ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଗୁଜରାଟର ବାଭ-ଥରାଦରେ ₹ ୨୦୦୦୦ କୋଟିରୁ ଊର୍ଦ୍ଧ୍ୱ ମୂଲ୍ୟର ଉନ୍ନୟନମୂଳକ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ ଓ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

ପୋଷ୍ଟ କରାଯିବା ଦିନାଙ୍କ: 31 MAR 2026 7:35PM by PIB Bhubaneswar
  • ପ୍ରକଳ୍ପଗୁଡ଼ିକ ସଂଯୋଗୀକରଣକୁ ଉନ୍ନତ କରିବା ସହିତ ଏହି ଅଞ୍ଚଳର ସାମାଜିକ-ଆର୍ଥିକ ବିକାଶକୁ ତ୍ୱରାନ୍ୱିତ କରିବ: ପ୍ରଧାନମନ୍ତ୍ରୀ
  • ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକ ବିକାଶକୁ ଗତିଶୀଳ କରେ, ଗାଁକୁ ବଜାର ସହିତ, ଚାଷୀଙ୍କୁ ନୂତନ ସୁଯୋଗ ସହିତ ଏବଂ ଯୁବକମାନଙ୍କୁ ନିଯୁକ୍ତି ସହିତ ସଂଯୋଗ କରେ: ପ୍ରଧାନମନ୍ତ୍ରୀ
  • ଗୁଜରାଟରେ ସୌରଶକ୍ତି ପ୍ରକଳ୍ପ ଯେପରି ବିକଶିତ ହେଉଛି, ସେହି ଦିନ ଦୂର ନୁହେଁ ଯେତେବେଳେ ଗୁଜରାଟ ବିଶ୍ୱରେ ନବୀକରଣୀୟ ଶକ୍ତିର ଏକ ପ୍ରମୁଖ କେନ୍ଦ୍ର ଭାବରେ ଉଭା ହେବ: ପ୍ରଧାନମନ୍ତ୍ରୀ
  • ଆଜି ବିଶ୍ୱ ଯେତେବେଳେ ଭାରତର ବିକାଶ ଓ ଅଭିବୃଦ୍ଧି ବିଷୟରେ ଆଲୋଚନା କରୁଛି, 'ଗୁଜରାଟ ମଡେଲ'ର ପ୍ରଶଂସା ହେଉଛି, ଗୁଜରାଟ ପ୍ରମାଣିତ କରିଛି ଯେ, ବିକାଶ ପାଇଁ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକ ପରି କଲ୍ୟାଣକାରୀ ଯୋଜନାଗୁଡ଼ିକ ମଧ୍ୟ ଗୁରୁତ୍ୱପୂର୍ଣ୍ଣ: ପ୍ରଧାନମନ୍ତ୍ରୀ
  • ଯେପର୍ଯ୍ୟନ୍ତ ପଞ୍ଚାୟତରୁ ସଂସଦ ପର୍ଯ୍ୟନ୍ତ ବିଶ୍ୱାସ  ଅବିଚ୍ଛିନ୍ନ ରହିବ, ସେପର୍ଯ୍ୟନ୍ତ ବିକାଶର ସୁପରଫାଷ୍ଟ ଏକ୍ସପ୍ରେସ ଏହି ଗତିରେ ଚାଲିବ: ପ୍ରଧାନମନ୍ତ୍ରୀ
  • ଆଜି ବିଶ୍ୱର ଅନେକ ଦେଶ ଯୁଦ୍ଧ, ଅଶାନ୍ତି ଏବଂ ଅସ୍ଥିରତାର ସମ୍ମୁଖୀନ ହେଉଛନ୍ତି, କିନ୍ତୁ ଭାରତ କେବଳ ସ୍ଥିରତା ବଜାୟ ରଖିନାହିଁ ବରଂ ପ୍ରତିଦିନ ବିକାଶ ପଥରେ ଆଗକୁ ବଢ଼ୁଛି: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବନସକାଣ୍ଠା ଜିଲ୍ଲାର ବାଭ-ଥରାଦରେ ଏକ ସାର୍ବଜନୀନ ସମାବେଶକୁ ସମ୍ବୋଧିତ କରିଛନ୍ତି, ଯେଉଁଠାରେ ସେ ଉତ୍ତର ଗୁଜରାଟ ପାଇଁ ପ୍ରାୟ ₹୨୦,୦୦୦ କୋଟି ମୂଲ୍ୟର ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ନବରାତ୍ରୀର ପବିତ୍ର ପର୍ବ ଏବେ ଶେଷ ହୋଇଛି ଏବଂ ଏହି ଦିନ ମଧ୍ୟ ଭଗବାନ ମହାବୀର ଜୟନ୍ତୀ ପାଳନ କରାଯାଉଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମା’ ଅମ୍ବା ଏବଂ ଭଗବାନ ଶ୍ରୀ ଧରଣୀଧରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ପ୍ରଥମ ଥର ପାଇଁ ଦୀସା ଏୟାରବେସରେ ସିଧାସଳଖ ଅବତରଣ କରିବା ପରେ ନିଜର ଆନନ୍ଦ ବ୍ୟକ୍ତ କରି ପ୍ରଧାନମନ୍ତ୍ରୀ ଏହାର ରଣନୈତିକ ଗୁରୁତ୍ୱ ଉପରେ ଆଲୋକପାତ କରିଛନ୍ତି, କାରଣ ଏହା ଅନ୍ତର୍ଜାତୀୟ ସୀମାଠାରୁ ମାତ୍ର ୧୩୦ କିଲୋମିଟର ଦୂରରେ ଅବସ୍ଥିତ। ସେ ସୂଚାଇଛନ୍ତି ଯେ, ଦୀସା ବିମାନବନ୍ଦରର ସମ୍ପ୍ରସାରଣ ଦଶକ ଧରି ଅଟକି ରହିଥିଲା, କିନ୍ତୁ ଚାଷୀମାନେ ସ୍ୱେଚ୍ଛାକୃତ ଭାବରେ ଏହି ପ୍ରକଳ୍ପ ପାଇଁ ସେମାନଙ୍କର ଜମି ପ୍ରଦାନ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ମନ୍ତବ୍ୟ ଦେଇଛନ୍ତି ଯେ, "ଆମ ସରକାର ଏହି କାର୍ଯ୍ୟକୁ ପ୍ରାଥମିକତା ଦେଇ ସମ୍ପୂର୍ଣ୍ଣ କରିଛି,"। ଏଥିସହିତ ଏହାକୁ ଏକ ବିକାଶମୂଳକ ମାଇଲଖୁଣ୍ଟ ଏବଂ ଦେଶ ପାଇଁ ଏକ ପ୍ରମୁଖ ରଣନୈତିକ ସମ୍ପତ୍ତି ବୋଲି ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଛନ୍ତି।

 

ବାଭ-ଥରାଦ ଓ ବନସକାଣ୍ଠା ଅଞ୍ଚଳ ସହିତ ତାଙ୍କର ଗଭୀର ବ୍ୟକ୍ତିଗତ ସମ୍ପର୍କକୁ ମନେ ପକାଇ ପ୍ରଧାନମନ୍ତ୍ରୀ ଜଣେ ସଂଗଠନ କର୍ମୀ ଭାବରେ ବିତାଇଥିବା ଦିନ ବିଷୟରେ କହିଛନ୍ତି, ଯେତେବେଳେ ସେ ଏହି ଅଞ୍ଚଳର ଗ୍ରାମଗୁଡ଼ିକରେ ଦୀର୍ଘ ସମୟ ବିତାଇଥିଲେ। ସେ ଏଠାକାର ମାଆ ଓ ଭଉଣୀମାନଙ୍କ ଦ୍ୱାରା ଆଦରରେ ପ୍ରସ୍ତୁତ ବାଜରା ରୋଟଲା, ଘିଅ, ଗୁଡ଼ ଓ ଶୀରାକୁ ସ୍ନେହରେ ମନେ ପକାଇଛନ୍ତି।

 

ଏହି ଅଞ୍ଚଳର ବିକାଶ ସହିତ ତାଙ୍କର ୨୫ ବର୍ଷର ସମ୍ପର୍କକୁ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଭାବରେ ସେ ଆରମ୍ଭ କରିଥିବା ବିକାଶର ଶୃଙ୍ଖଳ ନିରବଚ୍ଛିନ୍ନ ଭାବରେ ଜାରି ରହିଛି। ବର୍ତ୍ତମାନ ୨୦୧୪ ପରେ ବର୍ତ୍ତମାନର ସରକାର ଦ୍ୱାରା ଏହାକୁ ଆହୁରି ସୁଦୃଢ କରାଯାଇଛି। ଆଜି ଆରମ୍ଭ ହୋଇଥିବା ପ୍ରକଳ୍ପଗୁଡ଼ିକ ଶକ୍ତି, ସଡ଼କ, ରେଳପଥ ଓ ଆବାସ ନିର୍ମାଣ କ୍ଷେତ୍ରକୁ ବ୍ୟାପକ କରୁଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ ଦୃଢ଼ ଭାବରେ କହିଛନ୍ତି, "୨୦,୦୦୦ କୋଟି ଟଙ୍କାର ଏହି ପ୍ରକଳ୍ପଗୁଡ଼ିକ ସ୍ଥାନୀୟ ଅଞ୍ଚଳର ସମଗ୍ର ଚିତ୍ରପଟ୍ଟକୁ ପରିବର୍ତ୍ତନ କରିବ ଓ ଏଠାକାର ଜୀବନକୁ ନୂତନ ଗତି ପ୍ରଦାନ କରିବ।"

 

ସଡ଼କ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ବିସ୍ତୃତ ଆଲୋଚନା କରି ପ୍ରଧାନମନ୍ତ୍ରୀ ଇଡରରୁ ଭାଡାଲି ବାଇପାସ୍ ପର୍ଯ୍ୟନ୍ତ ୪ ଲେନ୍ ରାଜପଥ, ଧୋଲାଭିରାରୁ ସାନ୍ତାଲପୁର ପର୍ଯ୍ୟନ୍ତ ରାଜପଥର ଉନ୍ନତୀକରଣ ଏବଂ ସମ୍ପୂର୍ଣ୍ଣ ଅହମ୍ମଦାବାଦ-ଧୋଲେରା ଏକ୍ସପ୍ରେସୱେ କରିଡରର ଲୋକାର୍ପଣ ବିଷୟରେ କହିଛନ୍ତି। ସେ ଜୋର୍‌ ଦେଇ କହିଛନ୍ତି ଯେ, ଏପରି ସଂଯୋଗୀକରଣ ଶିଳ୍ପ, ନିବେଶ ଓ ସୁଯୋଗ ଆଣିଥାଏ। ରେଳ ସଂଯୋଗୀକରଣ ବିଷୟରେ, ସେ ହିମ୍ମତନଗରରୁ ଖେଦବ୍ରହ୍ମା ପର୍ଯ୍ୟନ୍ତ ଗଜ୍ ପରିବର୍ତ୍ତନ ଉପରେ ଆଲୋକପାତ କରିଛନ୍ତି, ଯାହା ଉତ୍ତର ଗୁଜରାଟର ଆଦିବାସୀ ଅଞ୍ଚଳଗୁଡ଼ିକୁ ଜାତୀୟ ବ୍ରଡ୍ ଗେଜ୍ ନେଟୱର୍କ ସହିତ ସଂଯୋଗ କରେ। ଏହା ସହିତ ଖେଦବ୍ରହ୍ମା, ହିମ୍ମତନଗର ଓ ଅସରୱାକୁ ସଂଯୋଗ କରୁଥିବା ଏକ ନୂତନ ଟ୍ରେନ୍ ସେବାର ଶୁଭାରମ୍ଭ ମଧ୍ୟ କରାଯାଇଛି। "ଯେତେବେଳେ ଗାଁଗୁଡ଼ିକୁ ବଜାର ସହିତ, କୃଷକମାନଙ୍କୁ ସୁଯୋଗ ସହିତ ଏବଂ ଯୁବକମାନଙ୍କୁ ନିଯୁକ୍ତି ସହିତ ସଂଯୋଗ କରାଯାଏ, ତାହା ହେଉଛି ପ୍ରକୃତ ବିକାଶ," ବୋଲି ଶ୍ରୀ ମୋଦୀ ମନ୍ତବ୍ୟ ଦେଇଛନ୍ତି।

 

ଶିଳ୍ପ ଅଭିବୃଦ୍ଧି ଏବଂ ନୂତନ ନିବେଶକୁ ଆଗେଇ ନେବାରେ ଶକ୍ତିର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଖାଭଡା ନବୀକରଣୀୟ ଶକ୍ତି ପାର୍କ ସହିତ ସଂଯୁକ୍ତ ପରିବହନ ପ୍ରକଳ୍ପ ବିଷୟରେ କହିଛନ୍ତି, ଯାହା ୪.୫ ଗିଗାୱାଟ୍ ବିଦ୍ୟୁତ୍ ଉତ୍ପାଦନ କରିବ। ୨୦୧୦ ମସିହାରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବରେ ଚରଙ୍କାରେ ଦେଶର ପ୍ରଥମ ସୌର ପାର୍କ ଆରମ୍ଭ କରିଥିବା କଥା ମନେ ପକାଇ ସେ ଉଲ୍ଲେଖ କରିଛନ୍ତି ଯେ, ଏହି ପ୍ରାରମ୍ଭିକ ପଦକ୍ଷେପ ନବୀକରଣୀୟ ଶକ୍ତି କ୍ଷେତ୍ରରେ ଗୁଜରାଟର ବର୍ତ୍ତମାନର ନେତୃତ୍ୱ ପାଇଁ ମୂଳଦୁଆ ସ୍ଥାପନ କରିଥିଲା। "ସେହି ଦିନ ଦୂରରେ ନାହିଁ ଯେତେବେଳେ ଗୁଜରାଟ ନବୀକରଣୀୟ ଶକ୍ତି କ୍ଷେତ୍ରରେ ସାରା ବିଶ୍ୱରେ ଏକ ପ୍ରମୁଖ କେନ୍ଦ୍ର ଭାବରେ ଉଭା ହେବ," ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

 

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଯେତେବେଳେ ବିଶ୍ୱ ଆଜି ଭାରତର ଅଭିବୃଦ୍ଧି କାହାଣୀ ଉପରେ ଆଲୋଚନା କରୁଛି, ସେତେବେଳେ 'ଗୁଜୁରାଟ ମଡେଲ'କୁ ବହୁଳ ଭାବରେ ପ୍ରଶଂସା କରାଯାଉଛି, କାରଣ ଏହା ଦର୍ଶାଉଛି ଯେ, ଭିତ୍ତିଭୂମି ବିକାଶ ଓ ସାର୍ବଜନୀନ କଲ୍ୟାଣ ଏକତ୍ର ଚାଲିବା ଆବଶ୍ୟକ। ଆଜିର କାର୍ଯ୍ୟକ୍ରମରେ ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା’ ଅଧୀନରେ ପ୍ରାୟ ୪୦,୦୦୦ ପରିବାର ପକ୍କା ଘର ପାଇଥିବା ଉଲ୍ଲେଖ କରି ସେ କହିଛନ୍ତି, "ପକ୍କା ଘର ପରିବାରର ଜୀବନରେ ଯେଉଁ ପରିବର୍ତ୍ତନ ଆଣେ ତାହା ହିତାଧିକାରୀଙ୍କ ମୁହଁରେ ସ୍ପଷ୍ଟ ଦୃଶ୍ୟମାନ ହେଉଛି। ରାସ୍ତା ଏବଂ ରାଜପଥ ନିର୍ମାଣ ହେବା ଆବଶ୍ୟକ, କିନ୍ତୁ ସାଧାରଣ ଲୋକଙ୍କ ଜୀବନଧାରଣ ମାନରେ ମଧ୍ୟ ଉନ୍ନତି ହେବା ଉଚିତ," ବୋଲି  ଶ୍ରୀ ମୋଦୀ କହିଛନ୍ତି।

 

ଉତ୍ତର ଗୁଜରାଟରେ ଦଶକ ଧରି ହୋଇଥିବା କଷ୍ଟ, ମରୁଡ଼ି, ତୀବ୍ର ଜଳାଭାବକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ ସେହି ଦୁଃଖର ସମୟ ବିଷୟରେ କହିଥିଲେ। ସେ କହିଥିଲେ, ମହିଳାମାନଙ୍କୁ ପାଣି ଆଣିବା ପାଇଁ କିଲୋମିଟର ଦୂର ଯିବାକୁ ପଡୁଥିଲା ଏବଂ ଚାଷୀମାନେ ସେମାନଙ୍କ ଶ୍ରମର ଉଚିତ ମୂଲ୍ୟ ପାଇପାରୁ ନଥିଲେ। ଗୁଜରାଟର ଲୋକମାନଙ୍କ ଆତ୍ମବଳକୁ ସେ ଏହାର ଶ୍ରେୟ ଦେଇ କହିଥିଲେ ଯେ, ସେମାନେ ନିଜ ଭାଗ୍ୟ ପରିବର୍ତ୍ତନ କରିବାକୁ ସଙ୍କଳ୍ପ କରିଥିଲେ। ସେ ସୁଜଲାମ୍ ସୁଫଲାମ୍ ଯୋଜନା ଓ ନର୍ମଦା ଜଳର ବିସ୍ତାରକୁ ପରିବର୍ତ୍ତନକାରୀ ପଦକ୍ଷେପ ଭାବରେ ଉଲ୍ଲେଖ କରିଛନ୍ତି। "ଆଜି, ଏଠାକାର ଚାଷୀ ଆଉ ଗୋଟିଏ ଫସଲ ଉପରେ ନିର୍ଭରଶୀଳ ନୁହେଁ, ଏକ ପ୍ରମୁଖ ଆଳୁ ଉତ୍ପାଦକ ଭାବରେ ବନାସକାଣ୍ଠାର ଆବିର୍ଭାବ ନିଜେ ଏକ ଉଦାହରଣ," ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

 

ଗୁଜରାଟର ୨୫ ବର୍ଷର ଅବିଚ୍ଛିନ୍ନ ଉନ୍ନତି ଯାତ୍ରାକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ରାଜ୍ୟ କିପରି ନିରନ୍ତର ଭାବରେ ନିଜର ରେକର୍ଡ ସ୍ଥାପନ କରିଛି ଏବଂ ଏହାକୁ ଅତିକ୍ରମ କରିଛି। ସେ ୨୦୦୫ ମସିହାରେ ₹୬୫୦ କୋଟି ବଜେଟ ସହିତ 'ସହରାଞ୍ଚଳ ବିକାଶ ବର୍ଷ' ଆରମ୍ଭ କରିଥିବା କଥା ମନେ ପକାଇଛନ୍ତି, ଯାହା ବର୍ତ୍ତମାନ ₹୩୩,୦୦୦ କୋଟିରୁ ଅଧିକ ହୋଇଛି। ୯ଟି ନୂତନ ନଗର ନିଗମ ପାଇଁ ₹୨,୩୦୦ କୋଟି ମୂଲ୍ୟର ପ୍ରାୟ ୩୦୦ ପ୍ରସ୍ତାବର ଅନୁମୋଦନ, ୭୨ଟି ପୌରପାଳିକାର ଉନ୍ନତି ଏବଂ ₹୪ ଲକ୍ଷ କୋଟିରୁ ଅଧିକ ରାଜ୍ୟ ବଜେଟକୁ ଇଙ୍ଗିତ କରି ସେ ଆଶ୍ୱାସନା ଦେଇଛନ୍ତି ଯେ, ବିକାଶ ପ୍ରତ୍ୟେକ ଗ୍ରାମ, ସହର ଓ ନଗରରେ ପହଞ୍ଚିବ। "ଯେପର୍ଯ୍ୟନ୍ତ ପଞ୍ଚାୟତରୁ ସଂସଦ ପର୍ଯ୍ୟନ୍ତ ଆପଣଙ୍କ ବିଶ୍ୱାସ ନିରବଚ୍ଛିନ୍ନ ରହିବ, ସେପର୍ଯ୍ୟନ୍ତ ବିକାଶର ସୁପରଫାଷ୍ଟ ଏକ୍ସପ୍ରେସ ଏହି ଗତିରେ ଚାଲିବ," ବୋଲି ଶ୍ରୀ ମୋଦୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

 

ବିଶ୍ୱ ପରିସ୍ଥିତି ପ୍ରତି ଦୃଷ୍ଟି ଦେଇ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ଯେତେବେଳେ ଅନେକ ଦେଶରେ ଯୁଦ୍ଧ, ଅସ୍ଥିରତା ଏବଂ ଇନ୍ଧନ ମୂଲ୍ୟ ବୃଦ୍ଧି ପାଉଛି, ଡିଜେଲ ଓ ପେଟ୍ରୋଲ ମୂଲ୍ୟ ମଧ୍ୟ ମହାଶକ୍ତିଶାଳୀ ରାଷ୍ଟ୍ରଗୁଡ଼ିକରେ ୧୦ ରୁ ୨୫ ପ୍ରତିଶତ ବୃଦ୍ଧି ପାଉଛି, ଭାରତ ଏହାର ସଫଳ ବୈଦେଶିକ ନୀତି ଏବଂ ଏହାର ଲୋକଙ୍କ ଏକତା ମାଧ୍ୟମରେ ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିପାରିଛି।

 

କୋଭିଡ୍ ମହାମାରୀ ସମୟରେ ଦେଶର ଏକତାବଦ୍ଧ ପ୍ରତିକ୍ରିୟାକୁ ମନେ ପକାଇ ପ୍ରଧାନମନ୍ତ୍ରୀ ନାଗରିକମାନଙ୍କୁ ବର୍ତ୍ତମାନର ଚ୍ୟାଲେଞ୍ଜିଂ ସମୟରେ ଏକାଠି ଠିଆ ହେବାକୁ ଅନୁରୋଧ କରିଛନ୍ତି। "ବିଶ୍ୱ ସଂଘର୍ଷ କରୁଥିବା ସମୟରେ ଭାରତ କେବଳ ସ୍ଥିରତା ବଜାୟ ରଖିନାହିଁ, ବରଂ ପ୍ରତ୍ୟେକ ଦିନ ବିକାଶ ପଥରେ ଆଗକୁ ବଢ଼ୁଛି ଏବଂ ଆଜିର ପ୍ରକଳ୍ପଗୁଡ଼ିକ ଏହି ସଂକଳ୍ପର ଆଉ ଏକ ଉଦାହରଣ," ବୋଲି ପ୍ରଧାନମନ୍ତ୍ରୀ ମୋଦୀ ବକ୍ତବ୍ୟ ଶେଷରେ କହିଛନ୍ତି।

 

*****

MT

 


(ରିଲିଜ ଆଡି: 2248866) ପରିଦର୍ଶକ କାଉଣ୍ଟର : 5