PIB Headquarters
azadi ka amrit mahotsav

ସମନ୍ୱିତ ଶୀତଳ ଶୃଙ୍ଖଳା ଏବଂ ମୂଲ୍ୟ ବୃଦ୍ଧି ଭିତ୍ତିଭୂମି (ଆଇସିସିଭିଏଆଇ)


ଚାଷଜମିରୁ ଗ୍ରାହକଙ୍କ ପର୍ଯ୍ୟନ୍ତ ଭାରତର ଅମଳ ପରବର୍ତ୍ତୀ ଯୋଗାଣ ଶୃଙ୍ଖଳ

Posted On: 29 OCT 2025 10:18AM by PIB Bhubaneshwar

ମୁଖ୍ୟାଂଶ

 

ଜୁଲାଇ ୨୦୨୫ରେ, କେନ୍ଦ୍ର କ୍ୟାବିନେଟ୍ ପିଏମକେଏସୱାଇ ପାଇଁ ଅତିରିକ୍ତ ୧,୯୨୦ କୋଟି ଟଙ୍କା ମଞ୍ଜୁର କରିଥିଲେ, ଯାହା ୧୫ତମ ଅର୍ଥ କମିଶନ ଚକ୍ର (ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ) ପାଇଁ ମୋଟ ବ୍ୟୟ ବରାଦକୁ ୬,୫୨୦ କୋଟି ଟଙ୍କାକୁ ବୃଦ୍ଧି କରିଥିଲା।

 

ଏହି ଅନୁମୋଦନରେ ସମନ୍ବିତ ଶୀତଳ ଶୃଙ୍ଖଳ ଏବଂ ମୂଲ୍ୟ ବୃଦ୍ଧି ଭିତ୍ତିଭୂମି (ଆଇସିସିଭିଏଆଇ) ଅଧୀନରେ ୫୦ ଟି ବହୁ-ଉତ୍ପାଦ ଖାଦ୍ୟ ବିକିରଣ ୟୁନିଟ୍ ସ୍ଥାପନ ପାଇଁ ୧,୦୦୦ କୋଟି ଟଙ୍କା ଅନ୍ତର୍ଭୁକ୍ତ।

 

୨୦୦୮ ମସିହାରୁ, ୩୯୫ ଟି ଶୀତଳ ଶୃଖଳ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି; ଏଥିମଧ୍ୟରୁ ୨୯୧ ଟି ସମ୍ପୂର୍ଣ୍ଣ ଏବଂ କାର୍ଯ୍ୟକ୍ଷମ ହୋଇଛି, ଯାହା ବାର୍ଷିକ ୨୫.୫୨ ଲକ୍ଷ ମେଟ୍ରିକ୍ ଟନ୍ ସଂରକ୍ଷଣ ଏବଂ ୧୧୪.୬୬ ଲକ୍ଷ ମେଟ୍ରିକ୍ ଟନ୍ ପ୍ରକ୍ରିୟାକରଣ କ୍ଷମତା ସୃଷ୍ଟି କରୁଛି। ଏହା ୧.୭୪ ଲକ୍ଷ ନିଯୁକ୍ତି ସୃଷ୍ଟି କରିଛି।

 

୨୦୧୬-୧୭ ମସିହାରୁ, ୨୬୯ଟି ପ୍ରକଳ୍ପ ପାଇଁ ଅନୁମୋଦିତ ୨,୦୬୬.୩୩ କୋଟି ଟଙ୍କାର ଅନୁଦାନ ମଧ୍ୟରୁ ୧,୫୩୫.୬୩ କୋଟି ଟଙ୍କା ଜାରି କରାଯାଇଛି। ଏଥିମଧ୍ୟରୁ ୧୬୯ ଟି ପ୍ରକଳ୍ପ ସାରା ଦେଶରେ କାର୍ଯ୍ୟକ୍ଷମ ଅଛି।

 

 

 

ଭାରତରେ ଫସଲ ପରବର୍ତ୍ତୀ କ୍ଷତି ଏକ ପ୍ରମୁଖ ଆହ୍ବାନ ହୋଇ ରହିଛି। ବିଶେଷକରି ଫଳ ଏବଂ ପନିପରିବା, ଦୁଗ୍ଧ, ମାଂସ, କୁକୁଡ଼ା ଏବଂ ମାଛ ପରି ପଚନଶୀଳ ସାମଗ୍ରୀ ପାଇଁ ଏହା ଏକ ବଡ଼ ସମସ୍ୟା । ଗବେଷଣାରୁ ଜଣାପଡିଛି ଯେ, ଉତ୍ପାଦନ ଏବଂ ପରିଚାଳନା ଠାରୁ ପରିବହନ, ସଂରକ୍ଷଣ ଏବଂ ପ୍ରକ୍ରିୟାକରଣ ପର୍ଯ୍ୟନ୍ତ ସମଗ୍ର ଯୋଗାଣ ଶୃଙ୍ଖଳରେ ଏପରି କ୍ଷତି ବହୁଳ ଭାବରେ ଘଟେ । ଏହା ଦ୍ବାରା ଚାଷୀଙ୍କ ଆୟ କମିଥାଏ, ଗ୍ରାହକଙ୍କ ଲାଗି ଦରବୃଦ୍ଧି ହୁଏ ଏବଂ ଖାଦ୍ୟ ସୁରକ୍ଷାକୁ ଦୁର୍ବଳ ହୁଏ। ଏହି ଚ୍ୟାଲେଞ୍ଜଗୁଡ଼ିକର ସମାଧାନ ପାଇଁ, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରଣାଳୟ ସମନ୍ବିତ ଶୀତଳ ଶୃଙ୍ଖଳ ଏବଂ ମୂଲ୍ୟ ସଂଯୁକ୍ତି ଭିତ୍ତିଭୂମି (ଆଇସିସିଭିଏଆଇ) ସ୍କିମ୍ ଚଳାଉଛି । ଏହା ସାଧାରଣଭାବେ ପ୍ରଧାନମନ୍ତ୍ରୀ କିଷାନ ସମ୍ପଦା ଯୋଜନା (ପିଏମକେଏସଓ୍ବାଇ)ର କୋଲ୍ଡ ଚେନ ସ୍କିମ ଭାବେ ଜଣାଶୁଣା । 

ଏହାର ପ୍ରାଥମିକ ଲକ୍ଷ୍ୟ ହେଉଛି ଚାଷଜମିରୁ ଖୁଚୁରା ବଜାର ପର୍ଯ୍ୟନ୍ତ ଏକ ସୁଗମ ଶୀତଳ ଶୃଙ୍ଖଳ ସୃଷ୍ଟି କରିବା, ଅମଳ ପରବର୍ତ୍ତୀ କ୍ଷତି ହ୍ରାସ କରିବା ଏବଂ ଚାଷୀମାନଙ୍କୁ ସେମାନଙ୍କ ଉତ୍ପାଦ ଉପରେ ଉତ୍ତମ ଲାଭ ସୁନିଶ୍ଚିତ କରିବାରେ ସାହାଯ୍ୟ କରିବା। ଯଦିଓ ଏହି ଯୋଜନା ପୂର୍ବରୁ ଆରମ୍ଭ କରାଯାଇଥିଲା, ଏହାକୁ ୨୦୨୬-୨୭ରେ ପୁନର୍ଗଠିତ କରାଯାଇଥିଲା ଏବଂ ପିଏମକେଏସଓ୍ବାଇ ଅଧୀନରେ ଅନ୍ତର୍ଭୁକ୍ତ କରାଯାଇଥିଲା। ପିଏମକେଏସଓ୍ବାଇ ହେଉଛି ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରଣାଳୟର ଏକ ବ୍ୟାପକ ଯୋଜନା ଯାହାର ଲକ୍ଷ୍ୟ ହେଉଛି କ୍ଷେତଠାରୁ ଖୁଚୁରା ଦୋକାନ ପର୍ଯ୍ୟନ୍ତ ଦକ୍ଷ ଯୋଗଣ ଶୃଙ୍ଖଳ ଓ ସଂଯୋଗ ସହିତ ଆଧୁନିକ ଭିତ୍ତିଭୂମି ସୃଷ୍ଟି କରିବା। ଚାଷୀ, ପ୍ରକ୍ରିୟାକରଣକାରୀ ଏବଂ ବଜାରକୁ ସଂଯୋଗ କରି ବ୍ୟାପକ ଶୀତଳ ଶୃଙ୍ଖଳ ସମାଧାନ ସୃଷ୍ଟି କରିବା, ଅପଚୟ ହ୍ରାସ କରିବା, ନିଯୁକ୍ତି ବୃଦ୍ଧି କରିବା ଏବଂ ନଷ୍ଟଶୀଳ ସାମଗ୍ରୀ ଉଦ୍ୟୋଗକୁ ପ୍ରତିଯୋଗିତାକ୍ଷମ କରିବା ପାଇଁ କୋଲ୍ଡଚେନ୍ ଯୋଜନା ପିଏମକେଏସଓ୍ବାଇ ଅଧୀନକୁ ଅଣାଯାଇଥିଲା । 

କେବଳ ଏତିକି ନୁହେଁ, କୋଲ୍ଡ ଚେନ ଭିତ୍ତିଭୂମିର ଗୁରୁତ୍ୱ କେବଳ ସଂରକ୍ଷଣ ପର୍ଯ୍ୟନ୍ତ ସୀମିତ ରହିନାହିଁ। ଏଥିରେ ଅନ୍ତର୍ଭୁକ୍ତ ରହିଛି କୃଷିକ୍ଷେତ୍ରରେ ପ୍ରାକ୍-ଶୀତଳୀକରଣ ସୁବିଧା, ଆଧୁନିକ ପ୍ରକ୍ରିୟାକରଣ କେନ୍ଦ୍ର, ଦକ୍ଷ ବଣ୍ଟନ କେନ୍ଦ୍ର ଏବଂ ତାପମାତ୍ରା-ନିୟନ୍ତ୍ରିତ ପରିବହନ ବ୍ୟବସ୍ଥା ଓ ଏ ସମସ୍ତ ସମନ୍ବୟର ସହ କାମ କରନ୍ତି । ଏହି ଯୋଜନା ବିଭିନ୍ନ କ୍ଷେତ୍ରକୁ ଅନ୍ତର୍ଭୁକ୍ତ କରେ, ଯେପରିକି ଉଦ୍ୟାନ କୃଷି (ଫଳ ଏବଂ ପନିପରିବା କ୍ଷେତ୍ର ବ୍ୟତୀତ, ଯାହାକୁ ୨୦୨୨ରୁ ଏକ ପୃଥକ ଯୋଜନା ଅଧୀନରେ ଅଣାଯାଇଛି), ଦୁଗ୍ଧ, ମାଂସ, କୁକୁଡ଼ା ଏବଂ ସାମୁଦ୍ରିକ କିମ୍ବା ମାଛ ଉତ୍ପାଦ (ଚିଙ୍ଗୁଡ଼ି ବ୍ୟତୀତ) । ଫଳରେ ଏହା କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ପାଇଁ ଗୁରୁତ୍ବପୂର୍ଣ୍ଣ ଏକ ବିସ୍ତୃତ ବର୍ଗକୁ ଅନ୍ତର୍ଭୁକ୍ତ କରିଥାଏ । ଏହି ପୁନର୍ଗଠନର ଲକ୍ଷ୍ୟ ହେଉଛି ସହାୟତାକୁ ସୁଗମ କରିବା ଏବଂ ଡୁପ୍ଲିକେସନ୍ ରୋକିବା । ଏହା ଯୋଗାଣ ଶୃଙ୍ଖଳକୁ ସ୍ଥିର କରିବା ପାଇଁ ପିଏମକେଏସଓ୍ବାଇର ଅନ୍ୟ ଏକ ଉପାଦାନ ଅପରେସନ୍ ଗ୍ରୀନ୍ସ ଯୋଜନା ଅଧୀନକୁ ଫଳ, ପନିପରିବା ଏବଂ ଚିଙ୍ଗୁଡ଼ିକୁ ସ୍ଥାନାନ୍ତରିତ କରିଥିଲା।

୨୦୨୦ ମସିହାରେ ନାବାର୍ଡ କନସଲ୍ଟାନ୍ସି ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍ (ନାବକନ୍ସ) ଦ୍ୱାରା କରାଯାଇଥିବା ଏକ ମୂଲ୍ୟାୟନରୁ ଜଣାପଡିଛି ଯେ, ଆଇସିସିଭିଏଆଇ ଯୋଜନା ଅଧୀନରେ ନିଆଯାଇଥିବା ପଦକ୍ଷେପଗୁଡ଼ିକ ଫଳ ଏବଂ ପନିପରିବା, ଦୁଗ୍ଧ ଏବଂ ମତ୍ସ୍ୟ କ୍ଷେତ୍ରରେ ଅପଚୟକୁ ଯଥେଷ୍ଟ ହ୍ରାସ କରିଛି।

 

ଆଇସିସିଭିଏଆଇର ଉଦ୍ଦେଶ୍ୟ

କୋଲ୍ଡ ଚେନ୍ ଭିତ୍ତିଭୂମିର ସାମଗ୍ରିକ ବିକାଶ ସୁନିଶ୍ଚିତ କରିବା ପାଇଁ ଯୋଜନାର ଉଦ୍ଦେଶ୍ୟ ପ୍ରତିଷ୍ଠା ସମୟରୁ ହିଁ ସ୍ପଷ୍ଟ ଭାବରେ ପରିଭାଷିତ ହୋଇଥିଲା:

 

 

ଆଇସିସିଭିଏଆଇର ପ୍ରମୁଖ ଉପାଦାନ

ଏହି ଯୋଜନା ଯୋଗାଣ ଶୃଙ୍ଖଳରେ ବିଭିନ୍ନ ବ୍ୟବସ୍ଥା ସୃଷ୍ଟିକୁ ସମର୍ଥନ କରେ, ବିଶେଷକରି କୃଷି ସ୍ତରରେ ଭିତ୍ତିଭୂମି ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଏ। ସାଧାରଣ ଶୀତଳ ଶୃଙ୍ଖଳ ଯୋଜନା (୨୨.୦୫.୨୦୨୫ ର ନିର୍ଦ୍ଦେଶାବଳୀ ଅନୁଯାୟୀ) ଅଧୀନରେ ଆର୍ଥିକ ସହାୟତା ପାଇବା ପାଇଁ, ଜଣେ ଆବେଦନକାରୀଙ୍କୁ କୃଷିକ୍ଷେତ୍ର ସ୍ତରୀୟ ଭିତ୍ତିଭୂମି (ଏଫଏଲଆଇ) ସ୍ଥାପନ କରିବାକୁ ପଡିବ ଏବଂ ଏହାକୁ ଏକ ବଣ୍ଟନ କେନ୍ଦ୍ର (ଡିଏଚ୍) ଏବଂ/କିମ୍ବା ଶୀତଳ/ଅନୁପାତିକ ପରିବହନ ସହିତ ସଂଯୋଗ କରିବାକୁ ପଡିବ।

ଏହାର ପ୍ରମୁଖ ଉପାଦାନ ନିମ୍ନରେ ଦିଆଗଲା..

 

ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପନ ପାଇଁ ଯୋଗ୍ୟତା 

ଆଇସିସିଭିଏଆଇ ଏକ ଚାହିଦା-ଚାଳିତ ଯୋଜନା। ବିଭିନ୍ନ ଯୋଗ୍ୟ ସଂସ୍ଥା (ପ୍ରକଳ୍ପ କାର୍ଯ୍ୟାନ୍ୱୟନ ଏଜେନ୍ସି - ପିଆଇଏ) ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପନ କରିପାରିବେ। ପିଆଇଏ ନିମ୍ନଲିଖିତ ମଧ୍ୟରୁ ଯେକୌଣସି ହୋଇପାରେ:

• ବ୍ୟକ୍ତିବିଶେଷ (କୃଷକଙ୍କ ସମେତ)

• ସଂସ୍ଥା/ସଂଗଠନ ଯେପରିକି କୃଷକ ଉତ୍ପାଦକ ସଂଗଠନ (ଏଫପିଓ), ଚାଷୀ ଉତ୍ପାଦକ କମ୍ପାନୀ (ଏଫପିସି), ଅଣ-ସରକାରୀ ସଂଗଠନ (ଏନଜିଓ), ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ପିଏସୟୁ), ଫାର୍ମ, କମ୍ପାନୀ, କର୍ପୋରେସନ, ସମବାୟ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ।

ମନ୍ତ୍ରଣାଳୟ ପାଣ୍ଠିର ଉପଲବ୍ଧତା ଉପରେ ଆଧାର କରି ଏକ ଆଗ୍ରହ ପ୍ରକାଶ (ଇଓଆଇ) ମାଧ୍ୟମରେ ଯୋଗ୍ୟ ସଂସ୍ଥାଗୁଡ଼ିକଠାରୁ ଆବେଦନ/ପ୍ରସ୍ତାବ ଆମନ୍ତ୍ରଣ କରେ। ଖାଦ୍ୟ ସାମଗ୍ରୀ ସଂରକ୍ଷଣ ବ୍ୟବସ୍ଥା ପାଇଁ ରାଜ୍ୟଗୁଡ଼ିକରୁ ସମ୍ମତି ନେବା ବାଧ୍ୟତାମୂଳକ ନୁହେଁ, ତେବେ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପନ କରିବାରେ ସେମାନଙ୍କର ସହାୟତା ଆବଶ୍ୟକ।

ଆଇସିସିଭିଏଆଇ ଯୋଜନାର ପରିପୂରକ ପ୍ରମୁଖ ସରକାରୀ ପଦକ୍ଷେପ

ସମନ୍ବିତ ଉଦ୍ୟାନ କୃଷି ବିକାଶ ମିଶନ (ଏନଆଇଡିଏଚ) ଜାତୀୟ ଉଦ୍ୟାନ କୃଷି ବୋର୍ଡ (ଏନଏଚବି), ଅପରେସନ ଗ୍ରିନ ସ୍କିମ ଏବଂ କୃଷି ଭିତ୍ତିଭୂମି ପାଣ୍ଠି (ଏଆଇଏଫ) ହେଉଛି ଆଇସିସିଭିଏଆଇ ଯୋଜନାର ପରିପୂରକ କିଛି ପ୍ରମୁଖ ସରକାରୀ ପଦକ୍ଷେପ।

ଆର୍ଥିକ ସହାୟତା 

ଜୁଲାଇ ୨୦୨୫ରେ, କେନ୍ଦ୍ର କ୍ୟାବିନେଟ୍ ପିଏମକେଏସଓ୍ବାଇ ପାଇଁ ୧୯୨୦ କୋଟି ଟଙ୍କାର ଅତିରିକ୍ତ ବ୍ୟୟବରାଦକୁ ଅନୁମୋଦନ କରିଥିଲେ, ଏହା ସହିତ ୧୫ତମ ଅର୍ଥ କମିଶନ ଚକ୍ର (୩୧ ମାର୍ଚ୍ଚ, ୨୦୨୬ ପର୍ଯ୍ୟନ୍ତ) ପାଇଁ ମୋଟ ଆବଣ୍ଟନ ୬,୫୨୦ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା। ଏହି ଅନୁମୋଦନ ଅଧିନରେ ସମନ୍ୱିତ ଶୀତଳ ଶୃଙ୍ଖଳ ଏବଂ ମୂଲ୍ୟ ବୃଦ୍ଧି ଭିତ୍ତିଭୂମି (ଆଇସିସିଭିଏଆଇ) ଅଧୀନରେ ୫୦ଟି ବହୁ-ଉତ୍ପାଦ ଖାଦ୍ୟ ବିକିରଣ ୟୁନିଟ୍ ସ୍ଥାପନ ପାଇଁ ୧୦୦୦ କୋଟି ଟଙ୍କା ଅନ୍ତର୍ଭୁକ୍ତ। ଏହି ଗୁରୁତ୍ୱପୂର୍ଣ୍ଣ ବୃଦ୍ଧି କୋଲ୍ଡଚେନ ଭିତ୍ତିଭୂମିର ପହଞ୍ଚକୁ ବିସ୍ତାର କରିବା ପାଇଁ ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ। ଏହି ସ୍କିମ କୋଲ୍ଡ ଚେନ ପ୍ରକଳ୍ପ ସ୍ଥାପନ ପାଇଁ ଅନୁଦାନ ଓ ସବସିଡି ପ୍ରଦାନ କରିଥାଏ । ସାଧାରଣ ଅଞ୍ଚଳରେ ଏହା ପ୍ରକଳ୍ପମୂଲ୍ୟର ୩୫ ପ୍ରତିଶତ ଓ ଦୁର୍ଗମ ଅଞ୍ଚଳ ଏବଂ ଅନୁସୂଚୀତ ଜାତି ଓ ଜନଜାତି, ଏପପିଓ ଓ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ପ୍ରସ୍ତାବିତ ପ୍ରକଳ୍ପ ମୂଲ୍ୟର ୫୦ ପ୍ରତିଶତ ହୋଇଥାଏ । 

ସଫଳତା ଏବଂ ଅଗ୍ରଗତି

୨୦୦୮ ମସିହାରେ ଆରମ୍ଭ ହେବା ପରଠାରୁ ଜୁନ୍ ୨୦୨୫ ସୁଦ୍ଧା, କୋଲ୍ଡ ଚେନ୍ ଯୋଜନା ଅଧୀନରେ ମୋଟ ୩୯୫ଟି ସମନ୍ୱିତ କୋଲ୍ଡ ଚେନ୍ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ଏଥିମଧ୍ୟରୁ ୨୯୧ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇ କାର୍ଯ୍ୟକ୍ଷମ ହୋଇଛି, ଯାହା ପ୍ରତିବର୍ଷ ୨୫.୫୨ ଲକ୍ଷ ମେଟ୍ରିକ୍ ଟନ୍ ସଂରକ୍ଷଣ କ୍ଷମତା ଏବଂ ୧୧୪.୬୬ ଲକ୍ଷ ମେଟ୍ରିକ୍ ଟନ୍ ପ୍ରକ୍ରିୟାକରଣ କ୍ଷମତା ସୃଷ୍ଟି କରୁଛି। ସଂପୂର୍ଣ୍ଣ ହୋଇଥିବା ଓ କାର୍ଯ୍ୟକ୍ଷମ ପ୍ରକଳ୍ପଗୁଡ଼ିକ ସାରା ଦେଶରେ ୧୭୪,୬୦୦ ନିଯୁକ୍ତି ସୃଷ୍ଟି କରିଛନ୍ତି।

 

 

ପ୍ରମୁଖ ସଂଶୋଧନ ଓ ନୀତି ସଂପର୍କରେ ନୂଆ ସୂଚନା 

ଯୋଜନାର ପ୍ରଭାବଶାଳୀତା ବୃଦ୍ଧି କରିବା ଏବଂ ଏହାକୁ ଉଦୀୟମାନ ଆବଶ୍ୟକତା ସହିତ ସମନ୍ୱିତ କରିବା ପାଇଁ ଏଥିରେ ବିଭିନ୍ନ ସମୟରେ ସଂଶୋଧନ କରାଯାଇଛି । 

ଜୁନ୍ ୨୦୨୨ ସଂଶୋଧନ: ୮ ଜୁନ୍ ୨୦୨୨ରେ ଏକ ଗୁରୁତ୍ୱପୂର୍ଣ୍ଣ ନୀତିଗତ ପରିବର୍ତ୍ତନ କାର୍ଯ୍ୟକାରୀ ହୋଇଥିଲା, ଯେତେବେଳେ ଯୋଜନା ଅଧୀନରେ ଫଳ ଏବଂ ପନିପରିବା କ୍ଷେତ୍ରରେ ଶୀତଳ ଶୃଙ୍ଖଳ ପ୍ରକଳ୍ପ ପାଇଁ ପ୍ରୋତ୍ସାହନ ବନ୍ଦ କରାଯାଇଥିଲା। ଏହା ବ୍ୟତୀତ, ଏହି କ୍ଷେତ୍ରକୁ ଅପରେସନ୍ ଗ୍ରୀନ୍ସ ଯୋଜନାରେ ସ୍ଥାନାନ୍ତରିତ କରାଯାଇଥିଲା । 

ଅଗଷ୍ଟ ୨୦୨୪ ନିର୍ଦ୍ଦେଶାବଳୀ: କୋଲ୍ଡ ଶୃଙ୍ଖଳ ଯୋଜନା ଅଧୀନରେ ବହୁ-ଉତ୍ପାଦ ଖାଦ୍ୟ ବିକିରଣ ୟୁନିଟ୍ (ଖାଦ୍ୟ ସଂରକ୍ଷଣ, ସେଲ୍ଫ ଲାଇଫ୍ ବୃଦ୍ଧି ଏବଂ ବିଭିନ୍ନ ଉତ୍ପାଦ ପାଇଁ ଅମଳ ପରବର୍ତ୍ତୀ କ୍ଷତି ହ୍ରାସ କରିବା ପାଇଁ ଆୟନାଇଜିଂ ବିକିରଣ ବ୍ୟବହାର) ପ୍ରତିଷ୍ଠା ପାଇଁ ୨୦୨୪ ଅଗଷ୍ଟ ୬ରେ କାର୍ଯ୍ୟକ୍ଷମ ଯୋଜନା ନିର୍ଦ୍ଦେଶାବଳୀ ଜାରି କରାଯାଇଥିଲା। 

ମେ ୨୦୨୫ ସଂଶୋଧନ: ୨୨ ମେ ୨୦୨୫ରେ ଜାରି ହୋଇଥିବା ସର୍ବଶେଷ କାର୍ଯ୍ୟକ୍ଷମ ନିର୍ଦ୍ଦେଶାବଳୀ, ଚାଷ ଠାରୁ ଗ୍ରାହକ ପର୍ଯ୍ୟନ୍ତ ସମଗ୍ର ଯୋଗାଣ ଶୃଙ୍ଖଳରେ ସଂରକ୍ଷଣ ଏବଂ ମୂଲ୍ୟ-ସଂଯୋଜନ ଭିତ୍ତିଭୂମିକୁ ସୁଦୃଢ଼ କରିବା ଉପରେ ଧ୍ୟାନ ଦିଏ। ଏହି ପଦକ୍ଷେପଗୁଡ଼ିକର ଲକ୍ଷ୍ୟ ଅଣ-ଉଦ୍ୟାନ କୃଷି ଉତ୍ପାଦର ଅମଳ ପରବର୍ତ୍ତୀ କ୍ଷତିକୁ ହ୍ରାସ କରିବା, ଚାଷୀମାନେ ଯେପରି ଉଚିତ୍ ଏବଂ ଲାଭଦାୟକ ମୂଲ୍ୟ ପାଇବେ ଏବଂ ଗ୍ରାହକମାନେ ବର୍ଷସାରା ଖାଦ୍ୟ ଉତ୍ପାଦର ଉପଲବ୍ଧତାରୁ ଉପକୃତ ହେବେ ତାହା ନିଶ୍ଚିତ କରିବା।

 

ଉପସଂହାର

ଏହି ଯୋଜନାର ବିକାଶ ସମ୍ବେଦନଶୀଳ ପ୍ରଶାସନକୁ ପ୍ରତିଫଳିତ କରେ। ୨୦୨୨ରେ କ୍ଷେତ୍ର-ୱାରୀ ପୁନର୍ଗଠନ, ଫଳ ଏବଂ ପନିପରିବା ଅପରେସନ୍ ଗ୍ରୀନ୍ସକୁ ସ୍ଥାନାନ୍ତର, ରଣନୈତିକ ବିଶେଷଜ୍ଞତା ପ୍ରଦାନ କରେ। ୨୦୨୫ ବଜେଟରେ ୬,୫୨୦ କୋଟି ଟଙ୍କାର ବୃଦ୍ଧି କୋଲ୍ଡଚେନ ଭିତ୍ତିଭୂମିର ପ୍ରଭାବକୁ ସୁଦୃଢ଼ ଏବଂ ବିସ୍ତାର କରିବା ପାଇଁ ସରକାରଙ୍କ ଦୂରଦୃଷ୍ଟିକୁ ସ୍ପଷ୍ଟ କରେ। ବିକିରଣ ସୁବିଧାର ପ୍ରଚଳନ ଏବଂ ନିର୍ଦ୍ଦେଶାବଳୀର ନିୟମିତ ସଂଶୋଧନ ପ୍ରଯୁକ୍ତିବିଦ୍ୟା ଉନ୍ନତି ଏବଂ ଭୂମି-ସ୍ତରୀୟ ଆବଶ୍ୟକତା ପ୍ରତି ସମ୍ବେଦନଶୀଳତା ପ୍ରଦର୍ଶନ କରେ।

ଯୋଜନାର ଆର୍ଥିକ ଢାଞ୍ଚା ନିଶ୍ଚିତ କରେ ଯେ, ଶୀତଳ ଶୃଙ୍ଖଳ ବିକାଶ ବ୍ୟକ୍ତିଗତ ଚାଷୀଙ୍କଠାରୁ ବଡ଼ କର୍ପୋରେଟ୍ ସଂସ୍ଥା ପର୍ଯ୍ୟନ୍ତ ବିଭିନ୍ନ ଅଂଶୀଦାରଙ୍କ ପାଇଁ ଆର୍ଥିକ ଭାବରେ ଲାଭଦାୟକ ରହିବ। ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନ ଯେପରି ପ୍ରକୃତ ବଜାର ଆବଶ୍ୟକତା ଅନୁସାରେ ହୁଏ ତାହା ନିଶ୍ଚିତ କରିବା ଏହାର ଲକ୍ଷ୍ୟ । ଏହା ବ୍ୟତୀତ, ଏହି ଯୋଜନାରେ ଆହୁରି ଯଥେଷ୍ଟ ସମ୍ଭାବନା ରହିଛି। 

 

TKM


(Release ID: 2184018) Visitor Counter : 3