ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ରିପ୍ଲବିକ ପ୍ଲିନାରୀ ସମିଟ ୨୦୨୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦବୋଧନ
ଭାରତର ସଫଳତା ବିଶ୍ୱରେ ଏକ ନୂଆ ଆଶା ସଂଚାର କରିଛି : ପିଏମ
ବୈଶ୍ୱିକ ଅଭିବୃଦ୍ଧି ଦିଗରେ ଭାରତ ନେତୃତ୍ୱ ନେଉଛି : ପିଏମ
ସ୍ୱାମୀତ୍ୱ କାର୍ଡ ପ୍ରଚଳନ କରି ଗ୍ରାମୀଣ କ୍ଷେତ୍ରରେ ଉଦାହରଣ ସୃଷ୍ଟି ହୋଇଛି : ପିଏମ
ଯୁବକମାନେ ବର୍ତମାନ ଭାରତର ଏକ୍ସ ଫ୍ୟାକ୍ଟର : ପିଏମ
ଗତ ଶତାବ୍ଦୀରେ ପ୍ରଭାବ ଶୂନ୍ୟ ପ୍ରଶାସନକୁ ଆମେ ପ୍ରଭାବପୂର୍ଣ୍ଣ ଶାସନରେ ପରିଣତ କରିଛୁ : ପିଏମ
ଆଗରୁ ଘର ନିର୍ମାଣ ସରକାରଙ୍କ ନିୟନ୍ତ୍ରଣରେ ରହିଥିବା ବେଳେ ଏବେ ଏହା ଘର ମାଲିକଙ୍କ ହାତରେ ରହିଛି : ପିଏମ
Posted On:
06 MAR 2025 10:08PM by PIB Bhubaneshwar
ଗୁରୁବାର ଦିନ ନୂଆଦିଲ୍ଲୀର ଭାରତ ମଣ୍ଡପରେ ଆୟୋଜିତ ରିପ୍ଲବିକ ପ୍ଲିନାରୀ ସମିଟ ୨୦୨୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଥିଲେ । ସମବେତ ଜନତାକୁ ଉଦବୋଧନ ଦେଇ ତୃଣମୂଳସ୍ତରରେ ଯୁବକମାନଙ୍କୁ ସର୍ଜନାତ୍ମକ କାର୍ଯ୍ୟରେ ବିନିଯୋଗ କରି ହାକାଥନ ପ୍ରତିଯୋଗିତା ଆୟୋଜନ କରିଥିବାରୁ ରିପବ୍ଲିକ ଟିଭିକୁ ସେ ଧନ୍ୟବାଦ ଜଣାଇଥିଲେ । ଯେତେବେଳେ ଦେଶର ଯୁବକମାନେ ଜାତୀୟ ସମ୍ପାନରେ ନିଜକୁ ନିୟୋଜିତ କରିଥାନ୍ତି ସେତେବେଳେ ନୂଆ ଆଇଡିଆ ସୃଷ୍ଟି ହୋଇ ସମଗ୍ର ବାତାବରଣକୁ ସେମାନଙ୍କର ଊର୍ଜାରେ ଭରି ଦେଇଥାନ୍ତି । ଏହି ସମିଟରେ ସେହିପ୍ରକାର ଊର୍ଜା ପରିଲକ୍ଷିତ ହୋଇଥିବା ସେ କହିଥିଲେ । ସବୁ ପ୍ରକାର ବାଧାକୁ ଯୁବକମାନଙ୍କ ସମ୍ପୃକ୍ତି ହିଁ ଦୂର କରିଥାଏ ଓ ପ୍ରତି ଲକ୍ଷ୍ୟ ହାସଲ କରିବାକୁ ପ୍ରେରଣା ଦେଇଥାଏ । ଏହି ସମିଟ ପାଇଁ ଏକ ନୂଆ ଚିନ୍ତାଧାରା ନେଇ ରିପବ୍ଲିକ ଟିଭି କାମ କରୁଥିବାରୁ ସେ ପ୍ରଶଂସା କରିଥିଲେ । କୌଣସି ରାଜନୈତିକ ପୃଷ୍ଠଭୂମି ନଥାଇ ଏକ ଲକ୍ଷ ଯୁବକଙ୍କୁ ରାଜନୀତିକୁ ଆଣିବାକୁ ତାଙ୍କ ଚିନ୍ତାଧାରା ରହିଥିବା ସେ କହିଥିଲେ ।
ଏହି ଶତାବ୍ଦୀକୁ ଭାରତର ଶତାବ୍ଦୀ ଭାବେ ସାରା ବିଶ୍ୱ ବିବେଚନା କରୁଥିବା ପ୍ରଧାନମନ୍ତ୍ରୀ କହିଥିଲେ । ବିଭିନ୍ନ କ୍ଷେତ୍ରରେ ଭାରତର ସଫଳତା ସାରା ବିଶ୍ୱରେ ଗୁଞ୍ଜରଣ ସୃଷ୍ଟି କରିଛି । ଅନ୍ୟକୁ ବୁଡାଇ ନିଜେ ବୁଡିବା ଦେଶ ଭାବେ ଆଗରୁ ପରିଗଣିତ ଭାରତ ଏବେ ବୈଶ୍ୱିକ ଅଭିବୃଦ୍ଧି ଦିଗରେ ନେତୃତ୍ୱ ନେଉଛି । ଆଜିର କାର୍ଯ୍ୟାବଳୀକୁ ନେଇ ଭାରତର ଭବିଷ୍ୟତ ନିର୍ଭର କରୁଛି । ସ୍ୱାଧୀନତାର ୬୫ ବର୍ଷ ପରେ ବିଶ୍ୱର ଏଗାରତମ ବୃହତ ଅର୍ଥନୀତି ଭାବେ ଭାରତ ପରିଚିତ ଥିଲା । ଗତ ଶତାବ୍ଦୀରେ ପଂଚମ ବୃହତ ଅର୍ଥନୀତି ଭାବେ ଭାରତ ଉଭା ହୋଇଥିବା ବେଳେ ବିଶ୍ୱରେ ତୃତୀୟ ବୃହତ ଅର୍ଥନୀତି ହେବା ପଥରେ ଏହା ଏବେ ଅଗ୍ରସର ହେଉଛି ।
୧୮ ବର୍ଷ ତଳେ ୨୦୦୭ରେ ଭାରତର ବାର୍ଷିକ ଜିଡିପି ଏକ ଟ୍ରିଲିୟନ ଆମେରିକୀୟ ଡଲାରରେ ପହଂଚିଥିବା ବେଳେ ତା ପୂର୍ବରୁ ବର୍ଷ ସାରା ଦେଶର ଅର୍ଥନୈତିକ କାରବାର ଏକ ଟ୍ରିଲିୟନ ଆମେରିକୀୟ ଡଲାର ରହିଥିଲା । କିନ୍ତୁ ଆଜି ସେହି ପରିମାଣର ଅର୍ଥନୈତିକ କାରବାର କେବଳ ଗୋଟିଏ କ୍ୱାର୍ଟରରେ ଘଟୁଛି । ଗତ ଦଶ ବର୍ଷ ଭିତରେ ସଫଳତାର ସହ ୨୫ କୋଟି ଲୋକଙ୍କୁ ଭାରତ ଗରିବୀରୁ ରକ୍ଷା କରିପାରିଛି । ଅନେକ ଦେଶର ଲୋକ ସଂଖ୍ୟାଠାରୁ ଏହା ଯଥେଷ୍ଟ ଅଧିକା । ଆଗରୁ ସରକାର ପଠାଉଥିବା ଟଙ୍କାଟିଏ ଭିତରୁ ଲୋକଙ୍କ ପାଖରେ ମାତ୍ର ୧୫ ପଇସା ପହଂଚିପାରୁଥିଲା ଓ ୮୫ ପଇସା ବାଟମାରଣା ହେଉଥିଲା । କିନ୍ତୁ ଗତ ଶତାବ୍ଦୀରେ ଡିବିଟି ମାଧ୍ୟମରେ ଲୋକଙ୍କ ଖାତାକୁ ସିଧାସଳଖ ଭାବେ ୪୨ ଲକ୍ଷ କୋଟିରୁ ଅଧିକା ଟଙ୍କା ପଠାଯାଇଛି ।
ଦଶ ବର୍ଷ ତଳେ ସୌରଶକ୍ତି କ୍ଷେତ୍ରରେ ଭାରତ ପଛୁଆ ରହିଥିଲା । କିନ୍ତୁ ଏବେ ସୌରଶକ୍ତି ସମ୍ପନ୍ନ ରାଷ୍ଟ୍ର ହିସାବରେ ସାରା ବିଶ୍ୱରେ ପଂଚମରେ ଭାରତର ସ୍ଥାନ ରହିଛି । ଦେଶର ସୌରଶକ୍ତି ଦକ୍ଷତା ୩୦ ଗୁଣା ବୃଦ୍ଧି ପାଇଥିବା ବେଳେ ସୋଲାର ମଡ୍ୟୁଲ ଉତ୍ପାଦନରେ ବି ୩୦ ଗୁଣା ବୃଦ୍ଧି ଘଟିଛି । ଦଶ ବର୍ଷ ତଳେ ହୋଲିରେ ବ୍ୟବହାର କରାଯାଉଥିବା ବାଟର ଗନକୁ ବାହାରୁ ଆମଦାନୀ କରାଯାଉଥିଲା । କିନ୍ତୁ ଏବେ ଏପରି ଶିଶୁ ଖେଳଣା ବାହାରକୁ ତିନି ଗୁଣା ରପ୍ତାନୀ କରାଯାଉଛି । ଦଶ ବର୍ଷ ତଳେ ସେନା ପାଇଁ ବାହାରୁ ରାଇଫଲ ଆମଦାନୀ କରାଯାଉଥିବା ବେଳେ ଗତ ଶତାବ୍ଦୀରେ ପ୍ରତିରକ୍ଷା ସାମଗ୍ରୀ ରପ୍ତାନୀ କ୍ଷେତ୍ରରେ କୋଡିଏ ଗୁଣା ବୃଦ୍ଧି ଘଟିଛି ।
ଗତ ଦଶ ବର୍ଷ ଭିତରେ ଇସ୍ପାତ ଉତ୍ପାଦନ କ୍ଷେତ୍ରରେ ସାରା ବିଶ୍ୱରେ ଭାରତ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ମୋବାଇଲ ଫୋନ ନିର୍ମାତା ଭାବରେ ଦ୍ୱିତୀୟ ଓ ଷ୍ଟାର୍ଟ ଅପ ଇକୋ ସିଷ୍ଟମରେ ତୃତୀୟ ସ୍ଥାନରେ ରହିଛି । ଏହି ସମୟରେ ଭିତିଭୂମି ନିର୍ମାଣ କ୍ଷେତ୍ରରେ ଭାରତର ପୁଞ୍ଜି ନିବେଶ ପାଂଚ ଗୁଣା ବୃଦ୍ଧି ପାଇଥିବା ବେଳେ ବିମାନ ବନ୍ଦର ନିର୍ମାଣ ଦ୍ୱିଗୁଣା ଓ କାର୍ଯ୍ୟକାରୀ ଏମ୍ସ ତିନି ଗୁଣା ବୃଦ୍ଧି ପାଇଛି । ଗତ ଶତାବ୍ଦୀରେ ମେଡିକାଲ କଲେଜ ସଂଖ୍ୟା ଓ ସିଟ ଦ୍ୱିଗୁଣା ବୃଦ୍ଧି ଘଟିଛି ।
ବର୍ତମାନର ଭାରତ ଉଚ୍ଚ ଚିନ୍ତା କରୁଛି, ଅଭିଳଷିତ ଲକ୍ଷ୍ୟ ପୂରଣ ପାଇଁ ସ୍ଥିର କରିବା ସହ ଫଳ ହାସଲ କରି ପାରୁଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ଦେଶର ଚିନ୍ତାଧାରାରେ ପରିବର୍ତନ ଆସିଥିବା କାରଣରୁ ଏହା ସମ୍ଭବପର ହୋଇପାରିଥିବା ସେ କହିଥିଲେ । ଆଗରୁ ଷ୍ଟାଟସ କୋ ଗ୍ରହଣ କରିବାର ମାନସିକତା ରହିଥିଲା । କିନ୍ତୁ ଏବେ କିଏ ଭଲ ଫଳ ଦେଇପାରିବ ତାହା ଜନତା ଜାଣିଛନ୍ତି । ମରୁଡି ରିଲିଫ କାମଠାରୁ ଆରମ୍ଭ କରି ବନ୍ଦେ ଭାରତ ସଂଯୋଗୀକରଣ ଓ ଆନ୍ତର୍ଜାତିକ ବିମାନ ବନ୍ଦର ନିର୍ମାଣ ପରି ଅନେକ କ୍ଷେତ୍ରରେ ଲୋକଙ୍କ ଅଭିଳଷିତ ଆକାଂକ୍ଷା ପୂରଣ ହୋଇଥିବା ସେ ଉଦାହରଣ ଦେଇଥିଲେ । ବିକଶିତ ଭାରତ ଲକ୍ଷ୍ୟରେ ଏବେ ଲୋକଙ୍କ ମାନସିକତାରେ ପରିବର୍ତନ ଆସିଥିବା ସେ ଉଲ୍ଲେଖ କରିଥିଲେ ।
ଯେତେ ବେଳେ ନାଗରିକମାନଙ୍କ ସବୁପ୍ରକାର ବାଧା ବିଘ୍ନ ଦୂର ହୁଏ ସେତେ ବେଳେ କୌଣସି ସମାଜ କିମ୍ବା ଦେଶର ଦକ୍ଷତା ବୃଦ୍ଧି ପାଇଥାଏ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ପୂର୍ବ ପ୍ରଶାସନ ଦ୍ୱାରା ସୃଷ୍ଟି ହୋଇଥିବା ସବୁପ୍ରକାର ବାଧାକୁ ଚଳନ୍ତି ସରକାର ଦୂର କରିବାକୁ ଉଦ୍ୟମ ଜାରି ରଖିଛନ୍ତି ବୋଲି ସେ କହିଥିଲେ । ମହାକାଶ ବିଜ୍ଞାନ କ୍ଷେତ୍ରର ଉଦାହରଣ ଦେଇ ସେ କହିଥିଲେ ଯେ, ଆଗରୁ ସବୁକିଛି ଇସ୍ରୋ ଅଧୀନରେ ରହିଥିଲା । ସେବେ ମହାକାଶ ବିଜ୍ଞାନ ଓ ଉଦ୍ୟୋଗିକତା କ୍ଷେତ୍ରର ଏତେଟା ସୁବିନିଯୋଗ ହୋଇ ପାରୁନଥିଲା । କିନ୍ତୁ ଏବେ ଏହି କ୍ଷେତ୍ରରେ ଯୁବ ନବ ପ୍ରବର୍ତକମାନଙ୍କ ପାଇଁ ବାଟ ଫିଟିଛି । ଦେଶରେ ଏବେ ପ୍ରାୟ ୨୫୦ଟି ସ୍ପେସ ଷ୍ଟାର୍ଟ ଅପ ଖୋଲି ପାରିଛି । ବିକ୍ରମ-ଏସ ଓ ଅଗ୍ନିବାଣ ପରି ବିଭିନ୍ନ ରକେଟ ଏବେ ଏହି ଷ୍ଟାର୍ଟ ଅପଗୁଡିକ ତିଆରି କରୁଛନ୍ତି । ସେହିପରି ମ୍ୟାପିଂ ସେକ୍ଟରର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଗରୁ ଭାରତରେ ମାନଚିତ୍ର ପ୍ରସ୍ତୁତ କରିବାକୁ ହେଲେ ସରକାରଙ୍କର ଅନୁମତି ଲୋଡିବାକୁ ପଡୁଥିଲା । ହେଲେ ଏବେ ଏହି କଟକଣା ଉଠିଯାଇ ନୂଆ ଷ୍ଟାର୍ଟ ଅପ ପାଇଁ ଜିଓସ୍ପାସିଆଲ ମ୍ୟାପିଂ ଡାଟା ବାଟ ଫିଟାଇଛି । ସେହିପରି ବିଭିନ୍ନ କଟକଣା ସହ ଆଣବିକ ଶକ୍ତି କ୍ଷେତ୍ର ସରକାରଙ୍କ ଅଧୀନରେ ରହିଥିଲା । କିନ୍ତୁ ଏବେ ଚଳିତ ବଜେଟରେ ବିଶେଷ ପ୍ରାବଧାନ କରାଯାଇ ଏହି କ୍ଷେତ୍ରରେ ଘରୋଇ ପ୍ରବେଶ ପାଇଁ ଅନୁମତି ଦିଆଯାଇଛି । ଫଳରେ ୨୦୪୭ ସୁଦ୍ଧା ଭାରତର ଶହେ ଜିଗାବାଟ ଆଣବିକ ଶକ୍ତି ଦକ୍ଷତା ବୃଦ୍ଧି ପାଇବ ।
ଭାରତର ଗ୍ରାମଗୁଡିକରେ ଶହେ ଲକ୍ଷ କୋଟି ଟଙ୍କାର ଅନାବିଷ୍କୃତ ଅର୍ଥନୈତିକ ଦକ୍ଷତା ରହିଥିଲା । ବିନା ଆଇନଗତ କାଗଜପତ୍ର ଓ ମ୍ୟାପିଂରେ ଗାଁଗୁଡିକରେ ଘରଗୁଡିକ ରହିଥିବା କାରଣରୁ ଅନେକ ଗ୍ରାମବାସୀ ବ୍ୟାଙ୍କ ଋଣ ସହାୟତା ପାଇପାରୁ ନଥିଲେ । ଏଭଳି ସମସ୍ୟା ଭାରତ ପରି ଦେଶରେ କେବଳ ସୀମିତ ନୁହେଁ । ବରଂ ବଡ ବଡ ଦେଶର ନାଗରିକମାନେ ବି ଭୂମି ଅଧିକାରରୁ ବଂଚିତ ରହୁଥିବା ଦେଖିବାକୁ ମିଳିଛି । ଅନ୍ତର୍ଜାତିକ ସଂସ୍ଥାଗୁଡିକର ରିପୋର୍ଟ ଅନୁସାରେ ଯେଉଁ ଦେଶ ନିଜ ନାଗରିକମାନଙ୍କୁ ଭୂମି ଅଧିକାର ଦେଉଛି ସେମାନଙ୍କର ଜିଡିପିରେ ଅଭିବୃଦ୍ଧି ଘଟୁଛି । ସ୍ୱାମିତ୍ୱ ଯୋଜନାରେ ଭାରତର ଗ୍ରାମରେ ରହିଥିବା ଘରଗୁଡିକୁ ଭୂମି ଅଧିକାର ମିଳିଛି । ଡ୍ରୋନର ବ୍ୟବହାର କରାଯାଇ ପ୍ରତିଟି ଘରକୁ ସର୍ଭେ କରାଯାଇ ମ୍ୟାପ ପ୍ରସ୍ତୁତ କରାଯାଇଛି । ସାରା ଦେଶରେ ପ୍ରପର୍ଟି କାର୍ଡ ପ୍ରସ୍ତୁତ କରାଯାଇ ବିତରଣ କରାଯାଉଥିବା ପ୍ରଧାନମନ୍ତ୍ରୀ କହିଥିଲେ । ଏବେ ପ୍ରାୟ ଦୁଇ କୋଟିରୁ ଊର୍ଦ୍ଧ୍ୱ ପ୍ରପର୍ଟି କାର୍ଡ ଜାରି କରାଯାଇଥିବା ସେ ଉଲ୍ଲେଖ କରିଥିଲେ । ଆଗରୁ ପ୍ରପର୍ଟି କାର୍ଡ ନଥିବାରୁ ଗାଁଗୁଡିକରେ ବହୁ ବାଦ ବିବାଦ ଦେଖିବାକୁ ମିଳୁଥିଲା । କିନ୍ତୁ ଏବେ ଏଥିରେ ପରିବର୍ତନ ଘଟି ଏହି କାର୍ଡ ବଳରେ ଗ୍ରାମବାସୀମାନେ ବ୍ୟାଙ୍କ ଋଣ ସହାୟତା ପାଇପାରୁଛନ୍ତି ।
ବିକଶିତ ଭାରତରେ ଯୁବକମାନେ ହେଉଛନ୍ତି ବୃହତ ଅଂଶୀଦାର । ଏମାନଙ୍କ ପାଇଁ ଏକ୍ସ ଫ୍ୟାକ୍ଟର କାମ କରୁଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ପରୀକ୍ଷା ନୀରିକ୍ଷା (ଏକ୍ସପେରିମେଂଟେସନ), ପାରଦର୍ଶିତା (ଏକ୍ସେଲେନ୍ସ), ସମ୍ପ୍ରସାରଣ (ଏକ୍ସପାନସନ)କୁ ଏହି ଏକ୍ସ ଫ୍ୟାକ୍ଟର ସୂଚାଉଥିବା ସେ ଅଭିହିତ କରିଥିଲେ । ପୁରୁଣା ପଦ୍ଧତିକୁ ପଛରେ ଛାଡି ଯୁବବର୍ଗ ନୂଆ ରାସ୍ତା ସୃଷ୍ଟି କରିଛନ୍ତି ଫଳରେ ବୈଶ୍ୱିକ ବେଂଚମାର୍କ ସୃଷ୍ଟି ହୋଇ ୧୪୦ କୋଟି ଭାରତୀୟଙ୍କ ପାଇଁ ରାସ୍ତା ଫିଟିଛି । ସରକାର ପ୍ରତିବର୍ଷ ସ୍ମାର୍ଟ ଇଣ୍ଡିଆ ହାକାଥନ ଆୟୋଜନ କରୁଥିବା ପ୍ରଧାନମନ୍ତ୍ରୀ କହିଥିଲେ । ଏଥିରେ ଏଯାବତ ପ୍ରାୟ ଦଶ ଲକ୍ଷ ଯୁବକ ଅଂଶଗ୍ରହଣ କରିଥିବା କଥା ସେ ଉଲ୍ଲେଖ କରିଥିଲେ । ବିଭିନ୍ନ ବିଭାଗ ଓ ମନ୍ତ୍ରଣାଳୟ ଦ୍ୱାରା ଯୁବ ଅଂଶଗ୍ରହଣକାରୀମାନଙ୍କୁ ଦିଆଯାଉଥିବା ପ୍ରୋବଲେମର ପ୍ରାୟ ଅଢେଇ ହଜାର ସଲ୍ୟୁସନ ପ୍ରସ୍ତୁତ ସରିଥିବା ଉଲ୍ଲେଖ କରାଯାଇଥିଲା । ରିପବ୍ଲିକ ଟିଭି ଦ୍ୱାରା ଏପ୍ରକାର ହାକାଥନ ସଂସ୍କୃତି ତିଆରି କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ଖୁସି ପ୍ରକଟ କରିଥିଲେ ।
ଗତ ଶତାବ୍ଦୀରେ ନୂଆ ପ୍ରକାର ପ୍ରଶାସନକୁ ଦେଶ ଦେଖିଛି । ପ୍ରଭାବଶୂନ୍ୟ ପ୍ରଶାସନ ପ୍ରଭାବପୂର୍ଣ୍ଣ ସୁଶାସନରେ ପରିଣତ ହୋଇଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ପ୍ରଥମକରି ସରକାରୀ ଯୋଜନାର ସୁଫଳ ପାଉଥିବା କଥା ଲୋକେ କହୁଛନ୍ତି ବୋଲି ସେ କହିଥିଲେ । ଆଗରୁ ଗରିବଙ୍କ ପାଇଁ ଘର ନିର୍ମାଣ କେବଳ କାଗଜପତ୍ରରେ ସୀମିତ ରହିଥିଲା । କିନ୍ତୁ ଏବେ ବାସ୍ତବରେ ସେମାନଙ୍କ ଲାଗି ଘର ତିଆରି କରାଯାଉଛି । ଆଗରୁ ଘର ତିଆରି କରିବାର ଡିଜାଇନ ଓ ମାଟେରିଆଲ ସବୁକିଛି ସରକାର ନିୟନ୍ତ୍ରଣ କରୁଥିଲେ । କିନ୍ତୁ ଏବେ ଚଳିତ ସରକାର ହିତାଧିକାରୀଙ୍କ ପାଖକୁ ଟଙ୍କା ପଠାଇ ଘର ନିର୍ମାଣ କ୍ଷେତ୍ରରେ ସ୍ୱାୟତତା ଆଣିପାରିଛନ୍ତି । ଆଗରୁ ଅସମ୍ପୂର୍ଣ୍ଣ ଘର ହସ୍ତାନ୍ତର କରାଯାଉଥିଲା କିନ୍ତୁ ଏବେ ଜଳ, ଗ୍ୟାସ, ବିଜୁଳି ସଂଯୋଗ ସହ ଗରିବମାନଙ୍କୁ ସେମାନଙ୍କୁ ସ୍ୱପ୍ନର ଘର ଯୋଗାଇ ଦିଆଯାଉଛି । ଉଜ୍ୱଳା ଯୋଜନାରେ ଗ୍ୟାସ ସଂଯୋଗ ଓ ସୌଭାଗ୍ୟ ଯୋଜନାରେ ବିଜୁଳି ସଂଯୋଗ ଯୋଗାଇ ଦିଆଯାଉଥିବା ପ୍ରଧାନମନ୍ତ୍ରୀ କହିଥିଲେ ।
ଦେଶର ବିକାଶ ପାଇଁ ଜାତୀୟ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ ଗତ ଶତାବ୍ଦୀରେ ଉଲ୍ଲେଖନୀୟ କାମ କରାଯାଇଥିବା ପ୍ରଧାନମନ୍ତ୍ରୀ କହିଥିଲେ । ଆଗରୁ ଟିଭି ଗଣମାଧ୍ୟମରେ ସିରିଏଲ ବମବ୍ଲାଷ୍ଟ ଓ ସ୍ଲିପର ସେଲ ନେଟବାର୍କ ଉପରେ ତୁହାକୁତୁହା ବ୍ରେକିଂ ନ୍ୟୁଜ ଦେଖିବାକୁ ମିଳୁଥିଲା । ହେଲେ ଏବେ ଏହାର ପରିବର୍ତନ ଘଟିଛି । ସେହିପରି ନକ୍ସଲବାଦର ବିଲୋପ ଧୀରେ ଧୀରେ ଘଟି କିଛି ପ୍ରଭାବିତ ଜିଲ୍ଲାରେ ଏହାର ସଂଖ୍ୟା ଶହେରୁ ଦୁଇ ଡର୍ଜନକୁ ଖସି ଆସିଥିବା ସେ ଉଲ୍ଲେଖ କରିଥିଲେ । ନେସନ ଫାଷ୍ଟକୁ ଦୃଷ୍ଟିରେ ରଖି ଏସବୁ ଅଂଚଳରେ ତୃଣମୂଳସ୍ତରରେ ପ୍ରଶାସନକୁ ପହଂଚା ଯାଇପାରିଛି । ରାସ୍ତା, ବିଦ୍ୟାଳୟ, ହସ୍ପିଟାଲ ନିର୍ମାଣ ସହ ଏସବୁ ଜିଲ୍ଲାରେ ୪ଜି ନେଟବାର୍କ ପହଂଚି ପାରିଛି ।
ଜଙ୍ଗଲରୁ ନକ୍ସଲବାଦର ମୂଳପୋଛ ହେବା ସହ ଅର୍ବାନ ନକ୍ସଲବାଦର ଅଭ୍ୟୁଦୟ ଘଟିଛି । ବିଭିନ୍ନ ରାଜନୈତିକ ଦଳକୁ ଏହି ଅର୍ବାନ ନକ୍ସଲମାନେ ଏବେ ଅନୁପ୍ରବେଶ କରିବାକୁ ଆରମ୍ଭ କରିଛନ୍ତି । ଭାରତର ବିକାଶ ଓ ଐତିହ୍ୟ ପାଇଁ ଏହି ଅର୍ବାନ ନକ୍ସଲମାନେ ବିପଦ ବୋଲି ସେ କହିଥିଲେ । ଅର୍ବାନ ନକ୍ସଲମାନଙ୍କୁ ପାନେ ଦେବା ପାଇଁ ଅର୍ଣ୍ଣବ ଗୋସ୍ୱାମୀଙ୍କ ପ୍ରଚେଷ୍ଟାକୁ ସେ ପ୍ରଶଂସା କରିଥିଲେ ।
ନେସନ ଫାଷ୍ଟ ସ୍ପିରିଟରେ ରିପବ୍ଲିକ ଟିଭିର ସାମ୍ବାଦିକତା ଏକ୍ଷେତ୍ରରେ ଉଲ୍ଲେଖନୀୟ କାମ କରିବ ବୋଲି ପ୍ରଧାନମନ୍ତ୍ରୀ ଆଶା ପୋଷଣ କରିଥିଲେ ।
PBD
(Release ID: 2109287)
Visitor Counter : 13
Read this release in:
Tamil
,
English
,
Urdu
,
Marathi
,
Hindi
,
Manipuri
,
Bengali
,
Punjabi
,
Gujarati
,
Kannada
,
Malayalam