ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଦେଶ ଉଦ୍ଦେଶ୍ୟରେ ଆଇଏନଏସ ସୁରଟ, ଆଇଏନଏସ ନୀଳଗିରି, ଆଇଏନଏସ ବାଘଶୀରକୁ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ ମୋଦୀ
ସଶକ୍ତ ପ୍ରତିରକ୍ଷା ବ୍ୟବସ୍ଥା ପାଇଁ ଲୋକାର୍ପିତ ହୋଇଥିବା ତିନି ଯୁଦ୍ଧପୋତର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି : ପ୍ରଧାନମନ୍ତ୍ରୀ
ଏକବିଂଶ ଶତାବ୍ଦୀର ଭାରତୀୟ ନୌସେନାକୁ ସଶକ୍ତ କରିବା ଲାଗି ଏହା ଏକ ପଦକ୍ଷେପ : ପ୍ରଧାନମନ୍ତ୍ରୀ
ସମଗ୍ର ବିଶ୍ୱରେ ଏକ ପ୍ରମୁଖ ନୌବାଣିଜ୍ୟ ଶକ୍ତି ଭାବେ ଭାରତ ଉଭା ହୋଇଛି : ପ୍ରଧାନମନ୍ତ୍ରୀ
ଦକ୍ଷିଣ ଗୋଲାର୍ଦ୍ଧରେ ଏକ ନିର୍ଭର ଯୋଗ୍ୟ ବୈଶ୍ୱିକ ଶକ୍ତି ଭାବେ ଭାରତ ପରିଗଣିତ ହୋଇପାରିଛି : ପ୍ରଧାନମନ୍ତ୍ରୀ
ସମଗ୍ର ଭାରତ ମହାସାଗର ଅଂଚଳରେ ଏକ ଶକ୍ତି କେନ୍ଦ୍ର ଭାବରେ ଭାରତ ଖ୍ୟାତି ଅର୍ଜନ କରିଛି : ପ୍ରଧାନମନ୍ତ୍ରୀ
ଜଳ, ସ୍ଥଳ, ଗଭୀର ସମୁଦ୍ର, ଆକାଶ ଓ ମହାକାଶରେ ଭାରତ ନିଜର ସ୍ଥିତିକୁ ମଜଭୂତ କରିଛି : ପ୍ରଧାନମନ୍ତ୍ରୀ
Posted On:
15 JAN 2025 12:50PM by PIB Bhubaneshwar
ବୁଧବାର ଦିନ ଦେଶ ଉଦ୍ଦେଶ୍ୟରେ ଆଇଏନଏସ ସୁରଟ, ଆଇଏନଏସ ନୀଳଗିରି ଓ ଆଇଏନଏସ ବାଘଶୀର ଯୁଦ୍ଧପୋତକୁ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୁମ୍ବାଇର ନାଭାଲ ଡକୟାର୍ଡରେ ଏହି ଯୁଦ୍ଧପୋତ ସବୁ କାର୍ଯ୍ୟ।ରମ୍ଭ କରିଛନ୍ତି । ସମବେତ ଜନତାକୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ୧୫ ଜାନୁୟାରୀକୁ ସାରା ଦେଶ ସେନା ଦିବସ ଭାବେ ପାଳନ କରୁଛି । ଦେଶ ପାଇଁ ପ୍ରାଣବଳି ଦେଇଥିବା ସମସ୍ତ ବୀର ସୈନିକଙ୍କୁ ସେ ଏହି ଅବସରରେ ସାଲ୍ୟୁଟ କରିଛନ୍ତି ।
ଆଜିର ଦିନକୁ ଭାରତୀୟ ନୌବାଣିଜ୍ୟ ଇତିହାସରେ ଏକ ଗୌରବମୟ ଦିବସ ଭାବେ ଅଭିହିତ କରି ଉଭୟ ନୌସେନା ଓ ଆତ୍ମନିର୍ଭର ଭାରତ ଅଭିଯାନର ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଛତ୍ରପତି ଶିବାଜୀ ମହାରାଜ ଭାରତୀୟ ନୌସେନାକୁ ଏକ ନୂଆ ଦିଶା ଦେଇଛନ୍ତି । ସେହି ଛତ୍ରପତିଙ୍କ ଭୂମିରେ ଆଜିର ଦିନରେ କେନ୍ଦ୍ର ସରକାର ଏକବିଂଶ ଶତାବ୍ଦୀର ଭାରତର ନୌସେନାକୁ ମଜଭୂତ କରିବା ପାଇଁ ପଦକ୍ଷେପ ନେଇଛନ୍ତି । ପ୍ରଥମଥର ପାଇଁ ତିନିଟି ବିଧ୍ୱଂସକାରୀ ଯୁଦ୍ଧପୋତ ବୁଡାଜାହାଜର ଶୁଭାରମ୍ଭ କରାଯାଇଛି । ଏହି ତିନିଟି ଅଗ୍ରଣୀ ପ୍ଲାଟଫର୍ମ ସ୍ୱଦେଶୀ ହୋଇଥିବାରୁ ଦେଶ ପାଇଁ ଏହା ଏକ ଗର୍ବର ବିଷୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହି ସଫଳତା ପାଇଁ ଭାରତୀୟ ନୌସେନା, ଯୁଦ୍ଧପୋତ ନିର୍ମାଣର ସମସ୍ତ ଅଂଶୀଦାର ଓ ଭାରତୀୟ ନାଗରିକଙ୍କୁ ପ୍ରଧାନମନ୍ତ୍ରୀ ସାଧୁବାଦ ଜଣାଇଛନ୍ତି ।
ଭବିଷ୍ୟତର ଆଶା ଆକାଂକ୍ଷା ସହ ଆମର ପୂର୍ବ ଐତିହ୍ୟକୁ ଏହା ଯୋଡୁଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । ସୁଦୂର ସାମୁଦ୍ରିକ ଜଳଯାତ୍ରା, ବାଣିଜ୍ୟ, ନୌସେନା ପ୍ରତିରକ୍ଷା, ଜାହାଜ ଶିଳ୍ପର ଏକ ଗୌରବାବହ ଅତୀତ ରହିଥିବା ମୋଦୀ କହିଛନ୍ତି । ଆଜିର ଦୁନିଆରେ ନୌବାଣିଜ୍ୟ କ୍ଷେତ୍ରରେ ସମଗ୍ର ବିଶ୍ୱରେ ଭାରତବର୍ଷ ଏକ ଶକ୍ତିଶାଳୀ ଦେଶ ଭାବେ ଉଭା ହେବାକୁ ଲାଗିଛି । ଇତିହାସର ଅବଲୋକନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଚୋଳ ବଂଶର ରାଜୁତି ସମୟର ନୌବାଣିଜ୍ୟ ପରମ୍ପରାର ଦ୍ୟୋତକ ହେଉଛି ଆଇଏନଏସ ନୀଳଗିରି । ପଶ୍ଚିମ ଏସିଆ ସହ ଗୁଜରାଟ ବନ୍ଦରର ବାଣିଜ୍ୟିକ ସମ୍ପର୍କର ଦ୍ୟୋତକ ହେଉଛି ଆଇଏନଏସ ସୁରଟ । କାଲଭାରୀ ବୁଡାଜାହାଜ ପରେ ପି୭୫ ଶ୍ରେଣୀର ଷଷ୍ଠ ସଂସ୍କରଣ ହେଉଛି ଭାଗଶୀର ବୁଡାଜାହାଜ । ଭାରତର ନିରାପତା ଓ ପ୍ରଗତିକୁ ଏସବୁ ବୁଡାଜାହାଜ ଯୁଦ୍ଧପୋତ ସୂଚାଉଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।
ଦକ୍ଷିଣ ଗୋଲାର୍ଦ୍ଧରେ ଭାରତ ଏକ ନିର୍ଭରଯୋଗ୍ୟ ବୈଶ୍ୱିକ ବନ୍ଧୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସାମ୍ରାଜ୍ୟବାଦ ନୁହେଁ ବରଂ ପ୍ରଗତିଶୀଳ ଆଭିମୁଖ୍ୟ ନେଇ ଭାରତ ଆଗଉଛି ବୋଲି ମୋଦୀ କହିଛନ୍ତି । ଏକ ମୁକ୍ତ, ସୁରକ୍ଷିତ, ସମୃଦ୍ଧଶାଳୀ ଇଣ୍ଡୋ-ପାସିଫିକ ଅଂଚଳ ସପକ୍ଷରେ ଆମ ଦେଶ ସବୁ ବେଳେ ରହିଆସିଛି । ଉପକୂଳିଆ ଦେଶ ଭାବରେ ଭାରତ ସାଗର (ସିକ୍ୟୁରିଟି ଆଣ୍ଡ ଗ୍ରୋଥ ଫର ଅଲ ଇନ ଦି ରିଜନ) ମନ୍ତ୍ର ଦେଇ ଅଗ୍ରଗତି କରିବାରେ ଲାଗିଛି । ଜି-୨୦ର ନେତୃତ୍ୱ ନେଇ ଭାରତ ବାନ ଆର୍ଥ, ବାନ ଫାମିଲି, ବାନ ଫ୍ୟୁଚରର ମନ୍ତ୍ର ଦେଇଛି । ଆଉ କୋଭିଡ ମହାମାରୀ ସମୟରେ ବାନ ଆର୍ଥ, ବାନ ହେଲଥ ଭାବଧାରାରେ ଭାରତ କାମ କରିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।
ବୈଶ୍ୱିକ ନିରାପତା, ଅର୍ଥନୀତି, ରାଜନୀତିକୁ ପ୍ରଭାବିତ କରୁଥିବା ନୌବାଣିଜ୍ୟ ଦେଶ ହିସାବରେ ଭାରତ ଏହାର କ୍ଷେତ୍ରୀୟ ଜଳପଥକୁ ସୁରକ୍ଷିତ ରଖିବା ସହ ଜଳଯାତ୍ରାରେ ସ୍ୱାଧୀନତା, ସାମୁଦ୍ରିକ ଜଳପଥରେ ବାଣିଜ୍ୟିକ କାରବାରକୁ ସୁଦୃଢ କରିବା ଦିଗରେ ଉଦ୍ୟମ କରିଆସୁଛି । ଆତଙ୍କବାଦ, ଚୋରା ଅସ୍ତ୍ରଶସ୍ତ୍ର ଓ ନିଶା କାରବାର କବଳରୁ ଦେଶକୁ ସୁରକ୍ଷିତ ରଖିବା ଦିଗରେ ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସମୁଦ୍ର ପଥକୁ ସୁରକ୍ଷିତ ଓ ସମୃଦ୍ଧ ରଖିବା, ଲଜିଷ୍ଟିକ ଦକ୍ଷତା ବୃଦ୍ଧି, ଜାହାଜ ପରିବହନ ଶିଳ୍ପ ପରି ବିଭିନ୍ନ କ୍ଷେତ୍ରରେ ବୈଶ୍ୱିକ ଭାଗିଦାର ହେବାରେ ଏବେ ଗୁରୁତ୍ୱ ବଢିଯାଇଛି । ସାମୁଦ୍ରିକ ସମ୍ବଳ ହିସାବରେ ଦୁର୍ଲଭ ଖଣିଜ ଓ ମତ୍ସ୍ୟ ସମ୍ପଦର ଅପବ୍ୟବହାର ରୋକିବା ଦିଗରେ ଆବଶ୍ୟକତା ରହିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ଭାରତ ମହାସାଗର ଅଂଚଳରେ ଜାହଜ ପରିବହନର ନୂଆ କ୍ଷେତ୍ରରେ ପୁଞ୍ଜି ନିବେଶ କରିବାରେ ଆମ ଦେଶ ଅଗ୍ରଣୀ ଭୂମିକା ନେଉଥିବା ମୋଦୀ କହିଛନ୍ତି । ନିକଟ ଅତୀତରେ ଭାରତୀୟ ନୌସେନା ଶହ ଶହ ଜୀବନ ବଂଚାଇବା ସହ କୋଟି କୋଟି ଟଙ୍କାର ବହୁ ଜାତୀୟ ଓ ଅନ୍ତର୍ଜାତୀୟ କାର୍ଗୋକୁ ସୁରକ୍ଷା ଦେଇଥିବାରୁ ବିଶ୍ୱ ସମୁଦାୟ ଆଗରେ ଭାରତ, ଭାରତୀୟ ନୌସେନା ଓ ତଟରକ୍ଷା ବାହିନୀର ସମ୍ମାନ ବଢିଛି । ଆସିୟାନ, ଅଷ୍ଟ୍ରେଲିଆ, ଗଲଫ ଦେଶ, ଆଫ୍ରିକୀୟ ଦେଶ ସହ ଭାରତର ଆର୍ଥନୀତିକ ସହଯୋଗ ବୃଦ୍ଧି ପାଇଥିବା କାରଣରୁ ଭାରତ ମହାସାଗର ଅଂଚଳରେ ଏହାର ଗୁରୁତ୍ୱ ବଢିଯାଇଛି । ଆଜିର କାର୍ଯ୍ୟକ୍ରମ ଉଭୟ ସାମରିକ ଓ ଅର୍ଥନୀତି ଦୃଷ୍ଟିକୋଣରୁ ଗୁରୁତ୍ୱବହନ କରିଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଏକବିଂଶ ଶତାବ୍ଦୀରେ ଭାରତର ସାମରିକ ଶକ୍ତିର ଅଭିବୃଦ୍ଧି ଓ ଆଧୁନିକୀକରଣ ଉପରେ ଗୁରୁତ୍ୱ ଦେଇ ମୋଦୀ କହିଛନ୍ତି ଯେ, ସ୍ଥଳ, ଜଳ, ଗଭୀର ସମୁଦ୍ର, ଆକାଶ ଓ ମହାକାଶରେ ନିଜର ଦକ୍ଷତା ବୃଦ୍ଧି ଦିଗରେ ଭାରତ କାମ କରୁଛି । ଚିଫ ଅଫ ଡିଫେନ୍ସ ଷ୍ଟାଫ ପ୍ରଣୟନ ପୂର୍ବକ ବିଭିନ୍ନ ସଂସ୍କାରଧର୍ମୀ କାର୍ଯ୍ୟକ୍ରମ ହାତକୁ ନିଆଯାଉଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସଶସ୍ତ୍ର ସେନାକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ଏବେ ଥିଏଟର କମାଣ୍ଡସ ପ୍ରଚଳନ କରିବା ଦିଗରେ ଭାରତ ଅଗ୍ରସର ହେଉଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ।
ସଂକଟ ସମୟରେ ଅନ୍ୟ ଦେଶ ଉପରେ ଯେତେଦୂର ସମ୍ଭବ ନିର୍ଭରଶୀଳତା କମାଇ ଗତ କିଛି ଦଶନ୍ଧି ଭିତରେ ଭାରତୀୟ ସେନାର ଆତ୍ମ ନିର୍ଭରତା ବଢିଛି । ଭାରତୀୟ ସେନା ବ୍ୟବହାର କରୁଥିବା ପ୍ରାୟ ପାଂଚ ହଜାର ଅସ୍ତ୍ରଶସ୍ତ୍ରକୁ ଆଉ ଏବେ ବାହାରୁ ଆମଦାନୀ କରାଯିବ ନାହିଁ ବୋଲି ମୋଦୀ କହିଛନ୍ତି । ସ୍ୱଦେଶୀ ଅସ୍ତ୍ରଶସ୍ତ୍ର ବ୍ୟବହାର କରିବା ଦିଗରେ ଭାରତୀୟ ସେନାର ମନୋବଳ ବୃଦ୍ଧି ପାଇଛି । କର୍ଣ୍ଣାଟକରେ ଦେଶର ବୃହତମ ହେଲିକପ୍ଟର ନିର୍ମାଣ ଫ୍ୟାକ୍ଟ୍ରି ସହ ଭାରତୀୟ ସେନା ପାଇଁ ପରିବହନ ଏୟାରକ୍ରାଫ୍ଟ ଫ୍ୟାକ୍ଟ୍ରି ନିର୍ମାଣ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି । ତେଜସ ଫାଇଟର ପ୍ଲେନର ସଫଳତା, ଉତରପ୍ରଦେଶ ଓ ତାମିଲନାଡୁରେ ଡିଫେନ୍ସ କରିଡର ବିକାଶ ଭାରତର ପ୍ରତିରକ୍ଷା ଶକ୍ତି ବୃଦ୍ଧି କରିପାରିଛି । ମେକ ଇନ ଇଣ୍ଡିଆ ଅଭିଯାନରେ ମାଜାଗନ ଡକୟାର୍ଡର ଭୂମିକାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି । ଭାରତୀୟ ନୌସେନାରେ ଗତ କିଛି ଦଶନ୍ଧି ଭିତରେ ୩୩ଟି ଜାହାଜ, ୭ଟି ବୁଡାଜାହାଜ ସାମିଲ ହୋଇଥିବା ବେଳେ ଭାରତୀୟ ସିପୟାର୍ଡରେ ୪୦ଟି ସାମୁଦ୍ରିକ ପୋତ ଭିତରୁ ୩୯ଟି ନିର୍ମାଣ କରାଯାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ଏହା ଭିତରେ ଆଇଏନଏସ ବିକ୍ରାନ୍ତ ଏୟାରକ୍ରାଫଟ କ୍ୟାରିୟର, ଆଇଏନଏସ ଅରିହନ୍ତ ଓ ଆଇଏନଏସ ଅରିଘଟ ପରି ଆଣବିକ ବୁଡାଜାହାଜ ରହିଛି । ମେକ ଇନ ଇଣ୍ଡିଆ କ୍ୟାମ୍ପେନରେ ସଫଳତା ଲାଗି ସଶସ୍ତ୍ର ସେନାକୁ ପ୍ରଧାନମନ୍ତ୍ରୀ ସାଧୁବାଦ ଜଣାଇଛନ୍ତି । ଆମ ଦେଶ ୧.୨୫ ଲକ୍ଷ କୋଟି ଟଙ୍କା ଉପରେ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କରିପାରିବା ସହ ପାଖାପାଖି ଶହେଟି ଦେଶକୁ ପ୍ରତିରକ୍ଷା ସାମଗ୍ରୀ ରପ୍ତାନୀ କରିପାରୁଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ।
ମେକ ଇନ ଇଣ୍ଡିଆ ଅଭିଯାନ ଭାରତୀୟ ସଶସ୍ତ୍ର ବାହିନୀର କେବଳ ଦକ୍ଷତା ବୃଦ୍ଧି କରିପାରିନାହିଁ ବରଂ ଅର୍ଥନୀତି ଅଭିବୃଦ୍ଧି ଦିଗରେ ସହାୟକ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଦେଶରେ ଜାହାଜ ନିର୍ମାଣ ଦିଗରେ ଖର୍ଚ୍ଚ ହେଉଥିବା ପ୍ରତି ପଇସା ଏହି ଦେଶର ଅର୍ଥନୀତିକୁ ଦୁଇଗୁଣା କରୁଛି । ପାଖାପାଖି ୧.୫ ଲକ୍ଷ କୋଟି ଟଙ୍କାର ୬୦ଟି ବଡ ଜାହାଜ ନିର୍ମାଣାଧୀନ ରହିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ୩ ଲକ୍ଷ କୋଟି ଆର୍ଥନୀତିକ କାରବାର ସହ ଛଅ ଦଫା ନିଯୁକ୍ତି ସୃଷ୍ଟି ଦିଗରେ ଏହା କାମ କରିବ ବୋଲି ସେ କହିଛନ୍ତି । ଅଧିକାଂଶ ଜାହାଜ ନିର୍ମାଣ ଯନ୍ତାଂଶ ଘରୋଇ ଏମଏସଏମଇ ସେକ୍ଟରରୁ ଆସୁଥିବା ବେଳେ ଗୋଟିଏ ଜାହାଜ ନିର୍ମାଣ ଲାଗି ଯଦି ଦୁଇ ହଜାର ଶ୍ରମିକ ନିଯୁକ୍ତ ହୁଅନ୍ତି ତେବେ ବାର ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ମୋଦୀ କହିଛନ୍ତି ।
ମାନୁଫାକଚରିଂ ଓ ରପ୍ତାନୀ କ୍ଷମତା ବୃଦ୍ଧି ଦିଗରେ ଭାରତ ବିଶ୍ୱର ତୃତୀୟ ବୃହତମ ଅର୍ଥନୀତି ଭାବରେ ଅବତୀର୍ଣ୍ଣ ହେବାରେ ଲାଗିଛି । ବନ୍ଦର ବିକାଶ କାର୍ଯ୍ୟକ୍ରମରେ ଅଧିକା ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି । ସମୁଦ୍ର ତରୀ ସେକ୍ଟରରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାରେ ଅଧିକା ସମ୍ଭାବନା ରହିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ୨୦୧୪ରେ ଏହାର ସଂଖ୍ୟା ଏକ ଲକ୍ଷ ୨୫ ହଜାର ରହିଥିବା ବେଳେ ଏବେ ଏହା ୩ ଲକ୍ଷକୁ ବୃଦ୍ଧି ପାଇଥିବା ସେ କହିଛନ୍ତି । ସମୁଦ୍ର ତରୀ ନିର୍ମାଣ କ୍ଷେତ୍ରରେ ସମଗ୍ର ବିଶ୍ୱର ପ୍ରମୁଖ ପାଂଚଟି ଦେଶ ଭିତରେ ଭାରତର ସ୍ଥାନ ରହିଛି ।
ଦେଶର ଆବଶ୍ୟକତାକୁ ଦୃଷ୍ଟିରେ ରଖି ତୃତୀୟ ପାଳିରେ ତାଙ୍କ ସରକାର ଅନେକ ଉନ୍ନୟନମୂଳକ ଯୋଜନା ହାତକୁ ନେଇଥିବା ସେ କହିଛନ୍ତି । ତୃତୀୟ ପାଳିରେ ମହାରାଷ୍ଟ୍ରର ବଧମାନ ବନ୍ଦର ନିର୍ମାଣ ପାଇଁ ତାଙ୍କ ସରକାର ଅନୁମୋଦନ କରିଛନ୍ତି । ପାଖାପାଖି ୭୫ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମାଣାଧୀନ ଏହି ଆଧୁନିକ ବନ୍ଦର କାର୍ଯ୍ୟକ୍ଷମ ହେଲେ ହଜାର ହଜାର ନୂଆ ନିଯୁକ୍ତି ସୃଷ୍ଟି ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ ଆଶା ପୋଷଣ କରିଛନ୍ତି ।
ଗତ ଦଶନ୍ଧିରେ ସୀମା ଓ ତଟୀୟ କ୍ଷେତ୍ରରେ ଅଭୂତପୂର୍ବ ଉନ୍ନତି ପରିଲକ୍ଷିତ ହୋଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ନିକଟରେ ଜମ୍ମୁ ଓ କାଶ୍ମୀରରେ ସୋନମାର୍ଗ ଟନେଲ ଉଦଘାଟିତ ହେବା ଫଳରେ କାରଗିଲ ଓ ଲଦାଖ ଅଂଚଳରେ ଗମନାଗମନ ସୁବିଧାଜନକ ହୋଇପାରିଛି । ଗତବର୍ଷ ଅରୁଣାଚଳ ପ୍ରଦେଶରେ ସେଲା ଟନେଲ ଉଦଘାଟିତ ହୋଇଥିବା ସେ କହିଛନ୍ତି । ଫଳରେ ଏଲଏସିକୁ ସେନା ସୁବିଧାରେ ଯାଇ ଆସିପାରୁଛି । ଭାରତମାଲା ପ୍ରୋଜେକ୍ଟ ଲୋକାର୍ପିତ ହେବା ପରେ ସୀମାରେ ଜାତୀୟ ରାଜପଥ ନେଟବାର୍କ ବୃଦ୍ଧି ଦିଗରେ ଆମେ ସଫଳତା ପାଇଛୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସୀମାବର୍ତୀ ଗ୍ରାମଗୁଡିକର ବିକାଶ ଦିଗରେ ଭାଇବ୍ରାଂଟ ଭିଲେଜ ପ୍ରୋଗ୍ରାମ ଉଲ୍ଲେଖନୀୟ ଭୂମିକା ନିର୍ବାହ କରୁଛି ବୋଲି ସେ କହିଛନ୍ତି । ଗତ କିଛି ଦଶନ୍ଧିରେ ନାମ ନିଶାଣ ନଥିବା ସୀମାବର୍ତୀ ଗ୍ରାମଗୁଡିକୁ ନାମକରଣ କରିବା ଦିଗରେ ତାଙ୍କ ସରକାର ଉଲ୍ଲେଖନୀୟ ଭୂମିକା ନେଇଛନ୍ତି । ଭାରତର ଉଦ୍ୟମକ୍ରମେ ଭାରତ ମହାସାଗରରେ ରହିଥିବା ପାଂଚଟି ସମୁଦ୍ର ପାହାଡର ନାମକରଣ କରାଯାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ଭାରତ ମହାସାଗରର ଅଶୋକା ସି ମାଉଂଟ, ହର୍ଷବର୍ଦ୍ଧନ ମାଉଂଟ, ରାଜା ରାଜା ଚୋଳ ସି ମାଉଂଟ, କଳ୍ପତରୁ ରିଜ, ଚନ୍ଦ୍ରଗୁପ୍ତ ରିଜ ଅନ୍ତର୍ଭୁକ୍ତ ।
ଆରମ୍ଭ କରାଯାଇଥିବା ସମୁଦ୍ରାୟନ ପ୍ରକଳ୍ପ ଫଳରେ ମହାସାଗରର ଛଅ ହଜାର ମିଟର ତଳକୁ ବୈଜ୍ଞାନିକମାନଙ୍କୁ ନେବାକୁ ଚେଷ୍ଟା କରାଯାଉଛି । ଏପ୍ରକାର ଉଦ୍ୟମ କମ ଦେଶ କରିଥିବା ସେ ଉଲ୍ଲେଖ କରିଛନ୍ତି ।
ଉପନିବେଶବାଦରୁ ଦେଶକୁ ମୁକ୍ତି ଦେବା ଲାଗି ଏକବିଂଶ ଶତାବ୍ଦୀର ଭାରତ କାମ କରୁଥିବା ସେ କହିଛନ୍ତି । ଏକ୍ଷେତ୍ରରେ ଭାରତୀୟ ନୌସେନା କାମ କରୁଥିବା ସେ ସ୍ପଷ୍ଟ କରିଛନ୍ତି । ଆଡମିରାଲ ରାଙ୍କରେ ପରିବର୍ତନ କରି ଛତ୍ରପତି ଶିବାଜୀଙ୍କ ଗରିମାମୟ ଐତିହ୍ୟ ସହ ନିଜର ଧ୍ୱଜାକୁ ଭାରତୀୟ ନୌସେନା ଯୋଡି ପାରିଥିବା ସେ କହିଛନ୍ତି । ଉପନିବେଶବାଦ ମାନସିକତାରୁ ମୁକୁଳାଇବା ଲାଗି ଦେଶର ମେକ ଇନ ଇଣ୍ଡିଆ ଅଭିଯାନ କାମ କରୁଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାକୁ ଚେଷ୍ଟା ଅବ୍ୟାହତ ରହିଥିବା ସେ କହିଛନ୍ତି ।
ମହାରାଷ୍ଟ୍ର ରାଜ୍ୟପାଳ ସି. ପି. ରାଧାକ୍ରିଷ୍ଣନନ, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ, କେନ୍ଦ୍ର ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ସେଠ, ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଅଜିତ ପାବାର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
ଇତିହାସ
ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ ଓ ନୌବାଣିଜ୍ୟ ସୁରକ୍ଷା ଦିଗରେ ବିଶ୍ୱ ନେତା ହେବା ଲାଗି ଭାରତର ରହିଥିବା ଅନ୍ତର୍ଦୃଷ୍ଟି କ୍ଷେତ୍ରରେ ଏହି ତିନି ପ୍ରମୁଖ ଯୁଦ୍ଧପୋତ ଉଲ୍ଲେଖନୀୟ କାମ କରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଆଇଏନଏସ ସୁରଟ ହେଉଛି ପି-ବାନ ୫-ବି ପରିଚାଳିତ ମିସାଇଲ ବିଧ୍ୱଂସକାରୀ ପ୍ରକଳ୍ପର ଚତୁର୍ଥ ଓ ଶେଷ ଯୁଦ୍ଧପୋତ । ଏହାର ୭୫ ପ୍ରତିଶତ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ । ଏହା ଯୁଦ୍ଧାସ୍ତ୍ର ସେନସର ପ୍ୟାକେଜ ଓ ଅଗ୍ରଣୀ ନେଟବାର୍କ କେନ୍ଦ୍ରୀୟ ଦକ୍ଷତା ସମ୍ବଳିତ ଯୁଦ୍ଧପୋତ ଅଟେ । ଆଇଏନଏସ ନୀଳଗିରି ହେଉଛି ପି-ବାନ ୭-ଏ ଷ୍ଟେଲଥ ଫ୍ରିଗେଟ ପ୍ରୋଜେକ୍ଟର ପ୍ରଥମ ସଂସ୍କରଣ । ଏହାକୁ ଭାରତୀୟ ନୌସେନା ବାରସିପ ଡିଜାଇନ ବ୍ୟୁରୋ ପରିକଳ୍ପନା କରିଛି । ସେହିପରି ଆଇଏନଏସ ଭାଗଶୀର ହେଉଛି ପି-୭୫ ସ୍କର୍ପିନ ପ୍ରେ୍ାଜେକ୍ଟର ଷଷ୍ଠ ଓ ଶେଷ ବୁଡାଜାହାଜ । ଏହା ନାଭାଲ ଗ୍ରୁପ ଅଫ ଫ୍ରାନ୍ସର ସହଯୋଗକ୍ରମେ ନିର୍ମାଣ କରାଯାଇଛି ।
PBD
(Release ID: 2093244)
Visitor Counter : 7