆମେ ଏହା କରି ଦେଖାଇବୁ!

ଆତ୍ମନିର୍ଭର ଭାରତ, ଆମେ ଏହା କରି ଦେଖାଇବୁ!

ବିଶ୍ୱ ଉତ୍ପାଦନ କେନ୍ଦ୍ର, ଆମେ ଏହା କରି ଦେଖାଇବୁ!

ଅଲିମ୍ପିକ୍ସ ଆୟୋଜନ, ଆମେ ଏହା କରି ଦେଖାଇବୁ!

ଚନ୍ଦ୍ରପୃଷ୍ଠରେ ଭାରତୀୟ, ଆମେ ଏହା କରି ଦେଖାଇବୁ!

ହଁ ଆମେ ଏହା କରି ଦେଖାଇବୁ ! ଆମେ ଏହା କରି ଦେଖାଇବୁ!

ବିକଶିତ ତାମିଲନାଡ଼ୁ, ଆମେ ଏହା କରି ଦେଖାଇବୁ!

ବିକଶିତ ଭାରତ । ଆମେ ଏହା କରି ଦେଖାଇବୁ!

ଆପଣମାନଙ୍କୁ ଅନେକ ଧନ୍ୟବାଦ ।

ନନ୍ଦ୍ରି, ଭଣକ୍କମ୍! (ଧନ୍ୟବାଦ, ନମସ୍କାର!)

SR


(ରିଲିଜ ଆଡି: 2322128) ପରିଦର୍ଶକ କାଉଣ୍ଟର : 6