ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା 'ସ୍ୱଚ୍ଛତା ହିଁ ସେବା ୨୦୨୬' ଅଭିଯାନ ସଫଳତାର ସହ ସମ୍ପନ୍ନ
ଦେଶବ୍ୟାପୀ ୪,୭୧୦ଟି କାର୍ଯ୍ୟକ୍ରମ ଆୟୋଜିତ, ଧାର୍ଯ୍ୟ ଲକ୍ଷ୍ୟର ୧୬୦% ସଫଳତା; ୭୪ ହଜାରରୁ ଅଧିକଙ୍କ ଅଂଶଗ୍ରହଣ
ପୋଷ୍ଟ କରାଯିବା ଦିନାଙ୍କ:
08 OCT 2026 7:15PM by PIB Bhubaneswar
ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ୨୦୨୬ ମସିହା ସେପ୍ଟେମ୍ବର ୧୭ ତାରିଖରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ 'ସ୍ୱଚ୍ଛତା ହିଁ ସେବା' (ଏସ୍ଏଚ୍ଏସ୍) ୨୦୨୬ ଅଭିଯାନ ସଫଳତାର ସହ ସମ୍ପନ୍ନ ହୋଇଛି। ସ୍ୱଚ୍ଛ ଭାରତ ଦିବସ ଅବସରରେ ଏହି ଅଭିଯାନ ଉଦ୍ଯାପିତ ହୋଇଥିଲା। “ସ୍ୱଚ୍ଛତାରେ ସମସ୍ତଙ୍କ ଅଂଶଗ୍ରହଣ; ସ୍ୱଚ୍ଛ ଭାରତ, ବିକଶିତ ଭାରତ” ବିଷୟବସ୍ତୁକୁ ନେଇ ଆୟୋଜିତ ଏହି ଅଭିଯାନରେ ସ୍ୱଚ୍ଛ ଓ ବିକଶିତ ଭାରତର ଲକ୍ଷ୍ୟ ଏବଂ ସଂକଳ୍ପକୁ ଆଗେଇ ନେବାରେ ପ୍ରତ୍ୟେକ ବ୍ୟକ୍ତିଙ୍କ ସାମୂହିକ ଭୂମିକା ଓ ଦାୟିତ୍ୱ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏହାସହିତ ‘ଘନ ବର୍ଜ୍ୟବସ୍ତୁ ପରିଚାଳନା ନିୟମ, ୨୦୨୬’ ସମ୍ପର୍କରେ ସଚେତନତା ସୃଷ୍ଟି କରିବା, ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଯୁବବର୍ଗଙ୍କ ଅଂଶଗ୍ରହଣ ବୃଦ୍ଧି କରିବା ଏବଂ ସାମୂହିକ ଦାୟିତ୍ୱବୋଧ ଓ ଜନଭାଗିଦାରୀକୁ ପ୍ରୋତ୍ସାହିତ କରିବା ମଧ୍ୟ ଏହି ଅଭିଯାନର ଲକ୍ଷ୍ୟ ଥିଲା।



ମନ୍ତ୍ରଣାଳୟ ଏବଂ ଏହାର ସମସ୍ତ ଗଣମାଧ୍ୟମ ୟୁନିଟ୍ ତଥା କ୍ଷେତ୍ରସ୍ତରୀୟ କାର୍ଯ୍ୟାଳୟଗୁଡ଼ିକ ପକ୍ଷରୁ ମିଳିତ ଭାବେ ଦେଶବ୍ୟାପୀ ଏହି ଅଭିଯାନର ବିଭିନ୍ନ ବିଭାଗ ଅଧୀନରେ ୪,୭୧୦ଟି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ୨,୯୪୩ଟି କାର୍ଯ୍ୟକ୍ରମର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ, ଏହା ମାଧ୍ୟମରେ ନିର୍ଦ୍ଧାରିତ ଲକ୍ଷ୍ୟର ୧୬୦ ପ୍ରତିଶତ ସଫଳତା ହାସଲ କରାଯାଇପାରିଛି। ଏହି କାର୍ଯ୍ୟକ୍ରମଗୁଡ଼ିକରେ ମୋଟ ୭୪,୪୮୩ ଜଣ ଲୋକ ଅଂଶଗ୍ରହଣ କରିଥିଲେ।
କେନ୍ଦ୍ର ସୂଚନା ଓ ପ୍ରସାରଣ, ରେଳବାଇ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ସ୍ୱଚ୍ଛତା ହିଁ ସେବା ଅଭିଯାନର ଅଂଶବିଶେଷ ଭାବରେ ଅକ୍ଟୋବର ୧ ତାରିଖରେ ତିନୋଟି ଯାକ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ।
ଅଧିକାରୀମାନଙ୍କୁ ସମ୍ବୋଧିତ କରି ଶ୍ରୀ ବୈଷ୍ଣବ କହିଥିଲେ ଯେ, ସ୍ୱଚ୍ଛତା କେବଳ ଏକ ଅଭିଯାନ ମଧ୍ୟରେ ସୀମିତ ନ ରହି ଏହା ଏକ ସ୍ଥାୟୀ ଅଭ୍ୟାସରେ ପରିଣତ ହେବା ଆବଶ୍ୟକ। ଦୈନନ୍ଦିନ ଜୀବନ ଓ କାର୍ଯ୍ୟଧାରାରେ ସ୍ୱାଭାବିକ ଭାବେ ସ୍ୱଚ୍ଛତାକୁ ସାମିଲ କରିବାକୁ ସେ ଗୁରୁତ୍ୱାରୋପ କରିଥିଲେ। ସ୍ୱଚ୍ଛତାର ବାର୍ତ୍ତା ପ୍ରତ୍ୟେକ କାର୍ଯ୍ୟାଳୟ ଓ ତୃଣମୂଳସ୍ତରର ପ୍ରତ୍ୟେକ ୟୁନିଟ୍ରେ, ଏପରିକି ସର୍ବନିମ୍ନ କ୍ଷେତ୍ରୀୟ ପ୍ରତିଷ୍ଠାନ ପର୍ଯ୍ୟନ୍ତ ପହଞ୍ଚାଇବାକୁ ସେ ଆହ୍ୱାନ ଦେଇଥିଲେ।
କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍. ମୁରୁଗନ ଦିଲ୍ଲୀସ୍ଥିତ ଭାରତୀୟ ଜନସଞ୍ଚାର ସଂସ୍ଥାନ (ଆଇଆଇଏମ୍ସି)ରେ “ଏକ ଦିନ, ଏକ ଘଣ୍ଟା, ଏକ ସାଥ” ସମେତ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସ୍ୱଚ୍ଛତାକୁ ଏକ ଜନଆନ୍ଦୋଳନରେ ପରିଣତ କରିବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ।
ଅଭିଯାନ ସମୟରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ବିଭିନ୍ନ ଗଣମାଧ୍ୟମ ବିଭାଗର ମୁଖ୍ୟ ଏବଂ ନୋଡାଲ ଅଧିକାରୀମାନଙ୍କ ସହ ଅଭିଯାନର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ସେ ସେମାନଙ୍କୁ ଅଧିକରୁ ଅଧିକ ଅଂଶଗ୍ରହଣ ସୁନିଶ୍ଚିତ କରିବା ଏବଂ ଅଭିଯାନ ପାଇଁ ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଏହି ଅଭିଯାନ ଅଧୀନରେ ସ୍ୱଚ୍ଛତା ଏବଂ ଜନଭାଗିଦାରୀର ବିଭିନ୍ନ ଦିଗକୁ ସାମିଲ କରାଯାଇଥିଲା। ‘ସ୍ୱଚ୍ଛତା ଲକ୍ଷ୍ୟ ୟୁନିଟ୍ (CTUs)ର ରୂପାନ୍ତରଣ ଓ ସ୍ୱଚ୍ଛ ସାର୍ବଜନୀନ ସ୍ଥାନ’ ଅଭିଯାନ ଅଧୀନରେ ଦୁର୍ଗମ ଓ ଅପରିଷ୍କାର ସ୍ଥାନ ତଥା ଅଧିକ ଜନସମାଗମ ହେଉଥିବା ସାର୍ବଜନୀନ ସ୍ଥାନଗୁଡ଼ିକୁ ଚିହ୍ନଟ, ମ୍ୟାପିଂ କରାଯାଇ ସମୟବଦ୍ଧ ଭାବେ ସଫେଇ କରାଯାଇଥିଲା। ମୋଟ ୨,୮୬୪ଟି CTUର ରୂପାନ୍ତରଣ କରାଯିବା ସହ ସାର୍ବଜନୀନ ସ୍ଥାନଗୁଡ଼ିକର ସଫେଇ କରାଯାଇଥିଲା।
‘ସ୍ୱଚ୍ଛ ପାଠଶାଳା: ସ୍ୱଚ୍ଛତା ପାଇଁ ଯୁବ’ ଅଧୀନରେ ଛାତ୍ରଛାତ୍ରୀ ଓ ଯୁବବର୍ଗଙ୍କୁ ‘ସ୍ୱଚ୍ଛତା ଜ୍ଞାନ ଯାତ୍ରା’, ଘନ ବର୍ଜ୍ୟବସ୍ତୁ ପରିଚାଳନା ସୁବିଧାଗୁଡ଼ିକର ପରିଦର୍ଶନ ଏବଂ ‘ସ୍ୱଚ୍ଛତା ଏବଂ ଜଳ ସଞ୍ଚୟ ସମ୍ବାଦ’ ଭଳି ବିଭିନ୍ନ କାର୍ଯ୍ୟକଳାପ ଜରିଆରେ ସ୍ୱଚ୍ଛତା ପ୍ରତି ସଚେତନ କରାଯାଇଥିଲା। ଏଥିରେ ସ୍ୱଚ୍ଛତା, ବର୍ଷାଜଳ ସଂରକ୍ଷଣ ଏବଂ ଜଳ ପରିଚାଳନା ଉପରେ ଆଲୋଚନା, ବିତର୍କ ଓ ମତବିନିମୟ କରାଯାଇଥିଲା। ଏହି ସ୍ତମ୍ଭ ଅଧୀନରେ ମୋଟ ୨୧୯ଟି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।
‘ସଫେଇ ମିତ୍ର ସୁରକ୍ଷା ଏବଂ ସମ୍ମାନ ଶିବିର’ ଅଧୀନରେ, ସଫେଇ ମିତ୍ର, ସ୍ୱଚ୍ଛାଗ୍ରହୀ ଓ ସ୍ୱଚ୍ଛତା କର୍ମଚାରୀମାନଙ୍କ ପାଇଁ ଏକକ-ୱିଣ୍ଡୋ (ସିଙ୍ଗିଲ୍ ୱିଣ୍ଡୋ) ଶିବିରର ଆୟୋଜନ କରାଯାଇଥିଲା। ଏହି ଶିବିରଗୁଡ଼ିକରେ ବିଭିନ୍ନ କେନ୍ଦ୍ର ଓ ରାଜ୍ୟ କଲ୍ୟାଣକାରୀ ଯୋଜନାର ଯୋଗ୍ୟ ହିତାଧିକାରୀମାନଙ୍କୁ ସେହି ଯୋଜନା ସହ ଯୋଡ଼ିବା, ପ୍ରତିଷେଧମୂଳକ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ପିପିଇ କିଟ୍/ସୁରକ୍ଷା ସାମଗ୍ରୀ ବଣ୍ଟନ କରାଯାଇଥିଲା। ସ୍ୱଚ୍ଛତା କ୍ଷେତ୍ରରେ ସେମାନଙ୍କ ଅବଦାନକୁ ସ୍ୱୀକୃତି ଦେବା ପାଇଁ ସ୍ଥାନୀୟସ୍ତରରେ ସେମାନଙ୍କୁ ସମ୍ମାନିତ ମଧ୍ୟ କରାଯାଇଥିଲା। ଏହି ସ୍ତମ୍ଭ ଅଧୀନରେ ମୋଟ ୧୩୯ଟି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।
‘ସ୍ୱଚ୍ଛତା ପାଇଁ ଜନଭାଗିଦାରୀ’ ସ୍ତମ୍ଭ ଅଧୀନରେ ଘରକୁ ଘର ଯାଇ ସଚେତନତା ଅଭିଯାନ ଏବଂ ନାଗରିକ ଅଂଶଗ୍ରହଣ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏଥିରେ ‘ଘନ ବର୍ଜ୍ୟବସ୍ତୁ ପରିଚାଳନା ନିୟମ, ୨୦୨୬’ ସମ୍ପର୍କରେ ସଚେତନତା ସୃଷ୍ଟି, ଉତ୍ସସ୍ଥଳରେ ଚାରି ପ୍ରକାର ବର୍ଜ୍ୟବସ୍ତୁ ପୃଥକୀକରଣ ଏବଂ କମ୍ପୋଷ୍ଟ ତିଆରିକୁ ପ୍ରୋତ୍ସାହନ ଦିଆଯାଇଥିଲା। ଏଥିସହ ‘ସ୍ୱଚ୍ଛତା ପାଇଁ କ୍ରୀଡ଼ା’, ‘ସ୍ୱଚ୍ଛ ପର୍ବ’, ‘ହରିତ ପର୍ବ’ ଭଳି କାର୍ଯ୍ୟକ୍ରମ ସହ ‘ଏକ ପେଡ୍ ମା’ କେ ନାମ’ ଅଧୀନରେ ବୃକ୍ଷରୋପଣ ଅଭିଯାନ ମଧ୍ୟ ଆୟୋଜନ କରାଯାଇଥିଲା। ଏହି ସ୍ତମ୍ଭ ଅଧୀନରେ ମୋଟ ୧,୪୧୮ଟି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।
‘ସ୍ୱଚ୍ଛତା ସେ ସମୃଦ୍ଧି’ ଅଧୀନରେ ‘କବାଡ଼ ସେ ଜୁଗାଡ଼ – ବର୍ଜ୍ୟବସ୍ତୁରୁ ସମ୍ପଦ’ ଏବଂ ‘କବାଡ଼ ସେ କଳା – ବର୍ଜ୍ୟବସ୍ତୁରୁ କଳାକୃତି’ ଭଳି ପଦକ୍ଷେପ ମାଧ୍ୟମରେ 'ସର୍କୁଲାର୍ ଇକୋନୋମି' ବା ଚକ୍ରୀୟ ଅର୍ଥନୀତିକୁ ପ୍ରୋତ୍ସାହନ ଓ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏଥିସହ ପୁରୁଣା ବହି, ଖେଳନା ଓ ପୋଷାକ ଦାନ ଭଳି ଅଭିଯାନର ମଧ୍ୟ ଆୟୋଜନ କରାଯାଇଥିଲା। ଏହି ସ୍ତମ୍ଭ ଅଧୀନରେ ମୋଟ ୭୦ଟି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
ମନ୍ତ୍ରଣାଳୟ ପକ୍ଷରୁ ୨୭ ସେପ୍ଟେମ୍ବର ୨୦୨୬ରେ ‘ବିଶ୍ୱ ପର୍ଯ୍ୟଟନ ଦିବସ’ ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଏବଂ ୧ ଅକ୍ଟୋବର ୨୦୨୬ରେ ‘ଏକ ଦିନ, ଏକ ଘଣ୍ଟା, ଏକ ସାଥ’ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହା ଅଧୀନରେ ସ୍ୱେଚ୍ଛାକୃତ ଭାବେ ଗୋଟିଏ ଘଣ୍ଟା ସ୍ୱଚ୍ଛତା ସେବା ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହା ବ୍ୟତୀତ, ୨ ଅକ୍ଟୋବର ୨୦୨୬ରେ ‘ସ୍ୱଚ୍ଛ ଭାରତ ଦିବସ’ ଅବସରରେ ସ୍ୱତନ୍ତ୍ର ସ୍ୱଚ୍ଛତା କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା। ଏଥିରେ ଅଧିକାରୀ ଓ କର୍ମଚାରୀମାନେ କାର୍ଯ୍ୟାଳୟ ବାହାରକୁ ଆସି ସ୍ୱଚ୍ଛତା ଅଭିଯାନରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।
ମନ୍ତ୍ରଣାଳୟ ନିଜର ଗଣମାଧ୍ୟମ ଶାଖା ଏବଂ କ୍ଷେତ୍ରସ୍ତରୀୟ କାର୍ଯ୍ୟାଳୟ ମାଧ୍ୟମରେ ସ୍ୱଚ୍ଛତାକୁ ଏକ ସାମୂହିକ ଦାୟିତ୍ୱ ଏବଂ ଏକ ନିରନ୍ତର ଜନ-ଆନ୍ଦୋଳନ ଭାବେ ପ୍ରୋତ୍ସାହିତ କରିବା ପ୍ରତି ନିଜର ପ୍ରତିବଦ୍ଧତାକୁ ପୁନର୍ବାର ଦୃଢ଼ କରିଛି। ସମଗ୍ର ଦେଶରେ ଅଧିକାରୀ, କର୍ମଚାରୀ, ଯୁବବର୍ଗ, ସଫେଇ ମିତ୍ର ଏବଂ ସାଧାରଣ ନାଗରିକମାନଙ୍କ ସକ୍ରିୟ ଅଂଶଗ୍ରହଣରେ ଏହି ଅଭିଯାନକୁ ଆଗେଇ ନିଆଯାଇଥିଲା।
*****
MT
(ରିଲିଜ ଆଡି: 2321060)
ପରିଦର୍ଶକ କାଉଣ୍ଟର : 7