ପୋଷ୍ଟ କରାଯିବା ଦିନାଙ୍କ:
17 SEP 2026 2:26PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ପଶ୍ଚିମବଙ୍ଗରେ ‘ଅନ୍ନପୂର୍ଣ୍ଣ ଯୋଜନା’ ଅଧୀନରେ କିସ୍ତି ପ୍ରଦାନ କାର୍ଯ୍ୟକ୍ରମ ଅବସରରେ ଏକ ସଭାକୁ ସମ୍ବୋଧିତ କରିଥିଲେ । ଏହି ସ୍ୱତନ୍ତ୍ର ଅବସରରେ ନାଗରିକମାନଙ୍କ ସହ ଯୋଡି ହୋଇପାରିଥିବାରୁ ଆନନ୍ଦ ପ୍ରକାଶ କରିବା ସହ ପ୍ରଧାନମନ୍ତ୍ରୀ ବଙ୍ଗଳା ମାଆ ଓ ଭଉଣୀମାନଙ୍କୁ ନିଜର ଗଭୀର ସମ୍ମାନ ଜଣାଇଥିଲେ । ସେ ଗୁରୁତ୍ୱାରୋପ କରିଥିଲେ ଯେ, ସେମାନଙ୍କର ଅତୁଟ ବିଶ୍ୱାସ ଓ ଆତ୍ମୀୟତାର ଭାବନା ବ୍ୟକ୍ତିଗତ ସଶକ୍ତୀକରଣର ଏକ ବଡ଼ ଉତ୍ସ ଭାବରେ କାର୍ଯ୍ୟ କରୁଛି । ଶ୍ରୀ ମୋଦୀ କହିଥିଲେ, “ଆପଣମାନଙ୍କର ବିଶ୍ୱାସ ହିଁ ମୋର ଶକ୍ତି ।”
ଏହି ଦିନର ସାଂସ୍କୃତିକ ଗୁରୁତ୍ୱକୁ ସ୍ୱୀକାର କରି, ପ୍ରଧାନମନ୍ତ୍ରୀ ସୃଷ୍ଟି ଓ କାରିଗରୀ କଳାକୁ ଉତ୍ସର୍ଗିତ ଏକ ପବିତ୍ର ପର୍ବ ପାଳନ କରିଥିଲେ । ଏହି ସ୍ୱତନ୍ତ୍ର ଦିନ ପାଳନ କରୁଥିବା ସମସ୍ତ ନାଗରିକମାନଙ୍କୁ ସେ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ । ଶ୍ରୀ ମୋଦୀ କହିଥିଲେ, “ବିଶ୍ୱକର୍ମା ପୂଜା ଅବସରରେ ମୁଁ ଆପଣମାନଙ୍କୁ ହୃଦୟରୁ ଶୁଭେଚ୍ଛା ଜଣାଉଛି ।”
ରାଜ୍ୟରେ ଏକ ପରିବର୍ତ୍ତନକାରୀ ଯୁଗର ଆରମ୍ଭ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ମାଧ୍ୟମରେ ସ୍ଥାନୀୟ ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ଆରମ୍ଭ କରାଯାଇଥିବା ଏକ ନୂତନ ପରମ୍ପରାକୁ ସ୍ୱାଗତ କରିଥିଲେ । ସାମର୍ଥ୍ୟର ଏହି ନୂତନ ଅଧ୍ୟାୟରେ ପାଦ ଥାପୁଥିବା ପ୍ରତ୍ୟେକ ମହିଳା ହିତାଧିକାରୀଙ୍କୁ ସେ ହୃଦୟରୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ । ସେ କହିଥିଲେ, “ଆଜି ବଙ୍ଗଳାର ମାଆ ଓ ଭଉଣୀମାନଙ୍କ କ୍ଷେତ୍ରରେ ନୂତନ ସାମର୍ଥ୍ୟ ଯୋଡି ହୋଇଛି ।”
ମହିଳାମାନଙ୍କ ଉପରେ ନ୍ୟସ୍ତ ଥିବା ବିପୁଳ ପାରିବାରିକ ଦାୟିତ୍ୱକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଲେ ଯେ, ସେମାନେ କିପରି ପ୍ରତିଦିନ ଅସଂଖ୍ୟ ନିଷ୍ପତ୍ତି ମାଧ୍ୟମରେ ନିଜ ପରିବାରକୁ ଯତ୍ନର ସହ ପରିଚାଳନା କରନ୍ତି । ସେ କହିଲେ ଯେ, ଅତ୍ୟାବଶ୍ୟକ ଖର୍ଚ୍ଚ ସମ୍ବନ୍ଧୀୟ ଆର୍ଥିକ ଚିନ୍ତା ଦୂର ହେଲେ, ସେମାନଙ୍କର ଆତ୍ମବିଶ୍ୱାସ ସ୍ୱାଭାବିକ ଭାବେ ବୃଦ୍ଧି ପାଇଥାଏ । ଶ୍ରୀ ମୋଦୀ କହିଲେ, “ଯେତେବେଳେ ସେମାନଙ୍କ ମନରେ ଆବଶ୍ୟକୀୟ ଖର୍ଚ୍ଚକୁ ନେଇ ଚିନ୍ତା କମ୍ ଥାଏ ସେତେବେଳେ ସେମାନଙ୍କର ଆତ୍ମବିଶ୍ୱାସ ଆହୁରି ବଢ଼ିଯାଏ ।”
ମହିଳାମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି ଦିଗରେ ‘ଅନ୍ନପୂର୍ଣ୍ଣା ଯୋଜନା’କୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ବୁଝାଇଲେ ଯେ, କିପରି ଏକ ନିଶ୍ଚିତ ମାସିକ ଜମା ରାଶି ଜୀବନ ପାଇଁ ଏକ ବଡ଼ ସହାୟତା ପ୍ରଦାନ କରିଥାଏ । ସେ କହିଲେ ଯେ, କାହାକୁ କିଛି ନ ମାଗି ଏହି ନିର୍ଦ୍ଦିଷ୍ଟ ରାଶି ପାଇବା ଦ୍ୱାରା ମହିଳାମାନଙ୍କର ଆର୍ଥିକ ସମ୍ମାନ ସୁନିଶ୍ଚିତ ହୋଇଥାଏ । ଶ୍ରୀ ମୋଦୀ ଦୃଢ଼ତାର ସହ କହିଲେ, ଏହା ସେମାନଙ୍କ ଜୀବନ ପାଇଁ ଏକ ବଡ଼ ସହାୟତା । ଏହା ଏକ ବଡ଼ ସାହାଯ୍ୟ ।”
ଏହି ଯୋଜନାର ବାସ୍ତବ ପ୍ରଭାବ ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ ଘୋଷଣା କଲେ ଯେ, ପ୍ରାୟ ୧.୫ କୋଟି ଭଉଣୀଙ୍କ ବ୍ୟାଙ୍କ ଖାତାକୁ ୩,୦୦୦ ଟଙ୍କାର ଚତୁର୍ଥ କିିସ୍ତି ସଫଳତାର ସହ ପହଞ୍ଚୁଛି । ସେ ବୁଝାଇଲେ ଯେ, ଏହି ନିୟମିତ ଆର୍ଥିକ ସହାୟତା ଔଷଧ କିଣିବା, ଘରୋଇ ଆବଶ୍ୟକତା ପୂରଣ କରିବା କିମ୍ବା ପିଲାଙ୍କ ଶିକ୍ଷା ପାଇଁ ଖର୍ଚ୍ଚ କରିବା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ସହାୟକ ଭାବେ କାର୍ଯ୍ୟ କରେ । ଶ୍ରୀ ମୋଦୀ କହିଲେ, “ଜଣେ ଭଉଣୀ ପାଇଁ ଏହା ଔଷଧ କିମ୍ବା ଘରୋଇ ଆବଶ୍ୟକୀୟ ସାମଗ୍ରୀ କିଣିବାରେ ସହାୟକ ହୋଇପାରେ ।”
ଏହି ଆର୍ଥିକ ସହାୟତା ପଛର ବ୍ୟାପକ ଲକ୍ଷ୍ୟ ବିଷୟରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ମହିଳାମାନଙ୍କ ଦୃଢ଼ ନିଷ୍ପତ୍ତି ନେବାର କ୍ଷମତା ଏବଂ ଆଗକୁ ବଢ଼ିବାର ସାହସ ଯୋଗାଇବା ଉପରେ ନିଜର ଦୃଢ଼ ବିଶ୍ୱାସ ବ୍ୟକ୍ତ କରିଥିଲେ । ସେ ହିତାଧିକାରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଏହି ସଶକ୍ତିକରଣ ରଣନୀତିରେ ଅନ୍ନପୂର୍ଣ୍ଣା ଯୋଜନାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ପୁନର୍ବାର ଦୋହରାଇଥିଲେ । ଶ୍ରୀ ମୋଦୀ ଦୃଢ଼ତାର ସହ କହିଥିଲେ, “ବଙ୍ଗଳାର ମହିଳାମାନଙ୍କ ପାଖରେ ମଧ୍ୟ ନିଷ୍ପତ୍ତି ନେବାର କ୍ଷମତା ଏବଂ ଆଗକୁ ବଢ଼ିବାର ସାହସ ରହିବା ଉଚିତ୍ ।”
ଅନେକ କଷ୍ଟ ସହିବା ପରେ ରାଜ୍ୟରେ ରାଜନୈତିକ ପରିବର୍ତ୍ତନ ଆଣିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବାର ଶ୍ରେୟ ପ୍ରଧାନମନ୍ତ୍ରୀ ରାଜ୍ୟର ମାଆ ଓ ଭଉଣୀମାନଙ୍କୁ ଦେଇଥିଲେ । ସେ ଗୁରୁତ୍ୱାରୋପ କରିଥିଲେ ଯେ, ‘କମ୍ କଥା, ଅଧିକ କାମ’ ମନ୍ତ୍ରକୁ କଠୋର ଭାବରେ ପାଳନ କରି ସେମାନଙ୍କ ଜୀବନଯାପନ ସହଜ କରିବା ହେଉଛି ନୂତନ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ । ଶ୍ରୀ ମୋଦୀ କହିଥିଲେ, “ଆମର ନୂଆ ସରକାରଙ୍କ ସମ୍ମୁଖରେ ପ୍ରଥମ ପରୀକ୍ଷା ଥିଲା ବଙ୍ଗଳାର ମହିଳାମାନଙ୍କ ଜୀବନକୁ ସହଜ କରିବା ।”
କଲ୍ୟାଣକାରୀ କାର୍ଯ୍ୟକ୍ରମର ଦ୍ରୁତ କାର୍ଯ୍ୟକାରିତା ବିଷୟରେ ବିସ୍ତୃତ ଭାବରେ କହି ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ନୂତନ ସରକାର ଦାୟିତ୍ୱ ଗ୍ରହଣ କରିବାର କିଛି ଦିନ ମଧ୍ୟରେ ହିଁ ଅନ୍ନପୂର୍ଣ୍ଣା ଯୋଜନାର କାର୍ଯ୍ୟ ଆରମ୍ଭ ହୋଇଯାଇଥିଲା । ଦୁର୍ନୀତିମୂଳକ କାର୍ଯ୍ୟକଳାପକୁ ସମ୍ପୂର୍ଣ୍ଣ ରୂପେ ଦୂର କରି ଲକ୍ଷ୍ୟ ଲକ୍ଷ୍ୟ ମହିଳାଙ୍କ ନିକଟରେ ସିଧାସଳଖ ବ୍ୟାଙ୍କ ସ୍ଥାନାନ୍ତର ମାଧ୍ୟମରେ ସହାୟତା ପହଞ୍ଚିବାକୁ ସେ ପ୍ରଶଂସା କରିଥିଲେ । ପ୍ରଶାସନର ସମାବେଶୀ ବିକାଶ ପ୍ରତି ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ଆଶ୍ୱାସନା ଦେଇଥିଲେ ଯେ, ସମଗ୍ର ରାଜ୍ୟରେ ଏହାର ବ୍ୟାପକ କାର୍ଯ୍ୟକାରିତା ସୁନିଶ୍ଚିତ କରିବା ପାଇଁ ଦ୍ରୁତ ପ୍ରୟାସ ଜାରି ରହିଛି । ଶ୍ରୀ ମୋଦୀ କହିଥିଲେ, “ଆମ ସରକାରଙ୍କ ଲକ୍ଷ୍ୟ ହେଉଛି ଯେ, ଅନ୍ନପୂର୍ଣ୍ଣା ଯୋଜନାର ଲାଭରୁ ଯେପରି ଜଣେ ହେଲେ ଯୋଗ୍ୟ ମହିଳା ବଞ୍ଚିତ ନ ହୁଅନ୍ତି ।”
ମହିଳା ସଶକ୍ତିକରଣ ପାଇଁ ଏକ ସାମଗ୍ରିକ ଜୀବନଚକ୍ର ଦୃଷ୍ଟିକୋଣ ଉପସ୍ଥାପନ କରି, ପ୍ରଧାନମନ୍ତ୍ରୀ ଗର୍ଭବତୀ ମହିଳାଙ୍କ ପାଇଁ ‘ମାତୃ ବନ୍ଦନା ଯୋଜନା’ ଠାରୁ ଆରମ୍ଭ କରି ‘ବେଟି ବଚାଓ – ବେଟି ପଢ଼ାଓ’ ଅଭିଯାନ ପର୍ଯ୍ୟନ୍ତ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପର ତାଲିକା ପ୍ରଦାନ କରିଥିଲେ । ଶିଶୁକାଳରୁ ମାତୃତ୍ୱ ପର୍ଯ୍ୟନ୍ତ ମହିଳାମାନେ ସମ୍ମୁଖୀନ ହେଉଥିବା ପ୍ରତ୍ୟେକ ଆହ୍ୱାନର ସମାଧାନ ପାଇଁ ସେ ଅନେକ ବ୍ୟାପକ ପଦକ୍ଷେପ ବିଷୟରେ ଉଲ୍ଲେଖ କରିଥିଲେ, ଯେପରିକି ବିଦ୍ୟାଳୟଗୁଡିକରେ କୋଟି କୋଟି ଶୌଚାଳୟ ନିର୍ମାଣ, ବାଳିକାମାନଙ୍କ ପାଇଁ ସୈନିକ ସ୍କୁଲ ଖୋଲିବା, ମୁଦ୍ରା ଋଣ ପ୍ରଦାନ, ପ୍ରସୂତିକାଳୀନ ଛୁଟି ବୃଦ୍ଧି, ଉଜ୍ଜ୍ୱଳା ଗ୍ୟାସ ଓ ହର୍ ଘର ଜଲ୍ ଯୋଜନାରେ ପାନୀୟ ଜଳ ସଂଯୋଗ ଯୋଗାଇବା, ଆୟୁଷ୍ମାନ କାର୍ଡ ବଣ୍ଟନ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ମହିଳାଙ୍କ ପାଇଁ ମିଳିତ ସମ୍ପତ୍ତି ଅଧିକାର ସୁନିଶ୍ଚିିତ କରିବା । ଶ୍ରୀ ମୋଦୀ ଦୃଢ଼ତାର ସହ କହିଲେ, “ମା’, ଭଉଣୀ ଓ ଝିଅମାନଙ୍କ ଜୀବନଚକ୍ର ସହିତ ଜଡ଼ିତ ପ୍ରତ୍ୟେକ ସମସ୍ୟାର ସମାଧାନ କରିବା ସର୍ବାଧିକ ଅଗ୍ରାଧିକାର ପାଇଛି ।”
ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ଆଶ୍ୱାସନା ଦେଇଥିଲେ ଯେ, ବର୍ତ୍ତମାନର ସରକାର ପୂର୍ବରୁ ଅଟକି ରହିଥିବା କାର୍ଯ୍ୟକ୍ରମଗୁଡିକୁ ଦ୍ରୁତ ଗତିରେ ଆଗେଇ ନେଉଛନ୍ତି । ଶ୍ରୀ ମୋଦୀ କହିଥିଲେ, “ବର୍ତ୍ତମାନର ସରକାରଙ୍କ ଅଧୀନରେ, ଏହି ଅଟକି ରହିଥିବା ଯୋଜନାଗୁଡିକୁ ଦ୍ରୁତ ଗତିରେ ଆଗକୁ ବଢ଼ାଯାଇଛି ।”
ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନୂତନ ଗତିଶୀଳତାର ଏକ ମୁଖ୍ୟ ଉଦାହରଣ ଭାବରେ ଦର୍ଶାଇ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ଯେ, ରାଜ୍ୟରେ ନୂତନ ଭାବେ ଚିହ୍ନଟ ହୋଇଥିବା ୫୦ ଲକ୍ଷରୁ ଅଧିକ ଗରିବ ପରିବାର ଖୁବ୍ ଶୀଘ୍ର ସ୍ଥାୟୀ ଘର ପାଇବେ ଏବଂ ଏହା ସହିତ ପିମ୍ ବିଶ୍ୱକର୍ମା ଯୋଜନା ମଧ୍ୟ କାର୍ଯ୍ୟକାରୀ ହେବ । ସେ ବିଳମ୍ବିତ ପ୍ରକଳ୍ପଗୁଡିକର ଏହି ପୁନରୁଦ୍ଧାର ପାଇଁ ସ୍ଥାନୀୟ ମହିଳାମାନଙ୍କର ଅପାର ଆଶୀର୍ବାଦ ଓ ସମର୍ଥନକୁ ଶ୍ରେୟ ଦେଇଥିଲେ ଏବଂ ରାଜ୍ୟର ଭବିଷ୍ୟତ ପାଇଁ ଏକ ସହଯୋଗୀ ଦୃଷ୍ଟିକୋଣ ଉପସ୍ଥାପନ କରିଥିଲେ । ଶ୍ରୀ ମୋଦୀ ଦୃଢ଼ତାର ସହ କହିଥିଲେ, “ଆମେ ସମସ୍ତେ ମିଳିତ ଭାବରେ ଏକ ନୂତନ ବଙ୍ଗଳା ଗଠନ କରିବା ।”
ଆଞ୍ଚଳିକ ଅଗ୍ରଗତିକୁ ଜାତୀୟ ଲକ୍ଷ୍ୟ ସହିତ ଯୋଡି ପ୍ରଧାନମନ୍ତ୍ରୀ ଦୃଢ଼ ବିଶ୍ୱାସ ବ୍ୟକ୍ତ କରିଥିଲେ ଯେ, ସ୍ଥାନୀୟ ମହିଳାମାନେ ବିକଶିତ ଭାରତ ଦିଗରେ ବିକାଶ ଯାତ୍ରାକୁ ତ୍ୱରାନ୍ୱିତ କରିଚାଲିବେ । ସେ ଗୁରୁତ୍ୱାରୋପେ କରିଥିଲେ ଯେ, ଏକ ବିକାଶିତ ରାଜ୍ୟର କ୍ଷମତା ଦ୍ୱାରା ଦେଶର ମୂଳ ସଂକଳ୍ପ ଆହୁରି ସୁଦୃଢ଼ ହୋଇଥାଏ । ଶ୍ରୀ ମୋଦୀ କହିଥିଲେ, “ଏକ ବିକଶିତ ବଙ୍ଗଳାର ଶକ୍ତି ସହିତ, ବିକଶିତ ଭାରତର ସଂକଳ୍ପ ଆହୁରି ମଜବୁତ ହେବ ।”
ଗଭୀର କୃତଜ୍ଞତା ସହ ନିଜର ଅଭିଭାଷଣ ଶେଷ କରିବା ସମୟରେ ପ୍ରଧାନମନ୍ତ୍ରୀ ସ୍ୱୀକାର କରିଥିଲେ ଯେ, ଜନସାଧାରଣଙ୍କ ନିରନ୍ତର ସ୍ନେହ ଓ ଆଶୀର୍ବାଦ ଜନସେବା ପାଇଁ ଏକ ଅସୁମାରୀ ପ୍ରେରଣା ଯୋଗାଇଥାଏ । ସେ ଦିନର ଦ୍ୱୈତ ଉତ୍ସବ ପାଇଁ ଶୁଭେଚ୍ଛା ଜଣାଇଥିଲେ । ଶ୍ରୀ ମୋଦୀ କହିଥିଲେ, “ଅନ୍ନପୂର୍ଣ୍ଣା ଦିବସ ଅବସରରେ ଆପଣ ସମସ୍ତଙ୍କୁ ପୁଣି ଥରେ ଅନେକ ଅନେକ ଶୁଭେଚ୍ଛା।”
SR