ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
କୁଏତରେ ଭାରତୀୟ ସମ୍ପ୍ରଦାୟର କାର୍ଯ୍ୟକ୍ରମ 'ହଲା ମୋଦୀ’ ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Posted On:
21 DEC 2024 9:22PM by PIB Bhubaneshwar
ଭାରତ ମାତା କି-ଜୟ!
ଭାରତ ମାତା କି-ଜୟ!
ଭାରତ ମାତା କି-ଜୟ!
ନମସ୍କାର!
ମୁଁ ମାତ୍ର ଦୁଇ-ଅଢେଇ ଘଣ୍ଟା ପୂର୍ବରୁ କୁଏତରେ ପହଞ୍ଚିଥିଲି। ଏବଂ ଯେବେଠାରୁ ମୁଁ ଏଠାରେ ପାଦ ରଖିଥିଲି, ମୁଁ ଚାରିଆଡେ ନିଜସ୍ୱତା ଏବଂ ଉଷ୍ମତାର ଏକ ଅନନ୍ୟ ଭାବନା ଅନୁଭବ କରିଛି। ଆପଣମାନେ ସମସ୍ତେ ଭାରତର ଭିନ୍ନ ଭିନ୍ନ ରାଜ୍ୟରୁ ଆସିଛନ୍ତି, କିନ୍ତୁ ଆପଣମାନଙ୍କୁ ଦେଖି ଲାଗୁଛି ଯେମିତି ମୋ ଆଗରେ ଏକ କ୍ଷୁଦ୍ର ହିନ୍ଦୁସ୍ତାନ ଜୀବନ୍ତ ହୋଇ ଉଠିଛି। ଏଠାରେ ମୁଁ ଉତ୍ତର, ଦକ୍ଷିଣ, ପୂର୍ବ ଏବଂ ପଶ୍ଚିମର ଲୋକମାନଙ୍କୁ ଭିନ୍ନ ଭିନ୍ନ ଭାଷା ଏବଂ ଉପଭାଷା କହୁଥିବା ଦେଖୁଛି। ତଥାପି, ସମସ୍ତଙ୍କ ହୃଦୟରେ ଗୋଟିଏ ସାଧାରଣ ପ୍ରତିଧ୍ୱନି ରହିଛି, ସମସ୍ତଙ୍କ ହୃଦୟରେ ଗୋଟିଏ ପ୍ରତିଧ୍ୱନି-ଭାରତ ମାତା କି ଜୟ, ଭାରତ ମାତା କି-ଜୟ।
ଏଠାରେ ସଂସ୍କୃତିର ଏକ ଉତ୍ସବର ବାତାବରଣ ରହିଛି। ବର୍ତ୍ତମାନ, ଆପଣ ଖ୍ରୀଷ୍ଟମାସ ଏବଂ ନୂତନ ବର୍ଷ ପାଇଁ ପ୍ରସ୍ତୁତି କରୁଛନ୍ତି। ଖୁବ୍ ଶୀଘ୍ର ପୋଙ୍ଗଲ ଆସିବ। ମକର ସଂକ୍ରାନ୍ତି ହେଉ, ଲୋହରୀ ହେଉ, ବିହୁ ହେଉ, କିମ୍ବା ଏହିପରି ଅନେକ ପର୍ବପର୍ବାଣୀ ହେଉ, ସେଗୁଡ଼ିକ ବେଶୀ ଦୂର ନୁହେଁ। ମୁଁ ଆପଣ ସମସ୍ତଙ୍କୁ ଖ୍ରୀଷ୍ଟମାସ, ନୂତନ ବର୍ଷ ଏବଂ ଦେଶର କୋଣ ଅନୁକୋଣରେ ପାଳନ କରାଯାଉଥିବା ସମସ୍ତ ପର୍ବପର୍ବାଣୀ ପାଇଁ ହୃଦୟରୁ ଶୁଭେଚ୍ଛା ଜଣାଉଛି।
ବନ୍ଧୁଗଣ,
ଆଜି ଏହି ମୁହୂର୍ତ୍ତ ମୋ ପାଇଁ ବ୍ୟକ୍ତିଗତ ଭାବେ ଅତ୍ୟନ୍ତ ସ୍ୱତନ୍ତ୍ର। ୪୩ ବର୍ଷ ପରେ-ଚାରି ଦଶନ୍ଧିରୁ ଅଧିକ-ଭାରତର ଜଣେ ପ୍ରଧାନମନ୍ତ୍ରୀ କୁଏତ ଆସିଛନ୍ତି। ଭାରତରୁ କୁଏତ ପର୍ଯ୍ୟନ୍ତ ଯାତ୍ରା କରିବା ପାଇଁ ଆପଣଙ୍କୁ ମାତ୍ର ଚାରି ଘଣ୍ଟା ଲାଗିଥାଏ, କିନ୍ତୁ ଏହି ଯାତ୍ରା କରିବା ପାଇଁ ଜଣେ ପ୍ରଧାନମନ୍ତ୍ରୀଙ୍କୁ ଚାରି ଦଶନ୍ଧି ଲାଗିଥାଏ। ଆପଣମାନଙ୍କ ମଧ୍ୟରୁ ଅନେକ ପିଢ଼ି ପରେ ପିଢ଼ି କୁଏତରେ ରହୁଛନ୍ତି। ଆପଣମାନଙ୍କ ମଧ୍ୟରୁ କେତେକ ଏଠାରେ ଜନ୍ମ ମଧ୍ୟ ନେଇଛନ୍ତି। ଏବଂ ପ୍ରତିବର୍ଷ, ଶହ ଶହ ଭାରତୀୟ ଆପଣଙ୍କ ସମ୍ପ୍ରଦାୟରେ ଯୋଗ ଦିଅନ୍ତି। ଆପଣମାନେ କୁଏତ୍ ସମାଜରେ ଭାରତୀୟ ସ୍ୱାଦର ସ୍ପର୍ଶ ଯୋଡ଼ିଛନ୍ତି, କୁଏତ୍ ର କ୍ୟାନଭାସ୍ କୁ ଭାରତୀୟ ଦକ୍ଷତାର ରଙ୍ଗରେ ରଙ୍ଗିତ କରିଛନ୍ତି, ଏବଂ ଭାରତର ପ୍ରତିଭା, ପ୍ରଯୁକ୍ତିବିଦ୍ୟା ଏବଂ ପରମ୍ପରାକୁ କୁଏତ୍ ର ଢାଞ୍ଚାରେ ମିଶ୍ରଣ କରିଛନ୍ତି। ସେଥିପାଇଁ ମୁଁ ଆଜି ଏଠାକୁ ଆସିଛି-କେବଳ ଆପଣଙ୍କୁ ଭେଟିବା ପାଇଁ ନୁହେଁ, ବରଂ ଆପଣଙ୍କ ସଫଳତାକୁ ପାଳନ କରିବା ପାଇଁ।
ବନ୍ଧୁଗଣ,
କିଛି ସମୟ ପୂର୍ବରୁ ମୁଁ ଏଠାରେ କାର୍ଯ୍ୟ କରୁଥିବା ଭାରତୀୟ ଶ୍ରମିକ ଏବଂ ପେସାଦାରମାନଙ୍କୁ ଭେଟିଥିଲି। ଏହି ବନ୍ଧୁମାନେ ନିର୍ମାଣ କାର୍ଯ୍ୟରେ ଜଡ଼ିତ ଅଛନ୍ତି ଏବଂ ଅନ୍ୟ ଅନେକ କ୍ଷେତ୍ରରେ ମଧ୍ୟ ନିଜର କଠିନ ପରିଶ୍ରମର ଯୋଗଦାନ ଦେଉଛନ୍ତି। ଡାକ୍ତର, ନର୍ସ ଏବଂ ପାରାମେଡିକ୍ ଭାବରେ ଭାରତୀୟ ସମ୍ପ୍ରଦାୟର ସଦସ୍ୟମାନେ କୁଏତର ଚିକିତ୍ସା ଭିତ୍ତିଭୂମିର ଏକ ଗୁରୁତ୍ୱପୂର୍ଣ୍ଣ ଶକ୍ତି । ଆପଣମାନଙ୍କ ମଧ୍ୟରୁ ଯେଉଁମାନେ ଶିକ୍ଷକ, ସେମାନେ କୁଏତର ପରବର୍ତ୍ତୀ ପିଢ଼ିକୁ ସୁଦୃଢ଼ କରିବାରେ ଯୋଗଦାନ ଦେଉଛନ୍ତି। ଆପଣମାନଙ୍କ ମଧ୍ୟରୁ ଯେଉଁମାନେ ଇଞ୍ଜିନିୟର ଏବଂ ସ୍ଥପତି, ସେମାନେ କୁଏତରେ ପରବର୍ତ୍ତୀ ପିଢ଼ିର ଭିତ୍ତିଭୂମି ନିର୍ମାଣ କରୁଛନ୍ତି।
ଏବଂ ବନ୍ଧୁଗଣ,
ମୁଁ ଯେତେବେଳେ ବି କୁଏତର ନେତୃତ୍ୱଙ୍କ ସହ କଥା ହୁଏ, ସେମାନେ ସବୁବେଳେ ଆପଣଙ୍କର ବହୁତ ପ୍ରଶଂସା କରନ୍ତି। ଆପଣଙ୍କ କଠିନ ପରିଶ୍ରମ, ସଚ୍ଚୋଟତା ଏବଂ ଦକ୍ଷତା କାରଣରୁ କୁଏତର ନାଗରିକମାନେ ମଧ୍ୟ ଆପଣଙ୍କୁ ବହୁତ ସମ୍ମାନ କରନ୍ତି। ଆଜି ଭାରତ ଅର୍ଥ ପ୍ରେରଣ କ୍ଷେତ୍ରରେ ବିଶ୍ୱରେ ଅଗ୍ରଣୀ, ଏବଂ ଏହି ସଫଳତାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଆପଣ ସମସ୍ତ ପରିଶ୍ରମୀ ବନ୍ଧୁଙ୍କୁ ଯାଉଛି। ଆପଣଙ୍କ ଯୋଗଦାନକୁ ଆପଣଙ୍କ ଦେଶବାସୀ ଗଭୀର ସମ୍ମାନ କରନ୍ତି।
ବନ୍ଧୁଗଣ,
ଭାରତ ଏବଂ କୁଏତ ମଧ୍ୟରେ ସମ୍ପର୍କ ହେଉଛି ସଭ୍ୟତା, ସମୁଦ୍ର, ସ୍ନେହ ଏବଂ ବାଣିଜ୍ୟର। ଭାରତ ଏବଂ କୁଏତ ଆରବ ସାଗରର ବିପରୀତ କୂଳରେ ଅବସ୍ଥିତ। ଏହା କେବଳ କୂଟନୀତି ନୁହେଁ ଯାହା ଆମକୁ ବାନ୍ଧି ରଖେ, ବରଂ ହୃଦୟର ସଂଯୋଗ ମଧ୍ୟ। ଆମର ବର୍ତ୍ତମାନର ସମ୍ପର୍କ ଆମର ସହଭାଗୀ ଇତିହାସ ଭଳି ଶକ୍ତିଶାଳୀ। ଏକ ସମୟ ଥିଲା ଯେତେବେଳେ କୁଏତରୁ ମୋତି, ଖଜୁରୀ ଏବଂ ଚମତ୍କାର ପ୍ରଜାତିର ଘୋଡ଼ା ଭାରତକୁ ପଠାଯାଉଥିଲା, ଯେତେବେଳେ କି ଭାରତରୁ ଅନେକ ସାମଗ୍ରୀ ଏଠାକୁ ଆସୁଥିଲା। ଭାରତୀୟ ଚାଉଳ, ଚା’, ମସଲା, କପଡା ଏବଂ କାଠ ନିୟମିତ ଭାବେ କୁଏତକୁ ଅଣାଯାଉଥିଲା। ଭାରତର ଶାଗୁଆନ କାଠକୁ ଜାହାଜ ନିର୍ମାଣ ପାଇଁ ବ୍ୟବହାର କରାଯାଉଥିଲା, ଯାହା ଉପରେ କୁଏତର ନାବିକମାନେ ଦୀର୍ଘ ଯାତ୍ରା କରିଥିଲେ। କୁଏତର ମୁକ୍ତାଗୁଡ଼ିକ ଭାରତ ପାଇଁ ହୀରା ଭଳି ମୂଲ୍ୟବାନ। ଆଜି, ଭାରତୀୟ ଅଳଙ୍କାର ସାରା ବିଶ୍ୱରେ ପ୍ରସିଦ୍ଧ, ଏବଂ କୁଏତର ମୁକ୍ତାଗୁଡ଼ିକ ସେହି ପରମ୍ପରାରେ ଯୋଗଦାନ କରିଛନ୍ତି। ଗୁଜରାଟରେ, ଆମେ ପ୍ରାୟତଃ ଆମର ବୟସ୍କମାନଙ୍କ ଠାରୁ କାହାଣୀ ଶୁଣୁ ଯେ, ବିଗତ ଶତାବ୍ଦୀରେ, କିପରି କୁଏତ ଏବଂ ଭାରତ ମଧ୍ୟରେ ନିରନ୍ତର ଯାତ୍ରା ଏବଂ ବାଣିଜ୍ୟ ହେଉଥିଲା। ବିଶେଷ କରି ଉନବିଂଶ ଶତାବ୍ଦୀରେ କୁଏତ ବ୍ୟବସାୟୀମାନେ ସୁରଟକୁ ଆସିବା ଆରମ୍ଭ କରିଥିଲେ। ସେହି ସମୟରେ, ସୁରଟ କୁଏତ ମୋତି ପାଇଁ ଏକ ଅନ୍ତର୍ଜାତୀୟ ବଜାର ଥିଲା | ଗୁଜରାଟର ସୁରଟ, ପୋରବନ୍ଦର ଏବଂ ଭେରାଭାଲ ଭଳି ବନ୍ଦର ଏହି ଐତିହାସିକ ସମ୍ପର୍କର ସାକ୍ଷୀ ରହିଛି।
କୁଏତର ବ୍ୟବସାୟୀମାନେ ଗୁଜରାଟୀ ଭାଷାରେ ଅନେକ ପୁସ୍ତକ ମଧ୍ୟ ପ୍ରକାଶ କରିଛନ୍ତି। ଗୁଜରାଟ ପରେ, କୁଏତ ବ୍ୟବସାୟୀମାନେ ମୁମ୍ବାଇ ଏବଂ ଅନ୍ୟାନ୍ୟ ବଜାରରେ ମଧ୍ୟ ଏକ ସ୍ୱତନ୍ତ୍ର ଉପସ୍ଥିତି ପ୍ରତିଷ୍ଠା କରିଥିଲେ। ଏହାର ଏକ ଉଲ୍ଲେଖନୀୟ ଉଦାହରଣ ହେଉଛି କୁଏତର ପ୍ରସିଦ୍ଧ ବ୍ୟବସାୟୀ ଅବଦୁଲ ଲତିଫ ଅଲ ଅବଦୁଲ ରଜ୍ଜାକ, ଯାହାଙ୍କ ପୁସ୍ତକ 'ହାଓ ଟୁ କାଲକୁଲେଟ ପର୍ଲ ୱେଟ୍’ ମୁମ୍ବାଇରେ ପ୍ରକାଶିତ ହୋଇଥିଲା। ଅନେକ କୁଏତି ବ୍ୟବସାୟୀ ସେମାନଙ୍କ ରପ୍ତାନି ଏବଂ ଆମଦାନୀ ବ୍ୟବସାୟ ପାଇଁ ମୁମ୍ବାଇ, କୋଲକାତା, ପୋରବନ୍ଦର, ଭେରାଭାଲ ଏବଂ ଗୋଆରେ କାର୍ଯ୍ୟାଳୟ ଖୋଲିଥିଲେ। ଆଜି ମଧ୍ୟ ଅନେକ କୁଏତି ପରିବାର ମୁମ୍ବାଇର ମହମ୍ମଦ ଅଲ୍ଲୀ ଷ୍ଟ୍ରିଟରେ ରହୁଛନ୍ତି। ଏହା ଜାଣିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିପାରେ ଯେ ୬୦-୬୫ ବର୍ଷ ପୂର୍ବେ, ଭାରତୀୟ ଟଙ୍କା ଭାରତରେ ଯେପରି ଥିଲା, ସେହିପରି କୁଏତରେ ମଧ୍ୟ ବ୍ୟବହୃତ ହେଉଥିଲା। ସେତେବେଳେ, ଯଦି କେହି କୁଏତର ଏକ ଦୋକାନରୁ କିଛି କିଣୁଥିଲେ, ଭାରତୀୟ ଟଙ୍କା ମୁଦ୍ରା ଭାବରେ ଗ୍ରହଣ କରାଯାଉଥିଲା | "ରୁପିଆ", "ପାଇସା" ଏବଂ "ଆନା" ଭଳି ଶବ୍ଦ, ଯାହା ଭାରତୀୟ ମୁଦ୍ରା ଶବ୍ଦ ଭଣ୍ଡାରର ଅଂଶବିଶେଷ ଥିଲା, କୁଏତର ଲୋକମାନଙ୍କ ପାଇଁ ବେଶ୍ ପରିଚିତ ଥିଲା।
ବନ୍ଧୁଗଣ,
ସ୍ୱାଧୀନତା ପରେ କୁଏତକୁ ସ୍ୱୀକୃତି ପ୍ରଦାନ କରିଥିବା ବିଶ୍ୱର ପ୍ରଥମ ଦେଶଗୁଡ଼ିକ ମଧ୍ୟରୁ ଭାରତ ଅନ୍ୟତମ ସେଥିପାଇଁ ଏପରି ଏକ ଦେଶ ଏବଂ ସମାଜକୁ ଗସ୍ତ କରିବା, ଯାହା ସହିତ ଆମେ ଅନେକ ସ୍ମୃତି ଏବଂ ଅତୀତ ଏବଂ ବର୍ତ୍ତମାନର ଗଭୀର ସମ୍ପର୍କ ବାଣ୍ଟିଥାଉ, ଏହା ମୋ ପାଇଁ ପ୍ରକୃତରେ ସ୍ମରଣୀୟ ମୁଁ କୁଏତର ଜନସାଧାରଣ ଏବଂ ଏହାର ସରକାରଙ୍କ ନିକଟରେ ଗଭୀର ଭାବେ କୃତଜ୍ଞ ମୁଁ ବିଶେଷ କରି ମହାମାନ୍ୟ ଆମୀରଙ୍କୁ ତାଙ୍କ ସଦୟ ନିମନ୍ତ୍ରଣ ପାଇଁ ଧନ୍ୟବାଦ ଦେବାକୁ ଚାହେଁ
ବନ୍ଧୁଗଣ,
ଅତୀତରେ ସଂସ୍କୃତି ଏବଂ ବାଣିଜ୍ୟ ମାଧ୍ୟମରେ ସୃଷ୍ଟି ହୋଇଥିବା ବନ୍ଧନ ବର୍ତ୍ତମାନ ଏହି ନୂତନ ଶତାବ୍ଦୀରେ ନୂତନ ଉଚ୍ଚତାରେ ପହଞ୍ଚୁଛି। ଆଜି, କୁଏତ ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଶକ୍ତି ଏବଂ ବାଣିଜ୍ୟିକ ଅଂଶୀଦାର, ଏବଂ ଭାରତ ମଧ୍ୟ କୁଏତ କମ୍ପାନୀଗୁଡ଼ିକ ପାଇଁ ଏକ ପ୍ରମୁଖ ନିବେଶ ଗନ୍ତବ୍ୟସ୍ଥଳ। ନ୍ୟୁୟର୍କରେ ଆମର ସାକ୍ଷାତ ସମୟରେ କୁଏତର ମହାମାନ୍ୟ ଯୁବରାଜଙ୍କ ଦ୍ୱାରା ଉଲ୍ଲେଖ କରାଯାଇଥିବା ଏକ ଉକ୍ତି ମୁଁ ସ୍ପଷ୍ଟ ଭାବରେ ମନେ ପକାଉଛି। ସେ କହିଥିଲେ, "ଯେତେବେଳେ ଆପଣଙ୍କର ଆବଶ୍ୟକତା ଥାଏ, ଭାରତ ହେଉଛି ଆପଣଙ୍କର ଗନ୍ତବ୍ୟ ସ୍ଥଳ।" ଭାରତ ଏବଂ କୁଏତର ନାଗରିକମାନେ ସର୍ବଦା କଠିନ ସମୟ ଏବଂ ସଙ୍କଟ ସମୟରେ ପରସ୍ପର ସହିତ ଛିଡ଼ା ହୋଇଛନ୍ତି। କୋରୋନା ମହାମାରୀ ସମୟରେ ଉଭୟ ଦେଶ ପ୍ରତ୍ୟେକ ସ୍ତରରେ ପରସ୍ପରକୁ ସମର୍ଥନ କରିଥିଲେ। ଯେତେବେଳେ ଭାରତର ସବୁଠାରୁ ଅଧିକ ସାହାଯ୍ୟର ଆବଶ୍ୟକତା ଥିଲା, ସେତେବେଳେ କୁଏତ ଆମକୁ ତରଳ ଅକ୍ସିଜେନ ଯୋଗାଇ ଦେଇଥିଲା। ମହାମାନ୍ୟ, ଯୁବରାଜ ବ୍ୟକ୍ତିଗତ ଭାବେ ସମସ୍ତଙ୍କୁ ତ୍ୱରାନ୍ୱିତ ଭାବେ କାର୍ଯ୍ୟ କରିବା ପାଇଁ ପ୍ରେରିତ କରିବା ପାଇଁ ଆଗେଇ ଆସିଥିଲେ। ମୁଁ ସନ୍ତୁଷ୍ଟ ଯେ ଭାରତ ମଧ୍ୟ କୁଏତକୁ ସଙ୍କଟ ମୁକାବିଲା କରିବାରେ ସାହାଯ୍ୟ କରିବା ପାଇଁ ଟିକା ଏବଂ ଡାକ୍ତରୀ ଦଳ ପଠାଇ ନିଜର ସହାୟତା ପ୍ରଦାନ କରିଛି। କୁଏତ ଏବଂ ଏହାର ଆଖପାଖ ଅଞ୍ଚଳ ପାଇଁ ଅତ୍ୟାବଶ୍ୟକ ଖାଦ୍ୟ ଯୋଗାଣର କୌଣସି ଅଭାବ ନହେବା ପାଇଁ ଭାରତ ଏହାର ବନ୍ଦରଗୁଡ଼ିକୁ ଖୋଲା ରଖିଥିଲା। ଚଳିତ ବର୍ଷ ଜୁନ୍ ମାସରେ କୁଏତରେ ଏକ ହୃଦୟ ବିଦାରକ ଘଟଣା ଘଟିଥିଲା-ମଙ୍ଗାଫରେ ଘଟିଥିବା ଅଗ୍ନିକାଣ୍ଡ-ଯେଉଁଥିରେ ଅନେକ ଭାରତୀୟଙ୍କ ଜୀବନ ଯାଇଥିଲା। ଯେତେବେଳେ ମୁଁ ଏହି ଖବର ଶୁଣିଲି, ମୁଁ ଗଭୀର ଭାବେ ଚିନ୍ତିତ ଥିଲି। ତେବେ, ସେହି ସମୟରେ କୁଏତ ସରକାର ଯେଉଁଭଳି ଭାବେ ନିଜର ସମର୍ଥନ ପ୍ରଦାନ କରିଥିଲେ, ତାହା ଜଣେ ପ୍ରକୃତ ଭାଇ ଭଳି ଥିଲା। ମୁଁ କୁଏତର ଉତ୍ସାହ ଏବଂ ସହାନୁଭୂତିକୁ ଅଭିବାଦନ ଜଣାଉଛି।
ବନ୍ଧୁଗଣ,
ଉଭୟ ସୁଖ ଏବଂ ଦୁଃଖରେ ପରସ୍ପର ସହିତ ଠିଆ ହେବାର ଏହି ପରମ୍ପରା ଆମର ପାରସ୍ପରିକ ସମ୍ପର୍କ ଏବଂ ବିଶ୍ୱାସର ମୂଳଦୁଆ ଗଠନ କରେ । ଆଗାମୀ ଦଶନ୍ଧିଗୁଡ଼ିକରେ ଆମେ ସମୃଦ୍ଧି କ୍ଷେତ୍ରରେ ଆହୁରି ଅଧିକ ଅଂଶୀଦାର ହେବୁ। ଆମର ଲକ୍ଷ୍ୟ ବହୁତ ଭିନ୍ନ ନୁହେଁ। କୁଏତର ଲୋକମାନେ ନୂତନ କୁଏତର ନିର୍ମାଣ ଦିଗରେ କାର୍ଯ୍ୟ କରୁଛନ୍ତି ଏବଂ ଭାରତର ଲୋକମାନେ ମଧ୍ୟ ୨୦୪୭ ସୁଦ୍ଧା ଦେଶକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ଉତ୍ସର୍ଗୀକୃତ। ବାଣିଜ୍ୟ ଏବଂ ନବସୃଜନ ମାଧ୍ୟମରେ କୁଏତ ଏକ ଗତିଶୀଳ ଅର୍ଥବ୍ୟବସ୍ଥା ହେବାର ଲକ୍ଷ୍ୟ ରଖିଛି ଏବଂ ଭାରତ ମଧ୍ୟ ନବସୃଜନ ଏବଂ ଏହାର ଅର୍ଥବ୍ୟବସ୍ଥାକୁ ନିରନ୍ତର ସୁଦୃଢ଼ କରିବା ଉପରେ ଧ୍ୟାନ ଦେଉଛି। ଏହି ଦୁଇଟି ଲକ୍ଷ୍ୟ ପରସ୍ପରର ପରିପୂରକ। ନୂତନ କୁଏତ ସୃଷ୍ଟି ପାଇଁ ଆବଶ୍ୟକ ନବସୃଜନ, ଦକ୍ଷତା, ପ୍ରଯୁକ୍ତିବିଦ୍ୟା ଏବଂ ମାନବ ସମ୍ବଳ ଭାରତରେ ଉପଲବ୍ଧ। ଫିନ୍ଟେକ୍ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟସେବା, ସ୍ମାର୍ଟ ସିଟି ଠାରୁ ଆରମ୍ଭ କରି ସବୁଜ ପ୍ରଯୁକ୍ତି ପର୍ଯ୍ୟନ୍ତ ଭାରତର ଷ୍ଟାର୍ଟଅପ୍ କୁଏତର ପ୍ରତ୍ୟେକ ଆବଶ୍ୟକତା ପାଇଁ ଅତ୍ୟାଧୁନିକ ସମାଧାନ ପ୍ରଦାନ କରିପାରିବ। ଭାରତର କୁଶଳୀ ଯୁବକମାନେ ମଧ୍ୟ କୁଏତର ଭବିଷ୍ୟତ ଯାତ୍ରାରେ ନୂତନ ଶକ୍ତି ଯୋଗ କରିପାରିବେ।
ବନ୍ଧୁଗଣ,
ଭାରତରେ ବିଶ୍ୱର ଦକ୍ଷତା ରାଜଧାନୀ ହେବାର କ୍ଷମତା ରହିଛି। ଆଗାମୀ ଅନେକ ଦଶନ୍ଧି ଧରି ଭାରତ ବିଶ୍ୱର ଯୁବା ଦେଶ ହୋଇ ରହିବ। ଏହି ପରିପ୍ରେକ୍ଷୀରେ, ଦକ୍ଷତା ପାଇଁ ବିଶ୍ୱ ଚାହିଦା ପୂରଣ କରିବାର କ୍ଷମତା ଭାରତର ରହିଛି। ଏହାକୁ ହାସଲ କରିବା ପାଇଁ ଭାରତ ବୈଶ୍ୱିକ ଆବଶ୍ୟକତା ଅନୁସାରେ ଏହାର ଯୁବକମାନଙ୍କ ପାଇଁ ଦକ୍ଷତା ବିକାଶ ଏବଂ ଦକ୍ଷତା ଉନ୍ନତିକରଣ ଉପରେ ଧ୍ୟାନ ଦେଉଛି। ନିକଟ ଅତୀତରେ ଭାରତ ଉପସାଗରୀୟ ରାଷ୍ଟ୍ର, ଜାପାନ, ଅଷ୍ଟ୍ରେଲିଆ, ଫ୍ରାନ୍ସ, ଜର୍ମାନୀ, ମରିସସ, ବ୍ରିଟେନ ଏବଂ ଇଟାଲୀ ସମେତ ପ୍ରାୟ ଦୁଇ ଡଜନ ଦେଶ ସହିତ ପ୍ରବାସ ଏବଂ ନିଯୁକ୍ତି ରାଜିନାମା ସ୍ୱାକ୍ଷର କରିଛି। ସାରା ବିଶ୍ୱର ଦେଶଗୁଡ଼ିକ ମଧ୍ୟ ଭାରତର କୁଶଳୀ ମାନବ ସମ୍ବଳ ପାଇଁ ସେମାନଙ୍କ ଦ୍ୱାର ଖୋଲି ଦେଉଛନ୍ତି।
ବନ୍ଧୁଗଣ,
ବିଦେଶରେ କାର୍ଯ୍ୟ କରୁଥିବା ଭାରତୀୟଙ୍କ କଲ୍ୟାଣ ଏବଂ ସୁବିଧା ସୁନିଶ୍ଚିତ କରିବା ପାଇଁ ବିଭିନ୍ନ ଦେଶ ସହିତ ଅନେକ ରାଜିନାମା କରାଯାଉଛି। ଆପଣ ଇ-ମାଇଗ୍ରେଟ୍ ପୋର୍ଟାଲ ସହିତ ପରିଚିତ ହୋଇପାରନ୍ତି। ଏହି ପୋର୍ଟାଲ ଜରିଆରେ ବିଦେଶୀ କମ୍ପାନୀ ଏବଂ ପଞ୍ଜୀକୃତ ଏଜେଣ୍ଟମାନଙ୍କୁ ଗୋଟିଏ ମଞ୍ଚକୁ ଅଣାଯାଇଛି। ଏହାଦ୍ୱାରା କେଉଁଠି ମାନବ ସମ୍ବଳର ଚାହିଦା ରହିଛି, କେଉଁ ପ୍ରକାରର ମାନବ ସମ୍ବଳର ଆବଶ୍ୟକତା ରହିଛି ଏବଂ କେଉଁ କମ୍ପାନୀ ଏହା ଆବଶ୍ୟକ କରୁଛି ତାହା ଚିହ୍ନଟ କରିବା ସହଜ ହୋଇଥାଏ। ଏହି ପୋର୍ଟାଲକୁ ଧନ୍ୟବାଦ, ବିଗତ ୪ରୁ ୫ ବର୍ଷ ମଧ୍ୟରେ ଲକ୍ଷ ଲକ୍ଷ ଶ୍ରମିକ ଉପସାଗରୀୟ ଦେଶକୁ ଆସିଛନ୍ତି। ଏଭଳି ପ୍ରତ୍ୟେକ ପଦକ୍ଷେପର ଗୋଟିଏ ମାତ୍ର ଲକ୍ଷ୍ୟ ରହିଛି-ଏହା ସୁନିଶ୍ଚିତ କରିବା ଯେ ଭାରତର ପ୍ରତିଭା ବିଶ୍ୱର ପ୍ରଗତିରେ ଯୋଗଦାନ କରୁଥିବ ଏବଂ ଯେଉଁମାନେ କାମ ପାଇଁ ବିଦେଶ ଯାଉଛନ୍ତି, ସେମାନଙ୍କୁ ସର୍ବଦା ଆବଶ୍ୟକ ସହାୟତା ମିଳୁ। ଏହି ଦିଗରେ ଭାରତର ପ୍ରୟାସ ଦ୍ୱାରା କୁଏତରେ ଆପଣ ସମସ୍ତଙ୍କୁ ମଧ୍ୟ ବହୁତ ଲାଭ ହେବ।
ବନ୍ଧୁଗଣ,
ଆମେ ବିଶ୍ୱରେ ଯେଉଁଠି ରହୁ, ଆମେ ଯେଉଁ ଦେଶରେ ଅଛୁ, ତାହାକୁ ଆମେ ସମ୍ମାନ କରୁ, ଏବଂ ଭାରତକୁ ନୂତନ ଶିଖରରେ ପହଞ୍ଚୁଥିବା ଦେଖି ଆମେ ଅତ୍ୟନ୍ତ ଖୁସି ଅନୁଭବ କରୁ। ଆପଣ ସମସ୍ତେ ଭାରତରୁ ଆସିଥିଲେ, ଏଠାରେ ରହୁଥିଲେ, ତଥାପି ଆପଣ ନିଜ ହୃଦୟରେ ନିଜର ଭାରତୀୟ ପରିଚୟକୁ ସଂରକ୍ଷିତ ରଖିଛନ୍ତି। ଏବେ ମୋତେ କୁହନ୍ତୁ, ମଙ୍ଗଳୟାନର ସଫଳତାରେ କେଉଁ ଭାରତୀୟ ଗର୍ବ ଅନୁଭବ କରିବେ ନାହିଁ? ଚନ୍ଦ୍ରଯାନର ଚନ୍ଦ୍ରପୃଷ୍ଠରେ ଅବତରଣରେ କେଉଁ ଭାରତୀୟ ଅତ୍ୟନ୍ତ ଆନନ୍ଦିତ ହୋଇନଥାନ୍ତେ? କ’ଣ ମୁଁ ଠିକ୍ କହୁନାହିଁ? ଆଜି ଭାରତ ଏକ ନୂତନ ଉତ୍ସାହ ସହିତ ଆଗକୁ ବଢ଼ୁଛି। ଭାରତ ଏବେ ବିଶ୍ୱର ପଞ୍ଚମ ସର୍ବବୃହତ୍ ଅର୍ଥବ୍ୟବସ୍ଥା। ଏହା ବିଶ୍ୱର ଏକ ନମ୍ବର ଫିନ୍ଟେକ୍ ଇକୋସିଷ୍ଟମର ଘର । ଭାରତ ବିଶ୍ୱର ତୃତୀୟ ସର୍ବବୃହତ ଷ୍ଟାର୍ଟ-ଅପ୍ ଇକୋସିଷ୍ଟମ ଏବଂ ବିଶ୍ୱର ଦ୍ୱିତୀୟ ସର୍ବବୃହତ ମୋବାଇଲ୍ ଫୋନ୍ ଉତ୍ପାଦନକାରୀ।
ମୋତେ ଆପଣଙ୍କ ସହ ଏକ ପରିସଂଖ୍ୟାନ ବାଣ୍ଟିବାକୁ ଦିଅନ୍ତୁ, ଏବଂ ମୁଁ ନିଶ୍ଚିତ ଯେ ଆପଣ ଏହାକୁ ଶୁଣି ଖୁସି ହେବେ। ବିଗତ ୧୦ ବର୍ଷ ମଧ୍ୟରେ, ଭାରତ ସାରା ବିଛାଯାଇଥିବା ଅପ୍ଟିକାଲ୍ ଫାଇବରର ଲମ୍ବ ପୃଥିବୀ ଏବଂ ଚନ୍ଦ୍ର ମଧ୍ୟରେ ଦୂରତା ଠାରୁ ଆଠ ଗୁଣ ଅଧିକ। ଆଜି ଭାରତ ବିଶ୍ୱର ସବୁଠାରୁ ଅଧିକ ଡିଜିଟାଲ୍ ଭାବେ ସଂଯୁକ୍ତ ଦେଶମାନଙ୍କ ମଧ୍ୟରୁ ଅନ୍ୟତମ। ପ୍ରତ୍ୟେକ ଭାରତୀୟ ଛୋଟ ସହରଠାରୁ ଆରମ୍ଭ କରି ଗାଁ ପର୍ଯ୍ୟନ୍ତ ଡିଜିଟାଲ ଉପକରଣର ଉପଯୋଗ କରୁଛନ୍ତି। ଭାରତରେ ସ୍ମାର୍ଟ ଡିଜିଟାଲ ବ୍ୟବସ୍ଥା ଆଉ ବିଳାସ ନୁହେଁ; ସେଗୁଡ଼ିକ ଏବେ ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନର ଏକ ଅଂଶବିଶେଷ। ଚା’ ପିଇବାର ମଜା ହେଉ, ରାସ୍ତାରେ ଫଳ କିଣିବା ହେଉ, କିମ୍ବା ଡିଜିଟାଲ୍ ପେମେଣ୍ଟ କରିବା ହେଉ, ଭାରତ ଡିଜିଟାଲ୍ ସୁବିଧାକୁ ଗ୍ରହଣ କରିଛି। ଗ୍ରୋସରୀ, ଖାଦ୍ୟ, ଫଳ, ପନିପରିବା କିମ୍ବା ଦୈନନ୍ଦିନ ଘରୋଇ ସାମଗ୍ରୀ ଅର୍ଡର କରିବା ବର୍ତ୍ତମାନ କିଛି ମୁହୂର୍ତ୍ତରେ କରାଯାଇଥାଏ, ଏବଂ ମୋବାଇଲ୍ ଫୋନ୍ ମାଧ୍ୟମରେ ଦେୟ କରାଯାଇଥାଏ। ଦସ୍ତାବିଜ ସଂରକ୍ଷଣ ପାଇଁ ଲୋକଙ୍କ ପାଖରେ ଡିଜିଲକର, ବିମାନ ବନ୍ଦରରେ ନିରବଚ୍ଛିନ୍ନ ଯାତ୍ରା ପାଇଁ ଡିଜିୟାତ୍ରା ଏବଂ ଟୋଲ ବୁଥରେ ସମୟ ସଞ୍ଚୟ କରିବା ପାଇଁ ଫାଷ୍ଟ୍ୟାଗ୍ ରହିଛି। ଭାରତ ଅଧିକରୁ ଅଧିକ ଡିଜିଟାଲ୍ ସ୍ମାର୍ଟ ହେବାରେ ଲାଗିଛି, ଏବଂ ଏହା କେବଳ ଆରମ୍ଭ ମାତ୍ର। ଭାରତର ଭବିଷ୍ୟତ ନବସୃଜନ ଉପରେ ନିର୍ଭର କରେ, ଯାହା ସମଗ୍ର ବିଶ୍ୱ ପାଇଁ ଦିଗ ନିର୍ଦ୍ଧାରଣ କରିବ। ଭବିଷ୍ୟତ ଭାରତ ବିଶ୍ୱ ବିକାଶର କେନ୍ଦ୍ର ହେବ, ବିଶ୍ୱର ଅଭିବୃଦ୍ଧି ଇଞ୍ଜିନ ହେବ। ସମୟ ବେଶୀ ଦୂର ନୁହେଁ ଯେତେବେଳେ ଭାରତ ସବୁଜ ଶକ୍ତି, ଫାର୍ମା, ଇଲେକ୍ଟ୍ରୋନିକ୍ସ, ଅଟୋମୋବାଇଲ, ସେମିକଣ୍ଡକ୍ଟର, ଆଇନ, ବୀମା, ଚୁକ୍ତି ଏବଂ ବାଣିଜ୍ୟିକ କ୍ଷେତ୍ରର ହବ୍ ହେବ। ଆପଣ ଦେଖିବେ ବିଶ୍ୱର ପ୍ରମୁଖ ଆର୍ଥିକ କେନ୍ଦ୍ରଗୁଡ଼ିକ ଭାରତରେ ନିଜକୁ ପ୍ରତିଷ୍ଠିତ କରୁଛନ୍ତି। ଭାରତ ବୈଶ୍ୱିକ ସାମର୍ଥ୍ୟ କେନ୍ଦ୍ର, ବୈଶ୍ୱିକ ପ୍ରଯୁକ୍ତି କେନ୍ଦ୍ର ଏବଂ ବୈଶ୍ୱିକ ଇଞ୍ଜିନିୟରିଂ କେନ୍ଦ୍ର ପାଇଁ ଏକ ବିଶାଳ କେନ୍ଦ୍ର ଭାବେ ଉଭା ହେବ।
ବନ୍ଧୁଗଣ,
ଆମେ ସମଗ୍ର ବିଶ୍ୱକୁ ଗୋଟିଏ ପରିବାର ବୋଲି ବିବେଚନା କରୁ ବିଶ୍ୱର କଲ୍ୟାଣ ଚିନ୍ତା କରି ଭାରତ ଏକ 'ବିଶ୍ୱବନ୍ଧୁ "(ବିଶ୍ୱ ବନ୍ଧୁ) ଭାବେ ଆଗକୁ ବଢ଼ୁଛି ବିଶ୍ୱ ମଧ୍ୟ ଭାରତର ଏହି ଭାବନାକୁ ସ୍ୱୀକାର କରୁଛି ଆଜି, ଡିସେମ୍ବର ୨୧, ୨୦୨୪ ରେ, ବିଶ୍ୱ ଏହାର ପ୍ରଥମ ବିଶ୍ୱ ଯୋଗ ଦିବସ ପାଳନ କରୁଛି, ଯାହା ଭାରତର ହଜାର ହଜାର ବର୍ଷର ଯୋଗ ପରମ୍ପରା ପାଇଁ ଉତ୍ସର୍ଗୀକୃତ । ୨୦୧୫ ମସିହାରୁ, ବିଶ୍ୱ ଜୁନ୍ ୨୧ ରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରୁଛି, ଯାହା ଭାରତର ଯୋଗ ପରମ୍ପରାକୁ ମଧ୍ୟ ଉତ୍ସର୍ଗୀକୃତ । ୨୦୨୩ ରେ, ବିଶ୍ୱ ଆନ୍ତର୍ଜାତୀୟ ମିଲେଟ୍ ବର୍ଷ ପାଳନ କରିଥିଲା, ଯାହା ଭାରତର ପ୍ରୟାସ ଏବଂ ପ୍ରସ୍ତାବ ଦ୍ୱାରା ସମ୍ଭବ ହୋଇଥିଲା | ଆଜି ଭାରତର ଯୋଗ ବିଶ୍ୱର ପ୍ରତ୍ୟେକ କ୍ଷେତ୍ରକୁ ଏକଜୁଟ କରୁଛି ଭାରତର ପାରମ୍ପରିକ ଔଷଧ, ଆମର ଆୟୁର୍ବେଦ ଏବଂ ଆମର ଆୟୁଷ ଉତ୍ପାଦ ବିଶ୍ୱର ସୁସ୍ଥତାକୁ ସମୃଦ୍ଧ କରୁଛି ଆମର ସୁପରଫୁଡ୍, ବାଜରା ଏବଂ ଶ୍ରୀ ଅନ୍ନ ପୁଷ୍ଟିକର ଖାଦ୍ୟ ଏବଂ ସୁସ୍ଥ ଜୀବନଶୈଳୀ ପାଇଁ ଏକ ପ୍ରମୁଖ ମୂଳଦୁଆ ପାଲଟିଛନ୍ତି ନାଳନ୍ଦା ଠାରୁ ଆରମ୍ଭ କରି ଆଇ ଆଇ ଟି ପର୍ଯ୍ୟନ୍ତ, ଭାରତର ଜ୍ଞାନ ବ୍ୟବସ୍ଥା ବିଶ୍ୱ ଜ୍ଞାନ ଇକୋସିଷ୍ଟମକୁ ସୁଦୃଢ଼ କରୁଛି ଆଜି ବିଶ୍ୱ ସଂଯୋଗୀକରଣ କ୍ଷେତ୍ରରେ ମଧ୍ୟ ଭାରତ ଏକ ପ୍ରମୁଖ ସଂଯୋଗ ପାଲଟିଛି ଗତ ବର୍ଷ ଭାରତରେ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀ ସମୟରେ ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ କରିଡରର ଘୋଷଣା କରାଯାଇଥିଲା ଏହି କରିଡର ବିଶ୍ୱର ଭବିଷ୍ୟତ ପାଇଁ ଏକ ନୂତନ ଦିଗ ପ୍ରଦାନ କରିବାକୁ ପ୍ରସ୍ତୁତ ।
ବନ୍ଧୁଗଣ,
ଆପଣଙ୍କ ସମର୍ଥନ ଏବଂ ପ୍ରବାସୀ ଭାରତୀୟଙ୍କ ଅଂଶଗ୍ରହଣ ବିନା 'ବିକଶିତ ଭାରତ’ ର ଯାତ୍ରା ଅସମ୍ପୂର୍ଣ୍ଣ ରହିଛି ମୁଁ ଆପଣ ସମସ୍ତଙ୍କୁ 'ବିକଶିତ ଭାରତ’ ର ସଂକଳ୍ପରେ ସାମିଲ ହେବାକୁ ନିମନ୍ତ୍ରଣ କରୁଛି ନୂତନ ବର୍ଷର ପ୍ରଥମ ମାସ, ଜାନୁଆରୀ ୨୦୨୫, ଅନେକ ଜାତୀୟ ଉତ୍ସବର ମାସ ହେବ ଚଳିତ ବର୍ଷ ଜାନୁଆରୀ ୮ ରୁ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ପ୍ରବାସୀ ଭାରତୀୟ ଦିବସ ଅନୁଷ୍ଠିତ ହେବ, ଯେଉଁଥିରେ ସାରା ବିଶ୍ୱର ଲୋକମାନେ ଏକାଠି ହେବେ ମୁଁ ଆପଣ ସମସ୍ତଙ୍କୁ ଏହି କାର୍ଯ୍ୟକ୍ରମର ଅଂଶବିଶେଷ ହେବାକୁ ନିମନ୍ତ୍ରଣ କରୁଛି ଏହି ଯାତ୍ରାରେ ଆପଣ ପୁରୀ ଠାରେ ଭଗବାନ ଜଗନ୍ନାଥଙ୍କ ଆଶୀର୍ବାଦ ନେଇପାରିବେ ଏହା ପରେ, ଜାନୁଆରୀ ୧୩ ରୁ ଫେବୃଆରୀ ୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ମହା କୁମ୍ଭ ମେଳାରେ ଅଂଶଗ୍ରହଣ କରିବା ପାଇଁ ପ୍ରୟାଗରାଜ ପରିଦର୍ଶନ କରନ୍ତୁ, ଯାହା ପ୍ରାୟ ଦେଢ଼ ମାସ ଧରି ଚାଲିବ ଜାନୁଆରୀ ୨୬ ରେ ଗଣତନ୍ତ୍ର ଦିବସ ପାଳନ ଦେଖିବା ପରେ ଫେରିବା ନିଶ୍ଚିତ କରନ୍ତୁ । ଏବଂ ହଁ, ଆପଣଙ୍କ କୁଏତ ବନ୍ଧୁମାନଙ୍କୁ ଭାରତ ଆଣନ୍ତୁ, ସେମାନଙ୍କୁ ଚାରିଆଡେ ଦେଖାନ୍ତୁ, ଏବଂ ସେମାନଙ୍କୁ ଭାରତର ଅନୁଭବ କରିବାକୁ ଦିଅନ୍ତୁ ଏକ ସମୟ ଥିଲା ଯେତେବେଳେ ଦିଲୀପ କୁମାର ସାହେବ ଏଠାରେ ପ୍ରଥମ ଭାରତୀୟ ରେସ୍ତୋରାଁ ଉଦଘାଟନ କରିଥିଲେ ଭାରତର ପ୍ରକୃତ ସ୍ୱାଦ କେବଳ ସେଠାରେ ଅନୁଭବ କରାଯାଇପାରିବ ତେଣୁ, ଏହି ଅନୁଭୂତି ପାଇଁ ଆପଣଙ୍କ କୁଏତି ବନ୍ଧୁମାନଙ୍କୁ ପ୍ରସ୍ତୁତ କରିବା ନିଶ୍ଚିତ କରନ୍ତୁ ।
ବନ୍ଧୁଗଣ,
ମୁଁ ଜାଣେ ଯେ ଆଜିଠାରୁ ଆରମ୍ଭ ହେଉଥିବା ଆରବ ଗଲ୍ଫ କପକୁ ନେଇ ଆପଣ ସମସ୍ତେ ବହୁତ ଉତ୍ସାହିତ ଅଛନ୍ତି ଆପଣମାନେ କୁଏତ ଦଳକୁ ଉତ୍ସାହିତ କରିବାକୁ ଆଗ୍ରହୀ ଉଦଘାଟନୀ ସମାରୋହରେ ମୋତେ ସମ୍ମାନିତ ଅତିଥି ଭାବେ ନିମନ୍ତ୍ରଣ କରିଥିବାରୁ ମୁଁ ମହାମାନ୍ୟ ଅମିରଙ୍କ ନିକଟରେ କୃତଜ୍ଞ । ଏହା ପ୍ରତିଫଳିତ କରେ ଯେ ରାଜ ପରିବାର, କୁଏତ ସରକାର, ଆପଣ ସମସ୍ତଙ୍କ ପ୍ରତି ଏବଂ ଭାରତ ପ୍ରତି କେତେ ସମ୍ମାନ ରଖନ୍ତି । ମୁଁ ଆଶା କରୁଛି ଯେ ଆପଣମାନେ ଭାରତ-କୁଏତ ସମ୍ପର୍କକୁ ଏହିପରି ଭାବେ ସୁଦୃଢ଼ କରିବା ଜାରି ରଖିବେ ଏହି କାମନା ସହିତ, ପୁଣିଥରେ ଆପଣ ସମସ୍ତଙ୍କୁ ହୃଦୟରୁ ଧନ୍ୟବାଦ!
ଭାରତ ମାତା କି-ଜୟ!
ଭାରତ ମାତା କି-ଜୟ!
ଭାରତ ମାତା କି-ଜୟ!
ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
HS
(Release ID: 2173121)
Visitor Counter : 5
Read this release in:
English
,
Urdu
,
हिन्दी
,
Marathi
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam