ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଅଷ୍ଟ୍ରିଆର ଚାନ୍ସେଲରଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ମିଳିତ ପ୍ରେସ ବିବୃତ୍ତି
प्रविष्टि तिथि:
16 APR 2026 12:48PM by PIB Bhubaneswar
ମହାମହିମ ଚାନ୍ସେଲର ଷ୍ଟୋକର୍,
ଉଭୟ ଦେଶର ପ୍ରତିନିଧିଗଣ,
ଗଣମାଧ୍ୟମର ବନ୍ଧୁମାନେ,
ନମସ୍କାର!
ଗ୍ରୁସ୍ ଗଟ୍ (ନମସ୍କାର)
ଚାନସେଲର୍ ଷ୍ଟୋକର୍, ଆପଣଙ୍କର ପ୍ରଥମ ଭାରତ ଗସ୍ତ ଉପଲକ୍ଷେ ମୁଁ ଆପଣଙ୍କୁ ସ୍ୱାଗତ ଜଣାଉଛି। ଆମେ ଅତ୍ୟନ୍ତ ଖୁସି ଯେ, ଆପଣ ୟୁରୋପର ବାହାରେ ଆପଣଙ୍କ ପ୍ରଥମ ଗସ୍ତ ପାଇଁ ଭାରତକୁ ବାଛିଛନ୍ତି। ଏହା ଆପଣଙ୍କ ଦୃଷ୍ଟିକୋଣ ଓ ଭାରତ-ଅଷ୍ଟ୍ରିଆ ସମ୍ପର୍କ ପ୍ରତି ଆପଣଙ୍କର ଅତୁଟ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।
ଚାରି ଦଶକ ପରେ ଜଣେ ଅଷ୍ଟ୍ରିଆନ୍ ଚାନ୍ସେଲରଙ୍କ ଭାରତ ଗସ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ୨୦୨୬ର ଐତିହାସିକ ଭାରତ-ୟୁରୋପୀୟ ୟୁନିଅନ୍ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ପରେ, ଭାରତ ଓ ୟୁରୋପୀୟ ସଂଘ ମଧ୍ୟରେ ସମ୍ପର୍କରେ ଏକ ନୂତନ ସୁବର୍ଣ୍ଣ ଅଧ୍ୟାୟର ଅୟମାରମ୍ଭ ହୋଇଛି। ଚାନ୍ସେଲର ଷ୍ଟୋକରଙ୍କ ଏହି ଗସ୍ତ ମାଧ୍ୟମରେ, ଆମେ ଏବେ ଭାରତ-ଅଷ୍ଟ୍ରିଆ ସମ୍ପର୍କକୁ ମଧ୍ୟ ଏକ ନୂତନ ଯୁଗକୁ ନେଇଯାଉଛୁ।
ବନ୍ଧୁଗଣ,
ଭାରତ ଏବଂ ଅଷ୍ଟ୍ରିଆ ଭିତ୍ତିଭୂମି, ନବସୃଜନ ଏବଂ ସ୍ଥାୟୀତ୍ୱ କ୍ଷେତ୍ରରେ ବିଶ୍ୱସ୍ତ ସହଭାଗୀ ହୋଇଆସିଛନ୍ତି। ଦିଲ୍ଲୀ ମେଟ୍ରୋ ହେଉ କିମ୍ବା ହିମାଳୟରେ ୧୦,୦୦୦ ଫୁଟ ଉଚ୍ଚତାରେ ନିର୍ମିତ ଅଟଳ ସୁଡଙ୍ଗ, ଅଷ୍ଟ୍ରିଆର ଟନେଲିଂ କୌଶଳ ତାହାର ଏକ ଦୃଢ଼ ଛାପ ଛାଡ଼ିଛି।
ଏହା ବ୍ୟତୀତ, ରେଳ ପ୍ରକଳ୍ପଠାରୁ ଆରମ୍ଭ କରି ଗୁଜରାଟର ଗିର୍ନାର ରୋପୱେ ପର୍ଯ୍ୟନ୍ତ, ସ୍ୱଚ୍ଛ ଶକ୍ତିରୁ ଆରମ୍ଭ କରି ସହରାଞ୍ଚଳ ବିକାଶ ପର୍ଯ୍ୟନ୍ତ, ଭାରତର ଅନେକ ଇଞ୍ଜିନିୟରିଂ ପ୍ରକଳ୍ପରେ ଅଷ୍ଟ୍ରିଆର କମ୍ପାନୀଗୁଡ଼ିକ ସକ୍ରିୟ ସହଭାଗୀ ହୋଇଆସିଛନ୍ତି।
ବନ୍ଧୁଗଣ,
ଚାନ୍ସେଲର ଷ୍ଟୋକରଙ୍କ ଏହି ଗସ୍ତ ବାଣିଜ୍ୟ ଓ ପୁଞ୍ଜିନିବେଶ କ୍ଷେତ୍ରରେ ନୂତନ ଶକ୍ତି ସଞ୍ଚାର କରିବ। ଆମେ ଅତ୍ୟନ୍ତ ଆନନ୍ଦିତ ଯେ, ସେ ଏକ ମହତ୍ ଦୃଷ୍ଟିକୋଣ ଏବଂ ଏକ ବଡ଼ ବ୍ୟବସାୟିକ ପ୍ରତିନିଧିମଣ୍ଡଳ ସହିତ ଭାରତରେ ପହଞ୍ଚିଛନ୍ତି।
ଆମେ ଅଷ୍ଟ୍ରିଆର ଦକ୍ଷତା ଓ ଭାରତର ଗତି ଏବଂ ପ୍ରମାଣକୁ ମିଶ୍ରଣ କରି, ସମଗ୍ର ବିଶ୍ୱ ପାଇଁ ଏକ ନିର୍ଭରଯୋଗ୍ୟ ପ୍ରଯୁକ୍ତିବିଦ୍ୟା ଓ ଯୋଗାଣ ଶୃଙ୍ଖଳ ସୁନିଶ୍ଚିତ କରିବୁ। ଆମେ ପ୍ରତିରକ୍ଷା, ସେମିକଣ୍ଡକ୍ଟର, କ୍ୱାଣ୍ଟମ୍ ପ୍ରଯୁକ୍ତିବିଦ୍ୟା ଏବଂ ବାୟୋଟେକ୍ନୋଲୋଜୀ କ୍ଷେତ୍ରରେ ଆମର ସହଭାଗୀତାକୁ ଆହୁରି ସୁଦୃଢ କରିବୁ।
ଏହା ବ୍ୟତୀତ, ଆମେ ଇଞ୍ଜିନିୟରିଂ ଓ ବୈଷୟିକ ଶିକ୍ଷାରେ ଆମର ସହଯୋଗକୁ ମଧ୍ୟ ଆହୁରି ଶକ୍ତିଶାଳୀ କରିବୁ। ଆଇଆଇଟି ଦିଲ୍ଲୀ ଏବଂ ଅଷ୍ଟ୍ରିଆର ମୋଣ୍ଟାନ ବିଶ୍ୱବିଦ୍ୟାଳୟ ମଧ୍ୟରେ ଆଜି ସ୍ୱାକ୍ଷରିତ ହୋଇଥିବା ବୁଝାମଣାପତ୍ର ଏହି ଜ୍ଞାନ ଆଦାନପ୍ରଦାନର ଏକ ଉତ୍କୃଷ୍ଟ ଉଦାହରଣ ଭାବରେ ଠିଆ ହୋଇଛି।
ବନ୍ଧୁଗଣ,
ଭାରତର ପ୍ରତିଭା ଅଷ୍ଟ୍ରିଆର ନବସୃଜନ ଓ ଉତ୍ପାଦନ କ୍ଷମତାକୁ ବୃଦ୍ଧି କରିବାର ସମ୍ଭାବନା ରଖିଛି।
୨୦୨୩ ମସିହାରେ, ଆମେ ଅଷ୍ଟ୍ରିଆ ସହିତ ଏକ ବ୍ୟାପକ ମାଇଗ୍ରେସନ୍ ଏବଂ ମୋବିଲିଟି ଚୁକ୍ତି କରିଥିଲୁ। ବର୍ତ୍ତମାନ, ଏହି ଚୁକ୍ତିନାମା ଅନୁଯାୟୀ, ଆମେ ନର୍ସିଂ କ୍ଷେତ୍ରରେ ମଧ୍ୟ ଗତିଶୀଳତାକୁ ଆହୁରି ଆଗକୁ ବଢ଼ାଇବୁ।
ଆମେ ମିଳିତ ଗବେଷଣା ଓ ଷ୍ଟାର୍ଟ-ଅପ୍ ସହଯୋଗକୁ ମଧ୍ୟ ଆହୁରି ଶକ୍ତିଶାଳୀ କରିବୁ। ଯୁବ ପରିବର୍ତ୍ତନକୁ ପ୍ରୋତ୍ସାହିତ କରିବା ପାଇଁ, ଆମେ ଆଜି ଭାରତ-ଅଷ୍ଟ୍ରିଆ ୱର୍କିଂ ହଲିଡେ ପ୍ରୋଗ୍ରାମ ମଧ୍ୟ ଆରମ୍ଭ କରୁଛୁ।
ବନ୍ଧୁଗଣ,
ଆଜି ସମ୍ପୂର୍ଣ୍ଣ ବିଶ୍ୱ ଏକ ଅତ୍ୟନ୍ତ ଗମ୍ଭୀର ଓ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଦେଇ ଗତି କରୁଛି। ଏହାର ପ୍ରଭାବ ଆମ ସମସ୍ତଙ୍କ ଉପରେ ପଡୁଛି। ଏପରି ଏକ ଉତ୍ତେଜନାପୂର୍ଣ୍ଣ ବୈଶ୍ୱିକ ପରିବେଶରେ, ଭାରତ ଓ ଅଷ୍ଟ୍ରିଆ ଏହି କଥାରେ ଏକମତ ଯେ, ସାମରିକ ସଂଘର୍ଷ ଦ୍ୱାରା ସମସ୍ୟାର ସମାଧାନ ସମ୍ଭବ ନୁହେଁ। ୟୁକ୍ରେନ ହେଉ କିମ୍ବା ପଶ୍ଚିମ ଏସିଆ, ଆମେ ଏକ ସ୍ଥିର, ଦୃଢ ଏବଂ ଚିରସ୍ଥାୟୀ ଶାନ୍ତିକୁ ସମର୍ଥନ କରୁଛୁ।
ଆମେ ଏହି କଥାରେ ମଧ୍ୟ ଏକମତ ଯେ, ବଢ଼ୁଥିବା ବିଶ୍ୱସ୍ତରୀୟ ଚ୍ୟାଲେଞ୍ଜଗୁଡ଼ିକର ମୁକାବିଲା ପାଇଁ ଗ୍ଲୋବାଲ୍ ସଂସ୍ଥାଗୁଡ଼ିକର ସଂସ୍କାର ଅତ୍ୟନ୍ତ ଜରୁରୀ। ଆତଙ୍କବାଦକୁ ମୂଳରୁ ମୂଳୋତ୍ପାଟନ କରିବା ଆମର ମିଳିତ ପ୍ରତିବଦ୍ଧତା ଅଟେ।
ମହାମହିମ,
୨୦୨୪ ମସିହାରେ ମୋର ଅଷ୍ଟ୍ରିଆ ଯାତ୍ରା ମଧ୍ୟ ଚାରି ଦଶକ ପରେ ହୋଇଥିଲା। ସେହି ଗସ୍ତ ପରେ ଆଜି ଭାରତରେ ଆପଣଙ୍କୁ ସ୍ୱାଗତ କରିବା ଆମ ପାଇଁ ଅତ୍ୟନ୍ତ ଗର୍ବ ଓ ଗୌରବର ବିଷୟ। ଆସନ୍ତୁ ଆମେ ଭାରତ-ଅଷ୍ଟ୍ରିଆ ସହଭାଗୀତାକୁ ନବସୃଜନ-କେନ୍ଦ୍ରିକ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା।
ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
*****
MT
(रिलीज़ आईडी: 2254731)
आगंतुक पटल : 25
इस विज्ञप्ति को इन भाषाओं में पढ़ें:
English
,
Urdu
,
हिन्दी
,
Marathi
,
Assamese
,
Bengali
,
Manipuri
,
Punjabi
,
Gujarati
,
Telugu
,
Kannada
,
Malayalam