କ୍ୟାବିନେଟ
୨୦୩୦-୩୧ ପର୍ଯ୍ୟନ୍ତ ବଢ଼ିଲା ପିଏମ୍ କିଷାନ୍ ଯୋଜନାର ଅବଧି
୨୦୨୬-୨୭ ଆର୍ଥିକ ବର୍ଷ ଠାରୁ ସମ୍ପ୍ରସାରିତ ଅବଧିକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରି; ୩.୧୫ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ
प्रविष्टि तिथि:
31 JUL 2026 4:13PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ) ଯୋଜନାକୁ ୨୦୨୬-୨୭ ରୁ ୨୦୩୦-୩୧ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଜାରି ରଖିବା ପ୍ରସ୍ତାବକୁ ଅନୁମୋଦନ କରିଛି । ଏହି ସମୟ ମଧ୍ୟରେ ପିଏମ-କିଷାନ ଯୋଜନା ପାଇଁ ମୋଟ ୩.୧୫ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦକୁ ଅନୁମୋଦନ କରାଯାଇଛି ।
କୃଷକମାନଙ୍କ ସମୃଦ୍ଧି ହେଉଛି ଦେଶ ସମୃଦ୍ଧିର ଆଧାର, ଏହି ଆଭିମୁଖ୍ୟ ନେଇ ସରକାର ଉପରୋକ୍ତ ଯୋଜନାକୁ ଅନୁମୋଦନ କରିଛି । ପିଏମ-କିଷାନ ଯୋଜନା ମାଧ୍ୟମରେ ଯୋଗ୍ୟ ଚାଷୀ ପରିବାରଗୁଡ଼ିକୁ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ଜରିଆରେ ସମୟୋଚିତ ଏବଂ ସ୍ୱଚ୍ଛ ଆୟ ସହାୟତା ଯୋଗାଇ ଦିଆଯାଉଛି । ଏହା ଚାଷୀମାନଙ୍କୁ କୃଷି ନିବେଶ ବୃଦ୍ଧି କରିବା ଏବଂ ସେମାନଙ୍କ ଜୀବିକାକୁ ସୁଦୃଢ଼ କରିବାରେ ସାହାଯ୍ୟ କରୁଛି ।
ପିଏମ୍-କିଷାନ: ସ୍ୱଚ୍ଛ ଏବଂ ପ୍ରଯୁକ୍ତିବିଦ୍ୟା ଆଧାରିତ କୃଷକ କଲ୍ୟାଣର ସଫଳ ମଡେଲ
ପିଏମ-କିଷାନ ଯୋଜନା ଫେବୃଆରୀ ୨୦୧୯ରେ ଆରମ୍ଭ ହୋଇଥିଲା। ଏହି ଯୋଜନା ଅଧୀନରେ, ଜମି ଥିବା ଯୋଗ୍ୟ ଚାଷୀ ପରିବାରଗୁଡ଼ିକ ପ୍ରତିବର୍ଷ ୬୦୦୦ ଟଙ୍କାର ଆର୍ଥିକ ସହାୟତା ପାଉଛନ୍ତି । ଏହି ଅର୍ଥ ତିନୋଟି ସମାନ କିସ୍ତିରେ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହେଉଛି । ଆଧାର ପ୍ରମାଣୀକରଣ, ଡିଜିଟାଲ୍ ଯାଞ୍ଚ ଏବଂ ଏକ ଦୃଢ଼ ଡିବିଟି ବ୍ୟବସ୍ଥା ମାଧ୍ୟମରେ ଏହି ଯୋଜନା ସ୍ୱଚ୍ଛତା, ଦକ୍ଷତା ଏବଂ ଉତ୍ତରଦାୟିତ୍ୱର ଏକ ପ୍ରଭାବୀ ଉଦାହରଣ ପ୍ରଦର୍ଶନ କରିଛି ।
ପିଏମ୍-କିଷାନ ଯୋଜନାର ପ୍ରମୁଖ ଉପଲବ୍ଧି
• ଏହି ଯୋଜନା ଅଧୀନରେ, ୨୩ଟି କିସ୍ତିରେ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ୪.୪୭ ଲକ୍ଷ କୋଟି ଟଙ୍କା ହସ୍ତାନ୍ତର କରାଯାଇଛି।
• ୨୩ତମ କିସ୍ତି ଅଧୀନରେ, ୯.୪୯ କୋଟିରୁ ଅଧିକ ଚାଷୀ ଉପକୃତ ହୋଇଛନ୍ତି, ଯେଉଁଥିରେ ୧୮,୯୮୪ କୋଟି ଟଙ୍କାରୁ ଅଧିକ ଟଙ୍କା ଜାରି କରାଯାଇଛି।
• କୋଭିଡ-୧୯ ମହାମାରୀ ସମୟରେ, ଚାଷୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ୧.୭୧ ଲକ୍ଷ କୋଟି ଟଙ୍କାରୁ ଅଧିକ ଟଙ୍କା ବଣ୍ଟନ କରାଯାଇଥିଲା।
• ମହିଳା ଚାଷୀମାନେ ପିଏମ-କିଷାନ ଯୋଜନାରେ ୧.୦୬ ଲକ୍ଷ କୋଟି ଟଙ୍କାରୁ ଅଧିକ ଟଙ୍କା ପାଇଛନ୍ତି ଏବଂ ପ୍ରତି ଚାରି ଜଣ ହିତାଧିକାରୀଙ୍କ ମଧ୍ୟରୁ ପ୍ରାୟ ଜଣେ ମହିଳା ଚାଷୀ।
କୃଷି ନିବେଶ ଏବଂ କୃଷକଙ୍କ ଆୟକୁ ସୁଦୃଢ଼ କରିବାରେ ଏହି ଯୋଜନାର ଗୁରୁତ୍ୱପୂର୍ଣ୍ଣ ଭୂମିକା:
ପିଏମ-କିଷାନ ଯୋଜନା ଅଧୀନରେ ପ୍ରଦାନ କରାଯାଇଥିବା ସହାୟତା ଚାଷୀମାନଙ୍କୁ ବିହନ, ସାର, ଜଳସେଚନ, କୃଷି ଯନ୍ତ୍ରପାତି ଏବଂ ଅନ୍ୟାନ୍ୟ କୃଷି ଆବଶ୍ୟକତାରେ ସମୟୋଚିତ ଖର୍ଚ୍ଚ କରିବାରେ ସାହାଯ୍ୟ କରିଛି । ଏହା ଚାଷୀଙ୍କ ଉତ୍ପାଦକତା ବୃଦ୍ଧି କରିଛି, ଅନୌପଚାରିକ ଋଣ ଉପରେ ନିର୍ଭରଶୀଳତା ହ୍ରାସ କରିଛି ଏବଂ ଗ୍ରାମୀଣ ପରିବାରର ଆର୍ଥିକ ସ୍ଥିରତାକୁ ସୁଦୃଢ଼ କରିଛି ।
ନିରପେକ୍ଷ ମୂଲ୍ୟାଙ୍କନ ମାଧ୍ୟମରେ ସକାରାତ୍ମକ ପ୍ରଭାବ ପ୍ରମାଣିତ ହୋଇଛି
ବିଭିନ୍ନ ନିରପେକ୍ଷ ପ୍ରତିଷ୍ଠାନ ଦ୍ୱାରା ପିଏମ-କିଷାନ ଯୋଜନାର ପ୍ରଭାବ ମୂଲ୍ୟାଙ୍କନ କରାଯାଇଛି । ନୀତି ଆୟୋଗର ବିକାଶ ନିରୀକ୍ଷଣ ଏବଂ ମୂଲ୍ୟାଙ୍କନ କାର୍ଯ୍ୟାଳୟ (ଡିଏମଇଓ) ଦ୍ୱାରା କରାଯାଇଥିବା ଏକ ମୂଲ୍ୟାଙ୍କନ ଅନୁଯାୟୀ:
• ୯୨ ପ୍ରତିଶତରୁ ଅଧିକ ହିତାଧିକାରୀ କୃଷି କାର୍ଯ୍ୟକଳାପ ଏବଂ କୃଷି ନିବେଶ ପାଇଁ ସହାୟତା ରାଶି ବ୍ୟବହାର କରିଥିବା ସୂଚନା ଦେଇଛନ୍ତି ।
• ପ୍ରାୟ ୮୫ ପ୍ରତିଶତ ହିତାଧିକାରୀ କୃଷି ଆୟରେ ଉନ୍ନତି ଏବଂ ଅନୌପଚାରିକ ଋଣ ଉପରେ ନିର୍ଭରଶୀଳତା ହ୍ରାସ କରିଥିବା କହିଛନ୍ତି ।
୨୦୨୦-୨୧ ରୁ ୨୦୨୫-୨୬ ମଧ୍ୟରେ ଦେଶର ଖାଦ୍ୟ ଶସ୍ୟ ଉତ୍ପାଦନରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ଏହି ସମୟ ମଧ୍ୟରେ, କୃଷି କ୍ଷେତ୍ରରେ ପ୍ରାୟ ୯.୬୫ ପ୍ରତିଶତ, ଉତ୍ପାଦକତା ପ୍ରାୟ ୧୦.୫୩ ପ୍ରତିଶତ ଏବଂ ମୋଟ ଖାଦ୍ୟ ଶସ୍ୟ ଉତ୍ପାଦନ ପ୍ରାୟ ୨୧.୧୮ ପ୍ରତିଶତ ବୃଦ୍ଧି ପାଇଛି । ଏହା ପିଏମ-କିଷାନ ଯୋଜନା ଅଧୀନରେ ଚାଷୀମାନଙ୍କୁ ପ୍ରଦାନ କରାଯାଇଥିବା ବ୍ୟାପକ ସହାୟତା ଓ କୃଷି କ୍ଷେତ୍ରର ବର୍ଦ୍ଧିତ ସମ୍ଭାବନାକୁ ଦର୍ଶାଇଥାଏ ।
ଡିଜିଟାଲ ଇଣ୍ଡିଆ ମାଧ୍ୟମରେ ଚାଷୀମାନଙ୍କୁ ପ୍ରତ୍ୟକ୍ଷ ଲାଭ
ପିଏମ-କିଷାନ ଯୋଜନା ଡିଜିଟାଲ ଇଣ୍ଡିଆର ପ୍ରଭାବଶାଳୀ ବ୍ୟବହାରର ଏକ ଉତ୍କୃଷ୍ଟ ଉଦାହରଣ। ଆଧାର-ଆଧାରିତ ପ୍ରମାଣୀକରଣ, ଡିଜିଟାଲ ହିତାଧିକାରୀ ଯାଞ୍ଚ ଏବଂ ଡିବିଟି ସିଷ୍ଟମ ମାଧ୍ୟମରେ ଚାଷୀମାନଙ୍କୁ ସିଧାସଳଖ ଆର୍ଥିକ ସହାୟତା ହସ୍ତାନ୍ତର କରାଯାଉଛି। ଏହି ଯୋଜନା କେବଳ ଆର୍ଥିକ ସହାୟତା ପ୍ରଦାନ କରିବାରେ ସୀମିତ ନୁହେଁ; ଏହା ଚାଷୀଙ୍କ ଆତ୍ମବିଶ୍ୱାସ, ଆତ୍ମନିର୍ଭରଶୀଳତା ଏବଂ କୃଷିରେ ନିବେଶ କରିବାର କ୍ଷମତାକୁ ମଧ୍ୟ ସୁଦୃଢ଼ କରୁଛି ।
ଆତ୍ମନିର୍ଭରଶୀଳ ଭାରତ ଏବଂ ସମୃଦ୍ଧ କୃଷକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ:
ପିଏମ-କିଷାନ ଯୋଜନାର ନିରନ୍ତର ବିସ୍ତାର ଚାଷୀମାନଙ୍କର କୃଷିରେ ନିବେଶ କରିବାର କ୍ଷମତା ବୃଦ୍ଧି କରିବ। ଏହା ଉତ୍ପାଦକତାରେ ଉନ୍ନତି ଆଣିବ, କୃଷି ବିପଦ ହ୍ରାସ କରିବାରେ ସାହାଯ୍ୟ କରିବ ଏବଂ ଗ୍ରାମୀଣ ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବ।
ପିଏମ-କିଷାନ ଯୋଜନା ସରକାରଙ୍କ କୃଷକ-କୈନ୍ଦ୍ରିକ ନୀତିର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ। ଏହି ଯୋଜନା ଲକ୍ଷ ଲକ୍ଷ ଚାଷୀଙ୍କୁ ସଶକ୍ତ କରିବା ପାଇଁ ଲକ୍ଷ୍ୟ ରଖିଛି ଯାହା ଦ୍ୱାରା ସେମାନେ ଏକ ବିକଶିତ ଭାରତ ନିର୍ମାଣ ଲାଗି ଦେଶର ପ୍ରଗତିରେ ଅଧିକ ଭୂମିକା ଗ୍ରହଣ କରିପାରିବେ ।
********
PS
(रिलीज़ आईडी: 2292785)
आगंतुक पटल : 6
इस विज्ञप्ति को इन भाषाओं में पढ़ें:
Malayalam
,
Marathi
,
Assamese
,
Bengali
,
Kannada
,
English
,
Khasi
,
Urdu
,
हिन्दी
,
Punjabi
,
Gujarati
,
Tamil
,
Telugu