ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ
‘‘ଭାରତରେ ମହିଳା ଓ ପୁରୁଷ ୨୦୨୫’’ ଚୟନିତ ସୂଚକ ଏବଂ ତଥ୍ୟ’’ ନାମକ ପ୍ରକାଶନ ଭୁବନେଶ୍ୱରରେ ଉନ୍ମୋଚିତ
ପୋଷ୍ଟ କରାଯିବା ଦିନାଙ୍କ:
29 APR 2026 3:22PM by PIB Bhubaneswar
- ଜନ୍ମ ସମୟରେ ଲିଙ୍ଗ ଅନୁପାତ ୯୦୪ରୁ ୯୧୭କୁ ବୃଦ୍ଧି
- ପୁଅ ଓ ଝିଅ ଉଭୟଙ୍କ କ୍ଷେତ୍ରରେ ଶିଶୁ ମୃତ୍ୟୁ ହାରରେ ଉଲ୍ଲେଖନୀୟ ଏବଂ ନିରନ୍ତର ହ୍ରାସ
କେନ୍ଦ୍ର ସରକାରଙ୍କ ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ପକ୍ଷରୁ ଭୁବନେଶ୍ୱରଠାରେ ‘‘ବିକାଶ ପାଇଁ ତଥ୍ୟ’’ ଉପରେ ଜାତୀୟ ବିଚାରବିମର୍ଶ ସମ୍ମିଳନୀ ଅନୁଷ୍ଠିତ ହେଉଛି । ଏହି ଅବସରରେ ‘‘ଭାରତରେ ମହିଳା ଏବଂ ପୁରୁଷ ୨୦୨୫: ଚୟନିତ ସୂଚକ ଏବଂ ତଥ୍ୟ" ଶୀର୍ଷକ ପ୍ରକାଶନର ୨୭ତମ ସଂସ୍କରଣ ଉନ୍ମୋଚନ କରାଯାଇଛି ।
ଏହି ପ୍ରକାଶନରେ ଜନସଂଖ୍ୟା, ଶିକ୍ଷା, ସ୍ୱାସ୍ଥ୍ୟ, ଆର୍ଥିକ ଅଂଶଗ୍ରହଣ, ନିଷ୍ପତ୍ତି ନେବାର କ୍ଷମତା, ମହିଳା ବିରୋଧୀ ହିଂସା ଏବଂ ଅନ୍ୟାନ୍ୟ ଲିଙ୍ଗ-ସମ୍ବନ୍ଧୀୟ ପ୍ରସଙ୍ଗ ସମେତ ପ୍ରମୁଖ କ୍ଷେତ୍ରଗୁଡ଼ିକରେ ଚୟନିତ ସୂଚକଗୁଡ଼ିକର ଏକ ସଂକଳନ ମାଧ୍ୟମରେ ଭାରତରେ ମହିଳା ଓ ପୁରୁଷଙ୍କ ସ୍ଥିତିର ଏକ ବ୍ୟାପକ ଅବଲୋକନ ପ୍ରସ୍ତୁତ କରାଯାଇଛି । ଏଥିରେ ବିଭିନ୍ନ ମନ୍ତ୍ରଣାଳୟ, ବିଭାଗ ଏବଂ ସଂଗଠନରୁ ମିଳିଥିବା ସୂଚନାର ଉପଯୋଗ କରାଯାଇଛି । ସ୍ପଷ୍ଟତା ବୃଦ୍ଧି କରିବା ଏବଂ ପ୍ରକାଶନରେ ଉପସ୍ଥାପିତ ତଥ୍ୟର ଅନ୍ତର୍ନିହିତ ଅବଧାରଣା, ପରିଭାଷା, ଉତ୍ସ ଏବଂ ପଦ୍ଧତିଗତ ଦିଗଗୁଡ଼ିକୁ ଭଲ ଭାବରେ ବୁଝିବାରେ ସାହାଯ୍ୟ କରିବା ପାଇଁ ୫୦ଟି ପ୍ରମୁଖ ସୂଚକ ଲାଗି ମେଟାଡାଟାକୁ ମଧ୍ୟ ଏଥିରେ ଯୋଡାଯାଇଛି ।

ସରକାରୀ ତଥ୍ୟ ଆଧାରରେ ଏହି ପ୍ରକାଶନର ଉଦ୍ଦେଶ୍ୟ ହେଉଛି ବିଭିନ୍ନ ବିଷୟ ଉପରେ ଲିଙ୍ଗ-ବିଭାଜିତ ତଥ୍ୟ ପ୍ରଦାନ କରିବ। । ଏଥିରେ ଗ୍ରାମୀଣ-ସହରୀ ବର୍ଗୀକରଣ, ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ ଏବଂ ଉପଲବ୍ଧ ହେବା ସ୍ଥିତିରେ ଠିକ୍ ସମୟରେ ସଂକେତକ ପ୍ରସ୍ତୁତ କରାଯାଇଛି । ଏହା ସାରା ଦେଶରେ ବିକଶିତ ହେଉଥିବା ଲିଙ୍ଗଗତ ଅସମାନତା ଏବଂ ବିକାଶ ଧାରା ବିଷୟରେ ଗଭୀର ଭାବେ ବୁଝିବାରେ ସାହାଯ୍ୟ କରିବ ।
ପ୍ରମୁଖ ସାମାଜିକ-ଆର୍ଥିକ ସଂକେତକଗୁଡ଼ିକର ବିଶ୍ଳେଷଣ ପ୍ରସ୍ତୁତ କରି ତଥା ଉଦୀୟମାନ ଧାରାଗୁଡ଼ିକ ଉପରେ ଆଲୋକପାତ କରି, ଏହି ପ୍ରକାଶନ ନୀତି ନିର୍ଦ୍ଧାରକ, ଗବେଷକ ଓ ଅନ୍ୟାନ୍ୟ ଅଂଶୀଦାରମାନଙ୍କୁ ସମାବେଶୀ ଓ ଦୀର୍ଘସ୍ଥାୟୀ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଲିଙ୍ଗ-ସମ୍ବେଦନଶୀଳ ନୀତି ଓ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ଲାଗି ମୂଲ୍ୟବାନ ପ୍ରମାଣ ପ୍ରଦାନ କରେ।
‘‘ଭାରତରେ ମହିଳା ଓ ପୁରୁଷ ୨୦୨୫: ମନୋନୀତ ସଂକେତକ ଓ ତଥ୍ୟ’’ ନାମରେ ପ୍ରକାଶିତ ଏହି ଲେଖା ମନ୍ତ୍ରଣାଳୟର ୱେବସାଇଟ୍ (https://mospi.gov.in/ ) ରେ ଉପଲବ୍ଧ ।
ପ୍ରକାଶନରେ ଦିଆଯାଇଥିବା ଏକ ପ୍ରମୁଖ ବିଶେଷତ୍ୱ ନିମ୍ନରେ ଦିଆଗଲା:
ସର୍ବଭାରତୀୟ ସ୍ତରରେ ଜନ୍ମ ସମୟରେ ଲିଙ୍ଗ ଅନୁପାତ ବୃଦ୍ଧି ପାଇଛି । ଏହା ୨୦୧୭-୧୯ରେ ୯୦୪ରୁ ବୃଦ୍ଧି ପାଇ ୨୦୨୧-୨୩ରେ ୯୧୭ରେ ପହଞ୍ଚିଛି । ଏହି ତଥ୍ୟ ମହିଳାଙ୍କ ଜୀବିତ ରହିବାର ହାରରେ ସୁଧାର ଆସିଥିବା ସଂକେତ ଦେଇଥାଏ ।
୨୦୦୮ ରୁ ୨୦୨୩ ମଧ୍ୟରେ ପୁଅ ଓ ଝିଅ ଉଭୟଙ୍କ ପାଇଁ ଶିଶୁ ମୃତ୍ୟୁ ହାରରେ ଉଲ୍ଲେଖନୀୟ ଏବଂ ନିରନ୍ତର ହ୍ରାସ ଦେଖିବାକୁ ମିଳିଛି ।
ପ୍ରାଥମିକ ଶିକ୍ଷାଠାରୁ ଉଚ୍ଚ ମାଧ୍ୟମିକ ସ୍ତର ପର୍ଯ୍ୟନ୍ତ ସମସ୍ତ ସ୍ତରରେ ମହିଳା-ପୁରୁଷ ଲିଙ୍ଗଗତ ସମାନତା ହାସଲ କରାଯାଇଛି ।
ଉଚ୍ଚଶିକ୍ଷାରେ ମୋଟ ନାମଲେଖା ଅନୁପାତ ୨୦୨୧-୨୨ ଏବଂ ୨୦୨୨-୨୩ ମଧ୍ୟରେ ମହିଳାଙ୍କ କ୍ଷେତ୍ରରେ ୨୮.୫ ରୁ ବୃଦ୍ଧି ପାଇ ୩୦.୨ ଏବଂ ପୁରୁଷଙ୍କ କ୍ଷେତ୍ରରେ ୨୮.୩ ରୁ କ୍ଷେତ୍ରରେ ୨୮.୯ ରେ ପହଞ୍ଚିଛି ।
୧୫ ବର୍ଷ ଏବଂ ତଦୁର୍ଦ୍ଧ୍ୱ ବୟସର ପୁଅ ଏବଂ ଝିଅ ଉଭୟଙ୍କ ପାଇଁ ଶ୍ରମଶକ୍ତି ଅଂଶଗ୍ରହଣ ହାର ବୃଦ୍ଧି ପାଇଛି । ଗ୍ରାମୀଣ ମହିଳାମାନଙ୍କ କ୍ଷେତ୍ରରେ ଏହି ହାରରେ ସର୍ବାଧିକ ବୃଦ୍ଧି ଦେଖିବାକୁ ମିଳିଛି । ୨୦୨୨ ରୁ ୨୦୨୫ ମଧ୍ୟରେ ୩୭.୫ ପ୍ରତିଶତରୁ ୪୫.୯ ପ୍ରତିଶତକୁ ବୃଦ୍ଧି ପାଇଛି ।
୨୦୧୭ ରୁ ୨୦୨୫ ମଧ୍ୟରେ ପରିଚାଳକ ପଦବୀରେ ନିଯୁକ୍ତ ପୁରୁଷଙ୍କ ସଂଖ୍ୟା ୭୩.୮୦ ପ୍ରତିଶତ ବୃଦ୍ଧି ପାଇଥିବାବେଳେ, ସେହି ସମୟ ମଧ୍ୟରେ ପରିଚାଳକ ପଦବୀରେ ନିଯୁକ୍ତ ମହିଳାଙ୍କ ସଂଖ୍ୟା ୧୦୨.୫୪ ପ୍ରତିଶତ ବୃଦ୍ଧି ପାଇଛି।
******
PS
(ରିଲିଜ ଆଡି: 2256769)
ପରିଦର୍ଶକ କାଉଣ୍ଟର : 6