ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ
azadi ka amrit mahotsav

ଜାତୀୟ ଆପ୍ରେଣ୍ଟିସିପ୍ ପ୍ରଶିକ୍ଷଣ ଯୋଜନା ୨.୦ ପୋର୍ଟାଲର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ



ପ୍ରଶିକ୍ଷଣ ଦ୍ୱାରା ଯୁବପିଢ଼ିଙ୍କୁ ରୋଜଗାରକ୍ଷମ କରାଇବା ଲକ୍ଷ୍ୟ - ଧର୍ମେନ୍ଦ୍ର ପ୍ରଧାନ


ଡିବିଟି ମାଧ୍ୟମରେ ଛାତ୍ରବୃତ୍ତି ଆକାରରେ ୧୦୦ କୋଟି ଟଙ୍କା ଜାରି

ନାଟ୍ସ ଯୋଜନାରେ ସୁବିଧା ପାଇଥିବା କେନ୍ଦୁଝରର ଦମୟନ୍ତୀ ମହାନ୍ତଙ୍କ ଅନୁଭୂତିକୁ କଲେ ପ୍ରଶଂସା

ଡିଗ୍ରୀ ସସହ ଦକ୍ଷତା ବିକାଶ ଯୁବପିଢିଙ୍କ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ

ପାଠ୍ୟକ୍ରମରେ ନିଯୁକ୍ତି ଦକ୍ଷତା ବୃଦ୍ଧି ଉପରେ ଦୃଷ୍ଟି ଦିଆଯିବା ଉଚିତ୍

ସମସ୍ତ ଶିକ୍ଷାନୁଷ୍ଠାନ ଓ ଶିଳ୍ପସଂସ୍ଥା ଗୁଡ଼ିକୁ ଏନଏଟିଏସ ୨.୦ ପୋର୍ଟାଲରେ ସାମିଲ ହେବାକୁ ଆହ୍ୱାନ

Posted On: 30 JUL 2024 7:51PM by PIB Bhubaneshwar

ଜାତୀୟ ଆପ୍ରେଣ୍ଟିସିପ୍ ପ୍ରଶିକ୍ଷଣ ଯୋଜନା(ନାଟ୍ସ) ଆମର ଯୁବପିଢ଼ିଙ୍କୁ ଆପ୍ରେଣ୍ଟିସିପ୍ ସୁଯୋଗ ସହିତ ଯୋଡ଼ିବା ସହ ଚାକିରି ପ୍ରଶିକ୍ଷଣ ପ୍ରଦାନ କରିବା ତଥା ସେମାନଙ୍କୁ ଅଧିକ ରୋଜଗାରକ୍ଷମ କରିବାରେ ବେଶ୍ ସହାୟକ ହେଉଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  


ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ଜାତୀୟ ଆପ୍ରେଣ୍ଟିସିପ୍ ପ୍ରଶିକ୍ଷଣ ଯୋଜନା (ନାଟ୍ସ) ୨.୦ ପୋର୍ଟାଲର ଶୁଭାରମ୍ଭ ସହ ଡିବିଟି ମାଧ୍ୟମରେ ଛାତ୍ରବୃତ୍ତି ଆକାରରେ ୧୦୦ କୋଟି ଟଙ୍କା ଜାରି କରିଛନ୍ତି । ନିଯୁକ୍ତି ସୁଯୋଗକୁ ଗତି ଦେବା ସହ ଯୁବପିଢିଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରାଇବା ଦିଗରେ ଏହି ପୋର୍ଟାଲର ଶୁଭାରମ୍ଭ ହୋଇଛି ।  ଆପ୍ରେଣ୍ଟିସିପକୁ ଲୋକାଭିମୁଖୀ କରିବା, ଦକ୍ଷତା ବ୍ୟବଧାନକୁ ଦୂର କରିବା, ଯୁବାକାଂକ୍ଷା ପୂରଣ କରିବା ଏବଂ ସେମାନଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ । ଶୁଭାରମ୍ଭ ହୋଇଥିବା ଏନଏଟିଏସ୍ ୨.୦ ପୋର୍ଟାଲ ଆପ୍ରେଣ୍ଟିସିପ୍ ସୁଯୋଗର ପହଞ୍ଚକୁ ବ୍ୟାପକ କରିବ ଏବଂ ପ୍ରାର୍ଥୀ ଏବଂ ନିଯୁକ୍ତିଦାତାଙ୍କୁ ମ୍ୟାଚ୍ ମେକିଂ କରିବାରେ ସାହାଯ୍ୟ କରିବ ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି,  ଟେକ୍ନୋଲୋଜି ଦ୍ୱାରା ପରିଚାଳିତ ଏହି ଯୁଗ କେବଳ ଡିଗ୍ରୀ ହାସଲ କରିବା ପାଇଁ ନୁହେଁ ବରଂ ଦକ୍ଷତା ବିକାଶ ପାଇଁ ମଧ୍ୟ ଗୁରୁତ୍ୱବହନ କରେ । ଆମ ପାଠ୍ୟକ୍ରମରେ ନିଯୁକ୍ତି ଦକ୍ଷତା ବୃଦ୍ଧି ଉପରେ ଦୃଷ୍ଟି ଦିଆଯିବା ଉଚିତ୍ । ଚଳିତ ବର୍ଷର ବଜେଟରେ ଦକ୍ଷତା ଏବଂ ନିଯୁକ୍ତି ବୃଦ୍ଧି ଉପରେ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଇଛି । ଆମର ଆପ୍ରେଣ୍ଟିସିପ୍ ଇକୋସିଷ୍ଟମ୍ ବିବିଧ ଏବଂ ଉଭା ହେଉଥିବା ନୂଆ କ୍ଷେତ୍ରକୁ ସାମିଲ କରିବା ଉଚିତ୍ । ଦେଶର ଡେମୋଗ୍ରାଫିକ୍ ଡିଭିଡେଣ୍ଡକୁ  ଉପଯୋଗ କରିବା ପାଇଁ ଏକ ବ୍ୟାପକ ରଣନୀତି ପ୍ରସ୍ତୁତ କରିବା ପାଇଁ ଆହ୍ୱାନ କରିଛନ୍ତି ଶିକ୍ଷା ମନ୍ତ୍ରୀ । ଏହାସହ ସମସ୍ତ ଶିକ୍ଷାନୁଷ୍ଠାନ ଓ ଶିଳ୍ପସଂସ୍ଥା ଗୁଡ଼ିକୁ ନାଟ୍ସ ୨.୦ ପୋର୍ଟାଲରେ ସାମିଲ ହେବା ପାଇଁ ଅପିଲ କରିଛନ୍ତି । ଆପ୍ରେଣ୍ଟିସିପକୁ ଏକ ଜନଆନ୍ଦୋଳନରେ ପରିଣତ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି ।  


ଏହି କାର୍ଯ୍ୟକ୍ରମରେ ନାଟ୍ସ ଯୋଜନାର ସୁବିଧା ପାଇଥିବା କେନ୍ଦୁଝରର ଦମୟନ୍ତୀ ମହାନ୍ତ ନିଜର ଅନୁଭୂତି ପ୍ରକାଶ କରିଥିଲେ । ଗରିବ ପରିବାରରୁ ଆସି ସରକାରୀ ପଲିଟେକନିକ, ସମ୍ବଲପୁର ଶିକ୍ଷାନୁଷ୍ଠାନରୁ ଡିପ୍ଲୋମା ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରର ପାଠ ପଢି ନାଟ୍ସ ମାଧ୍ୟମରେ ସମ୍ବଲପୁର, ବୁର୍ଲା ସବଡିଭିଜନରେ କିପରି ପ୍ରଶିକ୍ଷଣ ପାଇ ଲାଭ ପାଇପାରିଛନ୍ତି ତା’ ଉପରେ ଆଲୋକପାତ କରିଥିଲେ, ଯାହାକୁ ଟ୍ୱିଟ୍ କରି କେନ୍ଦ୍ରମନ୍ତ୍ରୀ ପ୍ରଶଂସା କରିଛନ୍ତି ।

RoM


(Release ID: 2039336) Visitor Counter : 71