ପଞ୍ଚାୟତିରାଜ ମନ୍ତ୍ରଣାଳୟ
ପଞ୍ଚାୟତ ପ୍ରଗତି ସୂଚକାଙ୍କ ରିପୋର୍ଟର ଦ୍ୱିତୀୟ ସଂସ୍କରଣ ପ୍ରକାଶିତ
ଦେଶର ୩୬୩୫ଟି ପଞ୍ଚାୟତ ହାସଲ କରିଛନ୍ତି ଉଲ୍ଲେଖନୀୟ ଅଗ୍ରଗତି
ଓଡ଼ିଶାରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକର ପୋଚିଲିମାକୁ ସର୍ବଶ୍ରେଷ୍ଠ ପଞ୍ଚାୟତ ମାନ୍ୟତା
ପୋଷ୍ଟ କରାଯିବା ଦିନାଙ୍କ:
29 APR 2026 4:34PM by PIB Bhubaneswar
ଜାତୀୟ ପଞ୍ଚାୟତିରାଜ ଦିବସ ଉପଲକ୍ଷେ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ପଞ୍ଚାୟତ ପ୍ରଗତି ସୂଚକାଙ୍କ ରିପୋର୍ଟର ଦ୍ୱିତୀୟ ସଂସ୍କରଣ ପ୍ରକାଶ ପାଇଛି । ୨୦୨୩-୨୪ ଆର୍ଥିକ ବର୍ଷ ଲାଗି ପ୍ରକାଶ ପାଇଥିବା ଏହି ରିପୋର୍ଟରେ ଦେଶର ୩୬୩୫ଟି ପଞ୍ଚାୟତ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛନ୍ତି । ତୃଣମୂଳ ସ୍ତରର ପ୍ରଶାସନକୁ ସୁଦୃଢ଼ କରିବା ଏବଂ ସମାବେଶୀ ଗ୍ରାମୀଣ ବିକାଶକୁ ପ୍ରୋତ୍ସାହନ ଦେବା ଦିଗରେ ଏହା ଏକ ପ୍ରମୁଖ ପଦକ୍ଷେପ । ଦେଶର ୧,୧୮,୮୨୪ଟି ପଞ୍ଚାୟତ ପ୍ରଦର୍ଶନକାରୀ ବର୍ଗରେ ସ୍ଥାନ ପାଇଛନ୍ତି ।
ଦାରିଦ୍ର୍ୟ ଦୂରୀକରଣ ଓ ପଞ୍ଚାୟତରେ ଅଧିକ ଜୀବିକା ସୁଯୋଗ ଏବଂ ସୁସ୍ଥ ପଞ୍ଚାୟତ ବିଷୟବସ୍ତୁ ବର୍ଗରେ ମୋଟ୍ ୩,୩୧୩ ପଞ୍ଚାୟତ ଭଲ ପ୍ରଦର୍ଶନ କରିଛନ୍ତି । ଏସବୁ ପଞ୍ଚାୟତକୁ ଏ ପ୍ଲସ୍ ମାନ୍ୟତା ମିଳିଛି । ସେହିପରି ୧,୦୧୫ଟି ପଞ୍ଚାୟତ ସୁସ୍ଥ ପଞ୍ଚାୟତ ବର୍ଗରେ ଏ ପ୍ଲସ୍ ମାନ୍ୟତା ହାସଲ କରିଛନ୍ତି । ଏସବୁ ପଞ୍ଚାୟତ ନିରାକରଣଯୋଗ୍ୟ ସ୍ୱାସ୍ଥ୍ୟସେବା, ପୋଷଣ ସଚେତନତା, ସ୍ୱଚ୍ଛତା ଅଭ୍ୟାସ ଏବଂ ସାମାଜିକ ଅଂଶଗ୍ରହଣ କ୍ଷେତ୍ରରେ ଦୃଢ଼ ଫଳାଫଳ ପ୍ରଦର୍ଶନ କରିଛନ୍ତି ।
ପଞ୍ଚାୟତ ପ୍ରଗତି ସୂଚକାଙ୍କର ଦ୍ୱିତୀୟ ସଂସ୍କରଣରେ ଦେଶର ୩୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ୯୭.୩୦ ପ୍ରତିଶତ ଅର୍ଥାତ୍ ପ୍ରାୟ ୨,୫୯,୮୬୭ଟି ପଞ୍ଚାୟତ ଅଂଶଗ୍ରହଣ କରିଥିଲେ । ଏଥିମଧ୍ୟରୁ ୩୬୩୫ଟି ପଞ୍ଚାୟତ ଏ, ୧୧୮୮୨୪ ପଞ୍ଚାୟତ ବି, ୧୨୩୭୧୯ ପଞ୍ଚାୟତ ସି ଏବଂ ୧୩୬୮୯ଟି ପଞ୍ଚାୟତ ଡି ବର୍ଗରେ ରହିଛନ୍ତି ।
ଓଡ଼ିଶାରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକର ପୋଚିଲିମା ପଞ୍ଚାୟତ ସାମଗ୍ରିକ ଭାବେ ସର୍ବଶ୍ରେଷ୍ଠ ପ୍ରଦର୍ଶନକାରୀ ପଞ୍ଚାୟତ ଭାବେ ‘ଏ’ ମାନ୍ୟତା ହାସଲ କରିଛି । ରାଜ୍ୟର ୫୫୫ଟି ପଞ୍ଚାୟତ ପ୍ରଥମ, ୪୫୬୬ ପଞ୍ଚାୟତ ଦ୍ୱିତୀୟ, ୧୬୨୭ଟି ପଞ୍ଚାୟତ ତୃତୀୟ ଏବଂ ୪୬ଟି ପଞ୍ଚାୟତ ଚତୁର୍ଥ ବର୍ଗରେ ରହିଛନ୍ତି। ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ୍ ସୋହପୁର ପଞ୍ଚାୟତ ଦାରିଦ୍ର୍ୟ ଦୂରୀକରଣ ଏବଂ ଉନ୍ନତ ଜୀବିକା ପଞ୍ଚାୟତ ବର୍ଗରେ ଏ ପ୍ଲସ୍ ମାନ୍ୟତା ହାସଲ କରିଛି । ସେହିପରି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ୍ ରାୟପୁର ପଞ୍ଚାୟତ ସୁସ୍ଥ ପଞ୍ଚାୟତ ଭାବେ ଏ ପ୍ଲସ୍ ମାନ୍ୟତା ଲାଭ କରିଛି । ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ୍ ତାରପୁର ପଞ୍ଚାୟତ ଶିଶୁ ଅନୁକୂଳ ପଞ୍ଚାୟତ ରୂପେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛି । କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ୍ ପଡ଼ୁଆ ପଞ୍ଚାୟ ଜଳ ସ୍ୱଚ୍ଛଳ ପଞ୍ଚାୟତ ରୂପେ ଏ ପ୍ଲସ୍ ମାନ୍ୟତା ପାଇଛି । ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ବ୍ଲକ୍ର ହାତୀବନ୍ଧା ସ୍ୱଚ୍ଛ ଓ ସବୁଜ ପଞ୍ଚାୟତ ରୂପେ ସର୍ବଶ୍ରେଷ୍ଠ ମାନ୍ୟତା ହାସଲ କରିଛି । ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ୍ ଭଟକୁମରଡ଼ା ଆତ୍ମନିର୍ଭରଶୀଳ ଭିତ୍ତିଭୂମି ବିଶିଷ୍ଟ ପଞ୍ଚାୟତ ରୂପେ ଏ ପ୍ଲସ୍ ମାନ୍ୟତା ଲାଭ କରିଛି । ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍ ମନ୍ଦାର ପଞ୍ଚାୟତ ସାମାଜିକ ସମାନତା ଓ ସାମାଜିକ ସୁରକ୍ଷିତ ପଞ୍ଚାୟତ ଭାବେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ଏ ମାନ୍ୟତା ଲାଭ କରିଛି । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ୍ ତୁରୁମୁ ପଞ୍ଚାୟତ ସୁଶାସନ ଏବଂ ପାତ୍ରପୁର ବ୍ଲକ୍ ଗୁଡ଼ିଆପଦର ମହିଳା ଅନୁକୂଳ ପଞ୍ଚାୟତ ଭାବେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ଏ ମାନ୍ୟତା ଲାଭ କରିଛି ।
********
PS
(ରିଲିଜ ଆଡି: 2256771)
ପରିଦର୍ଶକ କାଉଣ୍ଟର : 11