ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ ‘ମନ୍ କି ବାତ୍’
Posted On:
31 AUG 2025 11:44AM by PIB Bhubaneshwar
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଏହି ବର୍ଷାଋତୁରେ ପ୍ରାକୃତିକ ବିପର୍ଯ୍ୟୟମାନ ଦେଶକୁ ପରୀକ୍ଷା କରୁଛି । ବିଗତ କିଛି ସପ୍ତାହରେ ଆମେ ବନ୍ୟା ଏବଂ ଭୂସ୍ଖଳନର କରାଳ ରୂପ ଦେଖିଲୁ । କେଉଁଠି ଘର ଭାସିଗଲା ତ କେଉଁଠି ବିଲ ବୁଡ଼ିଗଲା । କେତେ କେତେ ପରିବାର ଉଜୁଡ଼ିଗଲା । ପାଣିର ପ୍ରଖର ସ୍ରୋତରେ କେଉଁଠି ପୋଲ ଭାସିଗଲା ତ କେଉଁଠି ରାସ୍ତା । ଲୋକଙ୍କ ଜୀବନ ସଙ୍କଟାପନ୍ନ ହୋଇଗଲା । ଏହି ଘଟଣାଗୁଡ଼ିକ ପ୍ରତ୍ୟେକ ଭାରତୀୟଙ୍କୁ ଦୁଃଖିତ କରିଛି । ଯେଉଁ ପରିବାର ନିଜ ପ୍ରିୟଜନମାନଙ୍କୁ ହରାଇଛନ୍ତି, ସେମାନଙ୍କ ଦୁଃଖ ଆମ ସମସ୍ତଙ୍କ ଦୁଃଖ । ଯେଉଁଠି ବି ସଙ୍କଟଜନକ ପରିସ୍ଥିତି ସୃଷ୍ଟି ହେଲା, ସେଠାକାର ଲୋକଙ୍କୁ ଉଦ୍ଧାର କରିବା ପାଇଁ ଆମ NDRF-SDRFର ଯବାନ, ଅନ୍ୟ ସୁରକ୍ଷା ବାହିନୀ - ପ୍ରତ୍ୟେକ ଦିନରାତି ଲାଗି ରହିଲେ । ଯବାନମାନେ ବୈଷୟିକ ସହାୟତାର ସାହାଯ୍ୟ ମଧ୍ୟ ନେଲେ । ଥର୍ମାଲ କ୍ୟାମେରା, ଲାଇଫ ଡିଟେକ୍ଟର, ସ୍ନିଫର୍ ଡଗ୍ ଏବଂ ଡ୍ରୋନ୍ ସର୍ଭେଲାଂସ୍ – ଏଭଳି ଅନେକ ଆଧୁନିକ ଯନ୍ତ୍ରପାତି ସାହାଯ୍ୟରେ ଉଦ୍ଧାର ଏବଂ ରିଲିଫ କାର୍ଯ୍ୟକୁ ଗତିଶୀଳ କରିବା ପାଇଁ ସମସ୍ତ ପ୍ରକାର ପ୍ରଚେଷ୍ଟା କରାଗଲା । ଏହି ସମୟରେ ହେଲିକପ୍ଟର ମାଧ୍ୟମରେ ରିଲିଫ ସାମଗ୍ରୀ ପହଞ୍ଚାଗଲା, ଆହତମାନଙ୍କୁ ଏୟାରଲିଫ୍ଟ କରାଗଲା । ବିପଦର ମୁହୁର୍ତ୍ତରେ ସେନା ସାହାଯ୍ୟକାରୀ ସାଜିଲା । ସ୍ଥାନୀୟ ଲୋକ, ସାମାଜିକ କର୍ମୀ, ଡାକ୍ତର, ପ୍ରଶାସନ, ଏଭଳି ବିପଦ ସମୟରେ ଯଥା ସମ୍ଭବ ପ୍ରଚେଷ୍ଟା କଲେ । ମୁଁ ଏଭଳି ପ୍ରତ୍ୟେକ ନାଗରିକଙ୍କୁ ଆନ୍ତରିକ ଧନ୍ୟବାଦ ଜ୍ଞାପନ କରୁଛି, ଯିଏ ଏଭଳି କଠିନ ପରିସ୍ଥିତିରେ ମାନବିକତାକୁ ସର୍ବୋପରି ସ୍ଥାନ ଦେଇଛନ୍ତି ।
ମୋର ପ୍ରିୟ ଦେଶବାସୀଗଣ, ବର୍ଷା ଓ ବନ୍ୟାର ଏଭଳି ପ୍ରଳୟଙ୍କରୀ ସ୍ଥିତିରେ ଜମ୍ମୁ-କଶ୍ମୀର ଦୁଇଟି ବିଶେଷ ଉପଲବ୍ଧି ହାସଲ କରିଛି । ସେ ଦିଗକୁ ଅଧିକ ଲୋକଙ୍କ ଦୃଷ୍ଟି ଯାଇ ନାହିଁ । କିନ୍ତୁ, ସେ ଉପଲବ୍ଧିଗୁଡ଼ିକ ସମ୍ପର୍କରେ ଜାଣିଲେ ଆପଣ ବହୁତ ଖୁସି ଅନୁଭବ କରିବେ । ଜମ୍ମୁ-କଶ୍ମୀରର ପୁଲୱାମାର ଗୋଟିଏ ଷ୍ଟାଡିୟମରେ ରେକର୍ଡ଼ ସଂଖ୍ୟକ ଲୋକ ଏକାଠି ହୋଇଥିଲେ । ଏଠାରେ ପୁଲୱାମାର ପ୍ରଥମ Day-Night କ୍ରିକେଟ୍ ମ୍ୟାଚ ଅନୁଷ୍ଠିତ ହେଲା । ଆଗରୁ ଏହା ହେବା ଅସମ୍ଭବ ଥିଲା, କିନ୍ତୁ ଏବେ ମୋ ଦେଶ ବଦଳୁଛି । ଏହି ମ୍ୟାଚ୍ ରୟାଲ୍ ପ୍ରିମିୟର ଲିଗର ଏକ ଅଂଶ, ଯେଉଁଥିରେ ଜମ୍ମୁ-କଶ୍ମୀରର ଭିନ୍ନ ଭିନ୍ନ ଦଳ ଅଂଶଗ୍ରହଣ କରୁଛନ୍ତି । ଏତେ ସଂଖ୍ୟାରେ ଲୋକ, ବିଶେଷକରି ଯୁବବର୍ଗ, ପୁଲୱାମାରେ ରାତ୍ରି ସମୟରେ ହଜାର ହଜାର ସଂଖ୍ୟାରେ କ୍ରିକେଟ୍ ଖେଳକୁ ଉପଭୋଗ କରୁଥିବା ଦୃଶ୍ୟ ପ୍ରକୃତରେ ଦର୍ଶନୀୟ ଥିଲା ।
ବନ୍ଧୁଗଣ, ଅନ୍ୟ ଏକ ଆୟୋଜନ, ଯାହା ଦୃଷ୍ଟି ଆକର୍ଷଣ କଲା, ତାହା ହେଉଛି ଦେଶରେ ଆୟୋଜିତ ପ୍ରଥମ ଖେଲୋ ଇଣ୍ଡିଆ ୱାଟର୍ ସ୍ପୋର୍ଟ୍ସ ଫେଷ୍ଟିଭାଲ୍ । ତାହା ମଧ୍ୟ ଶ୍ରୀନଗରର ଡାଲ୍ ହ୍ରଦରେ ହେଲା । ପ୍ରକୃତରେ, ଏଭଳି ଉତ୍ସବ ଆୟୋଜନ ପାଇଁ ଏହା କେତେ ପ୍ରକୃଷ୍ଟ ସ୍ଥାନ । ଏହାର ଉଦ୍ଦେଶ୍ୟ ହେଉଛି ଜମ୍ମୁ-କଶ୍ମୀରରେ ୱାଟର୍ ସ୍ପୋର୍ଟ୍ସକୁ ଲୋକପ୍ରିୟ କରିବା । ଏଥିରେ ସାରା ଭାରତରୁ ୮୦୦ରୁ ଅଧିକ କ୍ରୀଡ଼ାବିତ୍ ଅଂଶଗ୍ରହଣ କଲେ । ମହିଳା ଖେଳାଳି ମଧ୍ୟ ଏଥିରେ ପଛରେ ନଥିଲେ । ସେମାନଙ୍କ ସଂଖ୍ୟା ମଧ୍ୟ ପୁରୁଷମାନଙ୍କ ସହ ପ୍ରାୟ ସମାନ ଥିଲା । ଯେଉଁ ଖେଳାଳୀମାନେ ଏଥିରେ ଅଂଶଗ୍ରହଣ କଲେ, ମୁଁ ସେମାନଙ୍କୁ ଅଭିନନ୍ଦନ ଜଣାଉଛି । ବିଶେଷକରି ମଧ୍ୟପ୍ରଦେଶକୁ ଅଭିନନ୍ଦନ ଜଣାଉଛି, ଯିଏ ଏଥିରେ ସର୍ବାଧିକ ପଦକ ଜିତିଲେ, ଏହା ତଳକୁ ରହିଲେ ହରିଆନା ଏବଂ ଓଡ଼ିଶା । ଜମ୍ମୁ-କଶ୍ମୀର ସରକାର ଏବଂ ସେଠାକାର ଲୋକଙ୍କ ଆତ୍ମୀୟତା ଭାବ ଏବଂ ଆତିଥ୍ୟକୁ ମୁଁ ବହୁତ ପ୍ରଶଂସା କରୁଛି ।
ବନ୍ଧୁଗଣ, ଏହି ଆୟୋଜନ ସହ ଜଡ଼ିତ ଅନୁଭୁତିକୁ ଆପଣଙ୍କ ନିକଟକୁ ପହଞ୍ଚାଇବା ପାଇଁ ଏଭଳି ଦୁଇଜଣ ଖେଳାଳୀଙ୍କ ସହ କଥା ହେବା ପାଇଁ ମୁଁ ଚିନ୍ତା କରିଛି, ଯିଏ ଏଥିରେ ଅଂଶଗ୍ରହଣ କରିଥିଲେ । ଏମାନଙ୍କ ମଧ୍ୟରୁ ଜଣେ ହେଲେ ଓଡ଼ିଶାର ରଶ୍ମିତା ସାହୁ ଏବଂ ଅନ୍ୟ ଜଣକ ହେଉଛନ୍ତି ଶ୍ରୀନଗରର ମୋହସୀନ୍ ଅଲି । ଆସନ୍ତୁ ଶୁଣିବା, ସେମାନେ କ’ଣ କହୁଛନ୍ତି ।
ପ୍ରଧାନମନ୍ତ୍ରୀ : ରଶ୍ମିତା ଜୀ, ନମସ୍କାର ।
ରଶ୍ମିତା : ନମସ୍କାର ସାର୍ ।
ପ୍ରଧାନମନ୍ତ୍ରୀ : ଜୟ ଜଗନ୍ନାଥ ।
ରଶ୍ମିତା : ଜୟ ଜଗନ୍ନାଥ ସାର୍ ।
ପ୍ରଧାନମନ୍ତ୍ରୀ : ରଶ୍ମିତା ଜୀ, ପ୍ରଥମେ ତ ଆପଣଙ୍କୁ କ୍ରୀଡ଼ା ଜଗତରେ ଆପଣଙ୍କ ସଫଳତା ପାଇଁ ଅନେକ ଅନେକ ଅଭିନନ୍ଦନ ।
ରଶ୍ମିତା : ଥାଙ୍କ୍ ୟୁ, ସାର୍ ।
ପ୍ରଧାନମନ୍ତ୍ରୀ : ରଶ୍ମିତା, ଆମ ଶ୍ରୋତାମାନେ ଆପଣଙ୍କ ଏବଂ ଆପଣଙ୍କ କ୍ରୀଡ଼ା ଯାତ୍ରା ବିଷୟରେ ଜାଣିବା ପାଇଁ ବହୁତ ଉତ୍କଣ୍ଠିତ । ମୁଁ ମଧ୍ୟ ବହୁତ ଆଗ୍ରହୀ । ଏ ବିଷୟରେ କୁହନ୍ତୁ।
ରଶ୍ମିତା : ସାର୍, ମୁଁ ରଶ୍ମିତା ସାହୁ ଓଡ଼ିଶାରୁ । ମୁଁ ଜଣେ କ୍ୟାନୋଇଂ ଖେଳାଳୀ । ମୁଁ ୨୦୧୭ରେ କ୍ରୀଡ଼ାଜଗତରେ ଯୋଗ ଦେଇଥିଲି । କ୍ୟାନୋଇଂ ଆରମ୍ଭ କରିଥିଲି। ମୁଁ ଜାତୀୟ ସ୍ତରରେ, ନ୍ୟାସ୍ନାଲ୍ ଚମ୍ପିୟାନସିପ୍ ଏବଂ ନ୍ୟାସନାଲ୍ ଗେମ୍ସରେ ଅଂଶଗ୍ରହଣ କରିଛି । ମୁଁ ୪୧ଟି ପଦକ ପାଇଛି, ଯେଉଁଥିରେ ୧୩ଟି ସ୍ୱର୍ଣ୍ଣ, ୧୪ଟି ରୌପ୍ୟ ଏବଂ ୧୪ଟି ବ୍ରୋଞ୍ଜ ପଦକ ଜିତିଛି ସାର୍ ।
ପ୍ରଧାନମନ୍ତ୍ରୀ : ଏହି ଖେଳ ପ୍ରତି କାହିଁକି ଆଗ୍ରହ ହେଲା ? ସର୍ବପ୍ରଥମେ କିଏ ଆପଣଙ୍କୁ ଏହି ଦିଗରେ ପ୍ରେରଣା ଦେଲେ ? ଆପଣଙ୍କ ପରିବାରରେ କ୍ରୀଡ଼ା ପରିବେଶ ରହିଛି କି?
ରଶ୍ମିତା : ନା ସାର୍ । ଯେଉଁ ଗାଁରୁ ମୁଁ ଆସିଛି, ସେଠାରେ କ୍ରୀଡ଼ା ପ୍ରତି ସେଭଳି କିଛି ନାହିଁ । ମୁଁ ମୋ ସାଙ୍ଗସାଥିଙ୍କ ସହିତ ପହଁରିବାକୁ ଯାଇଥିଲି । ଆମେମାନେ ପହଁରୁଥିବା ବେଳେ ଗୋଟିଏ କ୍ୟାନୋଇଂ-କାୟାକିଂ ବୋଟ୍ ସେହି ପାଖ ଦେଇ ଗଲା । ସେଇ ବିଷୟରେ ମୋର ମୋଟେ ଧାରଣା ନ ଥିଲା । ଏହା କ’ଣ ବୋଲି ମୁଁ ମୋ ସାଙ୍ଗକୁ ପଚାରିଲି । ମୋ ସାଙ୍ଗ ମୋତେ କହିଲା ଯେ, ଜଗତପୁରରେ ସାଇ ସ୍ପୋର୍ଟ୍ସ ସେଣ୍ଟର୍ ରହିଛି, ସେଠି ଏହି ଖେଳ ଖେଳାଯାଇଥାଏ । ମୁଁ ସେଠାକୁ ଯିବି । ଏ କଥାରେ ମୋ ମନରେ ମଧ୍ୟ ଗୋଟିଏ ଆଗ୍ରହ ସୃଷ୍ଟି ହେଲା । ପିଲାମାନେ କିଭଳି ଏହା ଖେଳନ୍ତି, ସେ ବିଷୟରେ ମୋର ମୋଟେ ଧାରଣା ନଥିଲା । ମୁଁ ବି ଯିବାକୁ ଚାହୁଁଛି ବୋଲି ମୁଁ ତାକୁ କହିଲି । କେମିତି ଯିବାକୁ ହେବ ବୋଲି ପଚାରିଲି । ସେଠାକୁ ଯାଇ ଏ ବିଷୟରେ ବୁଝିବାକୁ ସେ ମୋତେ ପରାମର୍ଶ ଦେଲା । ପରେ ମୁଁ ଘରକୁ ଯାଇ ବାପାଙ୍କ ଆଗରେ ମୋ ଆଗ୍ରହ ବିଷୟରେ ପ୍ରକାଶ କଲି । ବାପା ମୋତେ ନେଇ ସେଠାକୁ ଆସିଥିଲେ । ସେ ସମୟରେ ଟାଇମ୍-ଟ୍ରାଏଲ୍ ହେଉନଥିଲା । ପରେ କୋଚମାନେ କହିଲେ ଯେ, ଫେବୃଆରୀ - ମାର୍ଚ୍ଚ ମାସରେ ଟାଇମ୍-ଟ୍ରାଏଲ୍ ହୋଇଥାଏ । ଆପଣ ସେହି ସମୟରେ ଆସନ୍ତୁ। ତା ପରେ ଟ୍ରାଏଲ୍ ସମୟରେ ମୁଁ ଗଲି ।
ପ୍ରଧାନମନ୍ତ୍ରୀ : ଆଚ୍ଛା ରଶ୍ମିତା, କଶ୍ମୀରରେ ଅନୁଷ୍ଠିତ ଖେଲୋ ଇଣ୍ଡିଆ ୱାଟର୍ ସ୍ପୋର୍ଟ୍ସ ଫେଷ୍ଟିଭାଲରେ ଆପଣଙ୍କ ନିଜ ଅନୁଭୁତି କିଭଳି ଥିଲା? କଣ ପ୍ରଥମ ଥର ପାଇଁ କାଶ୍ମୀର ଯାଇଥିଲେ ?
ରଶ୍ମିତା : ହଁ ସାର୍ । ମୁଁ ପ୍ରଥମ ଥର କଶ୍ମୀର ଯାଇଥିଲି । ସେଇଠି ପ୍ରଥମ ଖେଲୋ ଇଣ୍ଡିଆ ୱାଟର୍ ସ୍ପୋର୍ଟ୍ସ ଫେଷ୍ଟିଭାଲର ଆୟୋଜନ କରାଯାଇଥିଲା । ସେଥିରେ ମୋର ଦୁଇଟି ଇଭେଣ୍ଟ ଥିଲା । ସିଙ୍ଗିଲ୍ସ ୨୦୦ ମିଟର୍ ଓ ୫୦୦ ମିଟର୍ ଡବଲ୍ସ । ଆଉ ଦୁଇଟି ଯାକରେ ମୁଁ ସ୍ୱର୍ଣ୍ଣ ପଦକ ପାଇଥିଲି ସାର୍ ।
ପ୍ରଧାନମନ୍ତ୍ରୀ : ଆରେ ବାଃ ! ଦୁଇଟିଯାକରେ ପଦକ !
ରଶ୍ମିତା : ହଁ ସାର୍ ।
ପ୍ରଧାନମନ୍ତ୍ରୀ : ବହୁତ ବହୁତ ଅଭିନନ୍ଦନ ।
ରଶ୍ମିତା : ଥାଙ୍କ୍ ୟୁ ସାର୍
ପ୍ରଧାନମନ୍ତ୍ରୀ : ଆଚ୍ଛା ରଶ୍ମିତା, ୱାଟର୍ ସ୍ପୋର୍ଟ୍ସ ବ୍ୟତୀତ ଆଉ କେଉଁ କେଉଁଥିରେ ଆପଣଙ୍କର ରୁଚି ରହିଛି ?
ରଶ୍ମିତା : ସାର୍, ୱାଟର୍ ସ୍ପୋର୍ଟ୍ସକୁ ଛାଡ଼ିଦେଲେ ଦୌଡ଼ ପ୍ରତିଯୋଗିତା ମୋତେ ଭାରି ଭଲ ଲାଗେ । ଯେବେ ବି ମୁଁ ଛୁଟିରେ ଯାଏଁ, ମୁଁ ଦୌଡ଼ିବାକୁ ଯାଇଥାଏ, ମୋ ପୁରୁଣା ମଇଦାନକୁ । ପ୍ରଥମେ ମୁଁ ସେଠି ଫୁଟବଲ୍ ଖେଳିବା ଶିଖିଥିଲି । ତେଣୁ, ସେଠାକୁ ଗଲେ ମୁଁ ବହୁତ ରନିଂ କରେ ଆଉ ଅଳ୍ପ ବହୁତ ଫୁଟବଲ୍ ବି ଖେଳେ ।
ପ୍ରଧାନମନ୍ତ୍ରୀ : ମାନେ, ଖେଳ ଆପଣଙ୍କ ଶିରାପ୍ରଶିରାରେ ପରିବ୍ୟାପ୍ତ ?
ରଶ୍ମିତା : ହଁ ସାର୍ । ସ୍କୁଲରେ ପ୍ରଥମରୁ ଦଶମ ଯାଏଁ ପଢ଼ିବା ସମୟରେ ମୁଁ ଯେତେ ପ୍ରତିଯୋଗୀତାରେ ଅଂଶଗ୍ରହଣ କରୁଥିଲି, ସବୁଥିରେ ପ୍ରଥମ ସ୍ଥାନ ହାସଲ୍ କରି ଚମ୍ପିଆନ୍ ହେଉଥିଲି ।
ପ୍ରଧାନମନ୍ତ୍ରୀ : ରଶ୍ମିତା, ଯେଉଁମାନେ ଆପଣଙ୍କ ଭଳି କ୍ରୀଡ଼ାଜଗତରେ ଆଗକୁ ବଢ଼ିବାକୁ ଚାହୁଁଛନ୍ତି, ଯଦି ସେମାନଙ୍କୁ କିଛି ବାର୍ତ୍ତା ଦେବାକୁ ହୁଏ, ଆପଣ କଣ କହିବେ ?
ରଶ୍ମିତା : ସାର୍, ବହୁତ ପିଲାଙ୍କୁ ଘରୁ ବାହାରିବାକୁ ବି ଅନୁମତି ମିଳେନି । ବିଶେଷକରି ଝିଅମାନଙ୍କୁ । କିଛି ପିଲା ଅର୍ଥାଭାବରୁ ଖେଳ ଛାଡ଼ି ଦେଉଛନ୍ତି । କିନ୍ତୁ, ଏହି ଖେଲୋ ଇଣ୍ଡିଆ ଯୋଜନାରେ ବହୁତ ପିଲାଙ୍କୁ ଆର୍ଥିକ ଏବଂ ଅନ୍ୟାନ୍ୟ ସାହାଯ୍ୟ ମିଳୁଛି, ଯାହା ଫଳରେ ଅନେକ ପିଲା ଆଗକୁ ଯାଇପାରୁଛନ୍ତି । ମୁଁ ସମସ୍ତଙ୍କୁ କହିବାକୁ ଚାହୁଁଛି ଯେ, ଖେଳକୁ ଛାଡ଼ନ୍ତୁ ନାହିଁ । ଖେଳରେ ବହୁତ ଆଗକୁ ଯାଇପାରିବେ । ଖେଳ କେବଳ ଖେଳ ନୁହେଁ, ଏହା ଦ୍ୱାରା ଶରୀରର ପ୍ରତ୍ୟେକ ଅଙ୍ଗପ୍ରତ୍ୟଙ୍ଗ ସୁସ୍ଥ ରହିଥାଏ ଏବଂ ଖେଳରେ ଉନ୍ନତି କରି ଭାରତ ପାଇଁ ପଦକ ଜିତିବା ଆମ କର୍ତ୍ତବ୍ୟ ସାର୍ ।
ପ୍ରଧାନମନ୍ତ୍ରୀ : ହଉ ରଶ୍ମିତା, ମୋତେ ବହୁତ ଭଲ ଲାଗିଲା । ଆପଣଙ୍କୁ ପୁଣିଥରେ ଅନେକ ଅନେକ ଅଭିନନ୍ଦନ ଏବଂ ଆପଣଙ୍କ ବାପାଙ୍କୁ ମୋର ପ୍ରଣାମ ଜଣାଇବେ, କାରଣ ଏତେ ବାଧାବିଘ୍ନ ସତ୍ତ୍ୱେ ଗୋଟିଏ ଝିଅକୁ ଆଗକୁ ବଢ଼ିବା ପାଇଁ ସେ ଏତେ ପ୍ରୋତ୍ସାହନ ଦେଲେ । ମୋର ଅନେକ ଅନେକ ଶୁଭେଚ୍ଛା । ଧନ୍ୟବାଦ ।
ରଶ୍ମିତା : ଥାଙ୍କ୍ ୟୁ ସାର୍ ।
ପ୍ରଧାନମନ୍ତ୍ରୀ : ଜୟ ଜଗନ୍ନାଥ ।
ରଶ୍ମିତା : ଜୟ ଜଗନ୍ନାଥ ସାର୍ ।
ପ୍ରଧାନମନ୍ତ୍ରୀ : ମୋହସିନ ଅଲୀ ନମସ୍କାର !
ମୋହସିନ ଅଲୀ : ନମସ୍କାର ସାର୍!
ପ୍ରଧାନମନ୍ତ୍ରୀ : ମୋହସିନ ଜୀ, ଆପଣଙ୍କୁ ବହୁତ ବହୁତ ଅଭିନନ୍ଦନ ଏବଂ ଆପଣଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଅନେକ ଶୁଭେଚ୍ଛା ।
ମୋହସିନ ଅଲୀ : ଧନ୍ୟବାଦ ସାର୍ ।
ପ୍ରଧାନମନ୍ତ୍ରୀ : ମୋହସିନ, ଆପଣ ପ୍ରଥମେ ଖେଲୋ ଇଣ୍ଡିଆ ୱାଟର ସ୍ପୋର୍ଟସ୍ ଉତ୍ସବରେ ଭାଗ ନେଇ ପ୍ରଥମ ସ୍ୱର୍ଣ୍ଣପଦକ ଜିତିଛନ୍ତି । ଆପଣଙ୍କୁ କେମିତି ଲାଗିଲା ?
ମୋହସିନ ଅଲୀ: ସାର୍, ମୁଁ ବହୁତ ଖୁସି ଅଛି । ମୁଁ ଖେଲୋ ଇଣ୍ଡିଆରେ ସ୍ୱର୍ଣ୍ଣପଦକ ଜିତିଛି, ଯାହା ଏଇଠି କାଶ୍ମୀରରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇଛି ।
ପ୍ରଧାନମନ୍ତ୍ରୀ : ଲୋକଙ୍କ ମଧ୍ୟରେ କ’ଣ ଚର୍ଚ୍ଚା ହେଉଛି ?
ମୋହସିନ ଅଲୀ : ସାର୍, ବହୁତ ଚର୍ଚ୍ଚା ହେଉଛି । ମୋ ପରିବାରର ସମସ୍ତେ ଖୁସି ଅଛନ୍ତି ।
ପ୍ରଧାନମନ୍ତ୍ରୀ : ଆପଣଙ୍କ ସ୍କୁଲର ଲୋକେ?
ମୋହସିନ ଅଲୀ : ସ୍କୁଲର ସମସ୍ତେ ମଧ୍ୟ ଖୁସି ଅଛନ୍ତି । କଶ୍ମୀରରେ ସମସ୍ତେ କହୁଛନ୍ତି ଆପଣ ସ୍ୱର୍ଣ୍ଣ ପଦକଧାରୀ ଖେଳାଳି ।
ପ୍ରଧାନମନ୍ତ୍ରୀ : ତା’ହେଲେ ଆପଣ ତ ଏବେ ବଡ଼ ସେଲିବ୍ରିଟି ହୋଇଗଲେ ।
ମୋହସିନ ଅଲୀ : ହଁ ସାର୍!
ପ୍ରଧାନମନ୍ତ୍ରୀ : ଆଚ୍ଛା, ୱାଟର୍ ସ୍ପୋର୍ଟସ୍ ପ୍ରତି କିଭଳି ଆଗ୍ରହ ସୃଷ୍ଟି ହେଲା ଏବଂ ଆପଣ ଏହାଦ୍ୱାରା କ’ଣ ଲାଭ ହେବା ଦେଖୁଛନ୍ତି ?
ମୋହସିନ ଅଲୀ : ପିଲା ଦିନେ ମୁଁ ଦେଖିଥିଲି ଡାଲ୍ ହ୍ରଦରେ ନୌକା ଚାଲୁଛି । ବାପା କହିଥିଲେ, ତୁ କରିବୁ ? ମୋର ବି ଆଗ୍ରହ ଥିଲା । ତା’ପରେ ମୁଁ ସେଣ୍ଟର୍କୁ ଗଲି, ମାଡାମ୍ଙ୍କ ପାଖକୁ । ବିଲ୍କିସ୍ ମାଡାମ୍ ମୋତେ ଶିଖାଇଲେ ।
ପ୍ରଧାନମନ୍ତ୍ରୀ : ଆଚ୍ଛା ମୋହସିନ, ପ୍ରଥମ ଥରପାଇଁ ୱାଟର୍ ସ୍ପୋର୍ଟସ୍ କାର୍ଯ୍ୟକ୍ରମ ଶ୍ରୀନଗରରେ, ତାହା ପୁଣି ଡାଲ୍ ହ୍ରଦରେ ହେଲା । ଦେଶର ଅନେକ ଲୋକ ଆସିଥିଲେ । ସେଠାକାର ଲୋକଙ୍କୁ କେମିତି ଲାଗିଲା ?
ମୋହସିନ ଅଲୀ: ସାର୍, ବହୁତ ଖୁସି ଲାଗିଲା । ସମସ୍ତେ କହୁଛନ୍ତି ଏହା ଏକ ଭଲ ସ୍ଥାନ, ସବୁ ଭଲ ସୁବିଧା ଅଛି । ‘ଖେଲୋ ଇଣ୍ଡିଆ’ରେ ସବୁ କିଛି ଭଲ ଥିଲା ।
ପ୍ରଧାନମନ୍ତ୍ରୀ : ତ ଆପଣ କେବେ କାଶ୍ମୀର ବାହାରକୁ ଖେଳିବାକୁ ଯାଇଛନ୍ତି ?
ମୋହସିନ ଅଲୀ: ହଁ ସାର୍, ମୁଁ ଭୋପାଳ, ଗୋଆ, କେରଳ, ହିମାଚଳ ଯାଇଛି ।
ପ୍ରଧାନମନ୍ତ୍ରୀ : ଆଚ୍ଛା, ଆପଣ ତ ତା’ହେଲେ ପୂରା ଭାରତ ଦେଖି ସାରିଛନ୍ତି ।
ମୋହସିନ ଅଲୀ : ହଁ ସାର୍ ।
ପ୍ରଧାନମନ୍ତ୍ରୀ : ଆଚ୍ଛା, ସେଠାକୁ ବହୁତ ଖେଳାଳି ଆସିଥିଲେ
ମୋହସିନ ଅଲୀ : ହଁ ସାର୍ ।
ପ୍ରଧାନମନ୍ତ୍ରୀ : ଆପଣ ନୂଆ ବନ୍ଧୁ ତିଆରି କଲେ ନା ନାହିଁ ।
ମୋହସିନ ଅଲୀ : ସାର୍, ବହୁତ ବନ୍ଧୁ ତିଆରି କଲି । ଏକା ସାଂଗେ ବୁଲାବୁଲି କଲୁ ଡାଲ୍ ହ୍ରଦରେ, ଲାଲ୍ ଚୌକରେ, ଆମେ ସବୁ ସ୍ଥାନରେ ବୁଲିଲୁ ସାର୍, ପହଲଗାମ ବି ଯାଇଥିଲୁ । ହଁ ସାର୍, ସବୁ ଜାଗା
ପ୍ରଧାନମନ୍ତ୍ରୀ : ଦେଖନ୍ତୁ ମୁଁ ତ ଦେଖିଛି ଯେ ଜମ୍ମୁ କଶ୍ମୀରରେ Sports Talent ଅଛନ୍ତି ।
ମୋହସିନ ଅଲୀ : ହଁ ସାର୍ ।
ପ୍ରଧାନମନ୍ତ୍ରୀ :ଆମ ଜମ୍ମୁକଶ୍ମୀରର ଯୁବକଯୁବତୀ ଦେଶର ନାଁ ଉଜ୍ଜ୍ୱଳ କରିବାର ସାମର୍ଥ୍ୟ ରଖନ୍ତି ଏବଂ ଆପଣ ତାହା କରି ଦେଖାଇଛନ୍ତି ।
ମୋହସିନ ଅଲୀ : ସାର୍, ମୋର ସ୍ୱପ୍ନ ହେଉଛି ଅଲିମ୍ପିକ୍ରେ ପଦକ ଜିତିବା ।
ପ୍ରଧାନମନ୍ତ୍ରୀ : ବାଃ ସାବାସ୍ ।
ମୋହସିନ ଅଲୀ : ତାହା ହିଁ ସ୍ୱପ୍ନ ସାର୍ ।
ପ୍ରଧାନମନ୍ତ୍ରୀ : ଦେଖନ୍ତୁ ଆପଣଙ୍କଠାରୁ ଏକଥା ଶୁଣି ମୁଁ କିଭଳି ରୋମାଞ୍ଚ ଅନୁଭବ କରୁଛି।
ମୋହସିନ ଅଲୀ : ସାର୍, ମୋର ସ୍ୱପ୍ନ ହେଉଛି ଅଲିମ୍ପିକ୍ରେ ପଦକ ଜିତିବା ଆଉ ଦେଶ ପାଇଁ National Anthem ବଜାଇବା, ତାହା ହିଁ ମୋର ସ୍ୱପ୍ନ ।
ପ୍ରଧାନମନ୍ତ୍ରୀ :ମୋ ଦେଶର ଗୋଟିଏ ଶ୍ରମିକ ପରିବାରର ପୁଅ ଏତେ ବଡ଼ ସ୍ୱପ୍ନ ଦେଖୁଛି ମାନେ ଏହି ଦେଶ ନିଶ୍ଚିତ ଭାବେ ବହୁତ ଆଗକୁ ବଢ଼ିବ ।
ମୋହସିନ ଅଲୀ : ସାର୍, ବହୁତ ଆଗକୁ ବଢ଼ିବ । ମୁଁ ଭାରତ ସରକାରଙ୍କ ନିକଟରେ କୃତଜ୍ଞ ଯେ ଏଇଠି ଖେଲୋ ଇଣ୍ଡିଆ ଆୟୋଜନ କରିଛନ୍ତି । ଏଇଠି ପ୍ରଥମ ଥରପାଇଁ ହୋଇଛି ସାର୍ ।
ପ୍ରଧାନମନ୍ତ୍ରୀ : ତା’ହେଲେ ତ ଆପଣଙ୍କ ସ୍କୁଲରେ ମଧ୍ୟ ଜୟଜୟକାର ହେଉଥିବ ।
ମୋହସିନ ଅଲୀ : ହଁ ସାର୍ ।
ପ୍ରଧାନମନ୍ତ୍ରୀ : ହଉ ମୋହସିନ, ଆପଣଙ୍କ ସହ କଥା ହୋଇ ମତେ ବହୁତ ଭଲ ଲାଗିଲା ଆଉ ମୋ ତରଫରୁ ଆପଣଙ୍କ ବାପାଙ୍କୁ ସ୍ୱତନ୍ତ୍ର ଭାବେ ଧନ୍ୟବାଦ ଜଣାଇଦେବେ । କାହିଁକିନା ସେ ଶ୍ରମିକ ଭାବେ ଜୀବନଯାପନ କରି ମଧ୍ୟ ଆପଣଙ୍କ ଜୀବନକୁ ତିଆରି କରିଛନ୍ତି ଏବଂ ଆପଣ ନିଜ ବାପାଙ୍କ କଥାରେ ଆଦୌ ଆରାମ ନ କରି ଦଶ ବର୍ଷ ପର୍ଯ୍ୟନ୍ତ ସାଧନା କରିଛନ୍ତି । ଏହା ଖେଳାଳିଙ୍କ ପାଇଁ ବହୁତ ବଡ଼ ପ୍ରେରଣା ଅଟେ ଏବଂ ଆପଣଙ୍କ କୋଚଙ୍କୁ ମଧ୍ୟ ମୁଁ ବହୁତ ଶୁଭେଚ୍ଛା ଜଣାଉଛି ଯିଏ ଆପଣଙ୍କ ପାଇଁ ଏତେ ପରିଶ୍ରମ କରିଛନ୍ତି, ମୋ ତରଫରୁ ବହୁତ-ବହୁତ ଶୁଭକାମନା, ବହୁତ-ବହୁତ ଶୁଭେଚ୍ଛା ଭାଇ ।
ମୋହସିନ ଅଲୀ : ଧନ୍ୟବାଦ ସାର୍, ନମସ୍କାର ସାର୍, ଜୟ ହିନ୍ଦ୍!
ବନ୍ଧୁଗଣ, ‘ଏକ ଭାରତ-ଶ୍ରେଷ୍ଠ ଭାରତ’ର ଭାବନା ଦେଶର ଏକତା ଓ ପ୍ରଗତି ପାଇଁ ଅତ୍ୟନ୍ତ ଜରୁରୀ। କ୍ରୀଡ଼ା ଏଥିରେ ନିଶ୍ଚିତ ଭାବରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ । ସେଇଥିପାଇଁ ମୁଁ କହେ ଯେ ଯିଏ ଖେଳେ, ସେ ପ୍ରସ୍ଫୁଟିତ ହେବ । ଆମ ଦେଶ ମଧ୍ୟ ଯେତିକି ଟୁର୍ଣ୍ଣାମେଣ୍ଟ ଖେଳିବ, ସେତିକି ବିକଶିତ ହେବ । ଆପଣ ଦୁଇ ଖେଳାଳିଙ୍କୁ, ଆପଣମାନଙ୍କ ବନ୍ଧୁମାନଙ୍କୁ ମୋର ବହୁତ ବହୁତ ଶୁଭକାମନା ।
ମୋର ପ୍ରିୟ ଦେଶବାସୀଗଣ, ଆପଣ ୟୁପିଏସ୍ସି ନାଁ ତ ନିଶ୍ଚିତଭାବେ ଶୁଣିଥିବେ । ଏହି ସଂସ୍ଥା ଦେଶର ସବୁଠୁ କଠିନ ପରୀକ୍ଷା ମଧ୍ୟରୁ ଅନ୍ୟତମ ସିଭିଲ୍ ସର୍ଭିସେସ୍ର ପରୀକ୍ଷା ମଧ୍ୟ ଆୟୋଜନ କରିଥାଏ । ଆମେ ସମସ୍ତେ ସିଭିଲ୍ ସର୍ଭିସର ଟପ୍ପର୍ସମାନଙ୍କ ପ୍ରେରଣାଦାୟକ କଥା ଅନେକ ଥର ଶୁଣିଛୁ । ଏହି ଯୁବକଯୁବତୀମାନେ କଠିନ ପରିସ୍ଥିତିରେ ପଢ଼ାପଢ଼ି କରିବା ପରେ ନିଜର କଠୋର ପରିଶ୍ରମ ଦ୍ୱାରା ଏହି ସର୍ଭିସରେ ସ୍ଥାନ ପାଇଥାନ୍ତି- କିନ୍ତୁ ବନ୍ଧୁଗଣ, ୟୁପିଏସ୍ସି ପରୀକ୍ଷାର ଆଉ ଗୋଟିଏ ବାସ୍ତବତା ମଧ୍ୟ ରହିଛି । ଏଭଳି ହଜାର ହଜାର ପ୍ରାର୍ଥୀ ମଧ୍ୟ ଥାଆନ୍ତି, ଯେଉଁମାନେ ଅତ୍ୟନ୍ତ ଯୋଗ୍ୟ ହୋଇଥିଲେ ମଧ୍ୟ, ସେମାନଙ୍କର ପରିଶ୍ରମ କାହାଠାରୁ କମ୍ ନୁହେ, କିନ୍ତୁ ଅଳ୍ପ ପାର୍ଥକ୍ୟରେ ସେମାନେ ଅନ୍ତିମ ତାଲିକା ପର୍ଯ୍ୟନ୍ତ ପହଞ୍ଚିପାରନ୍ତି ନାହିଁ । ଏହି ପ୍ରାର୍ଥୀମାନଙ୍କୁ ଦ୍ୱିତୀୟ ଥର ପରୀକ୍ଷା ଦେବାପାଇଁ ନୂଆ କରି ପ୍ରସ୍ତୁତି କରିବାକୁ ପଡ଼େ । ସେଥିରେ ସେମାନଙ୍କ ଅର୍ଥ ଓ ସମୟ ଉଭୟ ଖର୍ଚ ହୋଇଥାଏ । ସେଥିପାଇଁ ଏବେ ଏଭଳି ପ୍ରତିଭାବାନ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଡିଜିଟାଲ ପ୍ଲାଟଫର୍ମ ତିଆରି କରାଯାଇଛି, ଯାହାର ନାମ ହେଉଛି ‘ପ୍ରତିଭା ସେତୁ’ ।
‘ପ୍ରତିଭା ସେତୁ’ରେ ସେହି ପ୍ରାର୍ଥୀମାନଙ୍କର ଡାଟା ରଖାଯାଇଛି, ଯେଉଁମାନେ ୟୁପିଏସ୍ସିର ବିଭିନ୍ନ ପରୀକ୍ଷାର ସବୁ ପର୍ଯ୍ୟାୟରେ ଉତ୍ତୀର୍ଣ୍ଣ ହୋଇଛନ୍ତ, କିନ୍ତୁ ଶେଷ merit listରେ ସେମାନଙ୍କର ନାମ ଆସିପାରି ନାହିଁ । ଏହି ପୋର୍ଟାଲରେ ୧୦ ହଜାରରୁ ଅଧିକ ଏପରି ପ୍ରତିଭାବାନ ଯୁବକଯୁବତୀଙ୍କର ଡାଟାବ୍ୟାଙ୍କ ରହିଛି । କେହି Civil Services ପାଇଁ ପ୍ରସ୍ତୁତ କରୁଥିଲେ, କେହି ଇଞ୍ଜିନିୟରିଂ ସର୍ଭିସରେ ଯିବାକୁ ଚାହୁଁଥିଲେ, କିଏ ମେଡିକାଲ୍ ସର୍ଭିସରେ ସବୁ ପର୍ଯ୍ୟାୟରେ ଉତ୍ତୀର୍ଣ୍ଣ ହୋଇଥିଲେ, କିନ୍ତୁ ଶେଷରେ ତାଙ୍କର ସିଲେକ୍ସନ ହୋଇପାରି ନ ଥିଲେ, ଏଭଳି ସବୁ ପ୍ରାର୍ଥୀଙ୍କ ତଥ୍ୟ ଏବେ ‘ପ୍ରତିଭା ସେତୁ’ ପୋର୍ଟାଲରେ ଉପଲବ୍ଧ କରାଯାଇଛି । ଏହି ପୋର୍ଟାଲ୍ ମାଧ୍ୟମରେ ପ୍ରାଇଭେଟ କମ୍ପାନୀଗୁଡ଼ିକ ଏହି ପ୍ରତିଭାବାନ ଛାତ୍ରମାନଙ୍କର ତଥ୍ୟ ନେଇ ସେମାନଙ୍କୁ ନିଯୁକ୍ତି ଦେଇପାରିବେ । ବନ୍ଧୁଗଣ, ଏହି ଉଦ୍ୟମର ଫଳାଫଳ ମଧ୍ୟ ଆସିବା ଆରମ୍ଭ ହୋଇଯାଇଛି । ଶହଶହ ପ୍ରାର୍ଥୀ ଏହି ପୋର୍ଟାଲ ସାହାର୍ଯ୍ୟରେ ତୁରନ୍ତ ନିଯୁକ୍ତି ପାଇଛନ୍ତି ଏବଂ ଯେଉଁ ଯୁବକ ଯୁବତୀ ଅଳ୍ପକରେ ରହିଯାଇଛନ୍ତି, ସେମାନେ ଏବେ ନୂଆ ଆତ୍ମବିଶ୍ୱାସ ସହିତ ଆଗକୁ ବଢ଼ୁଛନ୍ତି ।
ମୋର ପ୍ରିୟ ଦେଶବାସୀଗଣ, ଆଜି ସମଗ୍ର ବିଶ୍ୱର ଦୃଷ୍ଟି ଭାରତ ଉପରେ ରହିଛି । ଭାରତରେ ଲୁଚି ରହିଥିବା ସମ୍ଭାବନା ଉପରେ ବିଶ୍ୱର ନଜର ରହିଛି । ଏହି ସହିତ ଜଡ଼ିତ ଏକ ସୁଖଦ ଅଭିଜ୍ଞତା ବିଷୟରେ ମୁଁ ଆପଣଙ୍କୁ ଜଣାଇବାକୁ ଚାହୁଁଛି । ଆପଣମାନେ ଜାଣିଛନ୍ତି ଯେ ଆଜିକାଲି ପଡ଼କାଷ୍ଟ୍ର ବହୁତ ଫ୍ୟାସନ୍ ରହିଛି । ବିଭିନ୍ନ ପ୍ରସଙ୍ଗ ସହିତ ଜଡ଼ିତ ପଡ଼କାଷ୍ଟ୍କୁ ବିଭିନ୍ନ ପ୍ରକାରର ଲୋକ ଦେଖନ୍ତି ଓ ଶୁଣନ୍ତି । ବିଗତ ଦିନରେ ମୁଁ ମଧ୍ୟ କେତେକ ପଡ଼କାଷ୍ଟ୍ରେ ଭାଗ ନେଇଥିଲି । ଏମିତି ଏକ ପଡ଼କାଷ୍ଟ୍ ଦୁନିଆର ବହୁତ ଫେମସ୍ ପଡ଼କାଷ୍ଟର୍ ଲେକ୍ସ ଫ୍ରିଡ଼ମ୍ୟାନଙ୍କ ସହିତ ହୋଇଥିଲା । ସେହି ପଡ଼କାଷ୍ଟ୍ରେ ବିଭିନ୍ନ ବିଷୟ ଆଲୋଚନା ହୋଇଥିଲା ଓ ସାରା ପୃଥିବୀର ଲୋକ ମଧ୍ୟ ଶୁଣିଥିଲେ ଏବଂ ଯେତେବେଳେ ପଡ଼କାଷ୍ଟ୍ ଉପରେ ଚର୍ଚ୍ଚା ହେଉଛି, ତ କଥାରେ କଥାରେ ମୁଁ ଏଭଳି ଏକ ବିଷୟ ଉଠାଇଥିଲି । ଜର୍ମାନୀର ଜଣେ କ୍ରୀଡ଼ାବିତ୍ ସେହି ପଡ଼କାଷ୍ଟ୍ ଶୁଣିଥିଲେ ଏବଂ ମୁଁ ସେଥିରେ ଯେଉଁ କଥା କହିଥିଲି ସେଥିରେ ତାଙ୍କ ଧ୍ୟାନ କେନ୍ଦ୍ରୀଭୂତ ହୋଇଗଲା । ସେ ସେହି ବିଷୟ ସହିତ ଏତେ କନେକସନ୍ ହୋଇଗଲେ ଯେ ପ୍ରଥମେ ସେହି ବିଷୟ ଉପରେ ଗବେଷଣା କଲେ ଏବଂ ପୁଣି ଜର୍ମାନୀର ଭାରତୀୟ ଦୂତାବାସ ସହିତ ଯୋଗାଯୋଗ କଲେ । ସେ ଗୋଟିଏ ଚିଠି ଲେଖି ଜଣାଇଥିଲେ ଯେ ସେ ସେହି ବିଷୟକୁ ନେଇ ଭାରତ ସହିତ ଯୋଡ଼ିହେବାକୁ ଚାହୁଁଛନ୍ତି । ଆପଣମାନେ ଭାବୁଥିବେ ଯେ ମୋଦୀ ଜୀ ପଡ଼କାଷ୍ଟ୍ରେ ଏପରି କି କଥା କହିଲେ, ଯାହା ଜର୍ମାନୀର ଜଣେ ଖେଳାଳିଙ୍କୁ ପ୍ରେରଣା ଦେଲା । ଏହା କେଉଁ ବିଷୟ ଥିଲା- ମୁଁ ଆପଣଙ୍କୁ ମନେ ପକାଇ ଦେଉଛି, ମୁଁ ପଡ଼କାଷ୍ଟରେ କଥାରେ କଥାରେ ମଧ୍ୟପ୍ରଦେଶର ଶହଡୋଲ୍ର ଫୁଟବଲର Craze ସହିତ ଜଡ଼ିତ ଗୋଟିଏ ଗାଁ କଥା ବର୍ଣ୍ଣନା କରିଥିଲି । ପ୍ରକୃତରେ ଦୁଇ ବର୍ଷ ତଳେ ମୁଁ ଶହଡୋଲ୍ ଯାଇଥିଲି, ସେଠାକାର ଫୁଟବଲ ଖେଳାଳୀ.ଙ୍କୁ ଭେଟିଥିଲି । ପଡ଼କାଷ୍ଟରେ ଗୋଟିଏ ପ୍ରଶ୍ନର ଉତ୍ତରରେ ମୁଁ ଶହଡୋଲ୍ର ଫୁଟବଲ ଖେଳାଳିଙ୍କ ସମ୍ପର୍କରେ କହିଥିଲି । ଏକଥା ଜର୍ମାନୀର ଫୁଟବଲ ଖେଳାଳି ଓ କୋଚ୍ ଡିଟ୍ମାର୍ ବାୟରସ୍ଡୋର୍ଫର୍ ମଧ୍ୟ ଶୁଣିଥିଲେ । ଶହଡୋଲ୍ର ଯୁବ ଫୁଟବଲ ଖେଳାଳିମାନଙ୍କ ଜୀବନ ଯାତ୍ରା ତାଙ୍କୁ ବହୁତ ପ୍ରଭାବିତ କରିବା ସହ ପ୍ରେରଣା ଦେଇଥିଲା । ସତରେ କେହି କଳ୍ପନା ମଧ୍ୟ କରିନଥିଲେ ଯେ ସେଠାକାର ପ୍ରତିଭାଶାଳୀ ଫୁଟବଲ ଖେଳାଳିମାନେ ମଧ୍ୟ ଅନ୍ୟ ଦେଶର ଦୃଷ୍ଟି ଆକର୍ଷଣ କରିପାରିବେ । ଏବେ ଜର୍ମାନୀର ଏହି ପ୍ରଶିକ୍ଷକ ଶହଡୋଲ୍ର କେତେକ ଖେଳାଳିଙ୍କୁ ଜର୍ମାନୀର ଏକ ଏକାଡେମୀରେ ତାଲିମ ଦେବା ପାଇଁ ପ୍ରସ୍ତାବ ଦେଇଛନ୍ତି । ଏହାପରେ ମଧ୍ୟପ୍ରଦେଶ ସରକାର ମଧ୍ୟ ତାଙ୍କ ସହିତ ଯୋଗାଯୋଗ କରିଛନ୍ତି । ଖୁବଶୀଘ୍ର ଶହଡୋଲ୍ର ଆମର କିଛି ଯୁବ ବନ୍ଧୁ Training Course ପାଇଁ ଜର୍ମାନୀ ଯିବେ । ଏହା ଦେଖି ମୋତେ ବହୁତ ଖୁସି ଲାଗୁଛି ଯେ ଭାରତରେ ଫୁଟବଲର ଲୋକପ୍ରିୟତା ନିରନ୍ତର ବୃଦ୍ଧି ପାଉଛି । ମୁଁ ଫୁଟବଲପ୍ରେମୀଙ୍କୁ ଅନୁରୋଧ କରୁଛି ଯେ ସମୟ ମିଳିଲେ ସେମାନେ ଶହଡୋଲ୍ ନିଶ୍ଚୟ ଯାଆନ୍ତୁ ଏବଂ ସେଠାରେ ହେଉଥିବା Sports Revolutionକୁ ନିକଟରୁ ଦେଖନ୍ତୁ ।
ମୋର ପ୍ରିୟ ଦେଶବାସୀଗଣ, ସୁରତରେ ରହୁଥିବା ଜିତେନ୍ଦ୍ର ସିଂ ରାଠୋଙ୍କ ସମ୍ପର୍କରେ ଜାଣିଲେ ଆପଣଙ୍କୁ ଗୋଟିଏ ସୁଖଦ ଅନୁଭୂତି ଆସିବ । ଆପଣଙ୍କ ମନ ଗର୍ବରେ ଭରିଉଠିବ । ଜିତେନ୍ଦ୍ର ସିଂ ରାଠୋର୍ ହେଉଛନ୍ତି ଜଣେ ସିକ୍ୟୁରିଟି ଗାର୍ଡ, ଆଉ ସେ ଏଭଳି ଏକ ଅଦ୍ଭୁତ ପ୍ରୟାସ କରିଛନ୍ତି ଯାହାକି ପ୍ରତ୍ୟେକ ଦେଶଭକ୍ତ ପାଇଁ ଗୋଟିଏ ପ୍ରେରଣାର ଉତ୍ସ । ଗତ କେତେବର୍ଷ ଧରି ସେ ସେହି ଯବାନମାନଙ୍କ ସମ୍ପର୍କରେ ସୂଚନା ସଂଗ୍ରହ କରୁଛନ୍ତି ଯେଉଁମାନେ ଭାରତମାତାର ରକ୍ଷା ପାଇଁ ନିଜର ଜୀବନ ଉତ୍ସର୍ଗ କରିଦେଇଛନ୍ତି । ଆଜି ତାଙ୍କ ପାଖରେ ପ୍ରଥମ ବିଶ୍ୱଯୁଦ୍ଧଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ସହିଦ୍ ହୋଇଥିବା ହଜାର ହଜାର ବୀର ସୈନିକମାନଙ୍କ ବିଷୟରେ ସୂଚନା ଗଚ୍ଛିତ ଅଛି । ତାଙ୍କ ପାଖରେ ସହିଦମାନଙ୍କର ହଜାର ହଜାର ଫଟୋ ମଧ୍ୟ ଅଛି । ଥରେ ଜଣେ ସହିଦଙ୍କର ପିତା କହିଥିବା କଥା ତାଙ୍କ ହୃଦୟକୁ ଛୁଇଁଯାଇଥିଲା । ସହିଦଙ୍କ ପିତା କହିଥିଲେ ‘ପୁଅ ଗଲା ତ କ’ଣ ହେଲା, ଦେଶ ତ ସୁରକ୍ଷିତ ଅଛି ନା!’ ଏହି ଗୋଟିଏ କଥା ଜିତେନ୍ଦ୍ର ସିଂ ଜୀଙ୍କ ମନରେ ଦେଶଭକ୍ତିର ଏକ ଅଦ୍ଭୁତ ଉନ୍ମାଦନା ଭରିଦେଲା । ଆଜି ସେ ଅନେକ ସହିଦ୍ ପରିବାରଙ୍କ ସଂସ୍ପର୍ଶରେ ଆସୁଛନ୍ତି । ସେ ପ୍ରାୟ ଅଢ଼େଇ ହଜାର ସହିଦଙ୍କ ପିତାମାତାଙ୍କର ଚରଣଧୂଳି ମଧ୍ୟ ନିଜ ପାଖରେ ଆଣି ରଖିଛନ୍ତି । ଏହା ସଶସ୍ତ୍ର ସେନା ପ୍ରତି ତାଙ୍କର ଗଭୀର ଶ୍ରଦ୍ଧା ଏବଂ ଆକର୍ଷଣର ଜୀବନ୍ତ ଉଦାହରଣ । ଜିତେନ୍ଦ୍ର ଜୀଙ୍କ ଜୀବନ ଆମକୁ ଦେଶଭକ୍ତିର ବାସ୍ତବ ଶିକ୍ଷା ଦେଉଛି ।
ମୋର ପ୍ରିୟ ଦେଶବାସୀଗଣ, ଆଜିକାଲି ଆପଣ ଦେଖିଥିବେ, ପ୍ରାୟ ଘରଗୁଡ଼ିକର ଛାତ ଉପରେ, ବଡ଼ ବଡ଼ କୋଠା ଉପରେ, ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ସୋଲାର ପ୍ୟାନେଲ୍ ଚକଚକ୍ କରିବାର ଦେଖାଯାଉଛି । ଏବେ ଲୋକମାନେ ତା’ର ମହତ୍ତ୍ୱକୁ ବୁଝୁଛନ୍ତି ଏବଂ ଖୋଲା ମନରେ ତାକୁ ଆପଣାଉଛନ୍ତି । ଆମ ଦେଶ ଉପରେ ସୂର୍ଯ୍ୟଦେବଙ୍କ ଏତେ କୃପା ଅଛି, ତେବେ ଆମେ କାହିଁକି ତାଙ୍କଦ୍ୱାରା ପ୍ରଦତ୍ତ ଶକ୍ତିର ସମ୍ପୂର୍ଣ୍ଣ ଉପଯୋଗ ନ କରିବା ।
ବନ୍ଧୁଗଣ, ସୋଲାର ପାୱାର ଦ୍ୱାରା କୃଷକମାନଙ୍କର ଜୀବନ ମଧ୍ୟ ବଦଳୁଛି । ସେହି କ୍ଷେତ, ସେହି ପରିଶ୍ରମ, ସେହି କୃଷକ, କିନ୍ତୁ ଏବେ ପରିଶ୍ରମର ଫଳ ଅନେକ ବେଶୀ । ଏହି ପରିବର୍ତ୍ତନ ସୋଲାର ପମ୍ପ ଦ୍ୱାରା ଏବଂ ସୋଲାର୍ ରାଇସ୍ ମିଲ୍ ଦ୍ୱାରା ହେଇପାରୁଛି । ଆଜି ଦେଶର ଅନେକ ରାଜ୍ୟରେ ଶହ ଶହ ସୋଲାର୍ ରାଇସ୍ ମିଲ୍ ବସିସାରିଲାଣି । ଏହି ସୋଲାର ରାଇସ୍ ମିଲଗୁଡ଼ିକ କୃଷକମାନଙ୍କର ଆୟ ସଙ୍ଗେ ସଙ୍ଗେ ତାଙ୍କ ଚେହେରାର ଚମକ ମଧ୍ୟ ବଢ଼େଇ ଦେଇଛନ୍ତି ।
ବନ୍ଧୁଗଣ, ବିହାରର ଦେବକୀ ଜୀ ସୋଲାର ପମ୍ପ ଦ୍ୱାରା ଗାଁର ଭାଗ୍ୟ ବଦଳାଇ ଦେଇଛନ୍ତି । ମୁଜାଫରପୁରର ରତନପୁରା ଗ୍ରାମର ବାସିନ୍ଦା ଦେବକୀ ଜୀଙ୍କୁ ଲୋକମାନେ ଏବେ ଶ୍ରଦ୍ଧାରେ “ସୋଲାର୍ ଦିଦି” ବୋଲି କହୁଛନ୍ତି । ଦେବକୀ ଜୀଙ୍କ ଜୀବନ ଏତେ ସହଜ ନ ଥିଲା । କମ୍ ବୟସରେ ବିବାହ ହୋଇଯାଇଥିଲା, ଛୋଟିଆ କ୍ଷେତ ଖଣ୍ଡେ, ଚାରିଟି ପିଲାଙ୍କ ଦାୟିତ୍ୱ ଏବଂ ଭବିଷ୍ୟତ ଅନ୍ଧକାର ଭଳି ଥିଲା । କିନ୍ତୁ ତାଙ୍କ ଧୈର୍ଯ୍ୟ କେବେହେଲେ ଭାଙ୍ଗିନାହିଁ । ସେ ଗୋଟିଏ ସ୍ୱୟଂସହାୟକ ଗୋଷ୍ଠୀ ସହିତ ମିଶିଲେ ଏବଂ ସେଇଠି ତାଙ୍କୁ ସୋଲାର ପମ୍ପ ବିଷୟରେ ଜାଣିବାକୁ ମିଳିଲା । ସେ ସୋଲାର ପମ୍ପ ଆଣିବା ପାଇଁ ଚେଷ୍ଟା କଲେ ଏବଂ ସେଥିରେ ସଫଳ ମଧ୍ୟ ହେଲେ । ସୋଲାର ଦିଦିଙ୍କ ସୋଲାର ପମ୍ପ ଏହାପରେ ଗ୍ରାମର ଚିତ୍ର ବଦଳାଇ ଦେଇଥିଲା, ଯେଉଁଠାରେ ପ୍ରଥମେ ମାତ୍ର କିଛି ଏକର ଜମିରେ ଜଳସେଚନ ହୋଇପାରୁଥିଲା, ଏବେ ସୋଲାର ଦିଦିଙ୍କ ସୋଲାର ପମ୍ପ ଦ୍ୱାରା ୪୦ ଏକରରୁ ଅଧିକ ଜମିରେ ପାଣି ପହଞ୍ଚିପାରିଛି । ସୋଲାର ଦିଦିଙ୍କ ଏହି ଅଭିଯାନ ସହିତ ଗାଁର ଅନ୍ୟ କୃଷକମାନେ ଯୋଡ଼ିହୋଇଛନ୍ତି । ତାଙ୍କର ଫସଲ ଶସ୍ୟଶ୍ୟାମଳା ହେଲା ଏବଂ ଆମଦାନୀ ବଢ଼ିବାକୁ ଲାଗିଲା ।
ବନ୍ଧୁଗଣ, ପ୍ରଥମେ ଦେବକୀ ଜୀଙ୍କ ଜୀବନ ଚାରିକାନ୍ଥ ଭିତରେ ସୀମିତ ହୋଇଥିଲା । କିନ୍ତୁ ଆଜି ସେ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସର ସହିତ ନିଜର କାମ କରୁଛନ୍ତି, ସୋଲାର ଦିଦି ହୋଇ ପଇସା ରୋଜଗାର କରୁଛନ୍ତି ଏବଂ ତା’ଠାରୁ ଆହୁରି ଭଲ କଥା ହେଲା ସେ କୃଷକମାନଙ୍କ ଠାରୁ ୟୁପିଆଇ ମାଧ୍ୟମରେ ପେମେଣ୍ଟ ନେଉଛନ୍ତି । ଏବେ ସାରା ଗାଁରେ ତାଙ୍କୁ ବହୁତ ସମ୍ମାନ ମିଳୁଛି । ତାଙ୍କର ପରିଶ୍ରମ ଓ ଦୂରଦୃଷ୍ଟି ଦେଖାଇଦେଲା ଯେ ସୌରଶକ୍ତି ଖାଲି ବିଜୁଳିର ସାଧନ ନୁହେଁ ବରଂ ଏହା ଗାଁ-ଗାଁରେ ନୂତନ ଆଲୋକ ଖେଳାଇଲା ଭଳି ଏକ ନୂତନ ଶକ୍ତି ମଧ୍ୟ ।
ମୋର ପ୍ରିୟ ଦେଶବାସୀଗଣ, ୧୫ ସେପ୍ଟେମ୍ବରକୁ ଭାରତର ମହାନ ଇଞ୍ଜିନିୟର ମୋକ୍ଷଗୁଣ୍ଡମ୍ ବିଶ୍ୱେଶ୍ୱରାୟା ଜୀଙ୍କ ଜନ୍ମଦିନ । ଏହି ଦିନକୁ ଆମେ ଇଞ୍ଜିନିୟର୍ସ ଡେ ଭାବରେ ପାଳନ କରୁଛୁ । ଇଞ୍ଜିନିୟରମାନେ କେବଳ ମେସିନ୍ ବନାନ୍ତି ନାହିଁ, ସେମାନେ ସ୍ୱପ୍ନକୁ ବାସ୍ତବରେ ବଦଳାଇବାର କର୍ମଯୋଗୀ ଅଟନ୍ତି । ମୁଁ ଭାରତର ସମସ୍ତ ଇଞ୍ଜିନିୟରମାନଙ୍କୁ ପ୍ରଶଂସା କରୁଛି । ସେମାନଙ୍କୁ ଶୁଭକାମନା ଜଣାଉଛି ।
ବନ୍ଧୁଗଣ, ସେପ୍ଟେମ୍ବର ମାସରେ ହିଁ ଭଗବାନ ବିଶ୍ୱକର୍ମାଙ୍କ ପୂଜାର ପବିତ୍ର ଅବସର ଆସୁଅଛି । ୧୭ ସେପ୍ଟେମ୍ବରକୁ ବିଶ୍ୱକର୍ମା ଜୟନ୍ତୀ । ଏହିଦିନଟି ଆମର ସେହି ବିଶ୍ୱକର୍ମା ବନ୍ଧୁମାନଙ୍କ ପ୍ରତି ସମର୍ପିତ ହେବ ଯେ ପାରମ୍ପରିକ ଶିଳ୍ପ କୌଶଳ ଏବଂ ଜ୍ଞାନବିଜ୍ଞାନକୁ ସଦାସର୍ବଦା ଗୋଟିଏ ପିଢ଼ିଠାରୁ ଅନ୍ୟ ପିଢ଼ି ପର୍ଯ୍ୟନ୍ତ ପହଞ୍ଚାଉଛନ୍ତି । ଆମର ବୁଣାକାର, କମାର, ବଣିଆ, କୁମ୍ଭାର, ମୂର୍ତ୍ତି କାରିଗର, ବଢ଼େଇ ମିସ୍ତ୍ରୀ ସଦାସର୍ବଦା ଭାରତର ସମୃଦ୍ଧିର ମୂଳଦୁଆ ହୋଇରହିଛନ୍ତି । ଆମର ଏହି ବିଶ୍ୱକର୍ମା ବନ୍ଧୁମାନଙ୍କ ସାହାଯ୍ୟ ପାଇଁ ସରକାର ବିଶ୍ୱକର୍ମା ଯୋଜନା ମଧ୍ୟ ଆରମ୍ଭ କରିଛନ୍ତି ।
ବନ୍ଧୁଗଣ, ଏବେ ମୁଁ ଆପଣଙ୍କୁ ଗୋଟିଏ ବଙ୍କୟସକ୍ଟ କ୍ସରମକ୍ଟକ୍ସୟସଦ୍ଭଶ ଶୁଣାଇବାକୁ ଚାହୁଁଛି ।
୰୰୰୰
“ଏ ଯାହା ଆପଣ ମାନପତ୍ରରେ ଲେଖିଛନ୍ତି କି ରାଜ୍ୟମାନଙ୍କ ସମ୍ପର୍କରେ ମୁଁ ଯାହାକିଛି କଲି ବା ହାଇଦ୍ରାବାଦ ବିଷୟରେ ଆମ ସରକାର ଯାହାକିଛି କଲେ, ଠିକ୍ କଲେ, କିନ୍ତୁ ଆପଣ ଜାଣନ୍ତି ଯେ, ହାଇଦ୍ରାବାଦର କଥା କିଛି ଭିନ୍ନ । ଆମେ କଲୁ କିନ୍ତୁ ସେଥିରେ ବହୁତ କଷ୍ଟ ହୋଇଛି । ଅନ୍ୟ ସମସ୍ତ ରାଜ୍ୟ ସହିତ, ସମସ୍ତ ରାଜକୁମାରମାନଙ୍କୁ ଆମେ କଥା ଦେଇଥିଲୁ କି ଭାଇ ଅନ୍ୟ ରାଜକୁମାର ବା ରାଜାଙ୍କ କ୍ଷେତ୍ରରେ ଆମେମାନେ ଭୁଲ୍ ନିଷ୍ପତ୍ତି ନେବୁନାହିଁ । ସମସ୍ତଙ୍କ ବିଷୟରେ ଏକାସାଥିରେ ଯାହା ନିଷ୍ପତ୍ତି ହେଉଛି ତାହା ସେମାନଙ୍କ ପାଇଁ ମଧ୍ୟ ଲାଗୁହେବ । କିନ୍ତୁ ସେମାନଙ୍କ ପାଇଁ ଆମେ ସେଠାରେ ଅଲଗା ବୁଝାମଣା କଲୁ ।”
୰୰୰୰
ବନ୍ଧୁଗଣ, ଏହି ସ୍ୱର ଲୌହପୁରୁଷ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କର ଥିଲା । ହାଇଦ୍ରାବାଦର ଘଟଣା ଉପରେ ତାଙ୍କ ସ୍ୱରରେ ଯେଉଁ କ୍ଷୋଭ ଅଛି, ତାକୁ ଆପଣମାନେ ଅନୁଭବ କରିପାରିବେ । ଆସନ୍ତା ସେପ୍ଟେମ୍ବର ମାସରେ ଆମେମାନେ Hyderabad Liberation Day ମଧ୍ୟ ପାଳନ କରିବା । ଏ ହେଉଛି ସେହି ମାସ ଯେତେବେଳେ ଆମେ ସେ ସମସ୍ତ ବୀରମାନଙ୍କ ସାହସକୁ ସ୍ମରଣ କରୁ । ଯେଉଁମାନେ ‘ଅପରେସନ୍ ପୋଲୋ’ରେ ଅଂଶଗ୍ରହଣ କରିଥିଲେ । ଆପଣମାନେ ଜାଣନ୍ତି ଯେ ଯେତେବେଳେ ଅଗଷ୍ଟ ୧୯୪୭ରେ ଭାରତକୁ ସ୍ୱାଧୀନତା ମିଳିଲା, ସେତେବେଳେ ହାଇଦ୍ରାବାଦ ଏକ ଭିନ୍ନ ସ୍ଥିତିରେ ଥିଲା । ନିଜାମ ଏବଂ ରାଜାରାଜୁଡ଼ାଙ୍କର ଅତ୍ୟାଚାର ଦିନକୁ ଦିନ ବଢ଼ିଚାଲିଥିଲା । ତ୍ରିରଙ୍ଗା ପତାକା ଉଡ଼ାଇଲେ କିମ୍ବା ବନ୍ଦେ ମାତରମ୍ କହିଲେ ମଧ୍ୟ ଲୋକମାନଙ୍କୁ ମୃତ୍ୟୁଦଣ୍ଡ ଦିଆଯାଉଥିଲା । ମହିଳା ଏବଂ ଗରିବଙ୍କ ଉପରେ ଅତ୍ୟାଚାର କରାଯାଉଥିଲା । ସେହି ସମୟରେ ବାବାସାହେବ ଆମ୍ବେଦକର ମଧ୍ୟ ଚେତାବନୀ ଦେଇଥିଲେ ଯେ ସମସ୍ୟା ବହୁତ ବଢ଼ି ବଢ଼ି ଯାଉଛି । ଶେଷରେ ସର୍ଦ୍ଦାର ପଟେଲ ମାମଲାକୁ ନିଜ ହାତକୁ ନେଲେ ଏବଂ ସେ ସରକାରଙ୍କୁ ‘ଅପରେସନ୍ ପୋଲୋ’ ଆରମ୍ଭ କରିବା ପାଇଁ ପ୍ରସ୍ତୁତ କରାଇଲେ । ରେକର୍ଡ ସମୟ ଭିତରେ ଆମର ସୈନିକମାନେ ହାଇଦ୍ରାବାଦକୁ ନିଜାମଙ୍କ ଏକଛତ୍ରବାଦୀ ଶାସନରୁ ମୁକ୍ତ କରାଇଲେ ଏବଂ ତାକୁ ଭାରତ ସହ ମିଶାଇଦେଲେ । ସାରା ଦେଶ ଏହି ସଫଳତା ଉତ୍ସବ ପାଳନ କଲା ।
ମୋର ପ୍ରିୟ ଦେଶବାସୀଗଣ, ଆପଣ ଦୁନିଆର ଯେକୌଣସି ଜାଗାକୁ ଚାଲିଯାଆନ୍ତୁ ସେଠାରେ ଆପଣଙ୍କୁ ଭାରତୀୟ ସଂସ୍କୃତିର ପ୍ରଭାବ ନିଶ୍ଚୟ ଦେଖିବାକୁ ମିଳିବ ଏବଂ ଏ ପ୍ରଭାବ କେବଳ ଦୁନିଆର ବଡ଼ ବଡ଼ ସହର ପର୍ଯ୍ୟନ୍ତ ସୀମିତ ନୁହେଁ, ବରଂ ଏହାକୁ ଛୋଟ ଛୋଟ ସହରରେ ମଧ୍ୟ ଦେଖାଯାଇପାରିବ । ଇଟାଲୀର ଗୋଟେ ଛୋଟ ସହର ହେଉଛି କେମ୍ପ-ରୋତୋଁଦୋରେ ଏହିଭଳି ଦେଖିବାକୁ ମିଳେ । ଏଠାରେ ମହର୍ଷି ବାଲ୍ମିକୀଙ୍କର ପ୍ରତିମାର ଅନାବରଣ କରାଗଲା । ଏହି କାର୍ଯ୍ୟକ୍ରମରେ ସେଠାକାର ସ୍ଥାନୀୟ ମେୟରଙ୍କ ସହିତ ସେ ଅଞ୍ଚଳର ଅନେକ ବିଶିଷ୍ଟ ବ୍ୟକ୍ତିବିଶେଷ ମଧ୍ୟ ସାମିଲ ହେଲେ । କେମ୍ପ-ରୋତୋଁଦୋରେ ରହୁଥିବା ଭାରତୀୟ ବଂଶୋଦ୍ଭବ ଲୋକମାନେ ମହର୍ଷି ବାଲ୍ମିକୀଙ୍କ ପ୍ରତିମା ସ୍ଥାପନ କରାଯାଇଥିବାରୁ ବହୁତ ଖୁସି ହୋଇଛନ୍ତି । ମହର୍ଷି ବାଲ୍ମିକୀଙ୍କ ସନେ୍ଦଶ ଆମ ସମସ୍ତଙ୍କୁ ବହୁତ ପ୍ରେରଣା ଦେଇଥାଏ ।
ବନ୍ଧୁଗଣ, ଏହି ମାସ ଆରମ୍ଭରେ କାନାଡ଼ାର ମିସିସାଗାରେ ପ୍ରଭୁ ଶ୍ରୀରାମଙ୍କ ୫୧ ଫୁଟ ଉଚ୍ଚ ପ୍ରତିମାର ମଧ୍ୟ ଅନାବରଣ କରାଯାଇଛି । ଏହି ଆୟୋଜନକୁ ନେଇ ସେଠାରେ ଲୋକମାନଙ୍କ ଭିତରେ ବହୁତ ଉତ୍ସାହ ଥିଲା । ସୋସିଆଲ୍ ମିଡିଆରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ପ୍ରତିମାର ଭିଡ଼ିଓ ଖୁବ୍ ସେୟାର୍ କରାଗଲା ।
ବନ୍ଧୁଗଣ, ରାମାୟଣ ଏବଂ ଭାରତୀୟ ସଂସ୍କୃତି ପ୍ରତି ଏ ପ୍ରେମ ଏବେ ଦୁନିଆର ପ୍ରତ୍ୟେକ କୋଣରେ ପହଞ୍ଚୁଛି । ଋଷର ଗୋଟିଏ ପ୍ରସିଦ୍ଧ ସ୍ଥାନ ହେଲା ଭ୍ଲାଦିଭୋଷ୍ଟୋକ । ବହୁତ ଲୋକ ଏହାକୁ ଏଭଳି ସ୍ଥାନ ଭାବରେ ଜାଣନ୍ତି ଯେଉଁଠାରେ ଶୀତଦିନେ ତାପମାତ୍ରା ମାଇନସ୍ ୨୦ ଡିଗ୍ରୀରୁ ମାଇନସ୍ ୩୦ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ଖସିଆସେ । ଏ ମାସରେ ଭ୍ଲାଦିଭୋଷ୍ଟୋକରେ ଗୋଟିଏ ନିଆରା ପ୍ରଦର୍ଶନୀ ଲାଗିଲା । ଏଥିରେ ଋଷୀୟ ପିଲାମାନଙ୍କ ଦ୍ୱାରା ରାମାୟଣର ଅଲଗା ଅଲଗା ଥିମ ଉପରେ ଅଙ୍କାଯାଇଥିବା ପେଟିଂଗକୁ ମଧ୍ୟ Showcase କରାଗଲା । ଏଠାରେ ଗୋଟିଏ ପ୍ରତିଯୋଗିତାର ମଧ୍ୟ ଆୟୋଜନ ହୋଇଥିଲା । ଦୁନିଆର ଭିନ୍ନ ଭିନ୍ନ ପ୍ରାନ୍ତରେ ଭାରତୀୟ ସଂସ୍କୃତି ପ୍ରତି ଆଗ୍ରହ ବଢ଼ୁଥିବାର ଦେଖି ବାସ୍ତବରେ ବହୁତ ଖୁସି ଲାଗୁଛି ।
ମୋର ପ୍ରିୟ ଦେଶବାସୀଗଣ, ‘ମନ୍ କି ବାତ୍’ରେ ଏଥର ପାଇଁ ଏତିକି । ବର୍ତ୍ତମାନ ସାରାଦେଶରେ ଗଣେଶ ଉତ୍ସବର ଧୁମ୍ ଲାଗିଛି । ଆଗାମୀ ଦିନମାନଙ୍କରେ ଅନେକଗୁଡ଼ିଏ ଉତ୍ସବ ପାଳିତ ହେବ । ଏହି ଉତ୍ସବମାନଙ୍କରେ ଆପଣମାନେ ସ୍ୱଦେଶୀ ଜିନିଷକୁ କେବେବି ଭୁଲିବେ ନାହିଁ । ଉପହାର ତାହା ହେଉ, ଯାହା ଭାରତରେ ତିଆରି ହୋଇଥିବ, ପିନ୍ଧିବା ତାହା ଯାହା ଭାରତରେ ବୁଣାଯାଇଛି, ସାଜସଜ୍ଜା ମଧ୍ୟ ସେହିଭଳି କରିବା ଯେଉଁଥିରେ ଭାରତ ତିଆରି ଜିନିଷ ଲାଗୁଥିବ, ଆଲୋକସଜ୍ଜା ମଧ୍ୟ ଭାରତ ତିଆରି ସାମଗ୍ରୀରେ ହେଉ । ଆଉ ଏଭଳି ଅନେକ କିଛି, ଜୀବନର ପ୍ରତ୍ୟେକଟି ଆବଶ୍ୟକତାରେ ସବୁକିଛି ସ୍ୱଦେଶୀ ହେଉ । ଗର୍ବର ସହ କହିବା ଏହା ସ୍ୱଦେଶୀ – ଗର୍ବର ସହ କହିବା ଏହା ସ୍ୱଦେଶୀ – ଗର୍ବର ସହ କହିବା ଏହା ସ୍ୱଦେଶୀ । ଏହି ଭାବନା ନେଇ ଆମକୁ ଆଗକୁ ବଢ଼ିବାକୁ ପଡ଼ିବ । ଗୋଟିଏ ମନ୍ତ୍ର ‘ଭୋକାଲ ଫର୍ ଲୋକାଲ୍’, ଗୋଟିଏ ରାସ୍ତା ‘ଆତ୍ମନିର୍ଭର ଭାରତ’, ଗୋଟିଏ ଲକ୍ଷ୍ୟ ‘ବିକଶିତ ଭାରତ’ ।
ବନ୍ଧୁଗଣ, ଏହି ଖୁସି ମନେଇବା ଭିତରେ ଆପଣମାନେ ସ୍ୱଚ୍ଛତା ପ୍ରତି ଧ୍ୟାନ ଦିଅନ୍ତୁ । କାରଣ ଯେଉଁଠାରେ ସ୍ୱଚ୍ଛତା ଥାଏ ସେଠାରେ ଉତ୍ସବର ଆନନ୍ଦ ମଧ୍ୟ ବଢ଼ିଯାଇଥାଏ । ବନ୍ଧୁଗଣ, ‘ମନ୍ କି ବାତ୍’ ପାଇଁ ମୋତେ ଏହିଭଳି ବହୁସଂଖ୍ୟାରେ ନିଜ ନିଜର ବାର୍ତ୍ତା ପଠାଉଥାନ୍ତୁ । ଆପଣଙ୍କର ପ୍ରତ୍ୟେକଟି ପରାମର୍ଶ ଏହି କାର୍ଯ୍ୟକ୍ରମ ପାଇଁ ବହୁତ ମହତ୍ତ୍ୱପୂର୍ଣ୍ଣ । ଆପଣଙ୍କ ଫିଡବ୍ୟାକ୍ ମୋ ପାଖକୁ ନିଶ୍ଚୟ ପଠାନ୍ତୁ । ଆସନ୍ତା ଥର ଯେତେବେଳେ ଭେଟିବା ସେତେବେଳେ ଆହୁରି ନୂଆ ନୂଆ ବିଷୟରେ ଚର୍ଚ୍ଚା ହେବ । ବହୁତ ବହୁତ ଧନ୍ୟବାଦ । ନମସ୍କାର ।
*****
(Release ID: 2162463)
Visitor Counter : 3
Read this release in:
Gujarati
,
Telugu
,
Punjabi
,
Manipuri
,
Assamese
,
English
,
Urdu
,
Marathi
,
हिन्दी
,
Bengali
,
Tamil
,
Kannada
,
Malayalam