ରେଳ ମନ୍ତ୍ରଣାଳୟ
azadi ka amrit mahotsav

ଆଧୁନିକୀକରଣ ଦିଗରେ ରେଳବାଇର ବ୍ୟାପକ ପ୍ରୟାସ

ପୋଷ୍ଟ କରାଯିବା ଦିନାଙ୍କ: 14 DEC 2025 4:04PM by PIB Bhubaneshwar
  • 11  ବର୍ଷ ମଧ୍ୟରେ 42,600ରୁ ଅଧିକ ଏଲଏଚବି କୋଚ୍ ନିର୍ମାଣ
  • ରେଳ ଯାତ୍ରାକୁ ସୁରକ୍ଷିତ, ସୁଗମ ଏବଂ ଅଧିକ ଦକ୍ଷ କରିଥାଏ ଏଲଏଚବି କୋଚ୍‌ 
  • ଭାରତୀୟ ରେଳବାଇ ସ୍ୱଦେଶୀ ଉତ୍ପାଦନକୁ ପ୍ରୋତ୍ସାହିତ କରି ‘ଆତ୍ମନିର୍ଭର ଭାରତ’ ଏବଂ ‘ମେକ୍ ଇନ୍ ଇଣ୍ଡିଆ’କୁ କରୁଛି ମଜବୁତ


ଭାରତୀୟ ରେଳବାଇ ଲିଙ୍କେ ହଫମାନ ବୁଶ (ଏଲଏଚବି) କୋଚ୍ ଉତ୍ପାଦନରେ ଦୀର୍ଘସ୍ଥାୟୀ ପ୍ରଗତି ହାସଲ କରିଛି। ଏହା ଯାତ୍ରୀମାନଙ୍କୁ ଉନ୍ନତ ସୁରକ୍ଷା, ଆରାମଦାୟକ ଯାତ୍ରା ଏବଂ ଅଧିକ କାର୍ଯ୍ୟକ୍ଷମତା ପ୍ରଦାନ କରିବା ପାଇଁ ଡିଜାଇନ୍ କରାଯାଇଛି।
ଚଳିତ ଆର୍ଥିକ ବର୍ଷ 2025-26 (ନଭେମ୍ବର 2025 ପର୍ଯ୍ୟନ୍ତ) ମଧ୍ୟରେ ମୋଟ 4,224 ରୁ ଅଧିକ ଏଲଏଚବି କୋଚ୍ ନିର୍ମାଣ କରାଯାଇଛି। ଏହା ଗତ ବର୍ଷର ସମାନ ସମୟ ମଧ୍ୟରେ ଉତ୍ପାଦିତ 3,590 କୋଚ୍ ତୁଳନାରେ 18% ଅଧିକ। ଉତ୍ପାଦନରେ ଏହି ବୃଦ୍ଧି ରେଳ ୟୁନିଟ୍‌ଗୁଡ଼ିକରେ ଉତ୍ପାଦନ କ୍ଷମତାର ନିରନ୍ତର ସୁଦୃଢ଼ୀକରଣ ଏବଂ ଉନ୍ନତ ଉତ୍ପାଦନ ଯୋଜନାକୁ ପ୍ରତିଫଳିତ କରୁଛି ।
ଏହି ସମୟ ମଧ୍ୟରେ କାରଖାନାୱାରୀ ପ୍ରଦର୍ଶନ ମୁତାବକ, ଚେନ୍ନାଇର ଇଣ୍ଟିଗ୍ରାଲ କୋଚ୍ ଫ୍ୟାକ୍ଟ୍ରି (ଆଇସିଏଫ) 1,659 ଏଲଏଚବି କୋଚ୍ ଉତ୍ପାଦନ କରିଥିଲା। ଏହା ପରେ ରାୟବରେଲିର ମଡର୍ଣ୍ଣ କୋଚ୍ ଫ୍ୟାକ୍ଟ୍ରି (ଏମସିଏଫ) 1,234 କୋଚ୍ ଏବଂ କପୁରଥଲା ରେଳ କୋଚ୍ ଫ୍ୟାକ୍ଟ୍ରି (ଆରସିଏଫ) 1,331 କୋଚ୍ ଉତ୍ପାଦନ କରିଥିଲା। ଏସବୁ ମିଶି ଏଲଏଚବି କୋଚ୍ ଉତ୍ପାଦନରେ ସାମଗ୍ରିକ ବୃଦ୍ଧିରେ ଅବଦାନ ରଖିଛି।
ଦୀର୍ଘକାଳୀନ ତୁଳନାରୁ ସାମ୍ପ୍ରତିକ ବର୍ଷଗୁଡ଼ିକରେ ହାସଲ ହୋଇଥିବା ଉଲ୍ଲେଖନୀୟ ପ୍ରଗତିକୁ ସ୍ପଷ୍ଟ ଭାବରେ ଦେଖିବାକୁ ମିଳିଥାଏ। 2014 ରୁ 2025 ମଧ୍ୟରେ, ଭାରତୀୟ ରେଳବାଇ 42,600 ରୁ ଅଧିକ ଏଲଏଚବି କୋଚ୍ ଉତ୍ପାଦନ କରିଛି, ଯାହା 2004 ରୁ 2014 ମଧ୍ୟରେ ନିର୍ମିତ 2,300 କୋଚ୍ ତୁଳନାରେ 18 ଗୁଣ ଅଧିକ। ଏହି ସମ୍ପ୍ରସାରଣ ଏଲଏଚବି କୋଚ୍‌ଗୁଡ଼ିକର ବ୍ୟାପକ ଗ୍ରହଣ ମାଧ୍ୟମରେ ଯାତ୍ରୀ ପରିବହନର ଆଧୁନିକୀକରଣ ଉପରେ ନିରନ୍ତର ଧ୍ୟାନକୁ ଗୁରୁତ୍ୱାରୋପ କରିଥାଏ। ଏହି କୋଚ୍‌ ଉତ୍କୃଷ୍ଟ ସୁରକ୍ଷା ମାନଦଣ୍ଡ ଏବଂ କମ ରକ୍ଷଣାବେକ୍ଷଣ ଆବଶ୍ୟକତା ପାଇଁ ପରିଚିତ।
ଭାରତୀୟ ରେଳବାଇ ଘରୋଇ ଉତ୍ପାଦନ କ୍ଷମତା ବୃଦ୍ଧି କରି ଏବଂ ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରି ‘ଆତ୍ମନିର୍ଭର ଭାରତ’ ଏବଂ ‘ମେକ୍ ଇନ୍ ଇଣ୍ଡିଆ’ ଅଭିଯାନର ଲକ୍ଷ୍ୟ ଦିଗରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇ ଚାଲିଛି। ଦେଶର ବର୍ଦ୍ଧିତ ପରିବହନ ଆବଶ୍ୟକତା ପୂରଣ କରିବା ଏବଂ ଯାତ୍ରୀମାନଙ୍କୁ ଏକ ସୁରକ୍ଷିତ, ସୁଗମ ଏବଂ ଅଧିକ ଆରାମଦାୟକ ଯାତ୍ରା ଅଭିଜ୍ଞତା ପ୍ରଦାନ କରିବା ପାଇଁ ଏହି ସଂଗଠନ ନିଜର ଉତ୍ପାଦନ କ୍ଷମତାକୁ ଆହୁରି ବୃଦ୍ଧି କରିବା ଉପରେ ଧ୍ୟାନ ଦେଉଛି।
********
PS


(ରିଲିଜ ଆଡି: 2203806) ପରିଦର୍ଶକ କାଉଣ୍ଟର : 41
ଏହି ରିଲିଜ ପଢନ୍ତୁ : English , Urdu , हिन्दी , Bengali , Gujarati , Tamil , Telugu , Kannada