ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ
azadi ka amrit mahotsav

ଇଲେକ୍ଟ୍ରୋନିକ୍ ଉତ୍ପାଦନରେ ଭାରତ ବିଶ୍ୱର ନିର୍ଭରଯୋଗ୍ୟ ମୂଲ୍ୟ ଓ ଯୋଗାଣ ଶୃଙ୍ଖଳ ଅଂଶୀଦାର ହେବ: ଶ୍ରୀ ଅଶ୍ୱିନୀ ବୈଷ୍ଣବ


ବିଶାଖାପାଟଣାରେ ଗୁଗୁଲ୍ କ୍ଲାଉଡ୍ ଇଣ୍ଡିଆ ଏଆଇ ହବ୍‌ ଭୂମିପୂଜନରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

ବିଶାଖାପାଟଣା ‘ଏଆଇ ପାଟଣମ୍’ ହେବାକୁ ଯାଉଛି; ଭାରତର ଏଆଇ ଓ ଡାଟା ବିପ୍ଳବକୁ ଆଗେଇ ନେଉଛି

ପୋଷ୍ଟ କରାଯିବା ଦିନାଙ୍କ: 28 APR 2026 1:55PM by PIB Bhubaneswar

କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି, ରେଳ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ବିଶାଖାପାଟଣାରେ ଗୁଗୁଲ କ୍ଲାଉଡ ଇଣ୍ଡିଆ ଏଆଇ ହବର ଭୂମିପୂଜନ ସମାରୋହ ପରେ ଏକ ସମାବେଶକୁ ସମ୍ବୋଧିତ କରିଥିଲେ। ଭାରତ ଦୃଢ଼ ନୀତି ସମର୍ଥନ ଏବଂ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱ ଦ୍ୱାରା ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଷେତ୍ରରେ ବିଶ୍ୱ ପାଇଁ ଏକ ପ୍ରମୁଖ, ନିର୍ଭରଯୋଗ୍ୟ ମୂଲ୍ୟ ଶୃଙ୍ଖଳ ଏବଂ ଯୋଗାଣ ଶୃଙ୍ଖଳ ଅଂଶୀଦାର ଭାବରେ ଅଗ୍ରଗତି କରିବାକୁ ପ୍ରସ୍ତୁତ ବୋଲି ସେ କହିଥିଲେ।

ଏହି ଅବସରରେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁଙ୍କ ସମେତ ଅନେକ କେନ୍ଦ୍ର ମନ୍ତ୍ରୀ, ରାଜ୍ୟର ମନ୍ତ୍ରୀ ଏବଂ ଉଦ୍ୟୋଗ ଜଗତର ନେତୃତ୍ଵ ଉପସ୍ଥିତ ଥିଲେ। 

୧୫ ବିଲିୟନ ଆମେରିକୀୟ ଡଲାର ନିବେଶ ସହିତ ଏହି ପ୍ରକଳ୍ପଟି ଆଦାନୀ କନେକ୍ସ ଏବଂ ଏୟାରଟେଲ୍ ନକ୍ସଟ୍ରା ସହଭାଗୀତାରେ ବିକଶିତ ହେଉଛି। ଏଥିରେ ବିଶାଖାପାଟଣାରେ ଏକ ୧ ଗିଗାୱାଟ୍ ହାଇପରସ୍କେଲ ଏଆଇ ଡାଟା ସେଣ୍ଟର ଅନ୍ତର୍ଭୁକ୍ତ ହେବ। ଏହି ପ୍ରକଳ୍ପ ପାଇଁ ଆନ୍ଧ୍ର ପ୍ରଦେଶ ସରକାର ତୁର୍ଲୁଭାଡା, ରାମବିଲି ଏବଂ ଆଦାଭିଭରମ ଅଞ୍ଚଳରେ ପ୍ରାୟ ୬୦୦ ଏକର ଜମି ଆବଣ୍ଟନ କରିଛନ୍ତି।

ଇଲେକ୍ଟ୍ରୋନିକ୍ସ ଏବଂ ଉତ୍ପାଦନ କ୍ଷେତ୍ରରେ ଭାରତର ଅଭିବୃଦ୍ଧି:

ଇଲେକ୍ଟ୍ରୋନିକ୍ସ ଏବଂ ଉତ୍ପାଦନ କ୍ଷେତ୍ରରେ ଭାରତର ଅଭିବୃଦ୍ଧି ସମ୍ପର୍କରେ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆଲୋକପାତ କରିଥିଲେ। ସେ କହିଥିଲେ ଭାରତ ପୂର୍ବରୁ ଆଇଟି ସେବା କ୍ଷେତ୍ରରେ ଏକ ଅଗ୍ରଣୀ ଦେଶ ଭାବରେ ଆଗେଇ ଚାଲିଛି। ବର୍ତ୍ତମାନ ଇଲେକ୍ଟ୍ରୋନିକ୍ସ ଉତ୍ପାଦନରେ ଦ୍ରୁତ ଗତିରେ ଅଗ୍ରଗତି କରୁଛି।

ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିକୁ ପ୍ରଶଂସା କରିଥିଲେ। ଦେଶକୁ ସେମିକଣ୍ଡକ୍ଟର, କ୍ୱାଣ୍ଟମ୍, ମହାକାଶ ଏବଂ କୃତ୍ରିମ ବୁଦ୍ଧିମତ୍ତା ଭଳି ପ୍ରମୁଖ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରଗୁଡ଼ିକରେ ଏକ ବିଶ୍ୱ କେନ୍ଦ୍ର ଭାବରେ ଉଭା ହେବା ଉପରେ ଗୁରୁତ୍ୱାରୋପ କରିଥିଲେ। 

ଭାରତ ମୋବାଇଲ୍ ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି କରିଛି। ଦେଶର ପ୍ରମୁଖ ରପ୍ତାନି ସାମଗ୍ରୀ ମଧ୍ୟରୁ ଗୋଟିଏ ହେଉଛି ମୋବାଇଲ୍ ଫୋନ୍। ପ୍ରାୟ ୫୦% ଘରୋଇ ଇଲେକ୍ଟ୍ରୋନିକ୍ ଚାହିଦା ଏବେ ସ୍ଥାନୀୟ ଉତ୍ପାଦନ ମାଧ୍ୟମରେ ପୂରଣ କରାଯାଉଛି। ସେମିକଣ୍ଡକ୍ଟର ମିଶନ ଅଧୀନରେ, ଭାରତରେ ବାଣିଜ୍ୟିକ ଉତ୍ପାଦନ ଆରମ୍ଭ ହୋଇସାରିଛି।

ଭାରତ ସେମିକଣ୍ଡକ୍ଟର ଏବଂ ଇଲେକ୍ଟ୍ରୋନିକ୍ସ ଉତ୍ପାଦନରେ ଏକ ବିଶ୍ୱସ୍ତ ଅଂଶୀଦାର ହେବାକୁ ଯାଉଛି ବୋଲି ମନ୍ତ୍ରୀ ଉଲ୍ଲେଖ କରିଥିଲେ। ଗୁଗୁଲ ସମେତ ବିଶ୍ୱ ସ୍ତରରେ ପ୍ରଯୁକ୍ତି କମ୍ପାନୀଗୁଡ଼ିକୁ ଦେଶ ମଧ୍ୟରେ ସେମାନଙ୍କର ସର୍ଭର, ଜିପିୟୁ ଏବଂ ଚିପ୍ସ ନିର୍ମାଣ କରିବାକୁ ଆହ୍ୱାନ ଦେଇଥିଲେ।

ବିଶାଖାପାଟଣା ଏଆଇ ହବ୍ ଭାବରେ ଗଢି ଉଠୁଛି :

ଏହି ପ୍ରକଳ୍ପକୁ ପରିବର୍ତ୍ତନକାରୀ ବୋଲି ଉଲ୍ଲେଖ କରି ମନ୍ତ୍ରୀ କହିଥିଲେ ଯେ, ବିଶାଖାପାଟଣା ଏଆଇ ପାଟଣମ୍ (ଏଆଇ ସିଟି) ରେ ରୂପାନ୍ତରିତ ହେବ। ଏହା ଅତ୍ୟାଧୁନିକ ଭିତ୍ତିଭୂମି ଏବଂ ବିଶ୍ୱ ନିବେଶ ଦ୍ୱାରା ପରିଚାଳିତ ହେବ।

ମୁଖ୍ୟମନ୍ତ୍ରୀ ଶ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଆଇଟି ଇକୋସିଷ୍ଟମ ବିକାଶ କରିବା ପାଇଁ ଯେଉଁ ଦୃଷ୍ଟିକୋଣ ରହିଛି, ତାହାକୁ ସେ ପ୍ରଶଂସା କରିଥିଲେ। ନୂତନ ଏଆଇ ଡାଟା ସେଣ୍ଟର ଶିକ୍ଷା, ସ୍ୱାସ୍ଥ୍ୟସେବା, ମହାକାଶ, ଲଜିଷ୍ଟିକ୍ସ ଏବଂ କୃଷି ଭଳି କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବ ବୋଲି କହିଥିଲେ। 

ଗୁଗଲ୍ ବିଶାଖାପାଟଣାରୁ ଅଷ୍ଟ୍ରେଲିଆ, ମଧ୍ୟପ୍ରାଚ୍ୟ, ୟୁରୋପ, ଆଫ୍ରିକା ଏବଂ ଯୁକ୍ତରାଷ୍ଟ୍ର ଦେଇ ବିଶ୍ୱ ଡିଜିଟାଲ୍ ରୁଟକୁ ସଂଯୋଗ କରିବା ଉଦ୍ଦେଶ୍ୟରେ ତିନୋଟି ସମୁଦ୍ର ତଳ କେବୁଲ ବିଛାଇଛି। ସେଥିପାଇଁ ଗୁଗଲକୁ ସେ ଧନ୍ୟବାଦ ଦେଇଥିଲେ। 

ଉଦ୍ୟୋଗ ଜଗତର ନେତୃତ୍ଵମଣ୍ଡଳୀ ରଣନୈତିକ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଗୁଗଲ କ୍ଲାଉଡ୍ ଗ୍ଲୋବାଲ୍ ଇନଫ୍ରାଷ୍ଟକ୍ଚରର ଉପାଧ୍ୟକ୍ଷ ବିକାଶ କୋଲେ କହିଥିଲେ ଯେ, ବିକଶିତ ଭାରତ ୨୦୪୭ ପାଇଁ ଏଆଇ ହବ୍ ଏକ ଭିତ୍ତିଭୂମି ଭାବରେ କାର୍ଯ୍ୟ କରିବ। ଭାରତର ଡିଜିଟାଲ୍ ରୂପାନ୍ତରଣ ଏବଂ ବିଶ୍ୱ ଏଆଇ ଅର୍ଥନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

 ଆଦାନୀ ଗ୍ରୁପ୍ ଅଧ୍ୟକ୍ଷ ଜିତ ଆଦାନୀ କହିଥିଲେ ଯେ, ୧ ଗିଗାୱାଟ୍ ହାଇପରସ୍କେଲ୍ ଏଆଇ ଡାଟା ସେଣ୍ଟର ଭାରତର ଏଆଇ ଯାତ୍ରାରେ ଏକ ପ୍ରମୁଖ ମାଇଲଖୁଣ୍ଟ । ଏହା ବିଶାଖାପାଟଣାକୁ ଭାରତ ପାଇଁ ଏକ ନୂତନ ଡିଜିଟାଲ୍ ପ୍ରବେଶପଥ ଭାବରେ ସ୍ଥାନିତ କରିବ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ, ରାଜ୍ୟର ବରିଷ୍ଠ ମନ୍ତ୍ରୀ, ସାଂସଦ, ଉଦ୍ୟୋଗ ଜଗତର ନେତୃତ୍ଵ ଏବଂ ଗୁଗୁଲ୍, ଆଦାନୀ ଗ୍ରୁପ୍, ଏୟାରଟେଲ୍ ନକ୍ସଟ୍ରା ଏବଂ ଅନ୍ୟାନ୍ୟ ସଂସ୍ଥାର ପ୍ରତିନିଧିମାନେ ଯୋଗ ଦେଇଥିଲେ।

 

****

 

SSP


(ରିଲିଜ ଆଡି: 2256402) ପରିଦର୍ଶକ କାଉଣ୍ଟର : 8
ଏହି ରିଲିଜ ପଢନ୍ତୁ : English , Urdu , हिन्दी , Gujarati , Telugu_Vw , Telugu , Kannada