ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକବାର୍ତ୍ତା
ପୋଷ୍ଟ କରାଯିବା ଦିନାଙ୍କ:
27 DEC 2024 11:55AM by PIB Bhubaneswar
ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ବିୟୋଗ ଆମ ହୃଦୟକୁ ଗଭୀର ଭାବେ ଆଘାତ ଦେଇଛି। ତାଙ୍କର ବିୟୋଗ ଏକ ରାଷ୍ଟ୍ର ଭାବେ ଆମ ପାଇଁ ଏକ ଅପୂରଣୀୟ କ୍ଷତି। ବିଭାଜନ ସମୟରେ ଏତେ କିଛି ହରାଇବା ପରେ ଭାରତକୁ ଆସିବା ଏବଂ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିବା କୌଣସି ସାଧାରଣ କାର୍ଯ୍ୟ ନୁହେଁ। ତାଙ୍କ ଜୀବନ ଭବିଷ୍ୟତ ପିଢ଼ି ପାଇଁ ଏକ ଶିକ୍ଷା ଭାବରେ କାର୍ଯ୍ୟ କରେ ଯେ କିପରି ମହାନ ଶିଖରରେ ପହଞ୍ଚିବା ପାଇଁ କଷ୍ଟ ଏବଂ ଆହ୍ୱାନରୁ ଉପରକୁ ଉଠିବେ ।
ସେ ସର୍ବଦା ଜଣେ ଦୟାଳୁ ବ୍ୟକ୍ତି, ଜଣେ ବିଦ୍ୱାନ ଅର୍ଥନୀତିଜ୍ଞ ଏବଂ ସଂସ୍କାର ପ୍ରତି ଉତ୍ସର୍ଗୀକୃତ ନେତା ଭାବରେ ସ୍ମରଣୀୟ ହୋଇ ରହିବେ। ଜଣେ ଅର୍ଥନୀତିଜ୍ଞ ଭାବେ ସେ ଭାରତ ସରକାରଙ୍କ ବିଭିନ୍ନ ପଦବୀରେ କାର୍ଯ୍ୟ କରିଥିଲେ। ଏକ ଆହ୍ୱାନପୂର୍ଣ୍ଣ ସମୟରେ ସେ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବେ କାର୍ଯ୍ୟ କରିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଶ୍ରୀ ପି. ଭି. ନରସିଂହ ରାଓ ଜୀଙ୍କ ସରକାରରେ ଅର୍ଥମନ୍ତ୍ରୀ ଭାବେ ସେ ଦେଶକୁ ଆର୍ଥିକ ସଙ୍କଟରୁ ବାହାର କରିଥିଲେ ଏବଂ ଏକ ନୂତନ ଆର୍ଥିକ ଦିଗ ପାଇଁ ପଥ ପରିଷ୍କାର କରିଥିଲେ। ଦେଶର ବିକାଶ ଏବଂ ପ୍ରଗତି ଦିଗରେ ପ୍ରଧାନମନ୍ତ୍ରୀ ଭାବେ ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ।
ଜନସାଧାରଣ ଏବଂ ରାଷ୍ଟ୍ରର ବିକାଶ ପ୍ରତି ତାଙ୍କର ପ୍ରତିବଦ୍ଧତା ସବୁଦିନ ପାଇଁ ଉଚ୍ଚ ସମ୍ମାନରେ ରହିବ। ଡକ୍ଟର ମନମୋହନ ସିଂହ ଜୀଙ୍କ ଜୀବନ ସଚ୍ଚୋଟତା ଏବଂ ସରଳତାର ପ୍ରତିଫଳନ ଥିଲା। ସେ ଜଣେ ଅସାଧାରଣ ସାଂସଦ ଥିଲେ। ତାଙ୍କର ନମ୍ରତା, ସରଳତା ଏବଂ ବୁଦ୍ଧି ତାଙ୍କ ସଂସଦୀୟ ଜୀବନକୁ ପରିଭାଷିତ କରିଥିଲା। ମୋର ମନେ ଅଛି, ଚଳିତ ବର୍ଷ ପ୍ରାରମ୍ଭରେ, ଯେତେବେଳେ ରାଜ୍ୟସଭାରେ ତାଙ୍କର କାର୍ଯ୍ୟକାଳ ଶେଷ ହୋଇଥିଲା, ମୁଁ ଉଲ୍ଲେଖ କରିଥିଲି ଯେ ଜଣେ ସାଂସଦ ଭାବେ ତାଙ୍କର ସମର୍ପଣ ସମସ୍ତଙ୍କ ପାଇଁ ଏକ ପ୍ରେରଣା। ଏପରିକି ସଂସଦୀୟ ଅଧିବେଶନର ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତରେ ମଧ୍ୟ ସେ ହୁଇଲଚେୟାରରେ ଯୋଗ ଦେଉଥିଲେ ଏବଂ ନିଜର ସଂସଦୀୟ କର୍ତ୍ତବ୍ୟ ସମ୍ପାଦନ କରୁଥିଲେ।
ବିଶ୍ୱର କେତେକ ପ୍ରତିଷ୍ଠିତ ଅନୁଷ୍ଠାନରେ ଶିକ୍ଷାଲାଭ କରିବା ଏବଂ ସରକାରରେ ଅନେକ ଶୀର୍ଷ ପଦବୀରେ ରହିବା ସତ୍ତ୍ୱେ ସେ ତାଙ୍କ ନମ୍ର ପୃଷ୍ଠଭୂମିର ମୂଲ୍ୟବୋଧକୁ କେବେ ଭୁଲି ନଥିଲେ ପକ୍ଷପାତପୂର୍ଣ୍ଣ ରାଜନୀତିରୁ ଉର୍ଦ୍ଧ୍ବକୁ ଉଠି ସେ ସର୍ବଦା ଦଳର ସୀମାରେଖା ବାହାରେ ଥିବା ଲୋକଙ୍କ ସହ ସମ୍ପର୍କ ବଜାୟ ରଖିଥିଲେ ଏବଂ ସମସ୍ତଙ୍କ ସହ ଯୋଗାଯୋଗରେ ରହିଥିଲେ ମୁଖ୍ୟମନ୍ତ୍ରୀ ଥିବା ସମୟରେ ମୁଁ ଡ. ମନମୋହନ ସିଂହଙ୍କ ସହ ବିଭିନ୍ନ ଜାତୀୟ ଏବଂ ଅନ୍ତର୍ଜାତୀୟ ପ୍ରସଙ୍ଗରେ ଖୋଲାଖୋଲି ଆଲୋଚନା କରିଥିଲି । ଦିଲ୍ଲୀ ଆସିବା ପରେ ମଧ୍ୟ ମୁଁ ତାଙ୍କୁ ବାରମ୍ବାର ଭେଟିବା ସହ କଥାବାର୍ତ୍ତା କରୁଥିଲି ଦେଶ ଏବଂ ଆମର ବୈଠକ ବିଷୟରେ ଆମର ଆଲୋଚନାକୁ ମୁଁ ସର୍ବଦା ମନେ ରଖିବି । ନିକଟରେ ତାଙ୍କ ଜନ୍ମଦିନ ଅବସରରେ ମୁଁ ତାଙ୍କ ସହ କଥା ହୋଇଥିଲି ।
ଏହି କଠିନ ମୁହୂର୍ତ୍ତରେ, ମୁଁ ତାଙ୍କ ପରିବାର ପ୍ରତି ସମବେଦନା ଜଣାଉଛି। ଦେଶର ସମସ୍ତ ନାଗରିକଙ୍କ ତରଫରୁ ମୁଁ ଡକ୍ଟର ମନମୋହନ ସିଂହ ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।
HS
(ରିଲିଜ ଆଡି: 2169350)
ପରିଦର୍ଶକ କାଉଣ୍ଟର : 16
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Nepali
,
Marathi
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam