ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପଶ୍ଚିମବଙ୍ଗର ସିଙ୍ଗୁରରେ ୮୩୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
18 JAN 2026 3:53PM by PIB Bhubaneshwar
- ବିକଶିତ ଭାରତ ପାଇଁ ପୂର୍ବ ଭାରତର ବିକାଶ ଏକ ପ୍ରାଥମିକତା । ଏହି ଲକ୍ଷ୍ୟରେ କେନ୍ଦ୍ରୀୟ ସରକାର ରୀତିମତ କାମ କରୁଛନ୍ତି : ପ୍ରଧାନମନ୍ତ୍ରୀ
- ପଶ୍ଚିମବଙ୍ଗରେ ଗତକାଲି ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଉଦଘାଟନ ହେଲା । ରାଜ୍ୟରେ ଅଧ ଡଜନ ନୂଆ ଅମୃତ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କରାଯାଇଛି ଏବଂ ଆଜି ତିନିଟି ନୂଆ ଅମୃତ ଭାରତ ଏକ୍ସପ୍ରେସ ଟ୍ରେନ କାର୍ଯ୍ୟ କରିବା ଆରମ୍ଭ କରିଛନ୍ତି : ପ୍ରଧାନମନ୍ତ୍ରୀ
- ବାଲାଗଡରେ ତିଆରି ଚାଲିଥିବା ନୂଆ ସମ୍ପ୍ରସାରିତ ପୋର୍ଟ ଗେଟ କାର୍ଯ୍ୟକ୍ଷମ ହେଲେ ହୁଗୁଳି ଓ ଆଖପାଖ ଅଂଚଳ ଲାଗି ନୂଆ ସୁଯୋଗ ସୃଷ୍ଟି ହେବ : ପ୍ରଧାନମନ୍ତ୍ରୀ
- ଆଜି ଭାରତରେ ବହୁମୁଖୀ ସଂଯୋଗୀକରଣ ଲାଗି ବନ୍ଦର, ନଦୀ ଜଳପଥ, ଜାତୀୟ ରାଜପଥ, ବିମାନ ବନ୍ଦର ଭିତରେ ଆନ୍ତଃ ସଂଯୋଗର ବ୍ୟବସ୍ଥା କରାଯାଉଛି : ପ୍ରଧାନମନ୍ତ୍ରୀ
ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲାର ସିଙ୍ଗୁରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୮୩୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ପ୍ରକଳ୍ପକୁ ଆଜି ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି । ଉତ୍ସବରେ ସମବେତ ଜନତାକୁ ସମ୍ବୋଧନ କରି ମୋଦୀ କହିଥିଲେ ଯେ ସେ ଗତକାଲି ମାଲଦାରେ ଥିଲେ ଆଉ ଆଜି ହୁଗୁଳିରେ ରହିବାରେ ତାଙ୍କର ସୌଭାଗ୍ୟ । ବିକଶିତ ଭାରତ ପାଇଁ ପୂର୍ବ ଭାରତର ବିକାଶ ଜରୁରୀ ଓ ଏହି ଲକ୍ଷ୍ୟରେ କେନ୍ଦ୍ର ସରକାର ବରାବର ଉଦ୍ୟମ କରିଆସୁଛନ୍ତି । ଗତକାଲି ଓ ଆଜିର କାର୍ଯ୍ୟକ୍ରମ ଏହି ସଂକଳ୍ପକୁ ଦୃଢୀଭୂତ କରୁଛି ବୋଲି ସେ ଉଲ୍ଲେଖ କରିଥିଲେ । ପଶ୍ଚିମବଙ୍ଗର ବିକାଶ ଲାଗି କୋଟି କୋଟି ଟଙ୍କାର ପ୍ରକଳ୍ପକୁ ସେ ଶିଳାନ୍ୟାସ ଓ ଉଦଘାଟନ କରିବାର ସୁଯୋଗ ପାଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।
ପଶ୍ଚିମବଙ୍ଗରୁ ଦେଶର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ ହେଲା ବୋଲି ମୋଦୀ କହିଥିଲେ । ପଶ୍ଚିମବଙ୍ଗ ବି ପ୍ରାୟ ଅଧ ଡଜନ ଅମୃତ ଭାରତ ଏକ୍ସପ୍ରେସ ଟ୍ରେନ ପାଇଛି ବୋଲି ମୋଦୀ କହିଥିଲେ । ଆଜି ଆଉ ତିନିଟି ଅମୃତ ଭାରତ ଏକ୍ସପ୍ରେସ ଟ୍ରେନର ବି ଶୁଭାରମ୍ଭ ହେଲା ବୋଲି ମୋଦୀ କହିଥିଲେ । ଏହି ଟ୍ରେନ ଭିତରୁ ଗୋଟିଏ ତାଙ୍କ ସଂସଦୀୟ କ୍ଷେତ୍ର ବାରଣାସୀ ସହ ବେଙ୍ଗଲକୁ ଯୋଗାଯୋଗ କରିବ ବୋଲି ମୋଦୀ ବି କହିଥିଲେ । ଦିଲ୍ଲୀ ଓ ତାମିଲନାଡୁ ପାଇଁ ବି ଅମୃତ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରାଯାଇଛି ବୋଲି ମୋଦୀ ସୂଚନା ଦେଇଥିଲେ । ପଶ୍ଚିମବଙ୍ଗର ରେଳ ସଂଯୋଗୀକରଣ ପାଇଁ ଗତ ୨୪ ଘଣ୍ଟା ମହତ୍ୱପୂର୍ଣ୍ଣ ଅଟେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ଜଳପଥରେ ଯୋଗାଯୋଗ ପାଇଁ ପଶ୍ଚିମବଙ୍ଗରେ ପ୍ରଚୁର ସମ୍ଭାବନା ରହିଥିବାରୁ ଏବେ କେନ୍ଦ୍ର ସରକାର ଏନେଇ କାମ ଆରମ୍ଭ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି । ବନ୍ଦର ସମ୍ପର୍କିତ ବିକାଶ ଲାଗି ଆବଶ୍ୟକୀୟ ଭିତିଭୂମି ପ୍ରତିଷ୍ଠା ଲାଗି ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଉଥିବା ମୋଦୀ କହିଥିଲେ । କିଛି ସମୟ ପୂର୍ବରୁ ବନ୍ଦର ଓ ନଦୀ ଜଳପଥ ସମ୍ପର୍କିତ ବିଭିନ୍ନ ପ୍ରକଳ୍ପ ଉଦଘାଟିତ ହେବା ସହ କିଛି ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି । ପଶ୍ଚିମବଙ୍ଗ ଓ ଭାରତର ବିକାଶ ଲାଗି ଏସବୁ ପ୍ରକଳ୍ପ ଅନେକ ମହତ୍ୱ ବହନ କରେ । ମାନୁଫାକଚରିଂ, ବାଣିଜ୍ୟ ଓ ଲଜିଷ୍ଟିକର ଏକ ବଡ ହବରେ ପଶ୍ଚିମବଙ୍ଗ ପରିଣତ ହେବା ଲାଗି ଏସବୁ ସ୍ତମ୍ଭ ଉପରେ ନିର୍ଭରଶୀଳ । ଏସବୁ ପ୍ରକଳ୍ପ ଲାଗି ସମସ୍ତଙ୍କୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଦେଇଥିଲେ ।
ବନ୍ଦର ଓ ଆନୁସଙ୍ଗିକ ଇକୋ ସିଷ୍ଟମ ଫୋକସ ବଢିଲେ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ ଦୋହରାଇଥିଲେ । ଗତ ୧୧ ବର୍ଷ ଧରି ଶ୍ୟାମାପ୍ରସାଦ ମୁଖାର୍ଜୀ ବନ୍ଦରର କ୍ଷମତା ବୃଦ୍ଧି ଲାଗି କେନ୍ଦ୍ର ସରକାର ଏକ ପ୍ରମୁଖ ପୁଞ୍ଜି ନିବେଶ କରିଛନ୍ତି । ସାଗରମାଳା ଯୋଜନା ଅଧୀନରେ ଏହି ବନ୍ଦର ସହ ଯୋଗାଯୋଗ ପାଇଁ ରାସ୍ତା ନିର୍ମାଣ କରାଯାଇଛି । ଏସବୁର ଫଳାଫଳ ଏବେ ବାସ୍ତବତାର ରୂପ ନେଇଛି । କାର୍ଗୋ ପରିଚାଳନା କ୍ଷେତ୍ରରେ ଗତବର୍ଷ କୋଲକାତା ବନ୍ଦର ଏକ ନୂଆ ରେକର୍ଡ ସୃଷ୍ଟି କରିଛି ।
ହୁଗୁଳି ଓ ଏହାର ଆଖାପାଖ ଅଂଚଳ ଲାଗି ବଲଗଡରେ ବିକଶିତ ହେଉଥିବା ସମ୍ପ୍ରସାରିତ ବନ୍ଦର ଗେଟ ସିଷ୍ଟମ ଭଲ କାମ ଦେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏହା କୋଲକାତା ସହର ଉପରେ ଟ୍ରାଫିକ ଓ ଲଜିଷ୍ଟିକ ଚାପ ହ୍ରାସ କରିବ ବୋଲି ମୋଦୀ ସୂଚନା ଦେଇଥିଲେ । ଗଙ୍ଗା ଉପରେ ତିଆରି ହୋଇଥିବା ଜଳପଥ ଦେଇ କାର୍ଗୋ ପରିବହନ ଆଗକୁ କ୍ଷିପ୍ରତର ହୋଇପାରିବ ବୋଲି ସେ କହିଥିଲେ । ହୁଗୁଳିକୁ ଏକ ୱେୟାରହାଉସିଂ ଓ ବାଣିଜ୍ୟ ହବରେ ପରିଣତ କରିବା ଲାଗି ଏହା ବିଶେଷ ସହାୟକ ହେବ ବୋଲି ସେ କହିଥିଲେ । ଏହାଦ୍ୱାରା ଶହ ଶହ କୋଟିର ପୁଞ୍ଜି ବିନିଯୋଗ କରାଯାଇପାରିବା ସହ ହଜାର ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । କ୍ଷୁଦ୍ର ବ୍ୟବସାୟୀ, ପରିବହନକାରୀଙ୍କୁ ଲାଭ ମିଳିବା ସହ ଉତ୍ପାଦକ ଓ କୃଷକଙ୍କ ଲାଗି ଏହା ନୂଆ ବଜାର ଦେଇପାରିବ ।
ବହୁମୁଖୀ ସଂଯୋଗୀକରଣ ଉପରେ ଭାରତ ପ୍ରାଧାନ୍ୟ ଦେଉଥିବା କଥା ମୋଦୀ ଗୁରୁତ୍ୱ ଦେଇ କହିଥିଲେ । ଅବାଧ ବିଚରଣ ଲାଗି ବନ୍ଦର, ଜଳପଥ, ରାଜପଥ, ବିମାନ ବନ୍ଦର ଭିତରେ ଆନ୍ତଃ ସଂଯୋଗୀକରଣ ବ୍ୟବସ୍ଥା କରାଯାଉଛି । ପରିବହନ ସମୟ ହ୍ରାସ କରିବା ସହ ଏହା ଲଜିଷ୍ଟିକ୍ସ ଖର୍ଚ୍ଚକୁ ବି କମେଇ ଦେଇଛି । ପ୍ରକୃତି ସୁଲଭ ପରିବହନ ପାଇଁ ଉଦ୍ୟମ କରାଯାଉଥିବା ମୋଦୀ କହିଥିଲେ । ନଦୀ ପରିବହନ କ୍ଷେତ୍ରରେ ହାଇବ୍ରିଡ ବିଦ୍ୟୁତ ପରିଚାଳିତ ବୋଟ ଚଳାଚଳ କଲେ କମ ପ୍ରଦୂଷଣ ହେବା ସହ ନଦୀ ପର୍ଯ୍ୟଟନର ବିକାଶ ଓ ହୁଗୁଳିରେ ଯିବା ଆସିବା ସହଜ ହୋଇପାରନ୍ତା ।
ମତ୍ସ୍ୟଚାଷ ଓ ସାମୁଦ୍ରିକ ଖାଦ୍ୟ ଉତ୍ପାଦନ ଓ ରପ୍ତାନୀ କ୍ଷେତ୍ରରେ ଭାରତ ଦ୍ରୁତ ଗତିରେ ବିକାଶଶୀଳ ବୋଲି ମୋଦୀ କହିଥିଲେ । ଏ କ୍ଷେତ୍ରରେ ପଶ୍ଚିମବଙ୍ଗ ନେତୃତ୍ୱ ନେଉ ବୋଲି ସେ କହିଥିଲେ । ନଦୀ ଜଳପଥ, କୃଷକ ଓ ମତ୍ସ୍ୟଜୀବୀଙ୍କ ଲାଗି ପଶ୍ଚିମବଙ୍ଗକୁ କେନ୍ଦ୍ର ସରକାର ପୂର୍ଣ୍ଣମାତ୍ରାରେ ସମ୍ପର୍ଥନ କରୁଛନ୍ତି ବୋଲି ମୋଦୀ କହିଥିଲେ । ପଶ୍ଚିମବଙ୍ଗର ବିକାଶରେ କେନ୍ଦ୍ରର ଏହି ଯୋଜନାଗୁଡିକ ବେଶ ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସମସ୍ତଙ୍କୁ ସେ ଏନେଇ ଧନ୍ୟବାଦ ଜ୍ଞାପନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି. ଆନନ୍ଦ ବୋଷ, କେନ୍ଦ୍ରମନ୍ତ୍ରୀ, ସର୍ବାନନ୍ଦ ସୋନୱାଲ, ଶ୍ରୀ ଶାନ୍ତନୁ ଠାକୁର, ଶ୍ରୀ ସୁକାନ୍ତ ମଜୁମଦାରଙ୍କ ସମେତ ବହୁ ମାନ୍ୟଗଣ୍ୟ ଅତିଥି ଯୋଗଦେଇଥିଲେ ।
ପୃଷ୍ଠଭୂମି
ହୁଗୁଳିରେ ୮୩୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଥିଲେ ।
ଆନ୍ତଃ ଦେଶୀୟ ଜଳପରିବହନ ଟର୍ମିନାଲ (ଆଇଡବ୍ଲୁଟି), ରୋଡ ଓବରବ୍ରିଜ ସହ ବାଲାଗଡ ସମ୍ପ୍ରସାରିତ ପ୍ଧେଙ୍କ ଗେଟ ସିଷ୍ଟମର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
୯୦୦ ଏକର ଜାଗାରେ ଛିଡା ହୋଇଥିବା ଆଧୁନିକ କାର୍ଗୋ ପରିଚାଳନା ଟର୍ମିନାଲ ବାଲାଗଡ ବିକଶିତ ହେଉଚି । ଏହାର ବାର୍ଷିକ ୨.୭ ମିଲିୟନ ଟନ୍ସ କ୍ଷମତା । ଦୁଇଟି କାର୍ଗୋ ପରିଚାଳନା ଜେଟି । ଗୋଟିଏ କଣ୍ଟେନାଇଜର କାର୍ଗୋ ଓ ଅନ୍ୟଟି ବଲ୍କ କାର୍ଗୋ ।
ଜନଗହଳି ଭିତରୁ କାର୍ଗୋ ନିଷ୍କାସନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଏହି ବାଲାଗଡ ପ୍ରକଳ୍ପ ଅଭିପ୍ରେତ । ଏହା ସଡକ ନିରାପତା, କୋଲକାତା ସହରରେ ଯାନବାହନ ଗହଳି ଓ ପ୍ରଦୂଷଣ ହ୍ରାସ କରିବା ସହ ଲୋକଙ୍କୁ ଏକ ଉତମ ଜୀବନ ନିର୍ବାହ କରିବାକୁ ପ୍ରେରିତ କରିବ । ଆଂଚଳିକ ଶିଳ୍ପ, ଏମଏସଏମଇ, କୃଷି ଉତ୍ପାଦକକାରୀଙ୍କୁ ଏହା ଏକ ଭଲ ବଜାର ଦେଇପାରିବ । ଏହି ପ୍ରକଳ୍ପ ସିଧା କିମ୍ବା ପରୋକ୍ଷରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ଲଜିଷ୍ଟିକ୍ସ, ଟର୍ମିନାଲ ଅପରେସନ, ପରିବହନ, ମରାମତି ପରି ବିଭିନ୍ନ କ୍ଷେତ୍ରରେ ବେଶ ସହାୟକ ହୋଇପାରିବ ।
କୋଲକାତାରେ ପ୍ରଧାନମନ୍ତ୍ରୀ ବି ଏକ ଇଲେକ୍ଟ୍ରିକ ଜଳତରୀର ଲୋକାର୍ପଣ କଲେ । କୋଚିନ ସିପୟାର୍ଡ ଦ୍ୱାରା ତିଆରି ହୋଇଥିବା ଛଅଟି ଇଲେକ୍ଟ୍ରିକ ଜଳତରୀ ଭିତରୁ ଏହା ଅନ୍ୟତମ । ସମ୍ପୂର୍ଣ୍ଣ ଇଲେକ୍ଟ୍ରିକ ଜ୍ଞାନ କୌଶଳ, ଲିଥିୟମ ଟିଟାନେଟ ବ୍ୟାଟେରୀ ସହ ଏହି ୫୦ ଆସନ ବିଶିଷ୍ଟ ଇଲେକ୍ଟ୍ରିକ ଆଲୁମିନିୟମ ଜଳତରୀ ବିନା ପ୍ରଦୂଷଣରେ ଚାଲିପାରିବ । ହୁଗୁଳି ନଦୀରେ ଏହି ଜଳତରୀ ଦ୍ୱାରା ଜଳଯାତ୍ରା କରିବା ସହ ଇକୋ ଟୁରିଜିମକୁ ପ୍ରୋତ୍ସାହିତ କରାଯାଇପାରିବ ।
ଜୟରାମବତୀ-ବାରୋଗୋପିନାଥପୁର-ମେନାପୁର ନୂଆ ରେଳପଥକୁ ବି ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିଥିଲେ । ତାରକେଶ୍ୱର-ବିଷ୍ଣୁପୁର ନୂଆ ରେଳଲାଇନ ପ୍ରକଳ୍ପର ଏହା ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ବିଶେଷ । ମେନାପୁର ଜୟରାମବତୀ ଭିତରେ ଏକ ନୂଆ ରେଳ ଚଳାଚଳ କରିବା ଆରମ୍ଭ କରିଥିବା ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯାହା ବାରୋଗୋପିନାଥପୁରରେ ସାମୟିକ ରହିବ । ବାଙ୍କୁରା ଜିଲ୍ଲାର ଦୈନନ୍ଦିନ ଯାତ୍ରୀ, ଛାତ୍ର, ତୀର୍ଥ ଯାତ୍ରୀଙ୍କ ପାଇଁ ଏହି ରେଳ ସେବା ଭଲ କାମ ଦେବ ।
କୋଲକାତା (ହାୱାଡା) - ଆନନ୍ଦ ବିହାର ଟର୍ମିନାଲ ଅମୃତ ଭାରତ ଏକ୍ସପ୍ରେସ, କୋଲକାତା (ସେଲଦାହା) – ବନାରସ ଅମୃତ ଭାରତ ଏକ୍ସପ୍ରେସ, କୋଲକାତା (ସନ୍ତ୍ରାଗାଛି) – ତାମ୍ବାରାମା ଅମୃତ ଭାରତ ଏକ୍ସପ୍ରେସ ପରି ତିନିଟି ଅମୃତ ଭାରତ ଏକ୍ସପ୍ରେସ ଟ୍ରେନର ପ୍ରଧାନମନ୍ତ୍ରୀ ବି ଶୁଭାରମ୍ଭ କରିଥିଲେ ।
PBD
(ରିଲିଜ ଆଡି: 2234849)
ପରିଦର୍ଶକ କାଉଣ୍ଟର : 10
ଏହି ରିଲିଜ ପଢନ୍ତୁ :
Malayalam
,
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Bengali-TR
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada