ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପୁଡୁଚେରୀରେ ୨,୭୦୦ କୋଟିରୁ ଅଧିକ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

ପୋଷ୍ଟ କରାଯିବା ଦିନାଙ୍କ: 01 MAR 2026 2:11PM by PIB Bhubaneshwar
  • ପୁଡୁଚେରୀର ଚମତ୍କାର ଲୋକଙ୍କ ମଧ୍ୟରେ ସାମିଲ ହୋଇ ମୁଁ ଅତ୍ୟନ୍ତ ଆନନ୍ଦିତ। ଆଜି, ଅନେକ ବିକାଶମୂଳକ କାର୍ଯ୍ୟ ଆରମ୍ଭ କରାଯାଉଛି, ଯାହା ଜୀବନଧାରଣର ମାନକୁ ସହଜ କରିବା ସହିତ ଅଞ୍ଚଳର ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବ: ପ୍ରଧାନମନ୍ତ୍ରୀ

 

  • ପୂର୍ବରୁ ଏଠାକୁ ଆସିଥିବା ସମୟରେ, ମୁଁ BEST ପୁଡୁଚେରୀର ମନ୍ତ୍ର ଦେଇଥିଲି; BESTର ଅର୍ଥ ହେଉଛି Business (ବ୍ୟବସାୟ), Education (ଶିକ୍ଷା), Spirituality (ଆଧ୍ୟାତ୍ମିକତା) ଏବଂ Tourism (ପର୍ଯ୍ୟଟନ), ଗତ ସାଢ଼େ ଚାରି ବର୍ଷ ମଧ୍ୟରେ ଏହି ଦୃଷ୍ଟିକୋଣ ଫଳାଫଳ ପ୍ରଦାନ କରିଆସୁଛି: ପ୍ରଧାନମନ୍ତ୍ରୀ

 

  • ପୁଡୁଚେରୀରେ ସୁଶାସନ ଏବଂ ବିକାଶ ଦୃଶ୍ୟମାନ ହେଉଛି: ପ୍ରଧାନମନ୍ତ୍ରୀ

 

  • ଦୃଢ଼ ଏବଂ ସଶକ୍ତ ଯୁବଶକ୍ତି ଆମ ବିକାଶର ମୂଳଦୁଆ। ତାଙ୍କର ସ୍ୱପ୍ନ ସାକାର କରିବା ପାଇଁ ଆମେ କାମ କରୁଛୁ: ପ୍ରଧାନମନ୍ତ୍ରୀ

 

  • ନିଟ୍‌ କରାଇକାଲରେ, ନୂତନ ଡକ୍ଟର ଏପିଜେ ଅବଦୁଲ କଲାମ ଇଞ୍ଜିନିୟରିଂ ବ୍ଲକ ଏବଂ ଆଧୁନିକ ଛାତ୍ରାବାସ ସୁବିଧା ଅନେକ ଛାତ୍ରଛାତ୍ରୀଙ୍କ ପାଇଁ ବୈଷୟିକ ଶିକ୍ଷାକୁ ଅଧିକ ସୁଦୃଢ଼ କରିବ; ପଣ୍ଡିଚେରୀ ବିଶ୍ୱବିଦ୍ୟାଳୟରେ ମଧ୍ୟ ଭିତ୍ତିଭୂମି ଉନ୍ନତ କରାଯାଇଛି: ପ୍ରଧାନମନ୍ତ୍ରୀ

 

  • ଆମର ବିଶ୍ୱାସ, ସ୍ୱାସ୍ଥ୍ୟସେବା ସମସ୍ତଙ୍କ ପାଇଁ ସୁଲଭ, ଉପଲବ୍ଧ ଏବଂ ଶସ୍ତା ହେବା ଉଚିତ; ଆୟୁଷ୍ମାନ ଭାରତ ଯୋଜନା ଭାରତର କୋଟି କୋଟି ପରିବାର ପାଇଁ ଏହି ଦୃଷ୍ଟିକୋଣକୁ ପୂରଣ କରୁଛି: ପ୍ରଧାନମନ୍ତ୍ରୀ

 

  • ମୁଁ ଦୃଢ଼ ଭାବରେ ବିଶ୍ୱାସ କରେ ଯେ, ପୁଡୁଚେରୀ ଏକ ଚିକିତ୍ସା ପର୍ଯ୍ୟଟନ କେନ୍ଦ୍ର ହୋଇପାରିବ। ପୁଡୁଚେରୀରେ ପୂର୍ବରୁ ୯ଟି ମେଡିକାଲ କଲେଜ ଅଛି; JIPMERରେ ଆଞ୍ଚଳିକ କର୍କଟ କେନ୍ଦ୍ରର ଆଧୁନିକୀକରଣ ସ୍ୱାସ୍ଥ୍ୟସେବା କ୍ଷମତାକୁ ଆହୁରି ବିସ୍ତାର କରିବ: ପ୍ରଧାନମନ୍ତ୍ରୀ

 

  • ଆଜି, PM-ABHIM ଅଧୀନରେ ଗୁରୁତର ରୋଗୀଙ୍କ ନିମନ୍ତେ ତିନୋଟି କ୍ରିଟିକାଲ୍ କେୟାର୍ ବ୍ଲକର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି: ପ୍ରଧାନମନ୍ତ୍ରୀ

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପୁଡୁଚେରୀରେ ୨,୭୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ଲୋକଙ୍କ ଜୀବନକୁ ଉନ୍ନତ କରିବା ପାଇଁ ଭିତ୍ତିଭୂମି, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଗତିଶୀଳତା ଭଳି ପ୍ରମୁଖ କ୍ଷେତ୍ରଗୁଡ଼ିକ ଦିଗରେ ପରିବର୍ତ୍ତନ କରିବା ଲକ୍ଷ୍ୟ ନେଇ ଆଗେଇଯାଉଛି।

 

ସମ୍ମିଳନୀକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, "ପୁଡୁଚେରୀ ହେଉଛି ସିଦ୍ଧ, ସନ୍ଥ, କବି ଏବଂ ସ୍ୱାଧୀନତା ସଂଗ୍ରାମୀଙ୍କ ଭୂମି। ଏଠାରେ ମହାକବି ସୁବ୍ରମଣ୍ୟ ଭାରତୀ ଜାତୀୟତାର ଅଗ୍ନି ପ୍ରଜ୍ୱଳିତ କରିଥିଲେ ଏବଂ ଶ୍ରୀ ଅରବିନ୍ଦ ଓ ମାତା ମୀରା ଅଲଫାସା ବିଶ୍ୱ ପାଇଁ ଏକ ଆଧ୍ୟାତ୍ମିକ ଦୃଷ୍ଟିକୋଣ ପ୍ରଦାନ କରିଥିଲେ।"

 

ପ୍ରଧାନମନ୍ତ୍ରୀ ବ୍ୟବସାୟ, ଶିକ୍ଷା, ଆଧ୍ୟାତ୍ମିକତା ଓ ପର୍ଯ୍ୟଟନ କ୍ଷେତ୍ରକୁ ପ୍ରତିନିଧିତ୍ୱ କରି ‘BEST’ ପୁଡୁଚେରୀ ପାଇଁ ତାଙ୍କର ମନ୍ତ୍ରକୁ ପୁନରାବୃତ୍ତି କରିଥିଲେ। "ଗତ ସାଢ଼େ ଚାରି ବର୍ଷ ମଧ୍ୟରେ, ଏହି ଦୃଷ୍ଟିକୋଣ ସୁଶାସନ ଓ ବିକାଶ ଆଡ଼କୁ ଆଗେଇ ନେଇଛି, ଯାହା ପ୍ରତି ମୁଣ୍ଡପିଛା ଆୟରେ ବୃଦ୍ଧି ଏବଂ ଦେଶର ସର୍ବୋଚ୍ଚ ସାମାଜିକ ପ୍ରଗତି ସୂଚକାଙ୍କ ସ୍କୋର ଦ୍ୱାରା ପ୍ରମାଣିତ ହୋଇପାରିଛି" ବୋଲି ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ।

 

ଦେଶବ୍ୟାପୀ ଭିତ୍ତିଭୂମି ଉପରେ ଦିଆଯାଉଥିବା ଗୁରୁତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଏହି ବର୍ଷର ବଜେଟ୍‌ରେ ରେକର୍ଡ ୧୨ ଲକ୍ଷ କୋଟି ଟଙ୍କା ବିନିଯୋଗ ହୋଇଥିବା କଥା ଉଲ୍ଲେଖ କରିଥିଲେ। "ପୁଡୁଚେରୀକୁ ଏବେ 'ପୁଞ୍ଜି ନିବେଶ ପାଇଁ ରାଜ୍ୟଗୁଡ଼ିକୁ ସ୍ୱତନ୍ତ୍ର ସହାୟତା' ଯୋଜନା ଅଧୀନରେ ଅନ୍ତର୍ଭୁକ୍ତ କରାଯାଇଛି, ଯାହା ପୂର୍ବରୁ କେବଳ ରାଜ୍ୟଗୁଡ଼ିକ ପାଇଁ ସୀମିତ ଥିଲା; ଏହା ସଡକ, ଜଳ ଯୋଗାଣ, ସ୍କୁଲ, ହସ୍ପିଟାଲ ଏବଂ ଏହିପରି ପ୍ରକଳ୍ପ ଭଳି ଅତ୍ୟାବଶ୍ୟକ ଭିତ୍ତିଭୂମି ପାଇଁ ଅଧିକ ପାଣ୍ଠି ସୁନିଶ୍ଚିତ କରିବ" ବୋଲି ଶ୍ରୀ ମୋଦୀ ମନ୍ତବ୍ୟ ଦେଇଥିଲେ।

 

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ, “ଏକ ଶକ୍ତିଶାଳୀ ଓ ସଶକ୍ତ ଯୁବପିଢ଼ି ଆମ ଅଭିବୃଦ୍ଧିର ମୂଳଦୁଆ। ଆମେ ସେମାନଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ କାର୍ଯ୍ୟ କରୁଛୁ।” ଏନଆଇଟି କରାଇକାଲରେ ନୂତନ ଭାବରେ ଉଦ୍‌ଘାଟିତ ଡକ୍ଟର ଏପିଜେ ଅବଦୁଲ କଲାମ ଇଞ୍ଜିନିୟରିଂ ବ୍ଲକ ଏବଂ ଆଧୁନିକ ଛାତ୍ରାବାସ ସୁବିଧା ସମୂହ ସହିତ ପଣ୍ଡିଚେରୀ ବିଶ୍ୱବିଦ୍ୟାଳୟରେ ଭିତ୍ତିଭୂମି ଉନ୍ନତୀକରଣ, ବହୁ ସଂଖ୍ୟକ ଛାତ୍ରଛାତ୍ରୀଙ୍କ ପାଇଁ ବୈଷୟିକ ଶିକ୍ଷା ଏବଂ ସହାୟତାକୁ ଉଲ୍ଲେଖନୀୟ ଭାବରେ ସୁଦୃଢ଼ କରିବ। ଦୀର୍ଘଦିନ ଧରି ଖାଲି ଥିବା ହଜାର ହଜାର ପଦ ପୂରଣ ହେବା ପରେ ସରକାରୀ ସେବାରେ ଯୋଗ ଦେଇଥିବା ଯୁବମାନଙ୍କୁ ମଧ୍ୟ ସେ ଅଭିନନ୍ଦନ ଜଣାଇଥିଲେ।

 

ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ, ବିଶ୍ୱ ବର୍ତ୍ତମାନ ସ୍ୱଚ୍ଛ ଓ ସବୁଜ ଗତିଶୀଳତା ଉପରେ ଧ୍ୟାନ ଦେଉଛି, ବୈଦ୍ୟୁତିକ ଯାନଗୁଡ଼ିକ ଦୈନନ୍ଦିନ ଜୀବନର ଏକ ଅତ୍ୟାବଶ୍ୟକ ଅଂଶ ହେବାରେ ଲାଗିଛି। ସେ ଉଲ୍ଲେଖ କରିଛନ୍ତି ଯେ, ପୁଡୁଚେରୀ ଭଳି ପର୍ଯ୍ୟଟନ କେନ୍ଦ୍ରରେ, ପ୍ରଧାନମନ୍ତ୍ରୀ ଇ-ବସ୍ ସେବା ଅଧୀନରେ ଆଜି ପ୍ରଦାନ କରାଯାଇଥିବା ବୈଦ୍ୟୁତିକ ବସ୍‌ଗୁଡ଼ିକ ପ୍ରଦୂଷଣ ହ୍ରାସ କରିବାରେ ଏକ ଗେମ୍ ଚେଞ୍ଜର ସାବ୍ୟସ୍ତ ହୋଇପାରିବ। ଏହା ସହିତ, ପ୍ରଧାନମନ୍ତ୍ରୀ ପୁଡୁଚେରୀ, କରାଇକାଲ, ମାହେ ଓ ୟାନମରେ ଶହ ଶହ କୋଟି ଟଙ୍କାର ପ୍ରକଳ୍ପ ସହିତ ପରିବାରଗୁଡ଼ିକୁ ସ୍ଥିରତା ଏବଂ ସମ୍ମାନ ପ୍ରଦାନ କରିବା ପାଇଁ ଡିଜାଇନ୍ ହୋଇଥିବା ଗୃହ ପ୍ରକଳ୍ପଗୁଡ଼ିକ ଉପରେ ଆଲୋକପାତ କରିଥିଲେ। ଏହି ପଦକ୍ଷେପଗୁଡ଼ିକରେ ସ୍ୱଚ୍ଛ ପାନୀୟ ଜଳ ସୁନିଶ୍ଚିତ କରିବା ପାଇଁ ଜଳ ଡିସାଲିନେସନ୍ ପ୍ଲାଣ୍ଟ, ବର୍ଜ୍ୟବସ୍ତୁ ପରିଚାଳନାରେ ଉନ୍ନତି ଆଣିବା ପାଇଁ ନୂତନ ସ୍ୱେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ଏବଂ ମୌସୁମୀ ସମୟରେ ବନ୍ୟା ଓ ଜଳବନ୍ଦୀ ହ୍ରାସ କରିବା ପାଇଁ ଚାଲୁଥିବା କାର୍ଯ୍ୟ ଅନ୍ତର୍ଭୁକ୍ତ। "ଆମର ସମସ୍ତ ପ୍ରୟାସ ପୁଡୁଚେରୀର ଲୋକଙ୍କ ସହଜ ଜୀବନଧାରଣ ନିମନ୍ତେ ଉଦ୍ଦିଷ୍ଟ ବୋଲି" ପ୍ରଧାନମନ୍ତ୍ରୀ ମତ ବ୍ୟକ୍ତ କରିଥିଲେ।

 

ଯେକୌଣସି ଦେଶ କେବଳ ସେତେବେଳେ ପ୍ରଗତି କରିପାରିବ ଯେତେବେଳେ ଏହାର ମାନବ ପୁଞ୍ଜି ସୁସ୍ଥ ରହିବ, ସ୍ୱାସ୍ଥ୍ୟସେବା ସରକାରଙ୍କର ସର୍ବୋଚ୍ଚ ପ୍ରାଥମିକତା ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ ବିଶ୍ୱାସ ପ୍ରକଟ କରିଥିଲେ ଯେ, ସ୍ୱାସ୍ଥ୍ୟସେବା ସମସ୍ତଙ୍କ ପାଇଁ ସୁଲଭ, ଉପଲବ୍ଧ ଏବଂ ଶସ୍ତା ହେବା ଆବଶ୍ୟକ। ଏହି ଦୃଷ୍ଟିକୋଣକୁ ଆୟୁଷ୍ମାନ ଭାରତ ଯୋଜନା ମାଧ୍ୟମରେ କୋଟି କୋଟି ପରିବାର ପାଇଁ ପୂରଣ କରାଯାଉଛି। ପୁଡୁଚେରୀର କୌଣସି ନାଗରିକଙ୍କୁ ଚିକିତ୍ସା ପାଇଁ ଦୂର ଯାତ୍ରା କରିବାକୁ ବାଧ୍ୟ କରାଯିବା ଉଚିତ୍ ନୁହେଁ ବୋଲି ଗୁରୁତ୍ୱାରୋପ କରି ସେ ଉଲ୍ଲେଖ କରିଥିଲେ ଯେ, ପୂର୍ବରୁ ନଅଟି ମେଡିକାଲ କଲେଜ ଥିବା ଏହି ଅଞ୍ଚଳ ଏକ ମେଡିକାଲ ପର୍ଯ୍ୟଟନ କେନ୍ଦ୍ର ହେବାର ସମ୍ଭାବନା ରଖିଛି। ସ୍ୱାସ୍ଥ୍ୟସେବା କ୍ଷମତାକୁ ଆହୁରି ବିସ୍ତାର କରିବା ପାଇଁ, JIPMER ରେ ଆଞ୍ଚଳିକ କର୍କଟ କେନ୍ଦ୍ରକୁ ଆଧୁନିକୀକରଣ କରାଯାଉଛି, ଜରୁରୀକାଳୀନ ସେବାକୁ ବୃଦ୍ଧି କରିବା ପାଇଁ ପୁଡୁଚେରୀ ଓ କରାଇକାଲରେ PM-ABHIM ଅଧୀନରେ ତିନୋଟି କ୍ରିଟିକାଲ୍ କେୟାର ବ୍ଲକ୍ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହା ସହିତ, କରାଇକାଲରେ ନୂତନ ସମନ୍ୱିତ ଆୟୁଷ ହସ୍ପିଟାଲ ସିଦ୍ଧ ଚିକିତ୍ସା ଓ ସମଗ୍ର ସ୍ୱାସ୍ଥ୍ୟସେବା ପାଇଁ ଏହି ଅଞ୍ଚଳର ଖ୍ୟାତିକୁ ଆହୁରି ମଜଭୁତ କରିବ। ଶ୍ରୀ ମୋଦୀ କହିଥିଲେ ଯେ, “ମୁଁ ଦୃଢ଼ ଭାବେ ବିଶ୍ୱାସ କରେ ପୁଡୁଚେରୀ ଏକ ମେଡିକାଲ ପର୍ଯ୍ୟଟନ କେନ୍ଦ୍ର ହୋଇପାରିବ ।”

 

ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ, ସଂଯୋଗୀକରଣ ହେଉଛି ପ୍ରଗତିର ମେରୁଦଣ୍ଡ, ଗ୍ରାମୀଣ ଓ ସହରାଞ୍ଚଳ ଉଭୟ ଭିତ୍ତିଭୂମି ଉପରେ ଧ୍ୟାନ ଦିଆଯାଉଛି। ସେ ଉଲ୍ଲେଖ କରିଥିଲେ ଯେ, ଛାତ୍ରଛାତ୍ରୀ, ଚାଷୀ ଓ ଛୋଟ ବ୍ୟବସାୟୀମାନଙ୍କର ସୁବିଧା ପାଇଁ ଶତାଧିକ କିଲୋମିଟର ଗ୍ରାମୀଣ ସଡ଼କ ନିର୍ମାଣ କରାଯାଉଛି। ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ଏକା ସମୟରେ, ପୁଡୁଚେରୀ ସହରରେ ଭିଡ଼ ହ୍ରାସ କରିବା ପାଇଁ ୧,୦୦୦ କୋଟି ଟଙ୍କାରୁ ଅଧିକ ବିନିଯୋଗ କରାଯାଉଛି, ଯେଉଁଥିରେ ୪୪୦ କୋଟି ଟଙ୍କା ବ୍ୟୟରେ ଏକ ନୂତନ ଫ୍ଲାଏଓଭର ଅନ୍ତର୍ଭୁକ୍ତ"। ସେ ଆହୁରି ଉଲ୍ଲେଖ କରିଥିଲେ ଯେ, ପୂର୍ବ ତଟ ଓ ଗ୍ରାଣ୍ଡ ଦକ୍ଷିଣ ଟ୍ରଙ୍କ ରାସ୍ତା ମାଧ୍ୟମରେ ଚେନ୍ନାଇକୁ ସଂଯୋଗୀକରଣ ମଧ୍ୟ ବୃଦ୍ଧି କରାଯାଉଛି, ଯାହା ଯାତ୍ରା ସମୟକୁ ଦୁଇ ଘଣ୍ଟାରୁ କମ୍ କରିଦେବ। "କନ୍ୟାକୁମାରୀ ପର୍ଯ୍ୟନ୍ତ ପୂର୍ବ ତଟ କରିଡରରେ ୩୦,୦୦୦ କୋଟି ଟଙ୍କାରୁ ଅଧିକ ବିନିଯୋଗ, ଏହି ପ୍ରକଳ୍ପଗୁଡ଼ିକ ପୁଡୁଚେରୀକୁ ବେଙ୍ଗାଲୁରୁ ଓ କୋଏମ୍ବାଟୁର ଭଳି ପ୍ରମୁଖ ଅର୍ଥନୈତିକ କେନ୍ଦ୍ର ସହିତ ସଂଯୋଗ କରୁଛି, ଯାହା ପର୍ଯ୍ୟଟନ, ବାଣିଜ୍ୟ ଓ ଶିଳ୍ପକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିପାରିବ ବୋଲି ଶ୍ରୀ ମୋଦୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ।

 

ପ୍ରଧାନମନ୍ତ୍ରୀ ପର୍ଯ୍ୟଟନକୁ ପୁଡୁଚେରୀର ସବୁଠାରୁ ବଡ଼ ଶକ୍ତି ଭାବରେ ଚିହ୍ନିତ କରି ଉଲ୍ଲେଖ କରିଛନ୍ତି ଯେ, ଏହା ପୂର୍ବରୁ ହଜାର ହଜାର ପର୍ଯ୍ୟଟକଙ୍କୁ ଏକ ପ୍ରମୁଖ ସପ୍ତାହାନ୍ତ ଗନ୍ତବ୍ୟସ୍ଥଳ ଭାବରେ ଆକର୍ଷିତ କରୁଛି। ସେ ଏହି ସଫଳତାର ଶ୍ରେୟ ସ୍ଥାନୀୟ ଲୋକଙ୍କ ଆତ୍ମୀୟତାକୁ ଦେଇଥିଲେ ଏବଂ ଉଲ୍ଲେଖ କରିଥିଲେ ଯେ, ଏହି ଅଞ୍ଚଳକୁ ଟ୍ରେନ ଓ ବିମାନଗୁଡ଼ିକର ନିରନ୍ତର ଯାତ୍ରା ଅବ୍ୟାହତ ରହିଛି। "ଆଧ୍ୟାତ୍ମିକ, ପରିବେଶ ଏବଂ ସ୍ୱାସ୍ଥ୍ୟ ପର୍ଯ୍ୟଟନରେ ଲକ୍ଷ୍ୟଭେଦ ନିବେଶ ମାଧ୍ୟମରେ, ସରକାର ଏହି କ୍ଷେତ୍ରକୁ ନୂତନ ଉଚ୍ଚତାକୁ ନେଇଯାଇଛନ୍ତି, ଯେଉଁଥିରେ ‘ପ୍ରଶାଦ’ ଯୋଜନା ଅଧୀନରେ ବିଭିନ୍ନ ମନ୍ଦିରରେ ତୀର୍ଥଯାତ୍ରା ସୁବିଧାର ବିକାଶ ଅନ୍ତର୍ଭୁକ୍ତ। ଶ୍ରୀ ଅରବିନ୍ଦ ଏବଂ ଦି ମଦର ଅରୋଭିଲକୁ ଚେତନାର ସାର୍ବଜନୀନ ସହର ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କହିଥିଲେ। ସେ ଆନନ୍ଦ ପ୍ରକାଶ କରିଥିଲେ ଯେ ଆଜି ସେଠାରେ ଏକ ବିଶ୍ୱ ଆଧ୍ୟାତ୍ମିକ ମହୋତ୍ସବର ଆରମ୍ଭ ହେଉଛି। ସେ ଗୁରୁତ୍ୱାରୋପ କରିଥିଲେ ଯେ, ଏପରି ସମାବେଶ ବିଭିନ୍ନ ଅଞ୍ଚଳ ଏବଂ ଧର୍ମର ଲୋକଙ୍କୁ ଏକତ୍ରିତ କରିବାରେ ସାହାଯ୍ୟ କରେ।

 

ପ୍ରଧାନମନ୍ତ୍ରୀ ସ୍ମରଣ କରାଇଥିଲେ ଯେ, ପୁଡୁଚେରୀ ଭାରତର ସ୍ୱାଧୀନତା ସଂଗ୍ରାମର ଏକ ଅବିଚ୍ଛେଦ୍ୟ ଅଂଶ ହୋଇଆସିଛି, ଅନେକ ମହାନ ନେତାଙ୍କ ଜନ୍ମସ୍ଥାନ କିମ୍ବା କର୍ମଭୂମି ଭାବରେ କାର୍ଯ୍ୟ କରିଛି। ସେ ଉଲ୍ଲେଖ କରିଥିଲେ ଯେ, ଏହି ଭୂମି ୧୯୪୭ ମସିହାରେ ଭାରତକୁ ସ୍ୱାଧୀନତା ହାସଲ କରିବା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା। ଭବିଷ୍ୟତକୁ ଦୃଷ୍ଟିରେ ରଖି, ପ୍ରଧାନମନ୍ତ୍ରୀ ୨୦୪୭ ସୁଦ୍ଧା ଏକ ବିକଶିତ ପୁଡୁଚେରୀ ଏବଂ ଏକ ବିକଶିତ ଭାରତ ଗଠନର ଦୃଷ୍ଟିକୋଣ ଉପରେ ଗୁରୁତ୍ୱାରୋପ କରିଥିଲେ। ଡବଲ-ଇଞ୍ଜିନ୍ ସରକାର ଏହି ଲକ୍ଷ୍ୟ ପ୍ରତି ପ୍ରତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ ଆଶ୍ୱାସନା ଦେଇଥିଲେ। ପ୍ରଧାନମନ୍ତ୍ରୀ ଶେଷରେ କହିଥିଲେ, “ଆମେ BEST ପୁଡୁଚେରୀ ପାଇଁ ନିରନ୍ତର କାମ କରିବୁ।”

 

*****

MT


(ରିଲିଜ ଆଡି: 2234294) ପରିଦର୍ଶକ କାଉଣ୍ଟର : 8