ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଇଣ୍ଡୋନେସିଆ ସଂସଦକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ
प्रविष्टि तिथि:
07 JUL 2026 5:14PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜାକର୍ତ୍ତାଠାରେ ଇଣ୍ଡୋନେସିଆ ସଂସଦକୁ ସମ୍ବୋଧିତ କରିଛନ୍ତି। ଇଣ୍ଡୋନେସିଆ ସଂସଦକୁ ସମ୍ବୋଧିତ କରିବାରେ ସେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ।
ପ୍ରଧାନମନ୍ତ୍ରୀ ନିଜ ଅଭିଭାଷଣର ଆରମ୍ଭରେ ଇଣ୍ଡୋନେସିଆର ରାଷ୍ଟ୍ରପତି ମହାମହିମ ପ୍ରବୋୱୋ ସୁବିଆଣ୍ଟୋଙ୍କୁ ତାଙ୍କର ସୌଜନ୍ୟପୂର୍ଣ୍ଣ ଉପସ୍ଥିତି ପାଇଁ ଏବଂ ଇଣ୍ଡୋନେସିଆ ସଂସଦର ବାଚସ୍ପତି ମହାମହିମ ପୁଆନ୍ ମହାରାଣୀଙ୍କୁ ତାଙ୍କର ଆନ୍ତରିକ ନିମନ୍ତ୍ରଣ ଓ ଭାରତ-ଇଣ୍ଡୋନେସିଆ ସହଭାଗିତାକୁ ସୁଦୃଢ଼ କରିବାରେ ଅର୍ଥପୂର୍ଣ୍ଣ ଅବଦାନ ପାଇଁ କୃତଜ୍ଞତା ଜଣାଇଥିଲେ। ଭାରତର ୧୪୦ କୋଟି ଜନତାଙ୍କ ପକ୍ଷରୁ ସଂସଦ ସଦସ୍ୟମାନଙ୍କୁ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଗଣତନ୍ତ୍ରର ଜନନୀ ଭାବେ ଭାରତ, ଇଣ୍ଡୋନେସିଆ ସହିତ ଗଣତାନ୍ତ୍ରିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବାକୁ ଆଗ୍ରହୀ। ଉଭୟ ଦେଶ ମଧ୍ୟରେ ଥିବା ଗଭୀର ସଭ୍ୟତାଗତ ଓ ସାମୁଦ୍ରିକ ସମ୍ପର୍କର ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦୁଇ ସହସ୍ରାବ୍ଦୀରୁ ଅଧିକ ସମୟ ଧରି ଭାରତ ମହାସାଗର ଭାରତ ଓ ଇଣ୍ଡୋନେସିଆକୁ ଚିନ୍ତାଧାରା, ବାଣିଜ୍ୟ, ସଂସ୍କୃତି ଏବଂ ଆଧ୍ୟାତ୍ମିକ ବିଶ୍ୱାସର ଆଦାନପ୍ରଦାନ ମାଧ୍ୟମରେ ସଂଯୋଗ କରିଆସିଛି। ‘ବସୁଧୈବ କୁଟୁମ୍ବକମ୍’ ଏବଂ ‘ଭିନ୍ନେକା ତୁଙ୍ଗାଲ୍ ଇକା’ (ବିବିଧତାରେ ଏକତା) ଭଳି ଉଭୟ ଦେଶର ସାଧାରଣ ଆଦର୍ଶର ଉଲ୍ଲେଖ କରି ସେ କହିଥିଲେ ଯେ, ଏହି ମୂଲ୍ୟବୋଧ ଆଜି ମଧ୍ୟ ଭାରତ-ଇଣ୍ଡୋନେସିଆ ସହଭାଗିତାକୁ ମାର୍ଗଦର୍ଶନ କରି ଚାଲିଛି। ସେ ଆହୁରି କହିଥିଲେ ଯେ, ମିଳିତ ଐତିହାସିକ ଯାତ୍ରା, ମିଳିତ ଚ୍ୟାଲେଞ୍ଜ ଏବଂ ଉଭୟ ଦେଶର ଜନସାଧାରଣଙ୍କ ସମାନ ଆକାଂକ୍ଷା ଭାରତ ଓ ଇଣ୍ଡୋନେସିଆକୁ ସ୍ୱାଭାବିକ ଏବଂ ବିଶ୍ୱସ୍ତ ସହଯୋଗୀ ଭାବେ ଏକାଠି କରିଛି।
ଭାରତର ବିକାଶ ଯାତ୍ରା ଏବଂ ‘ବିକଶିତ ଭାରତ ୨୦୪୭’ ଓ ‘ଗୋଲ୍ଡେନ୍ ଇଣ୍ଡୋନେସିଆ ୨୦୪୫ (ଇଣ୍ଡୋନେସିଆ ଏମାସ୍ ୨୦୪୫)’ର ଦୃଷ୍ଟିକୋଣ ମଧ୍ୟରେ ଥିବା ସାମଞ୍ଜସ୍ୟକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ବାଣିଜ୍ୟ, ପୁଞ୍ଜିନିବେଶ, ସଂଯୋଗ, ଖାଦ୍ୟ ଓ ଶକ୍ତି ସୁରକ୍ଷା, ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି ଏବଂ ଉଦୀୟମାନ ପ୍ରଯୁକ୍ତି କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ଅଧିକ ଗଭୀର ସହଯୋଗର ଆହ୍ୱାନ ଦେଇଥିଲେ। ସେ ବିଶ୍ୱ ଦକ୍ଷିଣ (ଗ୍ଲୋବାଲ ସାଉଥ୍)ର ସ୍ୱରକୁ ଆହୁରି ସୁଦୃଢ଼ କରିବା ଏବଂ ଏକ ମୁକ୍ତ, ଖୋଲା, ସମାବେଶୀ ଓ ନିୟମ-ଆଧାରିତ ଇଣ୍ଡୋ-ପାସିଫିକ୍ ଅଞ୍ଚଳ ଗଠନ ପାଇଁ ଇଣ୍ଡୋନେସିଆ ସହ କାର୍ଯ୍ୟ କରିବାକୁ ଭାରତର ପ୍ରତିବଦ୍ଧତାକୁ ମଧ୍ୟ ପୁନଃ ଦୋହରାଇଥିଲେ। ଶତାବ୍ଦୀ ପୁରୁଣା ସଭ୍ୟତାଗତ ସମ୍ପର୍କକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଦ୍ୱିପାକ୍ଷିକ ସହଯୋଗ ପାଇଁ ‘ଗଙ୍ଗା–ମହାକମ୍ ଭିଜନ୍’ ଆଧାରରେ ଭାରତ-ଇଣ୍ଡୋନେସିଆ ସମ୍ପର୍କର ଏକ ନୂତନ ଅଧ୍ୟାୟର ଆହ୍ୱାନ ଦେଇଥିଲେ। ଏହି ଦୃଷ୍ଟିକୋଣର ଅଂଶ ସ୍ୱରୂପ ସେ କହିଥିଲେ ଯେ, ଉଭୟ ଦେଶ ସେମାନଙ୍କର ସଭ୍ୟତାଗତ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା, ପରସ୍ପର ସହ ବିକାଶର ଅନୁଭୂତି ବାଣ୍ଟିବା, ସୁରକ୍ଷା ଏବଂ ରଣନୀତିଗତ ବିଶ୍ୱାସକୁ ସଶକ୍ତ କରିବା, ସାମୁଦ୍ରିକ ସମୃଦ୍ଧି ପାଇଁ ମିଳିତ ଭାବେ କାର୍ଯ୍ୟ କରିବା ଏବଂ ବିଶ୍ୱ ଦକ୍ଷିଣର ସ୍ୱରକୁ ଆହୁରି ଶକ୍ତିଶାଳୀ କରିବା ଉଚିତ୍।
ଏହି ଅଭିଭାଷଣ ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ଥିବା ସ୍ଥାୟୀ ସଭ୍ୟତାଗତ ବନ୍ଧନ ଏବଂ ସହଭାଗୀ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ପୁନଃ ଉଜାଗର କରିବା ସହ ଉଭୟ ଦେଶ ମଧ୍ୟରେ ଥିବା ବ୍ୟାପକ ରଣନୀତିଗତ ସହଭାଗିତାକୁ ଆହୁରି ଗଭୀର କରିବା ପ୍ରତି ସେମାନଙ୍କର ଦୃଢ଼ ପ୍ରତିବଦ୍ଧତାକୁ ପୁନଃ ଦୋହରାଇଥିଲା।
*****
MT
(रिलीज़ आईडी: 2285333)
आगंतुक पटल : 27
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam