ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ସେପ୍ଟେମ୍ବର ୨୬ରେ “ବିହାରର ମୁଖ୍ୟମନ୍ତ୍ରୀ ମହିଳା ରୋଜଗାର ଯୋଜନା”ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
25 SEP 2025 6:44PM by PIB Bhubaneshwar
ଯୋଜନାର ଲକ୍ଷ୍ୟ ଆତ୍ମନିଯୁକ୍ତି ଏବଂ ଜୀବିକା ନିର୍ବାହର ସୁଯୋଗ ମାଧ୍ୟମରେ ମହିଳା ସଶକ୍ତିକରଣକୁ ପ୍ରୋତ୍ସାହନ
ରାଜ୍ୟର ପ୍ରତ୍ୟେକ ପରିବାରର ଜଣେ ମହିଳାଙ୍କୁ ଏହି ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ
ବିହାରର ୭୫ ଲକ୍ଷ ମହିଳାଙ୍କୁ ସିଧାସଳଖ ୭୫୦୦ କୋଟି ଟଙ୍କା ହସ୍ତାନ୍ତର କରିବେ ପ୍ରଧାନମନ୍ତ୍ରୀ
ପ୍ରତ୍ୟେକ ମହିଳାଙ୍କୁ ପ୍ରାରମ୍ଭିକ ହସ୍ତାନ୍ତରଣରେ ୧୦ ହଜାର ଟଙ୍କା ସହିତ ପରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ଆର୍ଥିକ ସହାୟତା
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୨୬ ସକାଳ ପ୍ରାୟ ୧୧ଟା ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିହାରର ‘ମୁଖ୍ୟମନ୍ତ୍ରୀ ମହିଳା ରୋଜଗାର ଯୋଜନା’ର ଶୁଭାରମ୍ଭ କରିବେ । କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ବିହାରର ୭୫ ଲକ୍ଷ ମହିଳାଙ୍କ ବ୍ୟାଙ୍କ ଖାତାକୁ ୧୦-୧୦ ହଜାର ଟଙ୍କା, ଅର୍ଥାତ ୭,୫୦୦ କୋଟି ଟଙ୍କା ହସ୍ତାନ୍ତରିତ କରିବେ ।
ବିହାର ସରକାରଙ୍କ ଏହି ଯୋଜନାର ଉଦ୍ଦେଶ୍ୟ, ମହିଳାଙ୍କୁ ଆତ୍ମନିର୍ଭର କରିବା ଏବଂ ସ୍ୱ-ରୋଜଗାର ଓ ଜୀବିକା ନିର୍ବାହ ମାଧ୍ୟମରେ ମହିଳା ସଶକ୍ତିକରଣକୁ ବଢ଼ାଇବା । ଏହି ଯୋଜନା ରାଜ୍ୟର ପ୍ରତ୍ୟେକ ପରିବାରର ଜଣେ ମହିଳାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବ ଏବଂ ସେ ନିଜ ପସନ୍ଦର ରୋଜଗାର କିମ୍ବା ଜୀବିକା ନିର୍ବାହର ଗତିବିଧି ଆରମ୍ଭ କରିପାରିବେ । ଏହାଦ୍ୱାରା ଆର୍ଥିକ ସ୍ୱତନ୍ତ୍ରତା ଏବଂ ସାମାଜିକ ସଶକ୍ତିକରଣକୁ ବଢ଼ିପାରିବ ।
ଏହି ଯୋଜନା ଅନୁସାରେ ପ୍ରତ୍ୟେକ ହିତାଧିକାରୀଙ୍କୁ ପ୍ରାରମ୍ଭିକ ଅନୁଦାନ ପ୍ରତ୍ୟକ୍ଷ ନଗଦ ସ୍ଥାନାନ୍ତରରେ ୧୦ ହଜାର ଟଙ୍କା ମିଳିବ, ଏଥିସହ ପରବର୍ତ୍ତୀ ପର୍ଯ୍ୟାୟରେ ଅତିରିକ୍ତ ଭାବେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ମିଳିପାରିବ । ହିତାଧିକାରୀ ଏହି ସହାୟତା ରାଶିର ଉପଯୋଗ ନିଜ ପସନ୍ଦ କ୍ଷେତ୍ରରେ କରିପାରିବେ । ଏଥିରେ କୃଷି, ପଶୁପାଳନ, ହସ୍ତଶିଳ୍ପ, ସିଲାଇ-ବୁଣାଇ ଏବଂ ଅନ୍ୟାନ୍ୟ ଲଘୁ ସ୍ତରୀୟ ଉଦ୍ୟମ ସାମିଲ ।
ଏହି ଯୋଜନା ସମ୍ପ୍ରଦାୟ-ପରିଚାଳିତ ହେବ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଜଡିତ ସମ୍ପ୍ରଦାୟ ସମ୍ବଳ ବ୍ୟକ୍ତିମାନଙ୍କୁ ସେମାନଙ୍କ ପ୍ରୟାସକୁ ସମର୍ଥନ କରିବା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବା ସହିତ ତାଲିମ ପ୍ରଦାନ କରିବ। ସେମାନଙ୍କ ଉତ୍ପାଦର ବିକ୍ରୟକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟରେ ଗ୍ରାମୀଣ ହାଟ-ବଜାରଗୁଡ଼ିକୁ ଆହୁରି ବିକଶିତ କରାଯିବ।
‘ମୁଖ୍ୟମନ୍ତ୍ରୀ ମହିଳା ରୋଜଗାର ଯୋଜନା’ର ଶୁଭାରମ୍ଭରେ ରାଜ୍ୟରେ ଜିଲ୍ଲା, ବ୍ଲକ, କ୍ଲଷ୍ଟର ଏବଂ ଗାଁ ଭଳି ପ୍ରଶାସନିକ ସ୍ତରରେ ରାଜ୍ୟବ୍ୟାପୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏକ କୋଟିରୁ ଅଧିକ ମହିଳା ଏହି କାର୍ଯ୍ୟକ୍ରମର ସାକ୍ଷୀ ବନିବେ ।
SR
(ରିଲିଜ ଆଡି: 2171628)
ପରିଦର୍ଶକ କାଉଣ୍ଟର : 40
ଏହି ରିଲିଜ ପଢନ୍ତୁ :
Assamese
,
Bengali
,
Gujarati
,
English
,
Urdu
,
Marathi
,
हिन्दी
,
Manipuri
,
Punjabi
,
Telugu
,
Kannada
,
Malayalam