ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଗୋଟିଏ ବର୍ଷରେ ୧ କୋଟି ଯୁବକଯୁବତୀଙ୍କ ପାଇଁ ଏଆଇ ଦକ୍ଷତା ତାଲିମ ଘୋଷଣା କଲେ ପ୍ରଧାନମନ୍ତ୍ରୀ


ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ମାଗଣା ଅନଲାଇନ୍ କୋଚିଂ ନେଟୱାର୍କ

୫-୧୫ ବର୍ଷ ବୟସର ପିଲାମାନଙ୍କ ପାଇଁ ଦେଶବ୍ୟାପୀ କ୍ରୀଡା ପ୍ରତିଭା ଅନ୍ୱେଷଣ ଅଭିଯାନ

ଆଧୁନିକ ଚ୍ୟାଲେଞ୍ଜର ମୁକାବିଲା ପାଇଁ ଏକ ଦୃଢ଼ ବେସାମରିକ ପ୍ରତିରକ୍ଷା ନେଟୱାର୍କ ସୃଷ୍ଟି

୨୦୪୭ ସୁଦ୍ଧା ଭାରତ ୧୦୦ ଗିଗାଓ୍ବାଟ୍‌ ପରମାଣୁ ଶକ୍ତି କ୍ଷମତା ହାସଲ ଲକ୍ଷ୍ୟ

ଏହି ଦଶନ୍ଧି ମଧ୍ୟରେ ପାଞ୍ଚଟି ନୂତନ ପରମାଣୁ ରିଆକ୍ଟର ପାଇଁ ଯୋଜନା

୬ କୋଟି 'ଲକ୍ଷପତି ଦିଦି' ସୃଷ୍ଟି କରିବାର ନୂତନ ଲକ୍ଷ୍ୟ

ଆତ୍ମନିର୍ଭରଶୀଳତା ଆଡ଼କୁ ଭାରତର ଯାତ୍ରାକୁ ସୁଦୃଢ଼ କରିବା ପାଇଁ ଅଧିକ ସେମିକଣ୍ଡକ୍ଟର କାରଖାନା

प्रविष्टि तिथि: 15 AUG 2026 1:01PM by PIB Bhubaneswar

୮୦ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲା ପ୍ରାଚୀରରୁ ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୃତ୍ରିମ ବୁଦ୍ଧିମତ୍ତା, ଶିକ୍ଷା, କ୍ରୀଡା, ନାଗରିକ ପ୍ରତିରକ୍ଷା, ସେମିକଣ୍ଡକ୍ଟର ଉତ୍ପାଦନ, ପରମାଣୁ ଶକ୍ତି ଏବଂ ମହିଳା ନେତୃତ୍ୱାଧୀନ ବିକାଶକୁ ନେଇ ଅନେକ ପଦକ୍ଷେପ ଏବଂ ଲକ୍ଷ୍ୟ ଘୋଷଣା କରିଥିଲେ।

ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣ ସମୟରେ ନିମ୍ନଲିଖିତ ପ୍ରମୁଖ ଘୋଷଣା କରିଥିଲେ:

୧. କୋଟିଏ ଯୁବକ-ଯୁବତୀଙ୍କୁ ଏଆଇ ପ୍ରଶିକ୍ଷଣ: ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ଯେ ଆଗାମୀ ଏକ ବର୍ଷ ମଧ୍ୟରେ ୧ କୋଟି ଯୁବକ-ଯୁବତୀଙ୍କୁ ଏଆଇ ଦକ୍ଷତା ପ୍ରଶିକ୍ଷଣ ପ୍ରଦାନ କରାଯିବ। ଦ୍ରୁତ ଗତିରେ ବୃଦ୍ଧି ପାଉଥିବା କୃତ୍ରିମ ବୁଦ୍ଧିମତ୍ତାର ପ୍ରସାର ବିଷୟରେ ଉଲ୍ଲେଖ କରି ସେ କହିଛନ୍ତି ଯେ ଏହି ପଦକ୍ଷେପ ଭାରତର ଯୁବପିଢ଼ିଙ୍କୁ ଏଆଇ ଦୁନିଆରେ ନେତୃତ୍ୱ ନେବାକୁ ସମର୍ଥ କରିବ।

୨. ବିଭିନ୍ନ ପରୀକ୍ଷା ପାଇଁ ମାଗଣା ଅନଲାଇନ୍ କୋଚିଂ: ପ୍ରଧାନମନ୍ତ୍ରୀ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଯୁବକ-ଯୁବତୀଙ୍କ ପାଇଁ ମାଗଣା ଅନଲାଇନ୍ କୋଚିଂ ବ୍ୟବସ୍ଥା ସମ୍ପର୍କରେ ଘୋଷଣା କରିଛନ୍ତି। ଗରିବ ଏବଂ ମଧ୍ୟବିତ୍ତ ପରିବାର ଉପରେ କୋଚିଂ କ୍ଲାସର ଆର୍ଥିକ ବୋଝ ବିଷୟରେ ଉଲ୍ଲେଖ କରି ସେ କହିଛନ୍ତି ଯେ ଦେଶର ଯୁବପିଢ଼ିଙ୍କୁ ମାଗଣାରେ କୋଚିଂ ଯୋଗାଇବା ପାଇଁ ଡିଜିଟାଲ୍ ପବ୍ଲିକ୍ ଇନଫ୍ରାଷ୍ଟ୍ରକଚର, ଉପଲବ୍ଧ ପ୍ରତିଭା ଏବଂ ଶିକ୍ଷକମାନଙ୍କୁ ଏକାଠି କରି ଏକ ସମ୍ପୂର୍ଣ୍ଣ ନେଟୱାର୍କ ଗଠନ କରାଯିବ।

୩. ୫-୧୫ ବର୍ଷର ଶିଶୁଙ୍କ ପାଇଁ ସାରା ଦେଶରେ କ୍ରୀଡ଼ା ପ୍ରତିଭା ସନ୍ଧାନ: ପ୍ରଧାନମନ୍ତ୍ରୀ ୫ ରୁ ୧୫ ବର୍ଷ ବୟସର ଶିଶୁମାନଙ୍କ ମଧ୍ୟରେ କ୍ରୀଡ଼ା ପ୍ରତିଭା ଚିହ୍ନଟ କରିବା ପାଇଁ ଗାଁ, ସହର ଏବଂ ବିଦ୍ୟାଳୟଗୁଡ଼ିକ ମାଧ୍ୟମରେ ସାରା ଦେଶରେ ଏକ କ୍ରୀଡ଼ା ପ୍ରତିଭା ସନ୍ଧାନ ଅଭିଯାନ ଘୋଷଣା କରିଛନ୍ତି। ଚିହ୍ନଟ ହୋଇଥିବା ଶିଶୁମାନଙ୍କୁ ଦେଶର ପ୍ରତିନିଧିତ୍ୱ କରିପାରୁଥିବା ଖେଳାଳି ଭାବରେ ଗଢ଼ିତୋଳିବା ପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯିବ। ଅଲିମ୍ପିକ୍ସର ଯେଉଁ ସବୁ ଖେଳରେ ଭାରତ ବର୍ତ୍ତମାନ ଭାଗ ନିଏ ନାହିଁ କିମ୍ବା ଯୋଗ୍ୟତା ହାସଲ କରେ ନାହିଁ, ସେହିସବୁ ଖେଳରେ ଦକ୍ଷତା ବୃଦ୍ଧି ଉପରେ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି।

୪. ଆଧୁନିକ ଆହ୍ୱାନ ପାଇଁ ସୁଦୃଢ଼ ବେସାମରିକ ପ୍ରତିରକ୍ଷା ନେଟୱାର୍କ: ଆଧୁନିକ ଯୁଗରେ ଯୁଦ୍ଧ କୌଶଳର ବଦଳୁଥିବା ସ୍ୱରୂପ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ଯେ ଦେଶରେ ଏକ ସୁଦୃଢ଼ ବେସାମରିକ ପ୍ରତିରକ୍ଷା ନେଟୱାର୍କ ଗଠନ କରାଯିବ। ସେ କହିଥିଲେ ଯେ ଯୁଦ୍ଧ ଆଉ କେବଳ ସୀମା ମଧ୍ୟରେ ସୀମିତ ହୋଇ ରହିନାହିଁ, ଏହା ତୈଳ ବିଶୋଧନାଗାର, ବ୍ୟାଙ୍କିଂ କ୍ଷେତ୍ର, ଡାଟା ସେଣ୍ଟର, କାରଖାନା ଏବଂ ଅନ୍ୟାନ୍ୟ ଭିତ୍ତିଭୂମିକୁ ମଧ୍ୟ ପ୍ରଭାବିତ କରିପାରେ। ଗତ ଶତାବ୍ଦୀର ଯୁଦ୍ଧ ଆଧାରରେ ବିକଶିତ ହୋଇଥିବା ବେସାମରିକ ପ୍ରତିରକ୍ଷା ବ୍ୟବସ୍ଥା ସବୁ ଆଜିର ସମୟରେ ପୁରୁଣା ହୋଇସାରିଛି। ତେଣୁ ନାଗରିକମାନଙ୍କୁ ଆଧୁନିକ ବ୍ୟବସ୍ଥା ସହିତ ପରିଚିତ କରାଯିବ ଏବଂ ଆଧୁନିକ ଆହ୍ୱାନର ମୁକାବିଲା କରିବା ପାଇଁ ଏକ ବିଶାଳ ସ୍ୱେଚ୍ଛାସେବୀ ବେସାମରିକ ପ୍ରତିରକ୍ଷା ବାହିନୀ ପ୍ରସ୍ତୁତ କରାଯିବ।

୫. ଆତ୍ମନିର୍ଭରଶୀଳତାକୁ ସୁଦୃଢ଼ କରିବା ପାଇଁ ଅଧିକ ସେମିକଣ୍ଡକ୍ଟର ପ୍ଲାଣ୍ଟ: ଡିଜିଟାଲ୍ ଏବଂ ପ୍ରଯୁକ୍ତିବିଦ୍ୟା ଦୁନିଆରେ ସେମିକଣ୍ଡକ୍ଟର ଚିପ୍‌ର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିବା ସହ ଭାରତ ଏହି କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଆଡ଼କୁ ଅଗ୍ରସର ହେଉଛି ବୋଲି କହିଥିଲେ। ସେ କହିଥିଲେ ଯେ ତିନୋଟି ସେମିକଣ୍ଡକ୍ଟର ପ୍ଲାଣ୍ଟ ପୂର୍ବରୁ ଆରମ୍ଭ ହୋଇସାରିଛି ଏବଂ ଏହି କାରଖାନାଗୁଡ଼ିକରୁ ଉତ୍ପାଦନ ସହ ରପ୍ତାନି ମଧ୍ୟ ଆରମ୍ଭ ହୋଇଗଲାଣି। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ଆଗାମୀ ସାତ-ଆଠ ବର୍ଷ ମଧ୍ୟରେ ଆହୁରି ପାଞ୍ଚ-ସାତ କିମ୍ବା ଆଠଟି ସେମିକଣ୍ଡକ୍ଟର ପ୍ଲାଣ୍ଟ ପ୍ରତିଷ୍ଠା ହେବ, ଏବଂ ସେମିକଣ୍ଡକ୍ଟର କ୍ଷେତ୍ରରେ ଆତ୍ମନିର୍ଭରଶୀଳତାକୁ 'ବିକଶିତ ଭାରତ' ଗଠନର ଏକ ମାର୍ଗ ବୋଲି ବର୍ଣ୍ଣନା କରିଥିଲେ।

୬. ୨୦୪୭ ସୁଦ୍ଧା ୧୦୦ ଗିଗାୱାଟ୍‌ ପରମାଣୁ ଶକ୍ତି କ୍ଷମତା: ଚିପ୍ସ, ଏଆଇ ଏବଂ ଡାଟା ସେଣ୍ଟରଗୁଡ଼ିକର ବୃଦ୍ଧି ପାଉଥିବା ଶକ୍ତି ଆବଶ୍ୟକତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଶକ୍ତି ସୁରକ୍ଷା ଏବଂ ପରମାଣୁ ଶକ୍ତିର ଗୁରୁତ୍ୱ ଉପରେ ବଳ ଦେଇଥିଲେ। ସେ କହିଥିଲେ ଯେ ୨୦୪୭ ସୁଦ୍ଧା ଭାରତ ୧୦୦ ଗିଗାୱାଟ୍ ପରମାଣୁ ଶକ୍ତି କ୍ଷମତା ହାସଲ କରିବା ଲକ୍ଷ୍ୟରେ ଆଗକୁ ବଢ଼ୁଛି ଏବଂ ଏହି ଦଶନ୍ଧି ମଧ୍ୟରେ ପାଞ୍ଚଟି ନୂଆ ପରମାଣୁ ରିଆକ୍ଟର ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ଭାରତ ଏହି ବର୍ଷ ଫାଷ୍ଟ ବ୍ରିଡର ପରମାଣୁ ପ୍ରଯୁକ୍ତିବିଦ୍ୟାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି, ଯାହା ପରମାଣୁ ଇନ୍ଧନ କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଦିଗରେ ଏକ ଉଲ୍ଲେଖନୀୟ ପଦକ୍ଷେପ।

୭. ଛଅ କୋଟି ଲକ୍ଷପତି ଦିଦି ସୃଷ୍ଟି ଲକ୍ଷ୍ୟ: ରାଷ୍ଟ୍ର ନିର୍ମାଣରେ ମହିଳାମାନଙ୍କ ଅବଦାନ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ପୂର୍ବରୁ ରହିଥିବା ତିନି କୋଟି ଲକ୍ଷପତି ଦିଦି ସୃଷ୍ଟି କରିବାର ଲକ୍ଷ୍ୟ ପୂରଣ ହୋଇସାରିଛି। ଭାରତ ଏବେ ଛଅ କୋଟି ଲକ୍ଷପତି ଦିଦି ସୃଷ୍ଟି କରିବା ଲକ୍ଷ୍ୟ ନେଇ ଆଗକୁ ବଢ଼ିବ। ଆଉ ତିନି କୋଟି ଲକ୍ଷପତି ଦିଦି ସୃଷ୍ଟି ହେବା ଦ୍ୱାରା ନାରୀ ଶକ୍ତି ମାଧ୍ୟମରେ ଗ୍ରାମୀଣ ଅର୍ଥବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ଆସିବ ବୋଲି ସେ ପ୍ରକାଶ କରିଥିଲେ।

TKM


(रिलीज़ आईडी: 2300046) आगंतुक पटल : 4
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Gujarati , Tamil , Telugu , Kannada