ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଆସାମର ଗୁଆହାଟୀ ଠାରେ ଝୁମୋଇର ବିନାନ୍ଦିନୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
Posted On:
24 FEB 2025 8:17PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆସାମର ଗୁଆହାଟୀ ଠାରେ ଏକ ମେଗା ଝୁମୋଇର କାର୍ଯ୍ୟକ୍ରମ, ଝୁମୋଇର ବିନାନ୍ଦିନୀ ୨୦୨୫ ରେ ଅଂଶଗ୍ରହଣ କରିଛନ୍ତି । ସଭାକୁ ସମ୍ବୋଧିତ କରି ସେ କହିଥିଲେ ଯେ ଏହି କାର୍ଯ୍ୟକ୍ରମରେ ଖୁସି, ଉତ୍ସାହ ଓ ଉଦ୍ଦୀପନାଭରା ବାତାବରଣ ସୃଷ୍ଟି ହୋଇଥିଲା। ଝୁମୋଇର ପରିବେଷଣ କରୁଥିବା ସମସ୍ତ କଳାକାରଙ୍କ ଚମତ୍କାର ପ୍ରସ୍ତୁତି ବିଷୟରେ ସେ ଉଲ୍ଲେଖ କରିଥିଲେ, ଯାହା ଚା' ବଗିଚାର ସୁଗନ୍ଧ ଏବଂ ସୌନ୍ଦର୍ଯ୍ୟକୁ ପ୍ରତିଫଳିତ କରିଥିଲା । ଝୁମୋଇର ଓ ଚା' ବଗିଚା ସଂସ୍କୃତି ସହିତ ଯେମିତି ଲୋକମାନଙ୍କର ବିଶେଷ ସମ୍ପର୍କ ରହିଛି, ସେହିଭଳି ତାଙ୍କର ମଧ୍ୟ ସମାନ ସମ୍ପର୍କ ରହିଛି ବୋଲି ସେ ଉଲ୍ଲେଖ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଜି ଏତେ ସଂଖ୍ୟକ କଳାକାର ଝୁମୋଇର ନୃତ୍ୟ ପରିବେଷଣ କରି ରେକର୍ଡ ସୃଷ୍ଟି କରିବେ। ୨୦୨୩ ମସିହାରେ ଆସାମ ଗସ୍ତକୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସେହି ସମୟରେ ୧୧,୦୦୦ କଳାକାର ବିହୁ ନୃତ୍ୟ ପରିବେଷଣ କରି ଏକ ରେକର୍ଡ ସୃଷ୍ଟି କରିଥିବା ବେଳେ ଏହା ତାଙ୍କ ପାଇଁ ଏକ ଅବିସ୍ମରଣୀୟ ମୁହୂର୍ତ ହୋଇ ରହିଯାଇଛି ଏବଂ ସେ ଅନୁରୂପ ଆକର୍ଷଣୀୟ ପ୍ରଦର୍ଶନ ଆଶା କରୁଛନ୍ତି । ଏକ ଭବ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ସେ ଆସାମ ସରକାର ଏବଂ ଏହାର ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ । ସେ ଉଲ୍ଲେଖ କରିଥିଲେ ଯେ. ଆଜି ଆସାମ ପାଇଁ ଏକ ଗୌରବର ଦିନ, ଚା' ସମ୍ପ୍ରଦାୟ ଏବଂ ଆଦିବାସୀ ଲୋକମାନେ ଏହି ଉତ୍ସବରେ ଅଂଶଗ୍ରହଣ କରୁଛନ୍ତି। ଏହି ସ୍ୱତନ୍ତ୍ର ଦିନରେ ସେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ।
ଏଭଳି ଭବ୍ୟ କାର୍ଯ୍ୟକ୍ରମ କେବଳ ଆସାମର ଗୌରବର ପ୍ରମାଣ ନୁହେଁ , ବରଂ ଭାରତର ମହାନ ବିବିଧତାକୁ ମଧ୍ୟ ଦର୍ଶାଉଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏକ ସମୟ ଥିଲା ଯେତେବେଳେ ଆସାମ ଏବଂ ଉତ୍ତର - ପୂର୍ବାଞ୍ଚଳ ବିକାଶ ଓ ସଂସ୍କୃତି ଦୃଷ୍ଟିରୁ ଅବହେଳିତ ଥିଲେ । ଏବେ ସେ ନିଜେ ଉତ୍ତର -ପୂର୍ବ ସଂସ୍କୃତିର ବ୍ରାଣ୍ଡ ଆମ୍ବାସାଡର ପାଲଟି ଯାଇଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ ସେ ହେଉଛନ୍ତି ପ୍ରଥମ ପ୍ରଧାନମନ୍ତ୍ରୀ ଯିଏ ଆସାମର କାଜିରଙ୍ଗାରେ ରହିଛନ୍ତି ଏବଂ ଏହାର ଜୈବ ବିବିଧତାକୁ ବିଶ୍ୱ ଉଦ୍ଦେଶ୍ୟରେ ପ୍ରୋତ୍ସାହିତ କରୁଛନ୍ତି । ସେ ଆହୁରି ମଧ୍ୟ ଉଲ୍ଲେଖ କରିଥିଲେ ଯେ, କିଛି ମାସ ତଳେ ଅହମୀୟା ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ମିଳିଥିଲା, ଯାହାକୁ ଆସାମର ଲୋକମାନେ ଦଶନ୍ଧି ଧରି ଅପେକ୍ଷା କରିଥିଲେ। ଏହାବ୍ୟତୀତ ଚରାଇଦେଓ ମୋଇଦାମକୁ ୟୁନେସ୍କୋ ବିଶ୍ୱ ଐତିହ୍ୟ ତାଲିକାରେ ସାମିଲ କରାଯାଇଛି, ଯାହା କି ସେମାନଙ୍କ ସରକାରଙ୍କ ପ୍ରୟାସ ଯୋଗୁଁ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ବୋଲି ସେ କହିଛନ୍ତି।
ଆସାମର ଗୌରବ, ବୀର ଯୋଦ୍ଧା ଲଚିତ୍ ବୋରଫୁକନ, ଯିଏ କି ମୋଗଲମାନଙ୍କ ବିରୋଧରେ ଲଢ଼ି ଆସାମର ସଂସ୍କୃତି ଏବଂ ପରିଚୟକୁ ରକ୍ଷା କରିଥିଲେ, ଶ୍ରୀ ମୋଦୀ ଲଚିତ୍ ବୋରଫୁକନଙ୍କ ୪୦୦ତମ ଜୟନ୍ତୀର ଭବ୍ୟ ଉତ୍ସବ ଉପରେ ଆଲୋକପାତ କରିଥିଲେ ଏବଂ ଉଲ୍ଲେଖ କରିଥିଲେ ଯେ ସାଧାରଣତନ୍ତ୍ର ଦିବସ ପରେଡରେ ତାଙ୍କର ଟେବୁଲ ମଧ୍ୟ ସାମିଲ କରାଯାଇଥିଲା । ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଆସାମରେ ଲଚିତ୍ ବୋରଫୁକନଙ୍କ ୧୨୫ ଫୁଟର ଏକ ବ୍ରୋଞ୍ଜ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଛି । ଆଦିବାସୀ ସମାଜର ଐତିହ୍ୟକୁ ପାଳନ କରିବା ପାଇଁ ଜନଜାତୀୟ ଗୌରବ ଦିବସ ଆରମ୍ଭ ହେବା ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ । ଆଦିବାସୀ ବୀରଙ୍କ ଅବଦାନକୁ ଅମର କରିବା ପାଇଁ ସାରା ଦେଶରେ ଆଦିବାସୀ ସଂଗ୍ରହାଳୟ ପ୍ରତିଷ୍ଠା କରାଯାଉଛି ବୋଲି ସେ କହିଥିଲେ।
ସେମାନଙ୍କ ସରକାର ଆସାମର ବିକାଶ କରୁଛନ୍ତି ଏବଂ 'ଚା ଜନଜାତି' ସମ୍ପ୍ରଦାୟର ସେବା କରୁଛନ୍ତି ବୋଲି ମନ୍ତବ୍ୟ ଦେଇ ପ୍ରଧାନମନ୍ତ୍ରୀ ଆସାମ ଚା' ନିଗମ କର୍ମଚାରୀଙ୍କ ଆୟ ବୃଦ୍ଧି ପାଇଁ ବୋନସ ଘୋଷଣା ଉପରେ ଆଲୋକପାତ କରିଥିଲେ । ସେ ଚା' ବଗିଚାର ପ୍ରାୟ ଦେଢ଼ ଲକ୍ଷ ମହିଳାଙ୍କୁ ପ୍ରଦାନ କରାଯାଉଥିବା ସହାୟତା ଉପରେ ଗୁରୁତ୍ଵାରୋପ କରିଥିଲେ, ଯେଉଁମାନଙ୍କୁ ଆର୍ଥିକ ସମସ୍ୟା କମ୍ କରିବା ପାଇଁ ଗର୍ଭାବସ୍ଥାରେ ୧୫,୦୦୦ ଟଙ୍କା ସହାୟତା ଆକାରରେ ଯୋଗାଇ ଦିଆଯାଇଥାଏ। ଏହାବ୍ୟତୀତ ଆସାମ ସରକାର ଚା' ବଗିଚାରେ ୩୫୦ରୁ ଅଧିକ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଖୋଲୁଛନ୍ତି ବୋଲି ସେ ଉଲ୍ଲେଖ କରିଥିଲେ। ଚା' ଜନଜାତିର ପିଲାଙ୍କ ପାଇଁ ୧୦୦ରୁ ଅଧିକ ମଡେଲ ଚା' ବଗିଚା ସ୍କୁଲ ଖୋଲାଯାଇଥିବା ବେଳେ ଆହୁରି ୧୦୦ଟି ସ୍କୁଲର ଯୋଜନା ରହିଛି ବୋଲି ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ। ସେ ଚା' ଜନଜାତିର ଯୁବକମାନଙ୍କ ପାଇଁ ଓବିସି କୋଟାରେ ୩% ସଂରକ୍ଷଣ ଏବଂ ଆସାମ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ଆତ୍ମନିଯୁକ୍ତି ପାଇଁ ୨୫,୦୦୦ ଟଙ୍କା ସହାୟତାର ବ୍ୟବସ୍ଥା ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ। ଚା' ଶିଳ୍ପ ଏବଂ ଏହାର ଶ୍ରମିକମାନଙ୍କର ବିକାଶ ଆସାମର ସାମଗ୍ରିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବ ଏବଂ ଉତ୍ତରପୂର୍ବକୁ ନୂତନ ଉଚ୍ଚତାରେ ପହଞ୍ଚାଇବ ବୋଲି ପ୍ରଧାନମନ୍ତ୍ରୀ ବିଶ୍ୱାସ ବ୍ୟକ୍ତ କରିଥିଲେ । ଆଗାମୀ ପ୍ରଦର୍ଶନ ପାଇଁ ସେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଆଗୁଆ ଧନ୍ୟବାଦ ଜଣାଇବା ସହ ଶୁଭେଚ୍ଛା ଜଣାଇଥିଲେ।
ଏହି କାର୍ଯ୍ୟକ୍ରମରେ ଆସାମ ରାଜ୍ୟପାଳ ଶ୍ରୀ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ, ଆସାମ ମୁଖ୍ୟମନ୍ତ୍ରୀ ଶ୍ରୀ ହିମନ୍ତ ବିଶ୍ୱ ଶର୍ମା, କେନ୍ଦ୍ର ମନ୍ତ୍ରୀ ଡ. ଏସ୍ ଜୟଶଙ୍କର, ଶ୍ରୀ ସର୍ବାନନ୍ଦ ସୋନୋୱାଲ, ତ୍ରିପୁରା ମୁଖ୍ୟମନ୍ତ୍ରୀ ଡ. ମାଣିକ ସାହା, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପବିତ୍ର ମାର୍ଗେରିଟା ପ୍ରମୁଖ ଉପସ୍ଥିତ ଥିଲେ।
ପୃଷ୍ଠଭୂମି
ଝୁମୋଇର ବିନାନ୍ଦିନୀ (ମେଗା ଝୁମୋଇର) ୨୦୨୫ ହେଉଛି ଏକ ଚମତ୍କାର ସାଂସ୍କୃତିକ ଉତ୍ସବ, ଯେଉଁଥିରେ ଆସାମର ଚା' ଜନଜାତି ଏବଂ ଆସାମର ଆଦିବାସୀ ସମ୍ପ୍ରଦାୟର ଏକ ଲୋକ ନୃତ୍ୟ ଝୁମୋଇର ନୃତ୍ୟରେ ୮,୦୦୦ କଳାକାର ଅଂଶଗ୍ରହଣ କରିଛନ୍ତି ଯାହା ସମାବେଶୀକରଣ, ଏକତା ଏବଂ ସାଂସ୍କୃତିକ ଗୌରବର ଭାବନାକୁ ପ୍ରତିଫଳିତ କରେ ଏବଂ ଆସାମର ସମନ୍ୱିତ ସାଂସ୍କୃତିକ ମିଶ୍ରଣର ପ୍ରତୀକ । ଭବ୍ୟ ଝୁମୋଇର କାର୍ଯ୍ୟକ୍ରମ ଚା' ଶିଳ୍ପର ୨୦୦ ବର୍ଷ ଏବଂ ଆସାମରେ ଶିଳ୍ପାୟନର ୨୦୦ ବର୍ଷର ପ୍ରତୀକ ।
***
SSP
(Release ID: 2106311)
Read this release in:
Khasi
,
English
,
Urdu
,
Marathi
,
Hindi
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam