ରେଳ ମନ୍ତ୍ରଣାଳୟ
ସବୁଦିନିଆ ରେଳ ସଂଯୋଗରେ କଶ୍ମୀର ଘାଟିକୁ କମ ଖର୍ଚ୍ଚରେ ଭରସାଯୋଗ୍ୟ ଖାଦ୍ୟସଶ୍ୟ ଯୋଗାଣ
୨,୭୬୮ ମେଟ୍ରିକ୍ ଟନ ଚାଉଳ ବୋଝେଇ ୪୨ ଓ୍ବାଗନର ସମ୍ପୂର୍ଣ୍ଣ ରେଳ ରେକ୍ ଅନନ୍ତନାଗରେ ପହଞ୍ଚିଲା
प्रविष्टि तिथि:
24 JAN 2026 5:56PM by PIB Bhubaneshwar
ଖାଦ୍ୟଶସ୍ୟ (ଚାଉଳ) ବୋଝେଇ ପ୍ରଥମ ପୂର୍ଣ୍ଣ ମାଲବାହୀ ଟ୍ରେନ୍ (ରେକ୍) ଜାନୁଆରୀ ୨୨, ୨୦୨୬ରେ ଅନନ୍ତନାଗରେ ପହଞ୍ଚିଛି। ଏହା ଜାମ୍ମୁ ଓ କଶ୍ମୀରରେ ମାଲପରିବହନ କ୍ଷେତ୍ରରେ ଏକ ପ୍ରମୁଖ ମାଇଲଖୁଣ୍ଟ ଓ ଏହା କଶ୍ମୀର ଘାଟିକୁ ସବୁଦିନିଆ ରେଳ ସଂଯୋଗର ଶକ୍ତିକୁ ଦର୍ଶାଉଛି। ୨,୭୬୮ ମେଟ୍ରିକ୍ ଟନ୍ ଚାଉଳ ବୋଝେଇ ହୋଇଥିବା ୪୨ ୱାଗନ୍ ବିଶିଷ୍ଟ ଏକ ପୂର୍ଣ୍ଣ ମାଲବାହୀ ଟ୍ରେନକୁ ସଫଳତାର ସହ ଅନନ୍ତନାଗ ମାଲବାହୀ ଗୋଦାମକୁ ପରିବହନ କରାଯାଇଥିଲା। ପରିବହନ ଖର୍ଚ୍ଚ ହ୍ରାସ ପାଇଁ ଭାରତୀୟ ଖାଦ୍ୟ ନିଗମର ନିରନ୍ତର ସମନ୍ବୟ ପରେ ଏହି ସଫଳତା ମିଳିପାରିଛି।
ପୂର୍ବରୁ, ରେଳବାଇ କେବଳ ଛୋଟ ମାଲବାହୀ ଟ୍ରେନ୍ ବ୍ୟବହାର କରୁଥିଲା ଯେଉଁଥିରେ ୨୧ ୱାଗନ୍ ଥାଏ ଓ କେବଳ ୧,୩୮୪ ମେଟ୍ରିକ୍ ଟନ୍ ଶସ୍ୟ ବୋଝେଇ ହୋଇପାରୁଥିଲା। କିନ୍ତୁ ଏଥର ଏକ ସମ୍ପୂର୍ଣ୍ଣ ମାଲବାହୀ ଟ୍ରେନ୍ ଜାନୁଆରୀ ୨୧ ରେ ପଞ୍ଜାବର ସଙ୍ଗରୁର ରେଳ ଟର୍ମିନାଲରୁ ସଫଳତାର ସହିତ ବୋଝେଇ କରାଯାଇଥିଲା ଓ ତାହା ୨୪ ଘଣ୍ଟା ମଧ୍ୟରେ ଅନନ୍ତନାଗରେ ପହଞ୍ଚିଥିଲା। ଗୋଟିଏ ଦିନ ପୂର୍ବରୁ ଖରାପ ପାଗ ଯୋଗୁଁ ଅନଲୋଡିଂରେ ବାଧା ସୃଷ୍ଟି ହୋଇଥିଲେ ମଧ୍ୟ, ମାଲବାହୀ ଟ୍ରେନରେ ସଫଳତାର ସହ ଖାଦ୍ୟଶସ୍ୟ ବୋଝେଇ କରାଯାଇଥିଲା। ଏହା ଦ୍ବାରା ଘାଟିରେ ଖାଦ୍ୟଶସ୍ୟ ଯୋଗାଣ ଏବଂ ବଣ୍ଟନ ନେଟୱାର୍କକୁ ଉଲ୍ଲେଖନୀୟ ଭାବରେ ମଜବୁତ କରାଯାଇପାରିଛି।
ଏହି ସଫଳତା କଶ୍ମୀର ଉପତ୍ୟକାରେ ଖାଦ୍ୟ ବଣ୍ଟନ ନେଟୱାର୍କକୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଆରମ୍ଭ। ଛୋଟ ମାଲବାହୀ ଟ୍ରେନ ଏବଂ ସଡ଼କ ପରିବହନରୁ ପୂର୍ଣ୍ଣ କ୍ଷମତା ବିଶିଷ୍ଟ ମାଲବାହୀ ଟ୍ରେନକୁ ପରିବର୍ତ୍ତନ ସାମଗ୍ରିକଭାବେ ଲଜିଷ୍ଟିକ୍ସ ଏବଂ ମାଲପରିବହନ ଖର୍ଚ୍ଚକୁ ଯଥେଷ୍ଟ ହ୍ରାସ କରିବ ବୋଲି ଆଶା କରାଯାଉଛି ଏବଂ ଏହା ଅତ୍ୟାବଶ୍ୟକୀୟ ସାମଗ୍ରୀର ପରିବହନକୁ ମଧ୍ୟ ଦ୍ରୁତ ଏବଂ ଅଧିକ ନିର୍ଭରଯୋଗ୍ୟ କରିବ। ଏହା କଶ୍ମୀର ଘାଟିରେ, ବିଶେଷକରି ପ୍ରତିକୂଳ ପାଗ ପରିସ୍ଥିତିରେ, ପର୍ଯ୍ୟାପ୍ତ ଖାଦ୍ୟ ଭଣ୍ଡାର ବଜାୟ ରଖିବାରେ ସାହାଯ୍ୟ କରିବ। ଏହା ମଧ୍ୟ ସ୍ଥାନୀୟଲୋକଙ୍କ ପାଇଁ ଖାଦ୍ୟଶସ୍ୟ ଉପଲବ୍ଧତାକୁ ବୃଦ୍ଧି କରିବ।
ଜାତୀୟ ରାଜପଥରେ ଭାରୀ ଟ୍ରକ୍ ଟ୍ରାଫିକ୍ ଉପରେ ନିର୍ଭରଶୀଳତା ହ୍ରାସ କରାଯିବା ଦ୍ବାରା ପରିବେଶ ସୁରକ୍ଷା ହେବା ସହ ଦକ୍ଷତା ବୃଦ୍ଧି ପାଇବ। ସେଓ, ସିମେଣ୍ଟ, ସାର ଏବଂ ବର୍ତ୍ତମାନ ଶସ୍ୟର ସଫଳ ପରିବହନ ଉପରେ ନିର୍ମାଣ କରି, ରେଳ-ଆଧାରିତ ମାଲ ପରିବହନ ଏହି ଅଞ୍ଚଳରେ ସ୍ଥାୟୀ ଆର୍ଥିକ କାର୍ଯ୍ୟକଳାପ, ସ୍ଥିରତା ଏବଂ ଦୀର୍ଘକାଳୀନ ଯୋଗାଣ ଶୃଙ୍ଖଳ ସ୍ଥିରତାକୁ ପ୍ରୋତ୍ସାହିତ କରୁଛି।
ମାଲ ପରିବହନ କ୍ଷେତ୍ରରେ ଏହି ସଫଳତା ସ୍ୱାଧୀନ ଭାରତର ସବୁଠାରୁ ମହତ୍ୱାକାଂକ୍ଷୀ ରେଳ ଇଞ୍ଜିନିୟରିଂ ପ୍ରକଳ୍ପ ମଧ୍ୟରୁ ଗୋଟିଏ, ଉଧମପୁର-ଶ୍ରୀନଗର-ବାରାମୁଲ୍ଲା ରେଳ ଲିଙ୍କ୍ (ୟୁଏସବିଆରଏଲ୍)ର ପରିବର୍ତ୍ତନକାରୀ ପ୍ରଭାବକୁ ପ୍ରତିଫଳିତ କରେ। ଉପତ୍ୟକାରେ ତୁଷାରପାତ ଏବଂ ଅସହନୀୟ ଥଣ୍ଡା ସତ୍ତ୍ୱେ, ଉନ୍ନତ ରେଳ ସଂଯୋଗୀକରଣ ବାଣିଜ୍ୟ ଏବଂ ଲଜିଷ୍ଟିକ୍ସକୁ ସୁଦୃଢ଼ କରୁଛି, ଯାହା ଚାଷୀ, ବ୍ୟବସାୟୀ ଏବଂ ସାଧାରଣ ଲୋକମାନଙ୍କ ପାଇଁ ଅତ୍ୟାବଶ୍ୟକୀୟ ସାମଗ୍ରୀର ଅଧିକ ନିର୍ଭରଯୋଗ୍ୟ ଉପଲବ୍ଧତା ସୁନିଶ୍ଚିତ କରି ସେମାନଙ୍କୁ ସିଧାସଳଖ ଉପକୃତ କରୁଛି।
TKM
(रिलीज़ आईडी: 2218476)
आगंतुक पटल : 4