PIB Headquarters
ରଣନୀତିକ ସହଭାଗିତାରୁ ସ୍ୱତନ୍ତ୍ର ଓ ବିଶେଷ ଅଧିକାରପ୍ରାପ୍ତ ସଂପର୍କ ପର୍ଯ୍ୟନ୍ତ:ଭାରତ-ରୁଷିଆ ସଂପର୍କ ଏକ ବିହଙ୍ଗାବଲୋକନ
प्रविष्टि तिथि:
04 DEC 2025 12:08PM by PIB Bhubaneshwar
ପ୍ରମୁଖ ବିନ୍ଦୁ
- ଅଗଷ୍ଟ ୨୦୨୫ରେ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ଗସ୍ତ ସମୟରେ ଭାରତ ଓ ରୁଷିଆ ୨୦୩୦ ସୁଦ୍ଧା ୧୦୦ ବିଲିୟନ ଆମେରିକୀୟ ଡଲାରର ଦ୍ୱିପାକ୍ଷିକ ବାଣିଜ୍ୟ କାରବାର କରିବା ଦିଗରେ କାମକୁ ଆହୁରି ତ୍ୱରାନ୍ୱିତ କରିବା ଉପରେ ଜୋର୍ ଦେଇଥିଲେ। ଏଥିରେ ରହିଛି ଭାରତ-ଇଏଇୟୁ ମୁକ୍ତ ବାଣିଜ୍ୟ ଚୁକ୍ତି ଓ ରୁଷିଆରେ ଭାରତର ଦୁଇଟି ନୂଆ ବାଣିଜ୍ୟ ଦୂତାବାସ ପ୍ରତିଷ୍ଠା।
- ମାର୍ଚ୍ଚ-ଏପ୍ରିଲ ୨୦୨୫ରେ ନୌସେନା ସମରାଭ୍ୟାସ INDRA-20205 ଅନୁଷ୍ଠିତ ହୋଇଥିଲା। ଉଭୟ ଦେଶର ପ୍ରମୁଖ ଯୁଦ୍ଧ ଜାହାଜ ଏବଂ ବିମାନ ଏଥିରେ ସାମିଲ ହୋଇଥିଲେ। ମିଳିତ ସମରାଭ୍ୟାସ ମାଧ୍ୟମରେ କେମିତି ନିରନ୍ତର ପ୍ରତିରକ୍ଷା ସହଯୋଗ କାର୍ଯ୍ୟକାରୀ କରାଯାଇପାରିବ, ତାହାଏଥିରେ ପ୍ରଦର୍ଶିତ ହୋଇଥିଲା।
- ଭାରତ ଏବଂ ରୁଷ ୨୦୨୫ ମସିହାରେ ବହୁବିଧ ଉଚ୍ଚସ୍ତରୀୟ ସମ୍ପର୍କ ମାଧ୍ୟମରେ କ୍ଷେତ୍ରୀୟ ସହଯୋଗକୁ ଆଗକୁ ବଢାଇଥିଲେ। ଏଥିରେ ରହିଛି ନଭେମ୍ବର୨୦୨୫ରେ ସାମୁଦ୍ରିକ ପରାମର୍ଶ ଏବଂ ଭାରତ ଶକ୍ତି ସପ୍ତାହ ୨୦୨୫ରେ ରୁଷର ଅଂଶଗ୍ରହଣ।
India-Russia bilateral relations
ଭାରତ-ରୁଷିଆ ଦ୍ୱିପାକ୍ଷିକ ସଂପର୍କ
ଭାରତର ଏକ ଦୀର୍ଘକାଳୀନ ଓ କଠିନ ସମୟରେ ମଧ୍ୟ ବହୁ ପରୀକ୍ଷିତ ଘନିଷ୍ଠ ସହଯୋଗୀ ହୋଇ ରହି ଆସିଛି ରୁଷିଆ। ଅକ୍ଟୋବର ୨୦୦୦ରେ "ଭାରତ-ରୁଷିଆ ରଣନୀତିକ ସହଭାଗିତା ଘୋଷଣାନାମା" ସ୍ୱାକ୍ଷରିତ ହେବା ପରଠାରୁ, ଭାରତ-ରୁଷ ସମ୍ପର୍କ ରାଜନୈତିକ, ସୁରକ୍ଷା, ପ୍ରତିରକ୍ଷା, ବାଣିଜ୍ୟ ଓ ଅର୍ଥନୀତି, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ସଂସ୍କୃତି ଏବଂ ଦୁଇ ଦେଶର ଲୋକଙ୍କ ମଧ୍ୟରେ ଥିବା ପାରିସ୍ପାରିକ ସହଯୋଗ ଆହୁରି ଉଲ୍ଲେଖନୀୟ ଭାବରେ ସୁଦୃଢ଼ ହୋଇଛି। ଡିସେମ୍ବର ୨୦୨୦ରେ ରୁଷିଆର ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ସମୟରେ, ଏହି ସହଭାଗିତାକୁ " ସ୍ୱତନ୍ତ୍ର ଏବଂ ବିଶେଷଅଧିକାରପ୍ରାପ୍ତ ରଣନୀତିକ ସହଭାଗିତା" ସ୍ତରକୁ ଉନ୍ନୀତ କରାଯାଇଥିଲା। ଏହି ସହଭାଗୀତା ଅଧୀନରେ, ନିୟମିତ ଆଲୋଚନା ଏବଂ ସହଯୋଗ କାର୍ଯ୍ୟକଳାପକୁ ସୁନିଶ୍ଚିତ କରିବା ପାଇଁ ରାଜନୈତିକ ଏବଂ ସରକାରୀ ସ୍ତରରେ ଅନେକ ସଂସ୍ଥାଗତ ଆଲୋଚନା ପ୍ରକ୍ରିୟା କାମ କରିଥାଏ।
ଭାରତ-ରୁଷିଆ ଆନ୍ତଃସରକାରୀ କମିଶନ (ଆଇଆରଆଇଜିସି) ଭଳି ଆନୁଷ୍ଠାନିକ ପ୍ରତିଷ୍ଠାନ ମାଧ୍ୟମରେ ରଣନୀତିକ, ଅର୍ଥନୈତିକ ଏବଂ ପ୍ରତିରକ୍ଷା ସ୍ତରରେ ମଧ୍ୟ ଘନିଷ୍ଠ ଭାବରେ କାର୍ଯ୍ୟ କରନ୍ତି ଭାରତ ଏବଂ ରୁଷ। ଏହାର ଦୁଇଟି ଭାଗ ଅଛି : ଗୋଟିଏ ହେଉଛି ବାଣିଜ୍ୟ, ଅର୍ଥନୈତିକ, ବୈଜ୍ଞାନିକ, ପ୍ରଯୁକ୍ତିବିଦ୍ୟା ଏବଂ ସାଂସ୍କୃତିକ ସହଯୋଗ ବିଭାଗ (IRIGC TEC) । ଏହାର ଯାହାର ନେତୃତ୍ୱ ନିଅନ୍ତି ଭାରତର ବୈଦେଶିକ ମନ୍ତ୍ରୀ (ଇଏଏମ୍) ଏବଂ ରୁଷିଆର ପ୍ରଥମ ଉପ-ପ୍ରଧାନମନ୍ତ୍ରୀ (ଡିପିଏମ୍)। ଦ୍ୱିତୀୟ ଭାଗ ହେଲା ସାମରିକ ଏବଂ ସାମରିକ-ପ୍ରଯୁକ୍ତିବିଦ୍ୟା ସହଯୋଗ ବିଭାଗ (IRIGC M&MTC)। ଏହାର ନେତୃତ୍ୱ ନେଇଥାନ୍ତି ଦୁଇ ଦେଶର ପ୍ରତିରକ୍ଷା ମନ୍ତ୍ରୀ। ଡିସେମ୍ବର ୨୦୨୧ରେ "୨+୨ ଆଲୋଚନା" ନାମକ ଏକ ନୂଆ ଫର୍ମାଟ ଯୋଡ଼ା ଯାଇଥିଲା। ଏଥିରେ ଦୁଇ ଦେଶରେ ବୈଦେଶିକ ଏବଂ ପ୍ରତିରକ୍ଷା ମନ୍ତ୍ରୀ ପରସ୍ପରକୁ ଗୋଟିଏ ସମୟରେ ହିଁ ସାକ୍ଷାତ କରନ୍ତି। ଭାରତର ପ୍ରଧାନମନ୍ତ୍ରୀ ଏବଂ ରୁଷ ରାଷ୍ଟ୍ରପତିଙ୍କ ମଧ୍ୟରେ ଶିଖର ସ୍ତରୀୟ ଆଲୋଚନା ସମୟରେ ଏହି ୨+୨ ଆଲୋଚନା ହୋଇଥାଏ।
ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଓ ଆର୍ଥିକ ସହଯୋଗର ପ୍ରତ୍ୟେକ କ୍ଷେତ୍ରର ପ୍ରଗତିର ନିୟମିତ ତଦାରଖ କରିବାର ଏକ ବ୍ୟବସ୍ଥା ହେଉଛି ଏହି ଆନ୍ତଃସରକାରୀ କମିଶନ। ବାଣିଜ୍ୟ, ଅର୍ଥନୈତିକ, ବୈଜ୍ଞାନିକ ଓ ଟେକ୍ନୋଲଜିକାର ସହଯୋଗ ପାଇଁ ମେ ୧୯୯୨ରେ ସ୍ୱାକ୍ଷରିତ ହୋଇଥିବା ଆନ୍ତଃସରକାରୀ କମିଶନ ଚୁକ୍ତି ଆଧାରରେ ଏହି ଆନ୍ତଃସରକାରୀ କମିଶନ ଗଠନ କରାଯାଇଥିଲା।

India- R
ଭାରତ-ରୁଷିଆ ରାଜନୈତିକ ସଂପର୍କ
ଭାରତ ଓ ରୁଷ ସେମାନଙ୍କର ଘନିଷ୍ଠ ଏବଂ ବହୁସ୍ତରୀୟ ରାଜନୈତିକ ସମ୍ପର୍କ ମାଧ୍ୟମରେ ସ୍ୱତନ୍ତ୍ର ଏବଂ ବିଶେଷସୁବିଧାପ୍ରାପ୍ତ ରଣନୀତିକ ସହଭାଗିତାକୁ ମଜଭୁତ କରିଆସିଛନ୍ତି। ଉଭୟ ଦେଶର ସର୍ବୋଚ୍ଚସ୍ତରର ଆନୁଷ୍ଠାନିକ ପ୍ରକ୍ରିୟା ହେଉଛି ଭାରତର ପ୍ରଧାନମନ୍ତ୍ରୀ ଓ ରୁଷିଆ ଫେଡେରେସନର ରାଷ୍ଟ୍ରପତିଙ୍କ ମଧ୍ୟରେ ବାର୍ଷିକ ଶିଖର ସମ୍ମିଳନୀ। ଏପର୍ଯ୍ୟନ୍ତ ଏପରି୨୨ ଟି ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଛି। ରୁଷିଆ ଫେଡେରେସନର ରାଷ୍ଟ୍ରପତି ମହାମହିମ ଶ୍ରୀଯୁକ୍ତ ଭ୍ଲାଦିମିର ପୁଟିନ ୨୩ ତମ ଭାରତ-ରୁଷିଆ ବାର୍ଷିକ ଶିଖର ସମ୍ମିଳନୀ ପାଇଁ ଡିସେମ୍ବର ୪ ରୁ ୫ ତାରିଖ ପର୍ଯ୍ୟନ୍ତ ପୁଣି ଥରେ ଭାରତ ଗସ୍ତରେ ଆସିବେ। ରାଷ୍ଟ୍ରପତି ପୁଟିନଙ୍କ ଆଗାମୀ ଭାରତ ଗସ୍ତ ଉଭୟ ଦେଶର ନେତାଙ୍କୁ ଦୁଇ ଦେଶର ସହଯୋଗର ପ୍ରଗତି ସମୀକ୍ଷା କରିବାକୁ, ସ୍ୱତନ୍ତ୍ର ଏବଂ ବିଶେଷସୁବିଧାପ୍ରାପ୍ତ ରଣନୀତିକ ସହଭାଗିତାର ଆଗାମୀ ଦିଗ ନିର୍ଣ୍ଣୟ କରିବାକୁ ଏବଂ ଉଭୟ ରାଷ୍ଟ୍ର ପାଇଁ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ତଥା ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ସୁଯୋଗ ଦେବ। ଗତ ଶିଖର ସମ୍ମିଳନୀ ୮-୯ ଜୁଲାଇ ୨୦୨୪ରେ ମସ୍କୋରେ ଅନୁଷ୍ଠିତ ହୋଇଥିଲା। ଏହି ସମ୍ମିଳନୀରେ ପୁଟିନ ଓ ମୋଦୀ "ଭାରତ-ରୁଷିଆ: ସ୍ଥାୟୀ ଏବଂ ବ୍ୟାପକ ସହଭାଗିତା" ଶୀର୍ଷକ ଏକ ମିଳିତ ବିବୃତ୍ତି ଜାରି କରିଥିଲେ। ୯ଟି ବୁଝାମଣାପତ୍ର ସ୍ୱାକ୍ଷର କରାଯିବା ସହିତ ୨୦୩୦ ପର୍ଯ୍ୟନ୍ତ ରଣନୀତିକ ଆର୍ଥିକ ସହଯୋଗ ଉପରେ ଏକ ପୃଥକ ମିଳିତ ବିବୃତ୍ତି ଜାରି କରାଯାଇଥିଲା। ଏହି ଗସ୍ତ ସମୟରେ, ଭାରତର ପ୍ରଧାନମନ୍ତ୍ରୀଙ୍କୁ ଭାରତ-ରୁଷ ସମ୍ପର୍କରେ ଉଲ୍ଲେଖନୀୟ ଅବଦାନ ପାଇଁ ରୁଷର ସର୍ବୋଚ୍ଚ ଜାତୀୟ ସମ୍ମାନ ଅର୍ଡର ଅଫ୍ ସେଣ୍ଟ ଆଣ୍ଡ୍ରୁ ଦି ଆପୋଷ୍ଟଲ୍ ଦି ଫାର୍ଷ୍ଟ-କଲ୍ଡ ପ୍ରଦାନ କରାଯାଇଥିଲା। ମୋଦୀ ଓ ପୁଟିନ ୨୨ ଅକ୍ଟୋବର ୨୦୨୪ରେ କାଜାନରେ ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ଏବଂ ୧ ସେପ୍ଟେମ୍ବର ୨୦୨୫ ରେ ରେ ଚୀନର ତିଆନଜିନରେ ଏସ୍ସିଓ ରାଷ୍ଟ୍ରମୁଖ୍ୟ ବୈଠକ ଅବସରରେ ପୁଣି ଥରେ ପରସ୍ପରକୁ ସାକ୍ଷାତ କରିଥିଲେ। ଏହି ସାକ୍ଷାତ ବେଳେ ଦୁଇ ଦେଶ ମଧ୍ୟରେ ସ୍ୱତନ୍ତ୍ର ଏବଂ ବିଶେଷସୁବିଧାପ୍ରାପ୍ତ ରଣନୀତିକ ସହଭାଗୀତାକୁ ଆହୁରି ମଜବୁତ କରିବା ପାଇଁ ଉଭୟ ନେତା ଆଲୋଚନା କରିଥିଲେ। ମୋଦି ଓ ପୁଟିନ ପରସ୍ପର ମଧ୍ୟରେ ବାରମ୍ବାର ଟେଲିଫୋନରେ ଯୋଗାଯୋଗ ଜାରି ରଖିଛନ୍ତି। ୧୫ ଜାନୁଆରୀ, ୨୦ ମାର୍ଚ୍ଚ, ୫ ଜୁନ୍ ଏବଂ ୨୭ ଅଗଷ୍ଟ ୨୦୨୪ ରେ ଉଭୟ ନେତା ଫୋନରେ କଥା ହୋଇଥିଲେ। ସେହିପରି ୫ ମେ ୨୦୨୫ରେ ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ମୋଦୀ ଓ ପୁଟିନଙ୍କ ମଧ୍ୟରେ ଫୋନ୍ କଥାବାର୍ତ୍ତା ହୋଇଥିଲା। ସମସ୍ତ ପ୍ରକାର ଆତଙ୍କବାଦ ବିରୋଧରେ ମିଳିତ ଲଢ଼େଇରେ ସହଯୋଗକୁ ଆହୁରି ମଜବୁତ କରିବାର ସଂକଳ୍ପ ଦୋହରାଇଥିଲେ ଉଭୟ ଦେଶର ରାଷ୍ଟ୍ରମୁଖ୍ୟ। ତା ପୂର୍ବରୁ ମଧ୍ୟ ୮ ଓ ୧୮ ଅଗଷ୍ଟ ୨୦୨୫ରେ ରାଷ୍ଟ୍ରପତି ପୁଟିନ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମଧ୍ୟରେ ହୋଇଥିଲା କଥାବାର୍ତ୍ତା । ଆମେରିକା-ରୁଷର ଆଲାସ୍କା ଶିଖର ସମ୍ମିଳନୀ ଅବସରରେ ୟୁକ୍ରେନକୁ ନେଇ ତାଜା ସୂଚନା ମୋଦୀଙ୍କୁ ଅବଗତ କରିଥିଲେ ପୁଟିନ।
ଦୁଇ ଦେଶ ମଧ୍ୟରେ ମନ୍ତ୍ରୀସ୍ତରୀୟ ଓ ଅଧିକାରୀସ୍ତରୀୟ ଆଲୋଚନା ସୁଦୃଢ଼ ରହିଆସିଛି। ସମ୍ପ୍ରତି ୧୭ ନଭେମ୍ବର ୨୦୨୫ରେ ଏସ୍ସିଓ ରାଷ୍ଟ୍ର ମୁଖ୍ୟ ପରିଷଦ (ସିଏଚ୍ଜି) ବୈଠକ ପାଇଁ ମସ୍କୋ ଯାଇଥିବା ବ ବେଳେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ରୁଷ୍ର ବୈଦେଶିକ ମନ୍ତ୍ରୀ ଲାଭରୋଭଙ୍କୁ ଭେଟିଥିଲେ। ଦୁଇ ମନ୍ତ୍ରୀଙ୍କ ମଧ୍ୟରେ ଚଳିତ ବର୍ଷ ଛଅ ଥର ସାକ୍ଷାତ ହୋଇଛି। ୧୭ ନଭେମ୍ବରରେ ମସ୍କୋରେ (ରୁଷ), ୨୭ ସେପ୍ଟେମ୍ୱରରେ ନ୍ୟୁୟର୍କରେ (ଆମେରିକା), ୨୧ ଅଗଷ୍ଟରେ ମସ୍କୋରେ (ରୁଷ), ୧୫ ଜୁଲାଇରେ ତିଆନଜିନରେ (ଚୀନ), ୭ ଜୁଲାଇରେ ରିଓ ଡି ଜେନେରିଓରେ (ବ୍ରାଜିଲ୍) ଏବଂ ୨୦ ଫେବ୍ରୁଆରିରେ ଜୋହାନ୍ସବର୍ଗରେ (ଦକ୍ଷିଣ ଆଫ୍ରିକା) ଦୁଇ ଦେଶର ବୈଦେଶିକ ମନ୍ତ୍ରୀ ପରସ୍ପରକୁ ଭେଟିଥିଲେ। ଅଗଷ୍ଟ ୨୦୨୫ରେ ମସ୍କୋ ଗସ୍ତ ସମୟରେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ରୁଷିଆର ପ୍ରଥମ ଉପ-ପ୍ରଧାନମନ୍ତ୍ରୀ ମାଣ୍ଟୁରୋଭଙ୍କ ସହିତ ୨୬ତମ ଆଇଆରଆଜିସି-ଟିଇସି ର ସହ-ଅଧ୍ୟକ୍ଷତା କରିଥିଲେ। ରାଷ୍ଟ୍ରପତି ପୁଟିନ ଏବଂ ଅର୍ଥମନ୍ତ୍ରୀ ଲାଭରୋଭଙ୍କୁ ଭେଟି ୨୦୩୦ ସୁଦ୍ଧା ଦୁଇ ଦେଶର ବାଣିଜ୍ୟ କାରବାରକୁ ୧୦୦ ବିଲିୟନ ଆମେରିକୀୟ ଡଲାରରେ ର ଦ୍ରୁତ ବାଣିଜ୍ୟ ପାଇଁ ଗୁରୁତ୍ୱାରୋପ କରିଥିଲେ। ସେମାନେ କାଜାନ ଏବଂ ୟେକାଟେରିନବର୍ଗରେ ପରିଣତ କରିବା ପାଇଁ ଦୁଇଟି ନୂତନ ଭାରତୀୟ କନସୁଲେଟ୍ ଖୋଲିବାର ଅଗ୍ରଗତି, ଶକ୍ତି ସମ୍ପର୍କ ଏବଂ ଭାରତ-ଇଏଇୟୁ-ମୁକ୍ତ ବାଣିଜ୍ୟ ଚୁକ୍ତି ନେଇ ଆଲୋଚନା କରିଥିଲେ। ୟୁକ୍ରେନ, ମଧ୍ୟପ୍ରାଚ୍ୟ, ପଶ୍ଚିମ ଏସିଆ ଏବଂ ଆଫଗାନିସ୍ତାନରେ ସାମ୍ପ୍ରତିକ ବିକାଶର ସମୀକ୍ଷା ବି କରାଯାଇଥିଲା। ମତଭେଦର ସମାଧାନ ପାଇଁ ଆଲୋଚନା ଏବଂ କୂଟନୀତି ହିଁ ସବୁଠାରୁ ଗଠନମୂଳକ ପନ୍ଥା ବୋଲି ଭାରତ ନିଜର ମତକୁ ଆଉ ଥରେ ଦୋହରାଇଥିଲା। ରୁଷ ସେନାରେ କାମ କରୁଥିବା ଭାରତୀୟମାନଙ୍କ ସମ୍ପର୍କରେ ଭାରତର ଉଦବେଗ କଥା ମଧ୍ୟ ପ୍ରକାଶ କରିଥିଲେ ବୈଦେଶିକ ମନ୍ତ୍ରୀ। ଏ ନେଇ ପଡ଼ି ରହିଥିବା ମାମଲାଗୁଡ଼ିକର ତୁରନ୍ତ ଏବଂ ବିବେଚନାମୂଳକ ସମାଧାନ ନେଇ ସେ ଆଶା ପ୍ରକାଶ କରିଥିଲେ।
ଚୀନର କ୍ୱିଙ୍ଗଡାଓରେ ୨୬ ଜୁନ୍ ୨୦୨୫ରେ ଅନୁଷ୍ଠିତ ହୋଇଥିବା ଏସସିଓ ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଠକ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ରୁଷର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ଆଣ୍ଡ୍ରେ ବେଲୋସୋଭଙ୍କ ସହ ଏକ ଦ୍ୱିପାକ୍ଷିକ ବୈଠକ କରିଥିଲେ। ଏହା ପୂର୍ବରୁ ସେ ଭାରତ-ରୁଷ ଆନ୍ତଃ-ସରକାରୀ ସାମରିକ ଏବଂ ସାମରିକ-ବୈଷୟିକ ସହଯୋଗ କମିଶନ (IRIGC-M&MTC) ର ଏକବିଂଶ ବୈଠକର ସହ-ଅଧ୍ୟକ୍ଷତା କରିବା ପାଇଁ ୮-୧୦ ଡିସେମ୍ବର ୨୦୨୪ ରେ ମସ୍କୋ ଗସ୍ତ କରିଥିଲେ ଏବଂ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଥିଲେ।
ଭାରତ-ରୁଷ ଜାତୀୟ ସୁରକ୍ଷା ପରାମର୍ଶଦାତା-ଏନ୍ଏସ୍ଏସ୍ତରୀୟ ରଣନୀତିକ ଆଲୋଚନା ପାଇଁ ୦୭-୦୮ ଅଗଷ୍ଟ ୨୦୨୫ ରେ ମସ୍କୋ ଗସ୍ତ କରିଥିଲେ ଜାତୀୟ ସୁରକ୍ଷା ପରାମର୍ଶଦାତା ଶ୍ରୀ ଅଜିତ ଡୋଭାଲ । ଏହି ଗସ୍ତ ସମୟରେ ସେ ରାଷ୍ଟ୍ରପତି ପୁଟିନଙ୍କୁ ଭେଟିଥିଲେ ଏବଂ ରୁଷ ସୁରକ୍ଷା ପରିଷଦର ସଚିବ ଶ୍ରୀଯୁକ୍ତ ସେରଗେଇ ସୋଇଗୁ, ରାଷ୍ଟ୍ରପତି ପୁଟିନଙ୍କ ସହଯୋଗୀ ଶ୍ରୀଯୁକ୍ତ ନିଓକୋଲାଇ ପାତ୍ରୁଶେଭ ଏବଂ ପ୍ରଥମ ଉପପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ଡେନିସ୍ ମାଣ୍ଟୁରୋଭଙ୍କ ସହିତ ସାକ୍ଷାତ କରିଥିଲେ। ଜାତୀୟ ସୁରକ୍ଷା ପରାମର୍ଶତାଦା ଡୋଭଲ ସେପ୍ଟେମ୍ବର ୨୦୨୪ରେ ବ୍ରିକ୍ସ ଏନ୍ଏସ୍ଏ ବୈଠକ ପାଇଁ ସେଣ୍ଟ ପିଟର୍ସବର୍ଗ ଗସ୍ତ କରିଥିଲେ। ଏହି ସମୟରେ ସେ ରାଷ୍ଟ୍ରପତି ପୁଟିନ ଏବଂ ସୁରକ୍ଷା ପରିଷଦ ସଚିବ ସେରଗେ ସୋଇଗୁଙ୍କୁ ଭେଟିଥିଲେ। ୯ ମଇ ୨୦୨୫ରେ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସଞ୍ଜୟ ସେଠ୍ ରୁଷର ୮୦ ତମ ବିଜୟ ଦିବସ ସମାରୋହରେ ଭାରତ ତରଫରୁ ଯୋଗ ଦେଇଥିଲେ।
କାର୍ଯ୍ୟ ସ୍ତରରେ ବୈଦେଶିକ ସଚିବ ବିକ୍ରମ ମିସ୍ରି ୭ ମାର୍ଚ୍ଚ ୨୦୨୫ରେ ମସ୍କୋରେ ଉପ ବୈଦେଶିକ ମନ୍ତ୍ରୀ ଆଣ୍ଡ୍ରେ ରୁଡେଙ୍କୋଙ୍କ ସହ ବୈଦେଶିକ କାର୍ଯ୍ୟାଳୟ ପରାମର୍ଶ କରିଥିଲେ। ବିଭିନ୍ନ ଫର୍ମାଟରେ ଏହି ନିରନ୍ତର ଉଚ୍ଚସ୍ତରୀୟ ଆଦାନପ୍ରଦାନ ଭାରତ-ରୁଷ ରାଜନୈତିକ ସମ୍ପର୍କର ଗଭୀରତା, ସ୍ଥିରତା ଏବଂ ଅଗ୍ରଗତି ଗତିକୁ ଉଲ୍ଲେଖ କରୁଛି।
ନୂଆଦିଲ୍ଲୀରେ ଭାରତ ଓ ରୁଷ ମଧ୍ୟରେ ୧୭ ନଭେମ୍ବର, ୨୦୨୫ରେ ଉଚ୍ଚସ୍ତରୀୟ ସାମୁଦ୍ରିକ ଆଲୋଚନା ହୋଇଥିଲା। ଏହାର ନେତୃତ୍ୱ ନେଇଥିଲେ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଏବଂ ନିକୋଲାଇ ପାତ୍ରୁଶେଭ। ଜାହାଜ ନିର୍ମାଣ, ବନ୍ଦର ବିକାଶ, ଲଜିଷ୍ଟିକ୍ସ ଏବଂ ଆର୍କଟିକ ସହଯୋଗର ସମୀକ୍ଷା କରିଥିଲେ। ଏଥିରେ ରଣନୀତିକ ସହଭାଗିତା ଉପରେ ଆହୁରି ଗୁରୁତ୍ୱ ପ୍ରଦାନ କରିଥିଲେ ଉଭୟ ଦେଶ। ଏହା ସହିତ ଦୀର୍ଘକାଳୀନ ସଂଯୋଗ ଏବଂ ଅଭିବୃଦ୍ଧିକୁ ସମର୍ଥନ କରୁଥିବା ଏକ ସ୍ଥିର, ଦକ୍ଷ ଏବଂ ସ୍ଥାୟୀ ସାମୁଦ୍ରିକ ଢାଞ୍ଚା ନିର୍ମାଣରେ ଦୁଇ ଦେଶର ସହଯୋଗକୁ ଆହୁରି ମଜଭୁତ କରିବା ପାଇଁ ସହମତ ହୋଇଥିଲେ ଉଭୟ ପକ୍ଷ।
ଭାରତ-ରୁଷିଆ ଆର୍ଥିକ ସଂପର୍କ
ବାଣିଜ୍ୟ ଓ ଅର୍ଥନୈତିକ ସହଯୋଗ ବୃଦ୍ଧି ପାଇଁ ଭାରତ-ରୁଷ ସରକାରୀ ସ୍ତରରେ ପ୍ରାଥମିକ ବ୍ୟବସ୍ଥା ହେଉଛି ବାଣିଜ୍ୟ, ଅର୍ଥନୈତିକ, ବୈଜ୍ଞାନିକ ଏବଂ ସାଂସ୍କୃତିକ ସହଯୋଗ ପାଇଁ ଆନ୍ତଃସରକାରୀ କମିଶନ (IRIGC-TEC)। ଭାରତ ପକ୍ଷରୁ ଏହାର ସହ-ଅଧ୍ୟକ୍ଷତା କରୁଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଓ ରୁଷ ପକ୍ଷରୁ ପ୍ରଥମ ଡିପିଏମ୍ ଶ୍ରୀ ଡେନିସ୍ ମାଣ୍ଟୁରୋଭ। IRIGC-TEC ର ୨୬ ତମ ଅଧିବେଶନ ୨୦ ଅଗଷ୍ଟ ୨୦୨୫ରେ ମସ୍କୋରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଶୁଳ୍କ ଏବଂ ଅଣ-ଶୁଳ୍କ ବାଣିଜ୍ୟ ପ୍ରତିବନ୍ଧକଗୁଡ଼ିକୁ ହଟଇବା, ଲଜିଷ୍ଟିକ୍ସରେ ଥିବା ପ୍ରତିବନ୍ଧକଗୁଡ଼ିକୁର ସମାଧାନ କରିବା, ଯୋଗାଯୋଗକୁ ପ୍ରୋତ୍ସାହିତ କରିବା, ଦେୟ ପ୍ରଦାନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରି ପ୍ରଭାବଶାଳୀ କରିବା, ୨୦୩୦ ପର୍ଯ୍ୟନ୍ତ ଆର୍ଥିକ ସହଯୋଗ କାର୍ଯ୍ୟକ୍ରମକୁ ଠିକ୍ ସମୟରେ ଚୂଡ଼ାନ୍ତ ଏବଂ କାର୍ଯ୍ୟକାରୀ କରିବା ଉପରେ ଧ୍ୟାନ ଦିଆଯାଇଥିଲା। ଏହି ଅଧିବେଶନରେ ଭାରତ-ୟୁରେସିଆନ୍ ଅର୍ଥନୈତିକ ସଂଘ ଏଫ୍ଡିଏକୁ ଶୀଘ୍ର ଚୂଡ଼ାନ୍ତ କରିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଥିଲା ଓ ଏହାର ସର୍ତ୍ତାବଳୀ ମଧ୍ୟ ସ୍ଥିର କରାଯାଇଛି। ୨୦୨୦ ସୁଦ୍ଧା ୧୦୦ ବିଲିୟନ ଆମେରିକୀୟ ଡଲାରର ସଂଶୋଧିତ ଦ୍ୱିପାକ୍ଷିକ ବାଣିଜ୍ୟ ଲକ୍ଷ୍ୟ ହାସଲ କରିବା ପାଇଁ ଉଭୟ ଦେଶର ବ୍ୟବସାୟ ମଧ୍ୟରେ ନିୟମିତ ଆଲୋଚନାର ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ପୂର୍ଣ୍ଣାଙ୍ଗ ଅଧିବେଶନ ପରେ, IRIGC-TEC ର ୨୬ତମ ଅଧିବେଶନ ପାଇଁ ସହ-ଅଧ୍ୟକ୍ଷମାନଙ୍କ ଦ୍ୱାରା ସ୍ୱାକ୍ଷରିତ ହୋଇଥିଲା ପ୍ରୋଟୋକଲ । ସେମାନଙ୍କ ନେତାମାନଙ୍କ ଦ୍ୱାରା ସ୍ଥିର କରାଯାଇଥିବା ମହତ୍ୱାକାଂକ୍ଷୀ ଲକ୍ଷ୍ୟ ହାସଲ କରିବା ପାଇଁ ଉଭୟ ଦେଶ କାର୍ଯ୍ୟ କରୁଛନ୍ତି। ସେହି ମହତ୍ୱାକାଂକ୍ଷୀ ଲକ୍ଷ୍ୟଟି ହେଲା ୨୦୨୫ ସୁଦ୍ଧା ୫୦ ବିଲିୟନ ଡଲାର ପାରସ୍ପରିକ ନିବେଶ ଏବଂ ୨୦୩୦ ସୁଦ୍ଧା ବାର୍ଷିକ ଦ୍ୱିପାକ୍ଷିକ ବାଣିଜ୍ୟରେ ୧୦୦ ବିଲିୟନ ଡଲାର କାରବାର।
ଦ୍ୱିପାକ୍ଷିକ ବାଣିଜ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି ଏବଂ ୨୦୨୪-୨୫ ଆର୍ଥିକ ବର୍ଷରେ ଏହା ରେକର୍ଡ ୬୮.୭ ବିଲିୟନ ଡଲାରରେ ପହଞ୍ଚିଛି। ଭାରତ ୪.୯ ବିଲିୟନ ଡଲାରର (ମୁଖ୍ୟତଃ ଔଷଧ, ରାସାୟନିକ ସାମଗ୍ରୀ, ଲୁହା ଓ ଇସ୍ପାତ ଏବଂ ସାମୁଦ୍ରିକ ଉତ୍ପାଦ)ର ରପ୍ତାନୀ କରିଥିବା ଥିବା ବେଳେ ରୁଷରୁ ୬୩.୮ ବିଲିୟନ ଡଲାର ସାମଗ୍ରୀ ଆମଦାନୀ କରିଛି। ( ଆମଦାନୀ ସାମଗ୍ରୀ ମଧ୍ୟରେ ରହିଛି ମୁଖ୍ୟତଃ ଅଶୋଧିତ ତୈଳ ଏବଂ ପେଟ୍ରୋଲିୟମ ଉତ୍ପାଦ, ସୂର୍ଯ୍ୟମୁଖୀ ତେଲ,ସାର, କୋକିଂ କୋଇଲା ଏବଂ ମୂଲ୍ୟବାନ ପଥର/ଧାତୁ)।
ଗତ କିଛି ବର୍ଷ ଧରି ସେବା କ୍ଷେତ୍ରରେ ଦ୍ୱିପାକ୍ଷିକ ବାଣିଜ୍ୟ ସ୍ଥିର ରହିଛି। 2021 ବର୍ଷ ପାଇଁ ଏହା $1.021 ବିଲିୟନ ଥିଲା। 2025 ସୁଦ୍ଧା 50 ବିଲିୟନ ଡଲାର ନିବେଶ ଲକ୍ଷ୍ୟ ସହିତ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ନିବେଶ ସୁଦୃଢ଼ ରହିଛି। ଭାରତରେ ରୁଷର ପ୍ରମୁଖ ଦ୍ୱିପାକ୍ଷିକ ନିବେଶ ତେଲ ଏବଂ ଗ୍ୟାସ, ପେଟ୍ରୋକେମିକାଲ୍ସ, ବ୍ୟାଙ୍କିଙ୍ଗ, ରେଳବାଇ ଏବଂ ଇସ୍ପାତ କ୍ଷେତ୍ରରେ ରହିଛି, ଯେତେବେଳେ ରୁଷରେ ଭାରତୀୟ ନିବେଶ ମୁଖ୍ୟତଃ ତେଲ ଏବଂ ଗ୍ୟାସ ଏବଂ ଔଷଧ କ୍ଷେତ୍ରରେ ରହିଛି।
ଭାରତ-ରୁଷିଆ ପ୍ରତିରକ୍ଷା ସହଯୋଗ
ଭାରତ ଓ ରୁଷିଆ ମଧ୍ୟରେ ଦୃଢ଼ ବନ୍ଧୁତା ଏବଂ ରଣନୀତିକ ସହଭାଗିତାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି ପ୍ରତିରକ୍ଷା। ଉଭୟ ଦେଶ ଏକ ସ୍ୱତନ୍ତ୍ର ୧୦ ବର୍ଷର ଚୁକ୍ତି ପାଳନ କରନ୍ତି। ଏହି ଚୁକ୍ତି ଅନୁସାରେ ଉଭୟ ଦେଶର ସମସ୍ତ ସାମରିକ ଏବଂ ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା ସହଯୋଗ ହୋଇଥାଏ। ୨୦୨୧-୨୦୩୧ ପାଇଁ ସାମରିକ-ବୈଷୟିକ ସହଯୋଗ ଚୁକ୍ତିନାମା ୬ ଡିସେମ୍ବର ୨୦୨୧ରେ ନୂଆଦିଲ୍ଲୀରେ ସ୍ୱାକ୍ଷରିତ ହୋଇଥିଲା। ଅସ୍ତ୍ରଶସ୍ତ୍ର ଏବଂ ସାମରିକ ଉପକରଣ ନେଇ ମିଳିତ ଗବେଷଣା, ବିକାଶ, ଉତ୍ପାଦନ ଏବଂ ବିକ୍ରୟ ପରବର୍ତ୍ତୀ ସହାୟତା ଉପରେ ଏହି ଚୁକ୍ତି ଗୁରୁତ୍ୱାରୋପ କରିଥାଏ।
ଦୁଇ ଦେଶ ମଧ୍ୟରେ ଦୀର୍ଘକାଳୀନ ଓ ବ୍ୟାପକ ସାମରିକ ବୈଷୟିକ ସହଯୋଗ ଏକ କ୍ରେତା-ବିକ୍ରେତା ଢାଞ୍ଚାରୁ ଉପରକୁ ଉଠି ଉନ୍ନତ ପ୍ରତିରକ୍ଷା ପ୍ରଯୁକ୍ତି ବିଦ୍ୟା ଓ ବ୍ୟବସ୍ଥା ପାଇଁ ମିଳିତ ଗବେଷଣା, ବିକାଶ ଏବଂ ଉତ୍ପାଦନରେ ପରିଣତ ହୋଇଛି। ପ୍ରତିରକ୍ଷା ଉପକରଣ, ଇଞ୍ଜିନ, ସ୍ପେୟାର ପାର୍ଟସ ଏବଂ ଯନ୍ତ୍ରାଂଶ ଯୋଗାଣ ପାଇଁ ରୁଷ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ। ଭାରତରେ T-90 ଟ୍ୟାଙ୍କ ଏବଂ Su-30 MKI ବିମାନ ଭଳି ଅନେକ ପ୍ରତିରକ୍ଷା ପ୍ଲାଟଫର୍ମରେ ଏସବୁର ବିଭିନ୍ନ ଯନ୍ତ୍ରାଂଶକୁ ଯୋଡ଼ା ଯାଏ ବା ଉତ୍ପାଦନ କରାଯାଏ। ଉଭୟ ପକ୍ଷ ପ୍ରତିରକ୍ଷା ଉପକରଣ ଏବଂ ପ୍ଲାଟଫର୍ମର ସହ-ବିକାଶ ଏବଂ ସହ-ଉତ୍ପାଦନ ପାଇଁ ଗବେଷଣା କରୁଛନ୍ତି। ଏଥିରେ ରହିଛି ଅନ୍ୟ ଦେଶକୁ ରପ୍ତାନୀ କରିବା ଉଦ୍ଦେଶ୍ୟରେ ବ୍ରହ୍ମୋସ ଭଳି କ୍ଷେପଣାସ୍ତ୍ର ଉତ୍ପାଦନ କରିବା।
ଭାରତ-ରୁଷ ସାମରିକ ଏବଂ ସାମରିକ ବୈଷୟିକ ସହଯୋଗ ଉପରେ ଆନ୍ତଃ-ସରକାରୀ କମିଶନ (IRIGC-M&MTC)ର ସହ-ଅଧ୍ୟକ୍ଷତା କରନ୍ତି ଭାରତର ପ୍ରତିରକ୍ଷା ମନ୍ତ୍ରୀ ଓ ରୁଷର ପ୍ରତିରକ୍ଷା ମନ୍ତ୍ରୀ। ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ଡିସେମ୍ବର ୨୦୨୪ରେ ରୁଷ ଗସ୍ତ କରିଥିଲେ ଏବଂ କାଲିନିନଗ୍ରାଡରେ ଭାରତୀୟ ନୌସେନାରେ ଏକ ଫ୍ରିଗେଟ୍ "INS ତୁଷିଲ" କମିଶନିଂରେ ଅଂଶଗ୍ରହଣ କରିବା ସହିତ ୨୧ ତମ IRIGC - M&MTC ବୈଠକର ସହ-ଅଧ୍ୟକ୍ଷତା କରିଥିଲେ।
୧ ଜୁଲାଇ ୨୦୨୫ ରେ ଅତ୍ୟାଧୁନିକ ଗୁପ୍ତ ବହୁମୁଖୀ ଫ୍ରିଗେଟ୍, INS ତମାଲକୁ ମଧ୍ୟ କାଲିନିନଗ୍ରାଡରେ କମିଶନିଂ କରାଯାଇଥିଲା। IRIGC-M&MTC ର ୫ମ ବୈଠକ ୨୮-୨୯ ଅକ୍ଟୋବର ୨୦୨୫ ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା।
ଭାରତ-ରୁଷ ମିଳିତ ତାଲିମ ଅଭ୍ୟାସ INDRA-୨୦୨୫ ର ୧୪ତମ ସଂସ୍କରଣ ରାଜସ୍ଥାନର ବିକାନେରରେ ୬-୧୬ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଏଥିରେ ଉଭୟ ପକ୍ଷର ୨୫୦ରୁ ଅଧିକ ସୈନିକ ଅଂଶଗ୍ରହଣ କରିଥିଲେ। ୧୦-୧୬ ସେପ୍ଟେମ୍ବର ୨୦୨୫ରେ ସ୍ଥଳସେନା, ବାୟୁସେନା ଏବଂ ନୌସେନାର ୬୫ ଜଣ ଭାରତୀୟ ସଶସ୍ତ୍ର ବାହିନୀର କର୍ମଚାରୀଙ୍କ ଏକ ଦଳ ରୁଷର ନିଜନି ନୋଭଗୋରୋଡରେ ଜାପାଡ୍-୨୦୨୫ ସାମରିକ ଅଭ୍ୟାସରେ ଅଂଶଗ୍ରହଣ କରିଥିଲେ। ୨୮ ମାର୍ଚ୍ଚ-୦୨ ଏପ୍ରିଲ ୨୦୨୫ରେ ଭାରତୀୟ ଏବଂ ରୁଷ ନୌସେନା ମଧ୍ୟରେ ଦ୍ୱିପାକ୍ଷିକ ନୌସେନା ଅଭ୍ୟାସ INDRA ୨୦୨୫ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା - ଚେନ୍ନାଇରେ ପୋତାଶ୍ରୟ ପର୍ଯ୍ୟାୟ ଏବଂ ବଙ୍ଗୋପସାଗରରେ ସମୁଦ୍ର ପର୍ଯ୍ୟାୟ। ୧୦-୧୬ ସେପ୍ଟେମ୍ବର ୨୦୨୫ରେ, ସେନା, ବାୟୁସେନା ଏବଂ ନୌସେନାର ୬୫ ଜଣ ଭାରତୀୟ ସଶସ୍ତ୍ର ବାହିନୀ କର୍ମଚାରୀଙ୍କ ଏକ ଦଳ ରୁଷର ନିଜନି ନୋଭଗୋରୋଡରେ ଜାପାଡ-୨୦୨୫ ସାମରିକ ଅଭ୍ୟାସରେ ଅଂଶଗ୍ରହଣ କରିଥିଲେ।
୨୯ ଅକ୍ଟୋବର ୨୦୨୫ରେ ମସ୍କୋରେ ଭାରତର ପ୍ରତିରକ୍ଷା ଉତ୍ପାଦନ ସଚିବ ସଂଜୀବ କୁମାରଙ୍କ ନେତୃତ୍ୱରେ ଭାରତର ଏକ ପ୍ରତିନିଧି ଦଳ ଭାରତ-ରୁଷ ସାମରିକ ବୈଷୟିକ ସହଯୋଗ ଏବଂ ପ୍ରତିରକ୍ଷା ଶିଳ୍ପ ଉପରେ ଅନୁଷ୍ଠିତ ହୋଇଥିବା ଆନ୍ତଃ-ସରକାରୀ କମିଶନର ତ୍ରୟୋବିଂଶତମ କାର୍ଯ୍ୟକାରୀ ଗୋଷ୍ଠୀ ବୈଠକରେ ଯୋଗ ଦେଇଥିଲେ।
ମିଳିତ ଗବେଷଣା ଓ ବିକାଶ ଏବଂ ଉତ୍ପାଦନକୁ ଫୋକସ୍
ଭାରତ ଓ ରୁଷିଆ ମଧ୍ୟରେ ସାମରିକ ସହଯୋଗ କେବଳ ଏକ କ୍ରେତା-ବିକ୍ରେତା ହୋଇ ରହିନାହିଁ। କ୍ରେତା-ବିକ୍ରେତା ସଂପର୍କରୁ ଉପରକୁ ଉଠି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ପାଇଁ ମିଳିତ ଗବେଷଣା, ବିକାଶ ଓ ସହ-ଉତ୍ପାଦନରେ ପହଞ୍ଚିଛି ଏହି ସଂପର୍କ। ନିମ୍ନରେ କେତେକ ଏପରି ଅସ୍ତ୍ରଶସ୍ତ୍ରର ଉଦାହରଣ ଦିଆଗଲା।
ଅସ୍ତ୍ରଶସ୍ତ୍ର ବର୍ଣ୍ଣନା
ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ବ୍ରହ୍ମୋସ କ୍ଷେପଣାସ୍ତ୍ର ଭାରତର ଡିଆର୍ଡିଓ ଓ ରୁଷିଆର ଏନ୍ପିଓ ମାସିନୋତ୍ରୋୟେନିୟା (ଏନ୍ପିଓଏମ୍ )ଦ୍ୱାରା ମିଳିତ ଭାବେ ବିକଶିତ କରାଯାଇଛି। କ୍ଷେପଣାସ୍ତ୍ର ଟେକ୍ନୋଲଜିରେ ବ୍ରହ୍ମୋସ କ୍ଷେପଣାସ୍ତ୍ର ହେଉଛି ଭାରତ-ରୁଷିଆ ସାମରିକ-ଟେକ୍ନିକାଲ ସହଯୋଗର ପ୍ରମୁଖ କାର୍ଯ୍ୟକ୍ରମ
ସୁଖୋଇ ସୁ-୩୦ ଏମ୍କେଆଇ ଭାରତରେ ଏହି ବହୁମୁଖୀ ଯୁଦ୍ଧ ବିମାନ ଉତ୍ପାଦନ କରିବାକୁ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (ଏଚ୍ଏଲ୍) କୁ ମିଳିଛି ଲାଇସେନ୍ସ।
T-୯୦ଟ୍ୟାଙ୍କ ଭାରତରେ ଲାଇସେନ୍ସ ଅନୁସାରେ T-୯୦ ଏସ୍ ଭୀଷ୍ମ ମୁଖ୍ୟ ଯୁଦ୍ଧ ଟ୍ୟାଙ୍କ ଉତ୍ପାଦନ
ଏସ୍-୪୦୦ ଟ୍ରିୟୁମ୍ପ ଅତ୍ୟାଧୁନିକ ଦୀର୍ଘ ଲକ୍ଷ୍ୟଭେଦୀ ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଇପାରୁଥିବା କ୍ଷେପଣାସ୍ତ୍ର ରୁଷିଆରୁ କିଣିଥାଏ ଭାରତ। ଏହିକ୍ଷେପଣାସ୍ତ୍ର ମିଳିତ ଭାବେ ଉତ୍ପାଦନ ହୁଏ ନାହିଁ। ବରଂ ରୁଷିଆରୁ ଭାରତ କିଣିଥାଏ।
ଆଇଏନ୍ଏସ୍ ବିକ୍ରମାଦିତ୍ୟ ରୁଷିଆର ପୂର୍ବତନ ଯୁଦ୍ଧବିମାନବାହୀ ଜାହାଜ ଆଡ୍ମିରାଲ ଗୋରସ୍କୋଭର ପୁନଃନିର୍ମାଣ କରି ତାକୁ ଭାରତୀୟ ନୌସେନାକୁ ହସ୍ତାନ୍ତର କରାଯାଇଛି। ଭାରତର ପାରମ୍ପରିକ ଓ ଆଣବିକ ଶକ୍ତି ଦ୍ୱାରା ପରିଚାଳିତ ବୁଡ଼ାଜାହାଜ ମଧ୍ୟରୁ ଅଧିକାଂଶ ବୁଡ଼ାଜାହଜ ରୁଷିଆର ।
ଏକେ -୨୦୩ ଆସଲ୍ଟ ରାଇଫଲ୍ସ ମେକ୍ ଇନ୍ ଇଣ୍ଡିଆ ଅଭିଯାନରେ ଏହି ରାଇଫଲ୍ ଭାରତର କୋରଓ୍ୱାରେ ଭାରତ-ରୁଷିଆ ରାଇଫଲ୍ସ ପ୍ରାଇଭେଟ ଲିମିଟେଡ୍ (ଆଇଆରଆରପିଏଲ୍) ଦ୍ୱାରା ଉତ୍ପାଦନ ହେଉଛି
ସଂସଦୀୟ ସହଯୋଗ
ଭାରତର ଲୋକସଭା ଓ ରୁଷିଆର ସଂସଦର ନିମ୍ନ ସଦନ ରାଷ୍ଟ୍ର ଡୁମା ମଧ୍ୟରେ ଥିବା ଆନ୍ତଃ-ସଂସଦୀୟ କମିଶନ ସଂସଦୀୟ ସହଯୋଗକୁ ସୁଗମ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏହା ପ୍ରତିଷ୍ଠା ହେବା ପରଠାରୁ ପାଞ୍ଚ ଥର (୨୦୦୦, ୨୦୦୩, ୨୦୧୫, ୨୦୧୭, ୨୦୧୮) ବୈଠକ ହୋଇଛି। ଏହି କମିଶନରେ ଭାରତର ଲୋକସଭାର ବାଚସ୍ପତି ଓ ରୁଷିଆର ଡୁମାର ଅଧ୍ୟକ୍ଷ ସହ-ଅଧ୍ୟକ୍ଷ ଭାବେ ଦାୟିତ୍ୱ ନିର୍ବାହ କରନ୍ତି। ପଞ୍ଚମ ଭାରତ-ରୁଷ ଆନ୍ତଃସଂସଦୀୟ କମିଶନ ୨୦୧୮ ଡିସେମ୍ବର ୯ ତାରିଖରେ ଭାରତରେ ଅନୁଷ୍ଠିତ ହୋଇଥିଲା।
ରାଷ୍ଟ୍ର ଡୁମା (ରୁଷିଆର ସଂସଦର ନିମ୍ନ ସଦନ)ର ଅଧ୍ୟକ୍ଷ ଭିୟାଚେସ୍ଲାଭ ଭୋଲୋଡିନ୍ ୨୦୨୫ ଫେବ୍ରୁଆରି ୨ରୁ ୪ ତାରିଖ ଯାଏ ସରକାରୀ ଗସ୍ତରେ ଭାରତ ଆସିଥିଲେ। ଏହି ଗସ୍ତ ସମୟରେ ଭୋଲୋଡିନ ଭାରତର ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କୁ ଭେଟିଥିଲେ। ଏହା ସହିତ ଲୋକସଭା ବାଚସ୍ପତିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ । ସେତେବେଳେ ଚାଲିଥିବା ୨୦୨୫ ବଜେଟ ଅଧିବେଶନର ଉଭୟ ରାଜ୍ୟସଭା ଏବଂ ଲୋକସଭାରେ ଯୋଗ ଦେଇଥିଲେ ରୁଷ ପ୍ରତିନିଧିମଣ୍ଡଳୀ। ଜୁଲାଇ 2024ରେ, ଲୋକସଭା ବାଚସ୍ପତି ଶ୍ରୀ ଓମ୍ ବିର୍ଲା ସେଣ୍ଟ ପିଟର୍ସବର୍ଗରେ ଦଶମ ବ୍ରିକ୍ସ ସଂସଦୀୟ ଫୋରମ ପାଇଁ ଭାରତୀୟ ପ୍ରତିନିଧିମଣ୍ଡଳର ନେତୃତ୍ୱ ନେଇଥିଲେ ଏବଂ ରୁଷିଆର ଫେଡେରେସନ ପରିଷଦ (ଉଚ୍ଚ ସଦନ) ର ଅଧ୍ୟକ୍ଷ ଭୋଲୋଡିନ ଏବଂ ବାଚସ୍ପତି ସୁଶ୍ରୀ ଭାଲେଣ୍ଟିନା ମାଟଭିଏନକୋଙ୍କ ସହ ଦ୍ୱିପାକ୍ଷିକ ବୈଠକ ମଧ୍ୟ କରିଥିଲେ।
ପହଲଗାମ ଆତଙ୍କବାଦୀ ଆକ୍ରମଣ ଓ ଭାରତର ଅପରେସନ ସିନ୍ଦୂର ପରିପ୍ରେକ୍ଷୀରେ ସୁଶ୍ରୀ କାନିମୋଝି କରୁଣାନିଧିଙ୍କ ନେତୃତ୍ୱରେ ୫ ଜଣ ସାଂସଦ ଏବଂ ବରିଷ୍ଠ କୂଟନୀତିଜ୍ଞ ରାଷ୍ଟ୍ରଦୂତ ମଞ୍ଜୀବ ପୁରୀଙ୍କୁ ନେଇ ଏକ ସର୍ବଦଳୀୟ ପ୍ରତିନିଧିମଣ୍ଡଳୀ ୨୨ରୁ ୪ ମଇ ୨୦୨୫ ରେ ରୁଷିଆ ଗସ୍ତ କରିଥିଲେ। ସମସ୍ତ ପ୍ରକାରର ଆତଙ୍କବାଦ ବିରୋଧରେ ଭାରତର ଏକତା ଏବଂ ଶୂନ୍ୟ-ସହିଷ୍ଣୁତା ଆଭିମୁଖ୍ୟକୁ ପ୍ରଦର୍ଶିତ କରିବାକୁ ଏହି ଗସ୍ତ କରାଯାଇଥିଲା। ୨୦୨୫ ଜୁନ ୨୧ରୁ ୨୬ ଯାଏ ବ୍ୟକ୍ତିଗତ ଗସ୍ତରେ ଯାଇଥିବା ସାଂସଦ ଡକ୍ଟର ଶଶି ଥରୁର ରୁଷିଆର ଫେଡେରାଲ କାଉନସିଲ୍ ର ଉପାଧ୍ୟକ୍ଷ ଶ୍ରୀଯୁକ୍ତ କନଷ୍ଟାଣ୍ଟିନ କୋସାଚେଭ ଓ ଅନ୍ତର୍ଜାତୀୟ ବ୍ୟାପାର ସମ୍ପର୍କିତ ରାଷ୍ଟ୍ର ଡୁମା କମିଟିର ଅଧ୍ୟକ୍ଷ ଶ୍ରୀଯୁକ୍ତ ଲିଓନିଡ୍ ସ୍ଲୁଟସ୍କିଙ୍କ ସହିତ ସାକ୍ଷାତ କରିଥିଲେ। ଅକ୍ଟୋବର ୨୯-୩୦ରେ ଭାରତର ଏକ ସଂସଦୀୟ ଦଳ ମସ୍କୋରେ ହୋଇଥିବା ସାମାଜିକ ଓ ସାଂସ୍କୃତିକ ବ୍ୟାପାର ସଂପର୍କିତ ଏସିଆ ସଂସଦୀୟ ଆସେମ୍ଲି ଷ୍ଟାଣ୍ଡିଂ କମିଟିରବୈଠକରେ ଯୋଗ ଦେଇଥିଲା। ଏହି ପ୍ରତିନିଧି ମଣ୍ଡଳରେ ଥିଲେ ଲୋକସଭା ସାଂସଦ ଶ୍ରୀ ରାଜକୁମାର ଚହର ଓ ଡକ୍ଟର ସିଏନ୍ ମଂଜୁନାଥ ଏବଂ ରାଜ୍ୟସଭା ସାଂସଦ ଡକ୍ଟର ଭି. ଶିବାଦଶନ ।
ବିଜ୍ଞାନ ଓ ଟେକ୍ନୋଲଜି
ଭାରତ-ରୁଷ ଦ୍ୱିପାକ୍ଷିକ ସହଭାଗିତାରେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବିଶେଷ କରି ଭାରତ ସ୍ୱାଧୀନ ହେବାର ପ୍ରାରମ୍ଭିକ ଦିନରେ । ଆଜି ଭାରତ ଓ ରୁଷିଆ ମୌଳିକ ବିଜ୍ଞାନ, ସାମଗ୍ରୀ ବିଜ୍ଞାନ, ଗଣିତ ଓ ଭାରତର ମାନବ ମହାକାଶ ଉଡ଼ାଣ କାର୍ଯ୍ୟକ୍ରମ (ଗଗନଯାନ), ନାନୋ ଟେକ୍ନୋଲୋଜି ପରି ଅତ୍ୟାଧୁନିକ କ୍ଷେତ୍ରରେ ଏକାଠି କାମ କରୁଛନ୍ତି। ତାମିଲନାଡୁର କୁଡାନକୁଲମରେ ପ୍ରତିଷ୍ଠା କରାଯାଇଥିବା ଆଣବିକ କେନ୍ଦ୍ର ହେଉଛି ଦେଶର ଏକମାତ୍ର ଆଣବିକ କେନ୍ଦ୍ର ଯାହାକି ଅନ୍ୟ ଦେଶର ସହଯୋଗରେ ପ୍ରତିଷ୍ଠା କରାଯାଇଛି ଏବଂ ଏହି କୁଡାନକୁଲମ ଆଣବିକ ଶକ୍ତି କେନ୍ଦ୍ର ରୁଷ ସହଯୋଗରେ ପ୍ରତିଷ୍ଠିତ ହୋଇଥିଲା। ଡିସେମ୍ବର ୨୦୨୧ ରେ ନୂଆଦିଲ୍ଲୀରେ ଏକବିଂଶ ବାର୍ଷିକ ଶିଖର ସମ୍ମିଳନୀରେ ସ୍ୱାକ୍ଷରିତ ହୋଇଥିବା ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନର ନୂତନ ରୋଡମ୍ୟାପରେ ପରିଚାଳିତ ହୋଇଥାଏ ଦୁଇ ଦେଶର ଦ୍ୱିପାକ୍ଷିକ ସହଯୋଗ। ଏହା ଦୁଇ ଦେଶ ମଧ୍ୟରେ ନବସୃଜନ-ସମ୍ବନ୍ଧୀୟ ସମ୍ପର୍କକୁ ବୃଦ୍ଧି କରିବ, ପ୍ରଯୁକ୍ତିର ବ୍ୟବସାୟୀ କରଣ ଏବଂ ଆର୍ଥିକ ତଥା ସାମାଜିକ ପ୍ରଭାବର ମିଳିତ ପ୍ରକଳ୍ପ ପାଇଁ ପୂର୍ଣ୍ଣ-ଚକ୍ର ସମର୍ଥନ ଉପରେ ଧ୍ୟାନ ଦେବ ବୋଲି ଆଶା କରାଯାଉଛି। IRIGC-TEC ବ୍ୟବସ୍ଥା ଅଧୀନରେ ଉଭୟ ଦେଶର ସମ୍ପୃକ୍ତ ମନ୍ତ୍ରଣାଳୟ, ବିଶ୍ୱବିଦ୍ୟାଳୟ ଏବଂ ବୈଜ୍ଞାନିକଙ୍କ ପ୍ରତିନିଧିମାନଙ୍କ ସହିତ ରୁଷ-ଭାରତ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା କାର୍ଯ୍ୟଗୋଷ୍ଠୀର ବୈଠକ ନିୟମିତ ଭାବରେ ଅନୁଷ୍ଠିତ ହୁଏ।
ଆପଣ ଜାଣନ୍ତି କି ?
ଭାରତ ଓ ରୁଷ ମଧ୍ୟରେ ମହାକାଶ କ୍ଷେତ୍ରରେ ବହୁ ଦିନରୁ ସହଯୋଗ ରହିଆସିଛି। ଉଭୟ ଦେଶର ମହାକାଶ ସଂସ୍ଥା ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଏବଂ ରୋସ୍କସ୍ମୋସ୍ ଭାରତର ପ୍ରଥମ ମାନବ ମହାକାଶ ମିଶନ ଗଗନଯାନ ସମେତ ବିଭିନ୍ନ ପ୍ରକଳ୍ପରେ ଏକାଠି କାମ କରିବା ପାଇଁ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି। ଏହି ସହଭାଗିତାର ଅଂଶ ସ୍ୱରୂପ ଭାରତୀୟ ମହାକାଶଚାରୀମାନେ ରୋସକସମସ୍ ଅଧୀନରେ ରୁଷରେ ତାଲିମ ନେଇଛନ୍ତି।
ଶିକ୍ଷା
ଶିକ୍ଷା କ୍ଷେତ୍ରରେ ବି ଭାରତ ଓ ରୁଷ ମଧ୍ୟରେ ସହଯୋଗ ବହୁମୁଖୀ ଏବଂ ଦୀର୍ଘସ୍ଥାୟୀ। ରୁଷିଆରେ ଡାକ୍ତରୀ, ଇଞ୍ଜିନିୟରିଂ, ଅର୍ଥନୀତି, ବିଜ୍ଞାନ ଏବଂ ଅନ୍ୟାନ୍ୟ ବିଷୟରେ ପ୍ରାୟ ୨୦ ହଜାର ପିଲା ପାଠ ପଢୁଛନ୍ତି। ଏଥିରୁ ଜଣାପଡୁଛି ଶିକ୍ଷା କ୍ଷେତ୍ରରେ ଦୁଇ ଦେଶର ସହଯୋଗ କେତେ ଦୃଢ଼। ରୁଷରେ ପାଠ ପଢୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଅଧିକାଂଶ ଡାକ୍ତରୀ ପଢୁଛନ୍ତି। ହିନ୍ଦୀ, ସଂସ୍କୃତ ଏବଂ ପାଲି ଭଳି ଭାରତୀୟ ଭାଷା ବ୍ୟତୀତ ଅନେକ ରୁଷୀୟ ବିଶ୍ୱବିଦ୍ୟାଳୟରେ ଇଣ୍ଡୋଲୋଜି ପୃଥକ ଭାବରେ ପଢ଼ାଯାଏ। ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ପୁଟିନଙ୍କ ଦ୍ୱାରା ପରିକଳ୍ପିତ ଏକ ପଦକ୍ଷେପର ଅଂଶ ଭାବରେ ସ୍କୁଲ ସ୍ତରରେ ଭାରତର ଅଟଳ ନବସୃଜନ ମିଶନ ଏବଂ SIRIUS କେନ୍ଦ୍ର ଏକାଠି କାମ କରନ୍ତି। ବିଶ୍ୱବିଦ୍ୟାଳୟ/ପ୍ରତିଷ୍ଠାନ ମଧ୍ୟରେ ଉଚ୍ଚଶିକ୍ଷାରେ ସହଯୋଗ ପରିପ୍ରେକ୍ଷୀରେ ନିମ୍ନଲିଖିତ ପ୍ରମୁଖ ବ୍ୟବସ୍ଥାଗୁଡ଼ିକ ସକ୍ରିୟ ଭୂମିକା ଗ୍ରହଣ କରୁଛନ୍ତି। ସେଗୁଡ଼ିକ ହେଲା ଦୁଇ ସରକାରଙ୍କ ମଧ୍ୟରେ ଶିକ୍ଷାଗତ ବିନିମୟ କାର୍ଯ୍ୟକ୍ରମ (EEP), ଭାରତ ଏବଂ ରୁଷର ଉଚ୍ଚଶିକ୍ଷା ପ୍ରତିଷ୍ଠାନର ନେଟୱାର୍କ (RIN ଭାବରେ ଜଣାଶୁଣା), ଏକାଡେମିକ୍ ଏବଂ ଗବେଷଣା ସହଯୋଗର ପ୍ରୋତ୍ସାହନ ପାଇଁ ଯୋଜନା (SPARC), ଏବଂ ଗ୍ଲୋବାଲ୍ ଇନିସିଏଟିଭ୍ ଅଫ୍ ଏକାଡେମିକ୍ ନେଟୱାର୍କସ୍ (GIAN) କାର୍ଯ୍ୟକ୍ରମ।
ITEC ଛାତ୍ରବୃତ୍ତି ପାଇଁ ରୁଷିଆ ଏକ ସକ୍ରିୟ ଅଂଶୀଦାର ଦେଶ ହୋଇଆସିଛି। ୨୦୨୪-୨୫ରେ ରେ ପ୍ରାୟ ୧୭ ଜଣ ରୁଷ ନାଗରିକ ITEC ରେ ଅଂଶଗ୍ରହଣ କରିଥିଲେ। ୨୦୨୩-୨୪ରେ ପ୍ରାୟ ୨୩ ଜଣ ରୁଷ ନାଗରିକ ITEC ଛାତ୍ରବୃତ୍ତି ଗ୍ରହଣ କରିଥିଲେ। କୋଭିଡ୍ ପୂର୍ବରୁ ଏହି ସଂଖ୍ୟା ଶହେରୁ ଅଧିକ ଥିଲା। ୧୯ ସେପ୍ଟେମ୍ବରରେ ଦୂତାବାସ ପକ୍ଷରୁ ITEC ଦିବସ ୨୦୨୫ ପାଳନ କରାଯାଇଥିଲା।
ଭାରତ-ରୁଷିଆ ସାଂସ୍କୃତିକ ସଂପର୍କ
ଭାରତ ଓ ରୁଷିଆ ମଧ୍ୟରେ ଶହ ଶହ ବର୍ଷ ଧରି ଗଭୀର ସାଂସ୍କୃତିକ ସଂପର୍କ ରହି ଆସିଛି। ଏପରିକି ଭାରତ ସ୍ୱାଧୀନ ହେବା ଆଗରୁ ଦୁଇ ଦେଶ ମଧ୍ୟରେ ବହୁତ ମଜଭୁତ ସାଂସ୍କୃତିକ ସଂପର୍କ ଥିଲା। ପଞ୍ଚଦଶ ଶତାବ୍ଦୀରେ ରୁଷିଆର ବ୍ୟବସାୟୀ ଆଫନାସି ନିକିଟିନ୍ ଭାରତ ଆସି ଆସ୍ତ୍ରଖାନରେ ବସବାସ କରିବା ଦିନରୁ ଓ କୋଲକାତାରେ ଜେରାସିମ୍ ଲେବେଦେଭ୍ ରୁଷୀୟ ଥିଏଟର ପ୍ରତିଷ୍ଠା କରିବା ଦିନରୁ ହିଁ ଦୁଇ ଦେଶର ସଂପର୍କ ରହି ଆସିଛି। ପ୍ରମୁଖ ରୁଷୀୟ ବିଜ୍ଞ ଓ ନିକୋଲସ୍ ରୋଇରିଜଙ୍କ ପରି କଳାକାର ଭାରତୀୟ ଫିଲ୍ମ ଦେଖି ବଡ଼ ହୋଇଛନ୍ତି। ଏହା ସହିତ ୧୯୮୦ରୁ ଯୋଗ ରୁଷିଆରେ ବିଶେଷ କରି ସେଠାକାର ବଡ଼ ବଡ଼ ସହରରେ ବହୁତ ଲୋକପ୍ରିୟ ହୋଇଛି।
ଆପଣ ଜାଣନ୍ତି କି ?
୨୦୧୯ରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ରୁଷିଆର ସର୍ବୋଚ୍ଚ ବେସାମରିକ ସମ୍ମାନ-ଦି ଅର୍ଡର୍ ଅଫ୍ ହୋଲି ଆପୋସଷ୍ଟଲ୍ ଆଣ୍ଡ୍ୟୁ ଦି ଫାଷ୍ଟ ସମ୍ମାନରେ ସମ୍ମାନିତ କରିଥିଲେ ରାଷ୍ଟ୍ରପତି ପୁଟିନ। ଦୁଇ ଦେଶର ସ୍ୱତନ୍ତ୍ର ବନ୍ଧୁତାକୁ ଆହୁରି ମଜଭୁତ କରିଥିବାରୁ ଶ୍ରୀ ମୋଦୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା।
ଉଭୟ ଦେଶରୁ ପର୍ଯ୍ୟଟକଙ୍କ ଆଗମନରେ ଉଲ୍ଲେଖନୀୟ ବୃଦ୍ଧି ଏବଂ ଭିସା ବ୍ୟବସ୍ଥାକୁ ସହଜ କରିବାକୁ ଉଦ୍ୟମ ଦ୍ୱାରା ଦୁଇ ଦେଶର ଲୋକଙ୍କ ମଧ୍ୟରେ ସମ୍ପର୍କ ଦୃଢ଼ ହେବାରେ ଲାଗିଛି। ୧୯୮୯ ମସିହାରେ ପ୍ରତିଷ୍ଠିତ ମସ୍କୋର ଜବାହରଲାଲ ନେହେରୁ ସାଂସ୍କୃତିକ କେନ୍ଦ୍ର କଥକ, ଯୋଗ, ତବଲା ଏବଂ ହିନ୍ଦୁସ୍ତାନୀ କଣ୍ଠସଙ୍ଗୀତର ନିୟମିତ ଶ୍ରେଣୀ ସହିତ ରୁଷ ବିଶ୍ୱବିଦ୍ୟାଳୟ ଏବଂ ସାଂସ୍କୃତିକ ସଂଗଠନ ସହିତ ସହଯୋଗ ମାଧ୍ୟମରେ ରୁଷରେ ଭାରତୀୟ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରାଥମିକ ପ୍ରତିଷ୍ଠାନ ଭାବରେ କାର୍ଯ୍ୟ କରେ। ଅନେକ ରୁଷୀୟ ବିଶ୍ୱବିଦ୍ୟାଳୟ ଏବଂ ପ୍ରତିଷ୍ଠାନ ଭାରତୀୟ ଭାଷା ଶିକ୍ଷା ଦିଅନ୍ତି। ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମ ଏବଂ ICCR-ରୁଷୀୟ ସଂସ୍କୃତି ମନ୍ତ୍ରଣାଳୟ ପ୍ରୋଟୋକଲ (ନିୟମିତ ନବୀକରଣ) ଅଧୀନରେ, ଭାରତୀୟ ସାଂସ୍କୃତିକ ଦଳ ପ୍ରାୟ ପ୍ରତି ବର୍ଷ ରୁଷିଆ ଗସ୍ତ କରନ୍ତି। ୨୦୨୩ ରେ ପାଞ୍ଚଟି ଦଳ ବିଭିନ୍ନ ଅଞ୍ଚଳରେ ଭାରତର ମହିଳା ଯୋଦ୍ଧା, ଭାରତନାଟ୍ୟମ୍ ଓଡ଼ିଶୀ ଏବଂ ରାଜସ୍ଥାନୀ ଲୋକନୃତ୍ୟ ପରିବେଶଷଣ କରିଥିଲେ। ଭାରତରେ ମାନବିକତା, ବିଜ୍ଞାନ, ଆୟୁର୍ବେଦ, ନୃତ୍ୟ ଏବଂ ସଙ୍ଗୀତରେ ଉଚ୍ଚଶିକ୍ଷା ପାଇଁ ICCR ରୁଷ ନାଗରିକମାନଙ୍କ ପାଇଁ ଚାରୋଟି ସ୍କଲାରସିପ୍ ପ୍ରଦାନ କରିଥାଏ।
ଆପଣ ଜାଣନ୍ତି କି ?
ମେ ୨୦୨୫ ରେ ମୁମ୍ୱାଇରେ ଆୟୋଜିତ ହୋଇଥିବା ଓ୍ୱାର୍ଲଡ ଅଡିଓ ଭିଜୁଆଲ ଓ ଏଣ୍ଟରଟେନମେଣ୍ଟ ସମ୍ମିଟ ୨୦୨୫ (ଓ୍ୱେଭ୍ସ ୨୦୨୫) ଯୋଗ ଦେବାକୁ ଭାରତ ଆସିଥିଲେ ରୁଷର ସଂସ୍କୃତି ମନ୍ତ୍ରୀ ସୁଶ୍ରୀ ଓଲଗା ୟୁବିମୋଭା। ସେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସାକ୍ଷାତ କରି ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସିନେମାଟୋଗ୍ରାଫି ସହଯୋଗ ନେଇ ଆଲୋଚନା କରିଥିଲେ।
ଦ୍ୱିତୀୟ ଭାରତୀୟ ଚଳଚ୍ଚିତ୍ର ମହୋତ୍ସବ ୪ରୁ ୧୫ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ପାଞ୍ଚଟି ରୁଷୀୟ ସହର ମସ୍କୋ, ସେଣ୍ଟ ପିଟର୍ସବର୍ଗ, କାଜାନ, ୟାକୁଟସ୍କ ଏବଂ ଭ୍ଲାଦିଭୋସ୍ତକରେ ଅନୁଷ୍ଠିତ ହୋଇଥିଲା। ପ୍ରଥମ ଥର ପାଇଁ ମସ୍କୋର କେନ୍ଦ୍ରୀୟ ଅଞ୍ଚଳରେ ୫ରୁ ୧୩ ଜୁଲାଇ ୨୦୨୫ ପର୍ଯ୍ୟନ୍ତ ଏକ ୯ ଦିନିଆ ସାଂସ୍କୃତିକ ମହୋତ୍ସବ 'ଭାରତ ଉତ୍ସବ-ଭାରତ ମହୋତ୍ସବ' ଅନୁଷ୍ଠିତ ହୋଇଥିଲା। ୧୨୦ରୁ ଅଧିକ କାର୍ଯ୍ୟକ୍ରମ ସହିତ ଏହି ମହୋତ୍ସବରେ ଭାରତରୁ ଶତାଧିକ କଳାକାର ଓ କାରିଗରମାନେ ଯୋଗ ଦେଇଥିଲେ। ୮,୫୦,୦୦୦ ମସ୍କୋବାସୀଙ୍କ ସମାଗମ ଏକ ବିରାଟ ସଫଳତା ଥିଲା। ରୁଷର ୬୦ରୁ ଅଧିକ ସ୍ଥାନରେ ଏକାଦଶ ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୫ ପାଳନ କରାଯାଇଥିଲା। ମସ୍କୋର VDNKH କଂପ୍ଲେକ୍ସରେ ୨୧ ଜୁନ ୧୦୦୦ ରୁ ଅଧିକ ଲୋକ ଯୋଗ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଏବଂ ଆୟୁର୍ବେଦ ଓ ଧ୍ୟାନର ମାଷ୍ଟର କ୍ଲାସରେ ଅଂଶଗ୍ରହଣ କରିଥିଲେ।
୩ରୁ ୭ ସେପ୍ଟେମ୍ବର ୨୦୨୫ ମଧ୍ୟରେ ମସ୍କୋ ଅନ୍ତର୍ଜାତୀୟ ପୁସ୍ତକ ମେଳାରେ ଭାରତ ଥିଲା ସମ୍ମାନିତ ଅତିଥି। ଭଗବାନ ବୁଦ୍ଧଙ୍କ ପବିତ୍ର ସ୍ମାରକ ପ୍ରଦର୍ଶନ ପାଇଁ ଏହା ୧୧ ଅକ୍ଟୋବରରେ କାଲମିକିଆ ଗଣରାଜ୍ୟର ଏଲିଷ୍ଟାରେ ପହଞ୍ଚିଥିଲା। ଉତ୍ତର ପ୍ରଦେଶର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏହାକୁ ରୁଷିଆ ନେଇଯାଇଥିଲେ ଏବଂ ଜାମ୍ମୁ ଓ କାଶ୍ମୀରର ମାନ୍ୟବର ଲେଫଟନାଣ୍ଟ ଗଭର୍ଣ୍ଣର ଶ୍ରୀ ମନୋଜ ସିହ୍ନା ସେସବୁ ଭାରତକୁ ଫେରାଇ ଆଣିଥିଲେ।
ଅନ୍ତର୍ଜାତୀୟ/ବହୁପାକ୍ଷିକ ସଂଗଠନ ଓ ଯୋଗାଯୋଗ ପ୍ରକଳ୍ପ
ମିଳିତ ଜାତିସଂଘ, ଜି-୨୦, ବ୍ରିକ୍ସ ଓ ଏସ୍ସିଓ ଭଳି ଅନେକ ବହୁପାକ୍ଷିକ ମଞ୍ଚରେ ଘନିଷ୍ଠ ଭାବରେ ପରସ୍ପରକୁ ସହଯୋଗ କରୁଛନ୍ତି ଭାରତ ଓ ରୁଷ । ୨୦୨୩ରେ ଭାରତର ଜି-୨୦ ଓ ଏସ୍ସିଓ ଅଧ୍ୟକ୍ଷତା ଓ ୨୦୨୪ରେ ରୁଷର ବ୍ରିକ୍ସ ଅଧ୍ୟକ୍ଷତାରେ ସମୟରେ ନିୟମିତ ଆଦାନପ୍ରଦାନ ଏବଂ ପାରସ୍ପରିକ ସମର୍ଥନ ମାଧ୍ୟମରେ ଏହି ସହଯୋଗ ଆହୁରି ମଜବୁତ ହୋଇଛି।ଜାତିସଂଘ ସୁରକ୍ଷା ପରିଷଦରେ ସ୍ଥାୟୀ ଆସନ ପାଇଁ ଭାରତର ପ୍ରାର୍ଥୀତ୍ୱକୁ ରୁଷ ନିରନ୍ତର ସମର୍ଥନ ଜଣାଇ ଆସିଛି। ଭାରତ ୨୦୨୬ ମସିହାରେ ବ୍ରିକ୍ସ ଅଧ୍ୟକ୍ଷତା ଗ୍ରହଣ କରିବ। ଏହାର ବିଭିନ୍ନ ପଦ୍ଧତିର ସଂଗଠନ ମାଧ୍ୟମରେ ବ୍ରିକ୍ସରେ ସହଯୋଗକୁ ସୁଦୃଢ଼ କରିବା ପାଇଁ କାର୍ଯ୍ୟ କରିବ।
ଶେଷକଥା
ଗତ ୭୮ ବର୍ଷ ଧରି ଭାରତ-ରୁଷିଆର ଦ୍ୱିପାକ୍ଷିକ ସମ୍ପର୍କ ଦୃଢ଼ ଏବଂ ସ୍ଥିର ରହିଛି। ଭାରତ-ରୁଷ ସହଭାଗିତା ସମସାମୟିକ ଯୁଗରେ ସବୁଠାରୁ ସ୍ଥିର ରହିଛି। ଏହା ବହୁଧ୍ରୁବୀୟ ବିଶ୍ୱ ପାଇଁ ପ୍ରତିବଦ୍ଧତା ସହିତ ପାରମ୍ପରିକ ସାମରିକ, ପରମାଣୁ ଏବଂ ମହାକାଶ ସହଯୋଗ ବାହାରେ ସମ୍ପର୍କକୁ ଆହୁରି ବ୍ୟାପକ କରିବା ଚେଷ୍ଟା ଚାଲିଛି। ଗତ ଦୁଇ ବର୍ଷ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ଯଥେଷ୍ଟ ବୃଦ୍ଧି ପାଇଛି। ଭାରତରୁ ରପ୍ତାନି ବୃଦ୍ଧି କରିବା ସହିତ ସହଯୋଗର ନୂତନ ମଡେଲ ବିକଶିତ କରିବା ପାଇଁ ଆଲୋଚନା ହେଉଛି। ଉଭୟ ଦେଶ ଆନ୍ତଃ-ଆଞ୍ଚଳିକ ସହଯୋଗକୁ ସୁଦୃଢ଼ କରିବାକୁ ମଧ୍ୟ ଚାହୁଁଛନ୍ତି, ବିଶେଷ କରି ରୁଷର ଦୂର ପୂର୍ବ ରାଷ୍ଟ୍ର ଓ ଆନ୍ତର୍ଜାତୀୟ ଉତ୍ତର-ଦକ୍ଷିଣ ପରିବହନ କରିଡର, ଚେନ୍ନାଇ-ଭ୍ଲାଡିଭୋଷ୍ଟକ୍ ପୂର୍ବ ସାମୁଦ୍ରିକ କରିଡର ଏବଂ ଉତ୍ତର ସମୁଦ୍ର ମାର୍ଗ ଭଳି ସଂଯୋଗୀକରଣ ପଦକ୍ଷେପକୁ ପ୍ରୋତ୍ସାହିତ କରିବାକୁ ଚାହୁଁଛନ୍ତି। ପୂର୍ବ ଦିଗରେ ରୁଷର ଗୁରୁତ୍ୱ, ଏହାର ସମ୍ବଳ ଏବଂ ପ୍ରଯୁକ୍ତିବିଦ୍ୟା ଏବଂ ଭାରତର ଆତ୍ମନିର୍ଭର ଭାରତ ଏବଂ ମେକ୍ ଇନ୍ ଇଣ୍ଡିଆ ଭଳି ପ୍ରମୁଖ ପଦକ୍ଷେପ ମଧ୍ୟରେ ଏକ ସମନ୍ୱୟ ରହିଛି।
References
Ministry of External Affairs
Press Information Bureau
Indian Embassy, Moscow
3. Defence & Technology
BSP
(रिलीज़ आईडी: 2200230)
आगंतुक पटल : 22