କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ
‘ରବି ଅଭିଯାନ ୨୦୨୬’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଶିବରାଜ ଚୌହାନ
ଜଳବାୟୁ ସହନଶୀଳ କୃଷି ପାଇଁ ରୋଡ୍ମ୍ୟାପ୍ ପ୍ରସ୍ତୁତ କରିବାକୁ ଆହ୍ୱାନ
ରବି ଋତୁରେ ତଥ୍ୟ ଭିତ୍ତିକ ଯୋଜନା, ଠିକ୍ ସମୟରେ ଖରିଦ ଓ ବୈଜ୍ଞାନିକ ପଦ୍ଧତିରେ ପର୍ଯ୍ୟବେକ୍ଷଣ ଲାଗି କେନ୍ଦ୍ରମନ୍ତ୍ରୀଙ୍କ ଆହ୍ବାନ
ଜଳ ଉପଲବ୍ଧତା ଆଧାରରେ ଫସଲ ଯୋଜନା ଉପରେ ଗୁରୁତ୍ୱ
ରବି ଋତୁ ଯୋଜନାରେ ଡାଲି ଓ ତୈଳବୀଜକୁ ପ୍ରାଥମିକତା ଲାଗି ଶ୍ରୀ ଚୌହାନଙ୍କ ଆହ୍ୱାନ
ଚାଷୀଙ୍କୁ ଠିକ୍ ସମୟରେ ବିହନ, କୃଷି ଉପକରଣ ଯୋଗାଣ ଓ ଫସଲ କ୍ରୟ ସୁନିଶ୍ଚିତ କରନ୍ତୁ ରାଜ୍ୟ: ଶ୍ରୀ ଚୌହାନ
ପୋଷ୍ଟ କରାଯିବା ଦିନାଙ୍କ:
28 SEP 2026 5:57PM by PIB Bhubaneswar
କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ ଆଜି ସମନ୍ୱିତ ଯୋଜନା, ବୈଜ୍ଞାନିକ ମୂଲ୍ୟାଙ୍କନ ଏବଂ କ୍ଷେତ୍ରସ୍ତରରେ ନିରନ୍ତର ତଦାରଖ ମାଧ୍ୟମରେ ରବି ଋତୁ ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିବାକୁ ରାଜ୍ୟଗୁଡ଼ିକୁ ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀରେ ଆୟୋଜିତ ଦୁଇଦିନିଆ ‘ଜାତୀୟ କୃଷି ସମ୍ମିଳନୀ – ରବି ଅଭିଯାନ ୨୦୨୬’କୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ, ଅନିୟମିତ ବର୍ଷା ଏବଂ ଜଳ ସଙ୍କଟ ଭଳି ଆହ୍ୱାନ ମଧ୍ୟରେ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା ଏବଂ କୃଷକଙ୍କ ଆୟ ବୃଦ୍ଧି ପାଇଁ ପାରମ୍ପରିକ ପଦ୍ଧତି ବଦଳରେ ତଥ୍ୟଭିତ୍ତିକ ଯୋଜନା ଏବଂ କେନ୍ଦ୍ର-ରାଜ୍ୟ ମଧ୍ୟରେ ଅଧିକ ସୁଦୃଢ଼ ସମନ୍ୱୟ ଆବଶ୍ୟକ। କୃଷି ଓ କୃଷକ କଲ୍ୟାଣ ବିଭାଗ ପକ୍ଷରୁ ପୁସାସ୍ଥିତ ଏନ୍ଏଏସ୍ସି କମ୍ପ୍ଲେକ୍ସର ଭାରତରତ୍ନ ସି. ସୁବ୍ରମଣ୍ୟମ୍ ପ୍ରେକ୍ଷାଳୟରେ ଏହି ସମ୍ମିଳନୀ ଆୟୋଜିତ ହୋଇଛି। ଏଥିରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାମନାଥ ଠାକୁର ଓ ଶ୍ରୀ ଭାଗୀରଥ ଚୌଧୁରୀ, କୃଷି ଓ କୃଷକ କଲ୍ୟାଣ ବିଭାଗର ସଚିବ ଶ୍ରୀ ଅତୀଶ ଚନ୍ଦ୍ର, ଭାରତୀୟ କୃଷି ଅନୁସନ୍ଧାନ ପରିଷଦ (ଆଇସିଏଆର୍)ର ମହାନିର୍ଦ୍ଦେଶକ ଡ. ଏମ୍.ଏଲ୍. ଜାଟ୍, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ, କୃଷି ବିଭାଗର ପ୍ରମୁଖ ସଚିବ ଓ ନିର୍ଦ୍ଦେଶକ, ରାଜ୍ୟ କୃଷି ବିଶ୍ୱବିଦ୍ୟାଳୟଗୁଡ଼ିକର କୁଳପତି, ଆଇସିଏଆର୍ ଅଧୀନସ୍ଥ ପ୍ରତିଷ୍ଠାନଗୁଡ଼ିକର ମୁଖ୍ୟ, କୃଷି ବିଜ୍ଞାନ କେନ୍ଦ୍ର (କେଭିକେ), ଏଟିଏମ୍ଏ ଏବଂ ଅନ୍ୟାନ୍ୟ ଅଂଶୀଦାରମାନଙ୍କ ପ୍ରତିନିଧିମାନେ ଯୋଗ ଦେଇଥିଲେ।

ନିଜ ଉଦ୍ଘାଟନୀ ଅଭିଭାଷଣରେ ଶ୍ରୀ ଚୌହାନ କହିଥିଲେ ଯେ ଆତ୍ମନିର୍ଭର ଓ ବିକଶିତ ଭାରତର ପରିକଳ୍ପନାକୁ ଆଗେଇ ନେବା ଦିଗରେ ରବି ୨୦୨୬ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ। କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ୱୟକୁ ସୁଦୃଢ଼ କରିବା, କୃଷି ଉତ୍ପାଦନ ଓ ଉତ୍ପାଦକତା ବୃଦ୍ଧି, ଦୀର୍ଘସ୍ଥାୟୀ କୃଷି ପଦ୍ଧତିକୁ ପ୍ରୋତ୍ସାହନ ଏବଂ କୃଷକଙ୍କ ଆୟ ବୃଦ୍ଧି ପାଇଁ ଏକ ସମନ୍ୱିତ ତଥା ଫଳାଫଳଭିତ୍ତିକ ରଣନୀତି ପ୍ରସ୍ତୁତ କରିବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ କହିଥିଲେ।
ଜଳ ଉପଲବ୍ଧତା ଆଧାରରେ ହେଉ ଫସଲ ଯୋଜନା
ରବି ଫସଲ ଯୋଜନା ପ୍ରସ୍ତୁତିରେ ଜଳ ବଜେଟ୍କୁ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ମାନଦଣ୍ଡ ଭାବେ ଗ୍ରହଣ କରିବାକୁ ଶ୍ରୀ ଚୌହାନ ପରାମର୍ଶ ଦେଇଛନ୍ତି। ଫସଲ ଯୋଜନା ଚୂଡ଼ାନ୍ତ କରିବା ପୂର୍ବରୁ ପ୍ରତ୍ୟେକ ରାଜ୍ୟ ଓ ଜିଲ୍ଲା ଜଳସେଚନ ପାଇଁ ଉପଲବ୍ଧ ଜଳର ଆକଳନ କରିବାକୁ ସେ କହିଛନ୍ତି। ଯେଉଁ ଅଞ୍ଚଳରେ ଜଳ ଉପଲବ୍ଧତା ସୀମିତ, ସେଠାରେ କମ୍ ଜଳ ଆବଶ୍ୟକ କରୁଥିବା ଡାଲି ଓ ତୈଳବୀଜ ଜାତୀୟ ଫସଲକୁ ପ୍ରାଥମିକତା ଦିଆଯିବା ଉଚିତ। ଅନ୍ୟପକ୍ଷରେ, ନିଶ୍ଚିତ ଜଳସେଚନ ସୁବିଧା ଥିବା ଅଞ୍ଚଳରେ ଜଳ ଉପଲବ୍ଧତା ଅନୁଯାୟୀ ଅନ୍ୟାନ୍ୟ ଫସଲ ଚାଷ ପାଇଁ ଯୋଜନା କରାଯାଇପାରିବ। ସେ କହିଛନ୍ତି ଯେ ଚଳିତ ବର୍ଷ ସ୍ୱାଭାବିକଠାରୁ କମ୍ ବର୍ଷା ହୋଇଥିଲେ ମଧ୍ୟ ଜାତୀୟ ସ୍ତରରେ ଗୁରୁତର ଜଳାଭାବ ଭଳି ପରିସ୍ଥିତି ସୃଷ୍ଟି ହୋଇନାହିଁ। ତେବେ କେତେକ ରାଜ୍ୟରେ ଜଳାଭାବ ଚିନ୍ତାର ବିଷୟ ହୋଇରହିଛି। ତେଣୁ ରାଜ୍ୟଗୁଡ଼ିକ ସମ୍ବେଦନଶୀଳ ଅଞ୍ଚଳରେ ଜଳ ଉପଲବ୍ଧତା ଏବଂ ମୃତ୍ତିକାର ଆର୍ଦ୍ରତା ଆକଳନ କରି ଆଗୁଆ ଜଳସେଚନ ବ୍ୟବସ୍ଥା କରିବା ଆବଶ୍ୟକ। ଶ୍ରୀ ଚୌହାନ କହିଛନ୍ତି, ‘‘ଅଧିକ ଜଳ ଆବଶ୍ୟକ କରୁଥିବା ଫସଲ ବୁଣାଯିବା ପରେ ପର୍ଯ୍ୟାପ୍ତ ଜଳ ଉପଲବ୍ଧ ନହେବା କାରଣରୁ ଫସଲ ନଷ୍ଟ ହେବା ଭଳି ପରିସ୍ଥିତି ସୃଷ୍ଟି ହେବା ଉଚିତ ନୁହେଁ।’’ ରବି ଫସଲ ବୁଣା ସମୟ ପାଖେଇ ଆସୁଥିବାରୁ ଏଥିପାଇଁ ତୁରନ୍ତ ପ୍ରସ୍ତୁତି ଆରମ୍ଭ କରିବାକୁ ସେ ଗୁରୁତ୍ୱାରୋପ କରିଛନ୍ତି।
ମରୁଡ଼ି ପ୍ରଭାବିତ ଅଞ୍ଚଳର ସ୍ଥିତି ଆକଳନ କରିବ କେନ୍ଦ୍ର
ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ମରୁଡ଼ି ପରିସ୍ଥିତିକୁ ନେଇ ଚିନ୍ତା ପ୍ରକାଶ କରି ଶ୍ରୀ ଚୌହାନ କହିଛନ୍ତି ଯେ ମହାରାଷ୍ଟ୍ରର ପ୍ରାୟ ଦୁଇ-ତୃତୀୟାଂଶ ଅଞ୍ଚଳ ମରୁଡ଼ି ଦ୍ୱାରା ପ୍ରଭାବିତ ହୋଇଛି ଏବଂ ରାଜ୍ୟ ସରକାର ମରୁଡ଼ି ଘୋଷଣା କରିଛନ୍ତି। ସେହିପରି କର୍ଣ୍ଣାଟକରେ ମଧ୍ୟ ମରୁଡ଼ି ଭଳି ପରିସ୍ଥିତି ଦେଖାଦେଇଛି। ଅକ୍ଟୋବର ୩ ତାରିଖରେ ଏକ କେନ୍ଦ୍ରୀୟ ଦଳ କର୍ଣ୍ଣାଟକ ଗସ୍ତ କରି ମରୁଡ଼ି ପ୍ରଭାବିତ ଅଞ୍ଚଳର ବାସ୍ତବ ସ୍ଥିତି ଆକଳନ କରିବ। ମହାରାଷ୍ଟ୍ରକୁ ମଧ୍ୟ ଏକ କେନ୍ଦ୍ରୀୟ ଦଳ ପଠାଯିବ। ଶ୍ରୀ ଚୌହାନ କହିଛନ୍ତି ଯେ ସେ ନିଜେ ତାଙ୍କ ଦଳ ସହିତ ପ୍ରଭାବିତ ରାଜ୍ୟଗୁଡ଼ିକ ଗସ୍ତ କରିବେ। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଓ ମାର୍ଗଦର୍ଶନରେ ଏହି ସଙ୍କଟ ସମୟରେ କେନ୍ଦ୍ର ସରକାର କୃଷକମାନଙ୍କ ସହ ଦୃଢ଼ ଭାବେ ଛିଡ଼ା ହୋଇଛନ୍ତି ବୋଲି ସେ ଆଶ୍ୱାସନା ଦେଇଛନ୍ତି। ସେ ଆହୁରି କହିଛନ୍ତି ଯେ ମହାରାଷ୍ଟ୍ର, କର୍ଣ୍ଣାଟକ, ତେଲଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶରେ ଜଳ ଉପଲବ୍ଧତା ଓ ମୃତ୍ତିକାର ଆର୍ଦ୍ରତା ଆଧାରରେ ଫସଲ ଯୋଜନା ପ୍ରସ୍ତୁତ କରିବା ଆବଶ୍ୟକ। ବର୍ଷା ଉପରେ ନିର୍ଭରଶୀଳ ଅଞ୍ଚଳ ଏବଂ ଜଳସେଚିତ ଅଞ୍ଚଳ ପାଇଁ ପୃଥକ ରଣନୀତି ପ୍ରସ୍ତୁତ କରାଯିବା ଉଚିତ। ଫସଲ ବୁଣିବାରେ ବିଳମ୍ବ ହେଲେ ବିହନର ଅଙ୍କୁରୋଦ୍ଗମ ସହିତ ଉତ୍ପାଦକତା ମଧ୍ୟ ପ୍ରଭାବିତ ହୋଇପାରେ ବୋଲି ସେ ସତର୍କ କରାଇଛନ୍ତି। ତେଣୁ ଠିକ୍ ସମୟରେ ବିହନ ବୁଣିବା ଏବଂ ଏଥିପାଇଁ ଆଗୁଆ ପ୍ରସ୍ତୁତି କରିବା ଅତ୍ୟନ୍ତ ଜରୁରୀ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି।
ଉନ୍ନତମାନର ବିହନର ସମୟୋଚିତ ଉପଲବ୍ଧତା ଉପରେ ପ୍ରାଥମିକତା
ରବି ଋତୁ ପ୍ରସ୍ତୁତିରେ ବିହନକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଉପାଦାନ ଭାବେ ଅଭିହିତ କରି ଶ୍ରୀ ଚୌହାନ ପ୍ରତ୍ୟେକ ଅଞ୍ଚଳ ଓ ସେଠାକାର କୃଷି-ଜଳବାୟୁ ପରିସ୍ଥିତି ପାଇଁ କେଉଁ କିସମର ବିହନ ସର୍ବାଧିକ ଉପଯୁକ୍ତ, ତାହା ତୁରନ୍ତ ନିର୍ଦ୍ଧାରଣ କରିବାକୁ ରାଜ୍ୟଗୁଡ଼ିକୁ ପରାମର୍ଶ ଦେଇଛନ୍ତି। କେତେକ ରାଜ୍ୟ ଠିକ୍ ସମୟରେ ପର୍ଯ୍ୟାପ୍ତ ପରିମାଣର ବିହନ ପାଇଁ ଚାହିଦା ରିପୋର୍ଟ ଦାଖଲ କରୁନାହାନ୍ତି କିମ୍ବା ଆବଶ୍ୟକ ପରିମାଣର ବିହନ ଉଠାଣ କରୁନାହାନ୍ତି। ଫଳରେ ଚାଷୀଙ୍କ ନିକଟରେ ବିହନ ପହଞ୍ଚିବାରେ ବିଳମ୍ବ ହେଉଛି। ଏହାକୁ ନେଇ ଶ୍ରୀ ଚୌହାନ ଉଦ୍ବେଗ ପ୍ରକାଶ କରିଛନ୍ତି। କେତେକ କ୍ଷେତ୍ରରେ ଉନ୍ନତ କିସମର ମୂଲ୍ୟବାନ ବିହନ ନିର୍ଦ୍ଧାରିତ ବୁଣା ସମୟ ଶେଷ ହେବା ପରେ ଚାଷୀଙ୍କ ନିକଟରେ ପହଞ୍ଚୁଛି। ଫଳସ୍ୱରୂପ, ସେହି ବିହନକୁ ପରବର୍ତ୍ତୀ ସମୟରେ ସାଧାରଣ ଖାଦ୍ୟଶସ୍ୟ ଦରରେ ବିକ୍ରି କରିବାକୁ ପଡ଼ୁଛି। ଏଭଳି ପରିସ୍ଥିତିକୁ ଏଡ଼ାଇବା ପାଇଁ ବିହନର ଚାହିଦା ଆକଳନ, କ୍ରୟ, ଉଠାଣ ଏବଂ ବଣ୍ଟନକୁ ନେଇ ଏକ ସମ୍ପୂର୍ଣ୍ଣ ରୋଡ୍ମ୍ୟାପ୍ ପ୍ରସ୍ତୁତ କରିବାକୁ ଶ୍ରୀ ଚୌହାନ ଆହ୍ୱାନ ଦେଇଛନ୍ତି।
ଡାଲି ଓ ତୈଳବୀଜ ଚାଷକୁ ପ୍ରୋତ୍ସାହନ, ସୁନିଶ୍ଚିତ ବଜାର ବ୍ୟବସ୍ଥା ଉପରେ ଗୁରୁତ୍ୱ
ଧାନ ଚାଷ ପରେ ଯେଉଁ ଅଞ୍ଚଳଗୁଡ଼ିକରେ ଜମି ପଡ଼ିଆ ରହିଯାଏ, ବିଶେଷକରି ସେଠାରେ ଡାଲି ଓ ତୈଳବୀଜ ଚାଷକୁ ପ୍ରୋତ୍ସାହନ ଦେବାକୁ ଶ୍ରୀ ଚୌହାନ ରାଜ୍ୟଗୁଡ଼ିକୁ ଆହ୍ୱାନ ଦେଇଛନ୍ତି। ଏହି ଫସଲଗୁଡ଼ିକ ତୁଳନାତ୍ମକଭାବେ କମ୍ ଜଳ ଆବଶ୍ୟକ କରିଥାନ୍ତି। ଡାଲି ଓ ଖାଇବା ତେଲ କ୍ଷେତ୍ରରେ ଦେଶକୁ ଆତ୍ମନିର୍ଭର କରିବାର ଜାତୀୟ ଲକ୍ଷ୍ୟ ପୂରଣରେ ଏଗୁଡ଼ିକର ଗୁରୁତ୍ୱ ରହିଛି। ପ୍ରତ୍ୟେକ ରାଜ୍ୟ ସେପ୍ଟେମ୍ବର ୨୯ ତାରିଖ ସୁଦ୍ଧା ନିଜର ରବି ଯୋଜନା ଚୂଡ଼ାନ୍ତ କରିବାକୁ ସେ କହିଛନ୍ତି। ଏହି ଯୋଜନାରେ ଡାଲି ଚାଷ ପାଇଁ କେତେ ଅଞ୍ଚଳରେ ଜମି ବ୍ୟବହାର କରାଯିବ ଏବଂ କେଉଁ କେଉଁ ଫସଲକୁ ପ୍ରୋତ୍ସାହନ ଦିଆଯିବ, ତାହା ସ୍ପଷ୍ଟ ଭାବେ ଉଲ୍ଲେଖ ରହିବା ଆବଶ୍ୟକ। ଏଥିରେ ଚଣା, ମସୁର ଓ ସୋରିଷ ଭଳି ଫସଲକୁ ସାମିଲ କରିବାକୁ କୁହାଯାଇଛି। ସେହି ସମୟରେ କେବଳ ଉତ୍ପାଦନ ଯୋଜନା କରିଦେଲେ ହେବ ନାହିଁ, ଏହା ସହିତ ସୁନିଶ୍ଚିତ ବଜାର ବ୍ୟବସ୍ଥା ମଧ୍ୟ ରହିବା ଆବଶ୍ୟକ ବୋଲି ଶ୍ରୀ ଚୌହାନ ଗୁରୁତ୍ୱାରୋପ କରିଛନ୍ତି। ଚାଷୀମାନେ ଯେପରି ସେମାନଙ୍କ ଉତ୍ପାଦିତ ଫସଲ ଠିକ୍ ସମୟରେ କିଣାଯିବ ବୋଲି ନିଶ୍ଚିତ ହୋଇପାରିବେ, ସେଥିପାଇଁ ବ୍ୟବସ୍ଥା କରିବାକୁ ସେ କହିଛନ୍ତି।
ଆଗୁଆ ପ୍ରସ୍ତୁତ ରହୁ ଖରିଦ ଯୋଜନା
କୃଷି ଉତ୍ପାଦନ ସହିତ ସମାନ୍ତରାଳ ଭାବେ ଫସଲ କ୍ରୟ ବ୍ୟବସ୍ଥାର ଯୋଜନା ପ୍ରସ୍ତୁତ କରିବାକୁ ଶ୍ରୀ ଚୌହାନ କହିଛନ୍ତି। ଏହା ଦ୍ୱାରା ଚାଷୀମାନେ ବଜାରକୁ ନେଇ ଆଶ୍ୱସ୍ତ ହୋଇପାରିବେ। ଯଦି ରାଜ୍ୟ ସରକାରଗୁଡ଼ିକ ଠିକ୍ ସମୟରେ ଫସଲ କ୍ରୟ କରିବାରେ ସକ୍ଷମ ନୁହନ୍ତି, ତେବେ କେନ୍ଦ୍ରୀୟ ନୋଡାଲ୍ ଏଜେନ୍ସି ନାଫେଡ୍ ଓ ଏନ୍ସିସିଏଫ୍ ଚାଷୀଙ୍କଠାରୁ ସିଧାସଳଖ ଫସଲ କ୍ରୟ କରିବେ। ତେବେ କ୍ରୟ ପ୍ରକ୍ରିୟାରେ ବିଳମ୍ବ ନହେବା ପାଇଁ ମଣ୍ଡି ସମ୍ପର୍କିତ ଆବଶ୍ୟକତା ଓ ଅନ୍ୟାନ୍ୟ ବ୍ୟବସ୍ଥାରେ ରାଜ୍ୟଗୁଡ଼ିକ ଠିକ୍ ସମୟରେ ଆବଶ୍ୟକ ସହଯୋଗ ଯୋଗାଇଦେବା ଆବଶ୍ୟକ ବୋଲି ସେ କହିଛନ୍ତି। ମୂଲ୍ୟ ସହାୟତା ଯୋଜନା (PSS) ଅଧୀନରେ ଡାଲି ଓ ତୈଳବୀଜ କ୍ରୟ ପାଇଁ କେନ୍ଦ୍ର ସରକାର ବଡ଼ ଧରଣରେ ପ୍ରସ୍ତାବ ଅନୁମୋଦନ କରିଛନ୍ତି ବୋଲି ଶ୍ରୀ ଚୌହାନ କହିବା ସହ ରାଜ୍ୟଗୁଡ଼ିକୁ ଏହି ବ୍ୟବସ୍ଥାର ସର୍ବାଧିକ ଉପଯୋଗ କରିବାକୁ ଆହ୍ୱାନ ଦେଇଛନ୍ତି। କେତେକ ରାଜ୍ୟ ଫସଲ କ୍ରୟ ପାଇଁ ପ୍ରସ୍ତାବ ଦାଖଲ କରିବା ପରେ ପରବର୍ତ୍ତୀ ସମୟରେ ବାସ୍ତବରେ କ୍ରୟ କରୁନାହାନ୍ତି ବୋଲି ମଧ୍ୟ ସେ ଉଲ୍ଲେଖ କରିଛନ୍ତି। ତେଣୁ ରାଜ୍ୟଗୁଡ଼ିକୁ ବିହନ ଉପଲବ୍ଧତା, ବଣ୍ଟନ, ଉତ୍ପାଦନ ଏବଂ ବଜାର ବ୍ୟବସ୍ଥା ସମେତ ସମ୍ପୂର୍ଣ୍ଣ ଫସଲ କ୍ରୟ ରୋଡ୍ମ୍ୟାପ୍ ପ୍ରସ୍ତୁତ କରିବାକୁ ପଡ଼ିବ। ଏହା ସହିତ ବିହନ ଯୋଜନା ପ୍ରସ୍ତୁତ ସମୟରେ ଚାଷୀମାନଙ୍କ ସହ ପରାମର୍ଶ କରିବା ଏବଂ କୃଷି ବିଜ୍ଞାନ କେନ୍ଦ୍ରର ବ୍ୟାପକ ନେଟୱର୍କର ପ୍ରଭାବଶାଳୀ ଉପଯୋଗ କରିବାକୁ ଶ୍ରୀ ଚୌହାନ ପରାମର୍ଶ ଦେଇଛନ୍ତି।
ସନ୍ତୁଳିତ ସାର ବ୍ୟବହାର ଓ ‘ଖେତ ବଚାଓ ଅଭିଯାନ’ର ସମ୍ପ୍ରସାରଣ
ସାରର ସନ୍ତୁଳିତ ବ୍ୟବହାର ଉପରେ ଅଧିକ ଗୁରୁତ୍ୱ ଦେବାକୁ ଶ୍ରୀ ଚୌହାନ ଆହ୍ୱାନ ଦେଇଛନ୍ତି। ଗୋଟିଏ ଫସଲ ପାଇଁ ଯଦି ଗୋଟିଏ ବସ୍ତା ସାର ଯଥେଷ୍ଟ, ତେବେ ଦୁଇଟି ବସ୍ତା ପ୍ରୟୋଗ କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି। ଅତ୍ୟଧିକ ସାର ବ୍ୟବହାର ଦ୍ୱାରା ଚାଷ ଖର୍ଚ୍ଚ ବଢ଼ିବା ସହ ମାଟିର ସ୍ୱାସ୍ଥ୍ୟ ମଧ୍ୟ ପ୍ରଭାବିତ ହୋଇପାରେ। ଖରିଫ ଋତୁରେ ଆରମ୍ଭ କରାଯାଇଥିବା ‘ଖେତ ବଚାଓ ଅଭିଯାନ’କୁ ରବି ଋତୁରେ ମଧ୍ୟ ସମ୍ପ୍ରସାରଣ କରିବାକୁ ସେ ରାଜ୍ୟଗୁଡ଼ିକୁ ଆହ୍ୱାନ ଦେଇଛନ୍ତି। ଦକ୍ଷିଣ ଭାରତର କେତେକ ରାଜ୍ୟର ଅଭିଜ୍ଞତାର ଉଦାହରଣ ଦେଇ ସେ କହିଛନ୍ତି ଯେ ସେଠାରେ ସାର ବ୍ୟବହାର ହ୍ରାସ ପାଇଥିଲେ ମଧ୍ୟ କୃଷି ଉତ୍ପାଦନ ପ୍ରଭାବିତ ହୋଇନାହିଁ। ଏଭଳି ଅଭିଜ୍ଞତାକୁ ଅନ୍ୟ ରାଜ୍ୟଗୁଡ଼ିକ ସହ ବାଣ୍ଟିବା ଏବଂ ସେଗୁଡ଼ିକୁ ଅନୁସରଣ କରିବାକୁ ସେ ଆହ୍ୱାନ ଦେଇଛନ୍ତି। କୃଷି ବିଜ୍ଞାନୀମାନଙ୍କ ସହଯୋଗରେ ଚାଷୀମାନଙ୍କୁ ସନ୍ତୁଳିତ ଭାବେ ସାର ପ୍ରୟୋଗ ପାଇଁ ଉତ୍ସାହିତ କରିବାକୁ ରାଜ୍ୟଗୁଡ଼ିକୁ ସେ କହିଛନ୍ତି। ଆବଶ୍ୟକ ହେଲେ କେନ୍ଦ୍ର ସରକାର ବୈଜ୍ଞାନିକ ସହାୟତା ଯୋଗାଇବାକୁ ପ୍ରସ୍ତୁତ ବୋଲି ଶ୍ରୀ ଚୌହାନ କହିଛନ୍ତି। ସେହିପରି ସାରର ଠିକ୍ ସମୟରେ ଉପଲବ୍ଧତା ଓ ବଣ୍ଟନ ଉପରେ ମଧ୍ୟ ସେ ଗୁରୁତ୍ୱ ଦେଇଛନ୍ତି। ସାର ବଣ୍ଟନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ପ୍ରକୃତ ଚାଷୀଙ୍କ ନିକଟରେ ସାର ପହଞ୍ଚିବା ସୁନିଶ୍ଚିତ କରିବା ସହିତ ଏହାର ବେଆଇନ ହସ୍ତାନ୍ତର ଓ କଳାବଜାରୀ ରୋକିବା ପାଇଁ କୃଷକ ପରିଚୟପତ୍ର ଆଧାରିତ ପାଇଲଟ୍ ପଦକ୍ଷେପ ନିଆଯାଇଥିବା ସେ ଉଲ୍ଲେଖ କରିଛନ୍ତି। ସାର ସବ୍ସିଡି ବାବଦରେ କେନ୍ଦ୍ର ସରକାର ବର୍ତ୍ତମାନ ପ୍ରାୟ ୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ବୋଲି ଶ୍ରୀ ଚୌହାନ କହିଛନ୍ତି। ଏହି ସବ୍ସିଡି ଯୋଗୁଁ ଚାଷୀମାନେ କମ୍ ଦରରେ ସାର ପାଉଛନ୍ତି—ଏଥିରେ ୟୁରିଆର ଦର ପ୍ରତି ବସ୍ତା ୨୬୬ ଟଙ୍କା ଏବଂ ଡିଏପିର ଦର ପ୍ରତି ବସ୍ତା ୧,୩୫୦ ଟଙ୍କା ରହିଛି। ଏଭଳି ସବ୍ସିଡିଯୁକ୍ତ କୃଷି ଉପକରଣର ସନ୍ତୁଳିତ ବ୍ୟବହାର ସୁନିଶ୍ଚିତ କରିବା ମଧ୍ୟ ରାଜ୍ୟଗୁଡ଼ିକର ଦାୟିତ୍ୱ ବୋଲି ସେ କହିଛନ୍ତି।
ପ୍ରାକୃତିକ କୃଷି: ବ୍ରାଣ୍ଡିଂ, ବିପଣନ ଓ ପ୍ରମାଣପତ୍ର ଉପରେ ଗୁରୁତ୍ୱ
ଚାଷୀମାନେ ପ୍ରାକୃତିକ କୃଷିକୁ ଗ୍ରହଣ କରିବା ପାଇଁ ଧୀରେ ଧୀରେ ଅଧିକ ପ୍ରସ୍ତୁତ ହେଉଛନ୍ତି ଏବଂ ପଞ୍ଜୀକରଣ କ୍ଷେତ୍ରରେ ମଧ୍ୟ ଅଗ୍ରଗତି ହୋଇଛି ବୋଲି ଶ୍ରୀ ଚୌହାନ କହିଛନ୍ତି। ଏବେ ରାଜ୍ୟଗୁଡ଼ିକୁ ପ୍ରାକୃତିକ କୃଷିଜାତ ଉତ୍ପାଦର ବ୍ରାଣ୍ଡିଂ ଓ ବିପଣନ ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ। ଆନ୍ଧ୍ରପ୍ରଦେଶ, ଗୁଜରାଟ ଓ ହିମାଚଳ ପ୍ରଦେଶର ଉଦାହରଣ ଦେଇ ସେ କହିଛନ୍ତି ଯେ ଏହି ରାଜ୍ୟଗୁଡ଼ିକ ପ୍ରାକୃତିକ କୃଷିଜାତ ଉତ୍ପାଦ ପାଇଁ ନିଜସ୍ୱ ବ୍ରାଣ୍ଡ ବିକଶିତ କରିବା ସହ ବଜାରରେ ସେମାନଙ୍କର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଫଳରେ ଏହି ଉତ୍ପାଦଗୁଡ଼ିକୁ ଭଲ ଦର ମିଳୁଛି। ପ୍ରମାଣପତ୍ର ପ୍ରଦାନ ପ୍ରକ୍ରିୟା ଯେପରି ଚାଷୀଙ୍କ ପାଇଁ ପ୍ରତିବନ୍ଧକ ନହୁଏ ଏବଂ ପ୍ରାକୃତିକ କୃଷିଜାତ ଉତ୍ପାଦକୁ ବଜାରରେ ଉପଯୁକ୍ତ ସ୍ୱୀକୃତି ମିଳେ, ତାହା ନିଶ୍ଚିତ କରିବାକୁ ରାଜ୍ୟଗୁଡ଼ିକୁ ସେ ଆହ୍ୱାନ ଦେଇଛନ୍ତି।
କିଷାନ କ୍ରେଡିଟ୍ କାର୍ଡ ଓ ଫାର୍ମର ଆଇଡିର ଅଧିକ ବ୍ୟାପକ କଭରେଜ୍ ଆବଶ୍ୟକ
ପିଏମ୍-କିଷାନ ଯୋଜନା ଅଧୀନରେ ପ୍ରାୟ ୯.୫୪ କୋଟି କୃଷକ ପରିବାର ସାମିଲ ହୋଇଥିବା ବେଳେ ଅନେକ ଅଞ୍ଚଳରେ ‘କିଷାନ କ୍ରେଡିଟ୍ କାର୍ଡ (KCC)’ର କଭରେଜ୍ ଏବେ ବି ଅପର୍ଯ୍ୟାପ୍ତ ବୋଲି ଶ୍ରୀ ଚୌହାନ କହିଛନ୍ତି। ବିଶେଷକରି କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କ ମଧ୍ୟରେ କେସିସିର କଭରେଜ୍ ବୃଦ୍ଧି କରିବା ଆବଶ୍ୟକ। କେସିସି କଭରେଜ୍ କମ୍ ଥିବା ଅଞ୍ଚଳଗୁଡ଼ିକୁ ଚିହ୍ନଟ କରିବା ସହ ବ୍ୟାଙ୍କ ସ୍ତରରେ ଋଣ ମଞ୍ଜୁରୀରେ ରହିଥିବା ସମସ୍ୟାଗୁଡ଼ିକୁ ଯାଞ୍ଚ କରିବାକୁ ସେ ରାଜ୍ୟଗୁଡ଼ିକୁ କହିଛନ୍ତି। ଯାହା ଫଳରେ କୃଷି ନିବେଶ ପାଇଁ ଆବଶ୍ୟକ ସମୟରେ ଚାଷୀମାନେ ଋଣ ପାଇପାରିବେ। ତେବେ ଚାଷୀମାନଙ୍କୁ ଋଣ ନେବାକୁ ପ୍ରୋତ୍ସାହିତ କରିବା ଏହାର ଉଦ୍ଦେଶ୍ୟ ନୁହେଁ ବୋଲି ସେ ସ୍ପଷ୍ଟ କରିଛନ୍ତି। କୃଷି ପାଇଁ ସମୟୋପଯୋଗୀ ପୁଞ୍ଜି ଆବଶ୍ୟକ କରୁଥିବା ଚାଷୀମାନେ ଯେପରି ଆନୁଷ୍ଠାନିକ ଋଣ ପାଇପାରିବେ, ତାହା ସୁନିଶ୍ଚିତ କରିବା ହିଁ ଲକ୍ଷ୍ୟ ବୋଲି ସେ କହିଛନ୍ତି।
ଫସଲ, ରୋଗ ଓ ବଜାର ଦରର ସାପ୍ତାହିକ ନିରୀକ୍ଷଣ
ପ୍ରତ୍ୟେକ ରାଜ୍ୟରେ ଫସଲର ସ୍ଥିତି, ବୁଣା କାର୍ଯ୍ୟର ଅଗ୍ରଗତି, ଅଙ୍କୁରୋଦ୍ଗମ, କୀଟପତଙ୍ଗ ଓ ରୋଗ ଆକ୍ରମଣ ସହ ବଜାର ଦରର ସାପ୍ତାହିକ ନିରୀକ୍ଷଣ କରିବାକୁ ଶ୍ରୀ ଚୌହାନ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, ବାସ୍ତବ ସମୟର ତଥ୍ୟ ଉପଲବ୍ଧ ହେଲେ ବିଭିନ୍ନ ସମସ୍ୟାଗୁଡ଼ିକୁ ଆଗୁଆ ଚିହ୍ନଟ କରି ଅବିଳମ୍ବେ ସଂଶୋଧନମୂଳକ ପଦକ୍ଷେପ ନିଆଯାଇପାରିବ। ଏଣୁ କୃଷି ବିଭାଗ ଏବଂ ସମ୍ପୃକ୍ତ ଏଜେନ୍ସିଗୁଡ଼ିକ ଭୂମିସ୍ତରର ସ୍ଥିତି ଉପରେ ନିରନ୍ତର ନଜର ରଖିବା ଆବଶ୍ୟକ। କୃଷି ମନ୍ତ୍ରଣାଳୟ ମଧ୍ୟ ଜାତୀୟ ସ୍ତରରେ ପ୍ରତି ସପ୍ତାହରେ ଫସଲର ସ୍ଥିତି, ବଜାର ଦର ଓ ରୋଗର ପ୍ରାଦୁର୍ଭାବ ସମ୍ପର୍କରେ ସମୀକ୍ଷା କରୁଛି ବୋଲି ସେ କହିଛନ୍ତି। ଏହା ଦ୍ୱାରା ଆବଶ୍ୟକ ସ୍ଥାନରେ ସମୟୋପଯୋଗୀ ହସ୍ତକ୍ଷେପ କରିବା ସମ୍ଭବ ହେଉଛି।
ଏହି ଅବସରରେ କୃଷି ଓ କୃଷକ କଲ୍ୟାଣ ବିଭାଗର ସଚିବ ଶ୍ରୀ ଅତୀଶ ଚନ୍ଦ୍ର କହିଛନ୍ତି ଯେ ପରିବର୍ତ୍ତିତ ପାଣିପାଗ, ଅସମାନ ବର୍ଷା ଏବଂ ବର୍ଷା ଉପରେ ନିର୍ଭରଶୀଳ ଅଞ୍ଚଳରେ ଆର୍ଦ୍ରତାଜନିତ ସମସ୍ୟା ମଧ୍ୟରେ କୃଷି ବିବିଧୀକରଣ, ସ୍ଥାୟୀ କୃଷି ଏବଂ ଗବେଷଣାଭିତ୍ତିକ କୃଷି ପଦ୍ଧତିକୁ ପ୍ରୋତ୍ସାହନ ଦେବା ଅତ୍ୟନ୍ତ ଜରୁରୀ। କୃଷକଙ୍କ ଆୟ ବୃଦ୍ଧି ଏବଂ ଆତ୍ମନିର୍ଭର କୃଷିର ଲକ୍ଷ୍ୟ ହାସଲ ପାଇଁ ‘ପ୍ରତି ବୁନ୍ଦାରେ ଅଧିକ ଫସଲ’, ମୃତ୍ତିକା ସ୍ୱାସ୍ଥ୍ୟ ପରିଚାଳନା, ଆଧୁନିକ କୃଷି ଭିତ୍ତିଭୂମି, ସୁଦୃଢ଼ ବଜାର ବ୍ୟବସ୍ଥା ଏବଂ ଡିଜିଟାଲ କୃଷି ସମାଧାନ ଭଳି ପଦକ୍ଷେପ ଉପରେ ଠୋସ୍ କାର୍ଯ୍ୟ କରିବା ଆବଶ୍ୟକ ବୋଲି ସେ କହିଛନ୍ତି। ଏହି ସୁବିଧାଗୁଡ଼ିକ ଯେପରି ଶେଷ ସ୍ତରର ଚାଷୀଙ୍କ ନିକଟରେ ପହଞ୍ଚେ, ତାହା ସୁନିଶ୍ଚିତ କରିବାକୁ ମଧ୍ୟ ସେ ଗୁରୁତ୍ୱ ଦେଇଛନ୍ତି।
କୃଷି ଗବେଷଣା ଓ ଶିକ୍ଷା ବିଭାଗର ସଚିବ ତଥା ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ମହାନିର୍ଦ୍ଦେଶକ ଡ. ମାଙ୍ଗି ଲାଲ ଜାଟ୍ ତାଙ୍କ ଅଭିଭାଷଣରେ ଆଗାମୀ ରବି ଅଭିଯାନ ପାଇଁ ଆତ୍ମନିର୍ଭରଶୀଳତା, ଫସଲ ବିବିଧୀକରଣ, ଜଳବାୟୁ ସହନଶୀଳ ଓ ସ୍ଥାୟୀ କୃଷି, ଡିଜିଟାଲ କୃଷି ଏବଂ ଝୁମ୍ପ ହ୍ରାସକୁ ପ୍ରମୁଖ ପ୍ରାଥମିକତା ଭାବେ ଚିହ୍ନଟ କରିଛନ୍ତି। ଡ. ଜାଟ୍ ସୂଚନା ଦେଇଛନ୍ତି ଯେ ଆଗାମୀ ଋତୁରେ ୬ଟି ରାଜ୍ୟର ୩୭ଟି ଜିଲ୍ଲାର ୧୦,୦୦୦ ଏକର ଜମିରେ ଗ୍ରୀନ୍ ଆମୋନିଆର ବ୍ୟାପକ ପ୍ରଦର୍ଶନୀମୂଳକ ପ୍ରୟୋଗ କରାଯିବାର ଯୋଜନା ରହିଛି।
ରବି ଋତୁ ପାଇଁ କାର୍ଯ୍ୟଯୋଜନା ପ୍ରସ୍ତୁତ କରିବ ଦୁଇଦିନିଆ ସମ୍ମିଳନୀ
ଏହି ଦୁଇଦିନିଆ ଜାତୀୟ କୃଷି ସମ୍ମିଳନୀରେ କେନ୍ଦ୍ର ଓ ରାଜ୍ୟର ବରିଷ୍ଠ ଅଧିକାରୀ, ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ବୈଜ୍ଞାନିକ ଏବଂ କୃଷି ମନ୍ତ୍ରାଳୟର ବିଭିନ୍ନ ଟିମ୍ ଅଂଶଗ୍ରହଣ କରୁଛନ୍ତି। ପ୍ରଥମ ଦିନରେ ତିନିଟି ପର୍ଯ୍ୟାୟରେ ବିଷୟଭିତ୍ତିକ ଗୋଷ୍ଠୀ ଆଲୋଚନା ହେବ। ଏଥିରେ ଆତ୍ମନିର୍ଭରଶୀଳତା ଓ ଫସଲ ବିବିଧକରଣ, ସ୍ଥାୟୀ ତଥା ଜଳବାୟୁ ସହନଶୀଳ କୃଷି, ଡିଜିଟାଲ କୃଷି, କୃଷି ଭିତ୍ତିଭୂମି, ଅର୍ଥଯୋଗାଣ ଓ ବିପଦ ପରିଚାଳନା ଆଦି ବିଷୟରେ ଆଲୋଚନା ହେବ। ସେପ୍ଟେମ୍ବର ୨୯ ତାରିଖରେ ଶ୍ରୀ ଚୌହାନ ବିଭିନ୍ନ ରାଜ୍ୟର କୃଷିମନ୍ତ୍ରୀମାନଙ୍କ ସହ ବିସ୍ତୃତ ଆଲୋଚନା କରିବେ। ସମ୍ମିଳନୀର ଶେଷ ଅଧିବେଶନରେ ଆଲୋଚନାରୁ ମିଳିଥିବା ଫଳାଫଳଗୁଡ଼ିକୁ ଏକତ୍ର କରାଯାଇ ରବି ଉତ୍ପାଦନ ବୃଦ୍ଧି, ଚାଷୀଙ୍କୁ ସଶକ୍ତ କରିବା ଏବଂ ଆତ୍ମନିର୍ଭର ଓ ବିକଶିତ ଭାରତର ଲକ୍ଷ୍ୟକୁ ଆଗେଇ ନେବା ପାଇଁ ଏକ ସୁଦୃଢ଼ କାର୍ଯ୍ୟଯୋଜନା ପ୍ରସ୍ତୁତ କରାଯିବ। ରାଜ୍ୟଗୁଡ଼ିକର କୃଷିମନ୍ତ୍ରୀମାନେ ମଧ୍ୟ କୃଷି ବିକାଶ ଏବଂ ରବି ଋତୁ ପାଇଁ ପ୍ରସ୍ତୁତି ସମ୍ପର୍କରେ ନିଜ ଅନୁଭୂତି, ପ୍ରାଥମିକତା ଓ ପରାମର୍ଶ ରଖିବାର ସୁଯୋଗ ପାଇବେ। ରାଜ୍ୟଗୁଡ଼ିକର ପ୍ରସ୍ତାବ ଏବଂ ବିଷୟଭିତ୍ତିକ ଆଲୋଚନାର ଫଳାଫଳକୁ ଆଧାର କରି ରବି ଅଭିଯାନ ୨୦୨୬ ପାଇଁ ଏକ ସମନ୍ୱିତ ଓ ଫଳାଫଳମୁଖୀ ରଣନୀତି ପ୍ରସ୍ତୁତ ହେବ ବୋଲି ଆଶା କରାଯାଉଛି।
TKM
(ରିଲିଜ ଆଡି: 2316341)
ପରିଦର୍ଶକ କାଉଣ୍ଟର : 5