ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଭାରତ-ଆମେରିକା ମିଳିତ ପ୍ରେସ କନଫରେନ୍ସରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ
Posted On:
14 FEB 2025 8:48AM by PIB Bhubaneshwar
ଭାରତ-ଆମେରିକା ମିଳିତ ପ୍ରେସ କନଫରେନ୍ସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦବୋଧନ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭବ୍ୟ ସ୍ୱାଗତ ଓ ଆତିଥେୟତା ପ୍ରଦର୍ଶନ କରିଥିବାରୁ ସେ ସର୍ବପ୍ରଥମେ ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଥିଲେ । ଭାରତ ଓ ଆମେରିକାର ଦ୍ୱିପାକ୍ଷିକ ସମ୍ପର୍କକୁ ମଜଭୂତ କରିଥିବାରୁ ଟ୍ରମ୍ପଙ୍କ ନେତୃତ୍ୱକୁ ମୋଦୀ ଧନ୍ୟବାଦ ଜ୍ଞାପନ କରିଥିଲେ ।
ପ୍ରଥମ ପାଳିରେ ଉଭୟ ରାଜନେତା ଯେଉଁ ଉତ୍ସାହ ଓ ଉଦ୍ଦୀପନା ଦେଖାଇଥିଲେ ତାହା ଆଜି ବି କାଏମ ରହିଥିବା ମୋଦୀ ଉଲ୍ଲେଖ କରିଥିଲେ । ପ୍ରଥମ ପାଳିରେ ପରିଲକ୍ଷିତ ହୋଇଥିବା ସଫଳତା ଉଭୟ ପକ୍ଷ ଭିତରେ ହୋଇଥିବା ଆଲୋଚନା ଓ ପାରସ୍ପରିକ ବୁଝାମଣା ଯୋଗୁଁ ସମ୍ଭବ ହୋଇପାରିଥିବା ମୋଦୀ କହିଥିଲେ । ଭାରତ ଓ ଆମେରିକା ଭିତରେ ରହିଥିବା ପାରସ୍ପରିକ ସହଯୋଗ ଓ ସୌହାର୍ଦ୍ଦ୍ୟ ସମଗ୍ର ବିଶ୍ୱକୁ ପରିବର୍ତନ କରିବାରେ ସଫଳ ହେବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ପ୍ରତିକ୍ରିୟା ପ୍ରକାଶ କରିଥିଲେ ।
ରାଷ୍ଟ୍ରପତି ଟ୍ରମ୍ପଙ୍କ ମେକ ଆମେରିକା ଗ୍ରେଟ ଏଗେନ ବା ‘ମାଗା’ ଆହ୍ୱାନ ପରି ବିକଶିତ ଭାରତ ୨୦୪୭ ଆଡକୁ ସାରା ଭାରତ ଅଗ୍ରସର ହେଉଥିବା ମୋଦୀ କହିଥିଲେ । ବିକଶିତ ଭାରତ ମାନେ ମେକ ଇଣ୍ଡିଆ ଗ୍ରେଟ ଏଗେନ ବା ‘ମିଗା’ ବୋଲି ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଉଲ୍ଲେଖ କରିଥିଲେ । ଏହି ‘ମାଗା’ ଓ ‘ମିଗା’କୁ ନେଇ ଉଭୟ ଦେଶ ମିଳିତ ଭାବେ କାମ କରୁଛନ୍ତି ମୋଦୀ କହିଥିବା ବେଳେ ନୂଆ ଲକ୍ଷ୍ୟ ପାଇଁ ଉଭୟ ଦେଶର ‘ମେଗା’ ସହଭାଗିତା କାମ ଦେବ ବୋଲି ମତପ୍ରକାଶ କରିଥିଲେ ।
୨୦୩୦ ସୁଦ୍ଧା ଉଭୟ ଦେଶର ଦ୍ୱିପାକ୍ଷିକ ବାଣିଜ୍ୟିକ କାରବାରକୁ ୫୦୦ ବିଲିୟନ ଡଲାରକୁ ଉନ୍ନୀତ କରିବାକୁ ଲକ୍ଷ୍ୟ ରଖାଯାଇଥିବା ପ୍ରଧାନମନ୍ତ୍ରୀ ମୋଦୀ ଉଲ୍ଲେଖ କରିଥିଲେ । ପାରସ୍ପରିକ ବାଣିଜ୍ୟିକ ରାଜିନାମାରେ ଉପନୀତ ହେବା ପାଇଁ ତାଙ୍କ ଟିମ କାମ କରୁଥିବା ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ।
ଭାରତର ଶକ୍ତି ନିରାପତ୍ତା ପାଇଁ ତୈଳ ଓ ଗ୍ୟାସ ବାଣିଜ୍ୟକୁ ମଜଭୂତ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ । ଶକ୍ତି କ୍ଷେତ୍ରରେ ଅଧିକ ପୁଞ୍ଜି ନିବେଶ କରାଯିବ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ସେହିପରି ଆଣବିକ ଶକ୍ତି କ୍ଷେତ୍ରରେ ଛୋଟ ମୋଡ୍ୟୁଲାର ରିଆକ୍ଟର ଦିଗରେ ସହଯୋଗ ବୃଦ୍ଧି ନେଇ ଆଲୋଚନା ହୋଇଥିବା ସୂଚନା ମିଳିଛି ।
ଭାରତର ପ୍ରତିରକ୍ଷା କ୍ଷେତ୍ରରେ ସବୁ ବେଳେ ଆମେରିକାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଆସିଛି । ତେବେ ମିଳିତ ବିକାଶ, ମିଳିତ ଉତ୍ପାଦନ ଓ ପ୍ରଯୁକ୍ତି ବିଦ୍ୟା ବିନିମୟ କ୍ଷେତ୍ରରେ ଦୁଇ ଦେଶ ଭିତରେ ସବୁ ବେଳେ ସହଭାଗିତା ରହିଆସିଥିବା ପ୍ରଧାନମନ୍ତ୍ରୀ ମୋଦୀ ଉଲ୍ଲେଖ କରିଥିଲେ । ଆଗାମୀ ଦିନରେ ନୂଆ ପ୍ରଯୁକ୍ତି ବିଦ୍ୟା ଓ ଯନ୍ତ୍ରପାତି ଯୋଗୁଁ ଉଭୟ ଦେଶର ଦକ୍ଷତା ବୃଦ୍ଧି ପାଇବ ବୋଲି ମୋଦୀ ଆଶାପ୍ରକଟ କରିଥିଲେ । ଖୁବଶୀଘ୍ର ଅଟୋନୋମସ ସିଷ୍ଟମସ ଇଣ୍ଡଷ୍ଟ୍ରୀ ଆଲାଏନ୍ସ ପ୍ରସ୍ତୁତ କରିବା ପାଇଁ ଭାରତ ଚେଷ୍ଟା କରିବ ବୋଲି ପ୍ରଧାନମନ୍ତ୍ରୀ ପ୍ରତିକ୍ରିୟା ଦେଇଥିଲେ । ପରବର୍ତୀ ଦଶନ୍ଧି ପାଇଁ ପ୍ରତିରକ୍ଷା ସହଯୋଗ ନେଇ ଖସଡା ପ୍ରସ୍ତୁତ କରାଯିବ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ପ୍ରତିରକ୍ଷା କ୍ଷେତ୍ରରେ ଆନ୍ତଃ କାର୍ଯ୍ୟକ୍ଷମତା, ଲଜିଷ୍ଟିକ୍ସ ଓ ମରାମତି ଉପରେ ବିଶେଷ ପ୍ରାଧାନ୍ୟ ଦିଆଯିବ ବୋଲି ସୂଚନା ଦିଆଯାଇଛି ।
ଏକବିଂଶ ଶତାବ୍ଦୀ ହେଉଛି ପ୍ରଯୁକ୍ତି ବିଦ୍ୟାର ଯୁଗ । ଏହି କ୍ଷେତ୍ରରେ ଦୁଇ ଦେଶ ଭିତରେ ଦ୍ୱିପାକ୍ଷିକ ସହଯୋଗ ସମଗ୍ର ମାନବଜାତିକୁ ନୂଆ ଦିଗ ଓ ଦିଗଦର୍ଶନ ଦେବ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । କୃତ୍ରିମ ବୁଦ୍ଧିମତା, ସେମି କଣ୍ଡକ୍ଟର, କ୍ୱାଂଟମ, ବାୟୋ ଟେକ୍ନୋଲଜି ଓ ଅନ୍ୟାନ୍ୟ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଉଭୟ ଦେଶ କାମ କରିବେ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ସୂଚନା ଦେଇଥିଲେ ।
ଟ୍ରଷ୍ଟ ବା ଟ୍ରାନ୍ସଫର୍ମିଙ୍ଗ ରିଲେସନସିପ ୟୁଟିଲାଇଜିଂ ଷ୍ଟ୍ରାଟେଜିକ ଟେକ୍ନୋଲଜି ଉପରେ ଉଭୟ ଦେଶର ସହମତି ରହିଥିବା କୁହାଯାଇଛି । ଖଣିଜ ଓ ଫାର୍ମାସ୍ୟୁଟିକାଲ ଦ୍ରବ୍ୟର ଏକ ମଜଭୂତ ସପ୍ଲାଏ ଚେନ ପ୍ରତିଷ୍ଠା କରିବା ଦିଗରେ ଗୁରୁତ୍ୱ ଦିଆଯାଇଛି । ଲିଥିୟମ ଓ ଅନ୍ୟାନ୍ୟ ଖଣିଜ ସମ୍ପଦର ଉତୋଳନ ଓ ପ୍ରକ୍ରିୟାକରଣ ଉପରେ କାମ କରିବାକୁ ଚେଷ୍ଟା ଚାଲିଥିବା ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ।
ମହାକାଶ ବିଜ୍ଞାନ କ୍ଷେତ୍ରରେ ବି ଆମେରିକା ସହ ଭାରତର ସହଯୋଗ ରହିଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ଉଭୟ ଇସ୍ରୋ ଓ ନାସାର ମିଳିତ ସହଯୋଗରେ ପ୍ରସ୍ତୁତ କରାଯାଇଥିବା ‘ନିସାର’ ଉପଗ୍ରହ ଖୁବଶୀଘ୍ର ଭାରତୀୟ ଜ୍ଞାନ କୌଶଳରେ ନିର୍ମିତ ଯାନରେ ମହାକାଶକୁ ଉତକ୍ଷେପଣ କରାଯିବ ବୋଲି ଏହି ଅବସରରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।
ଗଣତନ୍ତ୍ର ଓ ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତିଷ୍ଠା ଦିଗରେ ଭାରତ ଓ ଆମେରିକା କାମ କରିଆସୁଥିବା କୁହାଯାଇଛି । ଇଣ୍ଡୋ ପାସିଫିକ କ୍ଷେତ୍ରରେ ଶାନ୍ତି, ସ୍ଥିରତା ଓ ସମୃଦ୍ଧି ବୃଦ୍ଧି କରିବା ଲକ୍ଷ୍ୟରେ ଉଭୟ ଦେଶ ମିଳିତ ଭାବେ କାମ କରିବେ ବୋଲି କୁହାଯାଇଛି । ତେବେ ଏନେଇ ‘କ୍ୱାଡ’ର ବିଶେଷ ଭୂମିକା ରହିଥିବା ଉଲ୍ଲେଖ କରାଯାଇଛି । ଚଳିତବର୍ଷ ଭାରତରେ ଅନୁଷ୍ଠିତ ହେବାକୁ ରହିଥିବା ‘କ୍ୱାଡ’ ଶିଖର ସମ୍ମିଳନୀରେ ସହଯୋଗୀ ରାଷ୍ଟ୍ରଗୁଡିକ ସହ ନୂଆ ନୂଆ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇବ ବୋଲି ପ୍ରଧାନମନ୍ତ୍ରୀ ମତପୋଷଣ କରିଥିଲେ । ଆଇଏମଇସି ଓ ଆଇ୨ୟୁ୨ ଅଧୀନରେ ଆର୍ଥିକ କରିଡର ଓ ଯୋଗାଯୋଗ ଭିତିଭୂମି କ୍ଷେତ୍ରରେ ଦୁଇ ଦେଶ ମିଳିତ ଭାବେ କାମ କରିବେ ବୋଲି ଉଲ୍ଲେଖ କରାଯାଇଛି ।
ଆତଙ୍କବାଦକୁ ଦମନ କରିବା କ୍ଷେତ୍ରରେ ଉଭୟ ଭାରତ ଓ ଆମେରିକା ମିଳିତ ଭାବେ କାମ କରିଆସୁଥିବା ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ । ସୀମାପାର ଆତଙ୍କବାଦ ମୂଳୋତ୍ପାଟନ କରିବାକୁ ଉଭୟ ଦେଶ ପ୍ରତିବଦ୍ଧ ବୋଲି ବି ସୂଚନା ଦିଆଯାଇଥିଲା ।
୨୦୦୮ ମସିହାରେ ଭାରତରେ ନରସଂହାର କରିଥିବା ଅଭିଯୁକ୍ତକୁ ପ୍ରତ୍ୟାବର୍ତନ କରିବା ପାଇଁ ରାଷ୍ଟ୍ରପତି ଟ୍ରମ୍ପ ରାଜି ହୋଇଥିବାରୁ ପ୍ରଧାନମନ୍ତ୍ରୀ ତାଙ୍କୁ ଅଶେଷ ଧନ୍ୟବାଦ ଜଣାଇଥିଲେ । ତେବେ ଏନେଇ ଏବେ ଭାରତୀୟ ଅଦାଲତ ବିହିତ କାର୍ଯ୍ୟାନୁଷ୍ଠାନ ନେବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଉଲ୍ଲେଖ କରିଥିଲେ ।
ଆମେରିକାରେ ବସବାସ କରୁଥିବା ଭାରତୀୟ ସମୁଦାୟ ଦୁଇ ଦେଶ ଭିତରେ ଦ୍ୱିପାକ୍ଷିକ ସମ୍ପର୍କକୁ ବୃଦ୍ଧି କରିବା ଦିଗରେ ବିଶେଷ ସହାୟକ ବୋଲି ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ । ପ୍ରବାସୀମାନଙ୍କ ଭିତରେ ସମ୍ପର୍କକୁ ଦୃଢ କରିବାକୁ ଖୁବଶୀଘ୍ର ଲସ ଆଞ୍ଜେଲସ ଓ ବୋଷ୍ଟନ ସହରରେ ଭାରତୀୟ ଦୂତାବାସ ଖୋଲିବାକୁ ଯାଉଥିବା ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ।
ଭାରତରେ ବିଦେଶୀ କ୍ୟାମ୍ପସ ଖୋଲିବାକୁ ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ବିଭିନ୍ନ ଆମେରିକୀୟ ବିଶ୍ୱବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନକୁ ନିମନ୍ତ୍ରଣ କରିଥିଲେ ।
ଭାରତ ସହ ବନ୍ଧୁତାକୁ ବଜାୟ ରଖି ଉଲ୍ଲେଖନୀୟ ପ୍ରତିବଦ୍ଧତା ପାଇଁ ଏହି ଅବସରରେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଧନ୍ୟବାଦ ଜଣାଇଥିଲେ । ୨୦୨୦ ମସିହାରେ ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଆଗମନକୁ ଭାରତବାସୀ ମନେ ରଖିଛନ୍ତି ଓ ଆଗାମୀ ଦିନରେ ବି ସେ ଆଉଥରେ ଆସିବାକୁ ଭାରତବାସୀ ଆଗ୍ରହ ରଖିଥିବା ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ । ଭାରତର ୧.୪ ବିଲିୟନ ଅଧିବାସୀଙ୍କ ପକ୍ଷରୁ ଟ୍ରମ୍ପ ପୁଣିଥରେ ଭାରତ ଆସିବାକୁ ପ୍ରଧାନମନ୍ତ୍ରୀ ମୋଦୀ ଅନୁରୋଧ ଜଣାଇଥିଲେ ।
PBD/Swadhin
(Release ID: 2103202)
Visitor Counter : 34
Read this release in:
English
,
Urdu
,
Marathi
,
Nepali
,
Hindi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam