ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଗୁଜରାଟର ଗାନ୍ଧୀନଗରରେ ସମ୍ରାଟ ସମ୍ପ୍ରତି ସଂଗ୍ରହାଳୟର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ପୋଷ୍ଟ କରାଯିବା ଦିନାଙ୍କ: 31 MAR 2026 2:06PM by PIB Bhubaneswar

ଜୟ ଜିନେନ୍ଦ୍ର!

ଜୟ ଜିନେନ୍ଦ୍ର!

 

ଆଚାର୍ଯ୍ୟ ଭଗବନ୍ତ ଶ୍ରୀ ପଦ୍ମସାଗର ସୁରିଶ୍ୱର ଜୀ ମହାରାଜ ସାହେବ, ଗୁଜରାଟର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଜୀ, ମୁଖ୍ୟମନ୍ତ୍ରୀ ଶ୍ରୀ ଭୁପେନ୍ଦ୍ର ଭାଇ, ରାଜ୍ୟ ଉପମୁଖ୍ୟମନ୍ତ୍ରୀ ଭୀ ହର୍ଷ ସଂଘଭୀ ଜୀ, ପରମ ପୂଜ୍ୟ ଆଚାର୍ଯ୍ୟ ଭଗବନ୍ତ, ପୂଜ୍ୟ ସାଧୁ ଭାଗବତ, ସାଧ୍ୱୀଜୀ ଭଗବନ୍ତ ଏହି ପବିତ୍ର ସଭାରେ ଉପସ୍ଥିତ ସମସ୍ତ ଆଚାର୍ଯ୍ୟ ଓ ମୁନିଗଣ, ସମ୍ମାନିତ ଦାନଶୀଳ ବ୍ୟକ୍ତିବର୍ଗ, ପଣ୍ଡିତ, ମହିଳା ଓ ଭଦ୍ରବ୍ୟକ୍ତିଗଣ!

 

ଆଜି ଭଗବାନ୍ ମହାବୀର ଜୟନ୍ତୀର ଶୁଭ ଅବସରରେ ମୁଁ ଏହି ପବିତ୍ର ଜୈନ ତୀର୍ଥସ୍ଥାନକୁ ଆସିବାର ସୌଭାଗ୍ୟ ପାଇଛି। ସର୍ବପ୍ରଥମେ, ମୁଁ ଭଗବାନ୍ ମହାବୀରଙ୍କ ପାଦତଳେ ପ୍ରଣାମ କରି କୋବା ତୀର୍ଥରୁ ମହାବୀର ଜୟନ୍ତୀ ଅବସରରେ ସମସ୍ତ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଉଛି।

 

ବନ୍ଧୁଗଣ,

ଆଜି, ମୁଁ ପରମ ପୂଜ୍ୟ ଆଚାର୍ଯ୍ୟ ଶ୍ରୀ କୈଳାସ ସାଗର ସୁରିଶ୍ୱରଜୀ ମହାରାଜ ସାହେବଙ୍କ ସ୍ମୃତିକୁ ମଧ୍ୟ ପ୍ରଣାମ କରୁଛି। ତାଙ୍କର ସ୍ୱପ୍ନ ଏହି କୋବାର ଭୂମିରେ ଜ୍ଞାନ ଓ ଆସ୍ଥାର ଏହି ମହାନ କେନ୍ଦ୍ରକୁ ପ୍ରତିଷ୍ଠା କରିଛି। କୋବା ତୀର୍ଥର ଏହି ସ୍ଥାନ ଆଧ୍ୟାତ୍ମିକ ଶାନ୍ତିରେ ପରିପୂର୍ଣ୍ଣ। ଏକ ଏପରି ସ୍ଥାନ ଯାହାର ଶକ୍ତି ଏତେ ଦିବ୍ୟ, ଯେଉଁଠାରେ ଅନେକ ଜୈନ ମୁନି ଏବଂ ସନ୍ଥଙ୍କ ତପସ୍ୟା ଜଡିତ, ସେଠାରେ ସୃଷ୍ଟି ଓ ସେବା ପ୍ରକାଶିତ ହୁଏ ଏବଂ ସ୍ୱୟଂକ୍ରିୟ ଭାବରେ କାର୍ଯ୍ୟ କରେ। ବର୍ଷରୁ ବର୍ଷ ଧରି ମୁଁ ଦେଖିଆସୁଛି ଯେ, କୋବା ତୀର୍ଥରେ ଅଧ୍ୟୟନ, ଆଧ୍ୟାତ୍ମିକ ସାଧନା ଓ ସଂଯମର ଏକ ଅବିରତ ପରମ୍ପରା ଚଳିଆସୁଛି। ଏଠାରେ ମୂଲ୍ୟବୋଧର ସୁରକ୍ଷା ହୁଏ, ସାଂସ୍କୃତିକ ମୂଲ୍ୟବୋଧ ଶକ୍ତି ପାଏ, ଏବଂ ଜ୍ଞାନର ପୋଷଣ ହୁଏ। ଏହି 'ତ୍ରିବେଣୀ' (ତିନିଟିର ସଂଗମ) ହେଉଛି ଭାରତୀୟ ସଭ୍ୟତାର ମୂଳଦୁଆ। ଏହି ତ୍ରିବେଣୀକୁ ସଦା ପ୍ରବାହିତ ରଖିବା ଆମ ସମସ୍ତଙ୍କର ଦାୟିତ୍ୱ।

 

ବନ୍ଧୁଗଣ,

ମୁଁ ଅତ୍ୟନ୍ତ ଆନନ୍ଦିତ ଯେ, ହଜାର ହଜାର ବର୍ଷର ଭାରତୀୟ ଐତିହ୍ୟ, ଜୈନ ଧର୍ମର କାଳଜୟୀ ଜ୍ଞାନ, ଆମର ସମ୍ପତ୍ତି ଏବଂ ସେଥିରୁ ପ୍ରାପ୍ତ ପ୍ରେରଣାକୁ ଆଗାମୀ ଶତାବ୍ଦୀ ପାଇଁ ଅମର କରିବା ନିମନ୍ତେ ଏବଂ ସେଗୁଡ଼ିକୁ ନୂତନ ଓ ଆଧୁନିକ ରୂପରେ ପରବର୍ତ୍ତୀ ପିଢ଼ିକୁ ହସ୍ତାନ୍ତର କରିବା ପାଇଁ, ଆମର ସନ୍ଥମାନେ ଏହି ଜୈନ ଐତିହ୍ୟ ସଂଗ୍ରହାଳୟର ପରିକଳ୍ପନା କରିଥିଲେ।

ଆଜି, ସେହି ଧାରଣାକୁ ଏକ ମହାନ ରୂପରେ ସାକାର କରାଯାଉଛି। ଏହି ସମ୍ରାଟ ସମ୍ପ୍ରତି ସଂଗ୍ରହାଳୟ ଜୈନ ଦର୍ଶନ, ଭାରତୀୟ ସଂସ୍କୃତି ଏବଂ ଆମର ପ୍ରାଚୀନ ଐତିହ୍ୟର ଏକ ପବିତ୍ର କେନ୍ଦ୍ର ପାଲଟିଛି। ଏହି ଅନନ୍ୟ ପ୍ରୟାସ ପାଇଁ ମୁଁ ଆମର ସମସ୍ତ ଜୈନ-ମୁନି ଏବଂ ସନ୍ଥମାନଙ୍କୁ ଅଭିନନ୍ଦନ ଜଣାଉଛି। ମୁଁ ସେମାନଙ୍କ ପାଦ ତଳେ ପ୍ରଣାମ କରୁଛି। ମୁଁ ସେହି ସମସ୍ତ ହଜାର ହଜାର ସମର୍ପିତ ଲୋକଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛି ଯେଉଁମାନେ ଏହି କାର୍ଯ୍ୟରେ ମହାନ୍‌ ଅବଦାନ ଦେଇଛନ୍ତି।

 

ଭାଇ ଓ ଭଉଣୀମାନେ,

ଯେତେବେଳେ ଆମେ ଅନନ୍ତ ଜ୍ଞାନକୁ ନୂତନ ପିଢୀ ପାଖରେ ପହଞ୍ଚାଇବା ପାଇଁ ନବୀନତା ଆଣିଥାଉ, ସେତେବେଳେ ଏହା ଆମ ଐତିହ୍ୟକୁ ଆହୁରି ସମୃଦ୍ଧ କରେ ଏବଂ ଆସନ୍ତା କାଲିକୁ ମଧ୍ୟ ପ୍ରେରଣା ଦେଇଥାଏ। ସମ୍ରାଟ ସମ୍ପ୍ରତି ସଂଗ୍ରହାଳୟ ହେଉଛି ଭାରତର କୋଟି କୋଟି ଲୋକଙ୍କର ଐତିହ୍ୟ; ଏହା ଭାରତର ଗୌରବମୟ ଅତୀତର ଐତିହ୍ୟ। ଏଥିପାଇଁ, ମୁଁ ସମସ୍ତ ଦେଶବାସୀଙ୍କୁ ଅନେକ ଅନେକ ଅଭିନନ୍ଦନ ଜଣାଉଛି।

 

ବନ୍ଧୁଗଣ,

ସମ୍ରାଟ ସମ୍ପ୍ରତି କେବଳ ଜଣେ ଐତିହାସିକ ରାଜାଙ୍କ ନାମ ନୁହେଁ। ସମ୍ରାଟ ସମ୍ପ୍ରତି ଏପରି ଏକ ସେତୁ ଯାହା ଭାରତର ଦର୍ଶନ ଏବଂ ଆଚରଣକୁ ସଂଯୋଗ କରେ। କାରଣ, ଯେତେବେଳେ ଆମେ ଇତିହାସକୁ ଅନୁସନ୍ଧାନ କରୁ, ଆମେ ଦେଖୁ ଯେ, ବିଶ୍ୱର ଅନେକ ସଭ୍ୟତାରେ ମହାନ ଚିନ୍ତାନାୟକ ଓ ଦାର୍ଶନିକ ଜନ୍ମଗ୍ରହଣ କରିଥିଲେ। ମାନବତାର ଆଦର୍ଶ ମଧ୍ୟ ବିଭିନ୍ନ ପରିଭାଷାରେ ଖୋଦିତ ହୋଇଥିଲା। କିନ୍ତୁ, ଯେତେବେଳେ କର୍ତ୍ତୃତ୍ୱ ଏବଂ ଶକ୍ତିର ପ୍ରଶ୍ନ ଆସିଲା, ଅନେକ ଶାସକ ଆଦର୍ଶ ଏବଂ ମୂଲ୍ୟବୋଧକୁ ପାଶୋରି ଦେଲେ। ଏହି କାରଣରୁ, ଚିନ୍ତନ ଓ ଅଭ୍ୟାସ, ଚିନ୍ତା ଏବଂ ବ୍ୟବସ୍ଥା ମଧ୍ୟରେ ଏକ ବ୍ୟବଧାନ ସୃଷ୍ଟି ହୋଇଚାଲିଥିଲା। କିନ୍ତୁ, ଭାରତରେ, ସମ୍ରାଟ ସମ୍ପ୍ରତିଙ୍କ ପରି ଶାସକ ଥିଲେ, ଯେଉଁମାନେ କର୍ତ୍ତୃତ୍ୱକୁ ସେବା ଏବଂ ଆଧ୍ୟାତ୍ମିକ ଅଭ୍ୟାସ ଭାବରେ ବିଚାର କରି କାମ କରୁଥିଲେ। ଯେଉଁଠାରେ ଗୋଟିଏ ପଟେ କିଛି ଶାସକ ହିଂସାକୁ ଅସ୍ତ୍ର କରି ଶାସନ କରୁଥିଲେ, ଅନ୍ୟପଟେ ସମ୍ରାଟ ସମ୍ପ୍ରତି ସିଂହାସନରେ ବସି ଅହିଂସା ବିସ୍ତାର କରିଥିଲେ। ସେ ସତ୍ୟ, ଅସ୍ତେୟ (ଚୋରି ନ କରିବା) ଓ ଅପରିଗ୍ରହକୁ ପ୍ରୋତ୍ସାହିତ କରିଥିଲେ। ଶାସନକୁ ସେବାର ମାଧ୍ୟମ ଭାବରେ ବିଚାର କରି, ଏପରି ନିରପେକ୍ଷ ଭାବନା ସହିତ ଜୀବନ ବଞ୍ଚିବା - ଏହି ଶିକ୍ଷା ଆମେ କେବଳ ଭାରତର ଅତୀତରୁ ପାଉଛୁ। ଆମେ ଏହି ସଂଗ୍ରହାଳୟରେ ଏହି ଅତୀତକୁ ସଂରକ୍ଷଣ କରୁଛୁ।

 

ବନ୍ଧୁଗଣ,

ମୁଁ ଦେଖୁଥିଲି, ଏହି ସଂଗ୍ରହାଳୟକୁ ଏପରି ଭାବରେ ଡିଜାଇନ୍ କରାଯାଇଛି ଯେ, ପ୍ରତ୍ୟେକ ପଦକ୍ଷେପରେ ମହାନ ଭାରତର ପରିଚୟ ଦୃଶ୍ୟମାନ ହେଉଛି। ଏହାର ସାତଟି ଗ୍ୟାଲେରୀ, ପ୍ରତ୍ୟେକ ଗ୍ୟାଲେରୀ ଭାରତର ବିବିଧତା ଏବଂ ସାଂସ୍କୃତିକ ସମୃଦ୍ଧି ବହନ କରୁଛି ପ୍ରଥମ ଗ୍ୟାଲେରୀରେ, ଆମେ ନବପଦ ଦେଖୁ। ନବପଦର ଅର୍ଥ ହେଉଛି, ଅରିହନ୍ତ, ସିଦ୍ଧ, ଆଚାର୍ଯ୍ୟ, ଉପାଧ୍ୟାୟ ଏବଂ ସାଧୁ। ସଠିକ୍ ଦୃଷ୍ଟି, ସଠିକ୍ ଜ୍ଞାନ, ସଠିକ୍ ଆଚରଣ ଏବଂ ସଠିକ୍ ତପସ୍ୟା; ଅର୍ଥାତ୍, ଆମେ ସେମାନଙ୍କ ଠାରୁ ଶିଖୁ ଯେଉଁମାନେ ନିଜେ ତପସ୍ୟା କରି ଜୀବନକୁ ଜାଣିଛନ୍ତି, ଏବଂ ଆମେ ଯେଉଁ ଜ୍ଞାନ ଅର୍ଜନ କରୁ ତାହା ଠିକ୍ ହେବା ଉଚିତ! ଆମର ଚରିତ୍ର ସଠିକ୍ ହେବା ଉଚିତ! କାରଣ ଯେତେବେଳେ ଜ୍ଞାନ ଠିକ୍ ହୁଏ, ଏହା ସମତା ଏବଂ ସେବାର ମୂଳଦୁଆ ହୋଇଯାଏ।

 

ବନ୍ଧୁଗଣ,

ତୃତୀୟ ଗ୍ୟାଲେରୀରେ ଆମ ତୀର୍ଥଙ୍କରମାନଙ୍କ ଜୀବନ, ତାଙ୍କର ଉପଦେଶ ଓ ବିଭିନ୍ନ ଘଟଣାବଳୀକୁ ମଧ୍ୟ କଳାତ୍ମକ ଭାବରେ ଜୀବନ୍ତ କରାଯାଇଛି।

 

ଭାଇ ଓ ଭଉଣୀମାନେ,

ଏହି ସଂଗ୍ରହାଳୟରେ ଭାରତର ସବୁଠାରୁ ବଡ଼ ବିଶେଷତା ଏବଂ ସବୁଠାରୁ ବଡ଼ ଶକ୍ତି ସ୍ପଷ୍ଟ ଭାବେ ଦେଖାଯାଏ। ମୁଁ ପୂର୍ବରୁ କହିଥିଲି, ଆମର ଏହି ଶକ୍ତି ହେଉଛି - ଭାରତର ବିବିଧତା ଏବଂ ବିବିଧତାରେ ଏକତା। ବିଶ୍ୱ ସର୍ବଦା ବିଶ୍ୱାସ, ଧର୍ମ ଏବଂ ଆସ୍ଥା ନାମରେ ସଂଘର୍ଷ ଦେଖିଛି, କିନ୍ତୁ ଏହି ସଂଗ୍ରହାଳୟରେ, ଭାରତର ଅନ୍ୟ ସମସ୍ତ ଧର୍ମର ମଧ୍ୟ ଗୌରବମୟ ପ୍ରତିନିଧିତ୍ୱ ରହିଛି। ବୈଦିକ ଓ ବୌଦ୍ଧ ପରମ୍ପରା, ବେଦ, ପୁରାଣ, ଆୟୁର୍ବେଦ, ଯୋଗ, ଦର୍ଶନ ବିଭିନ୍ନ ପରମ୍ପରାର ସମସ୍ତ ରଙ୍ଗ ଇନ୍ଦ୍ରଧନୁ ପରି ଏକତ୍ର ଉପସ୍ଥିତ, ଏହା କେବଳ ଭାରତରେ ହିଁ ସମ୍ଭବ।

 

ବନ୍ଧୁଗଣ,

ଆଜି ବିଶ୍ୱରେ ଯେଉଁ ପ୍ରକାରର ପରିସ୍ଥିତି ରହିଛି, ଯେଉଁଭଳି ଭାବରେ ବିଶ୍ୱ ଅସ୍ଥିରତା ଏବଂ ଅଶାନ୍ତିର ନିଆଁରେ ଜଳୁଛି, ଏହି ସଂଗ୍ରହାଳୟର ଐତିହ୍ୟ, ଏହାର ବାର୍ତ୍ତା କେବଳ ଭାରତ ପାଇଁ ନୁହେଁ, ସମଗ୍ର ମାନବଜାତି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆମର ପ୍ରୟାସ ହେବା ଉଚିତ ଯେ, ବିଶ୍ୱର ବିଭିନ୍ନ ଦେଶରୁ ଏଠାକୁ ଆସୁଥିବା ଜିଜ୍ଞାସୁ ବ୍ୟକ୍ତି, ଛାତ୍ରଛାତ୍ରୀ ଓ ଗବେଷକମାନଙ୍କର ସଂଖ୍ୟା ଆହୁରି ବଢ଼ିବ। ଏଠାକୁ ଆସୁଥିବା ଲୋକମାନେ ଭାରତ ଏବଂ ଜୈନ ଧର୍ମର ଶିକ୍ଷାକୁ ବିଶ୍ୱର ପ୍ରତ୍ୟେକ କୋଣକୁ ନେଇଯିବା ଉଚିତ।

 

ବନ୍ଧୁଗଣ,

ଭାରତରେ ଜ୍ଞାନ ସବୁ ସମୟରୁ ଏକ ସ୍ୱାଧୀନ ପ୍ରବାହ ରୂପେ ରହିଆସିଛି। ପ୍ରତ୍ୟେକ ଯୁଗରେ ତୀର୍ଥଙ୍କର ଓ ଋଷି-ମୁନିମାନେ ଜନ୍ମ ନେଇଛନ୍ତି। ଜ୍ଞାନର ସଂଗ୍ରହ ଅବିରତ ଭାବେ ବୃଦ୍ଧି ପାଇଛି, ସମୟ ସହିତ ସେଥିରେ ଅନେକ ନୂତନତ୍ୱ ଯୋଗ ହୋଇଛି। କଳ୍ପନା କରନ୍ତୁ, ଗୋଟିଏ ସମୟରେ ଆମର ତକ୍ଷଶିଳା ଏବଂ ନାଳନ୍ଦା ଭଳି ବିଶ୍ୱବିଦ୍ୟାଳୟଗୁଡ଼ିକ ଲକ୍ଷ ଲକ୍ଷ ପୁସ୍ତକ ଓ ପାଣ୍ଡୁଲିପିରେ ପରିପୂର୍ଣ୍ଣ ଥିଲା। କିନ୍ତୁ, ବିଦେଶୀ ଆକ୍ରମଣକାରୀମାନେ, ଧାର୍ମିକ ସଂକୀର୍ଣ୍ଣତାରେ, ଜ୍ଞାନକୁ ମଧ୍ୟ ନିଜର ଶତ୍ରୁ ବୋଲି ଭାବି, ସେଗୁଡ଼ିକୁ ପୋଡ଼ି ଦେଇଥିଲେ; ମାନବତାର ଏପରି ମହାନ ଐତିହ୍ୟ ନଷ୍ଟ ହୋଇଯାଇଥିଲା। ସେହି କଷ୍ଟକର ସମୟରେ, ଲୋକମାନେ ପିଢ଼ି ପରେ ପିଢ଼ି ଅବଶିଷ୍ଟ ପାଣ୍ଡୁଲିପିଗୁଡ଼ିକୁ ସଂରକ୍ଷଣ କରି ସେଗୁଡ଼ିକୁ ସୁରକ୍ଷିତ ରଖିଥିଲେ। ସ୍ୱାଧୀନତା ପରେ, ସେଗୁଡ଼ିକୁ ଖୋଜିବା, ସେଗୁଡ଼ିକୁ ସଂରକ୍ଷଣ କରିବା ଦେଶର ଦାୟିତ୍ୱ ହେବା ଉଚିତ ଥିଲା, କିନ୍ତୁ ଦୁର୍ଭାଗ୍ୟବଶତଃ, ସଂକୀର୍ଣ୍ଣ ମାନସିକତା ଯୋଗୁଁ, ଏଥିରେ କୌଣସି ଧ୍ୟାନ ଦିଆଯାଇ ନଥିଲା। ଆଚାର୍ଯ୍ୟ ଭଗବନ୍ତ ଶ୍ରୀ ପଦ୍ମସାଗର ସୁରିଶ୍ୱର ଜୀ ମହାରାଜ ସାହେବଙ୍କ ଭଳି ମହାନ ବ୍ୟକ୍ତିତ୍ୱ ଏବଂ ସନ୍ଥ ଏହାର ଗୁରୁତ୍ୱ ବୁଝିଥିଲେ; ସେମାନେ ଏଥିପାଇଁ ନିଜର ସମଗ୍ର ଜୀବନ ଉତ୍ସର୍ଗ କରିଥିଲେ। ୬୦ ବର୍ଷ ଧରି, ଗାଁରୁ ଗାଁ, ସହରରୁ ସହର, ଦେଶର ପ୍ରତ୍ୟେକ କୋଣରୁ, ସେମାନେ ପାଣ୍ଡୁଲିପି ଖୋଜିଥିଲେ। ଶହ ଶହ ବର୍ଷ ପୁରୁଣା ଜ୍ଞାନ ତାଳପତ୍ର ଏବଂ ଭୁର୍ଜପତ୍ରରେ ଖୋଦିତ ଏହିପରି ତିନି ଲକ୍ଷରୁ ଅଧିକ ପାଣ୍ଡୁଲିପି ଆଜି କୋବାରେ ସୁରକ୍ଷିତ ଏବଂ ସଂକଳନ କରାଯାଇଛି। ଏହା ଭାରତର ଅତୀତ, ଭାରତର ବର୍ତ୍ତମାନ ଏବଂ ଆମର ଭବିଷ୍ୟତ ପାଇଁ ଏକ ବହୁତ ବଡ଼ ସେବା।

 

ବନ୍ଧୁଗଣ,

ପୂର୍ବ ସରକାରମାନେ ପାଣ୍ଡୁଲିପିକୁ ଅବହେଳା କରି ଯେଉଁ ଭୁଲ କରିଥିଲେ, ଆଜି ଆମେ ତାହାକୁ ସଂଶୋଧନ କରୁଛୁ। ଏଥିପାଇଁ ଆମେ 'ଜ୍ଞାନ ଭାରତମ୍ ମିଶନ' ଆରମ୍ଭ କରିଛୁ। ଏହି କାର୍ଯ୍ୟରେ, ଆମେ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରୁଛୁ। ଏହି ମିଶନ ଅଧୀନରେ, ପ୍ରାଚୀନ ପାଣ୍ଡୁଲିପିଗୁଡ଼ିକର ଡିଜିଟାଇଜେସନ୍ କରାଯାଉଛି ଏବଂ ସେଗୁଡ଼ିକୁ ବୈଜ୍ଞାନିକ ପଦ୍ଧତିରେ ସଂରକ୍ଷିତ କରାଯାଉଛି। ସ୍କାନିଂ, ରାସାୟନିକ ଚିକିତ୍ସା ଏବଂ ଡିଜିଟାଲ୍ ସଂଗ୍ରହ ଭଳି ସମସ୍ତ ପ୍ରୟାସ ଏହି ଦିଗରେ ହେଉଛି। ଏହି ରବିବାର 'ମନ କୀ ବାତ'ରେ, ମୁଁ ବିସ୍ତାର ଭାବରେ ଉଲ୍ଲେଖ କରିଥିଲି ଯେ, କିପରି ଏହି ଦିଗରେ ଏକ ସର୍ଭେ ମଧ୍ୟ ଆରମ୍ଭ କରାଯାଇଛି। ଏଥିରେ, ସାରା ଦେଶର ଲୋକମାନେ ସେମାନଙ୍କ ସହିତ ସଂରକ୍ଷିତ ପାଣ୍ଡୁଲିପିଗୁଡ଼ିକୁ ଅପଲୋଡ୍ କରୁଛନ୍ତି। ଏହି ଅଭିଯାନ ଦେଶର ପ୍ରତ୍ୟେକ କୋଣରେ ବିକ୍ଷିପ୍ତି ହୋଇଥିବା ପାଣ୍ଡୁଲିପିଗୁଡ଼ିକୁ ସଂଗ୍ରହ କରିବାରେ ଏକ ବଡ଼ ଭୂମିକା ଗ୍ରହଣ କରିବ।

 

ବନ୍ଧୁଗଣ,

ସରକାରୀ ସ୍ତରରେ ଜ୍ଞାନ ଭାରତମ୍ ମିଶନ୍ଏବଂ କୋବାତୀର୍ଥଙ୍କ ଅସାଧାରଣ ଅବଦାନ, ସମାଜ ଏବଂ ସରକାରଙ୍କ ଏହି ମିଳିତ ପ୍ରୟାସ ମଧ୍ୟ ଭାରତର ନୂତନ ସାଂସ୍କୃତିକ ପୁନରୁତ୍ଥାନର ପ୍ରତୀକ।

 

ବନ୍ଧୁଗଣ,

ଆଜି ଦେଶର ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷଣ କରିବା ଏବଂ ଏହାକୁ ବିଶ୍ୱ ସମ୍ମୁଖରେ ପହଞ୍ଚାଇବା ପାଇଁ ପ୍ରୟାସ ପ୍ରତ୍ୟେକ ସ୍ତରରେ ଚାଲିଛି। ପାଣ୍ଡୁଲିପି ଏବଂ ଜ୍ଞାନ ଐତିହ୍ୟକୁ ସଂରକ୍ଷଣ କରିବାର କାର୍ଯ୍ୟ ଚାଲୁଥିବା ବେଳେ, ଏହା ସହିତ, ପ୍ରାଚୀନ ମନ୍ଦିରଗୁଡ଼ିକର ପୁନରୁଦ୍ଧାର, ତୀର୍ଥସ୍ଥଳଗୁଡ଼ିକର ବିକାଶ, ଐତିହାସିକ ସ୍ଥଳଗୁଡ଼ିକର ବିକାଶ ଏବଂ ଆୟୁର୍ବେଦ ଓ ଯୋଗର ପ୍ରଚାର - ପ୍ରସାର ପ୍ରତ୍ୟେକ ସ୍ତରରେ କରାଯାଉଛି। ଏବେ ଗୁଜରାଟ, ଲୋଥାଲରେ ଏକ ବିଶାଳ ସାମୁଦ୍ରିକ ସଂଗ୍ରହାଳୟ ନିର୍ମାଣ କରାଯାଉଛି ଏବଂ ଏହା ବିଶ୍ୱର ସର୍ବବୃହତ ସାମୁଦ୍ରିକ ସଂଗ୍ରହାଳୟ ହେବାକୁ ଯାଉଛି; ଏହା ଏଠାରୁ ୭୦-୮୦ କିଲୋମିଟର ଦୂରରେ ଅବସ୍ଥିତ। ଅନ୍ୟପକ୍ଷରେ, ବାଦନଗରରେ ଏକ ବହୁତ ବଡ଼ ସଂଗ୍ରହାଳୟ ନିର୍ମାଣ କରାଯାଇଛି; ଏହା ବିଶ୍ୱର ଭଲ ସଂଗ୍ରହାଳୟ ମଧ୍ୟରେ ନିଜର ସ୍ଥାନ ପାଇସାରିଛି। ଦିଲ୍ଲୀରେ ଯୁଗେ ଯୁଗୀନ୍ ଭାରତସଂଗ୍ରହାଳୟ ନିର୍ମାଣ ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି। ଆଜି, ପ୍ରଥମ ଥର ପାଇଁ, ସ୍ୱାଧୀନତା ସଂଗ୍ରାମର ଇତିହାସକୁ ଏକ ସାମଗ୍ରିକ ରୂପରେ ଆଗକୁ ଆଣିବା ପାଇଁ ଅର୍ଥପୂର୍ଣ୍ଣ କାର୍ଯ୍ୟ କରାଯାଇଛି। ଆପଣଙ୍କୁ ମନେ ରଖିବାକୁ ହେବ, ପୂର୍ବରୁ ଏହି କାର୍ଯ୍ୟଗୁଡ଼ିକ ଏକ ରାଜନୈତିକ ଦୃଷ୍ଟିକୋଣ ମାଧ୍ୟମରେ କରାଯାଇଥିଲା; କିପରି ଗୋଟିଏ ରାଜନୈତିକ ପରିବାରର କାହାଣୀ ଗଢ଼ିବା, କିପରି ଭୋଟ୍‌ବ୍ୟାଙ୍କ ଅନୁସାରେ କଥା କହିବା-ସବୁକିଛି ଏହି ଚିନ୍ତାଧାରାରେ ଘୂରି ବୁଲୁଛି। ଆମେ ଏହି ମାନସିକତାକୁ ସମାପ୍ତ କରିଛୁ। ଆମେ ସବକା ସାଥ, ସବକା ବିକାଶମନ୍ତ୍ର ସହିତ ଆଗେଇ ଯାଉଛୁ। ଏହି ମନ୍ତ୍ର ହେଉଛି ଏକ ବିକଶିତ ଭାରତର ଦୃଷ୍ଟିକୋଣର ଭାବନା।

 

ବନ୍ଧୁଗଣ,

ଆପଣମାନେ ସମସ୍ତେ ସନ୍ଥମାନେ ଭାରତର ଐତିହ୍ୟକୁ ପାଳନ କରିବା ପାଇଁ ଏତେ ମହାନ ପ୍ରୟାସ କରୁଛନ୍ତି। ଯେତେବେଳେ ଆମେ ବ୍ୟକ୍ତିଗତ ଆକାଂକ୍ଷାରୁ ଉପରକୁ ଉଠି ସମାଜ ଏବଂ ରାଷ୍ଟ୍ରର ଲକ୍ଷ୍ୟ ପାଇଁ କାମ କରୁ, ଦେଶର ବିକାଶ ଅଧିକ ଗତିଶୀଳ ହୋଇଥାଏଏହି ଭାବନା ସହିତ, ମୁଁ ନବକାର ମହାମନ୍ତ୍ର ଦିବସରେ ଦିଲ୍ଲୀରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମଧ୍ୟ ଅଂଶଗ୍ରହଣ କରିଥିଲି। ସେହି କାର୍ଯ୍ୟକ୍ରମରେ, ସମସ୍ତ ଚାରି ସମ୍ପ୍ରଦାୟ ଏକାଠି ହୋଇଥିଲେ। ସେହି ଐତିହାସିକ ଅବସରରେ, ମୁଁ ନଅଟି ଅନୁରୋଧ କରିଥିଲି, ନଅଟି ସଂକଳ୍ପ ବିଷୟରେ କହିଥିଲି, ଯାହା ଆମର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ଭାଇ ମଧ୍ୟ ଉଲ୍ଲେଖ କରିଥିଲେ। ପ୍ରତ୍ୟେକ ଥର, ମୁଁ ନିଶ୍ଚିତ ଭାବରେ ଆପଣଙ୍କ ସମ୍ମୁଖରେ ସେହି ନଅଟି ସଂକଳ୍ପକୁ ପୁନରାବୃତ୍ତି କରେ। ଆଜିର ଅବସରରେ ମଧ୍ୟ ସେଗୁଡ଼ିକୁ ପୁନରାବୃତ୍ତି କରିବା। ପ୍ରଥମ ସଂକଳ୍ପ - ଜଳ ସଂରକ୍ଷଣର ସଂକଳ୍ପ। ଦ୍ୱିତୀୟ ସଂକଳ୍ପ - ମା'ଙ୍କ ନାମରେ ଗଛଟିଏତୃତୀୟ ସଂକଳ୍ପ - ସ୍ୱଚ୍ଛତା ମିଶନ। ଚତୁର୍ଥ ସଂକଳ୍ପ - ଭୋକାଲ୍‌ ଫର୍ ଲୋକାଲ୍‌ପଞ୍ଚମ ସଂକଳ୍ପ - ଦେଶ ଦର୍ଶନ (ଦେଶ ଭ୍ରମଣ)। ଷଷ୍ଠ ସଂକଳ୍ପ - ପ୍ରାକୃତିକ କୃଷି ଗ୍ରହଣ। ସପ୍ତମ ସଂକଳ୍ପ - ସୁସ୍ଥ ଜୀବନଶୈଳୀ ଆପଣେଇବାଅଷ୍ଟମ ସଂକଳ୍ପ - ଯୋଗ ଏବଂ କ୍ରୀଡାକୁ ଜୀବନର ଅଂଶ କରିବାନବମ ସଂକଳ୍ପ ହେଉଛି - ଗରିବଙ୍କୁ ସାହାଯ୍ୟ କରିବାର ସଂକଳ୍ପ, ଏବଂ ଦଶମ ସଂକଳ୍ପ ହେଉଛି ଆପଣ ସମସ୍ତେ ନିଜକୁ ଯୋଡିଛନ୍ତି ଏବଂ - ତାହା ହେଉଛି - ଭାରତ ଐତିହ୍ୟର ସଂରକ୍ଷଣ। ଆଜିର କାର୍ଯ୍ୟକ୍ରମ ଏହାର ପ୍ରତିଫଳନ।

 

ବନ୍ଧୁଗଣ,

ଆଗାମୀ ସମୟରେ, ଆମ ସମ୍ମୁଖରେ ବଡ଼ ଲକ୍ଷ୍ୟ ରହିଛି; ଆମକୁ ବଡ଼ ସଂକଳ୍ପ ପୂରଣ କରିବାକୁ ପଡିବ। ଆମର ଏକତା, ଆମର ଏହି ସାଂସ୍କୃତିକ ଆଧାରଗୁଡ଼ିକ ଏଥିରେ ଆମର ଶକ୍ତି ହେବ। ମୁଁ ନିଶ୍ଚିତ ଯେ, ସମ୍ରାଟ ସମ୍ପ୍ରତି ସଂଗ୍ରହାଳୟ ଆଗାମୀ ସମୟରେ ଏହି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହା ଜ୍ଞାନ, ଆଧ୍ୟାତ୍ମିକ ଅଭ୍ୟାସ ଏବଂ ସଂସ୍କୃତିର ଏକ ଏପରି କେନ୍ଦ୍ର ହୋଇଯିବ ଯେଉଁଠାରୁ ନୂତନ ପିଢ଼ି ପ୍ରେରଣା ପାଇବ ଏବଂ ସମାଜକୁ ଏକ ନୂତନ ଶକ୍ତି ମିଳିବ। ଏହି ଆତ୍ମବିଶ୍ୱାସ ସହିତ, ମୁଁ ପୁଣି ଥରେ ଆପଣମାନଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଅନେକ ଅନେକ ଅଭିନନ୍ଦନ ଜଣାଉଛି।

 

ଏଥିସହିତ, ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଯେ, ମହାରାଜ ସାହେବ ଏସବୁ କରିଛନ୍ତି, ଯଦି ଆମେ ଏହାକୁ ଦେଖିବା ପାଇଁ ସମୟ ନ ଦେଉ, ତେବେ ଏହା କିପରି କାମ କରିବ? ଏପରି ନ ହେଉ ଯେ, ଅଧିକରୁ ଅଧିକ ଲୋକ ଏଠାକୁ ଆସି ଚାଲିଯାଆନ୍ତୁ - ଦେଖିବା ପରେ ଜାଣିବାକୁ ଚେଷ୍ଟା କରନ୍ତୁ, ବୁଝିବାକୁ ଚେଷ୍ଟା କରନ୍ତୁ; ଏହା ଏକ ଅମୂଲ୍ୟ ସମ୍ପତ୍ତି। ମୁଁ ଚାହୁଁଛି ଯେ, ଗୁଜରାଟର ସମସ୍ତ ପିଢ଼ୀର ଲୋକମାନେ ନିଜ ପରିବାର ସହିତ ଏଠାକୁ ଆସନ୍ତୁ, ପୂର୍ଣ୍ଣ ମନୋଯୋଗ ସହିତ ଏହାକୁ ଦେଖନ୍ତୁ ଏବଂ ଜ୍ଞାନ ଓ ମହାନ ଐତିହ୍ୟରେ ଗର୍ବ ଅନୁଭବ କରନ୍ତୁ। ମୋ ପାଇଁ ଆଜିର ମହାବୀର ଜୟନ୍ତୀ ଅନେକ ଦିଗରୁ ଶୁଭ, କାରଣ ମୁଁ ଗାନ୍ଧୀନଗରରେ ପହଞ୍ଚିବା ସହିତ, ଗୁଜରାଟର ଭୂମିରେ ପାଦ ରଖିବା ପରେ ପ୍ରଥମ କାର୍ଯ୍ୟକ୍ରମ ହେଉଛି ମୂଳ ସହିତ ସଂଯୋଗ, ଏବଂ ଏଠାରୁ ମୁଁ ଏବେ ସାନନ୍ଦକୁ ଯିବି; ସେଠାରେ ଦ୍ୱିତୀୟ କାର୍ଯ୍ୟକ୍ରମ ହେଉଛିବିଶ୍ୱ ସହିତ ସଂଯୋଗ। ଏଠାରେ ମୁଁ ମହାନ ସାଂସ୍କୃତିକ ପରମ୍ପରା ଏବଂ ମହାନ ଅତୀତର ଏକ ଧାରଣା ଗ୍ରହଣ କଲି ଏବଂ ସାନନ୍ଦରେ, ବିଶ୍ୱର ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଚିପ୍ସ ନିର୍ମାଣର ଉଦଘାଟନ ହେଉଛି, ସେମିକଣ୍ଡକ୍ଟରର ଉଦଘାଟନ ହେଉଛି। ଏଠାରେ ମୂଳ ସହିତ ସଂଯୋଗ କରିବା ଏବଂ ସେଠାରୁ ବିଶ୍ୱକୁ ସଂଯୋଗ କରିବା ବିଷୟରେ କଥା ହେଉଛି ଏବଂ ଏସବୁ ଗୁଜୁରାଟ ଭୂମିରେ ଘଟୁଛି, ଭାରତ ଭୂମିରେ ଘଟୁଛି। ଆପଣମାନଙ୍କୁ ଅନେକ ଅନେକ ଶୁଭକାମନା।

 

ବହୁତ ବହୁତ ଧନ୍ୟବାଦ।

 

ଜୟ ଜିନେନ୍ଦ୍ର!

ଜୟ ଜିନେନ୍ଦ୍ର!

ଜୟ ଜିନେନ୍ଦ୍ର!

 

ସ୍ୱୀକାରୋକ୍ତି: ଏହା ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ଆନୁମାନିକ ଅନୁବାଦ। ମୂଳ ଅଭିଭାଷଣ ହିନ୍ଦୀରେ ପ୍ରଦାନ କରାଯାଇଥିଲା।

 

*****

MT


(ରିଲିଜ ଆଡି: 2255105) ପରିଦର୍ଶକ କାଉଣ୍ଟର : 18