କାର୍ମିକ, ସାଧାରଣ ଅଭିଯୋଗ ଓ ପେନସନ ମନ୍ତ୍ରଣାଳୟ
azadi ka amrit mahotsav

ଲୋକ ପରୀକ୍ଷା (ଅସାଧୁ ଉପାୟ ନିବାରଣ) ସଂଶୋଧନ ବିଲ ୨୦୨୬କୁ ଲୋକସଭାରେ ଆଗତ କଲେ କେନ୍ଦ୍ର ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ

प्रविष्टि तिथि: 27 JUL 2026 6:46PM by PIB Bhubaneswar
  • ଲୋକ ପରୀକ୍ଷା ସଂଶୋଧନ ବିଲରେ ଦ୍ରୁତ ତଦନ୍ତ, ସ୍ୱତନ୍ତ୍ର ଫାଷ୍ଟ-ଟ୍ରାକ୍‌ କୋର୍ଟ ଏବଂ କଠୋର ଦଣ୍ଡ ପାଇଁ ରହିଛି ବ୍ୟବସ୍ଥା
  • ଏହାର ଉଦ୍ଦେଶ୍ୟ ହେଉଛି ପରୀକ୍ଷା ଅନିୟମିତତା ମାମଲାରେ ଦ୍ରୁତ ନ୍ୟାୟ ପ୍ରଦାନ ଏବଂ କଠୋର ନିବାରଣ

ଲୋକସଭାରେ ଆଜି ଲୋକ ପରୀକ୍ଷା (ଅସାଧୁ ଉପାୟ ନିବାରଣ) ସଂଶୋଧନ ବିଲ ୨୦୨୬ ଆଗତ କରାଯାଇଛି । କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା; ଭୂ-ବିଜ୍ଞାନ ଓ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, କାର୍ମିକ, ସାଧାରଣ ଅଭିଯୋଗ ଓ ପେନସନ, ଆଣବିକ ଶକ୍ତି ଓ ମହାକାଶ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଡକ୍ଟର ଜିତେନ୍ଦ୍ର ସିଂ ଏହି ବିଲ୍‌ ଉପସ୍ଥାପନ କରିଥିଲେ ।

ଏହି ସଂଶୋଧିତ ବିଲର ଉଦ୍ଦେଶ୍ୟ ହେଉଛି ସାର୍ବଜନୀନ ପରୀକ୍ଷା (ଅସାଧୁ ଉପାୟ ନିବାରଣ) ସଂଶୋଧନ ବିଲ ୨୦୨୬ର ବ୍ୟବସ୍ଥାକୁ ଅଧିକ ମଜବୁତ କରିବା । ଦ୍ରୁତ ତଦନ୍ତ, ସ୍ୱତନ୍ତ୍ର ଫାଷ୍ଟ-ଟ୍ରାକ୍‌ କୋର୍ଟ ଜରିଆରେ ତୁରନ୍ତ ଶୁଣାଣି, ସ୍ୱତନ୍ତ୍ର ସରକାରୀ ଓକିଲ ନିଯୁକ୍ତି, ଧାର୍ଯ୍ୟ ସମୟରେ ଆବେଦନର ସମାଧାନ ଏବଂ କଠୋର ଦଣ୍ଡାଦେଶ ପାଇଁ ସଂଶୋଧିତ ବିଲରେ ଉପଯୁକ୍ତ ବ୍ୟବସ୍ଥା ରହିଛି । ଏହାଫଳରେ ସାର୍ବଜନୀନ ପରୀକ୍ଷାରେ ଅନୁଚିତ୍‌ ଉପାୟ ଏବଂ ସଂଗଠିତ ଅନିୟମିତତାକୁ ପ୍ରଭାବୀ ଢଙ୍ଗରେ ନିବାରଣ କରାଯାଇପାରିବ ।

ଗତ କିଛି ବର୍ଷ ହେବ ପ୍ରଶ୍ନପତ୍ର ପ୍ରଘଟ ଏବଂ ପରୀକ୍ଷା ସମ୍ବନ୍ଧୀୟ ସଂଗଠିତ ଅନିୟମିତତା ମାମଲାଗୁଡ଼ିକୁ ଦୃଷ୍ଟିରେ ରଖି ବର୍ତ୍ତମାନର ଆଇନଗତ ଢାଞ୍ଚାକୁ ସୁଦୃଢ଼ କରିବା ପାଇଁ ପ୍ରସ୍ତାବିତ ସଂଶୋଧନଗୁଡ଼ିକ ଅଣାଯାଇଛି। ଏହାର ଲକ୍ଷ୍ୟ ଅଧିକ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବା, ଏପରି ଅପରାଧ ବିରୋଧରେ ପ୍ରତିରୋଧ ପ୍ରଣାଳୀକୁ ମଜବୁତ କରିବା ଏବଂ ସାର୍ବଜନୀନ ପରୀକ୍ଷାର ବିଶ୍ୱସନୀୟତାକୁ ବଜାୟ ରଖିବା ।

ପରୀକ୍ଷାରେ ଅସାଧୁ ଉପାୟ ଅବଲମ୍ବନ ଲାଗି ପୂର୍ବ ଆଇନରେ ତିନି ବର୍ଷ କିମ୍ବା ତଦୁର୍ଦ୍ଧ୍ୱ ଦଣ୍ଡାଦେଶ ବ୍ୟବସ୍ଥା ରହିଥିଲା। ବର୍ତ୍ତମାନ ଏହାକୁ ୫ ବର୍ଷରୁ ଅଧିକ ଏବଂ ୧୦ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିବା ଲାଗି ନୂଆ ବିଲରେ ପ୍ରସ୍ତାବ ରହିଛି । ସେହିପରି ସର୍ବାଧିକ ଜୋରିମାନା ସୀମାକୁ ୧୦ ଲକ୍ଷ ଟଙ୍କାରୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବଢ଼ାଇବା ଲାଗି ନୂଆ ବିଲରେ ବ୍ୟବସ୍ଥା କରାଯାଇଛି ।

ନୂଆ ଆଇନ ଅନୁଯାୟୀ ଅପରାଧରେ ସମ୍ପୃକ୍ତ ସେବା ପ୍ରଦାନକାରୀ ବା ସର୍ଭିସ୍‌ ପ୍ରୋଭାଇଡରଙ୍କ ପାଇଁ ସର୍ବାଧିକ ଜରିମାନା ୧ କୋଟିରୁ ୫ କୋଟି ଟଙ୍କାକୁ ବୃଦ୍ଧି କରିବା ଏବଂ କୌଣସି ସାଧାରଣ ପରୀକ୍ଷା ପରିଚାଳନାରୁ ନିଷେଧ କରିବା ଅବଧିକୁ ଚାରି ବର୍ଷରୁ ଆଠ ବର୍ଷକୁ ବୃଦ୍ଧି କରିବା ଲାଗି ପ୍ରସ୍ତାବ ରଖିଛି।

ସେହିପରି ନୂଆ ବିଲରେ ସେବା ପ୍ରଦାନକାରୀ ପରିଚାଳକ କର୍ମଚାରୀଙ୍କ ପାଇଁ ବର୍ଦ୍ଧିତ ଦଣ୍ଡର ପ୍ରସ୍ତାବ ରହିଛି । ଏହି ଦଣ୍ଡ ବ୍ୟବସ୍ଥାକୁ ପାଞ୍ଚ ବର୍ଷରୁ ଅଧିକ ଏବଂ ସର୍ବାଧିକ ଦଶ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ । ଏଥିସହିତ ସର୍ବାଧିକ ଜରିମାନା ୧ କୋଟିରୁ ୫ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି ।

ସଂଗଠିତ ପରୀକ୍ଷା-ସମ୍ବନ୍ଧୀୟ ଅପରାଧଗୁଡ଼ିକୁ ଅଧିକ ପ୍ରଭାବଶାଳୀ ଭାବରେ ମୁକାବିଲା କରିବା ପାଇଁ, ସଂଶୋଧିତ ବିଲ୍ ସର୍ବନିମ୍ନ କାରାଦଣ୍ଡକୁ ପାଞ୍ଚ ବର୍ଷରୁ ସାତ ବର୍ଷକୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଛି, ଯାହାକୁ ଦଶ ବର୍ଷ ପର୍ଯ୍ୟନ୍ତ ମଧ୍ୟ ବୃଦ୍ଧି କରାଯାଇପାରିବ । ଏହାସହିତ ସର୍ବାଧିକ ଜରିମାନା ୧ କୋଟିରୁ ୧୦ କୋଟି ଟଙ୍କାକୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଛି ।

ଏହି ବିଲ୍ କେନ୍ଦ୍ର ସରକାରଙ୍କୁ ଆଇନ ଅନୁଯାୟୀ ଅପରାଧର ତଦନ୍ତକୁ ଏହି ଉଦ୍ଦେଶ୍ୟରେ ଗଠିତ ଏକ ସ୍ୱତନ୍ତ୍ର ଟାସ୍କ ଫୋର୍ସକୁ ପଠାଇବା ଲାଗି ଅଧିକ କ୍ଷମତା ପ୍ରଦାନ କରେ।

ତଦନ୍ତ ଏବଂ ବିଚାରକୁ ତୁରନ୍ତ ଶେଷ କରିବା ପାଇଁ ବିଲରେ ଏକ ନୂତନ ଧାରା ୧୨କ ସଂଯୋଜିତ କରାଯାଇଛି । ଏହି ଧାରାରେ ରହିଥିବା ପ୍ରସ୍ତାବ ମୁତାବକ ଦୁଇ ମାସ ମଧ୍ୟରେ ତଦନ୍ତ ସମାପ୍ତ କରିବା, ଆଇନ ଅନୁଯାୟୀ ଅପରାଧର ଦୈନନ୍ଦିନ ବିଚାର ପାଇଁ ସେସନ୍ସ କୋର୍ଟଗୁଡ଼ିକୁ ସ୍ୱତନ୍ତ୍ର ଫାଷ୍ଟ ଟ୍ରାକ୍ କୋର୍ଟ ଭାବରେ ନିଯୁକ୍ତ କରିବା, ଚାର୍ଜସିଟ୍ ଦାଖଲ ହେବାର ତାରିଖରୁ ତିନି ମାସ ମଧ୍ୟରେ ବିଚାର ସମାପ୍ତ କରିବା ଏବଂ ପ୍ରତ୍ୟେକ ସ୍ୱତନ୍ତ୍ର ଫାଷ୍ଟ ଟ୍ରାକ୍ କୋର୍ଟ ପାଇଁ ସ୍ୱତନ୍ତ୍ର ସରକାରୀ ଓକିଲଙ୍କ ନିଯୁକ୍ତି ପାଇଁ ବ୍ୟବସ୍ଥା କରାଯାଇଛି ।

ବିଲ୍‌ରେ ଏକ ନୂତନ ଧାରା ୧୨ବିକୁ ଅନ୍ତର୍ଭୁକ୍ତ କରିବା ଲାଗି ପ୍ରସ୍ତାବ ମଧ୍ୟ ଦିଆଯାଇଛି ଯାହା ଅନୁଯାୟୀ, ଏକ ସ୍ୱତନ୍ତ୍ର ଫାଷ୍ଟ ଟ୍ରାକ୍ କୋର୍ଟର ଯେକୌଣସି ରାୟ, ଆଦେଶ କିମ୍ବା ଦଣ୍ଡ ବିରୁଦ୍ଧରେ ତିରିଶ ଦିନ ମଧ୍ୟରେ ହାଇକୋର୍ଟରେ ଆବେଦନ କରାଯାଇପାରିବ ଏବଂ ଯଥାଶୀଘ୍ର ସମ୍ଭବ ତିନି ମାସ ମଧ୍ୟରେ ମାମଲାର ସମାଧାନ କରାଯିବ ।

୧୨ ଫେବୃଆରୀ ୨୦୨୪ ରେ ପ୍ରଣୀତ ଏବଂ ୨୧ ଜୁନ୍ ୨୦୨୪ ରୁ କାର୍ଯ୍ୟକାରୀ ହୋଇଥିବା ଲୋକ ପରୀକ୍ଷା (ଅସାଧୁ ଉପାୟ ନିବାରଣ) ଆଇନ, ୨୦୨୪ ସାର୍ବଜନୀନ ପରୀକ୍ଷାରେ ଅସାଧୁ ଉପାୟ ଅବଲମ୍ବନକୁ ରୋକିବା ପାଇଁ ଏକ ବ୍ୟାପକ ଜାତୀୟ ଆଇନଗତ ଢାଞ୍ଚା ପ୍ରଦାନ କରିଛି । ଏହି ଆଇନ କେନ୍ଦ୍ର ଲୋକ ସେବା ଆୟୋଗ (ୟୁପିଏସସି), କର୍ମଚାରୀ ଚୟନ ଆୟୋଗ (ଏସଏସସି), ରେଳବାଇ ନିଯୁକ୍ତି ବୋର୍ଡ (ଆରଆରବି), ଇନଷ୍ଟିଚ୍ୟୁଟ୍ ଅଫ୍ ବ୍ୟାଙ୍କିଙ୍ଗ୍ ପର୍ସନାଲ ସିଲେକ୍ସନ୍ (ଆଇବିପିଏସ), ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସି (ଏନଟିଏ), କେନ୍ଦ୍ର ସରକାରଙ୍କ ମନ୍ତ୍ରଣାଳୟ ଓ ବିଭାଗ ଏବଂ ନିଯୁକ୍ତି ପାଇଁ ସେମାନଙ୍କର ସଂଲଗ୍ନ ତଥା ଅଧୀନସ୍ଥ କାର୍ଯ୍ୟାଳୟ ଏବଂ କେନ୍ଦ୍ର ସରକାରଙ୍କ ଦ୍ୱାରା ଅଧିସୂଚିତ ଅନ୍ୟାନ୍ୟ କର୍ତ୍ତୃପକ୍ଷଗୁଡ଼ିକ ଦ୍ୱାରା ପରିଚାଳିତ ପରୀକ୍ଷାଗୁଡ଼ିକ ପାଇଁ ପ୍ରଯୁଜ୍ୟ ହୋଇଥାଏ। ଏହି ଆଇନ ଅଧୀନରେ ସମସ୍ତ ଅପରାଧ ମାମଲାରେ ପୁଲିସ ବିନା ୱାରେଣ୍ଟରେ ଗିରଫଦାରୀ କରିପାରିବ । ଏସବୁ ଅପରାଧ ଜାମିନବିହୀନ ଏବଂ ଅଣସାଲିସଯୋଗ୍ୟ ଅଟେ । ଏଥିରେ କାରାଦଣ୍ଡ, ଜୋରିମାନା ଏବଂ ସମ୍ପତ୍ତି ବ୍ୟାଜାପ୍ତି ବ୍ୟବସ୍ଥା ରହିଛି । 

ପ୍ରସ୍ତାବିତ ସଂଶୋଧନଗୁଡ଼ିକ ପରୀକ୍ଷା ସମ୍ବନ୍ଧୀୟ ଅନିୟମିତତା, ଯେପରିକି ପ୍ରଶ୍ନପତ୍ର ପ୍ରଘଟ, ନକଲ କରିବା ଏବଂ ସଂଗଠିତ ଜାଲିଆତିକୁ ରୋକିବା ପାଇଁ ଆଇନଗତ ଢାଞ୍ଚାକୁ ଆହୁରି ମଜବୁତ କରିବ ବୋଲି ଆଶା କରାଯାଉଛି । ଏହା ସହିତ ଦ୍ରୁତ ତଦନ୍ତ, ତ୍ୱରିତ ବିଚାର ଏବଂ ଆବେଦନର ସମୟବଦ୍ଧ ସମାଧାନ ସୁନିଶ୍ଚିତ କରିବ। ଏଭଳି ଅପରାଧ ବିରୁଦ୍ଧରେ ପ୍ରତିରୋଧ ବ୍ୟବସ୍ଥାକୁ ସୁଦୃଢ଼ କରି ଏବଂ ତୁରନ୍ତ ନ୍ୟାୟ ପ୍ରଦାନ ସୁନିଶ୍ଚିତ କରି, ସଂଶୋଧିତ ବିଲ୍ ସାର୍ବଜନୀନ ପରୀକ୍ଷାର ବିଶ୍ୱସନୀୟତା, ନିରପେକ୍ଷତା ଏବଂ ସ୍ୱଚ୍ଛତାକୁ ବଜାୟ ରଖିବାରେ ସହାୟକ ହେବ । ଏହାମଧ୍ୟ ଯୋଗ୍ୟ ଏବଂ ମେଧାବୀ ପ୍ରାର୍ଥୀଙ୍କ ସ୍ୱାର୍ଥକୁ ସୁରକ୍ଷା ଦେବା ସହିତ ଦେଶର ସାର୍ବଜନୀନ ପରୀକ୍ଷା ବ୍ୟବସ୍ଥାର ସାଧୁତା, ନିରପେକ୍ଷତା ଏବଂ ସ୍ୱଚ୍ଛତା ପ୍ରତି ଜନସାଧାରଣଙ୍କ ବିଶ୍ୱାସକୁ ମଜବୁତ କରିବ ।

*****

PS/Swadhin/Manoj

 

 

 

 

 

 


(रिलीज़ आईडी: 2290217) आगंतुक पटल : 8
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Gujarati , Tamil , Kannada , Malayalam