ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଜି-୭ ଶିଖର ସମ୍ମିଳନୀର ‘ନିରାପଦ, ଦ୍ରୁତ ଏବଂ ଦକ୍ଷ ଏଆଇ କାର୍ଯ୍ୟକାରିତା ସୁନିଶ୍ଚିତ କରିବା’ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟର ଓଡ଼ିଆ ଅନୁବାଦ
प्रविष्टि तिथि:
17 JUN 2026 9:20PM by PIB Bhubaneswar
ମହାମହିମ,
ଆମର ଆଲୋଚନାରେ ଏହି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ସାମିଲ କରିଥିବାରୁ ମୋର ବନ୍ଧୁ ରାଷ୍ଟ୍ରପତି ମାକ୍ରୋନଙ୍କୁ ମୁଁ ଅଭିନନ୍ଦନ ଜଣାଉଛି। ଏଥିରେ କୌଣସି ସନ୍ଦେହ ନାହିଁ ଯେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ମାନବଜାତି ଦ୍ୱାରା ସୃଷ୍ଟି ହୋଇଥିବା ସବୁଠାରୁ ପରିବର୍ତ୍ତନକାରୀ ପ୍ରଯୁକ୍ତିବିଦ୍ୟାଗୁଡ଼ିକ ମଧ୍ୟରୁ ଅନ୍ୟତମ।
ଆଜି ମାନବ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା କୃତ୍ରିମ ବୁଦ୍ଧିମତ୍ତାର ପ୍ରଭାବରୁ ବଞ୍ଚିତ ରହିଛି। ଏଆଇ ବୈଜ୍ଞାନିକ ଗବେଷଣାକୁ ଅଭୂତପୂର୍ବ ଗତିରେ ତ୍ୱରାନ୍ୱିତ କରୁଛି। ଏହା ଶାସନ ବ୍ୟବସ୍ଥାକୁ ଅଧିକ ପ୍ରଭାବଶାଳୀ ଏବଂ ଜନମୁଖୀ କରୁଥିବା ବେଳେ ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ଉତ୍ପାଦନ ଭଳି କ୍ଷେତ୍ରଗୁଡ଼ିକୁ ମଧ୍ୟ ସଶକ୍ତ କରୁଛି।
ତେବେ, ଏଆଇର ପ୍ରକୃତ ମାପକାଠି, ଆମର ମେସିନଗୁଡ଼ିକ କେତେ ଶକ୍ତିଶାଳୀ ହେଉଛି, ତାହା ନୁହେଁ; ବରଂ ଏହା ସାଧାରଣ ଲୋକଙ୍କୁ କେତେ ସଶକ୍ତ କରୁଛି, ତାହା ହିଁ ଏହାର ପ୍ରକୃତ ମାପକାଠି। ଏହି ବିଶ୍ୱାସ ସହ ଭାରତ ଚଳିତ ବର୍ଷ ଆୟୋଜିତ ଏଆଇ ଇମ୍ପାକ୍ଟ ସମ୍ମିଳନୀରେ ମାନବ-କେନ୍ଦ୍ରିକ ଏଆଇର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲା। ଏହି ସମ୍ମିଳନୀରେ ଭାରତ ତାହାର ‘ମାନବ (MANAV)’ ଦୃଷ୍ଟିକୋଣ ଉପସ୍ଥାପନ କରିଥିଲା, ଯାହା ଏଆଇ କ୍ଷେତ୍ରରେ ଭାରତର ସମସ୍ତ ପ୍ରୟାସକୁ ମାର୍ଗଦର୍ଶନ କରୁଛି।
ସମ୍ପ୍ରତି ପରମପୂଜ୍ୟ ପୋପ୍ ତାଙ୍କର ଏଆଇ ସମ୍ପର୍କିତ ବାର୍ତ୍ତାରେ କହିଥିଲେ ଯେ, ମାନବୀୟ ମୂଲ୍ୟବୋଧ, ସମାବେଶୀକରଣ ଏବଂ ଅର୍ଥପୂର୍ଣ୍ଣ ମାନବୀୟ ନିୟନ୍ତ୍ରଣ ଏଆଇ ବିକାଶର ମୂଳଦୁଆ ଗଠନ କରିବା ଉଚିତ। ଭାରତର ‘ମାନବ’ ଦୃଷ୍ଟିକୋଣ ଏବଂ ପରମପୂଜ୍ୟଙ୍କ ବାର୍ତ୍ତା ଉଭୟ ଏକ ମୌଳିକ ବିଶ୍ୱାସକୁ ପ୍ରତିଫଳିତ କରେ। ପ୍ରଯୁକ୍ତିବିଦ୍ୟା ଯେତେ ଉନ୍ନତ ହେଉ ନା କାହିଁକି, ତାହାର କେନ୍ଦ୍ରବିନ୍ଦୁରେ ସର୍ବଦା ମଣିଷ ରହିବା ଆବଶ୍ୟକ।
ବନ୍ଧୁଗଣ,
ଏଆଇର ପ୍ରଚଳନ ସମୟରେ ଶିଶୁମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଅତ୍ୟନ୍ତ ଜରୁରୀ। ଏଆଇ ଶିଶୁମାନଙ୍କୁ ସେମାନଙ୍କର ମାତୃଭାଷାରେ ଶିକ୍ଷା ପ୍ରଦାନ କରିପାରିବ, ସେମାନଙ୍କର ସୃଜନଶୀଳତାକୁ ବୃଦ୍ଧି କରିପାରିବ ଏବଂ ଶିକ୍ଷାକୁ ଅଧିକ ବ୍ୟକ୍ତିଗତ ଓ ପ୍ରଭାବଶାଳୀ କରିପାରିବ। କିନ୍ତୁ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ନ ଥିଲେ ଏହି ସମାନ ପ୍ରଯୁକ୍ତିବିଦ୍ୟା ସେମାନଙ୍କୁ ଭ୍ରାନ୍ତ ସୂଚନା, ଡିପ୍ଫେକ୍ ଏବଂ ଶୋଷଣ ଭଳି ବିପଦର ସମ୍ମୁଖୀନ କରିପାରେ।
ଏହି ଦୁଇଟି ପରିସ୍ଥିତି ମଧ୍ୟରେ ପାର୍ଥକ୍ୟ ପ୍ରଯୁକ୍ତିବିଦ୍ୟାରେ ନୁହେଁ; ବରଂ ଏହା ନିର୍ଭର କରେ ଆମର ମୂଲ୍ୟବୋଧ, ଡିଜାଇନ୍ ଚୟନ ଏବଂ ଶାସନ ବ୍ୟବସ୍ଥା ଉପରେ। ଯାହା ଏହାର ବ୍ୟବହାରକୁ ପରିଚାଳିତ କରେ। ଆମକୁ ସୁନିଶ୍ଚିତ କରିବାକୁ ହେବ ଯେ, ଡିଜିଟାଲ ପରିସର ଶିଶୁମାନଙ୍କ ପାଇଁ ଶିକ୍ଷା ଓ ବିକାଶର ମଞ୍ଚ ହେଉ, କୌଣସି ପ୍ରକାରର ପ୍ରଭାବିତ କିମ୍ବା ଭ୍ରମିତ କରିବାର ଉପକରଣ ନୁହେଁ।
ବନ୍ଧୁଗଣ,
ଅତ୍ୟାଧୁନିକ ଏଆଇ ମଡେଲଗୁଡ଼ିକ ସାଇବର ସୁରକ୍ଷା କ୍ଷେତ୍ରରେ ଅଭୂତପୂର୍ବ ସୁଯୋଗ ସୃଷ୍ଟି କରୁଛି। କିନ୍ତୁ ଯେପର୍ଯ୍ୟନ୍ତ ସମସ୍ତ ଦେଶ ସାଇବର ପରିସରରେ ସୁରକ୍ଷିତ ନ ହେବେ, ସେପର୍ଯ୍ୟନ୍ତ କୌଣସି ଦେଶ ପ୍ରକୃତରେ ସୁରକ୍ଷିତ ହୋଇପାରିବ ନାହିଁ। ସେଥିପାଇଁ ଭାରତ ସର୍ବଦା ସାଇବର ପରିସରକୁ ଏକ ବିଶ୍ୱ ଜନକଲ୍ୟାଣମୂଳକ ସମ୍ପଦ ଭାବେ ଦେଖିଆସିଛି। ତେଣୁ ଏହି ଗୁରୁତ୍ୱପୂର୍ଣ୍ଣ ଏଆଇ ପ୍ରଯୁକ୍ତିବିଦ୍ୟାଗୁଡ଼ିକର ସୁବିଧା ବ୍ୟାପକ ଏବଂ ସମାବେଶୀ ହେବା ଆବଶ୍ୟକ। ଗଣତାନ୍ତ୍ରିକ ରାଷ୍ଟ୍ରଗୁଡ଼ିକ ଏହିପରି ଏଆଇ ମଡେଲଗୁଡ଼ିକର ସୁବିଧା ପାଇବା ଉଚିତ, ଯାହାଦ୍ୱାରା ସେମାନେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ସୂଚନା ଭିତ୍ତିଭୂମିର ସୁରକ୍ଷା କରିବା ସହ ବଢ଼ୁଥିବା ସାଇବର ବିପଦର ପ୍ରଭାବଶାଳୀ ଭାବରେ ମୁକାବିଲା କରିପାରିବେ।
ବନ୍ଧୁଗଣ,
ସୁରକ୍ଷା, ଗତି ଏବଂ ଦକ୍ଷତା ମଧ୍ୟରେ ସନ୍ତୁଳନ ରକ୍ଷା କରି ଏକ ସମନ୍ୱିତ ଆଭିମୁଖ୍ୟ ସହ ଆଗକୁ ବଢ଼ିବା ପାଇଁ ମୁଁ କିଛି ପ୍ରସ୍ତାବ ରଖିବାକୁ ଚାହେଁ।
ପ୍ରଥମରେ, ଆମେ ‘ସେଫ୍-ବାଇ-ଡିଜାଇନ୍’ ଏଆଇ ସିଷ୍ଟମଗୁଡ଼ିକୁ ପ୍ରୋତ୍ସାହିତ କରିବା ଉଚିତ। ସୁରକ୍ଷାକୁ ପରବର୍ତ୍ତୀ ଚିନ୍ତାଧାରା କିମ୍ବା ଅତିରିକ୍ତ ବୈଶିଷ୍ଟ୍ୟ ଭାବରେ ବ୍ୟବହାର କରାଯିବା ଉଚିତ୍ ନୁହେଁ, ବରଂ ଏଆଇର ଆରମ୍ଭରୁ ଏହାର ଡିଜାଇନ୍ର ଏକ ମୌଳିକ ଅଂଶ ଭାବେ ଗ୍ରହଣ କରିବା ଆବଶ୍ୟକ।
ଦ୍ୱିତୀୟରେ, ଏଆଇର କାର୍ଯ୍ୟକାରିତା ପାଇଁ ଆମକୁ ସାଧାରଣ ମାନଦଣ୍ଡ, ପରୀକ୍ଷଣ ଢାଞ୍ଚା ଏବଂ ନିୟାମକ ସ୍ୟାଣ୍ଡବକ୍ସ ବିକଶିତ କରିବା ଉଚିତ, ଯାହାଦ୍ୱାରା ନବସୃଜନ ଓ ଶାସନ ବ୍ୟବସ୍ଥା ଏକାସାଙ୍ଗରେ ଆଗକୁ ବଢ଼ିପାରିବ। ବେସାମରିକ ବିମାନ ଚଳାଚଳ ଏବଂ ସାମୁଦ୍ରିକ ପରିବହନ ଏହାର ଉତ୍ତମ ଉଦାହରଣ, ଯେଉଁଠାରେ ବିଶ୍ୱ ସଫଳତାର ସହ ସାଧାରଣ ବୈଶ୍ୱିକ ନିୟମ ପ୍ରଣୟନ କରିଛି, ଯାହା ସମସ୍ତ ଦେଶକୁ ଲାଭ ପହଞ୍ଚାଇଛି। ଏଆଇର ଦାୟିତ୍ୱପୂର୍ଣ୍ଣ ବିକାଶ ଓ କାର୍ଯ୍ୟକାରିତା ପାଇଁ ଆମେ ମଧ୍ୟ ସେହିପରି ଶିକ୍ଷା ଗ୍ରହଣ କରିପାରିବା।
ତୃତୀୟରେ, ଡିପ୍ଫେକ୍, ଭ୍ରାନ୍ତ ସୂଚନା ଏବଂ ସାଇବର ଠକେଇର ମୁକାବିଲା ପାଇଁ ବୈଶ୍ୱିକ ସହଯୋଗକୁ ସୁଦୃଢ଼ କରିବା ଆବଶ୍ୟକ। ଏଆଇ ଦ୍ୱାରା ସୃଷ୍ଟ ବିଷୟବସ୍ତୁକୁ ଚିହ୍ନଟ କରିବା ଏବଂ ଡିପ୍ଫେକ୍ ଜନିତ ବିପଦକୁ ହ୍ରାସ କରିବା ପାଇଁ ଡିଜିଟାଲ ୱାଟରମାର୍କିଂ ଏବଂ କଣ୍ଟେଣ୍ଟ ପ୍ରାମାଣିକତା ଉପକରଣ ଭଳି ପ୍ରଯୁକ୍ତିର ବ୍ୟବହାରକୁ ପ୍ରୋତ୍ସାହିତ କରିବା ଉଚିତ।
ଚତୁର୍ଥରେ, ଆମକୁ ସୁନିଶ୍ଚିତ କରିବାକୁ ହେବ ଯେ, ଏଆଇର ସୁଫଳ ବିଶ୍ୱ ଦକ୍ଷିଣ (ଗ୍ଲୋବାଲ ସାଉଥ୍)ର ସମସ୍ତ ଦେଶରେ ପହଞ୍ଚୁ। ବିଦ୍ୟମାନ ବୈଷମ୍ୟକୁ ବଢ଼ାଇବାର ମାଧ୍ୟମ ନ ହୋଇ, ଏଆଇ ସମାବେଶୀ ବିକାଶ ଏବଂ ସାମୂହିକ ପ୍ରଗତିର ଏକ ଶକ୍ତି ହେବା ଉଚିତ।
ବନ୍ଧୁଗଣ,
ଏଆଇ ପ୍ରତି ଆମର ଆଭିମୁଖ୍ୟ ଏବଂ ନୀତି ସ୍ପଷ୍ଟ ହେବା ଆବଶ୍ୟକ। ଏଆଇ ମାନବ ସାମର୍ଥ୍ୟର ବିକାଶ କରିବା, ଲୋକମାନଙ୍କୁ ସୂଚିନ୍ତିତ ନିଷ୍ପତ୍ତି ନେବାରେ ସଶକ୍ତ କରିବା ଏବଂ ମାନବୀୟ ମର୍ଯ୍ୟାଦାର ସୁରକ୍ଷା କରିବା ଉଚିତ। ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଭାରତ ସମସ୍ତ ସହଯୋଗୀଙ୍କ ସହ ନିରନ୍ତର ସହଯୋଗ ଏବଂ ସମନ୍ୱୟ ଜାରି ରଖିବ।
ଆପଣମାନଙ୍କୁ ଅନେକ ଧନ୍ୟବାଦ।
ସ୍ୱିକାରୋକ୍ତି: ଏହା ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟର ଆନୁମାନିକ ଅନୁବାଦ। ମୂଳ ବକ୍ତବ୍ୟ ହିନ୍ଦୀ ଭାଷାରେ ପ୍ରଦାନ କରାଯାଇଥିଲା।
*****
MT
(रिलीज़ आईडी: 2283176)
आगंतुक पटल : 14
इस विज्ञप्ति को इन भाषाओं में पढ़ें:
English
,
हिन्दी
,
Manipuri
,
Urdu
,
Bengali
,
Assamese
,
Punjabi
,
Gujarati
,
Telugu
,
Kannada
,
Malayalam