ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ବ୍ରିକ୍ସ ନୂଆଦିଲ୍ଲୀ ଘୋଷଣାନାମା: ସ୍ଥିରତା, ନବସୃଜନ, ସହଯୋଗ ଓ ସ୍ଥାୟୀ ବିକାଶର ନିର୍ମାଣ
ପୋଷ୍ଟ କରାଯିବା ଦିନାଙ୍କ:
12 SEP 2026 6:11PM by PIB Bhubaneswar
୧. ଆମେ, ବ୍ରିକ୍ସ ଦେଶଗୁଡ଼ିକର ନେତାମାନେ, “ସ୍ଥିରତା, ନବସୃଜନ, ସହଯୋଗ ଓ ସ୍ଥାୟୀ ବିକାଶର ନିର୍ମାଣ” ବିଷୟବସ୍ତୁକୁ ନେଇ ଆୟୋଜିତ ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ୨୦୨୬ ସେପ୍ଟେମ୍ବର ୧୨ରୁ ୧୩ ତାରିଖ ପର୍ଯ୍ୟନ୍ତ ଭାରତର ନୂଆଦିଲ୍ଲୀରେ ଏକାଠି ହୋଇଥିଲୁ।
୨. ପାରସ୍ପରିକ ସମ୍ମାନ ଓ ବୁଝାମଣା, ସାର୍ବଭୌମ ସମାନତା, ଏକତା, ଗଣତନ୍ତ୍ର, ଖୋଲା ମନୋଭାବ, ସମାବେଶୀତା, ସହଯୋଗ ଓ ସହମତି—ଏହି ବ୍ରିକ୍ସ ମନୋଭାବ ପ୍ରତି ଆମର ପ୍ରତିବଦ୍ଧତାକୁ ଆମେ ପୁଣିଥରେ ନିଶ୍ଚିତ କରୁଛୁ। ବ୍ରିକ୍ସର ଦୁଇ ଦଶନ୍ଧିର ଯାତ୍ରାକୁ ଆଧାର କରି, ବିସ୍ତାରିତ ବ୍ରିକ୍ସରେ ରାଜନୈତିକ ଓ ସୁରକ୍ଷା, ଆର୍ଥିକ ଓ ଅର୍ଥବ୍ୟବସ୍ଥା, ସାଂସ୍କୃତିକ ଓ ଲୋକଙ୍କ ମଧ୍ୟରେ ସମ୍ପର୍କ—ଏହି ତିନିଟି ସ୍ତମ୍ଭ ଉପରେ ସହଯୋଗକୁ ଆହୁରି ମଜବୁତ କରିବାକୁ ଆମେ ପ୍ରତିବଦ୍ଧ। ଶାନ୍ତିପୂର୍ଣ୍ଣ, ଅଧିକ ପ୍ରତିନିଧିତ୍ୱ ଥିବା ଓ ଅଧିକ ନ୍ୟାୟସଙ୍ଗତ ଅନ୍ତର୍ଜାତୀୟ ବ୍ୟବସ୍ଥା, ଶକ୍ତିଶାଳୀ ଓ ସଂସ୍କାରିତ ବହୁପକ୍ଷୀୟ ବ୍ୟବସ୍ଥା, ସ୍ଥାୟୀ ବିକାଶ ଏବଂ ସମସ୍ତଙ୍କୁ ସାମିଲ କରି ଆର୍ଥିକ ବିକାଶ ମାଧ୍ୟମରେ ଆମ ଲୋକଙ୍କ ହିତ ପାଇଁ ରଣନୈତିକ ଭାଗୀଦାରିକୁ ଆହୁରି ମଜବୁତ କରିବୁ।
୩. ବ୍ରିକ୍ସ ସହଯୋଗରେ ସହଭାଗୀ ଦେଶଗୁଡ଼ିକର ମୂଲ୍ୟବାନ ଅବଦାନକୁ ଆମେ ସ୍ୱୀକାର କରୁଛୁ। ଉଦୀୟମାନ ବଜାର ଓ ବିକାଶଶୀଳ ଦେଶ (EMDCs)ଙ୍କ ସହ ବ୍ରିକ୍ସର ଭାଗୀଦାରିକୁ ଆଗକୁ ବଢ଼ାଇଲେ ସମସ୍ତଙ୍କ ହିତ ପାଇଁ ଏକତା ଓ ଅନ୍ତର୍ଜାତୀୟ ସହଯୋଗର ଭାବନା ଆହୁରି ମଜବୁତ ହେବ ବୋଲି ଆମର ଦୃଢ଼ ବିଶ୍ୱାସ।
ସହଭାଗୀ ଦେଶଗୁଡ଼ିକ ସହ ସମାବେଶୀ, ପାରସ୍ପରିକ ଲାଭଦାୟକ ଏବଂ ବିକାଶମୁଖୀ ଭାଗୀଦାରି ବଢ଼ାଇବା ପାଇଁ ଆମେ ପ୍ରତିବଦ୍ଧ। ସମସ୍ତଙ୍କ ସାଧାରଣ ହିତ ସହ ଜଡ଼ିତ କ୍ଷେତ୍ରରେ ବ୍ରିକ୍ସର ବିଭିନ୍ନ କାର୍ଯ୍ୟକ୍ରମ ଓ ବ୍ୟବହାରିକ ସହଯୋଗରେ ସେମାନଙ୍କର ଅଧିକ ଭାଗୀଦାରିକୁ ଆମେ ଉତ୍ସାହିତ କରୁଛୁ।
୪. ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ଆଉଟରିଚ୍ /ବ୍ରିକ୍ସ ପ୍ଲସ ଡାଇଲଗ୍ ଅଧିବେଶନ ଆୟୋଜନ କରିଥିବାରୁ ଆମେ ଭାରତକୁ ପ୍ରଶଂସା କରୁଛୁ। ଏହା ଅନ୍ତର୍ଜାତୀୟ ସହଯୋଗ ଓ ଏକତାକୁ ଆହୁରି ମଜବୁତ କରିବାରେ ନୂଆ ଗତି ଦେଇଛି।
୫. ୨୦୨୬ରେ ଭାରତର ବ୍ରିକ୍ସ ଅଧ୍ୟକ୍ଷତା ସମୟରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତିକୁ ଆମେ ସ୍ୱାଗତ କରୁଛୁ। “ସ୍ଥିରତା, ନବସୃଜନ, ସହଯୋଗ ଓ ସ୍ଥାୟୀ ବିକାଶ ପାଇଁ ନିର୍ମାଣ” ବିଷୟବସ୍ତୁ ମାଧ୍ୟମରେ ସାଧାରଣ ଆହ୍ୱାନଗୁଡ଼ିକର ସମାଧାନ ପାଇଁ ବ୍ରିକ୍ସ ସହଯୋଗକୁ ସନ୍ତୁଳିତ, ବ୍ୟବହାରିକ, କାର୍ଯ୍ୟକାରୀ, ସମାବେଶୀ, ବିକାଶମୁଖୀ ଓ ଲୋକକେନ୍ଦ୍ରିକ ଭାବରେ ମଜବୁତ କରିବାର ଆମର ସାଧାରଣ ପ୍ରତିବଦ୍ଧତା ପ୍ରକାଶ ପାଇଛି। ବିଶେଷକରି କ୍ଷମତା ବୃଦ୍ଧି, ନବସୃଜନକୁ ପ୍ରୋତ୍ସାହନ, ସ୍ଥାୟୀ ବିକାଶ ଓ ସ୍ଥିରତାକୁ ଆଗକୁ ବଢ଼ାଇବା ମାଧ୍ୟମରେ ଏହି ପ୍ରାଥମିକତା କ୍ଷେତ୍ରରେ ସହଯୋଗକୁ ଆଗେଇ ନେବା ପାଇଁ ଆମେ ପ୍ରତିବଦ୍ଧ।
୬. ବ୍ରିକ୍ସ ସହଯୋଗ ଢାଞ୍ଚା ଅଧୀନରେ ଭାରତର ୩୦ଟି ସହରରେ ମନ୍ତ୍ରୀ, ସାଂସଦ, ବିଭିନ୍ନ ସଂସ୍ଥାର ମୁଖ୍ୟ, ଅଧିକାରୀ, ବିଶେଷଜ୍ଞ, ବ୍ୟବସାୟୀ ଓ ସାଧାରଣ ଲୋକଙ୍କ ସ୍ତରରେ ୪୦୦ରୁ ଅଧିକ ବୈଠକ ଓ କାର୍ଯ୍ୟକ୍ରମ ଆୟୋଜନ ହୋଇଥିବାରୁ ଆମେ ଏହାକୁ ସ୍ୱାଗତ କରୁଛୁ। ଏହି କାର୍ଯ୍ୟକ୍ରମଗୁଡ଼ିକ ବ୍ରିକ୍ସର ରଣନୈତିକ ଭାଗୀଦାରିକୁ ମଜବୁତ କରିବାରେ ସହାୟକ ହୋଇଛି। ସାମୂହିକ ସ୍ଥିରତା ବଢ଼ାଇବା, ନବସୃଜନ ଆଧାରିତ ଆର୍ଥିକ ବିକାଶକୁ ପ୍ରୋତ୍ସାହନ, ସ୍ଥାୟୀ ବିକାଶକୁ ଆଗକୁ ବଢ଼ାଇବା, ଲୋକଙ୍କ ମଧ୍ୟରେ ସମ୍ପର୍କ ଓ ଆଦାନପ୍ରଦାନ ବଢ଼ାଇବା ଏବଂ ବିଶ୍ୱ ପରିଚାଳନା ବ୍ୟବସ୍ଥାରେ ବ୍ରିକ୍ସର ଅଧିକ ପ୍ରତିନିଧିତ୍ୱ ପାଇଁ ଏହାର ସ୍ୱରକୁ ଅଧିକ ଶକ୍ତିଶାଳୀ କରିବା ଦିଗରେ ହୋଇଥିବା ଅଗ୍ରଗତିକୁ ଆମେ ସ୍ୱାଗତ କରୁଛୁ।
ସମାବେଶୀ ବିଶ୍ୱ ଶାସନ ଓ ବହୁପକ୍ଷୀୟ ବ୍ୟବସ୍ଥାକୁ ମଜବୁତ କରିବା
୭. ବ୍ରିକ୍ସର ୨୦ତମ ବାର୍ଷିକୀର ଏହି ଐତିହାସିକ ଅବସରରେ ଆମେ ଏକ ଅଧିକ ନ୍ୟାୟସଙ୍ଗତ, ସମାନ, ଦ୍ରୁତ, ପ୍ରଭାବଶାଳୀ, ଦକ୍ଷ, ଦାୟିତ୍ୱଶୀଳ, ପ୍ରତିନିଧିତ୍ୱମୂଳକ, ବୈଧ, ଗଣତାନ୍ତ୍ରିକ ଓ ଉତ୍ତରଦାୟୀ ଅନ୍ତର୍ଜାତୀୟ ଏବଂ ବହୁପକ୍ଷୀୟ ବ୍ୟବସ୍ଥା ଗଠନ ପାଇଁ ବିଶ୍ୱ ଶାସନ ବ୍ୟବସ୍ଥାରେ ସଂସ୍କାର ଓ ଉନ୍ନତି ଆଣିବା ପ୍ରତି ଆମର ପ୍ରତିବଦ୍ଧତାକୁ ପୁଣିଥରେ ପ୍ରକାଶ କରୁଛୁ। ବର୍ତ୍ତମାନର ଅନ୍ତର୍ଜାତୀୟ ସମ୍ପର୍କର ଢାଞ୍ଚାକୁ ଆଜିର ବାସ୍ତବତା ଅନୁଯାୟୀ ଅଧିକ ଉପଯୋଗୀ କରିବାର ଆବଶ୍ୟକତାକୁ ମନେ ରଖି, ଆମେ ବହୁପକ୍ଷୀୟତା ଓ ବହୁଧ୍ରୁବୀୟତାକୁ ମଜବୁତ କରିବା ପାଇଁ ପୁଣିଥରେ ପ୍ରତିବଦ୍ଧତା ପ୍ରକାଶ କରୁଛୁ। ଏଥିସହ ଆମେ ଅନ୍ତର୍ଜାତୀୟ ଆଇନକୁ, ବିଶେଷକରି ଜାତିସଂଘ ଚାର୍ଟରର ଉଦ୍ଦେଶ୍ୟ ଓ ନୀତିଗୁଡ଼ିକୁ, ସମ୍ପୂର୍ଣ୍ଣ ଓ ପରସ୍ପର ସମ୍ପର୍କିତ ଭାବରେ ସନ୍ତୁଳିତ ଓ ସମାବେଶୀ ଢଙ୍ଗରେ ପାଳନ କରିବାକୁ ଗୁରୁତ୍ୱ ଦେଉଛୁ। ସାର୍ବଭୌମ ଦେଶଗୁଡ଼ିକ ଶାନ୍ତି ଓ ସୁରକ୍ଷା ରକ୍ଷା, ସ୍ଥାୟୀ ବିକାଶ, ଗଣତନ୍ତ୍ର, ମାନବାଧିକାର ଓ ସମସ୍ତଙ୍କ ମୌଳିକ ସ୍ୱାଧୀନତାର ପ୍ରଚାର ଓ ସୁରକ୍ଷା ପାଇଁ ମିଳିତ ଭାବେ କାମ କରୁଥିବା ଏକ ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଜାତିସଂଘର କେନ୍ଦ୍ରୀୟ ଭୂମିକାକୁ ଆମେ ସମର୍ଥନ କରୁଛୁ। ଜାତୀୟ ପରିସ୍ଥିତି, ବିଭିନ୍ନ ଦେଶର ବ୍ୟବସ୍ଥା ଓ ବିକାଶର ଭିନ୍ନ ପଥକୁ ସମ୍ମାନ କରି, ଏକତା, ପାରସ୍ପରିକ ସମ୍ମାନ, ନ୍ୟାୟ ଓ ସମାନତାର ଭାବନା ଉପରେ ସହଯୋଗ ବଢ଼ାଇବା ଆମର ଲକ୍ଷ୍ୟ। ଏହା ମାଧ୍ୟମରେ ପାରସ୍ପରିକ ଲାଭଦାୟକ ସହଯୋଗ ଆଧାରରେ ଅନ୍ତର୍ଜାତୀୟ ସମୁଦାୟ ପାଇଁ ଏକ ଉଜ୍ଜ୍ୱଳ ଓ ସାଧାରଣ ଭବିଷ୍ୟତ ଗଠନ କରିବାକୁ ଆମେ ଚାହୁଁଛୁ।
୮. ବିଶ୍ୱସ୍ତରୀୟ ନିଷ୍ପତ୍ତି ନେବା ପ୍ରକ୍ରିୟା ଓ ସଂସ୍ଥାଗୁଡ଼ିକରେ ଉଦୀୟମାନ ବଜାର ଓ ବିକାଶଶୀଳ ଦେଶ (EMDCs) ଏବଂ ‘ସ୍ବଳ୍ପ ବିକଶିତ ଦେଶ (LDCs)’ମାନଙ୍କ ଅଧିକ ଓ ଅର୍ଥପୂର୍ଣ୍ଣ ଭାଗୀଦାରି ଏବଂ ପ୍ରତିନିଧିତ୍ୱ ସୁନିଶ୍ଚିତ କରିବା ପ୍ରତି ଆମର ପ୍ରତିବଦ୍ଧତାକୁ ଆମେ ପୁଣିଥରେ ପ୍ରକାଶ କରୁଛୁ। ବିଶେଷକରି ଆଫ୍ରିକା, ଏସିଆ, ଲାଟିନ୍ ଆମେରିକା ଓ କ୍ୟାରିବିଆନ୍ ଅଞ୍ଚଳର ଦେଶଗୁଡ଼ିକୁ ଏହି ବ୍ୟବସ୍ଥାରେ ଅଧିକ ସୁଯୋଗ ଦେବା ଆବଶ୍ୟକ। ଜାତିସଂଘ ସଚିବାଳୟ ଏବଂ ଅନ୍ୟ ଅନ୍ତର୍ଜାତୀୟ ସଂଗଠନରେ ନ୍ୟାୟସଙ୍ଗତ ଭୌଗୋଳିକ ପ୍ରତିନିଧିତ୍ୱ ଶୀଘ୍ର ସୁନିଶ୍ଚିତ କରିବାକୁ ଆମେ ଆହ୍ୱାନ ଜଣାଉଛୁ। ବିକାଶଶୀଳ ଦେଶଗୁଡ଼ିକର, ବିଶେଷକରି ଉଚ୍ଚସ୍ତରୀୟ ଓ ନିଷ୍ପତ୍ତି ନେବା ପଦବୀରେ ଥିବା ଦେଶଗୁଡ଼ିକର କମ୍ ପ୍ରତିନିଧିତ୍ୱ ସମସ୍ୟାର ସମାଧାନ ହେବା ଆବଶ୍ୟକ। ଏଥିସହ ସବୁ ସ୍ତରର ନେତୃତ୍ୱ ଓ ଦାୟିତ୍ୱରେ ମହିଳାଙ୍କ, ବିଶେଷକରି ଉଦୀୟମାନ ବଜାର ଓ ବିକାଶଶୀଳ ଦେଶର ମହିଳାଙ୍କ ଭୂମିକା ଓ ଅଂଶୀଦାରି ବଢ଼ିବା ଉଚିତ। ଜାତିସଂଘର ଉଚ୍ଚପଦସ୍ଥ ଅଧିକାରୀ ଓ ବରିଷ୍ଠ ପଦବୀ ପାଇଁ ଚୟନ ଓ ନିଯୁକ୍ତି ପ୍ରକ୍ରିୟା ସ୍ୱଚ୍ଛତା ଓ ସମାବେଶୀତାର ନୀତି ଅନୁଯାୟୀ ହେବା ଆବଶ୍ୟକ। ଏହା ଜାତିସଂଘ ଚାର୍ଟରର ଧାରା ୧୦୧ର ସମସ୍ତ ବ୍ୟବସ୍ଥା ଅନୁସାରେ ହେବା ଦରକାର। ଜାତିସଂଘରେ କୌଣସି ଏକ ଦେଶ କିମ୍ବା ଦେଶଗୋଷ୍ଠୀର ନାଗରିକଙ୍କ ଦ୍ୱାରା ବରିଷ୍ଠ ପଦବୀଗୁଡ଼ିକ ଉପରେ ଏକଚାଟିଆ ଅଧିକାର ରହିବା ଉଚିତ ନୁହେଁ। ଏଥିସହ ନିଜ ଅନୁଦାନ ଇଚ୍ଛାକୃତ ଭାବେ ଅଟକାଇ ବିଶ୍ୱସ୍ତରୀୟ ବହୁପକ୍ଷୀୟ ସଂସ୍ଥାଗୁଡ଼ିକର କାର୍ଯ୍ୟକୁ ଦୁର୍ବଳ କରିବା ଏବଂ ସେମାନଙ୍କର ଦାୟିତ୍ୱ ପାଳନରେ ବାଧା ସୃଷ୍ଟି କରିବା ଭଳି ପ୍ରୟାସକୁ ମଧ୍ୟ ଆମେ ନିନ୍ଦା କରୁଛୁ।
୯. ଜାତିସଂଘର ପରବର୍ତ୍ତୀ ମହାସଚିବ ଚୟନ ପ୍ରକ୍ରିୟା ଚାଲିଥିବା ପରିପ୍ରେକ୍ଷୀରେ ଏବଂ ଜାତିସଂଘ ଚାର୍ଟରର ସମ୍ପୃକ୍ତ ବ୍ୟବସ୍ଥାକୁ ମନେ ରଖି ଆମେ ଉଲ୍ଲେଖ କରୁଛୁ ଯେ, ଏପର୍ଯ୍ୟନ୍ତ କୌଣସି ମହିଳା ଜାତିସଂଘର ମହାସଚିବ ଭାବେ ନିର୍ବାଚିତ ହୋଇନାହାନ୍ତି। ସେହିପରି, ଲାଟିନ୍ ଆମେରିକା ଓ କ୍ୟାରିବିଆନ୍ ଅଞ୍ଚଳରୁ କେବଳ ଜଣେ, ଏବଂ ଆଫ୍ରିକା ଓ ଏସିଆରୁ କେବଳ ଦୁଇଜଣ ଲେଖାଏଁ ନାଗରିକ ଏପର୍ଯ୍ୟନ୍ତ ଏହି ପଦବୀରେ ରହିଛନ୍ତି।
୧୦. ବର୍ତ୍ତମାନର ବହୁଧ୍ରୁବୀୟ ବିଶ୍ୱର ବାସ୍ତବତାକୁ ଦୃଷ୍ଟିରେ ରଖି, ବିକାଶଶୀଳ ଦେଶଗୁଡ଼ିକ ଅଧିକ ନ୍ୟାୟସଙ୍ଗତ ଓ ସମାନ ବିଶ୍ୱ ଶାସନ ବ୍ୟବସ୍ଥା ଏବଂ ଦେଶଗୁଡ଼ିକ ମଧ୍ୟରେ ପାରସ୍ପରିକ ଲାଭଦାୟକ ସମ୍ପର୍କ ପାଇଁ ଆଲୋଚନା ଓ ପରାମର୍ଶକୁ ଆହୁରି ବଢ଼ାଇବା ଅତ୍ୟନ୍ତ ଜରୁରୀ ବୋଲି ଆମେ ସହମତ।
ଆମେ ସ୍ୱୀକାର କରୁଛୁ ଯେ ବହୁଧ୍ରୁବୀୟ ବ୍ୟବସ୍ଥା ଉଦୀୟମାନ ବଜାର ଓ ବିକାଶଶୀଳ ଦେଶମାନଙ୍କୁ ନିଜର ସୃଜନଶୀଳ କ୍ଷମତା ବିକାଶ କରିବା ଏବଂ ସମସ୍ତଙ୍କ ପାଇଁ ଲାଭଦାୟକ, ସମାବେଶୀ, ସ୍ଥାୟୀ ଓ ନ୍ୟାୟସଙ୍ଗତ ଆର୍ଥିକ ବିଶ୍ୱୀକରଣ ଓ ସହଯୋଗର ସୁଯୋଗ ବଢ଼ାଇପାରେ। ବିଶ୍ବ ଦକ୍ଷିଣକୁ ସକାରାତ୍ମକ ପରିବର୍ତ୍ତନର ଏକ ପ୍ରମୁଖ ଶକ୍ତି ଭାବେ ଆମେ ଗୁରୁତ୍ୱ ଦେଉଛୁ। ବିଶେଷକରି ବଢ଼ୁଥିବା ଭୂ-ରାଜନୈତିକ ଉତ୍ତେଜନା, ଦ୍ରୁତ ଆର୍ଥିକ ଅବନତି ଓ ପ୍ରଯୁକ୍ତିଗତ ପରିବର୍ତ୍ତନ, ସୁରକ୍ଷାବାଦୀ ପଦକ୍ଷେପ, ପ୍ରବାସନ ସମସ୍ୟା ଏବଂ ଜଳବାୟୁ ପରିବର୍ତ୍ତନ ଭଳି ବଡ଼ ଅନ୍ତର୍ଜାତୀୟ ଆହ୍ୱାନ ସମୟରେ ଏହାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବ୍ରିକ୍ସ ଦେଶଗୁଡ଼ିକ ବିଶ୍ବ ଦକ୍ଷିଣର ଚିନ୍ତା ଓ ପ୍ରାଥମିକତାକୁ ବିଶ୍ୱ ସମ୍ମୁଖରେ ରଖିବାରେ ଏବଂ ଅନ୍ତର୍ଜାତୀୟ ଆଇନ ଆଧାରିତ ଅଧିକ ନ୍ୟାୟସଙ୍ଗତ, ସ୍ଥାୟୀ, ସମାବେଶୀ, ପ୍ରତିନିଧିତ୍ୱମୂଳକ ଓ ସ୍ଥିର ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବାରେ ଆଗାମୀ ଦିନରେ ମଧ୍ୟ ପ୍ରମୁଖ ଭୂମିକା ନେବେ।
୧୧. ଆଫ୍ରିକୀୟ ଲୋକମାନଙ୍କୁ କ୍ରୀତଦାସ ଭାବେ ବିକ୍ରି କରିବା ଏବଂ ସେମାନଙ୍କୁ ଜାତିଆଣ ଭିତ୍ତିରେ ଦାସତ୍ୱରେ ରଖିବାକୁ ମାନବତା ବିରୋଧୀ ସବୁଠାରୁ ଗୁରୁତର ଅପରାଧ ଭାବେ ଘୋଷଣା କରିଥିବା ଜାତିସଂଘ ସାଧାରଣ ପରିଷଦର ପ୍ରସ୍ତାବ ୮୦/୨୫୦କୁ ଆମେ ସ୍ୱାଗତ କରୁଛୁ। ଉପନିବେଶବାଦକୁ ଏହାର ସମସ୍ତ ରୂପ ଓ ପ୍ରକାରରେ ଶେଷ କରିବା ପାଇଁ ଡିସେମ୍ବର ୨୦୨୪ରେ ଗ୍ରହଣ କରାଯାଇଥିବା ଜାତିସଂଘ ସାଧାରଣ ପରିଷଦ ପ୍ରସ୍ତାବ ୭୯/୧୧୫କୁ ଶୀଘ୍ର ଏବଂ ସମ୍ପୂର୍ଣ୍ଣ ଭାବେ ଲାଗୁ କରିବାକୁ ଆମେ ଦାବି କରୁଛୁ।
୧୨. ବିଶ୍ୱରେ ଜାତିବାଦ, ଜାତିଗତ ବିଭେଦ, ବିଦେଶୀଙ୍କ ପ୍ରତି ଘୃଣା ଏବଂ ଏହା ସହ ଜଡିତ ଅସହିଷ୍ଣୁତା ବିରୋଧରେ ଲଢ଼େଇକୁ ଆହୁରି ଜୋରଦାର କରିବା ଆବଶ୍ୟକ। ଧର୍ମ, ବିଶ୍ୱାସ ଓ ଆସ୍ଥା ଆଧାରରେ ହେଉଥିବା ବିଭେଦକୁ ମଧ୍ୟ ଦୂର କରିବା ଦରକାର। ବର୍ତ୍ତମାନ ସମୟରେ ବଢ଼ୁଥିବା ଘୃଣାସୃଷ୍ଟିକାରୀ ଭାଷଣ, ଭୁଲ ତଥ୍ୟ ଏବଂ ଭ୍ରାନ୍ତିକର ତଥ୍ୟର ପ୍ରବଣତା ଆମ ପାଇଁ ଚିନ୍ତାଜନକ।
୧୩. ୨୦୨୩ ମସିହାର ଜୋହାନ୍ସବର୍ଗ-୨ ନେତାଙ୍କ ଘୋଷଣାକୁ ମନେ ରଖି ଆମେ ଜାତିସଂଘର ସମ୍ପୂର୍ଣ୍ଣ ସଂସ୍କାରକୁ ସମର୍ଥନ କରୁଛୁ। ଏଥିରେ ଜାତିସଂଘ ସୁରକ୍ଷା ପରିଷଦର ସଂସ୍କାର ମଧ୍ୟ ରହିଛି। ଏହାକୁ ଅଧିକ ଗଣତାନ୍ତ୍ରିକ, ପ୍ରତିନିଧିତ୍ୱମୂଳକ, ପ୍ରଭାବଶାଳୀ ଏବଂ କାର୍ଯ୍ୟକ୍ଷମ କରିବା ଆମର ଲକ୍ଷ୍ୟ। ବିକାଶଶୀଳ ଦେଶଗୁଡ଼ିକର ସୁରକ୍ଷା ପରିଷଦରେ ଅଧିକ ପ୍ରତିନିଧିତ୍ୱ ରହିବା ଦରକାର। ଆଫ୍ରିକା, ଏସିଆ ଏବଂ ଲାଟିନ ଆମେରିକାର ଉଦୀୟମାନ ଓ ବିକାଶଶୀଳ ଦେଶଗୁଡ଼ିକ, ବିଶେଷକରି ବ୍ରିକ୍ସ ଦେଶଗୁଡ଼ିକ, ଅନ୍ତର୍ଜାତିକ କ୍ଷେତ୍ରରେ ଅଧିକ ଭୂମିକା ନେବାର ଯେଉଁ ଆକାଂକ୍ଷା ରଖୁଛନ୍ତି, ତାହାକୁ ସମ୍ମାନ ଦିଆଯିବା ଉଚିତ। ଆମେ ଆଫ୍ରିକୀୟ ଦେଶଗୁଡ଼ିକର ଦାବିକୁ ମଧ୍ୟ ସମର୍ଥନ କରୁଛୁ। ସୁରକ୍ଷା ପରିଷଦର ସଂସ୍କାର ଦ୍ୱାରା ବିଶ୍ବଦକ୍ଷିଣର ସ୍ୱର ଆହୁରି ଶକ୍ତିଶାଳୀ ହେବା ଦରକାର। ଚୀନ ଓ ରୁଷିଆ, ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ଭାବେ, ବ୍ରାଜିଲ ଓ ଭାରତ ଜାତିସଂଘ ଏବଂ ସୁରକ୍ଷା ପରିଷଦରେ ଅଧିକ ଭୂମିକା ନେବାକୁ ଚାହୁଁଥିବା ଦାବିକୁ ସମର୍ଥନ କରୁଛନ୍ତି।
୧୪. ଜାତିସଂଘ ନିଜର ଦାୟିତ୍ୱ ପୂରଣ କରିବା ଓ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ହାସଲ କରିବା ପାଇଁ ଯେଉଁ ସମସ୍ତ ସହାୟତା ଆବଶ୍ୟକ କରେ, ତାହା ଯୋଗାଇବାକୁ ଆମେ ପ୍ରତିବଦ୍ଧ। ଜାତିସଂଘ ସାଧାରଣ ସଭାକୁ ଆହୁରି ସକ୍ରିୟ କରିବା ଏବଂ ଆର୍ଥିକ ଓ ସାମାଜିକ ପରିଷଦକୁ ଶକ୍ତିଶାଳୀ କରିବା ପାଇଁ ଆମେ କାମ ଜାରି ରଖିବୁ। ୨୦୨୫ରେ ଗ୍ରହଣ କରାଯାଇଥିବା ଶାନ୍ତି ପ୍ରତିଷ୍ଠା ବ୍ୟବସ୍ଥାର ସମୀକ୍ଷାକୁ ସମ୍ପୂର୍ଣ୍ଣ ଭାବେ ଲାଗୁ କରିବାକୁ ଆମେ ଆଶା କରୁଛୁ।
୧୫. ଆମ୍ଭେ ଜାତୀୟ ନୀତି ଏବଂ ନିୟମାବଳୀ ସହିତ ସମନ୍ୱିତ ଏବଂ ସନ୍ତୁଳିତ ଭାବରେ, ସ୍ଥାୟୀ ବିକାଶ ଲାଗି ୨୦୩୦ ଏଜେଣ୍ଡା ଏବଂ ଏହାର ସୁଦୂରପ୍ରସାରୀ ତଥା ଲୋକକୈନ୍ଦ୍ରିକ ଲକ୍ଷ୍ୟଗୁଡ଼ିକର କାର୍ଯ୍ୟାନ୍ୱୟନ ପାଇଁ ନିରନ୍ତର କାର୍ଯ୍ୟ କରିବାକୁ ଆମ୍ଭର ପ୍ରତିଶ୍ରୁତିକୁ ଦୋହରାଉଛୁ। ସେହିପରି, ଦାରିଦ୍ର୍ୟର ସମସ୍ତ ସ୍ୱରୂପ ଏବଂ ମାତ୍ରା, ଯେଉଁଥିରେ ଚରମ ଦାରିଦ୍ର୍ୟ ମଧ୍ୟ ଅନ୍ତର୍ଭୁକ୍ତ, ତାହାକୁ ଦୂର କରିବା ହେଉଛି ସର୍ବବୃହତ ବିଶ୍ୱବ୍ୟାପୀ ଚାଲେଞ୍ଜ ଏବଂ ସ୍ଥାୟୀ ବିକାଶ ପାଇଁ ଏକ ଅପରିହାର୍ଯ୍ୟ ଆବଶ୍ୟକତା ବୋଲି ଆମ୍ଭେ ସ୍ୱୀକାର କରୁଛୁ। ୨୦୩୦ ଏଜେଣ୍ଡାକୁ ଏକ ଅଭିନବ, ସମନ୍ୱିତ, ପରିବେଶ ଅନୁକୂଳ, ମୁକ୍ତ ଏବଂ ଭାଗିଦାରୀ ପଦ୍ଧତିରେ ପ୍ରୋତ୍ସାହିତ କରିବାର ଗୁରୁତ୍ୱକୁ ଆମ୍ଭେ ପୁନର୍ବାର ସ୍ୱୀକାର କରୁଛୁ। ବିଶ୍ୱସ୍ତରୀୟ ଅସମାନତା ଉପରେ ଚାଲିଥିବା ଉଚ୍ଚସ୍ତରୀୟ ଆଲୋଚନାଗୁଡ଼ିକୁ ଆମ୍ଭେ ଗ୍ରହଣ କରୁଛୁ ଏବଂ ଏହାକୁ ସ୍ୱୀକାର କରୁଛୁ ଯେ ଦେଶ ମଧ୍ୟରେ ଏବଂ ଦେଶଗୁଡ଼ିକ ମଧ୍ୟରେ ଥିବା ଅସମାନତା ହେଉଛି ୨୦୩୦ ଏଜେଣ୍ଡା ଦ୍ୱାରା ସମାଧାନ କରାଯାଉଥିବା ଅଧିକାଂଶ ଆହ୍ୱାନର ମୂଳ କାରଣ, ଯେଉଁଥିରେ ଅସମାନତାର ପ୍ରେରକଗୁଡ଼ିକୁ ନିର୍ଦ୍ଦିଷ୍ଟ ଭାବରେ ସମ୍ବୋଧନ କରିବା ଏବଂ ଏହାର ସମସ୍ତ ସ୍ୱରୂପ ଓ ମାତ୍ରାରେ ଏହାର ହ୍ରାସକୁ ଅଗ୍ରାଧିକାର ଦେବା (SDG 10) ଅନ୍ତର୍ଭୁକ୍ତ। ଏକାଠି ହୋଇ କାର୍ଯ୍ୟ କରିବା ଏବଂ ଅସମାନତାକୁ ମୁକାବିଲା କରିବା ପାଇଁ ଦୃଢ ପଦକ୍ଷେପ ନେବାକୁ ଆମ୍ଭର ସଂକଳ୍ପକୁ ବ୍ୟକ୍ତ କରି, ଆମ୍ଭେ ଅସମାନତା ଉପରେ ଏକ ଆନ୍ତର୍ଜାତୀୟ ପ୍ୟାନେଲ୍ ଗଠନ କରିବା ପାଇଁ ଦକ୍ଷିଣ ଆଫ୍ରିକା ଏବଂ ବ୍ରାଜିଲର ପ୍ରସ୍ତାବକୁ ଗ୍ରହଣ କରୁଛୁ। ୨୦୩୦ ପରବର୍ତ୍ତୀ ସ୍ଥାୟୀ ବିକାଶ ପାଇଁ ବିଶ୍ୱ ଏଜେଣ୍ଡାକୁ ରୂପ ଦେବାରେ ବ୍ରିକ୍ସ ଦେଶଗୁଡ଼ିକର ଘନିଷ୍ଠ ସହଯୋଗ ଏବଂ ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ମଧ୍ୟ ଆମ୍ଭେ ଅପେକ୍ଷା କରିଛୁ।
୧୬. ୧୯୫୫ ମସିହାରେ ଇଣ୍ଡୋନେସିଆର ବାନ୍ଦୁଂରେ ହୋଇଥିବା ଏସିଆ-ଆଫ୍ରିକା ସମ୍ମିଳନୀକୁ ଆମେ ମନେ ପକାଉଛୁ। ସେହି ସମ୍ମିଳନୀରେ ସମାନତା, ସ୍ୱାଧୀନତା, ପରସ୍ପରର ଆଭ୍ୟନ୍ତରୀଣ ବିଷୟରେ ହସ୍ତକ୍ଷେପ ନ କରିବା ଏବଂ ପରସ୍ପର ଲାଭ ଭଳି ନୀତି ଘୋଷଣା କରାଯାଇଥିଲା। ଏକ ଅଧିକ ନ୍ୟାୟସଙ୍ଗତ, ସମାବେଶୀ ଓ ପ୍ରତିନିଧିତ୍ୱମୂଳକ ବିଶ୍ୱ ବ୍ୟବସ୍ଥା ଗଠନରେ ବାନ୍ଦୁଂ ଭାବନା ଏକ ମାର୍ଗଦର୍ଶକ ଭାବେ କାମ କରିବ ବୋଲି ଆମେ ଗୁରୁତ୍ୱ ଦେଉଛୁ।
୧୭. ବିଶ୍ୱ ଉତ୍ପାଦନ ଏବଂ ଅଭିବୃଦ୍ଧିରେ ଉଦୀୟମାନ ବଜାର ଏବଂ ବିକାଶଶୀଳ ଦେଶ (EMDEs) ମାନଙ୍କର ବର୍ଦ୍ଧିତ ଅଂଶକୁ ଦୃଷ୍ଟିରେ ରଖି, ବିଶ୍ୱ ଆର୍ଥିକ ଶାସନର ସଂସ୍କାର ଏକ କ୍ରମାଗତ ବ୍ରିକ୍ସର ପ୍ରାଥମିକତା ହୋଇ ରହିଛି। ଆନ୍ତର୍ଜାତୀୟ ଆର୍ଥିକ ଅନୁଷ୍ଠାନଗୁଡ଼ିକୁ ଅଧିକ ପ୍ରତିନିଧିତ୍ୱକାରୀ, ସ୍ୱଚ୍ଛ ଏବଂ ଉତ୍ତରଦାୟୀ କରିବା ପାଇଁ ଆମ୍ଭେ ବ୍ରିକ୍ସ ସଦସ୍ୟମାନଙ୍କ ମଧ୍ୟରେ ସମନ୍ୱୟକୁ କାଏମ ରଖିବୁ। ବ୍ରେଟନ୍ ଉଡ୍ସ ସଂସ୍ଥା (BWI) ( ବିଶ୍ବବ୍ୟାଙ୍କ ଓ ଆଇଏମଏଫ ଆଦି ସଂସ୍ଥା)ଗୁଡ଼ିକୁ ଅଧିକ ଚଞ୍ଚଳ, ପ୍ରଭାବଶାଳୀ, ବିଶ୍ୱସନୀୟ, ସମାବେଶୀ, ଉଦ୍ଦେଶ୍ୟମୁଖୀ, ପକ୍ଷପାତହୀନ, ଉତ୍ତରଦାୟୀ ଏବଂ ପ୍ରତିନିଧିତ୍ୱକାରୀ କରିବା ପାଇଁ ଏହାର ବୈଧତା ବୃଦ୍ଧି ନିମନ୍ତେ ଏହାର ସଂସ୍କାର ପାଇଁ ଥିବା ଜରୁରୀ ଆବଶ୍ୟକତାକୁ ଆମ୍ଭେ ପୁନଃବ୍ୟକ୍ତ କରୁଛୁ। ବିଶ୍ୱ ଅର୍ଥନୀତିର ପ୍ରତିଷ୍ଠା ପରଠାରୁ ହୋଇଥିବା ପରିବର୍ତ୍ତନକୁ ପ୍ରତିଫଳିତ କରିବା ପାଇଁ BWI ର ଶାସନ ଗଠନରେ ସଂସ୍କାର କରାଯିବା ଉଚିତ। BWI ରେ ଉଦୀୟମାନ ବଜାର ଏବଂ ବିକାଶଶୀଳ ଦେଶମାନଙ୍କ ସ୍ୱର ଏବଂ ପ୍ରତିନିଧିତ୍ୱ ବିଶ୍ୱ ଅର୍ଥନୀତିରେ ସେମାନଙ୍କର ଆପେକ୍ଷିକ ସ୍ଥିତିକୁ ପ୍ରତିଫଳିତ କରିବା ଜରୁରୀ। ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ଏବଂ ବିଶ୍ୱବ୍ୟାଙ୍କର ନେତୃତ୍ୱରେ ଆଞ୍ଚଳିକ ବିବିଧତା ଏବଂ EMDE ଦେଶଙ୍କ ପ୍ରତିନିଧିତ୍ୱ ବୃଦ୍ଧି କରିବ ଏପରି ଏକ ଯୋଗ୍ୟତା-ଭିତ୍ତିକ, ଅନ୍ତର୍ଭୁକ୍ତ ଏବଂ ସ୍ୱଚ୍ଛ ଚୟନ ପ୍ରକ୍ରିୟା ମାଧ୍ୟମରେ ଉନ୍ନତ ପରିଚାଳନା ପ୍ରଣାଳୀ ପାଇଁ ଆମ୍ଭେ ଆମର ଆହ୍ୱାନକୁ ପୁନର୍ବାର ଦୋହରାଉଛୁ।
୧୮. ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) କୋଟା ଏବଂ ଶାସନ ସଂସ୍କାର ପାଇଁ ବ୍ରିକ୍ସ ରିଓ ଡି ଜେନେରୋ ଭିଜନ୍ ଏବଂ ଏହାର ସଦସ୍ୟମାନଙ୍କୁ, ବିଶେଷ କରି ସବୁଠାରୁ ଦୁର୍ବଳ ଦେଶଗୁଡ଼ିକୁ ପ୍ରଭାବଶାଳୀ ଭାବରେ ସହାୟତା କରିବା ପାଇଁ ବିଶ୍ୱ ଆର୍ଥିକ ସୁରକ୍ଷା ପ୍ରଣାଳୀର କେନ୍ଦ୍ରରେ ଏକ ଦୃଢ଼, କୋଟା-ଭିତ୍ତିକ ଏବଂ ପର୍ଯ୍ୟାପ୍ତ ପାଣ୍ଠିଯୁକ୍ତ ଆଇଏମଏଫର ଆବଶ୍ୟକତାକୁ ଆମ୍ଭେ ପୁନଃବ୍ୟକ୍ତ କରୁଛୁ। କୋଟାଗୁଡ଼ିକର ୧୬ତମ ସାଧାରଣ ସମୀକ୍ଷା ଅନ୍ତର୍ଗତ ସମ୍ମତିପ୍ରାପ୍ତ କୋଟା ବୃଦ୍ଧିକୁ ବିନା କୌଣସି ବିଳମ୍ବରେ କାର୍ଯ୍ୟକାରୀ କରିବାକୁ ଆମ୍ଭେ ଅନୁରୋଧ କରୁଛୁ ଏବଂ ଶୀଘ୍ର ୧୭ତମ GRQ ଅଧୀନରେ ଅର୍ଥପୂର୍ଣ୍ଣ କୋଟା ପୁନଃସମୀକ୍ଷା ପାଇଁ ପଦକ୍ଷେପଗୁଡ଼ିକର ବିକାଶ ପାଇଁ ଆହ୍ୱାନ କରୁଛୁ। କୋଟା ଏବଂ ଶାସନ ସଂସ୍କାର ପାଇଁ ଆମେ ଦିରିଆ ନିର୍ଦ୍ଦେଶିକା ନୀତିକୁ ସ୍ୱାଗତ କରୁଛୁ ଏବଂ ପୁନଃବ୍ୟକ୍ତ କରୁଛୁ ଯେ କୋଟା ପୁନଃସମୀକ୍ଷା ବିଶ୍ୱ ଅର୍ଥନୀତିରେ ଦେଶଗୁଡ଼ିକର ଆପେକ୍ଷିକ ସ୍ଥିତିକୁ ପ୍ରତିଫଳିତ କରିବା ଉଚିତ, EMDE ଦେଶଙ୍କ କୋଟା ଏବଂ ଭୋଟ୍ ଅଂଶକୁ ବୃଦ୍ଧି କରିବା ଉଚିତ ଏବଂ ବିକାଶଶୀଳ ଦେଶଗୁଡ଼ିକର କ୍ଷତିରେ ହେବା ମଧ୍ୟ ଉଚିତ ନୁହେଁ। ଏହା ସହିତ ଏହା ନିଶ୍ଚିତ କରିବାକୁ ହେବ ଯେ ଏକ ନୂତନ, ସରଳ ଏବଂ ସ୍ୱଚ୍ଛ କୋଟା ଫର୍ମୁଲା ସବୁଠାରୁ ଗରୀବ ସଦସ୍ୟମାନଙ୍କ କୋଟା ଅଂଶକୁ ସୁରକ୍ଷା ଦିଏ ଏବଂ ପାଣ୍ଠି ସମ୍ବଳରେ ପ୍ରବେଶକୁ ନିୟନ୍ତ୍ରଣ ନ କରି କେବଳ ମାର୍ଗଦର୍ଶନ କରେ। ଆମ୍ଭେ ଏହା ମଧ୍ୟ ବିଶ୍ୱାସ କରୁଛୁ ଯେ କୌଣସି ସ୍ବେଚ୍ଛାକୃତ ଆର୍ଥିକ ଅବଦାନ କୋଟା ଆବଣ୍ଟନ, ଶାସନ ପ୍ରତିନିଧିତ୍ୱ ଏବଂ ଭୋଟିଂ କ୍ଷମତାକୁ ପ୍ରଭାବିତ କରିବା ଉଚିତ ନୁହେଁ। ଆଇଏମଏଫ କୋଟା ଏବଂ ଶାସନ ସଂସ୍କାର ପାଇଁ ବ୍ରିକ୍ସ ରିଓ ଡି ଜେନେରୋ ଭିଜନ୍ ସହିତ ସମାନୁସାରେ, ଅର୍ଥପୂର୍ଣ୍ଣ କୋଟା ଅଂଶ ପୁନଃସମୀକ୍ଷା ଏବଂ ଶାସନ ସଂସ୍କାରଗୁଡ଼ିକ ୧୭ତମ GRQ ରେ ଅନ୍ତର୍ଭୁକ୍ତ ହେବା ନିଶ୍ଚିତ କରିବା ପାଇଁ ଅନ୍ୟାନ୍ୟ ଆଇଏମଏଫ ସଦସ୍ୟମାନଙ୍କ ସହିତ ଗଠନମୂଳକ ଭାବରେ ଜଡ଼ିତ ହେବାକୁ ଆମ୍ଭେ ପ୍ରସ୍ତୁତ ଅଛୁ।
୧୯. ୨୦୨୫ ବିଶ୍ୱବ୍ୟାଙ୍କ ଅଂଶଧନ ସମୀକ୍ଷା ହେଉଛି ଏକ ଉତ୍ତମ, ବୃହତ୍ତର ଏବଂ ଅଧିକ ପ୍ରଭାବଶାଳୀ ବିକାଶ ଅର୍ଥନୈତିକ ଅନୁଷ୍ଠାନ ଭାବରେ ବହୁପକ୍ଷବାଦକୁ ଦୃଢ଼ କରିବା ଏବଂ ବିଶ୍ୱବ୍ୟାଙ୍କ ଗ୍ରୁପର ବୈଧତା ବୃଦ୍ଧି କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉପକରଣ ବୋଲି ଆମ୍ଭେ ପୁନଃବ୍ୟକ୍ତ କରୁଛୁ। ଲିମା ନୀତି ସହିତ ସମାନୁସାରେ, ଆମ୍ଭେ ପୁନଃବ୍ୟକ୍ତ କରୁଛୁ ଯେ ବ୍ରିକ୍ସ ଦେଶଗୁଡ଼ିକ ବିକାଶଶୀଳ ଦେଶଗୁଡ଼ିକର ବର୍ଦ୍ଧିତ ସ୍ୱର ଏବଂ ପ୍ରତିନିଧିତ୍ୱ ପାଇଁ ସ୍ବରଉତ୍ତୋଳନ ଜାରି ରଖିବା ଉଚିତ, ଯାହା ସେମାନଙ୍କର ଐତିହାସିକ ଅପର୍ଯ୍ୟାପ୍ତ ପ୍ରତିନିଧିତ୍ୱକୁ ସୁଧାରୁଥିବା ଏକ ଅଂଶଧନ ପୁନଃସମୀକ୍ଷା ଦ୍ୱାରା ସମର୍ଥିତ ଅଟେ।
୨୦. ୨୦୨୬ର ବହୁପକ୍ଷୀୟ ବାଣିଜ୍ୟ ବ୍ୟବସ୍ଥାର ସୁରକ୍ଷା ଓ ପୁନରୁଜ୍ଜୀବନ ସମ୍ପର୍କିତ ବିବୃତି ଏବଂ ୨୦୨୫ର ବିଶ୍ୱ ବାଣିଜ୍ୟ ସଂଗଠନ (ଡବ୍ଲୁଟିଓ) ସଂସ୍କାର ଓ ବହୁପକ୍ଷୀୟ ବାଣିଜ୍ୟ ବ୍ୟବସ୍ଥାକୁ ସୁଦୃଢ଼ କରିବା ସମ୍ପର୍କିତ ବ୍ରିକ୍ସ ଘୋଷଣାନାମାକୁ ସ୍ମରଣ କରି, ଆମେ ବିଶ୍ୱ ବାଣିଜ୍ୟ ସଂଗଠନ (ଡବ୍ଲୁଟିଓ)ର ସଂସ୍କାର ଏବଂ ଡବ୍ଲୁଟିଓକୁ କେନ୍ଦ୍ରରେ ରଖି ଏକ ଅଣ-ଭେଦଭାବପୂର୍ଣ୍ଣ, ମୁକ୍ତ, ସମାନ, ସ୍ୱଚ୍ଛ, ନ୍ୟାୟସଙ୍ଗତ, ସମାବେଶୀ, ପୂର୍ବାନୁମାନଯୋଗ୍ୟ ଓ ନିୟମ-ଭିତ୍ତିକ ବହୁପକ୍ଷୀୟ ବାଣିଜ୍ୟ ବ୍ୟବସ୍ଥାକୁ ସୁଦୃଢ଼ କରିବା ପ୍ରତି ଆମର ଅଟଳ ସମର୍ଥନକୁ ପୁନଃ ନିଶ୍ଚିତ କରୁଛୁ। ଏହି ପ୍ରକ୍ରିୟାରେ ସର୍ବାଧିକ ଅନୁଗୃହୀତ ରାଷ୍ଟ୍ର ଏବଂ ବିକାଶଶୀଳ ସଦସ୍ୟ ଦେଶଗୁଡ଼ିକ, ବିଶେଷକରି ସ୍ୱଳ୍ପ ବିକଶିତ ଦେଶ ପାଇଁ ବିଶେଷ ଓ ଭିନ୍ନମୁଖୀ ବ୍ୟବହାର ଭଳି ମୌଳିକ ନୀତିଗୁଡ଼ିକୁ ବଜାୟ ରଖିବାକୁ ଆମେ ପ୍ରତିବଦ୍ଧ।
ଜେନେଭାରେ ଚାଲିଥିବା ବହୁପକ୍ଷୀୟ ଆଲୋଚନାରେ, ବିଶେଷକରି ଡବ୍ଲୁଟିଓ ସଂସ୍କାର ସମ୍ପର୍କିତ ବିତର୍କରେ, ସକ୍ରିୟ ଭାବରେ ଯୋଗଦେବା ପାଇଁ ଆମର ପ୍ରତିବଦ୍ଧତା ରହିଛି। ଡବ୍ଲୁଟିଓ ର ପ୍ରଭାବଶୀଳତା ଓ ବିଶ୍ୱସନୀୟତାକୁ କ୍ଷୁଣ୍ଣ କରୁଥିବା ଆହ୍ୱାନଗୁଡ଼ିକ ଏବଂ ସେଗୁଡ଼ିକର ସମାଧାନ ନେଇ ବ୍ରିକ୍ସ ଅନୌପଚାରିକ ପରାମର୍ଶ ଢାଞ୍ଚା ଅଧୀନରେ ପ୍ରୟାସ ଆଗକୁ ବଢ଼ାଇବା ସହ ସମନ୍ୱୟକୁ ଆହୁରି ସୁଦୃଢ଼ କରିବୁ।
ଆମେ MC14ର ଫଳାଫଳଗୁଡ଼ିକର କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରିବୁ ଏବଂ ଅବଶିଷ୍ଟ ପ୍ରସଙ୍ଗଗୁଡ଼ିକର ସମାଧାନ ପାଇଁ ଗଠନମୂଳକ ଭାବରେ ଆଲୋଚନା ଜାରି ରଖିବୁ। ଡବ୍ଲୁଟିଓର କ୍ଷମତା, ପ୍ରଭାବଶୀଳତା, ସମାବେଶୀତା ଓ ପ୍ରାସଙ୍ଗିକତା ବୃଦ୍ଧି କରିବା ସହ ଏକ ମୁକ୍ତ ବିଶ୍ୱ ଅର୍ଥନୀତି ଗଠନ ପାଇଁ ଡବ୍ଲୁଟିଓ ସଂସ୍କାର ପ୍ରକ୍ରିୟାରେ ଆମେ ଗଠନମୂଳକ ଭାବରେ ଯୋଗଦେବୁ।
ଏହି ପରିପ୍ରେକ୍ଷୀରେ, ବହୁପକ୍ଷୀୟ ଚୁକ୍ତି ବାହାରେ ଗଠିତ ବାଣିଜ୍ୟ ପଦକ୍ଷେପଗୁଡ଼ିକ ବିଶେଷକରି ବିକାଶମୁଖୀ ପ୍ରସଙ୍ଗଗୁଡ଼ିକୁ ଡବ୍ଲୁଟିଓ ର ଆଇନଗତ ଢାଞ୍ଚା ମଧ୍ୟରେ ସାମିଲ କରିବା ପାଇଁ ଉପଯୁକ୍ତ ମାର୍ଗ ଚିହ୍ନଟ କରିବା ଏବଂ ଡବ୍ଲୁଟିଓରେ ଭବିଷ୍ୟତମୁଖୀ ନିୟମ ପ୍ରସ୍ତୁତ କରିବାର ସମ୍ଭାବନା ଖୋଜିବା ଗୁରୁତ୍ୱପୂର୍ଣ୍ଣ ବୋଲି ଆମେ ସ୍ୱୀକାର କରୁଛୁ।
ସମସ୍ତ ଡବ୍ଲୁଟିଓ ସଦସ୍ୟଙ୍କ ମଧ୍ୟରେ ଆସ୍ଥା ଓ ପୂର୍ବାନୁମାନଯୋଗ୍ୟତାର ଭିତ୍ତି ଭାବରେ ଏକ ସହଜରେ ପହଞ୍ଚଯୋଗ୍ୟ, ପ୍ରଭାବଶୀଳ, ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ଦୁଇ-ସ୍ତରୀୟ ବାଧ୍ୟତାମୂଳକ ଡବ୍ଲୁଟିଓ ବିବାଦ ସମାଧାନ ବ୍ୟବସ୍ଥାକୁ ତୁରନ୍ତ ପୁନଃସ୍ଥାପନ କରିବା ଏବଂ ଆଉ ବିଳମ୍ବ ନକରି ନୂତନ ଅପିଲେଟ୍ ସଂସ୍ଥା ସଦସ୍ୟ ନିଯୁକ୍ତ କରିବାକୁ ଆମେ ଦୃଢ଼ ଭାବରେ ଦାବି କରୁଛୁ। ଆବଶ୍ୟକ ସଂସ୍କାର ମାଧ୍ୟମରେ ଡବ୍ଲୁଟିଓ କୁ ସୁଦୃଢ଼ କରିବା ସହିତ ଡବ୍ଲୁଟିଓ ର ମୌଳିକ ନୀତିଗୁଡ଼ିକୁ ବଜାୟ ରଖିବା, ଡବ୍ଲୁଟିଓ ଢାଞ୍ଚା ମଧ୍ୟରେ ଆଲୋଚନା ପ୍ରକ୍ରିୟାକୁ ସୁଗମ କରିବା ଏବଂ ବହୁପକ୍ଷୀୟ ବାଣିଜ୍ୟ ବ୍ୟବସ୍ଥାର ବିଶ୍ୱସନୀୟତା ପୁନଃସ୍ଥାପନ ପାଇଁ ଆମେ ମିଳିତ ଭାବେ କାର୍ଯ୍ୟ କରିବାକୁ ଆଶାବାଦୀ। ବହୁପକ୍ଷୀୟ ବାଣିଜ୍ୟ ବ୍ୟବସ୍ଥାରେ ବିଶ୍ବ ଦକ୍ଷିଣର ଆକାଂକ୍ଷାକୁ ସମ୍ପୂର୍ଣ୍ଣ ଭାବେ ସାମିଲ କରିବା ଉଦ୍ଦେଶ୍ୟରେ, ଆମେ ଇଥିଓପିଆ ଓ ଇରାନର ଡବ୍ଲୁଟିଓ ସଦସ୍ୟତା ପାଇଁ ଆବେଦନକୁ ଦୃଢ଼ ସମର୍ଥନ କରୁଛୁ। ଆମେ ଚୀନକୁ ମଧ୍ୟ ତାହାର କୂଟନୈତିକ ସମ୍ପର୍କ ଥିବା ୫୩ଟି ଆଫ୍ରିକୀୟ ଦେଶ ପାଇଁ ଶୂନ୍ୟ-ଶୁଳ୍କ ବାଣିଜ୍ୟ ବ୍ୟବସ୍ଥାକୁ ବିସ୍ତାର କରିଥିବାରୁ ସ୍ୱୀକୃତି ଜଣାଉଛୁ।
୨୧. ଆମେ ଲକ୍ଷ୍ୟ କରୁଛୁ ଯେ, ବହୁପକ୍ଷୀୟ ବାଣିଜ୍ୟ ବ୍ୟବସ୍ଥା ଦୀର୍ଘ ସମୟ ଧରି ଏକ ସଙ୍କଟପୂର୍ଣ୍ଣ ସନ୍ଧିକ୍ଷଣରେ ରହିଛି। ଡବ୍ଲୁଟିଓ ନିୟମ ସହ ଅସଙ୍ଗତ ବାଣିଜ୍ୟ-ପ୍ରତିବନ୍ଧକ ପଦକ୍ଷେପର ବ୍ୟାପକ ବୃଦ୍ଧି—ସେଗୁଡ଼ିକ ଅବିଚାରପୂର୍ବକ ବଢ଼ାଯାଉଥିବା ଶୁଳ୍କ ଓ ଅଣଶୁଳ୍କ ପଦକ୍ଷେପ ହେଉ କିମ୍ବା ପରିବେଶୀୟ ଉଦ୍ଦେଶ୍ୟର ଆଳରେ ଗ୍ରହଣ କରାଯାଉଥିବା ସୁରକ୍ଷାବାଦୀ ପଦକ୍ଷେପ—ବିଶ୍ୱ ବାଣିଜ୍ୟକୁ ଆହୁରି ହ୍ରାସ କରିବା, ବିଶ୍ୱ ଯୋଗାଣ ଶୃଙ୍ଖଳକୁ ବାଧାପ୍ରାପ୍ତ କରିବା ଏବଂ ଅନ୍ତର୍ଜାତୀୟ ଅର୍ଥନୈତିକ ଓ ବାଣିଜ୍ୟିକ କାର୍ଯ୍ୟକଳାପରେ ଅନିଶ୍ଚିତତା ସୃଷ୍ଟି କରିବାର ଆଶଙ୍କା ସୃଷ୍ଟି କରୁଛି। ଏହା ଫଳରେ ବର୍ତ୍ତମାନର ଅର୍ଥନୈତିକ ବିଷମତା ଆହୁରି ବଢ଼ିପାରେ ଏବଂ ବିଶ୍ୱ ଅର୍ଥନୈତିକ ବିକାଶର ସମ୍ଭାବନା ନକାରାତ୍ମକ ଭାବେ ପ୍ରଭାବିତ ହୋଇପାରେ। ଡବ୍ଲୁଟିଓ ନିୟମ ସହ ଅସଙ୍ଗତ ଏବଂ ବାଣିଜ୍ୟକୁ ବିକୃତ କରୁଥିବା ଏକତରଫା ଶୁଳ୍କ ଓ ଅଶୁଳ୍କ ପଦକ୍ଷେପର ବୃଦ୍ଧି ନେଇ ଆମେ ଗଭୀର ଚିନ୍ତା ପ୍ରକାଶ କରୁଛୁ।
ବାଣିଜ୍ୟରେ ସୃଷ୍ଟି ହେଉଥିବା ବାଧା ଏବଂ ‘ଉଦୀୟମାନ ବଜାର ଓ ବିକାଶଶୀଳ ଅର୍ଥନୀତି (EMDEs)’ର ଆବଶ୍ୟକତା ଓ ପ୍ରାଥମିକତା ପ୍ରତି ଡବ୍ଲୁଟିଓକୁ ଅଧିକ ଉତ୍ତରଦାୟୀ କରିବା ପାଇଁ ଆମେ ମିଳିତ ଭାବେ କାର୍ଯ୍ୟ କରିବୁ। ଏହା ସହିତ ଅବଶିଷ୍ଟ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନାକୁ ଆଗକୁ ବଢ଼ାଇବୁ ଏବଂ ବହୁପକ୍ଷୀୟ ବାଣିଜ୍ୟ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ବଦଳୁଥିବା ବିଶ୍ୱସ୍ତରୀୟ ଆହ୍ୱାନଗୁଡ଼ିକର ଅଧିକ ଭଲ ମୁକାବିଲା କରିବାରେ ସକ୍ଷମ ଏକ ସନ୍ତୁଳିତ, ସମାବେଶୀ ଓ ଦୃଢ ଫଳାଫଳ ପାଇଁ ସମର୍ଥନ କରିବୁ।
୨୨. ଆମେ ଅନ୍ତର୍ଜାତୀୟ ଆଇନର ବିରୋଧୀ ଏକତରଫା ଜବରଦସ୍ତିମୂଳକ ପଦକ୍ଷେପ ଲାଗୁ କରାଯିବାକୁ ନିନ୍ଦା କରୁଛୁ। ଏବଂ ପୁନର୍ବାର କହୁଛୁ ଯେ, ଏପରି ପଦକ୍ଷେପ—ଯାହା ମଧ୍ୟରେ ଏକତରଫା ଆର୍ଥିକ କଟକଣା ଓ ଦ୍ୱିତୀୟକ ନିଷେଧ ଅନ୍ତର୍ଭୁକ୍ତ—ଲକ୍ଷ୍ୟଭୁକ୍ତ ଦେଶଗୁଡ଼ିକର ସାଧାରଣ ଜନତାଙ୍କ ମାନବାଧିକାର, ବିଶେଷକରି ବିକାଶର ଅଧିକାର, ସ୍ୱାସ୍ଥ୍ୟ ଓ ଖାଦ୍ୟ ସୁରକ୍ଷାର ଅଧିକାର ଉପରେ ବ୍ୟାପକ ନକାରାତ୍ମକ ପ୍ରଭାବ ପକାଇଥାଏ। ଏହାର ପ୍ରଭାବ ଗରିବ ଲୋକମାନେ ଏବଂ ଅସୁରକ୍ଷିତ ପରିସ୍ଥିତିରେ ଥିବା ଲୋକମାନଙ୍କ ଉପରେ ଅନୁପାତହୀନ ଭାବରେ ଅଧିକ ପଡ଼େ। ଏହା ‘ଡିଜିଟାଲ୍ ବିଭାଜନ’କୁ ଆହୁରି ଗଭୀର କରେ ଏବଂ ପରିବେଶୀୟ ଆହ୍ୱାନଗୁଡ଼ିକୁ ଆହୁରି ଜଟିଳ କରିଥାଏ। ଆମେ ଏପରି ବେଆଇନ ଓ ଅନ୍ୟାୟସଙ୍ଗତ ପଦକ୍ଷେପଗୁଡ଼ିକର ଉଚ୍ଛେଦ ପାଇଁ ଆହ୍ୱାନ ଜଣାଉଛୁ, କାରଣ ଏଗୁଡ଼ିକ ଅନ୍ତର୍ଜାତୀୟ ଆଇନ ଏବଂ ଜାତିସଂଘ ଚାର୍ଟରର ନୀତି ଓ ଉଦ୍ଦେଶ୍ୟକୁ ଦୁର୍ବଳ କରୁଛି। ଜାତିସଂଘ ଚାର୍ଟର ଏବଂ ଅନ୍ତର୍ଜାତୀୟ ଆଇନର ବିରୋଧୀ ଏକତରଫା ଜବରଦସ୍ତିମୂଳକ ପଦକ୍ଷେପ ପ୍ରତି ଆମର ବିରୋଧକୁ ଆମେ ପୁନଃ ନିଶ୍ଚିତ କରୁଛୁ। ଏଥିରେ ଜାତିସଂଘ ସୁରକ୍ଷା ପରିଷଦ ଦ୍ୱାରା ଅନୁମୋଦିତ ନଥିବା କଟକଣା ମଧ୍ୟ ଅନ୍ତର୍ଭୁକ୍ତ।
ଆନ୍ତର୍ଜାତୀୟ ଓ ଆଞ୍ଚଳିକ ଶାନ୍ତି ଏବଂ ସୁରକ୍ଷା
୨୩. ଆମେ ବର୍ତ୍ତମାନର ବିଶ୍ୱ ପରିପ୍ରେକ୍ଷୀରେ ବଢ଼ୁଥିବା ଧ୍ରୁବୀକରଣ ଓ ଅବିଶ୍ୱାସକୁ ଲକ୍ଷ୍ୟ କରୁଛୁ ଏବଂ ଆନ୍ତର୍ଜାତୀୟ ଶାନ୍ତି ଓ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ବିଶ୍ୱସ୍ତରୀୟ ପଦକ୍ଷେପ ନେବାକୁ ଉତ୍ସାହିତ କରୁଛୁ। ଏହି ଆହ୍ୱାନଗୁଡ଼ିକ ଏବଂ ସେଗୁଡ଼ିକ ସହ ଜଡ଼ିତ ସୁରକ୍ଷା ବିପଦର ମୁକାବିଲା ପାଇଁ ରାଜନୈତିକ-କୂଟନୈତିକ ପଦକ୍ଷେପ ମାଧ୍ୟମରେ ସଂଘର୍ଷର ସମ୍ଭାବନା ହ୍ରାସ କରିବାକୁ ଆମେ ଆନ୍ତର୍ଜାତୀୟ ସମୁଦାୟକୁ ଆହ୍ୱାନ ଜଣାଉଛୁ। ଏଥିସହିତ ସଂଘର୍ଷର ମୂଳ କାରଣଗୁଡ଼ିକର ସମାଧାନ ସମେତ ସଂଘର୍ଷ ପ୍ରତିରୋଧ ପାଇଁ ପ୍ରୟାସ କରିବାର ଆବଶ୍ୟକତା ଉପରେ ଆମେ ଗୁରୁତ୍ୱାରୋପ କରୁଛୁ।
ସମସ୍ତ ଦେଶ ମଧ୍ୟରେ ସୁରକ୍ଷା ଅବିଭାଜ୍ୟ ବୋଲି ଆମେ ଗୁରୁତ୍ୱାରୋପ କରୁଛୁ ଏବଂ ଆଲୋଚନା, ପରାମର୍ଶ ଓ କୂଟନୀତି ମାଧ୍ୟମରେ ଆନ୍ତର୍ଜାତୀୟ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପ୍ରତି ଆମର ପ୍ରତିବଦ୍ଧତାକୁ ପୁନଃ ନିଶ୍ଚିତ କରୁଛୁ। ସଂଘର୍ଷ ପ୍ରତିରୋଧ ଓ ସମାଧାନ କ୍ଷେତ୍ରରେ ଆଞ୍ଚଳିକ ସଂଗଠନଗୁଡ଼ିକର ସକ୍ରିୟ ଭୂମିକାକୁ ଆମେ ଉତ୍ସାହିତ କରୁଛୁ ଏବଂ ସଙ୍କଟଗୁଡ଼ିକର ଶାନ୍ତିପୂର୍ଣ୍ଣ ସମାଧାନରେ ସହାୟକ ହେଉଥିବା ସମସ୍ତ ପ୍ରୟାସକୁ ସମର୍ଥନ କରୁଛୁ।
ଆନ୍ତର୍ଜାତୀୟ ବିବାଦ ପରିପ୍ରେକ୍ଷୀରେ, ସମ୍ପୃକ୍ତ ପକ୍ଷଗୁଡ଼ିକର ସମ୍ମତି ସହ ନିବାରଣମୂଳକ କୂଟନୀତି ଓ ମଧ୍ୟସ୍ଥତା ସଙ୍କଟକୁ ଏଡ଼ାଇବା ଏବଂ ଏହାର ବୃଦ୍ଧିକୁ ରୋକିବା ପାଇଁ ଅତ୍ୟାବଶ୍ୟକ ଉପକରଣ ବୋଲି ଆମେ ଗୁରୁତ୍ୱାରୋପ କରୁଛୁ। ଏହା ଜାତିସଂଘ ଚାର୍ଟରର ଉଦ୍ଦେଶ୍ୟ ଓ ନୀତି ଅନୁଯାୟୀ ହେବା ଆବଶ୍ୟକ।
ଏହି ପରିପ୍ରେକ୍ଷୀରେ, ସଶସ୍ତ୍ର ସଂଘର୍ଷ ପ୍ରତିରୋଧ, ଜାତିସଂଘର ଶାନ୍ତିରକ୍ଷା ମିଶନ, ଆଫ୍ରିକୀୟ ସଂଘର ଶାନ୍ତି ସମର୍ଥନ କାର୍ଯ୍ୟକ୍ରମ, ଏବଂ ମଧ୍ୟସ୍ଥତା ଓ ଶାନ୍ତି ପ୍ରକ୍ରିୟା କ୍ଷେତ୍ରରେ ସହଯୋଗର ସମ୍ଭାବନା ଅନୁସନ୍ଧାନ କରିବାକୁ ଆମେ ସହମତ ହେଉଛୁ।
୨୪. ବିଶ୍ୱର ବିଭିନ୍ନ ଅଞ୍ଚଳରେ ଚାଲିଥିବା ଲଗାତାର ସଂଘର୍ଷ ଏବଂ ବର୍ତ୍ତମାନର ଅନ୍ତର୍ଜାତୀୟ ବ୍ୟବସ୍ଥାରେ ବଢ଼ୁଥିବା ମତଭେଦ ଓ ବିଭାଜନକୁ ନେଇ ଆମେ ଚିନ୍ତା ପ୍ରକାଶ କରୁଛୁ। ବିଶ୍ୱର ସାମରିକ ଖର୍ଚ୍ଚରେ ଗୁରୁତର ବୃଦ୍ଧି ଘଟୁଥିବା ଧାରାକୁ ନେଇ ଆମେ ଚିନ୍ତିତ। ଏହା ଫଳରେ ବିକାଶଶୀଳ ଦେଶଗୁଡ଼ିକର ବିକାଶ ପାଇଁ ଆବଶ୍ୟକ ଅର୍ଥ ଯୋଗାଣ ପ୍ରଭାବିତ ହେଉଛି। ସ୍ଥାୟୀ ବିକାଶ, କ୍ଷୁଧା ଓ ଦାରିଦ୍ର୍ୟ ଦୂରୀକରଣ ଏବଂ ଜଳବାୟୁ ପରିବର୍ତ୍ତନର ବିଶ୍ୱସ୍ତରୀୟ ମୁକାବିଲା ଭଳି ଗୁରୁତ୍ୱପୂର୍ଣ୍ଣ ବିଶ୍ୱ ପ୍ରସଙ୍ଗରେ ବିଭିନ୍ନ ଦେଶର ମତାମତ ଓ ଆଭିମୁଖ୍ୟକୁ ସମ୍ମାନ ଦେଇ ବହୁପକ୍ଷୀୟ ଆଭିମୁଖ୍ୟ ଗ୍ରହଣ କରିବାକୁ ଆମେ ସମର୍ଥନ କରୁଛୁ। ତେବେ ସୁରକ୍ଷାକୁ ଜଳବାୟୁ ପରିବର୍ତ୍ତନ ଏଜେଣ୍ଡା ସହିତ ଯୋଡ଼ିବାର ପ୍ରୟାସକୁ ନେଇ ଆମେ ଗଭୀର ଚିନ୍ତା ପ୍ରକାଶ କରୁଛୁ।
୨୫. ପରମାଣୁ ବିପଦ ଓ ସଂଘର୍ଷର ବଢ଼ୁଥିବା ଆଶଙ୍କାକୁ ନେଇ ଆମେ ଚିନ୍ତା ପ୍ରକାଶ କରୁଛୁ। ବିଶ୍ୱ ସ୍ଥିରତା, ଅନ୍ତର୍ଜାତୀୟ ଶାନ୍ତି ଓ ସୁରକ୍ଷା ପାଇଁ ନିରସ୍ତ୍ରୀକରଣ, ଅସ୍ତ୍ର ନିୟନ୍ତ୍ରଣ ଏବଂ ପରମାଣୁ ଅସ୍ତ୍ର ପ୍ରସାର ରୋକିବାର ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ସହ ଏହାର ଅଖଣ୍ଡତା ଓ ପ୍ରଭାବଶୀଳତା ବଜାୟ ରଖିବାର ଆବଶ୍ୟକତାକୁ ଆମେ ପୁନର୍ବାର ଦୋହରାଉଛୁ। ପରମାଣୁ ଅସ୍ତ୍ର ପ୍ରସାର ନିରୋଧ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ପରମାଣୁ ଅସ୍ତ୍ରମୁକ୍ତ ଅଞ୍ଚଳଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ଆମେ ସ୍ୱୀକାର କରୁଛୁ। ବର୍ତ୍ତମାନ ଥିବା ସମସ୍ତ ପରମାଣୁ ଅସ୍ତ୍ରମୁକ୍ତ ଅଞ୍ଚଳ ଏବଂ ସେଗୁଡ଼ିକ ସହ ସମ୍ପୃକ୍ତ ପରମାଣୁ ଅସ୍ତ୍ର ବ୍ୟବହାର କିମ୍ବା ବ୍ୟବହାରର ଧମକ ବିରୋଧୀ ଆଶ୍ୱାସନ ପ୍ରତି ଆମର ସମର୍ଥନ ଓ ସମ୍ମାନକୁ ପୁନର୍ବାର ନିଶ୍ଚିତ କରୁଛୁ। ମଧ୍ୟପ୍ରାଚ୍ୟରେ ପରମାଣୁ ଅସ୍ତ୍ର ଓ ଅନ୍ୟାନ୍ୟ ବିନାଶକାରୀ ଅସ୍ତ୍ରମୁକ୍ତ ଅଞ୍ଚଳ ପ୍ରତିଷ୍ଠା ସମ୍ପର୍କିତ ପ୍ରସ୍ତାବଗୁଡ଼ିକର ଶୀଘ୍ର କାର୍ଯ୍ୟକାରୀକରଣ ପାଇଁ ଚାଲିଥିବା ପ୍ରୟାସକୁ ଆମେ ସର୍ବୋଚ୍ଚ ଗୁରୁତ୍ୱ ଦେଉଛୁ। ଏଥିରେ ଜାତିସଂଘ ସାଧାରଣ ପରିଷଦର ନିଷ୍ପତ୍ତି ୭୩/୫୪୬ ଅନୁସାରେ ଆୟୋଜିତ ସମ୍ମିଳନୀ ମଧ୍ୟ ସାମିଲ ଅଛି। ଏହି ସମ୍ମିଳନୀକୁ ଆମନ୍ତ୍ରିତ ସମସ୍ତ ପକ୍ଷ ଭଲ ଉଦ୍ଦେଶ୍ୟରେ ଏଥିରେ ଯୋଗଦେଇ ଏହି ପ୍ରୟାସରେ ଗଠନମୂଳକ ଭାବେ ଅଂଶଗ୍ରହଣ କରିବାକୁ ଆମେ ଆହ୍ୱାନ କରୁଛୁ। ଜାତିସଂଘ ସାଧାରଣ ସଭାର ପ୍ରସ୍ତାବ ୭୯/୨୪୧ “ପରମାଣୁ ଅସ୍ତ୍ରମୁକ୍ତ ଅଞ୍ଚଳ ସମ୍ପର୍କିତ ସମସ୍ତ ଦିଗର ସମ୍ପୂର୍ଣ୍ଣ ଅଧ୍ୟୟନ” ଗ୍ରହଣ କରାଯାଇଥିବାକୁ ଆମେ ଲକ୍ଷ୍ୟ କରୁଛୁ। ଏହି ଅଧ୍ୟୟନ ସଫଳତାର ସହ ଶେଷ ହୋଇଛି ଏବଂ ଗୋଷ୍ଠୀ ଏହାକୁ ସର୍ବସମ୍ମତିକ୍ରମେ ଗ୍ରହଣ କରିଛି।
୨୬. ଜାତିସଂଘ ସୁରକ୍ଷା ପରିଷଦର ପ୍ରସ୍ତାବ ୧୩୨୫ (୨୦୦୦) ଏବଂ ପରବର୍ତ୍ତୀ ପ୍ରସ୍ତାବଗୁଡ଼ିକର ସମ୍ପୂର୍ଣ୍ଣ କାର୍ଯ୍ୟକାରୀକରଣ ଏବଂ “ମହିଳା, ଶାନ୍ତି ଓ ସୁରକ୍ଷା” (WPS) ଏଜେଣ୍ଡାକୁ ଆଗେଇ ନେବା ପାଇଁ ଆମର ପ୍ରତିବଦ୍ଧତାକୁ ଆମେ ପୁନର୍ବାର ନିଶ୍ଚିତ କରୁଛୁ। ଶାନ୍ତି ଓ ସୁରକ୍ଷା ସମ୍ପର୍କିତ ସମସ୍ତ ସ୍ତରର ନିଷ୍ପତ୍ତି ନେବା ପ୍ରକ୍ରିୟାରେ ମହିଳାମାନଙ୍କର ସମ୍ପୂର୍ଣ୍ଣ, ସମାନ, ନିରାପଦ ଓ ଅର୍ଥପୂର୍ଣ୍ଣ ଅଂଶଗ୍ରହଣ ସୁନିଶ୍ଚିତ କରିବାର ଗୁରୁତ୍ୱକୁ ଆମେ ପୁନର୍ବାର ଦୋହରାଉଛୁ। ଏଥିରେ ସଂଘର୍ଷ ରୋକିବା ଓ ସମାଧାନ, ମାନବିକ ସହାୟତା, ମଧ୍ୟସ୍ଥତା, ଶାନ୍ତି ଅଭିଯାନ, ଶାନ୍ତି ପ୍ରତିଷ୍ଠା ଏବଂ ସଂଘର୍ଷ ପରବର୍ତ୍ତୀ ପୁନର୍ନିର୍ମାଣ ଓ ବିକାଶ ସାମିଲ ଅଛି।
୨୭. ପାରସ୍ପରିକ ସମ୍ମାନ, ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଏବଂ ଅନ୍ୟ ଦେଶର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ନକରିବା ନୀତି ଉପରେ ଗଢ଼ିଉଠିଥିବା ଲାଟିନ୍ ଆମେରିକା ଓ କାରିବିୟାନ୍ ଅଞ୍ଚଳକୁ ଏକ ଶାନ୍ତି ଅଞ୍ଚଳ ଭାବେ ଗୁରୁତ୍ୱ ଦେଇ, କ୍ୟୁବାର ପରିସ୍ଥିତିକୁ ନେଇ ଆମେ ଗଭୀର ଚିନ୍ତା ପ୍ରକାଶ କରୁଛୁ। କ୍ୟୁବା ବିରୋଧରେ ଏକପାଖିଆ ଅବରୋଧ ପଦକ୍ଷେପ କଠୋର ହେବା, ଏହାର କ୍ୟୁବା ଅର୍ଥନୀତି ଓ ଶକ୍ତି ଯୋଗାଣ ଉପରେ ପଡ଼ୁଥିବା ପ୍ରତିକୂଳ ପ୍ରଭାବ ଏବଂ କ୍ୟୁବାବାସୀଙ୍କ ଉପରେ ପଡ଼ୁଥିବା ଚିନ୍ତାଜନକ ମାନବିକ ପ୍ରଭାବକୁ ନେଇ ଆମେ ଉଦ୍ବିଗ୍ନ। ଏହି ପରିପ୍ରେକ୍ଷିତରେ, ଜାତିସଂଘ ସାଧାରଣ ସଭାର ପ୍ରସ୍ତାବ A/RES/80/4 ଅନୁଯାୟୀ କ୍ୟୁବା ବିରୋଧରେ ଥିବା ଆର୍ଥିକ, ବାଣିଜ୍ୟିକ ଓ ଆର୍ଥିକ ନିଷେଧାଜ୍ଞାକୁ ଶେଷ କରିବାର ଆବଶ୍ୟକତାକୁ ଆମେ ପୁନର୍ବାର ଦୋହରାଉଛୁ।
୨୮. ମଧ୍ୟପ୍ରାଚ୍ୟ/ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନାକୁ ନେଇ ଆମେ ଗଭୀର ଚିନ୍ତା ପ୍ରକାଶ କରୁଛୁ। ଏ ସମ୍ପର୍କରେ ନିଜ ନିଜ ଦେଶର ଆଭିମୁଖ୍ୟକୁ ମନେ ରଖି ସର୍ବାଧିକ ସଂଯମ ଅବଲମ୍ବନ କରିବା ସହ ପରିସ୍ଥିତିକୁ ଆହୁରି ଖରାପ କରିପାରୁଥିବା କୌଣସି ପଦକ୍ଷେପରୁ ଦୂରେଇ ରହିବାକୁ ଆମେ ଆହ୍ୱାନ କରୁଛୁ। ଏଥିସହିତ, ଜାତିସଂଘ ସନନ୍ଦର ଉଦ୍ଦେଶ୍ୟ ଓ ନୀତିଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ଓ ପରସ୍ପର ସମ୍ପର୍କିତ ଭାବରେ ଅନୁସରଣ କରି, ସାଧାରଣ ଲୋକ ଓ ସାଧାରଣ ନାଗରିକ ଭିତ୍ତିଭୂମିର ସୁରକ୍ଷା ସୁନିଶ୍ଚିତ କରିବାକୁ ଆମେ ଆହ୍ୱାନ କରୁଛୁ। ଏଥିରେ ରାଷ୍ଟ୍ରଗୁଡ଼ିକର ସାର୍ବଭୌମତ୍ୱ ଓ ଭୌଗୋଳିକ ଅଖଣ୍ଡତା ପ୍ରତି ସମ୍ମାନ ମଧ୍ୟ ସାମିଲ ଅଛି। ଦୀର୍ଘକାଳୀନ ବୁଝାମଣା ଏବଂ ଅଞ୍ଚଳରେ ସ୍ଥାୟୀ ଶାନ୍ତି, ସୁରକ୍ଷା ଓ ସ୍ଥିରତା ପାଇଁ ଆଲୋଚନା ଓ କୂଟନୀତି ମାଧ୍ୟମରେ ପ୍ରୟାସ ବଢ଼ାଇବାକୁ ଆମେ ଉତ୍ସାହିତ କରୁଛୁ। ପ୍ରଯୁଜ୍ୟ ଅନ୍ତର୍ଜାତୀୟ ଆଇନ ଅନୁଯାୟୀ ବିଶ୍ୱ ବାଣିଜ୍ୟ, ଯୋଗାଣ ଶୃଙ୍ଖଳ ଏବଂ ଶକ୍ତି ଯୋଗାଣର ସ୍ୱାଭାବିକ ପ୍ରବାହ ବଜାୟ ରଖିବା ପାଇଁ ମିଳିତ ଭାବେ କାମ କରିବାର ଆବଶ୍ୟକତାକୁ ଆମେ ଗୁରୁତ୍ୱ ଦେଉଛୁ।
୨୯. ସାଧାରଣ ନାଗରିକଙ୍କ ବ୍ୟବହାର ପାଇଁ ଥିବା ଭିତ୍ତିଭୂମି ଏବଂ ଅନ୍ତର୍ଜାତୀୟ ପରମାଣୁ ଶକ୍ତି ଏଜେନ୍ସି (IAEA)ର ସମ୍ପୂର୍ଣ୍ଣ ସୁରକ୍ଷା ନିରୀକ୍ଷଣ ଅଧୀନରେ ଥିବା ଶାନ୍ତିପୂର୍ଣ୍ଣ ପରମାଣୁ କେନ୍ଦ୍ରଗୁଡ଼ିକ ଉପରେ ଜାଣିଶୁଣି ଆକ୍ରମଣ କରାଯାଉଥିବାକୁ ନେଇ ଆମେ ଗଭୀର ଚିନ୍ତା ପ୍ରକାଶ କରୁଛୁ। ଏପରି ଆକ୍ରମଣ ଅନ୍ତର୍ଜାତୀୟ ଆଇନ ଏବଂ IAEAର ସମ୍ପୃକ୍ତ ପ୍ରସ୍ତାବଗୁଡ଼ିକର ଉଲ୍ଲଂଘନ। ସଶସ୍ତ୍ର ସଂଘର୍ଷ ସମୟରେ ମଧ୍ୟ ପରମାଣୁ ସୁରକ୍ଷା, ନିରାପତ୍ତା ଓ ସୁରକ୍ଷା ବ୍ୟବସ୍ଥାକୁ ସବୁବେଳେ ବଜାୟ ରଖିବା ଆବଶ୍ୟକ। ଏହା ଦ୍ୱାରା ଲୋକମାନେ ଓ ପରିବେଶକୁ କ୍ଷତିରୁ ସୁରକ୍ଷିତ ରଖାଯାଇପାରିବ।
୩୦. ଜାତିସଂଘ ସୁରକ୍ଷା ପରିଷଦର ପ୍ରସ୍ତାବ ୨୮୦୩ ଗ୍ରହଣ କରାଯିବାକୁ ଆମେ ଉଲ୍ଲେଖ କରୁଛୁ। ସମ୍ପୃକ୍ତ ଜାତିସଂଘ ସାଧାରଣ ସଭା ଓ ସୁରକ୍ଷା ପରିଷଦର ପ୍ରସ୍ତାବଗୁଡ଼ିକୁ କାର୍ଯ୍ୟକାରୀ କରିବା ସହ ଗାଜା ଉପତ୍ୟକାରେ ଅସ୍ତ୍ରବିରତି ବଜାୟ ରଖିବା ଏବଂ ମାନବିକ ସହାୟତାର ସମ୍ପୂର୍ଣ୍ଣ ଓ ନିରବାଧ ପ୍ରବେଶ ସୁନିଶ୍ଚିତ କରିବାକୁ ଆମେ ସମସ୍ତ ପକ୍ଷଙ୍କୁ ଆହ୍ୱାନ କରୁଛୁ।
ଏହି ପରିପ୍ରେକ୍ଷୀରେ, ଅକ୍ଟୋବର ୨୦୨୫ର ଅସ୍ତ୍ରବିରତି ଚୁକ୍ତି ସତ୍ତ୍ୱେ ଗାଜାରେ ଚାଲିଥିବା ହିଂସାକୁ ନେଇ ଆମେ ଗଭୀର ଚିନ୍ତା ପ୍ରକାଶ କରୁଛୁ। ଗାଜା ଉପତ୍ୟକାରୁ ପାଲେଷ୍ଟାଇନୀମାନଙ୍କୁ ବଳପୂର୍ବକ ବିସ୍ଥାପନ କରିବା ଉଦ୍ଦେଶ୍ୟରେ ନିଆଯାଉଥିବା ଯେକୌଣସି ନୀତିକୁ ବନ୍ଦ କରିବାକୁ ଆମେ ଆହ୍ୱାନ କରୁଛୁ। ପାଲେଷ୍ଟାଇନୀ ଲୋକଙ୍କର ଅବିଚ୍ଛେଦ୍ୟ ଅଧିକାରକୁ କ୍ଷତି ପହଞ୍ଚାଇପାରୁଥିବା ଏବଂ ଦଖଲକୁ ବୈଧତା ପ୍ରଦାନ କିମ୍ବା ଦୀର୍ଘସ୍ଥାୟୀ କରିପାରୁଥିବା ବ୍ୟବସ୍ଥାକୁ ନେଇ ମଧ୍ୟ ଆମେ ଚିନ୍ତା ପ୍ରକାଶ କରୁଛୁ।
୩୧. ଇସ୍ରାଏଲ-ପାଲେଷ୍ଟାଇନ୍ ସଂଘର୍ଷର ଏକ ନ୍ୟାୟସଙ୍ଗତ ଓ ସ୍ଥାୟୀ ସମାଧାନ କେବଳ ଶାନ୍ତିପୂର୍ଣ୍ଣ ଉପାୟରେ ହାସଲ କରାଯାଇପାରିବ ବୋଲି ଆମେ ପୁନର୍ବାର ନିଶ୍ଚିତ କରୁଛୁ। ଏହା ପାଲେଷ୍ଟାଇନୀ ଲୋକଙ୍କର ଆତ୍ମନିର୍ଣ୍ଣୟ ଓ ନିଜ ଦେଶକୁ ଫେରିବାର ଅଧିକାର ସମେତ ସେମାନଙ୍କର ବୈଧ ଅଧିକାର ପୂରଣ ଉପରେ ନିର୍ଭର କରେ। ବହୁପକ୍ଷୀୟ ଆର୍ଥିକ ସଂସ୍ଥା ସମେତ ସମସ୍ତ ସମ୍ପୃକ୍ତ ଅନ୍ତର୍ଜାତୀୟ ସଂଗଠନରେ ପାଲେଷ୍ଟାଇନ୍ର ଯଥେଷ୍ଟ ପ୍ରତିନିଧିତ୍ୱ ଏବଂ ସେମାନଙ୍କର ସମ୍ପଦ ପାଇବାର ସୁଯୋଗ ରହିବା ଆବଶ୍ୟକ ବୋଲି ଆମେ ମତ ପ୍ରକାଶ କରୁଛୁ। ଦୁଇ-ରାଷ୍ଟ୍ର ସମାଧାନ ପ୍ରତି ଆମର ଅଟଳ ପ୍ରତିବଦ୍ଧତା ଅନୁଯାୟୀ ଜାତିସଂଘରେ ପାଲେଷ୍ଟାଇନ୍କୁ ପୂର୍ଣ୍ଣ ସଦସ୍ୟତା ଦେବାକୁ ଆମର ସମର୍ଥନକୁ ପୁନର୍ବାର ନିଶ୍ଚିତ କରୁଛୁ। ଏହା ଅନ୍ତର୍ଜାତୀୟ ଆଇନ, ଜାତିସଂଘ ସୁରକ୍ଷା ପରିଷଦ ଓ ସାଧାରଣ ସଭାର ସମ୍ପୃକ୍ତ ପ୍ରସ୍ତାବ ଏବଂ ଆରବ ଶାନ୍ତି ପ୍ରୟାସ ଅନୁଯାୟୀ ହେବା ଆବଶ୍ୟକ। ଏଥିରେ ୧୯୬୭ ମସିହାରେ ଅନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତ ସୀମା ମଧ୍ୟରେ ଏକ ସାର୍ବଭୌମ, ସ୍ୱାଧୀନ ଓ ସ୍ଥାୟୀ ପାଲେଷ୍ଟାଇନ୍ ରାଷ୍ଟ୍ର ପ୍ରତିଷ୍ଠା ସାମିଲ ଅଛି। ଏହି ସୀମା ମଧ୍ୟରେ ଗାଜା ଉପତ୍ୟକା ଓ ପଶ୍ଚିମତଟ (ଓ୍ବେଷ୍ଟବ୍ୟାଙ୍କ) ରହିଛି ଏବଂ ପୂର୍ବ ଜେରୁଜେଲମ ଏହାର ରାଜଧାନୀ ହେବ। ଏହାର ଲକ୍ଷ୍ୟ ହେଉଛି ଦୁଇଟି ରାଷ୍ଟ୍ର ଶାନ୍ତି ଓ ସୁରକ୍ଷାରେ ପାର୍ଶ୍ୱବର୍ତ୍ତୀ ଭାବେ ବାସ କରିବାର ସ୍ୱପ୍ନକୁ ସାକାର କରିବା।
୩୨. କୌଣସି ବାହାନାରେ ଅଧିକୃତ ପାଲେଷ୍ଟାଇନୀ ଅଞ୍ଚଳରୁ ପାଲେଷ୍ଟାଇନୀ ଜନସଂଖ୍ୟାକୁ ଅସ୍ଥାୟୀ କିମ୍ବା ସ୍ଥାୟୀ ଭାବେ ବଳପୂର୍ବକ ବିସ୍ଥାପନ କରିବାକୁ ଆମେ ଦୃଢ଼ ଭାବେ ବିରୋଧ କରୁଛୁ। ଗାଜା ଉପତ୍ୟକାର ଭୌଗୋଳିକ କିମ୍ବା ଜନସଂଖ୍ୟାଗତ ସ୍ଥିତିରେ କୌଣସି ପରିବର୍ତ୍ତନକୁ ମଧ୍ୟ ଆମେ ବିରୋଧ କରୁଛୁ। ଆମେ ପୁନର୍ବାର କହୁଛୁ ଯେ, ଅନ୍ତର୍ଜାତୀୟ ଆଇନ ଓ ଅନ୍ତର୍ଜାତୀୟ ନ୍ୟାୟିକ ସଂସ୍ଥାଗୁଡ଼ିକ ବେଆଇନ ଦଖଲର ଅନ୍ତ ଏବଂ ଆଇନଗତ ନିୟମକୁ ଦୁର୍ବଳ କରୁଥିବା ଓ ନ୍ୟାୟସଙ୍ଗତ ତଥା ସ୍ଥାୟୀ ଶାନ୍ତିରେ ବାଧା ସୃଷ୍ଟି କରୁଥିବା ସମସ୍ତ କାର୍ଯ୍ୟର ତୁରନ୍ତ ବନ୍ଦ ଦାବି କରୁଛନ୍ତି।
୩୩. ଅଧିକୃତ ପାଲେଷ୍ଟାଇନୀ ଅଞ୍ଚଳ, ବିଶେଷକରି ଗାଜାର ମାନବିକ ପରିସ୍ଥିତିକୁ ନେଇ ଆମେ ଗଭୀର ଚିନ୍ତା ପ୍ରକାଶ କରୁଛୁ। ଆମେ ଅନ୍ତର୍ଜାତୀୟ ଆଇନ, ବିଶେଷକରି ଅନ୍ତର୍ଜାତୀୟ ମାନବିକ ଆଇନ ଓ ଅନ୍ତର୍ଜାତୀୟ ମାନବାଧିକାର ଆଇନ ପାଳନ କରିବାକୁ ଆହ୍ୱାନ କରୁଛୁ। ଏହି ଆଇନଗୁଡ଼ିକର ସମସ୍ତ ଉଲ୍ଲଂଘନକୁ ଆମେ ନିନ୍ଦା କରୁଛୁ। ଏଥିରେ ଯୁଦ୍ଧର ଏକ ପଦ୍ଧତି ଭାବେ ଲୋକଙ୍କୁ ଅନାହାରରେ ରଖିବା, ସାଧାରଣ ନାଗରିକ ଓ ସାଧାରଣ ସମ୍ପତ୍ତି ଉପରେ ଆକ୍ରମଣ, ସ୍ୱାସ୍ଥ୍ୟସେବା କେନ୍ଦ୍ର ଓ ଅନ୍ୟାନ୍ୟ ନାଗରିକ ଭିତ୍ତିଭୂମି ଉପରେ ଆକ୍ରମଣ ଏବଂ ମାନବିକ ସହାୟତା ପହଞ୍ଚିବାରେ ବେଆଇନ ବାଧା ସୃଷ୍ଟି କରିବା ସାମିଲ ଅଛି। ମାନବିକ ସହାୟତାକୁ ରାଜନୈତିକ କିମ୍ବା ସାମରିକ ରୂପ ଦେବାର ପ୍ରୟାସକୁ ମଧ୍ୟ ଆମେ ନିନ୍ଦା କରୁଛୁ। ନିକଟ ପୂର୍ବରେ ପାଲେଷ୍ଟାଇନ୍ ଶରଣାର୍ଥୀମାନଙ୍କ ପାଇଁ ଜାତିସଂଘର ରିଲିଫ୍ ଆଣ୍ଡ ୱର୍କ୍ସ ଏଜେନ୍ସି (UNRWA) ପ୍ରତି ଆମର ଦୃଢ଼ ସମର୍ଥନକୁ ପୁନର୍ବାର ନିଶ୍ଚିତ କରୁଛୁ। ଏହାର ପାଞ୍ଚଟି କାର୍ଯ୍ୟକ୍ଷେତ୍ରରେ ପାଲେଷ୍ଟାଇନୀ ଶରଣାର୍ଥୀମାନଙ୍କୁ ମୌଳିକ ସେବା ଯୋଗାଇବା ପାଇଁ ଜାତିସଂଘ ସାଧାରଣ ସଭା ଦ୍ୱାରା ପ୍ରଦତ୍ତ ଏହାର ଦାୟିତ୍ୱକୁ ସମ୍ପୂର୍ଣ୍ଣ ସମ୍ମାନ କରିବାର ଆବଶ୍ୟକତାକୁ ଆମେ ଗୁରୁତ୍ୱ ଦେଉଛୁ। ସମ୍ପୃକ୍ତ ସମସ୍ତ ପକ୍ଷ ଅନ୍ତର୍ଜାତୀୟ ଆଇନ ଅନୁଯାୟୀ ନିଜ ଦାୟିତ୍ୱ ପାଳନ କରିବା, ସର୍ବାଧିକ ସଂଯମ ଅବଲମ୍ବନ କରିବା ଏବଂ ଉତ୍ତେଜନା ବଢ଼ାଇପାରୁଥିବା କାର୍ଯ୍ୟ ଓ ଉତ୍ତେଜନାମୂଳକ ବୟାନରୁ ଦୂରେଇ ରହିବାକୁ ଆମେ ଆହ୍ୱାନ କରୁଛୁ। ଏହି ପରିପ୍ରେକ୍ଷିତରେ, ଦକ୍ଷିଣ ଆଫ୍ରିକା ଦ୍ୱାରା ଇସ୍ରାଏଲ ବିରୋଧରେ ଆରମ୍ଭ କରାଯାଇଥିବା ଆଇନଗତ ମାମଲାରେ ଅନ୍ତର୍ଜାତୀୟ ନ୍ୟାୟାଳୟ ଦ୍ୱାରା ଦିଆଯାଇଥିବା ଅନ୍ତରୀଣ ପଦକ୍ଷେପଗୁଡ଼ିକୁ ଆମେ ଲକ୍ଷ୍ୟ କରୁଛୁ। ଏଥିରେ ଗାଜାକୁ ମାନବିକ ସହାୟତା ଯୋଗାଣ ସୁନିଶ୍ଚିତ କରିବା ଇସ୍ରାଏଲର ଆଇନଗତ ଦାୟିତ୍ୱ ବୋଲି ପୁନର୍ବାର ସ୍ପଷ୍ଟ କରାଯାଇଛି।
୩୪. ଅଧିକୃତ ଜେରୁଜେଲମର ଆଇନଗତ ଓ ଐତିହାସିକ ସ୍ଥିତିକୁ ଏକପାକ୍ଷିକ ଭାବେ ବଦଳାଇବାକୁ ଉଦ୍ଦେଶ୍ୟ ରଖିଥିବା ଯେକୌଣସି ପଦକ୍ଷେପକୁ ଆମେ ପ୍ରତ୍ୟାଖ୍ୟାନ କରୁଛୁ। ସହରର ସମସ୍ତ ଧାର୍ମିକ ସ୍ଥଳ ଓ ପବିତ୍ର ସ୍ଥାନର ପବିତ୍ରତାକୁ ସମ୍ପୂର୍ଣ୍ଣ ସମ୍ମାନ କରିବା ସହ ସମସ୍ତଙ୍କୁ ବିନା ବାଧାରେ ସେଠାକୁ ଯିବା ଏବଂ ନିଜ ଧାର୍ମିକ ରୀତିନୀତି ପାଳନ କରିବାର ଅଧିକାରକୁ ସମ୍ମାନ କରିବାକୁ ଆମେ ଆହ୍ୱାନ କରୁଛୁ।
୩୫. ଲେବାନନ୍ରେ ଅସ୍ତ୍ରବିରତିକୁ ଆମେ ସ୍ୱାଗତ କରୁଛୁ ଏବଂ ସମସ୍ତ ପକ୍ଷ ଏହାର ସର୍ତ୍ତଗୁଡ଼ିକୁ କଠୋର ଭାବେ ପାଳନ କରିବା ସହ ଜାତିସଂଘ ସୁରକ୍ଷା ପରିଷଦର ପ୍ରସ୍ତାବ ୧୭୦୧କୁ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ କରିବାକୁ ଆହ୍ୱାନ କରୁଛୁ। ଅସ୍ତ୍ରବିରତି ଏବଂ ଲେବାନନ୍ର ସାର୍ବଭୌମତ୍ୱ ଓ ଭୌଗୋଳିକ ଅଖଣ୍ଡତାର ଲଗାତାର ଉଲ୍ଲଂଘନକୁ ଆମେ ନିନ୍ଦା କରୁଛୁ। ଇସ୍ରାଏଲ୍ ଲେବାନନ୍ ସରକାର ସହ ହୋଇଥିବା ଚୁକ୍ତିର ସର୍ତ୍ତଗୁଡ଼ିକୁ ସମ୍ମାନ କରିବା ଏବଂ ଯେଉଁ ସମସ୍ତ ଲେବାନନ୍ ଅଞ୍ଚଳରେ ଏବେ ମଧ୍ୟ ତାହାର ସେନା ରହିଛି, ସେସବୁ ସ୍ଥାନରୁ ନିଜ ଦଖଲକାରୀ ସେନାକୁ ପ୍ରତ୍ୟାହାର କରିବାକୁ ଆମେ ଆହ୍ୱାନ କରୁଛୁ।
୩୬. ଲେବାନନ୍ରେ ଜାତିସଂଘର ଅନ୍ତରୀଣ ବାହିନୀ (UNIFIL) ଦ୍ୱାରା ନିର୍ବାହ କରାଯାଉଥିବା ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଆମେ ଗୁରୁତ୍ୱ ଦେଉଛୁ। ସମସ୍ତ ଜାତିସଂଘ କର୍ମଚାରୀ ଓ ଉପକରଣର ସୁରକ୍ଷା, ନିରାପତ୍ତା ଏବଂ ମୁକ୍ତ ଯାତାୟାତ ସୁନିଶ୍ଚିତ କରିବା ସହ ଜାତିସଂଘର ସମ୍ପତ୍ତି ଓ ପରିସରର ଅଖଣ୍ଡତାକୁ ସମ୍ମାନ କରିବା ଅତ୍ୟନ୍ତ ଆବଶ୍ୟକ ବୋଲି ଆମେ ସହମତ।
UNIFILର ପ୍ରତିଷ୍ଠାନ ଓ କର୍ମଚାରୀଙ୍କ ଉପରେ ସମସ୍ତ ଆକ୍ରମଣକୁ ଆମେ ନିନ୍ଦା କରୁଛୁ। ଏପରି ଆକ୍ରମଣ ଅନ୍ତର୍ଜାତୀୟ ଆଇନ ଓ ଜାତିସଂଘ ସୁରକ୍ଷା ପରିଷଦର ପ୍ରସ୍ତାବ ୧୭୦୧ (୨୦୦୬)ର ଉଲ୍ଲଂଘନ ବୋଲି ଆମେ ଗୁରୁତ୍ୱ ଦେଉଛୁ। UNIFIL ଅଧୀନରେ କାର୍ଯ୍ୟରତ ଚାରିଜଣ ଇଣ୍ଡୋନେସିଆନ୍ ଶାନ୍ତିରକ୍ଷୀ ଏବଂ ଅନ୍ୟ ଶାନ୍ତିରକ୍ଷୀଙ୍କ ମୃତ୍ୟୁ ପାଇଁ ଆମେ ଗଭୀର ସମବେଦନା ଜଣାଉଛୁ ଏବଂ ଏହାର ପ୍ରଭାବିତ ସମସ୍ତ ସେନା ପଠାଉଥିବା ଦେଶଙ୍କ ପ୍ରତି ଏକତା ପ୍ରକାଶ କରୁଛୁ। ଏହି ମୃତ୍ୟୁ ଘଟାଇଥିବା ଘଟଣାଗୁଡ଼ିକୁ ଆମେ ନିନ୍ଦା କରୁଛୁ ଏବଂ ଜାତିସଂଘ ଶାନ୍ତିରକ୍ଷୀମାନଙ୍କର ସୁରକ୍ଷା ଓ ନିରାପତ୍ତା ସହ କୌଣସି ସାଲିସ୍ କରାଯାଇପାରିବ ନାହିଁ ବୋଲି ପୁନର୍ବାର କହୁଛୁ। ଲେବାନନ୍ ସରକାରଙ୍କୁ ସହାୟତା କରିବା ଏବଂ ଏକ ରାଜନୈତିକ ସମାଧାନ ପାଇଁ ପରିବେଶ ସୃଷ୍ଟି କରିବାରେ UNIFILର ଭୂମିକା ଓ ଦାୟିତ୍ୱକୁ ସମ୍ମାନ କରିବାର ଗୁରୁତ୍ୱକୁ ଆମେ ଉଲ୍ଲେଖ କରୁଛୁ। ଏହି ଆକ୍ରମଣ ପାଇଁ ଦାୟୀ ବ୍ୟକ୍ତିମାନଙ୍କୁ ଜବାବଦେହ କରିବାକୁ ଆମେ ଆହ୍ୱାନ କରୁଛୁ। ଏଥିସହିତ UNIFIL କର୍ମଚାରୀ ଓ ସମ୍ପତ୍ତିର ସୁରକ୍ଷା ଏବଂ ମୁକ୍ତ ଯାତାୟାତ ସୁନିଶ୍ଚିତ କରିବା ସହ ଜାତିସଂଘ ପରିସରର ଅଲଂଘନୀୟତା ନିଶ୍ଚିତ କରିବାକୁ ସମସ୍ତ ପକ୍ଷଙ୍କୁ ଆହ୍ୱାନ କରୁଛୁ।
୩୭. ସୁଦାନରେ ଅବନତି ଘଟୁଥିବା ପରିସ୍ଥିତି, ବିଶେଷକରି ବଢ଼ୁଥିବା ମାନବିକ ସଙ୍କଟ ଏବଂ ଉଗ୍ରବାଦ ଓ ଆତଙ୍କବାଦ ପ୍ରସାରର ବଢ଼ୁଥିବା ବିପଦକୁ ନେଇ ଆମେ ଗଭୀର ଚିନ୍ତା ପ୍ରକାଶ କରୁଛୁ। ଏ ସମ୍ପର୍କରେ ଆମର ଆଭିମୁଖ୍ୟକୁ ଆମେ ପୁନର୍ବାର ନିଶ୍ଚିତ କରୁଛୁ ଏବଂ ତୁରନ୍ତ ଓ ସ୍ଥାୟୀ ଅସ୍ତ୍ରବିରତି ସହ ଆଲୋଚନା ମାଧ୍ୟମରେ ସଂଘର୍ଷର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଆହ୍ୱାନ କରୁଛୁ। ସୁଦାନର ଲୋକଙ୍କ ପାଇଁ ମାନବିକ ସହାୟତାର ନିରନ୍ତର, ତୁରନ୍ତ ଓ ନିରବାଧ ପ୍ରବେଶ ଏବଂ ସୁଦାନ ଓ ଏହାର ପଡ଼ୋଶୀ ଦେଶଗୁଡ଼ିକୁ ମାନବିକ ସହାୟତା ବଢ଼ାଇବାର ଆବଶ୍ୟକତାକୁ ମଧ୍ୟ ଆମେ ଗୁରୁତ୍ୱ ଦେଉଛୁ। “ଆଫ୍ରିକାର ସମସ୍ୟାର ଆଫ୍ରିକୀୟ ସମାଧାନ” ନୀତି ସଂଘର୍ଷ ସମାଧାନର ଆଧାର ଭାବେ ଜାରି ରହିବା ଉଚିତ ବୋଲି ଆମେ ପୁନର୍ବାର କହୁଛୁ ଏବଂ ଶାନ୍ତି ପ୍ରୟାସଗୁଡ଼ିକ ମଧ୍ୟରେ ସମନ୍ୱିତ ଆଭିମୁଖ୍ୟ ପାଇଁ ଆହ୍ୱାନ କରୁଛୁ।
୩୮. ସିରିୟାର ସାର୍ବଭୌମତ୍ୱ, ସ୍ୱାଧୀନତା, ଏକତା ଓ ଭୌଗୋଳିକ ଅଖଣ୍ଡତା ପ୍ରତି ଆମର ପ୍ରତିବଦ୍ଧତାକୁ ଆମେ ପୁନର୍ବାର ନିଶ୍ଚିତ କରୁଛୁ। ସମସ୍ତ ପକ୍ଷ ଏକ ଶାନ୍ତିପୂର୍ଣ୍ଣ ଓ ସମାବେଶୀ ରାଜନୈତିକ ପରିବର୍ତ୍ତନ ସୁନିଶ୍ଚିତ କରିବାକୁ ଆମେ ଆହ୍ୱାନ କରୁଛୁ। ଏହି ପରିବର୍ତ୍ତନ ଏପରି ହେବା ଉଚିତ ଯେଉଁଥିରେ ସାଧାରଣ ଲୋକଙ୍କ ସୁରକ୍ଷା ଓ କଲ୍ୟାଣ ସୁନିଶ୍ଚିତ ହେବ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ ସମେତ ସିରିଆ ସମାଜର ସମସ୍ତ ବର୍ଗର ଅଧିକାର ସୁରକ୍ଷିତ ରହିବ। ସିରିୟାର ସଂଘର୍ଷ ପରବର୍ତ୍ତୀ ପୁନର୍ନିର୍ମାଣ ଓ ପୁନର୍ବାସ ପାଇଁ ଅନ୍ତର୍ଜାତୀୟ ସମୁଦାୟ ସହାୟତା କରିବାକୁ ଆମେ ଉତ୍ସାହିତ କରୁଛୁ। ସିରିଆ ନେତୃତ୍ୱାଧୀନ ଓ ସିରିଆର ମାଲିକାନାରେ ଥିବା, ଜାତିସଂଘର ସହାୟତାରେ ଚାଲିଥିବା ଏକ ସମାବେଶୀ ରାଜନୈତିକ ପ୍ରକ୍ରିୟା ପାଇଁ ଆମର ନିରନ୍ତର ସମର୍ଥନକୁ ଆମେ ଗୁରୁତ୍ୱ ଦେଉଛୁ। ଏହି ପ୍ରକ୍ରିୟା ବାହ୍ୟ ହସ୍ତକ୍ଷେପରୁ ମୁକ୍ତ ଏବଂ ଜାତିସଂଘ ସୁରକ୍ଷା ପରିଷଦର ପ୍ରସ୍ତାବ ୨୨୫୪ (୨୦୧୫)ର ନୀତି ଉପରେ ଆଧାରିତ ହେବା ଉଚିତ। ଏଥିରେ ସିରିୟା ସମାଜର ସମସ୍ତ ରାଜନୈତିକ ଓ ସାମାଜିକ ବର୍ଗର ପ୍ରତିନିଧିତ୍ୱ ଓ ସୁରକ୍ଷା ରହିବା ଆବଶ୍ୟକ। ବିଦେଶୀ ଆତଙ୍କବାଦୀମାନଙ୍କ ସମସ୍ୟାର ସମାଧାନ ଅତ୍ୟନ୍ତ ଜରୁରୀ ବୋଲି ଆମେ ଗୁରୁତ୍ୱ ଦେଉଛୁ, କାରଣ ସେମାନେ ସିରିୟା ଓ ଅଞ୍ଚଳୀୟ ସ୍ଥିରତା ଏବଂ ସୁରକ୍ଷା ପାଇଁ ଗୁରୁତର ବିପଦ ସୃଷ୍ଟି କରୁଛନ୍ତି। ସମସ୍ତ ପ୍ରକାରର ଆତଙ୍କବାଦ ଓ ଉଗ୍ରବାଦକୁ ଦୃଢ଼ ଭାବେ ବିରୋଧ କରିବା ଏବଂ ଆତଙ୍କବାଦ ସମ୍ପର୍କରେ ଅନ୍ତର୍ଜାତୀୟ ସମୁଦାୟର ଚିନ୍ତାର ସମାଧାନ ପାଇଁ ଠୋସ ପଦକ୍ଷେପ ନେବାକୁ ଆମେ ସିରିଆକୁ ଆହ୍ୱାନ କରୁଛୁ। ସିରିୟାରୁ ଦଖଲକାରୀ ସେନା ପ୍ରତ୍ୟାହାର କରିବା ଆବଶ୍ୟକତାକୁ ମଧ୍ୟ ଆମେ ପୁନର୍ବାର ନିଶ୍ଚିତ କରୁଛୁ।
୩୯. ବିଶ୍ୱବ୍ୟାପୀ ମାନବିକ ସଙ୍କଟର ସମାଧାନ ପାଇଁ ବହୁପକ୍ଷୀୟ ସହଯୋଗକୁ ସୁଦୃଢ଼ କରିବା ପ୍ରତି ଆମର ପ୍ରତିବଦ୍ଧତାକୁ ଆମେ ପୁନର୍ବାର ନିଶ୍ଚିତ କରୁଛୁ। ମାନବିକ ସହାୟତା ପାଇଁ ଆବଣ୍ଟିତ ଅର୍ଥରେ ଗୁରୁତର ଅଭାବ ସମେତ ଅନ୍ତର୍ଜାତୀୟ ପ୍ରତିକ୍ରିୟା ହ୍ରାସ ପାଉଥିବାକୁ ନେଇ ଆମେ ଚିନ୍ତିତ। ଏହି ପରିସ୍ଥିତିରେ ଯଥେଷ୍ଟ ସମ୍ପଦର ତୁରନ୍ତ ସଂଗ୍ରହ ଏବଂ ଏହି ଲକ୍ଷ୍ୟରେ ବିଭିନ୍ନ ଆଞ୍ଚଳିକ ଓ ଅନ୍ତର୍ଜାତୀୟ ସ୍ତରରେ ସମନ୍ୱିତ ପ୍ରୟାସକୁ ଆହୁରି ବଢ଼ାଇବାକୁ ଆମେ ଆହ୍ୱାନ କରୁଛୁ। ଏଥିରେ ଜାତିସଂଘର କେନ୍ଦ୍ରୀୟ ଭୂମିକାକୁ ଆମେ ସ୍ୱୀକାର କରୁଛୁ। ସାଧାରଣ ଲୋକ ଓ ସାଧାରଣ ଭିତ୍ତିଭୂମି ଉପରେ ଜାଣିଶୁଣି ଆକ୍ରମଣ, ମାନବିକ ସହାୟତା ପହଞ୍ଚିବାକୁ ବାରଣ କିମ୍ବା ବାଧା ଦେବା ଏବଂ ମାନବିକ ସହାୟତା କର୍ମଚାରୀଙ୍କୁ ଲକ୍ଷ୍ୟ କରିବା ସମେତ ଅନ୍ତର୍ଜାତୀୟ ମାନବିକ ଆଇନର ସମସ୍ତ ଉଲ୍ଲଂଘନକୁ ଆମେ ଦୃଢ଼ ଭାବେ ନିନ୍ଦା କରୁଛୁ। ଅନ୍ତର୍ଜାତୀୟ ମାନବିକ ଆଇନର ସମସ୍ତ ଉଲ୍ଲଂଘନ ପାଇଁ ଉତ୍ତରଦାୟିତ୍ବ ସୁନିଶ୍ଚିତ କରିବାର ଆବଶ୍ୟକତାକୁ ଆମେ ଗୁରୁତ୍ୱ ଦେଉଛୁ। ଅନ୍ତର୍ଜାତୀୟ ମାନବିକ ଆଇନ ପ୍ରତି ସମ୍ମାନ, ଏହାର ପାଳନ ଓ ପ୍ରଭାବଶୀଳ କାର୍ଯ୍ୟକାରୀକରଣକୁ ପ୍ରୋତ୍ସାହନ ଦେବା ପାଇଁ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକ ନେଇଥିବା ଅନ୍ତର୍ଜାତୀୟ ପ୍ରୟାସକୁ ଆମେ ସ୍ୱୀକାର କରୁଛୁ।
୪୦. ଯେକୌଣସି ପ୍ରକାରର ଆତଙ୍କବାଦୀ କାର୍ଯ୍ୟକଳାପକୁ, ଏହାର ଉଦ୍ଦେଶ୍ୟ ଯାହା ହେଉନା କାହିଁକି, କେବେ, କେଉଁଠାରେ ଓ କାହା ଦ୍ୱାରା ହେଉନା କାହିଁକି, ଅପରାଧିକ ଓ ଅନ୍ୟାୟସଙ୍ଗତ ବୋଲି ଆମେ ଦୃଢ଼ ଭାବେ ନିନ୍ଦା କରୁଛୁ। ୨୨ ଏପ୍ରିଲ ୨୦୨୫ରେ ଜମ୍ମୁ ଓ କାଶ୍ମୀରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଆମେ ସବୁଠାରୁ ଦୃଢ଼ ଭାଷାରେ ନିନ୍ଦା କରୁଛୁ। ଏହି ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଅନେକ ଲୋକ ଆହତ ହୋଇଥିଲେ। ସମସ୍ତ ପ୍ରକାର ଓ ସମସ୍ତ ରୂପର ଆତଙ୍କବାଦ ବିରୋଧରେ ଲଢ଼େଇ କରିବା ପ୍ରତି ଆମର ପ୍ରତିବଦ୍ଧତାକୁ ଆମେ ପୁନର୍ବାର ନିଶ୍ଚିତ କରୁଛୁ। ଏଥିରେ ସୀମାପାର ଆତଙ୍କବାଦୀଙ୍କ ଗତିବିଧି, ଆତଙ୍କବାଦ ପାଇଁ ଅର୍ଥ ଯୋଗାଣ ଏବଂ ଆତଙ୍କବାଦୀଙ୍କୁ ନିରାପଦ ଆଶ୍ରୟ ଦେବା ସାମିଲ ଅଛି। ଆତଙ୍କବାଦକୁ କୌଣସି ଧର୍ମ, ଜାତୀୟତା, ସଭ୍ୟତା କିମ୍ବା ଜାତିଗୋଷ୍ଠୀ ସହ ଯୋଡ଼ାଯିବା ଉଚିତ ନୁହେଁ ବୋଲି ଆମେ ପୁନର୍ବାର କହୁଛୁ। ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଏବଂ ଏହାକୁ ସମର୍ଥନ କରୁଥିବା ସମସ୍ତଙ୍କୁ ସମ୍ପୃକ୍ତ ଜାତୀୟ ଓ ଅନ୍ତର୍ଜାତୀୟ ଆଇନ ଅନୁଯାୟୀ ଉତ୍ତରଦାୟୀ କରାଯାଇ ନ୍ୟାୟ ଦିଆଯିବା ଉଚିତ।
ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ସୁନିଶ୍ଚିତ କରିବା ଏବଂ ଆତଙ୍କବାଦ ବିରୋଧୀ ଲଢ଼େଇରେ ଦୋହରା ମାନଦଣ୍ଡକୁ ପ୍ରତ୍ୟାଖ୍ୟାନ କରିବାକୁ ଆମେ ଆହ୍ୱାନ କରୁଛୁ। ଆତଙ୍କବାଦ ବିରୋଧରେ ଲଢ଼େଇ କରିବାର ପ୍ରାଥମିକ ଦାୟିତ୍ୱ ରାଷ୍ଟ୍ରଗୁଡ଼ିକର ବୋଲି ଆମେ ଗୁରୁତ୍ୱ ଦେଉଛୁ। ଆତଙ୍କବାଦୀ ବିପଦକୁ ରୋକିବା ଓ ମୁକାବିଲା କରିବା ପାଇଁ ବିଶ୍ୱସ୍ତରୀୟ ପ୍ରୟାସ ଅନ୍ତର୍ଜାତୀୟ ଆଇନ ଅନୁଯାୟୀ ରାଷ୍ଟ୍ରଗୁଡ଼ିକର ଦାୟିତ୍ୱ ସହ ସମ୍ପୂର୍ଣ୍ଣ ଭାବେ ସମନ୍ୱିତ ହେବା ଆବଶ୍ୟକ। ଏଥିରେ ଜାତିସଂଘ ଚାର୍ଟରର ଉଦ୍ଦେଶ୍ୟ ଓ ନୀତି ସମେତ ସମ୍ପୃକ୍ତ ଅନ୍ତର୍ଜାତୀୟ ସମ୍ମିଳନୀ ଓ ପ୍ରୋଟୋକଲ୍, ବିଶେଷକରି ଅନ୍ତର୍ଜାତୀୟ ମାନବାଧିକାର ଆଇନ, ଅନ୍ତର୍ଜାତୀୟ ଶରଣାର୍ଥୀ ଆଇନ ଓ ପ୍ରଯୁଜ୍ୟ ଅନ୍ତର୍ଜାତୀୟ ମାନବିକ ଆଇନର ପାଳନ ଆବଶ୍ୟକ। ବ୍ରିକ୍ସ ଆତଙ୍କବାଦ ବିରୋଧୀ କାର୍ଯ୍ୟଗୋଷ୍ଠୀ (CTWG) ଏବଂ ଏହାର ପାଞ୍ଚଟି ଉପଗୋଷ୍ଠୀର କାର୍ଯ୍ୟକଳାପକୁ ଆମେ ସ୍ୱାଗତ କରୁଛୁ। ଏହି କାର୍ଯ୍ୟଗୁଡ଼ିକ ବ୍ରିକ୍ସ ଆତଙ୍କବାଦ ବିରୋଧୀ ରଣନୀତି, ବ୍ରିକ୍ସ ଆତଙ୍କବାଦ ବିରୋଧୀ କାର୍ଯ୍ୟଯୋଜନା ଏବଂ CTWGର ସ୍ଥିତିପତ୍ର ଉପରେ ଆଧାରିତ। ଆତଙ୍କବାଦ ବିରୋଧୀ ସହଯୋଗକୁ ଆହୁରି ଗଭୀର କରିବା ପାଇଁ ଆମେ ଆଗ୍ରହୀ। ଜାତିସଂଘର ଢାଞ୍ଚା ମଧ୍ୟରେ ଅନ୍ତର୍ଜାତୀୟ ଆତଙ୍କବାଦ ସମ୍ପର୍କିତ ସମ୍ପୂର୍ଣ୍ଣ ସମ୍ମିଳନୀକୁ ଶୀଘ୍ର ଚୂଡ଼ାନ୍ତ କରି ଗ୍ରହଣ କରିବାକୁ ଆମେ ଆହ୍ୱାନ କରୁଛୁ। ଜାତିସଂଘ ଦ୍ୱାରା ଘୋଷିତ ସମସ୍ତ ଆତଙ୍କବାଦୀ ଓ ଆତଙ୍କବାଦୀ ସଂଗଠନ ବିରୋଧରେ ମିଳିତ କାର୍ଯ୍ୟାନୁଷ୍ଠାନ ନେବାକୁ ଆମେ ଆହ୍ୱାନ କରୁଛୁ।
୪୧. ଆମେ ବିଶେଷକରି ଯୁବପିଢ଼ି ମଧ୍ୟରେ ଉଗ୍ରବାଦ ଓ ଚରମପନ୍ଥୀ ଚିନ୍ତାଧାରାର ମୁକାବିଲା କରିବାର ଗୁରୁତ୍ୱକୁ ମଧ୍ୟ ଉଲ୍ଲେଖ କରୁଛୁ। ବ୍ରିକ୍ସ ଦେଶଗୁଡ଼ିକ ଓ ସେମାନଙ୍କର ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ମଧ୍ୟରେ ସହଯୋଗକୁ ଆହୁରି ବଢ଼ାଇବାର ଆବଶ୍ୟକତା ଉପରେ ଆମେ ଗୁରୁତ୍ୱ ଦେଉଛୁ। ଏଥିରେ ଉତ୍ତମ ଅଭ୍ୟାସ ଓ ଅଭିଜ୍ଞତାର ଆଦାନପ୍ରଦାନ ମଧ୍ୟ ସାମିଲ ଅଛି।
୪୨. ଆତଙ୍କବାଦ ପାଇଁ ଅର୍ଥ ଯୋଗାଣ, ଅସ୍ତ୍ରଶସ୍ତ୍ରର ବେଆଇନ କାରବାର, ମାନବ ଚାଲାଣ, ନିଶାଦ୍ରବ୍ୟ ସମ୍ପର୍କିତ ଅପରାଧରୁ ମିଳୁଥିବା ଅର୍ଥର ଅର୍ଥ କାରବାର, ଅପରାଧିକ ଉଦ୍ଦେଶ୍ୟରେ ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତି (ICTs)ର ବ୍ୟବହାର, ବେଆଇନ ଭର୍ଚୁଆଲ୍ ସମ୍ପତ୍ତି ପ୍ରବାହ, ଦୁର୍ନୀତି ଓ ସମ୍ପୃକ୍ତ ବେଆଇନ କାର୍ଯ୍ୟକଳାପ, ଅର୍ଥ ଶୋଧନ, ସଂଗଠିତ ଅପରାଧ ମାଧ୍ୟମରେ ଆର୍ଥିକ ଠକେଇ ଏବଂ ଦେଶୀୟ ନିୟାମକ ବ୍ୟବସ୍ଥାକୁ ଏଡ଼ାଇବା ଭଳି ବେଆଇନ ଆର୍ଥିକ ପ୍ରବାହକୁ ନେଇ ଆମେ ଚିନ୍ତା ପ୍ରକାଶ କରୁଛୁ। ଏହି କାର୍ଯ୍ୟକଳାପଗୁଡ଼ିକ ଆର୍ଥିକ ସ୍ଥିରତା, ସ୍ଥାୟୀ ବିକାଶ, ଅନ୍ତର୍ଜାତୀୟ ଆର୍ଥିକ ବ୍ୟବସ୍ଥାର ଅଖଣ୍ଡତା ଏବଂ ସଂଗଠିତ ଅପରାଧ ଉପରେ ପ୍ରତିକୂଳ ପ୍ରଭାବ ପକାଉଛି। ଆମେ ଆତଙ୍କବାଦ ପାଇଁ ଅର୍ଥ ଯୋଗାଣକୁ ନେଇ ମଧ୍ୟ ଚିନ୍ତା ପ୍ରକାଶ କରୁଛୁ। ବେଆଇନ ଭାବେ ଭର୍ଚୁଆଲ୍ ସମ୍ପତ୍ତିର ବ୍ୟବହାର ଏବଂ ଦେଶୀୟ ନିୟାମକ ବ୍ୟବସ୍ଥାର ଉଲ୍ଲଂଘନ ସମେତ ଏହି କାର୍ଯ୍ୟକଳାପଗୁଡ଼ିକ ଆର୍ଥିକ ସ୍ଥିରତା, ସ୍ଥାୟୀ ବିକାଶ ଓ ଅନ୍ତର୍ଜାତୀୟ ଆର୍ଥିକ ବ୍ୟବସ୍ଥାର ଅଖଣ୍ଡତା ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ ବୋଲି ଆମେ ସ୍ୱୀକାର କରୁଛୁ। ସୀମାପାର ଠକେଇ କାର୍ଯ୍ୟକଳାପ ଓ ତଥାକଥିତ “ସ୍କାମ୍ କମ୍ପାଉଣ୍ଡ” ସମେତ ସଂଗଠିତ ଠକେଇ ନେଟୱର୍କର ବୃଦ୍ଧିକୁ ନେଇ ଆମେ ଗଭୀର ଚିନ୍ତା ପ୍ରକାଶ କରୁଛୁ। ଏହି ନେଟୱର୍କଗୁଡ଼ିକ ଡିଜିଟାଲ୍ ପ୍ରଯୁକ୍ତି, ପେମେଣ୍ଟ ବ୍ୟବସ୍ଥା ଏବଂ ଅସୁରକ୍ଷିତ ପରିସ୍ଥିତିରେ ଥିବା ଲୋକମାନଙ୍କୁ ଠକେଇ କରିବାରେ ବ୍ୟବହାର କରୁଛନ୍ତି। ଏହି ବେଆଇନ ନେଟୱର୍କଗୁଡ଼ିକୁ ଧ୍ୱଂସ କରିବା, ଅପରାଧରୁ ମିଳିଥିବା ଅର୍ଥକୁ ଚିହ୍ନଟ କରି ଜବତ ଓ ଫେରାଇ ଆଣିବା, ପୀଡ଼ିତମାନଙ୍କୁ ସୁରକ୍ଷା ଦେବା ଏବଂ ବଡ଼ ଧରଣର ଠକେଇ ପାଇଁ ଆର୍ଥିକ ସଂସ୍ଥା ଓ ନୂତନ ପେମେଣ୍ଟ ପ୍ରଣାଳୀର ଦୁରୁପଯୋଗ ରୋକିବା ପାଇଁ ସମନ୍ୱିତ ଅନ୍ତର୍ଜାତୀୟ ପଦକ୍ଷେପର ଗୁରୁତ୍ୱକୁ ଆମେ ଉଲ୍ଲେଖ କରୁଛୁ।
ସୀମାପାର ସହଯୋଗକୁ ଆହୁରି ସୁଦୃଢ଼ କରିବାର ଆବଶ୍ୟକତାକୁ ମଧ୍ୟ ଆମେ ଗୁରୁତ୍ୱ ଦେଉଛୁ। ଏଥିରେ କଷ୍ଟମ୍ସ କର୍ତ୍ତୃପକ୍ଷ, ଆର୍ଥିକ ଗୁଇନ୍ଦା ୟୁନିଟ୍, ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା, କର କର୍ତ୍ତୃପକ୍ଷ ଓ ନିରୀକ୍ଷଣକାରୀ ସଂସ୍ଥା ମଧ୍ୟରେ ସହଯୋଗ ସାମିଲ ଅଛି। ଏହି ସହଯୋଗ ସମ୍ପୃକ୍ତ ବ୍ରିକ୍ସ କାର୍ଯ୍ୟଗୋଷ୍ଠୀ, ବ୍ରିକ୍ସରେ ଗ୍ରହଣ କରାଯାଇଥିବା ଦଲିଲ ଏବଂ ବ୍ରିକ୍ସ ଦେଶଗୁଡ଼ିକ ଯେଉଁ ସମ୍ପୃକ୍ତ ଅନ୍ତର୍ଜାତୀୟ ଆଇନଗତ ବ୍ୟବସ୍ଥାର ଅଂଶୀଦାର, ସେଗୁଡ଼ିକ ଆଧାରରେ ହେବା ଉଚିତ।
ଟେଲିକମ୍ୟୁନିକେସନ୍ ସେବା ପ୍ରଦାନକାରୀ ଓ ପ୍ରଯୁକ୍ତି ପ୍ଲାଟଫର୍ମଗୁଡ଼ିକୁ ମଧ୍ୟ ଏଥିରେ ସାମିଲ କରାଯିବା ଉଚିତ। ଉନ୍ନତ ସୂଚନା ଆଦାନପ୍ରଦାନ, ବିପଦ ଆଧାରିତ ଆଭିମୁଖ୍ୟ, ଡାଟା ବିଶ୍ଳେଷଣ ଓ କ୍ଷମତା ବିକାଶ ମାଧ୍ୟମରେ ଏହି ସହଯୋଗକୁ ଆହୁରି ବଢ଼ାଇବା ଆବଶ୍ୟକ। ସାମଗ୍ରୀ ଓ ସେବା ଉଭୟ ସହ ଜଡ଼ିତ ଅର୍ଥ ଶୋଧନ ଯୋଜନାକୁ ପ୍ରଭାବଶୀଳ ଭାବେ ଚିହ୍ନଟ, ଠାବ କରି ବନ୍ଦ କରିବା ଆବଶ୍ୟକ। ଏଥିରେ ଇନଭଏସ୍ ପ୍ରସ୍ତୁତି ପ୍ରଣାଳୀର ଦୁରୁପଯୋଗ, ପେସାଦାର ସେବା ଓ ସୀମାପାର ଚୁକ୍ତି ବ୍ୟବସ୍ଥାର ଦୁରୁପଯୋଗ ସାମିଲ ଅଛି। ସୀମାପାର ପେମେଣ୍ଟ ବ୍ୟବସ୍ଥାରେ ଠକେଇ ରୋକିବା ସମେତ ଡିଜିଟାଲ୍ ଆର୍ଥିକ ସୁରକ୍ଷାକୁ ସୁଦୃଢ଼ କରିବାରେ ଅଧିକ ସହଯୋଗ ପାଇଁ ଆମେ ଉତ୍ସାହିତ କରୁଛୁ।
୪୩. ଦୁର୍ନୀତି ରୋକିବା ଓ ଏହାର ମୁକାବିଲା କ୍ଷେତ୍ରରେ ବ୍ରିକ୍ସ ସହଯୋଗକୁ ଆଗେଇ ନେବା ଏବଂ ଏ ସମ୍ପର୍କିତ ଅନ୍ତର୍ଜାତୀୟ ଚୁକ୍ତିଗୁଡ଼ିକର ନିରନ୍ତର କାର୍ଯ୍ୟକାରୀକରଣ ପାଇଁ ଆମର ପ୍ରତିବଦ୍ଧତାକୁ ଆମେ ପୁନର୍ବାର ନିଶ୍ଚିତ କରୁଛୁ। ବିଶେଷକରି ଜାତିସଂଘର ଦୁର୍ନୀତି ବିରୋଧୀ ସମ୍ମିଳନୀକୁ ଆମେ ଗୁରୁତ୍ୱ ଦେଉଛୁ। ଏହି ପରିପ୍ରେକ୍ଷିତରେ, ସମ୍ପତ୍ତି ଫେରାଇ ଆଣିବା ଓ ସୀମାପାର ଦୁର୍ନୀତିର ମୁକାବିଲା କ୍ଷେତ୍ରରେ ଅନ୍ତର୍ଜାତୀୟ ସହଯୋଗକୁ ସୁଦୃଢ଼ କରିବାରେ ବ୍ରିକ୍ସ ଦୁର୍ନୀତି ବିରୋଧୀ କାର୍ଯ୍ୟଗୋଷ୍ଠୀ ଅଧୀନରେ ହୋଇଥିବା ଅଗ୍ରଗତିକୁ ଆମେ ସ୍ୱୀକାର କରୁଛୁ। ସମ୍ପତ୍ତି ଫେରସ୍ତ କ୍ଷେତ୍ରରେ ବ୍ରିକ୍ସ ବିଶେଷଜ୍ଞ ନେଟୱର୍କ ପ୍ରତିଷ୍ଠାକୁ ଆମେ ସ୍ୱାଗତ କରୁଛୁ। ସମ୍ପୃକ୍ତ ନୋଡାଲ୍ ଅଧିକାରୀ ଓ ବିଶେଷଜ୍ଞଙ୍କ ମଧ୍ୟରେ ସହଯୋଗ ବଢ଼ାଇବା ସହ ନେଟୱର୍କ ଦ୍ୱାରା ବିକଶିତ ବ୍ୟବହାରିକ ଉପକରଣଗୁଡ଼ିକର ସକ୍ରିୟ ଓ ପ୍ରଭାବଶୀଳ ବ୍ୟବହାର ପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଆମେ ଉତ୍ସାହିତ କରୁଛୁ। ଦୁର୍ନୀତି ମାମଲାରେ ଖୋଜାଯାଉଥିବା ପଳାତକ ଅପରାଧୀଙ୍କୁ ଖୋଜିବା ଏବଂ ପ୍ରତ୍ୟର୍ପଣରେ ସହାୟତା ପାଇଁ ବ୍ରିକ୍ସର ଅନୌପଚାରିକ ସହଯୋଗ ସମ୍ପର୍କିତ ରେପୋଜିଟୋରୀକୁ ମଧ୍ୟ ଆମେ ସ୍ୱାଗତ କରୁଛୁ। ପଳାତକ ଅପରାଧୀଙ୍କ ସମ୍ପର୍କରେ ଅନ୍ତର୍ଜାତୀୟ ସହଯୋଗ ବଢ଼ାଇବା ପାଇଁ ଆଇନ ପ୍ରବର୍ତ୍ତନକାରୀ ବିଶେଷଜ୍ଞମାନଙ୍କର ଏକ ନେଟୱର୍କ ଗଠନ ପ୍ରସ୍ତାବ ଉପରେ ଚାଲିଥିବା ଆଲୋଚନାକୁ ଆମେ ସ୍ୱୀକାର କରୁଛୁ। ଏହା ନିଜ ନିଜ ଦେଶର ଆଇନଗତ ବ୍ୟବସ୍ଥା ଅନୁଯାୟୀ ହେବ। ଶାସନ ବ୍ୟବସ୍ଥାରେ ସ୍ୱଚ୍ଛତା, ସଚ୍ଚୋଟତା ଓ ଜବାବଦେହିତାକୁ ବଢ଼ାଇବା ପାଇଁ ବ୍ରିକ୍ସ ଦେଶଗୁଡ଼ିକର ପ୍ରୟାସ ଏବଂ ନୈତିକ ଶାସନ ଓ ପ୍ରଯୁକ୍ତି ଆଧାରିତ ବ୍ୟବସ୍ଥା ସମ୍ପର୍କିତ ଉତ୍ତମ ପ୍ରଚଳନର ଆଦାନପ୍ରଦାନକୁ ମଧ୍ୟ ଆମେ ସ୍ୱୀକାର କରୁଛୁ।
ଦୁର୍ନୀତି ବିରୋଧୀ ବ୍ୟବସ୍ଥା ଓ ପ୍ରତିଷ୍ଠାନଗତ କ୍ଷମତାକୁ ସୁଦୃଢ଼ କରିବା ପାଇଁ ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ନିରନ୍ତର ସହଯୋଗ ପାଇଁ ଆମେ ଉତ୍ସାହିତ କରୁଛୁ। ଦୁର୍ନୀତି ବିରୋଧରେ ଲଢ଼େଇରେ ଅପରାଧରୁ ମିଳିଥିବା ସମ୍ପତ୍ତିକୁ ପ୍ରଭାବଶୀଳ ଭାବେ ଫେରାଇ ଆଣିବାର ଗୁରୁତ୍ୱକୁ ଆମେ ଉଲ୍ଲେଖ କରୁଛୁ। ବ୍ରିକ୍ସ ଦେଶଗୁଡ଼ିକ ସମ୍ପତ୍ତି ଖୋଜା ନେଟୱର୍କ ଓ ଅନ୍ୟାନ୍ୟ ବ୍ୟବହାରିକ ବ୍ୟବସ୍ଥା ମାଧ୍ୟମରେ ସହଯୋଗ ବଢ଼ାଇବା ଉଚିତ, ଯାହା ଦ୍ୱାରା UNCAC ଓ ଦେଶୀୟ ଆଇନ ଅନୁଯାୟୀ ସମ୍ପତ୍ତି ଫେରସ୍ତ ଓ ପୁନଃପ୍ରାପ୍ତି ସହଜ ହୋଇପାରିବ।
୪୪. ବିଶ୍ୱବ୍ୟାପୀ ବେଆଇନ ନିଶାଦ୍ରବ୍ୟ ଉତ୍ପାଦନ, ଚୋରାଚାଲାଣ ଓ ନିଶାସେବନର ପରିସ୍ଥିତିକୁ ନେଇ ଆମେ ଚିନ୍ତା ପ୍ରକାଶ କରୁଛୁ। ଏହା ଜନସାଧାରଣଙ୍କ ସୁରକ୍ଷା, ସ୍ୱାସ୍ଥ୍ୟ ଓ ମାନବ କଲ୍ୟାଣ ପାଇଁ ଗୁରୁତର ବିପଦ ସୃଷ୍ଟି କରୁଛି ଏବଂ ରାଷ୍ଟ୍ରଗୁଡ଼ିକର ସ୍ଥାୟୀ ବିକାଶକୁ ଦୁର୍ବଳ କରୁଛି ବୋଲି ଆମେ ସ୍ୱୀକାର କରୁଛୁ। ଏହି ପରିପ୍ରେକ୍ଷିତରେ, ବ୍ରିକ୍ସ ନିଶାଦ୍ରବ୍ୟ ବିରୋଧୀ ଏଜେନ୍ସିଗୁଡ଼ିକର ମୁଖ୍ୟମାନଙ୍କ ଦ୍ୱାରା ପ୍ରକାଶିତ ଗୁଆହାଟୀ ଘୋଷଣାକୁ ଆମେ ସ୍ୱାଗତ କରୁଛୁ। ଏହା ବ୍ରିକ୍ସ ଦେଶଗୁଡ଼ିକର ନିଶାଦ୍ରବ୍ୟ ବିରୋଧୀ ଏଜେନ୍ସି ମଧ୍ୟରେ କାର୍ଯ୍ୟକ୍ଷମ ଓ ବୈଷୟିକ ସହଯୋଗକୁ ସହଜ କରିବ।
୪୫. ବିଶ୍ୱସ୍ତରୀୟ ଚ୍ୟାଲେଞ୍ଜର ସମାଧାନ ଏବଂ ସାମାଜିକ-ଆର୍ଥିକ ବିକାଶକୁ ଆଗେଇ ନେବାରେ ମହାକାଶ ପ୍ରଯୁକ୍ତିର ବ୍ୟବହାର ପାଇଁ ବ୍ରିକ୍ସ ରିମୋଟ୍ ସେନ୍ସିଂ ସାଟେଲାଇଟ୍ କଷ୍ଟେଲେସନ (RSSC)ର ସଫଳତାକୁ ଆମେ ପ୍ରଶଂସା କରୁଛୁ। ମହାକାଶର ଶାନ୍ତିପୂର୍ଣ୍ଣ ଅନୁସନ୍ଧାନ ଓ ବ୍ୟବହାର, ଏଥିରେ ମହାକାଶ ପ୍ରଣାଳୀର ଶାନ୍ତିପୂର୍ଣ୍ଣ ବ୍ୟବହାର ସମେତ, ଅନ୍ତର୍ଜାତୀୟ ସହଯୋଗର ଗୁରୁତ୍ୱକୁ ଆମେ ସ୍ୱୀକାର କରୁଛୁ। ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ମହାକାଶ କ୍ଷମତାରେ ଥିବା ବର୍ତ୍ତମାନର ଅସମାନତାକୁ କମାଇବା ପାଇଁ ଆମର ପ୍ରତିବଦ୍ଧତାକୁ ଆମେ ପୁନର୍ବାର ନିଶ୍ଚିତ କରୁଛୁ। ବେଙ୍ଗାଲୁରୁରେ ଅନୁଷ୍ଠିତ ବ୍ରିକ୍ସ ମହାକାଶ ଏଜେନ୍ସିଗୁଡ଼ିକର ମୁଖ୍ୟମାନଙ୍କ ବୈଠକରେ ହୋଇଥିବା ଆଲୋଚନାକୁ ଆମେ ସ୍ୱାଗତ କରୁଛୁ। ଦୀର୍ଘକାଳ ପାଇଁ ମହାକାଶ କାର୍ଯ୍ୟକଳାପର ସ୍ଥାୟୀତ୍ୱ ସୁନିଶ୍ଚିତ କରିବାରେ ମହାକାଶ ଆବର୍ଜନା କମାଇବାର ଗୁରୁତ୍ୱ ଉପରେ ଏହି ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ନୂତନ ବ୍ରିକ୍ସ ମହାକାଶ ଏଜେନ୍ସିଗୁଡ଼ିକୁ ସାମିଲ କରିବା ପାଇଁ ବ୍ରିକ୍ସ RSSC ଚୁକ୍ତିରେ ସଂଶୋଧନ ଚୂଡ଼ାନ୍ତ କରିବା ଏବଂ ବ୍ରିକ୍ସ ସ୍ପେସ୍ କାଉନସିଲ୍ ପାଇଁ କାର୍ଯ୍ୟ ପରିସର (Terms of Reference) ପ୍ରସ୍ତୁତ କରିବାରେ ହୋଇଥିବା ଉଲ୍ଲେଖନୀୟ ଅଗ୍ରଗତିକୁ ମଧ୍ୟ ଆମେ ପ୍ରଶଂସା କରୁଛୁ। ୧୨ ଏପ୍ରିଲ ୧୯୬୧ରେ ଶ୍ରୀ ୟୁରି ଗାଗାରିନ୍ଙ୍କ ପ୍ରଥମ ମାନବ ମହାକାଶ ଯାତ୍ରାର ୬୫ତମ ବାର୍ଷିକୀକୁ ମଧ୍ୟ ଆମେ ହାର୍ଦ୍ଦିକ ସ୍ୱାଗତ କରୁଛୁ। ଏହା ମହାକାଶ ଅନୁସନ୍ଧାନ କ୍ଷେତ୍ରରେ ଏକ ଐତିହାସିକ ମାଇଲ୍ଖୁଣ୍ଟ ଥିଲା ଏବଂ ସମଗ୍ର ମାନବଜାତି ପାଇଁ ନୂତନ ସମ୍ଭାବନାର ଦ୍ୱାର ଖୋଲିଥିଲା।
୪୬. ଆମେ ମହାକାଶ ପ୍ରଣାଳୀର ବ୍ୟବହାର ଏବଂ ମହାକାଶ ବିଜ୍ଞାନ ଓ ପ୍ରଯୁକ୍ତିର ସଫଳତାକୁ ଶାନ୍ତିପୂର୍ଣ୍ଣ ଉଦ୍ଦେଶ୍ୟରେ ବ୍ୟବହାର କରିବାର ଆବଶ୍ୟକତାକୁ ସ୍ୱୀକାର କରୁଛୁ। ମହାକାଶ କାର୍ଯ୍ୟକଳାପର ଦୀର୍ଘମିଆଦୀ ସ୍ଥାୟୀତ୍ୱ ସୁନିଶ୍ଚିତ କରିବା, ମହାକାଶରେ ଅସ୍ତ୍ର ପ୍ରତିଯୋଗିତା (PAROS) ରୋକିବା, ମହାକାଶକୁ ଅସ୍ତ୍ରୀକରଣରୁ ରକ୍ଷା କରିବା ଏବଂ ମହାକାଶରେ ଥିବା ବସ୍ତୁ ବିରୋଧରେ ବଳ ପ୍ରୟୋଗ କିମ୍ବା ବଳ ପ୍ରୟୋଗର ଧମକକୁ ରୋକିବା ପାଇଁ ଆମର ସମର୍ଥନକୁ ପୁନଃ ନିଶ୍ଚିତ କରୁଛୁ। ଏହି ଉଦ୍ଦେଶ୍ୟରେ ବିଶ୍ୱ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଏକ ଉପଯୁକ୍ତ ବହୁପକ୍ଷୀୟ ଆଇନଗତ ଦଲିଲ ଗ୍ରହଣ କରିବା ନିମନ୍ତେ ଆଲୋଚନାକୁ ମଧ୍ୟ ଆମେ ସମର୍ଥନ କରୁଛୁ। ୨୦୧୪ରେ ନିରସ୍ତ୍ରୀକରଣ ସମ୍ମିଳନୀ ନିକଟରେ ‘ମହାକାଶରେ ଅସ୍ତ୍ର ସ୍ଥାପନ, ମହାକାଶୀୟ ବସ୍ତୁ ବିରୋଧରେ ବଳ ପ୍ରୟୋଗର ଧମକ କିମ୍ବା ବଳ ପ୍ରୟୋଗ ରୋକିବା ସମ୍ପର୍କିତ ସଂଶୋଧିତ ଚିଠା ଚୁକ୍ତି’ (PPWT) ଦାଖଲ କରାଯାଇଥିବାକୁ ଆମେ ଏହି ଲକ୍ଷ୍ୟ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ସ୍ୱୀକାର କରୁଛୁ।
ଆମେ ଗୁରୁତ୍ୱ ଦେଉଛୁ ଯେ, ପାରସ୍ପରିକ ସ୍ୱଚ୍ଛତା ଓ ବିଶ୍ୱାସ ବୃଦ୍ଧି ପାଇଁ ବ୍ୟବହାରିକ ଏବଂ ବାଧ୍ୟତାମୂଳକ ନୁହେଁ ଏପରି ପ୍ରତିବଦ୍ଧତା (TCBMs) ସହିତ ସାର୍ବଜନୀନ ଭାବେ ସ୍ୱୀକୃତ ମାନଦଣ୍ଡ, ନିୟମ ଓ ନୀତିଗୁଡ଼ିକ ମଧ୍ୟ ମହାକାଶରେ ଅସ୍ତ୍ର ପ୍ରତିଯୋଗିତା ରୋକିବାରେ (PAROS) ସହାୟକ ହୋଇପାରେ। ଆମେ ଲକ୍ଷ୍ୟ କରୁଛୁ ଯେ, କେତେକ ବ୍ରିକ୍ସ ସଦସ୍ୟ ଜାତିସଂଘ ସାଧାରଣ ସଭାରେ ଏକକ ଓପନ୍-ଏଣ୍ଡେଡ୍ ୱର୍କିଂ ଗ୍ରୁପ୍ ଗଠନ ପାଇଁ ଏକ ପଦକ୍ଷେପ ନେଇଛନ୍ତି। ଏହା ମାଧ୍ୟମରେ ଏକ ସମନ୍ୱିତ, ସମାବେଶୀ ଓ ପ୍ରଭାବଶାଳୀ ଆଲୋଚନା ସମ୍ଭବ ହେବ। ଏହି ପ୍ରକ୍ରିୟାରେ ଥିବା ପୂର୍ବ ସଫଳତା ଏବଂ PAROS ଉପରେ ଏକ ଆଇନଗତ ଭାବେ ବାଧ୍ୟତାମୂଳକ ଦଲିଲର ମୁଖ୍ୟ ବିଷୟବସ୍ତୁ ସମେତ ବର୍ତ୍ତମାନର ଉପଲବ୍ଧିଗୁଡ଼ିକୁ ଆଧାର କରି ଆମେ ଗଠନମୂଳକ ଭାବେ ଏଥିରେ ଯୋଗଦେବାକୁ ପ୍ରତିବଦ୍ଧ।
୪୭. ଆମେ ସ୍ୱୀକାର କରୁଛୁ ଯେ, ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତି (ICTs) ବ୍ରିକ୍ସ ଦେଶଗୁଡ଼ିକର ସାମାଜିକ-ଆର୍ଥିକ ବିକାଶ ଏବଂ ଡିଜିଟାଲ୍ ପରିବର୍ତ୍ତନର ଏକ ପ୍ରମୁଖ ଚାଳକ ଭାବେ ବ୍ୟାପକ ପରିବର୍ତ୍ତନ ଆଣିଛି। ଏହି କ୍ଷେତ୍ରରେ ପ୍ରତ୍ୟେକ ଦେଶର ଜାତୀୟ ପ୍ରାଥମିକତା ଏବଂ ଅନ୍ତର୍ଜାତୀୟ ପ୍ରତିବଦ୍ଧତାକୁ ଆଧାର କରି ସହଯୋଗକୁ ଆହୁରି ସୁଦୃଢ଼ କରିବା ପ୍ରତି ଆମର ପ୍ରତିବଦ୍ଧତାକୁ ପୁନଃ ନିଶ୍ଚିତ କରୁଛୁ। ଆମେ ଏକ ମୁକ୍ତ, ସୁରକ୍ଷିତ, ସ୍ଥିର, ସହଜରେ ଉପଲବ୍ଧ, ଶାନ୍ତିପୂର୍ଣ୍ଣ ଏବଂ ପାରସ୍ପରିକ ଭାବେ ସଂଯୋଗଯୋଗ୍ୟ ICT ପରିବେଶ ପାଇଁ ଆମର ସମର୍ଥନକୁ ପୁନଃ ନିଶ୍ଚିତ କରୁଛୁ। ଏହା ସହିତ ପ୍ରତ୍ୟେକ ଦେଶର ସାର୍ବଭୌମତ୍ୱ ଓ ଜାତୀୟ ସୁରକ୍ଷାକୁ ସମ୍ମାନ କରିବା ଆବଶ୍ୟକ। ଅନ୍ତର୍ଜାତୀୟ ସୁରକ୍ଷା ପରିପ୍ରେକ୍ଷିତରେ ICT ବିକାଶ ଏବଂ ଏହାର ବ୍ୟବହାରରେ ରାଷ୍ଟ୍ରଗୁଡ଼ିକର ଦାୟିତ୍ୱପୂର୍ଣ୍ଣ ଆଚରଣକୁ ଆଗେଇ ନେବା ପାଇଁ ‘ଗ୍ଲୋବାଲ୍ ମେକାନିଜମ୍’କୁ କାର୍ଯ୍ୟକ୍ଷମ କରାଯାଇଥିବାକୁ ଆମେ ସ୍ୱାଗତ କରୁଛୁ। ICT ବ୍ୟବହାରରେ ସୁରକ୍ଷା ସମ୍ପର୍କରେ ସାଧାରଣ ବୁଝାମଣା ଗଠନ କରିବା, ଏହି କ୍ଷେତ୍ରରେ ଏକ ସାର୍ବଜନୀନ ଆଇନଗତ ଢାଞ୍ଚା ବିକାଶ କରିବା ଏବଂ ICT ବ୍ୟବହାରରେ ରାଷ୍ଟ୍ରଗୁଡ଼ିକର ଦାୟିତ୍ୱପୂର୍ଣ୍ଣ ଆଚରଣ ପାଇଁ ସାର୍ବଜନୀନ ଭାବେ ସ୍ୱୀକୃତ ମାନଦଣ୍ଡ, ନିୟମ ଓ ନୀତିଗୁଡ଼ିକର ଅନୁସରଣ ଉପରେ ଆଲୋଚନାକୁ ଆଗେଇ ନେବାରେ ଜାତିସଂଘର କେନ୍ଦ୍ରୀୟ ଭୂମିକାକୁ ଆମେ ଗୁରୁତ୍ୱ ଦେଉଛୁ।
ସମସ୍ତ ରାଷ୍ଟ୍ର ନିଜ ନିଜ ଘରୋଇ ଆଇନ, ପ୍ରକ୍ରିୟା ଓ ବ୍ୟବସ୍ଥା ଅନୁଯାୟୀ ‘ଜାତିସଂଘ ସାଇବର୍ ଅପରାଧ ବିରୋଧୀ ସମ୍ମିଳନୀ’ରେ ସ୍ୱାକ୍ଷର ଓ ଅନୁମୋଦନ କରିବାକୁ ବିଚାର କରନ୍ତୁ ବୋଲି ଆମେ ଉତ୍ସାହିତ କରୁଛୁ। ଏହା ଦ୍ୱାରା ଏହି ସମ୍ମିଳନୀ ଶୀଘ୍ର କାର୍ଯ୍ୟକାରୀ ହୋଇପାରିବ ଏବଂ ସାଇବର୍ ଅପରାଧ ବିରୋଧରେ ଅନ୍ତର୍ଜାତୀୟ ସହଯୋଗ ଆହୁରି ବଢ଼ିବ। ଜାତିସଂଘ ସାଧାରଣ ପରିଷଦର ୭୪/୨୪୭, ୭୫/୨୮୨ ଏବଂ ୭୯/୨୪୩ ସଂକଳ୍ପ ଅନୁଯାୟୀ ସମସ୍ତ ରାଷ୍ଟ୍ର ‘ଆଡ୍ ହକ୍ କମିଟି’ରେ ନିଜର ଅଂଶଗ୍ରହଣ ଜାରି ରଖନ୍ତୁ ବୋଲି ଆମେ ଆହ୍ୱାନ ଜଣାଉଛୁ। ଏହାର ଉଦ୍ଦେଶ୍ୟ ହେଉଛି, ଅନ୍ୟାନ୍ୟ ବିଷୟ ସହିତ ଆବଶ୍ୟକ ଅନୁଯାୟୀ ଅତିରିକ୍ତ ଅପରାଧିକ ଅପରାଧଗୁଡ଼ିକୁ ସମ୍ବୋଧିତ କରୁଥିବା ଏକ ପ୍ରୋଟୋକଲ୍ ନେଇ ଆଲୋଚନା କରିବା ଏବଂ ‘ଷ୍ଟେଟ୍ସ ପାର୍ଟିଜ୍’ ସମ୍ମିଳନୀ ପାଇଁ ପ୍ରକ୍ରିୟାଗତ ନିୟମର ଖସଡ଼ା ପ୍ରସ୍ତୁତ କରିବା।
୪୮. ICT ବ୍ୟବହାରରେ ସୁରକ୍ଷା ସୁନିଶ୍ଚିତ କରିବା ସମ୍ପର୍କିତ ବ୍ରିକ୍ସର ବ୍ୟବହାରିକ ସହଯୋଗର ରୋଡମ୍ୟାପ୍ ଏବଂ ଏହାର ପ୍ରଗତି ରିପୋର୍ଟ ଅନୁଯାୟୀ ବ୍ରିକ୍ସ ସହଯୋଗରେ ହୋଇଥିବା ଅଗ୍ରଗତିକୁ ଆମେ ସ୍ୱୀକାର କରୁଛୁ। ICT ବ୍ୟବହାରରେ ସୁରକ୍ଷା ସମ୍ପର୍କିତ ବ୍ରିକ୍ସ ୱର୍କିଂ ଗ୍ରୁପ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଆମେ ସ୍ୱୀକାର କରୁଛୁ। ଏହି ଗ୍ରୁପ୍ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ନୀତି ବିନିମୟ, କମ୍ପ୍ୟୁଟର ଏମର୍ଜେନ୍ସି ରେସପନ୍ସ ଟିମ୍ (CERTs) ମଧ୍ୟରେ ସର୍ବୋତ୍ତମ ପଦ୍ଧତି ବିନିମୟ, ଆଇନ ପ୍ରବର୍ତ୍ତନ ସହଯୋଗ ଏବଂ ମିଳିତ ଗବେଷଣା ଓ ବିକାଶ ଭଳି କ୍ଷେତ୍ରରେ ସହଯୋଗକୁ ବଢ଼ାଇବାରେ ଭୂମିକା ନେଉଛି। ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ଶିକ୍ଷା ଓ ଗବେଷଣା ସମ୍ପର୍କିତ ଆଦାନପ୍ରଦାନର ଗୁରୁତ୍ୱକୁ ଆମେ ଗୁରୁତ୍ୱ ଦେଉଛୁ।
ICTକୁ ଶାନ୍ତିପୂର୍ଣ୍ଣ ଓ ବିକାଶମୂଳକ ଉଦ୍ଦେଶ୍ୟରେ ଏବଂ ଅଧିକ ସମାବେଶୀ, ସହଜରେ ଉପଲବ୍ଧ, ସ୍ଥାୟୀ ଓ ପାରସ୍ପରିକ ସଂଯୋଗଯୋଗ୍ୟ ଭାବେ ବ୍ୟବହାର କରିବାକୁ ଆମେ ଗୁରୁତ୍ୱ ଦେଉଛୁ। ଏହାର ପ୍ରୟୋଗ ଲୋକକେନ୍ଦ୍ରିକ ରହିବା ମଧ୍ୟ ସୁନିଶ୍ଚିତ କରିବା ଆବଶ୍ୟକ। ଡିଜିଟାଲ୍ କ୍ଷେତ୍ରରୁ ଏବଂ ଏହା ମଧ୍ୟରୁ ଉତ୍ପନ୍ନ ହେଉଥିବା ସୁରକ୍ଷା ସମସ୍ୟା, କ୍ଷତିକାରକ ସଫ୍ଟୱେର୍, ତଥ୍ୟ ସୁରକ୍ଷା ଏବଂ ସାଇବର୍ ଅପରାଧ, ଭୁଲ୍ ସୂଚନା, ଘୃଣାଭାଷଣ, ଜାଣିଶୁଣି ଭୁଲ୍ ସୂଚନା ପ୍ରସାର ଓ ଡିପ୍ଫେକ୍ ଭଳି ପ୍ରଯୁକ୍ତିର ଅପବ୍ୟବହାର ଭଳି ଆହ୍ୱାନଗୁଡ଼ିକର ସମାଧାନ ପାଇଁ ସମନ୍ୱିତ ଓ ସମାବେଶୀ ପ୍ରୟାସ କରିବାକୁ ଆମେ ଆହ୍ୱାନ ଜଣାଉଛୁ। ICT ଉତ୍ପାଦ ଓ ପ୍ରଣାଳୀର ବିକାଶ ଏବଂ ସୁରକ୍ଷା ପାଇଁ ଏକ ବ୍ୟାପକ, ସନ୍ତୁଳିତ ଓ ନିରପେକ୍ଷ ଆଭିମୁଖ୍ୟ ଗ୍ରହଣ କରିବା ସହିତ ଯୋଗାଣ ଶୃଙ୍ଖଳାର ସୁରକ୍ଷା ପାଇଁ ବିଶ୍ୱସ୍ତରରେ ପାରସ୍ପରିକ ଭାବେ ସଂଯୋଗଯୋଗ୍ୟ ସାଧାରଣ ନିୟମ ଓ ମାନଦଣ୍ଡ ବିକାଶ ଏବଂ କାର୍ଯ୍ୟକାରୀ କରିବାକୁ ଆମେ ଆହ୍ୱାନ ଜଣାଉଛୁ। ଶାନ୍ତିର ସୁରକ୍ଷା ଏବଂ ଆର୍ଥିକ ଓ ସାମାଜିକ ବିକାଶ ପାଇଁ ଟେଲିକମ୍ୟୁନିକେସନ୍ର ବଢ଼ୁଥିବା ଗୁରୁତ୍ୱକୁ ଆମେ ଗୁରୁତ୍ୱ ଦେଉଛୁ।
ସ୍ଥାୟୀ ଓ ସମାବେଶୀ ବିଶ୍ୱ ଆର୍ଥିକ ବିକାଶ
୪୯. ଆମେ ଲକ୍ଷ୍ୟ କରୁଛୁ ଯେ, ବର୍ତ୍ତମାନର ବିଶ୍ୱସ୍ତରୀୟ ଆହ୍ୱାନଗୁଡ଼ିକ ଜଟିଳ ଏବଂ ପରସ୍ପର ସହିତ ଜଡ଼ିତ। ଏଗୁଡ଼ିକ ବିଭିନ୍ନ ଦେଶର ଆର୍ଥିକ ବିକାଶ ଓ ସ୍ଥାୟୀ ବିକାଶକୁ ବାଧା ଦେଉଥିବା ସହିତ ଦେଶ ଓ ଅଞ୍ଚଳଗୁଡ଼ିକ ମଧ୍ୟରେ ରହିଥିବା ଦୀର୍ଘକାଳୀନ ବିକାଶ ଅନ୍ତରକୁ ଆହୁରି ବଢ଼ାଉଛି। ଆମେ ସ୍ୱୀକାର କରୁଛୁ ଯେ, ଏହି ଆହ୍ୱାନଗୁଡ଼ିକର ସମାଧାନ ପାଇଁ ଜାତୀୟ ପ୍ରାଥମିକତା, ଜାତୀୟ ମାଲିକାନା ଏବଂ ବିଭିନ୍ନ ଦେଶର ବିକାଶର ଭିନ୍ନ ପର୍ଯ୍ୟାୟକୁ ଧ୍ୟାନରେ ରଖି ବ୍ୟବହାରିକ ଓ କାର୍ଯ୍ୟକାରୀ ପଦକ୍ଷେପ ଅତ୍ୟନ୍ତ ଜରୁରୀ। ଜାତିସଂଘର ଏଜେଣ୍ଡାରେ ସ୍ଥାୟୀ ବିକାଶ ଓ ସମାବେଶୀ ଆର୍ଥିକ ବୃଦ୍ଧିର ବିଶେଷ ଗୁରୁତ୍ୱ ରହିଛି ବୋଲି ଆମେ ପୁନଃ ନିଶ୍ଚିତ କରୁଛୁ। ଏହି ପରିପ୍ରେକ୍ଷିତରେ, ସାଧାରଣ ଆହ୍ୱାନଗୁଡ଼ିକର ବ୍ୟବହାରିକ ସମାଧାନ ଆଗେଇ ନେବା ପାଇଁ ବ୍ରିକ୍ସ ଆଲୋଚନା, କୂଟନୀତି ଓ ସହଯୋଗର ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ଭାବେ ରହିଛି ବୋଲି ଆମେ ପୁନଃ ଗୁରୁତ୍ବଆରୋପ କରୁଛୁ।
୫୦. ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ପଦକ୍ଷେପଗୁଡ଼ିକରେ ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ବଢ଼ୁଥିବା ସହଯୋଗକୁ ଆମେ ସ୍ୱାଗତ କରୁଛୁ। ସହନଶୀଳ, ସମାବେଶୀ ଓ ଲୋକକେନ୍ଦ୍ରିକ ପଦ୍ଧତି ମାଧ୍ୟମରେ ସମସ୍ତଙ୍କ ପାଇଁ ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ଉପଲବ୍ଧ କରାଇବା ପ୍ରତି ଆମର ପ୍ରତିବଦ୍ଧତାକୁ ପୁନଃ ନିଶ୍ଚିତ କରୁଛୁ। ବ୍ରିକ୍ସ ଦେଶଗୁଡ଼ିକରେ ସ୍ୱାସ୍ଥ୍ୟ ସେବାର ଫଳାଫଳକୁ ଉନ୍ନତ କରିବା ପାଇଁ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ନିରନ୍ତର ସହଯୋଗ ଏବଂ ମୂଲ୍ୟବାନ ଅଭିଜ୍ଞତା, ନୂତନତ୍ୱ ଓ ସର୍ବୋତ୍ତମ ପଦ୍ଧତିର ଆଦାନପ୍ରଦାନର ଆବଶ୍ୟକତାକୁ ଆମେ ସ୍ୱୀକାର କରୁଛୁ। ସ୍ୱାସ୍ଥ୍ୟ କ୍ଷେତ୍ରରେ ବହୁପକ୍ଷୀୟ ସହଯୋଗକୁ ସୁରକ୍ଷିତ ଓ ସୁଦୃଢ଼ କରିବା ଆବଶ୍ୟକ ବୋଲି ଆମର ସାମୂହିକ ବିଶ୍ୱାସକୁ ପୁନଃ ପ୍ରକାଶ କରୁଛୁ। ଏଥିରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର ଗୁରୁତ୍ୱପୂର୍ଣ୍ଣ ସମନ୍ୱୟକାରୀ ଭୂମିକାକୁ ଆମେ ଗୁରୁତ୍ୱ ଦେଉଛୁ। ଏହି ପରିପ୍ରେକ୍ଷିତରେ, ଜୈବିକ ସମ୍ପଦ ଉପରେ ରାଷ୍ଟ୍ରଗୁଡ଼ିକର ସାର୍ବଭୌମ ଅଧିକାର ଏବଂ ଜାତୀୟ ସ୍ତରରେ ପ୍ରବେଶ ଓ ଲାଭ ବଣ୍ଟନ ସମ୍ପର୍କିତ ଆଇନ ସମେତ ଆଇନ ପ୍ରଣୟନ ଓ କାର୍ଯ୍ୟକାରୀ କରିବାର ସାର୍ବଭୌମ ଅଧିକାରକୁ ପୁନଃ ନିଶ୍ଚିତ କରି, ‘ପାଥୋଜେନ୍ ଆକ୍ସେସ୍ ଆଣ୍ଡ ବେନିଫିଟ୍-ସେୟାରିଂ’ (PABS) ସମ୍ପର୍କିତ WHO ପାଣ୍ଡେମିକ୍ ଚୁକ୍ତିର ଆନେକ୍ସ ଉପରେ ଆଲୋଚନା ଜାରି ରଖିବାକୁ ଆମେ ଉତ୍ସାହିତ କରୁଛୁ। ଏହାର ଉଦ୍ଦେଶ୍ୟ ହେଉଛି ଏକ ସୁରକ୍ଷିତ, ନ୍ୟାୟସଙ୍ଗତ, ସ୍ୱଚ୍ଛ ଓ ପ୍ରଭାବଶାଳୀ ବହୁପକ୍ଷୀୟ ଢାଞ୍ଚା ଗଠନ କରିବା।
୫୧. ଚଣ୍ଡୀଗଡ଼ରେ ଅନୁଷ୍ଠିତ ୧୬ତମ ବ୍ରିକ୍ସ ସ୍ୱାସ୍ଥ୍ୟମନ୍ତ୍ରୀସ୍ତରୀୟ ବୈଠକର ଫଳାଫଳକୁ ଆମେ ସ୍ୱାଗତ କରୁଛୁ। ଯକ୍ଷ୍ମା (ଟିବି)କୁ ଆମେ ଏକ ଗୁରୁତର ବିଶ୍ୱସ୍ତରୀୟ ଜନସ୍ୱାସ୍ଥ୍ୟ ଆହ୍ୱାନ ଭାବେ ସ୍ୱୀକାର କରୁଛୁ। ଏହାର ମୁକାବିଲା ପାଇଁ ସମନ୍ୱିତ ପଦକ୍ଷେପ, ଗବେଷଣାରେ ନିରନ୍ତର ନିବେଶ ଏବଂ ପରସ୍ପର ଅଭିଜ୍ଞତା ଓ ନୂତନ ଉଦ୍ଭାବନରୁ ଶିଖିବା ପାଇଁ ପ୍ରଭାବଶାଳୀ ବ୍ୟବସ୍ଥା ଆବଶ୍ୟକ। ଟିବି ନିରାକରଣ ଦିଗରେ ପ୍ରତ୍ୟେକ ଦେଶ ଓ ସଂସ୍ଥାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଆମେ ପୁନଃ ନିଶ୍ଚିତ କରୁଛୁ। ପରସ୍ପର ସହଯୋଗ, ପ୍ରଯୁକ୍ତି ବିନିମୟ ଏବଂ ଟିବି ଗବେଷଣାକୁ ଆଗେଇ ନେବା ପାଇଁ ଏକତ୍ରିତ ପ୍ରୟାସ ମାଧ୍ୟମରେ ଏହି ଲକ୍ଷ୍ୟ ହାସଲ କରିବା ସମ୍ଭବ। ସଂକ୍ରାମକ ରୋଗର ପ୍ରକୋପ, ପଶୁଠାରୁ ମଣିଷକୁ ବ୍ୟାପୁଥିବା ରୋଗର ଆଶଙ୍କା, ଆଣ୍ଟିମାଇକ୍ରୋବିଆଲ୍ ପ୍ରତିରୋଧ (AMR) ଏବଂ ଅନ୍ୟାନ୍ୟ ଜନସ୍ୱାସ୍ଥ୍ୟ ଜରୁରୀ ପରିସ୍ଥିତି ଦେଶର ସୀମା ମଧ୍ୟରେ ସୀମିତ ନୁହେଁ। ଏଥିପାଇଁ ଅନ୍ତର୍ଜାତୀୟ ସହଯୋଗକୁ ସୁଦୃଢ଼ କରିବା, ସମୟୋପଯୋଗୀ ସୂଚନା ଆଦାନପ୍ରଦାନ ଏବଂ ସମନ୍ୱିତ ସାମୂହିକ ପଦକ୍ଷେପ ଆବଶ୍ୟକ। ସୁଦୃଢ଼ ରୋଗ ନିରୀକ୍ଷଣ ବ୍ୟବସ୍ଥା, ପ୍ରଭାବଶାଳୀ ପ୍ରାରମ୍ଭିକ ସତର୍କତା ବ୍ୟବସ୍ଥା ଏବଂ ଜରୁରୀ ପରିସ୍ଥିତି ପାଇଁ ଉନ୍ନତ ପ୍ରସ୍ତୁତି ଓ ମୁକାବିଲା କ୍ଷମତା ମାଧ୍ୟମରେ ବିଶ୍ୱ ସ୍ୱାସ୍ଥ୍ୟ ସୁରକ୍ଷାକୁ ବଢ଼ାଇବାର ଗୁରୁତ୍ୱକୁ ଆମେ ଗୁରୁତ୍ୱ ଦେଉଛୁ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର କେନ୍ଦ୍ରୀୟ ଭୂମିକା ଏବଂ ସଂଶୋଧିତ ଅନ୍ତର୍ଜାତୀୟ ସ୍ୱାସ୍ଥ୍ୟ ନିୟମାବଳୀ (୨୦୦୫)କୁ ସ୍ୱୀକାର କରି ଆମେ ସୁଦୃଢ଼ ରୋଗ ନିରୀକ୍ଷଣ, ପ୍ରାରମ୍ଭିକ ସତର୍କତା ଓ ଦ୍ରୁତ ମୁକାବିଲା ବ୍ୟବସ୍ଥା ଏବଂ ସମନ୍ୱୟ ମାଧ୍ୟମରେ ବିଶ୍ୱ ସ୍ୱାସ୍ଥ୍ୟକୁ ଆହୁରି ସୁଦୃଢ଼ କରିବାର ଗୁରୁତ୍ୱକୁ ଉଲ୍ଲେଖ କରୁଛୁ। ଏହି ପରିପ୍ରେକ୍ଷିତରେ, ବ୍ୟାପକ ସଂକ୍ରାମକ ରୋଗର ପ୍ରତିରୋଧ ଓ ମୁକାବିଲା ପାଇଁ ବ୍ରିକ୍ସ ସମନ୍ୱିତ ପ୍ରାରମ୍ଭିକ ସତର୍କତା ବ୍ୟବସ୍ଥାକୁ ଆଗେଇ ନେବା ନିମନ୍ତେ ଏକ ସ୍ୱତନ୍ତ୍ର ସବ୍-ୱର୍କିଂ ଗ୍ରୁପ୍ ଗଠନ ଏବଂ ଏହାର କାର୍ଯ୍ୟ ପରିସର (Terms of Reference) ନିର୍ଦ୍ଧାରଣକୁ ଆମେ ସ୍ୱାଗତ କରୁଛୁ।
୫୨. ସମସ୍ତ ବ୍ରିକ୍ସ ସଦସ୍ୟ ଦେଶର ଔଷଧ ଓ ଚିକିତ୍ସା ସାମଗ୍ରୀ ନିୟାମକ କର୍ତ୍ତୃପକ୍ଷଙ୍କୁ ସାମିଲ କରିବା ପାଇଁ ଚିକିତ୍ସା ସାମଗ୍ରୀ ନିୟନ୍ତ୍ରଣ କ୍ଷେତ୍ରରେ ସହଯୋଗ ସମ୍ପର୍କିତ ବର୍ତ୍ତମାନର ବୁଝାମଣାପତ୍ର (MoU)ର ପରିସରକୁ ବଢ଼ାଇ, ବ୍ରିକ୍ସ ଚିକିତ୍ସା ସାମଗ୍ରୀ ନିୟାମକ କର୍ତ୍ତୃପକ୍ଷଙ୍କ ମଧ୍ୟରେ ସହଯୋଗକୁ ଆହୁରି ସୁଦୃଢ଼ କରିବାକୁ ଆମେ ଉତ୍ସାହିତ କରୁଛୁ। ଗୁଣବତ୍ତାପୂର୍ଣ୍ଣ, ସୁରକ୍ଷିତ ଓ ପ୍ରଭାବଶାଳୀ ଚିକିତ୍ସା ସାମଗ୍ରୀର ନିରନ୍ତର ଉପଲବ୍ଧତା ଓ ସହଜ ପ୍ରାପ୍ୟତା ସୁନିଶ୍ଚିତ କରିବା ପାଇଁ ସହଯୋଗୀ ନିୟାମକ ଆଭିମୁଖ୍ୟକୁ ସୁଦୃଢ଼ କରିବାର ଗୁରୁତ୍ୱକୁ ଆମେ ପୁନଃ ଉଲ୍ଲେଖ କରୁଛୁ। ଏହି ପରିପ୍ରେକ୍ଷିତରେ, ବ୍ରିକ୍ସ ନିୟାମକ କର୍ତ୍ତୃପକ୍ଷମାନଙ୍କ ଦ୍ୱାରା ‘ବ୍ରିକ୍ସ GxP ହ୍ୱାଇଟ୍ ପେପର୍’ ପ୍ରସ୍ତୁତି ପାଇଁ କରାଯାଇଥିବା ସାମୂହିକ ପ୍ରୟାସକୁ ଆମେ ସ୍ୱାଗତ କରୁଛୁ। ଏଥିରେ ନିୟାମକ ଅଭିଜ୍ଞତା ଓ ବୈଷୟିକ ଆଭିମୁଖ୍ୟର ସର୍ବୋତ୍ତମ ପଦ୍ଧତିଗୁଡ଼ିକୁ ଏକତ୍ର କରାଯାଇଛି।
୫୩. ଲୋକକେନ୍ଦ୍ରିକ ଡିଜିଟାଲ୍ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ସହଯୋଗକୁ ଆହୁରି ସୁଦୃଢ଼ କରିବା ପ୍ରତି ଆମର ପ୍ରତିବଦ୍ଧତାକୁ ଆମେ ପୁନଃ ନିଶ୍ଚିତ କରୁଛୁ। ଦୂରଦୂରାନ୍ତ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ପ୍ରାପ୍ତି ସମେତ ନିରନ୍ତର ସ୍ୱାସ୍ଥ୍ୟସେବା ପାଇଁ ଡିଜିଟାଲ୍ ସ୍ୱାସ୍ଥ୍ୟ ଆର୍କିଟେକ୍ଚର୍ ସମ୍ପର୍କିତ ‘ବ୍ରିକ୍ସ କମ୍ପେଣ୍ଡିୟମ୍’କୁ ଏକ ମୂଲ୍ୟବାନ ଜ୍ଞାନ ସମ୍ବଳ ଭାବେ ଆମେ ସ୍ୱାଗତ କରୁଛୁ।
୫୪. ମୋଟାପଣ ଏବଂ ଅଣ-ସଂକ୍ରାମକ ରୋଗ (NCDs) ବର୍ତ୍ତମାନ ବିଶ୍ୱସ୍ତରରେ ଜନସ୍ୱାସ୍ଥ୍ୟ ପାଇଁ ବଡ଼ ଆହ୍ୱାନ ଭାବେ ଉଭା ହୋଇଛି ବୋଲି ଆମେ ସ୍ୱୀକାର କରୁଛୁ। ସମଗ୍ର ସରକାର ଓ ସମଗ୍ର ସମାଜର ସମନ୍ୱିତ ଆଭିମୁଖ୍ୟ ମାଧ୍ୟମରେ ପ୍ରତିଷେଧମୂଳକ ଓ ସ୍ୱାସ୍ଥ୍ୟ ପ୍ରୋତ୍ସାହନମୂଳକ ସେବାକୁ ସୁଦୃଢ଼ କରିବା ପ୍ରତି ଆମର ପ୍ରତିବଦ୍ଧତାକୁ ପୁନଃ ନିଶ୍ଚିତ କରୁଛୁ। ଏହି ପରିପ୍ରେକ୍ଷିତରେ, ସୁସ୍ଥ ଜୀବନଯାପନ ପାଇଁ ବ୍ରିକ୍ସ ମିଶନ ଏବଂ ‘ସ୍ୱାସ୍ଥ୍ୟକର ଜୀବନଶୈଳୀ ପ୍ରୋତ୍ସାହନ ପାଇଁ ମିଳିତ ପଦକ୍ଷେପର ବ୍ରିକ୍ସ ରୋଡମ୍ୟାପ୍ (୨୦୨୬–୨୦୨୯)’ ଆରମ୍ଭକୁ ଆମେ ସମର୍ଥନ କରୁଛୁ। ସ୍ୱାସ୍ଥ୍ୟକର ଜୀବନଶୈଳୀ ସମ୍ପର୍କିତ ପୁନଃ ପ୍ରୟୋଗଯୋଗ୍ୟ ସର୍ବୋତ୍ତମ ପଦ୍ଧତିଗୁଡ଼ିକର ‘କମ୍ପେଣ୍ଡିୟମ୍’କୁ ମଧ୍ୟ ଆମେ ସ୍ୱାଗତ କରୁଛୁ। ମାନସିକ ସୁସ୍ଥତାକୁ ସ୍ୱାସ୍ଥ୍ୟ ଓ ସ୍ଥାୟୀ ବିକାଶର ଏକ ଅତ୍ୟନ୍ତ ଜରୁରୀ ସ୍ତମ୍ଭ ଭାବେ ଆମେ ସ୍ୱୀକାର କରୁଛୁ। ଏଥିପାଇଁ ବ୍ରିକ୍ସ ଟ୍ରେନିଂ ହବ୍ ନେଟୱର୍କ ଏବଂ ବ୍ରିକ୍ସ ଉତ୍କର୍ଷ କେନ୍ଦ୍ର (CoE) ନେଟୱର୍କ ପ୍ରତିଷ୍ଠାକୁ ଆମେ ସମର୍ଥନ କରୁଛୁ। ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଣ୍ଟାଲ୍ ହେଲ୍ଥ ଆଣ୍ଡ ନ୍ୟୁରୋ ସାଇନ୍ସେସ୍ (NIMHANS) ଏହାର ସମନ୍ୱୟକାରୀ CoE ଭାବେ କାର୍ଯ୍ୟ କରିବ। CoE ନେଟୱର୍କ ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ମିଳିତ ଗବେଷଣା, ନୀତି ଆଲୋଚନା, ସର୍ବୋତ୍ତମ ପଦ୍ଧତିର ଆଦାନପ୍ରଦାନ ଏବଂ ପ୍ରମାଣଭିତ୍ତିକ ମାନସିକ ସ୍ୱାସ୍ଥ୍ୟ ପ୍ରୋତ୍ସାହନ ରଣନୀତିର ମିଳିତ ବିକାଶ ପାଇଁ ଏକ ମଞ୍ଚ ଭାବେ କାର୍ଯ୍ୟ କରିପାରିବ। ପ୍ରତ୍ୟେକ ବ୍ରିକ୍ସ ସଦସ୍ୟ ଦେଶରୁ ନିର୍ଦ୍ଧାରିତ ପ୍ରତିନିଧିମାନଙ୍କର ଏକ ଗୋଷ୍ଠୀ ମିଳିତ ଭାବେ CoE/CoE ନେଟୱର୍କର ସମନ୍ୱୟ ପରିଚାଳନା କରିବ। ଏହା ଦ୍ୱାରା ସନ୍ତୁଳିତ ନିଷ୍ପତ୍ତି ଗ୍ରହଣ ଓ ସାମୂହିକ ଦାୟିତ୍ୱ ସୁନିଶ୍ଚିତ ହେବ। ଏହା ମାଧ୍ୟମରେ ବୈଜ୍ଞାନିକ ଓ ବୈଷୟିକ ସହଯୋଗକୁ ଗଭୀର କରିବା ସହିତ ପ୍ରାଥମିକ ସ୍ୱାସ୍ଥ୍ୟସେବାରେ ମାନସିକ ସୁସ୍ଥତାକୁ ଦୀର୍ଘସ୍ଥାୟୀ ଓ ବ୍ୟାପକ ଭାବେ ସାମିଲ କରିବା ସମ୍ଭବ ହେବ। ମାନସିକ ସୁସ୍ଥତା ପ୍ରୋତ୍ସାହନ ସମ୍ପର୍କିତ ସର୍ବୋତ୍ତମ ପଦ୍ଧତିଗୁଡ଼ିକର ‘କମ୍ପେଣ୍ଡିୟମ୍’କୁ ମଧ୍ୟ ଆମେ ସ୍ୱାଗତ କରୁଛୁ।
୫୫. ସଙ୍କଟ ସମୟରେ ମାନସିକ ସ୍ୱାସ୍ଥ୍ୟ ଉପରେ ପଡ଼ୁଥିବା ପ୍ରଭାବର ସମାଧାନ କରିବାର ଗୁରୁତ୍ୱକୁ ଆମେ ଗୁରୁତ୍ୱ ଦେଉଛୁ। ପ୍ରଭାବିତ ଲୋକମାନଙ୍କୁ, ବିଶେଷକରି ଶିଶୁ ଓ କିଶୋରକିଶୋରୀଙ୍କ ସମେତ ଅସୁରକ୍ଷିତ ପରିସ୍ଥିତିରେ ଥିବା ଲୋକଙ୍କୁ ସମୟୋପଯୋଗୀ, ସହଜରେ ଉପଲବ୍ଧ ଏବଂ ନିରନ୍ତର ମାନସିକ ସ୍ୱାସ୍ଥ୍ୟ ଓ ମନୋସାମାଜିକ ସହାୟତା (MHPSS) ପ୍ରଦାନ କରିବା ପାଇଁ ଆମେ ପ୍ରତିବଦ୍ଧ।
୫୬. ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ସମସ୍ତଙ୍କ ପାଇଁ ସାର୍ବଜନୀନ ସ୍ୱାସ୍ଥ୍ୟସେବା (UHC) ଲକ୍ଷ୍ୟ ହାସଲ କରିବାରେ ପାରମ୍ପରିକ, ପରିପୂରକ ଓ ସମନ୍ୱିତ ଚିକିତ୍ସା (TCIM)ର ବଢ଼ୁଥିବା ଗୁରୁତ୍ୱକୁ ଆମେ ସ୍ୱୀକାର କରୁଛୁ। ବ୍ରିକ୍ସ ସ୍ୱାସ୍ଥ୍ୟ କ୍ଷେତ୍ର ଅଧୀନରେ TCIM ସମ୍ପର୍କିତ ବ୍ରିକ୍ସ ବିଶେଷଜ୍ଞ ୱର୍କିଂ ଗ୍ରୁପ୍ ପ୍ରତିଷ୍ଠା ପ୍ରସ୍ତାବକୁ ଆମେ ସ୍ୱାଗତ କରୁଛୁ। ଏହା ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ଆଲୋଚନା, ସହଯୋଗ ଓ ଅଭିଜ୍ଞତା ବିନିମୟର ଏକ ମଞ୍ଚ ଭାବେ କାର୍ଯ୍ୟ କରିବ। ଔଷଧୀୟ ଉଦ୍ଭିଦ ଓ ଚିକିତ୍ସା ଏବଂ ପ୍ରତିଷେଧ ପାଇଁ ବ୍ୟବହୃତ ହର୍ବାଲ୍ ପ୍ରସ୍ତୁତି ଉପରେ ସମନ୍ୱିତ ଗବେଷଣାର ଗୁରୁତ୍ୱକୁ ଆମେ ଉଲ୍ଲେଖ କରୁଛୁ। ଏହା ଦ୍ୱାରା ସଦସ୍ୟ ଦେଶଗୁଡ଼ିକର ସାମୂହିକ ପାରମ୍ପରିକ ଔଷଧ ଜ୍ଞାନ ଓ ଔଷଧୀୟ ପୁସ୍ତକଗୁଡ଼ିକ ସୁରକ୍ଷିତ, ପ୍ରଭାବଶାଳୀ ଓ ସୁଲଭ ଚିକିତ୍ସା ସାମଗ୍ରୀ ବିକାଶର ଆଧାର ହୋଇପାରିବ। ଜାତୀୟ ପରିସ୍ଥିତି ଅନୁଯାୟୀ ପ୍ରମାଣଭିତ୍ତିକ ଆଭିମୁଖ୍ୟ ଏବଂ ଉପଯୁକ୍ତ ନିୟାମକ ଢାଞ୍ଚା ମାଧ୍ୟମରେ TCIM ପଦ୍ଧତି ଓ ଉତ୍ପାଦର ଗୁଣବତ୍ତା, ସୁରକ୍ଷା ଓ ପ୍ରଭାବଶୀଳତା ସୁନିଶ୍ଚିତ କରିବାର ଗୁରୁତ୍ୱକୁ ଆମେ ପୁନଃ ନିଶ୍ଚିତ କରୁଛୁ।
୫୭. ବିକାଶଶୀଳ ଦେଶ ଓ ସ୍ୱଳ୍ପ ବିକଶିତ ଦେଶ (LDCs)ରେ ଏକ ସୁଦୃଢ଼ ଓ ଉନ୍ନତ ସ୍ୱାସ୍ଥ୍ୟ ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ସ୍ୱାସ୍ଥ୍ୟ କର୍ମଚାରୀଙ୍କ କ୍ଷମତାକୁ ସୁଦୃଢ଼ କରିବାର ଗୁରୁତ୍ୱକୁ ଆମେ ଉଲ୍ଲେଖ କରୁଛୁ। ଏହି ପରିପ୍ରେକ୍ଷୀରେ, ଅନ୍ୟାନ୍ୟ ବିଷୟ ସହିତ କ୍ଷମତା ବିକାଶ, ପ୍ରଶିକ୍ଷଣ ଓ ଗବେଷଣା କ୍ଷେତ୍ରରେ ବ୍ରିକ୍ସ ସହଯୋଗକୁ ବ୍ୟାପକ କରିବାକୁ ଆମେ ଆହ୍ୱାନ ଜଣାଉଛୁ।
୫୮. ଜାତୀୟ ଜନସ୍ୱାସ୍ଥ୍ୟ ସଂସ୍ଥାଗୁଡ଼ିକ (NPHIs) ନୀତି ନିର୍ଦ୍ଦେଶନ, ସ୍ୱାସ୍ଥ୍ୟ କର୍ମଚାରୀଙ୍କ ବିକାଶ, ରୋଗ ନିରୀକ୍ଷଣ, ପ୍ରସ୍ତୁତି ଓ ମୁକାବିଲା, ଜନସ୍ୱାସ୍ଥ୍ୟ ପରୀକ୍ଷାଗାର ବ୍ୟବସ୍ଥା ଏବଂ ପ୍ରୟୋଗମୂଳକ ଗବେଷଣା ମାଧ୍ୟମରେ ଜନସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛି ବୋଲି ଆମେ ସ୍ୱୀକାର କରୁଛୁ। ସ୍ୱାସ୍ଥ୍ୟର ସାମାଜିକ ନିର୍ଦ୍ଧାରକ କାରଣରୁ ସୃଷ୍ଟ ରୋଗ (DD-SDH)ର ମୁକାବିଲା ପାଇଁ ବିଭିନ୍ନ କ୍ଷେତ୍ର ମଧ୍ୟରେ ସହଯୋଗ, ସର୍ବୋତ୍ତମ ପଦ୍ଧତିର ଆଦାନପ୍ରଦାନ ଏବଂ ଡିଜିଟାଲ୍ ସ୍ୱାସ୍ଥ୍ୟ ସମେତ ନୂତନ ସ୍ୱାସ୍ଥ୍ୟ ପ୍ରଯୁକ୍ତିର ବ୍ୟବହାରର ଗୁରୁତ୍ୱକୁ ଆମେ ସ୍ୱୀକାର କରୁଛୁ। ଏହା ଦ୍ୱାରା ସାମୂହିକ କ୍ଷମତାକୁ ସୁଦୃଢ଼ କରିବା ଏବଂ ସ୍ୱାସ୍ଥ୍ୟ ସେବାର ଫଳାଫଳରେ ଥିବା ଅସମାନତାକୁ ହ୍ରାସ କରିବା ଦିଗରେ ଅଗ୍ରଗତିକୁ ତ୍ୱରାନ୍ୱିତ କରାଯାଇପାରିବ। ତେଣୁ, ଜାତୀୟ ପରିସ୍ଥିତି ଅନୁଯାୟୀ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ସାମୂହିକ ପଦକ୍ଷେପକୁ ସୁଦୃଢ଼ କରିବା ପାଇଁ NPHIs ଏବଂ DD-SDH ସମ୍ପର୍କିତ ‘ଅପରେସନାଲ୍ ଫ୍ରେମୱର୍କ’ଗୁଡ଼ିକୁ ସହଯୋଗୀ ମଞ୍ଚ ଭାବେ ଆମେ ସମର୍ଥନ କରୁଛୁ। ଆମେ ବ୍ରିକ୍ସ ଭ୍ୟାକ୍ସିନ୍ R&D ସେଣ୍ଟରର କାର୍ଯ୍ୟକଳାପକୁ ସମର୍ଥନ କରୁଛୁ ଏବଂ ନ୍ୟୁକ୍ଲିୟର୍ ମେଡିସିନ୍ କ୍ଷେତ୍ରରେ ସହଯୋଗର ଗୁରୁତ୍ୱକୁ ସ୍ୱୀକାର କରୁଛୁ। ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ସହଯୋଗକୁ ଆହୁରି ସୁଦୃଢ଼ କରିବା ଏବଂ ଏହି କ୍ଷେତ୍ରରେ ନିରନ୍ତର ସହଯୋଗକୁ ଆଗେଇ ନେବା ପାଇଁ ବ୍ରିକ୍ସ ନ୍ୟୁକ୍ଲିୟର୍ ମେଡିସିନ୍ ୱର୍କିଂ ଗ୍ରୁପ୍ର କାର୍ଯ୍ୟକଳାପକୁ ଆମେ ସ୍ୱାଗତ କରୁଛୁ। ଗବେଷଣାର ଫଳାଫଳ ପ୍ରସାର କରିବା ଏବଂ ବ୍ରିକ୍ସ ଢାଞ୍ଚା ମଧ୍ୟରେ ବୈଜ୍ଞାନିକ ସହଯୋଗକୁ ପ୍ରୋତ୍ସାହିତ କରିବାରେ ‘ବ୍ରିକ୍ସ ହେଲଥ୍ ଜର୍ଣ୍ଣାଲ୍’ର ଗୁରୁତ୍ୱକୁ ଆମେ ଉଲ୍ଲେଖ କରୁଛୁ। ଏହାର ବିକାଶରେ ବ୍ରିକ୍ସ ଦେଶଗୁଡ଼ିକ ନିରନ୍ତର ଭାବେ ଯୋଗଦାନ କରିବାକୁ ଆମେ ଉତ୍ସାହିତ କରୁଛୁ।
୫୯. ସ୍ୱାସ୍ଥ୍ୟ ଭିତ୍ତିଭୂମି ଏବଂ ଚିକିତ୍ସା ସାମଗ୍ରୀର ସ୍ଥାନୀୟ ଉତ୍ପାଦନକୁ ସୁଦୃଢ଼ କରିବାର ଗୁରୁତ୍ୱକୁ ଆମେ ଉଲ୍ଲେଖ କରୁଛୁ। ଭବିଷ୍ୟତରେ ଆସିପାରୁଥିବା ସ୍ୱାସ୍ଥ୍ୟ ଜରୁରୀ ପରିସ୍ଥିତି ପାଇଁ ପ୍ରସ୍ତୁତି ବଢ଼ାଇବା ନିମନ୍ତେ ଆମକୁ ଅଧିକ ସୁଦୃଢ଼ ରୋଗ ନିରୀକ୍ଷଣ ବ୍ୟବସ୍ଥା, ପରୀକ୍ଷାଗାର ନେଟୱର୍କ, ଡିଜିଟାଲ୍ ସ୍ୱାସ୍ଥ୍ୟ ପ୍ରଯୁକ୍ତି ଓ କୃତ୍ରିମ ବୁଦ୍ଧିମତ୍ତା (AI)ର ବ୍ୟବହାର, ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ପାରମ୍ପରିକ ଚିକିତ୍ସାର ସମନ୍ୱୟ, ଜନସ୍ୱାସ୍ଥ୍ୟ ସଂସ୍ଥାଗୁଡ଼ିକ ମଧ୍ୟରେ ବୈଷୟିକ ସହଯୋଗ, ଦୃଢ଼ ନିୟାମକ ଢାଞ୍ଚାର ବିକାଶ, ଦକ୍ଷ ସ୍ୱାସ୍ଥ୍ୟ କର୍ମଚାରୀ ଏବଂ ମିଳିତ ଗବେଷଣା ଓ ବିକାଶ, କ୍ଷମତା ବିକାଶ ଓ ପ୍ରଶିକ୍ଷଣ ଆବଶ୍ୟକ। ଏହି ସମସ୍ତ ପଦକ୍ଷେପ ମାଧ୍ୟମରେ ସମୟୋପଯୋଗୀ, ସୁଲଭ ମୂଲ୍ୟରେ ଏବଂ ସମାନ ଭାବେ ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟସେବା, ଟିକା, ଚିକିତ୍ସା ଓ ରୋଗ ନିର୍ଣ୍ଣୟ ସେବା ଉପଲବ୍ଧ କରାଯାଇପାରିବ।
୬୦. ଆମେ ସ୍ୱୀକାର କରୁଛୁ ଯେ, ବ୍ରିକ୍ସ ଦେଶଗୁଡ଼ିକ ବିଶ୍ୱର ଖାଦ୍ୟ ଉତ୍ପାଦନରେ ପ୍ରମୁଖ ଭୂମିକା ନିଭାଉଛନ୍ତି। ତେଣୁ କୃଷି ଉତ୍ପାଦନକୁ ବଢ଼ାଇବା, ଏହାକୁ ସ୍ଥାୟୀ କରିବା ଏବଂ ବିଶ୍ୱର ଖାଦ୍ୟ ସୁରକ୍ଷା ଓ ପୋଷଣ ସୁନିଶ୍ଚିତ କରିବାରେ ବ୍ରିକ୍ସ ଦେଶଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଖାଦ୍ୟ ସୁରକ୍ଷା ଓ ପୋଷଣ ସୁନିଶ୍ଚିତ କରିବା ସହିତ ଖାଦ୍ୟ ମୂଲ୍ୟରେ ତୀବ୍ର ହ୍ରାସବୃଦ୍ଧିର ପ୍ରଭାବକୁ ହ୍ରାସ କରିବାର ଗୁରୁତ୍ୱକୁ ଆମେ ଉଲ୍ଲେଖ କରୁଛୁ। ସାରର ଅଭାବ ସମେତ ହଠାତ୍ ଯୋଗାଣ ସଙ୍କଟର ପ୍ରଭାବକୁ ମଧ୍ୟ ହ୍ରାସ କରିବା ଆବଶ୍ୟକ। ଏହି ପରିପ୍ରେକ୍ଷୀରେ, ବ୍ରିକ୍ସ ମଧ୍ୟରେ ଏକ ଶସ୍ୟ ବାଣିଜ୍ୟ ମଞ୍ଚ ବା ‘ବ୍ରିକ୍ସ ଗ୍ରେନ୍ ଏକ୍ସଚେଞ୍ଜ’ ପ୍ରତିଷ୍ଠା ପାଇଁ ପଦକ୍ଷେପକୁ ଆଗେଇ ନେବାର ଗୁରୁତ୍ୱକୁ ଆମେ ସ୍ୱୀକାର କରୁଛୁ। ଏହାର କାର୍ଯ୍ୟପ୍ରଣାଳୀ କିପରି ହେବ ଏବଂ ପରବର୍ତ୍ତୀ ସମୟରେ ଏହାକୁ କିପରି ବିକଶିତ କରାଯିବ, ସେନେଇ ଆହୁରି ଆଲୋଚନାକୁ ଆମେ ସ୍ୱାଗତ କରୁଛୁ। ଏହାକୁ ପରବର୍ତ୍ତୀ ସମୟରେ ଅନ୍ୟାନ୍ୟ କୃଷିଜାତ ଉତ୍ପାଦ ଓ କୃଷି ସାମଗ୍ରୀ ପର୍ଯ୍ୟନ୍ତ ବିସ୍ତାର କରିବାକୁ ମଧ୍ୟ ଆମେ ସମର୍ଥନ କରୁଛୁ। ବ୍ରିକ୍ସ ଏବଂ ଅନ୍ୟାନ୍ୟ ବିକାଶଶୀଳ ଦେଶରେ ଖାଦ୍ୟର ଉପଲବ୍ଧତା, ସହଜ ପ୍ରାପ୍ୟତା, ବ୍ୟବହାର, ସ୍ଥିରତା ଓ ସୁଲଭ ମୂଲ୍ୟ ସୁନିଶ୍ଚିତ କରୁଥିବା ଜାତୀୟ ନୀତି ଏବଂ ଅନ୍ତର୍ଜାତୀୟ ସମନ୍ୱୟ ଉପରେ ଆହୁରି ଆଲୋଚନାକୁ ଆମେ ସମର୍ଥନ କରୁଛୁ।
ଏଥିରେ କୃଷି ଓ ଖାଦ୍ୟ ଉତ୍ପାଦନ ପାଇଁ ଆବଶ୍ୟକ ସାମଗ୍ରୀ ମଧ୍ୟ ସାମିଲ। ଯୋଗାଣରେ ବାଧା ସୃଷ୍ଟି ହେଲେ ତାହାର ମୁକାବିଲା ପାଇଁ ଜାତୀୟ କ୍ଷମତାକୁ ସୁଦୃଢ଼ କରିବା ମଧ୍ୟ ଏହାର ଅଂଶ। ଏଥିପାଇଁ ଜାତୀୟ ଖାଦ୍ୟ ଭଣ୍ଡାର ବ୍ୟବସ୍ଥା, ମରୁଡ଼ି ପ୍ରତିରୋଧୀ ଏବଂ ଜଳବାୟୁ ପରିବର୍ତ୍ତନ ସହ ଖାପ ଖୁଆଇପାରୁଥିବା ବିହନ ବ୍ୟବସ୍ଥା ଭଳି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ। ‘ଖାଦ୍ୟ ସୁରକ୍ଷା ଓ ପୋଷଣ ସମ୍ପର୍କିତ ଡେକାନ୍ ଉଚ୍ଚସ୍ତରୀୟ ନୀତି’ ଉପରେ ଆଧାର କରି, ଭୋକ ଓ ଦାରିଦ୍ର୍ୟ ବିରୋଧରେ ବିଶ୍ୱ ମେଣ୍ଟକୁ ଅନ୍ତର୍ଜାତୀୟ ସହଯୋଗକୁ ପ୍ରୋତ୍ସାହନ ଦେବାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ମଧ୍ୟ ଆମେ ସ୍ୱୀକାର କରୁଛୁ। ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ କୃଷିଜାତ ଉତ୍ପାଦ ଏବଂ କୃଷି ଓ ଖାଦ୍ୟ ଉତ୍ପାଦନ ପାଇଁ ଆବଶ୍ୟକ ସାମଗ୍ରୀର ବାଣିଜ୍ୟକୁ ସୁଗମ କରିବା ନେଇ ଆଲୋଚନା ପାଇଁ ମଧ୍ୟ ଆମେ ଅପେକ୍ଷା କରୁଛୁ। ଏଥିପାଇଁ ସୁଦୃଢ଼ ଓ ଭେଦଭାବମୁକ୍ତ ଯୋଗାଣ ଶୃଙ୍ଖଳାକୁ ପ୍ରୋତ୍ସାହନ ଦେବା, ମୂଲ୍ୟ ଶୃଙ୍ଖଳାକୁ ଉନ୍ନତ କରିବା ଏବଂ ସ୍ଥାୟୀ କୃଷି ପଦ୍ଧତିକୁ ଆଗେଇ ନେବା ଆବଶ୍ୟକ। ଆମେ ଏହା ମଧ୍ୟ ସ୍ୱୀକାର କରୁଛୁ ଯେ, ପରିବାରଭିତ୍ତିକ କୃଷକ, ଛୋଟ ଚାଷୀ, ପଶୁପାଳକ, ପାରମ୍ପରିକ ଓ କ୍ଷୁଦ୍ର ମତ୍ସ୍ୟଜୀବୀ, ମାଛଚାଷ ଉତ୍ପାଦକ, ଆଦିବାସୀ ଲୋକ ଓ ସ୍ଥାନୀୟ ସମୁଦାୟ, ଏବଂ ଜାତୀୟ ଆଇନ ଅନୁଯାୟୀ ମହିଳା ଓ ଯୁବପିଢ଼ି—ସମସ୍ତେ କୃଷି ଓ ଖାଦ୍ୟ ବ୍ୟବସ୍ଥାର ଅତ୍ୟନ୍ତ ଜରୁରୀ ଅଂଶୀଦାର।
୬୧. ଇନ୍ଦୋରରେ ଅନୁଷ୍ଠିତ ୧୬ତମ ବ୍ରିକ୍ସ କୃଷି ମନ୍ତ୍ରୀସ୍ତରୀୟ ବୈଠକର ଫଳାଫଳକୁ ଆମେ ସ୍ୱାଗତ କରୁଛୁ। ଜାତୀୟ, ଆଞ୍ଚଳିକ ଓ ଅନ୍ତର୍ଜାତୀୟ ସ୍ତରର ପ୍ରାସଙ୍ଗିକ ପ୍ରଥା ଓ ଅଭିଜ୍ଞତାକୁ ଆଧାର କରି, ସହଯୋଗମୂଳକ, ବାଧ୍ୟତାମୂଳକ ନୁହେଁ ଏବଂ କୃଷକକୈନ୍ଦ୍ରିକ ବ୍ରିକ୍ସ AGRIN (କୃଷି-ଉପାଦାନ, ଜିନ୍ ସମ୍ପଦ ଏବଂ ସୂଚନା ନେଟ୍ୱାର୍କ) ପ୍ରତିଷ୍ଠା କରିବାକୁ ଆମେ ସହମତ ହେଉଛୁ। କୃଷି ଓ ବିହନ ପ୍ରଣାଳୀ ସମ୍ପର୍କିତ ସାଧାରଣ ସମସ୍ୟାର ସମାଧାନ, ପ୍ରଭାବଶାଳୀ ନୀତି ପ୍ରୋତ୍ସାହନ ଏବଂ ପାରମ୍ପରିକ ଜ୍ଞାନର ଦସ୍ତାବିଜୀକରଣ ଓ ଆଦାନପ୍ରଦାନକୁ ଉତ୍ସାହିତ କରିବା ଲାଗି ବିହନ ପ୍ରଣାଳୀରେ କୃଷକ ଅଧିକାର ଉପରେ ଗ୍ଲୋବାଲ ଫୋରମ୍ ଆରମ୍ଭ କରାଯିବାକୁ ମଧ୍ୟ ଆମେ ସ୍ୱାଗତ କରୁଛୁ।
୬୨. ଜଳବାୟୁ ପରିବର୍ତ୍ତନର ପ୍ରଭାବ ସହିବାକୁ କୃଷିର ଉତ୍ପାଦନକ୍ଷମତା ଓ ସ୍ଥିରତା ବୃଦ୍ଧି ପାଇଁ କୃଷି-ପରିବେଶ ବିଜ୍ଞାନ (Agroecology) ଓ ପୁନରୁତ୍ପାଦନଶୀଳ କୃଷି ଉପରେ ବ୍ରିକ୍ସ ଉତ୍କର୍ଷ କେନ୍ଦ୍ରଗୁଡ଼ିକର ନେଟୱର୍କ ପ୍ରତିଷ୍ଠା ମାଧ୍ୟମରେ କୃଷି କ୍ଷେତ୍ରରେ ସହଯୋଗକୁ ଆହୁରି ମଜବୁତ କରାଯିବାକୁ ଆମେ ସ୍ୱାଗତ କରୁଛୁ। ଏହା ସହିତ, ବନଚାଷ (Agroforestry), ମତ୍ସ୍ୟଚାଷ ଓ ଜଳଚାଷକୁ ସାମିଲ କରି ବ୍ରିକ୍ସ ଡିଜିଟାଲ କୃଷି ନେଟୱର୍କ ପ୍ରତିଷ୍ଠାକୁ ମଧ୍ୟ ସ୍ୱାଗତ କରୁଛୁ। ମତ୍ସ୍ୟଚାଷ ଓ ଜଳଚାଷର ବିକାଶ ସମ୍ପର୍କିତ ବ୍ରିକ୍ସ ଆଲୋଚନା ଅଧୀନରେ ଆହୁରି ସହଯୋଗ ପାଇଁ ମଧ୍ୟ ଆମେ ଉତ୍ସାହିତ କରୁଛୁ।
୬୩. ବିଶ୍ୱ ବାଣିଜ୍ୟ ସଂଗଠନରେ କୃଷି ସମ୍ପର୍କିତ ଆଲୋଚନାକୁ ଆଗକୁ ବଢ଼ାଇବା ପ୍ରତି ଆମର ପ୍ରତିବଦ୍ଧତାକୁ ଆମେ ପୁନଃ ନିଶ୍ଚିତ କରୁଛୁ। ଏହା ବର୍ତ୍ତମାନର ମନ୍ତ୍ରୀସ୍ତରୀୟ ନିର୍ଦ୍ଦେଶ ଏବଂ ବିଶ୍ୱ ବାଣିଜ୍ୟ ସଂଗଠନର କୃଷି ଚୁକ୍ତି ଅନୁସାରେ ହେବ। ଦୀର୍ଘଦିନ ଧରି ନିର୍ଦ୍ଦେଶିତ ହୋଇଆସୁଥିବା ପ୍ରସଙ୍ଗଗୁଡ଼ିକରେ ଅଗ୍ରଗତି କରିବା ଏବଂ ଏକ ନ୍ୟାୟସଙ୍ଗତ, ସନ୍ତୁଳିତ ଓ ବିକାଶମୁଖୀ କୃଷି ବାଣିଜ୍ୟ ବ୍ୟବସ୍ଥା ପ୍ରୋତ୍ସାହନ ଦେବା ଏହାର ଉଦ୍ଦେଶ୍ୟ। ନୀତି ଓ ନିୟାମକ ବ୍ୟବସ୍ଥାରେ ଘଟୁଥିବା ପରିବର୍ତ୍ତନ କୃଷି ଉତ୍ପାଦନ ଓ ବାଣିଜ୍ୟ, ଖାଦ୍ୟ ସୁରକ୍ଷା ଏବଂ କ୍ଷୁଦ୍ର ଚାଷୀ ଓ ପରିବାରଭିତ୍ତିକ କୃଷକଙ୍କ ଜୀବିକାକୁ ବଢ଼ୁଥିବା ଭାବେ ପ୍ରଭାବିତ କରୁଛି ବୋଲି ଆମେ ସ୍ୱୀକାର କରୁଛୁ। ବିଶ୍ୱର ସ୍ଥାୟୀ ବନସ୍ପତି ତେଲ କ୍ଷେତ୍ରରେ ସ୍ଥାୟୀତ୍ୱ, ସମାବେଶୀକରଣ ଓ ସମାନ ବଜାର ପ୍ରବେଶକୁ ପ୍ରୋତ୍ସାହନ ଦେବା ପାଇଁ ଚାଲିଥିବା ପ୍ରୟାସକୁ ମଧ୍ୟ ଆମେ ସ୍ୱାଗତ କରୁଛୁ।
୬୪. ସାମାଜିକ ଓ ଆର୍ଥିକ ବିକାଶ, ଜାତୀୟ ସୁରକ୍ଷା ଏବଂ ସମସ୍ତ ଦେଶର ଜନକଲ୍ୟାଣ ପାଇଁ ଶକ୍ତି ସୁରକ୍ଷା ଏକ ଗୁରୁତ୍ୱପୂର୍ଣ୍ଣ ଭିତ୍ତି ବୋଲି ଆମେ ସ୍ୱୀକାର କରୁଛୁ। ବିଭିନ୍ନ ଉତ୍ସରୁ ଶକ୍ତିର ନିରବଚ୍ଛିନ୍ନ ପ୍ରବାହ ବଜାୟ ରଖିବା, ଶକ୍ତି ବଜାରର ସ୍ଥିରତା ସୁନିଶ୍ଚିତ କରିବା, ମୂଲ୍ୟ ଶୃଙ୍ଖଳକୁ ମଜବୁତ କରିବା ଏବଂ ସୀମାପାର ଭିତ୍ତିଭୂମି ସମେତ ଗୁରୁତ୍ୱପୂର୍ଣ୍ଣ ଶକ୍ତି ଭିତ୍ତିଭୂମିର ସ୍ଥିରତା ଓ ସୁରକ୍ଷା ସୁନିଶ୍ଚିତ କରି ଶକ୍ତି ସୁରକ୍ଷା ବୃଦ୍ଧି କରିବାର ଆବଶ୍ୟକତାକୁ ଆମେ ଗୁରୁତ୍ୱ ଦେଉଛୁ। ବିଶ୍ୱର ଶକ୍ତି ମିଶ୍ରଣରେ ଜୀବାଶ୍ମ ଇନ୍ଧନ ଏବେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବ ବୋଲି ଆମେ ସ୍ୱୀକାର କରୁଛୁ, ବିଶେଷକରି ଉଦୀୟମାନ ବଜାର ଓ ବିକାଶଶୀଳ ଅର୍ଥନୀତିଗୁଡ଼ିକରେ। ଏହା ସହିତ, ନ୍ୟାୟସଙ୍ଗତ, ସୁସଂଗଠିତ, ସମାନ ଓ ସମାବେଶୀ ଶକ୍ତି ପରିବର୍ତ୍ତନକୁ ପ୍ରୋତ୍ସାହନ ଦେବା ଏବଂ ଆମର ଜଳବାୟୁ ଲକ୍ଷ୍ୟ ଅନୁଯାୟୀ ଗ୍ରୀନ୍ହାଉସ୍ ଗ୍ୟାସ୍ ନିର୍ଗମନ ହ୍ରାସ କରିବାର ଆବଶ୍ୟକତାକୁ ଆମେ ସ୍ୱୀକାର କରୁଛୁ। ଏଥିରେ SDG7, ପ୍ରଯୁକ୍ତିଗତ ନିରପେକ୍ଷତାର ସିଦ୍ଧାନ୍ତ ଏବଂ ସାଧାରଣ କିନ୍ତୁ ପୃଥକ ଦାୟିତ୍ୱ ଓ ନିଜସ୍ୱ କ୍ଷମତାର ସିଦ୍ଧାନ୍ତକୁ ଅନୁସରଣ କରାଯିବ। ଏଥିରେ ପ୍ରତ୍ୟେକ ଦେଶର ପରିସ୍ଥିତି, ଆବଶ୍ୟକତା ଓ ପ୍ରାଥମିକତାକୁ ବିଚାରକୁ ନିଆଯିବ। ଅଧିକ ସଂଖ୍ୟକ ମହିଳା ଓ ଯୁବକ-ଯୁବତୀଙ୍କୁ ବ୍ରିକ୍ସ ଶକ୍ତି ସମ୍ପର୍କିତ ଆଲୋଚନାରେ ଅଧିକ ଭାଗ ନେବାର ସୁଯୋଗ ଦେବା ପାଇଁ ‘ବ୍ରିକ୍ସ ଏନର୍ଜି ରିସର୍ଚ୍ଚ କୋଅପରେସନ୍ ପ୍ଲାଟଫର୍ମ (ERCP)’ର କାର୍ଯ୍ୟ ଏବଂ ବ୍ରିକ୍ସ ୟୁଥ୍ ଏନର୍ଜି ସମିଟ୍ ଆୟୋଜନକୁ ଆମେ ସ୍ୱାଗତ କରୁଛୁ।
୬୫. କୃତ୍ରିମ ବୁଦ୍ଧିମତ୍ତା (AI) ଓ ଉନ୍ନତ ତଥ୍ୟ ବିଶ୍ଳେଷଣ ଭଳି ପ୍ରଯୁକ୍ତି ସମେତ ଶକ୍ତି ପ୍ରଣାଳୀରେ ଡିଜିଟାଲୀକରଣର ଭୂମିକା ବଢ଼ୁଥିବାକୁ ଆମେ ଗୁରୁତ୍ୱ ଦେଉଛୁ। ଏହି ପ୍ରଯୁକ୍ତିଗୁଡ଼ିକ ଶକ୍ତି ପ୍ରଣାଳୀର ଯୋଜନା, ଗ୍ରିଡ୍ ପରିଚାଳନା, ନବୀକରଣୀୟ ଶକ୍ତିର ସମନ୍ୱୟ, କାର୍ଯ୍ୟକ୍ଷମତା ଏବଂ ଅଧିକ ସାଇବର-ସୁରକ୍ଷିତ ଶକ୍ତି ଭିତ୍ତିଭୂମି ଗଠନରେ ବହୁତ ସମ୍ଭାବନା ରଖୁଛି। ଏହି ପରିପ୍ରେକ୍ଷୀରେ ସ୍ମାର୍ଟ ଗ୍ରିଡ୍ ଓ ଏନର୍ଜି ଷ୍ଟୋରେଜ୍ ଉପରେ ବ୍ରିକ୍ସ ନିର୍ଦ୍ଦେଶକ ନୀତିକୁ ଆମେ ସ୍ୱାଗତ କରୁଛୁ। ସ୍ମାର୍ଟ ଗ୍ରିଡ୍ ଓ ଏନର୍ଜି ଷ୍ଟୋରେଜ୍ ସମ୍ପର୍କିତ BRICS ERCPର କାର୍ଯ୍ୟଧାରା ଅଧୀନରେ BRICS ଡିଜିଟାଲ ସେଣ୍ଟର ଅଫ୍ ଏକ୍ସିଲେନ୍ସ ଫର୍ ସ୍ମାର୍ଟ ଗ୍ରିଡ୍ସ ଆଣ୍ଡ୍ ଏନର୍ଜି ଷ୍ଟୋରେଜ୍ ପ୍ରତିଷ୍ଠା କରିବା ନେଇ ଅଧ୍ୟକ୍ଷ ଦେଶର ପଦକ୍ଷେପକୁ ଆମେ ଉଲ୍ଲେଖ କରୁଛୁ। ଏହା ସହଯୋଗକୁ ଆଗକୁ ବଢ଼ାଇବା ପାଇଁ ଏକ ସ୍ୱେଚ୍ଛାମୂଳକ ଆଲୋଚନା ବ୍ୟବସ୍ଥା ଭାବେ କାର୍ଯ୍ୟ କରିବ।
୬୬. ଜାତୀୟ ପରିସ୍ଥିତିକୁ ପ୍ରତିଫଳିତ କରୁଥିବା ସନ୍ତୁଳିତ ଓ ବିବିଧ ଶକ୍ତି ମିଶ୍ରଣର ଗୁରୁତ୍ୱକୁ ଆମେ ରେଖାଙ୍କିତ କରୁଛୁ। ନବୀକରଣୀୟ ଶକ୍ତି, ବାୟୋଏନର୍ଜି, ଜୀବାଶ୍ମ ଇନ୍ଧନ, ପରମାଣୁ ଶକ୍ତି, ଜଳବିଦ୍ୟୁତ, ହାଇଡ୍ରୋଜେନ୍, କମ୍-କାର୍ବନ୍ ପ୍ରଯୁକ୍ତି ଏବଂ ଶକ୍ତି ସଂରକ୍ଷଣ ପ୍ରଯୁକ୍ତି ସମେତ ବିଭିନ୍ନ ଶକ୍ତି ଉତ୍ସ ଓ ପ୍ରଯୁକ୍ତିର ଗୁରୁତ୍ୱ ରହିଛି ବୋଲି ଆମେ ସ୍ୱୀକାର କରୁଛୁ। ଏଗୁଡ଼ିକ ସ୍ଥାୟୀ ବିକାଶ ଲକ୍ଷ୍ୟ (SDGs) ହାସଲ ଏବଂ ଶକ୍ତି ସୁରକ୍ଷା ନିଶ୍ଚିତ କରିବାରେ ଗୁରୁତ୍ୱପୂର୍ଣ୍ଣ। ସମସ୍ତ ଉପଲବ୍ଧ ଶକ୍ତି ଉତ୍ସ, ସ୍ଥିର ଓ ସୁଦୃଢ଼ ଶକ୍ତି ଯୋଗାଣ ଶୃଙ୍ଖଳ ଏବଂ ଶକ୍ତି କ୍ଷେତ୍ରରେ ଆଲୋଚନା ମାଧ୍ୟମରେ ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ଅଧିକ ସହଯୋଗର ଭୂମିକାକୁ ଆମେ ଗୁରୁତ୍ୱ ଦେଉଛୁ। ଏହି ପରିପ୍ରେକ୍ଷୀରେ, ଶୂନ୍ୟ/କମ୍-ନିର୍ଗମନ ହାଇଡ୍ରୋଜେନ୍ ପାଇଁ ପରସ୍ପର ସୁସଙ୍ଗତ ମାନଦଣ୍ଡ ଓ ପ୍ରମାଣୀକରଣ ବ୍ୟବସ୍ଥା ଉପରେ ବ୍ରିକ୍ସ ସହଯୋଗକୁ ଆମେ ଉତ୍ସାହିତ କରୁଛୁ। ଏହି ସମ୍ପର୍କରେ ହାଇଡ୍ରୋଜେନ୍ ମୂଲ୍ୟ ଶୃଙ୍ଖଳ ଉପରେ ବ୍ରିକ୍ସ ଯୁଗ୍ମ ରିପୋର୍ଟ ପ୍ରସ୍ତୁତି ପାଇଁ ଚାଲିଥିବା କାର୍ଯ୍ୟକୁ ଆମେ ପ୍ରଶଂସା କରୁଛୁ।
୬୭. ଲାଭର ସମାନ ବଣ୍ଟନ, ମୂଲ୍ୟବୃଦ୍ଧି ଓ ସମ୍ପଦସମୃଦ୍ଧ ଦେଶଗୁଡ଼ିକର ଅର୍ଥନୈତିକ ବିବିଧୀକରଣ ସୁନିଶ୍ଚିତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଖଣିଜର ନିର୍ଭରଯୋଗ୍ୟ, ଦାୟିତ୍ୱଶୀଳ, ବିବିଧ, ସ୍ଥିର, ନ୍ୟାୟସଙ୍ଗତ, ସ୍ଥାୟୀ ଓ ନ୍ୟାୟଭିତ୍ତିକ ଯୋଗାଣ ଶୃଙ୍ଖଳକୁ ପ୍ରୋତ୍ସାହନ ଦେବାର ଆବଶ୍ୟକତାକୁ ଆମେ ନିଶ୍ଚିତ କରୁଛୁ। ଏହା ସହିତ, ନିଜ ଖଣିଜ ସମ୍ପଦ ଉପରେ ଦେଶଗୁଡ଼ିକର ସାର୍ବଭୌମ ଅଧିକାରକୁ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ରଖିବା ସହିତ, ବୈଧ ସାର୍ବଜନୀନ ନୀତି ଲକ୍ଷ୍ୟ ପୂରଣ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ, ବଜାୟ ରଖିବା ଓ କାର୍ଯ୍ୟକାରୀ କରିବାର ଅଧିକାରକୁ ମଧ୍ୟ ସୁରକ୍ଷିତ ରଖାଯିବ। ଶୂନ୍ୟ ଓ କମ୍-ନିର୍ଗମନ ଶକ୍ତି ପ୍ରଯୁକ୍ତିର ବିକାଶ, ଶକ୍ତି ସୁରକ୍ଷା ଏବଂ ଶକ୍ତି ଯୋଗାଣ ଶୃଙ୍ଖଳର ସ୍ଥିରତା ପାଇଁ ଗୁରୁତ୍ୱପୂର୍ଣ୍ଣ ଖଣିଜର ମୁଖ୍ୟ ଭୂମିକାକୁ ଆମେ ସ୍ୱୀକାର କରୁଛୁ।
୬୮. ନୂତନ ଶିଳ୍ପ ବିପ୍ଳବ ପାଇଁ ଭାଗୀଦାରି (PartNIR) ଅଧୀନରେ ସହଯୋଗକୁ ମଜବୁତ କରିବାର ଗୁରୁତ୍ୱକୁ ଆମେ ପୁନଃ ଗୁରୁତ୍ୱ ଦେଉଛୁ। ଦ୍ରୁତ ପରିବର୍ତ୍ତନଶୀଳ ଶିଳ୍ପ ପରିବେଶରେ ଆଗ୍ରହ, ଆହ୍ୱାନ ଓ ସୁଯୋଗ ଚିହ୍ନଟ କରିବା ପାଇଁ PartNIR ଏକ ମାର୍ଗଦର୍ଶକ ପ୍ଲାଟଫର୍ମ ଭାବେ କାର୍ଯ୍ୟ କରୁଛି। ନବସୃଜନକୁ ପ୍ରୋତ୍ସାହନ, ପ୍ରଯୁକ୍ତିଗତ ସହଯୋଗକୁ ଆଗକୁ ବଢ଼ାଇବା, ବିଶେଷକରି ଇଣ୍ଡଷ୍ଟ୍ରି ୪.୦ ସମ୍ପର୍କିତ କ୍ଷେତ୍ରରେ ସହଯୋଗ ଏବଂ ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ଷ୍ଟାର୍ଟଅପ୍ ଓ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (SMEs)ର ଅଧିକ ସଂପୃକ୍ତି ପାଇଁ ବ୍ରିକ୍ସ ଅର୍ଥନୀତିଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଆମେ ଗୁରୁତ୍ୱ ଦେଉଛୁ। PartNIR ଅଧୀନରେ କ୍ଷେତ୍ରଭିତ୍ତିକ କାର୍ଯ୍ୟକାରୀ ଗୋଷ୍ଠୀଗୁଡ଼ିକ ଚାଲୁ ରଖିଥିବା ପ୍ରୟାସକୁ ଆମେ ସମର୍ଥନ କରୁଛୁ। ପାରସ୍ପରିକ ଆଗ୍ରହର କ୍ଷେତ୍ରରେ ସହଯୋଗକୁ ଆଗକୁ ବଢ଼ାଇବା ପାଇଁ ବ୍ରିକ୍ସ ସଦସ୍ୟମାନଙ୍କୁ ପ୍ରତିଷ୍ଠିତ ବ୍ୟବସ୍ଥାଗୁଡ଼ିକର ଉପଯୋଗ କରିବାକୁ ଆମେ ଉତ୍ସାହିତ କରୁଛୁ। ୨୦୨୬ରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମ, ଯେଉଁଥିରେ ବ୍ରିକ୍ସ ଫୋରମ୍ ଅନ୍ PartNIR ମଧ୍ୟ ସାମିଲ, ସେଗୁଡ଼ିକୁ ଆୟୋଜନ କରିଥିବା ‘ବ୍ରିକ୍ସ PartNIR ଇନୋଭେସନ୍ ସେଣ୍ଟର (BPIC)’ର ପ୍ରୟାସକୁ ଆମେ ପ୍ରଶଂସା କରୁଛୁ। ନବସୃଜନ ଭିତ୍ତିକ ଅଭିବୃଦ୍ଧି ପାଇଁ ଷ୍ଟାର୍ଟଅପ୍ଗୁଡ଼ିକୁ ଗତିଶୀଳ କରିବାର ସମ୍ଭାବ୍ୟ ବ୍ୟବସ୍ଥା ଭାବେ ବ୍ରିକ୍ସ ଇନ୍କ୍ୟୁବେଟର ନେଟୱର୍କ ପ୍ରତିଷ୍ଠା ଏବଂ ବ୍ରିକ୍ସ ଷ୍ଟାର୍ଟଅପ୍ ଇନୋଭେସନ୍ ଫଣ୍ଡ୍ ସମ୍ପର୍କରେ ଆଗାମୀ ବିଚାରକୁ ଆମେ ସ୍ୱାଗତ କରୁଛୁ। ଏହା ସହିତ ବ୍ରିକ୍ସ ଷ୍ଟାର୍ଟଅପ୍ ନଲେଜ୍ ହବ୍ ଏବଂ ବ୍ରିକ୍ସ ଷ୍ଟାର୍ଟଅପ୍ ଫୋରମ୍କୁ ଆହୁରି ମଜବୁତ କରାଯାଇଥିବା ପ୍ରୟାସକୁ ମଧ୍ୟ ଆମେ ପ୍ରଶଂସା କରୁଛୁ।
୬୯. ଆର୍ଥିକ ଅଭିବୃଦ୍ଧି ଓ ଗଠନମୂଳକ ପରିବର୍ତ୍ତନ ହାସଲ କରିବାରେ ଶିଳ୍ପ କ୍ଷେତ୍ରର ମୁଖ୍ୟ ଭୂମିକାକୁ ଆମେ ସ୍ୱୀକାର କରୁଛୁ। ଶିଳ୍ପ ପାର୍କ ବିକାଶ ଏବଂ ଶିଳ୍ପାୟନ ପାଇଁ ଅନ୍ୟାନ୍ୟ ଜାତୀୟ ପଦକ୍ଷେପ ସମେତ ଉଦ୍ୟୋଗୀତା ଓ ଷ୍ଟାର୍ଟଅପ୍ ଭିତ୍ତିକ ନବସୃଜନକୁ ପ୍ରୋତ୍ସାହନ ଦେବାକୁ ଆମେ ସହମତ ହେଉଛୁ। ଏହା ମାଧ୍ୟମରେ କଞ୍ଚାମାଲ ଓ ଉତ୍ପାଦନ ମଧ୍ୟରେ ସଂଯୋଗ ସୁବିଧା, ଉତ୍ପାଦନ ଶିଳ୍ପର ରପ୍ତାନି ବୃଦ୍ଧି, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSMEs) ପାଇଁ ବଜାର ପ୍ରବେଶ, ପ୍ରଯୁକ୍ତି ହସ୍ତାନ୍ତର ଓ ସହଯୋଗ, ଉତ୍ପାଦନକ୍ଷମତା ବୃଦ୍ଧି ଏବଂ ପରିବେଶୀୟ ସ୍ଥାୟୀତ୍ୱ ସୁନିଶ୍ଚିତ କରାଯିବ।
୭୦. ବ୍ରିକ୍ସ ଶିଳ୍ପ ସହଯୋଗର ୭ଟି ସ୍ୱତନ୍ତ୍ର କାର୍ଯ୍ୟକାରୀ ଗୋଷ୍ଠୀର କାର୍ଯ୍ୟକୁ ଆମେ ସ୍ୱୀକାର କରୁଛୁ ଏବଂ ସେମାନଙ୍କ ସଫଳତାକୁ ପ୍ରଶଂସା କରୁଛୁ। ଫୋଟୋଭୋଲ୍ଟାଇକ୍ ଶିଳ୍ପ କାର୍ଯ୍ୟକାରୀ ଗୋଷ୍ଠୀର କାର୍ଯ୍ୟପରିଧି ଓ କାର୍ଯ୍ୟଯୋଜନା ଗ୍ରହଣକୁ ଆମେ ସ୍ୱାଗତ କରୁଛୁ। ପ୍ରତ୍ୟେକ ବ୍ରିକ୍ସ ସଦସ୍ୟ ନିଜସ୍ୱ ଜ୍ଞାନ ପୋର୍ଟାଲ ବିକଶିତ କରି ନୀତିଗତ ଅଦ୍ୟତନ ଓ ସର୍ବୋତ୍ତମ ପ୍ରଥାଗୁଡ଼ିକର ଆଦାନପ୍ରଦାନ କରିବାକୁ ଆମେ ଉତ୍ସାହିତ କରୁଛୁ। ପ୍ରଯୁକ୍ତି ସହଯୋଗ, ଅର୍ଥାୟନ ଓ କ୍ଷମତା ବିକାଶ ପାଇଁ ପ୍ରାଥମିକତା କ୍ଷେତ୍ର ଚିହ୍ନଟ କରିବା ଲାଗି ବ୍ରିକ୍ସ ସୋଲାର ଫୋଟୋଭୋଲ୍ଟାଇକ୍ ସହଯୋଗ ରୋଡମ୍ୟାପ୍ ବିକାଶକୁ ଆମେ ସମର୍ଥନ କରୁଛୁ। ଇଣ୍ଟେଲିଜେଣ୍ଟ ମ୍ୟାନୁଫାକ୍ଚରିଂ ଓ ରୋବୋଟିକ୍ସ କାର୍ଯ୍ୟକାରୀ ଗୋଷ୍ଠୀ ସ୍ମାର୍ଟ ଫ୍ୟାକ୍ଟରି ବିକାଶ, ସମାଧାନର ଆଦାନପ୍ରଦାନ, ମାନଦଣ୍ଡ ସହଯୋଗ ଏବଂ ଦକ୍ଷ ମାନବ ସମ୍ବଳ ବିକାଶ ସମ୍ପର୍କିତ ପଦକ୍ଷେପ ଚିହ୍ନଟ କରିବା ପାଇଁ ନିଜ କାର୍ଯ୍ୟଯୋଜନା ପ୍ରସ୍ତୁତ କରିଥିବା ପ୍ରୟାସକୁ ଆମେ ସ୍ୱୀକାର କରୁଛୁ। ବ୍ରିକ୍ସ ଦେଶଗୁଡ଼ିକର କଲ୍ୟାଣ ନିମନ୍ତେ ରାସାୟନିକ ଶିଳ୍ପ ମଧ୍ୟରେ ରାସାୟନିକ ଉତ୍ପାଦନ କ୍ଷେତ୍ରରେ ଡିଜିଟାଲାଇଜେସନ୍, ସ୍ଥାୟୀତ୍ୱ (ସଷ୍ଟେନେବିଲିଟି) ଏବଂ ନବସୃଜନ (ଇନୋଭେସନ୍)କୁ ପ୍ରୋତ୍ସାହିତ କରିବାର ଗୁରୁତ୍ୱକୁ ଆମେ ସ୍ୱୀକାର କରୁଛୁ।
୭୧. କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସମ୍ପର୍କିତ କାର୍ଯ୍ୟକାରୀ ଗୋଷ୍ଠୀ ଦ୍ୱାରା ନିଆଯାଇଥିବା ପଦକ୍ଷେପଗୁଡ଼ିକୁ ଆମେ ସ୍ୱୀକାର କରୁଛୁ ଏବଂ ଆଗ୍ରାରେ ପ୍ରଥମ ବ୍ରିକ୍ସ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଫୋରମ୍ ଆୟୋଜନ କରିଥିବା ଭାରତୀୟ ଅଧ୍ୟକ୍ଷତାକୁ ପ୍ରଶଂସା କରୁଛୁ। ଏହି ଫୋରମ୍ର ରିପୋର୍ଟ ‘ବ୍ରିକ୍ସରେ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ପ୍ରତିଯୋଗିତାମୂଳକ କ୍ଷମତା ବୃଦ୍ଧି: ଅର୍ଥ ଓ ପ୍ରଯୁକ୍ତି ପ୍ରବେଶ ସୁଦୃଢ଼ କରିବା ଏବଂ ସ୍ଥାୟୀ ଅଭିବୃଦ୍ଧି’ର ପରିସରକୁ ମଧ୍ୟ ଆମେ ସ୍ୱୀକାର କରୁଛୁ। ବ୍ରିକ୍ସ ଦେଶଗୁଡ଼ିକର କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମଧ୍ୟରେ ସହଯୋଗ, ସର୍ବୋତ୍ତମ ପ୍ରଥାର ଆଦାନପ୍ରଦାନ ଏବଂ ସମାବେଶୀ ଅଭିବୃଦ୍ଧିକୁ ପ୍ରୋତ୍ସାହନ ଦେବାରେ ଏହାର ଗୁରୁତ୍ୱକୁ ଆମେ ମାନ୍ୟତା ଦେଉଛୁ। ଦ୍ୱିତୀୟ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଫୋରମ୍ ଆୟୋଜନକୁ ଆମେ ସମର୍ଥନ କରୁଛୁ। ଏହି ପରିପ୍ରେକ୍ଷୀରେ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କାର୍ଯ୍ୟକାରୀ ଗୋଷ୍ଠୀ ଅଧୀନରେ ସହଯୋଗ ପାଇଁ ଢାଞ୍ଚାକୁ ଆମେ ସ୍ୱାଗତ କରୁଛୁ।
୭୨. ବିଶ୍ୱ ଶିଳ୍ପ ବିକାଶ ସଂଗଠନ (ୟୁନିଡୋ) ସହଯୋଗରେ ପ୍ରତିଷ୍ଠିତ ବ୍ରିକ୍ସ ଶିଳ୍ପ ଦକ୍ଷତା କେନ୍ଦ୍ରର କାର୍ଯ୍ୟକାରିତା ଆରମ୍ଭ ହୋଇଥିବାକୁ ଆମେ ପ୍ରଶଂସା କରୁଛୁ। ବ୍ରିକ୍ସ ଦେଶଗୁଡ଼ିକର ଉତ୍ପାଦନକାରୀ କମ୍ପାନୀ, ବିଶେଷକରି କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକୁ ଶିଳ୍ପ ୪.୦ ଏବଂ ଉନ୍ନତ ଡିଜିଟାଲ ଉତ୍ପାଦନ ପ୍ରଯୁକ୍ତି ଗ୍ରହଣରେ ସହାୟତା କରିବା ପାଇଁ କରାଯାଇଥିବା କାର୍ଯ୍ୟକୁ ଆମେ ପ୍ରଶଂସା କରୁଛୁ। ଉଦୀୟମାନ ଅତ୍ୟାଧୁନିକ ପ୍ରଯୁକ୍ତି, ଯେପରିକି କୃତ୍ରିମ ବୁଦ୍ଧିମତ୍ତା, ମାଧ୍ୟମରେ ନୂତନ ଶିଳ୍ପାୟନ ସମ୍ପର୍କିତ ଲକ୍ଷ୍ୟଭିତ୍ତିକ ଆଲୋଚନା ପାଇଁ ଏହି ମଞ୍ଚ ସୁଯୋଗ ପ୍ରଦାନ କରୁଛି ବୋଲି ଆମେ ଉଲ୍ଲେଖ କରୁଛୁ। ଏହା ପ୍ରତ୍ୟେକ ସଦସ୍ୟ ଦେଶର ଜାତୀୟ ପ୍ରାଥମିକତା ଅନୁଯାୟୀ ହେବ। ଚୀନ୍ ବ୍ରିକ୍ସ ଶିଳ୍ପ ଦକ୍ଷତା କେନ୍ଦ୍ର ଦ୍ୱାରା ବ୍ରିକ୍ସ ଶିଳ୍ପ ସହଯୋଗ ଉପରେ ଏକ ସଂକଳନ ପ୍ରକାଶ କରିବା ପାଇଁ ନିଆଯାଇଥିବା ପଦକ୍ଷେପକୁ ଆମେ ଉଲ୍ଲେଖ କରୁଛୁ ଏବଂ ଭାରତ ବ୍ରିକ୍ସ ଶିଳ୍ପ ଦକ୍ଷତା କେନ୍ଦ୍ର ପ୍ରତିଷ୍ଠାକୁ ସ୍ୱାଗତ କରୁଛୁ। ସମସ୍ତ ବ୍ରିକ୍ସ ଦେଶ ସହିତ ଅଧିକ ସମ୍ପର୍କ ଓ ସହଯୋଗ ବଢ଼ାଇବାକୁ ବ୍ରିକ୍ସ ଶିଳ୍ପ ଦକ୍ଷତା କେନ୍ଦ୍ରକୁ ଆମେ ଉତ୍ସାହିତ କରୁଛୁ।
୭୩. ସ୍ଥାୟୀ ଆର୍ଥିକ ଓ ସାମାଜିକ ବିକାଶର ଏକ ପ୍ରମୁଖ ଚାଳକ ଭାବେ ବିଜ୍ଞାନ, ପ୍ରଯୁକ୍ତି ଓ ନବସୃଜନ କ୍ଷେତ୍ରରେ ସହଯୋଗର ଗୁରୁତ୍ୱକୁ ଆମେ ରେଖାଙ୍କିତ କରୁଛୁ। ଏହି କ୍ଷେତ୍ରରେ ବ୍ରିକ୍ସର ୧୪ଟି ବିଷୟଭିତ୍ତିକ ବିଜ୍ଞାନ, ପ୍ରଯୁକ୍ତି ଓ ନବସୃଜନ କାର୍ଯ୍ୟକାରୀ ଗୋଷ୍ଠୀ ଏବଂ ବ୍ରିକ୍ସ ବିଜ୍ଞାନ, ପ୍ରଯୁକ୍ତି ଓ ନବସୃଜନ ପରିଚାଳନା କମିଟିର କାର୍ଯ୍ୟକୁ ଆମେ ପ୍ରଶଂସା କରୁଛୁ। ସ୍ଥାୟୀ ବିକାଶ, ନୂତନ ଗୁଣାତ୍ମକ ଉତ୍ପାଦନ କ୍ଷମତାର ବିକାଶ, ଅଧିକ ସୁଦୃଢ଼ ଓ ଉଚ୍ଚମାନର ଅଭିବୃଦ୍ଧି, ସାମାଜିକ ସମାବେଶ ଏବଂ ବ୍ରିକ୍ସ ଦେଶଗୁଡ଼ିକର ଲୋକଙ୍କ କଲ୍ୟାଣ ଓ ଜୀବନମାନ ଉନ୍ନତି ପାଇଁ ନବସୃଜନ ଓ ପ୍ରଯୁକ୍ତିକୁ ପ୍ରୋତ୍ସାହନ ଦେବା ପ୍ରତି ଆମର ପ୍ରତିବଦ୍ଧତାକୁ ଆମେ ପୁନଃ ନିଶ୍ଚିତ କରୁଛୁ। ଆମର ବିଜ୍ଞାନ, ପ୍ରଯୁକ୍ତି ଓ ନବସୃଜନ ମନ୍ତ୍ରୀମାନଙ୍କର ଚେନ୍ନାଇ ସମ୍ମତି ମିଳିତ ଘୋଷଣାନାମାକୁ ଆମେ ସ୍ୱାଗତ କରୁଛୁ। ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ସ୍ୱେଚ୍ଛାମୂଳକ ଭାବରେ ଜ୍ଞାନ ସଂରକ୍ଷଣ ଓ ଆଦାନପ୍ରଦାନ ପାଇଁ ପ୍ରସ୍ତାବିତ ବ୍ରିକ୍ସ ବିଜ୍ଞାନ ଓ ଗବେଷଣା ଭଣ୍ଡାରକୁ ଆମେ ସ୍ୱୀକାର କରୁଛୁ। ଏହା ଜାତୀୟ ଆଇନ ଓ ନିୟମ ଅନୁଯାୟୀ, ତଥ୍ୟ ସୁରକ୍ଷା, ବୌଦ୍ଧିକ ସମ୍ପତ୍ତି ଅଧିକାର ଓ ସମ୍ପୃକ୍ତ ଜାତୀୟ ନୀତିକୁ ସମ୍ମାନ ଦେଇ କାର୍ଯ୍ୟ କରିବ। ଏହାର ଖସଡ଼ା ଢାଞ୍ଚା ଦସ୍ତାବିଜକୁ ମଧ୍ୟ ଆମେ ଉଲ୍ଲେଖ କରୁଛୁ। କ୍ୱାଣ୍ଟମ୍ ପ୍ରଯୁକ୍ତି ଭଳି ଉଦୀୟମାନ କ୍ଷେତ୍ରରେ ସହଯୋଗକୁ ମଧ୍ୟ ଆମେ ପ୍ରଶଂସା କରୁଛୁ। ଗବେଷଣା ଭିତ୍ତିଭୂମି ଓ ବୃହତ୍ ବିଜ୍ଞାନ ପ୍ରକଳ୍ପ ସମ୍ପର୍କିତ ବ୍ରିକ୍ସ କାର୍ଯ୍ୟକାରୀ ଗୋଷ୍ଠୀର କାର୍ଯ୍ୟଯୋଜନା ଗ୍ରହଣକୁ ଆମେ ସ୍ୱାଗତ କରୁଛୁ। ଏହା ସହିତ ବ୍ରିକ୍ସ ଗ୍ଲୋବାଲ ରିସର୍ଚ୍ଚ ଆଡଭାନ୍ସଡ୍ ଇନ୍ଫ୍ରାଷ୍ଟ୍ରକ୍ଚର ନେଟୱର୍କ (GRAIN) କେନ୍ଦ୍ର ଏବଂ ଯୁଗ୍ମ ସମନ୍ୱୟ କମିଟି ପ୍ରତିଷ୍ଠା ପ୍ରସ୍ତାବକୁ ମଧ୍ୟ ସ୍ୱାଗତ କରୁଛୁ।
୭୪. ବ୍ରିକ୍ସ ଦେଶଗୁଡ଼ିକ ପାଇଁ ସମୁଦ୍ରତଳ କେବୁଲ ଭିତ୍ତିଭୂମି ଅନ୍ତର୍ଜାତୀୟ ଡିଜିଟାଲ ସଂଯୋଗ ଓ ନେଟୱର୍କର ସ୍ଥିରତା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭିତ୍ତି ବୋଲି ଆମେ ସ୍ୱୀକାର କରୁଛୁ। ୨୦୨୫ର ରିଓ ଡି ଜାନେରିଓ ଘୋଷଣାନାମା ପରେ ଗଠିତ ସ୍ୱତନ୍ତ୍ର କାର୍ଯ୍ୟଦଳ “ବ୍ରିକ୍ସ କେବୁଲ ଆବଶ୍ୟକତା: ନିର୍ଦ୍ଦେଶମୂଳକ ସଂକ୍ଷିପ୍ତ ବିବରଣୀ” ଦସ୍ତାବିଜ ପ୍ରସ୍ତୁତ କରିଥିବାରୁ ଆମେ ଏହାକୁ ପ୍ରଶଂସା କରୁଛୁ। ୨୦୨୫ର ରିଓ ଡି ଜାନେରିଓ ଘୋଷଣାନାମାରେ ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ସମୁଦ୍ରତଳ କେବୁଲ ମାଧ୍ୟମରେ ଏକ ଉଚ୍ଚଗତିର ଯୋଗାଯୋଗ ନେଟୱର୍କ ପ୍ରତିଷ୍ଠା ପାଇଁ “ବୈଷୟିକ ଓ ଆର୍ଥିକ ସମ୍ଭାବ୍ୟତା ଅଧ୍ୟୟନ” କରିବା ନେଇ ଆଲୋଚନାକୁ ସ୍ୱାଗତ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ, ଜାତୀୟ ପରିସ୍ଥିତି ଓ ପ୍ରାଥମିକତା ଅନୁଯାୟୀ ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ସ୍ୱେଚ୍ଛାମୂଳକ ଭାବେ ଆଲୋଚନା ଓ ସହଯୋଗ ଜାରି ରଖିବାକୁ ଆମେ ସମର୍ଥନ କରୁଛୁ। ବ୍ରିକ୍ସ ବିଜ୍ଞାନ, ପ୍ରଯୁକ୍ତି ଓ ନବସୃଜନ ପରିଚାଳନା କମିଟିକୁ କାର୍ଯ୍ୟଦଳ ମଧ୍ୟରେ ଏହି ଆଲୋଚନା ଜାରି ରଖିବାକୁ ଏବଂ ଜାତୀୟ ପ୍ରାଥମିକତା ଓ ନିୟମାବଳୀକୁ ସମ୍ମାନ ଦେଇ ସମ୍ଭାବ୍ୟତା ଅଧ୍ୟୟନର ପରବର୍ତ୍ତୀ ପଦକ୍ଷେପ ପ୍ରସ୍ତାବ କରିବାକୁ ଆମେ ଉତ୍ସାହିତ କରୁଛୁ। ଭବିଷ୍ୟତରେ ଅଧିକ ଅଗ୍ରଗତି ପାଇଁ ବ୍ରିକ୍ସର ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତି କ୍ଷେତ୍ର ଏବଂ ବିଜ୍ଞାନ, ପ୍ରଯୁକ୍ତି ଓ ନବସୃଜନ କ୍ଷେତ୍ର ମଧ୍ୟରେ ଅଧିକ ସମନ୍ୱୟ ଏବଂ କାର୍ଯ୍ୟର ପୁନରାବୃତ୍ତି ରୋକିବାକୁ ଆମେ ଆଶା କରୁଛୁ।
୭୫. ଯୁଗ୍ମ ବୈଜ୍ଞାନିକ ଗବେଷଣା ପାଇଁ ଅର୍ଥ ଯୋଗାଣର ମୁଖ୍ୟ ବ୍ୟବସ୍ଥା ଭାବେ କାର୍ଯ୍ୟ କରୁଥିବା ବ୍ରିକ୍ସ ବିଜ୍ଞାନ, ପ୍ରଯୁକ୍ତି ଓ ନବସୃଜନ ଢାଞ୍ଚା କାର୍ଯ୍ୟକ୍ରମର ଦଶ ବର୍ଷ ପୂର୍ତ୍ତିକୁ ଆମେ ପାଳନ କରୁଛୁ। ଏହି ଅବସରରେ ୨୦୨୬ ଅକ୍ଟୋବରରେ ରୁଷିଆରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ଆମେ ଉଲ୍ଲେଖ କରୁଛୁ। ପ୍ରଥମ ଇନୋଭେସନ କଲ୍, ପାଇଲଟ୍ ଫ୍ଲାଗସିପ କଲ୍ ଏବଂ ଗବେଷଣା ପ୍ରକଳ୍ପ ପାଇଁ ସପ୍ତମ ନିୟମିତ କଲ୍ ଆରମ୍ଭ ହୋଇଥିବାକୁ ଆମେ ସ୍ୱାଗତ କରୁଛୁ ଏବଂ ଏଗୁଡ଼ିକର ଫଳାଫଳକୁ ଅପେକ୍ଷା କରୁଛୁ।
୭୬. ନବସୃଜନକୁ ଆଗକୁ ବଢ଼ାଇବା, ସାମୂହିକ ସମୃଦ୍ଧି, ଆର୍ଥିକ ଅଭିବୃଦ୍ଧି ଓ ଭବିଷ୍ୟତର ପ୍ରତିଯୋଗିତାମୂଳକ କ୍ଷମତାରେ ଯୁବପିଢ଼ିର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଆମେ ସ୍ୱୀକାର କରୁଛୁ। ଯୁବ ଗବେଷକ ଓ ଷ୍ଟାର୍ଟଅପ୍ଗୁଡ଼ିକର ଅଂଶଗ୍ରହଣକୁ ଯୁବ ବୈଜ୍ଞାନିକ ଫୋରମ୍ ଏବଂ ଯୁବ ନବସୃଜନକାରୀ ପୁରସ୍କାର ଭଳି ପ୍ରତିଷ୍ଠିତ ବ୍ୟବସ୍ଥା ମାଧ୍ୟମରେ ପ୍ରୋତ୍ସାହିତ କରିବାକୁ ଆମେ ବ୍ରିକ୍ସ ସଦସ୍ୟମାନଙ୍କୁ ଉତ୍ସାହିତ କରୁଛୁ। ନବସୃଜନର ପରିବେଶକୁ ମଜବୁତ କରିବା ଏବଂ ସ୍ଥାୟୀ ଓ ସମାବେଶୀ ଅଭିବୃଦ୍ଧିକୁ ପ୍ରୋତ୍ସାହନ ଦେବା ପାଇଁ ନିଆଯାଇଥିବା ପଦକ୍ଷେପଗୁଡ଼ିକୁ ମଧ୍ୟ ଆମେ ସ୍ୱୀକାର କରୁଛୁ। ଏଥିରେ ବ୍ରିକ୍ସ ଯୁବ ଷ୍ଟାର୍ଟଅପ୍ଗୁଡ଼ିକ ପାଇଁ ପ୍ରସ୍ତାବିତ ଭର୍ଚୁଆଲ୍ ପ୍ଲାଟଫର୍ମ ମଧ୍ୟ ସାମିଲ। ଏହା ବ୍ରିକ୍ସର ଯୁବ ବୈଜ୍ଞାନିକ ଓ ଯୁବ ନବସୃଜନକାରୀଙ୍କ ପୂର୍ବତନ ସଦସ୍ୟମାନଙ୍କ ମଧ୍ୟରେ ସମ୍ପର୍କ ଓ ନେଟୱର୍କିଂ ସୁଯୋଗ ସୃଷ୍ଟି କରିବ। ଏହା ସେମାନଙ୍କ ମଧ୍ୟରେ ଆଲୋଚନା, ସମ୍ପର୍କ ସ୍ଥାପନ ଓ ସ୍ୱେଚ୍ଛାମୂଳକ ଆଦାନପ୍ରଦାନକୁ ସହଜ କରିବ।
୭୭. ଡିଜିଟାଲ ଓ ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତି ପରିବେଶ ଆର୍ଥିକ ବିକାଶ, ସାମାଜିକ ସମାବେଶ, ଉନ୍ନତ ସେବା ପ୍ରଦାନ, ସ୍ଥାୟୀ ଅଭିବୃଦ୍ଧି, ସ୍ଥିରତା ଓ ନବସୃଜନ ପାଇଁ ଏକ ମୁଖ୍ୟ ଭିତ୍ତି ବୋଲି ଆମେ ସ୍ୱୀକାର କରୁଛୁ। ଏକ ସାର୍ବଭୌମ ଓ ଆତ୍ମନିର୍ଭର ଡିଜିଟାଲ ପରିବେଶ ଦିଗରେ ବ୍ରିକ୍ସ ସହଯୋଗକୁ ଆହୁରି ଗଭୀର କରିବାର ଆବଶ୍ୟକତାକୁ ଆମେ ଗୁରୁତ୍ୱ ଦେଉଛୁ। ଜାତୀୟ ପ୍ରାଥମିକତା ଓ ପରିସ୍ଥିତି ଅନୁଯାୟୀ ସୁଦୃଢ଼, ନିରାପଦ, ସୁରକ୍ଷିତ, ସମାବେଶୀ ଓ ପରସ୍ପର ସୁସଙ୍ଗତ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ଏବଂ ଡିଜିଟାଲ ସାର୍ବଜନୀନ ସମ୍ପଦ ଡିଜିଟାଲ ପରିବେଶକୁ ମଜବୁତ କରିବା, ବ୍ୟାପକ ସ୍ତରରେ ସେବା ପ୍ରଦାନ କରିବା ଏବଂ ସମସ୍ତଙ୍କ ପାଇଁ ସାମାଜିକ ଓ ଆର୍ଥିକ ସୁଯୋଗ ବଢ଼ାଇବାରେ ବିପୁଳ ସମ୍ଭାବନା ରଖୁଛି। ବ୍ରିକ୍ସ ଦେଶଗୁଡ଼ିକ ପାଇଁ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ଭଣ୍ଡାର ଆରମ୍ଭ କରିବା ଏବଂ ଡିଜିଟାଲ ପରିବର୍ତ୍ତନ ପାଇଁ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ସମାଧାନର ପରୀକ୍ଷାମୂଳକ ପ୍ରକଳ୍ପ ଆରମ୍ଭ କରିବା ପ୍ରସ୍ତାବକୁ ଆମେ ଉଲ୍ଲେଖ କରୁଛୁ।
୭୮. ଭବିଷ୍ୟତର ଯୋଗାଯୋଗ ନେଟୱର୍କ ସମ୍ପର୍କିତ ଗବେଷଣା ଓ ବିକାଶ ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ଡିଜିଟାଲ ପରିବର୍ତ୍ତନ ଓ ସଂଯୋଗକୁ ପ୍ରୋତ୍ସାହନ ଦେବାରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଆମେ ସ୍ୱୀକାର କରୁଛୁ। ସମସ୍ତ ବ୍ରିକ୍ସ ସଦସ୍ୟଙ୍କୁ ବ୍ରିକ୍ସ ଇଣ୍ଟରନ୍ୟାସନାଲ୍ ଫ୍ୟୁଚର ନେଟୱର୍କ (BIFN) ପାଇଁ ଏକ ଜାତୀୟ ଶାଖା ମନୋନୀତ କରିବାକୁ ଆମେ ଉତ୍ସାହିତ କରୁଛୁ। ଏହି ପରିପ୍ରେକ୍ଷୀରେ, ବ୍ରିକ୍ସ ଦେଶଗୁଡ଼ିକ ପାଇଁ ଏକ ଡିଜିଟାଲ ପରିବେଶ ସହଯୋଗ ନେଟୱର୍କ ପ୍ରତିଷ୍ଠା କରିବା ପ୍ରସ୍ତାବକୁ ଆମେ ଉଲ୍ଲେଖ କରୁଛୁ। ଏଥିରେ ସମ୍ପୃକ୍ତ ସୂଚନା ପାଇଁ ଏକ ପୋର୍ଟାଲ ପ୍ରତିଷ୍ଠା କରିବାର ପ୍ରସ୍ତାବ ମଧ୍ୟ ରହିଛି।
୭୯. ଡିଜିଟାଲ ଦକ୍ଷତା ବିକାଶ, ଗବେଷଣା ସହଯୋଗ ଏବଂ କ୍ଷମତା ବିକାଶ କ୍ଷେତ୍ରରେ ସହଯୋଗକୁ ବଢ଼ାଇବା ପାଇଁ ବିସ୍ତାରଯୋଗ୍ୟ, ପରିସ୍ଥିତି ଅନୁକୂଳ ଓ ସହଯୋଗଭିତ୍ତିକ ପଦ୍ଧତି ଆପଣାଇବାକୁ ଆମେ ଉତ୍ସାହିତ କରୁଛୁ। ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକ ପାଇଁ କ୍ଷମତା ବିକାଶ କେନ୍ଦ୍ର ପ୍ରତିଷ୍ଠା କରିବା ପ୍ରସ୍ତାବକୁ ଆମେ ଭବିଷ୍ୟତ ପାଇଁ ପ୍ରସ୍ତୁତ ଦକ୍ଷ ମାନବ ସମ୍ବଳ ଗଠନ ଦିଗରେ ଏକ ପ୍ରଶଂସନୀୟ ପ୍ରୟାସ ଭାବେ ଦେଖୁଛୁ। ବ୍ରିକ୍ସ ଦେଶଗୁଡ଼ିକ ସହିତ ନୀତିଗତ ଅଭିଜ୍ଞତାର ଆଦାନପ୍ରଦାନ ପାଇଁ ସାର୍ବଜନୀନ ଓ ସୁଦୃଢ଼ ଡିଜିଟାଲ ସଂଯୋଗ ଉପରେ ସଂକଳନ ପ୍ରସ୍ତୁତ କରିବାର ପ୍ରୟାସକୁ ମଧ୍ୟ ଆମେ ପ୍ରଶଂସା କରୁଛୁ। ଏହା ସହିତ ଡିଜିଟାଲ ବ୍ରିକ୍ସ ଫୋରମ୍ ୨୦୨୬ ଆୟୋଜନକୁ ଆମେ ସ୍ୱାଗତ କରୁଛୁ। ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ଉପରେ ଫୋକସ୍ ଗ୍ରୁପର ବୈଠକ ଆୟୋଜିତ ହୋଇଥିବାକୁ ମଧ୍ୟ ଆମେ ଉଲ୍ଲେଖ କରୁଛୁ।
୮୦. ସକ୍ରିୟ ପଦକ୍ଷେପ, ସଚେତନତା ସୃଷ୍ଟି, ପ୍ରତିରୋଧ, ସର୍ବୋତ୍ତମ ପ୍ରଥାର ଆଦାନପ୍ରଦାନ, କ୍ଷମତା ବିକାଶ ଏବଂ ବ୍ୟବହାରକାରୀକୈନ୍ଦ୍ରିକ ସୁରକ୍ଷା ବ୍ୟବସ୍ଥା ମାଧ୍ୟମରେ ଶିଶୁମାନଙ୍କ ପାଇଁ ଏକ ନିରାପଦ ଡିଜିଟାଲ ପରିବେଶ ସୁନିଶ୍ଚିତ କରିବା ପ୍ରତି ଆମର ପ୍ରତିବଦ୍ଧତାକୁ ଆମେ ଗୁରୁତ୍ୱ ଦେଉଛୁ। ବରିଷ୍ଠ ନାଗରିକ ଏବଂ ବିଭିନ୍ନ ଦୁର୍ବଳ ପରିସ୍ଥିତିରେ ଥିବା ଲୋକଙ୍କ ପାଇଁ ମଧ୍ୟ ଏକ ନିରାପଦ ଡିଜିଟାଲ ପରିବେଶ ସୁନିଶ୍ଚିତ କରିବା ପ୍ରତି ଆମର ପ୍ରତିବଦ୍ଧତାକୁ ଆମେ ପୁନଃ ଗୁରୁତ୍ୱ ଦେଉଛୁ। ଏହି ବର୍ଗର ଲୋକଙ୍କ ପାଇଁ ଲକ୍ଷ୍ୟଭିତ୍ତିକ ପ୍ରତିରୋଧମୂଳକ ପଦକ୍ଷେପ ଏବଂ ସଚେତନତା ସୃଷ୍ଟି କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି।
୮୧. ସମସ୍ତଙ୍କ ପାଇଁ ଆର୍ଥିକ ଅଭିବୃଦ୍ଧି ଓ ସ୍ଥାୟୀ ବିକାଶକୁ ପ୍ରୋତ୍ସାହନ ଦେବାରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ବିପୁଳ ସୁଯୋଗ ସୃଷ୍ଟି କରୁଛି ବୋଲି ଆମେ ସ୍ୱୀକାର କରୁଛୁ। ଏଆଇ ସୁବିଧାର ଉପଲବ୍ଧତାକୁ ବଢ଼ାଇବା ସହିତ ଏହାର ସୁରକ୍ଷା, ନିରାପତ୍ତା, ସମାବେଶୀକରଣ ଓ ବିଶ୍ୱସନୀୟତା ସୁନିଶ୍ଚିତ କରିବା, ଏଆଇ ପ୍ରଣାଳୀର ଶକ୍ତି ବ୍ୟବହାରକୁ ଅଧିକ କାର୍ଯ୍ୟକ୍ଷମ କରିବା, ଏଆଇ ବିଜ୍ଞାନ ଓ ନବସୃଜନକୁ ପ୍ରୋତ୍ସାହନ ଦେବା, ବିଶ୍ୱସନୀୟ ଏଆଇ ପ୍ରଯୁକ୍ତି ବିକାଶ କରିବା, ଆର୍ଥିକ ଅଭିବୃଦ୍ଧି ଓ ସାମାଜିକ କଲ୍ୟାଣ ପାଇଁ ଏଆଇର ବ୍ୟବହାର କରିବା ଏବଂ ଏହାର ସମ୍ଭାବ୍ୟ ବିପଦକୁ କମାଇବା ପାଇଁ ଅନ୍ତର୍ଜାତୀୟ ସହଯୋଗ ଅତ୍ୟନ୍ତ ଆବଶ୍ୟକ। ବିଶେଷକରି ବିଶ୍ୱ ଦକ୍ଷିଣର ଦେଶଗୁଡ଼ିକ ସମେତ ସମସ୍ତ ଦେଶ ପାଇଁ ଏକ ନ୍ୟାୟସଙ୍ଗତ, ନିରପେକ୍ଷ, ସମାନ ଓ ସମୃଦ୍ଧ ଭବିଷ୍ୟତ ଗଠନ ପାଇଁ ଏହି ସହଯୋଗ ଆବଶ୍ୟକ। ଫେବ୍ରୁଆରୀ ୨୦୨୬ରେ ଭାରତ ସଫଳତାର ସହ ଏଆଇ ଇମ୍ପାକ୍ଟ ସମିଟ୍ ଆୟୋଜନ କରିଥିବାରୁ ଆମେ ଭାରତକୁ ଅଭିନନ୍ଦନ ଜଣାଉଛୁ। ସାଧାରଣ ପ୍ରାଥମିକତାକୁ ଆଗକୁ ବଢ଼ାଇବା ଏବଂ ଅନ୍ତର୍ଜାତୀୟ ସହଯୋଗକୁ ମଜବୁତ କରିବାରେ ଏହି ସମିଟ୍ ଅବଦାନ ରଖିବ ବୋଲି ଆମେ ସ୍ୱୀକାର କରୁଛୁ। ସାଂଘାଇରେ ଆୟୋଜିତ ବିଶ୍ୱ ଏଆଇ ସମ୍ମିଳନୀ ଓ ଗ୍ଲୋବାଲ ଏଆଇ ଶାସନ ଉପରେ ଉଚ୍ଚସ୍ତରୀୟ ବୈଠକ ଏବଂ ସମସ୍ତଙ୍କ ହିତ ପାଇଁ ଏଆଇ କ୍ଷେତ୍ରରେ ଅନ୍ତର୍ଜାତୀୟ ସହଯୋଗକୁ ମଜବୁତ କରିବାରେ ଏହାର ଅବଦାନକୁ ମଧ୍ୟ ଆମେ ସ୍ୱୀକାର କରୁଛୁ। କୃତ୍ରିମ ବୁଦ୍ଧିମତ୍ତାର ବିଶ୍ୱସ୍ତରୀୟ ଶାସନ ଉପରେ ବ୍ରିକ୍ସ ନେତାମାନଙ୍କ ବିବୃତିକୁ କାର୍ଯ୍ୟକାରୀ କରିବା ପାଇଁ ଆମେ ପ୍ରତିବଦ୍ଧ।
୮୨. ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ବିପଦ ସମେତ ବିପର୍ଯ୍ୟୟର ବିପଦ ବଢ଼ୁଥିବା ଏବଂ ବିଶେଷକରି ବିଶ୍ୱ ଦକ୍ଷିଣର ଦେଶଗୁଡ଼ିକ ଏହାର ଅଧିକ ପ୍ରଭାବିତ ହେଉଥିବାକୁ ଆମେ ସ୍ୱୀକାର କରୁଛୁ। ବିପର୍ଯ୍ୟୟ ଯୋଗୁଁ ହେଉଥିବା କ୍ଷତି କମାଇବା ଏବଂ ଭିତ୍ତିଭୂମି, ମାନବ ଜୀବନ ଓ ଜୀବିକାକୁ ସୁରକ୍ଷା ଦେବା ପାଇଁ ଜାତୀୟ ବିପର୍ଯ୍ୟୟ ବିପଦ ହ୍ରାସ ବ୍ୟବସ୍ଥା ଓ କ୍ଷମତାକୁ ଉନ୍ନତ କରିବାରେ ବ୍ରିକ୍ସ ସହଯୋଗ ପ୍ରତି ଆମର ପ୍ରତିବଦ୍ଧତାକୁ ଆମେ ପୁନଃ ନିଶ୍ଚିତ କରୁଛୁ। ବିପର୍ଯ୍ୟୟ ପାଇଁ ପୂର୍ବପ୍ରସ୍ତୁତି ଓ ଆତ୍ମନିର୍ଭରତା ସୁନିଶ୍ଚିତ କରିବା ପାଇଁ ପାରମ୍ପରିକ, ଆଦିବାସୀ, ସ୍ଥାନୀୟ ଜ୍ଞାନ ଏବଂ ସମୁଦାୟଭିତ୍ତିକ ପଦ୍ଧତିର ଆଦାନପ୍ରଦାନ କରିବାକୁ ଆମେ ପ୍ରତିବଦ୍ଧ। ସମ୍ପୂର୍ଣ୍ଣ ଭିତ୍ତିଭୂମି ବିକାଶ ପାଇଁ ସରକାରୀ ଓ ବେସରକାରୀ ନିବେଶ ସମେତ ପର୍ଯ୍ୟାପ୍ତ, ନିଶ୍ଚିତ ଓ ସହଜରେ ଉପଲବ୍ଧ ଅର୍ଥ ଯୋଗାଣ କରିବା ପାଇଁ ମଧ୍ୟ ଆମେ ଉଦ୍ୟମ କରିବୁ। ଏହି ପରିପ୍ରେକ୍ଷୀରେ, ବିପର୍ଯ୍ୟୟ ପରିଚାଳନା ପାଇଁ ପ୍ରାରମ୍ଭିକ ସତର୍କ ସୂଚନା ତଥ୍ୟର ସମନ୍ୱୟ ଉପରେ ବ୍ରିକ୍ସ ନିର୍ଦ୍ଦେଶାବଳୀ ଏବଂ ଜଳବାୟୁ-ସହନଶୀଳ ସହରୀ ଭିତ୍ତିଭୂମି ପାଇଁ ବ୍ରିକ୍ସ ସ୍ୱେଚ୍ଛାମୂଳକ ନୀତିକୁ ଆମେ ସ୍ୱାଗତ କରୁଛୁ।
୮୩. ଜଳବାୟୁ ପରିବର୍ତ୍ତନ ଓ ବିପର୍ଯ୍ୟୟର ବିପଦ ବିରୋଧରେ ଭିତ୍ତିଭୂମି ପ୍ରଣାଳୀର ସ୍ଥିରତାକୁ ମଜବୁତ କରିବା ସ୍ଥାୟୀ ବିକାଶ ହାସଲ ପାଇଁ ଅତ୍ୟନ୍ତ ଜରୁରୀ ବୋଲି ଆମେ ରେଖାଙ୍କିତ କରୁଛୁ। ଏହି ପରିପ୍ରେକ୍ଷୀରେ, ‘ବିପର୍ଯ୍ୟୟ-ସହନଶୀଳ ଭିତ୍ତିଭୂମି ପାଇଁ ମିଳିତ ମଞ୍ଚ (CDRI)’ର ଭୂମିକାକୁ ଆମେ ସ୍ୱୀକାର କରୁଛୁ। ଏହା ଏକ ଅନ୍ତର୍ଜାତୀୟ ଭାଗୀଦାରି ଭାବେ ସଦସ୍ୟ ଓ ସହଯୋଗୀ ଦେଶଗୁଡ଼ିକୁ ବୈଷୟିକ ସହାୟତା, ଜ୍ଞାନ ଆଦାନପ୍ରଦାନ, ଉପଯୁକ୍ତ ନୀତି ଏବଂ ଅର୍ଥ ଯୋଗାଣ ବ୍ୟବସ୍ଥା ମାଧ୍ୟମରେ ଭିତ୍ତିଭୂମି ପ୍ରଣାଳୀରେ ସ୍ଥିରତାକୁ ସାମିଲ କରିବାରେ ସହାୟତା କରୁଛି। ସ୍ଥାୟୀ ସ୍ଥିରତା ଗଠନରେ ନିବେଶ କରିବା, ପ୍ରତିରୋଧକୁ ପ୍ରାଥମିକତା ଦେବା ଏବଂ ପୂର୍ବାନୁମାନ ଭିତ୍ତିକ ପଦକ୍ଷେପ ନେବାର ଗୁରୁତ୍ୱକୁ ଆମେ ରେଖାଙ୍କିତ କରୁଛୁ। ଏସବୁ ପ୍ରମାଣଭିତ୍ତିକ ନୀତି ନିର୍ଦ୍ଧାରଣ ଉପରେ ଆଧାରିତ ହେବା ଆବଶ୍ୟକ। ପୂର୍ବ ସତର୍କ ସୂଚନା ବ୍ୟବସ୍ଥାକୁ ମଜବୁତ କରିବା ଏବଂ ବିପଦକୁ ବିଚାରକୁ ନେଇ ଯୋଜନା ପ୍ରସ୍ତୁତ କରିବା ମଧ୍ୟ ଜରୁରୀ। ଏହା ଦ୍ୱାରା ବିପର୍ଯ୍ୟୟ ପାଇଁ ପୂର୍ବପ୍ରସ୍ତୁତି ଓ ପ୍ରତିକ୍ରିୟା କ୍ଷମତା ବଢ଼ିବ।
୮୪. ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକ ବିଭିନ୍ନ ପ୍ରକାରର ସମାଜ ଓ ସଭ୍ୟତାର ପ୍ରତିନିଧିତ୍ୱ କରନ୍ତି। ବିଶ୍ୱ ବାଣିଜ୍ୟ ସଂଗଠନର ନିୟମ ସହିତ ଅସଙ୍ଗତ ଏବଂ ଅନ୍ୟାୟସଙ୍ଗତ ଏକପାକ୍ଷିକ ସୁରକ୍ଷାବାଦୀ ପଦକ୍ଷେପ ଏହି ଦେଶଗୁଡ଼ିକୁ ଭିନ୍ନ ଭିନ୍ନ ଭାବରେ ପ୍ରଭାବିତ କରୁଛି ବୋଲି ଆମେ ସ୍ୱୀକାର କରୁଛୁ। ବ୍ରିକ୍ସର ଲକ୍ଷ୍ୟ ହେବା ଉଚିତ ଏକ ନ୍ୟାୟସଙ୍ଗତ, ସମାନ, ସ୍ଥିର ଓ ଅନୁମାନଯୋଗ୍ୟ ପରିବେଶ ସୃଷ୍ଟି କରିବା, ଯାହା ପାରସ୍ପରିକ ଲାଭଦାୟକ ସ୍ଥାୟୀ ବିକାଶକୁ ପ୍ରୋତ୍ସାହନ ଦେବ। ଅଧିକ ସୁଦୃଢ଼, ବିଶ୍ୱସନୀୟ ଓ ସ୍ଥିର ଯୋଗାଣ ଶୃଙ୍ଖଳ ସୃଷ୍ଟିର ଗୁରୁତ୍ୱକୁ ଆମେ ରେଖାଙ୍କିତ କରୁଛୁ। ଏଥିରେ ବିକାଶଶୀଳ ଦେଶଗୁଡ଼ିକର ଆଧୁନିକୀକରଣ ଆବଶ୍ୟକତାକୁ ବିଶେଷ ଧ୍ୟାନ ଦିଆଯିବ। ଏହି ପରିପ୍ରେକ୍ଷୀରେ, ବିକାଶଶୀଳ ଦେଶ ଓ ଉଦୀୟମାନ ବଜାରଗୁଡ଼ିକୁ ବିଶ୍ୱ ଉତ୍ପାଦନ ଓ ନିର୍ମାଣ କ୍ଷେତ୍ରର ଅଧିକ ମୂଲ୍ୟଯୁକ୍ତ ଅଂଶରେ ଅଧିକ ବ୍ୟାପକ ଓ ସମାନ ଭାଗୀଦାରି ପାଇଁ ବ୍ରିକ୍ସ କାର୍ଯ୍ୟ କରିବା ଉଚିତ ବୋଲି ଆମେ ସହମତ ହେଉଛୁ। ଏଥିପାଇଁ ବାଣିଜ୍ୟ ଓ ନିବେଶ ପଦକ୍ଷେପ, ବୈଷୟିକ ସହଯୋଗ, ଉତ୍ପାଦନ କ୍ଷମତା ବିକାଶ ଏବଂ ପ୍ରଯୁକ୍ତି ହସ୍ତାନ୍ତରକୁ ପ୍ରୋତ୍ସାହନ ଦିଆଯିବ। ଏସବୁ ପ୍ରତ୍ୟେକ ସଦସ୍ୟ ଦେଶର ନିଜସ୍ୱ ଆଇନ, ନିୟମ ଓ ନୀତି ଅନୁଯାୟୀ ହେବ।
୮୫. ଆର୍ଥିକ ଅଭିବୃଦ୍ଧି ଓ ସମୃଦ୍ଧିର ଏକ ପ୍ରମୁଖ ଚାଳକ ଭାବେ ‘ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ)’କୁ ଅନ୍ତର୍ଜାତୀୟ ସ୍ତରରେ ବିସ୍ତାର କରିବା ପ୍ରତି ଆମର ପ୍ରତିବଦ୍ଧତାକୁ ଆମେ ପୁନଃ ନିଶ୍ଚିତ କରୁଛୁ। ସୁଲଭ ମୂଲ୍ୟରେ ଅର୍ଥ ଯୋଗାଣ ପାଇବାର ସୁଯୋଗ ଏବେ ମଧ୍ୟ ଏକ ପ୍ରମୁଖ ବାଧା ଓ ଗଠନମୂଳକ ସମସ୍ୟା ହୋଇ ରହିଛି। ଏହା ଫଳରେ ଏମଏସଏମଇଗୁଡ଼ିକ ବାଣିଜ୍ୟରେ ଭାଗ ନେବା ଏବଂ ବିଶ୍ୱ ମୂଲ୍ୟ ଶୃଙ୍ଖଳରେ ସାମିଲ ହେବାରେ ସୀମିତ ହେଉଛନ୍ତି। ରପ୍ତାନିମୁଖୀ ଏମଏସଏମଇଗୁଡ଼ିକର ଋଣ ମୂଲ୍ୟାୟନ ପାଇଁ ବିଭିନ୍ନ ପ୍ରାସଙ୍ଗିକ ତଥ୍ୟ ଉତ୍ସର ବ୍ୟବହାର କରୁଥିବା ବ୍ରିକ୍ସ ମାର୍ଗଦର୍ଶକ ନୀତିକୁ ଆମେ ସ୍ୱାଗତ କରୁଛୁ। ଏହା ତଥ୍ୟ ସମ୍ପର୍କିତ ଅସମତା କମାଇବା, ବିପଦର ଭଲ ମୂଲ୍ୟାୟନ କରିବା ଏବଂ ଆବଶ୍ୟକ ଅର୍ଥ ପାଇବାରେ ବଞ୍ଚିତ ଏମଏସଏମଇଗୁଡ଼ିକ ପାଇଁ ଔପଚାରିକ ଅର୍ଥ ବ୍ୟବସ୍ଥାରେ ପ୍ରବେଶ ବଢ଼ାଇବାରେ ସହାୟକ ହେବ। ଏମଏସଏମଇ ଗୁଡ଼ିକ ପାଇଁ ବାଣିଜ୍ୟିକ ଅର୍ଥ ଯୋଗାଣ ସହଜ କରିବାକୁ ଡିଜିଟାଲ ଓ ମଞ୍ଚଭିତ୍ତିକ ବହୁପକ୍ଷୀୟ ସମାଧାନ ସମେତ ନୂତନ ଅର୍ଥ ଯୋଗାଣ ବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବାର ଗୁରୁତ୍ୱକୁ ଆମେ ବୁଝୁଛୁ। ଏମଏସଏମଇଗୁଡ଼ିକୁ ଚାଲୁ ପୁଞ୍ଜି ହାସଲ କରିବା ଏବଂ ଅନ୍ତର୍ଜାତୀୟ ବାଣିଜ୍ୟରେ ନିଜର ଭାଗୀଦାରିକୁ ମଜବୁତ କରିବାରେ ସହାୟତା କରିବା ପାଇଁ ବିଲ୍ର ଅଗ୍ରିମ ଅର୍ଥ ପ୍ରଦାନ ବ୍ୟବସ୍ଥା ପ୍ରତିଷ୍ଠା ଅଧ୍ୟୟନ କରିବା ନେଇ ଜୟପୁର ସମ୍ମତିକୁ ଆମେ ସ୍ୱାଗତ କରୁଛୁ।
୮୬. ‘ବିଶ୍ୱ ମୂଲ୍ୟ ଶୃଙ୍ଖଳ (GVCs)’ଗୁଡ଼ିକ ଦୃଢ଼, କାର୍ଯ୍ୟକ୍ଷମ, ଅନୁମାନଯୋଗ୍ୟ, ଉତ୍ପାଦନଶୀଳ, ସ୍ୱଚ୍ଛ, ସୁରକ୍ଷିତ, ନ୍ୟାୟସଙ୍ଗତ, ସ୍ଥିର ଓ ସମାବେଶୀ ରହିବା ପାଇଁ ସହଯୋଗର ଗୁରୁତ୍ୱକୁ ଆମେ ପୁନଃ ରେଖାଙ୍କିତ କରୁଛୁ। ବିଶ୍ୱ ମୂଲ୍ୟ ଶୃଙ୍ଖଳର ଡିଜିଟାଲୀକରଣ ଦିଗରେ ଚାଲିଥିବା ପ୍ରୟାସକୁ ଆମେ ସ୍ୱାଗତ କରୁଛୁ। ଏହି ପରିପ୍ରେକ୍ଷୀରେ, ବାଣିଜ୍ୟକୁ ସହଜ କରିବା, କ୍ଷମତା ବିକାଶ, ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି, ଶିଳ୍ପ କ୍ଷମତା, ଉନ୍ନତ ସଂଯୋଗ, ବୌଦ୍ଧିକ ସମ୍ପତ୍ତି ସୁରକ୍ଷା ଏବଂ ନିରାପଦ, ସୁରକ୍ଷିତ ଓ ସୁଲଭ ପ୍ରଯୁକ୍ତି ପ୍ରବେଶକୁ ପ୍ରୋତ୍ସାହନ ଓ ତ୍ୱରାନ୍ୱିତ କରିବା ପାଇଁ ବୈଷୟିକ ସହଯୋଗକୁ ଆମେ ଉତ୍ସାହିତ କରୁଛୁ। ଏହା ସ୍ଥାୟୀ ଅଭିବୃଦ୍ଧିରେ ଅବଦାନ ଦେବା ସହିତ ଦେଶର ନିଜସ୍ୱ ପ୍ରାଥମିକତା, ଜାତୀୟ ଆଇନ ଏବଂ ପ୍ରତ୍ୟେକ ସଦସ୍ୟଙ୍କ ପ୍ରଯୋଜ୍ୟ ଅନ୍ତର୍ଜାତୀୟ ଦାୟିତ୍ୱ ଅନୁଯାୟୀ ହେବ। ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ବାଣିଜ୍ୟ ବଢ଼ାଇବା ପାଇଁ ପାରସ୍ପରିକ ଭାବେ ପରସ୍ପରକୁ ସୁଦୃଢ଼ କରୁଥିବା ନୀତିଗତ ପଦକ୍ଷେପର ସମ୍ଭାବନା ଅନୁସନ୍ଧାନ କରିବାକୁ ଆମେ ଚାହୁଁଛୁ। ବିଶ୍ୱ ମୂଲ୍ୟ ଶୃଙ୍ଖଳ ସମ୍ପର୍କିତ ବ୍ରିକ୍ସର ସାଧାରଣ ବୁଝାମଣା ଉପରେ କାର୍ଯ୍ୟଯୋଜନା କାର୍ଯ୍ୟକାରୀ କରିବାକୁ ଆମେ ସମର୍ଥନ କରୁଛୁ। ୨୦୨୬–୨୦୩୦ ବ୍ରିକ୍ସ ବିଶ୍ୱ ମୂଲ୍ୟ ଶୃଙ୍ଖଳ କାର୍ଯ୍ୟଯୋଜନାର ପରବର୍ତ୍ତୀ ବିକାଶ ଏବଂ ଏଥିରେ ଉଲ୍ଲେଖିତ ସମସ୍ତ ପଦକ୍ଷେପକୁ ଆମେ ସ୍ୱାଗତ କରୁଛୁ। ଏହି କାର୍ଯ୍ୟଯୋଜନାରେ ଉଦୀୟମାନ ବଜାର ଓ ବିକାଶଶୀଳ ଦେଶଗୁଡ଼ିକ (EMDCs) ମୂଲ୍ୟ ଶୃଙ୍ଖଳର ଉଚ୍ଚସ୍ତରକୁ ଯିବା ସମୟରେ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକୁ ବିଶେଷ ଭାବେ ସାମିଲ କରିବାର ଆବଶ୍ୟକତାକୁ ଆମେ ଗୁରୁତ୍ୱ ଦେଉଛୁ।
୮୭. ବାଣିଜ୍ୟ, ନିବେଶ, ଶିଳ୍ପ ସହଯୋଗ, ନବସୃଜନ ଏବଂ ସୁଦୃଢ଼ ଓ ସ୍ଥାୟୀ ବିଶ୍ୱ ମୂଲ୍ୟ ଶୃଙ୍ଖଳରେ ସାମିଲ ହେବାକୁ ପ୍ରୋତ୍ସାହନ ଦେବାର ଏକ ସୁପ୍ରତିଷ୍ଠିତ ବ୍ୟବସ୍ଥା ଭାବେ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ‘ସ୍ୱତନ୍ତ୍ର ଆର୍ଥିକ ଅଞ୍ଚଳ (SEZs)’ର ସମ୍ଭାବନାକୁ ବ୍ୟବହାର କରିବା ପାଇଁ ଆମେ ଇଚ୍ଛୁକ। ଏହି ଅଞ୍ଚଳଗୁଡ଼ିକ ଉଦ୍ୟୋଗଗୁଡ଼ିକୁ ଅନୁକୂଳ ବ୍ୟବସାୟ ପରିବେଶ, ଦକ୍ଷ ଭିତ୍ତିଭୂମି, ସରଳୀକୃତ ନିୟାମକ ପ୍ରକ୍ରିୟା ଏବଂ ବ୍ୟବସାୟ କରିବାକୁ ସହଜ କରୁଥିବା ଅନ୍ୟାନ୍ୟ ସୁବିଧା ପ୍ରଦାନ କରେ। ପ୍ରତ୍ୟେକ ବ୍ରିକ୍ସ ସଦସ୍ୟ ଦେଶର ଭିନ୍ନ କ୍ଷମତାକୁ ବିଚାରକୁ ନେଇ ସଂଯୋଗ ଓ ବାଣିଜ୍ୟ ସୁବିଧା କ୍ଷେତ୍ରରେ ସହଯୋଗ ଗଢ଼ିବା ଆମର ଲକ୍ଷ୍ୟ। ଏଥିରେ ବାଣିଜ୍ୟ ସମ୍ପର୍କିତ ଦସ୍ତାବିଜର ଡିଜିଟାଲୀକରଣ ସମେତ ବିଭିନ୍ନ ପଦକ୍ଷେପ ରହିବ। ଏହା ମାଧ୍ୟମରେ ସମ୍ପୃକ୍ତ ପକ୍ଷଗୁଡ଼ିକ ଅଧିକ ଦକ୍ଷ, ସ୍ୱଚ୍ଛ ଓ ସରଳ ପରିବେଶରେ କାର୍ଯ୍ୟ କରିପାରିବେ।
୮୮. ଅଶୋଧିତ ହୀରା ବାଣିଜ୍ୟକୁ ନିୟନ୍ତ୍ରଣ କରୁଥିବା ଏକମାତ୍ର ବିଶ୍ୱସ୍ତରୀୟ ଆନ୍ତଃସରକାରୀ ପ୍ରମାଣପତ୍ର ବ୍ୟବସ୍ଥା ଭାବେ କିମ୍ବର୍ଲି ପ୍ରକ୍ରିୟା ପ୍ରତି ଆମର ସମର୍ଥନକୁ ପୁନଃ ନିଶ୍ଚିତ କରୁଛୁ। ସଂଘର୍ଷପୀଡ଼ିତ ଅଞ୍ଚଳରୁ ଆସୁଥିବା ହୀରାର ବଜାର ପ୍ରବେଶକୁ ରୋକିବାକୁ ଆମର ପ୍ରତିବଦ୍ଧତାକୁ ଆମେ ଗୁରୁତ୍ୱ ଦେଉଛୁ। ୨୦୨୬ରେ ଭାରତ କିମ୍ବର୍ଲି ପ୍ରକ୍ରିୟାର ଅଧ୍ୟକ୍ଷତା କରୁଥିବାରୁ ଆମେ ଏହାକୁ ସ୍ୱାଗତ କରୁଛୁ। ଅଶୋଧିତ ହୀରାର ମୁକ୍ତ ବାଣିଜ୍ୟ ଏବଂ ବିଶ୍ୱ ହୀରା ଶିଳ୍ପର ସ୍ଥାୟୀ ବିକାଶ ସୁନିଶ୍ଚିତ କରିବା ପାଇଁ ଆଫ୍ରିକାର ହୀରା ଖଣି ଉତ୍ପାଦନକାରୀ ଦେଶଗୁଡ଼ିକର ଅଂଶଗ୍ରହଣ ସହିତ ଅନୌପଚାରିକ ବ୍ରିକ୍ସ ସହଯୋଗ ମଞ୍ଚ ରହିଥିବାକୁ ଆମେ ଉଲ୍ଲେଖ କରୁଛୁ। ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ଏବଂ ବିଶ୍ୱ ବଜାରରେ ହୀରା ଓ ମୂଲ୍ୟବାନ ଧାତୁର ବାଣିଜ୍ୟକୁ ପ୍ରୋତ୍ସାହନ ଦେବା ପାଇଁ ସମ୍ଭାବ୍ୟ ବ୍ୟବସ୍ଥାଗୁଡ଼ିକର ଅନୁସନ୍ଧାନ ଆମେ ଜାରି ରଖିବୁ।
୮୯. ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ବ୍ୟବହାରିକ ଅର୍ଥନୈତିକ ସହଯୋଗକୁ ଆହୁରି ଗଭୀର କରିବା ଏବଂ ଅଧିକ ଘନିଷ୍ଠ ଅର୍ଥନୈତିକ ସହଭାଗିତାକୁ ଆଗେଇ ନେବା ପାଇଁ ଆମର ପ୍ରତିବଦ୍ଧତାକୁ ଆମେ ପୁନଃ ନିଶ୍ଚିତ କରୁଛୁ। ଆମେ ସ୍ୱୀକାର କରୁଛୁ ଯେ ‘ବ୍ରିକ୍ସ ଅର୍ଥନୈତିକ ସହଭାଗିତା ରଣନୀତି’ ଆମର ସହଯୋଗକୁ ଦିଗ୍ଦର୍ଶନ ଦେଉଥିବା ବ୍ୟାପକ ଢାଞ୍ଚା ଭାବେ ଏବେ ମଧ୍ୟ କାର୍ଯ୍ୟ କରୁଛି। ଏହା ସଦସ୍ୟ ଦେଶମାନଙ୍କ ନିଜସ୍ୱ ଦାୟିତ୍ୱରେ ବିଭିନ୍ନ କ୍ଷେତ୍ରଭିତ୍ତିକ ରଣନୀତି, କାର୍ଯ୍ୟକ୍ରମ ଏବଂ ରୋଡମ୍ୟାପ୍ର ଆହୁରି ବିକାଶ ପାଇଁ ଆଧାର ପ୍ରଦାନ କରୁଛି।
୨୦୨୫ରେ ବ୍ରାଜିଲ୍ର ଅଧ୍ୟକ୍ଷତା ସମୟରେ ‘ବ୍ରିକ୍ସ ଅର୍ଥନୈତିକ ସହଭାଗିତା ରଣନୀତି’କୁ ଚୂଡ଼ାନ୍ତ କରିବା ଦିଗରେ ହୋଇଥିବା ଅଗ୍ରଗତିକୁ ଆମେ ସ୍ୱୀକାର କରୁଛୁ। ୨୦୨୫ରେ ନେତାମାନଙ୍କ ଦ୍ୱାରା ଦିଆଯାଇଥିବା ଦାୟିତ୍ୱକୁ ୨୦୨୬ରେ ସଫଳତାର ସହ ପୂରଣ କରିବା ସହିତ ‘ବ୍ରିକ୍ସ ଅର୍ଥନୈତିକ ସହଭାଗିତା ରଣନୀତି ୨୦୩୦’ର ଅଗ୍ରଗତିକୁ ସଫଳ ଭାବେ ଆଗେଇ ନେଇଥିବାରୁ ଆମେ ଭାରତର ନେତୃତ୍ୱକୁ ପ୍ରଶଂସା କରୁଛୁ।
୯୦. ‘ବ୍ରିକ୍ସ ସୀମାପାର ଦେୟ ପ୍ରଦାନ ପଦକ୍ଷେପ’ ସମ୍ପର୍କରେ କାଜାନ୍ ଏବଂ ରିଓ ଘୋଷଣାପତ୍ରରେ ଆମ ଦ୍ୱାରା ଦିଆଯାଇଥିବା ମାର୍ଗଦର୍ଶନକୁ ଆଧାର କରି, ଦକ୍ଷ ସୀମାପାର ଦେୟ ପ୍ରଦାନ ବ୍ୟବସ୍ଥା ପାଇଁ ବ୍ୟବହାରିକ ସମାଧାନ ଖୋଜିବା ଦିଗରେ ‘ବ୍ରିକ୍ସ ପେମେଣ୍ଟ ଟାସ୍କ ଫୋର୍ସ’ (ବିପିଟିଏଫ୍)ର ପ୍ରୟାସକୁ ଆମେ ସ୍ୱୀକାର କରୁଛୁ। ଏହି ପରିପ୍ରେକ୍ଷୀରେ, ଦେୟ ପ୍ରଦାନ ଏବଂ ବାର୍ତ୍ତା ପ୍ରେରଣ ଚ୍ୟାନେଲଗୁଡ଼ିକର ସୀମାପାର ପରସ୍ପର କାର୍ଯ୍ୟକ୍ଷମତା ଅଧ୍ୟୟନ କରିବା ଦିଗରେ ହୋଇଥିବା କାର୍ଯ୍ୟକୁ ଆମେ ସ୍ୱୀକାର କରୁଛୁ। ଏଥିସହିତ, ବ୍ରିକ୍ସର ସ୍ଥାନୀୟ ମୁଦ୍ରା ବ୍ୟବହାର କରି ବାଣିଜ୍ୟିକ ଦେୟ ନିଷ୍ପତ୍ତି ଏବଂ ନିବେଶକୁ ପ୍ରୋତ୍ସାହନ ଦେବା ନେଇ ହୋଇଥିବା ଆଲୋଚନାକୁ ମଧ୍ୟ ଆମେ ସ୍ୱୀକାର କରୁଛୁ। ଏହି ସମସ୍ତ ପ୍ରୟାସରେ ଜାତୀୟ ପ୍ରାଥମିକତାକୁ ସମ୍ମାନ କରାଯିବା ସହିତ ସମସ୍ତ ଦେଶ ପାଇଁ ଏକାପ୍ରକାର ସମାଧାନ ଲାଗୁ ହୋଇପାରିବ ନାହିଁ ବୋଲି ଆମେ ସ୍ୱୀକାର କରୁଛୁ। ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ସୀମାପାର ଦେୟ ପ୍ରଦାନ ପାଇଁ ବ୍ୟବହାରିକ ସମାଧାନକୁ ସହଜ କରିବା ନିମନ୍ତେ ବିପିଟିଏଫ୍କୁ ଚାଲୁଥିବା କାର୍ଯ୍ୟ ଉପରେ ଆଧାର କରି ଆଲୋଚନା ଜାରି ରଖିବାକୁ ଆମେ ଉତ୍ସାହିତ କରୁଛୁ। ଏହି ବ୍ୟବସ୍ଥା ଦ୍ରୁତ, କମ୍ ଖର୍ଚ୍ଚସାପେକ୍ଷ, ଅଧିକ ସୁଗମ, ଦକ୍ଷ, ସ୍ୱଚ୍ଛ ଏବଂ ନିରାପଦ ହେବା ଆବଶ୍ୟକ।
୯୧. ‘ବ୍ରିକ୍ସ ପବ୍ଲିକ-ପ୍ରାଇଭେଟ୍ ପାର୍ଟନରସିପ୍’ (ପିପିପି) ଏବଂ ଭିତ୍ତିଭୂମି ସମ୍ପର୍କିତ ଟାସ୍କ ଫୋର୍ସର କାର୍ଯ୍ୟକୁ ଆମେ ସ୍ୱାଗତ କରୁଛୁ। ପିପିପି ମଡେଲ୍ ଓ ଏହାର ବିଭିନ୍ନ ପ୍ରଣାଳୀ, ତଥା ବିପଦକୁ ହ୍ରାସ କରିବାର ବ୍ୟବସ୍ଥା ସମ୍ପର୍କିତ ଟାସ୍କ ଫୋର୍ସର ବୈଷୟିକ ରିପୋର୍ଟକୁ ଆମେ ସ୍ୱାଗତ କରୁଛୁ। ଏହି ରିପୋର୍ଟ ସଦସ୍ୟ ଦେଶଗୁଡ଼ିକ ପାଇଁ ନିଜ ନିଜ ପିପିପି ବ୍ୟବସ୍ଥାକୁ ମଜବୁତ କରିବା ଏବଂ ବିଭିନ୍ନ ବିପଦର ଦାୟିତ୍ୱ ବଣ୍ଟନ ବ୍ୟବସ୍ଥାକୁ ଉନ୍ନତ କରିବାରେ ଏକ ମୂଲ୍ୟବାନ ଜ୍ଞାନ ସମ୍ବଳ ଭାବେ କାର୍ଯ୍ୟ କରିବ।
୯୨. ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ବାଣିଜ୍ୟକୁ ସହାୟତା କରିବା ପାଇଁ ଅଧିକ ଆତ୍ମନିର୍ଭରଶୀଳ ବ୍ରିକ୍ସ ବୀମା ବ୍ୟବସ୍ଥା ଗଠନ କରିବାରେ ବ୍ରିକ୍ସର ସାମୂହିକ କ୍ଷମତାକୁ ବ୍ୟବହାର କରିବାର ଆବଶ୍ୟକତାକୁ ଆମେ ସ୍ୱୀକାର କରୁଛୁ। ଏଥିସହିତ ପୁନଃବୀମା କ୍ଷମତା ବୃଦ୍ଧି ନେଇ ଆହୁରି ଆଲୋଚନା କରିବାର ଆବଶ୍ୟକତା ରହିଛି।
ପୂର୍ବତନ ଅଧ୍ୟକ୍ଷ ଦେଶଗୁଡ଼ିକର କାର୍ଯ୍ୟ ଉପରେ ଆଧାର କରି, ଆଗ୍ରହୀ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ‘ବ୍ରିକ୍ସ ଇନ୍ସୁରାନ୍ସ ରେଜିଲିଏନ୍ସ ସେଣ୍ଟର’ (ବିଆଇଆରସି) ଧାରଣାକୁ ଆଗକୁ ବଢ଼ାଇବା ନେଇ ଚାଲିଥିବା ଆଲୋଚନାକୁ ଆମେ ସ୍ୱାଗତ କରୁଛୁ। ଏହା ଏକ ସ୍ୱେଚ୍ଛାଭିତ୍ତିକ ସାଧାରଣ କ୍ଷମତା ମଞ୍ଚ ଭାବେ କାର୍ଯ୍ୟ କରିପାରିବ। ଏହା ମାଧ୍ୟମରେ ସାଧାରଣ ବିପଦ ମଡେଲ୍ ବିକଶିତ କରିବା, ସର୍ବୋତ୍ତମ ପଦ୍ଧତିର ଆଦାନପ୍ରଦାନ ଏବଂ ବିଶେଷଜ୍ଞ କ୍ଷମତା ଗଠନ କରାଯାଇପାରିବ। ଏହି ପରିପ୍ରେକ୍ଷୀରେ, ଗୁଜରାଟର ଗିଫ୍ଟ ସିଟି ଇଣ୍ଟରନ୍ୟାସନାଲ ଫାଇନାନ୍ସିଆଲ ସର୍ଭିସେସ ସେଣ୍ଟର (ଆଇଏଫଏସସି)ରେ ଆଗ୍ରହୀ ସଦସ୍ୟ ଦେଶମାନଙ୍କ ଅଂଶଗ୍ରହଣ ପାଇଁ ଖୋଲା ଥିବା ‘ବ୍ରିକ୍ସ ରିସ୍କ ଲ୍ୟାବ୍’ ପ୍ରତିଷ୍ଠା କରିବାକୁ ଭାରତର ପ୍ରସ୍ତାବ ଉପରେ ଆଲୋଚନାକୁ ଆଗକୁ ବଢ଼ାଇବା ନେଇ ସଦସ୍ୟ ଦେଶଗୁଡ଼ିକ ଆଗ୍ରହ ପ୍ରକାଶ କରିଛନ୍ତି। ବ୍ରିକ୍ସ ଦେଶଗୁଡ଼ିକର ପୁନଃବୀମା ଓ ବୀମା କ୍ଷମତା ବୃଦ୍ଧି ସମ୍ପର୍କରେ ଆମେ ଆହୁରି ଆଲୋଚନା ପାଇଁ ଅପେକ୍ଷା କରୁଛୁ। ଏଥିରେ ସମ୍ପୃକ୍ତ ନିୟାମକ ସଂସ୍ଥା ଏବଂ ବ୍ରିକ୍ସ ଦେଶଗୁଡ଼ିକର ପୁନଃବୀମା କମ୍ପାନୀଗୁଡ଼ିକ ସମେତ ସମ୍ପୃକ୍ତ ପକ୍ଷମାନେ ସ୍ୱେଚ୍ଛାଭିତ୍ତିକ ଭାବେ ଅଂଶଗ୍ରହଣ କରିପାରିବେ।
୯୩.‘ନ୍ୟୁ ଇନ୍ଭେଷ୍ଟମେଣ୍ଟ ପ୍ଲାଟଫର୍ମ’ (ଏନଆଇପି) ଉପରେ ବୈଷୟିକ ସ୍ତରରେ ଚାଲିଥିବା କାର୍ଯ୍ୟକୁ ଜାରି ରଖିବା ପାଇଁ ଆମେ ପୁନର୍ବାର ଉତ୍ସାହିତ କରୁଛୁ। ଏଥିସହିତ ବ୍ରାଜିଲ୍ର ଅଧ୍ୟକ୍ଷତା ସମୟରେ ଚୂଡ଼ାନ୍ତ ହୋଇଥିବା ମାର୍ଗଦର୍ଶିକା ଉପରେ ଆଧାର କରି ଆଗକୁ ବଢ଼ିବାକୁ ଆମେ ସମର୍ଥନ କରୁଛୁ। ଏନଆଇପି ସମ୍ପର୍କିତ ଆଲୋଚନାକୁ ଆଗକୁ ବଢ଼ାଇବାରେ ଭାରତର ଅଧ୍ୟକ୍ଷତା ସମୟରେ ହୋଇଥିବା ଅଗ୍ରଗତିକୁ ମଧ୍ୟ ଆମେ ସ୍ୱାଗତ କରୁଛୁ। ବୈଷୟିକ ଆଲୋଚନା ଏବଂ ଜ୍ଞାନର ଆଦାନପ୍ରଦାନ ପାଇଁ ଏକ ମଞ୍ଚ ଭାବେ ବ୍ରିକ୍ସ ଫାଇନାନ୍ସ ଟ୍ରାକ୍ ଅଧୀନରେ ଏକ ସ୍ୱତନ୍ତ୍ର ଅଧ୍ୟୟନ ଗୋଷ୍ଠୀ ଗଠନ ସମ୍ପର୍କରେ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ହୋଇଥିବା ଗଠନମୂଳକ ବୈଷୟିକ ଆଲୋଚନାକୁ ଆମେ ଗୁରୁତ୍ୱ ଦେଉଛୁ। ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ସମ୍ମତିଭିତ୍ତିକ, ପର୍ଯ୍ୟାୟକ୍ରମିକ ଏବଂ ସଦସ୍ୟ-ପରିଚାଳିତ ପଦ୍ଧତିରେ ଏହି କାର୍ଯ୍ୟକୁ ଆଗକୁ ବଢ଼ାଇବା ପାଇଁ ବ୍ୟାପକ ସମର୍ଥନ ରହିଥିବାକୁ ଆମେ ସ୍ୱୀକାର କରୁଛୁ। ଏଥିରେ ଜାତୀୟ ସାର୍ବଭୌମତ୍ୱ, ବିଭିନ୍ନ ନିୟାମକ ବ୍ୟବସ୍ଥା ଏବଂ ପୂର୍ବରୁ ରହିଥିବା ପ୍ରତିଷ୍ଠାନଗତ ଦାୟିତ୍ୱକୁ ସମ୍ମାନ କରାଯିବ। ଅଧ୍ୟୟନ ଗୋଷ୍ଠୀର କାର୍ଯ୍ୟ ପରିସରକୁ ଆହୁରି ସ୍ପଷ୍ଟ କରିବା ସମେତ ବୈଷୟିକ ସ୍ତରର ଯୋଗାଯୋଗ ଓ ଆଲୋଚନା ଜାରି ରଖିବାକୁ ଆମେ ଉତ୍ସାହିତ କରୁଛୁ। ଏହା ଦ୍ୱାରା କାର୍ଯ୍ୟକାରୀ ପଦ୍ଧତି ଏବଂ ସମ୍ପୃକ୍ତ ବ୍ରିକ୍ସ ପ୍ରତିଷ୍ଠାନଗୁଡ଼ିକର ଭୂମିକା ସମ୍ପର୍କରେ ସାଧାରଣ ବୁଝାମଣା ଆହୁରି ମଜବୁତ ହୋଇପାରିବ।
୯୪. ସେଟେଲମେଣ୍ଟ ଏବଂ ଡିପୋଜିଟାରୀ ଭିତ୍ତିଭୂମି ସମ୍ପର୍କରେ ଆଲୋଚନା ପାଇଁ ଉପଯୁକ୍ତ ବିଭିନ୍ନ ପ୍ରକାରର ବ୍ୟବସ୍ଥା ଖୋଜିବାକୁ ଆମେ ପୁନର୍ବାର ଉତ୍ସାହିତ କରୁଛୁ। ସଦସ୍ୟ ଦେଶଗୁଡ଼ିକର ଦେୟ ନିଷ୍ପତ୍ତି ଓ ଡିପୋଜିଟାରୀ ବ୍ୟବସ୍ଥା ସମ୍ପର୍କିତ ବିଭିନ୍ନ ଆଇନଗତ, ପ୍ରତିଷ୍ଠାନଗତ, ନିୟାମକ ଏବଂ ବୈଷୟିକ ଦିଗକୁ ନେଇ ହୋଇଥିବା ବୈଷୟିକ କର୍ମଶାଳାକୁ ଆମେ ଗୁରୁତ୍ୱର ସହ ନେଉଛୁ। ଏହି କର୍ମଶାଳା ବ୍ରିକ୍ସ ଦେଶଗୁଡ଼ିକର ବିଭିନ୍ନ ଅଧିକାରକ୍ଷେତ୍ର ମଧ୍ୟରେ ବୁଝାମଣାକୁ ଆହୁରି ଗଭୀର କରିବ। ଏଥିସହିତ ଆଗ୍ରହୀ ପକ୍ଷମାନଙ୍କ ମଧ୍ୟରେ ଜ୍ଞାନ, ଅଭିଜ୍ଞତା ଏବଂ ବୈଷୟିକ ଆଲୋଚନା ଓ ସହଯୋଗର ସ୍ୱେଚ୍ଛାଭିତ୍ତିକ ଆଦାନପ୍ରଦାନ ଜାରି ରଖିବା ପାଇଁ ଏହା ଏକ ଆଧାର ପ୍ରଦାନ କରିବ।
୯୫.ଆର୍ଥିକ କ୍ଷେତ୍ରରେ ସାଇବର ସୁରକ୍ଷାର ବିକାଶ ଓ ପ୍ରବଣତା, କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଏବଂ କ୍ୱାଣ୍ଟମ୍ କମ୍ପ୍ୟୁଟିଂ ଭଳି ଉଦୀୟମାନ ପ୍ରଯୁକ୍ତି ସମ୍ପର୍କରେ ଅଭିଜ୍ଞତାର ଆଦାନପ୍ରଦାନକୁ ଆମେ ସ୍ୱାଗତ କରୁଛୁ। ‘ବ୍ରିକ୍ସ ରାପିଡ୍ ଇନ୍ଫର୍ମେସନ୍ ସିକ୍ୟୁରିଟି ଚ୍ୟାନେଲ୍’ (ବ୍ରିସ୍କ୍) ଏବଂ ‘ବ୍ରିକ୍ସ ଫିନ୍ଟେକ୍ ୱର୍କିଂ ଗ୍ରୁପ୍’ ଅଧୀନରେ ହୋଇଥିବା କାର୍ଯ୍ୟକୁ ଆମେ ସ୍ୱୀକାର କରୁଛୁ। ନୂଆ ପ୍ରଯୁକ୍ତି ଦ୍ୱାରା ସୃଷ୍ଟ ସୁଯୋଗ ଓ ବିପଦର ମୂଲ୍ୟାଙ୍କନ ପାଇଁ ବିକାଶଶୀଳ ଏବଂ ଉଦୀୟମାନ ଅର୍ଥନୀତିକୁ କେନ୍ଦ୍ରରେ ରଖି ଏହି ଆଭିମୁଖ୍ୟ ଗ୍ରହଣ କରାଯାଇଛି। ପ୍ରତିବର୍ଷ ‘ବ୍ରିକ୍ସ ସାଇବର ଏକ୍ସରସାଇଜ୍’ ଏବଂ ‘ଡ୍ରିଲ୍’ ଆୟୋଜନ କରିବାର ଗୁରୁତ୍ୱକୁ ଆମେ ସ୍ୱୀକାର କରୁଛୁ। ଆର୍ଥିକ କ୍ଷେତ୍ରରେ ସାଇବର ସହନଶୀଳତାକୁ ମଜବୁତ କରିବା ପାଇଁ ସାମୂହିକ ଓ ସମନ୍ୱିତ ପଦ୍ଧତି, ପରସ୍ପର ଶିକ୍ଷା ଏବଂ ବ୍ୟବହାରିକ ସହଯୋଗ କେତେ ଗୁରୁତ୍ୱପୂର୍ଣ୍ଣ, ଏହି କାର୍ଯ୍ୟକ୍ରମଗୁଡ଼ିକ ତାହା ସ୍ପଷ୍ଟ କରେ। କେନ୍ଦ୍ରୀୟ ବ୍ୟାଙ୍କିଂ କ୍ଷେତ୍ରରେ ଉଦୀୟମାନ ବିଷୟଗୁଡ଼ିକ ଉପରେ ବିଶେଷଜ୍ଞତା ଗଠନ କରିବା ଉଦ୍ଦେଶ୍ୟରେ ପ୍ରତିଷ୍ଠିତ ‘ବ୍ରିକ୍ସ ସେଣ୍ଟ୍ରାଲ୍ ବ୍ୟାଙ୍କ ହବ୍ ଫର୍ କ୍ୟାପାସିଟି ବିଲ୍ଡିଂ’କୁ ଆମେ ସ୍ୱାଗତ କରୁଛୁ।
୯୬.ବିଭିନ୍ନ ଦେଶ ଉପରେ ଜଳବାୟୁ ପରିବର୍ତ୍ତନର ଅସମାନ ଓ ଅତ୍ୟଧିକ ପ୍ରଭାବକୁ ଆମେ ସ୍ୱୀକାର କରୁଛୁ। ବିଶେଷକରି ଉଦୀୟମାନ ବଜାର ଓ ବିକାଶଶୀଳ ଅର୍ଥନୀତିଗୁଡ଼ିକ (ଇଏମଡିଇ) ଜଳବାୟୁ ସମ୍ପର୍କିତ ବିପଦ ଓ ଅସୁରକ୍ଷାର ମୁକାବିଲା କ୍ଷେତ୍ରରେ ବିଶେଷ ଆହ୍ୱାନର ସମ୍ମୁଖୀନ ହେଉଛନ୍ତି। ଏଥିସହିତ, ବିଶେଷକରି ଜଳବାୟୁ ପରିବର୍ତ୍ତନ ସହ ଖାପ ଖୁଆଇବା ପାଇଁ ଆବଶ୍ୟକ ପଦକ୍ଷେପ କ୍ଷେତ୍ରରେ ଆବଶ୍ୟକ ଅର୍ଥର ପରିମାଣ ଓ ଉପଲବ୍ଧ ଅର୍ଥ ମଧ୍ୟରେ ରହିଥିବା ବଡ଼ ଅନ୍ତରକୁ ମଧ୍ୟ ଆମେ ଗୁରୁତ୍ୱ ଦେଉଛୁ। ଏହି ପରିପ୍ରେକ୍ଷୀରେ, “ସ୍ଥାୟୀ ଓ ସବୁଜ ଫାଇନାନ୍ସକୁ ସର୍ବୋତ୍ତମ କରିବାରେ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକର ଭୂମିକା, ଜଳବାୟୁ ପରିବର୍ତ୍ତନ ସହ ଖାପ ଖୁଆଇବା ସମେତ” ଶୀର୍ଷକ ରିପୋର୍ଟକୁ ଆମେ ସ୍ୱାଗତ କରୁଛୁ। ଏହି ରିପୋର୍ଟରେ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକର ପଦକ୍ଷେପ ଏବଂ ସ୍ଥାୟୀ ଅର୍ଥଯୋଗାଣର ବିଭିନ୍ନ ପ୍ରବଣତାକୁ ଅନୁଧ୍ୟାନ କରାଯାଇଛି। ଏଥିରେ ବିଶ୍ୱସ୍ତରରେ ଏବଂ ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ଜଳବାୟୁ ଅର୍ଥଯୋଗାଣ ପ୍ରକଳ୍ପଗୁଡ଼ିକୁ ଅଧିକ ଋଣଯୋଗ୍ୟ ଓ ଆକର୍ଷଣୀୟ କରିବାର ସମ୍ଭାବନା ଖୋଜିବା ପାଇଁ ହେଉଥିବା ପ୍ରୟାସକୁ ମଧ୍ୟ ସାମିଲ କରାଯାଇଛି।
୯୭. ‘ବ୍ରିକ୍ସ କଣ୍ଟିଜେଣ୍ଟ ରିଜର୍ଭ ଆରେଞ୍ଜମେଣ୍ଟ’ (ସିଆରଏ)ର ପରିଚାଳନାଗତ ସହନଶୀଳତାକୁ ବଢ଼ାଇବା ଏବଂ ସଙ୍କଟ ସମୟରେ ଏହାକୁ ଅଧିକ ତ୍ୱରିତ ଓ ପ୍ରଭାବଶାଳୀ କରିବା ଦିଗରେ ସିଆରଏ ବୈଷୟିକ ଟିମ୍ର ପ୍ରୟାସକୁ ଆମେ ସ୍ୱୀକାର କରୁଛୁ। ସିଆରଏ ଚୁକ୍ତିରେ କରାଯାଇଥିବା ସଂଶୋଧନ ଫଳରେ ଏହା ବ୍ରିକ୍ସର ଏକ ଆର୍ଥିକ ସୁରକ୍ଷା ବ୍ୟବସ୍ଥା ଭାବେ ଅଧିକ ନମନୀୟ ଓ ତ୍ୱରିତ ପ୍ରତିକ୍ରିୟାଶୀଳ ଭାବେ କାର୍ଯ୍ୟ କରିପାରିବ। ନବମ ସିଆରଏ ପରୀକ୍ଷଣ ପର୍ଯ୍ୟାୟକୁ ସମୟୋଚିତ ଭାବେ ସମାପ୍ତ କରିବା ଏବଂ “ବିଶ୍ୱ ଅର୍ଥନୈତିକ ଅନିଶ୍ଚିତତା ଏବଂ ବ୍ରିକ୍ସ ପାଇଁ ଏହାର ପ୍ରଭାବ” ବିଷୟବସ୍ତୁ ଉପରେ ବ୍ରିକ୍ସ ଇକୋନୋମିକ୍ ବୁଲେଟିନ୍ର ସପ୍ତମ ସଂସ୍କରଣ ପ୍ରକାଶ ପାଇଁ ଆମେ ଅପେକ୍ଷା କରୁଛୁ। ସିଆରଏରେ ଯୋଗଦେବାକୁ ଆଗ୍ରହ ପ୍ରକାଶ କରିଥିବା ନୂତନ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ଅଂଶଗ୍ରହଣକୁ ଆମେ ଗୁରୁତ୍ୱ ଦେଉଛୁ। ସ୍ୱେଚ୍ଛାକୃତ ଭାବେ ଏବଂ ପ୍ରତ୍ୟେକ ଦେଶର ପରିସ୍ଥିତି ଅନୁଯାୟୀ ସେମାନଙ୍କୁ ସିଆରଏରେ ସାମିଲ କରିବା ସମ୍ପର୍କିତ ଆଲୋଚନାକୁ ସମୟୋଚିତ ଭାବେ ଚୂଡ଼ାନ୍ତ କରାଯିବ ବୋଲି ଆମେ ଆଶା କରୁଛୁ।
୯୮. ଏକ ନ୍ୟାୟସଙ୍ଗତ, ସମାବେଶୀ, ସ୍ଥିର ଏବଂ ଦକ୍ଷ ଅନ୍ତର୍ଜାତୀୟ କର ବ୍ୟବସ୍ଥା ପାଇଁ ଆମର ପ୍ରତିବଦ୍ଧତାକୁ ଆମେ ଦୋହରାଉଛୁ। ଏଥିସହିତ ବଦଳୁଥିବା ଅନ୍ତର୍ଜାତୀୟ କର ସମସ୍ୟାର ମୁକାବିଲା ପାଇଁ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ସହଯୋଗକୁ ଆହୁରି ମଜବୁତ କରିବାକୁ ଆମର ପ୍ରତିବଦ୍ଧତାକୁ ମଧ୍ୟ ଦୋହରାଉଛୁ। ସହନଶୀଳତା, ନବସୃଜନ, ସହଯୋଗ ଏବଂ ସ୍ଥାୟୀତ୍ୱ ମାଧ୍ୟମରେ ବ୍ରିକ୍ସ ଟ୍ୟାକ୍ସ ସହଯୋଗକୁ ମଜବୁତ କରିବା ସହିତ ଜ୍ଞାନର ଆଦାନପ୍ରଦାନ ଓ କ୍ଷମତା ବିକାଶକୁ ପ୍ରୋତ୍ସାହନ ଦେବା ପାଇଁ ଆମର ପ୍ରତିବଦ୍ଧତାକୁ ମଧ୍ୟ ଆମେ ପୁନଃ ନିଶ୍ଚିତ କରୁଛୁ। ଜାତିସଂଘର ଅନ୍ତର୍ଜାତୀୟ କର ସହଯୋଗ ଢାଞ୍ଚା ସମ୍ମିଳନୀ ଏବଂ ଏହାର ପ୍ରୋଟୋକଲ୍ଗୁଡ଼ିକ ଭଳି ଅନ୍ତର୍ଜାତୀୟ ମଞ୍ଚରେ ଗଠନମୂଳକ ଭାବେ ଯୋଗଦାନ କରିବାକୁ ମଧ୍ୟ ଆମେ ଗୁରୁତ୍ୱ ଦେଉଛୁ। ଭାରତର ଅଧ୍ୟକ୍ଷତା ସମୟରେ ବ୍ରିକ୍ସ ଦେଶଗୁଡ଼ିକର କର କର୍ତ୍ତୃପକ୍ଷମାନଙ୍କ ମଧ୍ୟରେ ପ୍ରତିଷ୍ଠାନଗତ ସହଯୋଗକୁ ଆହୁରି ଗଭୀର କରିବା ପାଇଁ ନିଆଯାଇଥିବା ପଦକ୍ଷେପଗୁଡ଼ିକୁ ଆମେ ସ୍ୱାଗତ କରୁଛୁ। ଏଥିରେ ଅନ୍ତର୍ଜାତୀୟ କର ବ୍ୟବସ୍ଥା ଓ ଟ୍ରାନ୍ସଫର୍ ପ୍ରାଇସିଂ ଏବଂ ରାଜସ୍ୱ ପରିସଂଖ୍ୟାନ ସମ୍ପର୍କିତ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ ମଧ୍ୟ ସାମିଲ ରହିଛି। ଯୁବ କର ବିଶେଷଜ୍ଞମାନଙ୍କ ପାଇଁ ଆୟୋଜିତ କ୍ଷମତା ବିକାଶ କାର୍ଯ୍ୟକ୍ରମ ଏବଂ ‘ବ୍ରିକ୍ସ ଉଇମେନ୍ ଇନ୍ ଟ୍ୟାକ୍ସ ନେଟୱର୍କ’ର ଅଗ୍ରଗତିକୁ ଆମେ ସ୍ୱାଗତ କରୁଛୁ। ବର୍ତ୍ତମାନ ରହିଥିବା ଏବଂ ନୂତନ ବ୍ୟବସ୍ଥା ମାଧ୍ୟମରେ ନବସୃଜନ ଓ ଜ୍ଞାନର ଆଦାନପ୍ରଦାନକୁ ପ୍ରୋତ୍ସାହନ ଦେବାର ନିରନ୍ତର ପ୍ରୟାସକୁ ଆମେ ପ୍ରଶଂସା କରୁଛୁ। ଏଥିରେ ‘ବ୍ରିକ୍ସ ଟ୍ୟାକ୍ସ ସପୋର୍ଟ ନେଟୱର୍କ’ ପ୍ରତିଷ୍ଠା ଏବଂ ‘ବ୍ରିକ୍ସ ଟ୍ୟାକ୍ସ କ୍ରସ୍-ଲର୍ଣ୍ଣିଂ ଲ୍ୟାବ୍’ ଆରମ୍ଭ କରିବା ସହିତ ‘ବ୍ରିକ୍ସ ଟ୍ୟାକ୍ସ କୋଲାବୋରେସନ୍ ଟୁଲ୍’ର ଆହୁରି ବିକାଶ ସମ୍ପର୍କିତ ପଦକ୍ଷେପକୁ ଆମେ ସ୍ୱାଗତ କରୁଛୁ।
୯୯. ୨୦୧୨ରେ ଏହା ଆରମ୍ଭ ହେବା ପରଠାରୁ ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ କଷ୍ଟମ୍ସ ସହଯୋଗ ଆହୁରି ଗଭୀର ହୋଇଥିବାକୁ ଆମେ ସ୍ୱୀକାର କରୁଛୁ। ସଦସ୍ୟ ଦେଶଗୁଡ଼ିକର ଆବଶ୍ୟକତା ଅନୁଯାୟୀ ବ୍ରିକ୍ସ କଷ୍ଟମ୍ସ ସେଣ୍ଟର୍ସ ଅଫ୍ ଏକ୍ସିଲେନ୍ସ ଲକ୍ଷ୍ୟଭିତ୍ତିକ ପ୍ରଶିକ୍ଷଣ ଏବଂ ବୈଷୟିକ ସହଯୋଗ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଆମେ ଉତ୍ସାହିତ କରୁଛୁ। କଷ୍ଟମ୍ସ କ୍ଷେତ୍ରରେ ସହଯୋଗ ଏବଂ ପାରସ୍ପରିକ ପ୍ରଶାସନିକ ସହାୟତା ସମ୍ପର୍କିତ ବ୍ରିକ୍ସ ଚୁକ୍ତି ଉପରେ ହୋଇଥିବା ସମ୍ମତିକୁ ଆମେ ସ୍ୱାଗତ କରୁଛୁ। ଆବଶ୍ୟକ ଜାତୀୟ ପ୍ରକ୍ରିୟା ସମାପ୍ତ ହେବା ଏବଂ ସମସ୍ତ ବ୍ରିକ୍ସ ଦେଶର ଅଂଶଗ୍ରହଣ ସୁନିଶ୍ଚିତ କରିବା ପାଇଁ ପ୍ରୟାସ ପରେ ଏହାର ସ୍ୱାକ୍ଷର କରିବାକୁ ପ୍ରସ୍ତୁତ ସଦସ୍ୟ ଦେଶମାନଙ୍କ ଇଚ୍ଛାକୁ ମଧ୍ୟ ଆମେ ସ୍ୱାଗତ କରୁଛୁ। ‘ଅଥରାଇଜ୍ଡ ଇକୋନୋମିକ୍ ଅପରେଟର୍ସ’ (ଏଇଓ) କାର୍ଯ୍ୟକ୍ରମ ସମ୍ପର୍କରେ ବ୍ରିକ୍ସ ଏଇଓ ଆକ୍ସନ୍ ପ୍ଲାନ୍ ୨୦୨୬କୁ ସ୍ୱେଚ୍ଛାଭିତ୍ତିକ ଭାବେ କାର୍ଯ୍ୟକାରୀ କରିବା, ସୂଚନା ଆଦାନପ୍ରଦାନ, କ୍ଷମତା ବିକାଶ, ସର୍ବୋତ୍ତମ ପଦ୍ଧତିର ଆଦାନପ୍ରଦାନ ଏବଂ ପାରସ୍ପରିକ ସ୍ୱୀକୃତି ମାଧ୍ୟମରେ ସହଯୋଗକୁ ଆହୁରି ମଜବୁତ କରିବା ପାଇଁ ହେଉଥିବା ପ୍ରୟାସକୁ ଆମେ ସ୍ୱୀକାର କରୁଛୁ। ଏଥିରେ ପ୍ରତ୍ୟେକ ଦେଶର ଜାତୀୟ ଢାଞ୍ଚା ଓ ପ୍ରାଥମିକତାକୁ ବିଚାରକୁ ନିଆଯିବ।
ଉପଯୁକ୍ତ କ୍ଷେତ୍ରରେ ବ୍ରିକ୍ସ ସଦସ୍ୟ ଦେଶମାନଙ୍କ ସହ ପରାମର୍ଶ କରି, ବ୍ରିକ୍ସର ଅଧ୍ୟକ୍ଷ ଦେଶର ସମନ୍ୱୟରେ ପ୍ରତିବର୍ଷ ‘ବ୍ରିକ୍ସ ଯୁଗ୍ମ କଷ୍ଟମ୍ସ ଏନ୍ଫୋର୍ସମେଣ୍ଟ ଅପରେସନ୍’ ଆୟୋଜନ କରିବା ଦିଗରେ କାର୍ଯ୍ୟ କରିବାକୁ ମଧ୍ୟ ଆମେ ସ୍ୱୀକାର କରୁଛୁ। ଏହା ପାଇଁ ସୀମାପାର ଚୋରାଚାଲାଣର ପରସ୍ପର ଚିହ୍ନଟ ପ୍ରବଣତା, ସାଧାରଣ ପ୍ରାଥମିକତା ଏବଂ କାର୍ଯ୍ୟକାରୀ ସମ୍ଭାବନାକୁ ଆଧାର କରାଯିବ। ପ୍ରଥମ ଯୁଗ୍ମ କଷ୍ଟମ୍ସ ଏନ୍ଫୋର୍ସମେଣ୍ଟ ଅପରେସନ୍ର ଅଭିଜ୍ଞତାକୁ ଆଧାର କରି କାର୍ଯ୍ୟକାରୀ ସମନ୍ୱୟକୁ ଆହୁରି ଉନ୍ନତ କରିବା ଏବଂ ପରସ୍ପର ଚିହ୍ନଟ ହୋଇଥିବା ତଥା ଉଦୀୟମାନ କଷ୍ଟମ୍ସ ବିପଦର ମୁକାବିଲା କରିବା ଦିଗରେ ମଧ୍ୟ ଆମେ କାର୍ଯ୍ୟ କରିବୁ।
୧୦୦. ବ୍ରିକ୍ସ ଏବଂ ଅନ୍ୟାନ୍ୟ ଉଦୀୟମାନ ବଜାର ଓ ବିକାଶଶୀଳ ଅର୍ଥନୀତି (ଇଏମଡିଇ) ପାଇଁ ସାଧାରଣ ବିକାଶ ଓ ଅଭିବୃଦ୍ଧି ସମସ୍ୟାର ସମାଧାନ ନିମନ୍ତେ ଏକ ସ୍ୱତନ୍ତ୍ର ମଞ୍ଚ ଭାବେ ‘ବ୍ରିକ୍ସ ଟାସ୍କ ଫୋର୍ସ ଅନ୍ ଗ୍ରୋଥ୍ ଆଣ୍ଡ ଡେଭେଲପମେଣ୍ଟ’ ପ୍ରତିଷ୍ଠା କରିବା ପାଇଁ ଭାରତର ଅଧ୍ୟକ୍ଷତାର ପଦକ୍ଷେପକୁ ଆମେ ସ୍ୱାଗତ କରୁଛୁ। ଏହି ଟାସ୍କ ଫୋର୍ସ ବ୍ରିକ୍ସ ଦେଶଗୁଡ଼ିକୁ ନିଜ ନିଜ ଜାତୀୟ ପରିସ୍ଥିତି ଓ ବିକାଶ ପ୍ରାଥମିକତା ଅନୁଯାୟୀ ଉପଯୁକ୍ତ ଅଭିବୃଦ୍ଧି ମଡେଲ୍ ଉପରେ ଆଲୋଚନା କରିବାର ଏକ ମଞ୍ଚ ପ୍ରଦାନ କରୁଥିବାକୁ ଆମେ ସ୍ୱୀକାର କରୁଛୁ। ସହନଶୀଳତା, ନବସୃଜନ, ସହଯୋଗ ଏବଂ ସ୍ଥାୟୀତ୍ୱ ଭଳି ବିଷୟକୁ ନେଇ ଟାସ୍କ ଫୋର୍ସର ଦୁଇଟି କାର୍ଯ୍ୟଧାରା ଅଧୀନରେ ହୋଇଥିବା କାର୍ଯ୍ୟକୁ ଆମେ ପ୍ରଶଂସା କରୁଛୁ। ଟାସ୍କ ଫୋର୍ସର ଅଧ୍ୟକ୍ଷଙ୍କ ଭାଷଣ ଏବଂ ବୈଷୟିକ ଟିପ୍ପଣୀଗୁଡ଼ିକୁ ଆମେ ସ୍ୱାଗତ କରୁଛୁ। ଏଥିରେ ବିକାଶ ଅର୍ଥଯୋଗାଣ ବ୍ୟବସ୍ଥାର ସଂସ୍କାର ଏଜେଣ୍ଡାରେ ସମ୍ମତିର କ୍ଷେତ୍ରଗୁଡ଼ିକ ଚିହ୍ନଟ କରାଯାଇଛି। ଏହା ସହିତ ଡିଜିଟାଲ ପରିବର୍ତ୍ତନ, କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଏବଂ ଗଠନମୂଳକ ସଂସ୍କାରର ବ୍ୟାପକ ଅର୍ଥନୈତିକ ଓ ଆର୍ଥିକ ପ୍ରଭାବ ସମ୍ପର୍କରେ ସାଧାରଣ ବୁଝାମଣାକୁ ସହଜ କରାଯାଇଛି। ଏହା ବିଭିନ୍ନ ବହୁପାକ୍ଷିକ ମଞ୍ଚରେ ବ୍ରିକ୍ସ ସଦସ୍ୟ ଦେଶମାନଙ୍କ ଯୋଗଦାନ ପାଇଁ ମଧ୍ୟ ସହାୟକ ହେବ। ଜାତିସଂଘ ଜଳବାୟୁ ପରିବର୍ତ୍ତନ ଢାଞ୍ଚା ସମ୍ମିଳନୀ (ୟୁଏନ୍ଏଫ୍ସିସିସି) ଏବଂ ଏହାର ପ୍ୟାରିସ୍ ଚୁକ୍ତିର ନୀତି ଉପରେ ଆଧାରିତ ଜଳବାୟୁ ଅର୍ଥଯୋଗାଣ ସମ୍ପର୍କିତ ସାଧାରଣ ଦୃଷ୍ଟିକୋଣକୁ ପ୍ରତିଫଳିତ କରୁଥିବା ଆଲୋଚନା ପତ୍ରକୁ ଆମେ ସ୍ୱୀକାର କରୁଛୁ। ଅର୍ଥ ମନ୍ତ୍ରଣାଳୟ ଏବଂ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକର କାର୍ଯ୍ୟଧାରା ସହ ସମନ୍ୱୟ ରଖି ଟାସ୍କ ଫୋର୍ସର କାର୍ଯ୍ୟକୁ ଜାରି ରଖିବାକୁ ଆମେ ଉତ୍ସାହିତ କରୁଛୁ। ସ୍ଥାୟୀ ବିକାଶ ପାଇଁ ଜୀବନଶୈଳୀ ସମ୍ପର୍କିତ ଅର୍ଥଯୋଗାଣ ବ୍ୟବସ୍ଥାର ସଂକଳନ ଏବଂ ଜଳବାୟୁ ସମ୍ପର୍କିତ ଅସୁରକ୍ଷାର ସମୀକ୍ଷାକୁ ମଧ୍ୟ ଆମେ ଗୁରୁତ୍ୱର ସହ ନେଉଛୁ। ଏଥିରେ ସ୍ଥାୟୀ ବିକାଶ ପାଇଁ ଅର୍ଥ ସଂଗ୍ରହ କରିବା ନେଇ ବ୍ରିକ୍ସ ଦେଶଗୁଡ଼ିକର ଆଭିମୁଖ୍ୟକୁ ଉଲ୍ଲେଖ କରାଯାଇଛି। ଏଥିସହିତ କୃତ୍ରିମ ବୁଦ୍ଧିମତ୍ତା ଏବଂ ସବୁଜ ଅର୍ଥନୀତି ଉପରେ ଆଲୋଚନା ପତ୍ରକୁ ମଧ୍ୟ ଆମେ ସ୍ୱାଗତ କରୁଛୁ। ଏଥିରେ ସ୍ଥାୟୀ ଅଭିବୃଦ୍ଧି ପାଇଁ ଏଆଇର ବ୍ୟବହାର କରିବାର ବିଭିନ୍ନ ସୁଯୋଗକୁ ଉଲ୍ଲେଖ କରାଯାଇଛି।
୧୦୧.ବୟସ୍ୟାଧିକ ଜନସଂଖ୍ୟା ଏବଂ ବୃହତ୍ ଅଣଆନୁଷ୍ଠାନିକ କର୍ମଶକ୍ତିର ସମସ୍ୟାକୁ ଆମେ ସ୍ୱୀକାର କରୁଛୁ। ଭାରତର ଅଧ୍ୟକ୍ଷତା ସମୟରେ ବ୍ରିକ୍ସର ପେନ୍ସନ୍ ନିୟାମକ ଓ ତଦାରଖକମାନଙ୍କ ମଞ୍ଚରେ ଆୟୋଜିତ କର୍ମଶାଳାଗୁଡ଼ିକୁ ଆମେ ସ୍ୱାଗତ କରୁଛୁ। ଏହା ମାଧ୍ୟମରେ ପେନ୍ସନ୍ ନିୟମାବଳୀ ଏବଂ ଅବସରକାଳୀନ ଆୟ ସୁରକ୍ଷା କ୍ଷେତ୍ରରେ ସହଯୋଗକୁ ମଜବୁତ କରାଯିବ।
୧୦୨. ୨୦୨୫ର ରିଓ ଘୋଷଣାପତ୍ରରେ ଦିଆଯାଇଥିବା ମାର୍ଗଦର୍ଶନ ଅନୁଯାୟୀ ‘ବ୍ରିକ୍ସ ମଲ୍ଟିଲାଟେରାଲ୍ ଗ୍ୟାରେଣ୍ଟିଜ୍’ (ବିଏମ୍ଜି) ପଦକ୍ଷେପକୁ ଆଗକୁ ବଢ଼ାଇବା ଦିଗରେ ହୋଇଥିବା ଅଗ୍ରଗତିକୁ ଆମେ ସ୍ୱାଗତ କରୁଛୁ। ବ୍ରିକ୍ସ ଏବଂ ବିଶ୍ୱର ଦକ୍ଷିଣ ଭାଗର ବିକାଶ ପ୍ରକଳ୍ପଗୁଡ଼ିକ ପାଇଁ ଘରୋଇ ପୁଞ୍ଜି ସଂଗ୍ରହ କରିବା, ଋଣ ଯୋଗ୍ୟତା ବୃଦ୍ଧି କରିବା ଏବଂ ଅର୍ଥଯୋଗାଣ ଖର୍ଚ୍ଚ ହ୍ରାସ କରିବାରେ ଏହି ପଦକ୍ଷେପର ସମ୍ଭାବନା ରହିଛି ବୋଲି ଆମେ ସ୍ୱୀକାର କରୁଛୁ। ଏହି ପଦକ୍ଷେପ ଉପରେ ବୈଷୟିକ କାର୍ଯ୍ୟ ଜାରି ରଖିବା ଏବଂ ପାଇଲଟ୍ ସ୍ତରୀୟ କାରବାର ବିକଶିତ କରିବାକୁ ଆମେ ଉତ୍ସାହିତ କରୁଛୁ।
୧୦୩. ନୀତିଗତ ଗବେଷଣା ଏବଂ ବୌଦ୍ଧିକ ସମ୍ବଳର ଆଦାନପ୍ରଦାନରେ ଏହାର ଭୂମିକାକୁ ସ୍ୱୀକାର କରି, ଭାରତର ଅଧ୍ୟକ୍ଷତା ସମୟରେ ‘ବ୍ରିକ୍ସ ଥିଙ୍କ ଟ୍ୟାଙ୍କ ନେଟୱର୍କ ଫର୍ ଫାଇନାନ୍ସ’ର ନିରନ୍ତର ଅବଦାନକୁ ଆମେ ସ୍ୱାଗତ କରୁଛୁ। ସମାବେଶୀ ବିକାଶ ଏବଂ ସହନଶୀଳ ଭିତ୍ତିଭୂମି ପାଇଁ ଅର୍ଥଯୋଗାଣରେ ଫିନ୍ଟେକ୍ର ବ୍ୟବହାର କରିବା ଦିଗରେ ଏହି ନେଟୱର୍କର ପ୍ରୟାସକୁ ଆମେ ସମର୍ଥନ କରୁଛୁ। ଏହାର ଗବେଷଣା କାର୍ଯ୍ୟ ଏବଂ ଗବେଷଣା ଫଳାଫଳର ପ୍ରଚାରକୁ ଆହୁରି ମଜବୁତ କରିବା ପାଇଁ ହେଉଥିବା ପ୍ରୟାସକୁ ମଧ୍ୟ ଆମେ ସମର୍ଥନ କରୁଛୁ।
୧୦୪. ନାଗପୁରରେ ଅନୁଷ୍ଠିତ ବ୍ରିକ୍ସ ପରିବହନ ମନ୍ତ୍ରୀସ୍ତରୀୟ ବୈଠକର ଫଳାଫଳକୁ ଆମେ ସ୍ୱାଗତ କରୁଛୁ। ସମସ୍ତ ସମ୍ପୃକ୍ତ ପକ୍ଷଙ୍କ ଆବଶ୍ୟକତା ପୂରଣ କରିବା ଏବଂ ବ୍ରିକ୍ସ ଦେଶଗୁଡ଼ିକର ପରିବହନ କ୍ଷମତାକୁ ବଢ଼ାଇବା ପାଇଁ ନାଗରିକ ବିମାନ ଚଳାଚଳ ସମେତ ପରିବହନ କ୍ଷେତ୍ରରେ ଆଲୋଚନାକୁ ଆହୁରି ଆଗକୁ ବଢ଼ାଇବାକୁ ଆମେ ଆଶା କରୁଛୁ। ଏହି ପରିବହନ ସହଯୋଗ ସମୟରେ ସମସ୍ତ ସଦସ୍ୟ ଦେଶର ସାର୍ବଭୌମତ୍ୱ ଏବଂ ଭୌଗୋଳିକ ଅଖଣ୍ଡତାକୁ ସମ୍ମାନ କରାଯିବ। ପରିବହନ ନୀତି, ନିବେଶ, ବୈଷୟିକ ଜ୍ଞାନ ଏବଂ କ୍ଷମତା ବିକାଶ କ୍ଷେତ୍ରରେ ସହଯୋଗକୁ ଗଭୀର କରିବା ପାଇଁ ବ୍ରିକ୍ସ ଦେଶଗୁଡ଼ିକର ପ୍ରତିବଦ୍ଧତାକୁ ଆମେ ପୁନଃ ନିଶ୍ଚିତ କରୁଛୁ। ସ୍ଥାୟୀ ଓ ସହନଶୀଳ ପରିବହନ ଭିତ୍ତିଭୂମି ବିକାଶ ପାଇଁ ଏହା ଆବଶ୍ୟକ। ଅର୍ଥନୈତିକ ଅଭିବୃଦ୍ଧି, ଯୋଗାଯୋଗ ଏବଂ ପରିବେଶୀୟ ସ୍ଥାୟୀତ୍ୱରେ ପରିବହନର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଆମେ ସ୍ୱୀକାର କରୁଛୁ। ଏହି ପରିପ୍ରେକ୍ଷୀରେ, ବ୍ରିକ୍ସ ଦେଶଗୁଡ଼ିକରେ ପରିବହନ ଭିତ୍ତିଭୂମିର ବିକାଶ ଓ ରକ୍ଷଣାବେକ୍ଷଣରେ ସର୍କୁଲାର ଇକୋନୋମିର ନୀତିକୁ ସାମିଲ କରିବାର ଗୁରୁତ୍ୱକୁ ଆମେ ସ୍ୱୀକାର କରୁଛୁ। ଅନ୍ତର୍ଜାତୀୟ ବିମାନ ଚଳାଚଳରେ କାର୍ବନ ନିର୍ଗମନ କମାଇବା ପାଇଁ ସ୍ଥାୟୀ ବିମାନ ଇନ୍ଧନ ଏବଂ କମ୍-କାର୍ବନ୍ ବିମାନ ଇନ୍ଧନର ପ୍ରଚାରକୁ ମଧ୍ୟ ଆମେ ସମର୍ଥନ କରୁଛୁ। ‘ବ୍ରିକ୍ସ ଫୋରମ୍ ଅନ୍ ସଷ୍ଟେନେବଲ୍ ଏଭିଏସନ୍ ଫ୍ୟୁଏଲ୍ସ’ ( ସ୍ଥାୟୀ ବିମାନ ଇନ୍ଧନ ସଂପର୍କିତ ବ୍ରିକ୍ସ ଫୋରମ), ନବୀକରଣଯୋଗ୍ୟ ଶକ୍ତିର ସମ୍ଭାବନାକୁ ବ୍ୟବହାର କରି ପରିବହନ କ୍ଷେତ୍ରର କାର୍ବନ ନିର୍ଗମନ ହ୍ରାସ ସମ୍ପର୍କିତ ଜ୍ଞାନ ଆଦାନପ୍ରଦାନ ପାଇଁ ବ୍ରିକ୍ସ ଫ୍ରେମ୍ୱର୍କ ଅଫ୍ କୋଅପରେସନ୍ ଏବଂ ସୁଗମ, ସୁଲଭ, ସମାବେଶୀ ଓ ସ୍ମାର୍ଟ ସହରୀ ପରିବହନ ବ୍ୟବସ୍ଥା ପାଇଁ ଜ୍ଞାନ ଆଦାନପ୍ରଦାନ ଓ ସହଯୋଗ ନିମନ୍ତେ ବ୍ରିକ୍ସ ଅର୍ବାନ୍ ମୋବିଲିଟି ହବ୍ ପ୍ରତିଷ୍ଠାକୁ ଆମେ ସ୍ୱାଗତ କରୁଛୁ। ବ୍ରିକ୍ସ ଲଜିଷ୍ଟିକ୍ସ ସପ୍ଲାଇ-ଚେନ୍ କୋଅପରେସନ୍ ଫ୍ରେମ୍ୱର୍କ ପ୍ରତିଷ୍ଠାକୁ ମଧ୍ୟ ଆମେ ସ୍ୱାଗତ କରୁଛୁ। ବ୍ରିକ୍ସ ରେଲୱେ ରିସର୍ଚ୍ଚ ନେଟୱର୍କ ପ୍ରସ୍ତାବ ଉପରେ ଆଲୋଚନା କରିବାକୁ ଆମେ ଉତ୍ସାହିତ କରୁଛୁ।
୧୦୫. ଅନ୍ତର୍ଜାତୀୟ ନାଗରିକ ବିମାନ ଚଳାଚଳ ସମ୍ମିଳନୀର ଧାରା ୫୦(ଏ)ରେ ୨୦୧୬ରେ କରାଯାଇଥିବା ସଂଶୋଧନ କାର୍ଯ୍ୟକାରୀ ହୋଇଥିବାକୁ ଆମେ ସ୍ୱାଗତ କରୁଛୁ। ଏହି ସଂଶୋଧନ ଦ୍ୱାରା ଆଇକାଓ (ICAO) ପରିଷଦର ସଦସ୍ୟତା ବଢ଼ିଛି ଏବଂ ଆଫ୍ରିକା ଓ ଏସିଆ-ପ୍ରଶାନ୍ତ ଅଞ୍ଚଳ ସମେତ କମ୍ ପ୍ରତିନିଧିତ୍ୱ ଥିବା ଅଞ୍ଚଳଗୁଡ଼ିକ ପାଇଁ ଆଉ ୪ଟି ଆସନ ଯୋଡ଼ାଯାଇଛି। ଆଗାମୀ ୪୩ତମ (ବିଶେଷ) ଆଇକାଓ ସଭାରେ ହେବାକୁ ଥିବା ନିର୍ବାଚନରେ ପରିଷଦର ଅତିରିକ୍ତ ଆସନ ଗ୍ରହଣ କରିବା ପାଇଁ ଆଫ୍ରିକୀୟ ସଂଘ ଦ୍ୱାରା ଏକମାତ୍ର ଆଫ୍ରିକୀୟ ପ୍ରାର୍ଥୀ ଭାବେ ସମର୍ଥିତ ଇଥିଓପିଆ ଏବଂ ଇଣ୍ଡୋନେସିଆର ପ୍ରାର୍ଥିତ୍ୱକୁ ମଧ୍ୟ ଆମେ ସ୍ୱାଗତ କରୁଛୁ।
୧୦୬. ନୂଆଦିଲ୍ଲୀରେ ବ୍ରିକ୍ସ ଅର୍ବାନାଇଜେସନ୍ ଫୋରମ୍ ଆୟୋଜନ ଏବଂ ମନ୍ତ୍ରୀସ୍ତରୀୟ ଘୋଷଣାପତ୍ର ଗ୍ରହଣକୁ ଆମେ ସ୍ୱାଗତ କରୁଛୁ। ଲୋକକୈନ୍ଦ୍ରୀକ ସହରୀ ବିକାଶକୁ ଆଗେଇ ନେବା ଏବଂ ସମାବେଶୀ, ସ୍ଥାୟୀ, ସହନଶୀଳ ଓ ବାସଯୋଗ୍ୟ ସହର ଗଠନ ପାଇଁ ଆମର ପ୍ରତିବଦ୍ଧତାକୁ ଆମେ ପୁନଃ ନିଶ୍ଚିତ କରୁଛୁ। ଏଥିପାଇଁ ପର୍ଯ୍ୟାପ୍ତ, ନିରାପଦ ଓ ସୁଲଭ ଆବାସ, ଜଳ ଓ ପରିମଳ ବ୍ୟବସ୍ଥା, ସ୍ଥାୟୀ ଯାତାୟାତ, ସମନ୍ୱିତ ଓ ଦକ୍ଷ ଗତିଶୀଳତା, ବର୍ଜ୍ୟ ପରିଚାଳନା ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସହରୀ ସେବା କ୍ଷେତ୍ରରେ ସହଯୋଗକୁ ମଜବୁତ କରାଯିବ। ସହନଶୀଳ ଓ ସ୍ଥାୟୀ ସହରୀ ବିକାଶକୁ ସମର୍ଥନ କରିବା ପାଇଁ ପ୍ରୟୋଗମୂଳକ ଗବେଷଣା, ଜ୍ଞାନ ଆଦାନପ୍ରଦାନ ଏବଂ କ୍ଷମତା ବିକାଶର ଏକ ମଞ୍ଚ ଭାବେ ବ୍ରିକ୍ସ ଅର୍ବାନ୍ ରିସର୍ଚ୍ଚ ଆଣ୍ଡ ନଲେଜ୍ ନେଟୱର୍କ ପ୍ରତିଷ୍ଠାକୁ ମଧ୍ୟ ଆମେ ପ୍ରଶଂସା କରୁଛୁ।
୧୦୭. ଜଳବାୟୁ ପରିବର୍ତ୍ତନ ଭଳି ଆମର ସାଧାରଣ ପୃଥିବୀ ଓ ଭବିଷ୍ୟତ ପ୍ରତି ବିପଦ ସୃଷ୍ଟି କରୁଥିବା ଆହ୍ୱାନଗୁଡ଼ିକର ସମାଧାନ ପାଇଁ ବହୁପାକ୍ଷିକତାକୁ ଆବଶ୍ୟକ ମାଧ୍ୟମ ଭାବେ ସମର୍ଥନ କରିବା ପାଇଁ ଆମର ପ୍ରତିବଦ୍ଧତାକୁ ଆମେ ପୁନର୍ବାର ଦୋହରାଉଛୁ। ୟୁଏନ୍ଏଫ୍ସିସିସି ଏବଂ ଏହାର ପ୍ୟାରିସ୍ ଚୁକ୍ତିର ଉଦ୍ଦେଶ୍ୟ, ନୀତି ଓ ଲକ୍ଷ୍ୟ ପୂରଣ ପାଇଁ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ଆମେ ସଂକଳ୍ପବଦ୍ଧ। ଏହି ଚୁକ୍ତିଗୁଡ଼ିକର ପକ୍ଷ ଭାବେ ସମସ୍ତ ଦେଶ ନିଜର ପୂର୍ବ ପ୍ରତିବଦ୍ଧତାକୁ ପାଳନ କରିବା ସହ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ନିଜର ପ୍ରୟାସକୁ ଜାରି ରଖିବା ଓ ବଢ଼ାଇବାକୁ ଆମେ ଆହ୍ୱାନ କରୁଛୁ। ୟୁଏନ୍ଏଫ୍ସିସିସିର ଉଦ୍ଦେଶ୍ୟ ପୂରଣ ପାଇଁ ଜଳବାୟୁ ପରିବର୍ତ୍ତନର ମୁକାବିଲା କରିବାରେ ପ୍ୟାରିସ୍ ଚୁକ୍ତିର ସମ୍ପୂର୍ଣ୍ଣ ଓ ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନକୁ ମଜବୁତ କରିବା ପାଇଁ ଆମର ଦୃଢ଼ ପ୍ରତିବଦ୍ଧତାକୁ ଆମେ ପୁନଃ ନିଶ୍ଚିତ କରୁଛୁ। ଏଥିରେ ଜଳବାୟୁ ପରିବର୍ତ୍ତନ ହ୍ରାସ, ଅନୁକୂଳନ, କ୍ଷତି ଓ କ୍ଷୟର ମୁକାବିଲା ଏବଂ ବିକାଶଶୀଳ ଦେଶଗୁଡ଼ିକୁ କାର୍ଯ୍ୟାନ୍ୱୟନ ପାଇଁ ଆବଶ୍ୟକ ସାଧନ ଯୋଗାଇବା ସମ୍ପର୍କିତ ବ୍ୟବସ୍ଥା ସାମିଲ ରହିଛି। ଏହା ସମାନତା ଏବଂ ସାଧାରଣ କିନ୍ତୁ ଭିନ୍ନ ଦାୟିତ୍ୱ ଓ ସମ୍ପୃକ୍ତ କ୍ଷମତାର ସିଦ୍ଧାନ୍ତକୁ ପ୍ରତିଫଳିତ କରିବ। ଏଥିରେ ବିଭିନ୍ନ ଦେଶର ଜାତୀୟ ପରିସ୍ଥିତିକୁ ବିଚାରକୁ ନିଆଯିବ। ଅନେକ ବିକାଶଶୀଳ ଦେଶରେ ଅଧିକ ଋଣ ବୋଝ ଜଳବାୟୁ ଓ ବିକାଶ କ୍ଷେତ୍ରରେ ନିବେଶକୁ ଆହୁରି ସୀମିତ କରୁଥିବାକୁ ମଧ୍ୟ ଆମେ ସ୍ୱୀକାର କରୁଛୁ। ଋଣର ସ୍ଥାୟୀତ୍ୱ ବଢ଼ାଇବା, ଆର୍ଥିକ କାର୍ଯ୍ୟକ୍ଷେତ୍ର ବିସ୍ତାର କରିବା ଏବଂ ସ୍ଥାୟୀ ବିକାଶ ଓ ଜଳବାୟୁ ଅର୍ଥଯୋଗାଣକୁ ସମର୍ଥନ କରିବା ପାଇଁ ସମନ୍ୱିତ ଅନ୍ତର୍ଜାତୀୟ ପଦକ୍ଷେପ ନେବାକୁ ଆମେ ଆହ୍ୱାନ କରୁଛୁ। ଏହି ପରିପ୍ରେକ୍ଷୀରେ ଜଳବାୟୁ ପରିବର୍ତ୍ତନ ଓ ସ୍ଥାୟୀ ବିକାଶ ସମ୍ପର୍କିତ କଣ୍ଟାକ୍ଟ ଗ୍ରୁପ୍ରେ ବ୍ରିକ୍ସ ସହଯୋଗକୁ ଆମେ ଉତ୍ସାହିତ କରୁଛୁ। ବ୍ରାଜିଲ୍ର ସଫଳ ସିଓପି-୩୦ ଅଧ୍ୟକ୍ଷତାର ସଫଳ ସମାପ୍ତିକୁ ଆମେ ପ୍ରଶଂସା କରୁଛୁ ଏବଂ ଇଥିଓପିଆର ୟୁଏନ୍ଏଫ୍ସିସିସି ସିଓପି-୩୨ ଅଧ୍ୟକ୍ଷତାକୁ ସମର୍ଥନ ଜଣାଉଛୁ।
୧୦୮. ଅନ୍ତର୍ଜାତୀୟ ଆଇନ ସହ ସମନ୍ୱୟ ନ ରଖୁଥିବା ଏକତରଫା, ଦଣ୍ଡାତ୍ମକ, ଭେଦଭାବମୂଳକ ଏବଂ ସୁରକ୍ଷାବାଦୀ ପଦକ୍ଷେପକୁ ଆମେ ବିରୋଧ କରୁଛୁ। ଏଥିରେ କାର୍ବନ୍ ବର୍ଡର ଆଡଜଷ୍ଟମେଣ୍ଟ ମେକାନିଜମ୍ ଭଳି ବ୍ୟବସ୍ଥା ମଧ୍ୟ ସାମିଲ ରହିଛି। ଏଭଳି ପଦକ୍ଷେପ ଦ୍ୱାରା ବିଶେଷକରି ବିକାଶଶୀଳ ଦେଶଗୁଡ଼ିକ ଜଳବାୟୁ ପରିବର୍ତ୍ତନର ନକାରାତ୍ମକ ପ୍ରଭାବର ମୁକାବିଲା କରିବା, ଅନୁକୂଳନ କ୍ଷମତା ବଢ଼ାଇବା ଏବଂ ସହନଶୀଳତା ମଜବୁତ କରିବା ପାଇଁ କରୁଥିବା ପ୍ରୟାସ ଦୁର୍ବଳ ହେଉଥିବା ନେଇ ଆମେ ଚିନ୍ତା ପ୍ରକାଶ କରୁଛୁ।
୧୦୯. ଆମେ ବ୍ରିକ୍ସ ଜଳବାୟୁ ଗବେଷଣା ପ୍ଲାଟଫର୍ମ ଏବଂ ବ୍ରିକ୍ସ ବାଣିଜ୍ୟ, ଜଳବାୟୁ ପରିବର୍ତ୍ତନ ଓ ସ୍ଥାୟୀ ବିକାଶ ପାଇଁ ପରୀକ୍ଷାଗାରର ସମ୍ଭାବନାକୁ ଗୁରୁତ୍ୱ ଦେଉଛୁ। ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକରେ ଜଳବାୟୁ କାର୍ଯ୍ୟକ୍ରମକୁ ପ୍ରୋତ୍ସାହନ ଦେବା ଏବଂ ଜଳବାୟୁ ପରିବର୍ତ୍ତନଜନିତ ବିପଦ ପ୍ରତି ସହନଶୀଳତା ବଢ଼ାଇବାରେ ଏହି ଦୁଇଟିର ଗୁରୁତ୍ୱ ରହିଛି। ଏହାର ଆହୁରି ବିକାଶ ପାଇଁ ଆମେ ଆଶାବାଦୀ। ୨୦୨୫ ମସିହାର ନେତାମାନଙ୍କ ଜଳବାୟୁ ଅର୍ଥଯୋଗାଣ ଢାଞ୍ଚା ଘୋଷଣାକୁ ମନେ ପକାଇ ଆମେ କାର୍ବନ ବଜାର କ୍ଷେତ୍ରରେ ସହଯୋଗକୁ ପ୍ରୋତ୍ସାହନ ଦେବାକୁ ସମର୍ଥନ କରୁଛୁ। ଏଥିରେ ବିଶେଷ ଭାବେ କ୍ଷମତା ବିକାଶ, ଅଭିଜ୍ଞତା ଆଦାନପ୍ରଦାନ ଉପରେ ଗୁରୁତ୍ୱ ଦିଆଯିବ।
ବ୍ରିକ୍ସ କାର୍ବନ ବଜାର ସହଭାଗିତା ସମ୍ପର୍କିତ ବୁଝାମଣା ସ୍ମାରକପତ୍ର କାର୍ଯ୍ୟକାରୀ ହେବାକୁ ଆମେ ଅପେକ୍ଷା କରୁଛୁ। ଏହା ଏକ ସହଯୋଗୀ ପଦକ୍ଷେପ ଭାବେ ସଦସ୍ୟ ଦେଶଗୁଡ଼ିକର ଜଳବାୟୁ ରଣନୀତିକୁ ସମର୍ଥନ କରିବ। ଏହା ଜଳବାୟୁ ପରିବର୍ତ୍ତନ ହ୍ରାସ ପାଇଁ ପ୍ରୟାସକୁ ସହାୟତା କରିବା ସହ ଆବଶ୍ୟକ ସମ୍ବଳ ସଂଗ୍ରହରେ ମଧ୍ୟ ସହାୟକ ହେବ। ଜନକେନ୍ଦ୍ରିକ, ସମୁଦାୟଭିତ୍ତିକ ଅନୁକୂଳନ ପଦ୍ଧତି ଉପରେ ବ୍ରିକ୍ସ ଉଚ୍ଚସ୍ତରୀୟ ଆଲୋଚନା ଏବଂ କାର୍ବନ ବଜାରକୁ ଅନୁକୂଳନ ଲକ୍ଷ୍ୟ ସହ ସମନ୍ୱିତ କରିବା ନେଇ ହୋଇଥିବା ଆଲୋଚନା ମାଧ୍ୟମରେ ଜ୍ଞାନ ଆଦାନପ୍ରଦାନକୁ ଆମେ ପ୍ରଶଂସା କରୁଛୁ।
୧୧୦. ଜନକେନ୍ଦ୍ରିକ ଏବଂ ସମୁଦାୟଭିତ୍ତିକ ଜଳବାୟୁ ଅନୁକୂଳନ କ୍ଷେତ୍ରରେ ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ଅଧିକ ସହଯୋଗ ପାଇଁ ଆମେ ଉତ୍ସାହିତ କରୁଛୁ। ଜଳବାୟୁ ପରିବର୍ତ୍ତନ ପ୍ରତି ସହନଶୀଳତା ଏବଂ ସ୍ଥାୟୀ ବିକାଶକୁ ସୁଦୃଢ଼ କରିବାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ। ବିକଶିତ ଦେଶଗୁଡ଼ିକ ବିକାଶଶୀଳ ଦେଶମାନଙ୍କୁ ଜଳବାୟୁ ଅନୁକୂଳନ ପାଇଁ ଅତିରିକ୍ତ, ପର୍ଯ୍ୟାପ୍ତ, ନିଶ୍ଚିତ, ସହଜରେ ଉପଲବ୍ଧ ଆର୍ଥିକ ସମ୍ବଳ, କ୍ଷମତା ବିକାଶ ସହାୟତା, ପ୍ରଯୁକ୍ତି ବିକାଶ ଓ ପ୍ରଯୁକ୍ତି ହସ୍ତାନ୍ତର ପ୍ରଦାନ କରିବା ଉଚିତ। ଅନୁକୂଳନ କ୍ଷମତା ବୃଦ୍ଧି ଏବଂ ଜଳବାୟୁ ସମସ୍ୟାର ମୁକାବିଲାରେ ପାରମ୍ପରିକ ଜ୍ଞାନ ପ୍ରଣାଳୀ, ଆଦିବାସୀ ଓ ସ୍ଥାନୀୟ ସମୁଦାୟର ପ୍ରଥା, ସ୍ଥାନୀୟ ଉଦ୍ଭାବନ ଏବଂ ସମୁଦାୟର ଅଭିଜ୍ଞତାର ମୂଲ୍ୟକୁ ଆମେ ସ୍ୱୀକାର କରୁଛୁ। ବୈଜ୍ଞାନିକ ଜ୍ଞାନ ଓ ପ୍ରଯୁକ୍ତିଗତ ଉଦ୍ଭାବନ ସହ ପାରମ୍ପରିକ ଜ୍ଞାନର ସମନ୍ୱୟ ସମେତ ଅଭିଜ୍ଞତା, ଜ୍ଞାନ ଓ ସର୍ବୋତ୍ତମ ପଦ୍ଧତିର ଆଦାନପ୍ରଦାନକୁ ଆମେ ଉତ୍ସାହିତ କରୁଛୁ। ଏହି ପରିପ୍ରେକ୍ଷୀରେ ପାରମ୍ପରିକ ଜ୍ଞାନ ଆଧାରିତ ଜନକେନ୍ଦ୍ରିକ ଏବଂ ସମୁଦାୟଭିତ୍ତିକ ଅନୁକୂଳନ ମାଧ୍ୟମରେ ଜଳବାୟୁ ସହନଶୀଳତା ବୃଦ୍ଧି ପାଇଁ ବ୍ରିକ୍ସର ସିଦ୍ଧାନ୍ତଗୁଡ଼ିକୁ ଆମେ ସ୍ୱାଗତ କରୁଛୁ। ଆମେ ଜାତୀୟ ପରିସ୍ଥିତି ଅନୁଯାୟୀ ନିର୍ଦ୍ଧାରିତ ନ୍ୟାୟସଙ୍ଗତ ପରିବର୍ତ୍ତନ ଏବଂ ସନ୍ତୁଳିତ ଭାବେ ନିର୍ଗମନ ହ୍ରାସ ଓ ଅନୁକୂଳନ ପଦକ୍ଷେପ ଗ୍ରହଣର ଗୁରୁତ୍ୱକୁ ଗୁରୁତ୍ୱାରୋପ କରୁଛୁ। ଏହା ସହିତ ନିର୍ଗମନ ହ୍ରାସ କରିବା ଏବଂ ଅନୁକୂଳନ କ୍ଷମତା ବଢ଼ାଇବାରେ ସହାୟକ ସମସ୍ତ ଉପଲବ୍ଧ ଓ ସୁଲଭ ସମାଧାନ ଏବଂ ପ୍ରଯୁକ୍ତିର ଗୁରୁତ୍ୱକୁ ମଧ୍ୟ ଆମେ ଉଲ୍ଲେଖ କରୁଛୁ। ଏଥିରେ କାର୍ବନ ସଂରକ୍ଷଣ ଓ ଶୋଷଣ କରୁଥିବା ପରିସଂସ୍ଥା, ପରିସଂସ୍ଥା ସେବା ପ୍ରଦାନକାରୀ ଏବଂ ଜଳବାୟୁ ସହନଶୀଳତା ବୃଦ୍ଧିରେ ଅବଦାନ ରଖୁଥିବା ପରିସଂସ୍ଥାଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।
୧୧୧. ଜୈବ ବିବିଧତାର ସଂରକ୍ଷଣ ଓ ସ୍ଥାୟୀ ବ୍ୟବହାର, ଜେନେଟିକ୍ ସମ୍ବଳର ବ୍ୟବହାରରୁ ମିଳୁଥିବା ଲାଭର ନ୍ୟାୟସଙ୍ଗତ ଓ ସମାନ ବଣ୍ଟନ ଏବଂ ଜୈବ ବିବିଧତା ସମ୍ପର୍କିତ ସମ୍ମିଳନୀ (ସିବିଡି), ଏହାର ପ୍ରୋଟୋକଲ ଏବଂ କୁନମିଙ୍ଗ-ମଣ୍ଟ୍ରିଅଲ୍ ଗ୍ଲୋବାଲ୍ ବାୟୋଡାଇଭର୍ସିଟି ଫ୍ରେମୱାର୍କର ପ୍ରଭାବଶାଳୀ କାର୍ଯ୍ୟକାରିତାର ଗୁରୁତ୍ୱକୁ ଆମେ ଗୁରୁତ୍ୱାରୋପ କରୁଛୁ। କୁନମିଙ୍ଗ ବାୟୋଡାଇଭର୍ସିଟି ଫଣ୍ଡ ସ୍ଥାପନକୁ ଆମେ ସ୍ୱାଗତ କରୁଛୁ। ଏଥିପାଇଁ ଚୀନ୍ର ଅବଦାନକୁ ଆମେ ପ୍ରଶଂସା କରୁଛୁ ଏବଂ ଜୈବ ବିବିଧତା ସଂରକ୍ଷଣରେ ବିକାଶଶୀଳ ଦେଶଗୁଡ଼ିକୁ ସହାୟତା କରିବାରେ ଏହି ପାଣ୍ଠିର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକାର କରୁଛୁ। ଆମେ କେଏମଜିବିଏଫ୍ (KMGBF) ପାଇଁ ଆକ୍ସନ୍ ଇନିସିଏଟିଭ୍ ସମେତ ବ୍ରିକ୍ସ ଦେଶଗୁଡ଼ିକର ବିଭିନ୍ନ ପଦକ୍ଷେପକୁ ମଧ୍ୟ ଉଲ୍ଲେଖ କରୁଛୁ। ବିକଶିତ ଦେଶଗୁଡ଼ିକ ବିକାଶଶୀଳ ଦେଶମାନଙ୍କୁ ପର୍ଯ୍ୟାପ୍ତ, ପ୍ରଭାବଶାଳୀ ଓ ନିଶ୍ଚିତ, ସମୟୋପଯୋଗୀ ଏବଂ ସହଜରେ ଉପଲବ୍ଧ ଆର୍ଥିକ ସମ୍ବଳ ଯୋଗାଇଦେବା ସହ କ୍ଷମତା ବିକାଶ, ପ୍ରଯୁକ୍ତିର ବିକାଶ ଏବଂ ହସ୍ତାନ୍ତରକୁ ଉନ୍ନତ କରିବା ପାଇଁ ଆମେ ଆହ୍ୱାନ କରୁଛୁ। ଏହା ଜୈବ ବିବିଧତାର ସଂରକ୍ଷଣ, ସ୍ଥାୟୀ ବ୍ୟବହାର ଏବଂ ଜୈବ ବିବିଧତା ବ୍ୟବହାରରୁ ମିଳୁଥିବା ଲାଭର ନ୍ୟାୟସଙ୍ଗତ ଓ ସମାନ ବଣ୍ଟନ ପାଇଁ ଆବଶ୍ୟକ। ଦୁର୍ଲଭ ପ୍ରଜାତିଗୁଡ଼ିକର ସୁରକ୍ଷା ପାଇଁ ଆମ ଦେଶଗୁଡ଼ିକର ପ୍ରୟାସକୁ ପ୍ରଶଂସା କରିବା ସହ ବ୍ୟାଘ୍ର ପ୍ରଜାତିଗୁଡ଼ିକ (Big Cats) ପ୍ରତି ରହିଥିବା ଅଧିକ ବିପଦକୁ ମଧ୍ୟ ଆମେ ଉଲ୍ଲେଖ କରୁଛୁ। ବ୍ୟାଘ୍ର ପ୍ରଜାତିଗୁଡ଼ିକର ସଂରକ୍ଷଣ ପାଇଁ ଭାରତ ସରକାରଙ୍କ ଆନ୍ତର୍ଜାତିକ ବିଗ୍ କ୍ୟାଟ୍ସ ଆଲାଏନ୍ସ (International Big Cats Alliance) ଗଠନ ପଦକ୍ଷେପକୁ ଆମେ ଗୁରୁତ୍ୱ ଦେଉଛୁ ଏବଂ ଏହି ପ୍ରଜାତିଗୁଡ଼ିକର ସଂରକ୍ଷଣ ପାଇଁ ବ୍ରିକ୍ସ ଦେଶଗୁଡ଼ିକ ମିଳିତ ଭାବେ କାର୍ଯ୍ୟ କରିବାକୁ ଉତ୍ସାହିତ କରୁଛୁ।
୧୧୨. ଆମେ ବୋରିଆଲ୍ ଏବଂ ଟ୍ରପିକାଲ୍ ଜଙ୍ଗଲ ସମେତ ସମସ୍ତ ପ୍ରକାରର ଜଙ୍ଗଲର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଗୁରୁତ୍ୱାରୋପ କରୁଛୁ। ଜୈବ ବିବିଧତା, ଜଳଭଣ୍ଡାର ଓ ମାଟିର ସଂରକ୍ଷଣ, ଅର୍ଥନୈତିକ କ୍ଷେତ୍ର ପାଇଁ ଉଚ୍ଚ ମୂଲ୍ୟର କାଠ ଓ ଅଣକାଠ ବନଜାତ ଦ୍ରବ୍ୟ ଯୋଗାଣ, ଜଳଚକ୍ରର ନିୟନ୍ତ୍ରଣ ସହିତ ମରୁଭୂମିକରଣ, ଜମିର ଅବକ୍ଷୟ ଓ ମରୁଡ଼ିର ମୁକାବିଲାରେ ଜଙ୍ଗଲର ଗୁରୁତ୍ୱ ରହିଛି। ଏହା ସହିତ ଜଙ୍ଗଲଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ କାର୍ବନ ଅବଶୋଷକ ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି। ସ୍ଥାୟୀ ଜଙ୍ଗଲ ପରିଚାଳନା ଓ ପୁନରୁଦ୍ଧାରକୁ ସମର୍ଥନ କରୁଥିବା ସର୍ବୋତ୍ତମ ପଦ୍ଧତିର ଆଦାନପ୍ରଦାନକୁ ଆମେ ଉତ୍ସାହିତ କରୁଛୁ। ସ୍ଥାୟୀ ବ୍ୟବହାର ମାଧ୍ୟମରେ ଜଙ୍ଗଲଗୁଡ଼ିକ ଆଦିବାସୀ ଓ ସ୍ଥାନୀୟ ସମୁଦାୟ ସମେତ ଲୋକଙ୍କ ଜୀବିକାକୁ ସହାୟତା କରୁଥିବା ଭୂମିକାକୁ ମଧ୍ୟ ଆମେ ଗୁରୁତ୍ୱ ଦେଉଛୁ।
ବ୍ରିକ୍ସ ଦେଶଗୁଡ଼ିକରେ ସମନ୍ୱିତ ଭୂଦୃଶ୍ୟଭିତ୍ତିକ ସବୁଜୀକରଣ ଓ ଜମି ପୁନରୁଦ୍ଧାର ପାଇଁ ବ୍ରିକ୍ସ ସିଦ୍ଧାନ୍ତ ଏବଂ ବନାଗ୍ନି ପ୍ରସ୍ତୁତି ଓ ମୁକାବିଲା ପାଇଁ ସାଧାରଣ ବୁଝାମଣା ଗ୍ରହଣକୁ ଆମେ ସ୍ୱାଗତ କରୁଛୁ। ବେଲେମ୍ ଜଳବାୟୁ ସମ୍ମିଳନୀରେ ‘ଟ୍ରପିକାଲ୍ ଫରେଷ୍ଟ ଫରେଭର୍ ଫ୍ୟାସିଲିଟି’ ଆରମ୍ଭ ହେବାକୁ ଆମେ ସ୍ୱାଗତ କରୁଛୁ। ଟ୍ରପିକାଲ୍ ଜଙ୍ଗଲ ସଂରକ୍ଷଣ ପାଇଁ ଦୀର୍ଘମିଆଦୀ, ଫଳାଫଳ ଆଧାରିତ ଅର୍ଥଯୋଗାଣ ସଂଗ୍ରହ କରିବା ପାଇଁ ଏହା ଏକ ଅଭିନବ ବ୍ୟବସ୍ଥା ବୋଲି ଆମେ ସ୍ୱୀକାର କରୁଛୁ। ଏହି ସୁବିଧାରେ ଆବଶ୍ୟକ ପୁଞ୍ଜି ସଂଗ୍ରହ ଏବଂ ସମୟୋପଯୋଗୀ ଭାବେ ଏହାର କାର୍ଯ୍ୟକାରିତା ସୁନିଶ୍ଚିତ କରିବା ପାଇଁ ସମ୍ଭାବ୍ୟ ନିବେଶକାରୀ ଦେଶଗୁଡ଼ିକୁ ଉଚ୍ଚାକାଂକ୍ଷୀ ଅବଦାନ ଘୋଷଣା କରିବାକୁ ଆମେ ଉତ୍ସାହିତ କରୁଛୁ। ଆମେ ‘ୟୁନାଇଟେଡ୍ ଫର୍ ଆୱାର୍ ଫରେଷ୍ଟସ୍’ ପଦକ୍ଷେପକୁ ମଧ୍ୟ ଉଲ୍ଲେଖ କରୁଛୁ। ଏହା ସହିତ ଏହି ଅତ୍ୟାବଶ୍ୟକ ଟ୍ରପିକାଲ୍ ପରିସଂସ୍ଥାଗୁଡ଼ିକର ସଂରକ୍ଷଣ, ସ୍ଥାୟୀ ପରିଚାଳନା ଓ ପୁନରୁଦ୍ଧାରକୁ ପ୍ରୋତ୍ସାହନ ଦେଉଥିବା ଜାତୀୟ ସ୍ତରର ବୃହତ୍ ସବୁଜୀକରଣ ପଦକ୍ଷେପଗୁଡ଼ିକୁ ମଧ୍ୟ ଆମେ ସ୍ୱୀକାର କରୁଛୁ। ୟୁଏଇ ଏବଂ ଇଣ୍ଡୋନେସିଆର ସହ-ନେତୃତ୍ୱରେ ଚାଲିଥିବା ‘ମ୍ୟାଙ୍ଗ୍ରୋଭ୍ ଆଲାଏନ୍ସ ଫର୍ କ୍ଲାଇମେଟ୍’କୁ ଆନ୍ତର୍ଜାତିକ ସହଯୋଗ ପାଇଁ ଏକ ମଞ୍ଚ ଭାବେ ଆମେ ଉଲ୍ଲେଖ କରୁଛୁ।
୧୧୩. ଜଳ ଉପଲବ୍ଧତା, ମରୁଭୂମିକରଣ, ମରୁଡ଼ି, ଜମିର ଅବକ୍ଷୟ, ବାଲି ଓ ଧୂଳି ଝଡ଼ ଏବଂ ବନାଗ୍ନି ଭଳି ଗୁରୁତର ପରିବେଶଗତ ଚ୍ୟାଲେଞ୍ଜଗୁଡ଼ିକୁ ଆମେ ସ୍ୱୀକାର କରୁଛୁ। ଏଗୁଡ଼ିକ ପରିସଂସ୍ଥା, କୃଷି, ଅସୁରକ୍ଷିତ ପରିସ୍ଥିତିରେ ଥିବା ଲୋକଙ୍କ ଜୀବିକା ଏବଂ ସାମାଜିକ-ଆର୍ଥିକ ବିକାଶ ଉପରେ ବ୍ୟାପକ ପ୍ରଭାବ ପକାଉଛି। ସମଗ୍ର ପରିସଂସ୍ଥାର ପୁନରୁଦ୍ଧାର ପାଇଁ ପାହାଡ଼, ଜଳ ସମ୍ବଳ, ଜଙ୍ଗଲ, ପିଟ୍ଲ୍ୟାଣ୍ଡ ଓ ହେନ୍ତାଳବଣ, ଚାଷଜମି, ତୃଣଭୂମି ଏବଂ ମରୁଭୂମିର ସମନ୍ୱିତ ସୁରକ୍ଷା ଓ ବ୍ୟବସ୍ଥିତ ପରିଚାଳନା ପାଇଁ ଆମେ ପ୍ରତିବଦ୍ଧ। ୨୦୨୬ ମସିହାର ଜାତିସଂଘ ଜଳ ସମ୍ମିଳନୀର ଭୂମିକାକୁ ଆମେ ସ୍ୱୀକାର କରୁଛୁ। ଏହି ସମ୍ମିଳନୀ ୟୁନାଇଟେଡ୍ ଆରବ ଏମିରେଟ୍ସ ଏବଂ ସେନେଗାଲ୍ ଗଣରାଜ୍ୟର ସହ-ଆୟୋଜନରେ ୨୦୨୬ ଡିସେମ୍ବର ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଆବୁଧାବିରେ ଅନୁଷ୍ଠିତ ହେବ। ସମସ୍ତଙ୍କ ପାଇଁ ପରିଷ୍କାର ଜଳ ଓ ପରିମଳ ସୁନିଶ୍ଚିତ କରିବା ଏବଂ ଜଳର ଉପଲବ୍ଧତା ଓ ସ୍ଥାୟୀ ପରିଚାଳନା ଲକ୍ଷ୍ୟ ଥିବା ସ୍ଥାୟୀ ବିକାଶ ଲକ୍ଷ୍ୟ-୬ (SDG ୬)ର କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରିବା ପାଇଁ ଏହି ସମ୍ମିଳନୀରେ ଅଗ୍ରଗତି ଓ ଆଲୋଚନା ଆଗକୁ ବଢ଼ିବ ବୋଲି ଆମେ ଆଶା କରୁଛୁ।
୧୧୪. ସହରୀକରଣ, ଶିଳ୍ପାୟନ ଏବଂ ପରିବର୍ତ୍ତିତ ଉପଭୋଗ ଧାରା ଯୋଗୁଁ ବର୍ଜ୍ୟବସ୍ତୁ ଉତ୍ପାଦନର ପରିମାଣ ଓ ଜଟିଳତା ବଢ଼ୁଥିବା ଆମେ ଲକ୍ଷ୍ୟ କରୁଛୁ। ସମନ୍ୱିତ ବର୍ଜ୍ୟ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବାର ଗୁରୁତ୍ୱକୁ ଆମେ ଗୁରୁତ୍ୱାରୋପ କରୁଛୁ। ଏଥିପାଇଁ ଜାତୀୟ ନୀତିଗତ ବ୍ୟବସ୍ଥା ଯଥା ବିସ୍ତାରିତ ଉତ୍ପାଦକ ଦାୟିତ୍ୱ (EPR), ପରିବେଶ ଅନୁକୂଳ ଡିଜାଇନ୍ ଏବଂ ସ୍ଥାୟୀ ସରକାରୀ କ୍ରୟ ବ୍ୟବସ୍ଥା, ଉନ୍ନତ ନିରୀକ୍ଷଣ ବ୍ୟବସ୍ଥା ଏବଂ ପୁନଃଚକ୍ରଣ ଓ ପୁନରୁଦ୍ଧାର ଭିତ୍ତିଭୂମିରେ ନିବେଶ ଆବଶ୍ୟକ। ଏହା ଜାତୀୟ ପ୍ରାଥମିକତା ଓ କ୍ଷମତା ଅନୁଯାୟୀ ସାମଗ୍ରୀର ପରିପତ୍ର ବ୍ୟବହାର ଏବଂ ସମ୍ବଳର ଦକ୍ଷତା ବଢ଼ାଇବା ଉଦ୍ଦେଶ୍ୟରେ କରାଯିବା ଉଚିତ। ସ୍ଥାୟୀ ଜୀବନଶୈଳୀ କ୍ଷେତ୍ରରେ ଜ୍ଞାନ ଆଦାନପ୍ରଦାନ, ଗବେଷଣା ଓ ଉଦ୍ଭାବନକୁ ଆଗକୁ ବଢ଼ାଇବା ପାଇଁ ‘ବ୍ରିକ୍ସ ଇନଷ୍ଟିଚ୍ୟୁସନ୍ସ ନେଟୱର୍କ’ ଗଠନ ପଦକ୍ଷେପକୁ ଆମେ ସ୍ୱାଗତ କରୁଛୁ। ୨୦୨୬ରେ ବ୍ରିକ୍ସ ସ୍ଥାୟୀ ଜୀବନଶୈଳୀ ସପ୍ତାହ ଆୟୋଜନ କରିବାର ସମ୍ଭାବନାକୁ ମଧ୍ୟ ଆମେ ସ୍ୱାଗତ କରୁଛୁ।
୧୧୫. ନ୍ୟୁ ଡେଭଲପମେଣ୍ଟ ବ୍ୟାଙ୍କ (NDB) ଉଚ୍ଚମାନର ବିକାଶର ଦ୍ୱିତୀୟ ସୁବର୍ଣ୍ଣ ଦଶକରେ ପ୍ରବେଶ କରୁଥିବା ବେଳେ, ସମସ୍ତ ସଦସ୍ୟ ଦେଶ ଏବଂ ବିଶ୍ବ ଦକ୍ଷିଣରେ ବିକାଶ ଓ ଆଧୁନିକୀକରଣର ଏକ ଶକ୍ତିଶାଳୀ ଓ ରଣନୀତିକ ଅଂଶୀଦାର ଭାବେ ଏହାର ବଢ଼ୁଥିବା ଭୂମିକାକୁ ଆମେ ସ୍ୱୀକାର ଓ ସମର୍ଥନ କରୁଛୁ। ଉଦୀୟମାନ ଏବଂ ବିକାଶଶୀଳ ଦେଶଗୁଡ଼ିକ (EMDCs)ର ବିକାଶ ପ୍ରାଥମିକତା ଓ ଭିତ୍ତିଭୂମି ଆବଶ୍ୟକତା ପୂରଣରେ ନ୍ୟୁ ଡେଭଲପମେଣ୍ଟ ବ୍ୟାଙ୍କର ବଢ଼ୁଥିବା ଭୂମିକାକୁ ଆମେ ଗୁରୁତ୍ୱାରୋପ କରୁଛୁ। ସମ୍ବଳ ସଂଗ୍ରହ କ୍ଷମତାକୁ ନିରନ୍ତର ଭାବେ ବଢ଼ାଇବା, ଉଦ୍ଭାବନକୁ ପ୍ରୋତ୍ସାହନ ଦେବା, ସ୍ଥାନୀୟ ମୁଦ୍ରାରେ ଅର୍ଥଯୋଗାଣ ବଢ଼ାଇବା, ଅର୍ଥଯୋଗାଣର ଉତ୍ସକୁ ବିବିଧ କରିବା ଏବଂ ସ୍ଥାୟୀ ବିକାଶକୁ ଆଗକୁ ବଢ଼ାଉଥିବା, ଅସମାନତା ହ୍ରାସ କରୁଥିବା ଓ ଭିତ୍ତିଭୂମି ନିବେଶ ଏବଂ ଆର୍ଥିକ ଏକୀକରଣକୁ ପ୍ରୋତ୍ସାହନ ଦେଉଥିବା ପ୍ରଭାବଶାଳୀ ପ୍ରକଳ୍ପଗୁଡ଼ିକୁ ସମର୍ଥନ କରିବା ପାଇଁ ବ୍ୟାଙ୍କର ଅଧିକ ପ୍ରୟାସକୁ ଆମେ ଉତ୍ସାହିତ କରୁଛୁ।
ଉଦୀୟମାନ ଅର୍ଥନୀତିଗୁଡ଼ିକରେ ସ୍ଥାୟୀ ବିକାଶକୁ ପ୍ରୋତ୍ସାହନ, ଅସମାନତା ହ୍ରାସ ଏବଂ ସହନଶୀଳତା ବଢ଼ାଇବାରେ NDBକୁ ଆମେ ଏକ ଗୁରୁତ୍ୱପୂର୍ଣ୍ଣ ବ୍ରିକ୍ସ ଅନୁଷ୍ଠାନ ଭାବେ ସ୍ୱୀକାର କରୁଛୁ। NDB ସଦସ୍ୟ ଦେଶମାନଙ୍କ ଦ୍ୱାରା ପରିଚାଳିତ ଏବଂ ଚାହିଦା-ଆଧାରିତ ନୀତିକୁ ଅନୁସରଣ କରିବା ସହ ଏହାର ଶାସନ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ପାଇଁ ଆମେ ଉତ୍ସାହିତ କରୁଛୁ। ଏହା ବ୍ୟାଙ୍କର ପ୍ରତିଷ୍ଠାନଗତ ସହନଶୀଳତା ଓ କାର୍ଯ୍ୟକାରୀ ଦକ୍ଷତା ବୃଦ୍ଧି କରିବ ଏବଂ ନ୍ୟାୟସଙ୍ଗତ ଓ ଅଣ-ଭେଦଭାବମୂଳକ ଭାବେ ଏହାର ଉଦ୍ଦେଶ୍ୟ ଓ କାର୍ଯ୍ୟଗୁଡ଼ିକୁ ଜାରି ରଖିବାରେ ସହାୟକ ହେବ। NDBର ସଦସ୍ୟତାକୁ ଆହୁରି ବିସ୍ତାର କରିବା ଏବଂ ଆଗ୍ରହୀ ବ୍ରିକ୍ସ ଦେଶଗୁଡ଼ିକର ଆବେଦନକୁ ତ୍ୱରିତ ଭାବେ ବିଚାର କରିବା ପାଇଁ ଆମେ ପୁନର୍ବାର ସମର୍ଥନ ଜଣାଉଛୁ। ଏହା NDBର ସାଧାରଣ ରଣନୀତି ଏବଂ ସମ୍ପର୍କିତ ନୀତି ଅନୁଯାୟୀ କରାଯିବ। ନ୍ୟୁ ଡେଭଲପମେଣ୍ଟ ବ୍ୟାଙ୍କର ବୋର୍ଡ ଅଫ୍ ଗଭର୍ଣ୍ଣର୍ସର ଅଧ୍ୟକ୍ଷ ଭାବେ ରୁଷିଆ ୨୦୨୬ ମେ ୧୪-୧୫ ତାରିଖରେ ମସ୍କୋରେ NDBର ୧୧ତମ ବାର୍ଷିକ ବୈଠକ ଆୟୋଜନ କରିଥିବାରୁ ଆମେ ରୁଷିଆକୁ ପ୍ରଶଂସା କରୁଛୁ। ଭାରତର ଅଧ୍ୟକ୍ଷତାରେ NDB ସହଯୋଗରେ ବିକଶିତ ‘ବ୍ରିକ୍ସ-NDB ନଲେଜ୍ ପୋର୍ଟାଲ୍’ର ଶୁଭାରମ୍ଭକୁ ଆମେ ସ୍ୱାଗତ କରୁଛୁ। ଏହି ପୋର୍ଟାଲ୍ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ବିକାଶ ଅଭିଜ୍ଞତା, ସର୍ବୋତ୍ତମ ପଦ୍ଧତି, ନୀତିଗତ ଉଦ୍ଭାବନ ଏବଂ ବିଭିନ୍ନ ଦେଶର କାର୍ଯ୍ୟକ୍ରମ ଓ NDB ଦ୍ୱାରା ଅର୍ଥଯୋଗାଣ କରାଯାଇଥିବା ପ୍ରକଳ୍ପରୁ ମିଳିଥିବା ଶିକ୍ଷାକୁ ଏକତ୍ର କରିଛି। ବ୍ରିକ୍ସ ଫାଇନାନ୍ସ ଟ୍ରାକ୍ର ବିଭିନ୍ନ କାର୍ଯ୍ୟଧାରାର ଫଳାଫଳକୁ ସଂରକ୍ଷଣ କରିବା ଏବଂ ବିଭିନ୍ନ ଅଧ୍ୟକ୍ଷତା ସମୟରେ ନିରନ୍ତରତା ଓ ଜ୍ଞାନ ଆଦାନପ୍ରଦାନକୁ ସମର୍ଥନ କରିବା ପାଇଁ ଏହି ପୋର୍ଟାଲ୍ ଏକ ଭଣ୍ଡାର ଭାବେ କାର୍ଯ୍ୟ କରିବାକୁ ଡିଜାଇନ୍ କରାଯାଇଛି। ବ୍ରିକ୍ସ ଦେଶଗୁଡ଼ିକ ପାଇଁ ଏହି ପୋର୍ଟାଲ୍କୁ ଏକ ବ୍ୟବହାରିକ ଓ ସହଜରେ ଉପଲବ୍ଧ ଉପକରଣରେ ପରିଣତ କରିବା ଉଦ୍ଦେଶ୍ୟରେ ଏହାର ଆହୁରି ବିକାଶ ପାଇଁ ଆମେ ଉତ୍ସାହିତ କରୁଛୁ।
୧୧୬. ବିକାଶଶୀଳ ଏବଂ ଉଦୀୟମାନ ଅର୍ଥନୀତିଗୁଡ଼ିକର ଅଧିକ ପ୍ରଭାବଶାଳୀ, ନ୍ୟାୟସଙ୍ଗତ ଓ ପ୍ରତିନିଧିତ୍ୱମୂଳକ ଅଂଶଗ୍ରହଣ ସୁନିଶ୍ଚିତ କରିବା ପାଇଁ ବିଶ୍ୱ ଆର୍ଥିକ ଶାସନ ବ୍ୟବସ୍ଥାରେ ନିରନ୍ତର ସଂସ୍କାରର ଆବଶ୍ୟକତାକୁ ଆମେ ଗୁରୁତ୍ୱ ଦେଉଛୁ। ଆନ୍ତର୍ଜାତିକ ଆର୍ଥିକ ସହଯୋଗ ପାଇଁ ସର୍ବୋଚ୍ଚ ବିଶ୍ୱସ୍ତରୀୟ ମଞ୍ଚ ଭାବେ ଜି-୨୦ର ମୁଖ୍ୟ ଭୂମିକାକୁ ଆମେ ଗୁରୁତ୍ୱାରୋପ କରୁଛୁ। ଜି-୨୦ ଉଦୀୟମାନ ଓ ବିକଶିତ ଅର୍ଥନୀତିଗୁଡ଼ିକୁ ସମାନ ଓ ପାରସ୍ପରିକ ଲାଭଦାୟକ ଭିତ୍ତିରେ ଆଲୋଚନା ପାଇଁ ଏକ ମଞ୍ଚ ପ୍ରଦାନ କରେ। ଏହା ମାଧ୍ୟମରେ ବିଶ୍ୱସ୍ତରୀୟ ଚ୍ୟାଲେଞ୍ଜଗୁଡ଼ିକର ସାମୂହିକ ସମାଧାନ ଖୋଜିବା, ବହୁଧ୍ରୁବୀୟ ବିଶ୍ୱକୁ ପ୍ରୋତ୍ସାହନ ଦେବା ଏବଂ ଏକ ମୁକ୍ତ, ଅଣ-ଭେଦଭାବମୂଳକ, ନ୍ୟାୟସଙ୍ଗତ ଓ ସମାବେଶୀ ଆନ୍ତର୍ଜାତିକ ଆର୍ଥିକ ବ୍ୟବସ୍ଥା ଓ ମୂଲ୍ୟ ଶୃଙ୍ଖଳା ସୁନିଶ୍ଚିତ କରିବା ସମ୍ଭବ। ୨୦୨୨ରୁ ୨୦୨୫ ମଧ୍ୟରେ ଇଣ୍ଡୋନେସିଆ, ଭାରତ, ବ୍ରାଜିଲ୍ ଓ ଦକ୍ଷିଣ ଆଫ୍ରିକା ଭଳି ବ୍ରିକ୍ସ ଦେଶଗୁଡ଼ିକର କ୍ରମାଗତ ଜି-୨୦ ଅଧ୍ୟକ୍ଷତାର ଐତିହ୍ୟକୁ ସଂରକ୍ଷଣ କରିବା ଏବଂ ବିଶ୍ୱ ଆର୍ଥିକ ଶାସନ ବ୍ୟବସ୍ଥାରେ ଗ୍ଲୋବାଲ୍ ସାଉଥ୍ର ସ୍ୱରକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ଆମେ ସାମୂହିକ ଭାବେ କାମ କରିବାକୁ ନିଜର ଇଚ୍ଛା ପୁନଃବ୍ୟକ୍ତ କରୁଛୁ। ଏହା ଦ୍ୱାରା ବିଶ୍ୱ ଅର୍ଥନୀତିରେ ଉଦୀୟମାନ ଓ ବିକାଶଶୀଳ ଦେଶଗୁଡ଼ିକର (EMDEs) ବଢ଼ୁଥିବା ଗୁରୁତ୍ୱକୁ ଜି-୨୦ ଯଥାର୍ଥ ଭାବେ ପ୍ରତିଫଳିତ କରିବ ଏବଂ ସେମାନଙ୍କ ପ୍ରାଥମିକତାକୁ ଏହାର ଏଜେଣ୍ଡାରେ ସାମିଲ କରିବ।
୨୦୨୩ରେ ଭାରତର ଜି-୨୦ ଅଧ୍ୟକ୍ଷତା ସମୟରେ ଆଫ୍ରିକୀୟ ୟୁନିୟନ୍କୁ ଜି-୨୦ର ସଦସ୍ୟ କରାଯିବା ଏବଂ ବ୍ରାଜିଲ୍ ଓ ଦକ୍ଷିଣ ଆଫ୍ରିକାର ଅଧ୍ୟକ୍ଷତା ସମୟରେ ନ୍ୟୁ ଡେଭଲପମେଣ୍ଟ ବ୍ୟାଙ୍କ (NDB)କୁ ଆମନ୍ତ୍ରଣ ଦିଆଯିବା ମାଧ୍ୟମରେ ଜି-୨୦ରେ EMDEsର ସ୍ୱର ଅଧିକ ଶକ୍ତିଶାଳୀ ହୋଇଥିବାକୁ ଆମେ ସ୍ୱାଗତ କରୁଛୁ। ଏଥିସହିତ ସେମାନଙ୍କ ମଧ୍ୟରେ ଅଧିକ ସମନ୍ୱୟ ଓ ସହଯୋଗକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଆର୍ଥିକ ଦାୟିତ୍ୱ, ସହମତିଭିତ୍ତିକ ନିଷ୍ପତ୍ତି, ରାଜନୀତିମୁକ୍ତ ପ୍ରକ୍ରିୟା, ଅଖଣ୍ଡତା ଏବଂ ମନମୁଖୀ ଭାବେ ସଦସ୍ୟତା ପରିବର୍ତ୍ତନ ନ କରିବା ନୀତି ଆଧାରରେ ଜି-୨୦ର ନିରନ୍ତର ଓ ଫଳପ୍ରଦ କାର୍ଯ୍ୟକାରିତାର ଗୁରୁତ୍ୱକୁ ଆମେ ସ୍ୱୀକାର କରୁଛୁ। ଏହି ପରିପ୍ରେକ୍ଷୀରେ ଦକ୍ଷିଣ ଆଫ୍ରିକା ଜି-୨୦ର ପ୍ରତିଷ୍ଠାତା ଦେଶ ଏବଂ ପୂର୍ଣ୍ଣ ସଦସ୍ୟ ଭାବେ ଏହାର ସ୍ଥିତିକୁ ଆମେ ଗୁରୁତ୍ୱ ଦେଉଛୁ। ସଦସ୍ୟତାରେ ଯେକୌଣସି ପରିବର୍ତ୍ତନ ସମସ୍ତ ସଦସ୍ୟଙ୍କ ସହମତି ଆଧାରରେ ହେବା ସହ ଭୌଗୋଳିକ ସନ୍ତୁଳନ ଏବଂ ବିଶ୍ୱ ଉତ୍ପାଦନରେ ବିଶ୍ବ ଦକ୍ଷିଣ ଦେଶଗୁଡ଼ିକର ବଢ଼ୁଥିବା ଅଂଶକୁ ପ୍ରତିଫଳିତ କରିବା ଉଚିତ।
୧୧୭. ବିଭିନ୍ନ କ୍ଷେତ୍ରରେ, ବିଶେଷକରି ଗୁରୁତ୍ୱପୂର୍ଣ୍ଣ ଓ ଉଦୀୟମାନ କ୍ଷେତ୍ରରେ ନ୍ୟାୟସଙ୍ଗତ, ପ୍ରତିଯୋଗିତାମୂଳକ ଏବଂ ସହନଶୀଳ ବଜାର ପରିବେଶ ସୃଷ୍ଟି ପାଇଁ ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ପ୍ରତିଯୋଗିତା ଆଇନ ଓ ନୀତି କ୍ଷେତ୍ରରେ ସହଯୋଗକୁ ଗଭୀର କରିବା ପାଇଁ ଆମେ ପୁନଃ ପ୍ରତିବଦ୍ଧତା ପ୍ରକାଶ କରୁଛୁ। ପ୍ରତ୍ୟେକ ଦେଶର ଜାତୀୟ ପ୍ରାଥମିକତା, ଆଇନ ଓ ନିୟମକୁ ସମ୍ମାନ କରି ଏହି ସହଯୋଗ ଆଗକୁ ବଢ଼ିବ। ‘ନବୀକରଣଯୋଗ୍ୟ ଶକ୍ତି ବଜାର ସମେତ ନ୍ୟାୟସଙ୍ଗତ ପ୍ରତିଯୋଗିତାକୁ ପ୍ରୋତ୍ସାହନ ଦେବା ପାଇଁ ସହଯୋଗ ସୁଦୃଢ଼ କରିବା’ ବିଷୟବସ୍ତୁ ଉପରେ ହୋଇଥିବା ଆଲୋଚନାକୁ ଆମେ ଉଲ୍ଲେଖ କରୁଛୁ। ଏହାର ଉଦ୍ଦେଶ୍ୟ ସ୍ଥାୟୀ ଶକ୍ତି ପରିବର୍ତ୍ତନକୁ ସମର୍ଥନ କରିବା। ବ୍ରିକ୍ସ ଦେଶଗୁଡ଼ିକର ପ୍ରତିଯୋଗିତା କର୍ତ୍ତୃପକ୍ଷମାନଙ୍କ ମଧ୍ୟରେ ନିରନ୍ତର ସହଯୋଗକୁ ଆମେ ଆହୁରି ଉତ୍ସାହିତ କରୁଛୁ। ଉଦୀୟମାନ ପ୍ରତିଯୋଗିତାମୂଳକ ଚ୍ୟାଲେଞ୍ଜଗୁଡ଼ିକୁ ଚିହ୍ନଟ କରି ପ୍ରଭାବଶାଳୀ ଭାବେ ତାହାର ସମାଧାନ କରିବା ଏହାର ଉଦ୍ଦେଶ୍ୟ। ଏହା ଦ୍ୱାରା ନ୍ୟାୟସଙ୍ଗତ ପ୍ରତିଯୋଗିତା ସମ୍ଭବ ଥିବା ଏବଂ ସୁଚାରୁ ଭାବେ କାର୍ଯ୍ୟ କରୁଥିବା ବଜାରକୁ ସୁରକ୍ଷିତ କରାଯିବ, ଯାହା ଉଦ୍ଭାବନକୁ ସମର୍ଥନ କରିବ ଏବଂ ଉପଭୋକ୍ତାଙ୍କ କଲ୍ୟାଣକୁ ପ୍ରୋତ୍ସାହନ ଦେବ।
୧୧୮. ବ୍ରିକ୍ସ ଜାତୀୟ ମାନକ ସଂସ୍ଥାଗୁଡ଼ିକ (NSBs) ମଧ୍ୟରେ ଚାଲିଥିବା ସହଯୋଗକୁ ଆମେ ସ୍ୱୀକାର କରୁଛୁ। ମାନକୀକରଣ କ୍ଷେତ୍ରରେ ସହଯୋଗ ସମ୍ପର୍କିତ ବ୍ରିକ୍ସ ସମଝୋତା ସ୍ମାରକପତ୍ର (MoU) ସ୍ୱାକ୍ଷର ପାଇଁ ହୋଇଥିବା ଅଗ୍ରଗତିକୁ ଆମେ ସ୍ୱାଗତ କରୁଛୁ। ଏହା ସହଯୋଗକୁ ସୁଦୃଢ଼ କରିବା, ସୂଚନା ଆଦାନପ୍ରଦାନ ବଢ଼ାଇବା, ନିୟମିତ ଆଲୋଚନା ଓ ମିଳିତ କାର୍ଯ୍ୟକଳାପ ପାଇଁ ବ୍ୟବସ୍ଥା କରିବା ଏବଂ ବିଭିନ୍ନ କ୍ଷେତ୍ର ସମ୍ପର୍କିତ ଆନ୍ତର୍ଜାତିକ ମାନକୀକରଣ ପ୍ରକ୍ରିୟାରେ ସମନ୍ୱିତ ଅଂଶଗ୍ରହଣକୁ ପ୍ରୋତ୍ସାହନ ଦେବା ଦିଗରେ ଏକ ମାଇଲଖୁଣ୍ଟ। ମାନକୀକରଣର ଉଦୀୟମାନ କ୍ଷେତ୍ର ଏବଂ କ୍ଷମତା ବିକାଶରେ ସହଯୋଗକୁ ଆଗକୁ ବଢ଼ାଇବା ପାଇଁ ପଦକ୍ଷେପଗୁଡ଼ିକୁ ମଧ୍ୟ ଆମେ ସ୍ୱାଗତ କରୁଛୁ। ଏଥିରେ AI ମାନକୀକରଣର ଉଦୀୟମାନ ଧାରା ଉପରେ ବ୍ରିକ୍ସ ବୈଷୟିକ ଅଧିବେଶନ, କ୍ଷମତା ବିକାଶ ପାଇଁ ବ୍ରିକ୍ସ ଜ୍ଞାନ ଆଦାନପ୍ରଦାନ ଅଧିବେଶନ ଏବଂ ବାଣିଜ୍ୟ ବିକାଶ ଓ ମାନକୀକରଣ ସହଯୋଗ ଉପରେ ଆୟୋଜିତ ବ୍ରିକ୍ସ ଆର୍ଥିକ ଓ ବାଣିଜ୍ୟ ମଞ୍ଚ ଅନ୍ତର୍ଭୁକ୍ତ। ବ୍ରିକ୍ସ ଜାତୀୟ ମାନକ ସଂସ୍ଥାଗୁଡ଼ିକ ମଧ୍ୟରେ ଜାତୀୟ ଅଭିଜ୍ଞତା, ସର୍ବୋତ୍ତମ ପଦ୍ଧତି ଏବଂ ମାନକର ବିକାଶ, ଗ୍ରହଣ ଓ କାର୍ଯ୍ୟକାରିତାରେ ଅଭିନବ ପଦ୍ଧତି ସମ୍ପର୍କରେ ନିରନ୍ତର ଆଦାନପ୍ରଦାନକୁ ଆମେ ଉତ୍ସାହିତ କରୁଛୁ। ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ସହଯୋଗ ଓ ପ୍ରତିଷ୍ଠାନଗତ କ୍ଷମତାକୁ ସୁଦୃଢ଼ କରିବା ପାଇଁ ବୈଷୟିକ ଦକ୍ଷତା ଓ ସମ୍ବଳର ଆଦାନପ୍ରଦାନକୁ ମଧ୍ୟ ଆମେ ଉତ୍ସାହିତ କରୁଛୁ।
୧୧୯. ପରିବର୍ତ୍ତନଶୀଳ ଡାଟା ବ୍ୟବସ୍ଥାରେ ନୀତି ନିର୍ଦ୍ଧାରଣ ପାଇଁ ପରିସଂଖ୍ୟାନଗତ ସହଯୋଗକୁ ସୁଦୃଢ଼ କରିବାର ଗୁରୁତ୍ୱକୁ ଆମେ ପୁନଃ ଉଲ୍ଲେଖ କରୁଛୁ। ପରିସଂଖ୍ୟାନ ବ୍ୟବସ୍ଥାର ଆଧୁନିକୀକରଣ, ଅଭିନବ ପଦ୍ଧତି ଓ ତଥ୍ୟ ଉତ୍ସର ଗ୍ରହଣ ସମେତ ସାଧାରଣ ଆଗ୍ରହର ବିଭିନ୍ନ କ୍ଷେତ୍ରରେ ନିରନ୍ତର ସହଯୋଗକୁ ଆମେ ଉତ୍ସାହିତ କରୁଛୁ। ପ୍ରଶାସନିକ ଓ ବିକଳ୍ପ ତଥ୍ୟ ଉତ୍ସର ବ୍ୟବହାର, କୃତ୍ରିମ ବୁଦ୍ଧିମତ୍ତା (AI) ଏବଂ କ୍ଷମତା ବିକାଶ ପଦକ୍ଷେପ ସମେତ ଜାତୀୟ ପରିସଂଖ୍ୟାନ ସଂସ୍କାର ସମ୍ପର୍କିତ ସୂଚନାକୁ ସଂଗ୍ରହ ଓ ନିୟମିତ ଭାବେ ଅଦ୍ୟତନ କରିବାର ଆବଶ୍ୟକତାକୁ ଆମେ ମଧ୍ୟ ଉଲ୍ଲେଖ କରୁଛୁ। ଏହା ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ଜ୍ଞାନ ଆଦାନପ୍ରଦାନ ଓ ସହଯୋଗକୁ ସମର୍ଥନ କରିବ। ବ୍ରିକ୍ସ ମଧ୍ୟରେ ଜ୍ଞାନ ଆଦାନପ୍ରଦାନ ଓ କ୍ଷମତା ବିକାଶକୁ ଆହୁରି ବଢ଼ାଇବା ପାଇଁ ଆମେ ଉତ୍ସାହିତ କରୁଛୁ। ପ୍ରତିବର୍ଷ ପ୍ରକାଶିତ ‘ବ୍ରିକ୍ସ ଯୁଗ୍ମ ପରିସଂଖ୍ୟାନ ପ୍ରକାଶନ’ ଏବଂ ‘ବ୍ରିକ୍ସ ଯୁଗ୍ମ ପରିସଂଖ୍ୟାନ ପ୍ରକାଶନ ସ୍ନାପ୍ଶଟ୍’ ଜାରି ରଖିବାକୁ ଆମେ ସମର୍ଥନ କରୁଛୁ। ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ସ୍ୱଚ୍ଛତା, ପାରସ୍ପରିକ ଶିକ୍ଷା ଓ ସହଯୋଗ ପାଇଁ ଏଗୁଡ଼ିକ ମୂଲ୍ୟବାନ ଉପକରଣ।
୧୨୦. ଉଚ୍ଚମାନର ଆର୍ଥିକ ବିକାଶର ଭିତ୍ତି ସୁଦୃଢ଼ କରିବାରେ ବୌଦ୍ଧିକ ସମ୍ପତ୍ତିର ନିର୍ଣ୍ଣାୟକ ଭୂମିକାକୁ ଆମେ ଗୁରୁତ୍ୱାରୋପ କରୁଛୁ। ବ୍ରିକ୍ସ ବୌଦ୍ଧିକ ସମ୍ପତ୍ତି (IP) କାର୍ଯ୍ୟାଳୟଗୁଡ଼ିକ ମଧ୍ୟରେ ବ୍ୟାପକ ସହଯୋଗକୁ ଆମେ ଉତ୍ସାହିତ କରୁଛୁ। ସହଯୋଗର କାର୍ଯ୍ୟକାରିତାକୁ ଆହୁରି ଭଲ ଭାବେ ମାର୍ଗଦର୍ଶନ କରିବା ପାଇଁ ୨୦୨୬ରେ ପରିଚାଳନାତ୍ମକ ନିର୍ଦ୍ଦେଶାବଳୀ ଢାଞ୍ଚାକୁ ସଂଶୋଧନ କରାଯାଇଥିବାକୁ ଆମେ ସ୍ୱାଗତ କରୁଛୁ। ପାରସ୍ପରିକ ସହମତି ଆଧାରରେ ବ୍ରିକ୍ସ IP କାର୍ଯ୍ୟାଳୟଗୁଡ଼ିକ ମଧ୍ୟରେ IP ସଚେତନତା ବୃଦ୍ଧି, କ୍ଷମତା ବିକାଶ, ବୌଦ୍ଧିକ ସମ୍ପତ୍ତିର ବାଣିଜ୍ୟିକୀକରଣ, ପେଟେଣ୍ଟ ପରୀକ୍ଷା ପ୍ରକ୍ରିୟା, ପାରମ୍ପରିକ ଜ୍ଞାନ, ଉତ୍ପତ୍ତି ସୂଚକ (Appellations of Origin), ଭୌଗୋଳିକ ସୂଚକ (GIs) ଏବଂ AI ପ୍ରୟୋଗ ଭଳି କ୍ଷେତ୍ରରେ ଆଦାନପ୍ରଦାନ ଓ ସହଯୋଗକୁ ଆହୁରି ବଢ଼ାଇବାକୁ ଆମେ ସ୍ୱାଗତ କରୁଛୁ।
କୃତ୍ରିମ ବୁଦ୍ଧିମତ୍ତା ପ୍ରଶିକ୍ଷଣ ଉଦ୍ଦେଶ୍ୟ ସମେତ ଡିଜିଟାଲ୍ ପରିବେଶରେ ବ୍ୟବହୃତ ବୌଦ୍ଧିକ ସମ୍ପତ୍ତି ଅଧିକାର ପ୍ରତି ସମ୍ମାନ ବଢ଼ାଇବା ଏବଂ ଅଧିକାରଧାରୀମାନଙ୍କୁ ନ୍ୟାୟସଙ୍ଗତ ପାରିଶ୍ରମିକ ପ୍ରଦାନ କରିବା କ୍ଷେତ୍ରରେ ସହଯୋଗର ଗୁରୁତ୍ୱକୁ ଆମେ ସ୍ୱୀକାର କରୁଛୁ। ଏଥିରେ ବିକାଶଶୀଳ ଦେଶଗୁଡ଼ିକର ଆବଶ୍ୟକତା ଓ ପ୍ରାଥମିକତାକୁ ସମ୍ମାନ କରାଯିବ। AIର ବ୍ୟବହାର ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ତଥ୍ୟ ସେଟ୍ ଓ AI ମଡେଲ୍ଗୁଡ଼ିକରେ ପର୍ଯ୍ୟାପ୍ତ ଭାବେ ପ୍ରତିନିଧିତ୍ୱ ନ ଥିବା ଜ୍ଞାନ, ଐତିହ୍ୟ ଓ ସାଂସ୍କୃତିକ ମୂଲ୍ୟର ଅପବ୍ୟବହାର ଏବଂ ଭୁଲ ଉପସ୍ଥାପନ ସମ୍ପର୍କିତ ବିପଦକୁ ଆମେ ସ୍ୱୀକାର କରୁଛୁ।
୧୨୧. ସରକାରୀ ପ୍ରଶାସନରେ ଉତ୍ତରଦାୟିତ୍ୱ, ସ୍ୱଚ୍ଛତା, ପ୍ରଭାବଶୀଳତା ଏବଂ ସୁଶାସନକୁ ପ୍ରୋତ୍ସାହନ ଦେବାରେ ସର୍ବୋଚ୍ଚ ଅଡିଟ୍ ସଂସ୍ଥାଗୁଡ଼ିକ (SAIs)ର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଆମେ ଗୁରୁତ୍ୱ ଦେଉଛୁ। ଆର୍ଥିକ ଓ ଅନୁପାଳନ ଅଡିଟ୍ ସହିତ ଫଳାଫଳକେନ୍ଦ୍ରିକ, ତଥ୍ୟଭିତ୍ତିକ ଏବଂ ପ୍ରଭାବକେନ୍ଦ୍ରିକ ପଦ୍ଧତିକୁ ସାମିଲ କରି SAIsର କାର୍ଯ୍ୟଧାରାରେ ହୋଇଥିବା ବିକାଶକୁ ମଧ୍ୟ ଆମେ ସ୍ୱୀକାର କରୁଛୁ। ବ୍ରିକ୍ସ ଦେଶଗୁଡ଼ିକର ସର୍ବୋଚ୍ଚ ଅଡିଟ୍ ସଂସ୍ଥା (SAIs) ମଧ୍ୟରେ ଜ୍ଞାନ, ଅଭିଜ୍ଞତା ଓ ସର୍ବୋତ୍ତମ ପଦ୍ଧତିର ନିରନ୍ତର ଆଦାନପ୍ରଦାନକୁ ଆମେ ସ୍ୱାଗତ କରୁଛୁ। ସହରୀ ଯାତାୟାତ ବ୍ୟବସ୍ଥାର ଅଡିଟ୍ କ୍ଷେତ୍ରରେ ସହଯୋଗକୁ ମଧ୍ୟ ଏଥିରେ ସାମିଲ କରାଯାଇଛି। ବ୍ରିକ୍ସ SAIs ମୁଖ୍ୟମାନଙ୍କ ପଞ୍ଚମ ବୈଠକରେ ଗ୍ରହଣ କରାଯାଇଥିବା ବେଙ୍ଗାଲୁରୁ ଘୋଷଣାକୁ ମନେ ପକାଇ ଆମେ ବ୍ରିକ୍ସ ଦେଶଗୁଡ଼ିକରେ ଉତ୍ତମ ଶାସନରେ ଅବଦାନ ରଖିବା ଏବଂ ନାଗରିକଙ୍କ ଜୀବନଧାରଣକୁ ସହଜ କରିବାରେ SAIsର ପ୍ରାସଙ୍ଗିକତା, ପ୍ରଭାବ ଓ ବିଶ୍ୱସନୀୟତା ବଢ଼ାଇବା ପାଇଁ ଚାଲିଥିବା ପ୍ରୟାସକୁ ପ୍ରଶଂସା କରୁଛୁ। ଏଥିପାଇଁ ବ୍ରିକ୍ସ SAIର କାର୍ଯ୍ୟ ଯୋଜନା ୨୦୨୭–୨୦୨୮ର କାର୍ଯ୍ୟକାରିତା ସମେତ ବିଭିନ୍ନ ପଦକ୍ଷେପକୁ ଆମେ ସ୍ୱାଗତ କରୁଛୁ।
ସାଂସ୍କୃତିକ ଓ ଲୋକ-ଲୋକ ସହଯୋଗକୁ ସୁଦୃଢ କରିବା
୧୨୨. ଆମେ ଆମ ଦେଶ ଓ ଜନସାଧାରଣଙ୍କ ମଧ୍ୟରେ ପାରସ୍ପରିକ ବୁଝାମଣା, ବନ୍ଧୁତ୍ୱ ଓ ସହଯୋଗ ବୃଦ୍ଧି କରିବାରେ ବ୍ରିକ୍ସର ଜନ-ଜନ ସମ୍ପର୍କ ଓ ବିଭିନ୍ନ ପଦକ୍ଷେପର ଗୁରୁତ୍ୱକୁ ପୁନଃ ନିଶ୍ଚିତ କରୁଛୁ। ଏହି ପରିପ୍ରେକ୍ଷୀରେ, ସଂସଦୀୟ ଫୋରମ୍, ବ୍ରିକ୍ସ ପର୍ଯ୍ୟଟନ ମନ୍ତ୍ରୀମାନଙ୍କ ବୈଠକ, ବ୍ୟବସାୟ ପରିଷଦ, ବ୍ୟବସାୟ ଫୋରମ୍, ମହିଳା ବ୍ୟବସାୟ ମେଣ୍ଟର୍ସ ଆଲାଏନ୍ସ, ଯୁବ ପରିଷଦ, ଯୁବ ସମ୍ମିଳନୀ, କୂଟନୈତିକ ଏକାଡେମୀଗୁଡ଼ିକର ଡିନ୍ମାନଙ୍କ ବୈଠକ, ଥିଙ୍କ ଟ୍ୟାଙ୍କ ପରିଷଦ, ଏକାଡେମିକ୍ ଫୋରମ୍, ସିଭିଲ୍ କାଉନସିଲ୍ ଓ ସିଭିଲ୍ ଫୋରମ୍ ଭଳି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଓ କାର୍ଯ୍ୟକ୍ରମ ଆୟୋଜନକୁ ଆମେ ସ୍ୱାଗତ କରୁଛୁ। ସଂସ୍କୃତିର ବିବିଧତାକୁ ସମ୍ମାନ ଦେବା, ଐତିହ୍ୟ, ନବସୃଜନ ଓ ସୃଜନଶୀଳତାକୁ ଉଚ୍ଚ ମୂଲ୍ୟ ଦେବା, ଦୃଢ଼ ଅନ୍ତର୍ଜାତୀୟ ଜନ-ଜନ ସମ୍ପର୍କ ଓ ସହଯୋଗ ପାଇଁ ମିଳିତ ଭାବେ ପ୍ରୟାସ କରିବାକୁ ଆମେ ଆହ୍ୱାନ ଜଣାଉଛୁ। ଏଥିସହିତ, “ସଭ୍ୟତାମାନଙ୍କ ମଧ୍ୟରେ ସଂଳାପ ପାଇଁ ଅନ୍ତର୍ଜାତୀୟ ଦିବସ” ଶୀର୍ଷକ ଜାତିସଂଘ ସାଧାରଣ ସଭାର ପ୍ରସ୍ତାବ A/RES/78/286 ଗ୍ରହଣ କରାଯାଇଥିବାକୁ ଆମେ ସ୍ମରଣ କରୁଛୁ।
୧୨୩. କୋଚିଠାରେ ଅନୁଷ୍ଠିତ ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ବୈଠକର ଫଳାଫଳକୁ ଆମେ ସ୍ୱାଗତ କରୁଛୁ। ଏହି ବୈଠକରେ ମହିଳା ନେତୃତ୍ୱାଧୀନ ବିକାଶ ଏବଂ ମହିଳାମାନଙ୍କ ସର୍ବାଙ୍ଗୀଣ ବିକାଶର ଦୃଷ୍ଟିକୋଣକୁ ଗୁରୁତ୍ୱ ଦିଆଯାଇଛି।
ଆମେ ମହିଳାମାନଙ୍କୁ ନେତା, ନିଷ୍ପତ୍ତି ନେବାଳି ଏବଂ ଅର୍ଥନୈତିକ ବିକାଶ ଓ ସାମାଜିକ ପରିବର୍ତ୍ତନର ମୁଖ୍ୟ ଚାଳକ ଭାବେ ସ୍ୱୀକାର କରୁଛୁ। ଶାସନ ବ୍ୟବସ୍ଥାରେ ମହିଳାଙ୍କ ଅଂଶଗ୍ରହଣ, ସେମାନଙ୍କର ଆର୍ଥିକ ଓ ଡିଜିଟାଲ୍ ସମାବେଶ, ଦକ୍ଷତା ବିକାଶ ଓ ଉଦ୍ୟୋଗିତାର ସୁଯୋଗ ପାଇଁ କ୍ଷମତା ବିକାଶ, ଉଦ୍ୟୋଗିତାକୁ ସମର୍ଥନ, ଉତ୍ପାଦନମୂଳକ ଓ ସାମାଜିକ ସେବାରେ ପହଞ୍ଚ ଏବଂ ଜଳବାୟୁ ପଦକ୍ଷେପ, ଖାଦ୍ୟ ସୁରକ୍ଷା ଓ ପୋଷଣ କ୍ଷେତ୍ରରେ ମହିଳାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା—ଯାହା ପରସ୍ପର ସହ ସମ୍ପର୍କିତ—ସ୍ଥାୟୀ ବିକାଶ ପାଇଁ ଅତ୍ୟନ୍ତ ଜରୁରୀ ବୋଲି ଆମେ ଦୃଢ଼ ଭାବେ ସ୍ୱୀକାର କରୁଛୁ। ବିଶ୍ୱସ୍ତରୀୟ ‘ମହିଳା, ଶାନ୍ତି ଓ ସୁରକ୍ଷା’ ଏଜେଣ୍ଡା ଅନୁଯାୟୀ ଶାନ୍ତି ପ୍ରତିଷ୍ଠା ପ୍ରକ୍ରିୟାରେ ମହିଳାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଆମେ ସ୍ୱୀକାର କରୁଛୁ। ବ୍ରିକ୍ସ ମହିଳା ଡିଜିଟାଲ୍ କ୍ଷମତା ବିକାଶ ନିର୍ଦ୍ଦେଶିକା ପ୍ରସ୍ତୁତିକୁ ଆମେ ସ୍ୱାଗତ କରୁଛୁ। ଏଥିସହିତ, ସର୍ବୋତ୍ତମ ପ୍ରଚଳନଗୁଡ଼ିକର ଏକ ସ୍ୱେଚ୍ଛାକୃତ ଓ ବାଧ୍ୟତାମୂଳକ ନୁହେଁଥିବା ଡିଜିଟାଲ୍ ରିପୋଜିଟୋରି ବା ଭଣ୍ଡାର ସୃଷ୍ଟି ପାଇଁ ଭାରତର ବ୍ରିକ୍ସ ଅଧ୍ୟକ୍ଷତାର ପଦକ୍ଷେପକୁ ଆମେ ଗୁରୁତ୍ୱ ସହ ଗ୍ରହଣ କରୁଛୁ। ଜାତୀୟ ପରିସ୍ଥିତି ଅନୁଯାୟୀ ଉପଯୁକ୍ତ ଯତ୍ନ ଓ ସେବା ସମ୍ବନ୍ଧୀୟ ନୀତି ସମେତ ମହିଳାମାନଙ୍କୁ ଅର୍ଥନୈତିକ ଜୀବନରେ ସମ୍ପୂର୍ଣ୍ଣ ଭାବେ ଅଂଶଗ୍ରହଣ ପାଇଁ ସମର୍ଥନ କରୁଥିବା ନୀତିର ଗୁରୁତ୍ୱକୁ ମଧ୍ୟ ଆମେ ସ୍ୱୀକାର କରୁଛୁ।
୧୨୪. ଭୁବନେଶ୍ୱରରେ ଅନୁଷ୍ଠିତ ୧୩ତମ ବ୍ରିକ୍ସ ଶିକ୍ଷା ମନ୍ତ୍ରୀସ୍ତରୀୟ ବୈଠକର ଫଳାଫଳକୁ ଆମେ ସ୍ୱାଗତ କରୁଛୁ। ସ୍ଥାୟୀ ବିକାଶ, ସମାବେଶୀ ଅଭିବୃଦ୍ଧି ଏବଂ ଜନ-ଜନ ସମ୍ପର୍କର ଏକ ପ୍ରମୁଖ ଚାଳକ ଭାବେ ଶିକ୍ଷା କ୍ଷେତ୍ରରେ ସହଯୋଗକୁ ମଜବୁତ କରିବା ପାଇଁ ଆମର ପ୍ରତିବଦ୍ଧତାକୁ ପୁନଃ ନିଶ୍ଚିତ କରୁଛୁ। ବ୍ରିକ୍ସ TVET ସହଯୋଗ ମେଣ୍ଟର୍ସ ଆଲାଏନ୍ସ (BRICS-TCA) ଦ୍ୱାରା ପ୍ରକଳ୍ପଭିତ୍ତିକ ସହଯୋଗ, ସୂଚନା ଆଦାନପ୍ରଦାନ, ସମ୍ବଳ ବାଣ୍ଟିବା ଏବଂ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ TVETର ମିଳିତ ବିକାଶ ପାଇଁ ଏକ ବହୁପକ୍ଷୀୟ ମଞ୍ଚ ଗଠନରେ ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଆମେ ବିଶେଷ ଭାବେ ସ୍ୱୀକାର କରୁଛୁ। ଆମେ BRICS-TCA ଦ୍ୱିବାର୍ଷିକ ପ୍ରଗତି ରିପୋର୍ଟ ଏବଂ BRICS-TCA ସ୍ଥାୟୀ ଦକ୍ଷତା ପଦକ୍ଷେପଗୁଡ଼ିକର ସଂକଳନ ପ୍ରକାଶ ପାଇଁ ଅପେକ୍ଷା କରୁଛୁ। ବ୍ରିକ୍ସ ଦେଶଗୁଡ଼ିକରେ ଦକ୍ଷତା ବିକାଶ ବ୍ୟବସ୍ଥାକୁ ମଜବୁତ କରିବା, ଡିଜିଟାଲ୍ ସାକ୍ଷରତା ବୃଦ୍ଧି କରିବା ଏବଂ କର୍ମଶକ୍ତିକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ନେଇ ଆମର ପ୍ରତିବଦ୍ଧତାକୁ ଆମେ ପୁନଃ ନିଶ୍ଚିତ କରୁଛୁ। ଏଥିସହିତ, ପରିବର୍ତ୍ତିତ ବଜାର ଚାହିଦା ଓ ସ୍ଥାୟୀ ବିକାଶର ପ୍ରାଥମିକତା ଅନୁଯାୟୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମଗୁଡ଼ିକୁ ସମନ୍ୱିତ କରିବା ଏବଂ TVET ଅନୁଷ୍ଠାନଗୁଡ଼ିକୁ ଶିଳ୍ପ ସଂସ୍ଥାଗୁଡ଼ିକ ସହ ଯୋଡ଼ିବା ଉପରେ ଆମେ ଗୁରୁତ୍ୱ ଦେଉଛୁ।
୧୨୫. ବ୍ରିକ୍ସ ନେଟୱର୍କ ୟୁନିଭର୍ସିଟି ସମେତ ବର୍ତ୍ତମାନ ରହିଥିବା ବ୍ରିକ୍ସ ଶିକ୍ଷା ବ୍ୟବସ୍ଥା ଓ ମେକାନିଜମ୍ଗୁଡ଼ିକ ମାଧ୍ୟମରେ ନିରନ୍ତର ସହଯୋଗକୁ ଆମେ ଆହୁରି ସମର୍ଥନ କରୁଛୁ। ପାରମ୍ପରିକ ଓ ଆଦିବାସୀ ଜ୍ଞାନ ବ୍ୟବସ୍ଥା ଉପରେ ଶିକ୍ଷାଗତ ସହଯୋଗକୁ ମଜବୁତ କରିବା ପାଇଁ ବ୍ରିକ୍ସ ମାର୍ଗଦର୍ଶକ ନୀତିଗୁଡ଼ିକ ପ୍ରସାର କରିଥିବା ଭାରତର ପଦକ୍ଷେପକୁ ଆମେ ପ୍ରଶଂସା ସହ ଉଲ୍ଲେଖ କରୁଛୁ।
ବ୍ରିକ୍ସ ଦେଶଗୁଡ଼ିକର ଜାତୀୟ ଆଇନ ଓ ନୀତି ସହ ସମନ୍ୱିତ ଏବଂ ପ୍ରଚଳିତ ଶାସନ ପ୍ରକ୍ରିୟା ଅନୁଯାୟୀ, ପାରମ୍ପରିକ, ଆଦିବାସୀ ଓ ସ୍ଥାନୀୟ ଜ୍ଞାନ ବ୍ୟବସ୍ଥାକୁ ଅତିରିକ୍ତ ଅନ୍ତର୍ଜାତୀୟ ଥିମାଟିକ୍ ଗ୍ରୁପ୍ (ITG) ଭାବେ ସାମିଲ କରିବାର ସମ୍ଭାବନା ଉପରେ ବ୍ରିକ୍ସ ନେଟୱର୍କ ୟୁନିଭର୍ସିଟି ବିଚାର କରୁ ବୋଲି ଆମେ ଉତ୍ସାହିତ କରୁଛୁ। ଆମେ ସର୍ବୋତ୍ତମ ପ୍ରଚଳନଗୁଡ଼ିକର ଆଦାନପ୍ରଦାନ, ପ୍ରାରମ୍ଭିକ ଶିଶୁ ଯତ୍ନ ଓ ଶିକ୍ଷା (ECCE) ଏବଂ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ (FLN) କ୍ଷେତ୍ରରେ ସହଯୋଗ, ଯୋଗ୍ୟତାର ପାରସ୍ପରିକ ସ୍ୱୀକୃତି, ଶିକ୍ଷାଗତ ଓ ବୃତ୍ତିଗତ ଗତିଶୀଳତା, ଡିଜିଟାଲ୍ ସାକ୍ଷରତା, ଏବଂ ଶିକ୍ଷା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତ୍ତା (AI) ସମେତ ଉଦୀୟମାନ ପ୍ରଯୁକ୍ତିର ସୁରକ୍ଷିତ, ନୈତିକ ଓ ମାନବକେନ୍ଦ୍ରିକ ବ୍ୟବହାରକୁ ଉତ୍ସାହିତ କରୁଛୁ। ଏଥିସହିତ, ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟରେ ଅଧିକ ଦୃଢ଼ ସହଭାଗିତାକୁ ମଧ୍ୟ ଆମେ ପ୍ରୋତ୍ସାହିତ କରୁଛୁ। ଶିକ୍ଷାନୁଷ୍ଠାନଗୁଡ଼ିକର ଶାସନ ବ୍ୟବସ୍ଥାରେ ସୁଧାର ଆଣିବା, ଶିକ୍ଷାର ଗୁଣବତ୍ତା ଓ ସୁଗମତା ବୃଦ୍ଧି କରିବା ପାଇଁ ମିଳିତ ପ୍ରୟାସକୁ ମଧ୍ୟ ଆମେ ଉତ୍ସାହିତ କରୁଛୁ। ସ୍ନାତକ ଓ ସ୍ନାତକୋତ୍ତର ସ୍ତରରେ, ବିଜ୍ଞାନ, ପ୍ରଯୁକ୍ତି, ଇଞ୍ଜିନିୟରିଂ ଓ ଗଣିତ (STEM) ସମେତ ଛାତ୍ର ଆଦାନପ୍ରଦାନ ଓ ଛାତ୍ରବୃତ୍ତି କାର୍ଯ୍ୟକ୍ରମକୁ ଆମେ ପ୍ରୋତ୍ସାହିତ କରୁଛୁ।
ନବସୃଜନକୁ ପ୍ରୋତ୍ସାହନ ଦେବା ଓ ନିଯୁକ୍ତି ସୁଯୋଗ ବଢ଼ାଇବା ପାଇଁ TVET ଅନୁଷ୍ଠାନଗୁଡ଼ିକୁ ଶିଳ୍ପ କ୍ଷେତ୍ର ସହ ଯୋଡ଼ିବା, ଏବଂ ଶିକ୍ଷାର୍ଥୀ ଓ ଶିକ୍ଷାନୁଷ୍ଠାନଗୁଡ଼ିକୁ ଭବିଷ୍ୟତର ସୁଯୋଗ ଓ ଆହ୍ୱାନଗୁଡ଼ିକର ମୁକାବିଲା ପାଇଁ ପ୍ରସ୍ତୁତ କରିବା ନିମନ୍ତେ ନବସୃଜନ ଓ ଜ୍ଞାନର ଆଦାନପ୍ରଦାନକୁ ମଧ୍ୟ ଆମେ ଉତ୍ସାହିତ କରୁଛୁ। ବ୍ରିକ୍ସ ରେକ୍ଟର୍ସ ଫୋରମ୍ର ନିରନ୍ତର ଆୟୋଜନ କରିବା, ବ୍ରିକ୍ସ ଏଜୁକେସନ୍ ଅଲିମ୍ପିଆଡ୍ ସମ୍ପର୍କରେ ଆଲୋଚନା କରିବା ଏବଂ ବ୍ରିକ୍ସ ୟୁନିଭର୍ସିଟି ଗ୍ଲୋବାଲ୍ ରାଙ୍କିଙ୍ଗ୍ ଓ ମୂଲ୍ୟାଙ୍କନ ବ୍ୟବସ୍ଥାର ବିକାଶ ପାଇଁ ଅଧିକ ଅନୁସନ୍ଧାନ କରିବାକୁ ଆମେ ଉତ୍ସାହିତ କରୁଛୁ।
୧୨୬. ଲୋକଙ୍କ ଜୀବନ ଓ ଜୀବିକାର ସୁରକ୍ଷା ଏବଂ ଉନ୍ନତି ପାଇଁ ପ୍ରୟାସକୁ ତ୍ୱରାନ୍ୱିତ କରିବା, ଉଚ୍ଚମାନର, ପୂର୍ଣ୍ଣ ଓ ଉତ୍ପାଦନଶୀଳ ନିଯୁକ୍ତିକୁ ପ୍ରୋତ୍ସାହନ ଦେବା, ମାନବ ସମ୍ବଳରେ ନିବେଶ କରିବା ଏବଂ ସ୍ଥାୟୀ ବିକାଶ ଓ ସମାବେଶୀ, ମାନବକେନ୍ଦ୍ରିକ ଶ୍ରମ ବଜାର ମାଧ୍ୟମରେ ଉଚ୍ଚମାନର ଜନସଂଖ୍ୟା ବିକାଶକୁ ଆଗକୁ ବଢ଼ାଇବା କ୍ଷେତ୍ରରେ ବ୍ରିକ୍ସ ଶ୍ରମ ସହଯୋଗକୁ ମଜବୁତ କରିବାକୁ ଆମେ ଉତ୍ସାହିତ କରୁଛୁ। ଏହି ପରିପ୍ରେକ୍ଷୀରେ, ସାମାଜିକ ସୁରକ୍ଷାର ପରିସର ବଢ଼ାଇବା ଏବଂ ଶ୍ରମିକ କଲ୍ୟାଣ ପାଇଁ ସମାବେଶୀକରଣ ଓ ସୁଗମତା ବୃଦ୍ଧି କରିବାରେ ଡିଜିଟାଲ୍ ପ୍ରଯୁକ୍ତିର ପରିବର୍ତ୍ତନକାରୀ ଭୂମିକାକୁ ଆମେ ସ୍ୱୀକାର କରୁଛୁ। ଗିଗ୍ ଓ ପ୍ଲାଟଫର୍ମ ଅର୍ଥନୀତିରେ କାର୍ଯ୍ୟରତ ଶ୍ରମିକମାନଙ୍କ ପାଇଁ ସାମାଜିକ ସୁରକ୍ଷାର ପରିସର ବଢ଼ାଇବା ନିମନ୍ତେ ନବୀନ ଏବଂ ପ୍ରତ୍ୟେକ ଦେଶର ପରିସ୍ଥିତି ଅନୁକୂଳ ନୀତିଗତ ପଦକ୍ଷେପ ଉପରେ ବିଚାର କରିବାର ଗୁରୁତ୍ୱକୁ ମଧ୍ୟ ଆମେ ସ୍ୱୀକାର କରୁଛୁ। ଡିଜିଟାଲ୍, ସବୁଜ, ଯତ୍ନସେବା ଏବଂ ଅନ୍ୟାନ୍ୟ ପ୍ରାଥମିକତାପ୍ରାପ୍ତ କ୍ଷେତ୍ରରେ ଶ୍ରମ ବଜାରର ପ୍ରବଣତା ବିଶ୍ଳେଷଣ କରି ଆବଶ୍ୟକ ଦକ୍ଷତାର ପୂର୍ବାନୁମାନ କରିବାରେ ସହଯୋଗକୁ ଆମେ ମଜବୁତ କରିବା ପାଇଁ ପ୍ରତିବଦ୍ଧ। BRICS CONNECT ( ବ୍ରିକ୍ସ ଦକ୍ଷତା ନିର୍ମାଣ, କର୍ମସଂସ୍ଥାନ ଏବଂ ନୂତନ ଦକ୍ଷତା ତଥା ପ୍ରଯୁକ୍ତିବିଦ୍ୟା ସହଯୋଗ ନେଟୱାର୍କ)କୁ ଗ୍ରହଣ କରାଯାଇଥିବାକୁ ଆମେ ସ୍ୱାଗତ କରୁଛୁ। ଏହା ସାମାଜିକ ସୁରକ୍ଷା ସହଯୋଗ ପାଇଁ ପୂର୍ବରୁ ରହିଥିବା ବ୍ରିକ୍ସ ଭିଏଲଓ (BRICS Virtual Liaison Office) ସହ ଯୋଡ଼ି ହୋଇଛି। ସୀମାପାର ଯାତାୟାତ କରୁଥିବା ଶ୍ରମିକମାନଙ୍କ ଅଧିକାରର ସୁରକ୍ଷା, ସେମାନଙ୍କ ସୁବିଧା ଓ ଲାଭର ପୋର୍ଟେବିଲିଟି ନିଶ୍ଚିତ କରିବା ଏବଂ ସାମାଜିକ ସୁରକ୍ଷା ଅବଦାନର ଦ୍ୱୈତ ଆବରଣକୁ ଏଡ଼ାଇବାର ଗୁରୁତ୍ୱକୁ ଆମେ ସ୍ୱୀକାର କରୁଛୁ। କୌଣସି ଶ୍ରମିକ ଯେପରି ପଛରେ ନ ରହିଯାଆନ୍ତି, ସେଥିପାଇଁ ଔପଚାରିକ, ସମାବେଶୀ, ପ୍ରତିକ୍ରିୟାଶୀଳ, ଡିଜିଟାଲ୍ ସଶକ୍ତ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ଦୃଢ଼ ଶ୍ରମ ବଜାର ଗଠନ କରିବା ପାଇଁ ଆମର ସାମୂହିକ ପ୍ରତିବଦ୍ଧତାକୁ ଆମେ ପୁନଃ ନିଶ୍ଚିତ କରୁଛୁ। ବ୍ରିକ୍ସ ଦେଶଗୁଡ଼ିକ ପାଇଁ “ଦୂରଗାମୀ ନିଯୁକ୍ତି ପାଇଁ ଅନ୍ତର୍ଜାତୀୟ ଡିଜିଟାଲ୍ ପ୍ଲାଟଫର୍ମ” ପ୍ରତିଷ୍ଠା କରିବାର ପଦକ୍ଷେପକୁ ଆମେ ଉଲ୍ଲେଖ କରୁଛୁ।
୧୨୭. ୧୧ତମ ବ୍ରିକ୍ସ ସଂସ୍କୃତି ମନ୍ତ୍ରୀସ୍ତରୀୟ ବୈଠକରେ ଗ୍ରହଣ କରାଯାଇଥିବା ଭୋପାଳ ଘୋଷଣାନାମାକୁ ଆମେ ସ୍ୱାଗତ କରୁଛୁ। ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ଜନ-ଜନ ସହଯୋଗ ବୃଦ୍ଧି ଏବଂ ସମ୍ପର୍କକୁ ମଜବୁତ କରିବାରେ ସଂସ୍କୃତିର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଏଥିରେ ପୁନଃ ନିଶ୍ଚିତ କରାଯାଇଛି। ସଂଘର୍ଷ ପ୍ରଭାବିତ ଅଞ୍ଚଳଗୁଡ଼ିକ ସମେତ ସାଂସ୍କୃତିକ ଐତିହ୍ୟର ସୁରକ୍ଷା ପାଇଁ ଆମେ ଆହ୍ୱାନ ଜଣାଉଛୁ, ଯାହାଦ୍ୱାରା ସାଂସ୍କୃତିକ ସମ୍ପତ୍ତିର ଧ୍ୱଂସ ଓ ବେଆଇନ ଚାଲାଣକୁ ରୋକାଯାଇପାରିବ। ପ୍ରଭାବିତ ସମୁଦାୟଗୁଡ଼ିକର ଇତିହାସ ଓ ପରିଚୟ ସୁରକ୍ଷିତ ରଖିବା ପାଇଁ ଏହା ଅତ୍ୟନ୍ତ ଜରୁରୀ। ଏଥିସହିତ, ସାଂସ୍କୃତିକ ଐତିହ୍ୟ, ପ୍ରାଚୀନ ସାମଗ୍ରୀ ଏବଂ ଆଧ୍ୟାତ୍ମିକ, ପୂର୍ବପୁରୁଷ ସମ୍ବନ୍ଧୀୟ, ଐତିହାସିକ ଓ ସାଂସ୍କୃତିକ ମୂଲ୍ୟ ଥିବା ବସ୍ତୁଗୁଡ଼ିକୁ ସେମାନଙ୍କ ମୂଳ ଦେଶକୁ ପୁନଃ ଫେରାଇବା ଓ ପୁନଃପ୍ରତ୍ୟାବର୍ତ୍ତନ ନିଶ୍ଚିତ କରିବାର ଆବଶ୍ୟକତାକୁ ଆମେ ଗୁରୁତ୍ୱ ଦେଉଛୁ। ସଂଗ୍ରହାଳୟ, ଅଭିଲେଖାଗାର, ପାଠାଗାର ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ସାଂସ୍କୃତିକ ଅନୁଷ୍ଠାନଗୁଡ଼ିକ ମଧ୍ୟରେ ସୂଚନା, ଦସ୍ତାବିଜ ଏବଂ ଅନୁଷ୍ଠାନିକ ସହଯୋଗର ଆଦାନପ୍ରଦାନ ମାଧ୍ୟମରେ ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ସହଯୋଗକୁ ଆହୁରି ମଜବୁତ କରିବାକୁ ଆମେ ଉତ୍ସାହିତ କରୁଛୁ। କଳାକାର ଓ ସାଂସ୍କୃତିକ କର୍ମୀମାନଙ୍କ ପ୍ରଶିକ୍ଷଣ ଓ କ୍ଷମତା ବିକାଶ ସମେତ ସାଂସ୍କୃତିକ ଓ ସୃଜନଶୀଳ ଶିଳ୍ପ କ୍ଷେତ୍ରରେ ସୂଚନା ଓ ସର୍ବୋତ୍ତମ ପ୍ରଚଳନର ଆଦାନପ୍ରଦାନକୁ ଆମେ ଉତ୍ସାହିତ କରୁଛୁ।
ସ୍ୱେଚ୍ଛାକୃତ ଭାବେ ଅଂଶଗ୍ରହଣ କରୁଥିବା ସଦସ୍ୟ ଦେଶଗୁଡ଼ିକ ପାଇଁ ପରୀକ୍ଷାମୂଳକ ଭାବେ ଏକ ‘କଳାକାର ରେଜିଷ୍ଟ୍ରି’ ସୃଷ୍ଟି ଓ ବିକାଶ କରିବାର ପଦକ୍ଷେପକୁ ଆମେ ଗ୍ରହଣ କରୁଛୁ। ଏହି ପରିପ୍ରେକ୍ଷୀରେ, ସାଂସ୍କୃତିକ ଓ ସୃଜନଶୀଳ ଉଦ୍ୟୋଗ ଓ ସୃଜନଶାଳ ଅର୍ଥନୀତି ପ୍ଲାଟଫର୍ମ, ପାରମ୍ପରିକ ଜ୍ଞାନ ବ୍ୟବସ୍ଥା ଓ ପାରମ୍ପରିକ ସାଂସ୍କୃତିକ ପ୍ରକାଶର ଚିହ୍ନଟ ଓ ଦସ୍ତାବିଜୀକରଣ ଭଳି ପଦକ୍ଷେପଗୁଡ଼ିକୁ ଆମେ ସ୍ୱୀକାର କରୁଛୁ। ସମ୍ପୃକ୍ତ ୟୁନେସ୍କୋ ସମ୍ମିଳନୀ ଓ କାର୍ଯ୍ୟକ୍ରମ ଅଧୀନରେ ସ୍ୱେଚ୍ଛାକୃତ ଭାବେ ମିଳିତ ବହୁଦେଶୀୟ ନାମାଙ୍କନ ପାଇଁ ସୁଯୋଗ ଅନୁସନ୍ଧାନ କରିବାକୁ ଆମେ ଉତ୍ସାହିତ କରୁଛୁ। ସାଂସ୍କୃତିକ ଶିଳ୍ପ ଓ ସମ୍ବଳର ବିକାଶ ପାଇଁ ସମ୍ପୃକ୍ତ ବହୁପକ୍ଷୀୟ ମଞ୍ଚଗୁଡ଼ିକ ସମେତ ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ଆହୁରି ସହଯୋଗକୁ ଆମେ ଉତ୍ସାହିତ କରୁଛୁ।
୧୨୮. ବ୍ରିକ୍ସ ସଂସ୍କୃତି ମହୋତ୍ସବ ଏବଂ ଓ୍ବେଭ୍ସ ଆୟୋଜନକୁ ଆମେ ସ୍ୱାଗତ କରୁଛୁ। ବ୍ରିକ୍ସ ଥିଏଟର୍ ଫେଷ୍ଟିଭାଲ୍ ଏବଂ ବ୍ରିକ୍ସ ଫିଲ୍ମ ଫେଷ୍ଟିଭାଲ୍ ଆୟୋଜନକୁ ଆମେ ପ୍ରଶଂସା କରୁଛୁ। ଏଗୁଡ଼ିକ ଆମ ଦେଶଗୁଡ଼ିକର ସାଂସ୍କୃତିକ ବିବିଧତାକୁ ପ୍ରଦର୍ଶନ କରିବା, ସାଂସ୍କୃତିକ ଓ ସୃଜନଶୀଳ କାର୍ଯ୍ୟର ପ୍ରସାର ବଢ଼ାଇବା ଏବଂ ଜନ-ଜନ ସମ୍ପର୍କକୁ ମଜବୁତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ଭାବେ କାର୍ଯ୍ୟ କରୁଛି। ଏପରି ମଞ୍ଚଗୁଡ଼ିକର ସମ୍ପ୍ରସାରଣ ପାଇଁ ଆମେ ଉତ୍ସାହିତ କରୁଛୁ, ଯାହାଦ୍ୱାରା ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ସାଂସ୍କୃତିକ ଆଦାନପ୍ରଦାନ ଓ ସହଯୋଗ ପାଇଁ ଅଧିକ ସୁଯୋଗ ସୃଷ୍ଟି ହୋଇପାରିବ। ବ୍ରିକ୍ସ ଦେଶଗୁଡ଼ିକର ଲୋକମାନଙ୍କ ମଧ୍ୟରେ ସାଂସ୍କୃତିକ ଆଦାନପ୍ରଦାନକୁ ସମୃଦ୍ଧ ଓ ବ୍ୟାପକ କରିବା ଉଦ୍ଦେଶ୍ୟରେ ବ୍ରିକ୍ସ ଆଲାଏନ୍ସଗୁଡ଼ିକର ନିରନ୍ତର ବିକାଶ ଓ ସୁଦୃଢ଼ୀକରଣକୁ ଆମେ ସ୍ୱାଗତ କରୁଛୁ।
୧୨୯. ପର୍ଯ୍ୟଟନକୁ ଅର୍ଥନୈତିକ ଅଭିବୃଦ୍ଧି, ନିଯୁକ୍ତି ସୃଷ୍ଟି, ବୈଦେଶିକ ମୁଦ୍ରା ଆୟ, ସମାବେଶୀ ଓ ସ୍ଥାୟୀ ବିକାଶ, ସ୍ଥାନୀୟ ଜୀବିକା, ଅର୍ଥନୈତିକ ବିବିଧୀକରଣ, ଐତିହ୍ୟ ସୁରକ୍ଷା, ଜାତୀୟ ଛବି ଗଠନ, ସାଂସ୍କୃତିକ ବୁଝାମଣା ଏବଂ ଜନ-ଜନ ସମ୍ପର୍କର ଏକ ଗୁରୁତ୍ୱପୂର୍ଣ୍ଣ ଚାଳକ ଭାବେ ସ୍ୱୀକାର କରି, ଆମେ ମାନୁଛୁ ଯେ ବ୍ରିକ୍ସ ଦେଶଗୁଡ଼ିକରେ ପର୍ଯ୍ୟଟନ କ୍ଷେତ୍ରରେ ବିପୁଳ ସମ୍ଭାବନା ରହିଛି। ସ୍ଥାୟୀ ବିକାଶ ଲକ୍ଷ୍ୟ (SDGs) ଅନୁଯାୟୀ, ପରିବେଶ ପର୍ଯ୍ୟଟନ (Ecotourism)କୁ ପ୍ରୋତ୍ସାହନ ସମେତ ସ୍ଥାୟୀ ଓ ଦୃଢ଼ ପର୍ଯ୍ୟଟନର ବିକାଶ ଓ ପ୍ରସାର ପାଇଁ ବ୍ରିକ୍ସ ଦେଶଗୁଡ଼ିକରେ ବ୍ୟାପକ ସୁଯୋଗ ରହିଛି ବୋଲି ଆମେ ସ୍ୱୀକାର କରୁଛୁ। ଦାୟିତ୍ୱଶୀଳ, ସ୍ଥାୟୀ ଓ ପୁନର୍ଜୀବନମୂଳକ ପର୍ଯ୍ୟଟନ ମଡେଲ୍ ସମ୍ପର୍କରେ ଜ୍ଞାନ ଆଦାନପ୍ରଦାନକୁ ଆମେ ଉତ୍ସାହିତ କରୁଛୁ। ଅଧିକ ସ୍ମାର୍ଟ ଓ କାର୍ଯ୍ୟକ୍ଷମ ପର୍ଯ୍ୟଟନ ବ୍ୟବସ୍ଥା ପାଇଁ କୃତ୍ରିମ ବୁଦ୍ଧିମତ୍ତା (AI) ଏବଂ ଡିଜିଟାଲ୍ ଉପକରଣର ବ୍ୟବହାର ସମ୍ପର୍କୀୟ ପଦକ୍ଷେପଗୁଡ଼ିକୁ ଆମେ ସ୍ୱାଗତ କରୁଛୁ। ଏଥିରେ ଡିଜିଟାଲ୍ ପେମେଣ୍ଟ ବ୍ୟବସ୍ଥା, ପରିବେଶ ଅନୁକୂଳ, ସମୁଦାୟ ନେତୃତ୍ୱାଧୀନ, ସ୍ଥାୟୀ ଓ ଜଳବାୟୁ-ସହନଶୀଳ ପର୍ଯ୍ୟଟନ ମଡେଲ୍ର ପ୍ରଚାର, ପର୍ଯ୍ୟଟନ କ୍ଷେତ୍ରରେ ମାନବ ସମ୍ବଳକୁ ମଜବୁତ କରିବା, ପ୍ରଶିକ୍ଷଣ, ନିବେଶ ପ୍ରୋତ୍ସାହନ ଓ ଅନୁଷ୍ଠାନିକ କ୍ଷମତା ବୃଦ୍ଧି ଏବଂ ପର୍ଯ୍ୟଟକଙ୍କ ସୁଗମ ଯାତାୟାତକୁ ସୁନିଶ୍ଚିତ କରିବା ଭଳି ପଦକ୍ଷେପ ସାମିଲ ରହିଛି। ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ସ୍ଥାୟୀ, ସମାବେଶୀ, ସ୍ମାର୍ଟ ଓ ଦୃଢ଼ ପର୍ଯ୍ୟଟନ ବିକାଶକୁ ପ୍ରୋତ୍ସାହନ ଦେବା ଏବଂ ଅନ୍ତର୍ଜାତୀୟ ପର୍ଯ୍ୟଟନ ପ୍ରତିଯୋଗିତାକ୍ଷମତା ବଢ଼ାଇବା ଉଦ୍ଦେଶ୍ୟରେ ଜୟପୁରରେ ଅନୁଷ୍ଠିତ ପର୍ଯ୍ୟଟନ ମନ୍ତ୍ରୀମାନଙ୍କ ବୈଠକର ଘୋଷଣାପତ୍ରକୁ ଆମେ ସ୍ୱାଗତ କରୁଛୁ। ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ବିଭିନ୍ନ ପ୍ରକାରର ପର୍ଯ୍ୟଟନ ଉତ୍ପାଦର ବିକାଶ ଓ ପ୍ରଚାରକୁ ମଧ୍ୟ ଆମେ ସମର୍ଥନ କରୁଛୁ। ଏଥିରେ ଐତିହାସିକ, ସାଂସ୍କୃତିକ, ପ୍ରକୃତିଭିତ୍ତିକ, ଖାଦ୍ୟ ଓ ଗାଷ୍ଟ୍ରୋନୋମୀ ( ରନ୍ଧନ କଳା ଓ ଖାଦ୍ୟ ବିଜ୍ଞାନ) ଏବଂ ସ୍ୱାସ୍ଥ୍ୟ ପର୍ଯ୍ୟଟନ ସମେତ ବିଭିନ୍ନ ପର୍ଯ୍ୟଟନ ଉତ୍ପାଦ ସାମିଲ ରହିଛି।
୧୩୦. ସାମାଜିକ ବିକାଶ, ଜନ-ଜନ ସମ୍ପର୍କ ଏବଂ ସୁସ୍ଥ ଓ ସକ୍ରିୟ ସମାଜ ଗଠନରେ କ୍ରୀଡ଼ାର ଗୁରୁତ୍ୱକୁ ଆମେ ବିଶେଷ ଭାବେ ଉଲ୍ଲେଖ କରୁଛୁ। ବ୍ରିକ୍ସ ସ୍ପୋର୍ଟ୍ସ ୱର୍କିଂ ଗ୍ରୁପ୍ର ଅଗ୍ରଗତିକୁ ଆମେ ପ୍ରଶଂସା କରୁଛୁ। ଏଥିରେ ଶାରୀରିକ ସଂସ୍କୃତି ଓ କ୍ରୀଡ଼ା କ୍ଷେତ୍ରରେ ସହଯୋଗ ସମ୍ପର୍କିତ ବୁଝାମଣାପତ୍ରର କାର୍ଯ୍ୟକାରୀକରଣ ମଧ୍ୟ ସାମିଲ ରହିଛି। ଏହି ପରିପ୍ରେକ୍ଷୀରେ, ଉଚ୍ଚ ପ୍ରଦର୍ଶନକାରୀ କ୍ରୀଡ଼ା, ସମସ୍ତଙ୍କ ପାଇଁ କ୍ରୀଡ଼ା ଏବଂ ମନୋରଞ୍ଜନମୂଳକ କ୍ରୀଡ଼ା କ୍ଷେତ୍ରରେ ସହଯୋଗ ପାଇଁ ଏକ ମଞ୍ଚ ଭାବେ ବ୍ରିକ୍ସ ଗେମ୍ସ ଆୟୋଜନକୁ ଆମେ ପ୍ରଶଂସା କରୁଛୁ। ଏଥିସହିତ, ଆମର ସାଧାରଣ ବିବିଧତାକୁ ପାଳନ କରିବା ପାଇଁ ବ୍ରିକ୍ସ ଦେଶଗୁଡ଼ିକର ଜାତୀୟ, ପାରମ୍ପରିକ, ଆଦିବାସୀ ଓ ଅଲିମ୍ପିକ୍ରେ ସାମିଲ ନଥିବା କ୍ରୀଡ଼ାର ବିକାଶକୁ ମଧ୍ୟ ଏହା ପ୍ରୋତ୍ସାହିତ କରୁଛି।
ଲୋକପ୍ରିୟ କ୍ରୀଡ଼ା ସମେତ ଜାତୀୟ, ପାରମ୍ପରିକ ଓ ଆଦିବାସୀ କ୍ରୀଡ଼ା କ୍ଷେତ୍ରରେ ଯୁବକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ରୀଡ଼ାର ବିକାଶ ପାଇଁ ଅଧିକ ସହଯୋଗକୁ ଆମେ ଉତ୍ସାହିତ କରୁଛୁ। ଉତ୍ତମ ପ୍ରଚଳନ, ଅନୁଷ୍ଠାନିକ ଅଭିଜ୍ଞତା, ବୈଷୟିକ ସୂଚନା ଏବଂ ଗବେଷଣା ସମ୍ପର୍କିତ ତଥ୍ୟର ଆଦାନପ୍ରଦାନ ମାଧ୍ୟମରେ କ୍ରୀଡ଼ା ପ୍ରଯୁକ୍ତି କ୍ଷେତ୍ରରେ ସହଯୋଗକୁ ସୁଗମ କରିବା ପାଇଁ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକୁ ଆମେ ଉତ୍ସାହିତ କରୁଛୁ। କ୍ରୀଡ଼ା ସାମଗ୍ରୀ ଉତ୍ପାଦନ, ଗବେଷଣା ଓ ନବସୃଜନ କ୍ଷେତ୍ରରେ ସହଯୋଗକୁ ପ୍ରୋତ୍ସାହନ ଦେବା ପାଇଁ ବ୍ରିକ୍ସ କ୍ରୀଡ଼ା ସାମଗ୍ରୀ ଉତ୍ପାଦନ ସମ୍ମିଳନୀ ଆୟୋଜନ ପ୍ରସ୍ତାବକୁ ଆମେ ସ୍ୱାଗତ କରୁଛୁ। କ୍ରୀଡ଼ାରେ ପ୍ରଦର୍ଶନର ଗୁଣବତ୍ତା, କ୍ରୀଡ଼ାଳିଙ୍କ କଲ୍ୟାଣ, ଶାସନ ବ୍ୟବସ୍ଥା ଏବଂ ସମାବେଶୀକରଣ ବୃଦ୍ଧିରେ ପ୍ରଯୁକ୍ତିର ବଢ଼ୁଥିବା ଭୂମିକାକୁ ମଧ୍ୟ ଆମେ ସ୍ୱୀକାର କରୁଛୁ। କ୍ରୀଡ଼ା ପ୍ରଯୁକ୍ତି ସମ୍ପର୍କିତ ୱର୍କିଂ ଗ୍ରୁପ୍ ଗଠନ ଉପରେ ଆଲୋଚନାକୁ ଆମେ ଉତ୍ସାହିତ କରୁଛୁ। ବ୍ରିକ୍ସ କ୍ରୀଡ଼ା ସହଯୋଗ ଢାଞ୍ଚା ଉପରେ ଆଲୋଚନାକୁ ଆମେ ସ୍ୱାଗତ କରୁଛୁ। ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ପ୍ରଚଳିତ ପରାମର୍ଶ ପ୍ରକ୍ରିୟା ଅନୁଯାୟୀ ଏବଂ ନିଜ ନିଜ ଆଭ୍ୟନ୍ତରୀଣ ପ୍ରକ୍ରିୟା ଅନୁସରଣ କରି ଏହା ଉପରେ ଆଗାମୀ ବିଚାର ପାଇଁ ଆମେ ଅପେକ୍ଷା କରୁଛୁ।
୧୩୧. ଆମେ ସ୍ଥିରତା, ନବସୃଜନ, ସମାବେଶୀକରଣ ଏବଂ ସ୍ଥାୟୀ ବିକାଶର ଚାଳକ ଭାବେ ଯୁବପିଢ଼ିର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ପୁନଃ ନିଶ୍ଚିତ କରୁଛୁ। ଯୁବ ବ୍ୟାପାର ସମ୍ପର୍କିତ ବ୍ରିକ୍ସ ମନ୍ତ୍ରୀସ୍ତରୀୟ ବୈଠକରେ ହୋଇଥିବା ଆଲୋଚନାକୁ ଆମେ ସ୍ୱାଗତ କରୁଛୁ। ବ୍ରିକ୍ସ ସହଯୋଗକୁ ସୁଦୃଢ଼ କରିବା ଏବଂ ଯୁବପିଢ଼ିର ସାର୍ଥକ ଅଂଶଗ୍ରହଣକୁ ବଢ଼ାଇବାରେ ବ୍ରିକ୍ସ ଯୁବ ପରିଷଦ ଏବଂ ବ୍ରିକ୍ସ ଯୁବ ସମ୍ମିଳନୀର ଭୂମିକାକୁ ଆମେ ପ୍ରଶଂସା କରୁଛୁ। ଆମେ ବ୍ରିକ୍ସ ଦେଶଗୁଡ଼ିକର ଯୁବପିଢ଼ି ମଧ୍ୟରେ ଶିକ୍ଷା, ପ୍ରଶିକ୍ଷଣ ଓ ଦକ୍ଷତା; ଯୁବ ଉଦ୍ୟୋଗୀତା; ବିଜ୍ଞାନ, ପ୍ରଯୁକ୍ତି ଓ ନବସୃଜନ; ସାମାଜିକ ଓ ସାଂସ୍କୃତିକ ଅଂଶଗ୍ରହଣ; ସାମାଜିକ କାର୍ଯ୍ୟ ଓ ସ୍ୱେଚ୍ଛାସେବା; ବିକାଶ; ଦାରିଦ୍ର୍ୟ, କ୍ଷୁଧା ଓ ଅସମାନତା ବିରୋଧରେ ଲଢ଼େଇ; ସ୍ୱାସ୍ଥ୍ୟ, ଯୁବ ଓ କ୍ରୀଡ଼ା; ଯୁବ, ପରିବେଶ ଓ ସ୍ଥାୟୀତ୍ୱ; ଧର୍ମାନ୍ତର ଯୁବ ସଂଳାପ; ଯୁବ ବିନିମୟ; ଏବଂ ଯୁବ ସମାବେଶୀକରଣ ଭଳି କ୍ଷେତ୍ରରେ ଅଧିକ ସହଯୋଗକୁ ଉତ୍ସାହିତ କରୁଛୁ। ଏହି ପରିପ୍ରେକ୍ଷୀରେ, ଯୁବ ସହଯୋଗ ସମ୍ପର୍କିତ ସାଧାରଣ ପ୍ରାଥମିକତା ଉପରେ ବ୍ରିକ୍ସ ମଧ୍ୟରେ ସହଯୋଗକୁ ଆହୁରି ସୁଦୃଢ଼ କରିବାକୁ ଥିବା ବ୍ରିକ୍ସ ଯୁବ ସହଯୋଗ ଢାଞ୍ଚା ଉପରେ ହୋଇଥିବା ଅଗ୍ରଗତିକୁ ଆମେ ସ୍ୱାଗତ କରୁଛୁ।
୧୩୨. ନ୍ୟାୟ କ୍ଷେତ୍ରରେ ସହଯୋଗକୁ ମଜବୁତ କରିବାର ଆବଶ୍ୟକତାକୁ ଆମେ ସ୍ୱୀକାର କରୁଛୁ। ବ୍ରିକ୍ସ ନ୍ୟାୟ ମନ୍ତ୍ରୀମାନଙ୍କ ବୈଠକ, ବ୍ରିକ୍ସ ମୁଖ୍ୟ ବିଚାରପତିମାନଙ୍କ ବୈଠକ ଏବଂ ବ୍ରିକ୍ସ ଅଭିଯୋଗ ସେବାର ମୁଖ୍ୟମାନଙ୍କ ବୈଠକକୁ ଆମେ ସ୍ୱୀକାର କରୁଛୁ। ସୀମାପାର ବାଣିଜ୍ୟିକ ବିବାଦର ସମାଧାନ କ୍ଷେତ୍ରରେ ଅଧିକ ସହଯୋଗକୁ ମଧ୍ୟ ଆମେ ସମର୍ଥନ କରୁଛୁ। ଆଇନଗତ ନିଶ୍ଚିତତା ସୁନିଶ୍ଚିତ କରିବା, ନିବେଶକଙ୍କ ବିଶ୍ୱାସ ବଢ଼ାଇବା ଏବଂ ଅନ୍ତର୍ଜାତୀୟ ବାଣିଜ୍ୟ ଓ ନିବେଶକୁ ସୁଗମ କରିବା ପାଇଁ ଦକ୍ଷ ଓ ବିଶ୍ୱସନୀୟ ବିବାଦ ସମାଧାନ ବ୍ୟବସ୍ଥାର ଗୁରୁତ୍ୱକୁ ଆମେ ସ୍ୱୀକାର କରୁଛୁ। ଔପଚାରିକ ନ୍ୟାୟିକ ପ୍ରକ୍ରିୟାର ଏକ ପ୍ରଭାବଶାଳୀ ପରିପୂରକ ବ୍ୟବସ୍ଥା ଭାବେ ବିକଳ୍ପ ବିବାଦ ସମାଧାନ (ADR) ବ୍ୟବସ୍ଥାର ବଢ଼ୁଥିବା ଭୂମିକାକୁ ମଧ୍ୟ ଆମେ ସ୍ୱୀକାର କରୁଛୁ। ଏଥିରେ ମଧ୍ୟସ୍ଥତା ଓ ଆର୍ବିଟ୍ରେସନ୍ ଭଳି ବ୍ୟବସ୍ଥା ସାମିଲ ରହିଛି। ବ୍ରିକ୍ସ ଦେଶଗୁଡ଼ିକ ଅଧିକ ସୁଗମ ଓ ଲୋକକେନ୍ଦ୍ରିକ ବିବାଦ ସମାଧାନ ବ୍ୟବସ୍ଥା ଭାବେ ADRକୁ ଆଗକୁ ବଢ଼ାଇବା ପାଇଁ ପଦକ୍ଷେପ ନିଅନ୍ତୁ ବୋଲି ଆମେ ଉତ୍ସାହିତ କରୁଛୁ। ଏଥିସହିତ, ସଦସ୍ୟ ଦେଶଗୁଡ଼ିକରେ ସମ୍ପୃକ୍ତ ହିତଧାରୀମାନଙ୍କ ପାଇଁ କ୍ଷମତା ବିକାଶମୂଳକ ପଦକ୍ଷେପକୁ ଆମେ ସମର୍ଥନ କରୁଛୁ।
୧୩୩. ଆମେ ୨୦୨୬ ଅକ୍ଟୋବରରେ ଆୟୋଜିତ ହେବାକୁ ଥିବା ଦ୍ୱାଦଶ ବ୍ରିକ୍ସ ସଂସଦୀୟ ମଞ୍ଚକୁ ଅପେକ୍ଷା କରୁଛୁ। ଏଥିରେ ମହିଳା ସାଂସଦମାନଙ୍କ ବୈଠକ ଏବଂ ଅନ୍ତର୍ଜାତୀୟ ବ୍ୟାପାର କମିଟିର ଅଧ୍ୟକ୍ଷମାନଙ୍କ ବୈଠକ ମଧ୍ୟ ସାମିଲ ରହିବ। ଏହା ମାଧ୍ୟମରେ ଆମ ସଂସଦଗୁଡ଼ିକ ମଧ୍ୟରେ ଆଦାନପ୍ରଦାନ ଓ ସହଯୋଗକୁ ସୁଦୃଢ଼ କରାଯିବ। ଆମେ ଏହି ଆଲୋଚନା ଓ ସଂପୃକ୍ତିଗୁଡ଼ିକର ଗୁରୁତ୍ୱକୁ ଉଲ୍ଲେଖ କରୁଛୁ। ଏଗୁଡ଼ିକ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ପାରସ୍ପରିକ ବୁଝାମଣା ଓ ବିଶ୍ୱାସ ବୃଦ୍ଧି, ନବସୃଜନକୁ ଆଗେଇ ନେବା ଏବଂ ସମସ୍ତଙ୍କ ପାଇଁ ସମାବେଶୀ, ସ୍ଥାୟୀ ଓ ସମାନତାଭିତ୍ତିକ ଭବିଷ୍ୟତ ଗଠନ ପାଇଁ ଅନୁଷ୍ଠାନିକ ସ୍ଥିରତାକୁ ସୁଦୃଢ଼ କରିବାର ଉପଯୋଗୀ ମଞ୍ଚ ଭାବେ କାର୍ଯ୍ୟ କରିବ।
୧୩୪. ବ୍ରିକ୍ସର ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ସିଧାସଳଖ ବ୍ୟବସାୟିକ ଆଲୋଚନା ଓ ଯୋଗାଯୋଗର ସୁଯୋଗ ସୃଷ୍ଟି କରିଥିବା ବ୍ରିକ୍ସ ବିଜନେସ୍ ଫୋରମ୍ ୨୦୨୬ ଆୟୋଜନକୁ ଆମେ ସ୍ୱାଗତ କରୁଛୁ। ଏଥିସହ ବ୍ରିକ୍ସ ସଲ୍ୟୁସନ୍ସ ଆୱାର୍ଡସ୍ ୨୦୨୬ ଏବଂ ବ୍ରିକ୍ସ ମହିଳା ଷ୍ଟାର୍ଟ-ଅପ୍ ଆୱାର୍ଡସ୍ ୨୦୨୬ ଭଳି ପଦକ୍ଷେପକୁ ମଧ୍ୟ ଆମେ ସ୍ୱାଗତ କରୁଛୁ। ଏହି ପଦକ୍ଷେପଗୁଡ଼ିକ ବ୍ରିକ୍ସ ଦେଶଗୁଡ଼ିକରେ ସ୍ଥାୟୀ ବିକାଶ, ବୈଷୟିକ ଅଗ୍ରଗତି ଏବଂ ସମାବେଶୀ ଅଭିବୃଦ୍ଧି ହାସଲ କରିବାରେ ନବସୃଜନମୂଳକ, ବ୍ୟାପକ ଭାବେ ପ୍ରୟୋଗଯୋଗ୍ୟ ଓ ପ୍ରଭାବଶାଳୀ ସମାଧାନକୁ ଉତ୍ସାହିତ କରିଛି।
୧୩୫. ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ଆର୍ଥିକ ସହଯୋଗକୁ ସୁଦୃଢ଼ କରିବା ଦିଗରେ ବ୍ରିକ୍ସ ବିଜନେସ୍ କାଉନସିଲର ନିରନ୍ତର ପ୍ରୟାସକୁ ଆମେ ପ୍ରଶଂସା କରୁଛୁ। ବ୍ୟବସାୟ ଓ ନିବେଶକୁ ବୃଦ୍ଧି କରିବା ସହିତ ଦୃଢ଼ ଓ ସ୍ଥିର ଯୋଗାଣ ଶୃଙ୍ଖଳ ଗଠନ ପାଇଁ ବ୍ରିକ୍ସ ବିଜନେସ୍ କାଉନସିଲ୍ର ବାର୍ଷିକ ରିପୋର୍ଟ ଏବଂ ଏଥିରେ ଦିଆଯାଇଥିବା ନୀତିଗତ ସୁପାରିସଗୁଡ଼ିକୁ ଆମେ ସ୍ୱାଗତ କରୁଛୁ। ଏଥିରେ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ଅଧିକ ବ୍ୟବସାୟିକ ସଂପୃକ୍ତି ମଧ୍ୟ ସାମିଲ ରହିଛି। ଏଥିସହ ସଷ୍ଟେନେବଲ୍ ଡେଭଲପମେଣ୍ଟ ନେଟୱର୍କର ଶୁଭାରମ୍ଭକୁ ମଧ୍ୟ ଆମେ ସ୍ୱାଗତ କରୁଛୁ।
୧୩୬. ବ୍ରିକ୍ସ ଦେଶଗୁଡ଼ିକରେ ମହିଳା ଉଦ୍ୟୋଗୀତା, ନେତୃତ୍ୱ ଏବଂ ଆର୍ଥିକ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବାରେ ‘ବ୍ରିକ୍ସ ମହିଳା ବିଜନେସ୍ ଆଲାଏନ୍ସ (WBA)’ର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଆମେ ସ୍ୱୀକାର କରୁଛୁ। ମହିଳାଙ୍କ ନେତୃତ୍ୱାଧୀନ ଉଦ୍ୟୋଗଗୁଡ଼ିକ ପାଇଁ ଅର୍ଥ, ବଜାର, ପ୍ରଯୁକ୍ତି, ଦକ୍ଷତା ବିକାଶ ଓ ଡିଜିଟାଲ୍ ସୁଯୋଗରେ ପହଞ୍ଚକୁ ସୁଧାରିବା ଲକ୍ଷ୍ୟରେ ମହିଳା ବିଜନେସ୍ ଆଲାଏନ୍ସର ବାର୍ଷିକ ରିପୋର୍ଟରେ ଦିଆଯାଇଥିବା ସୁପାରିସଗୁଡ଼ିକୁ ଆମେ ସ୍ୱାଗତ କରୁଛୁ। WBAର ୨୦୨୬ କାର୍ଯ୍ୟକ୍ରମଗୁଡ଼ିକରେ ଏପର୍ଯ୍ୟନ୍ତ ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ହୋଇଥିବା ଦୃଢ଼ ଅଂଶଗ୍ରହଣକୁ ଆମେ ଲକ୍ଷ୍ୟ କରୁଛୁ। ଜ୍ଞାନ ଆଦାନପ୍ରଦାନ ଓ ମିଳିତ ପଦକ୍ଷେପ ମାଧ୍ୟମରେ ମହିଳାଙ୍କ ଆର୍ଥିକ ଅଂଶଗ୍ରହଣ ନେଇ ବ୍ରିକ୍ସର ଜାତୀୟ ଚାପ୍ଟରଗୁଡ଼ିକ ମଧ୍ୟରେ ସହଯୋଗକୁ ଆହୁରି ସୁଦୃଢ଼ କରିବାକୁ ଆମେ ଉତ୍ସାହିତ କରୁଛୁ।
୧୩୭. ବ୍ରିକ୍ସ ଥିଙ୍କ ଟ୍ୟାଙ୍କ କାଉନସିଲ୍, ବ୍ରିକ୍ସ ସିଭିଲ୍ କାଉନସିଲ୍, ବ୍ରିକ୍ସ ଏକାଡେମିକ୍ ଫୋରମ୍ ଏବଂ ବ୍ରିକ୍ସ ସିଭିଲ୍ ଫୋରମର ବୈଠକଗୁଡ଼ିକର ପରିଣାମକୁ ଆମେ ସ୍ୱୀକାର କରୁଛୁ। ଶୈକ୍ଷିକ ସମୁଦାୟ ଏବଂ ନାଗରିକ ସମାଜ ସଂଗଠନଗୁଡ଼ିକ ମଧ୍ୟରେ ସଂଳାପ ଓ ଆଦାନପ୍ରଦାନକୁ ସୁଦୃଢ଼ କରିବା ଦିଗରେ ହୋଇଥିବା ଅଗ୍ରଗତିକୁ ମଧ୍ୟ ଆମେ ସ୍ୱୀକାର କରୁଛୁ।
୧୩୮. ବ୍ରିକ୍ସର ସମ୍ପ୍ରସାରଣ ଏକ ସମାବେଶୀ ବିଶ୍ୱ ଶାସନ ବ୍ୟବସ୍ଥା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ଭାବେ ଏହାର ପ୍ରଭାବ, ବିଶ୍ୱସନୀୟତା ଏବଂ ଆକର୍ଷଣକୁ ପ୍ରତିଫଳିତ କରୁଛି ବୋଲି ଆମେ ଲକ୍ଷ୍ୟ କରୁଛୁ। ଫଳାଫଳଭିତ୍ତିକ ଅଧିକ ସମନ୍ୱୟ, ନିରନ୍ତରତା ଏବଂ ଦୀର୍ଘକାଳୀନ ଅନୁଷ୍ଠାନିକ ବିକାଶ ପାଇଁ ସମର୍ଥନର ଆବଶ୍ୟକତା ରହିଛି ବୋଲି ଆମେ ଗୁରୁତ୍ୱାରୋପ କରୁଛୁ।
ଆମେ ଦୋହରାଉଛୁ ଯେ, ଅନୁଷ୍ଠାନିକ ବିକାଶ ଏକ ନିରନ୍ତର ଏବଂ ଗତିଶୀଳ ପ୍ରକ୍ରିୟା, ଯାହା ବ୍ରିକ୍ସ ଦେଶଗୁଡ଼ିକର ଆବଶ୍ୟକତା ଓ ପ୍ରାଥମିକତାକୁ ପ୍ରତିଫଳିତ କରିବା ଉଚିତ। ଏହି ପରିପ୍ରେକ୍ଷୀରେ, ବ୍ରିକ୍ସ ଅନଲାଇନ୍ ଆର୍କାଇଭାଲ୍ ଡାଟାବେସ୍ ପ୍ରତିଷ୍ଠା ଦିଗରେ ହୋଇଥିବା ଅଗ୍ରଗତିକୁ ଆମେ ସ୍ୱାଗତ କରୁଛୁ। ଏହାକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ଆଗାମୀ ଆଲୋଚନାକୁ ଆମେ ଅପେକ୍ଷା କରୁଛୁ। ଏଥିସହ ଅନୁଷ୍ଠାନିକ ବିକାଶକୁ ସୁଦୃଢ଼ କରିବାରେ ଅବଦାନ ରଖିବା ପାଇଁ ଅଧ୍ୟକ୍ଷଙ୍କ MoU ଷ୍ଟକ୍ଟେକିଂ ଅଭିଯାନ ଉପରେ ବିଚାର କରିବାକୁ ମଧ୍ୟ ଆମେ ସ୍ୱାଗତ କରୁଛୁ।
୧୩୯. ୨୦୨୬ରେ ଭାରତର ବ୍ରିକ୍ସ ଅଧ୍ୟକ୍ଷତା ପାଇଁ ଆମେ ଭାରତକୁ ପ୍ରଶଂସା କରୁଛୁ। ନୂଆଦିଲ୍ଲୀ ସହରରେ ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରିଥିବାରୁ ଭାରତ ସରକାର ଏବଂ ଭାରତର ଜନସାଧାରଣଙ୍କୁ ଆମେ କୃତଜ୍ଞତା ଜଣାଉଛୁ।
୧୪୦. ୨୦୨୭ରେ ବ୍ରିକ୍ସ ଅଧ୍ୟକ୍ଷତା ଗ୍ରହଣ କରିବା ଏବଂ ଚୀନ୍ରେ ୧୯ତମ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରିବା ପାଇଁ ଆମେ ଚୀନ୍କୁ ସମ୍ପୂର୍ଣ୍ଣ ସମର୍ଥନ ଜଣାଉଛୁ।
***
TKM
(ରିଲିଜ ଆଡି: 2310408)
ପରିଦର୍ଶକ କାଉଣ୍ଟର : 10
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Bengali
,
Bengali-TR
,
Manipuri
,
Assamese
,
Punjabi
,
Gujarati
,
Telugu
,
Kannada
,
Malayalam