କ୍ୟାବିନେଟ
azadi ka amrit mahotsav

ସେମିକନ୍ ୨.୦କୁ କ୍ୟାବିନେଟ୍ ମଞ୍ଜୁରୀ - ଦେଶରେ ସେମିକଣ୍ଡକ୍ଟର କ୍ଷେତ୍ରକୁ ଦୀର୍ଘମିଆଦୀ ନୀତିଗତ ସହାୟତା ପ୍ରଦାନ କରିବା ନେଇ ନିଜର ପ୍ରତିଶ୍ରୁତି ପୂରଣ କଲେ ସରକାର

ପୋଷ୍ଟ କରାଯିବା ଦିନାଙ୍କ: 15 JUL 2026 3:09PM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ ଭାରତର ସେମିକଣ୍ଡକ୍ଟର ଡିଜାଇନ୍ ଏବଂ ଉତ୍ପାଦନ ଇକୋସିଷ୍ଟମ୍ (ପରିବେଶ)ର ବିକାଶ ପାଇଁ ୧,୨୭,୫୦୦ କୋଟି ଟଙ୍କାର ମୋଟ ବଜେଟ୍ ବ୍ୟବସ୍ଥା ସହିତ ‘ସେମିକନ୍ ୨.୦’କୁ ଅନୁମୋଦନ କରିଛି ।

ଭାରତରେ ସେମିକଣ୍ଡକ୍ଟର କ୍ଷେତ୍ର ପାଇଁ ନିରନ୍ତର ଓ ଦୀର୍ଘକାଳୀନ ସହାୟତାର ଆବଶ୍ୟକତାକୁ ଉପଲବ୍ଧି କରିବା ଏବଂ ‘ସେମିକନ୍ ୧.୦’ ଅଧୀନରେ ସୃଷ୍ଟି ହୋଇଥିବା ଗତିଶୀଳତାକୁ ଆଗକୁ ବଢ଼ାଇବା ଲକ୍ଷ୍ୟରେ ‘ସେମିକନ୍ ୨.୦’ ଆରମ୍ଭ କରାଯାଇଛି । ଏହା ବିଶ୍ୱର ସେମିକଣ୍ଡକ୍ଟର ମାନଚିତ୍ରରେ ଭାରତକୁ ସ୍ଥାନିତ କରିବା ଦିଗରେ ସରକାରଙ୍କ ପ୍ରତିଶ୍ରୁତିବଦ୍ଧତାକୁ ଆହୁରି ଦୃଢ଼ କରିବାକୁ ଲକ୍ଷ୍ୟ ରଖିଛି ।

ସେମିକନ୍ ୨.୦ ନିମ୍ନଲିଖିତ ଛଅଟି ମୁଖ୍ୟ ସ୍ତମ୍ଭ ଉପରେ ଆଧାରିତ କରି ସେମିକଣ୍ଡକ୍ଟର ଇକୋସିଷ୍ଟମ୍‌କୁ ସାମଗ୍ରିକ ଭାବେ ଗଠନ କରିବାକୁ ଲକ୍ଷ୍ୟ ରଖିଛି:

 

ପ୍ରଥମ ସ୍ତମ୍ଭ: ଡିଜାଇନ୍‌: ସେମିକନ୍ ୨.୦ ଚିପ୍ ଡିଜାଇନ୍ କ୍ଷେତ୍ରରେ ମିଳିଥିବା ପ୍ରାରମ୍ଭିକ ସଫଳତାକୁ ଆଧାର କରି ଆଗକୁ ବଢ଼ିବ । ବର୍ତ୍ତମାନ ୧୦୫ଟି ଷ୍ଟାର୍ଟଅପ୍ ଚିପ୍ ବିକାଶ କାର୍ଯ୍ୟ ଆରମ୍ଭ କରିସାରିଥିବାରୁ, ଡିଜାଇନ୍ ଇକୋସିଷ୍ଟମ୍‌କୁ ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଉଛି । ଏହା ବ୍ୟତୀତ, ରଣନୈତିକ ଏବଂ ବାଣିଜ୍ୟିକ ଉତ୍ପାଦର ବିକାଶ ପାଇଁ ଆବଶ୍ୟକ ମୌଳିକ ଉପାଦାନଗୁଡିକୁ ଚିହ୍ନଟ କରାଯାଇଛି । ସେମିକନ୍ ୨.୦ ଅଧୀନରେ ଏହି ପଦ୍ଧତି ମାଧ୍ୟମରେ ଆଇପି ଏବଂ ଚିପ୍ ଓ ସିଷ୍ଟମ୍‌ର ଡିଜାଇନ୍ ବିକାଶ କରିବା ଲକ୍ଷ୍ୟ ରଖାଯାଇଛି । ସେମିକନ୍ ୨.୦ ଅଧୀନରେ ହେବାକୁ ଥିବା କାର୍ଯ୍ୟ ଭାରତକୁ ସେମିକଣ୍ଡକ୍ଟର ଚିପ୍ ଡିଜାଇନ୍ ଆଇପି କ୍ଷେତ୍ରରେ ଏକ ପ୍ରମୁଖ ଦେଶ ଭାବରେ ପ୍ରତିଷ୍ଠିତ କରିବ ।

ଦ୍ୱିତୀୟ ସ୍ତମ୍ଭ: ଯନ୍ତ୍ରପାତି ଏବଂ ସାମଗ୍ରୀ: ସେମିକଣ୍ଡକ୍ଟର ଉତ୍ପାଦନ ପାଇଁ ଆବଶ୍ୟକ ଯନ୍ତ୍ରପାତି ତଥା ସାମଗ୍ରୀ, ରସାୟନିକ ପଦାର୍ଥ ଏବଂ ଗ୍ୟାସ ଉତ୍ପାଦନ ଓ ଗବେଷଣା ତଥା ବିକାଶ କ୍ଷେତ୍ରରେ ଜଡ଼ିତ କମ୍ପାନୀଗୁଡିକୁ ପ୍ରୋତ୍ସାହନ ପ୍ରଦାନ କରାଯିବ । ଏହା ସେମିକଣ୍ଡକ୍ଟର ଶିଳ୍ପର ନିରନ୍ତର ବିକାଶ ପାଇଁ ମୂଳଦୁଆ ସ୍ଥାପନ କରିବ । ଏଥିସହିତ, ଏହା ଆମ ଦେଶରେ ‘ପ୍ରିସିଜନ୍ ମାନୁଫାକ୍‌ଚରିଂ’ ଶିଳ୍ପର ବିକାଶରେ ମଧ୍ୟ ସହାୟକ ହେବ ।

ତୃତୀୟ ସ୍ତମ୍ଭ: ଅଧିକ ଫ୍ୟାବ୍ ସ୍ଥାପନ: ୨୦୨୮ରେ ପ୍ରଥମ ଫ୍ୟାବ୍ କାର୍ଯ୍ୟକ୍ଷମ ହେବାକୁ ଥିବାରୁ, ଭାରତର ସେମିକଣ୍ଡକ୍ଟର ରଣନୀତି ଉପରେ ବିଶ୍ୱ ଅଧିକ ଆସ୍ଥା ପ୍ରକଟ କରୁଛି । ଅଧିକ ଉତ୍ପାଦନକାରୀଙ୍କ ଭାରତକୁ ଆକର୍ଷିତ କରିବା ଏବଂ ଚିପ୍ ଉତ୍ପାଦନ ପାଇଁ ଫ୍ୟାବ୍ ସ୍ଥାପନ କରିବା ଦିଗରେ ପ୍ରୟାସ କରାଯିବ । ଏଥିରେ ସିଲିକନ୍ ଫ୍ୟାବ୍‌, କମ୍ପାଉଣ୍ଡ ସେମିକଣ୍ଡକ୍ଟର ଫ୍ୟାବ୍ ଡିସ୍କରିଟ୍ କମ୍ପୋନେଣ୍ଟ ଫ୍ୟାବ୍ ଏବଂ ଡିସ୍‌ପ୍ଲେ ଫ୍ୟାବ୍ ଆଦି ଅନ୍ତର୍ଭୁକ୍ତ ରହିବ ।

ଚତୁର୍ଥ ସ୍ତମ୍ଭ: ଏଟିଏମ୍‌ପି/ଓଏସ୍‌ଏଟି ଶିଳ୍ପକୁ ଆହୁରି ସୁଦୃଢ଼ କରିବା: ଏଟିଏମ୍‌ପି ୟୁନିଟ୍‌ଗୁଡିକର ସଫଳତା ଯୋଗୁଁ ବିଶ୍ୱ ବର୍ତ୍ତମାନ ଏଟିଏମ୍‌ପି/ଓଏସ୍‌ଏଟି ୟୁନିଟ୍ ସ୍ଥାପନ ପାଇଁ ଭାରତକୁ ଏକ ବିକଳ୍ପ ସ୍ଥାନ ଭାବରେ ଦେଖୁଛି । ସବୁଠାରୁ ଅତ୍ୟାଧୁନିକ ଏଟିଏମ୍‌ପି ପ୍ରଯୁକ୍ତିବିଦ୍ୟାକୁ ଭାରତକୁ ଆଣିବା ଉପରେ ଗୁରୁତ୍ୱ ଦେଇ ଏହି କ୍ଷେତ୍ରକୁ ସକ୍ରିୟ ଭାବରେ ପ୍ରୋତ୍ସାହିତ କରାଯିବ ।

ପଞ୍ଚମ ସ୍ତମ୍ଭ: ଗବେଷଣା ଓ ବିକାଶ: ସେମିକଣ୍ଡକ୍ଟର ଯାତ୍ରା ୨୮ଏନ୍‌ଏମ୍‌-୧୧୦ଏନ୍‌ଏମ୍ ନୋଡ୍ ସହିତ ଆରମ୍ଭ ହୋଇଛି । ବର୍ତ୍ତମାନ, ଭାରତ ତଥା ବିଦେଶର ଅଗ୍ରଣୀ ଅନୁସନ୍ଧାନ ଏବଂ ବିକାଶ କେନ୍ଦ୍ରଗୁଡିକ ସହ ସହଯୋଗ କରି ଅଧିକ ଉନ୍ନତ ନୋଡ୍ ଏବଂ ଅନ୍ୟାନ୍ୟ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାର ବିକାଶ ଉପରେ ଗୁରୁତ୍ୱ ଦିଆଯିବ ।

ଷଷ୍ଠ ସ୍ତମ୍ଭ: ଦକ୍ଷତା ବିକାଶ: ୩୧୫ଟି ବିଶ୍ୱବିଦ୍ୟାଳୟ ଅତ୍ୟାଧୁନିକ ଇଡିଏ ଟୁଲ୍ ବ୍ୟବହାର କରି ଜଟିଳ ଚିପ୍ ଡିଜାଇନ୍ ଉପରେ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି, ଯାହାଫଳରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୬୮,୦୦୦ ଛାତ୍ରଛାତ୍ରୀ ପ୍ରଶିକ୍ଷଣ ଲାଭ କରିସାରିଛନ୍ତି । ଏହି ପ୍ରକ୍ରିୟାକୁ ଆହୁରି ବିକଶିତ କରାଯିବ ଏବଂ କଲେଜ ସ୍ତରରେ ପ୍ରଶିକ୍ଷଣର ଗୁଣବତ୍ତା ଓ ଗଭୀରତା ବୃଦ୍ଧି କରାଯିବ । ଏହାଛଡା ସେମିକଣ୍ଡକ୍ଟର ଉଦ୍ୟୋଗ କ୍ଲିନ୍ ରୁମ୍‌, ଫ୍ୟାବ୍ ନିର୍ମାଣ ଏବଂ ଅନ୍ୟାନ୍ୟ ଇକୋସିଷ୍ଟମ୍ ସମ୍ବନ୍ଧୀୟ ପ୍ରଶିକ୍ଷଣ କ୍ଷେତ୍ରରେ ମଧ୍ୟ ଶିଳ୍ପ ଜଗତ ସକ୍ରିୟ ଭାବେ ଅଂଶଗ୍ରହଣ କରିବ ।

ଏହାବ୍ୟତୀତ, ସେମିକନ୍ ୨.୦ ସମସ୍ତ କ୍ଷେତ୍ରରେ ଅର୍ଥନୈତିକ ଅଭିବୃଦ୍ଧିକୁ ସମର୍ଥନ କରିବ, ସୁଦୃଢ଼ ଯୋଗାଣ ଶୃଙ୍ଖଳା ମାଧ୍ୟମରେ ଜାତୀୟ ସୁରକ୍ଷାକୁ ମଜବୁତ କରିବ ତଥା ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡିକରେ ପ୍ରଯୁକ୍ତିଗତ ନେତୃତ୍ୱ ପ୍ରତିଷ୍ଠା କରିବାରେ ସହାୟକ ହେବ । ଏକ ସମ୍ପୂର୍ଣ୍ଣ ଇକୋସିଷ୍ଟମ୍ ଗଠନ କରିବାର ଏହି ପଦ୍ଧତି ଭାରତରେ ସେମିକଣ୍ଡକ୍ଟର ଡିଜାଇନ୍ ଏବଂ ଉତ୍ପାଦନକୁ ତ୍ୱରାନ୍ୱିତ କରିବ ।

 

ଆଇଏସ୍‌ଏମ୍ ୧.୦ର ଅଗ୍ରଗତି:

. ଉତ୍ପାଦନ: ବର୍ତ୍ତମାନ ସୁଦ୍ଧା, ମୋଟ୍ ୧.୬୪ ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ ବିଶିଷ୍ଟ ୧୨ଟି ଉତ୍ପାଦନ ୟୁନିଟ୍‌କୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଏଥିରେ ଗୋଟିଏ ସିଲିକନ୍ ଫ୍ୟାବ୍‌, ଗୋଟିଏ ସିଲିକନ୍ କାର୍ବାଇଡ୍ ଫ୍ୟାବ୍‌, ଏକ ସମନ୍ୱିତ ଗ୍ୟାଲିୟମ୍ ନାଇଟ୍ରାଇଡ୍ ମାଇକ୍ରୋ ଏଲ୍‌ଇଡି ଡିସ୍‌ପ୍ଲେ ଫ୍ୟାବ୍ ଏବଂ ୯ଟି ପ୍ୟାକେଜିଂ ୟୁନିଟ୍ ଅନ୍ତର୍ଭୁକ୍ତ । ଏହି ୟୁନିଟ୍‌ଗୁଡିକ ଉପଭୋକ୍ତା ଉପକରଣ, ଶିଳ୍ପ ଇଲେକ୍ଟ୍ରୋନିକ୍ସ, ଅଟୋମୋବାଇଲ୍‌, ପାୱାର ଇଲେକ୍ଟ୍ରୋନିକ୍ସ, ଟେଲିକମ୍‌, ମହାକାଶ କ୍ଷେତ୍ର ଇତ୍ୟାଦି ପାଇଁ ଆବଶ୍ୟକ ଚିପ୍ ଯୋଗାଇବ ବୋଲି ଆଶା କରାଯାଉଛି । ମଞ୍ଜୁରୀପ୍ରାପ୍ତ ୧୨ଟି ପ୍ରସ୍ତାବ ମଧ୍ୟରୁ ମାଇକ୍ରୋନ୍‌, କେନ୍ସ ଏବଂ ସିଜି ସେମି ଭଳି ତିନିଟି କମ୍ପାନୀ ବାଣିଜ୍ୟିକ ଉତ୍ପାଦନ ଆରମ୍ଭ କରିସାରିଛନ୍ତି ଏବଂ ଆଉ ଏକ କମ୍ପାନୀ ୨୦୨୬ରେ ଉତ୍ପାଦନ ଆରମ୍ଭ କରିବ ବୋଲି ଆଶା କରାଯାଉଛି ।

. ଡିଜାଇନ୍: ଆର୍ଥିକ ସହାୟତା ପାଇଁ ଷ୍ଟାର୍ଟଅପ୍ ଏବଂ ଏମ୍‌ଏସ୍‌ଏମ୍‌ଇଗୁଡିକର ୨୪ଟି ସେମିକଣ୍ଡକ୍ଟର ଡିଜାଇନ୍ ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି, ଯେତେବେଳେ କି ୧୦୫ଟି ଷ୍ଟାର୍ଟଅପ୍ / ଏମ୍‌ଏସ୍‌ଏମ୍‌ଇକୁ ଶିଳ୍ପ ମାନକଯୁକ୍ତ ଇଲେକ୍ଟ୍ରୋନିକ୍ ଡିଜାଇନ୍ ଅଟୋମେସନ୍ ଟୁଲ୍ ବ୍ୟବହାର କରିବାର ସୁଯୋଗ ପ୍ରଦାନ କରାଯାଇଛି । ଏହି କମ୍ପାନୀଗୁଡିକୁ ବିଭିନ୍ନ ରଣନୈତିକ ଏବଂ ବାଣିଜ୍ୟିକ ବ୍ୟବହାର ପାଇଁ ଚିପ୍ ଏବଂ ଏସ୍‌ଓସି (ସିଷ୍ଟମ୍ ଅନ୍ ଚିପ୍‌) ଡିଜାଇନ୍ କରିବାରେ ନିୟୋଜିତ ଅଛନ୍ତି, ଏଥିରେ ଉପଗ୍ରହ ଯୋଗାଯୋଗ, ଡ୍ରୋନ୍‌, ନଜର ରଖିବା କ୍ୟାମେରା, ଇଣ୍ଟରନେଟ୍ ଅଫ୍ ଥିଙ୍ଗ୍‌ସ୍ ଉପକରଣ, ଏଲ୍‌ଇଡି ଡ୍ରାଇଭର୍‌, ଏଆଇ ସିଷ୍ଟମ୍‌, ଟେଲିକମ୍ ଉପକରଣ ଏବଂ ସ୍ମାଟ୍ ମିଟର ଭଳି ବ୍ୟବସ୍ଥା ଅନ୍ତର୍ଭୁକ୍ତ । ଏହି କମ୍ପାନୀଗୁଡିକ ଡିଜାଇନ୍ ଓ ବିକାଶର ବିଭିନ୍ନ ପର୍ଯ୍ୟାୟରେ ରହିଛନ୍ତି ଏବଂ ସଫଳ ପ୍ରୋଟୋଟାଇପିଂ ପରେ କାର୍ଯ୍ୟକାରୀ ପର୍ଯ୍ୟାୟରେ ପ୍ରବେଶ କରିବେ ।

 

SR


(ରିଲିଜ ଆଡି: 2320011) ପରିଦର୍ଶକ କାଉଣ୍ଟର : 8