ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଆଜାଦୀ କା ଅମୃତ ମହୋତ୍ସବର ସମାପନ ସମାରୋହ ଓ ମେରା ଯୁବା ଭାରତର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ବୋଧନ

प्रविष्टि तिथि: 31 OCT 2023 8:28PM by PIB Bhubaneshwar

ଭାରତ ମାତା କୀ ଜୟ !

ସମସ୍ତେ ମୋ ସହିତ ଜୋର୍ ରେ କହନ୍ତୁ, ଗତ ୭୫ ବର୍ଷରେ କର୍ତ୍ତବ୍ୟ ପଥରେ ଯେତିକି ଉଚ୍ଚ ସ୍ୱର ଶୁଣାଯାଇନଥିଲା, ତାଠୁ ମଧ୍ୟ ଜୋରରେ କୁହନ୍ତୁ …

ଭାରତ ମାତା କୀ ଜୟ !

ଭାରତ ମାତା କୀ ଜୟ !

ଭାରତ ମାତା କୀ ଜୟ !

କେନ୍ଦ୍ର କ୍ୟାବିନେଟରେ ମୋର ସହଯୋଗୀ ଅମିତ ଭାଇ, କିଷନ ରେଡ୍ଡି, ଅନୁରାଗ ଠାକୁର, ଅର୍ଜୁନ ରାମ ମେଘାଓ୍ୱଲ, ମିନାକ୍ଷୀ ଲେଖି, ନୀଶିଥ ପରମାଣିକ ଓ ଦେଶର କୋଣ ଅନୁକୋଣରୁ ଆସି ଏଠାରେ ସମାବେତ ହୋଇଥିବା ମୋର ଯୁବ ବନ୍ଧୁ ଓ ପରିବାର ସଦସ୍ୟଗଣ !

 

ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେ କର୍ତ୍ତବ୍ୟ ପଥ ଏକ ଐତିହାସିକ ଭବ୍ୟ ସମାରୋହ ସମାପନ ଉତ୍ସବର ସାକ୍ଷୀ ହୋଇଛି। ମାର୍ଚ୍ଚ ୧୨, ୨୦୨୧ ହେଉଛି ଦାଣ୍ଡି ଯାତ୍ରାର ଦିନ। ଗାନ୍ଧିଜୀଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ମାର୍ଚ୍ଚ ୧୨, ୨୦୨୧ରେ ସାବରମତୀ ଆଶ୍ରମରୁ ଆରମ୍ଭ ହୋଇଥିବା ଆଜାଦୀର ଅମୃତ ମହୋତ୍ସବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଅକ୍ଟୋବର ୩୧, ୨୦୨୫ରେ ସମାପନ ହେଉଛି। ଯେମିତିକି ଦାଣ୍ଡି ଯାତ୍ରା ଆରମ୍ଭ ହେବା ପରେ ସାରା ଦେଶର ଲୋକେ ଏଥିରେ ଅନୁପ୍ରାଣିତ ହୋଇ ସେଥିରେ ଭାଗ ନେଇଥିଲେ, ସେହିପରି ଆଜାଦୀ କା ଅମୃତ ମହୋତ୍ସବରେ ମଧ୍ୟ ଲୋକେ ଆଶାତୀତ ଭାବେ ଅଂଶଗ୍ରହଣ କରିଛନ୍ତି ଯାହାକି ଏକ ଏକ ନୂଆ ଇତିହାସ ସୃଷ୍ଟି କରିଛି।    

ଦାଣ୍ଡି ଯାତ୍ରା ସ୍ୱାଧୀନ ଭାରତର ଉତ୍ସାହକୁ ଆହୁରି ବୃଦ୍ଧି କରିଥିଲା। ୭୫ ବର୍ଷର ଏହି ଯାତ୍ରା ସମୃଦ୍ଧ ଭାରତର ସ୍ୱପ୍ନକୁ ସାକାର କରିବାର ଏକ କାଳଖଣ୍ଡ ପାଲଟିଛି। ୨ ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ଅମୃତ ମହୋତ୍ସବ ପାଳନ “ମେରି ମାଟି, ମେରା ଦେଶ” ଅଭିଯାନ ଶେଷ ହେବା ସହିତ ସମାପନ ହେଉଛି। ଆଜାଦୀ କା ଅମୃତ ମହୋତ୍ସବର ସ୍ମୃତି ଭାବେ ଆଜି ଏକ ସ୍ମାରକୀ ମଧ୍ୟ ଉଦଘାଟନ କରାଯାଇଛି। ଏହି ଐତିହାସିକ ଘଟଣା ସଂପର୍କରେ ଆଗାମୀ ପିଢ଼ିକୁ ସବୁଦିନ ପାଇଁ ମନେପକାଇ ଦେଉଥିବ ଏହି ସ୍ମାରକୀ। କେତେକ ରାଜ୍ୟ, ମନ୍ତ୍ରାଳୟ ଓ ବିଭାଗକୁ ସେମାନଙ୍କ ଚମତ୍କାର ଆୟୋଜନ ପାଇଁ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି। ପୁରସ୍କାର ପାଇଥିବା ସମସ୍ତ ରାଜ୍ୟ ଓ ସେହି ରାଜ୍ୟଗୁଡ଼ିକର ଲୋକଙ୍କୁ ମଧ୍ୟ ମୁଁ ହୃଦୟରୁ ଅଭିନନ୍ଦନ ଜ୍ଞାପନ କରୁଛି।   

ମୋର ପରିବାରର ସଦସ୍ୟଗଣ,

ଗୋଟିଏ ପଟେ ଆମେ ଏକ ଭବ୍ୟ ସମାରୋହର ସମାପନ କରୁଥିବାବେଳେ ସେହି ସମୟରେ ଆମେ ଏକ ନୂଆ ସଂକଳ୍ପ ମଧ୍ୟ ଆରମ୍ଭ କରୁଛୁ। ଆଜି ମେରା ଯୁବା ଭାରତ ଫାଉଣ୍ଡେସନ ଅର୍ଥାତ ମୋର ଭାରତର ଭିତ୍ତିପ୍ରସ୍ତର ପଡ଼ିଛି। ଏକବିଂଶ ଶତାବ୍ଦୀରେ ଦେଶ ଗଠନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଯାଉଛି ମେରା ଯୁବା ଭାରତ ପ୍ଲାଟଫର୍ମ। ଏଥିପାଇଁ ମୁଁ ସ୍ୱତନ୍ତ୍ର ଭାବେ ଦେଶର ସମସ୍ତେ ନାଗରିକଙ୍କୁ ଓ ଯୁବାବର୍ଗଙ୍କୁ ଅଭିନନ୍ଦନ ଜ୍ଞାପନ କରୁଛି।

ମୋର ପରିବାରର ସଦସ୍ୟଗଣ

ଭାରତର ଯୁବାବର୍ଗ କେମିତି ନିଜକୁ ସଂଗଠିତ କରିପାରିବେ ଓ ସମସ୍ତ ଲକ୍ଷ୍ୟକୁ ହାସଲ କରିପାରିବେ, ସେ ସଂପର୍କରେ ବିସ୍ତୃତ ଭାବେ ‘ମେରି ମାଟି, ମେରା ଦେଶ’ ଅଭିଯାନରେ ବର୍ଣ୍ଣନା କରାଯାଇଛି। ଦେଶରେ ଲକ୍ଷ ଲକ୍ଷ କାର୍ଯ୍ୟକ୍ରମ କରାଯାଇଛି। ଅସଂଖ୍ୟ ଭାରତୀୟ ନିଜ ଅଗଣାରୁ ନିଜ କ୍ଷେତରୁ ମାଟି ସଂଗ୍ରହ କରି ନିଜ ହାତରେ ଅମୃତ କଳସରେ ରଖିଛନ୍ତି। ସାରା ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ୮୫୦୦ରୁ ଅଧିକ ‘ଅମୃତ କଳସ’ ଆଜି ଏଠାରେ ପହଞ୍ଚିଛି। ଏହି ଅଭିଯାନରେ ଲକ୍ଷ ଲକ୍ଷ ଭାରତୀୟ ପାଞ୍ଚଟି ଶପଥ ନେଇଛନ୍ତି। ଅଭିଯାନର ଓ୍ୱେବସାଇଟରେ ଲକ୍ଷ ଲକ୍ଷ ଭାରତୀୟ ମଧ୍ୟ ସେମାନଙ୍କର ସେଲ୍‌ଫି ଅପଲୋଡ୍ କରିଛନ୍ତି।

 

 

ବନ୍ଧୁଗଣ,

କେତେକ ଲୋକଙ୍କ ମନରେ ପ୍ରଶ୍ନ ଉଠିପାରେ, ମାଟି କାହିଁକି ? କଳସରେ କାହିଁକି ମାଟି ଭର୍ତ୍ତି କରାଗଲା। ଜଣେ କବି କହିଥିଲେ-

ଏହା ହେଉଛି ସେହି ମାଟି, ଯାହାର ରସରେ ଜୀବନ ପାଳିତ ହୋଇଛି,

ଯାହା ବଳରେ ଆଦିମ ଯୁଗରୁ ମାନବ ଚାଲି ଆସୁଛି।

ଏହା ତୋର ସଭ୍ୟତା ସଂସ୍କୃତି, ଏହା ଉପରେ ହିଁ ଅବଲମ୍ୱିତ

ଯୁଗ ଯୁଗର ପାଦ ଚିହ୍ନ, ଯାହାର ଛାତି ଉପରେ ଅଙ୍କିତ।  

 

ଅନେକ ବଡ଼ ବଡ଼ ସଭ୍ୟତା ଲୋପ ପାଇ ଯାଇଛି। କିନ୍ତୁ ଭାରତର ମାଟିରେ ଅଛି ସେହି ପ୍ରାଣଶକ୍ତି ଯାହାକି ଏହି ରାଷ୍ଟ୍ରକୁ ଅନାଦି କାଳରୁ ଆଜି ପର୍ଯ୍ୟନ୍ତ ସୁରକ୍ଷିତ ରଖି ଆସିଛି। ଏହା ହେଉଛି ସେହି ମାଟି ଯାହାକି ଦେଶର କୋଣ ଅନୁକୋଣ ସହିତ ଆମର ଆତ୍ମାକୁ ସବୁ କ୍ଷେତ୍ରରେ ପରିଚୟ ଓ ଆଧ୍ୟାତ୍ମିକତାରେ ଯୋଡ଼ି ଥାଏ। ଏହି ମାଟିର ଶପଥ ନେଇ ଆମର ବୀରମାନେ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ।   

ଏହି ମାଟି ସହିତ କେତେ ଯେ କାହାଣୀ ଯୋଡ଼ି ହୋଇ ରହିଛି। ପ୍ରାୟ ଶହେ ବର୍ଷ ତଳେ ଜଣେ ଛୋଟ ପିଲା ଏହି ମାଟିରେ କାଠ ବୁଣୁଥିଲା। ଯେତେବେଳେ ବାପା ପଚାରିଲେ ସେ କଣ ବୁଣୁଛି, ପିଲାଟି ଉତ୍ତର ଦେଲା “ ମୁଁ ବନ୍ଧୁକ ବୁଣୁଛି।” ତାର ବାପା ପଚାରିଲେ, “ସେହି ବନ୍ଧୁକରେ ତୁ କଣ କରିବୁ?” ଏବଂ ସେହି ପିଲାଟି ଉତ୍ତର ଦେଲା, “ମୁଁ ମୋ ଦେଶକୁ ମୁକ୍ତ କରିବି।” ଯେତେବେଳେ ସେହି ପିଲାଟି ବଡ଼ ହେଲା, ସେ ଏତେ ବଡ଼ ବଳିଦାନ ଦେଲା ଯେ, ଏବେ ବି ସେତେ ବଡ଼ ବଳିଦାନ ଦେବା ବହୁତ କଷ୍ଟ। ସେହି ପିଲାଟି ଆଉ କେହି ନୁହେଁ, ସେ ସାହସୀ ପିଲାଟି ହେଉଛି ସହିଦ ଭଗତ ସିଂହ।   

ଏହି ମାଟିକୁ ନେଇ ଥରେ ଜଣେ ସୈନିକ କହିଥିଲେ:

ମରିଯିବା ପରେ ମଧ୍ୟ ଏହି ମାଟି ପ୍ରତି ମୋର ଭଲପାଇବା ଟିକେ ବି କମିବ ନାହିଁ,

ମୋର ମାଟିରୁ ମଧ୍ୟ ବାହାରିବ ବିଶ୍ୱସ୍ତତାର ମହକ।

 

 ସେ ଜଣେ କୃଷକ ହେଉ କି ସାହସୀ ସୈନିକ, ଏହି ମାଟିକୁ ସମସ୍ତେ ନିଜର ରକ୍ତ ଓ ଝାଳ ଦେଇଛନ୍ତି। ଏହି ମାଟି ପାଇଁ ସେଥିପାଇଁ କୁହାଯାଇଛି ” ଏହି ଦେଶର ମାଟି ହେଉଛି ଚନ୍ଦନ, ଏହାର ପ୍ରତ୍ୟେକ ଗାଁ ହେଉଛି ତପଭୂମି।” ମାଟି ସ୍ୱରୂପ ଏହି ଚନ୍ଦନକୁ ଆମେ ସମସ୍ତେ ଆମର କପାଳରେ ଲଗାଇଥାଉ। ଦିନ ରାତି ୨୪ ଘଣ୍ଟା ଏହି ଭାବନା ଆମର ହୃଦୟରେ, ମସ୍ତିଷ୍କରେ ଥାଏ।

ଯିଏ ମାଟିର ଋଣ ସୁଝି ଦେବ, ତାର ଜୀବନ ସଫଳ।

ଯିଏ ମାଟିର ଋଣ ସୁଝି ଦେବ, ତାର ଜୀବନ ସଫଳ।

ତେଣୁ ଯେଉଁ ଅମୃତ କଳସଗୁଡ଼ିକ ଏଠାରେ ପହଞ୍ଚିଛି, ତା ଭିତରେ ଥିବା ଏହି ମାଟିର ପ୍ରତ୍ୟେକ କଣିକା ହେଉଛି ଅମୂଲ୍ୟ। ଏହା ହେଉଛି ସୁଦାମାର ପୁଟୁଳିରେ ଆମ ପାଇଁ ରଖାଯାଇଥିବା  ଖୁଦ କଣିକା। ଯେମିତିକି ସାରା ବିଶ୍ୱ ବ୍ରହ୍ମାଣ୍ଡର ଐଶ୍ୱର୍ଯ୍ୟ ସୁଦାମା ପୁଟୁଳିରେ ମାତ୍ର କେତେକ ଖୁଦ କଣିକା ଭାବେ ରହିଥିଲା, ସେହିପରି ଏହି ହଜାର ହଜାର କଳସରେ ସମାହିତ ହୋଇ ରହିଛି ଦେଶର ପ୍ରତ୍ୟେକ ପରିବାରର ସ୍ୱପ୍ନ, ଅଭିଳାଷ ଓ ଅସଂଖ୍ୟ ସଂକଳ୍ପ ଖୁନ୍ଦି ହୋଇ ରହିଛି। ଦେଶର ପ୍ରତ୍ୟେକ ଘରୁ, ପ୍ରତ୍ୟେକ ଅଗଣାରୁ ଆସିଥିବା ଏହି ମାଟି ସବୁବେଳେ ଆମକୁ ଆମର କର୍ତ୍ତବ୍ୟ ସଂପର୍କରେ ସଚେତନ କରାଉଥିବ। ‘ବିକଶିତ ଭାରତ’ର  ଆମର ସଂକଳ୍ପ ପୂରଣ କରିବା ପାଇଁ ଏହି ମାଟି ଆମକୁ ସବୁବେଳେ ପ୍ରେରଣା ଯୋଗାଉଥିବ ଏବଂ ଏଥିପାଇଁ ଆହୁରି କଠିନ ପରିଶ୍ରମ କରିବା ପାଇଁ ପ୍ରୋତ୍ସାହିତ କରୁଥିବ।      

ସଂକଳ୍ପ ଆଜି ଆମେ ନେଉଛୁ ପ୍ରତ୍ୟେକ ଲୋକଙ୍କୁ କରିବୁ ଜାଗ୍ରତ  

ଏହି ମାଟିକୁ ନେଇ କରୁଛୁ ଆମେ ଶପଥ, ଆମେ ତିଆରି କରିବୁ ବିକଶିତ ଭାରତ

 

ବନ୍ଧୁଗଣ,

ଏହି ମାଟି ସହିତ ସାରା ଦେଶରୁ ଆସିଥିବା ଚାରାକୁ ନେଇ ଏଠାରେ ଏକ ଅମୃତ ବାଟିକା ତିଆରି କରାଯାଉଛି। ଏହାର ଶୁଭାରମ୍ଭ ମଧ୍ୟ ହୋଇ ଯାଇଛି। “ଏକ ଭାରତ, ଶ୍ରେଷ୍ଠ ଭାରତ” ପାଇଁ ଆଗାମୀ ପିଢ଼ିକୁ ଏହି ଅମୃତ ବାଟିକା ପ୍ରେରଣା ପ୍ରଦାନ କରିବ। ବହୁତ କମ୍ ଲୋକ ଜାଣିଥିବେ ଯେ, ନୂଆ ସଂସଦ ଭବନରେ “ଜନ ଜନନୀ ଜନ୍ମଭୂମି’ ନାଁରେ ଏକ ଚିତ୍ରକଳା ଅଛି। ଦେଶର ପ୍ରତ୍ୟେକ ରାଜ୍ୟରୁ ଆସିଥିବା ୭୫ ଜଣ ମହିଳା ନିଜ ନିଜ ରାଜ୍ୟର ମାଟିକୁ ନେଇ ଏହି ଚିତ୍ରକଳା ପ୍ରସ୍ତୁତ କରିଛନ୍ତି। ଏହା ମଧ୍ୟ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଏକ ଉତ୍ସ।

ମୋର ପରିବାରର ସଦସ୍ୟଗଣ,  

ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ପ୍ରାୟ ହଜାରେ ଦିନ ଚାଲିଥିଲା। ଏହି ହଜାରେ ଦିନରେ  ଭାରତ ଯୁବବର୍ଗଙ୍କ ଉପରେ ହିଁ ଏହାର ସବୁଠୁ ବଡ଼ ଓ ସବୁଠୁ ଅଧିକ ସକରାତ୍ମକ ପ୍ରଭାବ ପଡ଼ିଛି। ସ୍ୱାଧୀନତାର ମୂଲ୍ୟ କଣ, ଯୁବ ପୀଢ଼ିଙ୍କୁ ଏହା ସଚେତନ କରିଛି।

ବନ୍ଧୁଗଣ,

ଆପଣମାନଙ୍କ ପରି ମୁଁ ମଧ୍ୟ ପରାଧୀନତା ଦେଖି ନାହିଁ। ସ୍ୱାଧୀନତା ପାଇଁ ଆମେ କେହି ସେହି ଆତୁରତା, ତପସ୍ୟା ଓ ତ୍ୟାଗ କରିନାହୁଁ। ଆମମାନଙ୍କ ମଧ୍ୟରୁ ଅନେକ ତ ସ୍ୱାଧୀନତା ପରେ ହିଁ ଜନ୍ମ ହୋଇଛନ୍ତି। ମୁଁ ହେଉଛି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ, ଯିଏ କି ଦେଶ ସ୍ୱାଧୀନ ହେବା ପରେ ଜନ୍ମ ହୋଇଛି। ମୁଁ ମଧ୍ୟ ଅମୃତ ମହୋତ୍ସବ ବେଳେ ଅନେକ ଜ୍ଞାନ ପାଇଛି। ଏହି ସମୟରେ ବହୁ ଆଦିବାସୀ ସଂଗ୍ରାମୀଙ୍କ ନାଁ ସାମନାକୁ ଆସିଲା।

ସାରା ଦେଶ ଜାଣିବାକୁ ପାଇଛି ଯେ, ପରାଧୀନତାର ଏତେ ଦୀର୍ଘ ସମୟ ଭିତରେ ଏମିତି ଗୋଟିଏ ବି ମୁହୂର୍ତ୍ତ ନାହିଁ ଯେତେବେଳେ କି ସ୍ୱାଧୀନତା ପାଇଁ ସଂଗ୍ରାମ ହୋଇନାହିଁ। ଏହି ଆନ୍ଦୋଳନରୁ କୌଣସି ଧର୍ମ, କୌଣସି ବର୍ଗ ବାଦ୍ ପଡ଼ି ନାହାନ୍ତି। ଦୂରଦର୍ଶନରେ ମୁଁ ଯେତେବେଳେ ସ୍ୱରାଜ ସିରିଜ ଦେଖିଲି, ମୋ ମନରେ ମଧ୍ୟ ସେମିତି ଭାବନା ସୃଷ୍ଟି ହୋଇଥିଲା ଯେମିତି ଭାବନା ବର୍ତ୍ତମାନର ଯୁବବର୍ଗଙ୍କ ମଧ୍ୟରେ ସୃଷ୍ଟି ହୋଇଛି। ସ୍ୱାଧୀନତା ସଂଗ୍ରାମର ଅନେକ କାହାଣୀ ସାମ୍‌ନାକୁ ଆଣିଛି ଅମୃତ ମହୋତ୍ସବ।

 

ବନ୍ଧୁଗଣ,

ସାରା ଦେଶ ଅମୃତ ମହୋତ୍ସବକୁ ଜନତାଙ୍କ ମହୋତ୍ସବରେ ପରିଣତ କରିଥିଲା। “ହର୍ ଘର୍ ତ୍ରିରଙ୍ଗା”ର ସଫଳତା ହେଉଛି ପ୍ରତ୍ୟେକ ଭାରତୀୟଙ୍କ ସଫଳତା। ପ୍ରଥମ ଥର ପାଇଁ ଦେଶର ଲକ୍ଷ ଲକ୍ଷ ପରିବାର ହୃହୟଙ୍ଗମ କଲେ ଯେ, ସ୍ୱାଧୀନତା ସଂଗ୍ରାମରେ ସେମାନଙ୍କ ପରିବାରର, ସେମାନଙ୍କ ଗାଁର ମଧ୍ୟ ସକ୍ରିୟ ଅବଦାନ ରହିଛି। ଯଦିଓ ଇତିହାସ ବହିରେ ଏହା ଉଲ୍ଲେଖ ହୋଇନଥାଇପାରେ, ତଥାପି ବର୍ତ୍ତମାନ ପ୍ରତ୍ୟେକ ଗାଁର ସ୍ମାରକୀରେ, ଶିଳାଲେଖରେ ଏହା ସ୍ଥାୟୀ ଭାବରେ ଲିପିବଦ୍ଧ ହୋଇ ଯାଇଛି। ଗୋଟିଏ ପ୍ରକାରେ ଅମୃତ ମହୋତ୍ସବ ଆଗାମୀ ପିଢ଼ିକୁ ଭୁଲି ହୋଇଥିବା ଇତିହାସର ପୃଷ୍ଠା ସହିତ ସଂପର୍କ ଯୋଡ଼ି ଦେଇଛି।

ସ୍ୱାଧୀନତା ଆନ୍ଦୋଳନରେ ସକ୍ରିୟ ଭୂମିକା ନେଇଥିବା ସଂଗ୍ରାମୀମାନଙ୍କର ଏକ ବହୁତବଡ଼ ଡାଟାବେସ୍ ମଧ୍ୟ ପ୍ରସ୍ତୁତ କରାଯାଇଛି। ଅଲୁରି ସୀତାରାମ ରାଜୁ, ବରିକୁଟି ଚେନ୍ନାୟା, ତାନ୍ତିଆ ଭିଲ, ତିରୋଟ ସିଂହ ଓ ଏମାନଙ୍କ ପରି ସାରା ଦେଶର ଅନେକ ଯୋଦ୍ଧା ସେମାନଙ୍କର ଅବଦାନ ପାଇଁ ବେଶ୍ ପରିଚିତ। ଆମେ ମଧ୍ୟ ଦେଶର ନାରୀ ଶକ୍ତି କିଟୁର ରାଣୀ ଚେନ୍ନାମ୍ମା, ରାଣୀ ଗାଇଦିନଲିୟୁ, ରାଣୀ ଭେଲୁ ନଚିୟାର, ମାତାଙ୍ଗିନୀ ହାଜରା, ରାଣୀ ଲକ୍ଷ୍ମୀବାଈଙ୍କଠୁର ଆରମ୍ଭ କରି ଝଲକରିବାଈଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ବିଷୟରେ ଅମୃତ ମହୋତ୍ସବ ସମୟରେ ଜାଣିପାରିଛୁ।

ମୋ ପରିବାରର ସଦସ୍ୟଗଣ,

 

ଯେତେବେଳେ ଉଦ୍ଦେଶ୍ୟ ମହତ୍ ହୋଇଥାଏ ଓ ସର୍ବାଗ୍ରେ ଦେଶ ବୋଲି ମନୋଭାବ ସର୍ବୋପରି ହୋଇଥାଏ, ସେତେବେଳେ ଫଳାଫଳ ମଧ୍ୟ ଶ୍ରେଷ୍ଠ ହିଁ ହୋଇଥାଏ। ସ୍ୱାଧୀନତାର ଅମୃତ ମହୋତ୍ସବ ସମୟରେ ଭାରତ ଐତିହାସିକ ସଫଳତା ହାସଲ କରିଛି। ଚଳିତ ଶତାବ୍ଦୀର ସବୁଠୁ ବଡ଼ ସଂକଟ କୋଭିଡ ମହାମାରୀର ଆମେ ସଫଳତାର ସହ ମୁକାବିଲା କରିଛୁ ଏବଂ ଏହି ସମୟରେ ଆମେ ପ୍ରସ୍ତୁତ କରିଥିଲୁ ବିକଶିତ ଭାରତ ନିର୍ମାଣର ରୂପରେଖ। ଅମୃତ ମହୋତ୍ସବ ସମୟରେ ଭାରତ ବିଶ୍ୱର ପଞ୍ଚମ ସର୍ବବୃହତ ଅର୍ଥନୀତିରେ ପରିଣତ ହୋଇଥିଲା। ବିଶ୍ୱର ଅନେକ ବଡ଼ ବଡ଼ ସମସ୍ୟା ସତ୍ତ୍ୱେ ଅମୃତ ମହୋତ୍ସବ ସମୟରେ ଭାରତ ବିଶ୍ୱର ଦ୍ରୁତକମ ଆର୍ଥିକ ଅଭିବୃଦ୍ଧିର ଦେଶରେ ପରିଣତ ହୋଇଥିଲା। ଚନ୍ଦ୍ରରେ ଆମେ ଅବତରଣ କରାଇଥିଲୁ ଚନ୍ଦ୍ରଯାନ। ଭାରତ ଆୟୋଜନ କରିଥିଲା ଐତିହାସିକ ଜି-୨୦ ସମ୍ମିଳନୀ। ଏସୀୟ କ୍ରୀଡ଼ା ଓ ଏସୀୟ ପାରା କ୍ରୀଡ଼ାରେ ଭାରତ ୧୦୦ରୁ ଅଧିକ ପଦକ ହାସଲ କରି ରେକର୍ଡ କରିଥିଲା।

 

ଅମୃତ ମହୋତ୍ସବ ସମୟରେ ଏକବିଂଶ ଶତାବ୍ଦୀ ପାଇଁ ଭାରତକୁ ମିଳିଥିଲା ଏକ ନୂଆ ଭବ୍ୟ ସଂସଦ ଭବନ। ମହିଳାମାନଙ୍କୁ ସଶକ୍ତ କରୁଥିବା ଐତିହାସିକ ନାରୀ ଶକ୍ତି ବନ୍ଦନା ଅଧିନିୟମ ପ୍ରଣୟନ ହୋଇଥିଲା। ରପ୍ତାନୀ ଓ କୃଷିଜାତ ଦ୍ରବ୍ୟ ଉତ୍ପାଦନରେ ଭାରତ ସୃଷ୍ଟି କରିଥିଲା ନୂଆ ରେକର୍ଡ। ଏହି ସମୟରେ ବନ୍ଦେ ଭାରତ ଟ୍ରେନର ଆଶାତୀତ ସଂପ୍ରସାରଣ ହୋଇଥିଲା। ରେଳ ଷ୍ଟେସନଗୁଡ଼ିକର ଚେହେରା ବଦଳାଇବା ପାଇଁ ଅମୃତ ଭାରତ ଷ୍ଟେସନ ଅଭିଯାନ ମଧ୍ୟ ଆରମ୍ଭ କରାଯାଇଥିଲା। ଦେଶକୁ ମିଳିଥିଲା ତାର ପ୍ରଥମ ଆଞ୍ଚଳିକ ଦ୍ରୁତ ଟ୍ରେନ, ନମୋ ଭାରତ। ସାରା ଦେଶରେ ୬୫୦୦୦ରୁ ଅଧିକ ଅମୃତ ସରୋବର ନିର୍ମାଣ କରାଯାଇଥିଲା। ଭାରତରେ ନିର୍ମିତ ୫ଜି ନେଟଓ୍ୱର୍କ ଭାରତରେ ଶୁଭାରମ୍ଭ କରାଯାଇଥିଲା ଏବଂ ଦ୍ରୁତ ଗତିରେ ଏହି ନେଟଓ୍ୱର୍କର ସଂପ୍ରସାରଣ କରାଯାଉଛି। ଭିତ୍ତିଭୂମି ନିର୍ମାଣ କରିବା ପାଇଁ ଏହି ସମୟରେ .ପିଏମ୍ ଗତିକକ୍ତି ଜାତୀୟ ମାଷ୍ଟର ପ୍ଲାନର ଶୁଭାରମ୍ଭ କରାଯାଇଥିଲା। ଏପରି ଅସଂଖ୍ୟ ସଫଳତା ମୁଁ ଆପଣମାନଙ୍କ ସାମ୍ନାରେ ରଖିପାରିବେ ।  

ମୋର ପରିବାରର ସଦସ୍ୟ ଗଣ,

ସ୍ୱାଧୀନତାର ଅମୃତ ମହୋତ୍ସବ ସମୟରେ ରାଜପଥରୁ କର୍ତ୍ତବ୍ୟପଥର ଯାତ୍ରା ସଂପୂର୍ଣ୍ଣ କରିଥିଲା ଏହି ଦେଶ। ଆମେ ପରାଧୀନତାର ଅନେକ ଚିହ୍ନକୁ ହଟାଇ ଦେଇଛୁ। ଏବେ ବର୍ତ୍ତମାନ କର୍ତ୍ତବ୍ୟ ପଥର ଗୋଟିଏ ପଟେ ଆଜାଦ ହିନ୍ଦ ସରକାରର ପ୍ରଥମ ପ୍ରଧାନମନ୍ତ୍ରୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ସ୍ଥାପିତ କରାଯାଇଛି। ବର୍ତ୍ତମାନ ଆମର ନୌସେନା ପାଖରେ ଏପରି ନୂଆ ପତାକା ଅଛି ଯାହାକି ଛତ୍ରପତି ଶିବାଜୀ ମହାରାଜଙ୍କ ଦ୍ୱାରା ଅନୁପ୍ରେରିତ ହୋଇଛି। ଅମୃତ ମହୋତ୍ସବ ସମୟରେ ଆଣ୍ଡାମାନ ନିକୋବର ଦ୍ୱୀପକୁ ନୂଆ ଦେଶୀ ନାଁ ପ୍ରଦାନ କରାଯାଇଛି।

ଏହି ଅମୃତ ମହୋତ୍ସବ ସମୟରେ “ ଜନଜାତୀୟ ଗୌରବ ଦିବସ”ର ଘୋଷଣା କରାଯାଇଥିଲା। ଅମୃତ ମହୋତ୍ସବ ସମୟରେ ସାହାଜାତାଙ୍କ ସ୍ମୃତିରେ ବୀର ବାଲ୍ ଦିବସର ଘୋଷଣା କରାଯାଇଥିଲା। ଏହି ଅମୃତ ମହୋତ୍ସବ ସମୟରେ ହିଁ ଅଗଷ୍ଟ ୧୪ତାରିଖକୁ ‘ବିଭାଜନ ବିଭୀଷିକା ଦିବସ’ ଭାବେ ଘୋଷଣା କରାଯାଇଥିଲା।

 

ମୋର ପରିବାରର ସଦସ୍ୟଗଣ,

ଆମ ଦେଶରେ କୁହାଯାଏ ଯେ-ଅନ୍ତଃ ଅସ୍ତି ପ୍ରାରମ୍ଭ। ଅର୍ଥାତ ଯେଉଁଠି କିଛି ଶେଷ ହୋଇଥାଏ, ସେଠାରେ ହିଁ ଆଉ କିଛିର ଶୁଭାରମ୍ଭ ହୋଇଥାଏ। ଅମୃତ ମହୋତ୍ସବର ସମାପନ ସହିତ ଆରମ୍ଭ ହୋଇଥିଲା ମୋ ଯୁବ ଭାରତ, ଏମ୍‌ଓ୍ୱାଇ ଭାରତ। ମୋର ଯୁବ ଭାରତ ପ୍ଲାଟଫର୍ମ – ଏମ୍‌ଓ୍ୱାଇ ଭାରତ-ହେଉଛି ଭାରତର ଯୁବ ଶକ୍ତିର ଘୋଷଣା କରୁଛି। ଗୋଟିଏ ମଞ୍ଚରେ, ଗୋଟିଏ ପ୍ଲାଟଫରମରେ ଦେଶର ପ୍ରତ୍ୟେକ ଯୁବକ ଯୁବତୀଙ୍କୁ ଏକାଠି କରିବାରେ ଏହା ଉଲ୍ଲେଖନୀୟ କାମ କରିବ। ଦେଶର ଗଠନରେ ଦେଶର ଯୁବବର୍ଗଙ୍କ ସର୍ବାଧିକ ଅଂଶଗ୍ରହଣକୁ ଏହା ସୁନିଶ୍ଚିତ କରିବ। ଦେଶର ଯୁବ ବର୍ଗଙ୍କ ପାଇଁ ଚାଲିଥିବା ସମସ୍ତ ପ୍ରକାରର ଯୋଜନା, କାର୍ଯ୍ୟକ୍ରମକୁ ଏଥିରେ ସାମିଲ କରାଯିବ। ଆଜି ଏମ୍‌ଓ୍ୱାଇ ଭାରତ ଓ୍ୱେବସାଇଟର ମଧ୍ୟ ଶୁଭାରମ୍ଭ କରାଯାଇଛି। ମୁଁ ଦେଶର ଯୁବା ବର୍ଗଙ୍କୁ ଆହ୍ୱାନ କରୁଛି, ଯେତେ ଦୂର ସମ୍ଭବ ଏଥିରେ ଆପଣମାନେ ସାମିଲ ହୁଅନ୍ତୁ। ନୂଆ ଶକ୍ତିରେ ଭାରତକୁ ଭରି ଦିଅନ୍ତୁ, ଭାରତକୁ ଆଗେଇ ନେବା ପାଇଁ ଏକ ସଂକଳ୍ପ କରନ୍ତୁ। ଉଦ୍ୟମ କରନ୍ତୁ, ସାହସ ଦେଖାନ୍ତୁ ଓ ସଫଳତା ପାଇବାକୁ ପ୍ରତିଶ୍ରୁତିବଦ୍ଧ ହୁଅନ୍ତୁ।

ବନ୍ଧୁଗଣ,

ଭାରତ ସ୍ୱାଧୀନତା ହେଉଛି ଆମର ମିଳିତ ସଂକଳ୍ପର ସିଦ୍ଧି। ଆମେ ସମସ୍ତେ ମିଳିମିଶି ଲଗାତର ଭାବେ ଏହାକୁ ସୁରକ୍ଷା ଦେବାକୁ ପଡ଼ିବ। ଯେତେବେଳେ  ୨୦୪୭ରେ ଭାରତ ଶହେ ବର୍ଷର ସ୍ୱାଧୀନତା ଦିବସ ପାଳନ କରିବ, ସେତେବେଳେ ମଧ୍ୟରେ ଆମକୁ  ଭାରତକୁ ଏକ ବିକଶିତ ଦେଶ ଭାବେ ଗଠନ କରିବାକୁ ପଡ଼ିବ। ସ୍ୱାଧୀନତାର ୧୦୦ ବର୍ଷ ପୂରଣ କରିବା ବେଳେ ଏହି ଦେଶର ଏହି ସ୍ୱତନ୍ତ୍ର ଦିନକୁ ମନେ ପକାଇବ। ଆମେ ଯେଉଁ କଥା ଦେଇଛୁ, ଆଗାମୀ ପୀଢ଼ି ପାଇଁ ଯେଉଁ ପ୍ରତିଶ୍ରୁତି ଆମେ ଦେଇଛୁ, ଆମକୁ ତାହା ପୂରଣ କରିବାକୁ ପଡ଼ିବ। ତେଣୁ ଆମର ଉଦ୍ୟମକୁ ଆହୁରି ଜୋରଦାର କରିବାକୁ ପଡ଼ିବ। ବିକଶିତ ଦେଶର ଲକ୍ଷ୍ୟ ହାସଲ କରିବା ପାଇଁ ପ୍ରତ୍ୟେକ ଭାରତୀୟଙ୍କ ଅବଦାନ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ।

 

ଆସନ୍ତୁ, ଅମୃତ ମହୋତ୍ସବର ଏହି ସମାପନ ଉତ୍ସବରେ ଅମୃତ ମହୋତ୍ସବରେ ଏକ ବିକଶିତ ଭାରତର ନୂଆ ଯାତ୍ରାର ଶୁଭାରମ୍ଭ କରିବା। ସ୍ୱପ୍ନକୁ ସଂକଳ୍ପରେ ପରିଣତ କରନ୍ତୁ,  ସଂକଳ୍ପକୁ କଠିନ ପରିଶ୍ରମର ବିଷୟ କରନ୍ତୁ ଏବଂ ୨୦୪୭ରେ ଆମେ ଯେତେବେଳେ ସଫଳତା ପାଇବା, ସେତେବେଳେ ହିଁ ଆମେ ଅଟକିବା। ଆସନ୍ତୁ, ମୋର ଯୁବ ବନ୍ଧୁମାନେ ଆଗେଇ ଆସନ୍ତୁ, ସେହି ଦୃଢ଼ ମନୋବଳ ନେଇ ଆସନ୍ତୁ ଏହି ସଂକଳ୍ପର ଯାତ୍ରା ଆରମ୍ଭ କରିବା।

ଏମ୍ଓ୍ୱାଇ ଭାରତ ପ୍ଲାଟଫର୍ମର ଶୁଭାରମ୍ଭ ଅବସରରେ ଆଜି, ମୁଁ ଆପଣମାନଙ୍କୁ ସମସ୍ତଙ୍କୁ କହୁଛି, ନିଜର ମୋବାଇଲ ଫୋନ ବାହାର କରନ୍ତୁ, ତାର ଫ୍ଲାସ୍ ଲାଇଟ୍ ଜଳାନ୍ତୁ। ଚାରିପଟେ ଏହା ହେଉଛି ଆଜାଦୀ କି ଅମୃତ ମହୋତ୍ସବର ଏହା ହେଉଛି ନୂଆ ରଙ୍ଗ, ଏହା ହେଉଛି ନୂଆ ଆନନ୍ଦ ଉଲ୍ଲାସ, ଏହା ବି ହେଉଛି ନୂଆ ସୁଯୋଗ, ମୋ ସହିତ କୁହନ୍ତୁ …   

 

ଭାରତ ମାତା କୀ ଜୟ !

ଭାରତ ମାତା କୀ ଜୟ !

ବନ୍ଦେ ମାତରମ୍ !

ବନ୍ଦେ ମାତରମ୍ !

ବନ୍ଦେ ମାତରମ୍ !

ବନ୍ଦେ ମାତରମ୍ !

ବହୁତ ବହୁତ ଧନ୍ୟବାଦ!

 

***


(रिलीज़ आईडी: 2189272) आगंतुक पटल : 11
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Bengali , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam