ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ
ସିଲିଗୁଡ଼ିଠାରେ ଶ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ପଶ୍ଚିମବଙ୍ଗ ପାହାଡ଼ିଆ ଅଞ୍ଚଳ ପ୍ରତିନିଧିମାନଙ୍କ ବୈଠକ
ପଶ୍ଚିମବଙ୍ଗ ପାହାଡ଼ିଆ ଅଞ୍ଚଳର ସମସ୍ୟା, ସ୍ଥାୟୀ ରାଜନୈତିକ ସମାଧାନ ଓ ସାମ୍ବିଧାନିକ ମାନ୍ୟତା ନେଇ ବୈଠକରେ ସବିଶେଷ ଆଲୋଚନା
ପାହାଡ଼ିଆ ଅଞ୍ଚଳର ସ୍ଥାୟୀ ରାଜନୈତିକ ସମାଧାନ ଓ ସାମ୍ବିଧାନିକ ମାନ୍ୟତା ଦାବିକୁ ବୈଠକରେ
ସମ୍ବିଧାନର ପରିସର ମଧ୍ୟରେ ଶୀଘ୍ର ଏକ ସ୍ଥାୟୀ ରାଜନୈତିକ ସମାଧାନ ଯୋଗାଇଦେବାକୁ ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ପ୍ରତିଶ୍ରୁତି
ରୂପରେଖ ନିର୍ଦ୍ଧାରଣ ପାଇଁ ଶ୍ରୀ ପଙ୍କଜ କୁମାର ସିଂଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ନିଷ୍ପତ୍ତି
प्रविष्टि तिथि:
22 AUG 2026 4:15PM by PIB Bhubaneswar
କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତା ଏବଂ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଉପସ୍ଥିତିରେ ଆଜି ସିଲିଗୁଡ଼ିଠାରେ ପଶ୍ଚିମବଙ୍ଗର ପାହାଡ଼ିଆ ଅଞ୍ଚଳର ବିଭିନ୍ନ ପକ୍ଷ ଓ ପ୍ରତିନିଧିମାନଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଭାରତ ସରକାର ଏବଂ ରାଜ୍ୟ ସରକାରଙ୍କ ବରିଷ୍ଠ ପ୍ରତିନିଧିମାନେ ମଧ୍ୟ ଉପସ୍ଥିତ ଥିଲେ।

ଏହି ବୈଠକରେ ରାଜନୈତିକ ପ୍ରତିନିଧି ସାଂସଦ ରାଜୁ ବିଷ୍ଟ, ସାଂସଦ ହର୍ଷବର୍ଦ୍ଧନ ସିଙ୍ଗଲା, ପାହାଡ଼ିଆ ଅଞ୍ଚଳ ମନ୍ତ୍ରୀ ବିଶାଳ ଲାମା, ଜିଜିଏମ୍ ନେତା ବିମଲ ଗୁରୁଙ୍ଗ, ଜିଏନଏଲଏଫ ନେତା ମାନ୍ ଘିସିଂ, ବିଧାୟକ ଭାରତ ଛେତ୍ରୀ, ବିଧାୟକ ସୋନମ ଲାମା, ବିଧାୟକ ନୋମାନ ରାଇ, ସିପିଆରଏମ ନେତା ଜେବି ରାଇ, ଗୋରାନିମୋ ନେତା ଦାୱା ପାଖରିନ, ସୁମିତି ନେତା ବିକାଶ ରାୟ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ।

ରାଜ୍ୟର ପାହାଡ଼ିଆ ଅଞ୍ଚଳର ଜନସାଧାରଣଙ୍କ ସମସ୍ତ ସମସ୍ୟା ବାବଦରେ ଏହି ବୈଠକରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା। ସେମାନଙ୍କର ସ୍ୱତନ୍ତ୍ର ପରିଚୟ, ଏକ ସ୍ଥାୟୀ ରାଜନୈତିକ ସମାଧାନ ଏବଂ ଭାରତୀୟ ସମ୍ବିଧାନ ଅଧୀନରେ ମାନ୍ୟତା ସମ୍ବନ୍ଧୀୟ ଦାବିଗୁଡ଼ିକୁ ବିଚାରକୁ ନିଆଯାଇଥିଲା। କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଭାରତୀୟ ସମ୍ବିଧାନର ପରିସର ମଧ୍ୟରେ ଶୀଘ୍ର ଏକ ସ୍ଥାୟୀ ରାଜନୈତିକ ସମାଧାନ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ସେ ମଧ୍ୟ ଏହି ସମ୍ପ୍ରଦାୟର ଅନ୍ୟ ସମସ୍ତ ଦାବିକୁ ସହାନୁଭୂତିର ସହ ବିଚାର କରିବାକୁ ଆଶ୍ୱାସନା ଦେଇଥିଲେ ଏବଂ କହିଥିଲେ ଯେ କେନ୍ଦ୍ରରୁ ପର୍ଯ୍ୟାପ୍ତ ଅନୁଦାନ ମାଧ୍ୟମରେ ସମସ୍ତ ବାକି ଥିବା ସମସ୍ୟାର ସମାଧାନ ସୁନିଶ୍ଚିତ କରାଯିବ। ଏହା ସହିତ, ଭାରତୀୟ ସମ୍ବିଧାନ ଅଧୀନରେ ପଶ୍ଚିମବଙ୍ଗର ପାହାଡ଼ିଆ ଅଞ୍ଚଳର ଲୋକଙ୍କ ପାଇଁ ସ୍ଥାୟୀ ରାଜନୈତିକ ସମାଧାନ ନିମନ୍ତେ ପ୍ରସ୍ତୁତ ହେବାକୁ ଥିବା ଚୂଡ଼ାନ୍ତ ଚୁକ୍ତିନାମାର ବିବରଣୀ ପ୍ରସ୍ତୁତ କରିବା ପାଇଁ, ପୂର୍ବତନ ଉପ-ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ତଥା ବର୍ତ୍ତମାନର ମଧ୍ୟସ୍ଥ ଶ୍ରୀ ପଙ୍କଜ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।
ଏହି ବୈଠକ ଅତ୍ୟନ୍ତ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶରେ ଶେଷ ହୋଇଥିଲା। ବିଭିନ୍ନ ସଂଗଠନର ପ୍ରତିନିଧିତ୍ୱ କରୁଥିବା ସମସ୍ତ ନେତୃବୃନ୍ଦ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅମିତ ଶାହ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ସେମାନଙ୍କର ଆନ୍ତରିକ ଓ ସୌହାର୍ଦ୍ଦପୂର୍ଣ୍ଣ ମନୋଭାବ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ।
TKM
(रिलीज़ आईडी: 2302392)
आगंतुक पटल : 5