ରାଷ୍ଟ୍ରପତିଙ୍କ ସଚିବାଳୟ
azadi ka amrit mahotsav

୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି


ଦାଦାସାହେବ ଫାଲକେ ଆଜୀବନ ସାଧନା ପୁରସ୍କାରରେ ସମ୍ମାନିତ ହେଲେ ଶ୍ରୀ ମିଥୁନ୍‌ ଚକ୍ରବର୍ତ୍ତୀ


ସମାଜରେ ପରିବର୍ତ୍ତନ ଆଣିବା ଲାଗି ଚଳଚ୍ଚିତ୍ର ଓ ସାମାଜିକ ଗଣମାଧ୍ୟମ ସବୁଠୁ ଶକ୍ତିଶାଳୀ ମାଧ୍ୟମ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

Posted On: 08 OCT 2024 7:53PM by PIB Bhubaneshwar

ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି (୮ ଅକ୍ଟୋବର, ୨୦୨୪) ନୂଆଦିଲ୍ଲୀରେ ଆୟୋଜିତ ସମାରୋହରେ ବିଭିନ୍ନ ବର୍ଗରେ ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିଛନ୍ତି। ସେ ମଧ୍ୟ ବିଶିଷ୍ଟ ଚଳଚ୍ଚିତ୍ର ତାରକା ଶ୍ରୀ ମିଥୁନ୍‌ ଚକ୍ରବର୍ତ୍ତୀଙ୍କୁ ୨୦୨୨ ବର୍ଷ ପାଇଁ ଦାଦାସାହେବ ଫାଲକେ ଆଜୀବନ ସାଧନା ପୁରସ୍କାରରେ ସମ୍ମାନିତ କରିଛନ୍ତି ।

କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ରାଷ୍ଟ୍ରପତି କହିଛନ୍ତି ଯେ, ଆମ ଚଳଚ୍ଚିତ୍ରଗୁଡ଼ିକରେ ଆମ ସମାଜର କଳାତ୍ମକ ଭାବନା ପ୍ରତିଫଳିତ ହୋଇଥାଏ। ଜୀବନ ବଦଳୁଛି। କଳାର ମାନ ବଦଳୁଛି । ନୂଆ ଆକାଂକ୍ଷା ସୃଷ୍ଟି ହେଉଛି। ନୂଆ ନୂଆ ସମସ୍ୟା ଉତ୍ପନ୍ନ ହେଉଛି। ନୂଆ ସଚେତନତା ବଢ଼ିବାରେ ଲାଗିଛି। ଏସବୁ ପରିବର୍ତ୍ତନ ଭିତରେ ପ୍ରେମ, କରୁଣା ଓ ସେବାର ଅପରିବର୍ତ୍ତିତ ମୂଲ୍ୟବୋଧ ଆଜି ବି ଆମ ବ୍ୟକ୍ତିଗତ ଓ ସାମୂହିକ ଜୀବନକୁ ଅର୍ଥପୂର୍ଣ୍ଣ କରୁଛି। ଆଜି ପୁରସ୍କାର ପାଇଥିବା ଚଳଚ୍ଚିତ୍ରଗୁଡ଼ିକରେ ଏହି ସବୁ ମୂଲ୍ୟବୋଧ ଚିତ୍ରଣ ଆମେ ଦେଖିପାରିବା ।

ରାଷ୍ଟ୍ରପତି କହିଥିଲେ ଯେ ଭାରତୀୟ ସିନେମା ହେଉଛି ବିଶ୍ୱର ସର୍ବବୃହତ ଚଳଚ୍ଚିତ୍ର ଉଦ୍ୟୋଗ, ଯେଉଁଥିରେ ଏକାଧିକ ଭାଷାରେ ଏବଂ ଦେଶର ସମସ୍ତ ଅଞ୍ଚଳରେ ଚଳଚ୍ଚିତ୍ର ନିର୍ମାଣ କରାଯାଉଛି । ଏହା ମଧ୍ୟ ସବୁଠାରୁ ବିବିଧ କଳା । ସେ ସମସ୍ତ ପୁରସ୍କାର ବିଜେତାଙ୍କୁ ଅଭିନନ୍ଦନ ଜଣାଇବା ସହ ଚଳଚ୍ଚିତ୍ର ଜଗତ ସହ ଜଡ଼ିତ ଲୋକମାନଙ୍କୁ ପ୍ରଶଂସା କରିଛନ୍ତି।

ରାଷ୍ଟ୍ରପତି ଦାଦାସାହେବ ଫାଲକେ ଆଜୀବନ ସାଧନା ପୁରସ୍କାର ଗ୍ରହଣ କରିଥିବା ଶ୍ରୀ ମିଥୁନ ଚକ୍ରବର୍ତ୍ତୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ପାଖାପାଖି ପାଞ୍ଚ ଦଶନ୍ଧିର କଳାତ୍ମକ ଯାତ୍ରାରେ ମିଥୁନ ଜୀ କେବଳ ଗମ୍ଭୀର ଚରିତ୍ରକୁ ପରଦାରେ ଚିତ୍ରଣ କରିନାହାନ୍ତି ବରଂ ଅନେକ ସାଧାରଣ କାହାଣୀକୁ ନିଜ ଅନନ୍ୟ ସାମର୍ଥ୍ୟ ବଳରେ ସଫଳତାର ସହ ପରିବେଷଣ କରିଛନ୍ତି ।

ରାଷ୍ଟ୍ରପତି କହିଛନ୍ତି ଯେ ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ରଗୁଡ଼ିକର ଭାଷା ଏବଂ ପୃଷ୍ଠଭୂମି ଭିନ୍ନ ହୋଇପାରେ, କିନ୍ତୁ ସେସବୁରେ ଭାରତର ପ୍ରତିଫଳନ ରହିଛି । ଏହି ଚଳଚ୍ଚିତ୍ରଗୁଡ଼ିକ ଭାରତୀୟ ସାମାଜିକ ଅନୁଭୂତିର ଭଣ୍ଡାର । ଏହି ଚଳଚ୍ଚିତ୍ରଗୁଡ଼ିକରେ ଭାରତୀୟ ପରମ୍ପରା ଏବଂ ସେଗୁଡ଼ିକର ବିବିଧତା ଜୀବନ୍ତ ହୋଇଥାଏ ।

ସମାଜରେ ପରିବର୍ତ୍ତନ ଆଣିବା ପାଇଁ ଚଳଚ୍ଚିତ୍ର ଏବଂ ସାମାଜିକ ଗଣମାଧ୍ୟମ ସବୁଠାରୁ ଶକ୍ତିଶାଳୀ ମାଧ୍ୟମ ବୋଲି ରାଷ୍ଟ୍ରପତି କହିଛନ୍ତି । ଅନ୍ୟ ମାଧ୍ୟମ ତୁଳନାରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାରେ ଏହି ମାଧ୍ୟମଗୁଡ଼ିକ ଅଧିକ ପ୍ରଭାବ ପକାଇଥାଏ । ସେ ଉଲ୍ଲେଖ କରିଛନ୍ତି ଯେ ଆଜି ପ୍ରଦାନ କରାଯାଇଥିବା ୮୫ରୁ ଅଧିକ ପୁରସ୍କାର ମଧ୍ୟରୁ ମାତ୍ର ୧୫ଟି ପୁରସ୍କାର ମହିଳା ପୁରସ୍କାର ବିଜେତାଙ୍କୁ ମିଳିଛି । ଚଳଚ୍ଚିତ୍ର ଉଦ୍ୟୋଗରେ ମହିଳାଙ୍କ ନେତୃତ୍ବାଧୀନ ବିକାଶ ଦିଗରେ ଅଧିକ ପ୍ରୟାସ କରାଯିବା ଉଚିତ୍‌ ବୋଲି ସେ କହିଛନ୍ତି।

ରାଷ୍ଟ୍ରପତି ଦର୍ଶାଇଛନ୍ତି ଯେ ଅର୍ଥପୂର୍ଣ୍ଣ ଚଳଚ୍ଚିତ୍ରଗୁଡ଼ିକୁ ପ୍ରାୟତଃ ଦର୍ଶକ ମିଳନ୍ତି ନାହିଁ। ଅର୍ଥପୂର୍ଣ୍ଣ ଚଳଚ୍ଚିତ୍ରକୁ ଦର୍ଶକଙ୍କ ପାଖରେ ପହଞ୍ଚାଇବା ପାଇଁ ସଚେତନ ନାଗରିକ, ସାମାଜିକ ସଂଗଠନ ଓ ସରକାର ମିଳିତ ଭାବେ କାର୍ଯ୍ୟ କରିବାକୁ ସେ ଆହ୍ୱାନ କରିଥିଲେ।

ରାଷ୍ଟ୍ରପତିଙ୍କ ଭାଷଣ ପାଇଁ ଦୟାକରି ଏଠାରେ କ୍ଲିକ୍‌ କରନ୍ତୁ-

 

*********

 

P.S/Swadhin/PIB Bhubaneswar

 

 

 



(Release ID: 2063306) Visitor Counter : 28