ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ନୂଆଦିଲ୍ଲୀରେ ବୀର ବାଲ୍ ଦିବସ କାର୍ଯ୍ୟକ୍ରମରେ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
ଆମେ ଆଜି ସାହସୀ ସାହିବଜାଦାମାନଙ୍କୁ ସ୍ମରଣ କରୁଛୁ, ସେମାନେ ଆମ ଦେଶର ଗର୍ବ ଏବଂ ଭାରତର ଅଦମ୍ୟ ସାହସ ଓ ବୀରତ୍ୱର ସର୍ବୋଚ୍ଚ ଆଦର୍ଶକୁ ପ୍ରତିପାଦନ କରନ୍ତି: ପ୍ରଧାନମନ୍ତ୍ରୀ
ମାତା ଗୁଜରୀ, ଶ୍ରୀ ଗୁରୁ ଗୋବିନ୍ଦ ସିଂହ ଏବଂ ଚାରିଜଣ ସାହିବଜାଦାଙ୍କ ସାହସ ଓ ଆଦର୍ଶ ପ୍ରତ୍ୟେକ ଭାରତୀୟଙ୍କୁ ଶକ୍ତି ପ୍ରଦାନ କରିଆସୁଛି: ପ୍ରଧାନମନ୍ତ୍ରୀ
ଭାରତ ଏବେ ସବୁଦିନ ପାଇଁ ଔପନିବେଶିକ ମାନସିକତାରୁ ମୁକ୍ତ ହେବାକୁ ସଂକଳ୍ପ ନେଇଛି: ପ୍ରଧାନମନ୍ତ୍ରୀ
ଯେତେବେଳେ ଭାରତ ନିଜକୁ ଔପନିବେଶିକ ମାନସିକତାରୁ ମୁକ୍ତ କରୁଛି, ଏହାର ଭାଷାଗତ ବିବିଧତା ଶକ୍ତିର ଉତ୍ସ ଭାବରେ ଉଭା ହେଉଛି: ପ୍ରଧାନମନ୍ତ୍ରୀ
ଜେନ ଜେଡ ଏବଂ ଜେନ ଆଲଫା ଭାରତକୁ ‘ବିକଶିତ ଭାରତ’ ଲକ୍ଷ୍ୟ ପ୍ରାପ୍ତି ପଥରେ ନେଇଯିବେ: ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
26 DEC 2025 3:03PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମରେ 'ବୀର ବାଲ୍ ଦିବସ' ପାଳନ ସକାଶେ ଜାତୀୟ କାର୍ଯ୍ୟକ୍ରମରେ ଉଦବୋଧନ ଦେଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେଶବ୍ୟାପୀ ଅତିଥିମାନଙ୍କୁ ସ୍ୱାଗତ କରିଛନ୍ତି ଏବଂ ଉପସ୍ଥିତ ପିଲାମାନଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ, ଦେଶ ଆଜି ବୀର ବାଲ୍ ଦିବସ ପାଳନ କରୁଛି। ସେ ବନ୍ଦେ ମାତରମର ସୁନ୍ଦର ଉପସ୍ଥାପନାକୁ ଆଲୋକପାତ କରି କହିଛନ୍ତି ଯେ, କଳାକାରମାନଙ୍କ ସମର୍ପଣ ଏବଂ ପ୍ରୟାସ ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେଉଛି।
ଏହି ଦିନ ଦେଶ ବୀର ସାହିବଜାଦାମାନଙ୍କୁ ସ୍ମରଣ କରେ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସାହିବଜାଦାମାନେ ଭାରତର ଗର୍ବ ଓ ଅଦମ୍ୟ ସାହସ ଏବଂ ବୀରତ୍ୱର ଶୀର୍ଷକୁ ପ୍ରତିନିଧିତ୍ୱ କରନ୍ତି। ଶ୍ରୀ ମୋଦୀ କହିଛନ୍ତି ଯେ, ଏହି ସାହିବଜାଦାମାନେ ବୟସ ଓ ପରିସ୍ଥିତିର ସୀମାକୁ ଅତିକ୍ରମ କରି ନିଷ୍ଠୁର ମୋଗଲ ସାମ୍ରାଜ୍ୟ ବିରୁଦ୍ଧରେ ପଥର ପରି ଠିଆ ହୋଇଥିଲେ, ଧାର୍ମିକ ଅନ୍ଧଭକ୍ତି ଏବଂ ଆତଙ୍କର ଅସ୍ତିତ୍ୱକୁ ଦୋହଲାଇ ଦେଇଥିଲେ। ଏପରି ଗୌରବମୟ ଅତୀତ ଥିବା ଏକ ଜାତି, ଯାହାର ଯୁବ ପିଢ଼ି ଏପରି ପ୍ରେରଣାଦାୟକ ଐତିହ୍ୟ ପାଇଛନ୍ତି, ସେମାନେ ଯେକୌଣସି ଜିନିଷ ହାସଲ କରିବାକୁ ସକ୍ଷମ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି।
ଶ୍ରୀ ମୋଦୀ କହିଛନ୍ତି ଯେ, ପ୍ରତ୍ୟେକ ବର୍ଷ ଡିସେମ୍ବର ୨୬ ଦିନ ଆସିଲେ, ସେ ବୀର ବାଲ ଦିବସ ପାଳନ କରିବାକୁ ସ୍ମରଣ କରନ୍ତି, ଯାହା ସାହିବଜାଦାମାନଙ୍କର ସାହସରୁ ପ୍ରେରିତ। ସେ ଉଲ୍ଲେଖ କରିଛନ୍ତି ଯେ, ଗତ ଚାରି ବର୍ଷ ମଧ୍ୟରେ ଏହି ନୂତନ ପରମ୍ପରା ଯୁବ ପିଢ଼ିକୁ ସାହିବଜାଦାଙ୍କ ପ୍ରେରଣା ଦେଉଛି ଏବଂ ସାହସୀ ଓ ପ୍ରତିଭାଶାଳୀ ଯୁବପିଢ଼ି ଗଠନ ପାଇଁ ଏକ ମଞ୍ଚ ସୃଷ୍ଟି କରିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପ୍ରତିବର୍ଷ ଦେଶ ପାଇଁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରୁଥିବା ପିଲାମାନଙ୍କୁ ‘ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର’ (ପିଏମ୍ଆରବିପି) ରେ ସମ୍ମାନିତ କରାଯାଏ ଏବଂ ଏହି ବର୍ଷ ମଧ୍ୟ ସାରା ଦେଶରୁ ୨୦ ଜଣ ପିଲା ଏହି ପୁରସ୍କାର ପାଇଛନ୍ତି। ସେମାନଙ୍କ ସହିତ କରିଥିବା ଆଲୋଚନା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ସେମାନଙ୍କ ମଧ୍ୟରୁ କେତେକ ଅସାଧାରଣ ସାହସ ପ୍ରଦର୍ଶନ କରିଛନ୍ତି, ଆଉ କେତେକ ସମାଜସେବା ଓ ପରିବେଶ ସୁରକ୍ଷାରେ ପ୍ରଶଂସନୀୟ ଅବଦାନ ଦେଇଛନ୍ତି। କେତେକ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାରେ ଉଦ୍ଭାବନ କରିଛନ୍ତି ଏବଂ ଆଉ କେତେକ ବିଭିନ୍ନ କ୍ରୀଡା, କଳା ଓ ସଂସ୍କୃତି କ୍ଷେତ୍ରରେ ମହତ୍ତ୍ୱପୂର୍ଣ୍ଣ ଅବଦାନ ଦେଇଛନ୍ତି। ଶ୍ରୀ ମୋଦୀ ପୁରସ୍କାର ବିଜେତାମାନଙ୍କୁ କହିଛନ୍ତି ଯେ, ଏହି ସମ୍ମାନ କେବଳ ସେମାନଙ୍କର ନୁହେଁ ବରଂ ସେମାନଙ୍କ ପିତାମାତା, ଶିକ୍ଷକ ଏବଂ ପରାମର୍ଶଦାତାଙ୍କ ପାଇଁ ମଧ୍ୟ ଉଦ୍ଦିଷ୍ଟ, ଯେଉଁମାନଙ୍କ ପ୍ରୟାସକୁ ସ୍ୱୀକୃତି ଦିଆଯାଉଛି। ଏଥିସହିତ ବିଜେତା ଓ ସେମାନଙ୍କ ପରିବାରର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି।
ବୀର ବାଲ ଦିବସ ହେଉଛି ଭାବପ୍ରବଣତା ଓ ଶ୍ରଦ୍ଧାରେ ପରିପୂର୍ଣ୍ଣ ଏକ ଦିନ ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ ସାହିବଜାଦା ଅଜିତ ସିଂହ, ସାହିବଜାଦା ଜୁଝାର ସିଂହ, ସାହିବଜାଦା ଜୋରାୱାର ସିଂହ ଏବଂ ସାହିବଜାଦା ଫତେହ ସିଂହଙ୍କୁ ସ୍ମରଣ କରିଛନ୍ତି, ଯେଉଁମାନେ ଅତ୍ୟନ୍ତ କମ୍ ବୟସରେ ତାଙ୍କ ସମୟର ସବୁଠାରୁ ବଡ଼ ଶକ୍ତି ସହ ମୁକାବିଲା କରିଥିଲେ। ସେ ଗୁରୁତ୍ୱାରୋପ କରିଛନ୍ତି ଯେ, ସେମାନଙ୍କର ସଂଘର୍ଷ ଭାରତର ମୌଳିକ ଚିନ୍ତାଧାରା ଓ ଧାର୍ମିକ ଅନ୍ଧଭକ୍ତି ମଧ୍ୟରେ, ସତ୍ୟ ଓ ଅସତ୍ୟ ମଧ୍ୟରେ ଥିଲା। ଗୋଟିଏ ପଟେ ଦଶମ ଗୁରୁ ଶ୍ରୀ ଗୁରୁ ଗୋବିନ୍ଦ ସିଂହ ଜୀଙ୍କ ନେତୃତ୍ୱାଧୀନ ଥିବାବେଳେ ଅନ୍ୟ ପକ୍ଷ ଔରଙ୍ଗଜେବଙ୍କ ନିଷ୍ଠୁର ଶାସନ ଦ୍ୱାରା ପରିଚାଳିତ ହେଉଥିଲା। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ଯଦିଓ ସାହିବଜାଦାମାନେ ବହୁତ ଛୋଟ ବୟସର ଥିଲେ, ତଥାପି ଔରଙ୍ଗଜେବ ଭାରତୀୟମାନଙ୍କର ମନୋବଳକୁ ଭଙ୍ଗିବା ପାଇଁ ବଳପୂର୍ବକ ଧର୍ମାନ୍ତର କରାଇବା ଉଦ୍ଦେଶ୍ୟରେ ସେମାନଙ୍କୁ ଟାର୍ଗେଟ କରିଥିଲେ। ସେ ଗୁରୁତ୍ୱାରୋପ କରିଛନ୍ତି ଯେ, ଔରଙ୍ଗଜେବ ଏବଂ ତାଙ୍କ ସେନାପତିମାନେ ଭୁଲି ଯାଇଥିଲେ ଯେ, ଗୁରୁ ଗୋବିନ୍ଦ ସିଂହ କୌଣସି ସାଧାରଣ ବ୍ୟକ୍ତି ନଥିଲେ ବରଂ ତପସ୍ୟା ଓ ବଳିଦାନର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ ଏବଂ ସାହିବଜାଦାମାନେ ଏହି ଉତ୍ତରାଧିକାରକୁ ଅନୁସରଣ କରୁଥିଲେ। ସେ ଘୋଷଣା କରିଛନ୍ତି ଯେ, ସମଗ୍ର ମୋଗଲ ସାମ୍ରାଜ୍ୟର ଶକ୍ତି ସତ୍ତ୍ୱେ ଚାରି ଜଣ ସାହିବଜାଦାଙ୍କ ମଧ୍ୟରୁ ଜଣେ ମଧ୍ୟ ବିଚଳିତ ହୋଇ ନଥିଲେ। ପ୍ରଧାନମନ୍ତ୍ରୀ ସାହିବଜାଦା ଅଜିତ ସିଂହଙ୍କ କଥା ସ୍ମରଣ କରି କହିଛନ୍ତି ଯେ, ସେହି କଥାଗୁଡ଼ିକ ଆଜି ପର୍ଯ୍ୟନ୍ତ ତାଙ୍କର ସାହସକୁ ପ୍ରତିଫଳିତ କରୁଛି।
କିଛି ଦିନ ପୂର୍ବରୁ କୁରୁକ୍ଷେତ୍ରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀ ଗୁରୁ ତେଗ ବାହାଦୁରଙ୍କୁ ତାଙ୍କ ୩୫୦ତମ ସହିଦ ଦିବସରେ ଦେଶ ସ୍ମରଣ କରିଥିଲା ବୋଲି ମନେ ପକାଇ ଶ୍ରୀ ମୋଦୀ ମନ୍ତବ୍ୟ ଦେଇଛନ୍ତି ଯେ, ଶ୍ରୀ ଗୁରୁ ତେଗ ବାହାଦୁରଙ୍କ ବଳିଦାନରୁ ପ୍ରେରଣା ପାଇଥିବା ସାହିବଜାଦାମାନେ ମୋଗଲ ଅତ୍ୟାଚାରକୁ ଭୟ କରିବେ ବୋଲି ଭାବିବା ଭୁଲ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ମାତା ଗୁଜରୀ, ଶ୍ରୀ ଗୁରୁ ଗୋବିନ୍ଦ ସିଂହ ଏବଂ ଚାରି ସାହିବଜାଦାଙ୍କ ସାହସ ଓ ଆଦର୍ଶ ପ୍ରତ୍ୟେକ ଭାରତୀୟଙ୍କୁ ଶକ୍ତି ପ୍ରଦାନ କରିଆସୁଛି ତଥା ପ୍ରେରଣାର ଉତ୍ସ ହୋଇ ରହିଛି। ସେ ଗୁରୁତ୍ୱାରୋପ କରିଛନ୍ତି ଯେ, ସାହିବଜାଦାମାନଙ୍କ ବଳିଦାନର ଗାଥା ପ୍ରତ୍ୟେକ ନାଗରିକଙ୍କ ମୁଖରେ ରହିବା ଉଚିତ ଥିଲା, କିନ୍ତୁ ଦୁର୍ଭାଗ୍ୟବଶତଃ ସ୍ୱାଧୀନତା ପରେ ମଧ୍ୟ ଔପନିବେଶିକ ମାନସିକତା ପ୍ରଚଳିତ ହୋଇଥିଲା। ସେ ସୂଚାଇଛନ୍ତି ଯେ, ଏହି ମାନସିକତା ୧୮୩୫ ମସିହାରେ ବ୍ରିଟିଶ ରାଜନେତା ମ୍ୟାକାଲେଙ୍କ ଦ୍ୱାରା ରୋପିତ ହୋଇଥିଲା ଏବଂ ସ୍ୱାଧୀନତା ପରେ ମଧ୍ୟ ଏହାକୁ ଦୂର କରିବାକୁ ପ୍ରୟାସ କରାଯାଇ ନଥିଲା, ଯାହା ଫଳରେ ଏପରି ସତ୍ୟକୁ ଦମନ କରିବା ପାଇଁ ଦଶନ୍ଧି ଧରି ପ୍ରୟାସ କରାଯାଇଥିଲା। ଶ୍ରୀ ମୋଦୀ ଦୃଢ଼ତାର ସହିତ କହିଛନ୍ତି ଯେ, ଭାରତ ଏବେ ଔପନିବେଶିକ ମାନସିକତାରୁ ନିଜକୁ ମୁକ୍ତ କରିବାକୁ ସଂକଳ୍ପ ନେଇଛି ଏବଂ ଭାରତୀୟମାନଙ୍କର ତ୍ୟାଗ ଓ ବଳିଦାନ ସ୍ମୃତିକୁ ଆଉ ଦମନ କରାଯିବ ନାହିଁ, ଦେଶର ବୀର ନାୟକ ଓ ନାୟିକାମାନଙ୍କୁ ଆଉ ପଛକୁ ଠେଲାଯିବ ନାହିଁ। ସେ ଗୁରୁତ୍ୱାରୋପ କରିଛନ୍ତି ଯେ, ଏହି କାରଣରୁ ବୀର ବାଲ୍ ଦିବସକୁ ପୂର୍ଣ୍ଣ ନିଷ୍ଠା ଓ ଉତ୍ସାହର ସହିତ ପାଳନ କରାଯାଉଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ସରକାର ଏଠାରେ ଅଟକି ଯାଇ ନାହାନ୍ତି, ୨୦୩୫ ମସିହାରେ ମ୍ୟାକାଲେଙ୍କ ଷଡ଼ଯନ୍ତ୍ରକୁ ୨୦୦ ବର୍ଷ ପୂରଣ ହେବ ଏବଂ ଆଗାମୀ ୧୦ ବର୍ଷରେ, ଭାରତ ଉପନିବେଶବାଦୀ ମାନସିକତାରୁ ସମ୍ପୂର୍ଣ୍ଣ ମୁକ୍ତି ପ୍ରଦର୍ଶନ କରିବ। ପ୍ରଧାନମନ୍ତ୍ରୀ ଜୋର ଦେଇ କହିଛନ୍ତି ଯେ, ଦେଶ ଏହି ମାନସିକତାରୁ ମୁକ୍ତ ହେବା ପରେ, ଏହା ସ୍ୱଦେଶୀ ପରମ୍ପରା ପ୍ରତି ଅଧିକ ଗର୍ବ ବୋଧ କରିବ ଏବଂ ଆତ୍ମନିର୍ଭରଶୀଳତା ପଥରେ ଆହୁରି ଆଗକୁ ବଢ଼ିବ।
ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି ଯେ, ଦେଶକୁ ଉପନିବେଶବାଦୀ ମାନସିକତାରୁ ମୁକ୍ତ କରିବା ଅଭିଯାନର ଏକ ଝଲକ ସମ୍ପ୍ରତି ସଂସଦରେ ଦେଖିବାକୁ ମିଳିଛି। ଯେଉଁଠାରେ ଶୀତକାଳୀନ ଅଧିବେଶନ ସମୟରେ ସଂସଦର ସଦସ୍ୟମାନେ ହିନ୍ଦୀ ଓ ଇଂରାଜୀ ବ୍ୟତୀତ ଭାରତୀୟ ଭାଷାରେ ପ୍ରାୟ ୧୬୦ଟି ଭାଷଣ ଦେଇଥିଲେ। ସେ ଉଲ୍ଲେଖ କରିଛନ୍ତି ଯେ, ପ୍ରାୟ ୫୦ ଟି ଭାଷଣ ତାମିଲ ଭାଷାରେ, ୪୦ ରୁ ଅଧିକ ମରାଠୀରେ ଏବଂ ପ୍ରାୟ ୨୫ ଟି ଭାଷଣ ବଙ୍ଗଳାରେ ଦିଆଯାଇଥିଲା। ସେ ଉଲ୍ଲେଖ କରିଛନ୍ତି ଯେ, ଏପରି ଦୃଶ୍ୟ ବିଶ୍ୱର କୌଣସି ସଂସଦରେ ବିରଳ ଏବଂ ଏହା ସମସ୍ତଙ୍କ ପାଇଁ ଗର୍ବର ବିଷୟ। ସେ ଜୋର ଦେଇ କହିଛନ୍ତି ଯେ, ମ୍ୟାକାଲେ ଭାରତର ଭାଷା ବିବିଧତାକୁ ଦମନ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ବର୍ତ୍ତମାନ, ଦେଶ ଉପନିବେଶବାଦୀ ମନୋଭାବରୁ ମୁକ୍ତ ହେଉଥିବା ସମୟରେ ଏହି ଭାଷା ବିବିଧତା ଦେଶର ଶକ୍ତିରେ ପରିଣତ ହେଉଛି।
ଯୁବ ଭାରତ ସଂଗଠନର ଉପସ୍ଥିତ ଯୁବପିଢ଼ିଙ୍କୁ ସମ୍ବୋଧିତ କରି ଶ୍ରୀ ମୋଦୀ ମନ୍ତବ୍ୟ ଦେଇଛନ୍ତି ଯେ, ସେମାନେ ଜେନ ଜେଡ ଏବଂ ଜେନ ଆଲଫା ପିଢ଼ୀର ପ୍ରତିନିଧି ଏବଂ ଏହି ପିଢ଼ୀ ଭାରତକୁ ବିକାଶଶୀଳ ଦେଶ ହେବାର ଲକ୍ଷ୍ୟରେ ନେତୃତ୍ୱ ଦେବ। ସେ କହିଛନ୍ତି ଯେ, ସେ ସେମାନଙ୍କର ଦକ୍ଷତା ଓ ଆତ୍ମବିଶ୍ୱାସ ଦେଖନ୍ତି ଏବଂ ବୁଝନ୍ତି ତେଣୁ ସେମାନଙ୍କ ଉପରେ ବହୁତ ଭରସା କରନ୍ତି। ଏକ ପ୍ରବାଦକୁ ଉଦ୍ଧୃତ କରି ଶ୍ରୀ ମୋଦୀ ବ୍ୟାଖ୍ୟା କରିଛନ୍ତି ଯେ, ଯଦି ଜଣେ ପିଲା ବୁଦ୍ଧିମାନ ଭାବରେ କଥା କହେ, ତେବେ ଏହାକୁ ଗ୍ରହଣ କରାଯିବା ଉଚିତ, ଅର୍ଥାତ୍ ମହତତା ବୟସ ଦ୍ୱାରା ନୁହେଁ ବରଂ କାର୍ଯ୍ୟ ଓ ସଫଳତା ଦ୍ୱାରା ପରିଭାଷିତ ହୋଇଥାଏ। ସେ ଉଲ୍ଲେଖ କରିଛନ୍ତି ଯେ, ଯୁବକମାନେ ଏପରି କାମ କରିପାରିବେ ଯାହା ଅନ୍ୟମାନଙ୍କୁ ପ୍ରେରିତ କରିବ, ଯାହାର ଅନେକ ଦୃଷ୍ଟାନ୍ତ ପୂର୍ବରୁ ଦେଖାଯାଇ ସାରିଛି। କିନ୍ତୁ, ସେ ଜୋର୍ ଦେଇ କହିଛନ୍ତି ଯେ, ଏହି ସଫଳତାଗୁଡ଼ିକୁ କେବଳ ଏକ ଆରମ୍ଭ ଭାବରେ ଦେଖାଯିବା ଉଚିତ, କାରଣ ଆହୁରି ବହୁତ ଆଗକୁ ଯିବାକୁ ଅଛି, ସ୍ୱପ୍ନକୁ ଆକାଶକୁ ନେଇଯିବାକୁ ହେବ। ଏହି ପିଢ଼ି ଭାଗ୍ୟବାନ ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଛନ୍ତି ଯେ, ଆଜି ଦେଶ ସେମାନଙ୍କ ପ୍ରତିଭା ସହିତ ଦୃଢ଼ ଭାବରେ ଠିଆ ହୋଇଛି, ପୂର୍ବ ସମୟରେ ଯୁବପିଢ଼ି ହତାଶାର ପରିବେଶ ଯୋଗୁଁ ସ୍ୱପ୍ନ ଦେଖିବାକୁ ମଧ୍ୟ ଭୟ କରୁଥିଲେ। ସେ ମନ୍ତବ୍ୟ ଦେଇଛନ୍ତି ଯେ, ଆଜି ଦେଶ ପ୍ରତିଭା ଖୋଜୁଛି, ପ୍ଲାଟଫର୍ମ ପ୍ରଦାନ କରୁଛି ଏବଂ ୧୪୦ କୋଟି ନାଗରିକଙ୍କ ଶକ୍ତିକୁ ସେମାନଙ୍କ ଆକାଂକ୍ଷା ସହିତ ସମତୁଲ କରୁଛି। ସେ ଉଲ୍ଲେଖ କରିଛନ୍ତି ଯେ, ଡିଜିଟାଲ ଇଣ୍ଡିଆର ସଫଳତା ସହିତ, ଯୁବପିଢ଼ିଙ୍କ ନିକଟରେ ଶିକ୍ଷା ପାଇଁ ଇଣ୍ଟରନେଟ୍ ଓ ସମ୍ବଳର ଶକ୍ତି ରହିଛି, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ଉଦ୍ୟୋଗୀତା ପାଇଁ ଷ୍ଟାର୍ଟଅପ୍ ଇଣ୍ଡିଆ ତଥା କ୍ରୀଡ଼ାରେ ଅଗ୍ରଗତି କରୁଥିବା ଲୋକଙ୍କ ପାଇଁ ଖେଲୋ ଇଣ୍ଡିଆ ଭଳି ମିଶନ ରହିଛି। ସେ ଉଲ୍ଲେଖ କରିଛନ୍ତି ଯେ, ମାତ୍ର ଦୁଇ ଦିନ ପୂର୍ବରୁ ସେ ସଂସଦ ଖେଳ ମହୋତ୍ସବରେ ଅଂଶଗ୍ରହଣ କରିଥିଲେ, ଯୁବପିଢ଼ିଙ୍କ ପ୍ରଗତିକୁ ସମର୍ଥନ କରିବା ପାଇଁ ଉପଲବ୍ଧ ଅନେକ ପ୍ଲାଟଫର୍ମକୁ ଗୁରୁତ୍ୱ ଦେଇଥିଲେ। ପ୍ରଧାନମନ୍ତ୍ରୀ ସେମାନଙ୍କ ଧ୍ୟାନ କେନ୍ଦ୍ରିତ କରିବାକୁ ଅନୁରୋଧ କରିଥିଲେ, କ୍ଷଣିକ ଲୋକପ୍ରିୟତାର ଚମକରେ ବାନ୍ଧି ହୋଇ ରହିବା ବିରୁଦ୍ଧରେ ସତର୍କ କରାଇଥିଲେ। ଏଥିସହିତ ଚିନ୍ତାଧାରା ଓ ନୀତିର ସ୍ପଷ୍ଟତା ଜରୁରୀ ବୋଲି ମଧ୍ୟ ଗୁରୁତ୍ୱାରୋପ କରିଥିଲେ। ସେ ସେମାନଙ୍କୁ ଦେଶର ଆଦର୍ଶ ଓ ମହାନ ବ୍ୟକ୍ତିତ୍ୱଙ୍କଠାରୁ ଶିକ୍ଷା ଗ୍ରହଣ କରିବାକୁ ଆହ୍ୱାନ କରିଥିଲେ ଏବଂ ସେ କହିଥିଲେ ଯେ, ସେମାନଙ୍କର ସଫଳତା କେବଳ ସେମାନଙ୍କ ପାଇଁ ନୁହେଁ, ଦେଶର ସଫଳତା ହେବାକୁ ସୁନିଶ୍ଚିତ କରନ୍ତୁ।
ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି ଯେ, ଯୁବ ସଶକ୍ତୀକରଣ ଉପରେ ଧ୍ୟାନ ଦିଆଯାଇ ନୂତନ ନୀତି ପ୍ରସ୍ତୁତ କରାଯାଉଛି, ଯାହା ଯୁବପିଢ଼ିଙ୍କୁ ରାଷ୍ଟ୍ର ନିର୍ମାଣର କେନ୍ଦ୍ରରେ ରଖିଛି। ସେ ଉଲ୍ଲେଖ କରିଛନ୍ତି ଯେ, ‘ମେରା ଯୁବା ଭାରତ’ ଭଳି ପ୍ଲାଟଫର୍ମ ମାଧ୍ୟମରେ ଯୁବପିଢ଼ିଙ୍କୁ ସଂଯୋଗ କରିବା, ସେମାନଙ୍କୁ ସୁଯୋଗ ପ୍ରଦାନ କରିବା ଏବଂ ନେତୃତ୍ୱ ଦକ୍ଷତା ବିକାଶ କରିବା ପାଇଁ ପ୍ରୟାସ କରାଯାଉଛି। ଶ୍ରୀ ମୋଦୀ ଜୋର ଦେଇ କହିଛନ୍ତି ଯେ, ଏହା ମହାକାଶ ଅର୍ଥନୀତିକୁ ଆଗକୁ ବଢାଇବା, କ୍ରୀଡାକୁ ପ୍ରୋତ୍ସାହନ ଦେବା, ଫିନଟେକ୍ ଓ ଉତ୍ପାଦନ କ୍ଷେତ୍ରକୁ ବିସ୍ତାର କରିବା, କିମ୍ବା ଦକ୍ଷତା ବିକାଶ ଓ ଇଣ୍ଟର୍ନସିପ୍ ପାଇଁ ସୁଯୋଗ ସୃଷ୍ଟି କରିବା ହେଉ, ଯୁବପିଢ଼ି ପ୍ରତ୍ୟେକ ପଦକ୍ଷେପର ମୂଳରେ ରହିଛନ୍ତି। ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ପ୍ରତ୍ୟେକ କ୍ଷେତ୍ରରେ ଯୁବପିଢ଼ିଙ୍କ ପାଇଁ ନୂତନ ସୁଯୋଗ ଖୋଲାଯାଉଛି।
ଭାରତ ଆଜି ବିଶ୍ୱର ସବୁଠୁ ଯୁବ ଦେଶମାନଙ୍କ ମଧ୍ୟରୁ ଗୋଟିଏ ହୋଇଥିବାରୁ ଅଭୂତପୂର୍ବ ପରିସ୍ଥିତିର ସମ୍ମୁଖୀନ ହେଉଛି ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଛନ୍ତି ଯେ, ଆଗାମୀ ୨୫ ବର୍ଷ ଦେଶର ଦିଗ ନିର୍ଣ୍ଣୟ କରିବ ଏବଂ ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଭାରତର କ୍ଷମତା, ଆକାଂକ୍ଷା ଓ ବିଶ୍ୱର ଆଶାଗୁଡ଼ିକ ଏକତ୍ରିତ ହେଉଛି। ସେ କହିଛନ୍ତି ଯେ, ଆଜିର ଯୁବପିଢ଼ି ପୂର୍ବ ଅପେକ୍ଷା ଅଧିକ ସୁଯୋଗ ପାଇ ଆଗକୁ ବଢ଼ୁଛନ୍ତି, ଏବଂ ସରକାର ସେମାନଙ୍କ ପ୍ରତିଭା, ଆତ୍ମବିଶ୍ୱାସ ଓ ନେତୃତ୍ୱକୁ ଉପଯୋଗ କରିବାର ଉତ୍ତମ ସୁଯୋଗ ପ୍ରଦାନ କରିବାକୁ ପ୍ରତିବଦ୍ଧ।
ଯୁବପିଢ଼ିଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଶିକ୍ଷା ନୀତିରେ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ମାଧ୍ୟମରେ ଏକ ବିକଶିତ ଭାରତ ପାଇଁ ଦୃଢ଼ ମୂଳଦୁଆ ସ୍ଥାପନ କରାଯାଉଛି। ସେ ବ୍ୟାଖ୍ୟା କରିଛନ୍ତି ଯେ, ନୂତନ ଜାତୀୟ ଶିକ୍ଷା ନୀତି ୨୧ ଶତାବ୍ଦୀର ଆଧୁନିକ ଶିକ୍ଷା ପଦ୍ଧତି ଉପରେ ଧ୍ୟାନ କେନ୍ଦ୍ରିତ କରୁଛି, ବ୍ୟବହାରିକ ଶିକ୍ଷା ଉପରେ ଗୁରୁତ୍ୱ ଦେଉଛି, ପିଲାମାନଙ୍କୁ ମନେ ରଖିବା ଅପେକ୍ଷା ଚିନ୍ତା କରିବାକୁ ଉତ୍ସାହିତ କରୁଛି, ପ୍ରଶ୍ନ ପଚାରିବାର ସାହସ ସୃଷ୍ଟି କରୁଛି ଏବଂ ସମସ୍ୟା ସମାଧାନ ପାଇଁ ଦକ୍ଷତା ନିର୍ମାଣ କରୁଛି। ଶ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି ଯେ, ପ୍ରଥମ ଥର ପାଇଁ, ଏହି ଦିଗରେ ଅର୍ଥପୂର୍ଣ୍ଣ ପ୍ରୟାସ କରାଯାଉଛି, ବହୁବିଧ ଅଧ୍ୟୟନ, ଦକ୍ଷତା-ଆଧାରିତ ଶିକ୍ଷା, କ୍ରୀଡାକୁ ପ୍ରୋତ୍ସାହନ ଏବଂ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଛାତ୍ରଛାତ୍ରୀମାନଙ୍କୁ ବହୁତ ଲାଭ ପହଞ୍ଚାଉଛି। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ସାରା ଦେଶରେ, ଲକ୍ଷ ଲକ୍ଷ ପିଲା ଅଟଳ ଟିଙ୍କରିଂ ଲ୍ୟାବ ମାଧ୍ୟମରେ ନବସୃଜନ ଓ ଗବେଷଣାରେ ନିୟୋଜିତ ହେଉଛନ୍ତି, ଏଥିସହିତ ସ୍କୁଲ ସ୍ତରରେ ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ରୋବୋଟିକ୍ସ, ଏଆଇ, ସ୍ଥାୟୀତ୍ୱ ଏବଂ ଡିଜାଇନ୍ ଚିନ୍ତାଧାରା ସହିତ ପରିଚିତ କରାଯାଉଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ପ୍ରୟାସ ସହିତ, ଜାତୀୟ ଶିକ୍ଷା ନୀତି ମାତୃଭାଷାରେ ଅଧ୍ୟୟନ କରିବାର ବିକଳ୍ପ ପ୍ରଦାନ କରିଛି, ଯାହା ଶିକ୍ଷାକୁ ସହଜ କରିଥାଏ ଏବଂ ପିଲାମାନଙ୍କୁ ବିଷୟଗୁଡ଼ିକୁ ଭଲ ଭାବରେ ବୁଝିବାରେ ସାହାଯ୍ୟ କରିଥାଏ।
ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି ଯେ, ବୀର ସାହିବଜାଦାମାନେ ପଥ କେତେ କଠିନ ତାହା ଦେଖି ନଥିଲେ, ବରଂ ପଥ ଠିକ୍ କି ନୁହେଁ ବୋଲି ଦେଖିଥିଲେ, ଏବଂ ଜୋର ଦେଇ କହିଛନ୍ତି ଯେ ଆଜି ଏହି ପରି ମନୋଭାବର ଆବଶ୍ୟକତା ରହିଛି। ସେ ଭାରତର ଯୁବପିଢ଼ିଙ୍କଠାରୁ ବଡ଼ ସ୍ୱପ୍ନ ଦେଖିବା, କଠିନ ପରିଶ୍ରମ କରିବା ଏବଂ କେବେବି ସେମାନଙ୍କର ଆତ୍ମବିଶ୍ୱାସକୁ ଦୁର୍ବଳ ହେବାକୁ ନ ଦେବା ପାଇଁ ତାଙ୍କର ଆଶା ପ୍ରକାଶ କରିଛନ୍ତି। ଶ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି ଯେ, ଭାରତର ଭବିଷ୍ୟତ ଏହାର ସନ୍ତାନ ଓ ଯୁବମାନଙ୍କ ଭବିଷ୍ୟତ ମାଧ୍ୟମରେ ଉଜ୍ଜ୍ୱଳ ହେବ, ଯେଉଁମାନଙ୍କର ସାହସ, ପ୍ରତିଭା ଏବଂ ସମର୍ପଣ ରାଷ୍ଟ୍ରର ପ୍ରଗତିକୁ ମାର୍ଗଦର୍ଶନ କରିବ। ପ୍ରଧାନମନ୍ତ୍ରୀ ଶେଷରେ କହିଛନ୍ତି ଯେ, ଏହି ବିଶ୍ୱାସ, ଦାୟିତ୍ୱ ଓ ନିରନ୍ତର ଗତି ସହିତ, ଭାରତ ତା'ର ଭବିଷ୍ୟତ ଆଡ଼କୁ ଆଗକୁ ବଢ଼ିବ। ସେ ପୁଣି ଥରେ ସାହିବଜାଦାମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଏବଂ ସମସ୍ତ ପୁରସ୍କାର ବିଜେତା ଯୁବକମାନଙ୍କୁ ଅଭିନନ୍ଦନ ଜଣାଇ ସମସ୍ତଙ୍କୁ ହୃଦୟର ସହିତ ଧନ୍ୟବାଦ ଜଣାଇଛନ୍ତି।
ଏହି କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ମଧ୍ୟରେ କେନ୍ଦ୍ର ମନ୍ତ୍ରୀ, ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀ, ଶ୍ରୀମତୀ ସାବିତ୍ରୀ ଠାକୁର, ଶ୍ରୀ ରଭନୀତ ସିଂହ, ଶ୍ରୀ ହର୍ଷ ମାଲହୋତ୍ରା ଉପସ୍ଥିତ ଥିଲେ।
ପୃଷ୍ଠଭୂମି
ବୀର ବାଲ୍ ଦିବସ ପାଳନ ପାଇଁ, ଭାରତ ସରକାର ସାରା ଦେଶରେ ସହଭାଗୀ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି ଯାହାର ଉଦ୍ଦେଶ୍ୟ ହେଉଛି ନାଗରିକମାନଙ୍କୁ ସାହିବଜାଦାଙ୍କ ଅସାଧାରଣ ସାହସ ଓ ସର୍ବୋଚ୍ଚ ବଳିଦାନ ବିଷୟରେ ସୂଚନା ଦେବା ଏବଂ ଶିକ୍ଷାଦାନ କରିବା, ଏଥିସହିତ ଭାରତ ଇତିହାସର ଯୁବ ନାୟକମାନଙ୍କ ଅଦମ୍ୟ ସାହସ, ତ୍ୟାଗ ଓ ବୀରତ୍ୱକୁ ସମ୍ମାନିତ କରିବା ଏବଂ ସ୍ମରଣ କରିବା। ଏହି କାର୍ଯ୍ୟକ୍ରମରେ କାହାଣୀ କହିବା ଅଧିବେଶନ, ପାଠୋତ୍ସବ, ପୋଷ୍ଟର ତିଆରି ଏବଂ ପ୍ରବନ୍ଧ ଲେଖା ପ୍ରତିଯୋଗିତା ଇତ୍ୟାଦି ଅନ୍ତର୍ଭୁକ୍ତ ହେବ। ଏଗୁଡ଼ିକ ସ୍କୁଲ, ଶିଶୁ ସେବା ପ୍ରତିଷ୍ଠାନ, ଅଙ୍ଗନୱାଡି କେନ୍ଦ୍ର ଏବଂ ଅନ୍ୟାନ୍ୟ ଶିକ୍ଷା ପ୍ରତିଷ୍ଠାନରେ MyGov ଏବଂ MyBharat ପୋର୍ଟାଲରେ ଅନଲାଇନ୍ କାର୍ଯ୍ୟକ୍ରମ ମାଧ୍ୟମରେ ଆୟୋଜିତ ହେବ।
୯ ଜାନୁଆରୀ ୨୦୨୨ରେ ଶ୍ରୀ ଗୁରୁ ଗୋବିନ୍ଦ ସିଂହଙ୍କ ପ୍ରକାଶ ପର୍ବ ଅବସରରେ, ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ଯେ, ୨୬ ଡିସେମ୍ବରକୁ 'ବୀର ବାଲ୍ ଦିବସ' ଭାବରେ ପାଳନ କରାଯିବ, ଯାହା ଶ୍ରୀ ଗୁରୁ ଗୋବିନ୍ଦ ସିଂହଙ୍କ ପୁତ୍ର ସାହିବଜାଦା ବାବା ଜୋରାୱାର ସିଂହଙ୍କ ଏବଂ ବାବା ଫତେହ ସିଂହଙ୍କ ଶହୀଦ ଦିବସକୁ ସ୍ମରଣ କରିବ। ତାଙ୍କର ଅତୁଳନୀୟ ତ୍ୟାଗ ଓ ବଳିଦାନ ପିଢ଼ି ପରେ ପିଢ଼ିକୁ ପ୍ରେରଣା ଦେଇ ଆସୁଛି।
ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର (ପିଏମ୍ଆରବିପି)ର ପୁରସ୍କାର ପ୍ରାପ୍ତ ବ୍ୟକ୍ତିମାନେ ମଧ୍ୟ ଉପସ୍ଥିତ ଥିଲେ।.
*****
MT
(ରିଲିଜ ଆଡି: 2245579)
ପରିଦର୍ଶକ କାଉଣ୍ଟର : 9
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Assamese
,
Manipuri
,
Bengali
,
Bengali-TR
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam