ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ୟାରିସରେ ଭାରତୀୟ ସମୁଦାୟକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 18 JUN 2026 11:39PM by PIB Bhubaneswar

ପ୍ରଧାନମନ୍ତ୍ରୀ ୧୮ ଜୁନ୍ ୨୦୨୬ରେ ପ୍ୟାରିସରେ ଆୟୋଜିତ ଭାରତୀୟ ସମ୍ପ୍ରଦାୟର ଏକ ବିଶାଳ ସମାବେଶକୁ ସମ୍ବୋଧିତ କରିଥିଲେ। କାର୍ଯ୍ୟକ୍ରମସ୍ଥଳରେ ପହଞ୍ଚିବା ପରେ, ପ୍ରବାସୀ ଭାରତୀୟମାନେ ପ୍ରଧାନମନ୍ତ୍ରୀଙ୍କୁ ଏକ ଭବ୍ୟ ଏବଂ ଆକର୍ଷଣୀୟ ସ୍ୱାଗତ ଜଣାଇଥିଲେ, ଯାହା ମାତୃଭୂମି ପ୍ରତି ସେମମାନଙ୍କର ଗଭୀର ସ୍ନେହ ଓ ଆତ୍ମୀୟତାର ପ୍ରତିଫଳନ ଥିଲା।

 

ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ, ଫ୍ରାନ୍ସର ବିଭିନ୍ନ କ୍ଷେତ୍ରରେ ଭାରତୀୟ ସମ୍ପ୍ରଦାୟର ଗୁରୁତ୍ୱପୂର୍ଣ୍ଣ ଅବଦାନ ଉପରେ ଆଲୋକପାତ କରିଥିଲେ। ସେ ଭାରତୀୟ ନବସୃଜନ ଏବଂ ଚିନ୍ତାଧାରାଗୁଡ଼ିକୁ ବିଶ୍ୱ ବଜାର ସହିତ ସଂଯୋଗ କରିବାରେ ଏବଂ ଭାରତ-ଫ୍ରାନ୍ସ ସ୍ୱତନ୍ତ୍ର ବିଶ୍ୱ ରଣନୈତିକ ସହଭାଗୀତାକୁ ଆଗକୁ ବଢ଼ାଇବାରେ ସେମାନଙ୍କର ପ୍ରମୁଖ ଭୂମିକାକୁ ମଧ୍ୟ ସ୍ୱୀକାର କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ, ଅଧିକ ସଂଖ୍ୟାରେ ଭାରତୀୟ ଛାତ୍ରଛାତ୍ରୀ, ବୃତ୍ତିଜୀବୀ ଓ ପର୍ଯ୍ୟଟକ ଫ୍ରାନ୍ସକୁ ଗନ୍ତବ୍ୟସ୍ଥଳ ଭାବେ ବାଛୁଥିବାରୁ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ପାରସ୍ପରିକ ଜନସମ୍ପର୍କ ବିସ୍ତାରିତ ହୋଇଛି। ଲୋକଙ୍କ ଯାତାୟାତକୁ ସୁଗମ କରିବା ପାଇଁ ନିଆଯାଇଥିବା ପଦକ୍ଷେପଗୁଡ଼ିକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ। ଫ୍ରାନ୍ସରେ ୟୁପିଆଇର ବିସ୍ତାର ବିଷୟରେ ବର୍ଣ୍ଣନା କରି କହିଥିଲେ ଯେ, ଏହା ଦୁଇ ଦେଶ ମଧ୍ୟରେ ପର୍ଯ୍ୟଟନକୁ ନୂତନ ଗତି ପ୍ରଦାନ କରିବ।

 

ପ୍ରଧାନମନ୍ତ୍ରୀ ଭାରତରେ ଘଟୁଥିବା ପରିବର୍ତ୍ତନକାରୀ ବିକାଶ ବିଷୟରେ ଆଲୋଚନା କରିଥିଲେ।  ସମାବେଶୀ ଅଭିବୃଦ୍ଧି, ମହିଳା-ନେତୃତ୍ୱାଧୀନ ବିକାଶ, ମାନବ-କୈନ୍ଦ୍ରିକ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଏବଂ ଅତ୍ୟାଧୁନିକ ପ୍ରଯୁକ୍ତି କ୍ଷେତ୍ରରେ ଦେଶର ପ୍ରଗତି ଉପରେ ସେ ଆଲୋକପାତ କରିଥିଲେ। ଗତ ୧୨ ବର୍ଷ ମଧ୍ୟରେ ଭାରତ ୨୫ କୋଟି ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରିଥିବା ସେ ଉଲ୍ଲେଖ କରିଥିଲେ। ବ୍ରିଟେନ ଓ ୟୁରୋପୀୟ ସଂଘ ସହ ସମ୍ପନ୍ନ ହୋଇଥିବା ବାଣିଜ୍ୟ ଚୁକ୍ତି ଭାରତୀୟ ଶ୍ରମିକ, କୃଷକ, ଉଦ୍ଭାବକ ଓ ଅନ୍ୟମାନଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବ ବୋଲି ସେ କହିଥିଲେ।

 

ନିସ୍‌ରେ ଆୟୋଜିତ ଭାରତ ଇନୋଭେଟ୍ସ ୨୦୨୬ଏବଂ ପ୍ୟାରିସର ଭିଭାଟେକ୍ ୨୦୨୬ରେ ଭାରତର ଅଂଶଗ୍ରହଣକୁ ଉଲ୍ଲେଖ କରି ସେ କହିଥିଲେ ଯେ, ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତ ବିଶ୍ୱ ସମୁଦାୟର ପସନ୍ଦଯୋଗ୍ୟ ଅଂଶୀଦାର ଭାବେ ଉଭା ହେଉଛି। ଭାରତ ଇନୋଭେଟ୍ସର ସଫଳତା ବିଷୟରେ ସେ କହିଥିଲେ ଯେ, ଏହି ମଞ୍ଚ ଉଦ୍ଭାବନ କୂଟନୀତିର ଏକ ଆଦର୍ଶ ମଡେଲ୍। ଏଭିଆନ୍‌ରେ ଆୟୋଜିତ ଜି-୭ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ତାଙ୍କ ଅଂଶଗ୍ରହଣ ସମ୍ପର୍କରେ କହିଥିଲେ ଯେ, ବିଶ୍ୱ ଦକ୍ଷିଣକୁ ସମାନ ଭାଗିଦାର ଭାବେ ସମ୍ମାନ ଦେଉଥିବା ବିଶ୍ୱାସଭିତ୍ତିକ ଆନ୍ତର୍ଜାତିକ ଭାଗିଦାରି ସୃଷ୍ଟି ପାଇଁ ଭାରତ ଦୃଢ଼ ଭାବେ ପ୍ରତିଶ୍ରୁତିବଦ୍ଧ। ଡିଜିଟାଲ ଯୁଗର ବିଭିନ୍ନ ଆହ୍ୱାନର ସମାଧାନ ଖୋଜିବାରେ ଭାରତର ପ୍ରତିଭା, ଦକ୍ଷତା ଓ ଉଦ୍ଭାବନ ସମଗ୍ର ବିଶ୍ୱକୁ ସହାୟତା କରୁଛି ବୋଲି ସେ କହିଥିଲେ। ସେ ପ୍ରବାସୀ ଭାରତୀୟମାନଙ୍କୁ ଭାରତର ଅଗ୍ରଗତିରେ ଅବଦାନ ରଖିବା ଏବଂ ବିକଶିତ ଭାରତଗଠନ ଯାତ୍ରାର ସହଭାଗୀ ହେବାକୁ ଆହ୍ୱାନ କରିଥିଲେ।

 

 

ଏହି କାର୍ଯ୍ୟକ୍ରମ ଭାରତ ଓ ଫ୍ରାନ୍ସ ମଧ୍ୟରେ ଥିବା ଦୃଢ଼ ପାରସ୍ପରିକ ଜନସମ୍ପର୍କର ପ୍ରତିଫଳନ ଥିଲା। ବିଶ୍ୱର ବିଭିନ୍ନ ପ୍ରାନ୍ତରେ ବସବାସ କରୁଥିବା ପ୍ରବାସୀ ଭାରତୀୟମାନଙ୍କର କଲ୍ୟାଣ, ସୁରକ୍ଷା, ସୁସ୍ଥତା ଓ ନିରନ୍ତର ସହଭାଗିତା ପ୍ରତି ଭାରତର ଅତୁଟ ପ୍ରତିବଦ୍ଧତାକୁ ଏହା ପୁନଃ ଦୃଢ଼ କରିଥିଲା।

 

*****

MT


(रिलीज़ आईडी: 2283159) आगंतुक पटल : 9
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Bengali , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam