ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ମନ କି ବାତ’ର ୧୩୩ତମ ଅଧ୍ୟାୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
ପୋଷ୍ଟ କରାଯିବା ଦିନାଙ୍କ:
26 APR 2026 12:12PM by PIB Bhubaneswar
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’ର ଆଉ ଗୋଟିଏ ଅଧ୍ୟାୟରେ ଆପଣମାନଙ୍କ ସହିତ ଯୋଡ଼ିହୋଇ ମୋତେ ଖୁସି ଅନୁଭବ ହେଉଛି । ଏହା ଭିତରେ ନିର୍ବାଚନ ପାଇଁ ଗସ୍ତ ଚାଲିଛି, କିନ୍ତୁ ଆପଣମାନଙ୍କ ଚିଠି ଓ ବାର୍ତ୍ତାଗୁଡ଼ିକ ମାଧ୍ୟମରେ ଆମେ ଦେଶ ଏବଂ ଦେଶବାସୀଙ୍କ ଉପଲବ୍ଧି ଗୁଡ଼ିକ ସମ୍ପର୍କରେ ପରସ୍ପର ସହ ନିଜର ଖୁସି ମଧ୍ୟ ବାଣ୍ଟୁଛୁ । ଏଥର ‘ମନ୍ କି ବାତ୍’ର ଆରମ୍ଭ ଦେଶର ଏହିଭଳି ଗୋଟିଏ ବହୁତ ବଡ଼ ଉପଲବ୍ଧିରୁ କରିବା ।
ବନ୍ଧୁଗଣ, ଭାରତ ବିଜ୍ଞାନକୁ ସର୍ବଦା ଦେଶର ପ୍ରଗତି ସହ ଯୋଡ଼ି ଦେଖିଛି । ଏହି ଚିନ୍ତାଧାରା ସହ ଆମ ବୈଜ୍ଞାନିକମାନେ ବେସାମରିକ ପରମାଣୁ କାର୍ଯ୍ୟକ୍ରମକୁ ଆଗେଇ ନେଉଛନ୍ତି । ସେମାନଙ୍କ ପ୍ରଚେଷ୍ଟାରେ ଏହି କାର୍ଯ୍ୟକ୍ରମ ରାଷ୍ଟ୍ରନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଉଛି । ଏହାଦ୍ୱାରା ଆମର ଶିଳ୍ପ ବିକାଶ, ଶକ୍ତିକ୍ଷେତ୍ର, ସ୍ୱାସ୍ଥ୍ୟକ୍ଷେତ୍ରକୁ ବହୁତ ଲାଭ ହୋଇଛି । ଚାଷବାସଠାରୁ ଆରମ୍ଭ କରି ଆଧୁନିକ ଉଦ୍ଭାବକମାନଙ୍କୁ ମଧ୍ୟ ଭାରତର ବେସାମରିକ ପରମାଣୁ କାର୍ଯ୍ୟକ୍ରମର ବହୁତ ସାହାଯ୍ୟ କରିଛି । ବନ୍ଧୁଗଣ, ମାତ୍ର କିଛିଦିନ ପୂର୍ବେ ଆମର ପରମାଣୁ ବୈଜ୍ଞାନିକ ଗୋଟିଏ ବହୁତ ବଡ଼ ଉପଲବଧି ସହିତ ଭାରତର ଗୌରବ ବୃଦ୍ଧି କରିଛନ୍ତି । ତାମିଲନାଡୁର କଳ୍ପକ୍କମରେ ଫାଷ୍ଟ ବ୍ରେଡର ରିଆକ୍ଟର ସଙ୍କଟ ହାସଲ କରିସାରିଛି । ପ୍ରକୃତରେ, ଗୁରୁତରତା ହେଉଛି ସେହି ସ୍ଥିତି, ଯେଉଁଥିରେ ରିଆକ୍ଟର ପ୍ରଥମ ଥର ଆତ୍ମନିର୍ଭରଶୀଳ ନ୍ୟୁକ୍ଲିୟର ଶୃଙ୍ଖଳ ପ୍ରତିକ୍ରିୟାରେ ସଫଳତା ହାସଲ କରିଥାଏ । ଏହି ଅବସ୍ଥାର ଅର୍ଥ ହେଉଛି, ରିଆକ୍ଟର କାର୍ଯ୍ୟ ପର୍ଯ୍ୟାୟରେ ପହଞ୍ଚିବା । ଭାରତର ପରମାଣୁ ଶକ୍ତି ଯାତ୍ରାରେ ଏହା ଏକ ଐତିହାସିକ ମାଇଲଖୁଣ୍ଟ । ଆଉ ବଡ଼ କଥା ମଧ୍ୟ ହେଲା ଯେ, ପରମାଣୁ ରିଆକ୍ଟରଟି ସମ୍ପୂର୍ଣ୍ଣ ଭାବେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ।
ବନ୍ଧୁଗଣ, ଏହାକୁ ବ୍ରୀଡର୍ ରିଆକ୍ଟର୍ କାହିଁକି କୁହାଯାଏ ? ଏହା ପଛରେ ମଧ୍ୟ ଗୋଟିଏ କାରଣ ରହିଛି। ଏହା ଏଭଳି ଗୋଟିଏ ପ୍ରଣାଳୀ ଯାହା ଶକ୍ତି ଉତ୍ପାଦନ ସହ ଭବିଷ୍ୟତ ପାଇଁ ନୂଆ ଇନ୍ଧନ ମଧ୍ୟ ସ୍ୱୟଂ ପ୍ରସ୍ତୁତ କରିଥାଏ । ବନ୍ଧୁଗଣ, ମୋର ମାର୍ଚ୍ଚ ୨୦୨୪ର ସେହି ସମୟ ମଧ୍ୟ ମନେଅଛି, ଯେତେବେଳେ ମୁଁ କଳ୍ପକ୍କମରେ ରିଆକ୍ଟର କୋର ଲୋଡିଂର ସାକ୍ଷୀ ହୋଇଥିଲି । ମୁଁ ସେମାନଙ୍କୁ ଅଭିନନ୍ଦନ ଜଣାଉଛି, ଯେଉଁମାନେ ଭାରତର ପରମାଣୁ କାର୍ଯ୍ୟକ୍ରମରେ ନିଜର ଅମୂଲ୍ୟ ଯୋଗଦାନ ଦେଇଛନ୍ତି । ଦେଶବାସୀଙ୍କ ଜୀବନକୁ ଉନ୍ନତ ଏବଂ ସରଳ କରିବାରେ ସେମାନଙ୍କର ଏହି ପ୍ରଚେଷ୍ଟା ଅତ୍ୟନ୍ତ ପ୍ରଶଂସନୀୟ । ଏଥିରୁ ବିକଶିତ ଭାରତର ଆମ ସଂକଳ୍ପକୁ ମଧ୍ୟ ଏକ ନୂତନ ଶକ୍ତି ମିଳିବ ।
ମୋର ପ୍ରିୟ ଦେଶବାସୀଗଣ, ‘ମନ୍ କି ବାତ୍’ରେ ଆଜି ମୁଁ ଏଭଳି ଗୋଟିଏ ଶକ୍ତି ବିଷୟରେ କହିବାକୁ ଚାହୁଁଛି, ଯାହା ଅଦୃଶ୍ୟ, କିନ୍ତୁ ଯାହା ବିନା ଆମ ଜୀବନ ଗୋଟିଏ ମୁହୂର୍ତ୍ତ ମଧ୍ୟ ଚଳିପାରିବ ନାହିଁ । ଏହି ଶକ୍ତି ଭାରତକୁ ଆଗେଇ ନେଉଛି । ଏହା ହେଉଛି ଆମର ପବନ ଶକ୍ତି । ଆମ ପ୍ରାଚୀନ ଗ୍ରନ୍ଥମାନଙ୍କରେ କୁହାଯାଇଛି ଯେ,
“ବାୟୂର୍ବା ଇତି ବ୍ୟଷ୍ଟିଃ, ବାୟୂରବୈ ସମଷ୍ଟିଃ”
ଅର୍ଥାତ୍, ବାୟୁ କେବଳ ଗୋଟିଏ ତତ୍ତ୍ୱ ନୁହେଁ, ଏହା ଜୀବନର ଶକ୍ତି, ଏହା ସମଷ୍ଟିର ଶକ୍ତି ।
ବନ୍ଧୁଗଣ, ଆଜି ଏହି ପବନ ଶକ୍ତି ଭାରତର ବିକାଶର ନୂଆ କାହାଣୀ ଲେଖି ଚାଲିଛି । ନିକଟରେ ଭାରତ ପବନ ଶକ୍ତି ଅର୍ଥାତ୍ Wind Energyରେ ବଡ଼ ଉପଲବଧି ହାସଲ କରିଛି । ଏବେ ଭାରତର ପବନ ଶକ୍ତି ଉତ୍ପାଦନ କ୍ଷମତା ୫୬ ଗିଗାୱାଟ୍ରୁ ଅଧିକ ହୋଇସାରିଛି । କେବଳ ମାତ୍ର ଗତ ଏକବର୍ଷରେ ଏଥିରେ ପ୍ରାୟ ୬ ଗିଗାୱାଟ୍ ନୂତନ କ୍ଷମତା ଯୋଡ଼ିହୋଇଛି । ପବନ ଶକ୍ତି କ୍ଷେତ୍ରରେ ଭାରତ ଦ୍ରୁତଗତିରେ ଆଗେଇ ଚାଲିଛି ଏବଂ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରୁଛି । ବନ୍ଧୁଗଣ, ଆଜି ଭାରତ ପବନ ଶକ୍ତି କ୍ଷମତାରେ ସମଗ୍ର ବିଶ୍ୱରେ ଚତୁର୍ଥ ସ୍ଥାନରେ ରହିଛି । ଏହା ଆମ ଇଞ୍ଜିନିୟର ଏବଂ ଯୁବବର୍ଗଙ୍କର ପରିଶ୍ରମ । ଏହା ଦେଶର ସାମୂହିକ ଇଚ୍ଛାଶକ୍ତିର ମଧ୍ୟ ପ୍ରତୀକ ।
ବନ୍ଧୁଗଣ, ଗୁଜରାଟ, ତାମିଲନାଡୁ, ମହାରାଷ୍ଟ୍ର, ରାଜସ୍ଥାନ ଏହିପରି ଦେଶର ଅନେକ ରାଜ୍ୟ ଏହି କ୍ଷେତ୍ରରେ ନିଜର ସଫଳତା ପ୍ରଦର୍ଶନ କରିଛନ୍ତି । ଗୁଜରାଟର କଚ୍ଛ୍, ପାଟନ୍, ବନାସକାଁଠା ଭଳି ଅଞ୍ଚଳ ଯେଉଁଠି ଆଗରୁ କେବଳ ମରୁଭୂମି ଦେଖାଯାଉଥିଲା, ଆଜି ସେଠାରେ ବଡ଼ ବଡ଼ ନବୀକରଣୀୟ ଶକ୍ତି ପାର୍କ ତିଆରି ହେଉଛି । ଏହାର ଲାଭ ଯୁବବର୍ଗଙ୍କୁ ମିଳୁଛି । ନୂଆ ସୁଯୋଗ ସୃଷ୍ଟି ହେଉଛି । ନୂଆ ନୂଆ କୌଶଳ ବିକଶିତ ହେଉଛି, ରୋଜଗାରର ନୂଆ ବାଟ ଫିଟୁଛି ।
ବନ୍ଧୁଗଣ, ଭାରତର ବିକାଶ ପାଇଁ ସୌର ଏବଂ ପବନ ଶକ୍ତିର ଆବଶ୍ୟକତା ରହିଛି । ଏହା କେବଳ ପରିବେଶ କଥା ନୁହେଁ ଏହା ଆମ ଭବିଷ୍ୟତର ସୁରକ୍ଷା । ଏଥିରେ ଆମ ସମସ୍ତଙ୍କ ଭୂମିକା ରହିଛି । ଆମକୁ ବିଜୁଳି ସଞ୍ଚୟ କରିବାକୁ ହେବ, ଆମକୁ ସ୍ୱଚ୍ଛଶକ୍ତି ଆପଣାଇବାକୁ ହେବ । ଦେଶରେ ପ୍ରତ୍ୟେକ ସ୍ତରରେ ଏଭଳି ପ୍ରଚେଷ୍ଟାର ଆବଶ୍ୟକତା ରହିଛି । କାରଣ ଏଥିରୁ ହିଁ ବଡ଼ ପରିବର୍ତ୍ତନ ହେବ ।
ବନ୍ଧୁଗଣ, ମଇ ମାସ ଗୋଟିଏ ପବିତ୍ର ଅବସରରୁ ଆରମ୍ଭ ହେବାକୁ ଯାଉଛି । କିଛିଦିନ ପରେ ଆମେ ବୁଦ୍ଧପୂର୍ଣ୍ଣିମା ପାଳନ କରିବା । ମୁଁ ଏଥିପାଇଁ ସମସ୍ତ ଦେଶବାସୀଙ୍କୁ ମୋର ଅଗ୍ରୀମ ଶୁଭେଚ୍ଛା ଜଣାଉଛି । ଭଗବାନ ଗୌତମ ବୁଦ୍ଧଙ୍କ ଜୀବନ ସନ୍ଦେଶ ଆଜି ମଧ୍ୟ ସେତିକି ପ୍ରାସଙ୍ଗିକ । ସେ ଆମକୁ ଶିକ୍ଷା ଦେଇଛନ୍ତି ଯେ, ଶାନ୍ତି ଆମରି ଭିତରୁ ଆରମ୍ଭ ହୋଇଥାଏ । ସେ କହିଛନ୍ତି ଯେ, ସ୍ୱୟଂ ଉପରେ ବିଜୟ ସବୁଠାରୁ ବଡ଼ ବିଜୟ । ଆଜି ବିଶ୍ୱ ଯେଉଁଭଳି ଉତ୍ତେଜନା ଏବଂ ସଂଘର୍ଷ ମଧ୍ୟ ଦେଇ ଗତି କରୁଛି, ଏଭଳି ସମୟରେ ବୁଦ୍ଧଙ୍କ ଚିନ୍ତାଧାରା ଆହୁରି ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି ।
ବନ୍ଧୁଗଣ, ଦକ୍ଷିଣ ଆମେରିକାର ଚିଲି’ର ଗୋଟିଏ ସଂସ୍ଥା ଭଗବାନ ବୁଦ୍ଧଙ୍କ ଚିନ୍ତାଧାରାକୁ ଆଗେଇ ନେଉଛି । ଲଦାଖରେ ଜନ୍ମଗ୍ରହଣ କରିଥିବା ଡ୍ରବପୋନ୍ ଓତଜର୍ ରିନପୋଚେଙ୍କ ମାର୍ଗଦର୍ଶନରେ ଏହି କାର୍ଯ୍ୟ ଚାଲିଛି । ଏହି ସଂସ୍ଥା ଧ୍ୟାନ ଏବଂ କରୁଣାକୁ ଲୋକଙ୍କ ଜୀବନ ସହିତ ଯୋଡ଼ୁଛି । କୋଚିଗୁଆଜ ଘାଟିରେ ନିର୍ମିତ ସ୍ତୂପ ଲୋକଙ୍କୁ ଶାନ୍ତିର ଅନୁଭୂତି ପ୍ରଦାନ କରୁଛି । ପ୍ରକୃତରେ ଏହା ଦେଖି ଗର୍ବ ଅନୁଭବ ହେଉଛି । ଭାରତର ପ୍ରାଚୀନ ଧାରା ବିଶ୍ୱ ଦରବାରକୁ ପହଞ୍ଚୁଛି । ଦୂରଦୂରାନ୍ତର ଲୋକେ ମଧ୍ୟ ଏହା ସହିତ ଯୋଡ଼ି ହେଉଛନ୍ତି।
ବନ୍ଧୁଗଣ, ବୌଦ୍ଧ ପରମ୍ପରା ଆମକୁ ପ୍ରକୃତି ସହ ଯୋଡ଼ିହେବା ମଧ୍ୟ ଶିଖାଉଛି । ଗୋଟିଏ ବୃକ୍ଷ ତଳେ ହିଁ ଭଗବାନ ବୁଦ୍ଧଙ୍କୁ ଜ୍ଞାନପ୍ରାପ୍ତି ହୋଇଥିଲା । ପ୍ରକୃତି ଆମ ଜୀବନର ଏକ ଅଭିନ୍ନ ଅଙ୍ଗ । ଦେଶରେ ଏହିଭଳି ପ୍ରଚେଷ୍ଟା ମଧ୍ୟ ଚାଲିଛି । କର୍ଣ୍ଣାଟକର କର୍ମା ମଠ ଏହାର ଗୋଟିଏ ଉତ୍ତମ ଉଦାହରଣ । ଏହି ମଠ ଗୋଟିଏ ଜୀବନ୍ତ ବନାଞ୍ଚଳ, ଯାହା ୧୦୦ ଏକର ଭୂମିରେ ପରିବ୍ୟାପ୍ତ । ଏହି ଜଙ୍ଗଲରେ ୭୦୦ରୁ ଅଧିକ ଦେଶୀ ବୃକ୍ଷଗୁଡ଼ିକୁ ସଂରକ୍ଷିତ କରାଯାଇଛି । ବନ୍ଧୁଗଣ, ବୁଦ୍ଧଙ୍କ ବାର୍ତ୍ତା କେବଳ ଅତୀତ ନୁହେଁ, ଏହା ଆଜି ମଧ୍ୟ ପ୍ରାସଙ୍ଗିକ ଏବଂ ଭବିଷ୍ୟତ ପାଇଁ ମଧ୍ୟ ଜରୁରୀ । ବୁଦ୍ଧପୂର୍ଣ୍ଣିମାର ଏହି ଅବସର ଆମକୁ ପ୍ରେରଣା ଦେଉଛି ଯେ ଆମେ ନିଜ ଜୀବନରେ ଶାନ୍ତି ବୃଦ୍ଧି କରିବା, ଦୟାଭାବ ଆପଣାଇବା ଏବଂ ସନ୍ତୁଳନ ରକ୍ଷାକରି ଆଗକୁ ବଢ଼ିବା ।
ମୋର ପ୍ରିୟ ଦେଶବାସୀଗଣ, ଆପଣ ସମସ୍ତେ ଜାଣନ୍ତି ଯେ, ଆମ ଦେଶରେ ଏବେ ଜାନୁଆରୀ ୨୩, ଅର୍ଥାତ୍ ନେତାଜୀ ସୁଭାଷଙ୍କ ଜୟନ୍ତୀଠାରୁ ଆରମ୍ଭ କରି ଜାନୁଆରୀ ୩୦ ଅର୍ଥାତ୍ ଗାନ୍ଧିଜୀଙ୍କ ପୁଣ୍ୟତିଥି ପର୍ଯ୍ୟନ୍ତ ଗଣତନ୍ତ୍ର ମହୋତ୍ସବ ପାଳନ କରାଯାଉଛି । ଏହି ମହୋତ୍ସବର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଲା - ବିଟିଂ ରିଟ୍ରିଟ୍ । ଆଜି ମୁଁ ଆପଣମାନଙ୍କ ସହିତ ବିଟିଂ ରିଟ୍ରିଟ୍ ସମ୍ପର୍କରେ ଆଲୋଚନା କରୁଛି କାରଣ ଏହା ପଛରେ ଗୋଟିଏ ବିଶେଷ କାରଣ ରହିଛି ।
ବନ୍ଧୁଗଣ, ଆପଣମାନେ ଦେଖିଥିବେ ଏହି ଉତ୍ସବ ଭିନ୍ନ-ଭିନ୍ନ ଦଳମାନଙ୍କର ବିବିଧ ସଙ୍ଗୀତ ପରମ୍ପରାକୁ ଦର୍ଶାଇଥାଏ । ବିଗତ କିଛିବର୍ଷ ଧରି ଏଥିରେ ଭାରତୀୟ ସଙ୍ଗୀତକୁ ବିଶେଷ ଭାବେ ଅନ୍ତର୍ଭୁକ୍ତ କରାଯାଉଛି ଏବଂ ଏହା ଦେଶର ଜନସାଧାରଣଙ୍କୁ ମଧ୍ୟ ବହୁତ ଭଲ ଲାଗୁଛି । ଚଳିତ ବର୍ଷର ବିଟିଂ ରିଟ୍ରିଟ୍ ଉତ୍ସବ ମଧ୍ୟ ଖୁବ୍ ସ୍ମରଣୀୟ ଥିଲା । ବାୟୁସେନା, ସ୍ଥଳସେନା, ନୌସେନା ଏବଂ ସି.ଏ.ପି.ଏଫ୍sର ବ୍ୟାଣ୍ଡଗୁଡ଼ିକ ଖୁବ୍ ଭଲ ପ୍ରଦର୍ଶନ କରିଥିଲେ ।
ବନ୍ଧୁଗଣ, ଚିତ୍ତାକର୍ଷକ ସଙ୍ଗୀତ ସହ ମନମୁଗ୍ଧକର ଗଠନଗୁଡ଼ିକର ଏହି କାର୍ଯ୍ୟକ୍ରମ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାଏ । ବାୟୁସେନା ବ୍ୟାଣ୍ଡ ଦଳ ସିନ୍ଦୂର ଫର୍ମେସନ ପ୍ରଦର୍ଶିତ କରିଥିଲେ । ନୌସେନା ଦଳ ମତ୍ସ୍ୟଯନ୍ତ୍ର ଫର୍ମେସନ କରିଥିଲେ ଏବଂ ଆର୍ମି ବ୍ୟାଣ୍ଡର ପ୍ରଦର୍ଶନରେ ବନ୍ଦେ-ମାତରମର ୧୫୦ ବର୍ଷ ଏବଂ କ୍ରିକେଟରେ ଭାରତର ସଫଳତାକୁ ମଧ୍ୟ ପ୍ରଦର୍ଶିତ କରାଯାଇଥିଲା ।
ବନ୍ଧୁଗଣ, ବିଟିଂ ରିଟ୍ରିଟ୍ ସରିଯିବା ପରେ, ସମସ୍ତ ପରିଶ୍ରମ, ସମସ୍ତ ଉପଲବଧି ଧୀରେ ଧୀରେ ଉଭେଇଯାଏ । କିନ୍ତୁ ଏବେ ଏହାକୁ ନେଇ ଖୁବ୍ ସୁନ୍ଦର ପ୍ରଚେଷ୍ଟା କରାଯାଇଛି । ବିଟିଂ ରିଟ୍ରିଟ୍ ସଙ୍ଗୀତ ପ୍ରଥମଥର ଲାଗି ୱେଭ୍ସ ଓଟିଟିରେ ମଧ୍ୟ ଉପଲବ୍ଧ । ଆଗାମୀ ସମୟରେ ଏହା ଅନ୍ୟାନ୍ୟ ପ୍ଲାଟଫର୍ମଗୁଡ଼ିକରେ ମଧ୍ୟ ଉପଲବ୍ଧ ହେବ- ଆପଣମାନେ ଏହାକୁ ନିଶ୍ଚୟ ଶୁଣନ୍ତୁ । ଆପଣ ଆମ ସଶସ୍ତ୍ର ବାହିନୀ ଓ ତାଙ୍କ ପରମ୍ପରାକୁ ନେଇ ଖୁବ୍ ଗର୍ବ ଅନୁଭବ କରିବେ ।
ବନ୍ଧୁଗଣ, ବିଗତ କିଛିବର୍ଷ ଧରି ଦେଶର ବିଭିନ୍ନ ଅଞ୍ଚଳରୁ ପ୍ରକୃତି ସଂରକ୍ଷଣକୁ ନେଇ ଅନେକ ପ୍ରେରଣାଦାୟୀ କାହାଣୀ ସାମ୍ନାକୁ ଆସିଛି । ଏ କାହାଣୀଗୁଡ଼ିକ ଆମକୁ ନୂତନ ଆଶା ଦେଇଥାଏ ଏବଂ ଗର୍ବିତ କରିଥାଏ । ମୁଁ ‘ମନ୍ କି ବାତ୍’ର ଶ୍ରୋତାମାନଙ୍କ ସହ କିଛି ଉଦାହରଣ ବାଣ୍ଟିବାକୁ ଚାହୁଁଛି । ଏହାକୁ ଶୁଣି ଆପଣମାନଙ୍କ ମନ ଖୁସି ହୋଇଯିବ । ସର୍ବପ୍ରଥମେ, କଚ୍ଛର ରଣ ଅଞ୍ଚଳ ବିଷୟରେ ଜାଣିବା । ବର୍ଷାଋତୁ ସରିବା ମାତ୍ରେ ଏଠିକାର ଭୂମି ଜୀବନ୍ତ ହୋଇଉଠେ । ପ୍ରତିବର୍ଷ ଲକ୍ଷ ଲକ୍ଷ ସଂଖ୍ୟାର ଫ୍ଲାମିଙ୍ଗୋ ଏଠାକୁ ଆସନ୍ତି । ସମଗ୍ର ଅଞ୍ଚଳ ଗୋଲାପୀ ରଙ୍ଗରେ ରଙ୍ଗୀନ ହୋଇଉଠେ । ସେଥିପାଇଁ ଏହି ଅଞ୍ଚଳକୁ ‘ଫ୍ଲେମିଙ୍ଗୋ ସିଟି’ କୁହାଯାଏ । ଏ ପକ୍ଷୀ ଏଇଠି ବସା ବାନ୍ଧନ୍ତି ଓ ଏହିଠାରେ ହିଁ ଛୁଆମାନଙ୍କୁ ବଡ଼ କରନ୍ତି । କଚ୍ଛର ଲୋକମାନେ ଏମାନଙ୍କୁ ‘ଲାଖାଜୀଙ୍କ ବରଯାତ୍ରୀ’ ବୋଲି କହନ୍ତି । ବର୍ତ୍ତମାନ ଲାଖାଜୀଙ୍କର ଏହି ବରଯାତ୍ରୀ କଚ୍ଛର ପରିବେଶ ସୁରକ୍ଷା ଦିଗରେ ଏକ ସୁନ୍ଦର ପ୍ରତୀକ ରୂପେ ବିବେଚିତ ହେଉଛନ୍ତି ।
ବନ୍ଧୁଗଣ, ଅନ୍ୟ ଏକ ପ୍ରସଙ୍ଗ ମଣିଷ ଓ ବନ୍ୟପ୍ରାଣୀଙ୍କ ପାରସ୍ପରିକ ସହଯୋଗ ଉପରେ ଆଧାରିତ । ଏ ପ୍ରସଙ୍ଗଟି ହେଉଛି ଉତ୍ତରପ୍ରଦେଶର । ସେଠାକାର ପାର୍ବତ୍ୟାଞ୍ଚଳରେ ଫସଲ ଅମଳ ସମୟରେ ହାତୀପଲ ଗାଁ ଆଡ଼କୁ ମାଡ଼ିଆସନ୍ତି, ଯଦ୍ଦ୍ୱାରା ସଂଘର୍ଷର ଆଶଙ୍କା ଦେଖାଦିଏ । କିନ୍ତୁ, ଏବେ ୟୁପିରେ ମଧ୍ୟ ‘ଗଜମିତ୍ର’ ଭଳି ପ୍ରୟାସ ଆରମ୍ଭ ହୋଇଛି । ଗାଁର ଲୋକମାନେ ହିଁ ଟିମ୍ ତିଆରି କରି ହାତୀମାନଙ୍କ ଉପରେ ଦୃଷ୍ଟି ରଖୁଛନ୍ତି । ବେଳ ଥାଉ ଥାଉ ସେମାନେ ଲୋକମାନଙ୍କୁ ସତର୍କ କରୁଛନ୍ତି। ଏହାଦ୍ୱାରା ହାତୀ-ମନୁଷ୍ୟ ସଂଘର୍ଷ କମୁଛି ଓ ଲୋକମାନଙ୍କର ଭରସା ବଢ଼ୁଛି ।
ବନ୍ଧୁଗଣ, ମଧ୍ୟଭାରତରୁ ବି ଏକ ଭଲ ଖବର ଆସିଛି । ଛତିଶଗଡ଼ରେ ପୁଣିଥରେ କୃଷ୍ଣସାର ମୃଗ ଦେଖାଗଲେଣି । ଏକଦା ଏମାନଙ୍କ ସଂଖ୍ୟା ବହୁତ କମ୍ ହୋଇଯାଇଥିଲା, କିନ୍ତୁ ନିୟମିତ ପ୍ରଚେଷ୍ଟା କରାଗଲା, ସଂରକ୍ଷଣ ବଢ଼ାଗଲା ଯଦ୍ଦ୍ୱାରା ଆଜି ଏମାନେ ପୁଣିଥରେ ଖୋଲାପଡ଼ିଆରେ ଦୌଡ଼ୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି । ଏହା ହେଉଛି ଆମ ଲୁପ୍ତ ପ୍ରାୟ ଐତିହ୍ୟର ପୁନରାଗମନ । ଏପରି ଆଶା ଗ୍ରେଟ୍ ଇଣ୍ଡିଆନ୍ ବଷ୍ଟାର୍ଡ ଅର୍ଥାତ୍ ଗୋଡ଼ାବଣ ପକ୍ଷୀ ସଂରକ୍ଷଣରେ ମଧ୍ୟ ଦେଖିବାକୁ ମିଳୁଛି । ଏ ପକ୍ଷୀ ଆମ ମରୁଭୂମି ଅଞ୍ଚଳର ପରିଚୟ ଥିଲେ । କିନ୍ତୁ ଏକଦା ଏମାନଙ୍କ ସଂଖ୍ୟା ବହୁତ କମ୍ ହୋଇଯାଇଥିଲା । ପରିସ୍ଥିତି ଏପରି ହୋଇଥିଲା ଯେ ଏ ପକ୍ଷୀ ବିଲୁପ୍ତପ୍ରାୟ ଅବସ୍ଥାକୁ ଆସିଯାଇଥିଲେ । କିନ୍ତୁ ବର୍ତ୍ତମାନ ଏମାନଙ୍କ ସଂରକ୍ଷଣ ପାଇଁ ବଡ଼ ଅଭିଯାନ ଆରମ୍ଭ ହୋଇଛି । ବୈଜ୍ଞାନିକ ଉପାୟ ଅବଲମ୍ବନ କରାଯାଉଛି । ପ୍ରଜନନ କେନ୍ଦ୍ର ନିର୍ମାଣ କରାଯାଇଛି । ବର୍ତ୍ତମାନ ନୂତନ ଜୀବନର ଆରମ୍ଭ ସ୍ପଷ୍ଟ ରୂପେ ଦେଖିବାକୁ ମିଳୁଛି ।
ବନ୍ଧୁଗଣ, ପ୍ରକୃତି ଓ ମନୁଷ୍ୟ ଭିନ୍ନ ନୁହନ୍ତି । ଆମେ ପରସ୍ପରର ବନ୍ଧୁ । ଯେତେବେଳେ ଆମେ ପ୍ରକୃତିକୁ ବୁଝୁ, ତା’ର ସମ୍ମାନ କରୁ ଓ ତା’ସହିତ ସମତାଳରେ ଚାଲୁ, ସେତେବେଳେ ପରିବର୍ତ୍ତନ ସ୍ପଷ୍ଟ ରୂପେ ଦେଖିବାକୁ ମିଳେ । ଆଜି ଏପରି ପରିବର୍ତ୍ତନ ଦେଶର କୋଣ-ଅନୁକୋଣରୁ ନୂଆ ଆଶା ନେଇ ସାମ୍ନାକୁ ଆସିବାରେ ଲାଗିଛି ।
ମୋର ପ୍ରିୟ ଦେଶବାସୀଗଣ, ଉତ୍ତରପୂର୍ବ ହେଉଛି ଆମ ସମସ୍ତଙ୍କ ପାଇଁ ଅଷ୍ଟଲକ୍ଷ୍ମୀ । ଏଠି ପ୍ରଚୁର ପ୍ରତିଭା ରହିଛି । ଏତଦଭିନ୍ନ ଉତ୍ତରପୂର୍ବର ପ୍ରାକୃତିକ ସୌନ୍ଦର୍ଯ୍ୟ ସମସ୍ତଙ୍କୁ ଆକର୍ଷିତ କରେ । ‘ମନ୍ କି ବାତ୍’ରେ ବି ଆମେ ପ୍ରାୟତଃ ଉତ୍ତରପୂର୍ବର ଲୋକମାନଙ୍କ ଉପଲବଧି ସମ୍ପର୍କରେ ଚର୍ଚ୍ଚା କରିଆସିଛୁ । ଆଜି ସେପରି ଏକ ଉପଲବଧି ବିଷୟରେ ମୁଁ ଆପଣମାନଙ୍କ ସହ ଆଲୋଚନା କରିବି, ଆଉ ତାହା ହେଉଛି – ଉତ୍ତର-ପୂର୍ବ ବାଉଁଶ ସେକ୍ଟରୁର ସଫଳତା । ବନ୍ଧୁଗଣ, ଏକଦା ଯେଉଁ ଜିନିଷକୁ ବୋଝ ବୋଲି ବିବେଚନା କରାଯାଉଥିଲା, ଆଜି ତାହା ରୋଜଗାର, କାରବାର ଓ ନବସୃଜନକୁ ନୂଆ ଗତି ପ୍ରଦାନ କରୁଛି । ଆମ ମା’ଭଉଣୀମାନେ ହେଉଛନ୍ତି ଏହାର ସବୁଠାରୁ ବଡ଼ ଲାଭାର୍ଥୀ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବାଉଁଶର ପରିଭାଷା ବଦଳିଯିବାରୁ କେତେ ବଡ଼ ପରିବର୍ତ୍ତନ ଆସିଛି । ବନ୍ଧୁଗଣ, ଇଂରେଜମାନଙ୍କ ଦ୍ୱାରା ତିଆରି କରାଯାଇଥିବା ଆଇନ ଅନୁସାରେ ବାଉଁଶକୁ ବୃକ୍ଷ ରୂପେ ପରିଗଣିତ କରାଯାଉଥିଲା ଓ ଏହାସହ ଜଡ଼ିତ ନିୟମ ମଧ୍ୟ ଖୁବ୍ କଠୋର ଥିଲା । କୌଣସି ଜାଗାକୁ ବାଉଁଶ ନେଇଯିବା ମଧ୍ୟ କାଠିକର ପାଠ ଥିଲା । ଏହାଦ୍ୱାରା ଏଠିକାର ଲୋକମାନେ ବାଉଁଶ ସହ ଜଡ଼ିତ କୁଟୀରଶିଳ୍ପଠାରୁ ଦୂରେଇଗଲେ । ବନ୍ଧୁଗଣ, ୨୦୧୭ ମସିହାରେ ଆଇନରେ ପରିବର୍ତ୍ତନ କରି ଆମେ ବାଉଁଶକୁ ବୃକ୍ଷ ବର୍ଗରୁ ଅଲଗା କରିଦେଲୁ । ଏହାର ଫଳାଫଳ ଆଜି ସମସ୍ତଙ୍କ ସାମ୍ନାରେ । ଆଜି ସମଗ୍ର ଉତ୍ତରପୂର୍ବରେ ବାଉଁଶ କ୍ଷେତ୍ର ନିରନ୍ତର ଉନ୍ନତି କରିଚାଲିଛି । ଲୋକମାନେ ନିରନ୍ତର ନବସୃଜନ କରି ଏଥିରେ ମୂଲ୍ୟ ମିଶ୍ରଣ କରିଚାଲିଛନ୍ତି ।
ବନ୍ଧୁଗଣ, ତ୍ରିପୁରାର ଗୋମତୀ ଜିଲ୍ଲାର ବିଜୟ ସୂତ୍ରଧାର ଓ ଝକ୍ଟଙ୍କଗ୍ଧଷ ତ୍ରିପୁରାର ପ୍ରଦୀପ ଚକ୍ରବର୍ତ୍ତୀଙ୍କ ବିଷୟରେ ଜାଣିବା । ଏ ଦୁହେଁ ନୂଆ ଆଇନକୁ ନିଜ ପାଇଁ ଏକ ବଡ଼ ସୁଯୋଗ ବୋଲି ବିଚାର କଲେ । ତା’ପରେ ସେମାନେ ନିଜ କାମକୁ ପ୍ରଯୁକ୍ତିବିଦ୍ୟା ସହ ଯୋଡ଼ିଲେ । ଆଜି ସେମାନେ ପୂର୍ବ ଅପେକ୍ଷା ଉତ୍କୃଷ୍ଟ ଓ ଅଧିକ ବାଉଁଶଜାତ ଦ୍ରବ୍ୟ ତିଆରି କରୁଛନ୍ତି ।
ନାଗାଲାଣ୍ଡର ଦୀମାପୁର ଓ ତା’ ପାଖାପାଖି ଅଞ୍ଚଳରେ ଏପରି ଅନେକ ସ୍ୱୟଂ ସହାୟକ ଗୋଷ୍ଠୀ ଅଛନ୍ତି ଯେଉଁମାନେ ବାଉଁଶ ସହ ଜଡ଼ିତ ଖାଦ୍ୟ ଉତ୍ପାଦରେ ମୂଲ୍ୟ ବୃଦ୍ଧି କରିଛନ୍ତି । ସେଠି ଖୋରୋଲୋ କ୍ରିଏଟିଭ୍ କ୍ରାଫ୍ଟ ଭଳି ତିମମାନେ ବି ଅଛନ୍ତି, ଯେଉଁମାନେ ବାଉଁଶର ଫର୍ନିଚର୍ ଓ ହସ୍ତଶିଳ୍ପ ଉପରେ କାମ କରୁଛନ୍ତି ।
ବନ୍ଧୁଗଣ, ମିଜୋରାମର ମାମିତ ଜିଲ୍ଲାରେ ବି ଏପରି ଟିମ ଅଛନ୍ତି, ଯେଉଁମାନେ ବାଉଁଶର ଟିସୁ କଲଚର ଓ ପଲିହାଉସ୍ ପରିଚାଳନା ଉପରେ କାର୍ଯ୍ୟ କରୁଛନ୍ତି । ସିକ୍କିମର ଗ୍ୟାଙ୍ଗଟକ୍ ନିକଟବର୍ତ୍ତୀ ଲାଗାଷ୍ଟାଲ୍ ବାଉଁଶ ଏଣ୍ଟରପ୍ରାଇଜ୍ ଦଳ ସମ୍ପର୍କରେ ମୁଁ ଜାଣିବାକୁ ପାଇଛି । ସେମାନେ ବାଉଁଶରୁ ହସ୍ତଶିଳ୍ପ, ଧୂପକାଠି, ଫର୍ନିଚର ଭିତର ଓ ସାଜସଜ୍ଜା ସାମଗ୍ରୀ ତିଆରି କରନ୍ତି ।
ବନ୍ଧୁଗଣ, ମୁଁ ଏଠି ମାତ୍ର କିଛି ଉଦାହରଣ ଦେଇଛି । ଦେଶରେ ବାଉଁଶ କ୍ଷେତ୍ରରେ ସଫଳତାର ତାଲିକା ଖୁବ୍ ଲମ୍ବା । ମୁଁ ଆପଣମାନଙ୍କୁ ନିବେଦନ କରିବି ଯେ ଆପଣମାନେ ଉତ୍ତରପୂର୍ବର ଯେକୌଣସି ବାଉଁଶ ତିଆରି ଜିନିଷ ନିଶ୍ଚୟ କିଣନ୍ତୁ । ଆପଣମାନେ ଏହାକୁ ଗିଫ୍ଟ ରୂପରେ ମଧ୍ୟ ଦେଇପାରିବେ । ଆପଣମାନଙ୍କ ଏପରି ପ୍ରଚେଷ୍ଟା ଦ୍ୱାରା ସେହି ଲୋକମାନଙ୍କର ମନୋବଳ ବଢ଼ିବ, ଯେଉଁମାନେ ବାଉଁଶ ଉତ୍ପାଦ ତିଆରି କରିବା ପାଇଁ ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି ।
ମୋର ପ୍ରିୟ ଦେଶବାସୀଗଣ, ଦ୍ରୁତଗତିରେ ବଦଳୁଥିବା ଆଜିର ସମୟରେ ପ୍ରଯୁକ୍ତିବିଦ୍ୟା ଆମ ଜୀବନର ଏକ ଅପରିହାର୍ଯ୍ୟ ଅଙ୍ଗ ହୋଇସାରିଛି । ଆଜି ଆମେ ନିଜ ଅତୀତକୁ ବର୍ତ୍ତମାନ ସହ ଯୋଡ଼ିବା ଦିଗରେ ମଧ୍ୟ ପ୍ରଯୁକ୍ତିବିଦ୍ୟାର ଚମତ୍କାରିତା ଦେଖିବାକୁ ପାଉ । ଏ କ୍ଷେତ୍ରରେ ବର୍ତ୍ତମାନ ଏପରି ବିକାଶ ହୋଇଛି ଯଦ୍ଦ୍ୱାରା ଶିକ୍ଷା ସହ ଜଡ଼ିତ ଓ ଇତିହାସରେ ରୁଚି ରଖୁଥିବା ଲୋକମାନେ ଖୁବ୍ ଆନନ୍ଦିତ ହେଉଛନ୍ତି । ବନ୍ଧୁଗଣ, କିଛିଦିନ ତଳେ ଭାରତୀୟ ଜାତୀୟ ଅଭିଲେଖାଗାର ଏକ ବିଶେଷ ପୋର୍ଟାଲରେ ଏକ ଅନନ୍ୟ ଡାଟାବେସ୍ ଶେୟାର କରିଛି । ଏହି ସଂସ୍ଥା ୨୦ କୋଟିରୁ ଅଧିକ ଅମୂଲ୍ୟ ଦଲିଲଗୁଡ଼ିକୁ ଡିଜିଟାଇଜ କରି ସେଗୁଡ଼ିକୁ ସାର୍ବଜନୀନ କରିଛି । ଏଗୁଡ଼ିକ ମଧ୍ୟରୁ କିଛି ଦସ୍ତାବିଜ ଖୁବ୍ ରୋଚକପୂର୍ଣ୍ଣ । ଏମାନଙ୍କ ମଧ୍ୟରେ ଭୋଜପତ୍ରରେ ଲିଖିତ ସପ୍ତମ ଶତାବ୍ଦୀର ଗିଲଗିଟ୍ ପାଣ୍ଡୁଲିପି ରହିଛି । ଏହି ପୋର୍ଟାଲରେ ଆପଣଙ୍କୁ ଅଷ୍ଟମ ଶତାବ୍ଦୀର ଏକ ରୋଚକ ଗ୍ରନ୍ଥ ଶ୍ରୀ ଭୂବାଲୟ ମଧ୍ୟ ଦେଖିବାକୁ ମିଳିବ । ଅଙ୍କ ଆଧାରିତ ଏହି ଗ୍ରନ୍ଥ ଗ୍ରିଡ୍ ରୂପରେ ଉପଲବ୍ଧ । ରାଣୀ ଲକ୍ଷ୍ମୀବାଈଙ୍କ ସହ ଜଡ଼ିତ କିଛି ମହତ୍ତ୍ୱପୂର୍ଣ୍ଣ ଚିଠିପତ୍ର ବି ଆପଣ ଏଠାରେ ଦେଖିବାକୁ ପାଇବେ । ଏହାଦ୍ୱାରା ୧୮୫୭ ମସିହାରେ ତାଙ୍କଦ୍ୱାରା ନିଆଯାଇଥିବା କିଛି ନିଷ୍ପତ୍ତି ସମ୍ପର୍କରେ ଜଣାପଡ଼େ; ଯାହା ତାଙ୍କ ପରାକ୍ରମକୁ ସୂଚିତ କରିଥାଏ । ଯେଉଁ ଲୋକମାନେ ନେତାଜୀ ସୁଭାଷଙ୍କର ବଡ଼ ପ୍ରଶଂସକ, ସେମାନଙ୍କ ପାଇଁ ଏଠାରେ ନେତାଜୀଙ୍କ ଜୀବନ, ଆଜାଦ ହିନ୍ଦ ଫୌଜ ଓ ତାଙ୍କ ଭାଷଣ ସହ ସମ୍ପୃକ୍ତ ଅନେକ ଡକ୍ୟୁମେଣ୍ଟଗୁଡିକ ରହିଛି । ଏଠି ଆପଣଙ୍କୁ ପଣ୍ଡିତ ମଦନମୋହନ ମାଲବୀୟ ଜୀଙ୍କ ସହ ଜଡ଼ିତ ଅନେକ ଡକ୍ୟୁମେଣ୍ଟଗୁଡିକ ବି ମିଳିବ । ଏହି ଡକ୍ୟୁମେଣ୍ଟଗୁଡିକ ଭିତରେ ଭୂର ସ୍ଥାପନା ଓ ହିନ୍ଦୀ ସାହିତ୍ୟ ସମ୍ମେଳନ ସହ ଜଡ଼ିତ ମହତ୍ତ୍ୱପୂର୍ଣ୍ଣ ସୂଚନା ରହିଛି । ଏଠି ଆମ ସମ୍ବିଧାନ ସଭା ସହ ଜଡ଼ିତ ଅନେକ ଦୁର୍ଲଭ ଦସ୍ତାବିଜ ବି ଉପଲବ୍ଧ । ଆପଣ ସମସ୍ତଙ୍କୁ ମୋର ନିବେଦନ ଆପଣ www.abhilekh-patal.inକୁ ନିଶ୍ଚୟ ପରିଦର୍ଶନ କରନ୍ତୁ । ଏହା ଆପଣଙ୍କୁ ଆପଣଙ୍କ ଇତିହାସ ସମ୍ପର୍କରେ ଏକ ନିଆରା ଅନୁଭବ ପ୍ରଦାନ କରିବ ।
ବନ୍ଧୁଗଣ, ଟିକେ କଳ୍ପନା କରନ୍ତୁ ଆପଣ ସାରା ଦୁନିଆରେ ସବୁଠାରୁ ପ୍ରତିଭାଶାଳୀ ଲୋକଙ୍କ ମଧ୍ୟରେ ଅଛନ୍ତି । ଆପଣଙ୍କ ପାଖରେ ଗଣିତର ବହୁତ କଠିନ ପ୍ରଶ୍ନ ଅଛି । ଏଗୁଡ଼ିକୁ ସମାଧାନ କରିବା ପାଇଁ ସମୟ ଅଛି – କେବଳ ସାଢ଼େ ଚାରି ଘଣ୍ଟା । ଅର୍ଥାତ୍ ସମୟ ବହୁତ କମ୍ ଏବଂ ପ୍ରତିଯୋଗିତା ହେଉଛି ଅନ୍ତର୍ଜାତୀୟ, ବହୁତ କଠିନ । ଏଭଳି ପରିସ୍ଥିତିରେ ନର୍ଭସ୍ ହେବା ବହୁତ ସ୍ୱାଭାବିକ । କିନ୍ତୁ ଏହି ପରିସ୍ଥିତିରେ ଆମ ଝିଅମାନେ କମାଲ୍ କରିଦେଇଛନ୍ତି । ଚଳିତ ମାସର ଆରମ୍ଭରେ ଫ୍ରାନ୍ସର ବୋରୋଦୋରେ ୟୁରୋପୀୟ ବାଳିକା ଗଣିତ ଅଲମ୍ପିଆଡ୍ର ଆୟୋଜନ ହୋଇଥିଲା । ଗଣିତରେ ଗଭୀର ରୁଚି ରଖୁଥିବା ସ୍କୁଲ ଛାତ୍ରୀମାନଙ୍କ ପାଇଁ ଏହା ଗୋଟିଏ ବଡ଼ ପ୍ରତିଯୋଗିତା ଥିଲା । ଏହା ଦୁନିଆର ସବୁଠାରୁ ସମ୍ମାନିତ ପ୍ରତିଯୋଗିତାଗୁଡ଼ିକ ମଧ୍ୟରେ ଗୋଟିଏ ଥିଲା । ଏହି ଅଲମ୍ପିଆଡରେ ଆମର ଝିଅମାନେ ଏପର୍ଯ୍ୟନ୍ତ ସବୁଠାରୁ ଶ୍ରେଷ୍ଠ ପ୍ରଦର୍ଶନ କଲେ । ଏହି ପ୍ରତିଭାଶାଳୀ ଦଳ ପାଇଁ ମୁଁ ବହୁତ ଗର୍ବିତ । ଏମାନଙ୍କ ମଧ୍ୟରେ ମୁମ୍ବାଇର ଶ୍ରେୟା ମୁନ୍ଧଢ଼ା, ତିରୁଅନନ୍ତପୁରମର ସଞ୍ଜନା ଚାକୋ, ଚେନ୍ନାଇର ଶିବାନୀ ଭରତକୁମାର ଏବଂ କୋଲକାତାର ଶ୍ରୀମୟୀ ବେରା ସାମିଲ ହୋଇଥିଲେ । ଏଥିରେ ଆମ ଦଳ ବିଶ୍ୱରେ ଷଷ୍ଠ ସ୍ଥାନରେ ରହିଲା । ଶ୍ରେୟା ସ୍ୱର୍ଣ୍ଣପଦକ ପ୍ରାପ୍ତହୋଇ ଇତିହାସ ସୃଷ୍ଟି କଲେ । ସଂଜନା ରୌପ୍ୟ ପାଇଥିଲା ବେଳେ ଶିବାନୀ ମଧ୍ୟ କାଂସ୍ୟ ପଦକ ହାସଲ କରିଥିଲେ ।
ବନ୍ଧୁଗଣ, ଏହି ଅଲମ୍ପିଆଡ଼୍ ପାଇଁ ଭାରତରେ ଯେଉଁ ଚୟନ ପ୍ରକ୍ରିୟା ଅଛି ତାହା ସ୍ୱୟଂ ବହୁତ କଠିନ । ଏହାର ଏକ ବହୁସ୍ତରୀୟ ଚୟନ ପ୍ରକ୍ରିୟା ରହିଛି । ଏଥିରେ ଆଞ୍ଚଳିକ, ରାଜ୍ୟ ଏବଂ ଜାତୀୟ ସ୍ତରରେ କଠିନ ଆହ୍ୱାନକୁ ଅତିକ୍ରମ କରି ଆସିବାକୁ ପଡ଼ିଥାଏ । ଏହାପରେ ସବୁଠାରୁ ଭଲ ପ୍ରଦର୍ଶନ କରୁଥିବା ଛାତ୍ରଛାତ୍ରୀମାନେ ଏକମାସ ପାଇଁ ଗଣିତ ପ୍ରଶିକ୍ଷଣ ଶିବିରରେ ସାମିଲ ହୁଅନ୍ତି । ଏହି ଶିବିର ଟାଟା ଇନଷ୍ଟିଚ୍ୟୁଟ୍ ଅଫ୍ ମୌଳିକ ଗବେଷଣାର ହୋମି ଭାଭା ବିଜ୍ଞାନ ଶିକ୍ଷା କେନ୍ଦ୍ରଠାରେ ଆୟୋଜିତ ହୁଏ। ଏହି ଶିବିରର ଶେଷରେ ଦଳ ଚୟନ ପାଇଁ ପରୀକ୍ଷା ହୁଏ । ଏଥିରେ ପ୍ରଦର୍ଶିତ ଦକ୍ଷତା ଅନୁସାରେ ହିଁ ଭାରତୀୟ ଦଳକୁ ଚୟନ କରାଯାଏ ।
ବନ୍ଧୁଗଣ, ପ୍ରତିବର୍ଷ ସାରାଦେଶରୁ ପ୍ରାୟ ଛଅ ଲକ୍ଷ ଛାତ୍ରୀ ଏହି ଗଣିତ ଅଲମ୍ପିଆଡ୍ କାର୍ଯ୍ୟକ୍ରମରେ ଭାଗ ନିଅନ୍ତି । ସମୟ ସହିତ ଏହି ସଂଖ୍ୟା ଲଗାତାର ବଢ଼ିଚାଲିଛି । ଅର୍ଥାତ୍ ଦେଶର ଝିଅମାନଙ୍କ ମଧ୍ୟରେ ଏହି ଅଲମ୍ପିଆଡର ସଂସ୍କୃତି ଲୋକପ୍ରିୟ ହେବାରେ ଲାଗିଛି । ଏହି ପ୍ରତିଭାଶାଳୀ ବାଳିକାମାନଙ୍କୁ ସହଯୋଗ କରୁଥିବାରୁ ମୁଁ ସେମାନଙ୍କର ପିତାମାତାଙ୍କୁ ପ୍ରଶଂସା କରୁଛି ।
ମୋର ପ୍ରିୟ ଦେଶବାସୀଗଣ, ଆମ ଦେଶରେ ଏବେ ଗୋଟିଏ ବହୁତ ଗୁରୁତ୍ୱପୂର୍ଣ୍ଣ ଅଭିଯାନ ଚାଲିଛି ଯାହା ବିଷୟରେ ପ୍ରତ୍ୟେକ ଭାରତୀୟ ଜାଣିବା ଉଚିତ । ଏହା ହେଉଛି ଜନଗଣନା ଅଭିଯାନ । ଏହା ବିଶ୍ୱର ସବୁଠାରୁ ବଡ଼ ଜନଗଣନା । ବନ୍ଧୁଗଣ ଯେଉଁ ବନ୍ଧୁମାନେ ପୂର୍ବରୁ ଏହିଭଳି ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ଏଥରର ଜନଗଣନାର ଅନୁଭବ ସେମାନଙ୍କ ପାଇଁ ଟିକେ ଅଲଗା ହେବ । ୨୦୨୭ର ଜନଗଣନାକୁ ଡିଜିଟାଲ କରାଯାଇଛି । ସମସ୍ତ ସୂଚନା ସିଧାସଳଖ ଡିଜିଟାଲ ମାଧ୍ୟମରେ ଭରାଯାଉଛି । ଘରଘର ବୁଲି କାମ କରୁଥିବା କର୍ମଚାରୀମାନଙ୍କ ପାଖରେ ମୋବାଇଲ୍ ଆପ୍ ଅଛି, ସେମାନେ ଆପଣଙ୍କ ସହିତ କଥାବାର୍ତ୍ତା କରି ସେଥିରେ ସୂଚନା ପୂରଣ କରିବେ । ବନ୍ଧୁଗଣ, ଏଥର ଜନଗଣନାରେ ଆପଣମାନଙ୍କର ଭାଗିଦାରୀକୁ ସହଜ କରାଯାଇଛି । ଆପଣ ନିଜେ ମଧ୍ୟ ଆପଣଙ୍କ ସୂଚନା ପୂରଣ କରିପାରିବେ । କର୍ମଚାରୀମାନଙ୍କ ଆସିବାର ୧୫ ଦିନ ପୂର୍ବରୁ ଆପଣଙ୍କ ପାଇଁ ଏହି ସୁବିଧା ପ୍ରାପ୍ତ ହେବ । ଆପଣ ନିଜର ସମୟ ଅନୁସାରେ ସୂଚନା ଭରିପାରନ୍ତି । ଯେତେବେଳେ ଆପଣ ଏହି ପ୍ରକ୍ରିୟାଟି ଶେଷ କରିବେ ସେତେବେଳେ ଆପଣଙ୍କୁ ଗୋଟିଏ ବିଶେଷ ଆଇଡି ମିଳିବ । ଏହି ଆଇଡି ଆପଣଙ୍କ ମୋବାଇଲ ବା ଇ-ମେଲରେ ମଧ୍ୟ ଆସୁଛି । ପରେ ଯେତେବେଳେ କର୍ମଚାରୀ ଆପଣଙ୍କ ଘରକୁ ଆସିବେ ଆପଣ ଏହି ଆଇଡି ଦେଖାଇ ସୂଚନାଗୁଡ଼ିକ ନିଶ୍ଚିତ କରିପାରିବେ । ଏହାଦ୍ୱାରା ଦୁଇଥର ସୂଚନା ଦେବାର ଆବଶ୍ୟକତା ପଡ଼ିବ ନାହିଁ । ସମୟ ବି ବଞ୍ଚିବ ଏବଂ ପ୍ରକ୍ରିୟା ମଧ୍ୟ ସହଜ ହୋଇଯିବ । ବନ୍ଧୁଗଣ ଯେଉଁ ରାଜ୍ୟରେ ସ୍ୱଗଣନାର କାମ ଶେଷ ହୋଇଗଲାଣି ସେଠାରେ ଗଣନା କର୍ମଚାରୀଙ୍କ ଦ୍ୱାରା ଘରର ସୂଚୀକରଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଗଲାଣି । ଏପର୍ଯ୍ୟନ୍ତ ପ୍ରାୟ ୧ କୋଟି ୨୦ ଲକ୍ଷ ପରିବାରର ଘର ସୂଚୀକରଣ କାମ ପୁରା ହୋଇଗଲାଣି । ବନ୍ଧୁଗଣ ଦେଶର ଜନଗଣନା ଖାଲି ସରକାରୀ କାମ ନୁହେଁ ଏହା ଆମ ସମସ୍ତଙ୍କର ଦାୟିତ୍ୱ । ଆପଣଙ୍କର ଭାଗିଦାରୀ ବହୁତ ଆବଶ୍ୟକ । ଆପଣ ଦେଇଥିବା ସୂଚନା ସମ୍ପୂର୍ଣ୍ଣ ସୁରକ୍ଷିତ ରହେ ଏବଂ ଗୋପନ ରଖାଯାଏ, ଡିଜିଟାଲ ସୁରକ୍ଷା ସହିତ ଏଗୁଡ଼ିକୁ ସୁରକ୍ଷିତ କରାଯାଏ । ଆସନ୍ତୁ ଆମେ ସମସ୍ତେ ମିଶି ଏହି ପ୍ରକ୍ରିୟାରେ ଭାଗନେବା । ୨୦୨୭ର ଜନଗଣନାକୁ ସଫଳ କରିବା ।
ବନ୍ଧୁଗଣ, ଆମ ଦେଶରେ ଖାଇବା ପିଇବାର ପରମ୍ପରା ଖାଲି ସ୍ୱାଦ ପର୍ଯ୍ୟନ୍ତ ସୀମିତ ହୋଇନାହିଁ । ଏହି ପରମ୍ପରାର ଗୋଟିଏ ଚମତ୍କାର କଥା ହେଲା ଭାରତର ଚିଜ୍ । ଏହି କିଛିଦିନ ତଳେ ମୁଁ ଟ୍ୱିଟ୍ କରି ଗୋଟିଏ ସୂଚନା ଦେଇଥିଲି, ବ୍ରାଜିଲରେ ଆୟୋଜିତ ଗୋଟିଏ ଅନ୍ତର୍ଜାତୀୟ ଚିଜ୍ ପ୍ରତିଯୋଗିତାରେ ଭାରତୀୟ ଚିଜ୍ର ଦୁଇଟି ବ୍ରାଣ୍ଡକୁ ପ୍ରତିଷ୍ଠିତ ପୁରସ୍କାର ମିଳିଛି । ଏହି ଉପଲବଧିର ଚର୍ଚ୍ଚା ସାମାଜିକ ଗଣମାଧ୍ୟମରେ ବି ଖୁବ୍ ହୋଇଛି । ଅନେକ ଲୋକ ମୋତେ କହିଛନ୍ତି ଯେ Cheeseର ଯେଉଁ ବିବିଧତା ଅଛି ସେ ବିଷୟରେ ମଧ୍ୟ କଥା ହେବା ଉଚିତ୍ ।
ବନ୍ଧୁଗଣ, ଭାରତର ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ବହୁତ ବଡ଼ ପରିବର୍ତ୍ତନ ଆସୁଛି । ଏହି କ୍ଷେତ୍ରରେ ମୂଲ୍ୟ ମିଶ୍ରଣ ହେବା ଦ୍ୱାରା ଆମର ପାରମ୍ପରିକ ସ୍ୱାଦକୁ ଏକ ନୂତନ ପରିଚୟ ମିଳିଛି । ଆଜି ଭାରତୀୟ ଚିଜ୍ ସାରା ବିଶ୍ୱରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି । ଜଳଖିଆ ହେଉ ବା ମଧ୍ୟାହ୍ନ ଭୋଜନ ହେଉ ବା ରାତ୍ରୀଭୋଜନ ସାରା ଦୁନିଆର ଥାଳିରେ ଭାରତର ସ୍ୱାଦ ପହଂଚିପାରୁଛି । ଜାମ୍ମୁ କାଶ୍ମୀରର କଲାରି ଚିଜ୍କୁ ହିଁ ନିଅନ୍ତୁ – ଏହାକୁ ‘କାଶ୍ମୀରର ମୋଜେରେଲା’ କୁହାଯାଉଛି । ଗୁଜ୍ଜର-ବକରୱାଲ ସମ୍ପ୍ରଦାୟର ଲୋକ ବଂଶାନୁକ୍ରମେ ଏହାକୁ ତିଆରି କରୁଛନ୍ତି ଏବଂ ଖାଇଆସୁଛନ୍ତି । ସେହିଭଳି ସିକ୍କିମ୍, ଅରୁଣାଚଳ ପ୍ରଦେଶ ଏବଂ ଲଦାଖରେ ‘ଛୁର୍ପି’ ବହୁତ ପ୍ରସିଦ୍ଧ । ପାର୍ବତ୍ୟାଞ୍ଚଳର ସରଳତା ଏବଂ କୋମଳତା ଏହାର ସ୍ୱାଦରେ ଅନୁଭୂତ ହୁଏ । ଏହି ଚିଜ୍ର ମୁଖ୍ୟ କଥା ହେଲା ଏହା ଚମରୀଗାଈର ଦୁଗ୍ଧରୁ ତିଆରି ହୋଇଥାଏ ।
ବନ୍ଧୁଗଣ, ମହାରାଷ୍ଟ୍ର ଓ ଗୁଜୁରାଟରେ ‘ଟୋପଲୀ ନୁ ପନିର୍’ ଯାହାକୁ ‘ସୁରତୀର Cheese’ ବୋଲି କୁହାଯାଏ; ସେ ମଧ୍ୟ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ମୁଁ ଏଠାରେ କେତୋଟି ମାତ୍ର ନାମ ଉଲ୍ଲେଖ କଲି, କିନ୍ତୁ ଆମ ଦେଶରେ ସ୍ୱାଦର ଏ ଦୁନିଆ ବହୁତ ବ୍ୟାପକ । ଆଜି ଏହି ପରମ୍ପରାକୁ ଏକ ନୂତନ ଶକ୍ତି ମିଳୁଛି । ଅନେକ ଭାରତୀୟ କମ୍ପାନୀ ଏହି କ୍ଷେତ୍ରରେ ନିବେଶ କରୁଛନ୍ତି । ଆଧୁନିକ କୌଶଳ ଆସୁଛି, ଭଲ ପ୍ୟାକିଂ ବି ହେଉଛି ଏବଂ ଆମର ଉତ୍ପାଦ ବିଶ୍ୱସ୍ତରୀୟ ହୋଇ ଆଗକୁ ବଢ଼ୁଛି । ଏହାର ପରିଣାମ ସ୍ୱରୂପ ଭାରତୀୟ ଚିଜ୍ ଏବେ ଦେଶର ସୀମା ଅତିକ୍ରମ କରି ବିଶ୍ୱ ବଜାରରେ ଏବଂ ରେସ୍ତୋରାଁ ପର୍ଯ୍ୟନ୍ତ ପହଞ୍ଚିପାରିଛି । ଆଜି ଆମେମାନେ ସ୍ଥାନୀୟରୁ ବିଶ୍ୱସ୍ତରୀୟ ପର୍ଯ୍ୟନ୍ତ କଥା ହେଉଛନ୍ତି । ସେଗୁଡ଼ିକ ଭିତରେ ଭାରତୀୟ Cheeseର ଉଦାହରଣ ଆମକୁ ଭବିଷ୍ୟତର ରାସ୍ତା ଦେଖାଉଛି । ମୋର ବିଶ୍ୱାସ ଭାରତର ସ୍ୱାଦ, ଭାରତର ପରମ୍ପରା ଏବଂ ଗୁଣବତ୍ତା ବିଶ୍ୱର ଲୋକମାନଙ୍କୁ ଏକ ନୂଆ ଅନୁଭବ ଦେବ ଏବଂ ଭାରତ ସହିତ ଗୋଟିଏ ସ୍ୱତନ୍ତ୍ର ସମ୍ପର୍କ ମଧ୍ୟ ସୃଷ୍ଟି ହେବ ।
ମୋର ପ୍ରିୟ ଦେଶବାସୀଗଣ, ଏହି ମାସରେ ଦେଶର ଅନେକ ଭାଗରେ ନବବର୍ଷ ସହିତ ଅନେକ ପର୍ବପର୍ବାଣୀ ପାଳିତ ହେଲା । କିଛିଦିନ ପରେ ମେ’ ୯ ତାରିଖରେ ‘ପୋଚିଶେ ବୋଇଶାଖ’ର ଅବସରରେ ଆମେମାନେ ଗୁରୁଦେବ ଟାଗୋରଙ୍କ ଜନ୍ମଜୟନ୍ତୀ ପାଳନ କରିବା । ଗୁରୁଦେବ ବହୁ ପ୍ରତିଭାର ଅଧିକାରୀ ଥିଲେ । ସେ ଜଣେ ମହାନ ଲେଖକ ଏବଂ ଚିନ୍ତାନାୟକ ତ ଥିଲେ; ସେ ଅନେକ ସଂସ୍ଥାନର ପ୍ରତିଷ୍ଠା ମଧ୍ୟ କରିଥିଲେ । ଗୁରୁଦେବ ଟାଗୋର ଲୋକମାନଙ୍କ ପାଇଁ ଏଭଳି ଉଦ୍ୟୋଗର ସମର୍ଥକ ଥିଲେ ଯେଉଁଥିରେ ସ୍ଥାୟୀ ରୋଜଗାର ମିଳିବା ସଙ୍ଗେସଙ୍ଗେ ଗ୍ରାମର ମଧ୍ୟ କଲ୍ୟାଣ ହେବ । ଶାନ୍ତିନିକେତନର ଯାତ୍ରା ମୋ ପାଇଁ ଅବିସ୍ମରଣୀୟ । ଏ ହେଉଛି ସେହି ଅନୁଷ୍ଠାନ ଯାହାକୁ ସେ ସମ୍ପୂର୍ଣ୍ଣ ସମର୍ପଣର ସହିତ ଗଢ଼ିଥିଲେ ଏବଂ ତା’ର ବିକାଶ ମଧ୍ୟ କରିଥିଲେ । ତାଙ୍କୁ ପୁଣିଥରେ ମୁଁ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଉଛି ।
ବନ୍ଧୁଗଣ, ମେ’ ମାସ ଆମକୁ ୧୮୫୭ ମସିହାର ପ୍ରଥମ ସ୍ୱାଧିନତା ସଂଗ୍ରାମ କଥା ମନେ ପକାଇଦିଏ । ମୁଁ ମା’ ଭାରତୀଙ୍କର ସମସ୍ତ ବୀର ସନ୍ତାନମାନଙ୍କୁ ପ୍ରଣାମ କରୁଛି, ଯେଉଁମାନେ କି ଲୋକମାନଙ୍କ ମଧ୍ୟରେ ଦେଶଭକ୍ତିର ଭାବନା ଜାଗ୍ରତ କରିଥିଲେ । ଏହି ସମୟ ସ୍କୁଲ ପିଲାମାନଙ୍କ ପାଇଁ ମଧ୍ୟ ଛୁଟିର ସମୟ । ମୋର ଇଚ୍ଛା ସେମାନେ ଛୁଟିର ଭରପୁର ଆନନ୍ଦ ନିଅନ୍ତୁ ଏବଂ କିଛି ନୂଆ ଶିଖିବାର ପ୍ରୟାସ ମଧ୍ୟ କରନ୍ତୁ । ଏହି ଗ୍ରୀଷ୍ମଋତୁରେ ଆପଣମାନେ ସମସ୍ତେ ନିଜ ସ୍ୱାସ୍ଥ୍ୟ ପ୍ରତି ପୁରା ଧ୍ୟାନ ଦିଅନ୍ତୁ । ଆସନ୍ତା ମାସରେ ପୁଣି ଆପଣମାନଙ୍କ ସହିତ ଦେଖାହେବ, କିଛି ନୂଆ ବିଷୟ ଏବଂ ଦେଶବାସୀମାନଙ୍କର କିଛି ନୂତନ ଉପଲବଧି ସହିତ । ବହୁତ ବହୁତ ଧନ୍ୟବାଦ ।
**********
(ରିଲିଜ ଆଡି: 2255707)
ପରିଦର୍ଶକ କାଉଣ୍ଟର : 9
ଏହି ରିଲିଜ ପଢନ୍ତୁ :
Gujarati
,
Assamese
,
Telugu
,
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Punjabi
,
Kannada
,
Malayalam