ଶିକ୍ଷା ମନ୍ତ୍ରଣାଳୟ
ଓଡ଼ିଶାରେ ଖୋଲିବ ଶାସ୍ତ୍ରୀୟ ପାଲି ଭାଷାର ଉତ୍କର୍ଷ କେନ୍ଦ୍ର
ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଶାସ୍ତ୍ରୀୟ ଭାଷା ଅଧ୍ୟୟନ ପାଇଁ 5 ଉତ୍କର୍ଷ କେନ୍ଦ୍ରକୁ ଅନୁମୋଦନ
ଭାରତର ଭାଷାଗତ ଏବଂ ସାହିତ୍ୟିକ ଐତିହ୍ୟର ଗବେଷଣା, ସଂରକ୍ଷଣ, ଡିଜିଟାଇଜେସନ୍ ଏବଂ ବ୍ୟାପକ ପ୍ରସାରକୁ ଆଗେଇ ନେବା ପାଇଁ ଏହି କେନ୍ଦ୍ରଗୁଡ଼ିକ କାର୍ଯ୍ୟ କରିବେ
ପୋଷ୍ଟ କରାଯିବା ଦିନାଙ୍କ:
03 OCT 2026 5:40PM by PIB Bhubaneswar
ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ଉଚ୍ଚଶିକ୍ଷା ବିଭାଗ ୫ଟି ଶାସ୍ତ୍ରୀୟ ଭାଷା ପାଇଁ ଉତ୍କର୍ଷ କେନ୍ଦ୍ର ଖୋଲିବାକୁ ଅନୁମୋଦନ ପ୍ରଦାନ କରିଛନ୍ତି। ଅସମୀୟା, ବଙ୍ଗଳା, ମରାଠୀ, ପାଲି ଏବଂ ପ୍ରାକୃତ ଭାଷା ଅଧ୍ୟୟନ ପାଇଁ ଏହି ଉତ୍କର୍ଷ କେନ୍ଦ୍ରଗୁଡ଼ିକ କାର୍ଯ୍ୟ କରିବେ।
ଆଜି ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ଓଡ଼ିଶାରେ ଶାସ୍ତ୍ରୀୟ ପାଲି ଭାଷାର ଉତ୍କର୍ଷ କେନ୍ଦ୍ର ଖୋଲିବ। କୋରାପୁଟସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଏହି କେନ୍ଦ୍ର ଖୋଲାଯିବାକୁ ଅନୁମୋଦନ ମିଳିଥିବା ଏଥିରେ କୁହାଯାଇଛି।
ଉଚ୍ଚତର ଶାସ୍ତ୍ରୀୟ ଗବେଷଣା, ଭାଷାଗତ ଓ ସାହିତ୍ୟିକ ଐତିହ୍ୟର ସଂରକ୍ଷଣ ଏବଂ ଡିଜିଟାଇଜେସନ୍, ଏବଂ ଏହି ଶାସ୍ତ୍ରୀୟ ଭାଷାଗୁଡ଼ିକ ସମ୍ବନ୍ଧୀୟ ଜ୍ଞାନର ବ୍ୟାପକ ପ୍ରସାର ପାଇଁ ସମ୍ପୃକ୍ତ ଭାଷାର ଉତ୍କର୍ଷ କେନ୍ଦ୍ରଗୁଡ଼ିକ ନିର୍ଦ୍ଦିଷ୍ଟ ଅନୁଷ୍ଠାନିକ ସହାୟତା ଯୋଗାଇଦେବ।
ଉତ୍କର୍ଷ କେନ୍ଦ୍ର ଖୋଲିବା ପାଇଁ ମନୋନୀତ ଶିକ୍ଷାନୁଷ୍ଠାନ
|
କ୍ରମିକ ନଂ
|
ଶାସ୍ତ୍ରୀୟ ଭାଷା
|
ଉତ୍କର୍ଷ କେନ୍ଦ୍ର
|
|
୧.
|
ଶାସ୍ତ୍ରୀୟ ଅହମୀୟା
|
ତେଜପୁର ବିଶ୍ୱବିଦ୍ୟାଳୟ, ଅସମ
|
|
୨.
|
ଶାସ୍ତ୍ରୀୟ ବଙ୍ଗଳା
|
ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ, ପଶ୍ଚିମବଙ୍ଗ
|
|
୩.
|
ଶାସ୍ତ୍ରୀୟ ମରାଠୀ
|
ଡେକାନ୍ କଲେଜ ପୋଷ୍ଟ-ଗ୍ରାଜୁଏଟ୍ ଆଣ୍ଡ୍ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ୍ (ଡିମ୍ଡ ଟୁ ବି ୟୁନିଭରସିଟି), ପୁଣେ, ମହାରାଷ୍ଟ୍ର
|
|
୪.
|
ଶାସ୍ତ୍ରୀୟ ପାଲି
|
କେନ୍ଦ୍ରୀୟ ଓଡ଼ିଶା ବିଶ୍ୱବିଦ୍ୟାଳୟ, ଓଡ଼ିଶା
|
|
୫.
|
ଶାସ୍ତ୍ରୀୟ ପ୍ରାକୃତ
|
କେନ୍ଦ୍ରୀୟ ଗୁଜରାଟ ବିଶ୍ୱବିଦ୍ୟାଳୟ, ଗୁଜରାଟ
|
ଉତ୍କର୍ଷ କେନ୍ଦ୍ରଗୁଡ଼ିକ ମୁଖ୍ୟତଃ ଚାରୋଟି ବ୍ୟାପକ କ୍ଷେତ୍ର ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବେ:
- ଶିକ୍ଷାଗତ ଗବେଷଣା ଏବଂ ପାଣ୍ଡିତ୍ୟର ସୁଦୃଢ଼ୀକରଣ:
ଏହି କେନ୍ଦ୍ରଗୁଡ଼ିକ ସମ୍ପୃକ୍ତ ଶାସ୍ତ୍ରୀୟ ଭାଷାଗୁଡ଼ିକରେ ଉଚ୍ଚତର ଗବେଷଣା, ଅଧ୍ୟୟନ ଏବଂ ଶିକ୍ଷାଗତ ଆଲୋଚନା ପାଇଁ ନିର୍ଦ୍ଦିଷ୍ଟ ଅନୁଷ୍ଠାନିକ ମଞ୍ଚ ପ୍ରଦାନ କରିବେ।
- ସଂରକ୍ଷଣ ଏବଂ ଡିଜିଟାଇଜେସନ୍:
ଏହି କେନ୍ଦ୍ରଗୁଡ଼ିକ ଭାଷାଗତ ଏବଂ ସାହିତ୍ୟିକ ସମ୍ବଳର ନଥିକରଣ, ସଂରକ୍ଷଣ ଏବଂ ଡିଜିଟାଇଜେସନ୍ରେ ସହାୟତା କରିବେ, ଯାହା ଭାରତର ସମୃଦ୍ଧ ଲିଖିତ ଐତିହ୍ୟର ଦୀର୍ଘକାଳୀନ ସୁରକ୍ଷାରେ ଯୋଗଦାନ ଦେବ।
- ଶାସ୍ତ୍ରୀୟ ଭାଷା ଐତିହ୍ୟର ବ୍ୟାପକ ପ୍ରସାର:
ଏହି କେନ୍ଦ୍ରଗୁଡ଼ିକ ସମ୍ପୃକ୍ତ ଶାସ୍ତ୍ରୀୟ ଭାଷା ସହିତ ଜଡ଼ିତ ଭାଷାଗତ, ସାହିତ୍ୟିକ ଏବଂ ଜ୍ଞାନ ଆଧାରିତ ପରମ୍ପରାର ସହଜ ଉପଲବ୍ଧତା ଏବଂ ବ୍ୟାପକ ପ୍ରସାରକୁ ସୁଗମ କରିବେ।
- ଆଞ୍ଚଳିକ ଶିକ୍ଷାଗତ ବ୍ୟବସ୍ଥାର ସୁଦୃଢ଼ୀକରଣ:
ପାଞ୍ଚଟି ରାଜ୍ୟ—ଆସାମ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଓଡ଼ିଶା ଏବଂ ଗୁଜରାଟରେ ଅବସ୍ଥିତ ଏହି କେନ୍ଦ୍ରଗୁଡ଼ିକ ଶାସ୍ତ୍ରୀୟ ଭାଷାଗୁଡ଼ିକରେ ଉଚ୍ଚଶିକ୍ଷା, ଗବେଷଣା ଏବଂ ପାଣ୍ଡିତ୍ୟ ପାଇଁ ଆଞ୍ଚଳିକ ବ୍ୟବସ୍ଥାକୁ ସୁଦୃଢ଼ କରିବେ।
ଏହି ପଦକ୍ଷେପ ଭାରତର ସମୃଦ୍ଧ ଭାଷାଗତ ଓ ସାହିତ୍ୟିକ ଐତିହ୍ୟର ସଂରକ୍ଷଣ ଏବଂ ପ୍ରସାର ପାଇଁ ସରକାରଙ୍କ ଉଦ୍ୟମକୁ ଆହୁରି ଦୃଢ଼ କରିବା ସହ ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକୁ ଗବେଷଣା ଓ ପାଣ୍ଡିତ୍ୟର କେନ୍ଦ୍ର ଭାବରେ ଗଢ଼ିତୋଳିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
--
HP/Swadhin/Manoj
(ରିଲିଜ ଆଡି: 2318779)
ପରିଦର୍ଶକ କାଉଣ୍ଟର : 4