ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ
ଇଣ୍ଡିଆ ଏଆଇ ଇମ୍ଫାକ୍ଟ ଶିଖର ସମ୍ମିଳନୀକୁ ବିଶ୍ୱବ୍ୟାପୀ ଉତ୍ସାହଜନକ ପ୍ରତିକ୍ରିୟା ମିଳିଛି : କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
प्रविष्टि तिथि:
30 JAN 2026 7:03PM by PIB Bhubaneshwar
- ଭାରତର ଏଆଇ ଇକୋସିଷ୍ଟମ ବ୍ୟବସ୍ଥିତ ଢଙ୍ଗରେ ବିକଶିତ ହେଉଛି : ଶ୍ରୀ ବୈଷ୍ଣବ
- ଇଣ୍ଡିଆ ଏଆଇ ଇମ୍ଫାକ୍ଟ ଶିଖର ସମ୍ମିଳନୀ ପୂର୍ବରୁ ପ୍ରମୁଖ ମାଇଲଖୁଣ୍ଟ ଘୋଷଣା କରାଗଲା
- 60 ଜଣ ବିଶିଷ୍ଟ ଶିଳ୍ପ ବିଶେଷଜ୍ଞଙ୍କ ବିଚାରକୁ ନେଇ ଏଆଇର ଭବିଷ୍ୟତ ଉପରେ ଏକ ସଂକଳନ ଉନ୍ମୋଚନ କଲା ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ
ଆସନ୍ତା ଫେବୃଆରୀ 16ରୁ 20 ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଇଣ୍ଡିଆ ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ ଆୟୋଜନ କରାଯିବ। ଗ୍ଲୋବାଲ୍ ସାଉଥରେ ପ୍ରଥମ ଥର ପାଇଁ ଏହି ସମ୍ମିଳନୀ ଆୟୋଜନ କରାଯାଉଛି । ଆଜି ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ତରଫରୁ (ଏମଇଆଇଟିୱାଇ) ଏକ ଉଚ୍ଚସ୍ତରୀୟ ସାମ୍ବାଦିକ ସମ୍ମିଳନୀରେ ଏହି ସମ୍ମିଳନୀ ସମ୍ପର୍କରେ ସୂଚନା ଦିଆଯାଇଛି। ଏଥିରେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଅଧ୍ୟକ୍ଷତା କରିଥିଲେ । ଏହି ଅବସରରେ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ରାଷ୍ଟ୍ରମନ୍ତ୍ରୀ ଜିତିନ୍ ପ୍ରସାଦ; ଭାରତ ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା ଅଜୟ ସୁଦ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଯୋଗ ଦେଇଥିଲେ।
ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରମୁଖ ଘଟଣାକ୍ରମ ଗୁଡ଼ିକ ବିଷୟରେ ଉଲ୍ଲେଖ କରାଯାଇଥିଲା। ସମ୍ମିଳନୀରେ ଅଂଶଗ୍ରହଣକୁ ନେଇ ବିଶ୍ୱ ସ୍ତରରେ ପ୍ରକାଶ ପାଇଥିବା ଆଗ୍ରହ ସମ୍ପର୍କରେ ସୂଚନା ଦିଆଯାଇଥିଲା। ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀର ପ୍ରତ୍ୟାଶିତ ଫଳାଫଳଗୁଡ଼ିକ ସମ୍ପର୍କରେ ମଧ୍ୟ ପୂର୍ବାଲୋକନ କରାଯାଇଥିଲା। ସମ୍ମିଳନୀ ଆୟୋଜନ ଲାଗି ଭାରତ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ସୂଚନା ଦିଆଯାଇଥିଲା।
ଶ୍ରୀ ବୈଷ୍ଣବ କହିଥିଲେ, ଇଣ୍ଡିଆ ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀକୁ ନେଇ ସାରା ବିଶ୍ୱରୁ ବ୍ୟାପକ ଏବଂ ଉତ୍ସାହଜନକ ପ୍ରତିକ୍ରିୟା ମିଳିଛି । ଏହା ବିଶ୍ୱସ୍ତରରେ ବର୍ତ୍ତମାନ ସୁଦ୍ଧା ସବୁଠାରୁ ବଡ଼ ଏଆଇ ଶିଖର ସମ୍ମିଳନୀ ହେବାକୁ ଯାଉଛି। ମଡେଲ, ଆପ୍ଲିକେସନ୍ ଏବଂ ଭିତ୍ତିଭୂମି ସମେତ ଏଆଇ ମୂଲ୍ୟ ଶୃଙ୍ଖଳରେ କାର୍ଯ୍ୟ କରୁଥିବା ଶିଳ୍ପପତି, ଡେଭଲପର ଏବଂ ଉଦ୍ଭାବନକାରୀଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାମ୍ପ୍ରତିକ ଆଲୋଚନା ବିଷୟରେ ସେ ଉଲ୍ଲେଖ କରିଥିଲେ। କେନ୍ଦ୍ର ମନ୍ତ୍ରୀ କହିଥିଲେ, ଏପରି ମତବିନିମୟ ପ୍ରୟାସ ଭାରତର ଏଆଇ ଇକୋସିଷ୍ଟମର ବ୍ୟବସ୍ଥିତ ପ୍ରଗତି ଏବଂ ନିୟୋଜନ ଆଧାରିତ ସମାଧାନ ପ୍ରତି ବିଶେଷ ଗୁରୁତ୍ୱକୁ ପ୍ରତିଫଳିତ କରୁଛନ୍ତି । କେନ୍ଦ୍ର ମନ୍ତ୍ରୀ ଆହୁରି କହିଛନ୍ତି, ପ୍ରମୁଖ ଆଇଟି କମ୍ପାନୀଗୁଡ଼ିକ 200ରୁ ଅଧିକ କେନ୍ଦ୍ରିତ କ୍ଷେତ୍ର-ନିର୍ଦ୍ଦିଷ୍ଟ ଏଆଇ ମଡେଲ ବିକଶିତ କରିଛନ୍ତି, ଯାହାକୁ ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀରେ ଆରମ୍ଭ କରାଯିବାର ପ୍ରସ୍ତାବ ରହିଛି। ସେ ଆହୁରି କହିଥିଲେ, ଏଆଇ ଭିତ୍ତିଭୂମି ସ୍ତରରେ ପ୍ରାୟ 70 ବିଲିୟନ ଆମେରିକୀୟ ଡଲାର ମୂଲ୍ୟର ନିବେଶ ପୂର୍ବରୁ ଆସି ସାରିଛି । ସମ୍ମିଳନୀ ଶେଷ ସୁଦ୍ଧା ଏହା ଦ୍ୱିଗୁଣିତ ହେବାର ସମ୍ଭାବନା ରହିଛି। ଏଆଇ ଭିତ୍ତିଭୂମି ଏବଂ ଶିଳ୍ପ ଆଧାରିତ ପାଠ୍ୟକ୍ରମକୁ 500 ବିଶ୍ୱବିଦ୍ୟାଳୟକୁ ବିସ୍ତାର କରି ଏଆଇ ପ୍ରତିଭା ବିକାଶକୁ ବୃଦ୍ଧି କରାଯିବ, ଯାହା ଏହି କ୍ଷେତ୍ର ପାଇଁ ଏକ ଦୃଢ଼ ପ୍ରତିଭା ପାଇପଲାଇନ୍ ସୃଷ୍ଟି କରିବ ବୋଲି ଶ୍ରୀ ବୈଷ୍ଣବ କହିଥିଲେ।
ଶ୍ରୀ ବୈଷ୍ଣବଙ୍କ ଦ୍ୱାରା ଏହି ଅବସରରେ ‘‘ଦି ଇମ୍ପାକ୍ଟ ଏଜେଣ୍ଡା: ଲିଡରସିପ୍ ରିଫ୍ଲେକ୍ସନ୍ସ’’ ଶୀର୍ଷକରେ ଏଆଇର ଭବିଷ୍ୟତ ଏବଂ ସମାବେଶୀ ଅଭିବୃଦ୍ଧି, ଉଦ୍ଭାବନ ଏବଂ ସାମାଜିକ ପ୍ରଭାବକୁ ଚଲାଇବାରେ ଏହାର ଭୂମିକା ଉପରେ ପ୍ରାୟ 60 ଜଣ ପ୍ରମୁଖ ଶିଳ୍ପ ବିଶେଷଜ୍ଞଙ୍କ ବିଚାର ସମ୍ବଳିତ ଏକ ସଂକଳନକୁ ମଧ୍ୟ ଉନ୍ମୋଚନ କରାଯାଇଥିଲା।
ଶିଖର ସମ୍ମିଳନୀ ପୂର୍ବରୁ ହାସଲ ହୋଇଥିବା ମାଇଲଖୁଣ୍ଟଗୁଡ଼ିକ ସମ୍ପର୍କରେ ଏହି ଅବସରରେ ସୂଚନା ଦିଆଯାଇଥିଲା। ଐତିହାସିକ ଆୟୋଜନ ସମୟରେ ଶିଳ୍ପ, ସରକାର, ଶିକ୍ଷାନୁଷ୍ଠାନ ଏବଂ ନାଗରିକ ସମାଜର ଭୂମିକା କିଭଳି ରହିବ ସେ ସମ୍ପର୍କରେ ସମ୍ମିଳନୀରେ ସୂଚନା ଦିଆଯାଇଥିଲା। ଏସ୍. କ୍ରିଷ୍ଣନ୍ ଆଲୋକପାତ କରି କହିଥିଲେ, ଜନସାଧାରଣ, ପୃଥିବୀ ଏବଂ ପ୍ରଗତି ସୂତ୍ର ଉପରେ ଆଧାରିତ ସମସ୍ତ ସାତଟି ବିଷୟବସ୍ତୁ କାର୍ଯ୍ୟକାରୀ ଗୋଷ୍ଠୀର ହାଇବ୍ରିଡ୍ ବୈଠକ ସଫଳତାର ସହ ସମାପ୍ତ ହୋଇଛି । ସେମାନଙ୍କର ମୁଖ୍ୟ କାର୍ଯ୍ୟଗୁଡ଼ିକ ବର୍ତ୍ତମାନ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ସମାନ୍ତରାଳ ଭାବରେ, ମେଘାଳୟ, ଗୁଜରାଟ, ଓଡ଼ିଶା, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ, ରାଜସ୍ଥାନ ଏବଂ କେରଳରେ ଅନୁଷ୍ଠିତ ସମସ୍ତ ସାତଟି ଆଞ୍ଚଳିକ ଏଆଇ ଇମ୍ପାକ୍ଟ ସମ୍ମିଳନୀ ସମାପ୍ତ ହୋଇଛି । ଆଞ୍ଚଳିକ ସାମର୍ଥ୍ୟ, ବ୍ୟବହାର ମାମଲା ଏବଂ ଶାସନ ପ୍ରସଙ୍ଗରେ ଜାତୀୟ ଏଆଇ ପ୍ରାଥମିକତାକୁ ଦୃଢ଼ ଭିତ୍ତିଭୂମି ପ୍ରଦାନ କରିଛି।
ମନ୍ତ୍ରଣାଳୟର ସଚିବ ଏସ. କ୍ରିଷ୍ଣନ କହିଥିଲେ, ଇଣ୍ଡିଆ ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପ୍ରଯୁକ୍ତିବିଦ୍ୟାକୁ ସାର୍ବଜନୀନ କରିବା। ବିଶେଷକରି କୃତ୍ରିମ ବୁଦ୍ଧିମତ୍ତା ବା ଏଆଇର ଲାଭ ସମାଜର ଏକ ବିସ୍ତୃତ ବର୍ଗ ପର୍ଯ୍ୟନ୍ତ ପହଞ୍ଚାଇବା ଏହାର ମୂଳ ଲକ୍ଷ୍ୟ। ଗ୍ଲୋବାଲ୍ ସାଉଥ୍ ରେ ପ୍ରଥମ ଥର ଆୟୋଜନ ହେବାକୁ ଥିବା ବିଶ୍ୱ ଏଆଇ ସମ୍ମିଳନୀ ଭାବରେ ଏହି ଶିଖର ସମ୍ମିଳନୀ ଏଆଇ ଶାସନ ଏବଂ ମାନଦଣ୍ଡ ପ୍ରତି ଆଭିମୁଖ୍ୟକୁ ସମନ୍ୱିତ କରିବା ଉପରେ ଧ୍ୟାନ ଦିଆଯିବ। ଏହାର ଅନ୍ୟତମ ଲକ୍ଷ୍ୟ ହେଉଛି ବାସ୍ତବ-ବିଶ୍ୱ ପ୍ରୟୋଗଗୁଡ଼ିକରେ ଏଆଇର ନିରାପଦ ଏବଂ ଦାୟିତ୍ୱପୂର୍ଣ୍ଣ ନିୟୋଜନ ଉପରେ ଏକ ସହଭାଗୀ ବିଶ୍ୱ ବୁଝାମଣାକୁ ପ୍ରୋତ୍ସାହିତ କରିବା।
ଶିଖର ସମ୍ମିଳନୀ ଅଧୀନରେ ଭାରତ ମଣ୍ଡପମ୍ ଏବଂ ସୁଷମା ସ୍ୱରାଜ ଭବନରେ ପ୍ରାୟ 500ରୁ ଅଧିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସମାନ୍ତରାଳ ନେତୃସ୍ତରୀୟ ଆଲୋଚନା, ପ୍ରଦର୍ଶନୀ ଏବଂ ଫଳାଫଳ-ମୁଖୀ ଅଧିବେଶନଗୁଡ଼ିକ ଏଥିରେ ସାମିଲ ରହିବ । ଏଆଇ ଇମ୍ପାକ୍ଟ ଏକ୍ସପୋରେ 840+ ପ୍ରଦର୍ଶକ ସାମିଲ ହେବେ । ଏଥିରେ ବିଭିନ୍ନ ଦେଶ, ମନ୍ତ୍ରଣାଳୟ, ରାଜ୍ୟ ସରକାର, ଶିଳ୍ପ, ଷ୍ଟାର୍ଟଅପ୍ ଏବଂ ଗବେଷଣା ପ୍ରତିଷ୍ଠାନ ପାଭିଲିୟନ ରହିବ ଏବଂ ସେମାନେ ପ୍ରମାଣିତ ବାସ୍ତବ-ବିଶ୍ୱ ପ୍ରଭାବ ସହିତ ଏଆଇ ସମାଧାନ ପ୍ରଦର୍ଶନ କରିବେ। ଇଣ୍ଡିଆ ଏଆଇ ଭାରତର ମୂଳ ଏଆଇ ମଡେଲ ଉପରେ ପ୍ରଗତି ମଧ୍ୟ ପ୍ରଦର୍ଶନ କରିବ।
ଏହି ଶିଖର ସମ୍ମିଳନୀରେ ସମ୍ମିଳନୀରେ 15 ଜଣ ରାଷ୍ଟ୍ର/ସରକାର ମୁଖ୍ୟ, 40ରୁ ଅଧିକ ମନ୍ତ୍ରୀ, 100 ରୁ ଅଧିକ ପ୍ରମୁଖ ସିଇଓ ଏବଂ ସିଏକ୍ସଓଙ୍କ ସମେତ 100 ରୁ ଅଧିକ ବିଶିଷ୍ଟ ଶିକ୍ଷାବିଦ୍ ଅଂଶଗ୍ରହଣ କରିବେ । ଜିଓ, କ୍ୱାଲକମ୍, ଓପନଏଆଇ, ଏନଭିଡିଆ, ଗୁଗଲ, ମାଇକ୍ରୋସଫ୍ଟ, ଏଡୋବି ଏବଂ ଗେଟ୍ସ ଫାଉଣ୍ଡେସନ ସମେତ ଶିଳ୍ପ ଅଂଶୀଦାରମାନେ ସମ୍ମିଳନୀରେ ଯୋଗଦେବାର ଆଶା କରାଯାଉଛି।
ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ 2026 ମାଧ୍ୟମରେ ନୂତନ ଉଦ୍ଭାବନ, ଆର୍ଥିକ ଅଭିବୃଦ୍ଧି ଏବଂ ସାମାଜିକ ପ୍ରଭାବକୁ ପରିଚାଳନା କରିବା ସହିତ ଏଆଇ କିଭଳି ସୁରକ୍ଷିତ, ବିଶ୍ୱସ୍ତ ଏବଂ ସମାବେଶୀ ରହିବ ତାହା ନିଶ୍ଚିତ କରିବା ଭାରତ ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧ ରହିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।
*******
PS/Swadhin
(रिलीज़ आईडी: 2221061)
आगंतुक पटल : 6