ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ
ନାରୀ ନେତ୍ରୀଙ୍କ ପାଇଁ ଦିନିକିଆ କର୍ମଶାଳାକୁ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ
ନାରୀଶକ୍ତି ହେଉଛି ଶକ୍ତି, ନମ୍ରତା ଏବଂ ଆଶାର ପ୍ରତୀକ - ଧର୍ମେନ୍ଦ୍ର ପ୍ରଧାନ
ମହିଳାଙ୍କ ସମାନତା ଓ ସଶକ୍ତୀକରଣ ହିଁ ଆମ ସମାଜ ଓ ରାଷ୍ଟ୍ରକୁ ସଶକ୍ତ କରିବ
ମହିଳା ସଶକ୍ତୀକରଣର ଏକ ଭାରତୀୟ ମଡେଲ ସୃଷ୍ଟି କରିବା ପାଇଁ ଆହ୍ୱାନ
ଅନେକ ବାଧାବିଘ୍ନକୁ ସାମ୍ନା କରି ଆଗକୁ ବଢୁଛନ୍ତି ମହିଳା
ସବୁ କ୍ଷେତ୍ରରେ ନାରୀଙ୍କ ପାଇଁ ସମାନ ସୁଯୋଗ ସୃଷ୍ଟି କରିବା ଜରୁରୀ
Posted On:
13 DEC 2024 2:24PM by PIB Bhubaneshwar
ନାରୀଶକ୍ତି ହେଉଛି ଶକ୍ତି, ନମ୍ରତା ଏବଂ ଆଶାର ପ୍ରତୀକ । ଭାରତୀୟ ସଭ୍ୟତାରେ ମହିଳାମାନଙ୍କୁ ସମ୍ମାନ ଦେବା ଓ ସେମାନଙ୍କ ସହ ଉତ୍ତମ ବ୍ୟବହାର କରିବାର ଅନ୍ତର୍ନିହିତ ମୂଲ୍ୟବୋଧ ରହିଛି ବୋଲି ଶୁକ୍ରବାର ନୂଆଦିଲ୍ଲୀରେ ୟୁଜିସି ଦ୍ୱାରା ଆୟୋଜିତ ମହିଳା ନେତ୍ରୀମାନଙ୍କ ପାଇଁ ଦିନିକିଆ କର୍ମଶାଳାକୁ ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏହି କର୍ମଶାଳାର ବିଷୟବସ୍ତୁ ରହିଥିଲା 'ମହିଳା ନେତୃତ୍ୱ: ୨୦୪୭ ସୁଦ୍ଧା ଭାରତକୁ ବିକଶିତ କରିବା ପାଇଁ ଏକାଡେମିକ ଉତ୍କର୍ଷତା'। ଏହି ଅବସରରେ ଶ୍ରୀ ପ୍ରଧାନ ଜାତୀୟ ଶିକ୍ଷା ନୀତିର ପରିକଳ୍ପନା, ଶିକ୍ଷାର ପ୍ରତ୍ୟେକ ସ୍ତରରେ ମହିଳା ସଶକ୍ତୀକରଣ ଉପରେ ଗୁରୁତ୍ୱରୋପ କରିଥିଲେ । ମହିଳାମାନେ କିପରି ଉଚ୍ଚଶିକ୍ଷାରେ ଆଗକୁ ବଢୁଛନ୍ତି ଏବଂ ସେମାନଙ୍କ ନେତୃତ୍ୱକୁ ଆଗକୁ ନେବା ପାଇଁ ପ୍ରେରିତ କରିବା ଦିଗରେ ଏହି କର୍ମଶାଳା ଏକ ମାଧ୍ୟମ ହେବ ବୋଲି ସେ କହିଛନ୍ତି ।
କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ଉଭା ହେଉଥିବା ନୂତନ ବିଶ୍ୱ ବ୍ୟବସ୍ଥା ଜ୍ଞାନ ଦ୍ୱାରା ପରିଚାଳିତ ହେବ । ବର୍ତ୍ତମାନ ସମୟରେ ମହିଳାମାନେ ଅନେକ ବାଧାବିଘ୍ନକୁ ସାମ୍ନା କରି ଆଗକୁ ବଢୁଛନ୍ତି । ଷ୍ଟେମ ଶିକ୍ଷା ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସେମାନଙ୍କ ଅଂଶଗ୍ରହଣ ବୃଦ୍ଧି ପାଉଛି । ସବୁ କ୍ଷେତ୍ରରେ ମହିଳାଙ୍କ ପାଇଁ ସମାନ ସୁଯୋଗ ସୃଷ୍ଟି କରିବା ଜରୁରୀ । ଗତ ୧୦ ବର୍ଷ ମଧ୍ୟରେ ମୋଦୀ ସରକାର ମହିଳାଙ୍କ ବିକାଶରୁ ମହିଳାଙ୍କ ନେତୃତ୍ୱାଧୀନ ବିକାଶରେ ପରିବର୍ତ୍ତନ ଆଣିବା ଦିଗରେ ବିଶେଷ ଗୁରୁତ୍ୱ ଦେଇଛନ୍ତି । ବିକଶିତ ଭାରତର ଲକ୍ଷ୍ୟକୁ ସାକାର କରିବା ଦିଗରେ ନାରୀ ଶକ୍ତି ଅଧିକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ । ମହିଳାଙ୍କ ସମାନତା ଓ ସଶକ୍ତୀକରଣ ହିଁ ଆମ ସମାଜ ଓ ରାଷ୍ଟ୍ରକୁ ସଶକ୍ତ କରିପାରିବ ।
ଏହି ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ମହିଳା ସଶକ୍ତୀକରଣର ଏକ ଭାରତୀୟ ମଡେଲ ସୃଷ୍ଟି କରିବା ଉପରେ ଗୁରୁତ୍ୱରାପ କରିଥିଲେ । ସେ କହିଥିଲେ ଆମକୁ ମହିଳାଙ୍କ ପାଇଁ ଏପରି ଏକ ମଡେଲ ସୃଷ୍ଟି କରିବାକୁ ହେବ, ଯେଉଁ ମଡେଲ ଦ୍ୱାରା ମହିଳାମାନେ ସ୍ୱଇଚ୍ଛା ଅନୁସାରେ ସବୁ ନିଷ୍ପତି ନିଜେ ନେଇପାରିବେ । ତେବେ ଆଜିର କର୍ମଶାଳାରେ ହୋଇଥିବା ଆଲୋଚନା ଏବଂ ଅନେକ ବ୍ୟକ୍ତିବିଶେଷଙ୍କ ଅଭିଜ୍ଞତା ଆଦାନ ପ୍ରଦାନରେ ଏକ ରୋଡ୍ ମ୍ୟାପ୍ ପ୍ରଦାନ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଏହି ଅବସରରେ କେନ୍ଦ୍ର ଉତ୍ତର-ପୂର୍ବାଞ୍ଚଳ ଶିକ୍ଷା ଓ ବିକାଶ ରାଷ୍ଟ୍ରମନ୍ତ୍ରୀ ଡ. ସୁକାନ୍ତ ମଜୁମଦାର ମଧ୍ୟ ଉପସ୍ଥିତ ଥିଲେ।
***
(Release ID: 2084319)
Visitor Counter : 19