ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ
କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ‘କେନ୍ଦ୍ରୀୟ
ହିନ୍ଦୀ ସମିତି’ର ୩୨ତମ ବୈଠକ ଅନୁଷ୍ଠିତ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଭାଷାଗୁଡ଼ିକର ସଂରକ୍ଷଣ, ପ୍ରସାର ଏବଂ ବ୍ୟାପକ ବ୍ୟବହାର ପାଇଁ ପ୍ରମୁଖ ପଦକ୍ଷେପ ଗ୍ରହଣ କରିଛନ୍ତି
ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ‘ହିନ୍ଦୀ ଶବ୍ଦସିନ୍ଧୁ’ ଅଭିଧାନ ବିଶ୍ୱର ସର୍ବବୃହତ ଓ ସମୃଦ୍ଧ ଅଭିଧାନରେ ପରିଣତ ହେବ
ଭାରତୀୟ ଭାଷାଗୁଡ଼ିକର ସଂରକ୍ଷଣ ଓ ପ୍ରଚାର ପ୍ରସାର ପାଇଁ ମୋଦୀ ସରକାରଙ୍କ କାର୍ଯ୍ୟକାଳ ଏକ ଗୌରବମୟ ସମୟ
ଭାରତ ହେଉଛି ବିଶ୍ୱର ଏକମାତ୍ର ଦେଶ ଯେଉଁଠି ୧୧ଟି ଶାସ୍ତ୍ରୀୟ ଭାଷା ଅଛି
ପ୍ରଧାନମନ୍ତ୍ରୀ ମୋଦୀ ପ୍ରତ୍ୟେକ ଅନ୍ତର୍ଜାତୀୟ ମଞ୍ଚରେ ହିନ୍ଦୀରେ ନିଜର ବକ୍ତବ୍ୟ ପ୍ରଦାନ କରି ହିନ୍ଦୀ ଭାଷାର ଗୁରୁତ୍ୱ ବଢ଼ାଇଛନ୍ତି
ଦେଶର ବିକାଶରେ ଯୁବପିଢ଼ିଙ୍କ ସମ୍ପୂର୍ଣ୍ଣ ସାମର୍ଥ୍ୟକୁ ଉପଯୋଗ କରିବା ପାଇଁ ସେମାନେ ନିଜ ମାତୃଭାଷାରେ ପଢ଼ିବା, ବିଚାର କରିବା, ବିଶ୍ଳେଷଣ କରିବା ଓ ନିଷ୍ପତ୍ତି ନେବା ଜରୁରୀ
‘କେନ୍ଦ୍ରୀୟ ହିନ୍ଦୀ ସମିତି’ର ଉଦ୍ଦେଶ୍ୟ ହେଉଛି ହିନ୍ଦୀ ସାହିତ୍ୟକୁ ପ୍ରୋତ୍ସାହିତ କରିବା ଏବଂ ହିନ୍ଦୀକୁ ଦେଶର ସଂଯୋଗକାରୀ ଭାଷା ଭାବରେ ପ୍ରତିଷ୍ଠା କରିବା
ଭାରତୀୟ ଭାଷାରେ ଇଞ୍ଜିନିୟରିଂ, ଡାକ୍ତରୀ, ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷାର ଉପଲବ୍ଧତା ଦେଶର ସମସ୍ତ ଭାଷାର ବିକାଶ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିଛି
ହିନ୍ଦୀକୁ ସଶକ୍ତ କରିବା ପାଇଁ ଗତ ପାଞ୍ଚ ବର୍ଷ ମଧ୍ୟରେ ନିଆଯାଇଥ
Posted On:
04 NOV 2024 8:16PM by PIB Bhubaneshwar
କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ‘କେନ୍ଦ୍ରୀୟ ହିନ୍ଦୀ ସମିତି’ର ୩୨ତମ ବୈଠକ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରୀୟ ହିନ୍ଦୀ ସମିତି ହିନ୍ଦୀ ଭାଷାର ବିକାଶ ଓ ପ୍ରସାର ସଂକ୍ରାନ୍ତରେ ମାର୍ଗଦର୍ଶିକା ନିର୍ଦ୍ଧାରଣ କରୁଥିବା ସର୍ବୋଚ୍ଚ ସମିତି ଅଟେ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଭାଷାଗୁଡ଼ିକର ସଂରକ୍ଷଣ, ପ୍ରସାର ଏବଂ ବ୍ୟାପକ ବ୍ୟବହାର ପାଇଁ ପ୍ରମୁଖ ପଦକ୍ଷେପ ଗ୍ରହଣ କରିଛନ୍ତି । ୨୦୧୪ରୁ ୨୦୨୪ ପର୍ଯ୍ୟନ୍ତ ସମୟ ଭାରତୀୟ ଭାଷାର ସଂରକ୍ଷଣ ଓ ପ୍ରସାର ପାଇଁ ଏକ ଗୌରବମୟ ସମୟ । ସେ କହିଛନ୍ତି ଯେ ନିକଟରେ ପ୍ରଧାନମନ୍ତ୍ରୀ ମୋଦୀ ଆହୁରି ୫ଟି ଭାରତୀୟ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ଦେଇଛନ୍ତି। ଶ୍ରୀ ଶାହ କହିଛନ୍ତି ଯେ ଭାରତ ହେଉଛି ବିଶ୍ୱର ଏକମାତ୍ର ଦେଶ ଯେଉଁଠାରେ ୧୧ଟି ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ମିଳିଛି ।
କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରତ୍ୟେକ ଅନ୍ତର୍ଜାତୀୟ ମଞ୍ଚରେ ହିନ୍ଦୀରେ ନିଜର ବକ୍ତବ୍ୟ ପ୍ରଦାନ କରି ସରକାରୀ ଭାଷା ହିନ୍ଦୀର ଗୌରବ ବଢ଼ାଇବା ପାଇଁ କାର୍ଯ୍ୟ କରିଛନ୍ତି। ଭାରତୀୟ ଭାଷାରେ ଇଞ୍ଜିନିୟରିଂ, ଡାକ୍ତରୀ, ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷାର ଉପଲବ୍ଧତା ସମସ୍ତ ଭାଷାର ବିକାଶ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିଛି। ଦେଶରେ ଭାଷାର ବିକାଶ ଦିଗରେ ଏହା ଏକ ପ୍ରେରଣାଦାୟୀ ପରିବର୍ତ୍ତନ ଏବଂ ଦେଶର ସାମର୍ଥ୍ୟକୁ ଶତ ପ୍ରତିଶତ ଉପଯୋଗ କରିବା ଏହାର ଲକ୍ଷ୍ୟ ବୋଲି ଶ୍ରୀ ଶାହ କହିଛନ୍ତି। ଦେଶର ବିକାଶରେ ଆମ ପିଲା ଓ ଯୁବକମାନଙ୍କର ପୂର୍ଣ୍ଣ ସାମର୍ଥ୍ୟକୁ ସାକାର କରିବାକୁ ହେଲେ ମାତୃଭାଷାରେ ଅଧ୍ୟୟନ, ବିଶ୍ଳେଷଣ ଓ ନିଷ୍ପତ୍ତି ନେବା ଜରୁରୀ ବୋଲି ସେ କହିଛନ୍ତି । ଶ୍ରୀ ଶାହ କହିଛନ୍ତି ଯେ କେନ୍ଦ୍ରୀୟ ହିନ୍ଦୀ ସମିତିର ଉଦ୍ଦେଶ୍ୟ ହେଉଛି ହିନ୍ଦୀ ସାହିତ୍ୟକୁ ପ୍ରୋତ୍ସାହିତ କରିବା ଏବଂ ହିନ୍ଦୀକୁ ଦେଶର ସଂଯୋଗକାରୀ ଭାଷା ଭାବରେ ପ୍ରତିଷ୍ଠା କରିବା ।
ଶ୍ରୀ ଅମିତ ଶାହ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ହିନ୍ଦୀକୁ ସଶକ୍ତ କରିବା ପାଇଁ ଗତ ୫ ବର୍ଷ ମଧ୍ୟରେ ତିନୋଟି ପ୍ରମୁଖ କାର୍ଯ୍ୟ କରାଯାଇଛି । ପ୍ରଥମ ପ୍ରମୁଖ କାର୍ଯ୍ୟ ହେଉଛି ହିନ୍ଦୀ ଶବ୍ଦସିନ୍ଧୁ ଅଭିଧାନ ପ୍ରସ୍ତୁତି । ଆଗାମୀ ୫ ବର୍ଷ ମଧ୍ୟରେ ଶବ୍ଦସିନ୍ଧୁ ବିଶ୍ୱର ସବୁଠାରୁ ସମୃଦ୍ଧ ଅଭିଧାନରେ ପରିଣତ ହେବ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଛନ୍ତି। ଭାରତୀୟ ଭାଷା ବିଭାଗ ପ୍ରତିଷ୍ଠା ଦ୍ୱିତୀୟ ପ୍ରମୁଖ କାର୍ଯ୍ୟ ବୋଲି ଶ୍ରୀ ଶାହ କହିଛନ୍ତି, ଯେପର୍ଯ୍ୟନ୍ତ ଆମେ ସମସ୍ତ ଭାରତୀୟ ଭାଷାକୁ ସୁଦୃଢ଼ କରିବା ନାହିଁ, ଆମେ ଆଗକୁ ବଢ଼ିପାରିବା ନାହିଁ। ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରି ଅନୁବାଦ କରିବା ଦିଗରେ ଭାରତୀୟ ଭାଷା ବିଭାଗ ପଦକ୍ଷେପ ନେଇଛି ବୋଲି ସେ କହିଛନ୍ତି। ତୃତୀୟ ପ୍ରମୁଖ କାର୍ଯ୍ୟ ହେଉଛି ଦେଶର ବିଭିନ୍ନ ସ୍ଥାନରେ ରାଜଭାଷା ସମ୍ମିଳନୀ ଆୟୋଜନ କରିବା, ଯାହା ସରକାରୀ ଭାଷାର ମହତ୍ତ୍ୱକୁ ସହଜରେ ବୁଝିବା ସମ୍ଭବ ହେବ ବୋଲି ଗୃହମନ୍ତ୍ରୀ କହିଛନ୍ତି।
ଶ୍ରୀ ଅମିତ ଶାହ ହିନ୍ଦୀକୁ ସୁଦୃଢ଼ କରିବା ଲାଗି ଦୁଇଟି ପ୍ରମୁଖ କାର୍ଯ୍ୟ ପାଇଁ ଆହ୍ୱାନ ଦେଇଥିଲେ । ପ୍ରଥମତଃ ହିନ୍ଦୀ ସାହିତ୍ୟର ସୁଦୃଢ଼ୀକରଣ, ସଂରକ୍ଷଣ ଓ ବ୍ୟାକରଣ ପାଇଁ ଏକ ଦୀର୍ଘମିଆଦୀ ନୀତି ପ୍ରଣୟନ କରିବାର ଆବଶ୍ୟକତା ରହିଛି। ଏହା ସହିତ ଆଧୁନିକ ଶିକ୍ଷାର ସମସ୍ତ ପାଠ୍ୟକ୍ରମକୁ ହିନ୍ଦୀ ସମେତ ସମସ୍ତ ଭାରତୀୟ ଭାଷାରେ ଅନୁବାଦ କରିବାର ଆବଶ୍ୟକତା ରହିଛି । ହିନ୍ଦୀକୁ ଗ୍ରହଣୀୟ ଏବଂ ନମନୀୟ କରିବା ଉପରେ ମଧ୍ୟ ଗୃହମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ।
ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା, ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆଇନ ଓ ନ୍ୟାୟ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ, ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଡ. ଏଲ୍ ମୁରୁଗାନ, ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସଂସଦୀୟ ସରକାରୀ ଭାଷା ସମିତିର ଉପାଧ୍ୟକ୍ଷ ଭର୍ତ୍ତୃହରି ମହତାବ ଉପସ୍ଥିତ ଥିଲେ।
ସଂସଦ ସରକାରୀ ଭାଷା ସମିତିର ତିନିଟି ଯାକ ଉପସମିତିର ଆବାହକ, ସରକାରୀ ଭାଷା ବିଭାଗ ସଚିବ ଶ୍ରୀମତୀ ଅଂଶୁଲି ଆର୍ଯ୍ୟ ଓ ଯୁଗ୍ମ ସଚିବ ଡ. ମୀନାକ୍ଷୀ ଜଲି ଯୋଗ ଦେଇଥିଲେ।
ଉଲ୍ଲେଖଯୋଗ୍ୟ, ହିନ୍ଦୀର ପ୍ରଚାର ଓ ପ୍ରଗତିଶୀଳ ବ୍ୟବହାର ସମ୍ପର୍କରେ ମାର୍ଗଦର୍ଶିକା ପ୍ରଦାନ କରୁଥିବା ସର୍ବୋଚ୍ଚ ସଂସ୍ଥା ହେଉଛି କେନ୍ଦ୍ରୀୟ ହିନ୍ଦୀ ସମିତି। ଏହି ସମିତିର କାର୍ଯ୍ୟ ହେଉଛି ହିନ୍ଦୀର ବିକାଶ ଓ ପ୍ରସାର କ୍ଷେତ୍ରରେ ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା କାର୍ଯ୍ୟ ଏବଂ କାର୍ଯ୍ୟକ୍ରମଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା କରିବା । ଏହି ସମିତିର କାର୍ଯ୍ୟ ସମ୍ପାଦନରେ ସହଯୋଗ କରିବା ପାଇଁ ଆବଶ୍ୟକ ଅନୁଯାୟୀ ଉପସମିତି ଏବଂ ସହକାରୀ ଅତିରିକ୍ତ ସଦସ୍ୟ ନିଯୁକ୍ତ କରିବାର ଅଧିକାର ରହିଛି। ସମିତିର କାର୍ଯ୍ୟକାଳ ସାଧାରଣତଃ ୩ ବର୍ଷ ହୋଇଥାଏ। ୨୦୨୧ ନଭେମ୍ବର ୯ ତାରିଖରେ ବର୍ତ୍ତମାନର ସମିତିର ପୁନର୍ଗଠନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗଠିତ ବର୍ତ୍ତମାନର କେନ୍ଦ୍ରୀୟ ହିନ୍ଦୀ ସମିତିରେ ୯ ଜଣ କେନ୍ଦ୍ରମନ୍ତ୍ରୀ, ୬ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ସଂସଦୀୟ ସରକାରୀ ଭାଷା ସଂକ୍ରାନ୍ତ ସମିତିର ଉପାଧ୍ୟକ୍ଷ ଏବଂ ତିନି ଜଣ ଆବାହକଙ୍କୁ ମିଶାଇ ୨୧ ଜଣ ସଦସ୍ୟ ରହିଛନ୍ତି।
*********
P.S.
(Release ID: 2070730)
Visitor Counter : 39