ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି
azadi ka amrit mahotsav

୭,୧୪୫.୧୪ କୋଟି ଟଙ୍କା ବ୍ୟୟରେ କାନପୁର-କବରାଇ ଆକ୍ସେସ୍-କଣ୍ଟ୍ରୋଲ୍ଡ ରାଜପଥ ନିର୍ମାଣକୁ କ୍ୟାବିନେଟ୍‌ ମଞ୍ଜୁରୀ

ପୋଷ୍ଟ କରାଯିବା ଦିନାଙ୍କ: 01 JUL 2026 3:09PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସମ୍ପର୍କିତ କ୍ୟାବିନେଟ୍ କମିଟି (ସିସିଇଏ) ଆଜି ଜାତୀୟ ରାଜପଥ (ଓ) କାର୍ଯ୍ୟକ୍ରମ ଅଧୀନରେ ଭୋପାଳ-କାନପୁର ଅର୍ଥନୈତିକ କରିଡରର ଏକ ପ୍ରମୁଖ ଅଂଶ ରୂପେ, ୧୧୭.୭ କିଲୋମିଟର ଦୀର୍ଘ କାନପୁର-କବରାଇ ଆକ୍ସେସ-କଣ୍ଟ୍ରୋଲ୍ଡ ଗ୍ରୀନଫିଲ୍ଡ ହାଇୱେର ନିର୍ମାଣକୁ ମଞ୍ଜୁରୀ ଦେଇଛନ୍ତି। ଏହା ଏକ ଚାରି-ଲେନ୍ ବିଶିଷ୍ଟ ନିୟନ୍ତ୍ରିତ ପ୍ରବେଶ (ଆକ୍ସେସ-କଣ୍ଟ୍ରୋଲ୍ଡ) କରିଡର ହେବ, ଯାହାକୁ ଭବିଷ୍ୟତରେ ଛଅ-ଲେନ୍ କରିବା ପାଇଁ ଡିଜାଇନ୍ କରାଯାଇଛି। ୭,୧୪୫.୧୪ କୋଟି ଟଙ୍କାର ଆନୁମାନିକ ମୋଟ ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ଏହି ପ୍ରକଳ୍ପକୁ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ଦ୍ୱାରା ବିଓଟି ଟୋଲ୍‌ ମୋଡ୍‌ରେ କାର୍ଯ୍ୟକାରୀ କରାଯିବ, ଏହା ସହିତ ଏନଏଚ-୩୪ ର ବିଦ୍ୟମାନ କାନପୁର-କବରାଇ ସେକ୍ସନର ପରିଚାଳନା ଏବଂ ରକ୍ଷଣାବେକ୍ଷଣ ଦାୟିତ୍ୱ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ରହିବ।

ଏହି ପ୍ରକଳ୍ପ କାନପୁର ଏବଂ କବରାଇ ମଧ୍ୟରେ ସହଜ ଓ ଉଚ୍ଚ-ଗତିସମ୍ପନ୍ନ ସଂଯୋଗୀକରଣ ପ୍ରଦାନ କରିବ। ଏଥିସହ ସାଗର, ଭୋପାଳ ଏବଂ ମଧ୍ୟପ୍ରଦେଶର ଅନ୍ୟାନ୍ୟ ଅଞ୍ଚଳକୁ ପରବର୍ତ୍ତୀ ଯାତାୟାତ ସଂଯୋଗକୁ ସୁଦୃଢ଼ କରିବ। ଏହାଦ୍ୱାରା ଉତ୍ତର ପ୍ରଦେଶର ଶିଳ୍ପ ଓ ବାଣିଜ୍ୟିକ କେନ୍ଦ୍ରଗୁଡ଼ିକୁ ମଧ୍ୟପ୍ରଦେଶର ଖଣିଜ ସମୃଦ୍ଧ, ଉତ୍ପାଦନ ତଥା କୃଷି ପ୍ରଧାନ ଅଞ୍ଚଳଗୁଡ଼ିକ ସହିତ ଯୋଡ଼ୁଥିବା ଏକ ଆଧୁନିକ ଆକ୍ସେସ କଣ୍ଟ୍ରୋଲ୍ଡ ଅର୍ଥନୈତିକ କରିଡର ସୃଷ୍ଟି ହେବ ଏବଂ ଏଥିରେ ଉନ୍ନତି ଆସିବ।

ଘଣ୍ଟାପ୍ରତି ୮୦ ରୁ ୧୦୦ କିଲୋମିଟର ବେଗରେ ଯାନବାହାନ ଚଳାଚଳ ପାଇଁ ଡିଜାଇନ୍ କରାଯାଇଥିବା ଏହି କରିଡର, କାନପୁର ଏବଂ କବରାଇ ମଧ୍ୟରେ ଯାତ୍ରା ସମୟକୁ ୩.୫ ଘଣ୍ଟାରୁ ୧.୫ ଘଣ୍ଟାକୁ (୫୮%) ହ୍ରାସ କରିବ। ଏହା ସହିତ ସଡ଼କ ସୁରକ୍ଷାରେ ସୁଧାର ଆଣିବ, ଗାଡ଼ି ଚଳାଚଳ ଖର୍ଚ୍ଚ ହ୍ରାସ କରିବ ଏବଂ ଯାତ୍ରୀ ଓ ମାଲ୍ ପରିବହନର ଦକ୍ଷ ଚଳାଚଳକୁ ସହଜ କରିବ। ଏହି ପ୍ରକଳ୍ପ ଏନଏଚ୍‌-୩୪, ଏନଏଚ୍‌-୩୫, ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ, କାନପୁର ରିଙ୍ଗ ରୋଡ୍ ଏବଂ ରାଜ୍ୟ ରାଜପଥ ୪୬, ୯୧, ୧୦ଖ ଓ ୪୨ ସହିତ ରଣନୀତିକ ସଂଯୋଗ ପ୍ରଦାନ କରିବ, ଯାହାଦ୍ୱାରା ଆଞ୍ଚଳିକ ରାଜପଥ ନେଟୱର୍କ ସହିତ ଏହାର ସମନ୍ୱୟ ସୁଦୃଢ଼ ହେବ। ଏହି କରିଡର କବରାଇ ଖଣି ଅଞ୍ଚଳକୁ ସଂଯୋଗୀକରଣକୁ ଅଧିକ ମଜଭୁତ କରିବ, ଯାହା ଖଣିଜ ପଦାର୍ଥ, ଶିଳ୍ପ ସାମଗ୍ରୀ, ନିର୍ମାଣ ସାମଗ୍ରୀ ଏବଂ କୃଷି ଜାତ ଦ୍ରବ୍ୟର ପରିବହନକୁ ସହଜ କରିବ। ଏହାଦ୍ୱାରା ଲଜିଷ୍ଟିକ୍ସ ଦକ୍ଷତା, ଯୋଗାଣ ଶୃଙ୍ଖଳାର ସୁଦୃଢ଼ତା ଏବଂ ଆଞ୍ଚଳିକ ଅର୍ଥନୈତିକ ବିକାଶ ବୃଦ୍ଧି ପାଇବ। 

ପିଏମ୍ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ ଅନୁସାରେ ପରିକଳ୍ପିତ ଏହି ପ୍ରକଳ୍ପ ଉନ୍ନାଓ, ବାନ୍ଥାର, ପାନଖି, ରାନିଆ, ଜୈନପୁର, ରୁମା, ଚକେରୀ, ସୁମେରପୁର ଏବଂ ଭୂରାଗଡ଼ ଶିଳ୍ପ କ୍ଷେତ୍ର ସମେତ ୧୬ ଟି ଅର୍ଥନୈତିକ କେନ୍ଦ୍ର ସହିତ ସଂଯୋଗୀକରଣକୁ ଉନ୍ନତ କରିବ, ଏବଂ ଏହା ଟ୍ରାନ୍ସ-ଗଙ୍ଗା ଇଣ୍ଟିଗ୍ରେଟେଡ୍ ଟାଉନସିପ୍, ଗ୍ରୋଥ୍ ସେଣ୍ଟର ଜୟପୁର, କାନପୁର ନଗର ନୋଡ୍ ଏବଂ ବେଙ୍ଗଲ୍ କେମିକାଲ୍ସ ଆଣ୍ଡ୍ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡ୍ ସହିତ ସଂଯୋଗୀକରଣକୁ ମଧ୍ୟ ସୁଦୃଢ଼ କରିବ। ଏହା ୯ଟି ସାମାଜିକ ନୋଡ ଯଥା ଫତେପୁର, ମହୋବା, କାନପୁର ପ୍ରାଣୀ ଉଦ୍ୟାନ, ବୁଦ୍ଧ ପାର୍କ, ଜେକେ ମନ୍ଦିର ଏବଂ ଉଦ୍ୟାନ, ରାଧା କୃଷ୍ଣ ମନ୍ଦିର, ସିଦ୍ଧେଶ୍ୱର ମହାଦେବ ମନ୍ଦିର, ଗୋପେଶ୍ୱର ମନ୍ଦିର ଏବଂ ମହୋବା ପର୍ଯ୍ୟଟନ ସ୍ଥଳ ଏବଂ ୧୦ ଲଜିଷ୍ଟିକ୍ସ ନୋଡ ଯଥା କାନପୁର, ଘଟମପୁର, ହମିରପୁର, ମହୋବା, କାବାଇ, ଭରୁଆ ସୁମେରପୁର ଏବଂ ବନ୍ଦାରେ ରେଳ ଷ୍ଟେସନ ସମେତ କାନପୁର, ଚକେରୀ ଏବଂ ଖଜୁରାହୋ ବିମାନବନ୍ଦର ସହିତ ସଂଯୋଗୀକରଣକୁ ମଧ୍ୟ ସୁଦୃଢ଼ କରିବ।

ସାମଗ୍ରିକଭାବେ ଏହା ପିଏମ୍ ଗତିଶକ୍ତିର ଉଦ୍ଦେଶ୍ୟଗୁଡ଼ିକୁ ଆଗକୁ ବଢ଼ାଇବା ସହିତ ବୁନ୍ଦେଲଖଣ୍ଡ ଏବଂ ଏହାର ସଂଲଗ୍ନ ଉତ୍ତର ପ୍ରଦେଶ ଓ ମଧ୍ୟପ୍ରଦେଶର ଅଞ୍ଚଳଗୁଡ଼ିକରେ ଲଜିଷ୍ଟିକ୍ସ ପ୍ରତିଦ୍ୱନ୍ଦ୍ୱିତା କ୍ଷମତା ବୃଦ୍ଧି, ଶିଳ୍ପ ବିକାଶ ଏବଂ ଅର୍ଥନୈତିକ ଅଭିବୃଦ୍ଧିରେ ସୁଧାର ଆଣିବ।

ଏହି ପ୍ରକଳ୍ପ ନିର୍ମାଣ ସମୟରେ ଲେନ୍ ପିଛା, କିଲୋମିଟର ପିଛା ପ୍ରାୟ ୧୧,୧୮୮ ପ୍ରତ୍ୟକ୍ଷ ଏବଂ ୧୩,୯୮୫ ପରୋକ୍ଷ ମାନବ-ଦିବସର ରୋଜଗାର ସୃଷ୍ଟି କରିବ ବୋଲି ଆଶା କରାଯାଉଛି। ଏଥିସହ ଆର୍ଥିକ ବର୍ଷ ୨୦୨୮ ସୁଦ୍ଧା ଏଠାରେ ଦୈନିକ ହାରାହାରି ବାର୍ଷିକ ଯାତାୟାତ ପ୍ରାୟ ୧୮,୦୬୯ ପାସେଞ୍ଜର କାର୍ ୟୁନିଟ୍ ହେବ ବୋଲି ପୂର୍ବାନୁମାନ କରାଯାଇଛି, ଯାହା ଏହାର ଦୀର୍ଘକାଳୀନ ଅର୍ଥନୈତିକ, ଲଜିଷ୍ଟିକ୍ସ ଏବଂ ପରିବହନ ଗୁରୁତ୍ୱକୁ ଦର୍ଶାଉଛି। ଏହିପରି ଭାବେ ପ୍ରସ୍ତାବିତ ପ୍ରକଳ୍ପଟି ସମୁଦାୟ ପ୍ରାୟ ୧.୨ କୋଟି ମାନବ-ଦିବସର ପ୍ରତ୍ୟକ୍ଷ ଏବଂ ପରୋକ୍ଷ ରୋଜଗାର ସୃଷ୍ଟି କରିବ।

 

 

TKM

 

 


(ରିଲିଜ ଆଡି: 2280150) ପରିଦର୍ଶକ କାଉଣ୍ଟର : 36