ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବିଶ୍ୱ ସ୍ୱାସ୍ଥ୍ୟ ସଭାର ୭୮ତମ ଅଧିବେଶନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ବୋଧନ

प्रविष्टि तिथि: 20 MAY 2025 4:38PM by PIB Bhubaneshwar

ମହାମହିମ ଓ ପ୍ରତିନିଧିମଣ୍ଡଳର ସଦସ୍ୟଗଣ, ନମସ୍ତେ। ବିଶ୍ୱ ସ୍ୱାସ୍ଥ୍ୟସଭାର ୭୮ତମ ଅଧିବେଶନରେ ଉପସ୍ଥିତ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ।  

ବନ୍ଧୁଗଣ,

ଚଳିତ ବର୍ଷ ବିଶ୍ୱ ସ୍ୱାସ୍ଥ୍ୟ ସଭାର ଥିମ୍ ହେଉଛି ‘ସ୍ୱାସ୍ଥ୍ୟ ପାଇଁ ଗୋଟିଏ ବିଶ୍ୱ’। ବିଶ୍ୱ ସ୍ୱାସ୍ଥ୍ୟ ପାଇଁ  ଭାରତର ଲକ୍ଷ୍ୟକୁ ଏହା ପ୍ରତିଫଳିତ କରିଥାଏ। ୨୦୨୩ରେ ଯେତେବେଳେ ମୁଁ ଏହି ସଭାକୁ ସମ୍ବୋଧିତ କରିଥିଲି, ସେତେବେଳେ ମୁଁ  ‘ଗୋଟିଏ ପୃଥିବୀ ଗୋଟିଏ ସ୍ୱାସ୍ଥ୍ୟ’ କଥା କହିଥିଲି। ଅନ୍ତର୍ଭୁକ୍ତି, ସମନ୍ୱିତ ଲକ୍ଷ୍ୟ ଓ ସହଯୋଗ ଉପରେ ଏକ ସୁସ୍ଥ ପୃଥିବୀର ଭବିଷ୍ୟତ ନିର୍ଭର କରେ।  

ବନ୍ଧୁଗଣ,

ଭାରତର ସ୍ୱାସ୍ଥ୍ୟ ସଂସ୍କାର ମୂଳ ହେଉଛି ଅନ୍ତର୍ଭୁକ୍ତି। ବିଶ୍ୱର ସବୁଠୁ ବଡ଼ ସ୍ୱାସ୍ଥ୍ୟ ବୀମା ଯୋଜନା ଆମେ ପରିଚାଳନା କରୁ। ଏଥିରେ ୫୮ କୋଟି ଲୋକ ସାମିଲ ଅଛନ୍ତି ଏବଂ ସେମାନଙ୍କୁ ମାଗଣାରେ ଚିକିତ୍ସା କରାଯାଏ। ୭୦ ବର୍ଷରୁ ଅଧିକ ବୟସର ସମସ୍ତ ଭାରତୀୟଙ୍କୁ କିଛି ଦିନ ତଳେ ଏହି ଯୋଜନାରେ ସାମିଲ କରାଯାଇଛି। ହଜାର ହଜାର ସ୍ୱାସ୍ଥ୍ୟକେନ୍ଦ୍ରର ନେଟଓ୍ୱର୍କ ଆମର ଅଛି। ସେମାନେ ପରୀକ୍ଷା କରି କର୍କଟ, ମଧୁମେହ, ଉଚ୍ଚରକ୍ତଚାପ ପରି ରୋଗକୁ ଚିହ୍ନଟ କରନ୍ତି। ହଜାର ହଜାର ସରକାରୀ ଫାର୍ସାସିରେ ବଜାର ଦର ଅପେକ୍ଷା ବହୁତ ଶସ୍ତାରେ ଉଚ୍ଚ ମାନର ଔଷଧ ପ୍ରଦାନ କରାଯାଏ।  

ବନ୍ଧୁଗଣ,

ସ୍ୱାସ୍ଥ୍ୟସେବାକୁ ଆହୁରି ଉନ୍ନତ କରିବାରେ ଟେକ୍ନୋଲଜି ଏକ ଗୁରୁତ୍ୱପୂର୍ଣ୍ଣ ଉତ୍‌ପ୍ରେରକର କାମ କରିଥାଏ। ଗର୍ଭବତୀ ମହିଳା ଓ ଶିଶୁମାନଙ୍କୁ ଟିକାକରଣର ସଂପର୍କରେ ସବୁ ତଥ୍ୟ ଜାଣିବା ପାଇଁ ଏକ ଡିଜିଚାଲ ପ୍ଲାଟଫର୍ମ ରହିଛି। କୋଟି କୋଟି ଲୋକଙ୍କର ନିର୍ଦ୍ଦିଷ୍ଟ ଡିଜିଟାଲ ସ୍ୱାସ୍ଥ୍ୟ ପରିଚୟ ଅଛି। ସ୍ୱାସ୍ଥ୍ୟସେବା, ବୀମା, ରେକର୍ଡ, ସୂଚନା ଗୋଟିଏ ସ୍ଥାନରେ ଏକାଠି କରିବାର ଏହା ଆମକୁ ସାହାଯ୍ୟ କରିଥାଏ। ଟେଲିମେଡିସିନ ଯୋଗୁଁ ଆଉ କେହି ଡାକ୍ତରଠାରୁ ଦୂରରେ ନାହାନ୍ତି। ଆମର ମାଗଣା ଟେଲିମେଡିସିନ ସେବା ଯୋଗୁଁ ଡାକ୍ତରଙ୍କଠାରୁ ୩୪୦ ମିଲିୟନ ପରାମର୍ଶ ନିଆଯାଇପାରିଛି।     

ବନ୍ଧୁଗଣ,

ଆମର ବିଭିନ୍ନ କାର୍ଯ୍ୟକ୍ରମ ଯୋଗୁଁ ଏକ ଉତ୍ସାହଜନକ ପ୍ରଗତି ହୋଇଛି। ପ୍ରତିଶତ ଅନୁସାରେ ସର୍ବମୋଟ ସ୍ୱାସ୍ଥ୍ୟଗତ ବ୍ୟୟ ଅପେକ୍ଷା ବ୍ୟକ୍ତିଗତ ସ୍ୱାସ୍ଥ୍ୟ ସଂପର୍କିତ ବ୍ୟୟ ବହୁତ ହ୍ରାସ ପାଇଛି। ସେହିପରି ସରକାରଙ୍କ ସ୍ୱାସ୍ଥ୍ୟ ସଂପର୍କିତ ଖର୍ଚ୍ଚ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି।

ବନ୍ଧୁଗଣ,

ଗରିବ ଓ ଦୁର୍ବଳ ଶ୍ରେଣୀର ଲୋକଙ୍କର ଆମେ କିପରି ଦେଖାଶୁଣା କରୁ, ତା ଉପରେ ନିର୍ଭର କରେ ବିଶ୍ୱର ସ୍ୱାସ୍ଥ୍ୟ। ବିଶେଷ କରି ବିକାଶଶୀଳ ଦେଶଗୁଡ଼ିକ ସ୍ୱାସ୍ଥ୍ୟ ସମସ୍ୟାରେ ଅଧିକ ପ୍ରଭାବିତ ହେଉଛନ୍ତି। ଭାରତର ଆଭିମୁଖ୍ୟ ଅନୁକରଣନୀୟ, ମାପି ହେବା ଭଳି ଓ ସ୍ଥାୟୀ ମଡେଲ ପ୍ରଦାନ କରିଥାଏ। ବିଶ୍ୱ ସହିତ ବିଶେଷ କରି ବିକାଶଶୀଳ ଦେଶଗୁଡ଼ିକୁ ଆମର ଶିକ୍ଷଣୀୟ ବିଷୟବସ୍ତୁ ଓ ଶ୍ରେଷ୍ଠ ପଦ୍ଧତି ଅବଗତ କରାଇବାରେ ଆମେ ବହୁତ ଖୁସି ହେବୁ।

ବନ୍ଧୁଗଣ,

ଜୁନରେ ଆସୁଛି ଏକାଦଶ ଅନ୍ତର୍ଜାତୀୟ ଯୋଗ ଦିବସ। ଏହି ବର୍ଷର ଥିମ୍ ହେଉଛି  ‘ଗୋଟିଏ ବିଶ୍ୱ ଗୋଟିଏ ସ୍ୱାସ୍ଥ୍ୟ ପାଇଁ ଯୋଗ’। ବିଶ୍ୱକୁ ଯୋଗ ପରି ଏକ ଶ୍ରେଷ୍ଠ ପଦ୍ଧତି ଦେଇଥିବା ଦେଶର ନାଗରିକ ଭାବେ ଯୋଗରେ ସାମିଲ ହେବାକୁ ମୁଁ ସମସ୍ତ ଦେଶକୁ ଅନୁରୋଧ କରୁଛି।

ବନ୍ଧୁଗଣ,

ଆଇଏନ୍‌ବି ଚୁକ୍ତିର ସଫଳ ବୁଝାମଣା ପାଇଁ ମୁଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଏହାର ସମସ୍ତ ସଦସ୍ୟଙ୍କୁ ଅଭିନନ୍ଦନ ଜଣାଉଛି। ଅଧିକ ସହଯୋଗ ସହିତ ଭବିଷ୍ୟତରେ ଯକୌଣସି ବିଶ୍ୱ ମହାମାରୀର ମୁକାବିଲା କରିବା ହେଉଛି ଆମର ମିଳିତ ପ୍ରତିଶ୍ରୁତି। ଏକ ସୁସ୍ଥ ବିଶ୍ୱ ନିର୍ମାଣ କରିବା ବେଳେ ଆମେ ସମସ୍ତେ ସୁନିଶ୍ଚିତ କରିବା ଉଚିତ ଯେମିତି କେହି ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ନ ହୁଅନ୍ତି। ବେଦର ଏକ ଶାଶ୍ୱତ ପ୍ରାର୍ଥନା ସହିତ ମୁଁ ମୋର ବ୍ୟକ୍ତବ୍ୟ ଶେଷ କରୁଛି-ସର୍ବେ ଭବନ୍ତୁ ସୁଖୀନଃ ସର୍ବେ ସନ୍ତୁ ନିରାମୟାଃ। ସର୍ବେ ଭଦ୍ରାଣି ପଶ୍ୟନ୍ତୁ ମା କଶ୍ଚିଦ୍ ଦୁଃଖଭାଗଭବେତ୍। ସମସ୍ତେ ସୁସ୍ଥ ରହନ୍ତୁ, ଖୁସି ରହନ୍ତୁ ଓ ନିରୋଗ ରହନ୍ତୁ ବୋଲି ହଜାର ହଜାର ବର୍ଷ ଆଗରୁ ଆମର ମୁନିଋଷିମାନେ ପ୍ରାର୍ଥନା କରିଥିଲେ। ଏହି ଲକ୍ଷ୍ୟ ସମସ୍ତ ବିଶ୍ୱକୁ ଏକାଠି କରୁ।  

ଧନ୍ୟବାଦ !

 

 

BSP


(रिलीज़ आईडी: 2159967) आगंतुक पटल : 24
इस विज्ञप्ति को इन भाषाओं में पढ़ें: Assamese , Telugu , English , Urdu , Marathi , हिन्दी , Bengali , Manipuri , Punjabi , Gujarati , Tamil , Kannada , Malayalam