ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav AI Impact Summit 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬ର ଲିଡର୍ସ ପ୍ଲାନେରି ଅଧିବେଶନ ସମୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତବ୍ୟ

ପୋଷ୍ଟ କରାଯିବା ଦିନାଙ୍କ: 19 FEB 2026 4:29PM by PIB Bhubaneshwar

 

  • ଏଆଇ ଇମ୍ପାକ୍ଟ ସମିଟ୍‌ ଏକ ମାନବ-କୈନ୍ଦ୍ରୀକ, ସଂବେଦନଶୀଳ ବିଶ୍ବ ଇକୋସିଷ୍ଟମକୁ ଆକାର ଦେବ: ପ୍ରଧାନମନ୍ତ୍ରୀ
  • ବିଶ୍ବ ଦକ୍ଷିଣର ପ୍ରାଥମିକତାଗୁଡ଼ିକ ଶାସନର କେନ୍ଦ୍ରରେ ରହିବା ସହ ଏଆଇ ସମସ୍ତଙ୍କ ପାଇଁ ଉପଲବ୍ଧ ହେବା ଉଚିତ୍: ପ୍ରଧାନମନ୍ତ୍ରୀ
  • ଏଆଇରେ ନୈତିକତା ଅସୀମିତ ହେବା ଉଚିତ୍‌, ଉଦ୍ଦେଶ୍ୟ ସହ ଲାଭ ସଂଯୁକ୍ତ ହେବା ଉଚିତ୍‌: ପ୍ରଧାନମନ୍ତ୍ରୀ
  • ଏଆଇର ନୈତିକ ବ୍ୟବହାର ଲାଗି ପ୍ରଧାନମନ୍ତ୍ରୀଙ୍କ ତିନୋଟି ପ୍ରସ୍ତାବ: ଭରସାଯୋଗ୍ୟ ବୈଶ୍ବିକ ଡାଟା ବିଧିବ୍ୟବସ୍ଥା, ସ୍ବଚ୍ଛ ଗ୍ଲାସବକ୍ସ ନିରାପତ୍ତା ନିୟମ ଓ ଏଆଇରେ ମାନବିକ ମୂଲ୍ୟବୋଧ ନିହିତ କରିବା
  • ମାନବତାର କଲ୍ୟାଣ ପାଇଁ ଏଆଇ ହେଉଛି ଏକ ସହଭାଗୀ ସମ୍ବଳ: ପ୍ରଧାନମନ୍ତ୍ରୀ 

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ଠାରେ ଆୟୋଜିତ ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍‌ ୨୦୨୬ ଅବସରରେ ଲିଡର୍ସ ପ୍ଲାନେରି ଅଧିବେଶନରେ ଉଦବୋଧନ ଦେଇଥିଲେ। ଶିଖର ସମ୍ମିଳନୀକୁ ଅଂଶଗ୍ରହଣକାରୀମାନଙ୍କୁ ପୁଣି ଥରେ ସ୍ବାଗତ ଜଣାଇ ପ୍ରଧାନମନ୍ତ୍ରୀ ଆଶା ପ୍ରକାଶ କରିଥିଲେ ଯେ ଏହି ସମ୍ମିଳନୀ ଏକ ମାନବ-କୈନ୍ଦ୍ରିକ ଓ ସଂବେଦନଶୀଳ ବୈଶ୍ବିକ ଏଆଇ ଇକୋସିଷ୍ଟମ ତିଆରି କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ। ଇତିହାସ ଦର୍ଶାଏ ଯେ ମଣିଷ ସବୁବେଳେ ସମସ୍ୟାକୁ ସୁଯୋଗରେ ରୁପାନ୍ତରିତ କରିଛି ଓ ଆଜି ସେହିପରି ଏକ ସୁଯୋଗ ଆସିଛି ଯେତେବେଳେ ଏକ ସମସ୍ୟାକୁ ମାନବଜାତିର ସବୁଠାରୁ ବଡ଼ ସୁଯୋଗରେ ପରିଣତ କରାଯାଇପାରିବ।

ଭଗବାନ ବୁଦ୍ଧଙ୍କ ବାଣୀ ‘ସଠିକ୍ ବୁଝାମଣାରୁ ସଠିକ୍ କାର୍ଯ୍ୟ ଉତ୍ପନ୍ନ ହୁଏ’ କୁ ଉଦ୍ଧାର କରି ଶ୍ରୀ ମୋଦୀ ସମୟୋଚିତ, ଉଚିତ୍ ମନୋଭାବ ଓ ସଠିକ ନିଷ୍ପତ୍ତି ସହ ଏଆଇର ସକାରାତ୍ମକ ପ୍ରଭାବ ଲାଗି ଏକ ରୋଡମ୍ୟାପ୍‌ ପ୍ରସ୍ତୁତ ଉପରେ ଗୁରୁତ୍ୱାରୋପ କରିଥିଲେ। 

ପ୍ରଧାନମନ୍ତ୍ରୀ କହିଥିଲେ ଯେ କୋଭିଡ୍‌ ବିଶ୍ବ ମହାମାରୀ ସମୟରେ ବିଶ୍ବ ଦେଖିଥିଲା ଯେ ଯେତେବେଳେ ଦେଶମାନେ ଏକାଠି ହୁଅନ୍ତି ଅସମ୍ଭବ ସମ୍ଭବ ହୁଏ। ଏହି ସହଯୋଗ ସମାଧାନ ପ୍ରଦାନ କରିଥିଲା-ଟୀକା ବିକାଶଠାରୁ ଆରମ୍ଭ କରି ଯୋଗାଣ ଶୃଙ୍ଖଳ ପର୍ଯ୍ୟନ୍ତ, ଡାଟା ଆଦାନପ୍ରଦାନଠାରୁ ଆରମ୍ଭ କରି ଜୀନବ ବଞ୍ଚାଇବା ପର୍ଯ୍ୟନ୍ତ। କୋଟି କୋଟି ଲୋକଙ୍କୁ ଠିକ ସମୟରେ ଟୀକାକରଣ ସମ୍ଭବ କରିଥିବା ଡିଜିଟାଲ ଟୀକା ପ୍ଲାଟଫର୍ମର ଉଦାହରଣ ଦେଇ ସେ କହିଥିଲେ ଯେ ପ୍ରଯୁକ୍ତିବିଦ୍ୟା ମାନବତାର କିପରି ସେବା କରେ ତାହା ଭାରତ ଦେଖାଇଥିଲା। ସେ କହିଥିଲେ ଯେ କଠିନ ସମୟରେ ବି ୟୁପିଆଇ ନିରବଚ୍ଛିନ୍ନ ଅନଲାଇନ ନେଣଦେଣ ସମ୍ଭବ କରୁଛି ଓ ଡିଜିଟାଲ ବିଭେଦ ଦୂର କରିବାରେ ବଡ଼ ଭୂମିକା ନିର୍ବାହ କରୁଛି। ସେ କହିଥିଲେ ଯେ ବିଗତ ବର୍ଷମାନଙ୍କରେ ଭାରତ ଏକ ଗତିଶୀଳ ଡିଜିଟାଲ୍‌ ଜନ ଭିତ୍ତିଭୂମି ତିଆରି କରି ବିଶ୍ବ ସହ ବିତରଣ କରିଛି । ଭାରତ ପାଇଁ ପ୍ରଯୁକ୍ତିବିଦ୍ୟା ଶକ୍ତିର ଏକ ମାଧ୍ୟମ ନୁହେଁ, ବରଂ ସେବାର ଏକ ମାଧ୍ୟମ, ଏହା ଆଧିପତ୍ୟ ପାଇଁ ନୁହେଁ ବରଂ ସଶକ୍ତ କରିବା ପାଇଁ ଉଦ୍ଦିଷ୍ଟ। ମାନବତାର କଲ୍ୟାଣ ପାଇଁ ଏଆଇ ବି ଏହି ଦିଗରେ ଅଗ୍ରଗତି କରିବା ଉଚିତ ବୋଲି ସେ କହିଥିଲେ। 

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଅତୀତରେ ପ୍ରଯୁକ୍ତିବିଦ୍ୟା ବିଭାଜନ ସୃଷ୍ଟି କରିଥିଲା, କିନ୍ତୁ ଏବେ ଏଆଇ ସମସ୍ତଙ୍କ ପାଇଁ ସୁଗମ ଏବଂ ସୁଲଭ ହେବା ଉଚିତ। ସେ ଗୁରୁତ୍ୱାରୋପ କରିଥିଲେ ଯେ ଏଆଇର ଭବିଷ୍ୟତ ବିଷୟରେ ଆଲୋଚନା କରିବା ସମୟରେ, ବିଶ୍ୱ ଦକ୍ଷିଣର ଆକାଂକ୍ଷା ଏବଂ ପ୍ରାଥମିକତାକୁ ଏଆଇ ଶାସନର ମୂଳରେ ରଖିବା ଉଚିତ।

ଶ୍ରୀ ମୋଦୀ ଆଲୋକପାତ କରିଥିଲେ ଯେ ନୈତିକତା ସର୍ବଦା ମାନବ ପ୍ରଗତିର ମୂଳରେ ରହିଛି, କିନ୍ତୁ ଏଆଇ ସହ ଅନୈତିକ ଆଚରଣର ପରିସର ଅସୀମ ହୋଇଯାଇଛି। ସେ ଗୁରୁତ୍ୱାରୋପ କରିଥିଲେ ଯେ ଏଆଇ ପାଇଁ ନୈତିକ ମାନଦଣ୍ଡ ମଧ୍ୟ ଅସୀମ ହେବା ଉଚିତ। ସେ କହିଥିଲେ ଯେ ଏଆଇ କମ୍ପାନୀଗୁଡ଼ିକର କେବଳ ଲାଭ ଉପରେ ନୁହେଁ ବରଂ ଉଦ୍ଦେଶ୍ୟ ଉପରେ ମଧ୍ୟ ଧ୍ୟାନ ଦେବା ଏକ ବିରାଟ ଦାୟିତ୍ୱ। ସେ ଦୃଢ଼ ନୈତିକ ପ୍ରତିବଦ୍ଧତାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ବ୍ୟକ୍ତିଗତ ସ୍ତରରେ, ଏଆଇ ପୂର୍ବରୁ ମାନବ ଶିକ୍ଷା, ବୁଦ୍ଧିମତ୍ତା ଏବଂ ଭାବନାକୁ ପ୍ରଭାବିତ କରୁଛି।

ଏଆଇର ନୈତିକ ବ୍ୟବହାର ପାଇଁ, ପ୍ରଧାନମନ୍ତ୍ରୀ ତିନୋଟି ପରାମର୍ଶ ଦେଇଥିଲେ:

୧. ଏଆଇ ତାଲିମ ତଥ୍ୟ ସାର୍ବଭୌମତ୍ୱକୁ ସମ୍ମାନ ଦେବା ଉଚିତ ଏବଂ ଏକ ବିଶ୍ୱସ୍ତ ବିଶ୍ୱ ତଥ୍ୟ ଢାଞ୍ଚା ଉପରେ ଆଧାରିତ ହେବା ଉଚିତ। ସେ "ବର୍ଜ୍ୟ ପ୍ରବେଶ ବର୍ଜ୍ୟ ବାହାର’ ନୀତି ଉପରେ ଆଲୋକପାତ କରିଥିଲେ ଏବଂ ଗୁରୁତ୍ୱାରୋପ କରିଥିଲେ ଯେ ଯଦି ତଥ୍ୟ ସୁରକ୍ଷିତ, ସନ୍ତୁଳିତ ଏବଂ ନିର୍ଭରଯୋଗ୍ୟ ନୁହେଁ, ତେବେ ଆଉଟପୁଟ୍ ଉପରେ ବିଶ୍ୱାସ କରାଯାଇପାରିବ ନାହିଁ।

୨. ଏଆଇ ପ୍ଲାଟଫର୍ମଗୁଡ଼ିକ ସେମାନଙ୍କର ସୁରକ୍ଷା ନିୟମକୁ ସ୍ପଷ୍ଟ ଏବଂ ସ୍ୱଚ୍ଛ ରଖିବା ଉଚିତ। ସେ "ବ୍ଲାକବକ୍ସ" ପରିବର୍ତ୍ତେ "ଗ୍ଲାସ ବାକ୍ସ" ପଦ୍ଧତି ଗ୍ରହଣ କରିବାକୁ ଆହ୍ୱାନ କରିଥିଲେ, ଯେଉଁଠାରେ ସୁରକ୍ଷା ନିୟମ ଦୃଶ୍ୟମାନ ଏବଂ ଯାଞ୍ଚଯୋଗ୍ୟ ହୋଇଥିବ। ସେ ଉଲ୍ଲେଖ କରିଥିଲେ ଯେ ଏହା ଦାୟିତ୍ୱ ସୁନିଶ୍ଚିତ କରିବ ଏବଂ ବ୍ୟବସାୟରେ ନୈତିକ ଆଚରଣକୁ ସୁଦୃଢ଼ କରିବ।

୩. ଏଆଇ ସ୍ପଷ୍ଟ ମାନବୀୟ ମୂଲ୍ୟବୋଧ ଦ୍ୱାରା ପରିଚାଳିତ ହେବା ଉଚିତ। ସେ "ପେପର କ୍ଲିପ୍ ସମସ୍ୟା"କୁ ଏକ ଉଦାହରଣ ଭାବରେ ଉଲ୍ଲେଖ କରିଥିଲେ, ଯେଉଁଠାରେ ଏକ ଲକ୍ଷ୍ୟ ଦିଆଯାଇଥିବା ମେସିନ୍ ଏହାକୁ ହାସଲ କରିବା ପାଇଁ ସମସ୍ତ ବିଶ୍ୱ ସମ୍ବଳକୁ ନିଷ୍କାସନ କରିଥାଏ। ସେ ରେଖାଙ୍କିତ କରିଥିଲେ ଯେ ପ୍ରଯୁକ୍ତିବିଦ୍ୟା ଶକ୍ତିଶାଳୀ ହୋଇଥିଲେ ମଧ୍ୟ, ଏହାର ଆଭିମୁଖ୍ୟ ସର୍ବଦା ମଣିଷ ଦ୍ୱାରା ନିର୍ଣ୍ଣୟ କରାଯିବା ଉଚିତ।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ କୃତ୍ରିମ ବୁଦ୍ଧିମତ୍ତାର ବିଶ୍ବଯାତ୍ରାରେ ଆକାଂକ୍ଷୀ ଭାରତର ଏକ ବଡ଼ ଭୂମିକା ରହିଛି ଏବଂ ଭାରତ ଏହି ଦାୟିତ୍ୱ ଗ୍ରହଣ କରି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛି। ସେ ଉଲ୍ଲେଖ କରିଥିଲେ ଯେ ଭାରତର ଏଆଇ ମିଶନ ଅଧୀନରେ, ୩୮୦୦୦ ଜିପିୟୁ ପୂର୍ବରୁ ଉପଲବ୍ଧ ରହିଛି ଏବଂ ଆଗାମୀ ଛଅ ମାସରେ ଆଉ ୨୪୦୦୦ ଯୋଡାଯିବ। ଶ୍ରୀ ମୋଦୀ କହିଛନ୍ତି ଯେ ଭାରତ ଏହାର ଷ୍ଟାର୍ଟଅପ୍‌ଗୁଡ଼ିକୁ ଅତ୍ୟନ୍ତ ସୁଲଭ ମୂଲ୍ୟରେ ବିଶ୍ୱସ୍ତରୀୟ କମ୍ପ୍ୟୁଟିଂ ଶକ୍ତି ପ୍ରଦାନ କରୁଛି। ସେ ଉଲ୍ଲେଖ କରିଥିଲେ ଯେ ଭାରତ ଏଆଇକୋଶ୍ (ଜାତୀୟ ଡାଟାସେଟ୍ ପ୍ଲାଟଫର୍ମ) ମଧ୍ୟ ସୃଷ୍ଟି କରିଛି, ଯାହା ମାଧ୍ୟମରେ ୭୫୦୦ ରୁ ଅଧିକ ଡାଟାସେଟ୍ ଏବଂ ୨୭୦ ଏଆଇ ମଡେଲ୍ ଜାତୀୟ ସମ୍ବଳ ଭାବରେ ଜାରି କରାଯାଇଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏଆଇ ପାଇଁ ଭାରତର ଆଭିମୁଖ୍ୟ ଏବଂ ଦୃଷ୍ଟିକୋଣ ସ୍ପଷ୍ଟ - ଏଆଇ ହେଉଛି ମାନବଜାତି କଲ୍ୟାଣ ପାଇଁ ଏକ ସହଭାଗୀ ସମ୍ବଳ। ସେ ଏକ ଏଆଇ ଭବିଷ୍ୟତ ସୃଷ୍ଟି କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ଯାହା ନବସୃଜନକୁ ପ୍ରେରଣା ଦେଉଥିବ, ଅନ୍ତର୍ଭୁକ୍ତିକୁ ସୁଦୃଢ଼ କରୁଥିବ ଏବଂ ମାନବିକ ମୂଲ୍ୟବୋଧକୁ ସମନ୍ୱିତ କରୁଥିବ। ଶେଷରେ ଶ୍ରୀ ମୋଦୀ କହିଥିଲେ ଯେ ଯେତେବେଳେ ପ୍ରଯୁକ୍ତିବିଦ୍ୟା ଏବଂ ମାନବ ବିଶ୍ୱାସ ଏକାଠି ଆଗକୁ ବଢ଼ିବ, ଏଆଇର ପ୍ରକୃତ ପ୍ରଭାବ ସାରା ବିଶ୍ୱରେ ଦୃଶ୍ୟମାନ ହେବ।

 

TKM


(ରିଲିଜ ଆଡି: 2230506) ପରିଦର୍ଶକ କାଉଣ୍ଟର : 5